Saturday, November 5, 2016

ଅନୁତାପ

                         ଅରୁଣଙ୍କ  ଧାରଣା ଥିଲା,ସେ ଅତି ଗେଲ୍ହାରେ ବଢିଥିବା ହେତୁ  ବେଶି ପାଠ ପଢି ପାରିଲେ ନାହିଁ  |ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସେ ଛୋଟ ଚାକିରୀ ଟିଏ କରିଥିଲେ |ତେଣୁ ସେ ତାଂକର ପିଲାମାନଂକୁ ଅତି କଡା ଶାସନରେ ରଖିଥିଲେ |ବଡଝିଅ ସୁଷମା ଓ ତାପରେ ପୁଅ ସୁଜିତ |ସେତେବେଳେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ତ୍ୱ  ଦିଆଯାଉଥିଲା ଓ କ୍ରୀଡା କେବଳ ସାମୟିକ ବିନୋଦନ ପାଇଁ ଥିଲା |ସୁଜିତ କିନ୍ତୁ ଖେଳିବାକୁ ଭାରି ଭଲପାଉ ଥିଲା |ଦୌଡ଼,ଲଂଗ ଜମ୍ପ,ହାଇ ଜମ୍ପ,ବାଧା ଦୌଡ଼,ସବୁଥିରେ ସେ ପ୍ରଥମ |ସାଧାରଣତଃ ଖେଳକୁଦ କରୁଥିବା ପିଲାମାନେ ପାଠରେ ଟିକେ ହେଳା କରିଥାନ୍ତି |ସୁଜିତ କ୍ଷେତ୍ରରେ ତାହା ହୋଇ ଥିଲା |କିନ୍ତୁ ଅରୁଣଂକର କଡା ନିର୍ଦ୍ଦେଶ ଥିଲା,ତୁ କେବଳ ପାଠ ପଢିବୁ,ଖେଳିବା ନାଁ ଧରିଲେ ତୋର ଦିନେକୁ ମୋର ଦିନେ |କାର୍ଯ୍ୟରେ ବି ସେଇଆ କରି ଦେଖାନ୍ତି |ପାଠ ପଢିବା ବେଳେ ଟିକିଏ ଭୁଲ ହୋଇଗଲେ,ଗୋରୁ ପରି ଛେଚି ଦେଇ ଯାଆନ୍ତି |ବେଳେବେଳେ ପଛପଟୁ ହାତ ବାନ୍ଧି ପଶୁ ଭଳି ନିର୍ମମ ଭାବେ ବେତରେ ପିଟନ୍ତି |ତାଙ୍କର  ଯୁକ୍ତି ଥିଲା ,ବିନା ଅନୁଶାସନରେ ପିଲା ମଣିଷ ହୁଅନ୍ତି ନାହିଁ  |ସୁଜିତ ମାଡ ଖାଇବା ବେଳେ କାନ୍ଦେ,ପରେ ସବୁ ଭୁଲିଯାଏ |ପୁଣି ଖେଳରେ ମାତେ |ବାର୍ଷିକୋତ୍ସବରେ ତା ପାଇଁ ବୋଝେ ପୁରଷ୍କାର ଥୁଆ ହୋଇଥାଏ |ଖୁସିରେ ସେ ତାକୁ ଘରକୁ ଆଣିବା ବେଳେ ତାର ମନେପଡେ ବାପା ମନା କରିଛନ୍ତି ଖେଳିବା ପାଇଁ |ସେ ସବୁ ପୁରଷ୍କାର  ତାର ସାଂଗ ମାନଂକ ଭିତରେ ବାଣ୍ଟିଦିଏ |ଦିନକର କଥା |ଜାଭଲିନ ଥ୍ରୋ ଖେଳ ଚାଲିଥିବା ବେଳେ ସେ ଭୁଲବଶତଃ ସେହିବାଟ ଦେଇ ଚାଲିଗଲା |ଜାଭଲିନ ସିଧା ଆସି ତା