Thursday, October 13, 2016

ଏଇ ତ ଜୀବନ

                           ଶ୍ରୀନିବାସ ନିଜ ଚାକିରୀ କାଳରେ ସହରରେ ଏକ ଜମି କିଣି ସେଠାରେ ଦୁଇ ମହଲା ଘର କରିଥିଲେ |ତଳ ମହଲା ଭଡା ଲାଗିଥିବାବେଳେ ଉପର ମହଲାରେ ସେମାନଙ୍କ ପରିବାର ରହୁଥିଲେ |ତାଙ୍କ ପରିବାରରେ ସ୍ତ୍ରୀ ଲକ୍ଷ୍ମୀ,ଦୁଇଝିଅ ଶ୍ରୀୟା,ଶ୍ରଦ୍ଧା ଓ ଏକମାତ୍ର ପୁତ୍ର ଶ୍ରୀମନ୍ତ ଥିଲେ |ଶ୍ରୀନିବାସ ଯେଉଁ ସମାଜରେ ଜନ୍ମ ଗ୍ରହଣ କରିଥିଲେ,ସେଠାରେ ଯୌତୁକ ପ୍ରଥାର ପ୍ରଚଳନ ଥିଲା | ସେ ତାଙ୍କ ବଡ଼ଝିଅ ଶ୍ରୀୟାର ବାହାଘରରେ ସେ କେବଳ  ଯୌତୁକ ବାବଦରେ ପଚିଶ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ |ଦ୍ୱିତୀୟ ଝିଅ ଶ୍ରୀୟା ପାଇଁ ତିରିଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା |ପୁଅ ଶ୍ରୀମନ୍ତ ଏମ.ବି.ଏ.କରି ହାଇଦ୍ରାବାଦରେ ଚାକିରୀ କରୁଥିଲା |ଲକ୍ଷ୍ମୀଙ୍କର ଭାରି ଇଚ୍ଛା ଥିଲା,ଦୁଇଝିଅଙ୍କର ବାହାଘରରେ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି,ଅନ୍ତତଃ ସେତିକି ପୁଅ ବାହାଘରରେ ଆଦାୟ କରିବେ |ଶ୍ରୀନିବାସ କିନ୍ତୁ ପରିବର୍ତ୍ତିତ ସମାଜର ଚଳଣୀକୁ ଦେଖି ଯୌତୁକ ଲଫଡାରେ ପଶିବାକୁ ଚାହୁଁ ନଥିଲେ |ଲକ୍ଷ୍ମୀ ତାଙ୍କ କଥାରେ ରାଜି ନହୋଇ କହୁଥିଲେ,ମାଗଣାରେ ବୋହୂ ଆଣିଲେ,ମୁଁ ମୋ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ଆଗରେ ମୁଣ୍ଡ ଟେକି ଚାଲି ପାରିବିନି |ସେ ଭାବୁଥିଲେ,ରୂପ ଅଢେଇ ଦିନିଆ |ବାକି ରହିଲା,ଗୁଣ କଥା |ବାପମା ଯେତେବେଳେ ଝିଅକୁ ବାହା ଦେଉଛନ୍ତି,ସେ କଣ ତାକୁ କିଛି ଶିଖେଇ ନଥିବେ ?ନ ଶିଖିଥିଲେ,ବେକରେ ପଡିଲେ,ବେଳେ ବଜେଇ ଶିଖିଵ ନାହିଁ ?ୟା ବୋଲି ମୁଁ କାହିଁକି ମୋ ଦାବି ଛାଡ଼ିବି ??ସେ ତାଙ୍କ ବାପଘର ଲୋକଙ୍କୁ କହି ମଧ୍ୟସ୍ଥିଙ୍କ ଜରିଆରେ ଝିଅ ଖୋଜାଖୋଜି ଆରମ୍ଭ କରିଥିଲେ |ଦୁଇବର୍ଷ ପରେ ତାଙ୍କର ନିରବିଛିନ୍ନ ଉଦ୍ୟମ ସଫଳ ହେଲା |ଝିଅଟି ବି.