Saturday, December 31, 2016

ସି .ପି .

                                     ସି.ପି.,ପୁରା ନାମ ଚନ୍ଦନ ପରିଡା |  ଚନ୍ଦନ  ଥିଲା ତାର ପିତାମାତାଂକ କନିଷ୍ଠ  ସନ୍ତାନ |ତିନି   ଭଉଣୀ ଓ ଦୁଇ ଭାଇଂକ ପରେ ତାର ଜନ୍ମ |କୁବେରଂକ ବଡଭାଇଂକ ବଡଝିଅ ମାନସୀ  ବିବାହର ଚଉଦ ବର୍ଷ ପର୍ଯ୍ୟନ୍ତ ନିଃସନ୍ତାନ ଥିଲା |ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ, ପିଲା ଟିଏ କୋଳକୁ ନେଲେ ତାର ନିଜର ସନ୍ତାନ ହେବ,ଏଇ ଆଶାରେ ସେ ଚନ୍ଦନ କୁ ପୋଷ୍ୟପୁତ୍ର କରିବା ପାଇଁ ଦାଦା କୁବେରଂକୁ ଅନେକ ଅନୁରୋଧ କରିଥିଲା |ତାର ଅନୁରୋଧକୁ ଏଡାଇ ନ ପାରି ବାଧ୍ୟ ହୋଇ କୁବେର ହଁ ଭରିଥିଲେ ଯଦିଓ ସ୍ତ୍ରୀ ଲତାଂକର ଏଥିରେ ଆଦୌ ସମ୍ମତି ନ ଥିଲା |
                                     ପିଲାଦିନେ ଚନ୍ଦନ ଗୁଲୁଗୁଲିଆ ହୋଇ ତା ମାଆ ପରି ଭାରି ସୁନ୍ଦର ଥିଲା |ତାକୁ ଚାରିମାସ ହେଉ ହେଉ ସେ ହୁଁ ହାଁ କରି ,ମନଲୋଭା ହସ ହସି ସମସ୍ତଂକ ଦୃଷ୍ଟି ଆକର୍ଷଣ କରୁଥିଲା |ମାନସୀ ଭାବିଥିଲା,ସେ ମାଆ କ୍ଷୀର ଛାଡିବା ପରେ ତାକୁ ନେଇଯିବ,କିନ୍ତୁ ଏତେଦିନ ଅପେକ୍ଷା କରିବା ପାଇଁ ତାର ଆଉ ଧୈର୍ଯ୍ୟ ରହିଲା ନାହିଁ |ଶେଷରେ ଦଶହରା ଛୁଟିରେ ଚନ୍ଦନକୁ ନେବା କଥା ଚୂଡାନ୍ତ ହେଲା |ମାନସୀ ଯେଉଁଦିନ ଚନ୍ଦନ କୁ ଆଣିବାକୁ ଗଲା ,ସେଦିନ ଚନ୍ଦନ ଦେହରେ ଖଇଫୁଟା ତାତି |ଜ୍ୱର  ଟିକେ କମିଲେ ତାକୁ ଆଣିବ ବୋଲି ମାନସୀ ସେଦିନ ସେଠାରେ ରହିଗଲା |କିନ୍ତୁ ଜ୍ୱର  କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଲା |ଶେଷରେ ଚନ୍ଦନ କୁ ହସ୍ପିଟାଲ ରେ ଆଡମିସନ କରାଗଲା |ସେଠାରେ କିଛିଦିନ ରହିବା ପରେ ତାର ଦେହ ଭଲ ହେଲା |ସେଥରକ ମାନସୀ ଆଉ ତାକୁ ଆଣି ପାରିଲା ନାହିଁ |ଏମିତି ଯେତେଥର ମାନସୀ ଚନ୍ଦନ କୁ ଆଣିବାକୁ ମନସ୍ଥ କରେ ସେତେଥର  ଅଜଣା ବେମାରି କେଉଁଠି ଥାଏ କେଜାଣି ,ତାକୁ ଆସି ମାଡିବସେ |ଏମିତି ବାରମ୍ବାର ଅସୁସ୍ଥତା ର ଶୀକାର ହୋଇ ଚନ୍ଦନ ଦୁର୍ବଳ ହୋଇଗଲା ,ତାର ଗୋରା ଦେହ କଳା ପଡିଗଲା ଓ ତାର ଚଳପ୍ରଚଳ ଶକ୍ତି ମନ୍ଥର ହୋଇଗଲା |ବାରମ୍ବାର ଏପରି ଘଟିବାରୁ ଲତାଂକ ମନର ନିଭୃତ କୋଣରେ କେଉଁଠି ନାଁ କେଉଁଠି ବିଶ୍ୱାସ  ଜନ୍ମିଲା ଯେ ପୁଅକୁ ପୋଷ୍ୟପୁତ୍ର କରି ଦେବାରୁ ଏସବୁ ଘଟୁଛି |ସେ ମନେ ମନେ ସ୍ଥିର କଲେ ଏଥର ମାନସୀ ଆସିଲେ ତାକୁ ସଫା ସଫା ମନା କରିଦେବେ |କିନ୍ତୁ ସେପରି କିଛି ଘଟିବା ଆଗରୁ ମାନସୀ ଖୁସି ଖବର ଦେଲା ,ସେ ମାଆ ହେବାକୁ ଯାଉଛି |ଏ ଖବର ଶୁଣି ଲତାଂକ ମନରେ ଥିବା ସନ୍ଦେହ ଆହୁରି ଦୃଢ଼ୀଭୁତ ହୋଇଗଲା |କେହି ମାନୁ ବା ନମାନୁ ତାଂକର ଦୃଢ଼ଧାରଣା ହେଲା ,ମାନସୀ ଚନ୍ଦନ କୁ ପୋଷ୍ୟପୁତ୍ର  କରିବାରୁ   ତାର ସବୁ ଗ୍ରହ ଦୋଷ କଟିଗଲା ଓ ସେ ସେଥିପାଇଁ ଏତେ ବର୍ଷ ପରେ ଗର୍ଭଧାରଣ କଲା |ଏକଥା ବି ତାଙ୍କ ମନକୁ ଆସିଲା ଯେ ମାନସୀର  ସବୁ ଗ୍ରହ ଦୋଷ ଚନ୍ଦନ ଉପରକୁ ଚାଲିଗଲା |                                        ଚନ୍ଦନ ସବୁ ଭାଇଭଉଣୀଂକ ଠାରୁ ସବୁ କ୍ଷେତ୍ରରେ ଭିନ୍ନ ଥିଲା |ଅନ୍ୟ ଭାଇଭଉଣୀ ମାନେ ସୁନ୍ଦର,ସୁସ୍ଥସବଳ ,ପାଠରେ ତେଜ ଥିବାବେଳେ ଚନ୍ଦନ ରୁଗ୍ଣ ,କ୍ଷୀଣକାୟ,ପାଠ ଘରେ ଶୂନ୍ୟ ଥିଲା |କୁବେରଂକ ଅନେକ ଚେଷ୍ଟା ସତ୍ତ୍ୱେ  ସେ ଅଷ୍ଟମ ଶ୍ରେଣୀ ଟପି ଆଗକୁ ଯାଇ ପାରିଲା ନାହିଁ |କିନ୍ତୁ ସେ ବହୁତ ଆଜ୍ଞାକାରୀ ଥିଲା |ହାଟରୁ ପରିବାପତ୍ର  ଆଣିବା ହେଉ ବା  ବଜାର ରୁ ନିତ୍ୟ ଦରକାରୀ ଜିନିଷ ଆଣିବା ହେଉ ,ସମସ୍ତ ଦାୟିତ୍ତ୍ୱ  ତା ଉପରେ ନ୍ୟସ୍ତ ଥିଲା |ପ୍ରଥମେ ପ୍ରଥମେ ଏ ସବୁ କାମ ସେ ଖୁସି ମନରେ କରୁଥିଲା,କ୍ରମେ ଏହା ତା କର୍ତ୍ତବ୍ୟରେ ପରିଣତ ହୋଇଗଲା |ସମସ୍ତେ ଭାବୁଥିଲେ ,ଘରେ ତାର କିଛି କାମ ନାହିଁ,ଖାଲିଟାରେ ବସି ବସି ଖାଉଛି,ସେ ଏ କାମ ନ କରିବ କାହିଁକି ?ଲତା କିନ୍ତୁ ସବୁବେଳେ ଚନ୍ଦନ କଥା ଭାବି ସନ୍ତାପି ହୁଅନ୍ତି ,ମନେ ମନେ ମାନସୀ କୁ ଅନେକ ଅଭିଶାପ ଦିଅନ୍ତି |ନିଜର ସ୍ୱାର୍ଥ  ପାଇଁ ସେ ମୋ ପୁଅ ଜୀବନକୁ ନଷ୍ଟ କଲା ବୋଲି ଭାବନ୍ତି | ବେଳେବେଳେ ସେ ଚନ୍ଦନକୁ ଏତେ କାମ ନ କରିବାକୁ ପରାମର୍ଶ ଦିଅନ୍ତି |କିନ୍ତୁ ଚନ୍ଦନ କହେ ,ବୋଉ ,ମୁଁ ତ ପାଠ ପଢିଲିନି,ବେକାର ହୋଇ ଘରେ ବସିଲି |ମତେ କିଏ ମାଗଣାରେ ବସେଇ ଖାଇବାକୁ ଦେବ?ସକାଳୁ ସଂଜ ପର୍ଯ୍ୟନ୍ତ ସମସ୍ତଂକ ବୋଲ ମାନି ମାନି ତା ବେଳ ଯାଏ |ସେଥିରେ ପୁଣି ବର୍ଷକ ବାର ମାସରେ ତାର ନାନା ଓଷା ବ୍ରତ |ସେ ହନୁମାନଂକର ଭକ୍ତ ଥିବାରୁ ପ୍ରତି ମଂଗଳବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ଖାଏନି |ସନ୍ଧ୍ୟା ପରେ ସାମାନ୍ୟ କିଛି ଜଳଖିଆ ଖାଏ |ଲତା ତାକୁ ବୁଝାନ୍ତି,ଅଧିକ ଶାରୀରିକ ପରିଶ୍ରମ କରିବା ଲୋକ ଉପବାସ ରହିବା ଭଲ ନୁହେଁ,କିନ୍ତୁ ସେ ବା କାହିଁକି ତାଂକ କଥା କାନରେ ପୁରାଇବ !ଓଲଟି କହେ ପୁର୍ବଜନ୍ମର ପାପ ଯୋଗୁଁ ଏ ଜନ୍ମରେ ମୂର୍ଖ ହେଲି |ଏ ଜନ୍ମରେ କିଛି ସମୟ ଠାକୁରଂକ ପାଇଁ ଦେବି , ତାଂକ ଆଶୀର୍ବାଦ ମିଳିଲେ କିଛି କିଛି ପାପ କାଳେ କ୍ଷୟ ହୋଇଯିବ !
               ପ୍ରତିବର୍ଷ  ରାକ୍ଷୀପୂର୍ଣ୍ଣିମା  ସେମାନେ ମହାଆଡମ୍ବରରେ ପାଳନ କରନ୍ତି |ତିନି  ଭଉଣୀ ତିନି ଭାଇଂକ ହାତରେ ରାକ୍ଷୀ ବାନ୍ଧି ସେମାନଂକ ଠାରୁ ଉପଢୌକନ ନିଅନ୍ତି |ଚନ୍ଦନ ସମସ୍ତଂକୁ ଗୋଟିଏ ଗୋଟିଏ ଚକଲେଟ ଦେଇ କହେ,ଏତିକି ନେଇ ଖୁସି ହୁଅ,ମତେ ଆଶୀର୍ବାଦ ଦିଅ |ସେଇ ରାକ୍ଷୀ ପିନ୍ଧାରେ ମଧ୍ୟ ପାତରଅନ୍ତର ଥାଏ | ଅନ୍ୟ ଭାଇ ମାନଂକ  ହାତରେ  ବାନ୍ଧି ଥିବା ରାକ୍ଷୀ ର ମାନ ଉନ୍ନତ ଥିବାବେଳେ ଚନ୍ଦନ ହାତ ର ରାକ୍ଷୀ ନିମ୍ନମାନ ର ଥାଏ |ଚନ୍ଦନ ସବୁ ବୁଝେ ,କିନ୍ତୁ ପ୍ରତିବାଦ କରେନାହିଁ |ବରଂ ମାସେ ପର୍ଯ୍ୟନ୍ତ ସେ ରାକ୍ଷୀ ତା ହାତରେ ଥାଏ |ତାପରେ ଠାକୁରଂକ ପିଢାରେ ତାକୁ ଯତ୍ନରେ ରଖିଦିଏ |ମନେ ମନେ ଭାବେ, ସ୍ନେହର ଉପହାର ଭଗବାନଂକ ଆଶୀର୍ବାଦ ଭାବି ସାଇତି ରଖିବା ଉଚିତ |
                          ସମୟ ଗଡି ଚାଲିଲା |ଚନ୍ଦନର ସବୁ ଭାଇ ଭଉଣୀ ଉଚ୍ଚଶିକ୍ଷା ଲାଭ କରି ଚାକିରୀ କଲେ ଓ ବାହା ହେଲେ |କୁବେର ଚାକିରୀରୁ ଅବସର ଗ୍ରହଣ କଲେ |କିନ୍ତୁ ଚନ୍ଦନର ଡ୍ୟୁଟି ବନ୍ଦ ହେଲାନାହିଁ ,ସେ ସେମିତି ସମସ୍ତଂକ ବୋଲକରା ହୋଇ ରହିଗଲା |କୁବେରଂକ ପ୍ରଥମ,ବଡ଼ ପୁଅ ରାଜ୍ୟ ବାହାରେ ଚାକିରୀ କରି ନିଜ ପରିବାର ସହ ରହୁଥିବାବେଳେ ସେମାନେ ସମସ୍ତେ ଦ୍ୱିତୀୟ ପୁଅ  ଓ ତାର ପିଲାମାନଂକ ସହ ତାର ନିଜ ଘର ଭୁବନେଶ୍ୱରରେ  ରହୁଥିଲେ |ପିଲାମାନଂକ ପାଇଁ କୁବେର ଅନେକ ଧାର ଉଧାରରେ ବୁଡି ଯାଇଥିଲେ |ତେଣୁ ନିଜପାଇଁ ସେ ଘରଟିଏ କରିପାରି ନଥିଲେ |ଦ୍ୱିତୀୟ ପୁଅ  ଘର କିଣି ନଥିଲେ ସେମାନେ ସାରାଜୀବନ ଭଡାଘରେ ରହିଥାନ୍ତେ |ଗାଁରେ ଅଳ୍ପ ଜମିବାଡି ଅଛି,କିନ୍ତୁ ସାନଭାଇ ତାର ପିଲାମାନଂକ ସହ ଦୁଃଖେ କଷ୍ଟେ ସେଠାରେ ରହୁଛି |ନିଜର ଭାଗ ଦାବି କରି ତା ମୁହଁରୁ ଦାନାପାଣି ଛଡାଇ ଆଣିବାର ପାପ ସେ ମୁଣ୍ଡେଇ  ପାରିବେ ନାହିଁ |ହେଲେ ନିଜେ ଘର କରିପାରି ନ ଥିବାରୁ ତାଂକ ମନରେ ସବୁଦିନ ପାଇଁ ଅବଶୋଷ ରହିଗଲା |ଲତା କହନ୍ତି,ନିଜଘରେ ରହିଥାନ୍ତୁ ଏବେ ଆମ ପୁଅ ଘରେ ଅଛୁ,ଫରକ କଣ ?କୁବେର କହନ୍ତି,ଫରକ ଆମପାଇଁ ନୁହେଁ ,ଚନ୍ଦନ ପାଇଁ |ସେକଥା ପରେ ତମେ ବୁଝିବ |
                    ଦ୍ୱିତୀୟ ପୁଅ  ଅନୁଜ ଓ ଗୀତାଂକ ଗୋଟିଏ ପୁଅ ,ମୁନା |ଦିନେ ସେ ଲତାଂକ ପାଖକୁ ଆସି କହିଲା,ଜେଜେମା ,ସି.ପି.କୁଆଡେ ଗଲେ ?ମମି ଖୋଜୁଛନ୍ତି |ଲତା ପଚାରିଲେ ସି.ପି.କିଏ ?ମୁନା ତା ସ୍ୱରକୁ  ନିମ୍ନ କରି କହିଲା,ସି.ପି.ମାନେ ଚାକର ପିଲା  |ନାଁ ନାଁ ଭୁଲ କହିଲି |ସି.ପି.ମାନେ ଚନ୍ଦନ ପରିଡା |ସେ ସଂଗେ ସଂଗେ ନିଜ ଭ୍ରମ ସଂଶୋଧନ କରି କହିଲା |ଲତାଂକ ମୁଣ୍ଡ ଘୁରିଗଲା |ସେ ତାକୁ ମାରିବା ପାଇଁ ହାତ ଉଠାଇ ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଲେ |ଭାବିଲେ ଏଥିରେ ମୁନାର ବା ଦୋଷ କଣ !କିନ୍ତୁ ନିଜ ପୁଅ ବୋହୂଂକ ଦୃଷ୍ଟିରେ ଚନ୍ଦନର ପରିଚୟ କଣ ସେକଥା ସେ ସେଦିନ ଜାଣିଲେ |ଦୁଃଖ ଅନୁଶୋଚନାରେ ତାଂକ ଅନ୍ତର ଜଳିଗଲା |ସେହିଦିନ ସେ କୁବେରଂକୁ କହିଲେ,ଚନ୍ଦନର କିଛି ରୋଜଗାର ପନ୍ଥା ନାହିଁ ,ଆମ ଅନ୍ତେ ତା ଅବସ୍ଥା କଣ ହେବ କେବେ ଚିନ୍ତା କରିଛ ?କୁବେର କହିଲେ ତମେ କଣ ଭାବୁଚ ମୁଁ ଭାବୁନି ବୋଲି ?ଲତା କହିଲେ,ତାହାଲେ ମତେ କୁହ ତମ ଭାବନା କେବେ ଶେଷ ହେବ ?ଏବେ ତ ତାକୁ ଚାକର ପିଲା କହିଲେଣି |ଆଉ କିଛିଦିନ ପରେ ଗୋଇଠା ମାରିବେ |କୁବେର କହିଲେ,ଓଃ ହୋ |ଛୋଟ ପିଲା କଥା ଶୁଣି  ତମେ ଆଉ ଏମିତି ହୁଅନା |ମୁଁ ସେ ବିଷୟରେ ଚିନ୍ତା କରିଛି ,ମତେ ଆଉ ସପ୍ତାହେ ସମୟ ଦିଅ |ଅନୁଜ ର ଘର କଡରେ ଦୋକାନଘର ପାଇଁ ଛୋଟିଆ ଜାଗା ଥିଲା |ସେଠାରେ ଚନ୍ଦନ ପାଇଁ ଡାଲି ଚାଉଳ ଦୋକାନ ଖୋଲିବା ପାଇଁ ସେ ମନେ ମନେ ଭାବିଥିଲେ |ଅନୁଜକୁ ଏକଥା ପଚାରିବାରୁ ସେ ଖୁସିରେ ରାଜି ହୋଇଗଲା |ମାସେ ଭିତରେ ସବୁ ଆୟୋଜନ ହୋଇଗଲା |ଶୁଭ ମୁହୂର୍ତ୍ତ ରେ ନନା ଆସି ପୂଜାପାଠ କଲେ |ଏଥିରେ ପରିବାରର ସମସ୍ତ ସଦସ୍ୟ ଖୁସି ଥିଲେ,ସବୁଠାରୁ ବେଶି ଖୁସି ଥିଲା ଚନ୍ଦନ |ଦୋକାନ ଖୁବ୍ ଭଲ ଚାଲିଲା |ସବୁବେଳେ ଦୋକାନରେ ଗହଳି ଲାଗି ରହିଲା |ଚନ୍ଦନ କେବେହେଲେ କୌଣସି ଗରାଖଂକୁ ଜିନିଷ ନାହିଁ କହି ଫେରାଇ ଦେଉ ନଥିଲା |ବରଂ କହୁଥିଲା ଜିନିଷ ସରି ଯାଇଛି,ଏତିକିବେଳେ ଆସନ୍ତୁ ,ନେଇଯିବେ |ଯିଏ ଯାହା କହୁଥିଲେ ,ତାର ଗୋଟିଏ ଲିଷ୍ଟ ବନାଇ ସେ  ଦୋକାନ ବନ୍ଦ କରିବାପରେ ସର୍ବପ୍ରଥମେ ତାହାକୁ ଆଣି ତାପରେ ଅନ୍ୟ କିଛି କାମ କରୁଥିଲା |ଏଥିରେ ଗ୍ରାହକମାନେ ତା ଉପରେ ବହୁତ ଖୁସି ଥିଲେ |ଚନ୍ଦନ ସ୍ୱାଧୀନ  ଭାବରେ ସଫଳତାର ସହ  କିଛି କରୁଥିବାରୁ ଲତା ଓ କୁବେର ଆନନ୍ଦିତ ଥିଲେ |କିନ୍ତୁ ସେମାନଂକ ଏହି ଆନନ୍ଦ ବେଶିଦିନ ରହିଲା ନାହିଁ |ଚନ୍ଦନ ଘରର ସବୁକାମ କରୁଥିଲା |ସେ ଦୋକାନରେ ଅଧିକାଂଶ ସମୟ ରହିବାରୁ ତା କାମ କିଏ କରିବ ସେଥିପାଇଁ ଯୁକ୍ତିତର୍କ ଆରମ୍ଭ ହେଲା |ଚନ୍ଦନ ଏପରି ଗୋଟିଏ ଜିଅନ୍ତା ମେସିନ ପାଲଟି ଯାଇଥିଲା ଯେ ମୁହଁରୁ କଥା ବାହାରିବା କ୍ଷଣି ସେ କାମ ସଂଗେ ସଂଗେ ହୋଇ ଯାଉଥିଲା |ଦୋକାନକୁ ପ୍ରଥମେ ସ୍ୱାଗତ  କରିଥିବା ଗୀତା ପ୍ରଥମେ ଏହା ବିରୁଦ୍ଧରେ  ସ୍ବର ଉଠାଇଲା |ତାର ଅଭିଯୋଗ ଥିଲା ,ମୁନାକୁ କିଏ ସ୍କୁଲରୁ ନେବା ଆଣିବା କରିବ,ଲଣ୍ଡ୍ରି ରେ ଲୁଗା କିଏ ଦେବ ,କପଡା ଆଇରନ୍ କରିବାକୁ କିଏ ନେବ,ଘରେ ପ୍ରତିଦିନ ଦରକାର ହେଉଥିବା ଜିନିଷ କିଏ  ଦୋକାନରୁ ଆଣିବ ?ଏମିତି ଅନେକ ଜିନିଷର ଲମ୍ବା ତାଲିକା ସେ ବନେଇ ଦେଲା |କୁବେର ଏଥର ମୁହଁ ଖୋଲିଲେ |କହିଲେ ଏଥର ନିଜ କାମ ନିଜେ କରିବାକୁ ଚେଷ୍ଟା କର |ତମମାନଂକ କାମ ସବୁଦିନ କରିବାପାଇଁ ସେ ଆଗ୍ରିମେଣ୍ଟ କରିନି |କିନ୍ତୁ ଦୀର୍ଘଦିନ ଧରି ଚନ୍ଦନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ଆସିଥିବାର ଅଭ୍ୟାସ ହଠାତ ଛାଡିବା ସମସ୍ତଂକ ପାଇଁ କଷ୍ଟକର ହୋଇପଡିଲା |ଏଣେ ଦୋକାନର ସବୁ ଜିନିଷ ଆସି ଘରେ ଖର୍ଚ୍ଚ ହେଲା  |ଝିଅମାନେ ବାପଘରକୁ ବୁଲି ଆସିଲେ ,ତାଂକର ଦୋକାନରୁ ଯାହା କିଣିବାର ଥାଏ ,ସବୁ ଚନ୍ଦନ ଦୋକାନରୁ ନେଇ ଯାଆନ୍ତି |ଭଉଣୀମାନଂକ ଠାରୁ ଚନ୍ଦନ ଜିନିଷର ଦାମ ନିଏନା |ଏମିତି ହେବାରୁ ଲାଭ ହେବା ଦୂରର କଥା,ମୂଳଧନ ବୁଡିଗଲା |କୁବେର ହାର ମାନିବା ଲୋକ ନଥିଲେ |ଚନ୍ଦନର ଉତ୍ସାହ ଦେଖି ଓ ତାର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ମଝିରେ ମଝିରେ ନିଜ ହାତରୁ ଟଂକା ଖର୍ଚ୍ଚ କରି ଗ୍ରାହକଂକ ଚାହିଦା ମୁତାବକ ଦୋକାନରେ ସବୁ ଜିନିଷ ଭରି ଦେଉଥିଲେ |ଚନ୍ଦନ ବୁଝେ , ସେ ଦୋକାନରେ ବସିବାରୁ ଭାଉଜ  ହଇରାଣ ହେଉଛନ୍ତି |ତେଣୁ ସେ ସମୟ ବାହାର କରି ଭାଉଜ ଦେଇଥିବା ଲିଷ୍ଟ ମୁତାବକ କାମ କରେ |
                      ରାକ୍ଷୀପୂର୍ଣ୍ଣିମା ଆଉ ଦିନେ ଥାଏ |ସେଦିନ ଦୋକାନରେ ବହୁତ ରାକ୍ଷୀ ବିକ୍ରୀ ହେଲା |ଦୋକାନ ବନ୍ଦ କରି ଘରକୁ ଆସିବା ବେଳକୁ ରାତି ଦଶଟା |ଅନୁଜ ଘରକୁ ଆସିଥାଏ |ସେଦିନ ସମସ୍ତେ ବେଳାବେଳି ଖାଇଦେଇ ଥିଲେ |ଏକୁଟିଆ ଲତା ଚନ୍ଦନ ସାଂଗେ ଖାଇବେ ବୋଲି ଅପେକ୍ଷା କରିଥିଲେ |ଖାଇବା ବାଢିବା ପାଇଁ ରୋଷେଇଘରକୁ ଯାଇ ଦେଖିଲେ ଦୁଇପଟ ରୁଟି ଓ ଅଳ୍ପ ତରକାରି ଅଛି |ଏମିତି କେବେ ହୁଏନା |ଚନ୍ଦନ ଜାଣିଲେ ଖାଇବାକୁ ମନା କରିବ |ତେଣୁ ସେ ତରତର ହୋଇ ଆଉ ଦୁଇଟି ରୁଟି ବନେଇ ଦେଲେ |ଦୁହେଁ ଏକାଠି କ୍ଷୀର ,ରୁଟି ଓ ତରକାରି ଖାଇଲେ |ଖାଇବାବେଳେ ଚନ୍ଦନ କହିଲା,ମୋ ପାଇଁ ଭାଉଜ ରୁଟି ତରକାରି ରଖିବାକୁ ଭୁଲି ଯାଇଥିଲେ ନାଁ ?ଲତା କହିଲେ,ନାଁ ତ,ତୁ ସେମିତି କାହିଁକି ଭାବୁଛୁ ?ଚନ୍ଦନ କହିଲା,ମୁଁ ସବୁ ଜାଣେ ବୋଉ |ଏମାନେ ମତେ କେହି ଭଲପାଆନ୍ତି ନାହିଁ |ମୁଁ ସମସ୍ତଂକ ଉପରେ ଗୋଟେ ବୋଝ |ତୁ ଦେଖୁନୁ  ମୋ ଚେହେରା,ପାଠ କାହାରି ସାଂଗେ ମିଶୁନି |ଖାଲି ବୋଲହାକ କରୁଛି ବୋଲି ମତେ ପାଖରେ ରଖିଛନ୍ତି,ନହେଲେ କେବେଠୁ ଘରୁ ବାହାର କରି ସାରନ୍ତେଣି |ଚନ୍ଦନ ଏମିତି ଓଜନିଆ କଥା କେବେ କହେନା |ଲତା ଆଶ୍ଚର୍ଯ୍ୟ ହୋଇ ତା କଥା ଶୁଣୁଥିଲେ |କହିଲେ ,ବାପା,ଏମିତି କାହିଁକି କହୁଛୁ ?ତୋ ଦେହ ଭଲନାହିଁ ?ଚନ୍ଦନ କହିଲା,ଆଜିକୁ ସପ୍ତାହେ ହେଲାଣି ଜ୍ୱର  ଆସୁଛି,ଯାଉଛି |ତୁ ଅଛୁ ବୋଲି ଖାଇବାକୁ ଗଣ୍ଡେ ମିଳୁଛି,ତୋ ଅନ୍ତେ ସେତିକି ବି ମିଳିବନି |ସେଦିନ ଲତା ଗୁମୁରି ଗୁମୁରି ଅନେକ କାନ୍ଦିଲେ  |ସକାଳ ହେଲେ ପୁଅକୁ ଭଲ ଡାକ୍ତରଂକ ପାଖକୁ ନେବେ,ଏହା ଭାବି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ |
                      ସକାଳେ ଉଠିବା ବେଳକୁ ଦେଖିଲେ ତାଂକ ପୂର୍ବରୁ ଚନ୍ଦନ ଉଠି ,ଗାଧୋଇ,ଠାକୁର ପୂଜା ଶେଷକରି କୁଆଡେ ଯିବାକୁ ବାହାରିଛି |ଲତା କହିଲେ,ତୋ ଦେହ ଭଲନାହିଁ,ତୁ ଏତେ ସକାଳୁ ଗାଧୋଇ କୁଆଡେ ବାହାରିଛୁ ?ଚନ୍ଦନ କହିଲା,ସୋନିଅପା ଆଜି ରାକ୍ଷୀ ବାନ୍ଧିବାକୁ ଆସି ପାରିବନି,ମତେ କହିଛି ତା ଘରୁ ରାକ୍ଷୀ ନେଇଯିବା ପାଇଁ |ଆଜି ମଂଗଳବାର |ମୁଁ ମନ୍ଦିରକୁ ଯାଇ ତାପରେ ଅପା ଘରକୁ ଯିବି |ସଂଗେ ସଂଗେ ସାଇକେଲ ନେଇ ସେ ଚାଲିଗଲା |ସୋନି ତାପାଇଁ ଅପେକ୍ଷା କରିଥିଲା |ସେ ପହଂଚିବାକ୍ଷଣି ତା ହାତକୁ ରାକ୍ଷୀ ଓ ମିଠା ପ୍ୟାକେଟ ବଢାଇଦେଇ କହିଲା,ମୁଁ ଏବେ ବ୍ୟସ୍ତ ଅଛି,ଆସିଲେ ପରେ କଥା ହେବା  |ଅପା ତା ହାତରେ ରାକ୍ଷୀ ବାନ୍ଧିବାକୁ ଆସିବ ଭାବି ଚନ୍ଦନ ସୋଫାରେ ବସି ଅପେକ୍ଷା କଲା |କେତେ ସମୟ ପରେ ସୋନି ଆସି ଦେଖିଲା,ଚନ୍ଦନ ଯାଇନି |ସେ ପଚାରିଲା,ଆରେ ତୁ ଏ ପର୍ଯ୍ୟନ୍ତ ଯାଇନୁ ?ଚନ୍ଦନ ପଚାରିଲା,ମୋ ରାକ୍ଷୀ  ମତେ ବାନ୍ଧି ଦେ |ତା କଥା ଶୁଣି ସୋନି ଜିଭ କାମୁଡି କହିଲା,ତୋ ରାକ୍ଷୀ କଥା ମୁଁ ଭୁଲି ଯାଇଛି,ଟିକିଏ ଅପେକ୍ଷା କର,ମୁଁ ସାଙ୍ଗେ ସାଙ୍ଗେ ଆଣୁଛି  |ଅପା କଥା ଶୁଣି ଚନ୍ଦନର ମନ ଦୁଃଖ ଓ ଅଭିମାନରେ ଭରିଗଲା ଓ ସେ ସୋନି ଆସିବା ପୂର୍ବରୁ ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲା  | ଘରକୁ ଫେରି  ଅନୁଜକୁ ରାକ୍ଷୀ ଓ ମିଠା ପ୍ୟାକେଟ ଦେଇ ଚୁପଚାପ ଆସି ବିଛଣାରେ ଶୋଇ ପଡିଲା |ଅବେଳରେ ଶୋଇ ଥିବାର ଦେଖି ଲତା ତା ଦେହରେ ହାତ ମାରି ଦେଖିଲେ,ତାକୁ ଭୀଷଣ ଜ୍ୱର  |ଲତା ବ୍ୟସ୍ତ ହୋଇ କୁବେରଂକୁ କହିଲେ,ଚନ୍ଦନକୁ ଭୀଷଣ ଜ୍ୱର  |ତମେ ଅଟୋ ଡାକ |ସାଂଗେ ସାଂଗେ ଡାକ୍ତରଖାନା ନେବା |କୁବେର କଣ କହି ଆସୁଥିଲେ,କିନ୍ତୁ ଲତାଂକ ମୁଁହ ଦେଖି ନୀରବ ହୋଇଗଲେ |ଦୁହେଁ ଚନ୍ଦନକୁ ଡାକ୍ତରଖାନା ନେଇଗଲେ |ଡାକ୍ତର ପରୀକ୍ଷା କରି କହିଲେ,ବ୍ରେନ୍ ମ୍ୟାଲେରିଆ,ବଂଚିବାର ଆଶା କ୍ଷୀଣ |ସେହିଦିନ ରାତି ଗୋଟାଏ ରେ ଚନ୍ଦନର ଶରୀର ସବୁଦିନ ପାଇଁ ବିଶ୍ରାମ ନେଇଗଲା |ଚନ୍ଦନ ଭାଷାରେ ,ଏକ ଅଭଶପ୍ତ ଜୀବନର ଅନ୍ତ ହୋଇଗଲା !!!ମମତା ମହାନ୍ତି |
                       