ଡାହାଣ ଗୋଡ ପେଣ୍ଡାରେ ବାଜି ମାଂସ ଖଣ୍ଡେ ଉଡାଇ ନେଲା |ତାକୁ ବହୁତ କଷ୍ଟ ହେଉଥିଲା  |କିନ୍ତୁ ବାପାଂକ ଠାରୁ ମାଡ ଖାଇବା ଭୟରେ ଘରେ କାହାକୁ ଏକଥା କହିଲାନି |ସେଦିନ ରାତିରେ ଅଧିକ ଯନ୍ତ୍ରଣା ହୋଇ ତାକୁ ଜ୍ୱର  ଆସିଗଲା ଓ ସେ ପ୍ରଳାପ କରିବାକୁ ଲାଗିଲା |ଅରୁଣ ଉଠି ଦେଖିଲେ,ସୁଜିତକୁ ଭୀଷଣ ଜ୍ୱର  ଓ ତା ଡାହାଣ ଗୋଡ଼ ପେଣ୍ଡାରୁ ମାଂସ ଖଣ୍ଡେ ଉଠି ଯାଇଛି |ଆଘାତ ଏତେ ଶକ୍ତ ଥିଲା ଯେ ସେପର୍ଯ୍ୟନ୍ତ ରକ୍ତ ଶୁଖିନଥିଲା  |ନିଜ ଉପରେ ତାଂକର ଧିକ୍କାର ଆସିଲା |ସକାଳୁ ତାକୁ ଡାକ୍ତରଖାନା ନେଇ ଇଂଜେକସନ୍ ଦେଲେ,କ୍ଷତସ୍ଥାନ ବାଣ୍ଡେଜ ହେଲା |
                    ମାଡ ଭୟରେ ଏମିତି ଅନେକ କଥା ଲୁଚାଇ ରଖୁଥିଲା ସୁଜିତ |ଏପରିକି ବୋଉ କୁ ମଧ୍ୟ କହୁନଥିଲା  |ତାର ଭୟ ଥିଲା,କାଳେ ବୋଉ ବାପାଙ୍କୁ କହିଦେବ |କିନ୍ତୁ ତାର ଅପା ସୁଷମା କୁ ସେ ସବୁକଥା କହୁଥିଲା  |ତାକୁ ସେ ବହୁତ ଭଲ ପାଉଥିଲା  |ଥରେ ସ୍କୁଲରୁ ଫେରୁଥିବା ବେଳେ ତାକୁ କୁକୁର କାମୁଡି ଦେଲା |ଏକଥା ଘରେ କହିଲେ କାଳେ ବାପା ମାରିବେ,ଏଇ ଭୟରେ ସେ କାହାକୁ କିଛି କହିଲାନି |କିନ୍ତୁ ସୁଷମା କୁ ସେ ବାରମ୍ବାର କୁକୁର କାମୁଡା ବିଷୟରେ ପ୍ରଶ୍ନ କରୁଥିଲା  |କୁକୁର କାମୁଡିଲେ କଣ ହୁଏ,ମଣିଷ ବଂଚେ ନାଁ ମରିଯାଏ,ନାଁ ପାଗଳ ହୋଇଯାଏ?ତାର ଏପରି କଥା ଶୁଣି ସୁଷମା ଜାଣିପାରିଲା ନିଶ୍ଚୟ  କିଛି ଗଡ଼ବଡ଼ ହୋଇଛି  |ସେ କହିଲା,ସତ କହ ତତେ କୁକୁର କାମୁଡିଛି ନାଁ?ସୁଜିତ ମାନିଗଲା |'ତାହାଲେ ଘରେ କହିଲୁନି କାହିଁକି?''ବାପା ମାରିବେ ବୋଲି"ସୁଜିତ କହିଲା |ତା କଥା ଶୁଣି ସୁଷମା ମୁଣ୍ଡରେ ହାତ ଦେଲା |ତାପରେ ଇଂଜେକ୍ସନ ନେବାରୁ ସେ ସୁସ୍ଥ ହୋଇଥିଲା |ଏହାସତ୍ତ୍ୱେ  ବି  ସେ ବାପାଂକ କଠୋର ଅନୁଶାସନ ରୁ ବର୍ତ୍ତି ଯାଇ ନ ଥିଲା |କୁହାଯାଏ,ଅତ୍ୟଧିକ ମାଡ ଖାଉଥିବା ପିଲାମାନଂକର ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡେ |ସୁଜିତ କ୍ଷେତ୍ରରେ ତାହାହିଁ ହେଲା |ପିଲାଦିନେ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ସୁଜିତ ଧୀରେ ଧୀରେ ପାଠପଢା ପ୍ରତି ବିମୁଖ ହେଲା |ଅରୁଣଂକ ମାଡ ଗାଳି ଆଉ କାମ କଲାନାହିଁ |
                ବହୁତ କଷ୍ଟରେ ବି.ଏ.ପାଶ କରିବା ପରେ,ଉପରସ୍ତରରେ ଧରାଧରି କରି କୌଣସି ମତେ ସୁଜିତ ପାଇଁ ସରକାରୀ ଚାକିରୀ ଟିଏ ଯୋଗାଡ କରିଦେଲେ ଅରୁଣ |ଭାବିଥିଲେ,ଏଥର ଚିନ୍ତା ଗଲା |କିନ୍ତୁ ପିଲାଦିନୁ ଏତେ କଟକଣା ଭିତରେ ବଢିଥିବା ସତ୍ତ୍ୱେ ,ସୁଜିତ  ଅରୁଣଂକ ଇଚ୍ଛା ବିରୁଦ୍ଧରେ ଯାଇ ଏକ ଭିନ୍ନ ଭାଷାଭାଷୀ ଝିଅକୁ ପ୍ରେମ କରି ତାକୁ କୋର୍ଟରେ ଗୁପ୍ତ ବିବାହ କଲା |କଲେଜ ପଢିବା ବେଳୁ ଏକଥା ଲୁଚାଛପାରେ ଚାଲିଥିଲା ,କେହି ଏହାର ଟେର ପାଇ ପାରି ନ ଥିଲେ |ସମସ୍ତେ ଜାଣିବା ବେଳକୁ ଲେଡି ଗୁଡ କହୁଣୀ କୁ ବୋହି ଗଲାଣି |ସୁଷମା ସେତେବେଳକୁ ବିବାହିତା |ସେ ସୁଜିତକୁ ବୁଝାଇବା ପରିବର୍ତ୍ତେ ଅରୁଣଂକୁ ବୁଝାଇଲା |ଏମିତି ବୁଝାବୁଝି କାମ ବର୍ଷେ କାଳ ଚାଲିଲା |ସେତେବେଳକୁ ଅରୁଣ ମାନସିକ ଦୁଶ୍ଚିନ୍ତାରେ ବିଛଣା ଧରି ସାରିଲେଣି |ଶେଷରେ ନିଷ୍ପତ୍ତି ହେଲା,ସୁଷମା ଓ ତାର ସ୍ୱାମୀ  ବୀରଭଦ୍ର କର୍ତ୍ତା କର୍ତ୍ତୀ ହୋଇ ବାହାଘର କରିବେ |ତାହାହିଁ ହେଲା |
                     ସୁଜିତ ଯାହାକୁ ବାହା ହେଲା,ତା ନାଁ ଶିଳ୍ପା |ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ,ଗୋଟିଏ ଚାଉଳ ରେ ଗଢା |ସୁଜିତ ତାକୁ ନିଜ ଜୀବନ ଠାରୁ ଅଧିକ ଭଲପାଉ ଥିଲା |ତାର ସବୁ ଅଳି ଅଝଟ ପୂର୍ଣ୍ଣ  କରିବାରେ ତାକୁ ଅସୀମ ଆନନ୍ଦ ମିଳୁଥିଲା |ସେମାନଙ୍କ ବିବାହକୁ ଅରୁଣ ଘୋର ବିରୋଧ କରିଥିବାରୁ,ଶିଳ୍ପା ଅରୁଣଙ୍କୁ ମାନସିକ ସ୍ତରରେ କେବେବି କ୍ଷମା କରି