ସୁବାସିନୀଙ୍କଠାରୁ ସାନ୍ତ୍ୱନା ବାଣୀ ଶୁଣିବାପରେ ଅକ୍ଷର ଟିକିଏ ଆଶ୍ୱସ୍ତ ହେଲା |ଏସବୁ ବାର୍ତ୍ତାଳାପ ବସୁଧା ଶୁଣୁଛି କି ନାହିଁ,ଜାଣିବାପାଇଁ ସେ ବସୁଧା ଆଡକୁ ଚାହିଁଲା |କିନ୍ତୁ ବସୁଧା ଅନେକବେଳୁ ସେଠାରୁ ଚାଲିଯାଇଥିଲା |ସେ ତାକୁ ଖୋଜି ଖୋଜି ଯାଇ ଦେଖିଲା,ସୁବାସିନୀଙ୍କ କୋଠରୀ ପାଖରେ ଥିବା କଣିକିଆ ଘରେ, ଯେଉଁଟି ସେମାନଙ୍କପାଇଁ ଉଦ୍ଦିଷ୍ଟ ଥିଲା,ସେଇଠି ସେ ଦୁଇ ଆଂଠୁ ଭିତରେ ମୁହଁ ଲୁଚାଇ ବସିଛି |ଅକ୍ଷର ତା ପାଖରେ ବସି ତାକୁ ନିଜ ଆଡକୁ ଆଉଜାଇ ଆଣିଲା |ବସୁଧା କାନ୍ଦୁଥିଲା ,ବିନା ଶବ୍ଦରେ ଆଖିରୁ ତାର ଧାର ଧାର ଲୁହ ଝରି ଯାଉଥିଲା |ତା କାନ୍ଦ ଦେଖି ଅକ୍ଷର ଆଖିକୁ ମଧ୍ୟ ଲୁହ ଚାଲିଆସିଲା |ସେ କହିଲା,ମୁଁ ବଡ଼ ଭୁଲ କରିଦେଇଛି ବସୁ,ଯିଏ ରାଜମହଲରେ ରହିବା କଥା ତାକୁ ମୁଁ ଆଣି ଭଙ୍ଗା କୁଡ଼ିଆରେ ରଖିଦେଲି !!ମୋ ଭଳି ପାପୀ ଦୁନିଆଁରେ କେହି ନାହାନ୍ତି | ତା କଥା ଶୁଣି ବସୁଧା ମୁହଁ ଉଠାଇ ଅକ୍ଷରକୁ ଚାହିଁଲା |ଅକ୍ଷର ସେମିତି କହି ଚାଲିଥିଲା,ତମେ ବ୍ୟସ୍ତ ହୁଅନା,ମୁଁ କାଲି ସକାଳେ ଯାଇ ରାତିରେ କିମ୍ବା ତା ପରଦିନ ସକାଳେ ଚାଲିଆସିବି |ତାପରେ ଆମେ ଚାଲିଯିବା,ଆଉ ଗାଆଁକୁ ଆସିବା ନାହିଁ |ହେଲେ ଗୋଟିଏ ସମସ୍ୟା ଅଛି,ଯଦି ଅଙ୍କଲ ମୋ ନାଆଁରେ ଏଫ ଆଇ ଆର ଦେଇଥିବେ,ତାହେଲେ କଥା ସରିଲା,ମତେ ସିଧା ଜେଲ ଯିବାକୁ ପଡ଼ିବ |
ଅକ୍ଷରର କଥା ଶେଷ ନ ହେଉଣୁ,ବସୁଧା ତା ହାତ ମୁଠାକୁ ନିଜ ହାତମୁଠାରେ ଜାବୁଡି ଧରି କହିଲା,ନାଁ ନାଁ,ତମେ ଏବେ କୁଆଡେ ଯାଅନା ,ଆମେ ବରଂ ଆଉ କିଛିଦିନ ଅପେକ୍ଷା କରିବା |ଅକ୍ଷର କହିଲା,ସେଇଆ ତ ଭାବିଥିଲି,କିନ୍ତୁ ଦେଖୁଛ ତ ବୋଉ କେମିତି ହେଉଛି !ସେ ସହଜରେ ବୁଝିବନି |ତେଣୁ ଯେତେ ଶୀଘ୍ର ଏଇଠୁ ଚାଲିଯିବା ଆମପାଇଁ ବରଂ ଭଲ ହେବ |ଅକ୍ଷର କଥା ଶୁଣି ବସୁଧାର ଆପାଦମସ୍ତକ ଭୟରେ ଥରିଗଲା |ସେ କହିଲା,ତମେ ଯିବାପରେ ମତେ ବୋଉ ବାଡିଆପିଟା କରିବେନି ତ ?ଅକ୍ଷର ହସି ପକାଇ କହିଲା,ନାଁ ସେମିତି କିଛି ହେବନି,ବଡ଼ବୋଉ ଅଛନ୍ତି,ଭାଇ ଭାଉଜ ଅଛନ୍ତି,କାହିଁକି ବ୍ୟସ୍ତ ହେଉଛ ?
