( ମୋର ପ୍ରିୟ ପାଠକ/ପାଠିକା ମାନଙ୍କ ପାଇଁ ଏହା ମୋର ପଞ୍ଚମ ଧାରାବାହିକ ଭେଟି | ଏହାର କାହାଣୀ ଓ ଏଥିରେ ବର୍ଣ୍ଣିତ ସମସ୍ତ ଚରିତ୍ର ସମ୍ପୂର୍ଣ୍ଣ କାଳ୍ପନିକ |ବାସ୍ତବିକ ଜୀବନ ସହିତ କାହାଣୀର କିଛି ବି ସାମଞ୍ଜସ୍ୟକୁ ଆକସ୍ମିକ ସଂଯୋଗ ବୋଲି ଧରିନେବାକୁ ମୋର ବିନମ୍ର ନିବେଦନ |)
କରୁଣାକର ଓ ଇନ୍ଦିରାଙ୍କର ଚାରି ଝିଅ ଥିଲେ |ସେମାନେ ହେଲେ,ସିନ୍ଧୁଜା,ବସୁଧା,ସୁଦୀକ୍ଷା ଓ ଅମୃତା |ପ୍ରଥମ ଦୁଇ ଭଉଣୀଙ୍କ ଜନ୍ମର ବ୍ୟବଧାନ ଦୁଇବର୍ଷ ଥିବାବେଳେ ଶେଷ ଦୁଇଭଉଣୀ ବସୁଧା ଠାରୁ ପାଞ୍ଚବର୍ଷ ସାନ,ଯାଆଁଳା ସନ୍ତାନ ଥିଲେ |ଉଭୟ କରୁଣାକର ଓ ଇନ୍ଦିରା ସିରିଡ଼ି ସାଇବାବାଙ୍କର ଭକ୍ତ ଥିଲେ |ପ୍ରତି ମାସର ଶେଷ ଗୁରୁବାର ସନ୍ଧ୍ୟାରେ ତାଙ୍କ ଘରେ ସାଇବାବାଙ୍କ ପୂଜା ଆରାଧନା ସହିତ ଭକ୍ତମାନଙ୍କର ଗହଳି ଲାଗୁଥିଲା |ସେଦିନ ସମସ୍ତେ ନିଜ ନିଜ ଘରୁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଆଣୁଥିଲେ ଓ ପୂଜା ଶେଷରେ ଭୋଗ କରି ସମସ୍ତେ ପ୍ରସାଦ ବାଣ୍ଟି କରି ଖାଉଥିଲେ |ନିନ୍ଦୁକମାନେ କହନ୍ତି ,କରୁଣାକର ଦମ୍ପତ୍ତି କାଳେ ଦୁଇଝିଅ ପରେ ପୁଅଟିଏ ପାଇବାପାଇଁ ଦେବାଦେବୀଙ୍କ ନିକଟରେ ଅନେକ ପୂଜା,ଓଷା ,ଯଜ୍ଞ ଓ ବ୍ରତ ଆଦି କରିଥିଲେ |କିନ୍ତୁ ଯାଆଁଳା ଝିଅ ଜନ୍ମ ହେବାପରେ ସେମାନେ ଦେବାଦେବୀଙ୍କ ପ୍ରତି ବୀତସ୍ପୃହ ହୋଇ ସାଇବାବାଙ୍କର ଆଶ୍ରିତ ହୋଇଯାଇଥିଲେ |
କାଞ୍ଚନଙ୍କ ସ୍ୱାମୀ ଅବିନାଶ କରୁଣାକରଙ୍କ ବାଲ୍ୟ ବନ୍ଧୁ ଥିଲେ |କାଞ୍ଚନ ଗାଁରେ ସଂଯୁକ୍ତ ପରିବାରରେ ରହୁଥିବାବେଳେ ଅବିନାଶ ନିଜର ଏକମାତ୍ର ପୁତ୍ର ଅକ୍ଷର ସହ ଭୁବନେଶ୍ୱରର ଏକ ସରକାରୀ ଭଡ଼ାଘରେ ରହୁଥିଲେ | ପିତାପୁତ୍ର ଦୁଇଜଣ କରୁଣାକରଙ୍କ ଘରେ ଅନୁଷ୍ଠିତ ହେଉଥିବା ସାଇବାବାଙ୍କ ପୂଜାରେ ନିଶ୍ଚିତଭାବେ ଯୋଗ ଦେଉଥିଲେ |ସାଇବାବାଙ୍କୁ ପୁଷ୍ପମାଳାରେ ସଜାଇଦେବାଠାରୁ ଆରମ୍ଭ କରି