Sunday, July 10, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ, ଭାଗ 2)

                         ହଠାତ ଏକ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଅକ୍ଷର ବସୁଧାକୁ ନେଇ ଚାଲି ଆସିଲା ସିନା,ତାକୁ ନେଇ କୁଆଡେ ଯିବ,କଣ କରିବ,ସେକଥା ସେ ଆଦୌ ଚିନ୍ତା କରି ନଥିଲା |ଶେଷରେ ତାର ନିଜ ଗାଆଁ ହିଁ ସେମାନଙ୍କର ଏକମାତ୍ର ନିର୍ଭରଯୋଗ୍ୟ ଆଶ୍ରୟସ୍ଥଳ ବୋଲି ତାର ମନେହେଲା |ସେ ବସୁଧାକୁ କହିଲା,ବସୁ,ଆମେ ଗାଆଁକୁ ଯିବା,ସେଇଠି ସମସ୍ତେ ଆମ ନିଜର,ଆମେ ସେଇଠି ନିରାପଦରେ ରହିପାରିବା  |ବସୁଧାକୁ କାନ୍ଦ ମାଡୁଥିଲା |ଗୋଟିଏ ହୋସରେ ସେ ସିନା ଘର ଛାଡି ଚାଲି ଆସିବାର ନିଷ୍ପତ୍ତି ନେଲା,କିନ୍ତୁ ତାହା ଯେ ସେମାନଙ୍କ ପାଇଁ ଏତେ ବିପଦପୂର୍ଣ୍ଣ ହେବ,ସେ କଳ୍ପନା ସୁଦ୍ଧା କରିପାରିନଥିଲା |

                         ସେମାନେ ଗାଆଁରେ ପହଞ୍ଚିବା ପରେ,ଚାରିଆଡେ ହୁରି ପଡିଗଲା |ସେମାନଙ୍କୁ ଦେଖିବାପାଇଁ ମାଳ ମାଳ ହୋଇ ନିଜ ଗାଆଁ ସମେତ ଆଖପାଖ ଗ୍ରାମ ବାସିନ୍ଦା ମାଡିଆସିଲେ |ଅକ୍ଷରର ମାଆ କାଞ୍ଚନଙ୍କ କାନରେ ଏକଥା ପଡିବା ମାତ୍ରକେ, ସେ କ୍ରୋଧରେ ଫାଟି ପଡିଲେ ଓ ପରେ ପରେ ବସୁଧା ଓ ତାର ଚଉଦ ପୁରୁଷକୁ ଗାଳି ଦେଇ ବାହୁନିବାରେ ଲାଗିଲେ | ପରିବାରରେ ସେମାନେ ଦୁଇଯାଆ ଥିଲେ |କାଞ୍ଚନଙ୍କ ବଡ଼ଯାଆ ସୁବାସିନୀଙ୍କ ସ୍ୱାମୀଙ୍କର ଅନେକ ବର୍ଷ ତଳେ ଦେହାନ୍ତ ହୋଇ ସାରିଥିଲା  |ତାଙ୍କର ଝିଅ ପାଖ ଗାଆଁରେ ବାହା ହୋଇଥିବାବେଳେ,ବୋହୂ ସେଇ ଆଖପାଖ ଗାଆଁର ଝିଅ |ଯାହାତ ହେବାର ହେଲାଣି,ପୁଅ ବୋହୂଙ୍କୁ ସ୍ଵୀକାର କରିବା ପାଇଁ,ସୁବାସିନୀ କାଞ୍ଚନଙ୍କୁ ଅନେକ ବୁଝାଇଲେ |କାଞ୍ଚନ କିନ୍ତୁ ଆଦୌ ବୁଝୁ ନଥିଲେ |ଅକ୍ଷରର ସରକାରୀ ଚାକିରୀ ଥିଲା |ସେହି ହିସାବରେ ସେ ଭଲ ଜାନିଯୌତୁକ ଦେଇ ପାରୁଥିବା ଝିଅଟିଏ  ଠିକ କରିଥିଲେ |କିନ୍ତୁ ଅକ୍ଷରର ଏହି ଅବାଂଛିତ କାର୍ଯ୍ୟ ତାଙ୍କର ସବୁ ସ୍ୱପ୍ନକୁ ଭାଙ୍ଗି ଚୁରମାର କରି ଦେଇଥିଲା |କାଞ୍ଚନ ଅବୁଝା ଥିବାରୁ,ବଡ଼ ହିସାବରେ,ସୁବାସିନୀଙ୍କୁ ନିଷ୍ପତ୍ତି ନେବାକୁ ପଡିଲା  |ବୋହୂ ଦୀପା ହାତରେ ବନ୍ଦାଣ ଥାଳି ଦେଇ,ସେ ଉଭୟଙ୍କୁ ଘରକୁ ପାଛୋଟି ଆଣିଲେ |