ଏ. ପାସ କରିଥିବାବେଳେ ତା ଭାଇ ଭଲ ଚାକିରୀ କରୁଥିଲା ଓ ପିତା ଜଣେ ଉଚ୍ଚପଦସ୍ଥ ଅଫିସର ଥିଲେ |ଯୌତୁକ ବାବଦରେ ତାଙ୍କୁ କିଛି କହିବାକୁ ପଡିଲା ନାହିଁ |ସେ ନିଜ ଆଡୁ ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ୟାସ ସହ,ଝିଅ ଚଳିବା ପାଇଁ ସବୁକିଛି ଦେବେ ବୋଲି କହିଲେ |ଏହା ଶୁଣି ଖୁସିରେ କକ୍ଷ୍ମୀଙ୍କର ମନ କୁଣ୍ଢେମୋଟ ହୋଇଗଲା |ସେ ଖୁସିରେ ଶ୍ରୀନିବାସଙ୍କୁ ଏକଥା କହିଲେ |ଶ୍ରୀନିବାସ କହିଲେ,ଆଗେ ଶିରୀ (ଶ୍ରୀମନ୍ତ)କୁ ଝିଅ ଦେଖାଇ ତାର ମତାମତ ନିଅ,ତାପରେ ଯେତେ ଖୁସି ହେଉଛ ହୁଅ |ଏହା ଶୁଣି ଲକ୍ଷ୍ମୀ ରାଗିଯାଇ କହିଲେ,ତମେ ଗୋଟେ ପାଲା ଲଗେଇଛ |ମୁଁ କଣ ଶିରୀର ଶତ୍ରୁ ?ମୋ କଥା ଯଦି ତମର ପସନ୍ଦ ନ ଆସୁଛି,ତାହାଲେ ତମର ଯାହା ଇଚ୍ଛା ତାହା କର,ମୋର କିଛି କହିବାର ନାହିଁ |ଶେଷରେ ପରିସ୍ଥିତି ଏପରି ହେଲା ଯେ,ବାଧ୍ୟ ହୋଇ ଶ୍ରୀନିବାସ ଓ ଶ୍ରୀମନ୍ତଙ୍କୁ ସେହି ପ୍ରସ୍ତାବରେ ରାଜି ହେବାକୁ ପଡିଲା |
             ବାହାଘର ପାଇଁ ଲକ୍ଷ୍ମୀ ନିଜ ଦୁଇଝିଅଙ୍କ ସହ ପୁରା ଦମ ରେ ଲାଗି ପଡ଼ିଥିଲେ |ଝିଅମାନେ ବିୟୁଟି ପାର୍ଲର ଯାଇ ସେମାନଙ୍କ ରୂପ ପରିଚର୍ଯ୍ୟା କରିବାବେଳେ ସେ ନିଜେ ମଧ୍ୟ ସେଥିରୁ ବାଦ ପଡିନଥିଲେ |ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ପସନ୍ଦ ଅନୁଯାୟୀ ସେ ପୋଷାକ କିଣିଥିଲେ |ବୋହୂ ପାଇଁ ଦାମୀ ପାଟ ,ସୁନା ଗହଣା ସହ,ସମୁଦୀ,ସମୁଦୁଣୀ ଓ ବୋହୁର ଭାଇ ପାଇଁ ଦାମିକା ଡ୍ରେସ କିଣିବାକୁ ଭୁଲି ନଥିଲେ |ମୋଟ ଉପରେ ସେ ସମସ୍ତଙ୍କୁ ସନ୍ତୁଷ୍ଟ କରି ନିଜ ବଡ଼ ପଣ ଦେଖାଇବାକୁ ଚେଷ୍ଟା କରିଥିଲେ |ଶୁଭ ମୁହୂର୍ତ୍ତରେ ଖୁବ ଧୁମଧାମରେ ବିଜୟା ସହିତ ଶ୍ରୀମନ୍ତର ବାହାଘର ହୋଇଗଲା |ବିଜୟାର ପିତା ଝିଅକୁ ଟିକରୁ ନିଖ ପର୍ଯ୍ୟନ୍ତ ସବୁ ଦେଇଥିବାବେଳେ ଜବାବ ମୁତାବକ କ୍ୟାଶ ଦେଇ ନଥିଲେ |ସେଥିପାଇଁ ଲକ୍ଷ୍ମୀ ମନେମନେ ଅଶାନ୍ତିରେ କୁହୁଳୁ ଥିଲେ |
