Tuesday, July 19, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 7)

                      ଦୁଇଦିନ ପରେ ବସୁଧା ସ୍ୱାଭାବିକ ଅବସ୍ଥାକୁ ଆସିଗଲା |ଚତୁର୍ଥ ଦିନ ରବିବାର ଥିଲା |ସେଦିନ ସେମାନେ ମଧ୍ୟାନ୍ନ ଭୋଜନ ଖାଇ ସାରିବାପରେ ଭୁବନେଶ୍ୱର ଫେରିଯିବା ପାଇଁ,ଅପାତତଃ ସ୍ଥିର ହେଲା |ଶନିବାର ସନ୍ଧ୍ୟାରେ ଧୂପ ଦେଇ ରାତିପାଇଁ ରୁଟି ତରକାରୀ ତିଆରି କରି ସାରିବାପରେ ଦୀପା ହାତରେ ଆଉ କିଛି କାମ ନଥିଲା  |ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ତାର  ଏକମାତ୍ର ପୁତ୍ର  ମିଠୁର ପାଠପଢା ଦେଖିବାକୁ ଗଲା | ବିପ୍ଳବ ଓ ଅକ୍ଷର ସେତେବେଳେ  ସେମାନଙ୍କ ସାଙ୍ଗମାନଙ୍କ ସହିତ ଖଟିରେ ଗପ ଜମେଇଥିଲେ |ବସୁଧାର ଜ୍ୱର ଛାଡ଼ିଯାଇଥିଲା କିନ୍ତୁ ଦୁର୍ବଳତା ଯାଇ ନଥିଲା |ସେ ବିଛଣାରେ ଶୋଇ ୟାଡୁ ସାଡୁ ଅନେକ କଥା ଭାବି ଚାଲିଥିଲା  |

                      ସୁବାସିନୀ ଆସି ତା ପାଖରେ ବସି କହିଲେ,କଣ ଏତେ ଚିନ୍ତା କରୁଛୁ ମାଆ ??ତାଙ୍କୁ ଦେଖି,ବସୁଧା ସଙ୍ଗେ ସଙ୍ଗେ ଉଠିପଡ଼ିଲା |ସୁବାସିନୀ ତାକୁ ରୋକିଦେଇ କହିଲେ,ଶୋଇଥା ମା' ,ଉଠୁଛୁ କାହିଁକି ?ବସୁଧା କହିଲା,ନାଇଁ,ଆଉ ଶୋଇବିନି,ମୋ ଦେହ ଏବେ ଭଲ ଟିକେ ଲାଗୁଛି |ସୁବାସିନୀ କହିଲେ,ତୁ ତ କାଲି ଚାଲିଯିବୁ,ସେଥିପାଇଁ ଆଜି ତୋ ସାଙ୍ଗେ ଟିକେ କଥା ହେବାକୁ ଚାଲି ଆସିଲି |ତତେ ମୋର କିଛି  କଥା କହିବାର ଅଛି |ବସୁଧା ଉତ୍ସୁକ ହୋଇ କହିଲା,କୁହନ୍ତୁ ବଡ଼ବୋଉ,ମୁଁ ଆପଣଙ୍କର ସବୁକଥା ମାନିବି |

                ସୁବାସିନୀ କହିଲେ,ତୁ ଭୁବନେଶ୍ୱର ଯାଇ ତୋର ପାଠପଢା ପୁଣି ଜାରି ରଖିବୁ |କାରଣ ଶିକ୍ଷା ମଣିଷର ସବୁଠାରୁ ବଡ଼ ଅସ୍ତ୍ର |ସମସ୍ତେ ଭାବନ୍ତି,ନାରୀ ହେଉଛି ପୁରୁଷ ହାତର କଣ୍ଢେଇ |କିନ୍ତୁ ଏକଥା ସବୁବେଳେ ମନେ ରଖିବୁ,ଦୁନିଆରେ ସଫଳ ହୋଇଥିବା ପ୍ରତ୍ୟେକ ନାରୀ ହେଉଛନ୍ତି,ଜଣେ ଜଣେ "ଅଭଙ୍ଗା କଣ୍ଢେଇ" |ଦୁର୍ବଳମନା ନାରୀ ଭାଙ୍ଗିଯାଏ ଓ ଅଭିଶପ୍ତ ଜୀବନ ନେଇ ବଞ୍ଚି ରହେ |ସେପରି ବଞ୍ଚିବାର ମାନେ କିଛି ନଥାଏ,ତାଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର  | କିନ୍ତୁ ନାନା ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତି ଭିତରେ ଗତିକରି, ଅବିରତ ସଂଘର୍ଷ କରି,ଯିଏ ହାରୁ ହାରୁ ଜିତିଯାଏ ଓ ନିର୍ଭୟରେ ମୁଣ୍ଡ ଟେକି ଛିଡା ହେବାର ସାହସ ଅର୍ଜନ କରି ଅନ୍ୟ ମାନଙ୍କପାଇଁ ଉଦାହରଣ ସୃଷ୍ଟି କରେ,ତାର ଜୀବନ ଧନ୍ୟ |