ଭୋଗ ବାଣ୍ଟିବା ଆଦି ସମସ୍ତ ଦାୟିତ୍ତ୍ୱ ଅକ୍ଷର ଉପରେ ନ୍ୟସ୍ତ ଥିଲା |କରୁଣାକର ଦମ୍ପତ୍ତି ଅକ୍ଷରକୁ ବହୁତ ଭଲ ପାଉଥିଲେ ଓ ବିଶ୍ୱାସ କରୁଥିଲେ |ଅବିନାଶ ଜଣେ ଭଲ ମଣିଷ ଥିବା ସତ୍ତ୍ୱେ ନିଶା ପ୍ରତି ତାଙ୍କର ପ୍ରବଳ ଆସକ୍ତି ଥିଲା | ନିଶାସକ୍ତ ହୋଇ ହୋଇ ଦିନେ ସେ ଏକ ଭୋଜିରୁ ଫେରୁଥିବାବେଳେ ଅକସ୍ମାତ ଏକ ବିଜୁଳି ଖୁଣ୍ଟରେ ସ୍କୁଟିଟି ବାଡେଇ ହୋଇଯିବାରୁ,ଘଟଣାସ୍ଥଳରେ ତାଙ୍କର ଅକାଳ ମୃତ୍ୟୁ ହୋଇଗଲା |
ପିତାଙ୍କ ମୃତ୍ୟୁ ପରେ ଅକ୍ଷରକୁ ସରକାରୀ ନିୟମାନୁଯାୟୀ ଚାକିରୀ ମିଳିଲା ଓ ପିତାଙ୍କ ନାମରେ ଥିବା ଛୋଟ ଦୁଇ ବଖରା ସରକାରୀ ବାସଗୃହଟି ତା ନାମରେ ହୋଇ ଯାଇଥିଲା |କାଞ୍ଚନ କିନ୍ତୁ ଭୁବନେଶ୍ୱରକୁ ନ ଆସି, ପୂର୍ବପରି ଗାଆଁରେ ରହିଥିଲେ |
କରୁଣାକରଙ୍କ ସମସ୍ତ କନ୍ୟା ସୁନ୍ଦରୀ ଓ ଗୁଣବତୀ ଥିଲେ |କିନ୍ତୁ ଦ୍ୱିତୀୟ କନ୍ୟା ବସୁଧା ସବୁ ଭଉଣୀମାନଙ୍କଠାରୁ ଭିନ୍ନ ,ଅତି ସୁନ୍ଦରୀ, ଉଭୟ ଘର ଓ ବାହାର କାର୍ଯ୍ୟରେ ନିପୁଣା ଥିଲା |ଦରଜିକୁ ସିଲେଇ କରିବାକୁ କପଡା ନଦେଇ,ସେ ନିଜେ ସମସ୍ତଙ୍କର ପୋଷାକ ଘରେ ସିଲେଇ ମେସିନରେ ତିଆରି କରୁଥିଲା |ତାହା ଏପରି ନିଖୁଣ ଥିଲା ଯେ,ଡ୍ରେସ କିଣା ହୋଇଛି କି ଘରେ ତିଆରି ହୋଇଛି,ବେଳେବେଳେ ଜାଣିବା ମୁସ୍କିଲ ହୋଇ ପଡୁଥିଲା |ସେମାନେ ସମସ୍ତେ ଆମିଷ ପ୍ରିୟ ଥିଲେ |ଘରକୁ ଆମିଷ ଆସିଲେ,ବସୁଧା ରାନ୍ଧିବା ଥୟ ଥିଲା | ପ୍ରତିଥର ନିଜ ପସନ୍ଦ ଅନୁସାରେ ଭିନ୍ନ ଭିନ୍ନ ଶୈଳୀରେ ଆମିଷ ତରକାରୀ ରାନ୍ଧି ସେ ସମସ୍ତଙ୍କ ମନ ମୋହି ନେଉଥିଲା | ବସୁଧା ନିଜର ନିରାଡ଼ମ୍ବର ବେଶଭୂଷା ଓ ମେଳାପୀ ବ୍ୟବହାର ପାଇଁ, ସମସ୍ତଙ୍କର ପ୍ରିୟ ଥିଲା |