            କଳି ଆରମ୍ଭ ହେଲା ନଣନ୍ଦ ପୁଟୁଳିରୁ |ଶ୍ରୀୟା କହିଲା,ଆମେ ଶାଢ଼ୀ ପିନ୍ଧୁନା ବୋଲି ଅଙ୍କଲ ଭଲଭାବେ ଜାଣିଛନ୍ତି ,ତଥାପି ଆମକୁ ସେ କାହିଁକି ଶାଢ଼ୀ ଦେଲେ |ଏମିତି ଭାରି ଭରକମ ପାଟ ଆଜିକାଲି କିଏ ପିନ୍ଧୁଛି ?କୋଉ ଯୁଗର ପୁରୁଣାକାଳିଆ କାନଫୁଲ ଦେଇଛନ୍ତି |ଯଦି ଦେବାକୁ ଇଚ୍ଛା ଥିଲା,ଡାଇମଣ୍ଡ ମୁଦି କିମ୍ବା ସୁନା ଚେନ ଦେଇଥାନ୍ତେ |ଏଗୁଡା ତାଙ୍କୁ ଫେରେଇ ଦିଅ,ନହେଲେ ତାଙ୍କ ଝିଅକୁ ଦେଇଦିଅ ,ସେ ପିନ୍ଧିବ |ଶ୍ରଦ୍ଧା ଆଉ ପାଦେ ଆଗେଇ ଯାଇ ବିଜୟାକୁ କହିଲା,ଅଙ୍କଲ ତତେ ଚାରି ସେଟ ଗହଣା ଦେଇଛନ୍ତି,ତୁ ତୋ ପାଇଁ ଦୁଇ ସେଟ ରଖି ଆମକୁ ଗୋଟେ ଗୋଟେ ସେଟ ଦେଇ ଦେ |ବିଜୟା କହିଲା,ମୋ ଡାଡି ମତେ ଯାହା ଦେଇଛନ୍ତି,ସେଥିରୁ କାହାରିକୁ କିଛି ବି ମୁଁ ଦେବିନି | କଥା ଶ୍ରୀନିବାସଙ୍କ କାନକୁ ଗଲା |ସେ ଦୁଇ ଝିଅଙ୍କୁ କହିଲେ,ମୁଁ ତମ ମାନଙ୍କୁ କଣ ନ ଦେଇଛି,ତମେ ତମର ମାନସମ୍ମାନ ଭୁଲି ତମଠାରୁ ସାତ ସାନ ଭାଉଜକୁ ମାଗୁଛ,ତମକୁ ଲାଜ ଲାଗୁନି ?ତମର କଣ ଦରକାର କୁହ,ଆଜି ତମପାଇଁ କିଣି ଆଣିବି | ଲକ୍ଷ୍ମୀ ଆସି ସେଠାରେ ପହଞ୍ଚି କହିଲେ,କାହିଁକି ସେମାନଙ୍କୁ ସେମିତି କହୁଛ ?ବିଧି ରକ୍ଷା ପାଇଁ ସେମାନେ ସେମିତି କହି ତାକୁ ପରୀକ୍ଷା କରୁଥିଲେ |ସେ ଦେଇଥିଲେ ଏମାନେ କଣ ସତରେ ନେଇଥାନ୍ତେ ?ଠାକୁରଙ୍କ କୃପାରୁ ଏମାନଙ୍କ ପାଖରେ କଣ ନାହିଁ ?ଯାଅ ଦେଖିବ,ବୋହୂକୁ ସେମାନେ କେତେ ମୋଟା ଚେନ ବନ୍ଦେଇଛନ୍ତି |ଶ୍ରୀନିବାସ କହିଲେ,ହଉ,ଏଇକଥା ଏଇଠି ଶେଷ କର ,ଆଉ ସେ ବିଷୟରେ ଅଧିକ ଆଲୋଚନା କର ନାହିଁ |
        କିନ୍ତୁ କଥା ସେତିକିରେ ସରିଲା ନାହିଁ |ତା ପରଦିନ ରାମଚନ୍ଦ୍ର ଦୁଇଝିଅଙ୍କ ପାଇଁ ଦୁଇଟି ଗହଣା ସେଟ ଆଣି ଶ୍ରୀନିବାସଙ୍କୁ ଦେଇ କହିଲେ,ସମୁଦୀ,ବଡ଼ ଭୁଲ ହୋଇଗଲା |ନଣନ୍ଦପୁଟୁଳି ରେ ଗହଣା ରଖିବାକୁ ଭୁଲି ଯାଇଥିଲି |ଦୁଇ ଝିଅଙ୍କୁ ଦେଇଦେବେ |ଶ୍ରୀନିବାସଙ୍କୁ ଏହା ବହୁତ ଖରାପ ଲାଗିଲା |କିନ୍ତୁ ଘରେ କୁଣିଆ ଭର୍ତ୍ତି ହୋଇଥିବାରୁ ସେ ବିଷୟରେ ଆଉ ଆଲୋଚନା ହୋଇ ପାରିଲା ନାହିଁ |ତା ଡାଡିଙ୍କୁ ଖର୍ଚ୍ଚାନ୍ତ କରିଥିବାରୁ ଶାଶୁ ଓ ଦୁଇ ନଣନ୍ଦଙ୍କ ଉପରେ ବିଜୟାର ବହୁତ ରାଗ ଆସୁଥିଲା |ମନକଥା ମନରେ ରଖି ସେ କେବଳ ସୁଯୋଗକୁ ଅପେକ୍ଷା କରିଥିଲା |
        ଶ୍ରୀମନ୍ତର ଛୁଟି ସରିଯିବାପରେ ସେ ତାର କର୍ମସ୍ଥଳୀକୁ ଯିବାକୁ ବାହାରିଲା |ପୂର୍ବ ଯୋଜନା ଅନୁସାରେ ବିଜୟା ତା ସହିତ ଯିବାର କଥା ଥିଲା |ସେହି ଅନୁସାରେ ସାଙ୍ଗରେ ନେବାପାଇଁ ସେ ତାର ବାପଘରୁ ଆଣିଥିବା ସବୁ ଜିନିଷ ଏକାଠି କରିବାକୁ ଲାଗିଲା |ବାସନକୁସନ ,ଲୁଗାପଟା ନେବା ଠିକ ଅଛି,କିନ୍ତୁ ସେ ଯେତେବେଳେ ସାଙ୍ଗରେ ଖଟ ଓ ସୋଫା ନେବାପାଇଁ ଚାହିଁଲା,ଶ୍ରୀମନ୍ତ ପ୍ରତିବାଦ କରି କହିଲା,ଏବେ କେବଳ ତମର ଲୁଗାପଟା ନେଇ ଚାଲ,ଯାହା ଦରକାର ହେବ,ମୁଁ ସେଇଠି  କିଣିଦେଵି | ଲକ୍ଷ୍ମୀ ବିଜୟାକୁ କହିଲେ,ସବୁ ଜିନିଷ ନେଇ ଯିବାକୁ କହୁଛୁ ,ଆଉ ଏଠିକି ଫେରିବାର ଯୋଜନା ନାହିଁ ନା କଣ ?ଏତିକି କଥାରେ ବିଜୟା ଆଖିରୁ ଧାରା ଶ୍ରାବଣ ବୋହି ଚାଲିଲା,ଆଉ ଥମିବାର ନାମ ନେଲାନାହିଁ |ଶେଷରେ ଶ୍ରୀନିବାସଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା |ସେ ଶ୍ରୀମନ୍ତକୁ କହିଲେ,ଯେତିକି ପାରୁଛୁ ନେଇଯା ,ଆଉ ଯାହା ବାକି ରହିବ,ମୁଁ ଦେଇ ଆସିବି |ବିଜୟା ବୁଝିଗଲା |ଶ୍ରୀନିବାସ ଲକ୍ଷ୍ମୀଙ୍କୁ ବୁଝାଇ କହିଲେ,ତାର ଯାହା ଇଚ୍ଛା ହେଉଛି,ସେ ନେଉ ,ତେଣିକି ସେ ତାକୁ ରଖିବ କି ବିକିବ,ସେକଥା ସେ ବୁଝିବ |ଲକ୍ଷ୍ମୀ କହିଲେ,ସେ କିଛି ବୁଝିବେନି,ହଇରାଣ ହେବ ମୋ ପୁଅ |ସବୁ ଭୁଲ ମୋର,ଏବେ କାହାକୁ କହିବି ?