Wednesday, November 30, 2016

ନୂଆ ସକାଳ

                         ପିଲାଦିନୁ ଶୁଭେନ୍ଦୁ ର ନିଜ ଗାଁ ପ୍ରତି ପ୍ରବଳ ଆକର୍ଷଣ ରହିଥିଲା |ଗାଁ ର ଖେଳପଡିଆ ,ନଈ,ଝରଣା,ମନ୍ଦିର,ପୋଖରୀ ଆଦି ସବୁକିଛି ତା ପାଇଁ ଅଭୁଲା ଥିଲା |ଗାଁ ସ୍କୁଲ ରୁ ମାଟ୍ରିକ ପାସ କରି ଉଚ୍ଚଶିକ୍ଷା ପାଇଁ ସେ ସହରକୁ ଗଲା |ସେଠାରେ ହଷ୍ଟେଲ ରେ ରହି ପାଠ ପଢିଲା ସତ ,କିନ୍ତୁ ମନ ତାର ସବୁବେଳେ ନିଜ ବାପା,ବୋଉ ଓ ଗାଁ ପ୍ରତି ରହିଥିଲା |ସେମାନେ ପାଂଚ ଭାଇ ଥିଲେ |ଶୁଭେନ୍ଦୁ ଥିଲା ଚତୁର୍ଥ ସନ୍ତାନ |ତା ପରି ଅନ୍ୟ ଭାଇମାନେ ମଧ୍ୟ ପ୍ରାୟ ବେଳେ ଗାଁ କୁ ଆସୁଥିଲେ |ବାପା,ବୋଉ ଓ ଆତ୍ମୀୟସ୍ବଜନଂକ ସହ ମିଶି ସେତେବେଳେ ସମୟ ଖୁବ ଭଲରେ କଟି ଯାଉଥିଲା |ସମୟ କ୍ରମେ ସବୁ ଭାଇ ଯିଏ ଯାହାର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରୀ କଲେ ଓ ବିବାହ ମଧ୍ୟ କଲେ |ଧୀରେ  ଧୀରେ ବଡଭାଇ ଘର ଜଂଜାଳ କଥା କହି ଆଉ ଗାଁ କୁ ଆସିଲେ ନାହିଁ |ତାଂକ ଦେଖା ଦେଖି ଅନ୍ୟ ଭାଇମାନେ ମଧ୍ୟ ସେଇଆ କଲେ |ସହରରେ କୋଠାବାଡି କରି ସେଠାରେ ସ୍ଥାୟୀ ଭାବରେ ବାସ କଲେ  |କିନ୍ତୁ ଶୁଭେନ୍ଦୁ ଥିଲା ଟିକେ ଭିନ୍ନ ଧରଣର |ସେ ସବୁବେଳେ ଭାବୁଥିଲା,ଲୋକେ ଏତେ ଅର୍ଥ ଶ୍ରାଦ୍ଧ କରି ନିଜର ବାପା ମା ଓ ଆତ୍ମୀୟସ୍ବଜନଂକୁ ହତାଦର କରି ଜମିବାଡି ,କୋଠାଘର ଇତ୍ୟାଦି କରନ୍ତି କିନ୍ତୁ ମୃତ୍ୟୁ ପରେ ସେସବୁ ଭୂତ ପାଇଁ ଛାଡି ଦେଇ ଯାଆନ୍ତି |ତାହାଲେ ଶରୀର କୁ ଦୁଃଖ ଦେଇ ଏତେ କଷ୍ଟ କରି ଏ ସବୁ କରନ୍ତି  କାହିଁକି ?
                        ବାପା ବୋଉଂକ ଦେହାନ୍ତ ପରେ  ଶୁଭେନ୍ଦୁ କୁ ଆଉ ଗାଁ ଭଲ ଲାଗିଲା ନାହିଁ |ସେ ନିଜ ପିଲାମାନଂକୁ ନେଇ ସହରକୁ ନିଜ କର୍ମକ୍ଷେତ୍ର କୁ ଚାଲି ଆସିଲା |ସେଠାରେ ପିଲାମାନେ ପାଠ ପଢିଲେ |ଏପଟେ ରକ୍ଷଣାବେକ୍ଷଣ ଅଭାବ ରୁ କ୍ରମେ ଗାଁ ଘର ଭୁଶୁଡି ପଡିବାକୁ ବସିଲା |ଦିନେ ବଡ ଭାଇ ସବୁ ଭାଇ ମାନଂକୁ ଏକାଠି କରି କହିଲେ,ଆମେ ତ ଗାଁ ରେ ରହୁନୁ |ଆମ ଅନ୍ତେ ପିଲାମାନେ କଣ ଗାଁ କୁ ଯିବେ?ବେଳ ଥାଉ ଥାଉ ସେସବୁ ବିକ୍ରୀ କରିଦେଲେ ଆମପାଇଁ ଭଲ ହେବ |ଶୁଭେନ୍ଦୁ ଛଡା ଅନ୍ୟ ଭାଇମାନେ ବଡଭାଇଂକ ପ୍ରସ୍ତାବ ରେ ରାଜି ହେଲେ |ଶୁଭେନ୍ଦୁ କହିଲା,ମୋ ଭାଗଟି ରଖି ତମେ ସବୁ ବିକ୍ରୀ କରି ଦିଅ |ତାହାହିଁ ହେଲା |ଯେଉଁଦିନ ଜମିବାଡି ବିକ୍ରୀ ହେଲା,ସେଦିନ ଶୁଭେନ୍ଦୁ ଭୋ ଭୋ ହୋଇ କାନ୍ଦୁଥିଲା |କିନ୍ତୁ କିଛି ଉପାୟ ନ ଥିଲା |କାରଣ, ଏତେ ଜମି କିଣିବା ପାଇଁ ତା ପାଖରେ ଟଂକା ନ ଥିଲା |
                                ଗାଁ ରେ ଶୁଭେନ୍ଦୁ ର ବାଲ୍ୟବନ୍ଧୁ ଥିଲା ସତ୍ୟଜିତ |ଗାଁ ମୁଣ୍ଡରେ ତାର କୋଠାଘର |ତାର ଚାରିପୁଅ  |ଘର ପାଖରେ ପନିପରିବା ଓ ଡାଲି ଚାଉଳ ଦୋକାନ କରି ସେ ଭଲ ଦି' ପଇସା କମାଉ ଥାଏ |ଚାଷ ଜମିରୁ ମଧ୍ୟ ଭଲ ଫସଲ ଉତ୍ପନ୍ନ ହେଉଥାଏ |.ପିଲାମାନେ ତାର ଭଲ ପଢୁଥିଲେ |ସେ ସେମାନଂକ ଶିକ୍ଷା ରେ ଅଜସ୍ର ଟଂକା ଖର୍ଚ୍ଚ କରି ସେମାନଂକୁ ଉଚ୍ଚଶିକ୍ଷିତ କରାଇଲା |ସେମାନେ ଭାରତ ଓ ଭାରତ ବାହାରେ  ଚାକିରୀ କରି ଲକ୍ଷ ଲକ୍ଷ ଟଂକା ରୋଜଗାର କରୁଥାନ୍ତି |ପିଲାଂକ ସଫଳତା ର କାହାଣୀ  ସମସ୍ତଂକ ଆଗରେ  ଗପି  ସେ ଅପାର ଆନନ୍ଦ ଲାଭ କରୁଥାଏ |କିପରି ବଡପୁଅ ର ଭୁବନେଶ୍ୱରରେ  ଦୁଇଟା କୋଠାଘର ଅଛି,ମଝିଆ ପୁଅ ଲଣ୍ଡନରେ ବିଳାସବ୍ୟସନ ରେ ରହୁଛି ,ତା ତଳ ପୁଅ ଦିଲ୍ଲୀରେ ଓ ସବା ସାନପୁଅ ବମ୍ବେ ରେ ଗୋଟିଏ ବଡ ଫ୍ଲାଟ୍ କିଣି ରହୁଚି |ତା କଥା ଶୁଣିବା ପାଇଁ କାହାରି ଆଗ୍ରହ ନ ଥିଲେ ମଧ୍ୟ , ବାଧ୍ୟ ହୋଇ ଶୁଣନ୍ତି |କେହି କେହି  ଦୂରରୁ ତାକୁ ଦେଖି,'ବୁଢ଼ା ଆସିଲା,ବୋର କରିବ 'କହି ବାଟ ଭାଂଗି ଚାଲି ଯାଆନ୍ତି |ଧୀରେ ଧୀରେ ତାର ବୟସ ବଢିଲା |ବ୍ୟବସାୟ କଥା ବୁଝିବା ତା ପକ୍ଷରେ କ୍ରମେ ଅସମ୍ଭବ ହୋଇ ପଡିଲା |ପିଲାମାନେ ଦୋଷ ଛଡାଇବା ପାଇଁ ନିୟମିତ ଫୋନ କରୁଥିଲେ ମଧ୍ୟ କେହି ଗାଁ କୁ ଆସିବା ପାଇଁ ଇଚ୍ଛା କରୁ ନଥିଲେ  |
                            ସତ୍ୟଜିତ ର ଘର ପାଖରେ ଶୁଭେନ୍ଦୁ ର ଡିହ ଜମି ଥିଲା |ସେ ସେଇଠାରେ ଦୁଇ ବଖରା ଚାଳଘର କରିଥିଲା |ତାର ଗୋଟିଏ  ପୁଅ ଓ ଗୋଟିଏ ଝିଅ ଥିଲେ |ପିଲାମାନେ ଚାକିରୀ କରି ସାରିବା ପରେ ଗାଁ ଘର ର ପୁନଃନିର୍ମାଣ କଥା ଚିନ୍ତା କଲେ |ଦୁଇଜଣ ମିଶି ଛୋଟଘରକୁ ଜୀବନ୍ୟାସ ଦେଲେ |ଦୁଇ ବଖରା ଚାଳଛପର ଘର କ୍ରମେ ଦୁଇମହଲା କୋଠାଘର ରେ ପରିଣତ ହେଲା |ଘର ଚାରିପଟେ ପାଚେରି ବୁଲିଲା ,ସାମନା ପଟେ  ସୁନ୍ଦର ସୁନ୍ଦର ଫୁଲ ଗଛ ଲାଗିଲା ଓ ପଛପଟେ ନାନାପ୍ରକାର ର ପନିପରିବା ଓ ଫଳ ଗଛ ଲାଗିଲା |ଶୁଭେନ୍ଦୁ ଗାଆଁ ରେ ପୁଅଝିଅଂକ ବାହାଘର ଧୁମ ଧାମରେ କଲା  |ଯେତେବେଳେ ଶୁଭେନ୍ଦୁ ର ଘର ଫୁଲ ପରି ଗଢି ଉଠୁଥାଏ ,ସେତେବେଳେ ପାଖରେ ଥିବା ସତ୍ୟଜିତ ର ଘରୁ ଖଣ୍ଡେ ଖଣ୍ଡେ ଇଟା ଖସି ପଡୁଥାଏ |ପିଲାମାନେ କୋଟିପତି ,ଏକାଧିକ କୋଠାଘର ର ମାଲିକ,କିନ୍ତୁ ଗାଁ ଘର ମରାମତି କରିବା ପାଇଁ କାହାରି ଆଗ୍ରହ ନ ଥିଲା  |ବାପା ମାଆଂକୁ ଗଣ୍ଡେ ଖାଇବାକୁ ଦେବା ଦୂରର କଥା ,ସେମାନଂକୁ ଥରେ ଦେଖା କରିବା ପାଇଁ ତାଂକ ପାଖରେ ସମୟ ନଥିଲା  |ସତ୍ୟଜିତ ଯେତେବେଳେ ଶୁଭେନ୍ଦୁ ର ପିଲାମାନଂକୁ ଦେଖେ ,ଦୁଃଖରେ ତା ଛାତି ଫାଟିଯାଏ |ତଥାପି ସେ ମୁହଁଟାଣ ଦେଖାଇ କହେ,ଗାଁ ରେ ଏସବୁ କରି ଲାଭ କଣ ?ସହରରେ ତ ନିଜ ଘର ନାହିଁ,ଭଡାଘରେ ରହୁଛନ୍ତି  |
                         ଶୁଭେନ୍ଦୁ ଚାକିରୀରୁ ଅବସର ନେବା ପରେ ସ୍ତ୍ରୀ ଶ୍ରୀୟା ସହ ଗାଁ କୁ ଚାଲି ଆସିଲା |ସେ ଘର ପଛପଟେ ଦୁଇଟି ପରିବାର ଚଳିବା ପରି ଦୁଇଟି ପୃଥକ ଘର କରିଥିଲା |ଗୋଟିଏ ଘରେ ଘର ର ଯାବତୀୟ କାମ କରିବା ପାଇଁ ଗୋଟିଏ ପରିବାର ଓ ଅନ୍ୟ ଘରଟିରେ ବାଡିବଗିଚା କଥା ବୁଝିବା ପାଇଁ ଆଉ ଗୋଟିଏ ପରିବାର ରହୁଥିଲେ |ଶୁଭେନ୍ଦୁ ଓ ସତ୍ୟଜିତଂକ ଘର ପାଚେରୀ ମଝିରେ ଗୋଟିଏ ଗେଟ ଥିଲା |ସେହିବାଟ ଦେଇ ଉଭୟ ପରିବାର ପରସ୍ପର ଘରକୁ ଯିବା ଆସିବା କରୁଥିଲେ |ଯେତେବେଳେ ସ୍ଥାୟୀ ଭାବରେ ଶୁଭେନ୍ଦୁ ସେଠାରେ ରହିବାକୁ ଆରମ୍ଭ କଲା,ତାର ସୁଖ ସୌଭାଗ୍ୟ କୁ ସତ୍ୟଜିତ ସହି ପାରିଲା ନାହିଁ |ଦିନେ ସେହି ଗେଟ ରେ ଏକ ବିରାଟ ତାଲା ପକାଇ ଦେଲା |ସ୍ତ୍ରୀ ଗୀତା ଏହାକୁ ବିରୋଧ କରି କହିଲା,ଭୁଲ ଆମର,ତାଂକ ଉପରେ ଦାଉ ସାଧୁଛ କାହିଁକି ?ଅନ୍ୟକୁ ଈର୍ଷା କଲେ ନିଜ ଶିରୀ ତୁଟିଯାଏ |ସତ୍ୟଜିତ ରାଗରେ ଗର ଗର ହୋଇ କହିଲା,ସବୁପୁଅ  ସ୍ତ୍ରୀ ମାନଙ୍କ  କଥାରେ ଉଠ ବସ ହେଲେ,ଦିନେ ହେଲେ ଆମ କଥା ଚିନ୍ତା କଲେ ନାହିଁ |କେତେ ସରି ହେବେ ,ବଂଚି ଥିଲେ ଦେଖିବ |ଗୀତା କହିଲା,ପରଝିଅଂକୁ ଦୋଷ ଦେଉଛ କାହିଁକି?ସେମାନେ ଯଦି ନିଜ ବାପା ମାଆଂକ ପାଇଁ ନିଜ ସଂସାର କୁ ତୁଚ୍ଛ କରି ଦେଉଛନ୍ତି,ତାହାଲେ ଆମ ପୁଅମାନେ କଣ ଆମପାଇଁ ସେହିପରି କରି ପାରନ୍ତେ ନାହିଁ?ଏମିତି କରିବାକୁ କିଏ ତାଂକୁ ମନା କରୁଛି ?ସତ୍ୟଜିତ ଆହୁରି ରାଗିଯାଇ କହେ,ତମ ବିତଣ୍ଡା ଯୁକ୍ତି ପାଇଁ ମୋ ପାଖରେ ଉତ୍ତର ନାହିଁ |ମନକଥା ମନରେ ମାରି ସେ ଧୀରେ ଧୀରେ ମାନସିକ ଅବସାଦ ର ଶୀକାର ହୋଇ ଶଯ୍ୟାଶାୟୀ ହୋଇ ପଡିଲା ଓ ଶେଷରେ ମୃତ୍ୟୁପଥ ର ଯାତ୍ରୀ ହେଲା |
                      ପିତାଂକ ମୃତ୍ୟୁ ପରେ ପିଲାମାନେ ଶୁଦ୍ଧିକ୍ରିୟା କରିବାକୁ ଗାଁ କୁ ଆସିଲେ ଓ ବହୁ ଆଡମ୍ବରରେ ଲକ୍ଷ ଲକ୍ଷ ଟଂକା ଖର୍ଚ୍ଚ କରି ସମସ୍ତ ଗ୍ରାମବାସୀଙ୍କୁ ଭୋଜନ ଦେଲେ |ସବୁ କାମ ସରିବା ପରେ ସେମାନେ ମାଆ କୁ ପାଳିକରି ରଖିବାପାଇଁ ପ୍ରସ୍ତାବ ଦେଲେ |କିନ୍ତୁ କୌଣସି ପରିସ୍ଥିତିରେ ଗାଁ ଛାଡି ନ ଯିବା ପାଇଁ ଗୀତା ତାର ନିଷ୍ପତ୍ତି ପିଲାମାନଂକୁ ଶୁଣାଇ ଦେଲା |ପିଲାମାନେ ଚାଲିଗଲେ ଓ ଯିବାବେଳେ କହିଗଲେ,ଭଲ ମନ୍ଦ ହେଲେ ଆମକୁ ଦୋଷ ଦେବ ନାହିଁ |ଗୀତା ମନେ ମନେ କହିଲା,ଆଉ କଣ ଅଧିକ ମନ୍ଦ ହେବାର ଅଛି ଯେ ତମକୁ ଦୋଷ ଦେବି ?ସେମାନେ ଯିବାପରେ ସେ ପ୍ରଥମେ ଦୁଇଘର ମଝିରେ ଥିବା ଗେଟ ର ତାଲା ଖୋଲି ଦେଲା |ଶୁଭେନ୍ଦୁଂକ ପରିବାର ସହ ତାର ପୁରୁଣା ସମ୍ପର୍କ ପୁଣି ଫେରି ଆସିଲା |ତାପରେ ନିଜର ସମସ୍ତ ଅଳଂକାର ଓ ଅଧାରୁ ଅଧିକ  ଜମି ବିକ୍ରୀ କରି ଘର ମରାମତି  କଲା |ଏହା ସହିତ ଆହୁରି ଛୋଟ ଛୋଟ ଦଶ ବଖରା ଘର ,ପାଇଖାନା ଓ ଗାଧୁଆ ଘର ମଧ୍ୟ କଲା |ସମସ୍ତଂକୁ ଚକିତ କରିଦେଇ ଦିନେ ସେ ପିଲାମାନଂକ ଦ୍ୱାରା  ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଜଣେ ଅସହାୟା ବିଧବା ବୃଦ୍ଧାଂକୁ ନିଜ ଘରକୁ ନେଇ ଆସିଲା |ତାପରେ ଧୀରେ ଧୀରେ  ଏମିତି ଅନେକ ଅସହାୟ /ଅସହାୟା ଙ୍କୁ  ନିଜ ଘରେ ଆଶ୍ରୟ ଦେଲା |ସେମାନଂକ ଦେଖାଶୁଣା କରିବା ପାଇଁ ଦିନକୁ ଦୁଇ ମୁଠା ଖାଇବାକୁ ପାଉ ନ ଥିବା ଅତି ଗରୀବ ପରିବାରଙ୍କୁ   ନିଜ ଘରେ ଆଶ୍ରୟ ଦେଲା |ତିନି ଚାରି ବର୍ଷରେ ସେହି ଘର ଟି କ୍ରମେ ଏକ ଜରାନିବାସ ରେ ପରିଣତ ହୋଇଗଲା ଓ ତାର ହଜି ଯାଇଥିବା ଖୁସି ପୁଣି ଫେରି ଆସିଲା |ସେ ସେମାନଂକ ମେଳରେ ଖୁବ ଖୁସିରେ ରହି ସ୍ୱର୍ଗ ସୁଖ ଅନୁଭବ କରୁଥିଲା  |ଏ ଖବର ଗୀତାଂକ ପିଲାମାନଂକ ପାଖରେ ପହଂଚିଲା |ମାଆଂକର ଦାୟିତ୍ତ୍ୱ  କିଏ ନେବ,ସେଥିପାଇଁ ସେମାନଂକ ଭିତରେ ଛକାପଞ୍ଝା ଚାଲିଥିବା ବେଳେ ମାଆଂକର ଏହି ନୂଆକାର୍ଯ୍ୟ ସେମାନଂକୁ ଆଶ୍ଚର୍ଯ୍ୟ ଚକିତ କରିଦେଲା |ବିଶେଷ ଖବର ଜାଣିବା ପାଇଁ ମାଆଂକୁ ଫୋନ୍ କରିବା ବେଳେ ସେପଟୁ ଉତ୍ତର ଆସିଲା',ଆପଣଙ୍କ ଦ୍ୱାରା ଡାଏଲ କରାଯାଇଥିବା ନମ୍ବର ବର୍ତ୍ତମାନ ମହଜୁଦ ନାହିଁ' |ମମତା ମହାନ୍ତି |

Saturday, November 12, 2016

ଦ୍ବିତୀୟ ରାସ୍ତା

                   ମୋ ନାଁ କମଳା |ବୟସ ସତେଇଶ ବର୍ଷ |ରଂଗ ଗୋରା,ଉଚ୍ଚତା ପାଂଚ ଫୁଟ ଚାରି ଇଂଚ |ମୁଁ ପିତାମାତାଂକ ଜେଷ୍ଠା କନ୍ୟା |ମୋ ତଳେ ଆଉ ପାଂଚ ଭଉଣୀ ଅଛନ୍ତି |ଭାଇ ନାହିଁ |ସତର ବର୍ଷ ବୟସରେ, ଯୁକ୍ତ ଦୁଇ ରେ ପଢୁଥିବା ବେଳେ  ମୋର ବିବାହ ହୋଇଥିଲା |ସ୍ବାମୀ ଓଡିଶା ସରକାରଂକ ଅଧୀନରେ ଏକ ଉଚ୍ଚ ପଦସ୍ଥ କର୍ମଚାରୀ ଥିଲେ |ବିବାହର ଆଠ ବର୍ଷ ପରେ ମୋର ପୁଅ ଜନ୍ମ ହେଲା |ଆମେ ବହୁତ ଖୁସିରେ ଥିଲୁ |ମଝିରେ ମଝିରେ ଆମେ ବାପାଂକ ଘରକୁ ଯାଉ |ବାପା ବଡପୁଅ ପରି ମୋ ସ୍ବାମୀଂକ ଉପରେ ନିର୍ଭର କରୁଥିଲେ |
                   ଦିନେ ଖବର ଆସିଲା,ମୋ ସାନଭଉଣୀ ର ବିବାହ  ସ୍ଥିର ହୋଇ ଯାଇଛି |ମୁଁ ଖୁସିରେ ନାଚି ଉଠିଲି |ବାହାଘର ଆଉ ମାତ୍ର ପାଂଚ ଦିନ ଥାଏ,ଆମେ ବାପାଂକ ଘର ସୁଦୂର ବାଲେଶ୍ବର କୁ ଗଲୁ |ସବୁ କାମ ସୁରୁଖୁରୁରେ ଚାଲିଥାଏ |ବାକି ରହିଥିବା କେତେଗୁଡିଏ ବିବାହ ସାମଗ୍ରୀ ଆଣିବା ପାଇଁ ତାଂକୁ କଟକ ଆସିବାକୁ ପଡିଲା |ମୁଁ ମଧ୍ୟ କମ ବ୍ୟସ୍ତ ନ ଥିଲି |ପାଖରେ ବର୍ଷକର ପୁଅ ,ଭାରି ହଇରାଣ କରୁଥାଏ |ତାଂକର ସେଦିନ ରାତିରେ କଟକ ରେ ରହି ତା ପରଦିନ ଗାଁ କୁ ଫେରିବାର କଥା ଥିଲା |ସକାଳେ ହଠାତ୍ କେହିଜଣେ ଆସି ଖବର ଦେଲା,ମତେ ସେହିକ୍ଷଣି ମୋ ଶାଶୁଘର ଗାଁ କୁ ଯିବାକୁ ପଡିବ |ବାପା ବୋଉ କେହି କିଛି କହୁ ନ ଥାଆନ୍ତି ,ସମସ୍ତେ କାନ୍ଦୁ ଥାଆନ୍ତି |ଭାବିଲି ବୋଧେ ଶାଶୁଂକର ଦେହ ଖରାପ ହୋଇଛି |ପୁଅକୁ ନେଇ ଗଲି |ଗାଁ ରେ ପହଂଚି ସେଠାରେ ମୋ ସ୍ବାମୀଂକର ମୃତଦେହ ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି |ମୁଣ୍ଡ ପିଟି ମୁଁ ସଂଜ୍ଞାହୀନ ହୋଇ ପଡିଲି |ସ୍ବାମୀ ମୋର ସେ ପୁରର ଯାତ୍ରୀ ହୋଇ ସାରିଥିଲେ |ବିବାହ ଉପକରଣ ନେଇ ଫେରୁଥିବାବେଳେ ଏକ ଟ୍ରକ ସହ ତାଂକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଘଟଣାସ୍ଥଳରେ ହିଁ ତାଂକର ପ୍ରାଣବାୟୁ ଉଡି ଯାଇଥିଲା |ଛବିଶ ବର୍ଷ ବୟସରେ ମୁଁ ବିଧବା ହୋଇଗଲି |ଆଉ ବଂଚିବାକୁ ମୋର ଇଚ୍ଛା ନ ଥିଲା |ସ୍ବାମୀଂକ ଚିତାରେ ଝାସ ଦେଇ ତାଂକ ସହଯାତ୍ରୀ ହେବାପାଇଁ ମୁଁ ମନସ୍ଥିର କରି ନେଇଥିଲି |ପୁଅକଥା ମନକୁ ଆଣୁ ନ ଥିଲି ,ଯିଏ ଦେଇଛି,ସେ ବୁଝିବ |କିନ୍ତୁ ଶାଶୁ କେଜାଣି କେମିତି ମୋ ମନକଥା ଜାଣି ପାରିଲେ |ସେ ମତେ ବୁଝାଇ କହିଲେ,ପୁଅକୁ ଅନା ,ତତେ ତା ପାଇଁ ବଂଚିବାକୁ ପଡିବ |ଧୈର୍ଯ୍ୟ ବାନ୍ଧ ,ତୋ ପଛରେ ମୁଁ ଅଛି |ତୁ ଭାବ,ତୋ ଶ୍ବଶୁର ଗଲାପରେ ମୁଁ ଯଦି ଆତ୍ମହତ୍ୟା କରିଥାନ୍ତି,ଏ ପିଲାଂକୁ ମଣିଷ କରିଥାନ୍ତା କିଏ ?ତଥାପି ମୁଁ ବୁଝୁ ନ ଥିଲି |ଶେଷରେ ମତେ ଘରେ ବନ୍ଦ କରି ରଖିବା ପର୍ଯ୍ୟନ୍ତ କଥା ଗଲା |ମୁଁ ନିର୍ଜଳା ଉପବାସ ରହିଲି,କିନ୍ତୁ ମୃତ୍ୟୁ ଆସିଲାନି |ଶେଷରେ ଆପାତତଃ ସ୍ଥିର କରିନେଲି,ପୁଅକୁ ମଣିଷ କରିବି |
                  ମୋ ସ୍ବାମୀ ଅତ୍ୟନ୍ତ ଅମାୟିକ ଓ ଅଜାତଶତ୍ରୁ ଥିଲେ |ସେଇ ହିସାବରେ ତାଂକ ସହକର୍ମୀମାନଂକ ସହଯୋଗ ଫଳରେ ଅଲ୍ପଦିନ ଭିତରେ ମୁଁ ମୋ ସ୍ବାମୀଂକର ସମସ୍ତ ଦେୟ ପାଇଗଲି |ରାଜ୍ୟ ସରକାରଂକ ଥଇଥାନଯୋଜନା ଅନୁଯାୟୀ ମୋର ଶିକ୍ଷାଗତ ଯୋଗ୍ୟତା କୁ ଚାହିଁ କିରାଣୀ ଚାକିରୀ ଟିଏ ମିଳିଗଲା |ଶାଶୁଘର ସୁଦୂର ପଲ୍ଲୀ ଅଂଚଳରେ |ତେଣୁ ସ୍ବାମୀଂକ ସହ ଯେଉଁ ଭଡାଘରେ ରହୁଥିଲି,ସେଠାରେ ରହିବା ପାଇଁ ସ୍ଥିର କଲି |ସାନଭଉଣୀ କୁ ପାଖକୁ ନେଇ ଆସିଲି |ପୁଅଟା ସବୁବେଳେ ତା ବାପାଂକୁ ଝୁରୁଥାଏ |ଦେହ ତାର ଆଦୌ ଭଲ ରହୁ ନ ଥାଏ |ଅଫିସ କୁ ଯିବାରୁ ମତେ ଝୁରି ଝୁରି ସେ ଆହୁରି ଶୁଖିଗଲା |ମୁଁ ପ୍ରାୟ ଛୁଟିରେ ରହୁଥାଏ କିମ୍ବା ଅଫିସ ରୁ ବେଳାଵେଳି ଘରକୁ ଚାଲି ଆସୁଥାଏ |ଦିନେ ଦିନେ ପୁଅକୁ ଅଫିସକୁ ନେଇ ଦୁଇ ଘଣ୍ଟା ପରେ ତାକୁ ଘରକୁ ନେଇ ଆସି ଖୁଆଇ,ଶୁଆଇ ଦେଇ ପୁଣି ଅଫିସ ଆସେ |ଏମିତି ପ୍ରାୟ ଛଅମାସ ଚାଲିଗଲା |ଧୀରେ ଧୀରେ ପୁଅ ମୋର ସ୍ବାଭାବିକ ହେବାରେ ଲାଗିଲା |ପୁଅ ମୁହଁକୁ ଚାହିଁ ମୁଁ ମୋର ସମସ୍ତ ଦୁଃଖ ଭୁଲିବାକୁ ଚେଷ୍ଟା କଲି |
                 କ୍ରମଶଃ ଅନୁଭବ କଲି,କାର୍ଯ୍ୟାଳୟରେ ମୋ ପ୍ରତି ଥିବା ଅନୁକମ୍ପା ଆଉ ପୂର୍ବ ଭଳି ନାହିଁ |ସ୍ବାମୀଂକର ଯେଉଁ ସହକର୍ମୀମାନେ ସ୍ବାମୀଂକ ମୃତ୍ୟୁ ପରେ ମତେ ଅଯାଚିତ ସାହାଯ୍ୟ ସହଯୋଗ କରିଥିଲେ ,ସେମାନଂକ ଦୃଷ୍ଟିକୋଣ କ୍ରମେ ମୋ ପ୍ରତି ବଦଳିବାରେ ଲାଗିଲା |ଏଥରକ ଚାରିଟା ବେଳେ ଘରକୁ ଯିବାକୁ ଚାହିଁଲେ ,ଅନୁମତି ଦିଆଗଲା ନାହିଁ |ଛୁଟିରେ ରହିଲେ,କୈଫିୟତ ତଲବ କରାଗଲା |ମୋର ଦରମା ବନ୍ଦ କରାଗଲା |ଦୋଷ ତ ମୋର,ଛୁଟିରେ ରହିଛି ଯେତେବେଳେ ,ଦଣ୍ଡାଦେଶକୁ ସହିବାକୁ ପଡିବ |ସହିନେଲି |କିଛିଦିନ ପରେ ଆଗପଛ ହୋଇ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଂକର ବଦଳି ହୋଇଗଲା |ସେମାନେ ମୋପାଇଁ ଦେବତା ସଦୃଶ ଥିଲେ |ତାଂକ ସ୍ଥାନରେ ଦୁଇଜଣ ନୂତନ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଆସିଲେ |ସେମାନେ କାର୍ଯ୍ୟରେ ଯୋଗ ଦେବାର ମାସକ ଭିତରେ ହିଁ ମୁଁ ସମସ୍ତଂକ ଦୃଷ୍ଟିରେ ଏକ ଘୃଣ୍ୟବସ୍ତୁ ପାଲଟି ଗଲି |
                    ଦିନକର କଥା |ମୁଁ ମୋ ସିଟରେ ବସି କାମ କରୁଛି,ଶୁଣିଲି,କେହିଜଣେ କହୁଛନ୍ତି,ଏ ବୟସରେ ଏକା ଏକା ରହୁଛି କେମିତି ?ସଂଗେ ସଂଗେ ଆଉ ଜଣେ କହିଲେ,ଏମିତି କେତେ ସତୀ ଆମେ ଦେଖିଛୁ |ସ୍ବାମୀ ଥିବାଯାଏ ସତୀ |ସ୍ବାମୀ ମରିଗଲେ,ଏକରେ ମନ ସନ୍ତୁଷ୍ଟ ହୁଏନାହିଁ,ଦରକାର ହୁଏ ଶହେ ,ମାନେ ଅସଂଖ୍ୟ !!ଘୃଣାରେ ମୋ କାନମୂଳ ଜଳି ଉଠିଲା |ନିର୍ଦ୍ଦେଶକଂକ ନିକଟରେ ମୁଁ ମୌଖିକ ଅଭିଯୋଗ କଲି |ନିର୍ଦ୍ଦେଶକ କହିଲେ,ଆପଣ ଯାଆନ୍ତୁ,ମୁଁ ସେକଥା ବୁଝିବି |ମୁଁ ଚାଲି ଆସିଲି |ନିର୍ଦ୍ଦେଶକ ଉପନିର୍ଦ୍ଦେଶକଂକୁ ଡକାଇଲେ |ସେ ତାଂକୁ କଣ କହିଲେ,ଜାଣିନି ,କିନ୍ତୁ ମୁଁ ଅନୁଭବ କଲି ,କାର୍ଯ୍ୟାଳୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି |ତା ପରଠାରୁ ଆରମ୍ଭ ହେଲା,ମାନସିକ ନିର୍ଯ୍ୟାତନା |ଅନ୍ୟ କର୍ମଚାରୀ ଏଗାରଟାରେ ଆସିଲେ ,ଆଟେଣ୍ଡାନ୍ସ ରେଜିଷ୍ଟର ରେ ଛକି ପଡେନାହିଁ ଅଥଚ ମୁଁ ସାଢ଼େ ଦଶଟାରେ ପହଁଚିଲେ,ମୋର ଛକି ପଡିଯାଏ |ତିନୋଟି ଛୁଟି ରେ  ଗୋଟିଏ କାଜୁଆଲ ଲିଭ କଟି ଯାଏ |ଏଇ ହିସାବରେ ମୋର ଗୁଡାଏ କାଜୁଆଲ ଲିଭ କଟି ଗଲା |ପାଂଚ ଟା ପୂର୍ବରୁ ମୁଁ ଘରକୁ ଯାଇ ପାରିବିନି |ସିଟରୁ ଉଠିଲେ ଉପବିଭାଗୀୟ ଅଧିକାରୀ ହାତଘଣ୍ଟା କୁ ଚାହିଁ ଦେଖିବେ,କେତେଟା ବାଜିଛି |ମୁଁ ଏଥର ଦଶ ଟା ପୂର୍ବରୁ ଅଫିସ ଆସିଲି ଓ ପାଂଚ ଟା ପରେ ଅଫିସ ପରିତ୍ୟାଗ କଲି |ଦରକାର ପଡିଲେ ଅଧାଦିନ ପାଇଁ ଛୁଟି ନେଇଯାଏ, କିନ୍ତୁ କୌଣସି ପରିସ୍ଥିତିରେ ଡେରିରେ ଆସିବା ପାଇଁ କିମ୍ବା ଶୀଘ୍ର ଅଫିସ ପରିତ୍ୟାଗ କରିବା ପାଇଁ ଅନୁମତି ଭିକ୍ଷା କଲି ନାହିଁ |ଏହି ପରୀକ୍ଷାରେ ଉତ୍ତୀର୍ଣ ହେବା ପରେ ମୋ ପାଇଁ ନୂତନ ସମସ୍ୟା ଆସିଲା |ଫାଇଲ ରେ ବିଭିନ୍ନ ଆଳ ଦେଖାଇ କ୍ବୋରି ଆରମ୍ଭ ହେଲା |କାରଣ ନ ଥାଇ ପ୍ଲିଜ୍ ବ୍ରିଂଗ ଅପ ,ପ୍ଲିଜ୍ ଡିସକସ୍ ବା ୟାଡୁ ସାଡୁ ଥୋଡାଏ ଲେଖିଦେବା ଦୈନନ୍ଦିନ ବ୍ୟାପାର ରେ ପରିଣତ ହୋଇଗଲା |ମୁଁ ହାରି ନ ଯାଇ ଦୃଢତା ର ସହ ସବୁ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କଲି |
                   ସେଦିନ ଅଫିସ ରେ ଖୁବ କମ୍ ଷ୍ଟାଫ୍ ଥାଆନ୍ତି |ଅଧିକାଂଶ ଟୁର ରେ ଯାଇଥାଆନ୍ତି ,କେତେକ ଛୁଟି ରେ ଥାଆନ୍ତି |ପିଅନ ଆସି ଖବର ଦେଲା,ନିର୍ଦ୍ଦେଶକ ଡାକୁଛନ୍ତି |ଗଲି |ସେ ବସିବାକୁ କହିଲେନି |ଓଲଟି ପ୍ରବେଶ କରୁ କରୁ ମତେ ଗାଳିଦେବା ଆରମ୍ଭ କଲେ |କହିଲେ,ସବଜେକ୍ଟ ଷ୍ଟଡି କରୁନ,ମନଇଚ୍ଛା ଲେଖୁଚ ........ଇତ୍ୟାଦି ଇତ୍ୟାଦି |ସଂକ୍ଷେପରେ ସରି ସାର୍ ,ଏଥରକ ଭଲଭାବେ ଷ୍ଟଡି କରି ଲେଖିବି କହି ଚାଲି ଆସିବା ବେଳକୁ ସେ କହିଲେ,ରୁହ,ଚାଲିଯାଉଛ କଣ ?ମୁଁ ଅଟକି ଗଲି |ବସିବାକୁ କହିଲେ |ବସିଲି |ସେ ନିଜ ସିଟ ରୁ ଉଠି ବ୍ୟସ୍ତ ଭାବେ ପଦଚାରଣ କରିବାରେ ଲାଗିଲେ |ତାପରେ ହଠାତ୍ ମୋ କାନ୍ଧରେ ହାତ ରଖି ବିକଳ ସ୍ବରରେ କହିଲେ,ଆଇ ଲଭ୍ ୟୁ ,ଆଇ ଓ୍ଵାଣ୍ଟ ୟୁ ଇତ୍ୟାଦି |ଯେ ରକ୍ଷକ ସେ ଯେ ଭକ୍ଷକ ହେବେ ମୁଁ ସ୍ବପ୍ନରେ ସୁଦ୍ଧା କଳ୍ପନା କରିପାରି ନ ଥିଲି |ଝଡ ପରି ଉଠି ସେଠାରୁ ଚାଲି ଆସିଲି |ତାପରେ ବ୍ୟାଗ ଧରି ବିନାନୁମତିରେ ଘରକୁ ଚାଲିଆସିଲି |ମତେ ଅସହାୟ ଲାଗୁଥାଏ |ସ୍ବାମୀଂକ କଥା ସେତେବେଳେ ବହୁତ ମନେ ପଡିଲା |ମତେ ଏକୁଟିଆ ଏମିତି ହନ୍ତସନ୍ତ ହେବାକୁ ଛାଡିଦେଇ ସେ ଚାଲିଗଲେ |ପୁଅ ମୁହଁକୁ ଚାହିଁଲି |ଶୋଇଛି ବିଚରା |ସେ ବଡ ହୋଇ ମଣିଷ ହେବାପାଇଁ ଅନ୍ତତଃ ପକ୍ଷେ ଆହୁରି କୋଡିଏ ବର୍ଷ ଅପେକ୍ଷା କରିବାକୁ ପଡିବ |ହେଲେ ଏତେବର୍ଷ ବଂଚିବି କେମିତି ?ଘରେ ରହୁ ରହୁ ପାଂଚଦିନ ରହିଗଲି |ମୋର ସହକର୍ମୀ ଦୁଇଜଣ ଆମଘର କୁ ଆସିଲେ |ଛୁଟି ଦରଖାସ୍ତ ନ ଦେଇ ଛୁଟିରେ ରହିବା କିପରି ଏକ ଗୁରୁତର ଅପରାଧ,ତା ମଧ୍ୟ ବୁଝାଇଲେ |ମୁଁ ସେମାନଂକୁ ସମସ୍ତ କଥା କହି ସାହାଯ୍ୟ ମାଗିଲି |ସେମାନେ ମୋରି ପରି କିରାଣୀ ଥିଲେ |ସେମାନେ କିପରି ବା ମତେ ସାହାଯ୍ୟ କରି ପାରନ୍ତେ ?ତଥାପି ସେକ୍ରେଟାରୀଂକୁ ଏ ବିଷୟରେ ଅବଗତ କରାଇବା ନିମନ୍ତେ ପରାମର୍ଶ ଦେଲେ |ଦରଖାସ୍ତ ଲେଖିଲି |ସେକ୍ରେଟାରୀଂକୁ ଗ୍ରିଭାଂସ ଡେ ଦିନ ଦେଖାକରି  ମୋର ଦରଖାସ୍ତ ଦେଲି  ଓ ସମସ୍ତ ବିଷୟ ଜଣାଇ ନ୍ୟାୟ ନିମନ୍ତେ ପ୍ରାର୍ଥନା କଲି |ନ୍ୟାୟ ନିଶ୍ଚୟ ମିଳିବ ଓ ସେ ନିଜେ ଏ ବିଷୟରେ ତଦନ୍ତ କରିବାର ଦୃଢ ପ୍ରତିଶ୍ରୁତି ଦେଲେ |ମୁଁ ଖୁସିରେ ଚାଲି ଆସିଲି |ଭାବିଲି,ବଦମାସ  ପାନେ ପାଇବା ଦରକାର |କିନ୍ତୁ ମୋ ଧାରଣା ଭୁଲ ଥିଲା |ଘଟଣାର ତଦନ୍ତ କରିବା ଦୂରେ ଥାଉ,ଓଲଟି  ମୋ ଉପରେ ମିଥ୍ୟା ଦୋଷାରୋପ ହେଲା ଯେ କାମ ନ ଆସିବାରୁ ମୁଁ ଯୌନ ନିର୍ଯ୍ୟାତନା ର ମିଥ୍ୟା ଆରୋପ ଆଣିଛି |ଉଭୟ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଏକାଠି ହୋଇ କେତେଜଣ ମୁଖ୍ୟ ଷ୍ଚାଫଂକୁ ନିଜ ସମର୍ଥନ କୁ ନେଇ ଆସିଲେ |ମୋର ସମସ୍ତ ଫାଇଲ ରେ କ୍ବୋରି ହେଲା |ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଲୁଚାଇ ଦିଆଯାଇ ମୋ ଉପରେ ରେସପନ୍ସିବିଲିଟି ଫିକ୍ସ କରାଗଲା |ରାସ୍ତାରେ ଯିବା ଆସିବା ବେଳେ,ଅଫିସରେ କାମ କରିବା ବେଳେ ,ବାଥରୁମ କୁ ଯିବାବେଳେ ନାନାପ୍ରକାର ଅଶାଳୀନ ମନ୍ତବ୍ୟ ଦିଆଗଲା |ମୁଁ ଅର୍ଦ୍ଧପାଗଳୀ ପ୍ରାୟ ହୋଇଗଲି |ଭାବିଲି ପୂର୍ବ କାଳରେ ଆମର ସମାଜର ବଡପଣ୍ଡା ମାନେ ସତୀଦାହ ପ୍ରଥା ରଖି ବୋଧହୁଏ ଠିକ କରିଥିଲେ |ଏମିତି ତିଳ ତିଳ ହୋଇ ବଂଚିବା ଅପେକ୍ଷା ,ସ୍ବାମୀଂକ ଚିତାରେ ଝାସ ଦେଇ ସତୀ ହେବା ଶତଗୁଣେ ଶ୍ରେୟସ୍କର |ବିଧବାମାନଂକ ଉପରେ କାହାରି କୁଦୃଷ୍ଟି ନ ପଡୁ ବା ନିଜ ଇଚ୍ଛା ବିରୁଦ୍ଧରେ ବିଧବାମାନଂକ ସତୀତ୍ତ୍ବ ନଷ୍ଟ ନ ହେଉ ,ହୁଏତ ଏହି ଉଦ୍ଦେଶ୍ୟରେ ସତୀଦାହ ପ୍ରଥା ପ୍ରଚଳନ କରାଯାଇ ଥିଲା |ଆଜି ସେଇ ସମାଜ ସଂସ୍କାରକ ମାନଂକୁ ମୋର ପ୍ରଶ୍ନ ,ଯେଉଁ ସମାଜରେ ବିଧବା ଯୁବତୀକୁ ଭୟଶୂନ୍ୟ ଭାବରେ ବଂଚିବାର ଅଧିକାର ଦିଆଯାଏ ନାହିଁ,ସେ ସମାଜରୁ ସତୀଦାହ ପ୍ରଥା ଲୋପ କରିବା କି ଦରକାର ଥିଲା ?
                      ଏ ବିଷୟରେ ମୁଁ ଗଭୀର ଭାବରେ ଚିନ୍ତା କଲି |ମୋ ନିକଟରେ ଦୁଇଟା ରାସ୍ତା ଥିଲା |ଗୋଟିଏ ଥିଲା ଆତ୍ମହତ୍ୟା ,ଦ୍ବିତୀୟଟି ଥିଲା,ସମ୍ମାନର ସହ ବଂଚିବା |ଆତ୍ମହତ୍ୟା ନିଷ୍ପତ୍ତି ରୁ ମୁଁ କେବେଠାରୁ ଓହରି ଯାଇଥିଲି |ମୋ ପାଖରେ କେବଳ ଦ୍ବିତୀୟ ରାସ୍ତାଟି ଖୋଲା ଥିଲା |କାର୍ଯ୍ୟାଳୟ ରେ ଜଣେ ବିଧୂର ସହକର୍ମୀ ଥିଲେ |ତାଂକର ମୋ ପ୍ରତି ଅନେକ ଅନୁକମ୍ପା ଥିଲା |ଦିନେ ମୁଁ ତାଂକର ଅନୁରୋଧକୁ ସ୍ବୀକାର କରିନେଲି ଓ ମନ୍ଦିରରେ ବିବାହ କରି ତାଂକର ସହଧର୍ମିଣୀ ପାଲଟି ଗଲି |ମୋର ଅନ୍ୟ ସହକର୍ମୀ ଓ ଦୁନିଆଁ ଆଗରେ ମୁଁ  ଚରିତ୍ରହୀନା ହୋଇଗଲେ ମଧ୍ୟ ସେହିଦିନଠାରୁ ମୋର ସମସ୍ତ ମାନସିକ ନିର୍ଯ୍ୟାତନା ର ଅନ୍ତ ହୋଇଗଲା |

By Mamata Mohanty,ph-9437133391,e mail;mamatamohanty1206@gmail.com

 





