Saturday, November 12, 2016

ଦ୍ବିତୀୟ ରାସ୍ତା

                   ମୋ ନାଁ କମଳା |ବୟସ ସତେଇଶ ବର୍ଷ |ରଂଗ ଗୋରା,ଉଚ୍ଚତା ପାଂଚ ଫୁଟ ଚାରି ଇଂଚ |ମୁଁ ପିତାମାତାଂକ ଜେଷ୍ଠା କନ୍ୟା |ମୋ ତଳେ ଆଉ ପାଂଚ ଭଉଣୀ ଅଛନ୍ତି |ଭାଇ ନାହିଁ |ସତର ବର୍ଷ ବୟସରେ, ଯୁକ୍ତ ଦୁଇ ରେ ପଢୁଥିବା ବେଳେ  ମୋର ବିବାହ ହୋଇଥିଲା |ସ୍ବାମୀ ଓଡିଶା ସରକାରଂକ ଅଧୀନରେ ଏକ ଉଚ୍ଚ ପଦସ୍ଥ କର୍ମଚାରୀ ଥିଲେ |ବିବାହର ଆଠ ବର୍ଷ ପରେ ମୋର ପୁଅ ଜନ୍ମ ହେଲା |ଆମେ ବହୁତ ଖୁସିରେ ଥିଲୁ |ମଝିରେ ମଝିରେ ଆମେ ବାପାଂକ ଘରକୁ ଯାଉ |ବାପା ବଡପୁଅ ପରି ମୋ ସ୍ବାମୀଂକ ଉପରେ ନିର୍ଭର କରୁଥିଲେ |
                   ଦିନେ ଖବର ଆସିଲା,ମୋ ସାନଭଉଣୀ ର ବିବାହ  ସ୍ଥିର ହୋଇ ଯାଇଛି |ମୁଁ ଖୁସିରେ ନାଚି ଉଠିଲି |ବାହାଘର ଆଉ ମାତ୍ର ପାଂଚ ଦିନ ଥାଏ,ଆମେ ବାପାଂକ ଘର ସୁଦୂର ବାଲେଶ୍ବର କୁ ଗଲୁ |ସବୁ କାମ ସୁରୁଖୁରୁରେ ଚାଲିଥାଏ |ବାକି ରହିଥିବା କେତେଗୁଡିଏ ବିବାହ ସାମଗ୍ରୀ ଆଣିବା ପାଇଁ ତାଂକୁ କଟକ ଆସିବାକୁ ପଡିଲା |ମୁଁ ମଧ୍ୟ କମ ବ୍ୟସ୍ତ ନ ଥିଲି |ପାଖରେ ବର୍ଷକର ପୁଅ ,ଭାରି ହଇରାଣ କରୁଥାଏ |ତାଂକର ସେଦିନ ରାତିରେ କଟକ ରେ ରହି ତା ପରଦିନ ଗାଁ କୁ ଫେରିବାର କଥା ଥିଲା |ସକାଳେ ହଠାତ୍ କେହିଜଣେ ଆସି ଖବର ଦେଲା,ମତେ ସେହିକ୍ଷଣି ମୋ ଶାଶୁଘର ଗାଁ କୁ ଯିବାକୁ ପଡିବ |ବାପା ବୋଉ କେହି କିଛି କହୁ ନ ଥାଆନ୍ତି ,ସମସ୍ତେ କାନ୍ଦୁ ଥାଆନ୍ତି |ଭାବିଲି ବୋଧେ ଶାଶୁଂକର ଦେହ ଖରାପ ହୋଇଛି |ପୁଅକୁ ନେଇ ଗଲି |ଗାଁ ରେ ପହଂଚି ସେଠାରେ ମୋ ସ୍ବାମୀଂକର ମୃତଦେହ ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି |ମୁଣ୍ଡ ପିଟି ମୁଁ ସଂଜ୍ଞାହୀନ ହୋଇ ପଡିଲି |ସ୍ବାମୀ ମୋର ସେ ପୁରର ଯାତ୍ରୀ ହୋଇ ସାରିଥିଲେ |ବିବାହ ଉପକରଣ ନେଇ ଫେରୁଥିବାବେଳେ ଏକ ଟ୍ରକ ସହ ତାଂକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଘଟଣାସ୍ଥଳରେ ହିଁ ତାଂକର ପ୍ରାଣବାୟୁ ଉଡି ଯାଇଥିଲା |ଛବିଶ ବର୍ଷ ବୟସରେ ମୁଁ ବିଧବା ହୋଇଗଲି |ଆଉ ବଂଚିବାକୁ ମୋର ଇଚ୍ଛା ନ ଥିଲା |ସ୍ବାମୀଂକ ଚିତାରେ ଝାସ ଦେଇ ତାଂକ ସହଯାତ୍ରୀ ହେବାପାଇଁ ମୁଁ ମନସ୍ଥିର କରି ନେଇଥିଲି |ପୁଅକଥା ମନକୁ ଆଣୁ ନ ଥିଲି ,ଯିଏ ଦେଇଛି,ସେ ବୁଝିବ |କିନ୍ତୁ ଶାଶୁ କେଜାଣି କେମିତି ମୋ ମନକଥା ଜାଣି ପାରିଲେ |ସେ ମତେ ବୁଝାଇ କହିଲେ,ପୁଅକୁ ଅନା ,ତତେ ତା ପାଇଁ ବଂଚିବାକୁ ପଡିବ |ଧୈର୍ଯ୍ୟ ବାନ୍ଧ ,ତୋ ପଛରେ ମୁଁ ଅଛି |ତୁ ଭାବ,ତୋ ଶ୍ବଶୁର ଗଲାପରେ ମୁଁ ଯଦି ଆତ୍ମହତ୍ୟା କରିଥାନ୍ତି,ଏ ପିଲାଂକୁ ମଣିଷ କରିଥାନ୍ତା କିଏ ?ତଥାପି ମୁଁ ବୁଝୁ ନ ଥିଲି |ଶେଷରେ ମତେ ଘରେ ବନ୍ଦ କରି ରଖିବା ପର୍ଯ୍ୟନ୍ତ କଥା ଗଲା |ମୁଁ ନିର୍ଜଳା ଉପବାସ ରହିଲି,କିନ୍ତୁ ମୃତ୍ୟୁ ଆସିଲାନି |ଶେଷରେ ଆପାତତଃ ସ୍ଥିର କରିନେଲି,ପୁଅକୁ ମଣିଷ କରିବି |
                  ମୋ ସ୍ବାମୀ ଅତ୍ୟନ୍ତ ଅମାୟିକ ଓ ଅଜାତଶତ୍ରୁ ଥିଲେ |ସେଇ ହିସାବରେ ତାଂକ ସହକର୍ମୀମାନଂକ ସହଯୋଗ ଫଳରେ ଅଲ୍ପଦିନ ଭିତରେ ମୁଁ ମୋ ସ୍ବାମୀଂକର ସମସ୍ତ ଦେୟ ପାଇଗଲି |ରାଜ୍ୟ ସରକାରଂକ ଥଇଥାନଯୋଜନା ଅନୁଯାୟୀ ମୋର ଶିକ୍ଷାଗତ ଯୋଗ୍ୟତା କୁ ଚାହିଁ କିରାଣୀ ଚାକିରୀ ଟିଏ ମିଳିଗଲା |ଶାଶୁଘର ସୁଦୂର ପଲ୍ଲୀ ଅଂଚଳରେ |ତେଣୁ ସ୍ବାମୀଂକ ସହ ଯେଉଁ ଭଡାଘରେ ରହୁଥିଲି,ସେଠାରେ ରହିବା ପାଇଁ ସ୍ଥିର କଲି |ସାନଭଉଣୀ କୁ ପାଖକୁ ନେଇ ଆସିଲି |ପୁଅଟା ସବୁବେଳେ ତା ବାପାଂକୁ ଝୁରୁଥାଏ |ଦେହ ତାର ଆଦୌ ଭଲ ରହୁ ନ ଥାଏ |ଅଫିସ କୁ ଯିବାରୁ ମତେ ଝୁରି ଝୁରି ସେ ଆହୁରି ଶୁଖିଗଲା |ମୁଁ ପ୍ରାୟ ଛୁଟିରେ ରହୁଥାଏ କିମ୍ବା ଅଫିସ ରୁ ବେଳାଵେଳି ଘରକୁ ଚାଲି ଆସୁଥାଏ |ଦିନେ ଦିନେ ପୁଅକୁ ଅଫିସକୁ ନେଇ ଦୁଇ ଘଣ୍ଟା ପରେ ତାକୁ ଘରକୁ ନେଇ ଆସି ଖୁଆଇ,ଶୁଆଇ ଦେଇ ପୁଣି ଅଫିସ ଆସେ |ଏମିତି ପ୍ରାୟ ଛଅମାସ ଚାଲିଗଲା |ଧୀରେ ଧୀରେ ପୁଅ ମୋର ସ୍ବାଭାବିକ ହେବାରେ ଲାଗିଲା |ପୁଅ ମୁହଁକୁ ଚାହିଁ ମୁଁ ମୋର ସମସ୍ତ ଦୁଃଖ ଭୁଲିବାକୁ ଚେଷ୍ଟା କଲି |
                 କ୍ରମଶଃ ଅନୁଭବ କଲି,କାର୍ଯ୍ୟାଳୟରେ ମୋ ପ୍ରତି ଥିବା ଅନୁକମ୍ପା ଆଉ ପୂର୍ବ ଭଳି ନାହିଁ |ସ୍ବାମୀଂକର ଯେଉଁ ସହକର୍ମୀମାନେ ସ୍ବାମୀଂକ ମୃତ୍ୟୁ ପରେ ମତେ ଅଯାଚିତ ସାହାଯ୍ୟ ସହଯୋଗ କରିଥିଲେ ,ସେମାନଂକ ଦୃଷ୍ଟିକୋଣ କ୍ରମେ ମୋ ପ୍ରତି ବଦଳିବାରେ ଲାଗିଲା |ଏଥରକ ଚାରିଟା ବେଳେ ଘରକୁ ଯିବାକୁ ଚାହିଁଲେ ,ଅନୁମତି ଦିଆଗଲା ନାହିଁ |ଛୁଟିରେ ରହିଲେ,କୈଫିୟତ ତଲବ କରାଗଲା |ମୋର ଦରମା ବନ୍ଦ କରାଗଲା |ଦୋଷ ତ ମୋର,ଛୁଟିରେ ରହିଛି ଯେତେବେଳେ ,ଦଣ୍ଡାଦେଶକୁ ସହିବାକୁ ପଡିବ |ସହିନେଲି |କିଛିଦିନ ପରେ ଆଗପଛ ହୋଇ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଂକର ବଦଳି ହୋଇଗଲା |ସେମାନେ ମୋପାଇଁ ଦେବତା ସଦୃଶ ଥିଲେ |ତାଂକ ସ୍ଥାନରେ ଦୁଇଜଣ ନୂତନ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଆସିଲେ |ସେମାନେ କାର୍ଯ୍ୟରେ ଯୋଗ ଦେବାର ମାସକ ଭିତରେ ହିଁ ମୁଁ ସମସ୍ତଂକ ଦୃଷ୍ଟିରେ ଏକ ଘୃଣ୍ୟବସ୍ତୁ ପାଲଟି ଗଲି |