                ମୋର ଶେଷକଥା ହେଲା,ତୁ କେବେ ବି ତୋ ଶାଶୁ ଉପରେ ରାଗ ରଖିବୁନି |କାରଣ ସେ ସବୁବେଳେ ସେମିତି |କୌଣସି କଥା ସେ ଭାବିଚିନ୍ତି କହେ ନାହିଁ |କିନ୍ତୁ ତାର ମନ ସଫା ଓ ସେ ବହୁତ ସ୍ନେହୀ |ପରିସ୍ଥିତି ତାକୁ ଏମିତି ରୁକ୍ଷ କରିଦେଇଛି |ତୋ ଶ୍ୱଶୁର ଅବିନାଶ ବହୁତ ମେଳାପୀ, ବନ୍ଧୁପ୍ରେମୀ ଓ ଖାଦ୍ୟ ପ୍ରିୟ ଥିଲେ |ପ୍ରତି ରବିବାର ଦିନ ସେ ସାଙ୍ଗ ମାନଙ୍କ ସହିତ ମିଶି ଭୋଜି କରୁଥିଲେ | ଭୋଜିରେ ସାଙ୍ଗମାନଙ୍କ ସହିତ ମିଶି କେବେ କେମିତି ସେ ମଦ ପିଇ ଦେଉଥିଲେ  |ଯେଉଁଦିନ ମଦପିଇ ସେ ଘରକୁ ଆସୁଥିଲେ,ସେଦିନ କାଞ୍ଚନ ଘରେ ମହାଭାରତ ସୃଷ୍ଟି କରୁଥିଲା  |ଅବିନାଶ  ମଦ ନ ପିଇବା ପାଇଁ ଶପଥ କରୁଥିଲେ ,କିନ୍ତୁ ଭୋଜି ଦିନ ଆସିଗଲେ, ଶପଥ କଥା ଭୁଲି ଯାଉଥିଲେ  |ଏମିତି ବାରମ୍ବାର ହେବାରୁ କାଞ୍ଚନ ରାଗିକରି ଗାଆଁକୁ ପଳାଇ ଆସିଲା |ପ୍ରଥମେ ପ୍ରଥମେ ଅଖି ବାପା ବୁଝାଇବାକୁ ଆସୁଥିଲେ ଓ  ସେ ଅଭିମାନ ଭାଙ୍ଗି ତାଙ୍କ ସାଙ୍ଗରେ ଫେରି ଯାଉଥିଲା |କିନ୍ତୁ ଦୁଇ ତିନିଥର ଏପରି ହେବାରୁ, ସେ ଆଉ ଗଲାନାହିଁ |ଅଖିକୁ ପାଖରେ ରଖିବାକୁ କାଞ୍ଚନର ଇଚ୍ଛା ଥିଲା |କିନ୍ତୁ ଭୁବନେଶ୍ୱର ସ୍କୁଲରେ ତାର ନାମ ଲେଖା ହୋଇଥିବାରୁ,ଅଖିକୁ ଅବିନାଶ ଛାଡିଲେ ନାହିଁ  |ଏତେ ଘଟଣା ଘଟିବା  ପରେ ବି,ଅବିନାଶ ମଦ ପିଇବା ଛାଡି ପାରିଲେ  ନାହିଁ, ଶେଷରେ ମଦ ତାଙ୍କୁ ଖାଇଦେଲା !!!