                       ଅକ୍ଷର ଓ ବସୁଧା ବିଧିବଦ୍ଧ ଭାବରେ ବିବାହ କରିନଥିଲେ |ତେଣୁ ସୁବାସିନୀ କୁଳପୁରୋହିତଙ୍କ ସହିତ ବିଚାର ବିମର୍ଶ କରି,ଦୁହିଁଙ୍କର ବାହାଘର କରାଇଲେ ଓ ସାହି ଲୋକଙ୍କୁ ଯତ କିଞ୍ଚିତ ଭୋଜି ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କଲେ |ଏସବୁ କାଞ୍ଚନଙ୍କ ଇଚ୍ଛା ବିରୁଦ୍ଧରେ ହେଉଥିଲା |ତେଣୁ ସେ ମନେ ମନେ ରକ୍ତ ଚାଉଳ ଚୋବାଉ ଥିଲେ |

                       ଚତୁର୍ଥୀ ପରଦିନ ସେ ଅକ୍ଷରକୁ ସଫା ସଫା ଶୁଣାଇଦେଲେ ଯେ,ସେ ବଞ୍ଚିଥିବାଯାକେ ବସୁଧା ଗାଆଁରେ ରହି ପାରିବନାହିଁ |ଅକ୍ଷର ତାକୁ ନେଇ ଯୁଆଡେ ମନ ସିଆଡେ ଯାଉ |ଅକ୍ଷର କହିଲା,ଏମିତି କଣ କହୁଛୁ ବୋଉ ?  ଆମ  ଭୁବନେଶ୍ୱର ଘରେ ମୋ ସାଙ୍ଗରେ ଆଉ ଦୁଇଜଣ ପିଲା ଅଛନ୍ତି |ତାଙ୍କୁ କାଢ଼ି ଘର ଠିକଣା କଲେ ସିନା,ମୁଁ ୟାକୁ ନେବି !!ସେଥିପାଇଁ ମତେ  ଅତି କମରେ  ତିନି ଚାରି ଦିନ ସମୟ ଲାଗିବ | କାଞ୍ଚନ କହିଲେ,ଯଦି ଏତେ କଥା ଥିଲା,ସବୁ ଠିକଣା ନକରି କାହିଁକି ତାକୁ ଏଠିକି ନେଇ ଆସିଲୁ ?ଏ ବିଷୟରେ ଥରେ ମତେ ପଚାରିଛୁ ?ନାଁ,ସେକଥା ହୋଇ ପାରିବ ନାହିଁ,ତୁ ଆଜି ଯାଆ ,କାଲି ଆସି ତାକୁ ନେଇଯିବୁ |ସେ ଅଲକ୍ଷଣୀ ମୁହଁ ଦେଖିଲେ,ମୋ ହାଡ ଜଳୁଛି |ଏହି ସମୟରେ ସୁବାସିନୀ ସେଠାକୁ ଆସି କହିଲେ,ତୁ ତାକୁ ଦେଖିବା ଦରକାର ନାହିଁ କି ତୋର ହାଡ ଜଳିବା ଦରକାର ନାହିଁ ,ବସୁ ଏଣିକି ମୋ ଦାୟିତ୍ତ୍ଵରେ ରହିବ |ତାପରେ ସେ ଅକ୍ଷରକୁ କହିଲେ,ଆଜି ଗୁରୁବାର,ତୁ ଆଜି ଯାଆନା,କାଲି ଯିବୁ |ସବୁ ସୁବିଧା ହେଲା ପରେ ଆସିବୁ |ସୁବାସିନୀଙ୍କ ଏକ ଏକ ବାକ୍ୟ କାଞ୍ଚନଙ୍କ ମୁଣ୍ଡରେ ହାତୁଡି ପ୍ରହାର ପରି ଲାଗୁଥିଲା |ସେ  ଆଉ ଅଧିକ କିଛି ନକହି ସେଠାରୁ ଚାଲିଗଲେ |(କ୍ରମଶଃ) 

No comments:

Post a Comment