ଅକ୍ଷରର ଦୁଇ କୋଠରୀ ବିଶିଷ୍ଟ କ୍ୱାର୍ଟର ବିଶେଷ ବଡ଼ ନଥିଲା |ଅବିନାଶ ଥିବାବେଳେ ବାପପୁଅ ଦୁଇଜଣ ଦୁଇଟି କୋଠରୀରେ ଆରାମରେ ଚଳି ଯାଉଥିଲେ |ଅଵିନାଶଙ୍କ ଦେହାନ୍ତ ପରେ ସେ ରହୁଥିବା ଦ୍ୱିତୀୟ କୋଠରୀରେ ଗଗନ ଓ ସରୋଜ ବ୍ୟବହାର କରୁଥିଲେ |ବସୁଧାର ଆଗମନ ପରେ ସେମାନଙ୍କୁ ବାଧ୍ୟହୋଇ ଅନ୍ୟତ୍ର ଭଡାଘର ନେଇ ରହିବାକୁ ପଡିଲା |ଅକ୍ଷର ସେମାନଙ୍କର ଆର୍ଥିକ ଦୁରାବସ୍ଥା କଥା ଭଲଭାବେ ଜାଣିଥିଲା |ତେଣୁ ସେମାନେ ମୁହଁଖୋଲି କିଛି କହିବା ପୂର୍ବରୁ ସେ ସେମାନେ ଦୁଇଜଣ ବ୍ୟବହାର କରୁଥିବା ଥିବା ଖଟ ,ଟେବଲ,ଚେୟାର ସହ ଅଧାରୁ ଅଧିକ ରୋଷେଇ ସରଞ୍ଜାମ ସେମାନଙ୍କୁ ଦେଇଥିଲା |ତା ସହିତ ପ୍ରତିମାସରେ ସେମାନଙ୍କୁ ଦଶହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲା |
ପ୍ରାୟବେଳେ ଅକ୍ଷରର ଘର ଅପରିଷ୍କାର ହୋଇ ପଡିଥାଏ,ଓଳା ପୋଛା କରିବାକୁ କାହାର ସମୟ ନଥାଏ,ଇଚ୍ଛା ବି ନଥାଏ |ମାତ୍ରାଧିକ ଅପରିଷ୍କାର ହେଲେ, କେତେବେଳେ କେମିତି ଅକ୍ଷର ଅଳନ୍ଧୁ ଝାଡ଼ି,ଘର ଓଳାଇ ଦିଏ |ଭାବିଥିଲା,ବସୁଧାକୁ ଘରକୁ ଆଣିବା ପୂର୍ବରୁ ଘର ପରିଷ୍କାର ପରିଚ୍ଛନ୍ନ କରିଦେବ,କିନ୍ତୁ ଏପରି ପରିସ୍ଥିତିରେ ସେ ଗାଆଁକୁ ଗଲା ଯେ, କୋଠରୀ ପରିଷ୍କାର କରିବାକୁ ସମୟ ପାଇଲା ନାହିଁ |
ବସୁଧା ତାଲା ଖୋଲି ଘରେ ପ୍ରବେଶ କରି,କ୍ଷଣକ ପାଇଁ,ଭାବପ୍ରବଣ ହୋଇଗଲା \ପରମୁହୂର୍ତ୍ତରେ ତାର ହୃଦୟ ଭେଦ କରି,ଏକ ଦୀର୍ଘଶ୍ଵାସ ବାହାରିଗଲା |ସେ ଅନ୍ୟମନସ୍କ ହୋଇ ଭାବିଲା,ଏଇ ଘରେ ସେ ତାର ନୂତନ ସଂସାର ଆରମ୍ଭ କରିବ !!କିଛିସମୟ ପରେ ପ୍ରକୃତିସ୍ଥ ହୋଇ ସେ ଅପରିଷ୍କାର କୋଠରୀ ଓ ଇତସ୍ତତଃ ହୋଇ ପଡିଥିବା ଜିନିଷ ଉପରେ ନିଜ କ୍ଲାନ୍ତ ନୟନ ଘୁରାଇ ଆଣିଲା |ଘର ନୁହେଁ ତ ଅଳିଆଗଦା !! ଆଉ ଭାବିବାକୁ ସମୟ ନଥିଲା |ସେ ସବୁ ଜିନିଷ ଯଥା ସ୍ଥାନରେ ସଜାଡି ରଖି,ପରିଷ୍କାର କରି ଘର ଓଳାଇ ଆଣିଲା |ତାପରେ ବିଛଣା ଚାଦର ଭଲକରି ଝାଡ଼ି ଖଟ ଉପରେ ପକାଇ ଧୋଇଧାଇ ହୋଇ ଆସି ପୋଷାକ ପରିବର୍ତ୍ତନ କଲା ଓ ଖଟ ଉପରେ ନିଜ କ୍ଲାନ୍ତ ଶରୀରକୁ ଲୋଟାଇ ଦେଲା |ତାର ଆଖିପତା ଲାଗି ଆସୁଥିଲା |ଏତିକିବେଳେ ଅକ୍ଷରର ଡାକ ଶୁଣି ସେ ଉଠିପଡ଼ିଲା |ଅକ୍ଷର ପ୍ଲେଟରେ କିଛି ବିସ୍କିଟ ଓ ଦୁଇଟି କପରେ ଚା' ଆଣି ତା ପାଖରେ ବସିଥିଲା |ବସୁଧାର ସେତେବେଳେ ଚା'ପିଇବାକୁ ଭାରି ମନ ହେଉଥିଲା |ସେ ସାଙ୍ଗେ ସାଙ୍ଗେ ଉଠିପଡ଼ି ଚା' ପିଇବାକୁ ଲାଗିଲା |ଅକ୍ଷର କହିଲା,ଚା' ସାଙ୍ଗରେ ବିସ୍କିଟ ଖାଅ,ଭଲ ଲାଗିବ |ବସୁଧା ମୁଣ୍ଡ ହଲାଇ ମନା କଲା,କହିଲା,ନା, ଖାଇବାକୁ ଇଚ୍ଛା ନାହିଁ |
ଅକ୍ଷର ଚା' ପିଉ ପିଉ କହିଲା,ଗଗନ କଥା କଣ କରିବା ?ସେ ବହୁତ ବାଧ୍ୟ କରିବାରୁ,ମୁଁ ହଁ କହିଦେଇଛି |ବସୁଧା କହିଲା,ମୁଁ ଯିବିନି ବୋଲି ଆଗରୁ କହି ସାରିଛି,ତମେ ଏକୁଟିଆ ଯାଅ |ଅକ୍ଷର କହିଲା,ସେମିତି କେମିତି ହେବ ?ଏତେ ଆଗ୍ରହରେ କହିଛି,ତା ମନ ଭାଙ୍ଗିଦେବା ପାଇଁ ମୋ ଅନ୍ତର ଡାକୁନି |ବସୁଧା କହିଲା,ଆରେ,ତମର ଏଇ ସାଙ୍ଗ ତ ବଡ଼ ଅଜବ ମଣିଷ !!ମୋ ଦେହ ଭଲନାହିଁ ,ଆମର ବିଶ୍ରାମ ଆବଶ୍ୟକ ଜାଣି ସୁଦ୍ଧା,ଏତେ ବାଧ୍ୟ କରିବାର କାରଣ କଣ ମୁଁ ଆଦୌ ଜାଣି ପାରୁନି |ତା ଛଡ଼ା ,ତମର ଅନ୍ୟ ସାଙ୍ଗ ସରୋଜ ନାହିଁ,ସେ ଆସୁ,ଏତେ ବ୍ୟସ୍ତ କାହିଁକି ?
ଅକ୍ଷର ହାତଯୋଡ଼ି କହିଲା,ପ୍ଲିଜ ବସୁ ,ମୁଁ ତାକୁ ହଁ କହି ସାରିଛି, କମସେ କମ ,ମୋ କଥା ଟିକେ ଚିନ୍ତା କର |ଏଇ ପାଖରେ ତାର ଘର,ଆମେ ଯିବା,ଖାଇଦେଇ ସାଙ୍ଗେ ସାଙ୍ଗେ ଚାଲିଆସିବା ,କଣ କହୁଛ ?ବସୁଧା ଅକ୍ଷରକୁ ଚାହିଁଲା,ସେ ତାର ଆସ୍ତିବାଚକ ଉତ୍ତରକୁ ଆତୁର ହୋଇ ଅପେକ୍ଷା କରିଥିଲା |ବସୁଧା କହିଲା,ହଉ,ତମ କଥା ରହିଲା ,ମୁଁ ଯିବି |ଆମେ କେତେବେଳେ ଯିବା ?ଅକ୍ଷର ତା କଥା ଶୁଣି ଖୁସି ହୋଇଗଲା ,କହିଲା,ଆମେ ନଅଟା ବେଳେ ଯିବା | ବସୁଧା କହିଲା,ମୁଁ ତାହେଲେ ଏବେ ଟିକେ ଶୋଇପଡୁଛି |ଏକଥା କହିବା ସଙ୍ଗେ ସଙ୍ଗେ ସେ ଗଭୀର ନିଦ୍ରାରେ ଶୋଇପଡ଼ିଲା |
ଅକ୍ଷରର ମଧ୍ୟ ଶୋଇବାକୁ ଇଚ୍ଛା ହେଉଥିଲା,କିନ୍ତୁ ଘରେ କିଛି ପରିବା ନଥିଲା ଓ ତେଜରାତି ଜିନିଷ ବି ଶେଷ ହେବା ଉପରେ ଥିଲା |ସେ ରୋଷେଇ ଘରକୁ ଯାଇ ଯେଉଁ ଜିନଷ ନିହାତି ଦରକାର ଥିଲା,ତାର ଏକ ତାଲିକା ପ୍ରସ୍ତୁତ କଲା |ବସୁଧା ଶୋଇ ପଡ଼ିଥିବାରୁ ଆଉ ତାକୁ ନିଦରୁ ନ ଉଠାଇ ସେ ବାହାରୁ କବାଟ ବନ୍ଦ କରି, ତାଲା ପକାଇ, ମାର୍କେଟ ଚାଲିଗଲା |(କ୍ରମଶଃ)
No comments:
Post a Comment