ଅଵିନାଶଙ୍କ ଅକାଳ ମୃତ୍ୟୁ ପରେ କାଞ୍ଚନ ଅନୁତାପ କରି ତାଙ୍କୁ ବହୁତ ଝୁରିହୋଇଥିଲା, କିନ୍ତୁ ଭୁବନେଶ୍ୱରର ସେ ସ୍ମୃତି ବିଜଡିତ କ୍ୱାର୍ଟରକୁ ଆଉଥରେ ଯିବାପାଇଁ ମନ କରିନଥିଲା | ସବୁ ମାଆଙ୍କ ପରି  ଗୋଟିଏ ବୋଲି ପୁଅକୁ ନିଜ ପସନ୍ଦରେ ବାହା ଦେବାପାଇଁ,ତାର ବହୁତ ଇଚ୍ଛା ଥିଲା |ସେ ଇଚ୍ଛା ପୂରଣ  ନହେବାରୁ ସେ ଭାଙ୍ଗିପଡି,ଏମିତି ପ୍ରତିକ୍ରିୟାଶୀଳ ହୋଇ ଯାଇଛି |ମୋ ଜାଣିବାରେ ଅଧିକାଂଶ ପ୍ରେମବିବାହ  ସଫଳ ହୁଏନାହିଁ, କାରଣ ସେଥିରେ ପିତାମାତା ଓ ଗୁରୁଜନମାନଙ୍କର ସମ୍ମତି ଓ ଆଶୀର୍ବାଦ  ନଥାଏ |ସାଧାରଣତଃ ସ୍ୱାମୀ ସ୍ତ୍ରୀଙ୍କ ମନୋମାଳିନ୍ୟ ହେଲେ, ଗୁରୁଜନମାନଙ୍କ ମଧ୍ୟସ୍ଥତାରେ ତାର ସମାଧାନ ହୋଇଯାଏ | ପ୍ରେମ ବିବାହରେ ସେସବୁ ନଥାଏ,ତେଣୁ ପ୍ରାୟତଃ ବିବାହର ଅଳ୍ପଦିନପରେ ମନାନ୍ତର ଓ ମତାନ୍ତର ହୋଇ ଛାଡପତ୍ର ପର୍ଯ୍ୟନ୍ତ  କଥା ଯାଏ  |ଏସବୁ ମୁଁ ତତେ କହିବାର କାରଣ ହେଲା,,ଯେମିତି ଭାବପ୍ରବଣତାରେ ଭାସିଯାଇ ତୁ ଏକ ବଡ଼ ଅଘଟଣ କରିବାକୁ ଯାଉଥିଲୁ,ଭବିଷ୍ୟତରେ ସେମିତି କିଛି ବି କରିବୁ ନାହିଁ |ନିଜ ବୁଦ୍ଧି ବଳରେ ଧୈର୍ଯ୍ୟ ଧରି,ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ |ଭଗବାନ ତତେ ଯାହା ଦେଇଛନ୍ତି,ତାଠାରୁ ଅଧିକ ଆଶା ନକରି,ବରଂ ଯାହା ତୋ ପାଖରେ ଅଛି,ତାକୁ ଅମୂଲ୍ୟ ସମ୍ପଦ ଭାବି ଯତ୍ନରେ ସାଇତି ରଖିବୁ  |କେବଳ ଜଣେ ବୁଦ୍ଧିମତୀ ଓ ସମଝଦାର ନାରୀ  ସବୁବେଳେ ପରିବାରରେ ଶାନ୍ତି ରଖେ,ଓ ସେହି ଶାନ୍ତି ହିଁ  ପରିବାରକୁ ଉନ୍ନତି ପଥରେ ଆଗେଇ ନେବାରେ ସାହାଯ୍ୟ କରେ  |

           ସୁବାସିନୀ ଆହୁରି ଅଧିକ କିଛି କହିବା ପୂର୍ବରୁ,କବାଟ ପାଖରେ ଦୀପାକୁ ଛିଡା ହୋଇଥିବାର ଦେଖି ପଚାରିଲେ,କଣ ହେଲା ମା'  ?ଦୀପା କହିଲା,ସମସ୍ତେ ଆସିଗଲେଣି,ଖାଇବାକୁ ବାଢ଼ିବି ?ସୁବାସିନୀ ଘଣ୍ଟା ଦେଖି,ଜିଭ କାମୁଡି କହିଲେ,ଆରେ,ଏତେ ସମୟ ହେଲାଣି ?ଚାଲ ଖାଇବା |ଏହା କହି,ସେ ବସୁଧାକୁ ସାଙ୍ଗରେ ନେଇ ଦୀପା ପଛେ ପଛେ ଗଲେ |

               ପରଦିନ ସକାଳେ,ବିପ୍ଳବ ଉଭୟ ବଡ଼ ଓ ଛୋଟ ନଈ ମାଛ ଆଣିଥିଲା |ମାଛ ଦେଖି,ବସୁଧା ଖୁସି ହୋଇ ନିଜେ ରାନ୍ଧିବ ବୋଲି କହିଲା |ତା କଥା ଶୁଣି ସମସ୍ତେ ଖୁସି ହୋଇଗଲେ |ଦୀପା ମାଛ ବାଛି, ହଳଦୀ ଲୁଣ ଗୋଳେଇ ମସଲା ବାଟି ଦେଇ ଅନ୍ୟ କାମରେ ଚାଲିଗଲା  |ବସୁଧା ମାଛ ଭାଜୁଥିବାବେଳେ କାହାର ଉପସ୍ଥିତି ଅନୁଭବ କରି ପଛକୁ ଚାହିଁଲା |ମାଛ ଭଜା ଖାଇବା ପାଇଁ,ମିଠୁ ଗୋଟିଏ ପ୍ଲେଟ ଧରି ଛିଡା ହୋଇଥିଲା,କିନ୍ତୁ ସଙ୍କୋଚବଶତଃ କିଛି କହିପାରୁନଥିଲା |ବସୁଧା ମିଠୁକୁ ଆଦରରେ ଗେଲ କଲା ଓ ତା ହାତରୁ ପ୍ଲେଟ ନେଇ ସେ ଯେଉଁଟା ନେବାକୁ କହିଲା,ସେଥିରୁ ଆଉ ଦୁଇ ତିନିଟି ଅଧିକ କରି ତା ପ୍ଲେଟରେ ରଖିଦେଲା |

                 ମିଠୁ ଖୁସି ହୋଇ ଚାଲିଯିବାପରେ ବସୁଧାର ମନେପଡ଼ିଗଲା,ମାଆ ତାର ମାଛ ଭାଜୁଥିବା ବେଳେ ବାବା  କେମିତି ବାସନା ବାରି,ରୋଷେଇଘରକୁ ପ୍ଲେଟ ନେଇ ଚାଲି ଆସନ୍ତି,ଓ ଗୋଟିକ ପରେ ଗୋଟିଏ ଭଜା ମାଛ ନେଇ,ସେମାନଙ୍କ ସହିତ ମିଶି ଖାଆନ୍ତି !ମାଆ ଯେତେ ରାଗିଲେ ବି ତାଙ୍କ କଥା ସେ ଆଦୌ ଶୁଣନ୍ତି ନାହିଁ |ଏକଥା ମନେ ପଡି଼ବାକ୍ଷଣି ତା ହୃଦୟ ଭିତରୁ ଏକ ପ୍ରଚଣ୍ଡ କୋହ କାୟା ବିସ୍ତାର କରି ବାହାରକୁ ବାହାରି ଆସିବା ପାଇଁ ଚେଷ୍ଟା କଲା  |ଅନେକ ଚେଷ୍ଟା କରି ସେ ନିଜକୁ ରୋକିଦେଲା |ଏହି ପ୍ରଚେଷ୍ଟାରେ ତା ଆଖିର ଦୁଇ ପ୍ରାନ୍ତ ଦେଇ ଅନର୍ଗଳ ଲୁହଧାରା ଝରିଗଲା,ଇଚ୍ଛା କରି ବି ସେ ତାକୁ ରୋକି ପାରିଲା ନାହିଁ | |ତାର ଇଚ୍ଛା ହେଉଥିଲା,ଜୋରରେ ପାଟି କରି କାନ୍ଦିବା ପାଇଁ ଓ କହିବା ପାଇଁ,ମୋର ଭୁଲ ହୋଇ ଯାଇଛି ବାବା,ମତେ କ୍ଷମା କରିଦିଅ |(କ୍ରମଶଃ)

No comments:

Post a Comment