                    ଦିନକର କଥା |ମୁଁ ମୋ ସିଟରେ ବସି କାମ କରୁଛି,ଶୁଣିଲି,କେହିଜଣେ କହୁଛନ୍ତି,ଏ ବୟସରେ ଏକା ଏକା ରହୁଛି କେମିତି ?ସଂଗେ ସଂଗେ ଆଉ ଜଣେ କହିଲେ,ଏମିତି କେତେ ସତୀ ଆମେ ଦେଖିଛୁ |ସ୍ବାମୀ ଥିବାଯାଏ ସତୀ |ସ୍ବାମୀ ମରିଗଲେ,ଏକରେ ମନ ସନ୍ତୁଷ୍ଟ ହୁଏନାହିଁ,ଦରକାର ହୁଏ ଶହେ ,ମାନେ ଅସଂଖ୍ୟ !!ଘୃଣାରେ ମୋ କାନମୂଳ ଜଳି ଉଠିଲା |ନିର୍ଦ୍ଦେଶକଂକ ନିକଟରେ ମୁଁ ମୌଖିକ ଅଭିଯୋଗ କଲି |ନିର୍ଦ୍ଦେଶକ କହିଲେ,ଆପଣ ଯାଆନ୍ତୁ,ମୁଁ ସେକଥା ବୁଝିବି |ମୁଁ ଚାଲି ଆସିଲି |ନିର୍ଦ୍ଦେଶକ ଉପନିର୍ଦ୍ଦେଶକଂକୁ ଡକାଇଲେ |ସେ ତାଂକୁ କଣ କହିଲେ,ଜାଣିନି ,କିନ୍ତୁ ମୁଁ ଅନୁଭବ କଲି ,କାର୍ଯ୍ୟାଳୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି |ତା ପରଠାରୁ ଆରମ୍ଭ ହେଲା,ମାନସିକ ନିର୍ଯ୍ୟାତନା |ଅନ୍ୟ କର୍ମଚାରୀ ଏଗାରଟାରେ ଆସିଲେ ,ଆଟେଣ୍ଡାନ୍ସ ରେଜିଷ୍ଟର ରେ ଛକି ପଡେନାହିଁ ଅଥଚ ମୁଁ ସାଢ଼େ ଦଶଟାରେ ପହଁଚିଲେ,ମୋର ଛକି ପଡିଯାଏ |ତିନୋଟି ଛୁଟି ରେ  ଗୋଟିଏ କାଜୁଆଲ ଲିଭ କଟି ଯାଏ |ଏଇ ହିସାବରେ ମୋର ଗୁଡାଏ କାଜୁଆଲ ଲିଭ କଟି ଗଲା |ପାଂଚ ଟା ପୂର୍ବରୁ ମୁଁ ଘରକୁ ଯାଇ ପାରିବିନି |ସିଟରୁ ଉଠିଲେ ଉପବିଭାଗୀୟ ଅଧିକାରୀ ହାତଘଣ୍ଟା କୁ ଚାହିଁ ଦେଖିବେ,କେତେଟା ବାଜିଛି |ମୁଁ ଏଥର ଦଶ ଟା ପୂର୍ବରୁ ଅଫିସ ଆସିଲି ଓ ପାଂଚ ଟା ପରେ ଅଫିସ ପରିତ୍ୟାଗ କଲି |ଦରକାର ପଡିଲେ ଅଧାଦିନ ପାଇଁ ଛୁଟି ନେଇଯାଏ, କିନ୍ତୁ କୌଣସି ପରିସ୍ଥିତିରେ ଡେରିରେ ଆସିବା ପାଇଁ କିମ୍ବା ଶୀଘ୍ର ଅଫିସ ପରିତ୍ୟାଗ କରିବା ପାଇଁ ଅନୁମତି ଭିକ୍ଷା କଲି ନାହିଁ |ଏହି ପରୀକ୍ଷାରେ ଉତ୍ତୀର୍ଣ ହେବା ପରେ ମୋ ପାଇଁ ନୂତନ ସମସ୍ୟା ଆସିଲା |ଫାଇଲ ରେ ବିଭିନ୍ନ ଆଳ ଦେଖାଇ କ୍ବୋରି ଆରମ୍ଭ ହେଲା |କାରଣ ନ ଥାଇ ପ୍ଲିଜ୍ ବ୍ରିଂଗ ଅପ ,ପ୍ଲିଜ୍ ଡିସକସ୍ ବା ୟାଡୁ ସାଡୁ ଥୋଡାଏ ଲେଖିଦେବା ଦୈନନ୍ଦିନ ବ୍ୟାପାର ରେ ପରିଣତ ହୋଇଗଲା |ମୁଁ ହାରି ନ ଯାଇ ଦୃଢତା ର ସହ ସବୁ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କଲି |
                   ସେଦିନ ଅଫିସ ରେ ଖୁବ କମ୍ ଷ୍ଟାଫ୍ ଥାଆନ୍ତି |ଅଧିକାଂଶ ଟୁର ରେ ଯାଇଥାଆନ୍ତି ,କେତେକ ଛୁଟି ରେ ଥାଆନ୍ତି |ପିଅନ ଆସି ଖବର ଦେଲା,ନିର୍ଦ୍ଦେଶକ ଡାକୁଛନ୍ତି |ଗଲି |ସେ ବସିବାକୁ କହିଲେନି |ଓଲଟି ପ୍ରବେଶ କରୁ କରୁ ମତେ ଗାଳିଦେବା ଆରମ୍ଭ କଲେ |କହିଲେ,ସବଜେକ୍ଟ ଷ୍ଟଡି କରୁନ,ମନଇଚ୍ଛା ଲେଖୁଚ ........ଇତ୍ୟାଦି ଇତ୍ୟାଦି |ସଂକ୍ଷେପରେ ସରି ସାର୍ ,ଏଥରକ ଭଲଭାବେ ଷ୍ଟଡି କରି ଲେଖିବି କହି ଚାଲି ଆସିବା ବେଳକୁ ସେ କହିଲେ,ରୁହ,ଚାଲିଯାଉଛ କଣ ?ମୁଁ ଅଟକି ଗଲି |ବସିବାକୁ କହିଲେ |ବସିଲି |ସେ ନିଜ ସିଟ ରୁ ଉଠି ବ୍ୟସ୍ତ ଭାବେ ପଦଚାରଣ କରିବାରେ ଲାଗିଲେ |ତାପରେ ହଠାତ୍ ମୋ କାନ୍ଧରେ ହାତ ରଖି ବିକଳ ସ୍ବରରେ କହିଲେ,ଆଇ ଲଭ୍ ୟୁ ,ଆଇ ଓ୍ଵାଣ୍ଟ ୟୁ ଇତ୍ୟାଦି |ଯେ ରକ୍ଷକ ସେ ଯେ ଭକ୍ଷକ ହେବେ ମୁଁ ସ୍ବପ୍ନରେ ସୁଦ୍ଧା କଳ୍ପନା କରିପାରି ନ ଥିଲି |ଝଡ ପରି ଉଠି ସେଠାରୁ ଚାଲି ଆସିଲି |ତାପରେ ବ୍ୟାଗ ଧରି ବିନାନୁମତିରେ ଘରକୁ ଚାଲିଆସିଲି |ମତେ ଅସହାୟ ଲାଗୁଥାଏ |ସ୍ବାମୀଂକ କଥା ସେତେବେଳେ ବହୁତ ମନେ ପଡିଲା |ମତେ ଏକୁଟିଆ ଏମିତି ହନ୍ତସନ୍ତ ହେବାକୁ ଛାଡିଦେଇ ସେ ଚାଲିଗଲେ |ପୁଅ ମୁହଁକୁ ଚାହିଁଲି |ଶୋଇଛି ବିଚରା |ସେ ବଡ ହୋଇ ମଣିଷ ହେବାପାଇଁ ଅନ୍ତତଃ ପକ୍ଷେ ଆହୁରି କୋଡିଏ ବର୍ଷ ଅପେକ୍ଷା କରିବାକୁ ପଡିବ |ହେଲେ ଏତେବର୍ଷ ବଂଚିବି କେମିତି ?