Sunday, August 14, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 10)

                     ଏକ ଭୟଙ୍କର ସ୍ୱପ୍ନ ଦେଖି,ହଠାତ ବସୁଧାର ନିଦ ଭାଙ୍ଗିଗଲା |ସେ ବିଛଣାରୁ ଉଠି,ଚାରିଆଡ଼କୁ ବଲ ବଲ କରି ଚାହିଁଲା |ଭୟରେ ତା ଦେହରୁ ଗମ ଗମ ହୋଇ ଝାଳ ବୋହି ଯାଉଥିଲା |ଏହି ସମୟରେ ଅକ୍ଷର କବାଟ ଖୋଲି ଭିତରେ ପ୍ରବେଶ କଲା |ବ୍ୟାଗ ଦୁଇଟି ତଳେ ରଖି,ସେ ବସୁଧା ପାଖକୁ ଯାଇ ପଚାରିଲା,କଣ ହୋଇଛି ?ବସୁଧା ଧଇଁସଇଁ ହୋଇ କହିଲା,ବହୁତ ଖରାପ ସ୍ୱପ୍ନ ଦେଖିଲି |ଅକ୍ଷର ଶାନ୍ତ ସ୍ୱରରେ କହିଲା,ଅବେଳରେ  ଶୋଇଲେ,ସେମିତି ଖରାପ ସ୍ୱପ୍ନ ଆସେ |ସେ ବସୁଧାକୁ ପାଣି ଗ୍ଲାସେ ଦେଇ କହିଲା,ପାଣି ପିଇ ମୁହଁ ଧୋଇ ଆସ,ଆଠଟା ବାଜିଲାଣି,ଆଉ ଘଣ୍ଟାକ ପରେ ଆମେ ବାହାରିବା |ବସୁଧା ଅକ୍ଷର ହାତରୁ ଗ୍ଲାସ ନେଇ,ଢକ ଢକ କରି ସବୁ ପାଣି ପିଇଲା ଓ ମୁହଁ ଧୋଇ ଆସି ଦେଖିଲା,ଅକ୍ଷର ରୋଷେଇ ଘରେ ଆଣିଥିବା ଜିନିଷ ସଜାଡି ରଖୁଛି |ସେ ସେଠାକୁ ଯାଇ ଦେଖିଲା,ରୋଷେଇଘର ଛୋଟ ହେଲେ ବି ,ଅକ୍ଷର ଅତି ସୁନ୍ଦର ଭାବେ ତାକୁ ସଜାଇ ରଖିଛି |ସବୁ ଡବାରେ ଜିନିଷର ନାମ ଲେଖା ହୋଇଛି ଓ ସେହି ଅନୁସାରେ ସେଥିରେ ଜିନିଷ ରହିଛି |ଫ୍ରିଜରେ ପରିବା ବି ସେମିତି ସୁନ୍ଦର ଭାବେ ସଜାଇ ହୋଇ ରହିଥିଲା |ସେ ଅକ୍ଷରର ପିଠି ଥାପୁଡ଼ାଇ କହିଲା,ଆରେ ବାଃ!ଘର ସିନା ଅସନା ,ରୋଷେଇଘର ତ ବେଶ ଚକାଚକ !!ଅକ୍ଷର କିଛି ଉତ୍ତର ନ ଦେଇ ନିଜ କାମରେ ବ୍ୟସ୍ତ ଥିଲା  |

