Monday, July 18, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 6)

                           ଅକସ୍ମାତ ଘଟିଯାଇଥିବା ଏତେବଡ଼ ଦୁର୍ଘଟଣାକୁ କେହି ସହଜରେ ହଜମ କରିପାରୁନଥିଲେ | ପୂରା ଅଞ୍ଚଳରେ ଏହି ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା |ଲୋକେ ଦଳ ଦଳ ହୋଇ ବସୁଧାକୁ ଦେଖିବାକୁ ଛୁଟି ଆସୁଥିଲେ |କିନ୍ତୁ ତା ପୂର୍ବରୁ ସୁବାସିନୀ କଠୋର ପଦକ୍ଷେପ ନେଇ,ଗେଟରେ ତାଲା ପକାଇ ଦେଇଥିଲେ ଓ ସାଇ ପଡିଶା ,ଏପରିକି ନିଜ ଲୋକଙ୍କୁ ମଧ୍ୟ ଏହି ବିଷୟରେ ଆଲୋଚନା କରିବାକୁ ଅନୁମତି ଦେଉ ନଥିଲେ  |ନିଶ୍ଚିତ ମୃତ୍ୟୁମୁଖରୁ ବସୁଧା ବଞ୍ଚିଯାଇଥିବାରୁ ସେ ଈଶ୍ୱରଙ୍କୁ କୋଟି କୋଟି କୃତଜ୍ଞତା ଜଣାଇ ତାଙ୍କୁ ବାରମ୍ବାର ମୁଣ୍ଡିଆ ମାରି କହୁଥିଲେ,ଏତେ ଭରସାରେ ଅଖି ବସୁଧାକୁ ତାଙ୍କ ପାଖରେ ଛାଡ଼ିଯାଇଥିଲା,ଯଦି କିଛି ଅଘଟଣ ଘଟିଯାଇଥାଆନ୍ତା ,ସେ ତାକୁ କି ଉତ୍ତର ଦେଇଥାଆନ୍ତେ ?କାଞ୍ଚନଙ୍କ ତିରସ୍କାର,ବସୁଧାର ଆତ୍ମହତ୍ୟା ଉଦ୍ୟମର ଏକମାତ୍ର କାରଣ ଜାଣି ସୁଦ୍ଧା,ସେ ତାଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରି, ଆଉ ଗୋଟିଏ ଦୁର୍ଘଟଣାକୁ ଆମନ୍ତ୍ରଣ କରିବାକୁ  ଉଚିତ ମନେ କରିନଥିଲେ |

                      ଖବର ପାଇଁ ଅକ୍ଷର ତୁରନ୍ତ ଆସି ଗାଆଁରେ ପହଞ୍ଚିଗଲା |ଏତେ ବାଟ ସେ କିପରି ନିଃଶ୍ୱାସ ନେଇ  ଆସିଥିଲା ,ସେକଥା କେବଳ ତାକୁ ଜଣା ଥିଲା |ଘରେ ପହଞ୍ଚି ଗେଟରେ ତାଲା ପଡିଥିବାର ଦେଖି,ସେ ଗେଟ ଡେଇଁ,ଭିତରକୁ ଆସି,ବସୁଧାକୁ ଦେଖିବାକୁ ଭିତରକୁ ଦୌଡ଼ିଗଲା |ବାହାର ଘରେ କାଞ୍ଚନ ବସିଥିଲେ |ଅକ୍ଷରକୁ ଦେଖି ସେ ଜୁଳୁ ଜୁଳୁ କରି ଚାହିଁଲେ |କିନ୍ତୁ ଅକ୍ଷର ତାଙ୍କୁ ଦେଖି ନଦେଖିବା ପରି ଭୂସ କରି ବସୁଧା ଥିବା କୋଠରୀକୁ  ଚାଲିଗଲା |ବସୁଧା ସେତେବେଳେ ପ୍ରବଳ ଜ୍ୱରରେ କମ୍ପୁଥିଲା |ପାଖରେ ସୁବାସିନୀ ବସି,ତା କପାଳରେ ପାଣି ପଟି ଦେଉଥିଲେ |ବସୁଧାକୁ  ଏପରି ଅବସ୍ଥାରେ ଦେଖି,ଅକ୍ଷର ଦୁଃଖରେ କାନ୍ଦି ଉଠିଲା |ସେ ସୁବାସିନୀଙ୍କ ପାଖରେ ବସିପଡି କହିଲା,ଆଉ ମୁଁ ସହିପାରୁନି ବଡ଼ବୋଉ ,ବସୁକୁ ମୁଁ ଏଇନା ନେଇ ଚାଲିଯିବି ,ଏଇ ଶେଷ,ଆଉ ଗାଆଁକୁ ଆସିବିନି  |