ଘରେ ରହୁ ରହୁ ପାଂଚଦିନ ରହିଗଲି |ମୋର ସହକର୍ମୀ ଦୁଇଜଣ ଆମଘର କୁ ଆସିଲେ |ଛୁଟି ଦରଖାସ୍ତ ନ ଦେଇ ଛୁଟିରେ ରହିବା କିପରି ଏକ ଗୁରୁତର ଅପରାଧ,ତା ମଧ୍ୟ ବୁଝାଇଲେ |ମୁଁ ସେମାନଂକୁ ସମସ୍ତ କଥା କହି ସାହାଯ୍ୟ ମାଗିଲି |ସେମାନେ ମୋରି ପରି କିରାଣୀ ଥିଲେ |ସେମାନେ କିପରି ବା ମତେ ସାହାଯ୍ୟ କରି ପାରନ୍ତେ ?ତଥାପି ସେକ୍ରେଟାରୀଂକୁ ଏ ବିଷୟରେ ଅବଗତ କରାଇବା ନିମନ୍ତେ ପରାମର୍ଶ ଦେଲେ |ଦରଖାସ୍ତ ଲେଖିଲି |ସେକ୍ରେଟାରୀଂକୁ ଗ୍ରିଭାଂସ ଡେ ଦିନ ଦେଖାକରି  ମୋର ଦରଖାସ୍ତ ଦେଲି  ଓ ସମସ୍ତ ବିଷୟ ଜଣାଇ ନ୍ୟାୟ ନିମନ୍ତେ ପ୍ରାର୍ଥନା କଲି |ନ୍ୟାୟ ନିଶ୍ଚୟ ମିଳିବ ଓ ସେ ନିଜେ ଏ ବିଷୟରେ ତଦନ୍ତ କରିବାର ଦୃଢ ପ୍ରତିଶ୍ରୁତି ଦେଲେ |ମୁଁ ଖୁସିରେ ଚାଲି ଆସିଲି |ଭାବିଲି,ବଦମାସ  ପାନେ ପାଇବା ଦରକାର |କିନ୍ତୁ ମୋ ଧାରଣା ଭୁଲ ଥିଲା |ଘଟଣାର ତଦନ୍ତ କରିବା ଦୂରେ ଥାଉ,ଓଲଟି  ମୋ ଉପରେ ମିଥ୍ୟା ଦୋଷାରୋପ ହେଲା ଯେ କାମ ନ ଆସିବାରୁ ମୁଁ ଯୌନ ନିର୍ଯ୍ୟାତନା ର ମିଥ୍ୟା ଆରୋପ ଆଣିଛି |ଉଭୟ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଏକାଠି ହୋଇ କେତେଜଣ ମୁଖ୍ୟ ଷ୍ଚାଫଂକୁ ନିଜ ସମର୍ଥନ କୁ ନେଇ ଆସିଲେ |ମୋର ସମସ୍ତ ଫାଇଲ ରେ କ୍ବୋରି ହେଲା |ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଲୁଚାଇ ଦିଆଯାଇ ମୋ ଉପରେ ରେସପନ୍ସିବିଲିଟି ଫିକ୍ସ କରାଗଲା |ରାସ୍ତାରେ ଯିବା ଆସିବା ବେଳେ,ଅଫିସରେ କାମ କରିବା ବେଳେ ,ବାଥରୁମ କୁ ଯିବାବେଳେ ନାନାପ୍ରକାର ଅଶାଳୀନ ମନ୍ତବ୍ୟ ଦିଆଗଲା |ମୁଁ ଅର୍ଦ୍ଧପାଗଳୀ ପ୍ରାୟ ହୋଇଗଲି |ଭାବିଲି ପୂର୍ବ କାଳରେ ଆମର ସମାଜର ବଡପଣ୍ଡା ମାନେ ସତୀଦାହ ପ୍ରଥା ରଖି ବୋଧହୁଏ ଠିକ କରିଥିଲେ |ଏମିତି ତିଳ ତିଳ ହୋଇ ବଂଚିବା ଅପେକ୍ଷା ,ସ୍ବାମୀଂକ ଚିତାରେ ଝାସ ଦେଇ ସତୀ ହେବା ଶତଗୁଣେ ଶ୍ରେୟସ୍କର |ବିଧବାମାନଂକ ଉପରେ କାହାରି କୁଦୃଷ୍ଟି ନ ପଡୁ ବା ନିଜ ଇଚ୍ଛା ବିରୁଦ୍ଧରେ ବିଧବାମାନଂକ ସତୀତ୍ତ୍ବ ନଷ୍ଟ ନ ହେଉ ,ହୁଏତ ଏହି ଉଦ୍ଦେଶ୍ୟରେ ସତୀଦାହ ପ୍ରଥା ପ୍ରଚଳନ କରାଯାଇ ଥିଲା |ଆଜି ସେଇ ସମାଜ ସଂସ୍କାରକ ମାନଂକୁ ମୋର ପ୍ରଶ୍ନ ,ଯେଉଁ ସମାଜରେ ବିଧବା ଯୁବତୀକୁ ଭୟଶୂନ୍ୟ ଭାବରେ ବଂଚିବାର ଅଧିକାର ଦିଆଯାଏ ନାହିଁ,ସେ ସମାଜରୁ ସତୀଦାହ ପ୍ରଥା ଲୋପ କରିବା କି ଦରକାର ଥିଲା ?
                      ଏ ବିଷୟରେ ମୁଁ ଗଭୀର ଭାବରେ ଚିନ୍ତା କଲି |ମୋ ନିକଟରେ ଦୁଇଟା ରାସ୍ତା ଥିଲା |ଗୋଟିଏ ଥିଲା ଆତ୍ମହତ୍ୟା ,ଦ୍ବିତୀୟଟି ଥିଲା,ସମ୍ମାନର ସହ ବଂଚିବା |ଆତ୍ମହତ୍ୟା ନିଷ୍ପତ୍ତି ରୁ ମୁଁ କେବେଠାରୁ ଓହରି ଯାଇଥିଲି |ମୋ ପାଖରେ କେବଳ ଦ୍ବିତୀୟ ରାସ୍ତାଟି ଖୋଲା ଥିଲା |କାର୍ଯ୍ୟାଳୟ ରେ ଜଣେ ବିଧୂର ସହକର୍ମୀ ଥିଲେ |ତାଂକର ମୋ ପ୍ରତି ଅନେକ ଅନୁକମ୍ପା ଥିଲା |ଦିନେ ମୁଁ ତାଂକର ଅନୁରୋଧକୁ ସ୍ବୀକାର କରିନେଲି ଓ ମନ୍ଦିରରେ ବିବାହ କରି ତାଂକର ସହଧର୍ମିଣୀ ପାଲଟି ଗଲି |ମୋର ଅନ୍ୟ ସହକର୍ମୀ ଓ ଦୁନିଆଁ ଆଗରେ ମୁଁ  ଚରିତ୍ରହୀନା ହୋଇଗଲେ ମଧ୍ୟ ସେହିଦିନଠାରୁ ମୋର ସମସ୍ତ ମାନସିକ ନିର୍ଯ୍ୟାତନା ର ଅନ୍ତ ହୋଇଗଲା |

By Mamata Mohanty,ph-9437133391,e mail;mamatamohanty1206@gmail.com

 





No comments:

Post a Comment