               ବସୁଧା ସେଠାରୁ ଚାଲି ଆସିଲା  |ତାକୁ ଭୀଷଣ ଭୋକ ଲାଗୁଥିଲା |ତାର ମନେ ପଡିଲା,ସେମାନେ  ଆସିବା ବେଳେ ବଡ଼ବୋଉ  ତାକୁ ଗୋଟିଏ ଧଳା ବ୍ୟାଗ ଦେଇ,ସେଥିରେ ଖାଇବା ଜିନିଷ ଅଛି ବୋଲି କହିଥିଲେ |ଘର ଓଳାଇବାବେଳେ ସେ ଗାଆଁରୁ ଆଣିଥିବା  ଜିନିଷ ସବୁ ଏକାଠି କରି ଗୋଟିଏ ଜାଗାରେ ରଖିଦେଇଥିଲା | ସେଠାରୁ ଧଳା ବ୍ୟାଗ ଆଣି ଖୋଲି ଦେଖିଲା,ସେଥିରେ ଚୁଡା ଭଜା,ମୁଢି, ଉଖୁଡା,ଆରିସା ପିଠା,ନଡ଼ିଆ,କଦଳୀ  ଓ ପାଚିଲା ଅମୃତଭଣ୍ଡା ଅଛି  |ସେ ଆରିସା ପିଠାରୁ ଗୋଟିଏ ଆଣି ଖାଇଲା |ତାହା ବହୁତ ସୁସ୍ୱାଦୁ ଥିଲା |ଗୋଟିଏ ଖାଇ ଆଉ ଗୋଟିଏ ଖାଇବା ବେଳକୁ ଅକ୍ଷର ସେଠାରେ ପହଞ୍ଚିଲା |ତାକୁ ଦେଖି,ବସୁଧା ତା ହାତରେ ଏକ ପିଠା ରଖି କହିଲା ,ଖାଅ,ବଢିଆ ଲାଗୁଛି |ଅକ୍ଷର କହିଲା,ଆମେ ପରା ଏବେ ଖାଇବାକୁ ଯିବା,ପୁଣି ୟାକୁ କାହିଁକି ଖାଇବା  ?ବସୁଧା କହିଲା, ମୁଁ ଆଉ ଭୋକ ସମ୍ଭାଳି ପାରୁନି |ଗାଆଁରେ ସେମାନେ ଏତେ ଭଲ ଜିନିଷ ଖାଉଛନ୍ତି,ଆମ ପାଇଁ, ଏସବୁ ସାତ ସ୍ୱପ୍ନ |ତମେ ନ ଖାଅ,କିନ୍ତୁ ମତେ ମନା କରନି |ବଡ଼ ଲୋକ ପରା କହିଛନ୍ତି,ଘରୁ କେବେହେଲେ ଖାଲି ପେଟରେ ବାହାରିବନି !!ଅକ୍ଷର କହିଲା,ହଉ,ଖାଅ,ଖାଇସାରି ଶୀଘ୍ର ଡ୍ରେସ ଚେଞ୍ଜ କଲେ ଯିବା |

               ଅକ୍ଷର କଥା ଶୁଣି ବସୁଧା କହିଲା,ଆଉ କାହିଁକି ଡ୍ରେସ ଚେଞ୍ଜ କରିବି ?ଏଇ  ପାଖକୁ ତ ଯିବା,କେଉଁ ପାର୍ଟିକୁ ଆମେ ଯାଉନୁ  |ବସୁଧାକୁ ଅକ୍ଷର ଚାହିଁଲା,ସେ ଆରାମରେ ଆରିସା ପିଠା ଖାଇ ଚାଲିଥିଲା |ଏତିକିବେଳେ ଗଗନର ଫୋନ ଆସିଲା |ସେ ସେମାନଙ୍କୁ ଶୀଘ୍ର ଆସିବାକୁ କହୁଥିଲା |ଅକ୍ଷର କିଛି କହିବା ପୂର୍ବରୁ ବସୁଧା କହିଲା,ମୁଁ  ବାହାରି ସାରିଛି ,ତମେ ଚାଲ,ମୁଁ ଚାବି ପକାଇ ଯାଉଛି |

               ମାତ୍ର ପାଞ୍ଚ ମିନିଟରେ ସେମାନେ ଗଗନର ଭଡ଼ାଘରେ ପହଞ୍ଚିଗଲେ |ଗେଟ ପାଖରେ ଗଗନ ଅପେକ୍ଷା କରିଥିଲା |ଭିତରୁ ମାଂସ ତରକାରୀର ସୁଗନ୍ଧ ଭାସି ଆସୁଥିଲା | ଗଗନ କୋଟିନିଧି ପାଇବା ପରି,ସେମାନଙ୍କୁ ଘର ଭିତରକୁ ପାଛୋଟି ନେଲା | ଘରଟି ଅପେକ୍ଷାକୃତ ଛୋଟ ଥିଲା |ଦୁଇଟି କୋଠରୀ ମଧ୍ୟରୁ ପ୍ରଥମଟି ଉଭୟ ଶୋଇବା ତଥା ଡ୍ରଇଂ ରୁମ ଥିଲା |ରୁମରେ ଗୋଟିଏ ଜଣିକିଆ ଖଟ ଓ ଦୁଇଟି ଚେୟାର ପଡିବା ପରେ ଆଉ ଚଳପ୍ରଚଳ କରିବାପାଇଁ ସୁବିଧା ନଥିଲା |ଗଗନ ଖଟରେ ବସିଲା ଓ ସେମାନେ ଦୁଇଜଣ ଚେୟାରରେ ବସିଲେ |ଗଗନ ମାଂସ ରାନ୍ଧିଥିଲା ଓ ରୁଟି ହୋଟେଲରୁ ଆଣିଥିଲା |ଗପୁ ଗପୁ ଯେତେବେଳେ ସାଢେ ଦଶଟା ବାଜିଲା,ବାଧ୍ୟହୋଇ ବସୁଧା କହିଲା,ଆମେ ଏଥର ଖାଇଦେଲେ ଭଲହେବ |