Saturday, November 5, 2016

ଅନୁତାପ

                         ଅରୁଣଙ୍କ  ଧାରଣା ଥିଲା,ସେ ଅତି ଗେଲ୍ହାରେ ବଢିଥିବା ହେତୁ  ବେଶି ପାଠ ପଢି ପାରିଲେ ନାହିଁ  |ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସେ ଛୋଟ ଚାକିରୀ ଟିଏ କରିଥିଲେ |ତେଣୁ ସେ ତାଂକର ପିଲାମାନଂକୁ ଅତି କଡା ଶାସନରେ ରଖିଥିଲେ |ବଡଝିଅ ସୁଷମା ଓ ତାପରେ ପୁଅ ସୁଜିତ |ସେତେବେଳେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ତ୍ୱ  ଦିଆଯାଉଥିଲା ଓ କ୍ରୀଡା କେବଳ ସାମୟିକ ବିନୋଦନ ପାଇଁ ଥିଲା |ସୁଜିତ କିନ୍ତୁ ଖେଳିବାକୁ ଭାରି ଭଲପାଉ ଥିଲା |ଦୌଡ଼,ଲଂଗ ଜମ୍ପ,ହାଇ ଜମ୍ପ,ବାଧା ଦୌଡ଼,ସବୁଥିରେ ସେ ପ୍ରଥମ |ସାଧାରଣତଃ ଖେଳକୁଦ କରୁଥିବା ପିଲାମାନେ ପାଠରେ ଟିକେ ହେଳା କରିଥାନ୍ତି |ସୁଜିତ କ୍ଷେତ୍ରରେ ତାହା ହୋଇ ଥିଲା |କିନ୍ତୁ ଅରୁଣଂକର କଡା ନିର୍ଦ୍ଦେଶ ଥିଲା,ତୁ କେବଳ ପାଠ ପଢିବୁ,ଖେଳିବା ନାଁ ଧରିଲେ ତୋର ଦିନେକୁ ମୋର ଦିନେ |କାର୍ଯ୍ୟରେ ବି ସେଇଆ କରି ଦେଖାନ୍ତି |ପାଠ ପଢିବା ବେଳେ ଟିକିଏ ଭୁଲ ହୋଇଗଲେ,ଗୋରୁ ପରି ଛେଚି ଦେଇ ଯାଆନ୍ତି |ବେଳେବେଳେ ପଛପଟୁ ହାତ ବାନ୍ଧି ପଶୁ ଭଳି ନିର୍ମମ ଭାବେ ବେତରେ ପିଟନ୍ତି |ତାଙ୍କର  ଯୁକ୍ତି ଥିଲା ,ବିନା ଅନୁଶାସନରେ ପିଲା ମଣିଷ ହୁଅନ୍ତି ନାହିଁ  |ସୁଜିତ ମାଡ ଖାଇବା ବେଳେ କାନ୍ଦେ,ପରେ ସବୁ ଭୁଲିଯାଏ |ପୁଣି ଖେଳରେ ମାତେ |ବାର୍ଷିକୋତ୍ସବରେ ତା ପାଇଁ ବୋଝେ ପୁରଷ୍କାର ଥୁଆ ହୋଇଥାଏ |ଖୁସିରେ ସେ ତାକୁ ଘରକୁ ଆଣିବା ବେଳେ ତାର ମନେପଡେ ବାପା ମନା କରିଛନ୍ତି ଖେଳିବା ପାଇଁ |ସେ ସବୁ ପୁରଷ୍କାର  ତାର ସାଂଗ ମାନଂକ ଭିତରେ ବାଣ୍ଟିଦିଏ |ଦିନକର କଥା |ଜାଭଲିନ ଥ୍ରୋ ଖେଳ ଚାଲିଥିବା ବେଳେ ସେ ଭୁଲବଶତଃ ସେହିବାଟ ଦେଇ ଚାଲିଗଲା |ଜାଭଲିନ ସିଧା ଆସି ତା ଡାହାଣ ଗୋଡ ପେଣ୍ଡାରେ ବାଜି ମାଂସ ଖଣ୍ଡେ ଉଡାଇ ନେଲା |ତାକୁ ବହୁତ କଷ୍ଟ ହେଉଥିଲା  |କିନ୍ତୁ ବାପାଂକ ଠାରୁ ମାଡ ଖାଇବା ଭୟରେ ଘରେ କାହାକୁ ଏକଥା କହିଲାନି |ସେଦିନ ରାତିରେ ଅଧିକ ଯନ୍ତ୍ରଣା ହୋଇ ତାକୁ ଜ୍ୱର  ଆସିଗଲା ଓ ସେ ପ୍ରଳାପ କରିବାକୁ ଲାଗିଲା |ଅରୁଣ ଉଠି ଦେଖିଲେ,ସୁଜିତକୁ ଭୀଷଣ ଜ୍ୱର  ଓ ତା ଡାହାଣ ଗୋଡ଼ ପେଣ୍ଡାରୁ ମାଂସ ଖଣ୍ଡେ ଉଠି ଯାଇଛି |ଆଘାତ ଏତେ ଶକ୍ତ ଥିଲା ଯେ ସେପର୍ଯ୍ୟନ୍ତ ରକ୍ତ ଶୁଖିନଥିଲା  |ନିଜ ଉପରେ ତାଂକର ଧିକ୍କାର ଆସିଲା |ସକାଳୁ ତାକୁ ଡାକ୍ତରଖାନା ନେଇ ଇଂଜେକସନ୍ ଦେଲେ,କ୍ଷତସ୍ଥାନ ବାଣ୍ଡେଜ ହେଲା |
                    ମାଡ ଭୟରେ ଏମିତି ଅନେକ କଥା ଲୁଚାଇ ରଖୁଥିଲା ସୁଜିତ |ଏପରିକି ବୋଉ କୁ ମଧ୍ୟ କହୁନଥିଲା  |ତାର ଭୟ ଥିଲା,କାଳେ ବୋଉ ବାପାଙ୍କୁ କହିଦେବ |କିନ୍ତୁ ତାର ଅପା ସୁଷମା କୁ ସେ ସବୁକଥା କହୁଥିଲା  |ତାକୁ ସେ ବହୁତ ଭଲ ପାଉଥିଲା  |ଥରେ ସ୍କୁଲରୁ ଫେରୁଥିବା ବେଳେ ତାକୁ କୁକୁର କାମୁଡି ଦେଲା |ଏକଥା ଘରେ କହିଲେ କାଳେ ବାପା ମାରିବେ,ଏଇ ଭୟରେ ସେ କାହାକୁ କିଛି କହିଲାନି |କିନ୍ତୁ ସୁଷମା କୁ ସେ ବାରମ୍ବାର କୁକୁର କାମୁଡା ବିଷୟରେ ପ୍ରଶ୍ନ କରୁଥିଲା  |କୁକୁର କାମୁଡିଲେ କଣ ହୁଏ,ମଣିଷ ବଂଚେ ନାଁ ମରିଯାଏ,ନାଁ ପାଗଳ ହୋଇଯାଏ?ତାର ଏପରି କଥା ଶୁଣି ସୁଷମା ଜାଣିପାରିଲା ନିଶ୍ଚୟ  କିଛି ଗଡ଼ବଡ଼ ହୋଇଛି  |ସେ କହିଲା,ସତ କହ ତତେ କୁକୁର କାମୁଡିଛି ନାଁ?ସୁଜିତ ମାନିଗଲା |'ତାହାଲେ ଘରେ କହିଲୁନି କାହିଁକି?''ବାପା ମାରିବେ ବୋଲି"ସୁଜିତ କହିଲା |ତା କଥା ଶୁଣି ସୁଷମା ମୁଣ୍ଡରେ ହାତ ଦେଲା |ତାପରେ ଇଂଜେକ୍ସନ ନେବାରୁ ସେ ସୁସ୍ଥ ହୋଇଥିଲା |ଏହାସତ୍ତ୍ୱେ  ବି  ସେ ବାପାଂକ କଠୋର ଅନୁଶାସନ ରୁ ବର୍ତ୍ତି ଯାଇ ନ ଥିଲା |କୁହାଯାଏ,ଅତ୍ୟଧିକ ମାଡ ଖାଉଥିବା ପିଲାମାନଂକର ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡେ |ସୁଜିତ କ୍ଷେତ୍ରରେ ତାହାହିଁ ହେଲା |ପିଲାଦିନେ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ସୁଜିତ ଧୀରେ ଧୀରେ ପାଠପଢା ପ୍ରତି ବିମୁଖ ହେଲା |ଅରୁଣଂକ ମାଡ ଗାଳି ଆଉ କାମ କଲାନାହିଁ |
                ବହୁତ କଷ୍ଟରେ ବି.ଏ.ପାଶ କରିବା ପରେ,ଉପରସ୍ତରରେ ଧରାଧରି କରି କୌଣସି ମତେ ସୁଜିତ ପାଇଁ ସରକାରୀ ଚାକିରୀ ଟିଏ ଯୋଗାଡ କରିଦେଲେ ଅରୁଣ |ଭାବିଥିଲେ,ଏଥର ଚିନ୍ତା ଗଲା |କିନ୍ତୁ ପିଲାଦିନୁ ଏତେ କଟକଣା ଭିତରେ ବଢିଥିବା ସତ୍ତ୍ୱେ ,ସୁଜିତ  ଅରୁଣଂକ ଇଚ୍ଛା ବିରୁଦ୍ଧରେ ଯାଇ ଏକ ଭିନ୍ନ ଭାଷାଭାଷୀ ଝିଅକୁ ପ୍ରେମ କରି ତାକୁ କୋର୍ଟରେ ଗୁପ୍ତ ବିବାହ କଲା |କଲେଜ ପଢିବା ବେଳୁ ଏକଥା ଲୁଚାଛପାରେ ଚାଲିଥିଲା ,କେହି ଏହାର ଟେର ପାଇ ପାରି ନ ଥିଲେ |ସମସ୍ତେ ଜାଣିବା ବେଳକୁ ଲେଡି ଗୁଡ କହୁଣୀ କୁ ବୋହି ଗଲାଣି |ସୁଷମା ସେତେବେଳକୁ ବିବାହିତା |ସେ ସୁଜିତକୁ ବୁଝାଇବା ପରିବର୍ତ୍ତେ ଅରୁଣଂକୁ ବୁଝାଇଲା |ଏମିତି ବୁଝାବୁଝି କାମ ବର୍ଷେ କାଳ ଚାଲିଲା |ସେତେବେଳକୁ ଅରୁଣ ମାନସିକ ଦୁଶ୍ଚିନ୍ତାରେ ବିଛଣା ଧରି ସାରିଲେଣି |ଶେଷରେ ନିଷ୍ପତ୍ତି ହେଲା,ସୁଷମା ଓ ତାର ସ୍ୱାମୀ  ବୀରଭଦ୍ର କର୍ତ୍ତା କର୍ତ୍ତୀ ହୋଇ ବାହାଘର କରିବେ |ତାହାହିଁ ହେଲା |
                     ସୁଜିତ ଯାହାକୁ ବାହା ହେଲା,ତା ନାଁ ଶିଳ୍ପା |ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ,ଗୋଟିଏ ଚାଉଳ ରେ ଗଢା |ସୁଜିତ ତାକୁ ନିଜ ଜୀବନ ଠାରୁ ଅଧିକ ଭଲପାଉ ଥିଲା |ତାର ସବୁ ଅଳି ଅଝଟ ପୂର୍ଣ୍ଣ  କରିବାରେ ତାକୁ ଅସୀମ ଆନନ୍ଦ ମିଳୁଥିଲା |ସେମାନଙ୍କ ବିବାହକୁ ଅରୁଣ ଘୋର ବିରୋଧ କରିଥିବାରୁ,ଶିଳ୍ପା ଅରୁଣଙ୍କୁ ମାନସିକ ସ୍ତରରେ କେବେବି କ୍ଷମା କରି ପାରିନଥିଲା |ଶିଳ୍ପା ଚାହୁଁଥିଲା,ତା ଇଛାନୁସାରେ ଘର ପରିଚାଳିତ ହେବ |ସେଥିପାଇଁ ସେ କାହାରି ଇଛା ଅନିଚ୍ଛା କୁ ଗୁରୁତ୍ତ୍ଵ ଦେଉ ନଥିଲା  |ତାର ସୌକ ଥିଲା,ପ୍ରତି ମାସରେ ନୂଆଶାଢୀ କିଣିବା,ନୂଆ ଚଳଚ୍ଚିତ୍ର ଦେଖିବା ଓ ରାଜ୍ୟ ବାହାରକୁ ତା ବାପଘରକୁ ବୁଲିଯିବା |ଏଥିପାଇଁ ବହୁତ ଟଂକା ଆବଶ୍ୟକ ହେଉଥିଲା |ପହିଲା ଦିନ ଦରମା ଆଣି ସୁଜିତ ଶିଳ୍ପା ହାତକୁ ବଢାଇ ଦେଉଥିଲା  |ଶିଳ୍ପା ସେସବୁ ତା ନିଜ ଇଛାନୁସାରେ ଖର୍ଚ୍ଚ କରୁଥିଲା  |ଅନୁପମା ଯେଉଁ ରୋଷେଇ କରୁଥିଲେ ,ତାହା ତା ମନକୁ ଯାଉ ନଥିଲା  |ସେ ନିଜ ପସନ୍ଦ ଅନୁଯାୟୀ ବେଶି ତେଲ,ମସଲା ଓ ରାଗ ପକାଇ ରାନ୍ଧୁଥିଲା |  ତାକୁ  ସୁଜିତ ଓ ସେ ଦୁହେଁ ମିଶି ଖାଉଥିଲେ  |ଅରୁଣ ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ସେ ପାଇଥିବା ସରକାରୀ ଘର ଟି ଚେଷ୍ଟା କରି ସୁଜିତ ନାମରେ କରାଇ ଦେଲେ |ତଥାପି ଶିଳ୍ପା ଖୁସି ନ ଥିଲା |ଦିନେ ସେ ଅରୁଣଂକୁ ମୁହେଁ ମୁହେଁ କହିଦେଲା,ଆପଣ ଏଥର ଅଲଗା ଘର ଦେଖନ୍ତୁ,ଏଠାରେ ଆମେ ଆପଣମାନଂକୁ ରଖି ପାରିବୁନି | ଶିଳ୍ପାର କୌଣସି  କଥାକୁ ତଳେ ପକାଇ ଦେଉ ନଥିବା ସୁଜିତ ତାର ଏଇ କଥାକୁ ମଧ୍ୟ ବିରୋଧ କରି ନଥିଲା  |ଏକଥା ଅରୁଣଂକୁ ବହୁତ ବାଧିଥିଲା |ସେ ବିନା ପ୍ରତିବାଦରେ ସେଠାରୁ ଚାଲିଗଲେ ଓ ଗୋଟିଏ ଏକ ବଖୁରିଆ ଘର ଭଡା ନେଇ ଅନୁପମାଂକ ସହ ରହିଲେ  |
                             ଏହାପର ଠାରୁ ସୁଜିତ ର ବିପର୍ଯ୍ୟୟ ଆରମ୍ଭ ହୋଇଗଲା  |ଇତିମଧ୍ୟରେ ତାର ପୁଅଟିଏ ହୋଇ ସାରିଥିଲା  |ସବୁ ପିତାମାତାଂକ ପରି ତାର ମଧ୍ୟ ଇଚ୍ଛା ଥିଲା  ,ପୁଅକୁ ଭଲ ଖାଦ୍ୟ,ପୋଷାକ ଓ ଶିକ୍ଷା ଦେବାପାଇଁ |ଏପଟେ ଶିଳ୍ପାର ବଦଖର୍ଚ୍ଚ ବଢି ଚାଲିଥିଲା  |ଖର୍ଚ୍ଚଭାର ସମ୍ଭାଳିବା ପାଇଁ ସେ ଅସତ୍ ମାର୍ଗ ବାଛିନେଲା |କାହାକୁ ଚାକିରୀ ଦେବ ବା ଆଉ କଣ କରିବ କହି ଲକ୍ଷ ଲକ୍ଷ ଟଂକା ଠକି ନେଲା |କୁସଂସର୍ଗ ରେ ପଡି  ତାର ମଦ୍ୟପାନ କରିବା  ନିଶା ଆରମ୍ଭ ହୋଇଗଲା   |ଟଂକା ପାଇଁ କେହି ଘରକୁ ଆସିଲେ,ସେ ଘରେ ଥାଇ ଘରେ ନାହାନ୍ତି ବୋଲି କହିଲା |
                              ଦିନେ ଖରାବେଳେ ଖାଇସାରିବା ପରେ ଅରୁଣ ଓ ଅନୁପମା ବିଶ୍ରାମ ନେଉଛନ୍ତି ,ସୁଜିତ ଝଡ ପରି ଆସି ସେଠାରେ ପହଂଚି ଗଲା |କାନ୍ଦି କାନ୍ଦି କହିଲା ,ବାପା,ମତେ କେଉଁଠି ଲୁଚାଇ ଦିଅ,ପୋଲିସ ଖୋଜୁଚି |ଅରୁଣଂକ ମୁଣ୍ଡରେ ଚଡକ ପଡିଲା |କଥା କଣ ବୁଝିବା ବେଳକୁ ଚାକିରୀ ଦେବା ମିଛ ପ୍ରଲୋଭନ ଦେଖାଇ ,ସୁଜିତ କେତେଜଣଂକ ଠାରୁ ଟଂକା ନେଇଥିଲା ,ସେମାନେ ଥାନାରେ ତା ନାଁ ରେ ଏଫ୍.ଆଇ.ଆର.ଦେଇଛନ୍ତି |ଅରୁଣ କଣ କରିବେ ନକରିବେ ଭାବି  କିଛି ବୁଦ୍ଧି ଦିଶୁ ନ ଥିଲା |ସେଠାରେ ସୁଜିତ ତିନିଦିନ ରହିଲା |ଚତୁର୍ଥ ଦିନ ପୋଲିସ ବାସନା ଶୁଂଘି ଶୁଂଘି ଆସି ତାକୁ ସେଠାରୁ ଗିରଫ କରି ନେଇଗଲା |ଅରୁଣ ଅନେକ ଟଂକା ଖର୍ଚ୍ଚ କରି ସୁଜିତକୁ ଜାମିନରେ ଆଣିଲେ |ସେଦିନ ରାତିରେ ବାପାବୋଉଂକ ପାଖରେ ବସି ଅନେକ କାନ୍ଦିଲା ସୁଜିତ |କହିଲା,ବାପା,ତମେ ମତେ ଏତେ ବାଡାଉଥିଲ,ଆଉ ଟିକେ ବାଡେଇଥିଲେ,ମୁଁ ସେ ଝିଅକୁ ବାହା ହୋଇ ନ ଥାଆନ୍ତି |ଅରୁଣ ମଧ୍ୟ ସେଦିନ ଅନେକ କାଂଦିଲେ |କହିଲେ,ପୁଅ ,ଏମିତି କଡା ଶାସନରେ ରଖିବାରୁ  ତୁ ଭୁଲ ଠିକ ର ଫରକ ଜାଣି ପାରିଲୁନି  |ଭୁଲ ମୋର |ମୁଁ ଯେଉଁ ଭୁଲ କରିଛି,ତାର କ୍ଷମା ନାହିଁ |
                         ସେଠାରେ ପନ୍ଦର ଦିନ ରହିବା ପରେ ପୁଣି ସେ ଶିଳ୍ପା ପାଖକୁ ଫେରି ଆସିଲା |ସେଠାରେ ତାର ପ୍ରିୟ ଆକର୍ଷଣ ଥିଲା,ତାର ପୁଅ ରାଜା ,ଯାହାକୁ ସେ ନିଜ ପ୍ରାଣ ଠାରୁ ଅଧିକ ଭଲପାଉଥିଲା |ସେଠାକୁ ଆସିବା ପରେ ପୁଣି ଆରମ୍ଭ ହୋଇଗଲା ସେଇ ପୁରୁଣା ଭୁଲର ପୁନରାବୃତ୍ତି |ସୁଜିତ ଘୋଡା ମଦୁଆ ହୋଇଯାଇଥିଲା  |ମଦ ଖାଇବାପାଇଁ ଅନେକ ଧାର ଉଧାର ମଧ୍ୟ କରି ପକାଉଥିଲା  |କ୍ରମେ ସମସ୍ତେ ତାକୁ ଧାର ଦେବା ବନ୍ଦ କରିଦେଲେ |ସେ ମଦ ପାଇଁ ଘରୁ ଜିନିଷପତ୍ର ନେଇ ତାକୁ ବିକ୍ରୀ କରି ମଦଖିଆ ଖର୍ଚ୍ଚ ତୁଲାଇଲା |ଶିଳ୍ପା ଇତିମଧ୍ୟରେ ତା ମାଆ କୁ ତା ପାଖକୁ ନେଇ ଆସିଲା |ଗୋଟିଏ ରୁମ ରେ ସେମାନେ ସମସ୍ତେ  ଶୋଉଥିବା ବେଳେ ଅନ୍ୟ ଛୋଟ ରୁମ୍ ରେ ସୁଜିତ ଶୋଉଥିଲା |ଯେଉଁଦିନ ଶିଳ୍ପା ରାଗିଯାଇ ତାକୁ ଖାଇବାକୁ ଦେଉ ନ ଥିଲା ସେଦିନ ସେ ବାପା ବୋଉଂକ ପାଖକୁ ଚାଲି ଆସୁଥିଲା |ବୋଉ ହାତ ର ପଖାଳଭାତ,ଆଳୁଭର୍ତ୍ତା,ଶାଗଭଜା,ସୋରିଷ ଦିଆ ମାଛଭଜା ଖାଇ ମନବୋଧ ହେଲାପରେ ସେ ପୁଣି ଫେରି ଯାଉଥିଲା |ଗଲାବେଳେ ସୁଜିତ କୁ କିଛି ଟଂକା ଦେଉଥିଲେ ଅରୁଣ |କିନ୍ତୁ ସେସବୁ ସମୁଦ୍ରକୁ ଶଂଖେ ପଣା ପରି |ତାରି କଥା ଚିନ୍ତା କରି କରି ଅଳ୍ପ ଦିନଭିତରେ ଆଗପଛ ହୋଇ ଅରୁଣ ଓ ଅନୁପମା ଆଖି ବୁଜିଲେ |ସୁଜିତ ତାର ସାଧ୍ୟାନୁସାରେ ବାପାବୋଉଂକର କ୍ରିୟା କର୍ମ କଲା |ତାଂକର ଅସ୍ଥି ଗମଲାରେ ସ୍ଥାପନ କରି ପ୍ରତିଦିନ ସେଥିରେ ପାଣି ଦେଲା |ମାସେ ପରେ ସେ ସୁଷମା ପାଖକୁ ଯାଇଥିଲା |କହୁଥିଲା,ଅପା ,ସବୁଦିନ ଭୋର ଚାରିଟା  ରେ  ବାପା ମତେ ଡାକୁଛନ୍ତି |ମୋ ନିଦ ଭାଂଗି ଯାଉଛି ,ଆଉ ନିଦ ହଉନି |ସୁଷମା ତାଗିଦ କଲା;କହିଲା,ଏସବୁ ତୋ ମନ ର ଭ୍ରମ,ତୁ ସେମାନଙ୍କ କଥା ବେଶୀ ଭାବୁଛୁ ବୋଲି ଏମିତି ଚିନ୍ତା ତୋ ମନକୁ ଆସୁଛି  |ସୁଜିତ କିନ୍ତୁ ସେକଥା ବିଶ୍ୱାସ କରିବାକୁ ନାରାଜ ଥିଲା |ସେ  କହିଲା,ନାଁ ଅପା ମୁଁ ପୁରା ଚେଇଁ କରି ସବୁଦିନ ବାପାଂକ ସ୍ୱର  ଶୁଣୁଛି |କୌଣସି ଗୋଟିଏ ବି ଦିନ ଛାଡ ନାହିଁ  |ଏଣେ ଶିଳ୍ପା ଘରେ ପ୍ରଳୟ କରୁଥିଲା |କହୁଥିଲା,ବୁଢାବୁଢୀ ସେପଟେ ମଲେ,ଶବ ଆମଘରେ ରହିବ କାହିଁକି?ଉଠାଅ ତାକୁ |ବର୍ଷିକିଆ ସରିବା ପରେ ପୁରୀ ନନାଂକ ସହ ପରାମର୍ଶ କରି ଦିନେ ସେ ଏକାକୀ ଆଲ୍ହାବାଦ ଯାଇ ବାପାବୋଉଂକର ଅସ୍ଥି ବିସର୍ଜନ କରିଦେଲା  |
                     ଏହି ଘଟଣା ର କିଛିଦିନ ପରେ ସୁଷମା ଖବର ପାଇଲା,ସୁଜିତ ର ହୃଦଘାତ ରେ ମୃତ୍ୟୁ ଘଟିଛି |ପାଗଳ ପରି ସେ ତା ଘରକୁ ଦୌଡିଗଲା  |ସେଠାକାର ପରିସ୍ଥିତି ଅତି ବିଚିତ୍ର ଥିଲା |ଗୋଟିଏ ରୁମ୍ ରେ ପଟାଖଟ ରେ ସୁଜିତ ଶୋଇଥିଲା |ଚାଦର ନଥିଲା କିମ୍ବା ମୁଣ୍ଡ ତଳେ ତକିଆ ନଥିଲା  |ଶରୀର ତାର କଂକାଳସାର ହୋଇ ଯାଇଥିଲା ,ଘର ସାରା ଅଳନ୍ଧି ଭର୍ତ୍ତି |ସେଘରେ ସୁଜିତ ବ୍ୟବହାର କରୁଥିବା ଗୋଟିଏ ଆଲମୁନିଅମ ଥାଳି,ଗିନା ଓ ପ୍ଲାଷ୍ଟିକ ଗ୍ଲାସ ଥିଲା |ସେ ବୋଧହୁଏ ଅନେକ ଦିନ ଧରି ଧୁଆ ହୋଇ ନ ଥିଲା |ସୁଷମା ସେଠାରେ ମୁଣ୍ଡ ପିଟି ଅନେକ କାନ୍ଦିଲା  |ସୁଖରେ ରହିବ ବୋଲି ଅନେକ ବିରୋଧ ସତ୍ତ୍ୱେ  ସୁଜିତ ଭଲପାଇ ବାହା ହୋଇଥିଲା |କିନ୍ତୁ ଦୁଃଖ ରେ ସଢ଼ି ସଢ଼ି ସେ ମରିଗଲା |ସେ କେତେବେଳେ ମୃତ୍ୟୁବରଣ କଲା,ତାର ସଠିକ ସମୟ ସେମାନେ କହିପାରୁ ନ ଥିଲେ |ଶିଳ୍ପା  ର ମାଆ କହୁଥିଲେ ,ଅଧାରାତିରେ ଆମେ ଗୋଟିଏ ବିକଟ ଚିତ୍କାର ଶୁଣିଲୁ,ଭୟରେ କବାଟ ଖୋଲିଲୁନି |ବୋଧେ ସେତେବେଳେ ସେ ଚାଲିଗଲା |କଥାଟା ସେ ଏତେ ସହଜ ଭାବେ କହିଲେ ଯାହା ଶୁଣିବା ପାଇଁ ସୁଷମା ପକ୍ଷେ କଷ୍ଟକର ଥିଲା |
                     କିଛିଦିନ ପରେ ସୁଷମା ଖବର ପାଇଲା,ସୁଜିତ ସ୍ଥାନରେ ତା ପୁଅ ରାଜା  ଚାକିରୀ ପାଇଛି |ଧାରୁଆ ଲୋକଂକ କବଳରୁ ମୁକ୍ତି ପାଇବା ପାଇଁ ସେମାନେ ଘର ସରେଣ୍ଡର କରି ଅଫିସ ପାଖରେ ଭଡାଘରେ ରହୁଛନ୍ତି |ସୁଷମା ଭାବୁଥିଲା,ସେମାନେ ତାର ସବୁ ପ୍ରାପ୍ୟ ଭୋଗ କଲେ,ପୁଅ ସରକାରୀ ଚାକିରୀ ପାଇଲା |କିନ୍ତୁ ଯାହାପାଇଁ ଏତେ ସୁଖ,ତାକୁ ଭଲରେ ମୁଠାଏ ଖାଇବାକୁ ଦେଲେନାହିଁ !!ଭଲପାଇ ସେ ଏତେ ବଡ ଭୁଲ କରିଥିଲା ଯେ ସାରାଜୀବନ ତାର ପ୍ରାୟଶ୍ଚିତ୍ତରେ କଟିଗଲା !!!
                      କିଛିବର୍ଷ ପରେ ଶିଳ୍ପା ରାଜା  ର ବିବାହ ବିଷୟରେ ଚିନ୍ତା କଲା |ସେ ବହୁତ ଭାବି ଚିନ୍ତି ତା ନିଜ ରାଜ୍ୟ ର ,ନିଜ ଭାଷା ଓ ଜାତି ର ଅତି ସୁନ୍ଦରୀ ଝିଅଟିଏ ରାଜା  ପାଇଁ ଖୋଜିଆଣି ବହୁତ ଆଡମ୍ବରରେ ବାହାଘର କଲା |ଅତିଥିଂକ ମୁହଁରୁ ବୋହୂ ର ସୌନ୍ଦର୍ଯ୍ୟ ର ଭୁରି ଭୁରି ପ୍ରଶଂସା ଶୁଣି ତା ଗୋଡ ତଳେ ଲାଗୁ ନଥିଲା  |ବାହାଘରର ପ୍ରଥମ ତିନି ଚାରି ମାସ ବେଶ ଭଲରେ କଟିଗଲା |ତାପରେ ଧୀରେ ଧୀରେ ବୋହୂ ତାର ଅସଲ ଚେହେରା ପ୍ରକାଶ କରିବାକୁ ଲାଗିଲା |ଦିନେ ରାଜା  ଅଫିସ ଯିବାପରେ ସେ ଯାଇଁ ମହିଳାଥାନାରେ ହାଜର |ଯୌତୁକ ନିର୍ଯାତନା,ଶାରୀରିକ ଓ ମାନସିକ ନିର୍ଯ୍ୟାତନା,ଦୁଇଜଣଂକ ପାରିବାରିକ ଜୀବନରେ ଅଯଥା ହସ୍ତକ୍ଷେପ ଇତ୍ୟାଦି ଅଭିଯୋଗ ସେ ଶାଶୁଙ୍କ ବିରୁଦ୍ଧରେ  ଆଣିଥିଲା |ଅପରାହ୍ନ ସୁଦ୍ଧା ପୋଲିସ ଶିଳ୍ପା ଓ ରାଜାକୁ  ଥାନାକୁ ଡକାଇ ଆଣିଲା |ପୋଲିସ  ଶିଳ୍ପା କୁ କହିଲେ,ଆପଣ ଆପୋଷ ବୁଝାମଣା କରନ୍ତୁ,ନଚେତ୍ ଆମେ ଆଇନ ଅନୁଯାୟୀ ପଦକ୍ଷେପ ନେବୁ |ରାଜା  ର ସରକାରୀ ଚାକିରୀ |ଟିକିଏ ଏପଟ ସେପଟ ହେଲେ,ଅସୁବିଧା ଉପୁଜି ପାରେ |ତେଣୁ ସ୍ଥିର ହେଲା,ବୋହୂ ଓ ରାଜା  ଏକାଠି ଭୁବନେଶ୍ୱରରେ  ରହିବେ |ଶିଳ୍ପା ରାଜ୍ୟ ବାହାରକୁ  ଯାଇ ,ତା ଭଉଣୀ ପାଖରେ ରହିବ |
                       ଛାତିରେ ପଥର ଲଦି ଶିଳ୍ପା ପୁଅ ବୋହୂଙ୍କ  ପାଖରୁ ବିଦାୟ ନେଲା |ଏବେ ଶିଳ୍ପା ର ସୁଜିତ କଥା ବହୁତ ମନେପଡେ |ତାର ସ୍ନେହ,ପ୍ରେମ,ଆଦର କଥା ମନେ ପକାଇ ସେ ବହୁତ କାନ୍ଦେ |ଶାଶୁ ଶ୍ଵଶୁରଙ୍କ  ସ୍ନେହବୋଳା ବ୍ୟବହାରକୁ କେବେବି ସ୍ୱୀକାର କରିନଥିବା  କଥା ମଧ୍ୟ ସେ ବହୁତ ମନେ ପଡି ଅଜାଣତରେ ଆଖିରୁ ତାର ଅଜସ୍ର ଧାର ଲୁହ ଝରିଯାଏ |କିନ୍ତୁ କେବଳ ଅନୁତାପ କରିବା ଛଡା ତା ପାଖରେ ଆଉ କିଛି ନ ଥାଏ |ମମତା ମହାନ୍ତି |

Wednesday, October 26, 2016

ତଥାପି ଭାଗ୍ୟବାନ !!!

