Friday, August 26, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 13)

              ପଥର ପଡ଼ିବାର ଆବାଜ ଏତେ ତୀବ୍ର ଥିଲା ଯେ,ବୋମା ମାଡ଼ ହେବାପରି ଲାଗୁଥିଲା |ଭୟରେ ବସୁଧା ଅକ୍ଷରକୁ ଜାବୁଡି ଧରିଲା  |ଅକ୍ଷର କବାଟ ଖୋଲି ଘଟଣା କଣ ଜାଣିବାକୁ ଚାହୁଁଥିଲା |କିନ୍ତୁ ବସୁଧା କହିଲା,ରାତି ଗୋଟାଏ ହେଲାଣି,ଏବେ କବାଟ ଖୋଲନାହିଁ,ସକାଳ ହେଲେ ଦେଖିବା |ଅକ୍ଷର କହିଲା, ଏମିତି ଆଉ ଗୋଟେ/ଦୁଇଟା ପଥର ମାଡ଼ରେ  ଯଦି କବାଟ ଭାଙ୍ଗିଯିବ,ତାହେଲେ କଣ କରିବା ?ବସୁଧା କହିଲା,ଏବେ ଲକ୍ଷ୍ୟ କରିବା କଣ ହେଉଛି,ତାପରେ କଣ କରାଯାଇ ପାରିବ,ଭାବିବା |କିନ୍ତୁ ଆଉ ସେପରି କିଛି ହେଲାନାହିଁ |ବଡ଼ ମୁସ୍କିଲରେ ଦୁହେଁ ଶୋଇବାକୁ ଚେଷ୍ଟା କଲେ ,କିନ୍ତୁ ସେମିତି ଚାହିଁ ଚାହିଁ  ରାତି ପାହିଗଲା |ଭୋର ବେଳକୁ ଦୁହେଁ କବାଟ ଖୋଲି ଦେଖିଲେ,କବାଟ ପାଖରେ ଏକ ଇଟା ଭାଙ୍ଗି ପଡିଛି |ପଥର ନୁହେଁ କେହି ବୋଧହୁଏ ଇଟା ଫିଙ୍ଗିଥିଲା |ଇଟା ମାଡ଼ରେ କବାଟରେ  ଫାଟ ସୃଷ୍ଟି ହୋଇଥିଲା |ବସୁଧା କହିଲା,ବଢ଼େଇକୁ ଡାକି ପରେ ମରାମତି କରିବା,ଏବେ ଚାଲ ଟିକେ ଶୋଇ ପଡିବା |

