Tuesday, August 2, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 8)

                        (ପୂର୍ବାଭାସ -- ମିଠୁ ଖୁସି ହୋଇ ଚାଲିଯିବାପରେ ବସୁଧାର ମନେପଡ଼ିଗଲା,ମାଆ ତାର ମାଛ ଭାଜୁଥିବା ବେଳେ ବାବା  କେମିତି ବାସନା ବାରି,ରୋଷେଇଘରକୁ ପ୍ଲେଟ ନେଇ ଚାଲି ଆସନ୍ତି,ଓ ଗୋଟିକ ପରେ ଗୋଟିଏ ଭଜା ମାଛ ନେଇ,ସେମାନଙ୍କ ସହିତ ମିଶି ଖାଆନ୍ତି !ମାଆ ଯେତେ ରାଗିଲେ ବି ତାଙ୍କ କଥା ସେ ଆଦୌ ଶୁଣନ୍ତି ନାହିଁ |ଏକଥା ମନେ ପଡି଼ବାକ୍ଷଣି ତା ହୃଦୟ ଭିତରୁ ଏକ ପ୍ରଚଣ୍ଡ କୋହ କାୟା ବିସ୍ତାର କରି ବାହାରକୁ ବାହାରି ଆସିବା ପାଇଁ ଚେଷ୍ଟା କଲା  |ଅନେକ ଚେଷ୍ଟା କରି ସେ ନିଜକୁ ରୋକିଦେଲା |ଏହି ପ୍ରଚେଷ୍ଟାରେ ତା ଆଖିର ଦୁଇ ପ୍ରାନ୍ତ ଦେଇ ଅନର୍ଗଳ ଲୁହଧାରା ଝରିଗଲା,ଇଚ୍ଛା କରି ବି ସେ ତାକୁ ରୋକି ପାରିଲା ନାହିଁ | |ତାର ଇଚ୍ଛା ହେଉଥିଲା,ଜୋରରେ ପାଟି କରି କାନ୍ଦିବା ପାଇଁ ଓ କହିବା ପାଇଁ,ମୋର ଭୁଲ ହୋଇ ଯାଇଛି ବାବା,ମତେ କ୍ଷମା କରିଦିଅ |ତାପରେ ......)

                          ବସୁଧା ଡାହାଣ ହାତରେ ମାଛ ଭାଜୁଥିବାବେଳେ ବାମ ହାତରେ ତାର ଲୁଗାକାନି ପାଟିରେ ଚାପିଧରି,କୋହ ଚାପିବାକୁ ଚେଷ୍ଟା କରୁଥିଲା  |ଏହି ସମୟରେ ଦୀପା ସେଠାକୁ ଆସି,ତା ମୁହଁକୁ ଝୁଙ୍କି ପଡି ଭଲଭାବେ ଲକ୍ଷ୍ୟ କଲା ଓ ଆଶ୍ଚର୍ଯ୍ୟ ହୋଇ ପଚାରିଲା.ତୁ କାନ୍ଦୁଛୁ କାହିଁକି ?କଣ ହୋଇଛି ? ଦେହ  ଭଲ ଲାଗୁନି ?ପାଖରେ ଦୀପାକୁ ଦେଖି,ବସୁଧା ଚମକି ପଡି ତା ଆଖିରୁ ଲୁହ ପୋଛି ପାଟିରେ ଆଙ୍ଗୁଠି ରଖି ଈଶାରାରେ ତାକୁ ଚୁପ ରହିବାପାଇଁ କହିଲା |ଦୀପା କହିଲା,ବୁଝିଲି,ଘର କଥା ମନେ ପଡୁଛି ନା ??ଠିକ ଅଛି,ତୋ କାମ ନୁହେଁ,ମୁଁ ତରକାରି  କରିଦେବି,ତୁ ଯାଆ  |ବସୁଧା କହିଲା,ନା ଅପା,ତମେ ଯାଅ,ଆଉ ଅଳ୍ପ ଅଛି,ମତେ ରାନ୍ଧିବାକୁ ଦିଅ,କାହାକୁ କିଛି କୁହନି,ପ୍ଲିଜ  |ଦୀପା ସ୍ମିତ ହସି କହିଲା,ହଉ ହେଲା ,କିନ୍ତୁ ଏ ଥରକ ଗଡ଼ବଡ଼ କଲେ,ତୋ ହାତରୁ ଚଟୁ ଛଡେଇ ନେବି,ଆଉ ତୋ କଥା ମାନିବିନି |ବସୁଧା ତା କଥାରେ ନୀରବ ସମ୍ମତି ଜଣାଇ,ନିଜକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରି, ପୁଣି ମାଛ ଭାଜିବାରେ ମନ ଦେଲା |

                         ସେଦିନ ମାଛ ତରକାରି  ଖୁବ ସୁସ୍ୱାଦୁ ହୋଇଥିଲା ,ଖାଇବା ବେଳେ ସମସ୍ତେ ବସୁଧାର ଭୁରି ଭୁରି ପ୍ରଶଂସା କରୁଥିଲେ |କାଞ୍ଚନ କିନ୍ତୁ ମାଛ ତରକାରି ନଖାଇ ସନ୍ତୁଳା ଖାଇଲେ |ବସୁଧା ଆମିଷ ତରକାରି ରାନ୍ଧୁଥିବା ଜାଣି ସେ ଆଗରୁ ଦୀପାକୁ ସନ୍ତୁଳା ପାଇଁ ବରାଦ କରିଥିଲେ |