କରୁଣାକରଙ୍କର ଚାରିଝିଅ ଥିବାରୁ,ସେ ଝିଅମାନଙ୍କର ବିବାହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଚାହୁଁଥିଲେ |ସିନ୍ଧୁଜା ଯୁକ୍ତ ତିନିରେ ପଢୁଥିବାବେଳେ,ତା ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଲା |କରୁଣାକର ପୁଅ ବିଷୟରେ ସବିଶେଷ ଖବର ସଂଗ୍ରହ କରିବାପରେ ତାଙ୍କ ଘରକୁ ଯାଇ ସେମାନଙ୍କ ପରିବାର ବିଷୟରେ ଅବଶିଷ୍ଟ ତଥ୍ୟ ସଂଗ୍ରହ କଲେ |ପ୍ରସ୍ତାବଟି ତାଙ୍କ ମନଲାଖି ଥିଲା |ତେଣୁ ସେ ଅରାଜି ହେବାର ପ୍ରଶ୍ନ ଉଠୁନଥିଲା |ଶୁଭ ତିଥି ବାର ଦେଖି,ନିର୍ବନ୍ଧ ଓ ବିବାହ ତାରିଖ ଧାର୍ଯ୍ୟ ହେଲା |
ସିନ୍ଧୁଜାର ନିର୍ବନ୍ଧ ଓ ବାହାଘରରେ କରୁଣାକରଙ୍କୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ ଓ ସହଯୋଗ କରି ଅକ୍ଷର ପ୍ରକୃତ ବନ୍ଧୁ ପୁତ୍ରର ଦାୟିତ୍ତ୍ୱ ନିଭାଇ ଥିଲା |ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘରରେ କନ୍ୟା ବିଦା ହେବା ପର୍ଯ୍ୟନ୍ତ କରୁଣାକରଙ୍କ ପାଟିରେ "ଅଖି" ଛଡ଼ା ଆଉ କିଛି ଶବ୍ଦ ପଶୁ ନଥିଲା | ସୁରୁଖୁରୁରେ ବାହାଘର ଶେଷ ହେବାପରେ ଉଭୟ କରୁଣାକର ଓ ଇନ୍ଦିରା ଅକ୍ଷରକୁ ପ୍ରଶଂସାରେ ପୋତି ପକାଇଲେ |ଅକ୍ଷର ନଥିଲେ ସେମାନେ ଯେ କେତେ ହଇରାଣ ହରକତ ହୋଇଥାନ୍ତେ,ଏକଥା ବର୍ଣ୍ଣନା କରି କରି ତାଙ୍କ ପାଟି ଥକୁ ନଥିଲା |
କରୁଣାକରଙ୍କ ଘରକୁ ନିୟମିତ ଯିବା ଆସିବା ଭିତରେ ଅକ୍ଷର ସେମାନଙ୍କ ପରିବାରର ଏକ ସଦସ୍ୟ ପାଲଟି ଯାଇଥିଲା |କିନ୍ତୁ ସିଏ ଯେ ଦିନେ ବସୁଧାକୁ ତାର ପ୍ରେମ ଜାଲରେ ଫସାଇ ଦେବ,ଏହା ତାଙ୍କ କଳ୍ପନାର ବାହାରେ ଥିଲା |ଯେତେବେଳେ ତାଙ୍କୁ ଏହାର ସମ୍ୟକ ଆଭାସ ମିଳିଲା,ସେମାନେ ଉଭୟଙ୍କୁ ଆକଟ କରି, ତାଙ୍କ ଘରକୁ ନ ଆସିବା ପାଇଁ,ଅକ୍ଷର ଉପରେ ନିଷେଧାଜ୍ଞା ଜାରି କଲେ |କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା |ସେମାନଙ୍କ ମାନ ସମ୍ମାନକୁ ଖାତିର ନକରି ଓ ପରିବାରର ଇଜ୍ଜତକୁ ମାଟିରେ ମିଶେଇ,ଦିନେ ବସୁଧା ଅକ୍ଷର ସହିତ ଫେରାର ହୋଇଗଲା |(କ୍ରମଶଃ )
No comments:
Post a Comment