            ତା କଥା ଶୁଣି,ଗଗନ ରୋଷେଇ ଘରକୁ ଗଲା ଓ ତିନିଜଣଙ୍କ ପାଇଁ ଖାଇବା ନେଇ ଆସିଲା |ରୋଷେଇଘର ପାଖରେ ଥିବା ବାରଣ୍ଡାରେ  ସେମାନେ ଆସନ ପକାଇ ଖାଇଲେ |ବସୁଧା ଶୀଘ୍ର ଖାଇ ଉଠିଗଲା, କିନ୍ତୁ ଦୁଇ ସାଙ୍ଗ ଅଳ୍ପ ଖାଇ ବେଶୀ ଗପୁଥିଲେ |ବସୁଧା ଅକ୍ଷରକୁ କହିଲା,ଶୀଘ୍ର ଖାଇବା ଶେଷ କର ,ଏଗାରଟା ବାଜିଲାଣି,ଆମକୁ ପୁଣି ଘରକୁ ଯିବାର ଅଛି  |ଗଗନ ମୁହଁ ଶୁଖାଇ  ମିନତି  ଭରା କଣ୍ଠରେ କହିଲା,ଏତେ ରାତିରେ ଆଉ କାହିଁକି ଯିବ ଭାଉଜ,ତମ ଗୋଡତଳେ ପଡୁଛି,ଆଜି ରାତିଟା ରହିଯାଅ |ତା କଥା ଶୁଣି,ବସୁଧା ବିରକ୍ତ ହୋଇ ଅକ୍ଷରକୁ ଚାହିଁଲା |ଅକ୍ଷର କହିଲା,ଏତେ କରି କହୁଛି ଯେତେବେଳେ,ଆଜି ରାତିଟା ରହିଯିବା,ତମେ ଆଉ ମନା କରନି |

            ବସୁଧା କିଛି ନକହି ସେମାନଙ୍କ ପାଇଁ ଗଗନ ସଜାଇ ରଖିଥିବା ରୁମରେ ପ୍ରବେଶ କଲା |ରୁମରେ ନୀଳ ରଙ୍ଗର ଜିରୋ ପାୱାର ବଲ୍ବ ଜଳୁଥିଲା ଓ ଚତୁର୍ଦ୍ଦିଗ ଏକ ଅପୂର୍ବ ସୁଗନ୍ଧରେ ଭରି  ଯାଇଥିଲା |ବସୁଧା ସୁଇଚ ବୋର୍ଡ ତନଖି କଲା |ସେଠାରେ ବଲ୍ବ ପାଇଁ ଦୁଇଟି ଓ ଫ୍ୟାନ ପାଇଁ ଗୋଟିଏ ସୁଇଚ ଥିଲା |କିନ୍ତୁ ଦ୍ୱିତୀୟ ବଲ୍ବ  ଲାଗିବା ସ୍ଥାନ ଫାଙ୍କା ପଡିଥିଲା | ଏଥର ବସୁଧାର ସନ୍ଦେହ ବଢିବାକୁ ଲାଗିଲା |ସେ ଭିତରୁ କବାଟ ବନ୍ଦ କରି ନିଜ ପର୍ସରୁ ଛୋଟ ଟର୍ଚ୍ଚ କାଢି ଚାରିଆଡେ ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା |ତାର ଅନୁମାନ ସତ୍ୟ ଥିଲା |କାନ୍ଥରେ ଥିବା ଏକ କ୍ୟାଲେଣ୍ଡର ପାଖରେ ଏକ ଅତି ଛୋଟ  ଗୁପ୍ତ ମ୍ୟାଗନେଟଯୁକ୍ତ  କ୍ୟାମେରା ଫିଟ କରାଯାଇଥିଲା |ଏହାକୁ ଲୁଚାଇବା ପାଇଁ ବୋଧହୁଏ ସେ ଜାଣିଶୁଣି ବଡ଼ ଲାଇଟ ଦେଇ ନଥିଲା !ସେ  ମନେ ମନେ ଭାବିଲା,ଏହା ତାହେଲେ ସେମାନଙ୍କୁ ଖାଇବାକୁ ଡାକି ରାତିରେ ରହିବାକୁ ବାଧ୍ୟ କରିବାର କାରଣ !!ବନ୍ଧୁତାର  ଚରମ ପରାକାଷ୍ଠା !!!(କ୍ରମଶଃ) 

                

No comments:

Post a Comment