                         ଖାଇସାରି ସମସ୍ତଙ୍କଠାରୁ ବିଦାୟ ନେଇ ବାହାରିବାବେଳକୁ,ଅପରାହ୍ନ ଚାରିଟା ପାଖାପାଖି ହୋଇଥିଲା |କାଞ୍ଚନ ସେତେବେଳେ କବାଟ ଦର ଆଉଜା କରି ଶୋଇଥିଲେ |ସେଇ ଦୁଆରମୁହଁ ପାଖରେ ତାଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇ ଦୁହେଁ ଚାଲିଆସିଲେ |ବାଟରେ ଅକ୍ଷର ବସୁଧାକୁ  କହିବାକୁ ଚାହୁଁଥଲା ,ବ୍ୟସ୍ତ ହୁଅନା,ବୋଉ ବୁଝିବାପାଇଁ କିଛି ସମୟ ଲାଗିବ,କିନ୍ତୁ ତା ପାଟିରୁ ସେକଥା ବାହାରିଲାନାହିଁ ,ସେ ଚୁପ ରହିଗଲା |ଭୁବନେଶ୍ୱରରେ ସେମାନଙ୍କ ପାଇଁ ସମସ୍ୟାର ପାହାଡ଼ ଛିଡା ହୋଇଥିଲା |କିପରି ସେସବୁର ସମ୍ମୁଖୀନ ହେବେ,ଦୁହେଁ ସେକଥା ଭାବୁ ଭାବୁ ବାଟ ସରି ଯାଇଥିଲା |

                  କ୍ୱାର୍ଟର ପାଖରେ ବନ୍ଧୁ ଗଗନ ସେମାନଙ୍କୁ ପ୍ରତୀକ୍ଷା କରିଥିଲା |ପୂର୍ବରୁ ଗଗନ ଓ  ସରୋଜ, ଅକ୍ଷର କ୍ୱାର୍ଟରରେ ଏକାଠି ରହୁଥିଲେ |ବସୁଧା ପାଇଁ ସେମାନଙ୍କୁ ସେ ଘର ଛାଡି ସବଲେଟିଙ୍ଗରେ ଆଉ ଏକ ଘର ଭଡା ନେବାକୁ ପଡିଲା |ଗଗନ ଏକ ଛୋଟ ଘରୋଇ ସଂସ୍ଥାରେ ସ୍ୱଳ୍ପ ବେତନରେ ଚାକିରୀ କରୁଥିବାବେଳେ ସରୋଜ ଟ୍ୟୁସନ କରୁଥିଲା |ଚାକିରୀ ପାଇଁ ଦୁହେଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ |ଏବେ ଅକ୍ଷର ଜୀବନରେ ବସୁଧାର ପ୍ରବେଶ ହେବାପରେ,ମାଗଣାରେ ମିଳିଥିବା ଘର ସେମାନଙ୍କ ହାତରୁ ଚାଲିଯାଇଥିଲା |କିନ୍ତୁ କିଛି ଉପାୟ ନଥିଲା |

                     ସେମାନଙ୍କୁ ଦେଖୁ ଦେଖୁ ଗଗନ ଖୁସି ହୋଇ କହିଲା,ମୁଁ ତତେ ଘଣ୍ଟାଏ ହେଲାଣି ଅପେକ୍ଷା କରିଛି |ଅକ୍ଷର ପଚାରିଲା,କଣ ହୋଇଛି,ଏତେ ବ୍ୟସ୍ତ କାହିଁକି ?ଗଗନ କହିଲା,ଚାଲ ଆମ ଘରକୁ ଯିବା,ସେଇଠି ଚା' ଜଳଖିଆ ଖାଇବ,ତାପରେ  ଡିନର ଖାଇ ଆମ ଘରେ ରହି ସକାଳକୁ ଫେରିବ |ବସୁଧା ଗଗନ କଥାକୁ ସିଧା ଅଗ୍ରାହ୍ୟ କରିଦେଇ କହିଲା,ଆଜି ମୁଁ କେଉଁଠିକି ଯାଇ ପାରିବି ନାହିଁ |ଏହା କହି.ସେ ଅକ୍ଷର ପାଖରୁ ଚାବି ନେଇ ଚାଲିଗଲା |ଅକ୍ଷର କହିଲା,ତୁ ଏବେ ଯାଆ ,ମୁଁ ପଛରେ କଥା ହେବି,କିନ୍ତୁ ଗଗନ ନଛୋଡବନ୍ଧା ଥିଲା  |ଅକ୍ଷର ଯେତେ ବାହାନା କଲେ ବି ସେ ଆଦୌ ମାନୁନଥିଲା |ଶେଷରେ ଅକ୍ଷର ହାର ମାନି କହିଲା,ହଉ ଠିକ ଅଛି,ଆମେ ରାତିରେ ଅଧଘଣ୍ଟା ପାଇଁ ଯିବୁ,ଖାଇଦେଇ ସାଙ୍ଗେ ସାଙ୍ଗେ ଚାଲି ଆସିବୁ,ତୁ ଡେରି କରିବୁନି  |ତା କଥା ଶୁଣି ଗଗନ ଖୁସି ହୋଇ,ସେମାନେ ରହୁଥିବା ଘରର ଠିକଣା ଅକ୍ଷର ମୋବାଇଲକୁ ପଠାଇ ସେଠାରୁ ଚାଲିଗଲା |(କ୍ରମଶଃ )

                      


.
 

No comments:

Post a Comment