                          ସୁବ୍ରତ ଓ ରୋହିତ ଏକା ଅଫିସ ରେ ଚାକିରୀ କରୁଥିଲେ  |ଦୁଇଜଣ ମଧ୍ୟ ଘନିଷ୍ଠ ପଡୋଶୀ ଥିଲେ |ସରକାରୀ ଭଡାଘରେ ପାଖାପାଖି ଦୁଇଟି କ୍ୱାର୍ଟସରେ ରେ ଦୁହେଁ ନିଜ ପରିବାର ସହ ରହୁଥିଲେ  |ସୁବ୍ରତ ର ସବୁବେଳେ ଏକ ଦୃଢ ଧାରଣା ଥିଲା,ରୋହିତ ଭାଗ୍ୟବାନ ଓ ସବୁଠାରୁ ସୁଖୀ ମଣିଷ |କାରଣ ରୋହିତ ର ସ୍ତ୍ରୀ ଶିକ୍ଷୟତ୍ରୀ,ତାର ଦୁଇଟି ପୁଅ,ଭଲ ପାଠ ପଢନ୍ତି |କିନ୍ତୁ ତାର ନିଜର ସ୍ତ୍ରୀ ଗୃହିଣୀ,ଦୁଇଟି ଝିଅ ଓ ଗୋଟିଏ ପୁଅ |ଏସବୁ ବ୍ୟତୀତ ଆଉ ଏକ ବଡ କାରଣ ଥିଲା |ସୁବ୍ରତ ଓ ରୋହିତ ଦୁହେଁ ଏକ ସାଂଗରେ ନିଯୁକ୍ତି ପତ୍ର ପାଇଥିଲେ |ସେଦିନ ତେର ତାରିଖ ପଡୁଥିବାରୁ,ସୁବ୍ରତ ତା ପରଦିନ ଚାକିରୀରେ ଯୋଗ ଦେଇଥିଲା |କିନ୍ତୁ ରୋହିତ ର ଏସବୁ ଦିନ,ବାରରେ ବିଶ୍ୱାସ  ନ ଥିଲା |ସେ ତେର ତାରିଖ ଦିନ ହିଁ ଚାକିରୀରେ ଯୋଗ ଦେଇଥିଲା |ଯେଉଁଥିପାଇଁ ସେ ସୁବ୍ରତ ଠାରୁ ବରିଷ୍ଠତା ଭିତ୍ତିରେ ଉପରେ ରହିଥିଲା |
                        ସୁବ୍ରତ ରୋହିତ ଠାରୁ ଦୁଇ ବର୍ଷ ବଡ  ଥିଲା |ଯଦି ଦୁହେଁ ଏକା ଦିନରେ ଏକା ସମୟରେ ଚାକିରୀରେ ଯୋଗ ଦେଇ ଥାନ୍ତେ ତାହାଲେ ବୟସରେ ଅଧିକ ଥିବା ଦୃଷ୍ଟିରୁ ସୁବ୍ରତ ରୋହିତ  ଠାରୁ ବରିଷ୍ଠ ହୋଇ ଯାଇ ଥାଆନ୍ତା |କିନ୍ତୁ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ମାରାତ୍ମକ ଭୁଲ କରି ଥିବାରୁ ସବୁଦିନ ପାଇଁ ସେ ରୋହିତ ଠାରୁ ଜୁନିଅର୍ ହୋଇ ରହିଗଲା,ଯାହାକୁ  ସେ କେବେହେଲେ ଭୁଲି ପାରୁ ନ ଥିଲା |
                        ରୋହିତ ବରିଷ୍ଠ  ସହାୟକ ହେବାର ବର୍ଷକ ପରେ ସୁବ୍ରତ ର ପାଳି ପଡିଲା |ପୁଣି ରୋହିତ ଉପବିଭାଗୀୟ ଅଧିକାରୀ ହେବାର ପାଂଚ ବର୍ଷ ପରେ ସୁବ୍ରତ ଉପବିଭାଗୀୟ ପଦକୁ ଉନ୍ନୀତ ହେଲା |ମନେ ମନେ ସେ ସବୁବେଳେ ରୋହିତ କୁ ଗାଳି ଦିଏ,ତାର ଅଶୁଭ ମନାସେ |କିନ୍ତୁ ରୋହିତ ର ସବୁବେଳେ ଭଲ ହିଁ ହେଉଥାଏ |ଘରେ ତାର ସବୁବେଳେ ଆନନ୍ଦ ର ବାତାବରଣ |ରୋହିତ କୁ ମୁଁହ ଶୁଖେଇ ବସିବା ସେ କେବେହେଲେ ଦେଖିନାହିଁ |ତାକୁ ଯେଉଁ କଥାଟି ବେଶି ଖରାପ ଲାଗେ ତା ହେଲା,ତାଂକ ଘରେ ରୋଷେଇ ସରି ନ ଥିବା ବେଳେ,ରୋହିତ,ତା ସ୍ତ୍ରୀ ଓ ପିଲା ଦୁଇ ଜଣ ତାଂକର ସମସ୍ତ କାର୍ଯ୍ୟ ଶେଷ କରି ଯଥାକ୍ରମେ ଅଫିସ ଓ ସ୍କୁଲ ଅଭିମୁଖେ ବାହାରି ଯାଆନ୍ତି |ସୁବ୍ରତ ସବୁବେଳେ ଅଫିସ ରେ ଲେଟ୍ |ଅଥଚ ରୋହିତ ଅଫିସ ସମୟର ଅଧଘଣ୍ଟା  ଆଗରୁ ଅଫିସରେ ପହଂଚି ଯାଏ |ଫେରିବା ବେଳକୁ ନିର୍ଦ୍ଦେଶକ ଯାଇ ସାରିବା ପରେ ହିଁ ସେ ଘରକୁ ଯାଏ |ଅଫିସ ର ସବୁ ଗୁରୁତ୍ତ୍ୱତ୍ପର୍ଣ୍ଣ କାର୍ଯ୍ୟରେ ନିର୍ଦ୍ଦେଶକ ରୋହିତ ସହ ଆଲୋଚନା କରନ୍ତି |ତାକୁ ମଧ୍ୟ ବହୁ ଗୁରୁତ୍ତ୍ୱତ୍ପର୍ଣ୍ଣ ବିଭାଗ ର ଦାୟିତ୍ତ୍ୱ  ଦିଆ ଯାଇଥିଲା  |କିନ୍ତୁ ସୁବ୍ରତ ପାଖରେ ଷ୍ଟୋର,ଭେହିକିଲ ପରି ଝାମେଲାପୂର୍ଣ ବିଭାଗ ଥିଲା  |
                     ନିର୍ଦ୍ଦେଶକଂକ ପ୍ରିୟପାତ୍ର  ହେବାପାଇଁ ସୁବ୍ରତ ତାଂକର ବ୍ୟକ୍ତିଗତ କାର୍ଯ୍ୟ,ଯଥା -ପରିବାପତ୍ର ଆଣିଦେବା,ଲଣ୍ଡ୍ରୀରେ ଲୁଗା ଦେବା ଇତ୍ୟାଦି କାର୍ଯ୍ୟ କରିବା ବ୍ୟତୀତ ନିର୍ଦ୍ଦେଶକ ଯେତେବେଳେ ଯାହା କହୁଥିଲେ,ସବୁ କରୁଥିଲା |କିନ୍ତୁ ତାର ଚରିତ୍ର ପଂଜିକାରେ 'ଆଉଟଷ୍ଚାଣ୍ଡିଂ' ଲେଖିବା ବ୍ୟତୀତ ସେ ନିର୍ଦ୍ଦେଶକଂକର ଅନ୍ୟ କୌଣସି ଅନୁକମ୍ପା ଲାଭ କରି ପାରୁ ନଥିଲା |ଥରେ ନିର୍ଦ୍ଦେଶକଂକ ଗାଡିଚାଳକ କୁ ହାତ କରି ସେ ରୋହିତ ବିରୁଦ୍ଧରେ ନିର୍ଦ୍ଦେଶକଂକ କାନରେ ୟାଡୁ ସାଡୁ ଅନେକ କଥା ପକାଇଲା |ତାର ଉଦ୍ଦେଶ୍ୟ ଥିଲା,ରୋହିତ ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନ ହେଲେ,ତାର ଭବିଷ୍ୟତ ପଦୋନ୍ନତି ର ବାଟ ବନ୍ଦ ହୋଇଯିବ |ସେପରି ସ୍ଥଳେ ତାର ନିଜର ପଦୋନ୍ନତି ର ସୁଯୋଗ ଖୋଲିଯିବ |କିନ୍ତୁ ନିର୍ଦ୍ଦେଶକ ଗାଡିଚାଳକ କଥାରେ ପ୍ରଭାବିତ ହେବା ଦୂରେ ଥାଉ,ତାକୁ ବଦଳାଇ ତା ସ୍ଥାନରେ ଦ୍ଵିତୀୟ ଗାଡିଚାଳକ କୁ ରଖିଲେ |
                         ରୋହିତ ର ବଡପୁଅ ଶ୍ରେଷ୍ଠ ଦଶମ ଶ୍ରେଣୀ ରେ ଅଠାନବେ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ  ହୋଇ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଥିଲା |ତାର ଲକ୍ଷ୍ୟ ଥିଲା ଆଇ.ଆଇ.ଟି.|ସେଥିପାଇଁ ସେ ବିଶେଷ କୋଚିଂ ନେବା ସଂଗେ ସଂଗେ ପରିଶ୍ରମ ମଧ୍ୟ କରୁଥିଲା |ତାର ଏକ ଭଲ ଗୁଣ ଥିଲା |ସେ ତାର ଅବସର ସମୟରେ ନିକଟରେ ଥିବା ବସ୍ତି ଅଂଚଳ ର  ପିଲାମାନଂକୁ ପାଠ ପଢ଼ାଉଥିଲା |ସୁବ୍ରତ ଓ ତାର ସ୍ତ୍ରୀ ଭାରତୀଂକୁ ଏକଥା ଭଲ ଲାଗୁ ନଥିଲା |ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବାପରେ ଦିନେ ଶ୍ରେଷ୍ଠ ଘରେ ଏକୁଟିଆ ଥିଲା |ସୁବ୍ରତ ର ବଡଝିଅ ସୁରେଖା ଯିଏକି ନବମ ଶ୍ରେଣୀରେ ପଢୁଥିଲା,ଗଣିତ ବୁଝିବା ପାଇଁ ତା ପାଖକୁ ଆସିଲା |ଶ୍ରେଷ୍ଠ ତାକୁ ଗଣିତ ବୁଝାଉଥିବା ବେଳେ ଅଚାନକ ସେଠାକୁ ଭାରତୀ ଆସି ନାନା କୁଭାଷା ରେ ଶ୍ରେଷ୍ଠ କୁ ଗାଳି ଦେଇ କହିଲା,ବସ୍ତି ଅଂଚଳରେ କୃଷ୍ଣଲୀଳା କରି ମନ ମାନିଲାନି ଯେ ଶେଷରେ ମୋ ଝିଅ ଉପରେ ଆଖି ପକାଇଲୁ?ଶ୍ରେଷ୍ଠ ନିଜକୁ ନିର୍ଦ୍ଦୋଷ  କହିବା ସତ୍ତ୍ୱେ  ଭାରତୀ କିଛି ଶୁଣିବାକୁ ରାଜି ନଥିଲା |ସେ ସୁରେଖା ଗାଲରେ ଚଟକଣା  ମାରି ତାକୁ ସେଠାରୁ ଭିଡି ଭିଡି ନେଇଗଲା |
                        ସେଦିନ ରୋହିତ ପରିବାର ପାଇଁ ଏକ ହୃଦୟ ବିଦାରକ ଦିନ ଥିଲା |ରୋହିତ ଓ ଝରଣା ଘରେ ପହଂଚିବା ବେଳକୁ ସବୁ ଶେଷ |ଶ୍ରେଷ୍ଠ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା |ମୃତ୍ୟୁ ପୂର୍ବରୁ ଲେଖି ଯାଇଥିଲା,ସେ ନିର୍ଦ୍ଦୋଷ |ମାଉସୀଂକୁ ବୁଝାଇ ଦେବ,ସୁରେଖା ମୋ ସାନଭଉଣୀ |ଏ ଦୁଃଖରେ ପାଗଳିନୀ ପ୍ରାୟ ହୋଇ ଝରଣା ଲମ୍ବା ଛୁଟିରେ ରହିଗଲା |ତାପରେ ଚାକିରୀରୁ ସ୍ୱେଚ୍ଛାକୃତ  ଅବସର ନେଇଗଲା |ସେ ବଂଚିଲା ସାନପୁଅ ଦେବାଂଶ ପାଇଁ |ତାରି ମୁଂହକୁ ଚାହିଁ ଦୁହେଁ ପଥର ପରି ସବୁ ସହିଗଲେ |
                        ଏ ଦୁର୍ଘଟଣା ପରେ ଦେବାଂଶ କିନ୍ତୁ ସମ୍ପୂର୍ଣ୍ଣ  ରୂପେ ବଦଳିଗଲା |ଆଉ ପାଠ ପଢାରେ ମନ ଦେଲାନାହିଁ |ସବୁଦିନ ତା ବିରୁଦ୍ଧରେ କିଛି ନାଁ କିଛି ଅଭିଯୋଗ ରୋହିତ ପାଖକୁ ଆସୁଥିଲା |ଝରଣା ଅନେକ ଚେଷ୍ଟା କରି ଦେବାଂଶକୁ ବାଟକୁ ଆଣିଲା |ସେ ବି.ଏସ.ସି.ପରେ କମ୍ପ୍ୟୁଟର ଟ୍ରେନିଂ ନେଲା |ଯୋଗକୁ ଏକ ସରକାରୀ କାର୍ଯ୍ୟାଳୟରେ କମ୍ପ୍ୟୁଟର ସହାୟକ ପଦବୀରେ ଚାକିରୀ ମିଳିଗଲା |ଏଥର ଝରଣା ଦେବାଂଶ ର ବିବାହ ବିଷୟରେ ଚିନ୍ତା କଲା |ସେତେବେଳକୁ ତାକୁ ମାତ୍ର ପଚିଶ ବର୍ଷ ବୟସ ହୋଇଥାଏ |ଦୁହେଁ ପୁଅର ପସନ୍ଦକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପଢିଥିବା ଏକ ଅତି ଗରୀବ ପରିବାରର ଝିଅକୁ ବୋହୂ କରି ଆଣିଲେ |ସଂସାର ତାଂକର ପୂର୍ଣ୍ଣ  ହୋଇଗଲା |ବୋହୂ ସୁଶ୍ରୀ ଥିଲା ସର୍ବଗୁଣସମ୍ପନ୍ନା |ଝରଣା ସବୁବେଳେ ଭାବୁଥିଲା,ସୁଶ୍ରୀ ସେମାନଂକ ପାଇଁ ଈଶ୍ୱରଙ୍କ  ଉପହାର |
                            ଏଣେ ସୁବ୍ରତ ର ଦୁଇ ଝିଅ ଓ ପୁଅ ଇଂଜିନିୟରିଂ ପଢିଲେ |ଅତି ଧୁମଧାମ୍ ରେ ବଡ ଝିଅର ବାହାଘର କଲା ସୁବ୍ରତ |ଜ୍ୱାଇଁ  ମଧ୍ୟ ଇଂଜିନିୟର |ସାନଝିଅ ପସନ୍ଦ କରିଥିବା ପୁଅ ସୁବ୍ରତ ର ପସନ୍ଦ ନଥିଲା |ତଥାପି ଝିଅର ଖୁସି ପାଇଁ ସେ ସାନ ଝିଅର ବାହାଘର ସେହିଠାରେ କଲା |ପୁଅ ଗୌରବ ମଧ୍ୟ ନିଜ ସହକର୍ମୀକୁ ପସନ୍ଦ କରିଥିବା ଖବର ତାକୁ ଜଣା ଥିଲା  |ଏଥିରେ ଭାରତୀ  ବହୁତ ଖୁସି ଥିଲା ଓ ସମସ୍ତଙ୍କୁ  କହୁଥିଲା,'ମୋ ପୁଅ ଇଂଜିନିୟର କୁ ବୋହୂ ଇଂଜିନିୟର'|ବାହାଘର ଅଳ୍ପଦିନ ଥାଏ,ଗୌରବ ଭୁବନେଶ୍ୱର  ଆସିଥାଏ |ଦିନେ ତା ନଜର ପଡିଗଲା ସୁଶ୍ରୀ ଉପରେ |ସେ ବଗିଚାରେ ଗଛରେ ପାଣି ଦେଉଥିଲା |ସେ ତାକୁ ଏକ ଦୃଷ୍ଟିରେ ଚାହିଁ ରହିଗଲା |ଏତେ ଅପରୂପା !!ସେତେବେଳେ ଦେବାଂଶ ଘରେ ପହଂଚିଲା |ତାର ଦୃଷ୍ଟି ଗୌରବ ଉପରେ ପଡିଲା |ଗୌରବ ମନ୍ତବ୍ୟ ଦେଲା,ମାଂକଡ ବେକରେ ମୁକୁତାହାର |ଦେବାଂଶ ରାଗିଯାଇ ଢୋ'କିନା ଗୋଟେ ଥାପଡ ଗୌରବ ଗାଲରେ କଷିଦେଲା |ଏଥିପାଇଁ ଦୁଇ ପରିବାର ମଧ୍ୟରେ ବହୁତ ଗଣ୍ଡଗୋଳ ହେଲା |କିନ୍ତୁ ଆଗକୁ ବାହାଘର |ଗୌରବ କ୍ଷମା ମାଗି ସମସ୍ୟାର ସମାଧାନ କରିଦେଲା |ଦୁଇଦିନ ପରେ ରବିବାର ପଡିଲା |ଗୌରବ ଦେବାଂଶ କୁ କହିଲା,ଚାଲ ଯିବା ପିକନିକ୍ କରିବା |ଦେବାଂଶ ରୋହିତକୁ ପଚାରିଲା |ରୋହିତ କହିଲା, କୁଆଡେ ଯିବା ଦରକାର ନାହିଁ,ଚୁପଚାପ୍ ଘରେ ବସ |କିନ୍ତୁ ଗୌରବ ଘରକୁ ଆସି ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗି,ରୋହିତ ଓ ଝରଣାଂକୁ ମନାଇ ଦେଲା |ପିକନିକ୍ ଯିବାର ଚାରିଘଣ୍ଟା ପରେ ଖବର ଆସିଲା,.ପାଣିରେ ଦେବାଂଶ ର ଗୋଡ ଖସି ତାର ଜଳ ସମାଧି ହୋଇଛି |
                             ଖବର ଶୁଣି ସେଇଠାରେ ହିଁ ରୋହିତ ଚେତାଶୂନ୍ୟ ହୋଇ ପଡିଗଲା |ସେଦିନ             ଗଛଲତା,ପଶୁପକ୍ଷୀ,କୀଟପତଂଗ,ଆକାଶ,ଧରିତ୍ରୀ ସମସ୍ତେ କାନ୍ଦିଲେ  |ସାରା କଲୋନି,ବସ୍ତି ଅଂଚଳରେ ସେଦିନ ଚୁଲି ଜଳିଲାନି |ଦୁଇ ଦୁଇଟା ଭେଣ୍ଡାପୁଅ ଚାଲିଯିବା କମ୍ ଦୁଃଖ ର କଥା ନୁହେଁ |କିନ୍ତୁ ରୋହିତ ବଂଚିଲା |ସେ ବଂଚିଲା,ସୁଶ୍ରୀ ମୁହଁକୁ ଚାହିଁ |ସେତେ ବେଳେ ସେ ଅନ୍ତସତ୍ତ୍ଵା |ଯେତେବେଳେ ଦେବାଂଶ ର ଶୁଦ୍ଧି କାର୍ଯ୍ୟ ଚାଲିଥାଏ,ସେତେବେଳେ ଧୁମଧାମ୍ ରେ  ଗୌରବର ବାହାଘର ହେଉଥାଏ |ଶୁଦ୍ଧି କାର୍ଯ୍ୟ ଶେଷ ହେବାପରେ ସୁଶ୍ରୀ ତା ବାପଘର କୁ ଗଲା |ରୋହିତ ସମୁଦୀଂକୁ କହିଥିଲା,ସୁଶ୍ରୀ ଏବେ ବହୁତ ଛୋଟ |ଆପଣ ଇଚ୍ଛା କଲେ ତା ଗର୍ଭ ନଷ୍ଟ କରାଇ ଆଉଥରେ ବିବାହ କରାଇ ପାରନ୍ତି |ଆମର ଏଥିରେ ଆପତ୍ତି ନାହିଁ |ହୁଏତ ସମୁଦୀ,ସମୁଦୁଣୀଂକର ଏହି ଇଚ୍ଛା ଥିଲା |ସେତେବେଳେ ପଡୋଶୀ ମାନେ ମଧ୍ୟ ଟୁପୁରୁ ଟାପୁରୁ ହେଲେ,ସୁଶ୍ରୀ ଆଉଥରେ ବାହା ହେବ !!କିନ୍ତୁ ସମସ୍ତଂକୁ ଭୁଲ ପ୍ରମାଣିତ କରିଦେଇ ସୁଶ୍ରୀ ଫେରି ଆସିଲା ତା ଶାଶୁଘରକୁ |କହିଲା,ଏଇ ମୋର ସ୍ୱର୍ଗ ,ଏଇଠି ମୋର ମୋକ୍ଷ |ମୁଁ ଆପଣମାନଂକୁ ଛାଡି କୁଆଡେ ଯିବିନି |ସେଦିନ ରୋହିତ କାନ୍ଦିଥିଲା,ଝରଣା କାନ୍ଦିଥିଲା |ଦୁଃଖରେ ନୁହେଁ,ଆନନ୍ଦରେ |
                              ଦୁହେଁ ମିଶି ସୁଶ୍ରୀ ର ବହୁତ ଯତ୍ନ ନେଲେ |ଯଥା ସମୟରେ ସୁଶ୍ରୀ ଗର୍ଭରୁ ପୁତ୍ର ସନ୍ତାନ ଜନ୍ମ ହେଲା |ରୋହିତ ଶ୍ରଦ୍ଧା ରେ ତାର ନାମ ରଖିଲା,ଶ୍ରେୟାଂଶ |ସେ ସୁଶ୍ରୀ କୁ କହିଲା,ତୋ ଇଚ୍ଛା,ତୁ ତାକୁ ଯେଉଁ ନାମ ଦେଇପାରୁ,କାରଣ ସେ ଆମର ନାତି ହେଲେବି ପ୍ରଥମେ ତୋର ପୁଅ |ତା ଉପରେ ତୋର ପ୍ରଥମ ଅଧିକାର |କିନ୍ତୁ ସୁଶ୍ରୀ ସେହି ଶ୍ରେୟାଂଶ ନାମ ହିଁ ରଖିଲା |ଦିନେ ସୁଶ୍ରୀ କହିଲା,ବାପା,ମୁଁ ପାଠ ପଢିବି |ରୋହିତ ଆଗ୍ରହ ରେ ହଁ ଭରିଲା |ସେ ବି.ଏ.ପାଶ କରି ବି.ଇ.ଡି.କଲା |ତାକୁ ଶିକ୍ଷା ସହାୟକ ଚାକିରୀ ମଧ୍ୟ ମିଳିଲା |ସେଦିନ ରୋହିତ ବହୁତ ଖୁସି ହୋଇଥିଲା |ଯାହାହେଉ,ଆମ ଅନ୍ତେ ଝିଅ ହଇରାଣ ହେବନାହିଁ |ସେ ଚାକିରୀ ରୁ ସ୍ୱେଚ୍ଛାକୃତ  ଅବସର ନେଇଗଲା |ଅବସରକାଳୀନ ପ୍ରାପ୍ୟରେ ମିଳିଥିବା ଟଙ୍କାରେ ଗୋଟିଏ କାର୍ କିଣି ଡ୍ରାଇଭର ରଖିଲା |ସେ ସବୁଦିନ ସୁଶ୍ରୀ କୁ ନେବା ଆଣିବା କଲା |କ୍ରମେ ସୁଶ୍ରୀ ନିଜେ ଗାଡି ଚଲାଇବା ଶିଖିଗଲା |ଏଥର ସେ ନିଜେ ଗାଡି ଚଲାଇଲା |ରୋହିତ ଓ ଝରଣାଂକ ଆଖିର ମଣି ଥିଲା,ଶ୍ରେୟାଂଶ |ତା ସାଂଗରେ ସମୟ ବିତାଇବାରେ ଦୁହେଁ ଅସୀମ ଆନନ୍ଦ ଅନୁଭବ କରୁଥିଲେ |
                               ଅନେକ ଦିନ ପରେ ଦିନେ ସୁବ୍ରତ ରୋହିତକୁ ଦେଖିଲା |ସେଦିନ ସେମାନେ ସପରିବାରେ କାର୍ ରେ ମାର୍କେଟ୍ ଯାଉଥିଲେ,ଡ୍ରାଇଭିଂ ସିଟ ରେ ସୁଶ୍ରୀ ଥିଲା   |ସେମାନଂକୁ ଦେଖି ଈର୍ଷାରେ ତା ମନ ଜଳିଗଲା |ଘରକୁ ଆସି ସେ ଭାରତୀ ଉପରେ ବୋଝେ ବର୍ଷିଲା |ଶେଷକୁ କହିଲା,ରୋହିତ ପରି ଭାଗ୍ୟବାନ  ଦୁନିଆଁ ରେ ମୁଁ କାହାକୁ ଦେଖିନି |ଭଗବାନ ତାକୁ ସର୍ବସୁଖ ଦେଇଛନ୍ତି |ଭାରତୀ ଆଶ୍ଚର୍ଯ୍ୟ ହୋଇ କହିଲା,କି କଥା କହୁଛ ତମେ !ଦି' ଦିଇଟା ଭେଣ୍ଡା ପୁଅ ତାର ଚାଲିଗଲେ,ଦୁଇଜଣ ଯାକ ଚାକିରୀ ଛାଡି ଘରେ ବସିଲେ |ସେମାନଙ୍କର ନିଜର ଘର ନାହିଁ,ଭଡାଘରେ ରହୁଛନ୍ତି,ତାକୁ ତମେ କହୁଛ  ଭାଗ୍ୟବାନ?ତା'ଭଳି ହତଭାଗା ଏ ଦୁନିଆଁରେ କିଏ ଅଛି?ଆମର ତିନିଟା ପିଲା |ତିନିଜଣ ଯାକ ଇଂଜିନିୟର |ଜ୍ୱାଇଁ ,ବୋହୂ ବି ଇଂଜିନିୟର |ଆମେ ନିଜ ଘରେ ରହିଛୁ  |କଣ ଆମର ଅଭାବ?ସୁବ୍ରତ କହିଲା,ଲାଜ ଲାଗୁନି ଏକଥା କହୁଛ?ବଡଝିଅ କୁ ଏତେ ଟଂକା ଖର୍ଚ୍ଚ କରି ବାହାଘର କଲି,ସ୍ୱାମୀ ,ଶାଶୁ,ଶ୍ଵଶୁରଙ୍କ  ସାଂଗେ କଳି କରି ଆସି ଆମ ଘରେ ବସିଛି |ସାନଝିଅ ନିଜ ଇଛାରେ ବାହା ହେଲା,ଏବେ ଛାଡପତ୍ର ପାଇଁ କୋର୍ଟରେ କେଶ୍ କରିଛି |ଆଉ ପୁଅ କଥା ଛାଡ |ଏମିତି ରଣଚଣ୍ଡୀ ଝିଅ କୁ ବାହା ହେଲା ଯେ ଦିନେହେଲେ ଆମ ଘର ମାଡୁନି ନାଁ ଆମକୁ ଦିନେ ସେଇଠି ରଖେଇ ଦଉନି |କି ସୁଖ ଟା ଆମର ଅଛି?ଲୋକେ ଜାଣିବାକୁ ସମସ୍ତେ ଇଂଜିନିୟର !କୋଠାଘର ରହିଛୁ  !ବୁଝିଲ,ସବୁ ପାପର ଫଳ |ରୋହିତ ର ବଡପୁଅ କୁ ତମେ ମାରିଲ,ସାନକୁ ମାରିଲା ଗୌରବ |ପାଣିକୁ ଡାକି ନେଇ ତା'ଗୋଡ ଟାଣିଦେଲା ବୋଲି ସେଦିନ ତମକୁ କହୁଥିଲା ନାଁ?ହେଲେ ରୋହିତ ର ସବୁ ଯାଇ ବି ସେ ଭାଗ୍ୟବାନ |ଆଜିକାଲି ଯୁଗ ରେ କୋଉ ବୋହୂ ଏତେ ଆଜ୍ଞାଧୀନା ହୋଇ ରହୁଛି ?ନିଜ ସ୍ୱାମୀ  ଥାଉ ଥାଉ, ଆଉ କାହା ପଛରେ ଲଟର ପଟର ହେଉଛନ୍ତି !ୟା' କୁ ଦେଖ  !ଏତେ କମ୍ ବୟସରେ ବିଧବା ହୋଇ ବି ଆସି ଶାଶୁ ଶ୍ଵଶୁରଙ୍କ ପାଖରେ ରହିଲା, ସରକାରୀ ଚାକିରୀ କରୁଛି ,ଆଉ ତାଂକରି ସେବାରେ ତା ଦିନ କଟୁଛି |
                           ଭାରତୀ ଅବାକ୍ ହୋଇ ସୁବ୍ରତ ର କଥା ଶୁଣି ଯାଉଥିଲା |ସେ ମନେ ମନେ କହିଲା,ଠିକ୍ କହୁଛ ତମେ ***|
ମମତା ମହାନ୍ତି |

Monday, October 24, 2016

ଶେଷ ବାର୍ତ୍ତା

                      କାନ ଟା ଛିଣ୍ଡି ଗଲା ପରି ଲାଗୁଛି  |ସୌରଭ ଚଟ୍ କରି ଉଠି ପଡି ଦେଖିଲା,ବାବା ତା କାନ ମୋଡି ତାକୁ ଉଠାଉଛନ୍ତି |ସେ ଉଠିବା ଦେଖି ସୁଶାନ୍ତ ରାଗି କରି କହିଲେ,ନବାବଂକର ଏବେ ନିଦ ଭାଂଗୁଛି |କେତେ ଟା ବାଜିଲାଣି ଘଣ୍ଟା ଦେଖ |ତୋରି ସାଂଗର ପିଲା ଦୁଇ ଘଣ୍ଟା ହେଲାଣି ପାଠ ପଢିବା ଆରମ୍ଭ କଲେଣି |ବାବୁଂକର ନିଦ ଭାଂଗୁନି |
                        ମାଆ ସୁମିତ୍ରା ସୁଶାନ୍ତଂକର ପାଟି ଶୁଣି ସେଠାକୁ ଆସି ଚିହିଁକି ଉଠି କହିଲେ,କାହିଁକି ପାଟି କରୁଛ ଶୁଣେ ?କାଲି ରାତି ଦୁଇଟା ଯାଏଁ ସେ ପାଠ ପଢୁଥିଲା,ଅତି କମ୍ ରେ ତାକୁ ଛଅ ଘଣ୍ଟା ଶୋଇ ବାକୁ ଦିଅ |ତମେ ଗଲ ଏଇଠୁ,ତା କଥା ମୁଁ ବୁଝିବି |ସେ  ସୌରଭ ଉଦ୍ଦେଶ୍ୟରେ କହିଲେ,ପୁଅ ଶୋଇ ପଡ,ମୁଁ ତତେ ଉଠେଇ ଦେବି |ସୌରଭ ପୁଣି  ଶୋଇ ପଡିଲା |ସୁଶାନ୍ତଂକର କଥା ନ ରହିବା ଦେଖି ସେ ଆହୁରି ଜୋରରେ ରାଗିଗଲେ |କହିଲେ,ଖାସ୍ ତମରି ଯୋଗୁଁ ତା ମୁଁହ ବଢି ଯାଇଛି |ପିଲାଦିନେ ଏତେ ଭଲ ପାଠ ପଢୁଥିଲା,ଏବେ ଷ୍ଟାଣ୍ଡାର୍ଡ ଦେଖ,ଜମା ଏଇଟି ପରସେଣ୍ଟ |ଏଇଥିରେ ସେ ହେବ ଇଂଜିନିୟର!ସୁମିତ୍ରା ଦବି ନ ଯାଇ କହିଲେ,ପିଲାଟା ଉପରେ ଏତେ ପ୍ରେସର ଦେଲେ ସେ ଏବେ କରିବ କଣ ?ତାପରେ ଭଗବାନ ପାଂଚଟା ଆଂଗୁଠି ସମାନ କରି ନାହାନ୍ତି |ତାର ଯେତିକି ବୁଦ୍ଧି,ତାର ମାକ୍ସିମମ୍ ସେ ୟୁଟିଲାଇଜ କରୁଚି,ତମେ ତୁଚ୍ଛାରେ ଏତେ ଗରଗର ହେବା ଦରକାର ନାହିଁ |
                      ଇଏ ଦିନକର ଘଟଣା ନୁହେଁ |ସବୁଦିନେ ସୌରଭ ପାଇଁ ଏହିପରି କଳି ଝଗଡା ହୁଏ |ହାର୍ ମାନିବାକୁ କେହି ରାଜି ନୁହନ୍ତି |ସୌରଭ ପାଇଁ ସୁଶାନ୍ତଂକ ମନରେ ଅନେକ ସ୍ବପ୍ନ |ଅଫିସ୍ ରେ ଯେତେବେଳେ ପିଲାଂକ ବିଷୟରେ ଆଲୋଚନା ହୁଏ,ସେ ସମସ୍ତଂକ ଠାରୁ ପଛରେ ପଡି ଯାଆନ୍ତି |କାହାର ପୁଅ ଅନେଶ୍ୱତ  ପ୍ରତିଶତ ଆଣି ଟପ୍ପର ହେଲାଣି ତ କାହାର ଝିଅ ପ୍ରଥମ ସୁଯୋଗରେ ଆର.ଇ.ସି.ପାଇଲାଣି |କିଏ ଡାକ୍ତରୀ ପଢିବା ପାଇଁ ବାଂଗାଲୋର ଗଲାଣି ତ କିଏ ଆଇ.ଆଇ.ଟି.ପାଇଲାଣି |ପୁଣି କିଏ କ୍ୟାଟ୍ ରେ ଯୋଗ୍ୟତା ହାସଲ କରି ଏମ.ବି.ଏ.ପଢିବାକୁ ଗଲାଣି ତ କାହାର ପୁଅ ଆମେରିକାରେ ଚାକିରୀ ପାଇଲାଣି |ଏସବୁ ଶୁଣି ଶୁଣି କାନ ତାଂକର ବଧିରା ହୋଇ ଯାଏ |ନିଜର ତାଂକର ଗର୍ବ କରିବା ଭଳି  କିଛି କହିବାକୁ ନ ଥାଏ |ପିଲାଟାକୁ ଆକଟ କଲେ ଭଲ ପାଠ ପଢ଼ନ୍ତା,କିନ୍ତୁ ମାଆ ସେଥିରେ ଅନ୍ତରାୟ |ପାଣି ଗ୍ଲାସେ ନିଜ  ହାତରେ ଆଣି ପିଇବନି |ଘରକୁ ଆସିବା ମାତ୍ରକେ ମାଆ କୋଳରେ ବସିବ |ଭଲରେ ପାଠ ପଢିବ ବୋଲି ତାପାଇଁ ଅଲଗା ରୁମ୍ କରାଗଲା,କମ୍ପ୍ୟୁଟର ଆଦି ସମସ୍ତ ପାଠ୍ୟ ସରଂଜାମ ଯୋଗାଇ ଦିଆଗଲା |କିନ୍ତୁ ଏକୁଟିଆ ଶୋଇବାକୁ ଡର ଲାଗୁଛି କହି,ରାତି ଅଧରେ ଆସି ମାଆ ଗୋଡ ତଳେ ଜାକିଜୁକି ହୋଇ ଶୋଇଥିବ |ବାରମ୍ବାର ସେ ତାଗିଦ୍ କରନ୍ତି,ତାକୁ ଏତେ ଡିପେଣ୍ଡେଣ୍ଚ କରନା |ପୁଅ ପିଲାଟା,ବାହାରକୁ ଗଲେ ଚଳିବ କେମିତି ?ସୌରଭକୁ ମଧ୍ୟ ସୁମିତ୍ରା ସେକଥା ବୁଝାନ୍ତି |ସୌରଭ କିନ୍ତୁ ଅମାନିଆ |କହେ,ଡାକ୍ତର,ଇଂଜିନିୟର ଛଡା କଣ ଦୁନିଆଁରେ ଆଉ କିଛି ପାଠ ନାହିଁ?ମୁଁ ତମକୁ ଛାଡି କୁଆଡେ ଯିବିନି |ଯଦି ଯିବି ,ତମକୁ ସାଂଗରେ ନେଇ ଯିବି |
                   ସୁମିତ୍ରା ସବୁ ହୃଦୟଂଗମ କରନ୍ତି |ସେ ଅନୁଭବ କରନ୍ତି,ସୌରଭ ର ଛୋଟ ଛୋଟ ଅଳି ପୂର୍ଣ୍ଣ  କରିଦେଲେ,ସେ ଅପେକ୍ଷାକୃତ ଭଲ ପାଠ ପଢୁଛି |ଭଲ ନମ୍ବର ମଧ୍ୟ ଆଣୁଛି |ତା ପାଖରେ ସେ ଯେତେ ସମୟ ବସିଥିବେ,ସେ ଖୁବ୍ ମନଯୋଗ ସହକାରେ ପାଠ ପଢୁଥିବ |ତେଣୁ ସେ ତାକୁ ନିଜ ଷ୍ଟାଇଲ୍ ରେ ପଢିବାକୁ ଛାଡି ଦିଅନ୍ତି |ଚେଷ୍ଟା ତ କରୁଛି,ସେଇଟା ବଡ କଥା |ତେଣୁ ସୁଶାନ୍ତ ଯେତେ ଯାହା କହିଲେ ବି ସେ ତାଂକ କଥା ଏ କାନରେ ପୁରାଇ ସେ କାନରେ କାଢି ଦିଅନ୍ତି |ସୌରଭ ଏକା ସାଂଗରେ ଯୁକ୍ତ ଦୁଇ,ରାଜ୍ୟସ୍ତରୀୟ ତଥା ସର୍ବ ଭାରତୀୟ ସ୍ତରର ଇଂଜିନିୟରିଂ ଏଣ୍ଚ୍ରାନ୍ସ ପରୀକ୍ଷା ଦେଇଥିଲା |ସବୁଥିରେ ସେ ଭଲ ରାଙ୍କ  ରଖି କୃତକାର୍ଯ୍ୟ ହେଲା |ଖୁସିରେ ସୁମିତ୍ରାଂକ ଗୋଡ ତଳେ ଲାଗୁ ନ ଥାଏ |ସୁଶାନ୍ତ କିନ୍ତୁ ଭାବୁଥିଲେ,ଏ ସବୁ ତାଂକ ଆକଟ କରିବାର ଫଳ |ସେ ନିଷ୍ପତ୍ତି ନେଲେ,ପୁଅକୁ ରାଜ୍ୟ ବାହାରେ ପଢାଇବେ |ଏହାଦ୍ୱାରା  ତାର ଆଉଟଲୁକ୍ ବଢିବ ଓ ସେ ଆତ୍ମନିର୍ଭରଶୀଳ ହେବ |କାହାରି କଥା ନ ଶୁଣି ସେ ରାଜ୍ୟ ବାହାର ର ଏକ ଇଂଜିନିୟରିଂ କଲେଜ ରେ ସୌରଭ ର ନାମ ଲେଖାଇ ଦେଲେ |ବର୍ଷକୁ ଲକ୍ଷାଧିକ ଟଂକା ଖର୍ଚ୍ଚ ହେବ |ହଉ ପଛକେ,ପିଲାଟା ମାଆ ପଣତକାନି ଧରିବା ଅଭ୍ୟାସ ଛାଡିଦେବ |
                   ଏତେ ଦୂରକୁ ଯିବାପାଇଁ ସୌରଭ ର ଆଦୌ ଇଚ୍ଛା ନ ଥିଲା |ସୁମିତ୍ରା ମଧ୍ୟ ପ୍ରତିବାଦ କରିଥିଲେ |ସେ ସିଡି ର ପ୍ରଥମ ପାହାଚ ଚଢିବା ଶିଖିନି,ତମେ ତାକୁ ଏକାଥରେ ନେଇ ଉପର ପାହାଚ ରେ ଛିଡା କରାଇ ଦେଲ?ସୁଶାନ୍ତ କହିଲେ,ଓଡିଶା ର ବହୁତ ପିଲା ସେଇଠି ପଢୁଛନ୍ତି,କିଛି ଅସୁବିଧା ହେବ ନାହିଁ |
                        ସେଠାରେ ପହଂଚିବା ପରେ କିଛି ଦିନ କୌଣସି ପ୍ରକାରେ କଟିଗଲା |ପ୍ରାୟ ପ୍ରତ୍ୟେକ ଦିନ ସୌରଭ ସୁଶାନ୍ତ ଓ ସୁମିତ୍ରାଂକୁ ଫୋନ୍ କରେ |ଦିନେ ସେ କହିଲା,ବାବା, ସିନିୟର ପିଲା ବହୁତ ରାଗିଂଗ କରୁଛନ୍ତି |ଯିଏ ତାଂକ କଥା ମାନୁ ନାହାନ୍ତି,ତାଂକୁ ପିଟୁଛନ୍ତି |ସୁଶାନ୍ତ କହିଲେ,ତାଂକ କଥା ମାନିଯା,ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ |ତା ପରଦିନ ସୌରଭ କହିଲା,ରାତିରେ ଶୁଆଇ ଦେଉ ନାହାନ୍ତି|ସୁଶାନ୍ତ କହିଲେ,କିଛିଦିନ ସେମାନେ ସେମିତି ହେବେ,ତୁ ସହିଯା |ତା ପରଦିନ ପୁଣି ସୌରଭ ର ଫୋନ୍ ଆସିଲା,ସେମାନେ ମତେ ଲଣ୍ଡା ହେବାକୁ କହୁଛନ୍ତି |ସୁଶାନ୍ତ କହିଲେ,ଲଣ୍ଡା ହୋଇ ଯା,କିଛିଦିନ ପରେ ପୁଣି ଚୁଟି ଉଠିଯିବ |ଏଥର ସୁମିତ୍ରା ମୁହଁ ଫିଟାଇଲେ |କାହିଁକି ସେ ଲଣ୍ଡା ହେବ?ଘରେ କଣ କିଏ ମରିଗଲା?ତମେ ଯାଅ,କଲେଜ ପ୍ରିନ୍ସିପାଲଂକୁ ଦେଖା କରିବ |ସୁଶାନ୍ତ ରାଗିକରି କହିଲେ,ଏଇଠି କେଉଁଠି ପାଖରେ ହୋଇଛି ଯେ ତମେ କହିଲା ମାତ୍ରକେ ଚାଲିଯିବି?ସୁମିତ୍ରା କହିଲେ,ତାହାଲେ ତାକୁ ଏତେ ଦୂରରେ ପଢ଼ାଉଥିଲ କାହିଁକି?ତମେ ନ ଯାଇ ପାରିଲେ ମତେ ଟ୍ରେନ୍ ରେ ବସାଇ ଦିଅ,ମୁଁ ଚାଲିଯିବି |କିଛି ଉତ୍ତର ନ ଦେଇ ସେଠାରୁ ଚାଲିଗଲେ,ସୁଶାନ୍ତ |କିଛିଦିନ ପରେ ସୌରଭ ପାଖରୁ ଏକ ଏସ.ଏମ.ଏସ ଆସିଲା |ଜାଣିଶୁଣି ତାକୁ ପଢିଲେ ନାହିଁ ସୁଶାନ୍ତ |ତାର ଚାରିଦିନ ପରେ କଲେଜ୍ ରୁ ଫୋନ୍ ଆସିଲା,ଆପଣଂକ ପୁଅ ନିରୁଦ୍ଦିଷ୍ଟ |ସୁମିତ୍ରାଂକ ମୁଣ୍ଡରେ ଚଡକ ପଡିଲା |ସେ କାନ୍ଦି କାନ୍ଦି ମୁଣ୍ଡ ପିଟିଦେଲେ |କିନ୍ତୁ ସୁଶାନ୍ତ ଦୃଢ ନିଶ୍ଚିତ ଥିଲେ,ସୌରଭ ରାଗିଂଗ ଭୟରେ କୁଆଡେ ଚାଲି ଯାଇଛି |
                     କଲେଜରେ ପହଂଚିବା ପରେ ପରିସ୍ଥିତି ଅଲଗା ପ୍ରକାରର ଥିଲା |ସୌରଭ ର ମୃତ ଦେହ ପାଖରେ ଅନେକ ପିଲା ଜମା ହୋଇଥିଲେ |ଟ୍ରେନ୍ ରେ କଟି ତାର ମୃତ୍ୟୁ ହୋଇଥିଲା |କଲେଜ୍ ମ୍ୟାନେଜମେଣ୍ଟ ସଫେଇ ଦେଲେ,ସୁଇସାଇଡ କେଶ୍ |ସୁଶାନ୍ତ ଲକ୍ଷ୍ୟ  କଲେ,ଏତେ ସୁନ୍ଦର ପିଲାଟା,ଶୁଖିକରି କଳା କାଠ ପଡି ଯାଇଛି  |ମୁଣ୍ଡ ତାର ଲଣ୍ଡା ଥିଲା |ସୌରଭ ର ସାଂଗମାନେ ତାଂକୁ ଏକାନ୍ତରେ ଡାକି ନେଇ କହିଲେ,ଅଙ୍କଲ ,ସୌରଭ ଆପଣଂକୁ ଏତେ ଡାକିଲା,ଆପଣ ଥର ଟିଏ ବି ଆସିଲେ ନାହିଁ?ଖାଲି କଣ ନାଁ ସହିଯା |କେତେ ସହିବ ସେ?ଆମକୁ ବି ସେମାନେ ସେମିତି ଟର୍ଚର କରୁଥିଲେ |କିନ୍ତୁ ଆମର ପ୍ୟାରେଣ୍ଟ ଆସିବାରୁ ଆମକୁ ଛାଡି ଦେଲେ |ଆପଣ ଥରଟିଏ ଆସିଥିଲେ,ଏ ଘଟଣା ଘଟି ନ ଥାଆନ୍ତା |ସୌରଭ ସୁଇସାଇଡ କରିନି |ସେମାନେ ତାକୁ "ଗୁଲାମ୍"ଫିଲ୍ମ ଷ୍ଟାଇଲ୍ ରେ ରେଲ୍ ଲାଇନ୍ ରେ ଦୌଡିବାକୁ ବାଧ୍ୟ କରିଥିଲେ |ସେ ଦୌଡୁଥିବା ଅବସ୍ଥାରେ ଟ୍ରେନ୍ ଆସିଗଲା ,ସବୁ ଶେଷ |ଆପଣ ଏଠାକାର ସିକ୍ୟୁରିଟି ଗାର୍ଡ଼ କୁ ପଚାରନ୍ତୁ,ସେ କହିବ |ସୌରଭ ସବୁଠାରୁ ବେଶି ଅପସେଟ୍ ହୋଇଥିଲା,ଯେତେବେଳେ ସେମାନେ ତାକୁ ଲଣ୍ଡା କରିଦେଲେ |
                    ପକେଟ୍ ରେ ଥିବା ମୋବାଇଲ୍ ଟା ପେଁ କରି ବାଜି ଉଠିଲା |ସୁଶାନ୍ତ ମୋବାଇଲ୍ କାଢି ଦେଖିଲେ,ସୌରଭ ର ପୁରୁଣା ମେସେଜ୍,ଯାହାକୁ ସେ ପଢି ନ ଥିଲେ |ସେ ମେସେଜ ଖୋଲି ପଢିଲେ,ସୌରଭ ଲେଖିଥିଲା,ଆଇ ମିସ୍ ୟୁ ମମି,ଭେରି ମଚ୍ |ମମତା ମହାନ୍ତି |