ପାରିନଥିଲା |ଶିଳ୍ପା ଚାହୁଁଥିଲା,ତା ଇଛାନୁସାରେ ଘର ପରିଚାଳିତ ହେବ |ସେଥିପାଇଁ ସେ କାହାରି ଇଛା ଅନିଚ୍ଛା କୁ ଗୁରୁତ୍ତ୍ଵ ଦେଉ ନଥିଲା  |ତାର ସୌକ ଥିଲା,ପ୍ରତି ମାସରେ ନୂଆଶାଢୀ କିଣିବା,ନୂଆ ଚଳଚ୍ଚିତ୍ର ଦେଖିବା ଓ ରାଜ୍ୟ ବାହାରକୁ ତା ବାପଘରକୁ ବୁଲିଯିବା |ଏଥିପାଇଁ ବହୁତ ଟଂକା ଆବଶ୍ୟକ ହେଉଥିଲା |ପହିଲା ଦିନ ଦରମା ଆଣି ସୁଜିତ ଶିଳ୍ପା ହାତକୁ ବଢାଇ ଦେଉଥିଲା  |ଶିଳ୍ପା ସେସବୁ ତା ନିଜ ଇଛାନୁସାରେ ଖର୍ଚ୍ଚ କରୁଥିଲା  |ଅନୁପମା ଯେଉଁ ରୋଷେଇ କରୁଥିଲେ ,ତାହା ତା ମନକୁ ଯାଉ ନଥିଲା  |ସେ ନିଜ ପସନ୍ଦ ଅନୁଯାୟୀ ବେଶି ତେଲ,ମସଲା ଓ ରାଗ ପକାଇ ରାନ୍ଧୁଥିଲା |  ତାକୁ  ସୁଜିତ ଓ ସେ ଦୁହେଁ ମିଶି ଖାଉଥିଲେ  |ଅରୁଣ ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ସେ ପାଇଥିବା ସରକାରୀ ଘର ଟି ଚେଷ୍ଟା କରି ସୁଜିତ ନାମରେ କରାଇ ଦେଲେ |ତଥାପି ଶିଳ୍ପା ଖୁସି ନ ଥିଲା |ଦିନେ ସେ ଅରୁଣଂକୁ ମୁହେଁ ମୁହେଁ କହିଦେଲା,ଆପଣ ଏଥର ଅଲଗା ଘର ଦେଖନ୍ତୁ,ଏଠାରେ ଆମେ ଆପଣମାନଂକୁ ରଖି ପାରିବୁନି | ଶିଳ୍ପାର କୌଣସି  କଥାକୁ ତଳେ ପକାଇ ଦେଉ ନଥିବା ସୁଜିତ ତାର ଏଇ କଥାକୁ ମଧ୍ୟ ବିରୋଧ କରି ନଥିଲା  |ଏକଥା ଅରୁଣଂକୁ ବହୁତ ବାଧିଥିଲା |ସେ ବିନା ପ୍ରତିବାଦରେ ସେଠାରୁ ଚାଲିଗଲେ ଓ ଗୋଟିଏ ଏକ ବଖୁରିଆ ଘର ଭଡା ନେଇ ଅନୁପମାଂକ ସହ ରହିଲେ  |
                             ଏହାପର ଠାରୁ ସୁଜିତ ର ବିପର୍ଯ୍ୟୟ ଆରମ୍ଭ ହୋଇଗଲା  |ଇତିମଧ୍ୟରେ ତାର ପୁଅଟିଏ ହୋଇ ସାରିଥିଲା  |ସବୁ ପିତାମାତାଂକ ପରି ତାର ମଧ୍ୟ ଇଚ୍ଛା ଥିଲା  ,ପୁଅକୁ ଭଲ ଖାଦ୍ୟ,ପୋଷାକ ଓ ଶିକ୍ଷା ଦେବାପାଇଁ |ଏପଟେ ଶିଳ୍ପାର ବଦଖର୍ଚ୍ଚ ବଢି ଚାଲିଥିଲା  |ଖର୍ଚ୍ଚଭାର ସମ୍ଭାଳିବା ପାଇଁ ସେ ଅସତ୍ ମାର୍ଗ ବାଛିନେଲା |କାହାକୁ ଚାକିରୀ ଦେବ ବା ଆଉ କଣ କରିବ କହି ଲକ୍ଷ ଲକ୍ଷ ଟଂକା ଠକି ନେଲା |କୁସଂସର୍ଗ ରେ ପଡି  ତାର ମଦ୍ୟପାନ କରିବା  ନିଶା ଆରମ୍ଭ ହୋଇଗଲା   |ଟଂକା ପାଇଁ କେହି ଘରକୁ ଆସିଲେ,ସେ ଘରେ ଥାଇ ଘରେ ନାହାନ୍ତି ବୋଲି କହିଲା |
                              ଦିନେ ଖରାବେଳେ ଖାଇସାରିବା ପରେ ଅରୁଣ ଓ ଅନୁପମା ବିଶ୍ରାମ ନେଉଛନ୍ତି ,ସୁଜିତ ଝଡ ପରି ଆସି ସେଠାରେ ପହଂଚି ଗଲା |କାନ୍ଦି କାନ୍ଦି କହିଲା ,ବାପା,ମତେ କେଉଁଠି ଲୁଚାଇ ଦିଅ,ପୋଲିସ ଖୋଜୁଚି |ଅରୁଣଂକ ମୁଣ୍ଡରେ ଚଡକ ପଡିଲା |କଥା କଣ ବୁଝିବା ବେଳକୁ ଚାକିରୀ ଦେବା ମିଛ ପ୍ରଲୋଭନ ଦେଖାଇ ,ସୁଜିତ କେତେଜଣଂକ ଠାରୁ ଟଂକା ନେଇଥିଲା ,ସେମାନେ ଥାନାରେ ତା ନାଁ ରେ ଏଫ୍.ଆଇ.ଆର.ଦେଇଛନ୍ତି |ଅରୁଣ କଣ କରିବେ ନକରିବେ ଭାବି  କିଛି ବୁଦ୍ଧି ଦିଶୁ ନ ଥିଲା |ସେଠାରେ ସୁଜିତ ତିନିଦିନ ରହିଲା |ଚତୁର୍ଥ ଦିନ ପୋଲିସ ବାସନା ଶୁଂଘି ଶୁଂଘି ଆସି ତାକୁ ସେଠାରୁ ଗିରଫ କରି ନେଇଗଲା |ଅରୁଣ ଅନେକ ଟଂକା ଖର୍ଚ୍ଚ କରି ସୁଜିତକୁ ଜାମିନରେ ଆଣିଲେ |ସେଦିନ ରାତିରେ ବାପାବୋଉଂକ ପାଖରେ ବସି ଅନେକ କାନ୍ଦିଲା ସୁଜିତ |କହିଲା,ବାପା,ତମେ ମତେ ଏତେ ବାଡାଉଥିଲ,ଆଉ ଟିକେ ବାଡେଇଥିଲେ,ମୁଁ ସେ ଝିଅକୁ ବାହା ହୋଇ ନ ଥାଆନ୍ତି |ଅରୁଣ ମଧ୍ୟ ସେଦିନ ଅନେକ କାଂଦିଲେ |କହିଲେ,ପୁଅ ,ଏମିତି କଡା ଶାସନରେ ରଖିବାରୁ  ତୁ ଭୁଲ ଠିକ ର ଫରକ ଜାଣି ପାରିଲୁନି  |ଭୁଲ ମୋର |ମୁଁ ଯେଉଁ ଭୁଲ କରିଛି,ତାର କ୍ଷମା ନାହିଁ |
                         ସେଠାରେ ପନ୍ଦର ଦିନ ରହିବା ପରେ ପୁଣି ସେ ଶିଳ୍ପା ପାଖକୁ ଫେରି ଆସିଲା |ସେଠାରେ ତାର ପ୍ରିୟ ଆକର୍ଷଣ ଥିଲା,ତାର ପୁଅ ରାଜା ,ଯାହାକୁ ସେ ନିଜ ପ୍ରାଣ ଠାରୁ ଅଧିକ ଭଲପାଉଥିଲା |ସେଠାକୁ ଆସିବା ପରେ ପୁଣି ଆରମ୍ଭ ହୋଇଗଲା ସେଇ ପୁରୁଣା ଭୁଲର ପୁନରାବୃତ୍ତି |ସୁଜିତ ଘୋଡା ମଦୁଆ ହୋଇଯାଇଥିଲା  |ମଦ ଖାଇବାପାଇଁ ଅନେକ ଧାର ଉଧାର ମଧ୍ୟ କରି ପକାଉଥିଲା  |କ୍ରମେ ସମସ୍ତେ ତାକୁ ଧାର ଦେବା ବନ୍ଦ କରିଦେଲେ |ସେ ମଦ ପାଇଁ ଘରୁ ଜିନିଷପତ୍ର ନେଇ ତାକୁ ବିକ୍ରୀ କରି ମଦଖିଆ ଖର୍ଚ୍ଚ ତୁଲାଇଲା |ଶିଳ୍ପା ଇତିମଧ୍ୟରେ ତା ମାଆ କୁ ତା ପାଖକୁ ନେଇ ଆସିଲା |ଗୋଟିଏ ରୁମ ରେ ସେମାନେ ସମସ୍ତେ  ଶୋଉଥିବା ବେଳେ ଅନ୍ୟ ଛୋଟ ରୁମ୍ ରେ ସୁଜିତ ଶୋଉଥିଲା |ଯେଉଁଦିନ ଶିଳ୍ପା ରାଗିଯାଇ ତାକୁ ଖାଇବାକୁ ଦେଉ ନ ଥିଲା ସେଦିନ ସେ ବାପା ବୋଉଂକ ପାଖକୁ ଚାଲି ଆସୁଥିଲା |ବୋଉ ହାତ ର ପଖାଳଭାତ,ଆଳୁଭର୍ତ୍ତା,ଶାଗଭଜା,ସୋରିଷ ଦିଆ ମାଛଭଜା ଖାଇ ମନବୋଧ ହେଲାପରେ ସେ ପୁଣି ଫେରି ଯାଉଥିଲା |ଗଲାବେଳେ ସୁଜିତ କୁ କିଛି ଟଂକା ଦେଉଥିଲେ ଅରୁଣ |କିନ୍ତୁ ସେସବୁ ସମୁଦ୍ରକୁ ଶଂଖେ ପଣା ପରି |ତାରି କଥା ଚିନ୍ତା କରି କରି ଅଳ୍ପ ଦିନଭିତରେ ଆଗପଛ ହୋଇ ଅରୁଣ ଓ ଅନୁପମା ଆଖି ବୁଜିଲେ |ସୁଜିତ ତାର ସାଧ୍ୟାନୁସାରେ ବାପାବୋଉଂକର କ୍ରିୟା କର୍ମ କଲା |ତାଂକର ଅସ୍ଥି ଗମଲାରେ ସ୍ଥାପନ କରି ପ୍ରତିଦିନ ସେଥିରେ ପାଣି ଦେଲା |ମାସେ ପରେ ସେ ସୁଷମା ପାଖକୁ ଯାଇଥିଲା |କହୁଥିଲା,ଅପା ,ସବୁଦିନ ଭୋର ଚାରିଟା  ରେ  ବାପା ମତେ ଡାକୁଛନ୍ତି |ମୋ ନିଦ ଭାଂଗି ଯାଉଛି ,ଆଉ ନିଦ ହଉନି |ସୁଷମା ତାଗିଦ କଲା;କହିଲା,ଏସବୁ ତୋ ମନ ର ଭ୍ରମ,ତୁ ସେମାନଙ୍କ କଥା ବେଶୀ ଭାବୁଛୁ ବୋଲି ଏମିତି ଚିନ୍ତା ତୋ ମନକୁ ଆସୁଛି  |ସୁଜିତ କିନ୍ତୁ ସେକଥା ବିଶ୍ୱାସ କରିବାକୁ ନାରାଜ ଥିଲା |ସେ  କହିଲା,ନାଁ ଅପା ମୁଁ ପୁରା ଚେଇଁ କରି ସବୁଦିନ ବାପାଂକ ସ୍ୱର  ଶୁଣୁଛି |କୌଣସି ଗୋଟିଏ ବି ଦିନ ଛାଡ ନାହିଁ  |ଏଣେ ଶିଳ୍ପା ଘରେ ପ୍ରଳୟ କରୁଥିଲା |କହୁଥିଲା,ବୁଢାବୁଢୀ ସେପଟେ ମଲେ,ଶବ ଆମଘରେ ରହିବ କାହିଁକି?ଉଠାଅ ତାକୁ |ବର୍ଷିକିଆ ସରିବା ପରେ ପୁରୀ ନନାଂକ ସହ ପରାମର୍ଶ କରି ଦିନେ ସେ ଏକାକୀ ଆଲ୍ହାବାଦ ଯାଇ ବାପାବୋଉଂକର ଅସ୍ଥି ବିସର୍ଜନ କରିଦେଲା  |