                   ସୁବାସିନୀ ଆଦରରେ ଅକ୍ଷରର ପିଠି ଥାପୁଡ଼ାଇ କହିଲେ,ବାଇଆଟା,ଟିକିଏ ଧୈର୍ଯ୍ୟ ଧର  |ଏତେ ଜ୍ୱରରେ ତାକୁ କେମିତି ଏତେ ବାଟ ବାଇକରେ ନେବୁ ?ଥଣ୍ଡା ପବନ ବାଜି,ତା ଦେହ ଆହୁରି ବେଶୀ ଖରାପ ହେବ ,ସେତେବେଳେ ତୁ କଣ କରିବୁ ? ଦିନେ ଦୁଇଦିନ ରହିଯା ,ଜ୍ୱର ଟିକିଏ ଛାଡ଼ିଗଲେ,ତାକୁ ନେଇଯିବୁ |ତାଙ୍କ କଥା ଶୁଣି ଅକ୍ଷର ବସୁଧାର ଗୋଡ଼ ତଳକୁ ଥିବା ଅଳ୍ପ ଜାଗାରେ ନିଜ ଅବଶ ଶରୀରକୁ ଲୋଟାଇ ଦେଇ  କହିଲା,ମୁଁ ବରବାଦ ହୋଇଗଲି ବଡ଼ବୋଉ,ବୋଉ ଏମିତି ହେବ ବୋଲି ମୁଁ କେବେ ବି ଭାବି ନଥିଲି |ସବୁ ମୋର ଦୁର୍ଭାଗ୍ୟ !!

                  ସୁବାସିନୀ ତା ପାଟିରେ ହାତ ଦେଇ କହିଲେ,ପୁଣି ସେଇ କଥା ?କିଛିଦିନ ଆମେ ସେ ବିଷୟରେ ଆଲୋଚନା ନକଲେ,ଆମ ସମସ୍ତଙ୍କ ପାଇଁ ମଙ୍ଗଳକର ହେବ |ଅକ୍ଷର କହିଲା,କାହିଁକି କହିବିନି ??ବୋଉ କଣ ଭୁଲ କରିନି ??ସୁବାସିନୀ କହିଲେ,ଭୁଲ ଠିକ ବିଚାର କରିବାପାଇଁ,ଆମ ପାଖରେ ବହୁତ ସମୟ ଅଛି |ବର୍ତ୍ତମାନ ବସୁଧା କେମିତି ସୁସ୍ଥ ହେବ,ସେଇଟା ଆମର  ପ୍ରଥମ କାମ |ତୁ ବାଟମଡ଼ା ହୋଇ ଆସିଛୁ,ଯାଆ,ଧୋଇଧାଇ ହୋଇ ତୋର ଜାମା ବଦଳେଇ ଆସି,ବସୁ ପାଖରେ ବସ |ତୁ ଆସିଲେ,ମୁଁ ଯିବି |

              ତାଙ୍କ କଥା ଶୁଣି,ଅକ୍ଷର ଆଉ ଯୁକ୍ତି ନକରି, ନୀରବରେ ସେଠାରୁ ଉଠି ଚାଲିଗଲା |କିଛି ସମୟପରେ ସେ ପୋଛାପୋଛି ହୋଇ,ନିଜ ପୋଷାକ ପରିବର୍ତ୍ତନ କରି ସେଠାକୁ ଆସିଲା |ତାକୁ ଦେଖି ସୁବାସିନୀ ଉଠି ଛିଡ଼ାହେଲେ ଓ ନିଜେ ବସିଥିବା ସ୍ଥାନକୁ ଇଙ୍ଗିତ କରି କହିଲେ,ତୁ ଏଇଠି ବସି,ପାଣି ପଟି ଦେଉଥା |ମୁଁ ତା ପାଇଁ ଖାଇବା ଆଣିବାକୁ ଯାଉଛି|ଖାଇ ସାରିବାପରେ ସେ  ଔଷଧ ଖାଇବ |

               ଅକ୍ଷର ତାଙ୍କ କଥା ମାନି ସେଠାରେ ବସିଲା |କିଛି ସମୟପରେ ସେ  ପାଣିପଟି  କାଢି ଥର୍ମୋମିଟରରେ ବସୁଧାର ଜ୍ୱର ମାପିଲା |ଜ୍ୱର କମିଯାଇଥିଲା | ପାଣି ଗିନା ଓ ପଟି ଯଥା ସ୍ଥାନରେ ରଖି ସେ ଚୁପଚାପ ଆସି,ବସୁଧା ପାଖରେ ଶୋଇପଡ଼ିଲା |(କ୍ରମଶଃ)

                             

                          

No comments:

Post a Comment