ପରଦିନ ଭୋରରୁ ଅକ୍ଷର ଉଠିବା ପୂର୍ବରୁ,ବସୁଧା ଦୀପା ସହିତ ତାର ସକାଳ ନିତ୍ୟକର୍ମ ସାରିବାକୁ ଗଲା |ଗାଆଁରେ ଘରର ଅବସ୍ଥା ଯେମିତି,ବାହାର ଅବସ୍ଥା ତା ଠାରୁ ଅଧିକ ଶୋଚନୀୟ ଥିଲା |ଝାଡା ଯିବାପାଇଁ ନାମକୁ ମାତ୍ର ପାଇଖାନା ଅଛି,କିନ୍ତୁ ସେଠାକୁ ପାଣି ନେବା ଆଣିବା କରିବା କଷ୍ଟକର ବ୍ୟାପାର ହୋଇଥିବାରୁ,ବାହାରେ ସମସ୍ତେ କାମ ସାରିଦେଇ ଆସନ୍ତି |ବସୁଧାକୁ ମଧ୍ୟ ସେଇଆ କରିବାକୁ ପଡୁଥିଲା |ସେମାନେ ଦୁଇଜଣ ଗାଧୋଇ ଆସିବାବେଳକୁ ଅକ୍ଷର ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହୋଇ ବସୁଧା ପ୍ରତୀକ୍ଷାରେ ଥିଲା |ବସୁଧାକୁ ଦେଖୁ ଦେଖୁ ସେ କହିଲା,ମୁଁ ଯାଉଛି,ଭୁବନେଶ୍ୱରରେ ମୋର ବହୁତ କାମ ରହିଛି |ସେଇଠି ମୋର ନିତ୍ୟକର୍ମ ଇତ୍ୟାଦି କାମ କରିବି|ମୁଁ ଆଜି ରାତିରେ କିମ୍ବା କାଲି ଆସିବି,ତମେ ବ୍ୟସ୍ତ ହେବନାହିଁ,ମତେ ଫୋନ କରୁଥିବ |ତାପରେ ସେ ସୁବାସିନୀଙ୍କ ପାଖକୁ ଯାଇ କହିଲା,ବଡ଼ବୋଉ ଯାଉଛି,ବସୁ ତମକୁ ଲାଗିଲା |ସୁବାସିନୀ ତା ମୁଣ୍ଡରେ ହାତ ରଖି କହିଲେ ,ପାଗଳା ଟା ,ଦିନକର କଥା,କାହିଁକି ସେମିତି ହେଉଛୁ ?ଆମେ ସମସ୍ତେ ମିଶି ବସୁକୁ ଆମ ପଣତ କାନିରେ ଘୋଡେଇ ରଖିବୁ,ତୁ ଆସିଲେ,ତାକୁ ତୋ ଜିମା ଦେଇଦେଲେ ଆମର ଶାନ୍ତି |ତୁ ଏଥର ନିଶ୍ଚିନ୍ତ ହୋଇ ଭଲରେ ଯାଇ ଭଲରେ ଆସେ |ସେଇଠି ପହଞ୍ଚିବା ପରେ,ବସୁକୁ ଫୋନ କରିବୁ | (କ୍ରମଶଃ)
No comments:
Post a Comment