                     ଏହି ଘଟଣା ର କିଛିଦିନ ପରେ ସୁଷମା ଖବର ପାଇଲା,ସୁଜିତ ର ହୃଦଘାତ ରେ ମୃତ୍ୟୁ ଘଟିଛି |ପାଗଳ ପରି ସେ ତା ଘରକୁ ଦୌଡିଗଲା  |ସେଠାକାର ପରିସ୍ଥିତି ଅତି ବିଚିତ୍ର ଥିଲା |ଗୋଟିଏ ରୁମ୍ ରେ ପଟାଖଟ ରେ ସୁଜିତ ଶୋଇଥିଲା |ଚାଦର ନଥିଲା କିମ୍ବା ମୁଣ୍ଡ ତଳେ ତକିଆ ନଥିଲା  |ଶରୀର ତାର କଂକାଳସାର ହୋଇ ଯାଇଥିଲା ,ଘର ସାରା ଅଳନ୍ଧି ଭର୍ତ୍ତି |ସେଘରେ ସୁଜିତ ବ୍ୟବହାର କରୁଥିବା ଗୋଟିଏ ଆଲମୁନିଅମ ଥାଳି,ଗିନା ଓ ପ୍ଲାଷ୍ଟିକ ଗ୍ଲାସ ଥିଲା |ସେ ବୋଧହୁଏ ଅନେକ ଦିନ ଧରି ଧୁଆ ହୋଇ ନ ଥିଲା |ସୁଷମା ସେଠାରେ ମୁଣ୍ଡ ପିଟି ଅନେକ କାନ୍ଦିଲା  |ସୁଖରେ ରହିବ ବୋଲି ଅନେକ ବିରୋଧ ସତ୍ତ୍ୱେ  ସୁଜିତ ଭଲପାଇ ବାହା ହୋଇଥିଲା |କିନ୍ତୁ ଦୁଃଖ ରେ ସଢ଼ି ସଢ଼ି ସେ ମରିଗଲା |ସେ କେତେବେଳେ ମୃତ୍ୟୁବରଣ କଲା,ତାର ସଠିକ ସମୟ ସେମାନେ କହିପାରୁ ନ ଥିଲେ |ଶିଳ୍ପା  ର ମାଆ କହୁଥିଲେ ,ଅଧାରାତିରେ ଆମେ ଗୋଟିଏ ବିକଟ ଚିତ୍କାର ଶୁଣିଲୁ,ଭୟରେ କବାଟ ଖୋଲିଲୁନି |ବୋଧେ ସେତେବେଳେ ସେ ଚାଲିଗଲା |କଥାଟା ସେ ଏତେ ସହଜ ଭାବେ କହିଲେ ଯାହା ଶୁଣିବା ପାଇଁ ସୁଷମା ପକ୍ଷେ କଷ୍ଟକର ଥିଲା |
                     କିଛିଦିନ ପରେ ସୁଷମା ଖବର ପାଇଲା,ସୁଜିତ ସ୍ଥାନରେ ତା ପୁଅ ରାଜା  ଚାକିରୀ ପାଇଛି |ଧାରୁଆ ଲୋକଂକ କବଳରୁ ମୁକ୍ତି ପାଇବା ପାଇଁ ସେମାନେ ଘର ସରେଣ୍ଡର କରି ଅଫିସ ପାଖରେ ଭଡାଘରେ ରହୁଛନ୍ତି |ସୁଷମା ଭାବୁଥିଲା,ସେମାନେ ତାର ସବୁ ପ୍ରାପ୍ୟ ଭୋଗ କଲେ,ପୁଅ ସରକାରୀ ଚାକିରୀ ପାଇଲା |କିନ୍ତୁ ଯାହାପାଇଁ ଏତେ ସୁଖ,ତାକୁ ଭଲରେ ମୁଠାଏ ଖାଇବାକୁ ଦେଲେନାହିଁ !!ଭଲପାଇ ସେ ଏତେ ବଡ ଭୁଲ କରିଥିଲା ଯେ ସାରାଜୀବନ ତାର ପ୍ରାୟଶ୍ଚିତ୍ତରେ କଟିଗଲା !!!