              ବିଛଣାରେ ପଡୁ ପଡୁ ସେମାନଙ୍କୁ ନିଦ ଘାରି ଆସିଲା ଓ ଚାହୁଁ ଚାହୁଁ  ଦୁହେଁ ଗଭୀର ନିଦ୍ରାରେ ଶୋଇ ପଡିଲେ |ପ୍ରଥମେ ଅକ୍ଷରର ନିଦ ଭାଙ୍ଗିଲା |ସେ ଘଣ୍ଟାକୁ ଚାହିଁ ଦେଖିଲା,ସାଢେ ନଅଟା ବାଜିଛି |ସେ ବସୁଧାକୁ ଚାହିଁଲା |ବସୁଧା ନିଘୋଡ଼ ନିଦରେ ଶୋଇ ପଡିଥିଲା |ଅକ୍ଷରର ବି ଆଉ ଟିକେ ଶୋଇବାକୁ ଇଚ୍ଛା ହେଉଥିଲା କିନ୍ତୁ ସେ  ଆଉ ନ ଶୋଇ ଉଠିପଡ଼ିଲା |ତାପରେ ସେ ପାଣି ପିଇଲା ଓ ମୁହଁ ଧୋଇ, ଚା' ତିଆରି କଲା |ଟ୍ରେ ରେ ଦୁଇ କପ ଚା' ଓ ଏକଗ୍ଲାସ ପାଣି ଆଣି ସେ ବସୁଧାକୁ ଉଠାଇଲା |ବସୁଧା ହାଇ ମାରି ଉଠିଲା |କହିଲା,ଆଉ ଟିକେ ଶୋଇଥାନ୍ତି |ଅକ୍ଷର କହିଲା,ତମେ କଲେଜ ଯିବ ପରା,ଶୀଘ୍ର କାମ ସାର,ମୁଁ ତମକୁ ନେଇ କଲେଜରେ ଛାଡ଼ିଦେଇ ଆସିବି |ବସୁଧା କୁଣ୍ଠିତ ସ୍ୱରରେ କହିଲା,ଆଜି ନ ଗଲେ ଚଳନ୍ତାନି ?|ଅକ୍ଷର କହିଲା,ଯିବ ବୋଲି କହିଛ ମାନେ ଯିବା |ଆଉ ଦ୍ୱିତୀୟ ଚିନ୍ତା ମନକୁ ଆଣନା |ବସୁଧା ଉଠିପଡ଼ି ତାର ସାମ୍ନାରେ ଚା' ଦେଖି ଖିସି ହୋଇ କପ ଉଠାଇ ନେବା ବେଳକୁ ଅକ୍ଷର କହିଲା,ଆଗେ ପାଣି ପିଅ,ତାପରେ ଚା' ପିଇବ |ବସୁଧା ତା କଥା ମାନି ପାଣି ପିଇଲା  ଓ  ଚା' ପିଉ ପିଉ କହିଲା,କେତେ ବଢିଆ ବନେଇଛ ,ମନ ଖୁସି ହୋଇଗଲା,ଆଜି ଦିନଟା ନିଶ୍ଚୟ ଭଲରେ କଟିବ |

             ଅକ୍ଷର ମୁରୁକି ହସି କହିଲା,ରାଣୀ ମା ,ଆଜି ପ୍ରାତଃଭୋଜନରେ କଣ ଖାଇବାକୁ ମନ କରିଛ  ?ବସୁଧା ଅକ୍ଷରର କଥା ଶୁଣି  ହସିଦେଇ କହିଲା,ଚୁଡା ଅଛି ,ପାଚିଲା କଦଳୀ ଅଛି,ଭୁରି ଭୋଜନ ହେବ,ତାକୁ ଖାଇବା |ଅକ୍ଷର ପଚାରିଲା,କିଛି ଭଲ ଖାଇବାକୁ ଇଚ୍ଛା ହେଉନି ?ବସୁଧା କହିଲା,ୟା ଠାରୁ ଆଉ କଣ ଭଲ ଜିନିଷ ଅଛି ଯେ ମୁଁ କହିବି ?ଆମେ ଓଡ଼ିଆ,ଓଡ଼ିଆ ଭଳି ଓଡ଼ିଆ ଖାଦ୍ୟ  ଗର୍ବରେ ଖାଇବା |ଅକ୍ଷର ତା କଥା ଶୁଣି ହୋ ହୋ ହୋଇ ହସି ଉଠିଲା |

              ବସୁଧାକୁ କଲେଜରେ ଛାଡି ଅକ୍ଷର ତାକୁ ମନେ ପକାଇ ଦେଲା,ବସୁ,ତମେ ଅଟୋରେ ଯିବନି,ମତେ ଫୋନ କଲେ,ମୁଁ ଆସି ତମକୁ ନେଇଯିବି |ହଁ କହି ବସୁଧା ଚାଲିଗଲା |ଫେରିବାବେଳେ ବାଟରେ ସରୋଜ ଦେଖାହେଲା |ସେ ତାକୁ ହାତ ଦେଖାଇ ରହିବାପାଇଁ କହୁଥିଲା  |ବାଇକ ନ ଅଟକାଇ ଚାଲିଯିବ ବୋଲି ଅକ୍ଷର ଭାବିଥିଲା ,କିନ୍ତୁ ପରମୁହୂର୍ତ୍ତରେ ଜଣକର ଦୋଷ ପାଇଁ ଅନ୍ୟ ଜଣକୁ ଦଣ୍ଡିତ କରିବାକୁ ,ତାକୁ ଠିକ ଲାଗିଲା ନାହିଁ |ସେ ସରୋଜ ପାଖରେ ବାଇକ ରଖିଲା |କଥାବାର୍ତ୍ତା ଭିତରେ ସେ ତାକୁ ଗଗନର କାରନାମା ବିଷୟରେ କହିଲା ଓ ତା ସହିତ ଇଟା ଫୋପଡ଼ା କଥା ମଧ୍ୟ କହିଲା |ସରୋଜ କହିଲା,ଯେଉଁଦିନ ତୁ ଆମକୁ ଘର ଛାଡିବା କଥା କହିଲୁ,ସେହିଦିନଠାରୁ ସେ ପାଗଳ ହୋଇଯାଇଛି |ପାଗଳ ନ ହୋଇଥିଲେ,ଏମିତି ବେଇମାନୀ କାମ କରିବାକୁ ସାହସ କରିନଥାନ୍ତା  |ମୁଁ ବି ସ୍ଥିର କରିଛି,ଏଠାରେ ନ ରହି,ଗାଆଁକୁ ଯାଇ ସେଠାରେ ପିଲାଙ୍କୁ ଟ୍ୟୁସନ କରିବି ଓ ତା ସହିତ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବି  |