Thursday, October 13, 2016

ଏଇ ତ ଜୀବନ

                           ଶ୍ରୀନିବାସ ନିଜ ଚାକିରୀ କାଳରେ ସହରରେ ଏକ ଜମି କିଣି ସେଠାରେ ଦୁଇ ମହଲା ଘର କରିଥିଲେ |ତଳ ମହଲା ଭଡା ଲାଗିଥିବାବେଳେ ଉପର ମହଲାରେ ସେମାନଙ୍କ ପରିବାର ରହୁଥିଲେ |ତାଙ୍କ ପରିବାରରେ ସ୍ତ୍ରୀ ଲକ୍ଷ୍ମୀ,ଦୁଇଝିଅ ଶ୍ରୀୟା,ଶ୍ରଦ୍ଧା ଓ ଏକମାତ୍ର ପୁତ୍ର ଶ୍ରୀମନ୍ତ ଥିଲେ |ଶ୍ରୀନିବାସ ଯେଉଁ ସମାଜରେ ଜନ୍ମ ଗ୍ରହଣ କରିଥିଲେ,ସେଠାରେ ଯୌତୁକ ପ୍ରଥାର ପ୍ରଚଳନ ଥିଲା | ସେ ତାଙ୍କ ବଡ଼ଝିଅ ଶ୍ରୀୟାର ବାହାଘରରେ ସେ କେବଳ  ଯୌତୁକ ବାବଦରେ ପଚିଶ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ |ଦ୍ୱିତୀୟ ଝିଅ ଶ୍ରୀୟା ପାଇଁ ତିରିଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା |ପୁଅ ଶ୍ରୀମନ୍ତ ଏମ.ବି.ଏ.କରି ହାଇଦ୍ରାବାଦରେ ଚାକିରୀ କରୁଥିଲା |ଲକ୍ଷ୍ମୀଙ୍କର ଭାରି ଇଚ୍ଛା ଥିଲା,ଦୁଇଝିଅଙ୍କର ବାହାଘରରେ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି,ଅନ୍ତତଃ ସେତିକି ପୁଅ ବାହାଘରରେ ଆଦାୟ କରିବେ |ଶ୍ରୀନିବାସ କିନ୍ତୁ ପରିବର୍ତ୍ତିତ ସମାଜର ଚଳଣୀକୁ ଦେଖି ଯୌତୁକ ଲଫଡାରେ ପଶିବାକୁ ଚାହୁଁ ନଥିଲେ |ଲକ୍ଷ୍ମୀ ତାଙ୍କ କଥାରେ ରାଜି ନହୋଇ କହୁଥିଲେ,ମାଗଣାରେ ବୋହୂ ଆଣିଲେ,ମୁଁ ମୋ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ଆଗରେ ମୁଣ୍ଡ ଟେକି ଚାଲି ପାରିବିନି |ସେ ଭାବୁଥିଲେ,ରୂପ ଅଢେଇ ଦିନିଆ |ବାକି ରହିଲା,ଗୁଣ କଥା |ବାପମା ଯେତେବେଳେ ଝିଅକୁ ବାହା ଦେଉଛନ୍ତି,ସେ କଣ ତାକୁ କିଛି ଶିଖେଇ ନଥିବେ ?ନ ଶିଖିଥିଲେ,ବେକରେ ପଡିଲେ,ବେଳେ ବଜେଇ ଶିଖିଵ ନାହିଁ ?ୟା ବୋଲି ମୁଁ କାହିଁକି ମୋ ଦାବି ଛାଡ଼ିବି ??ସେ ତାଙ୍କ ବାପଘର ଲୋକଙ୍କୁ କହି ମଧ୍ୟସ୍ଥିଙ୍କ ଜରିଆରେ ଝିଅ ଖୋଜାଖୋଜି ଆରମ୍ଭ କରିଥିଲେ |ଦୁଇବର୍ଷ ପରେ ତାଙ୍କର ନିରବିଛିନ୍ନ ଉଦ୍ୟମ ସଫଳ ହେଲା |ଝିଅଟି ବି.ଏ. ପାସ କରିଥିବାବେଳେ ତା ଭାଇ ଭଲ ଚାକିରୀ କରୁଥିଲା ଓ ପିତା ଜଣେ ଉଚ୍ଚପଦସ୍ଥ ଅଫିସର ଥିଲେ |ଯୌତୁକ ବାବଦରେ ତାଙ୍କୁ କିଛି କହିବାକୁ ପଡିଲା ନାହିଁ |ସେ ନିଜ ଆଡୁ ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ୟାସ ସହ,ଝିଅ ଚଳିବା ପାଇଁ ସବୁକିଛି ଦେବେ ବୋଲି କହିଲେ |ଏହା ଶୁଣି ଖୁସିରେ କକ୍ଷ୍ମୀଙ୍କର ମନ କୁଣ୍ଢେମୋଟ ହୋଇଗଲା |ସେ ଖୁସିରେ ଶ୍ରୀନିବାସଙ୍କୁ ଏକଥା କହିଲେ |ଶ୍ରୀନିବାସ କହିଲେ,ଆଗେ ଶିରୀ (ଶ୍ରୀମନ୍ତ)କୁ ଝିଅ ଦେଖାଇ ତାର ମତାମତ ନିଅ,ତାପରେ ଯେତେ ଖୁସି ହେଉଛ ହୁଅ |ଏହା ଶୁଣି ଲକ୍ଷ୍ମୀ ରାଗିଯାଇ କହିଲେ,ତମେ ଗୋଟେ ପାଲା ଲଗେଇଛ |ମୁଁ କଣ ଶିରୀର ଶତ୍ରୁ ?ମୋ କଥା ଯଦି ତମର ପସନ୍ଦ ନ ଆସୁଛି,ତାହାଲେ ତମର ଯାହା ଇଚ୍ଛା ତାହା କର,ମୋର କିଛି କହିବାର ନାହିଁ |ଶେଷରେ ପରିସ୍ଥିତି ଏପରି ହେଲା ଯେ,ବାଧ୍ୟ ହୋଇ ଶ୍ରୀନିବାସ ଓ ଶ୍ରୀମନ୍ତଙ୍କୁ ସେହି ପ୍ରସ୍ତାବରେ ରାଜି ହେବାକୁ ପଡିଲା |
             ବାହାଘର ପାଇଁ ଲକ୍ଷ୍ମୀ ନିଜ ଦୁଇଝିଅଙ୍କ ସହ ପୁରା ଦମ ରେ ଲାଗି ପଡ଼ିଥିଲେ |ଝିଅମାନେ ବିୟୁଟି ପାର୍ଲର ଯାଇ ସେମାନଙ୍କ ରୂପ ପରିଚର୍ଯ୍ୟା କରିବାବେଳେ ସେ ନିଜେ ମଧ୍ୟ ସେଥିରୁ ବାଦ ପଡିନଥିଲେ |ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ପସନ୍ଦ ଅନୁଯାୟୀ ସେ ପୋଷାକ କିଣିଥିଲେ |ବୋହୂ ପାଇଁ ଦାମୀ ପାଟ ,ସୁନା ଗହଣା ସହ,ସମୁଦୀ,ସମୁଦୁଣୀ ଓ ବୋହୁର ଭାଇ ପାଇଁ ଦାମିକା ଡ୍ରେସ କିଣିବାକୁ ଭୁଲି ନଥିଲେ |ମୋଟ ଉପରେ ସେ ସମସ୍ତଙ୍କୁ ସନ୍ତୁଷ୍ଟ କରି ନିଜ ବଡ଼ ପଣ ଦେଖାଇବାକୁ ଚେଷ୍ଟା କରିଥିଲେ |ଶୁଭ ମୁହୂର୍ତ୍ତରେ ଖୁବ ଧୁମଧାମରେ ବିଜୟା ସହିତ ଶ୍ରୀମନ୍ତର ବାହାଘର ହୋଇଗଲା |ବିଜୟାର ପିତା ଝିଅକୁ ଟିକରୁ ନିଖ ପର୍ଯ୍ୟନ୍ତ ସବୁ ଦେଇଥିବାବେଳେ ଜବାବ ମୁତାବକ କ୍ୟାଶ ଦେଇ ନଥିଲେ |ସେଥିପାଇଁ ଲକ୍ଷ୍ମୀ ମନେମନେ ଅଶାନ୍ତିରେ କୁହୁଳୁ ଥିଲେ |
            କଳି ଆରମ୍ଭ ହେଲା ନଣନ୍ଦ ପୁଟୁଳିରୁ |ଶ୍ରୀୟା କହିଲା,ଆମେ ଶାଢ଼ୀ ପିନ୍ଧୁନା ବୋଲି ଅଙ୍କଲ ଭଲଭାବେ ଜାଣିଛନ୍ତି ,ତଥାପି ଆମକୁ ସେ କାହିଁକି ଶାଢ଼ୀ ଦେଲେ |ଏମିତି ଭାରି ଭରକମ ପାଟ ଆଜିକାଲି କିଏ ପିନ୍ଧୁଛି ?କୋଉ ଯୁଗର ପୁରୁଣାକାଳିଆ କାନଫୁଲ ଦେଇଛନ୍ତି |ଯଦି ଦେବାକୁ ଇଚ୍ଛା ଥିଲା,ଡାଇମଣ୍ଡ ମୁଦି କିମ୍ବା ସୁନା ଚେନ ଦେଇଥାନ୍ତେ |ଏଗୁଡା ତାଙ୍କୁ ଫେରେଇ ଦିଅ,ନହେଲେ ତାଙ୍କ ଝିଅକୁ ଦେଇଦିଅ ,ସେ ପିନ୍ଧିବ |ଶ୍ରଦ୍ଧା ଆଉ ପାଦେ ଆଗେଇ ଯାଇ ବିଜୟାକୁ କହିଲା,ଅଙ୍କଲ ତତେ ଚାରି ସେଟ ଗହଣା ଦେଇଛନ୍ତି,ତୁ ତୋ ପାଇଁ ଦୁଇ ସେଟ ରଖି ଆମକୁ ଗୋଟେ ଗୋଟେ ସେଟ ଦେଇ ଦେ |ବିଜୟା କହିଲା,ମୋ ଡାଡି ମତେ ଯାହା ଦେଇଛନ୍ତି,ସେଥିରୁ କାହାରିକୁ କିଛି ବି ମୁଁ ଦେବିନି | କଥା ଶ୍ରୀନିବାସଙ୍କ କାନକୁ ଗଲା |ସେ ଦୁଇ ଝିଅଙ୍କୁ କହିଲେ,ମୁଁ ତମ ମାନଙ୍କୁ କଣ ନ ଦେଇଛି,ତମେ ତମର ମାନସମ୍ମାନ ଭୁଲି ତମଠାରୁ ସାତ ସାନ ଭାଉଜକୁ ମାଗୁଛ,ତମକୁ ଲାଜ ଲାଗୁନି ?ତମର କଣ ଦରକାର କୁହ,ଆଜି ତମପାଇଁ କିଣି ଆଣିବି | ଲକ୍ଷ୍ମୀ ଆସି ସେଠାରେ ପହଞ୍ଚି କହିଲେ,କାହିଁକି ସେମାନଙ୍କୁ ସେମିତି କହୁଛ ?ବିଧି ରକ୍ଷା ପାଇଁ ସେମାନେ ସେମିତି କହି ତାକୁ ପରୀକ୍ଷା କରୁଥିଲେ |ସେ ଦେଇଥିଲେ ଏମାନେ କଣ ସତରେ ନେଇଥାନ୍ତେ ?ଠାକୁରଙ୍କ କୃପାରୁ ଏମାନଙ୍କ ପାଖରେ କଣ ନାହିଁ ?ଯାଅ ଦେଖିବ,ବୋହୂକୁ ସେମାନେ କେତେ ମୋଟା ଚେନ ବନ୍ଦେଇଛନ୍ତି |ଶ୍ରୀନିବାସ କହିଲେ,ହଉ,ଏଇକଥା ଏଇଠି ଶେଷ କର ,ଆଉ ସେ ବିଷୟରେ ଅଧିକ ଆଲୋଚନା କର ନାହିଁ |
        କିନ୍ତୁ କଥା ସେତିକିରେ ସରିଲା ନାହିଁ |ତା ପରଦିନ ରାମଚନ୍ଦ୍ର ଦୁଇଝିଅଙ୍କ ପାଇଁ ଦୁଇଟି ଗହଣା ସେଟ ଆଣି ଶ୍ରୀନିବାସଙ୍କୁ ଦେଇ କହିଲେ,ସମୁଦୀ,ବଡ଼ ଭୁଲ ହୋଇଗଲା |ନଣନ୍ଦପୁଟୁଳି ରେ ଗହଣା ରଖିବାକୁ ଭୁଲି ଯାଇଥିଲି |ଦୁଇ ଝିଅଙ୍କୁ ଦେଇଦେବେ |ଶ୍ରୀନିବାସଙ୍କୁ ଏହା ବହୁତ ଖରାପ ଲାଗିଲା |କିନ୍ତୁ ଘରେ କୁଣିଆ ଭର୍ତ୍ତି ହୋଇଥିବାରୁ ସେ ବିଷୟରେ ଆଉ ଆଲୋଚନା ହୋଇ ପାରିଲା ନାହିଁ |ତା ଡାଡିଙ୍କୁ ଖର୍ଚ୍ଚାନ୍ତ କରିଥିବାରୁ ଶାଶୁ ଓ ଦୁଇ ନଣନ୍ଦଙ୍କ ଉପରେ ବିଜୟାର ବହୁତ ରାଗ ଆସୁଥିଲା |ମନକଥା ମନରେ ରଖି ସେ କେବଳ ସୁଯୋଗକୁ ଅପେକ୍ଷା କରିଥିଲା |
        ଶ୍ରୀମନ୍ତର ଛୁଟି ସରିଯିବାପରେ ସେ ତାର କର୍ମସ୍ଥଳୀକୁ ଯିବାକୁ ବାହାରିଲା |ପୂର୍ବ ଯୋଜନା ଅନୁସାରେ ବିଜୟା ତା ସହିତ ଯିବାର କଥା ଥିଲା |ସେହି ଅନୁସାରେ ସାଙ୍ଗରେ ନେବାପାଇଁ ସେ ତାର ବାପଘରୁ ଆଣିଥିବା ସବୁ ଜିନିଷ ଏକାଠି କରିବାକୁ ଲାଗିଲା |ବାସନକୁସନ ,ଲୁଗାପଟା ନେବା ଠିକ ଅଛି,କିନ୍ତୁ ସେ ଯେତେବେଳେ ସାଙ୍ଗରେ ଖଟ ଓ ସୋଫା ନେବାପାଇଁ ଚାହିଁଲା,ଶ୍ରୀମନ୍ତ ପ୍ରତିବାଦ କରି କହିଲା,ଏବେ କେବଳ ତମର ଲୁଗାପଟା ନେଇ ଚାଲ,ଯାହା ଦରକାର ହେବ,ମୁଁ ସେଇଠି  କିଣିଦେଵି | ଲକ୍ଷ୍ମୀ ବିଜୟାକୁ କହିଲେ,ସବୁ ଜିନିଷ ନେଇ ଯିବାକୁ କହୁଛୁ ,ଆଉ ଏଠିକି ଫେରିବାର ଯୋଜନା ନାହିଁ ନା କଣ ?ଏତିକି କଥାରେ ବିଜୟା ଆଖିରୁ ଧାରା ଶ୍ରାବଣ ବୋହି ଚାଲିଲା,ଆଉ ଥମିବାର ନାମ ନେଲାନାହିଁ |ଶେଷରେ ଶ୍ରୀନିବାସଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା |ସେ ଶ୍ରୀମନ୍ତକୁ କହିଲେ,ଯେତିକି ପାରୁଛୁ ନେଇଯା ,ଆଉ ଯାହା ବାକି ରହିବ,ମୁଁ ଦେଇ ଆସିବି |ବିଜୟା ବୁଝିଗଲା |ଶ୍ରୀନିବାସ ଲକ୍ଷ୍ମୀଙ୍କୁ ବୁଝାଇ କହିଲେ,ତାର ଯାହା ଇଚ୍ଛା ହେଉଛି,ସେ ନେଉ ,ତେଣିକି ସେ ତାକୁ ରଖିବ କି ବିକିବ,ସେକଥା ସେ ବୁଝିବ |ଲକ୍ଷ୍ମୀ କହିଲେ,ସେ କିଛି ବୁଝିବେନି,ହଇରାଣ ହେବ ମୋ ପୁଅ |ସବୁ ଭୁଲ ମୋର,ଏବେ କାହାକୁ କହିବି ?ଲକ୍ଷ୍ମୀ ଭାବିଥିଲେ,ପିଲାମାନଙ୍କ ସାଙ୍ଗରେ ଯାଇ,ସେଠାରେ କିଛିଦିନ ରହି,ସେମାନଙ୍କୁ ସେଟ କରିଦେଇ ଆସିବେ |କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କର ଆଉ ଯିବାକୁ ଇଚ୍ଛା ହେଲା ନାହିଁ |ସପ୍ତାହେ ପରେ ସେ ଯେତେବେଳେ ଶୁଣିଲେ,ବିଜୟାର ପିତାମାତା ସେଠାକୁ ଯାଇ ତାଙ୍କର ଅଧୁରା କାମ ପୂରା କରିବାରେ ଲାଗିଛନ୍ତି,ରାଗରେ ତାଙ୍କ ଦେହ ଜଳିଗଲା |ସେ ଶ୍ରୀନିବାସଙ୍କୁ କହିଲେ,ବୋହୂର ବାପାମା ଏବେ ହାଇଦ୍ରାବାଦରେ କେତେ କଣ କିଣାକିଣି କରି ଘର ଭରି ସାରିଲେଣି |ଆମେ ତ ଗଲୁ ନାହିଁ,ତାଙ୍କର ବେଳା ଫିଟିଗଲା |ଶ୍ରୀନିବାସ କହିଲେ,ତମର କାହିଁକି ଏତେ ଗାତ୍ରଦାହ ହେଉଛି ?ଯାହା ହେଲେ ବି ପିଲା ଆମର,ଯାହା ହେଉଛି ଆମ ପିଲାଙ୍କ ପାଇଁ ହେଉଛି,ଆମେ ବରଂ ଏଥିରେ ଖୁସି ହେବା କଥା |ଲକ୍ଷ୍ମୀ ଜାଣିଲେ,ଶ୍ରୀନିବାସଙ୍କୁ କହି କିଛି ଲାଭ ନାହିଁ ,ସେ କେବଳ କଟା ଘା ରେ ଲୁଣ ଛିଟା ଦେବେ |ଯେତେବେଳେ ଶ୍ରୀନିବାସ ଘରେ ନଥାନ୍ତି,ସେ ଝିଅ ମାନଙ୍କ ପାଖକୁ ଫୋନ କରି ବୋହୂ ବିରୁଦ୍ଧରେ ଘଣ୍ଟା ଘଣ୍ଟା ଗପନ୍ତି ,ସେଥିରେ ତାଙ୍କୁ ଅସୀମ ଶାନ୍ତି ମିଳେ |
   ଶ୍ରୀମନ୍ତ ଓ ବୋହୂ ଦଶହରା ଛୁଟିରେ ଘରକୁ ଆସିବାର କଥା ଥିଲା |କିନ୍ତୁ ଦଶହରା ଯାଇ କୁମାରପୂର୍ଣ୍ଣିମା ଚାଲିଗଲା ପଛକେ,ସେମାନେ ଆସିଲେ ନାହିଁ |ବ୍ୟସ୍ତ ହୋଇ ଶ୍ରୀନିବାସ ଶ୍ରୀମନ୍ତକୁ ଫୋନ କଲେ |ସେ କହିଲା,ଆମେ ଆସିବା ପୂର୍ବଦିନ ବିଜୟର ଡାଡି ମମି ପହଞ୍ଚିଲେ ,ସେମାନେ ଏବେ ଆମ ଘରେ ଅଛନ୍ତି,ଆମେ କେମିତି ଯିବୁ ?ଆମେ ଦୀପାବଳିକୁ ଯିବୁ |ଏହା ଶୁଣି ଶ୍ରୀନିବାସଙ୍କ ମନ ଭାରି ଦୁଃଖ ହେଲା |
        ଦୀପାବଳି କିଛିଦିନ  ଆଗରୁ ଶ୍ରୀମନ୍ତ ଏକୁଟିଆ ଆସି ପହଞ୍ଚିଲା |ତାକୁ ଅପ୍ରତ୍ୟାଶିତ ଭାବେ ଦେଖି ଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଆନନ୍ଦର ସୀମା ରହିଲା ନାହିଁ |ବୋହୂ କାହିଁକି ଆସିଲା ନାହିଁ ବୋଲି ଲକ୍ଷ୍ମୀ ପଚାରିବାରୁ ଶ୍ରୀମନ୍ତ କହିଲା,ଏଥର ଆମେ ସମସ୍ତେ ହାଇଦ୍ରାବାଦରେ ଦୀପାବଳି ମନେଇବା |ମୁଁ ଟିକଟ କରି ଦେଇଛି,ଶନିବାର ଦିନ ଯିବା |ଲକ୍ଷ୍ମୀ କହିଲେ,ମୁଁ କଦାପି ଯିବି ନାହିଁ,ତୁ ତୋ ବାପାକୁ ନେଇ ଯାଆ |ଶ୍ରୀମନ୍ତ ଲକ୍ଷ୍ମୀଙ୍କୁ କହିଲା,ତୋ ମନରେ ଦୁଃଖ ନଦେବା ପାଇଁ ମୁଁ ବିଜୟାକୁ ବାହା ହେଲି |ଏବେ କଣ କଲେ ତୁ ଖୁସି ହେବୁ କହିଲେ,ମୁଁ ସେଇଆ କରିବି |ଶ୍ରୀନିବାସ କହିଲେ,ତୁ ବ୍ୟସ୍ତ ହୁଅନା,ମୁଁ ବୋଉକୁ ବୁଝେଇ ଦେବି |ତାଙ୍କ କଥା ଶୁଣି ଶ୍ରୀମନ୍ତ ଖୁସି ହୋଇଗଲା |ସମସ୍ତେ ନିର୍ଦ୍ଦିଷ୍ଟ ଦିନରେ ହାଇଦ୍ରାବାଦ ଅଭିମୂଖେ ଟ୍ରେନରେ ଯାତ୍ରା କଲେ |ସେଠାରେ ପହଞ୍ଚିବା ବେଳକୁ ତା ପରଦିନ ଏଗାରଟା |ସମସ୍ତେ ପେଟ ଭର୍ତ୍ତି ଜଳଖିଆ ଖାଇ ଘରେ ପହଞ୍ଚିଲେ |ଶ୍ରୀମନ୍ତ ଆଗୁଆ ଯାଇ କଲିଂ ବେଲ ଚିପିଲା |ବିଜୟା କବାଟ ଖୋଲି ଶ୍ରୀମନ୍ତକୁ ଦେଖି କର୍କଶ ସ୍ୱରରେ ପଚାରିଲା,ଆସିବା ଆଗରୁ ଫୋନ କରିବାକୁ ମନ ପଡିଲାନି ? ମତେ ହଇରାଣ କରିବାକୁ ତମକୁ ଭାରି ଭଲଲାଗେ ,ନୁହେଁ ?ଶ୍ରୀମନ୍ତ ନିରୁତ୍ତର ରହି ଭିତରକୁ ଯିବାବେଳେ ବିଜୟା କବାଟ ବନ୍ଦ କରିଦେଉଥିଲା |ଶ୍ରୀମନ୍ତ କହିଲା,ଥାଉ,କବାଟ ବନ୍ଦ କରନା ,ବାପା ବୋଉ ଆସିଛନ୍ତି |ତା କଥା ଶୁଣି ବିଜୟାର ମୁହଁ ବିକୃତ ହୋଇଗଲା |ବିଜୟା କହିଲା,ତମେ ନିଜେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦିଅ,ମୁଁ ଏତେ ଜଣଙ୍କ ପାଇଁ ରୋଷେଇ କରି ପାରିବିନି |ତା କଥା ଶେଷ ନ ହେଉଣୁ ଶ୍ରୀନିବାସ ଓ ଲକ୍ଷ୍ମୀ ଆସି ପହଞ୍ଚିଗଲେ |ଶ୍ରୀମନ୍ତ କହିଲା,ଆମେ ଜଳଖିଆ ଖାଇ ଆସିଛୁ |ତମେ ଦୁଇଜଣ ଖାଇଦିଅ,ଆମେ ଡେରିରେ ଭୋକ ହେଲେ ଖାଇବୁ |ସେତେବେଳେ ବିଜୟାର ମମି ବିନୀତା ଟିଭି ଦେଖୁଥିଲେ |ଏମାନଙ୍କୁ ଦେଖି ନମସ୍କାର ଜଣାଇ କହିଲେ,ଭଲହେଲା,ଆପଣମାନେ ଆସିଲେ |ଏବର୍ଷ ଆମେ ଏକାଠି ଦୀପାବଳି ମନେଇବା |ପୁଣି କହିଲେ,ଆମେ କେବେଠାରୁ ଯାଇ ସାରନ୍ତୁଣି ,କିନ୍ତୁ ବିଜୁ ଡାଡିଙ୍କ ଅଚାନକ କାମ ପଡିବାରୁ ସେ ଚାଲିଗଲେ,ମୁଁ ବାଧ୍ୟହୋଇ ଏଇଠି ରହିଗଲି |ଲକ୍ଷ୍ମୀ ଅଖାଡୁଆ କଣ କହି ଆସୁଥିଲେ,ତାଙ୍କୁ କିଛି ନ କହିବାକୁ ଶ୍ରୀନିବାସ ଇଶାରାରେ ମନା କରିବାରୁ ସେ ଚୁପ ହୋଇଗଲେ |ଅଧ ଘଣ୍ଟା ପରେ ଲକ୍ଷ୍ମୀ ଗାଧୋଇବା ପାଇଁ ବାହାରିଲେ |ଶ୍ରୀମନ୍ତ ନେଇଥିବା ଭଡ଼ାଘରେ ଦୁଇଟି ରୁମ ପାଇଁ ଦୁଇଟି ବାଥରୁମ ଥିଲା |ଗୋଟିଏ ଆଟାଚ ଓ ଅନ୍ୟଟି କମନ |ସେ ଦ୍ୱିତୀୟ ବାଥରୁମକୁ ଗାଧୋଇବା ପାଇଁ ଗଲେ |ବାଥରୁମ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଥିଲା |ସେଠାରେ ଭଲ କମ୍ପାନୀର ଶାମ୍ପୁ,ଫେସ ୱାଶ ,ନଡ଼ିଆ ତେଲ ଇତ୍ୟାଦି ସୁନ୍ଦର ଭାବରେ ସଜା ହୋଇଥିଲା |ଲକ୍ଷ୍ମୀ ଯାତ୍ରା ଜନିତ କ୍ଲାନ୍ତି ଦୂର କରିବା ପାଇଁ କେଶରେ ଶାମ୍ପୁ,ଦେହରେ ଲିକ୍ୟୁଡ଼ ସାବୁନ ଓ ମୁହଁରେ ଫେସ ୱାସ ଲଗାଇ ଭଲକରି ଗାଧୋଇଲେ |ତାପରେ ଆସି ଠାକୁରଙ୍କୁ ମୁଣ୍ଡିଆ ମାରିଲେ |ସେତେବେଳେ ବିଜୟା ଓ ବିନୀତା ମିଶି ରୋଷେଇ କରୁଥିଲେ |ସମସ୍ତେ ଖାଇ ସାରିବା ପରେ ଲକ୍ଷ୍ମୀ ବିଛଣାରେ ଗଡ଼ପଡ଼ ହେବାକୁ ବାହାରିଛନ୍ତି,ଶ୍ରୀମନ୍ତ ତାଙ୍କ ପାଖକୁ ଧୀର ଗଳାରେ କହିଲା,ବୋଉ ଟିକେ ବାହାରକୁ ଆସିବ ?ଲକ୍ଷ୍ମୀ କହିଲେ,କଣ କହିବୁ ବାପା,ଏଇଠି କହୁନୁ ?ଶ୍ରୀମନ୍ତ ନେହୁରା ହୋଇ କହିଲା,ଗୋଟିଏ ମିନିଟ ପାଇଁ ପ୍ଲିଜ ଆସ |ଲକ୍ଷ୍ମୀ ବାହାରକୁ ଯିବାରୁ ଶ୍ରୀମନ୍ତ କହିଲା,ତମେ ବାଥରୁମରେ ଥିବା ଶାମ୍ପୁ ଓ ଫେସ ୱାସ ଲଗାଇ ଥିଲ କି ?ଲକ୍ଷ୍ମୀ କହିଲେ,ହଁ,କଣ ହେଲା ?ଶ୍ରୀମନ୍ତ କହିଲା,ସେଇଟା ମମିଙ୍କର ,ତାଙ୍କ ଜିନିଷ ତମେ ଆଉ ବ୍ୟବହାର କରିବନି ,ମୁଁ ତମପାଇଁ ଅଲଗା ଆଣିଦେଵି |ଲକ୍ଷ୍ମୀ ଅବାକ ହୋଇ କହିଲେ,ମୁଁ ଏତେ ଛନ୍ଦ କପଟ ଜାଣିନି ବାପା |ସେଇଠି ଥିଲା,ଲଗେଇ ଦେଲି |ହେଲେ ଏଇଟା ମୋ ପୁଅର ଘର |ଏଇଠି ସବୁ ଜିନିଷରେ ମୋର ପୂର୍ଣ୍ଣ ଅଧିକାର ଅଛି |କିନ୍ତୁ ତୋ କଥା ମତେ ଭାରି ଦୁଃଖ ଦେଲା |କଥା ଶେଷ କରି ସେ ତାଙ୍କ ଆଖିରୁ ଲୁହ ପୋଛିଲେ |ଶ୍ରୀମନ୍ତ ବିଚଳିତ ହୋଇ କହିଲା,ବୋଉ,ମନଦୁଃଖ କରନି |ତମେ ମନଦୁଃଖ କଲେ,ମୋ ମନ ବି ଦୁଃଖ ହେବ |ଲକ୍ଷ୍ମୀ କହିଲେ,ତୋର ଏଥିରେ କିଛି ଦୋଷ ନାହିଁ |ମୁଁ ବୁଝିଗଲି,ଆଉ ସେମିତି କରିବିନି |
         ତା ପରଦିନ ସକାଳେ ଲକ୍ଷ୍ମୀ ଶ୍ରୀନିବାସଙ୍କ ସହ ନିକଟସ୍ଥ ମାର୍କେଟକୁ ଯାଇ ସେହି ନିର୍ଦ୍ଦିଷ୍ଟ କମ୍ପାନୀର ଶାମ୍ପୁ,ଫେସ ୱାସ ଇତ୍ୟାଦିର ବଡ଼ ସାଇଜ ବୋତଲ କିଣି ଆଣି ତାକୁ ବାଥରୁମରେ ସଜାଇ ରଖିଦେଲେ |ସେସବୁ ସେଠାରେ ରଖିବା ପୂର୍ବରୁ ବିନୀତା ତାଙ୍କ ବ୍ୟବହୃତ ସାମଗ୍ରୀ ସେଠାରୁ ଅପସାରଣ କରି ସାରିଥିଲେ |ସେଦିନ ଲକ୍ଷ୍ମୀ ଜିଦ୍ଦି କରିବା ପରି ଆଉଥରେ କେଶରେ ଶାମ୍ପୁ ଲଗାଇ ବିନୀତାଙ୍କ ସାମ୍ନାରେ ଚୁଟି ଝାଡ଼ି ଶୁଖାଇଲେ |ଏଥିରେ ବିନୀତା ଅପମାନିତ ବୋଧ କଲେହେଁ କିଛି କହି ପାରିଲେ ନାହିଁ |
   
                           ପରଦିନ ଭୋରରୁ ଉଠି ନିଜ ନିତ୍ୟକର୍ମ ଶେଷ କରି ଲକ୍ଷ୍ମୀ ସକାଳ ଜଳଖିଆ ପାଇଁ ଉପମା ଓ ସମ୍ବର ତିଆରି କଲେ |ପ୍ରାୟ ଦିନ ବ୍ରେଡ଼ ଖାଇ ଅଫିସ ଯାଉଥିବା ଶ୍ରୀମନ୍ତ ବ୍ରେକଫାଷ୍ଟ ରେ ନିଜ ପ୍ରିୟ ଜଳଖିଆ ଦେଖି ଭାରି ଖୁସି ହୋଇଗଲା |ସେଥିରୁ ପେଟେ ଖାଇ ସେ ଅଫିସ ବାହାରି ଗଲା |ସେ ଯିବାପରେ ଲକ୍ଷ୍ମୀ ଶ୍ରୀନିବାସଂକୁ ଜଳଖିଆ ଦେଇ ନିଜେ ଖାଇଲେ | ବିଜୟାକୁ କହିଲେ,ତୋ ମମି ଆଉ ତୁ ଶୀଘ୍ର ଖାଇଦେବ,ନ ହେଲେ ଥଣ୍ଡା ହୋଇଯିବ |ତାଂକ କଥାର ଉତ୍ତର ନ ଦେଇ ବିଜୟା ତଳକୁ ଚାଲିଗଲା ଓ କିଛି ସମୟ ପରେ ଜଳଖିଆ ଦୋକାନରୁ ବରା,ସିଂଗଡା ଆଣି ଟମାଟୋ ସସ୍ ଲଗାଇ ଖାଇଲା |ବିନୀତା ମଧ୍ୟ ତାକୁ ଖାଇଲେ |ଲକ୍ଷ୍ମୀ କହିଲେ,ମୁଁ ଏତେ ଉପମା କଲି,କଣ ହେବ?ବିଜୟା ସାଂଗେ ସାଂଗେ ଉତ୍ତର ଦେଲା,ମୁଁ ସେଗୁଡା ଖାଏନି,ଯିଏ ରାନ୍ଧିଛି,ସିଏ ଖାଇବ |ଲକ୍ଷ୍ମୀ କହିଲେ,ତାହାଲେ ଭାତ ଅଳ୍ପ ରାନ୍ଧିବୁ,ମୁଁ ଆଜି ଉପମା ଖାଇଦେବି |ଯେତେବେଳେ,ଗୋଟାଏ ବାଜିଲା,ଲକ୍ଷ୍ମୀ ବିଜୟାକୁ କହିଲେ,ବାପାଂକ ପାଇଁ ଭାତ ବାଢି ଦେ,ତାଂକୁ ଭୋକ କଲାଣି |ବିଜୟା କହିଲା,ଆପଣ କହିଲେ,ଉପମା ଖାଇବେ ବୋଲି,ତେଣୁ ମୁଁ ଆପଣ ମାନଂକ ପାଇଁ ରାନ୍ଧିନି |ଲକ୍ଷ୍ମୀ କହିଲେ,ଏ କି କଥା,ଉପମା ମୁଁ ଖାଇବି ବୋଲି କହିଲି,ବାପା ଖାଇବେ ବୋଲି ତ କହିନି |ସେ ତାପରେ ବିନୀତାଂକୁ କହିଲେ,ସମୁଦୁଣୀ ଆପଣ ଏ ସବୁ ଦେଖୁଛନ୍ତି ତ?ବିନୀତା ହସି ଦେଇ କହିଲେ,ସେ ସବୁବେଳେ ସେଇଆ |ସେ କଣ କାହା କଥା ମାନେ?ଲକ୍ଷ୍ମୀ ଆଉ ବାକ୍ୟବ୍ୟୟ ନ କରି ରୋଷେଇ ଘରକୁ ଯାଇ ଭାତ,ଡାଲମା ରାନ୍ଧିଲେ |ତା ସହିତ ଆଚାର ଓ ପାମ୍ପଡ ଦେଇ ଶ୍ରୀନିବାସଂକୁ ଖାଇବାକୁ ଦେଲେ |ଶ୍ରୀନିବାସ ତାକୁ ଆନନ୍ଦରେ ଖାଇ କହିଲେ,ବାଃ,ବିଜୁ ତ ଆମର ଭଲ ରାନ୍ଧିଛି |ଏମିତି ସବୁବେଳେ ରାନ୍ଧିବୁ ମା ,ମତେ ଭାରି ଭଲ ଲାଗେ |ବିଜୟା ରାଗରେ ଦାନ୍ତ କଡ଼ମଡ କରି ସେଠାରୁ ଚାଲିଗଲା |ସନ୍ଧ୍ୟାବେଳେ ଶ୍ରୀମନ୍ତ ଅଫିସ୍ ରୁ ଫେରିବା ପରେ ବିଜୟା ତାକୁ କହିଲା,କାଲି ଦୀପାବଳୀ ରେ ପିନ୍ଧିବା ପାଇଁ ମୋ ପାଇଁ ନୂଆ ଡ୍ରେସ୍ କିଣିଦେବ,ଚାଲ ଏବେ ଯିବା |ଶ୍ରୀମନ୍ତ କହିଲା,ଦଶହରାରେ ନୂଆ ଡ୍ରେସ୍ ପିନ୍ଧିଲ,ପୁଣି କଣ ?ବିଜୟା କହିଲା,ସେଇଟା ମୋ ଡାଡି ,ମମି କିଣି ଛନ୍ତି ,ଏବେ ଦୀପାବଳୀ ପାଇଁ ତମେ କିଣି ଦିଅ |ଶ୍ରୀନିବାସ କହିଲେ,ସେ ଠିକ କହୁଛି ଶିରୀ ,ଏକା ତାପାଇଁ କାହିଁକି,ତୁମ ଦୁଇଜଣଂକ ପାଇଁ ନୂଆ ଡ୍ରେସ୍ ଆଣିବୁ |ଏହା କହି ସେ ତାଂକର ଏ.ଟି.ଏମ.କାର୍ଡ଼ ଶ୍ରୀମନ୍ତ କୁ ଦେଲେ |ବିଜୟା ଉତକ୍ଷିପ୍ତ ହୋଇ କହିଲା,ରଖନ୍ତୁ ଆପଣଂକ ଏ.ଟି.ଏମ.କାର୍ଡ଼,ମୁଁ ଏମିତି ବହୁତ ଦେଖିଛି |ମୋ ଡାଡି ପାଞ୍ଚ ଲକ୍ଷ ଟଂକା ଡାଉରି ଦେଇଥିଲେ,ଆପଣ ସବୁ ଖାଇଗଲେ,ଗୋଟିଏ ପଇସା ଆମକୁ ଦେଲେନି,ଏବେ କହୁଛନ୍ତି କଣ ନାଁ କାର୍ଡ଼ ନିଅ ଡ୍ରେସ୍ କିଣିବ !ଦରକାର ନାହିଁ ଆପଣଂକର କାର୍ଡ଼ |ବିଜୟା ର କଥା ଶୁଣି ସମସ୍ତେ ସ୍ତବ୍ଧ ହୋଇ ରହିଗଲେ |ଶ୍ରୀମନ୍ତ ସଂଗେ ସଂଗେ ସେଠାରୁ ତଳକୁ ଚାଲିଗଲା |ଘରକୁ ଫେରିବା ବେଳକୁ ରାତି ବାର |ଶ୍ରୀନିବାସ ଓ ଲକ୍ଷ୍ମୀ ନ ଖାଇ ସେପର୍ଯ୍ୟନ୍ତ ତାକୁ ଅପେକ୍ଷା କରି ବସିଥିଲେ |ସେମାନେ ତାକୁ ଅପେକ୍ଷା କରି ବସି ଥିବାର ଦେଖି ସେ କହିଲା,ତମେମାନେ ଖାଇ ସାରିଲଣି?ଲକ୍ଷ୍ମୀ କହିଲେ,ନାଁ ବାପା,ତତେ ଚାହିଁ ବସିଛୁ |ଶ୍ରୀମନ୍ତ କହିଲା,ମୁଁ ଖାଇ କରି ଆସିଛି,ତମେ ଖାଇ କରି ଶୋଇପଡ |ଲକ୍ଷ୍ମୀ ଜାଣିଥିଲେ,ପୁଅ ଖାଇନି,ମିଛ କହୁଛି |ସେ ରୋଷେଇ ଘରକୁ ଯାଇ ଖାଇବା ଜିନିଷ ଘୋଡାଇ ଫ୍ରିଜ୍ ରେ ରଖିବା ବେଳକୁ ଶ୍ରୀମନ୍ତ ଆସି ସେଠାରେ ପହଂଚି ଗଲା |କହିଲା,ହଉ  ବାଢ,ଏକାଠି ଖାଇବା |ଏତେ ରାତିରେ ଖାଇବା ପାଇଁ କାହାରି ଇଚ୍ଛା ନ ଥିଲା |ସମସ୍ତେ ଟିକେ ଟିକେ ଖାଇ ଉଠି ଗଲେ |
                       ପରଦିନ ସକାଳେ ଶ୍ରୀନିବାସ ଶ୍ରୀମନ୍ତକୁ ଜଣାଇ ରାମଚନ୍ଦ୍ରଙ୍କ  ଆକାଉଣ୍ଟ କୁ ପାଞ୍ଚ ଲକ୍ଷ ଟଂକା ଟ୍ରାନ୍ସଫର୍ କରିଦେଲେ |ଦ୍ୱିପହର ବେଳେ  ଲକ୍ଷ୍ମୀଂକ ସହିତ ମାର୍କେଟ ଯାଇ ଦୀପ,ତେଲ ଓ ମହମବତୀ କିଣି ଆଣିଲେ |ସନ୍ଧ୍ୟାବେଳେ ଦୀପ ଜାଳି ପରିବାରର ସୁଖ ମନାସିଲେ |ପରଦିନ ଅଫିସରୁ ଫେରି  ଶ୍ରୀମନ୍ତ ଶ୍ରୀନିବାସଂକୁ ଟିକଟ ଦେଇ କହିଲା,ଆସନ୍ତା ଶୁକ୍ରବାରକୁ ଟିକଟ କରି ଦେଇଛି,ତୁମେ ଦୁଇ ଜଣ ଚାଲିଯିବ |ବିନା ଆପତ୍ତିରେ ତା ହାତରୁ ଟିକଟ ନେଇ ଶ୍ରୀନିବାସ ତାଂକ ପକେଟରେ ରଖିଲେ |ଶୁକ୍ରବାର ପର୍ଯ୍ୟନ୍ତ ଘରେ ସମସ୍ତେ ଚୁପ୍ ଚାପ୍ ଥିଲେ |କେହି କାହାରି ସାଂଗେ କଥା ହେଉ ନ ଥିଲେ |ଏୟାରପୋର୍ଟ ରେ ତାଂକୁ ବିଦାୟ ଦେବାବେଳେ ଶ୍ରୀମନ୍ତ ବହୁତ କାନ୍ଦୁଥିଲା |କହିଲା,ତମେମାନେ ସେଇଠି ତୁମମାନଂକ ଦେହର ଯତ୍ନ ନେବ ,ତେଣିକି ଭଗବାନଂକ ଇଛା |ଲକ୍ଷ୍ମୀ ତାକୁ ବୁଝାଇ କହିଥିଲେ,ଇଏ କଣ ବଜାର ଜିନିଷ ହୋଇଛି ଯେ,ଖରାପ ପଡିଲେ,ବଦଳେଇ ନୂଆ ନେଇ ଆସିବ ?ଇଏ ଜୀବନ ସଉଦା କଥା ବାପା ,ସେମିତି ମାଡି ମକଚି ତତେ ତା ସହିତ ସାରା ଜୀବନ ଚଳିବାକୁ ପଡିବ |
                      ଘରକୁ ଫେରିବା ପରେ ଲକ୍ଷ୍ମୀଙ୍କ ସାଇ ପଡିଶା ଓ ଆତ୍ମୀୟସ୍ୱଜନ ତାଙ୍କୁ ଘେରିଯାଇ ପ୍ରଶ୍ନବାଣରେ ବିବ୍ରତ କରି ପକାଇଲେ |ବିଜୟା ଓ ତାର ପିତାମାତାଙ୍କ ବିରୁଦ୍ଧରେ  ଗୁଡ଼ାଏ ଗପି ମନ ଥଣ୍ଡା ହେବା ପରେ , ଲକ୍ଷ୍ମୀ ଅନୁଭବ କଲେ ,ଅଳ୍ପ ବହୁତ ତାଙ୍କରି  ପରି ଅବସ୍ଥା ପ୍ରାୟ ସମସ୍ତଙ୍କର |କେଉଁଠି ବୋହୂ ତାର ଶାଶୁ ଓ ନଣନ୍ଦଙ୍କ  ଉପରେ ଅଶାନ୍ତି ତ  ଆଉ କେଉଁଠି ଶାଶୁ ତାର ବୋହୂ ଓ ତାର ବାପା ମାଆଙ୍କ ଉପରେ  |ନିଜକୁ ସେମାନଙ୍କ ଠାରୁ ଦୂରେଇ ଲକ୍ଷ୍ମୀ ଚିନ୍ତାକଲେ,ଯଦି ଏ ସମସ୍ୟା ଯୁଗ ଯୁଗର ତାହେଲେ ତାର ସମାଧାନ ନିଶ୍ଚୟ ଥିବ |ସେ ତାଙ୍କ ବୋଉଙ୍କ କଥା ମନେ ପକାଇଲେ |ସେ ସବୁବେଳେ କହୁଥିଲେ,ଗୋଟିଏ ପରିବାରରେ ଯଦି କୌଣସି କାରଣବଶତଃ  ମତଭେଦ ହୁଏ,ତାହେଲେ ସେଥିପାଇଁ ପ୍ରଥମେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଦାୟୀ କରାଯାଏ  |ଶ୍ରୀନିବାସ ନରମପନ୍ଥୀ ହୋଇଥିବାରୁ ସେ ପ୍ରଥମେ ନିଜକୁ ଦୋଷୀ ସ୍ଥାନରେ ରଖି,ନିଜର ଭୁଲ ଖୋଜିବାକୁ ଚେଷ୍ଟା କଲେ |ସେ ଯେତେ ଯେତେ ଏ ବିଷୟରେ ଭାବିଲେ ସେତେ ସେତେ ତାଙ୍କର  ମନେହେଲା,କେଉଁଠି ନାଁ କେଉଁଠି ତାଙ୍କର ଯେମିତି କିଛି କିଛି ଭୁଲ ରହିଛି | ସେ ମନେ ମନେ ଭାବିଲେ,ଏବେ ନିଜକୁ ସୁଧାରିବାର ସମୟ ଆସିଯାଇଛି |
******* ଏହା ଭିତରେ କିଛି ବର୍ଷ ବିତିଯାଇଛି  |ଶ୍ରୀନିବାସଙ୍କ ଡାହାଣ ଆଂଠୁ ସମସ୍ୟା ଯୋଗୁଁ ସର୍ଜରୀ କରାଯାଇଛି |ଲକ୍ଷ୍ମୀ ନିଜେ ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ  ରୋଗରେ ପୀଡିତା |ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇଜଣଙ୍କୁ ନିୟମିତ ଚଲା ବୁଲା ଓ ଖାଦ୍ୟପେୟରେ ସଂଯମତା ରକ୍ଷା ତଥା ନିରାମିଷ ଭୋଜନ କରିବାକୁ ପଡୁଛି |ବିଜୟା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଓ ଅଧିକାଂଶ ଦିନ ବାହାରେ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାରୁ ପୂର୍ବରୁ ପିଲାଙ୍କ ପାଖରେ ରହିବା ସମୟତକ ସେମାନେ ନାହିଁ ନଥିବା ଅଶାନ୍ତିରେ ସମୟ କାଟୁଥିଲେ  | ଏବେ କିନ୍ତୁ ଆଉ ସେ ସମସ୍ୟା ନାହିଁ |ସକାଳେ ମର୍ଣ୍ଣିଙ୍ଗ ୱାକ ସରିବା ପରେ ଦୁହେଁ ବାଛି ବାଛି ନିଜ ମନ ମୁତାବକ ସତେଜ ପରିବା କିଣି ଆଣନ୍ତି | ନିଜର ନିତ୍ୟକର୍ମ ଶେଷକରି  ସକାଳ ଜଳଖିଆରେ  ରୁଟି  ଓ କ୍ଷୀର ଖାଇଦିଅନ୍ତି |ସେଥିପାଇଁ ରାତିରେ ଅଧିକ ଚାରିପଟ ରୁଟି କରି ଦେଇଥାନ୍ତି |ମଧ୍ୟାନ୍ନ ଭୋଜନରେ ଲକ୍ଷ୍ମୀ ଉଭୟଙ୍କ ପାଇଁ ନିଜ ମନ ପସନ୍ଦର ତରକାରୀ ଅଧିକ ପରିମାଣର ବନେଇ ଦିଅନ୍ତି |ସେଥିରୁ ଅଧା ଦିନବେଳା ଓ ଆଉ ଅଧା ରାତିରେ ରୁଟି ସାଙ୍ଗରେ ଖାଆନ୍ତି |ସେଥିରେ ପୁଣି ଦୁଇ ନାତୁଣୀ ଓ ପୁଅର ଭାଗ ଥାଏ |ମା ହାତ ରନ୍ଧା ତରକାରୀ ଖାଇ ଶ୍ରୀମନ୍ତ ଖୁସି ତ ହୋଟେଲ ର ଚିକେନ/ମଟନ  ବିରିୟାନୀ ଖାଇ ବିଜୟା ଖୁସି |ମୋଟ ଉପରେ ଏବେ ସମସ୍ତେ ଖୁସି |ଯେତେବେଳେ ବିଜୟା ପିଲାମାନଙ୍କୁ ଆକଟ କରୁଥାଏ କିମ୍ବା କୌଣସି କାରଣ ପାଇଁ ଶ୍ରୀମନ୍ତ ସହିତ ତାର ଜୋରଦାର ଝଗଡ଼ା ଚାଲିଥାଏ,ସେତେବେଳେ ଲକ୍ଷ୍ମୀ ଓ ଶ୍ରୀନିବାସ  ଜାଣିଶୁଣି ଟିଭି ଭଲ୍ୟୁମ ବଢ଼େଇ ନ୍ୟୁଜ ଶୁଣିବାରେ ମନ ଦିଅନ୍ତି |ମାମଲା ଅଧିକ ଗମ୍ଭୀର ଥିଲେ ଦୁହେଁ କିଛି ସମୟ ଛାତ ଉପରକୁ ଯାଇ ବୁଲି ଆସନ୍ତି |ବେଳେବେଳେ ବିଜୟାର ମୁଡ଼ ଭଲ ଥିଲେ,ସେ ଲକ୍ଷ୍ମୀଙ୍କ ପାଖେ ଗେହ୍ଲେଇ ହୋଇ କହେ,ବୋଉ,ଆପଣ ଆପଣଙ୍କ ପୁଅଙ୍କୁ ଏତେ ଗେହ୍ଲା କରି ବଢ଼େଇଛନ୍ତି,ଛୁଟିଦିନ ହେଲେ ସେ ଦଶଟା ବେଳକୁ ଉଠୁଛନ୍ତି,ପୁଣି କୁଟା ଖଣ୍ଡକୁ ଦିଖଣ୍ଡ କରୁ ନାହାନ୍ତି |ଆପଣ ତାଙ୍କୁ କଡ଼ାକରି ଦି'ପଦ ଗାଳି ଦିଅନ୍ତୁ,ନହେଲେ ସେ ଜମା ସୁଧୁରିବେନି |ତା କଥା ଶୁଣି ଲକ୍ଷ୍ମୀ ଯେପରି କିଛି ଶୁଣି ନାହାନ୍ତି,ଏପରି ଭାବ ଦେଖାଇ ସଂଗେ ସଂଗେ ବିଷୟବସ୍ତୁ ବଦଳେଇ ଦିଅନ୍ତି ଓ  ମନେ ମନେ କହନ୍ତି ,ଆମର ତ ସମୟ ସରିବା ସରିବା ହେଲାଣି ,ବେକାର  ଝମେଲାରେ ପଶି କାହିଁକି  ମୁଣ୍ଡ ଖରାପ କରିବୁ ?  ଆଜି ପର୍ଯ୍ୟନ୍ତ ଚଳେଇ  ଆସିଲୁ,ଆଉ କିଛିଦିନ ଚଳେଇ ଦେଲେ କାମ ଶେଷ |ନିଜେ ଭଲ ଥିଲେ,ଦୁନିଆଁ ଭଲ,ଏଇତ ଜୀବନ !!!ମମତା ମହାନ୍ତି |