                      କିଛିବର୍ଷ ପରେ ଶିଳ୍ପା ରାଜା  ର ବିବାହ ବିଷୟରେ ଚିନ୍ତା କଲା |ସେ ବହୁତ ଭାବି ଚିନ୍ତି ତା ନିଜ ରାଜ୍ୟ ର ,ନିଜ ଭାଷା ଓ ଜାତି ର ଅତି ସୁନ୍ଦରୀ ଝିଅଟିଏ ରାଜା  ପାଇଁ ଖୋଜିଆଣି ବହୁତ ଆଡମ୍ବରରେ ବାହାଘର କଲା |ଅତିଥିଂକ ମୁହଁରୁ ବୋହୂ ର ସୌନ୍ଦର୍ଯ୍ୟ ର ଭୁରି ଭୁରି ପ୍ରଶଂସା ଶୁଣି ତା ଗୋଡ ତଳେ ଲାଗୁ ନଥିଲା  |ବାହାଘରର ପ୍ରଥମ ତିନି ଚାରି ମାସ ବେଶ ଭଲରେ କଟିଗଲା |ତାପରେ ଧୀରେ ଧୀରେ ବୋହୂ ତାର ଅସଲ ଚେହେରା ପ୍ରକାଶ କରିବାକୁ ଲାଗିଲା |ଦିନେ ରାଜା  ଅଫିସ ଯିବାପରେ ସେ ଯାଇଁ ମହିଳାଥାନାରେ ହାଜର |ଯୌତୁକ ନିର୍ଯାତନା,ଶାରୀରିକ ଓ ମାନସିକ ନିର୍ଯ୍ୟାତନା,ଦୁଇଜଣଂକ ପାରିବାରିକ ଜୀବନରେ ଅଯଥା ହସ୍ତକ୍ଷେପ ଇତ୍ୟାଦି ଅଭିଯୋଗ ସେ ଶାଶୁଙ୍କ ବିରୁଦ୍ଧରେ  ଆଣିଥିଲା |ଅପରାହ୍ନ ସୁଦ୍ଧା ପୋଲିସ ଶିଳ୍ପା ଓ ରାଜାକୁ  ଥାନାକୁ ଡକାଇ ଆଣିଲା |ପୋଲିସ  ଶିଳ୍ପା କୁ କହିଲେ,ଆପଣ ଆପୋଷ ବୁଝାମଣା କରନ୍ତୁ,ନଚେତ୍ ଆମେ ଆଇନ ଅନୁଯାୟୀ ପଦକ୍ଷେପ ନେବୁ |ରାଜା  ର ସରକାରୀ ଚାକିରୀ |ଟିକିଏ ଏପଟ ସେପଟ ହେଲେ,ଅସୁବିଧା ଉପୁଜି ପାରେ |ତେଣୁ ସ୍ଥିର ହେଲା,ବୋହୂ ଓ ରାଜା  ଏକାଠି ଭୁବନେଶ୍ୱରରେ  ରହିବେ |ଶିଳ୍ପା ରାଜ୍ୟ ବାହାରକୁ  ଯାଇ ,ତା ଭଉଣୀ ପାଖରେ ରହିବ |
                       ଛାତିରେ ପଥର ଲଦି ଶିଳ୍ପା ପୁଅ ବୋହୂଙ୍କ  ପାଖରୁ ବିଦାୟ ନେଲା |ଏବେ ଶିଳ୍ପା ର ସୁଜିତ କଥା ବହୁତ ମନେପଡେ |ତାର ସ୍ନେହ,ପ୍ରେମ,ଆଦର କଥା ମନେ ପକାଇ ସେ ବହୁତ କାନ୍ଦେ |ଶାଶୁ ଶ୍ଵଶୁରଙ୍କ  ସ୍ନେହବୋଳା ବ୍ୟବହାରକୁ କେବେବି ସ୍ୱୀକାର କରିନଥିବା  କଥା ମଧ୍ୟ ସେ ବହୁତ ମନେ ପଡି ଅଜାଣତରେ ଆଖିରୁ ତାର ଅଜସ୍ର ଧାର ଲୁହ ଝରିଯାଏ |କିନ୍ତୁ କେବଳ ଅନୁତାପ କରିବା ଛଡା ତା ପାଖରେ ଆଉ କିଛି ନ ଥାଏ |ମମତା ମହାନ୍ତି |

No comments:

Post a Comment