           ଅକ୍ଷର କହିଲା,ଇଏ କଣ ତୋର ଚୂଡାନ୍ତ ନିଷ୍ପତ୍ତି ?ସରୋଜ କହିଲା,ହଁ,ମୁଁ ଖାଲି ମୋର ଜିନିଷପତ୍ର ନେବାପାଇଁ ଆସିଥିଲି,କାଲି ଯିବି ବୋଲି ଭାବିଥିଲି,କିନ୍ତୁ ତୋ କଥା ଶୁଣି ଆଜି ଚାଲିଯିବି ବୋଲି ଭାବୁଛି  |ଦୁହେଁ ଆନେକ ସମୟ କଥା ହେଲେ |ଶେଷରେ ସରୋଜ ବିଦାୟ ନେଇ ବାହାରିବା ବେଳକୁ ବସୁଧାର ଫୋନ ଆସିଲା |ସେ କାନ୍ଦି କାନ୍ଦି ଅସ୍ପଷ୍ଟ ଭାଷାରେ ଯାହା କହୁଥିଲା,ସେଥିରୁ ଅକ୍ଷର  ବୁଝିଲା,କଲେଜରୁ ଫେରି ସେ ଗେଟ ପାଖରେ ପହଞ୍ଚିବାକ୍ଷଣି,ତାର ମାମୁଁ କେଉଁଠି ଲୁଚିଥିଲେ ,ତା ପାଖକୁ ଆସି ତାଙ୍କ ଗାଡ଼ିରେ ତାକୁ ଜବରଦସ୍ତି ନେଇଗଲେ  |ସେ ବର୍ତ୍ତମାନ ତାଙ୍କ ଘରେ ଅଛି | ମାମୁଁ ତାକୁ ଗୋଟିଏ ରୁମରେ ବନ୍ଦ କରି ବାପାଙ୍କୁ ଡାକିଛନ୍ତି  |ଯେ କୌଣସି ମୁହୂର୍ତ୍ତରେ ବାପା ଆସି ସେଠାରେ ପହଞ୍ଚିଯିବେ |ତା କଥା ଶୁଣି ଅକ୍ଷର ଧୈର୍ଯ୍ୟ ହରାଇ ଭୋ ଭୋ ହୋଇ କାନ୍ଦି ଉଠିଲା |ସରୋଜ ଫେରି ଯାଉ ଯାଉ ଅକ୍ଷରର ଅସ୍ୱାଭାବିକ କାନ୍ଦ ଶୁଣି ଅଟକିଗଲା |ସେ ତା ପାଖକୁ ଆସି ଘଟଣା କଣ ବୋଲି ଜାଣିବାକୁ ଚାହିଁଲା |କିନ୍ତୁ ଅକ୍ଷର କିଛି ନ କହି କେବଳ କାନ୍ଦୁଥିଲା ଆଉ କାନ୍ଦୁଥିଲା |(କ୍ରମଶଃ)

           

              

              

No comments:

Post a Comment