                          

Friday, September 23, 2016

ସେଇ କାଳୀ ଝିଅ ଟି

                     ବିଶାଳ ଓ ପଲ୍ଲବୀଂକର ଗୋଟିଏ ଝିଅ ଥିଲା | ସେମାନେ ଅତି ଆଦରରେ ତା ନାଁ ଦେଇଥିଲେ ସୁଧନ୍ୟା |ହେଲେ ତାର ମଳିନ ବର୍ଣ୍ଣ ଯୋଗୁଁ ପିଲାଦିନେ ଅଜା ତାକୁ ଗେହ୍ଲାରେ  କାଳୀ ଡାକୁ ଡାକୁ ତାର ଡାକ ନାମ ପାଲଟିଗଲା,'କାଳୀ' |ସୁଧନ୍ୟା ର ମୁହଁର ଗଠନ ତାର ମାଆ ପଲ୍ଲବୀଂକ ପରି ହୋଇଥିବା ବେଳେ ଶରୀର ର ରଂଗ ,ପିତା ବିଶାଳଂକ ପରି ଘନ ଶ୍ୟାମଳ ବର୍ଣ୍ଣ  ଥିଲା |ପିଲାଦିନ ତାର ଅଜା ଆଈଂକ ପାଖରେ କଟିଥିଲା |ଉଭୟ ପଲ୍ଲବୀ ଓ ବିଶାଳ ଗୋଟିଏ ସ୍କୁଲରେ ଶିକ୍ଷକତା କରୁଥିଲେ  |ସ୍କୁଲ ଯିବାବେଳେ ସେମାନେ  ସୁଧନ୍ୟା କୁ ପଲ୍ଲବୀଂକ ବାପାଂକ ଘରେ ଛାଡି ଦେଇ ଯାଆନ୍ତି ଓ ସ୍କୁଲରୁ ଫେରିବାବେଳେ ତାକୁ ସେଠାରୁ ନେଇ ଘରକୁ ଆସନ୍ତି |ଅଜା ଘରେ,ତାପରି ଅନ୍ୟ ଦୁଇ ମାଉସୀଂକ ଛୁଆ ମଧ୍ୟ ପ୍ରାୟ ବେଳେ ଆସନ୍ତି |ସେଠାରେ ସୁଧନ୍ୟା ମହା ଆନନ୍ଦରେ ସେମାନଂକ ସହ ଖେଳି ବୁଲି ସମୟ କଟାଏ |ପଲ୍ଲବୀ ସ୍କୁଲରୁ ଫେରିଲେ,ତାଂକ ସାଂଗେ ଘରକୁ ଯିବା ପାଇଁ ସେ  ଆଦୌ ରାଜି ହୁଏନାହିଁ |କିନ୍ତୁ ଥରେ ଅଜାଂକ ଘରୁ ବାହାରିଗଲେ ସେ ଦୁଇ ଜଣଂକ ହାତ ଧରି ଘରକୁ ଚାଲିଆସେ | ସେଠାରେ ପହଂଚିବା କ୍ଷଣି ଗୋଟିକ ପରେ ଗୋଟିଏ ତାର ରୁଟିନ କାମ ଆରମ୍ଭ ହୋଇଯାଏ |ପ୍ରଥମେ ତାର ଖେଳଣା ସହିତ ସେ ଖେଳିବ |ଖେଳ ସରିଲେ ଗୋଟି ଗୋଟି କରି ସବୁ ଏଣେ ତେଣେ ଫିଙ୍ଗିବ  |ତାପରେ ତାକୁ ସଜାଡି ରଖି,ବହି ଥାକରୁ ସବୁ ବହି ଆଣିବ |ପ୍ରତ୍ୟେକ ବହି ଦୁଇ ଚାରିଥର ଲେଖାଏଁ ପଢି ସାରିବା ପରେ ଖାଇବ |ରାତିରେ ଶୋଇବା ପୂର୍ବରୁ ସେ  ସମସ୍ତ ବହି ଆଉଥରେ ପଢିବା ପରେ ଶୋଇବ |ବିଶାଳ ଓ ପଲ୍ଲବୀଂକ କାମ ହେଲା,ସବୁବେଳେ ତା ପାଖେ ପାଖେ ରହି ତାର ବିଭିନ୍ନ ହରକତରେ ଅଂଶ ଗ୍ରହଣ କରିବା |ଏଥିରେ ଟିକିଏ ତୃଟି ବିଚ୍ୟୁତି ଦେଖାଦେଲେ ସେ କାନ୍ଦି କାନ୍ଦି ପୃଥିବୀ ପ୍ରଳୟ କରିଦେଉ ଥିଲା  |
                     ସୁଧନ୍ୟା  ଅଜାଙ୍କ  ଅତି ଗେହ୍ଲା  ନାତୁଣୀ ଥିଲା,ସୁଧନ୍ୟା |କାଳୀ ବୋଲି ଡାକିଦେଲେ ସେ ଯେଉଁଠି ଥାଉ ନା କାହିଁକି ଦୌଡି ଦୌଡି ଆସି ଅଜାଂକ କୋଳରେ ବସିପଡୁଥିଲା  |ତାଂକ ସାଂଗରେ ବସି,ଗୀତ ବୋଲୁଥିଲା ,ବହି ପଢୁଥିଲା  ଓ ବଜାର ବୁଲି ଯାଉଥିଲା  |ଆଈଂକ ଅପେକ୍ଷା ସେ ଅଜାଂକୁ ବେଶି ଭଲ ପାଉଥିଲା,ତାଂକ କଥା ମାନୁଥିଲା |ଅଜାଂକର କାଳୀ ଡାକ ତାର ଅତି ପ୍ରିୟ ଥିଲା |ଯେତେବେଳେ କେହି 'ତୋ ନାଁ କଣ' ବୋଲି ପଚାରୁଥିଲେ,ସେ ଖନେଇ ଖନେଇ କହୁଥିଲା,'କାଲୀ' |ସୁଧନ୍ୟା ଭଲ ପଢୁଥିଲା |ଏହା ସହିତ ନୃତ୍ୟ,ସଂଗୀତରେ ମଧ୍ୟ ପ୍ରବୀଣା ଥିଲା |ବିଶାଳ ଜାଣିଥିଲେ,ସୁଧନ୍ୟା ପାଖରେ ସଫଳତାର ସମସ୍ତ କଳା,କୌଶଳ ଅଛି |ହେଲେବି ସେ ଚାହୁଁଥିଲେ ଝିଅ ତାଂକର କଳ୍ପନାବିଳାସୀ ନ ହୋଇ  ବାସ୍ତବବାଦୀ ହେଉ |ତା ନହେଲେ ତାର ସମସ୍ତ ପ୍ରତିଭା ,ପ୍ରସ୍ପୁଟିତ ହେବା ପୂର୍ବରୁ ଶୁଖି ଝଡ଼ିଯିବ |ସେ ମଧ୍ୟ ଭଲ ଭାବେ ଜାଣିଥିଲେ ଯିଏ ମାନସିକ ସ୍ତରରେ ଯେତେ ସୁଦୃଢ,ଜୀବନରେ ସଫଳତା ର ହାର ତାର ସେତେ ଅଧିକ |
                      ପଡୋଶୀ ଘର ର ଶ୍ୟାମବାବୁ  ବିଶାଳଂକର ପ୍ରିୟ ବନ୍ଧୁ ଥିଲେ |ଦୁଇ ପରିବାର ମଧ୍ୟରେ ସମ୍ପର୍କ ଅତି ନିବିଡ ଥିଲା |ଶ୍ୟାମବାବୁ  ଓ ତାଂକର ସ୍ତ୍ରୀ ପଦ୍ମିନୀ ସୁଧନ୍ୟା କୁ ବହୁତ ଭଲ ପାଉଥିଲେ |ଶ୍ରଦ୍ଧାରେ ସେମାନେ ତାକୁ ଡାକୁଥିଲେ,'ଧନୁ' |ତାଂକର ଏକମାତ୍ର ପୁଅ ଅସ୍ମିତ,ସୁଧନ୍ୟା ଠାରୁ ଚାରି ବର୍ଷ ବଡ ଥିଲା |ଦୁହେଁ ପାଖରେ ଥିବା ପବ୍ଲିକ୍ ସ୍କୁଲ ରେ ପଢୁଥିଲେ |ଶ୍ୟାମବାବୁ  ପଦ୍ମିନୀଂକୁ କହନ୍ତି,ବଡ ହେଲେ ଆମେ ସୁଧନ୍ୟା କୁ ଆମ  ବୋହୂ କରିବା |ଯେମିତି ପାଠ,ସେମିତି ଗୁଣ |ଆମ ଅସ୍ମିତ ପାଇଁ ଆମେ କଣ ୟା ଠାରୁ ଭଲ ଝିଅ ପାଇବା ?ତାଂକ ସ୍ୱର  ସାଂଗେ ସ୍ୱର  ମିଶାଇ ପଦ୍ମିନୀ କହନ୍ତି,ତମେ ଠିକ କହିଛ |ଧନୁ ଆମର କୋଟିକ ରେ ଗୋଟିଏ |ମୁଁ ଏବେଠାରୁ ପଲ୍ଲବୀ କୁ କହି ତାକୁ ଆମ ଅସ୍ମିତ ପାଇଁ ବୁକ କରି ରଖିଦେବି ,ନହେଲେ ଆମ ଆଗରୁ  କାଳେ କିଏ ତାକୁ ନେଇଯିବ !!ଏମିତି ମଜାରେ କଥା ହେଉ ହେଉ ସେମାନେ ଦିନେ  ତାକୁ ସତ ଭାବି ବସିଲେ |ସୁଧନ୍ୟା କୁ ନେଇ ସେମାନେ କେତେ ସ୍ୱପ୍ନ  ଦେଖିଲେ |ସେମାନଂକ କଥା ଶୁଣି ସୁଧନ୍ୟା ମଧ୍ୟ ନିଜକୁ ସେ ଘର ର ଅଂଶ ବୋଲି ମନେକରୁ ଥିଲା  |ଯେତେବେଳେ ତାଂକ ଘରକୁ ଅତିଥି ଆସିଥାନ୍ତି,ପଦ୍ମିନୀଂକ କାମ ଚାପ ଟିକେ ବଢି ଯାଇଥାଏ |ସେତେବେଳେ ସୁଧନ୍ୟା ଆସି ତାଂକୁ ରୋଷେଇବାସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରେ |କେବେହେଲେ ସେମାନଂକ କଥା ତଳେ ପକାଇ ଦିଏ ନାହିଁ | ଅସ୍ମିତ ଓ ସୁଧନ୍ୟା ଏକାଠି ବସି ପଢନ୍ତି,ଦେଶର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ଆଲୋଚନା କରନ୍ତି |ସବୁବେଳେ ସେମାନଂକ ମତ ଏକ ହୁଏନା |ତେଣୁ ସେମାନଂକ ମଧ୍ୟରେ ଯୁକ୍ତି ତର୍କ ହୁଏ |ଉଭୟେ ନିଜ ମତକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବାକୁ ଚେଷ୍ଟା କରନ୍ତି |ଶେଷରେ ଶ୍ୟାମବାବୁଂକୁ ହସ୍ତକ୍ଷେପ କରିବାକୁ ପଡେ |ସେ ଉଭୟ ପକ୍ଷର କଥା ଶୁଣନ୍ତି |ପ୍ରାୟ ସବୁବେଳେ ତାଂକୁ ସୁଧନ୍ୟା ର ମତ ଯୁକ୍ତିଯୁକ୍ତ ମନେହୁଏ |କାରଣ ସୁଧନ୍ୟା ସବୁବେଳେ ସମସ୍ୟାର ମୂଳ କଥାକୁ ଦେଖେ ଓ ସକରାତ୍ମକ ଦୃଷ୍ଟିକୋଣରୁ ବିଚାର କରେ |ଅସ୍ମିତ ଘଟଣାର ଆଲୋକିତ ଦିଗଟି କୁ ଦେଖେ,ଅନ୍ଧାର ଦିଗକୁ ଭୁଲିଯାଏ |ଶ୍ୟାମବାବୁ  ଯେତେବେଳେ ସୁଧନ୍ୟା ସପକ୍ଷରେ ତାଂକ ରାୟ ଶୁଣାନ୍ତି,ଅସ୍ମିତ ଅଭିମାନ କରେ,କହେ ,ଡାଡି ତାକୁ ସୁହାଇଲା ଭଳି କଥା କହୁଛନ୍ତି |କିନ୍ତୁ ପରେ ସୁଧନ୍ୟା କଥାକୁ ତର୍ଜମା କରି ତାହା ଠିକ ବୋଲି ହୃଦୟଂଗମ କରେ |
                        ଅସ୍ମିତ ର ଜୀବନର ଲକ୍ଷ୍ୟ ଥିଲା ଆଇ.ଏ.ଏସ.ହେବା |ସେଥିପାଇଁ ସେ କଲେଜ ସ୍ତରରୁ ନିଜକୁ ପ୍ରସ୍ତୁତ କରୁଥିଲା |ଫିଜିକସ୍ ରେ ସ୍ନାତକୋତ୍ତର କରିବା ପରେ ସେ ଦିଲ୍ଲୀ ଚାଲିଗଲା |ସୁଧନ୍ୟା ର ଲକ୍ଷ୍ୟ ଥିଲା,ଇଂଜିନିୟର ହେବା |ଇଂଜିନିୟରିଂ ଶେଷ କରିବା ପରେ  ସେ ଏକ ଭଲ କମ୍ପାନୀରେ ବମ୍ବେ ରେ ନିଯୁକ୍ତି ପାଇଲା |ଏଣେ ଅସ୍ମିତ ପ୍ରଥମ ଥର ଲିଖିତ ପରୀକ୍ଷାରେ କଟିଗଲା,ଦ୍ଵିତୀୟ  ଥର ମୌଖିକ ରେ କଟିଗଲା |ତୃତୀୟ ଥର ପରୀକ୍ଷା ଦେବାବେଳେ ସେ ବହୁତ ଚାପରେ ଥାଏ |ପରୀକ୍ଷା ଦେବା ପୂର୍ବରୁ ସେ ସୁଧନ୍ୟା କୁ ଫୋନ୍ କରି କହିଲା,ଧନୁ,ତମେ ଅମୁକ ଦିନ ଘରକୁ ଆସିବ,ତମ ସାଂଗେ କିଛି କଥା ଅଛି |ଅସ୍ମିତ ତା ଜୀବନର ସବୁ ସମସ୍ୟାରେ ସୁଧନ୍ୟା ର ସହଯୋଗ ଲୋଡୁଥିଲା |ତାର ବିଶ୍ୱାସ  ଥିଲା,ସୁଧନ୍ୟା ଯାହା କହିବ,ତାହା ତା ପାଇଁ ଠିକ ହେବ |ଏଥରକ ଅସ୍ମିତ କହିଲା,ଧନୁ,ମୋ ନିଜ ଉପରୁ ଆତ୍ମବିଶ୍ୱାସ  କ୍ରମେ କମି ଯାଉଛି |ତମେ ଟିକେ ମୋ ପାଇଁ ଠାକୁରଂକୁ ଡାକି ପାରିବ?ମୋର ବିଶ୍ୱାସ ,ଠାକୁର ନିଶ୍ଚୟ ତୁମ କଥା ଶୁଣିବେ |ସୁଧନ୍ୟା କହିଲା,ଠାକୁର ତୁମ ଭିତରେ ଅଛନ୍ତି,ତୁମେ ଅନୁଭବ କରି ନ ପାରି ଏଣେତେଣେ ଖୋଜୁଛ |ଆମ ଭିତରେ ଥିବା ନିଃଶ୍ୱାସ  ହିଁ ପ୍ରକୃତ  ଭଗବାନ |ସେ  ଯେତେବେଳ ଯାଏଁ ଆମ ଶରୀରରେ ରହିଥାନ୍ତି,ଆମେ ଜୀବିତ ରହିଥାଉ,ଦେହରେ ଗୋଡ ବାଜିଗଲେ ଆମେ 'ବିଷ୍ଣୁ' କହି ମୁଣ୍ଡିଆ ମାରୁ |ପୁଣି ସେ  ଯେତେବେଳେ ଶରୀର ଛାଡି ଚାଲିଯାନ୍ତି,ସେତେବେଳେ ଆମ ଶରୀର ଶବ ପାଲଟି ଯାଏ ,ଆମେ ହୋଇଯାଉ ଅସ୍ପୃଶ୍ୟ |ତୁମର କାମ ହେଲା,ଏହି ନିଃଶ୍ୱାସ  ରୂପୀ ଈଶ୍ୱରଙ୍କ  ଉପରେ ତମର ଧ୍ୟାନ କେନ୍ଦ୍ରିଭୁତ କରିବ,ଆଉ ତମର ମନକୁ ଦୁଇ ଭୃଲତା ମଝିରେ ରଖି ପାଠରେ ମନ ଦେବ |ତାପରେ ଦେଖିବ,ସଫଳତା ତୁମ ହାତ ମୁଠାରେ |ଅସ୍ମିତ ବୁଝିଗଲା |ପିତାମାତାଂକ ଆଶୀର୍ବାଦ ନେଇ ସେ ସିଧା ଚାଲିଗଲା ଦିଲ୍ଲୀ |ଏଥରକ ପ୍ରକୃତରେ  ସଫଳତା ତାର ହାତମୁଠା ରେ ଥିଲା |ସେ ଖୁସି ହୋଇ ପ୍ରଥମେ ଫୋନ୍ କଲା ସୁଧନ୍ୟାକୁ |କହିଲା,ଧନୁ,ଏସବୁ ର ହକଦାର୍ କେବଳ ତମେ |ସୁଧନ୍ୟା ସ୍ୱାଭାବିକ  ଭାବେ କହିଲା,ଏମିତି ବେକାର କଥା ମନକୁ ଆଣନି |ତୁମର ଅଧ୍ୟବସାୟ,ପିତାମାତାଂକ ଆଶୀର୍ବାଦ ଓ ତୁମ ଅନ୍ତର ମଧ୍ୟରେ ଥିବା ଈଶ୍ୱରଙ୍କ  କୃପା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି |ତୁମେ ସେମାନଂକୁ ନିଜର କୃତଜ୍ଞତା ଜଣାଅ |ତେବେ ବେଷ୍ଟ ଅଫ ଲକ୍ ,ତୁମେ ଜୀବନର ଉନ୍ନତି ପଥରେ ଆହୁରି ଆଗକୁ ଯାଅ |
                       ଏମିତି ଆନନ୍ଦ ଉଲ୍ଲାସରେ କିଛିଦିନ କଟିଗଲା |ଅସ୍ମିତ ତାର ନୂତନ ନିଯୁକ୍ତି ସ୍ଥଳରେ ଯୋଗ ଦେଲା |ଏହାପରେ ଅସ୍ମିତ ପାଲଟିଗଲା ଆଉ ଗୋଟିଏ ନୂତନ ଅସ୍ମିତ |ଆଇ.ଏ.ଏସ.ପଦ ମର୍ଯାଦା ତା ମନରେ ଅହଂକାର ଭରିଦେଲା |ଅନ୍ୟ ସହକର୍ମୀଂକ ପତ୍ନୀଂକ ସହ ସୁଧନ୍ୟା କୁ ତୁଳନା କରି ଦେଖିଲା,ସେ ସେମାନଂକ ଠାରୁ ବହୁତ ପଛରେ |କାଳେ ସୁଧନ୍ୟା ତାକୁ ବିବାହ ପାଇଁ ବାଧ୍ୟ କରିବ,ଏହି ଭୟରେ ସେ ଧୀରେ ଧୀରେ ତାର ଫୋନ୍ ରିସିଭ୍ କରିବା ବନ୍ଦ କରିଦେଲା |ଏପଟେ ଶ୍ୟାମବାବୁ ଓ ପଦ୍ମିନୀ ପୁଅ ର ମତିଗତି ବିଷୟରେ ଅଜ୍ଞ ଥାଇ ତାକୁ ସୁଧନ୍ୟା ସହିତ ତାର ବାହାଘର ତାରିଖ ପଚାରିବାରେ ଲାଗିଲେ |ଶେଷରେ ଦିନେ ବିରକ୍ତ ହୋଇ ଅସ୍ମିତ ତାର ନିଷ୍ପତ୍ତି ଶୁଣାଇ ଦେଲା,ସେ ସେଇ କାଳୀ ଝିଅ କୁ ବାହା ହେବ ନାହିଁ |ଶ୍ୟାମବାବୁଂକ ମୁଣ୍ଡରେ ଯେପରି ବଜ୍ରପାତ ହେଲା |ସେ କେମିତି ଏକଥା ବିଶାଳ ଓ ପଦ୍ମିନୀଂକୁ କହିବେ ସେକଥା ସେ ଜାଣିପାରିଲେ ନାହିଁ |ଏଣେ ସେକଥା ସେମାନଂକୁ ନ ଜଣାଇଲେ ବି ଭୁଲ,ସେମାନେ ଆଶା କରି ବସିଥିବେ |ଅନେକ ବିଚାରବିମର୍ଷ ପରେ ପଦ୍ମିନୀ କହିଲେ,ସେ ନିଜେ ସେକଥା ପଲ୍ଲବୀଂକୁ ଜଣାଇବେ |କିନ୍ତୁ ପଦ୍ମିନୀଂକୁ ବିଶେଷ କଷ୍ଟ କରିବାକୁ ପଡିଲାନି |ବିଶାଳ ଓ ପଲ୍ଲବୀ ଏ କଥା ଜାଣିଥିଲେ |ସୁଧନ୍ୟା ସେମାନଂକୁ ଏ ବିଷୟରେ ଜଣାଇ ଥିଲା |ବିଶାଳ କହିଲେ,ପୁଅ ରାଜି ନ ହେଲେ ଆପଣଙ୍କ ଦୋଷ କଅଣ ?ହେଲେ ଏଥିପାଇଁ ଆମର ଦୀର୍ଘ ଦିନର ପାରିବାରିକ ବନ୍ଧୁତା ଭାଂଗି ଯାଉ ବୋଲି ଆମେ ଚାହୁଁନା |ପୁଅ ଯେଉଁଠି ବାହା ହେବାକୁ ଚାହୁଁଛି,ସେଇଠି ହିଁ ଆପଣ ତାର ବାହାଘର କରନ୍ତୁ |ଯେତେବେଳେ ଯେଉଁଠି ଆମର ସାହାଯ୍ୟ ସହଯୋଗ ଦରକାର ହେବ,ଆପଣ ବିନା ଦ୍ବିଧାରେ ଆମକୁ ଜଣାଇବେ |ପଦ୍ମିନୀଂକ ମୁଣ୍ଡ ଉପରୁ ବୋଝ ଖସିଗଲା ସତ,ହେଲେ ସୁଧନ୍ୟା ପରି ବୋହୂ ଓ ବିଶାଳ,ପଲ୍ଲବୀଂକ ପରି ସମୁଦୀ,ସମୁଦୁଣୀ ପାଇବାରୁ ବଂଚିତ ହୋଇ ଥିବାରୁ ତାଂକ ମନ ଦୁଃଖରେ ଭାଂଗି ପଡିଲା |
                     ଆଇ.ଏ.ଏସ. ପାଇବା ପରେ ଅସ୍ମିତ କୁ ଲାଗୁଥିଲା ,ସତେକି ତାକୁ ସ୍ୱର୍ଗର  ଇନ୍ଦ୍ର ପଦ ମିଳି ଯାଇଛି |ପ୍ରତିଦିନ ତା ପାଖକୁ ଶହ ଶହ ଶୁଭେଚ୍ଛା ଆସୁଥିଲା |ତା ସହିତ ତାଳ ଦେଇ ଶହ ଶହ ବିବାହ ପ୍ରସ୍ତାବ ମଧ୍ୟ ଆସୁଥିଲା |ତନ୍ମଧ୍ୟରୁ କାହାକୁ ହଁ କହିବେ,କାହାକୁ ନାଁ କହିବେ,ଶ୍ୟାମବାବୁ ଓ ପଦ୍ମିନୀଂକ ପାଇଁ ବଡ ସମସ୍ୟା ଥିଲା |ଏଣୁ ସେମାନେ ଝିଅ ଚୟନ ଭାର ଅସ୍ମିତ ଉପରେ ଛାଡି ଦେଇ ନିଶ୍ଚିନ୍ତ ହୋଇ ବସିଲେ |ଅସ୍ମିତ ବର୍ଷେ କାଳ ବାଛି ବାଛି ଶେଷରେ  ସୁନା ଖଡିକା ପରି ଝିଅଟିଏ ପସନ୍ଦ କଲା |ସେ ଇଂଗ୍ଲିଶ ଏମ.ଏ. କରୁଥିଲା |ପାରିବାରିକ ମର୍ଯ୍ୟାଦା ସେମାନଂକ ଠାରୁ ଢେର ଉଚ୍ଚରେ ଥିଲା  |ସୁଧନ୍ୟା ସହ ସେ ଝିଅ କୁ ତୁଳନା କରି ସେ ମନେ ମନେ ପୁଲକିତ ହେଉଥିଲା ଆଉ ଭାବୁଥିଲା,"କାହିଁ ରାଣୀ କାହିଁ ଚନ୍ଦ୍ର କାଣି' |
                    ଏହା ଭିତରେ ସୁଧନ୍ୟା ନିଷ୍ପତ୍ତି ନେଇଥିଲା,ସେ ଆଇ.ଏ.ଏସ.ପରୀକ୍ଷା ଦେବ |ସେଥିପାଇଁ ସେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା |ତା ସତ୍ତ୍ୱେ  ସେ ଅସ୍ମିତ ବାହାଘରରେ ଯୋଗ ଦେଇଥିଲା |ଏମିତିକି ବାହାଘର ଜିନିଷ କିଣାକିଣି ରେ ପଦ୍ମିନୀଂକୁ ସାହାଯ୍ୟ କରିଥିଲା |ଅସ୍ମିତ ଭାବିଥିଲା,ସୁଧନ୍ୟା ରିସେପସନ କୁ ଆସିବନି |କିନ୍ତୁ ତା ଧାରଣାକୁ ଭୁଲ  ପ୍ରମାଣିତ କରି ସୁଧନ୍ୟା ଆସିଲା |ସେ ସେଦିନ ପରୀ  ଭଳି ଦେଖାଯାଉ ଥିଲା |ତାର ପାନପତ୍ର ମୁହଁରେ ସେଇ ଚିରାଚରିତ ଲକ୍ଷେ ଟଂକିଆ ହସ ତାର ଆକର୍ଷଣୀୟ ଚେହେରା କୁ ଦ୍ଵିଗୁଣିତ  କରିଥିଲା |   ନ ଜାଣିବା ଲୋକ ତାକୁ  ମଡେଲ୍ ବୋଲି ଭାବି ଭ୍ରମ କରି ବସୁଥିଲେ | ସୁଧନ୍ୟା କୁ ଦେଖି ଅସ୍ମିତ ମନରେ ଖଟକା ଲାଗୁଥିଲା |ତାର ଅନ୍ତର ମଧ୍ୟରେ ସେ ହୁଏତ ଚାହୁଁଥିଲା,ବୋହୁକୁ ଦେଖି ସୁଧନ୍ୟା ଇର୍ଷାରେ ଜଳି ଯାଉ ଓ କିଛି ଏଣୁ ତେଣୁ ମନ୍ତବ୍ୟ ଦେଉ ଯାହା ଦ୍ୱାରା  ସେ ତାର ପସନ୍ଦ ବିଷୟରେ ଦୃଢ ନିଶ୍ଚିତ ହେବ |କିନ୍ତୁ ସୁଧନ୍ୟା ସବୁଦିନ ପରି ସେଦିନ ମଧ୍ୟ ସ୍ୱାଭାବିକ  ଥିଲା |ତାର ଆଚରଣ ରେ ସେ ଟିକିଏ ବି ବ୍ୟତିକ୍ରମ ଦେଖିବାକୁ ନ ପାଇ ତାର ମନ ଦୁଃଖ ହୋଇଯାଇଥିଲା  |
                   ବାହାଘର ଚାରିମାସ ନ ପୁରୁଣୁ ଅସ୍ମିତ ର ମନେହେଲା ସେ ବିବାହ କରି ଠକି ଯାଇଛି |ସ୍ତ୍ରୀ ତମନ୍ନା ସୁନ୍ଦରୀ,ଶିକ୍ଷିତା ଓ ଆଜ୍ଞାକାରିଣୀ ଥିବା ସତ୍ତ୍ୱେ  ଅସ୍ମିତ ଭାବୁଥିଲା,ସେ ଅନ୍ୟ ଝିଅମାନଂକ ପରି ଅତି ସାଧାରଣ,ଏକ ଚାବିଦିଆ କଣ୍ଢେଇ | ଅନ୍ୟ ଝିଅଂକ ପରି ତାର ମଧ୍ୟ ଶାଢୀ ,ଗହଣା ରେ ଲୋଭ ଅଛି  |ତାଠାରେ ସୁଧନ୍ୟା ପରି ଚାହାଣୀ ନାହିଁ,ଭର୍ସନା କରିବାର କୌଶଳ ନାହିଁ କିମ୍ବା  ପ୍ରେରଣାର ଉତ୍ସ ମଧ୍ୟ  ନାହିଁ,ଯେଉଁଥିପାଇଁ ଦିନେ  ତାର ଆଇ.ଏ.ଏସ.ହେବାର ସ୍ୱପ୍ନ  ପୂରଣ ହୋଇ ପାରିଥିଲା |କ୍ରମେ ତାକୁ ତମନ୍ନା ର କଥାବାର୍ତ୍ତା,ଚାଲିଚଳନ,ସବୁକିଛି ଖରାପ ଲାଗିଲା ଓ ସେ ସୁଧନ୍ୟା ର ଭଲଗୁଣକୁ ମନେ ମନେ ଝୁରି ହେଲା |ଦିନେ ଘରୁ ପଦ୍ମିନୀଂକ ଫୋନ ଆସିଲା |ସେ ଖୁସିରେ ଫାଟି ପଡି କହୁଥିଲେ,ଅଂଶୁ,ଜାଣିଛୁ,ଧନୁ ଆମର ଆଇ.ଏ.ଏସ.ପାଇଛି ଆଉ ସେ ପ୍ରଥମ ଦଶ ଜଣଂକ ଭିତରେ ଅଛି |ଏବେ ଟି.ଭି.ନ୍ୟୁଜ୍ ରେ କହୁଛି |ତୁ ଦେଖିବୁ ତ !ଅସ୍ମିତ ଚକିତ ହୋଇଗଲା |ଏତେବଡ ଖବର ସେ କେମିତି ଜାଣି ପାରିଲା ନାହିଁ?ମୋଟ ଉପରେ ସୁଧନ୍ୟା ଆଇ.ଏ.ଏସ.ପରୀକ୍ଷା ଦେଉଛି ବୋଲି ମଧ୍ୟ ସେ ଜାଣି ନ ଥିଲା | ସୁଧନ୍ୟା କୁ ଅଭିନନ୍ଦନ ଜଣାଇବା ପାଇଁ ଇଚ୍ଛା କରି ତାର ହାତ ବାରମ୍ବାର ମୋବାଇଲ ବଟନ ଉପରକୁ ଯାଇ ଫେରି ଆସିଲା ||ତାର ମନେ ପଡିଲା ,ଯେତେବେଳେ ସୁଧନ୍ୟା ତାକୁ ଫୋନ୍ କରୁଥିଲା,ଆଉ ସେ ତାକୁ ରିସିଭ୍ ନ କରି କାଟି ଦେଉଥିଲା |ଗୋଟି ଗୋଟି କରି ଅତୀତ ଦିନ ର କଥା ତାର ବହୁତ ମନେ ପଡିଲା |ସେ ଜାଣି ପାରିଲା ,ନିଷ୍ପତ୍ତି ନେବାରେ ବଡ ଭୁଲ କରି ପକାଇଛି |ତଥାପି ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରି ସେ ଦୁଇଦିନ ପରେ ସୁଧନ୍ୟା କୁ ଫୋନ୍ କରି ଅଭିନନ୍ଦନ ଜଣାଇଲା |କହିଲା,ଧନୁ,ତମେ ମୋପାଇଁ ପ୍ରେରଣାଦାୟିନୀ ଥିଲ |ନିଜ ଭୁଲରୁ ମୁଁ ତୁମକୁ ହଜାଇ ଦେଇଛି |ମରୁଦ୍ୟାନ ଭାବି ଯାହା ପଛରେ ଦୌଡିଥିଲି,ନିକଟକୁ ଯାଇ ଦେଖିଲି,ତାହା ମରୀଚିକା |ଏବେ ମୁଁ ମୋ ଭୁଲ ର ସଂଶୋଧନ କରିବାକୁ ଚାହୁଁଛି |ତମେ କୁହ ତାହା କେମିତି ସମ୍ଭବ ହୋଇ ପାରିବ ?ସୁଧନ୍ୟା ଧୀର ସ୍ୱରରେ  କହିଲା,ଦେଖ,ତମେ ଭୁଲ କରିଛ କି ଠିକ କରିଛ ମୁଁ ଜାଣିନି |କିନ୍ତୁ ତମେ ଯାହା କରିଛ,ଠିକ କରିଛ ଭାବି ଆଗେଇ ଯାଅ |ତା ନହେଲେ ଠିକ ଠାକ୍ ଥିବା ତୁମ ପଦବୀ କେଉଁଦିନ ଭୁଲ ଭାଲ୍ ହୋଇ ତୁମ ପାଖରୁ ଦୂରେଇ ଯିବ ତମେ ଜାଣି ପାରିବ ନାହିଁ  |ସେତେବେଳେ ଭ୍ରମ ସଂଶୋଧନ କରିବା ତମ ପାଇଁ ହୁଏତ କଷ୍ଟକର ହୋଇ ପଡିବ |
                   ଅସ୍ମିତ କିନ୍ତୁ ମାନିବା ପିଲା ନଥିଲା |ସେ ଅକାରଣ ରେ ବାରମ୍ବାର ସୁଧନ୍ୟା କୁ ଫୋନ କରି ବ୍ୟସ୍ତ ବିବ୍ରତ କରି ଦେଲା |ସୁଧନ୍ୟା ଦିନେ  ପଦ୍ମିନୀଂକ ପାଖକୁ ଯାଇ ଏକଥା ଜଣାଇଲା |ସବୁ ଶୁଣି ପଦ୍ମିନୀଂକୁ ବହୁତ ଖରାପ ଲାଗିଲା |ସେଦିନ ଅସ୍ମିତ ଘରକୁ ଫେରିବା ପରେ ସେ ତାକୁ କହିଲେ,ତୋ ମନରେ ଯଦି ଏତେ କଥା ଥିଲା,ତୁ ଧନୁକୁ ବାହା ନ ହୋଇ ଏତେ ପାଲା କରୁଥିଲୁ କାହିଁକି ?ଆମେ ତତେ ସେତେବେଳେ ଏତେ ବୁଝାଉ ଥିଲୁ ,ତୁ ବୁଝିଲୁନି |ଏବେ କେମିତି ତତେ ସେ ଭଲ ଲାଗୁଛି |ଲାଜ ଲାଗୁନି ?ତୋର ସାମାଜିକ ମର୍ଯ୍ୟାଦା ଅଛି ନାଁ ସେସବୁ ଭୁଲି ଗଲୁଣି ?ଅସ୍ମିତ ରାଗିଯାଇ କହିଲା,ଯାହାକୁ ବାହା ହେବା କଥା ମୁଁ ତାକୁ ବାହା ହୋଇଛି |ଧନୁ ମୋର କାରିଅର ପାର୍ଟନର ,ତାକୁ ମୁଁ ଆଦୌ ଛାଡି ପାରିବିନି |ଏମିତି ବି ସମସ୍ତେ ଜାଣିଛନ୍ତି,ତା ସାଂଗେ ମୋର ସମ୍ପର୍କ ଥିଲା ବୋଲି |ତାକୁ ଆଉ କିଏ ବାହା ହେବ ?ପଦ୍ମିନୀ କହିଲେ,ତୁ ଆଇ.ଏ.ଏସ. ପାଇ ପ୍ରଶାସକ ହୋଇଛୁ ,କିନ୍ତୁ ତୋ ଚିନ୍ତାଧାରା ଏତେ ନୀଚ ସ୍ତରର ?ତତେ କିଏ ଏ ପଦବୀ ଦେଲା ?ଲୋକେ ବିଧବା,ପତି ପରିତ୍ୟକ୍ତା ,ଏମିତି କି ବଳାତ୍କାର ର ଶୀକାର ହୋଇଥିବା ଝିଅକୁ ବାହା ହେଉଛନ୍ତି,ଧନୁ ତୋର ପିଲାଦିନ ର ସାଂଗ ,ତାକୁ ଆମ ଘର ର ବୋହୂ କରିବା ପାଇଁ ମନସ୍ଥ କରିଥିଲୁ ବୋଲି କଣ ଏତେ ବଡ ପାପ ହୋଇଗଲା ?ଏବେ ବି ସମୟ ଅଛି ସୁଧୁରି ଯାଆ ,ନ ହେଲେ ପସ୍ତେଇବୁ |ଅସ୍ମିତ ପଦ୍ମିନୀଂକ ମୁହଁ ରୁ ଏପରି କଡା କଥା ଶୁଣିବ ବୋଲି ଆଶା କରି ନ ଥିଲା |ସେ ବିରକ୍ତ ହୋଇ କହିଲା,ଭଲ ମନ୍ଦ କଣ ମୁଁ ଭଲ ଭାବେ ଜାଣେ,ମୋ କଥାରେ ତମେ ମୁଣ୍ଡ ପୁରାଇବା ଦରକାର ନାହିଁ |
                 ଏତେ ସବୁ ପରେ ବି ସେ ତାର ସ୍ଵଭାଵ  ବଦଳାଇଲା ନାହିଁ |ନୀଳିମା ନାମରେ ସୁଧନ୍ୟା ର ଏକ ଅନ୍ତରଂଗ ବାନ୍ଧବୀ ଥିଲା |ସିଏ ସବୁକଥା ଜାଣିଥିଲା |ସେ ବି ଚାହୁଁଥିଲା ,ବିନା ଗଣ୍ଡଗୋଳ ରେ ଏହି ସମସ୍ୟାର ସମାଧାନ କିପରି ହୋଇ ପାରିବ |ଦିନେ ତାର ଭାଇ ପରେଶଙ୍କୁ ଏକଥା କହିବାରୁ ସେ  କହିଲେ,ଏହାର ସମାଧାନ ଅତି ସହଜ |ନୀଳିମା ପଚାରିଲା କେମିତି ?ସେ କହିଲେ,ସୁଧନ୍ୟା ଯେତେ ଶୀଘ୍ର ବାହା ହୋଇଯିବ,ସେତେ ଶୀଘ୍ର ଏହାର ସମାଧାନ ସମ୍ଭବ |ନୀଳିମା ପଚାରିଲା,କିନ୍ତୁ ସେ ଲୋକଟି କିଏ ?ପରେଶ ହସି ଦେଇ କହିଲେ,ସେ ଲୋକଟି ମୁଁ ,ସୁଧନ୍ୟା ରାଜି ହେବନି ?ପରେଶଂକ ଉତ୍ତର ରେ ନୀଳିମା ଆଶ୍ଚର୍ଯ୍ୟ ହୋଇଗଲା ,କହିଲା,ୟେ ପରିହାସ ନୁହେଁ ତ ?ପରେଶ କହିଲେ,ଏସବୁ କଥାରେ ପରିହାସ କରା ଯାଏନାହିଁ |ସୁଧନ୍ୟା ପରି ଝିଅ ଭାଗ୍ୟରେ ଥିଲେ ମିଳେ |ତୁ ସୁଧନ୍ୟା କୁ ପଚାର |ସୁଧନ୍ୟା ଜାଣି ପାରୁ ନଥିଲା କଣ ନିଷ୍ପତ୍ତି ନେବ |ସେ ଏ ବିଷୟରେ  ଭାବିବା ପାଇଁ ମାସେ ସମୟ ନେଲା |ବହୁତ ଭାବିଚିନ୍ତି ସେ ଏ ପ୍ରସ୍ତାବ ରେ ରାଜି ଅଛି ବୋଲି ନୀଳିମା କୁ ଜଣାଇ ଦେଲା |ଏକ ନିରାଡମ୍ବର ଉତ୍ସବରେ ଦୁହିଁକର ବିବାହ ହୋଇଗଲା |ପରେଶ ମଧ୍ୟ ଆଇ.ଏ.ଏସ .ଥିଲେ |ସୁଧନ୍ୟାର ବିବାହ ଖବର ଶୁଣି ଅସ୍ମିତ ଆଶ୍ଚର୍ଯ୍ୟ ଚକିତ ହୋଇଗଲା |ତାର ଆହୁରି ଗାତ୍ରଦାହ  ହେଲା,ଯେତେବେଳେ ସେ ଜାଣିବାକୁ ପାଇଲା,ସୁଧନ୍ୟାର ସ୍ୱାମୀ ତାର ଉପରିସ୍ଥ ଅଫିସର |ତାର ଲାଗୁଥିଲା ,ସେ ଜୀବନ ଯୁଦ୍ଧ ରେ ଭୟଙ୍କର ଭାବରେ ହାରି ଯାଇଛି ;ଦିନେ ଯାହାକୁ ସେ କାଳୀ ଝିଅ କହି ରିଜେକ୍ଟ କରି ଦେଇଥିଲା , ସେ ଆଜି  ତାକୁ କାହିଁ କେତେ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରି ନେଇଛି   !!!
                                ଏହାର କିଛିଦିନ ପରେ ଖବର ମିଳିଲା,ଅସ୍ମିତ ତାର ଅଫିସ ଗେଷ୍ଟହାଉସରେ ରଶି ଲଗାଇ ଆତ୍ମହତ୍ୟା କରିଛି |ତାର ଆତ୍ମହତ୍ୟାର  କାରଣ ସମ୍ପର୍କରେ ସେ କୌଣସି ନୋଟ ଛାଡ଼ିଯାଇ ନଥିଲା |ପୋଲିସ ଆସି ତନାଘନା କଲା |ଏ ବିଷୟରେ ସୁଧନ୍ୟା କୁ ମଧ୍ୟ ପଚରା ଉଚୁରା କରାଗଲା  |ସୁଧନ୍ୟା ପାଇଁ ଏହା ଅତ୍ୟନ୍ତ ସଂକଟଜନକ ସମୟ ଥିଲା |କିନ୍ତୁ ଏତିକିବେଳେ ଅସ୍ମିତ ର ବିଧବା ପତ୍ନୀ ତା ପାଇଁ ରକ୍ଷାକବଚ ସାଜି ଆଗେଇ ଆସିଲା |ସେ ପୋଲିସ କୁ ଲିଖିତ ଷ୍ଟେଟମେଣ୍ଟ ଦେଇ କହିଲା,ମୁଁ ଅସ୍ମିତଙ୍କ ସଙ୍ଗେ ଦୀର୍ଘ ଦିନ ଚଳି ଜାଣିଛି ଯେ ସେ ଏକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଥିଲେ | ତାଙ୍କ ନିଜ ବୋକାମୀ ର ଶୀକାର ହୋଇ ସେ ଆତ୍ମହତ୍ୟା ପରି ଏକ ଘୃଣିତ ପଦକ୍ଷେପକୁ ବାଛି ନେଲେ |ଏଥିପାଇଁ କେବଳ ସେ ନିଜେ ହିଁ ଦାୟୀ |ମମତା ମହାନ୍ତି |
               

Friday, September 2, 2016

ବିଶ୍ଵାସ

               ସୁପ୍ରିୟା ପିଲାଟି ଦିନରୁ ଅତ୍ୟନ୍ତ ଧର୍ମବିଶ୍ୱାସୀ  ଥିଲା |ବୋଉ ମାଳବିକା ବାର ମାସରେ ତେର ବ୍ରତ,ଉପାସ କରନ୍ତି |ସେ  ଯେତେବେଳେ ଠାକୁର ପୂଜା କରନ୍ତି,ସୁପ୍ରିୟା  ମନ ଧ୍ୟାନ ଦେଇ ସବୁ ଲକ୍ଷ୍ୟ କରେ ଓ ତାକୁ ମନେ ରଖେ |ଧୀରେ ଧୀରେ ଜ୍ଞାନ ହେବା ପରେ ବୋଉଙ୍କ ସହ  ମିଶି ସେ ମଧ୍ୟ ସେହି ପୂଜା,ଉପବାସ କରିବାକୁ ଲାଗିଲା |ବରଂ ତାଙ୍କ  ଠାରୁ ଆହୁରି ପାଦେ ଆଗେଇ ଯାଇ ଅଧିକ କଷ୍ଟକର ଉପବାସ କରିବାକୁ ଲାଗିଲା |ସେ ଥିଲା ହର ପାର୍ବତୀଙ୍କର  ପରମ ଭକ୍ତ |ଈଶ୍ୱରଙ୍କ  ଉପରେ ତାର ପ୍ରଗାଢ଼ ବିଶ୍ୱାସ  ଥିଲା |ବିଶ୍ୱାସ  ରହିବାର କାରଣ ମଧ୍ୟ ଥିଲା |ତା ଜୀବନରେ ଘଟଣା ଗୁଡିକ ଏପରି ଚମତ୍କାର ଭାବରେ ଘଟିଥିଲା ଯେ,କେବଳ ସେ ନୁହେଁ,ତାକୁ ଜାଣିଥିବା ସମସ୍ତ ଲୋକ ବିଶ୍ୱାସ  କରିବାକୁ ବାଧ୍ୟ ହୁଅନ୍ତି ଯେ,ତା ପ୍ରତି ଈଶ୍ୱରଙ୍କ  ଆଶୀର୍ବାଦ ରହିଛି ଓ  ଈଶ୍ଵର ତା ଡାକ ଶୁଣନ୍ତି |
             ମାଳବିକା କହନ୍ତି,ସେ ଯେତେବେଳେ ଜନ୍ମ ହେଲା, ସେଦିନ ଗୁରୁବାର,ରାତି ଗୋଟାଏ |ନିଦ ବାଉଳାରେ ଧାଈ ଆସି   ଡେଲିଭରି କରାଇ କେମିତି କଣ ସୁପ୍ରିୟାର ନାଭି କାଟିଲା ଯେ, ନାଭିରୁ ପ୍ରବଳ ରକ୍ତସ୍ରାବ ହେଉଥିଲା | ସେଥିପ୍ରତି ଧ୍ୟାନ ନ ଦେଇ,ସେ ତର ତର ହୋଇ ଘରକୁ ଚାଲି ଯାଇଥିଲା |ସେତେବେଳେ ମାଳବିକା ଗୁରୁତର ଅସୁସ୍ଥ ହୋଇ ଅଚେତନ ହୋଇ ଯାଇଥିଲେ |ପାଖରେ ଶୋଇଥିବା ମାଳବିକାଙ୍କ  ମା ଦିନ ଯାକର ଅଶେଷ କ୍ଲାନ୍ତି ପରେ ଗଡ ପଡ ହେଉ ହେଉ ଆଖି ଲାଗି ଯାଇ ଥାଏ |ହଠାତ୍ ସ୍ୱପ୍ନରେ  ବଡ ସିନ୍ଦୂର ଟୋପା ଲଗାଇ ଥିବା ଜଣେ  ସ୍ତ୍ରୀ ଲୋକ ଆସି ତାଙ୍କୁ  କହିଲେ,ତୁ କଣ ମଜାରେ ଶୋଇଛୁ,ମା,ଝିଅ ଏଣେ ମରିବାକୁ ବସିଲେଣି,ଶୀଘ୍ର ସେମାନଙ୍କୁ  ଡାକ୍ତରଖାନା ନେଇଯା |ମାଳବିକାଙ୍କ  ମାଆ ଧଡ ପଡ ହୋଇ ଉଠି ଦେଖିଲେ,ଅବସ୍ଥା ସଙ୍ଗୀନ  |ସେ ପାଖ ରୁମରେ  ଶୋଇଥିବା ଜ୍ୱାଇଁ  ଶୁଭେନ୍ଦୁଙ୍କୁ  ଉଠାଇଲେ |ସଙ୍ଗେ ସଙ୍ଗେ  ଡାକ୍ତରଖାନା ନେଇ ଯିବାରୁ ସୁପ୍ରିୟା ବଞ୍ଚିଗଲା |ଆଈ ସେଦିନ ର କଥା ବର୍ଣ୍ଣନା  କରି କହନ୍ତି,ସେଦିନ ସାକ୍ଷାତ ମା' ମଙ୍ଗଳା  ଆସି ସ୍ୱପ୍ନରେ  ଦେଖାଦେଇ ତାଙ୍କୁ  ଉଠାଇଲେ,ନ ହେଲେ କଥା ସରିଥିଲା |ସୁପ୍ରିୟା ଆଈଙ୍କ  କଥା ବିଶ୍ୱାସ  କରେ |ସେ ମଧ୍ୟ ମା' ମଙ୍ଗଳାଙ୍କର  ତା ପ୍ରତି ଆଶୀର୍ବାଦ ରହିଥିବା କଥା ବିଶ୍ୱାସ କରେ  |ସୁପ୍ରିୟା ଜନ୍ମ ବେଳେ ଶୁଭେନ୍ଦୁଙ୍କର  କଳାହାଣ୍ଡି ରେ ପୋଷ୍ଟିଂ ହୋଇଥିଲା |ସେ ସେଠାରୁ ଉପକୁଳବର୍ତ୍ତୀ ଏରିଆ କୁ ଟ୍ରାନ୍ସଫର ହୋଇ ଆସିବା ପାଇଁ ବହୁତ ଚେଷ୍ଟା କରୁଥିଲେ |କିନ୍ତୁ ତାଙ୍କର କୌଣସି ଚେଷ୍ଟା ସଫଳ ହୋଇ ପାରୁ ନ ଥିଲା |ସୁପ୍ରିୟା ଜନ୍ମ ହେବାର ତିନି ମାସ ଭିତରେ ଏକ ନାଟକୀୟ ଘଟଣାକ୍ରମରେ ରାଜଧାନୀ ଭୁବନେଶ୍ୱରକୁ ତାଙ୍କର ଟ୍ରାନ୍ସଫର ହୋଇଗଲା |ସେଥିପାଇଁ ସେ ଭାବନ୍ତି,ସୁପ୍ରିୟା ତାଙ୍କ  ପାଇଁ ଲକ୍ଷ୍ମୀଵନ୍ତ |ସୁପ୍ରିୟା ଥିଲା ଘରର ବଡ ଝିଅ |ତା ତଳେ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ |ଘରେ ତା କଥା ଚୂଡାନ୍ତ ଥିଲା |ତାର ଭାଇ ଭଉଣୀ ମାନେ କଣ ପିନ୍ଧିବେ,କେମିତି ପାଠ ପଢିବେ,କେମିତି ଶାଳୀନତାର ସହ ଅନ୍ୟମାନଂକୁ ବ୍ୟବହାର କରିବେ,ସବୁକିଛି ଥିଲା ତାର ଦାୟିତ୍ତ୍ୱ  |ସେ ପରିଷ୍କାର ପରିଚ୍ଛନ୍ନତାକୁ ସବୁବେଳେ ପ୍ରାଥମିକତା ଦେଉଥିଲା ଓ  କହୁଥିଲା,'ଚାକର ପରି ଖଟିବ,ରାଜା ପରି ଭୋଗ କରିବ'|ତାର ଅର୍ଥ ହେଲା,ପରିଶ୍ରମ କରି ଘରଦ୍ୱାର  ପରିଷ୍କାର ରଖିବ,ସେଇ ସଫା ସୁତୁରା ଘରେ ନିଜେ ଆରାମରେ ରହିବ |ସେଥିପାଇଁ ଶୁଭେନ୍ଦୁଙ୍କ  ଘରକୁ ଦିନର ଯେ କୌଣସି ସମୟରେ ଗଲେ,ସବୁବେଳେ ସୁସଜ୍ଜିତ ଓ ପରିଷ୍କାର,ପରିଚ୍ଛନ୍ନ  ଥିବାର ସମସ୍ତେ ଦେଖନ୍ତି |  ସୁପ୍ରିୟା ପାଠ ପଢାରେ ଟିକିଏ କମ୍ ଥିଲା |କିନ୍ତୁ ଖେଳକୁଦ,ନୃତ୍ୟ,ସଂଗୀତରେ ଥିଲା ଏକଦମ୍ ସୁପର |ଶୃଙ୍ଖଳା ଜ୍ଞାନ ଅଧିକ ଥିବାରୁ ସେ  ଶ୍ରେଣୀରେ ମନିଟର ହୋଇଥିଲା |
              ଶୁଭେନ୍ଦୁଙ୍କ  ଘରେ ଗଣେଶ ପୂଜା,ନବରାତ୍ର ଓ ଶିବରାତ୍ରୀ ଖୁବ ନିଷ୍ଠା ର ସହ ପାଳନ କରାଯାଉଥିଲା  |ଗଣେଶ ପୂଜା ଦିନ ପୁଷ୍ପାଞ୍ଜଳି ଦିଆଯିବା ପୂର୍ବରୁ ଛୋଟରୁ ବଡ ପର୍ଯ୍ୟନ୍ତ କେହି ଜଳ ସ୍ପର୍ଶ କରୁ ନ ଥିଲେ |ନବରାତ୍ରୀ ପୂଜା ସେମାନେ ଚୈତ୍ର ଓ ଆଶ୍ଵିନ ମାସରେ ଦୁଇଥର କରୁଥିଲେ |ନଅ ଦିନ ଯାକ ସୁପ୍ରିୟା ଦିନକୁ ଥରେ ମାତ୍ର ଖାଇ ନବରାତ୍ରୀ ପାଳନ କରୁଥିଲା |ଶିବରାତ୍ରୀ ଉପବାସ କଥା ନ କହିଲେ ଭଲ |ସେଦିନ ନିର୍ଜଳ ଉପବାସ କରି,ସାରା ରାତି ଈଶ୍ୱରଙ୍କ  ପାଖରେ ଜାଗର ଜାଳୁଥିଲା  |ଏସବୁ କରିବା ଭିତରେ ଯଦି କେଉଁଠି କିଛି ବିଘ୍ନ ଘଟୁଥିଲା,ତାହାଲେ ପ୍ରାୟଶ୍ଚିତ କରିବା ପାଇଁ ସେ ଆଉ ଗୋଟିଏ ଦିନ ଖାଡ଼ା ଖାଡା ଉପବାସ ରହୁଥିଲା |ଯିଏ ଯେତେ ମନା କଲେ ବି ସେ କାହାରି କଥା ଶୁଣୁ ନ ଥିଲା |ଈଶ୍ୱରପ୍ରେମ ତା ପାଇଁ ଥିଲା,ସର୍ବୋପରି |
                ବିବାହ ବୟସ ହେବାରୁ ସୁପ୍ରିୟା ପାଇଁ ଅନେକ ପ୍ରସ୍ତାବ ଆସିଲା |ଭଲ ଘର, ଭଲ ବର ଦେଖି ଶୁଭେନ୍ଦୁ ଗୋଟିଏ ଜାଗାରେ ବାହାଘର ପକ୍କା କଲେ |ପିଲାଟିର ନାଁ ସିଦ୍ଧାର୍ଥ |ସେ ଘରର ବଡ଼ ପୁଅ |ତା ତଳେ ଦୁଇ ଭାଇ,ଦୁଇ ଭଉଣୀ |ଦୁର୍ଭାଗ୍ୟବଶତଃ ନିର୍ବନ୍ଧ ଆଉ ଆଠ ଦିନ ଅଛି,ସିଦ୍ଧାର୍ଥର ବଡ ବାପାଂକ ଅକାଳ ବିୟୋଗ ଘଟିଲା |ପୁଅଘର , ସେମାନଙ୍କ  ପାଇଁ  ଝିଅ ଅଶୁଭ କହି ବାହାଘର  ଭାଙ୍ଗିଦେଲେ |ଶୁଭେନ୍ଦୁଙ୍କ  ମନ ଦୁଃଖ ହେଲେ ବି ,ଯାହା ହେଲା ,ଭଲ ହେଲା କହି ମନକୁ ବୁଝାଇ ରହିଲେ |ବର୍ଷକ ପରେ ସିଦ୍ଧାର୍ଥର ବାପା ଅଭିମନ୍ୟୁ ଶୁଭେନ୍ଦୁଙ୍କ  ପାଖକୁ ଆସି ବାହାଘର ଭାଙ୍ଗିଦେଇ ଥିବାରୁ, କ୍ଷମା ମାଗିଲେ ଓ ଖୁବ ଶୀଘ୍ର ବାହାଘର କରିବା ପାଇଁ ଅନୁରୋଧ କଲେ |କଥା ଛଳରେ ସେ କହିଲେ,ଆପଣଙ୍କ ଝିଅ ଦୈବୀ ଅଂଶରେ ଜନ୍ମ ହୋଇଛି ବୋଲି ଆମେ ଜାଣି ନ ଥିଲୁ |ମନ୍ଦିର ଭାଇନା କହିଲେ ,ସେଇ ଝିଅ ଛଡା ଆଉ କାହାକୁ ବୋହୁ କରନାହିଁ,ସେ ଭବିଷ୍ୟତରେ ତୁମକୁ ଅନେକ ଦୁର୍ଭାଗ୍ୟରୁ ରକ୍ଷା କରିବ |ଯାହା ହେଇଚି ,ହେଇଚି |ଏଥର  ବୋହୁ ନୁହେଁ,ବରଂ ଆମର ଝିଅ ଦରକାର |ଶୁଭେନ୍ଦୁ ଆନନ୍ଦରେ ରାଜି ହେଲେ |ବିନା ଯୌତୁକରେ ,ମହା ଆଡମ୍ବରରେ ସୁପ୍ରିୟା ର ବାହାଘର ହେଲା |
                      ଶାଶୁଘରେ ଖୁବ ଅଳ୍ପ ଦିନରେ ସମସ୍ତଙ୍କ  ମନ କିଣି ନେଲା ସୁପ୍ରିୟା |ସେଠାରେ ସେ ଶାଶୁଙ୍କ  ସହ ମିଶି ପୂର୍ବରୁ କରୁଥିବା ଉପବାସ ସହ ଶାଶୁଘରେ ପାଳିତ ହେଉଥିବା ଆହୁରି ଅନେକ ଉପବାସ କଲା | ପୂଜା ପଦ୍ଧତି ,କର୍ମ କାଣ୍ଡ ବିଷୟରେ ସେ ଏପରି ଧୁରନ୍ଧର ଥିଲା ଯେ ତା ଆଗରେ ନନା ଶ୍ଲୋକ ଉଚ୍ଚାରଣ କରିବାକୁ ଭୟ କରୁଥିଲେ |ବରଂ ବେଳେବେଳେ କାହା ପରେ କଣ ହେବ,ବା କିପରି ଭାବରେ ହେବ ତାକୁ ପଚାରୁ ଥିଲେ | ଅନେକ ପୂଜା,ଉପବାସ କରିବା ଫଳରେ,ସୁପ୍ରିୟା କ୍ରମେ ଶାରୀରିକ ଭାବେ ଦୁର୍ବଳ ହୋଇ ପଡିଲା |ଘରର ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ତା ଶରୀର ସକ୍ଷମ ହୋଇ ପାରୁ ନ ଥିଲା |ତଥାପି ସେ ତାର ନିୟମିତ ଠାକୁର ପୂଜା,ଓଷା,ଉପବାସ ଛାଡୁ ନ ଥିଲା |ସୁପ୍ରିୟା ର ଗୋଟିଏ ଗୁଣ ଥିଲା, ଯେ କୌଣସି ଘଟଣା ର ଭଲ ମନ୍ଦ ସେ ଯଥେଷ୍ଟ ଆଗରୁ ଜାଣି ପାରୁଥିଲା ବା ଅନ୍ୟ ଅର୍ଥରେ କହିବାକୁ ଗଲେ ,ସେ ଘଟଣା ଦୁର୍ଘଟଣା ର ସଠିକ କଳନା କରି ପାରୁଥିଲା |
                     ତାଙ୍କ  ଘର ସାମନାରେ ମଧୁ ନାମରେ ପିଲାଟିଏ କ୍ୟାବିନ ପକାଇ ଚା,ପାନ,ବିଡି,ସିଗାରେଟ ଇତ୍ୟାଦି ବିକ୍ରୀ  କରିବା ସହ ଚୋରା ପେଟ୍ରୋଲ ବିକ୍ରୀ  କରୁଥିଲା |ଦିନେ ଅକସ୍ମାତ ମଧୁ ଦୋକାନରେ ନିଆଁ ଲାଗିଗଲା |ଦୋକାନଟି ସମ୍ପୂର୍ଣ୍ଣ  ଜଳିଗଲା |ମଧୁ ଶରୀରର ସତୁରୀ ପ୍ରତିଶତ ଅଂଶ ଜଳି ଯାଇଥିଲା |ତାକୁ ଡାକ୍ତରଖାନା ନିଆଗଲା |ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କଲେ | କହିଲେ,ବଞ୍ଚିବାର  ଆଶା ଖୁବ କମ୍ |ମଧୁ ର ବାପା ସୁପ୍ରିୟା ପାଖକୁ ଦୌଡି ଆସିଲେ,କହିଲେ,ମା' ତୁ ଟିକେ ଚାଲ ମୋ ପୁଅକୁ ଦେଖି ଆସିବୁ,ମୋ ମନ କହୁଛି,ତୋ ଆଶୀର୍ବାଦରେ ମୋ ପୁଅ ବଞ୍ଚିଯିବ |ଅନ୍ୟ ମାନଙ୍କ  ଦୃଷ୍ଟିରେ ଏ ସବୁ ନିହାତି ହାସ୍ୟାସ୍ପଦ ଥିଲେହେଁ,ସୁପ୍ରିୟା ମଧୁକୁ ଦେଖିବା ପାଇଁ ଡାକ୍ତରଖାନା ଗଲା |ସେଠାରେ ମଧୁକୁ ଏକ ଲୟରେ ଅନେକ ସମୟ ଚାହିଁବା ପରେ ସେ ତାକୁ ପଚାରିଲା,ସତ କହ ମଧୁ,ତୁ କିଛି ଅନ୍ୟାୟ କାର୍ଯ୍ୟ କରିଛୁ?ମଧୁ କିଛି ଉତ୍ତର ଦେଲା ନାହିଁ |ପୁଣି ଥରେ ନିଜ ପ୍ରଶ୍ନର ପୁନରାବୃତ୍ତି କଲା,ସୁପ୍ରିୟା |ଏଥର ଅନୁଶୋଚନାରେ ମଧୁ ଆଖିରୁ ଅନର୍ଗଳ ଲୁହ ଝରିଗଲା |ସେ ଥର ଥର କଣ୍ଠ ରେ ଯାହା କହିଲା,ସେଥିରୁ ଜଣା ପଡିଲା,ସମସ୍ତଂକ ଅଗୋଚରରେ ସେ ମୂର୍ତ୍ତୀ ଚୋର ମାନଂକ ଠାରୁ ଏକ ଫୂଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁ ରେ ନିର୍ମିତ,ଏକ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଦୁଇଦିନ ତଳେ କିଣିଛି |ଘରେ ଏ କଥା ସେ କାହାକୁ କହିନି |ଶୋଇବା ଘର ସିନ୍ଦୁକରେ ସବା ତଳେ କେହି ଦେଖି ନ ପାରିବା ଭଳି ,ଲୁଗାରେ ଗୁଡାଇ ରଖିଛି |ସୁପ୍ରିୟା ମଧୁ ର ବାପାଂକୁ କହିଲା,ଆପଣ ତୁରନ୍ତ ମୂର୍ତ୍ତୀ  କେଉଁଠୁ ଆସିଛି ପତ୍ତା କରନ୍ତୁ |ଯଦି ଜାଣି ପାରିବେ ଭଲ କଥା,ନ ହେଲେ ଅନ୍ୟ ଯେ କୌଣସି ମନ୍ଦିରରେ ବିଧି ବିଧାନ ସହ ଠାକୁରଙ୍କୁ  ପ୍ରତିଷ୍ଠା କରାଇ ପୁଜା ଆରମ୍ଭ କରନ୍ତୁ |ବେଶି କଷ୍ଟ କରିବାକୁ ପଡିଲାନି,ସେମାନଙ୍କ  ଘରଠାରୁ ଅଳ୍ପ ଦୂରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରୁ କିଛି ଦିନ ତଳେ ମୂର୍ତ୍ତୀ  ଚୋରି ହୋଇଥିଲା |ସେମାନେ ଠାକୁରଙ୍କ  ମୂର୍ତ୍ତୀ  ଚିହ୍ନଟ କରିବା ପରେ ଯଥା ଶୀଘ୍ର ଆବଶ୍ୟକ ବିଧି ବିଧାନ ସହ ପୂଜା ଆରମ୍ଭ କଲେ  |ପୂଜା ର ସମସ୍ତ ଖର୍ଚ୍ଚ ମଧୁ ର ବାପା ବହନ କଲେ |ଏଣେ ଆଶ୍ଚର୍ଯ୍ୟଜନକ ଭାବେ ମଧୁ ର ପୋଡା ଘାଆ ଶୁଖିବାକୁ ଲାଗିଲା,ଓ ସେ ମାସକ ଭିତରେ ସମ୍ପୂର୍ଣ୍ଣ  ସୁସ୍ଥ ହୋଇ ଘରକୁ ଫେରି ଆସିଲା,ଯଦିଓ  ପୋଡା ଦାଗ ତା ଶରୀରରେ ସବୁ ଦିନ ପାଇଁ  ରହିଗଲା | ଏହି ଘଟଣା ବହୁଦିନ ଧରି ସେଠାରେ ଆଲୋଚନା ର ବିଷୟ ପାଲଟି ଥିଲା |
                    ସୁପ୍ରିୟାର ଦିଅର ଅଭିଷେକ କଲେଜରେ ପଢିବା ବେଳେ ଜ୍ୱରରେ  ଆକ୍ରାନ୍ତ ହେଲା |ଯେତେ ଔଷଧ ଖାଇଲେ ବି ଜ୍ୱର  ଉପଶମ ହେବାର ନାଁ ଧରିଲାନି |ଦିନେ ଅଭିଷେକ, ସୁପ୍ରିୟାକୁ ନିଜ ରୋଗ ବିଷୟରେ କହୁଥିବା ବେଳେ ହଠାତ୍ ସୁପ୍ରିୟା ଉପରେ ଦୁଲଭୁସ ହୋଇ ପଡି ଯାଇ ବେହୋସ୍ ହୋଇ ଗଲା |ବ୍ୟସ୍ତ  ହୋଇ ତାକୁ ତୁରନ୍ତ  ଡାକ୍ତରଙ୍କ  ପାଖକୁ ନିଆଗଲା |ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ କହିଲେ |ରକ୍ତ ପରୀକ୍ଷା ରୁ ଜଣା ପଡିଲା,ତାକୁ ମସ୍ତିଷ୍କ ମ୍ୟାଲେରିଆ ହୋଇଛି |ସିଦ୍ଧାର୍ଥ ଡାକ୍ତରଙ୍କୁ  ପଚାରିବାରୁ ସେ କହିଲେ,ଏଇଟା ଲଷ୍ଟ କେଶ |ଏଇ ଷ୍ଟେଜ୍ ରେ ଆଉ କିଛି କରି ହେବ ନାହିଁ |ଆପଣ କେବଳ ଈଶ୍ୱରଙ୍କୁ  ଡାକନ୍ତୁ |ଏକଥା ଶୁଣି ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଗଲା |ସୁପ୍ରିୟା କାହାକୁ କିଛି ନ କହି ପୂଜା ଘରକୁ ଚାଲିଗଲା |ସେଠାରେ ଅଖଣ୍ଡ ଦୀପ ଲଗାଇ ସେ ତାର ପୂଜା ଆରମ୍ଭ କଲା |ତାପର ଦିନ ଦଶ ଟା ବେଳକୁ ଯେତେବେଳେ ଖବର ଆସିଲା,ଅଭିଷେକ ର ଅବସ୍ଥା ଭଲ ଆଡକୁ ଗତି କରୁଛି,ସେତେବେଳେ ସେ ପୂଜାରୁ ଉଠିଲା ଓ ଜଳ ପାନ କଲା | ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଭିଷେକ ତାର ଶରୀର ସୁସ୍ଥତାର  ସମସ୍ତ ଶ୍ରେୟ ଡାକ୍ତରଙ୍କୁ  ଦେବା  ପରିବର୍ତ୍ତେ ସୁପ୍ରିୟା କୁ ଦେଲା |କହିଲା,ଭାଉଜଙ୍କ  ଯୋଗୁଁ ମୁଁ ଆଜି  ନୂଆ  ଜୀବନ ପାଇଚି,ନ ହେଲେ ଏତେ ବେଳକୁ ସରଗପୁରରେ ଥାଆନ୍ତି |ହେଲେ ଭାଉଜ,ଏତେ ଉପବାସ କଲେ ତମ ଦେହ ବିଗିଡି ଯିବ |କାଲି ଯଦି ତମର କିଛି ଭଲ ମନ୍ଦ ହୋଇ ଯାଏ ,ତାହାଲେ ଆମେ କଣ କରିବୁ?ସୁପ୍ରିୟା ର ବାପା ମା',ଶାଶୁ ,ଶ୍ୱଶୁର  ମଧ୍ୟ ତାକୁ ସେକଥା ବୁଝାନ୍ତି |ସୁପ୍ରିୟା କହେ,ମତେ ଠାକୁର ବହୁତ ଭଲ ପାଆନ୍ତି |ମତେ କଷ୍ଟ ହେଲେ ସେ ସହି ପାରନ୍ତି ନାହିଁ | ସେ କେବେହେଲେ ମୋର କିଛି ଅନିଷ୍ଟ ହେବାକୁ ଦେବେ ନାହିଁ |ତମେମାନେ କେହି ବ୍ୟସ୍ତ ହୁଅନାହିଁ |
                    ସୁପ୍ରିୟା ସବୁବେଳେ ଚାହୁଁ ଥିଲା,ଉଭୟ ଶାଶୁଘର ଓ ବାପଘର ର ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ |ସେଥିପାଇଁ ସେ ଅହରହ ଚେଷ୍ଟା ମଧ୍ୟ କରୁଥିଲା |ସମସ୍ତଙ୍କ  ମିଳିତ ସହଯୋଗରେ ସେ ନିଜ ଭାଇ ଭଉଣୀ ଓ ଦିଅର ନଣନ୍ଦଙ୍କୁ  ପାଠ ପଢାଇ ଚାକିରୀ କରାଇଲା ଓ ଉପଯୁକ୍ତ ସ୍ଥାନରେ ବିବାହ ମଧ୍ୟ କରାଇଲା |ତାର ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ |ପୁଅର ନାମ ସ୍ୱାଗତ  ଓ ଝିଅର ନାମ ସୌମ୍ୟା |ଉଭୟ ସ୍ୱାଗତ  ଓ ସୌମ୍ୟା ଅତ୍ୟନ୍ତ ଶାନ୍ତ,ସରଳ,ଓ ମେଧାବୀ ଥିଲେ |ବାପା ମାଆଙ୍କ  କଥା କେବେହେଲେ ତଳେ ପକାଇ ଦେଉ ନ ଥିଲେ |ସ୍ୱାଗତ  ଏମ.ବି.ଏ.କରିବା ପରେ ଚାକିରୀ ଅନ୍ୱେଷଣରେ  ବାଙ୍ଗାଲୋର  ଚାଲିଗଲା |ସେଠାରେ ବେଶ କିଛି ଦିନ ରହି ସଂଘର୍ଷ କରିବା ପରେ ତାକୁ ଚାକିରୀ ମିଳିଲା |ସେଇ ସମୟ ତକ ସୁପ୍ରିୟା ପାଇଁ ଥିଲା,ଘୋର ଦୁର୍ଦ୍ଦିନ ର ସମୟ |ସ୍ୱାଗତ  ପାଇଁ ଠାକୁରଙ୍କ  ପାଖରେ ଲୁହ ଢାଳି ଢାଳି ତା ଆଖିରେ ମୋତିଆ ବିନ୍ଦୁ ହୋଇଗଲା |ତାପରେ ଆସିଲା,ସୌମ୍ୟା ର ବାହାଘର ସମସ୍ୟା |ଭଲ ପାତ୍ରଟିଏ ପାଇବା ତା ପାଇଁ ମୁସ୍କିଲ ହୋଇ ପଡିଲା |ଗୋଟିଏ ସ୍ଥାନରେ ବାହାଘର ଠିକ ହେଲା,ସେମାନେ ଆସି ମୁଦି ପିନ୍ଧାଇ ଦେଇ ଗଲେ |ପରେ ଜଣା ପଡିଲା,ସେମାନେ ପୁଅ ବିଷୟରେ ଯାହା କହିଛନ୍ତି,ସବୁ ମିଛ |ସେ ବାହାଘର ଭାଙ୍ଗିଗଲା  |ଏହାପରେ ସୁପ୍ରିୟା ମାନସିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଲା |ଜ୍ୟୋତିଷଙ୍କ  ପାଖରେ ଜାତକ ଦେଖାଇ ଜାଣିଲା,କିଛି ଗ୍ରହ ପୀଡା ରହିଛି,ତାର ପ୍ରତିକାର କରିବାକୁ ପଡିବ |ପ୍ରତିକାର ବ୍ୟବସ୍ଥା କଷ୍ଟକର ଥିବାରୁ,ସିଦ୍ଧାର୍ଥ ପଛଘୁଞ୍ଚା  ଦେଲା |କିନ୍ତୁ ସୁପ୍ରିୟା ନଛୋଡବନ୍ଧା |ଝିଅର ଭବିଷ୍ୟତ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ |ବାଧ୍ୟ ହୋଇ ସିଦ୍ଧାର୍ଥ ରାଜି ହେଲା |ଭଲଦିନ,ଭଲ ମୂହୁର୍ତ୍ତ  ଦେଖି ପୂଜା ପାଠ କରାଗଲା |ତା ପରଦିନ ବଡି ଭୋରରୁ ସ୍ୱାମୀ  ସ୍ତ୍ରୀ ଦୁଇଜଣ ଠାକୁର ପୂଜା ସାରି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗଲେ |ସେଠାରେ ବଡ ଠାକୁରଙ୍କ  ପାଖରେ ସାଷ୍ଟାଙ୍ଗ  ପ୍ରଣିପାତ କରି,ନିଜକୁ ତାଙ୍କ  ନିକଟରେ ସମ୍ପୂର୍ଣ୍ଣ  ସମର୍ପଣ କରି ସୁପ୍ରିୟା  କହିଲା,ପ୍ରଭୁ,ବଡ ଆଶାରେ ତୁମ ପାଖକୁ ଧାଇଁ ଆସିଛୁ,ତୁମ ଆଶୀର୍ବାଦରେ ଆମ ଆଞ୍ଜୁଳି ଭରିଦିଅ |ଯାହା କିଛି ହେବ,ସବୁ ତୁମ ଇଚ୍ଛାରେ  ହେଉ |ଘରେ ପହଞ୍ଚିବା ବେଳକୁ ଦିନ ଏଗାର |ସେପର୍ଯ୍ୟନ୍ତ ସେମାନେ କିଛି ଖିଆପିଆ କରି ନ ଥିଲେ |ଘରେ ପହଞ୍ଚୁ ପହଞ୍ଚୁ  ଖବର ଆସିଲା,ଯେଉଁ ପୁଅଘର ପାଞ୍ଚମାସ ତଳେ ଝିଅ ଦେଖି ଆସିଥିଲେ ,ସେମାନଙ୍କର ଝିଅ  ପସନ୍ଦ ହୋଇଛି |ଆସନ୍ତା ମାସରେ ସେମାନେ ବାହାଘର କରିବେ ବୋଲି ଇଚ୍ଛା କରୁଛନ୍ତି  |ସୁପ୍ରିୟା ଆନନ୍ଦରେ ଆତ୍ମହରା ହୋଇ ଯେଉଁଠାରେ ବସିଥିଲା,ସେହିଠାରେ ଠାକୁରଙ୍କ  ଉଦ୍ଦେଶ୍ୟରେ ବଡ ମୁଣ୍ଡିଆ ଟିଏ ମାରିଲା |ଏତେ ଦିନର ଦୁଃଖ ମୂହୁର୍ତ୍ତକ ଭିତରେ ପାଣିଫୋଟକା ପରି ମିଳେଇ ଗଲା |ସୌମ୍ୟା ବାହା ହେଲା ଓ ଖୁବ୍ ସୁଖ ଶାନ୍ତିରେ ଘର ସଂସାର କଲା |
                  ସେହିପରି ସ୍ୱାଗତ  ବାହାଘର ପାଇଁ ମଧ୍ୟ ଖୁବ୍ କସରତ କରିବାକୁ ପଡିଲା |ସେ ସ୍ୱାଗତ ର ପ୍ରକୃତି ଜାଣିଥିଲା |ତା ପସନ୍ଦରେ କେବେହେଲେ ସେ ଅରାଜି ହେବନାହିଁ |କିନ୍ତୁ ସେଇ ପସନ୍ଦିଆ ଝିଅଟି କାହିଁ?ଗୋଟିଏ ଜାଗାରେ ଝିଅଟି ତା ମନକୁ ବହୁତ ପାଇଥିଲା |ହେଲେ ଘରକୁ ଫେରିବା ବାଟରେ ଝିଅଟି  ତାକୁ ଫୋନ କରି କହିଲା,ଆଣ୍ଟି,ପ୍ଲିଜ୍ ,ଆପଣ ଏ ପ୍ରପୋଜାଲ ନାହିଁ କରି ଦିଅନ୍ତୁ,ମୋର ଜଣଙ୍କ ସହିତ ରିଲେସନ ଅଛି |ସୁପ୍ରିୟା ର ମନ ଖରାପ ହୋଇଗଲା |ଏଥର ସେ ମଧ୍ୟସ୍ଥି ଜରିଆରେ ବାହାଘର ନ ବୁଝି ,ନିଜ ଚିହ୍ନାଜଣା ରେ ପ୍ରସ୍ତାବ ଦେଖିଲା |ଶେଷରେ ଏକ ସାଧାରଣ ପରିବାର ର ଶାନ୍ତ ଶିଷ୍ଟ ଝିଅଟିକୁ ବୋହୂ  କରି ଆଣିଲା |କିନ୍ତୁ ଏତିକିରେ ସୁପ୍ରିୟା ର ଦୁଃଖ ସରିଲା ନାହିଁ |ବାହାଘର ର ଛଅ ବର୍ଷ ପରେ ବି ବୋହୂ ମାନ୍ୟତା ଗର୍ଭବତୀ ହେଲା ନାହିଁ |ସୁପ୍ରିୟା ର ମୁଣ୍ଡ ଖରାପ ହୋଇ ଗଲା |ସେ ପୁଅ ପାଇଁ ପ୍ରତି ମଙ୍ଗଳବାର ଓ ମାସ ର ଦୁଇଟି ଚତୁର୍ଦ୍ଦଶୀ ଗୋଟିଏ ବେଳା ଜଳଖିଆ ଖାଇ ପାଳନ କରୁଥିଲା |ସେ ନିଷ୍ପତ୍ତି କଲା,ଏଥର ନିର୍ଜଳ ଉପବାସ ରହି ମଙ୍ଗଳବାର ଓ ଚତୁର୍ଦ୍ଦଶୀ ପାଳିବ |ତାର ଦୁର୍ବଳ ଶରୀରରେ ଏସବୁ ବ୍ରତ କରିବା ସମ୍ଭବ ନୁହେଁ ଜାଣି ମଧ୍ୟ ନିଜ ପୁଅର ମଙ୍ଗଳ  ପାଇଁ ଉପବାସ ରହିଲା |ଗୋଟିଏ ଥର ମଙ୍ଗଳବାର ଓ ଚତୁର୍ଦ୍ଦଶୀ ଲାଗ ଲାଗ ଆଗ ପଛ ହୋଇ ପଡିଲା |ଦୁଇଦିନ ନିର୍ଜଳ ଉପବାସ ତାର ଦୁର୍ବଳ ଶରୀର ସମ୍ଭାଳି ପାରିଲା ନାହିଁ |ତୃତୀୟ ଦିନ ତାକୁ ପ୍ରବଳ ଝାଡା ବାନ୍ତି ହେଲା |ଅବସ୍ଥା ଏପରି ହେଲା ଯେ ତାକୁ ଡାକ୍ତରଖାନାରେ ଆଡମିଶନ କରିବାକୁ ପଡିଲା |ସେଠାରେ ତାକୁ ଅନବରତ ସାଲାଇନ ଦେବା ଫଳରେ ତା ଅବସ୍ଥା ଟିକିଏ ସୁଧୁରିଲା |ଡାକ୍ତର କହିଲେ,ତା କିଡିନିରେ ପଥର ହୋଇଛି,ତୁରନ୍ତ ଅପରେସନ କରିବାକୁ ପଡିବ |ପୁଅ ପାଇଁ ଚିନ୍ତା କରି ସୁପ୍ରିୟା ର ଆଉ ବଞ୍ଚିବାକୁ  ଇଚ୍ଛା ହେଉ ନ ଥିଲା |ସେ ଆଦୌ ଅପରେସନ କରିବାକୁ ରାଜି ହେଲା ନାହିଁ |ଭାବିଲା,ମରିଗଲେ ଭଲ |ଏତିକି ବେଳେ ଗୋଟିଏ ସୁଖବର ଆସିଲା,ମାନ୍ୟତା ମା' ହେବାକୁ ଯାଉଛି |ସୁପ୍ରିୟା ର ଆନନ୍ଦର ସୀମା ରହିଲା ନାହିଁ |ଈଶ୍ୱରଙ୍କୁ  ତାର କୋଟି କୋଟି ଧନ୍ୟବାଦ ଓ କୃତଜ୍ଞତା  ଜଣାଇଲା |ନିଜ ଜୀବନ ପ୍ରତି ତାର ମମତା ଆସିଗଲା |ସେ ମନେ ମନେ କହିଲା,ମତେ ବଞ୍ଚିବାକୁ  ପଡିବ |ନିଜ ପାଇଁ ନୁହେଁ,ମୋ ପୁଅ ବୋହୂଙ୍କ  ପାଇଁ |ଅପରେସନ ପାଇଁ ସେ ରାଜି ହୋଇ ଗଲା |ଅପରେସନ ପରେ ଡାକ୍ତର ଆଣି ଦେଖାଇଲେ ,କିଡିନିରେ ପଞ୍ଚତିରିଶ ଟି ଷ୍ଟୋନ୍ ଥିଲା |
                     ସମ୍ପୂର୍ଣ୍ଣ  ସୁସ୍ଥ ହେବା ପରେ ସୁପ୍ରିୟା ପୁଣି ତାର ପୂଜା ପାଠ ଆରମ୍ଭ କଲା,କିନ୍ତୁ ଟିକିଏ ଭିନ୍ନ ଭାବରେ |ସେ ଠାକୁରଙ୍କ ପାଖରେ ପ୍ରାର୍ଥନା କରି କହିଲା,ପ୍ରଭୁ,କାୟମନୋବାକ୍ୟରେ  ପବିତ୍ରତା ହେଉଛି ପ୍ରକୃତ ଧର୍ମ |ଉପବାସ କରି ଶରୀରକୁ କଷ୍ଟ ଦେଇ ,ଶରୀର ମଧ୍ୟରେ ଅବସ୍ଥାନ କରୁଥିବା ଆତ୍ମା ରୂପୀ ପରମାତ୍ମା ଅର୍ଥାତ ତୁମକୁ  କଷ୍ଟ ଦେଇ ମୁଁ ଅଧିକ ପାପ ଅର୍ଜନ କରିବାକୁ ଚାହୁଁ ନାହିଁ |ମୋର ଦୋଷ କ୍ଷମା କର,ଓ ମତେ ଠିକଣା ବାଟରେ ଯିବାପାଇଁ ବାଟ ଦେଖାଇ ଦିଅ |
ମମତା ମହାନ୍ତି ସାମନ୍ତରାୟ |ph 9437133391

Saturday, August 27, 2016

ସାନଝିଅ

                               କୃତି ଓ ଶୃତି ଦୁଇ ଭଉଣୀ ଥିଲେ |ଶୃତି ବଡ଼ ଥିଲା କୃତି ଥିଲା ସାନ |ଶୃତି ତା ମାଆ ପରି ଗୌରବର୍ଣ୍ଣା ଓ ଅପୂର୍ବ ସୁନ୍ଦରୀ ଥିଲା |ସେ ଏକ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଥିଲା |କୃତି ର ଗଢ଼ଣ ସୁନ୍ଦର ଥିଲେବି ସେ ତା ବାପାଙ୍କ ପରି ଶ୍ୟାମଳ ବର୍ଣ୍ଣ ର ଥିଲା |ସେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଶୃତିର ବିବାହ ସ୍ଥିର ହୋଇଗଲା | |ପୁଅଘର  ବ୍ୟବସାୟୀ ପରିବାର ଥିଲେ |ତାଙ୍କର ବର୍ଷକୁ କୋଟି କୋଟି ଟଂକାର କାରବାର |ପିଲାଟି ଉଚ୍ଚଶିକ୍ଷିତ ,ପାଂଚ ଭାଇ,ଚାରି ଭଉଣୀଂକ ମଧ୍ୟରେ ସବୁଠାରୁ ବଡ଼ ||ବିନା ଯୌତୁକରେ,ଆର୍ଯ୍ୟସମାଜରେ ବାହାଘର କରିବାକୁ ସେମାନେ ରାଜି ଥିଲେ |ବିଭିନ୍ନ ସୂତ୍ରରୁ ଖବର ନେଇ ସଦାନନ୍ଦ ଜାଣିଲେ,ସେମାନେ ଭଲଲୋକ,ପିଲାଟି ବି ବହୁତ ଭଲ |ନିଜର ଆର୍ଥିକ ପରିସ୍ଥିତି ତଥା ଅନ୍ୟାନ୍ୟ ଦୃଷ୍ଟିକୋଣ କୁ ଆଖି ଆଗରେ ରଖି ସେ ପ୍ରସ୍ତାବରେ ରାଜି ହୋଇଗଲେ |ସେତେବେଳେ କୃତିର  ଫାଇନାଲ ପରୀକ୍ଷା ମୁଣ୍ଡ ଉପରେ |ସେ ସଦାନନ୍ଦଂକୁ  କହିଲା,ବାବା,ମୋ ପରୀକ୍ଷା ପରେ ଅପା ବାହାଘର କରିବ |ମୋର ଆଗକୁ ବହୁତ ପାଠ ପଢିବାର ଅଛି ,ବହୁତ କିଛି କରିବାର ଅଛି |ସେଥିପାଇଁ ଏଇ ପରୀକ୍ଷାରେ ମତେ ଭଲ ନମ୍ବର ଆଣିବାକୁ ପଡିବ |ସଦାନନ୍ଦ କହିଲେ,ତୁ ବ୍ୟସ୍ତ ହୁଅନା ମା,ପରୀକ୍ଷା ପରେ ଖରା ଛୁଟିରେ ଅପା ବାହାଘର ହବ |ସଦାନନ୍ଦଂକ ଠାରୁ ଏ କଥା ଶୁଣି କୃତି ଖୁସି ମନରେ ପାଠ ପଢିଲା,ପରୀକ୍ଷା ଦେଲା |ପରୀକ୍ଷାରେ ଭଲ ଫଳ ଆସିବ ବୋଲି ତା ମନରେ ଦୃଢ ବିଶ୍ବାସ ଥାଏ |ଇଂରାଜୀ ମେ' ମାସ ଅକ୍ଷିତୃତିୟା ଦିନ ବାହାଘର ତାରିଖ ଧାର୍ଯ୍ୟ ହେଲା |ଶୃତି  ପାଇଁ ଭଲ ଶାଢୀ,ଗହଣା କିଣା ହେବାବେଳେ କୃତି ତା ନିଜପାଇଁ ଦୁଇ/ତିନି ହଳ ଡ୍ରେସ କିଣିଲା |ତା ସହିତ ମ୍ୟାଚ୍ ପାଇଲା ଭଳି ଇମିତେସନ ଅଳଂକାର ଓ ଚପଲ କିଣିଲା |ବାହାଘର ଦିନକ ଆଗରୁ ଅପା ସାଂଗରେ ପାର୍ଲର୍ ଯାଇ ଫେସିଆଲ କରି ଆସିଲା |ସବୁକିଛି ଠିକ ଠାକ୍ ଚାଲିଥିଲା ଓ ,ସମସ୍ତଂକ ମନ ଖୁସିଥିଲା  |
                                   ବାହାଘର ଦିନ ଶୃତି  ବୋହୁ ବେଶରେ ପରୀ ଭଳି ଦିଶୁଥାଏ |ସବୁରି ମୁହଁରେ ଶୃତି ସୌନ୍ଦର୍ଯ୍ୟ ର ଭୁରି ଭୁରି ପ୍ରଶଂସା |କୃତି ହାତରେ ଟଂକା ଦେଣ ନେଣର ଦାୟିତ୍ତ୍ୱ  ରହିଥିଲା  |କେତେ ଟଂକା ଆସିଲା,କାହାକୁ କେତେ ଟଂକା ଦିଆଗଲା,କିଏ କଣ ବେଭାର ଦେଲା,ସବୁ ସେ ଟିକିନିଖି ଗୋଟିଏ ଡାଇରୀରେ ଲେଖୁଥିଲା  |ବର ଆସିବା ବେଳକୁ  ସମସ୍ତେ ବରକୁ ଦେଖିବା ପାଇଁ ,ବାହାରକୁ ଦୌଡିଗଲେ,କୃତି ମଧ୍ୟ ସେମାନଂକ ସାଂଗରେ ଚାଲିଗଲା |ଜ୍ୱାଇଁ  ଅକ୍ଷର ବହୁତ ସୁନ୍ଦର ଥିଲେ |ସମସ୍ତେ ମନ୍ତବ୍ୟ ଦେଉଥିଲେ,ଝିଅକୁ ଜ୍ୱାଇଁ  ବଢିଆ ମ୍ୟାଚ୍ |ଏକଦମ ହର ପାର୍ବତୀ ଯୋଡି |ସେଇକଥା  କହିବା ପାଇଁ ସେ ଶୃତି  ପାଖକୁ ଦୌଡି ଆସିଲା |ହେଲେ ଶୃତି  ସେଠାରେ ନ ଥିଲା |ଆଖ ପାଖ ରୁମ ,ଗାଧୁଆ ଘର,ପାଇଖାନା ସବୁଆଡେ ଖୋଜିଲା,କେଉଁଠି ତାକୁ ପାଇଲା ନାହିଁ |ଭୟରେ ଛାନିଆ ହୋଇ ସେ ବାପା ସଦାନନ୍ଦଂକୁ ଏ କଥା କହିଲା |ସେ ତଟସ୍ଥ ହୋଇଗଲେ |ଏହା ମାନସମ୍ମାନ ର କଥା ଥିଲା |ତଥାପି ସେ କାହା କଥାରେ ବିଶ୍ୱାସ  ନ କରି ନିଜେ ଯାଇ ସବୁ ସମ୍ଭାବ୍ୟ ସ୍ଥାନ ଖୋଜିଲେ ,କିନ୍ତୁ ସବୁ ବୃଥା ଥିଲା |ଶେଷରେ ଜଣେ ରାନ୍ଧୁଣିଆ ସହଯୋଗୀ କହିଲା,ଝିଅକୁ ଗୋଟିଏ ଯୁବକ ସହିତ କଥା ହୋଇଥିବାର ସେ ଦେଖିଛି |ସଦାନନ୍ଦ ପଚାରିଲେ ,କେତେବେଳେ?ସେ କହିଲା,ଆଜ୍ଞା,ବର ଆସିବା ଠିକ ଆଗରୁ |ସଦାନନ୍ଦ ଉତ୍ୟକ୍ତ ହୋଇ କହିଲେ,କାହିଁକି ତୁ ମତେ କହିଲୁନି,ମୁଁ ଏବେ କଣ କରିବି |କୃତି କୁ କହିଲେ,ତୁ ସବୁବେଳେ ତା ପାଖେ ପାଖେ ଥିଲୁ,ସବୁ ଜାଣିଥିଲୁ,ଚୁପ୍ ଚାପ୍ ତାକୁ ଖସେଇ ଦେଇ କହୁଚୁ କଣ ନାଁ,ଅପା କୁଆଡେ ଗଲା ମୁଁ ଜାଣିନି |କୃତି କାନ୍ଦି କାନ୍ଦି କହିଲା,ସତ କହୁଛି ବାବା,ଅପା ବିଷୟରେ ମୁଁ କିଛି ଜାଣିନି,ମୁଁ ତ ମୋ ପାଠ ପଢାରେ ବ୍ୟସ୍ତ ଥିଲି |ସଦାନନ୍ଦଂକ ର ମୁଣ୍ଡ କଣ ହୋଇଗଲା |ସେ ଯାଇଁ ବିଛଣାରେ ଶୋଇ ପଡିଲେ |ଅନୁପମାଂକ ଅବସ୍ଥା ମଧ୍ୟ ତଦୃପ |ସେ ମୁଣ୍ଡ ପିଟି ବାହୁନି ବାହୁନି କାଂଦୁଥାଆନ୍ତି |ଧୀରେ ଧୀରେ ଖବର ଏ କାନରୁ ସେ କାନ ହୋଇ ବରପିତାଂକ ପାଖରେ ପହଂଚିଲା |ସେ ଘଟଣା କଣ ଜାଣିବା ପାଇଁ ସଦାନନ୍ଦଂକୁ ଡକାଇଲେ |ହେଲେ ତାଂକ ପାଖକୁ ଯାଇ ଏ ବିଷୟରେ କଥା ହେବା ଅବସ୍ଥାରେ ସେ ନ ଥିଲେ |ସଦାନନ୍ଦଂକ ସାନଭାଇ ହୃଦାନନ୍ଦ ତାଂକ ପାଖକୁ ଗଲେ |ବରପିତା ସବୁ ଶୁଣି ତାଂକ ନିଷ୍ପତ୍ତି ଶୁଣାଇଲେ,'ବର ଫେରିବନି,ଯଦି ବଡ ଝିଅ ନାହିଁ,ତାହେଲେ ଆମେ ସାନ ଝିଅ କୁ ବୋହୁ କରି ନେବୁ'|ହୃଦାନନ୍ଦ ,ଅନୁପମା ଓ ସଦାନନ୍ଦଂକୁ ଏ କଥା ଜଣାଇଲେ |ସଦାନନ୍ଦ କିଛି କହିବା ପୂର୍ବରୁ କୃତି କାନ୍ଦି କାନ୍ଦି କହିଲା,ନାଁ ବାବା,ମୁଁ ଜମା ବାହା ହେବିନି,ମୁଁ ପାଠ ପଢିବି |ସେତେବେଳେ ତାର କାନ୍ଦୁରା ମୁଁହକୁ ଦେଖି ସଦାନନ୍ଦ କହିଲେ,ନାଁ ମା ବଡ ପାଇଁ ମୁଁ ତତେ ବଳି ପକାଇ ପାରିବିନି,ଏବେ ଯାହା କରିବାର କଥା ମୁଁ କରିବି |ତାଂକର ବିବର୍ଣ୍ଣ  ମୁଂହକୁ ଦେଖି ଚମକି ପଡିଲା କୃତି |ବାବା କିଛି ଅଘଟଣ କରିବାକୁ ଯାଉ ନାହାନ୍ତି ତ !ଭୟରେ ସେ ଶିହରି ଉଠିଲା |ସେ ସେଇକ୍ଷଣି ନିଷ୍ପତ୍ତି ନେଲା,ତା ଜୀବନ ପଛେ ନଷ୍ଟ ହୋଇ ଯାଉ,ବାବା ମା ତାର ସବୁବେଳେ ବଂଚି କରି ଥାଆନ୍ତୁ |ସେ କାନ୍ଦ ବନ୍ଦ କରି ଆଖିରୁ ଲୁହ ପୋଛି କହିଲା,ବାବା,ମା ତୁମେ ବ୍ୟସ୍ତ ହୁଅନା,ମୁଁ ରାଜି ଅଛି,ତୁମେ ସେମାନଂକୁ କହି ଦିଅ |ମୁହୂର୍ତ୍ତକ ଭିତରେ ଚାରିଆଡେ ଆନନ୍ଦ ଲହରୀ ଖେଳିଗଲା |ବାଜା ବାଜିଲା,ବେଦୀ ବରଣ ହେଲା,ଯାହା ପରେ ଯାହା ହେବା କଥା,ସବୁ ସୁରୁଖୁରୁରେ ଆଗେଇ ଚାଲିଲା |ଆଖିରେ ଆଖିଏ ଲୁହ ନେଇ ,ନିଜର ସବୁ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ,କୃତି ଗଲା ଶାଶୁଘରକୁ |
                            କୃତି ଅକ୍ଷର ଠାରୁ ଅନେକ  ବର୍ଷ ଛୋଟ ଥିଲା  |ଅକ୍ଷର ଭାଇ ଭଉଣୀଙ୍କ ମଧ୍ୟରେ ବଡ ଥିଲା |ତା ତଳ ଭଉଣୀ ଆହୁତି ବାହା ହୋଇ ସାରିଥିଲା,କିନ୍ତୁ ଶାଶୁ ଘରେ କିଛି ମନାନ୍ତର ଯୋଗୁଁ ,ଆସି ବାପଘରେ ରହୁଥିଲା |ତା ତଳେ ଦୁଇ ଭାଇ ଅମିତ ଓ ଅଭିଳାଷ ବିଦେଶ ରେ ରହି ପାଠ ପଢୁଥିଲେ |ସେମାନଂକ ତଳେ ଦୁଇ ଭଉଣୀ,ତାପରେ ଆଉ ଦୁଇ ଭାଇ ଓ ଗୋଟିଏ ଭଉଣୀ |ସବା ସାନ ନଣନ୍ଦ ତାଠାରୁ ବର୍ଷେ ଛୋଟ ଥିଲା  |ଶ୍ୱଶୁର  ଆଶୁତୋଷ ଓ ଶାଶୁ ଅରୁନ୍ଧତୀ ବହୁତ ଶାନ୍ତ,ସରଳ ଓ ମିଷ୍ଟଭାଷୀ ଥିଲେ |କିନ୍ତୁ ନିଜେ ପସନ୍ଦ କରିଥିବା ଝିଅକୁ ବୋହୂ କରି ପାରି ନ ଥିବାରୁ ତାଂକ ମନ ଅଶାନ୍ତ ଥିଲା |କ୍ରମେ  କୃତିର କଥାବାର୍ତ୍ତା,ବ୍ୟବହାର,ଚାଲିଚଳନ ଦେଖିବା ପରେ ସେମାନେ ଅନୁଭବ କଲେ,ଈଶ୍ବରଂକ ଅଶେଷ କୃପା ଯୋଗୁଁ  ତାଂକୁ ବୋହୂ ରୂପେ ରତ୍ନ ଟିଏ ମିଳି ଯାଇଛି | ଶାଶୁଘରେ କେବଳ ଆହୁତିକୁ ଛାଡି ସମସ୍ତେ କୃତିକୁ ଭଲ ପାଉଥିଲେ |ଆହୁତିର ମନ ଭିତରେ ତା ପ୍ରତି ଇର୍ଷା ଭାବ ଥିଲା,ସବୁବେଳେ ତାର ଦୋଷ ତୃଟି ଦେଖୁଥିଲା,ତାର ବୋଲହାକ ଶୁଣିବାକୁ ତାକୁ ବାଧ୍ୟ କରୁଥିଲା |କୃତି ବୟସରେ ତାଠାରୁ ସାନ ଥିଲେହେଁ ମାନ୍ୟରେ ବଡ ଥିଲା |ତଥାପି ସେ ନିଜ ମନରେ ତା ପ୍ରତି କ୍ରୋଧ ଭାବ ଆଣିବାକୁ ଦେଉ ନ ଥିଲା ଓ ବିନା ପ୍ରତିବାଦରେ ତା ଆଦେଶ ପାଳନ କରୁଥିଲା  |
                              ଦିନେ ସନ୍ଧ୍ୟାବେଳେ ଶୃତି  ଠାରୁ ଫୋନ ଆସିଲା |ସେ କାନ୍ଦି କାନ୍ଦି କହୁଥିଲା,ମୋର ଭୁଲ ପାଇଁ ମତେ କ୍ଷମା କରିଦେ କିଟି |ମୋ ପାଇଁ ତୁ ଏତେ କଷ୍ଟ ସହିଲୁ,ବାବା ମା ନିନ୍ଦା ଅପମାନ ସହିଲେ |ମୋ ପାଇଁ ଏତିକି କଷ୍ଟ କରିବୁ,କାଲି ଅଧ ଘଣ୍ଟା ପାଇଁ ଆମ ଘର, ମାନେ ବାବାଂକ ଘରକୁ ଆସିବୁ | କୃତି ପଚାରିଲା,କଣ ପାଇଁ?ଶୃତି  କହିଲା,ବାବା ମତେ ଘରେ ପୁରାଇ ଦେଉ ନାହାନ୍ତି |ତୁ କାଲି ସନ୍ଧ୍ୟା ବେଳେ ଯେମିତି ହେଲେ ଆସିବୁ |କୃତି କହିଲା,ତୋ ଶାଶୁ ଘର ଲୋକେ କୁଆଡେ ଗଲେ?ଶ୍ରୁତି କହିଲା,କି ଶାଶୁଘର?ଆଜି ପର୍ଯ୍ୟନ୍ତ ଆମ ପାଇଁ ତାଂକ ଦୁଆର ବନ୍ଦ |ଦେଖା ହେଲେ ସବୁ କହିବି,ତତେ ମୋ ରାଣ ରହିଲା ,ତୁ କାଲି ସନ୍ଧ୍ୟା ବେଳେ ଆସିବୁ,ମୁଁ ବାଟରେ ଅପେକ୍ଷା କରିଥିବି,ତୁ ଘରକୁ ଗଲେ ମୁଁ ଯିବି |କୃତି କିଛି କହିବା ପୂର୍ବରୁ ଫୋନ ରଖିଦେଲା ଶ୍ରୁତି |କୃତି ଭାବି ପାରୁ ନ ଥିଲା,ତାର କଣ କରିବା ଉଚିତ |ଅନେକ ଭାବି ଚିନ୍ତି ସେ ଶାଶୁଂକୁ କହିଲା,ମା',ମୁଁ କାଲି ସନ୍ଧ୍ୟା ବେଳେ ଘଣ୍ଟାଏ ପାଇଁ ଆମ ଘରକୁ ଯାଇ ପାରିବି?ଶାଶୁ ଆଶ୍ଚର୍ଯ୍ୟ ହୋଇ କହିଲେ,କଣ ହେଇଚି ମା?କିଛି ଅସୁବିଧା ହୋଇଚି?ବାବା ମାଆଂକର ଦେହ ଭଲ ଅଛି ତ ?କୃତି ଲଜ୍ଜିତ ହୋଇ କହିଲା,ସମସ୍ତେ ଭଲ ଅଛନ୍ତି,ମୁଁ ଏମିତି ଟିକେ ବୁଲି ଆସି ଥାନ୍ତି |ଅରୁନ୍ଧତୀ କହିଲେ,କିଛି ବ୍ୟସ୍ତ ହେବାର ନାହିଁ,ଅକ୍ଷର ସେଇପଟେ ଯାଉଛି,ସନ୍ଧ୍ୟା ଆଗରୁ ଛାଡି ଦେବ,ଫେରିଲା ବେଳକୁ ନେଇ ଆସିବ |
                              କୃତିକୁ ନେଇ ଅକ୍ଷର ସଦାନନ୍ଦଂକ ଘରେ ଅପରାହ୍ନରେ ଛାଡି ଦେଇ ଆସିଲା,କହିଦେଇ ଗଲା,ଘଣ୍ଟାଏ ପରେ ଆସି ନେଇଯିବ |କୃତିକୁ ଅସମୟରେ ଦେଖି ସଦାନନ୍ଦଂକ ହୋସ ଉଡିଗଲା |ସେ ପଚାରିଲେ,ଏତେ ବେଳେ କିଛି ନ କହି ଚାଲି ଆସିଲୁ,ସବୁ ଭଲ ତ ?କୃତି ପରେ ପରେ ଯେତେବେଳେ ଶ୍ରୁତି ଆସି ପହଂଚିଲା,ସେତେବେଳେ ସେ ଜାଣି ପାରିଲେ ଘଟଣା ଟା କଣ |ରାଗରେ ପଂଚମ ହୋଇ କହିଲେ,କିଟି,ତାକୁ କହ,ସେ ଅତି ଶୀଘ୍ର ଏ ଘର ଛାଡି ଚାଲିଯିବ,ନ ହେଲେ ମୁଁ କଣ ନାଇଁ କଣ କରି ବସିବି |କୃତି କହିଲା,ବାବା,ସେମିତି କୁହ ନାହିଁ |ପିଲାଦିନେ ତମେ ଅପାକୁ ଏତେ ଭଲ ପାଉ ଥଲ ବୋଲି ତାକୁ ତମ ପାଖରେ ରଖି ମତେ ଗାଁ ରେ ଜେଜେମାଂକ ପାଖରେ ଛାଡିଲ |ମୋ ଭାଗ୍ୟରେ ସିନା ବେଶିଦିନ ପିତୃ ମାତୃ ସୁଖ ଲେଖା ନାହିଁ,ତାକୁ କାହିଁକି ସେ ସୁଖରୁ ବଂଚିତ କରୁଛ ବାବା ?ତା କଥା ଶୁଣି ସଦାନନ୍ଦଂକ ଆଖିରୁ ଲୁହ ଝରି ଆସିଲା |ସେ କହିଲେ,ମା' ତୋ ମନ ଭିତରେ ଏତେ ଦୁଃଖ ଲୁଚାଇ ରଖିଚୁ? ତୁ ଯଦି ସେଦିନ ହଁ କହି ନ ଥାଆନ୍ତୁ,ମୋ ଜୀବନ ପଛେ ଯାଇଥାନ୍ତା,କେବେହେଲେ ତୋ ବାହାଘର କରି ନଥାନ୍ତି |କୃତି ସଦାନନ୍ଦଂକୁ କୁଣ୍ଢାଇ ପକାଇ କହିଲା,ମୋ କଥା ଧରନି ବାବା,ତମ ମାନଂକ ସ୍ନେହ ପାଇଁ ମୁଁ ସବୁବେଳେ ଝୁରି ହେଉଚି,ସେଇଥିପାଇଁ ସେମିତି କହିଦେଲି |ତମେ ଅପାକୁ ଘରେ ରଖ |ସୁବିଧା ଅସୁବିଧା ବେଳେ ସେ ତମର ସାହାଯ୍ୟରେ ଆସିବ |ଆମ ଦୁଇ ଜଣଂକୁ ଛାଡିଦେଲେ,ତୁମର ଆଉ କିଏ ଅଛି କହିଲ ?ଅପା ଓ ଭାଇନାଂକ ପାଇଁ ଛୋଟ ମୋଟ ଚାକିରୀ ବୁଝି ଦିଅ,ସେମାନେ ଭଲରେ ରହିଲେ,ତୁମ ଚିନ୍ତା ଯିବ |କୃତି ଅନେକ ବୁଝାଇବା ପରେ ସଦାନନ୍ଦ ଓ ଅନୁପମା ଶ୍ରୁତି ଓ ସମର୍ଥଂକୁ ଘରେ ରଖିବା ପାଇଁ ରାଜି ହେଲେ |ଆସିଲା ବେଳେ କୃତି ବହୁତ ରାଣ ନିୟମ ପକାଇ ଶ୍ରୁତିକୁ ଅନୁରୋଧ କଲା,ଘରେ ରହି ବାବା ମାଆଂକର ଯେମିତି କିଛି ଅସୁବିଧା ନ ହୁଏ ସେକଥା ଧ୍ୟାନ ଦେବ |
                            କୃତି ବାହା ହେବା ବେଳକୁ ସଦାନନ୍ଦଂକ ଚାକିରୀ କାଳ ଆହୁରି ଦଶ ବର୍ଷ ଥିଲା |ଏହି ସମୟ ଭିତରେ କୃତିର ପୁଅଟିଏ ହେଲା |ତାର ସବୁ ଦିଅର,ନଣନ୍ଦ ବିବାହ କଲେ |ଆହୁତି ର ଶାଶୁଘରେ ଥିବା ସମସ୍ୟା ତୁଟିଗଲା,ସେ ଶାଶୁଘରକୁ ଫେରିଗଲା |ସଦାନନ୍ଦଂକ ଚାକିରୀ ଆଉ ଦୁଇ ବର୍ଷ ବାକି ଥିବାବେଳେ ଉଚ୍ଚ ରକ୍ତଚାପ ସମସ୍ୟା ଉତ୍କଟ ଆକାର ଧାରଣ କରି ମସ୍ତିଷ୍କ ରକ୍ତସ୍ରାବ ହୋଇ ତାଂକର ଅକାଳ ବିୟୋଗ ହେଲା |ରିହାବିଲିଟେସନ ସ୍କିମ୍ ରେ ଶ୍ରୁତି ତାଂକ ସ୍ଥାନରେ ସରକାରୀ ଚାକିରୀ ପାଇଲା ବାବାଂକୁ ହରାଇ କୃତି ର ଦୁଃଖ ର ସୀମା ନ ଥାଏ |ତାର ସବୁଠାରୁ ବଡ ଚିନ୍ତା ଥାଏ ,ଅନୁପମାଂକ ପାଇଁ |ସେ ତାଂକୁ କହିଲା,ମା',ତୁ ଅପା ପାଖରେ ଏତେ ଦିନ ରହିଲୁ,ଏବେ ଆସି ମୋ ପାଖରେ ରହ |ସେ ଭାବିଥିଲା ମା ରାଜି ହେବ ନାହିଁ |କିନ୍ତୁ ଅନୁପମା କହିଲେ,ମୁଁ ବି ସେଇଆ ଭାବୁଛି |ମତେ ଆଉ ଏଇଠି ଭଲ ଲାଗୁନି |ହେଲେ ବାବାଂକର ବର୍ଷିକିଆ ସରିଯାଉ,ତାପରେ ଯାଇ ତୋ ପାଖରେ ରହିବି,ଆଉ ଆସିବିନି |ତୁ ମତେ ରଖିବୁଟି ?ନାଁ ଏମିତି ମୋ ମନ ରଖିବାକୁ କହୁଛୁ?ଅନୁପମାଂକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା କୃତି |ପ୍ରକୃତରେ ମା ତା ପାଖରେ ରହିବାକୁ ଚାହୁଁଛି,ଅପା ପାଖରେ ରହିବାକୁ ଚାହୁଁନି |ଏ କଥା ଭାବି ତାକୁ ଯେତେ ଖୁସି ଲାଗିଲା,ମା'ର ଅସହାୟତା କଥା ଚିନ୍ତା କରି ସେତିକି ଦୁଃଖ ଲାଗିଲା |ଅପା କଣ ବାବା ,ମାଆଂକର ଯତ୍ନ ନେଉ ନ ଥିଲା?ପରମୂହୁର୍ତ୍ତ ରେ ସେ ନିଜକୁ ଦୋଷୀ ମନେକଲା |ଏପରି ଭାବନା ମନକୁ ଆଣିବା ମଧ୍ୟ ପାପ |ଏହି ଘଟଣା ର କିଛି ମାସ ପରେ ଦିନେ ସନ୍ଧ୍ୟା ବେଳେ ଅନୁପମା କୃତିକୁ ଫୋନ କଲେ |କହିଲେ,କିଟି,ମୋ ଦେହ ଏବେ ଆଉ ଭଲ ରହୁନି ଲୋ ,ସବୁବେଳେ ହାଲିଆ ଲାଗୁଛି |କୃତି ବ୍ୟସ୍ତ ହୋଇ କହିଲା,ଅପା ଡାକ୍ତରଂକୁ ଦେଖେଇନି ?ଅନୁପମା କହିଲେ,ତାକୁ କହିନି,ଆଜି  ସେ ଅଫିସ ରୁ ଆସିଲେ କହିବି |କୃତି କହିଲା,ଠିକ ଅଛି,ଆଜି ଅପାକୁ କହିବୁ,ଅପା ନ ନେଲେ ମୁଁ କାଲି ସକାଳେ ତତେ ଡାକ୍ତରଂକ ପାଖକୁ ନେଇଯିବି |କିନ୍ତୁ ସକାଳେ ଶ୍ରୁତି ଖବର ଦେଲା,ମା' ତାର ଆଉ ଏ ଦୁନିଆଁ ରେ ନାହିଁ |କୃତି ଝଡ ପରି ସେଠାକୁ ଛୁଟି ଗଲା |ସେଠାରେ ଦେଖିଲା,ମା'ବିଛଣା ରେ ଶୋଇଛି,ପାଟିର ଗୋଟିଏ ପଟେ ଲାଳ ଧାରଟିଏ ବୋହି ଯାଇଛି |ଶ୍ରୁତି କହିଲା,ମା କେତେବେଳେ ଯାଇଛି,ମୁଁ ଜାଣିନି |ସକାଳେ ବହୁତ ସମୟ ଧରି ନ ଉଠିବାରୁ,ମୁଁ ଆସି ଦେଖିଲି,ତା ଦେହରେ ଜୀବନ ନାହିଁ |ତା କଥା ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲା କୃତି |କହିଲା,ମା'ର ଦେହ ଭଲ ନ ଥିଲା,ତୁ ତାକୁ ଏକୁଟିଆ ଶୋଇବାକୁ ଛାଡି ଦେଲୁ?ଟିକିଏ ବି ତୋ ମନରେ ଦୟା ଆସିଲା ନାହିଁ?ଏତେ ନିଷ୍ଠୁର ତୁ?ଶ୍ରୁତି କହିଲା,ମା'ଦେହ ଖରାପ ବୋଲି ମୁଁ କେମିତି ଜାଣିବି ?ସେ କେବେହେଲେ ମତେ ସେକଥା କହିନି |ତୁ ମିଛ କହୁଛୁ |ଶ୍ରୁତିକୁ ଉତ୍ତର ଦେବା ପାଇଁ କୃତି ପାଖରେ ଭାଷା ନ ଥିଲା |ସେ କାନ୍ଦି କାନ୍ଦି କହୁଥିଲା,ମା'ତୁ ମୋ ପାଖରେ ଆସି ରହିବୁ ବୋଲି କହୁଥିଲୁ,ଗୋଟିଏ ଦିନ ପାଇଁ ବି ଆସିଲୁନି,ମତେ ଠକି ଦେଇ ଚାଲିଗଲୁ !!!
                                             \