ଲକ୍ଷ୍ମୀ ଭାବିଥିଲେ,ପିଲାମାନଙ୍କ ସାଙ୍ଗରେ ଯାଇ,ସେଠାରେ କିଛିଦିନ ରହି,ସେମାନଙ୍କୁ ସେଟ କରିଦେଇ ଆସିବେ |କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କର ଆଉ ଯିବାକୁ ଇଚ୍ଛା ହେଲା ନାହିଁ |ସପ୍ତାହେ ପରେ ସେ ଯେତେବେଳେ ଶୁଣିଲେ,ବିଜୟାର ପିତାମାତା ସେଠାକୁ ଯାଇ ତାଙ୍କର ଅଧୁରା କାମ ପୂରା କରିବାରେ ଲାଗିଛନ୍ତି,ରାଗରେ ତାଙ୍କ ଦେହ ଜଳିଗଲା |ସେ ଶ୍ରୀନିବାସଙ୍କୁ କହିଲେ,ବୋହୂର ବାପାମା ଏବେ ହାଇଦ୍ରାବାଦରେ କେତେ କଣ କିଣାକିଣି କରି ଘର ଭରି ସାରିଲେଣି |ଆମେ ତ ଗଲୁ ନାହିଁ,ତାଙ୍କର ବେଳା ଫିଟିଗଲା |ଶ୍ରୀନିବାସ କହିଲେ,ତମର କାହିଁକି ଏତେ ଗାତ୍ରଦାହ ହେଉଛି ?ଯାହା ହେଲେ ବି ପିଲା ଆମର,ଯାହା ହେଉଛି ଆମ ପିଲାଙ୍କ ପାଇଁ ହେଉଛି,ଆମେ ବରଂ ଏଥିରେ ଖୁସି ହେବା କଥା |ଲକ୍ଷ୍ମୀ ଜାଣିଲେ,ଶ୍ରୀନିବାସଙ୍କୁ କହି କିଛି ଲାଭ ନାହିଁ ,ସେ କେବଳ କଟା ଘା ରେ ଲୁଣ ଛିଟା ଦେବେ |ଯେତେବେଳେ ଶ୍ରୀନିବାସ ଘରେ ନଥାନ୍ତି,ସେ ଝିଅ ମାନଙ୍କ ପାଖକୁ ଫୋନ କରି ବୋହୂ ବିରୁଦ୍ଧରେ ଘଣ୍ଟା ଘଣ୍ଟା ଗପନ୍ତି ,ସେଥିରେ ତାଙ୍କୁ ଅସୀମ ଶାନ୍ତି ମିଳେ |
   ଶ୍ରୀମନ୍ତ ଓ ବୋହୂ ଦଶହରା ଛୁଟିରେ ଘରକୁ ଆସିବାର କଥା ଥିଲା |କିନ୍ତୁ ଦଶହରା ଯାଇ କୁମାରପୂର୍ଣ୍ଣିମା ଚାଲିଗଲା ପଛକେ,ସେମାନେ ଆସିଲେ ନାହିଁ |ବ୍ୟସ୍ତ ହୋଇ ଶ୍ରୀନିବାସ ଶ୍ରୀମନ୍ତକୁ ଫୋନ କଲେ |ସେ କହିଲା,ଆମେ ଆସିବା ପୂର୍ବଦିନ ବିଜୟର ଡାଡି ମମି ପହଞ୍ଚିଲେ ,ସେମାନେ ଏବେ ଆମ ଘରେ ଅଛନ୍ତି,ଆମେ କେମିତି ଯିବୁ ?ଆମେ ଦୀପାବଳିକୁ ଯିବୁ |ଏହା ଶୁଣି ଶ୍ରୀନିବାସଙ୍କ ମନ ଭାରି ଦୁଃଖ ହେଲା |
        ଦୀପାବଳି କିଛିଦିନ  ଆଗରୁ ଶ୍ରୀମନ୍ତ ଏକୁଟିଆ ଆସି ପହଞ୍ଚିଲା |ତାକୁ ଅପ୍ରତ୍ୟାଶିତ ଭାବେ ଦେଖି ଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଆନନ୍ଦର ସୀମା ରହିଲା ନାହିଁ |ବୋହୂ କାହିଁକି ଆସିଲା ନାହିଁ ବୋଲି ଲକ୍ଷ୍ମୀ ପଚାରିବାରୁ ଶ୍ରୀମନ୍ତ କହିଲା,ଏଥର ଆମେ ସମସ୍ତେ ହାଇଦ୍ରାବାଦରେ ଦୀପାବଳି ମନେଇବା |ମୁଁ ଟିକଟ କରି ଦେଇଛି,ଶନିବାର ଦିନ ଯିବା |ଲକ୍ଷ୍ମୀ କହିଲେ,ମୁଁ କଦାପି ଯିବି ନାହିଁ,ତୁ ତୋ ବାପାକୁ ନେଇ ଯାଆ |ଶ୍ରୀମନ୍ତ ଲକ୍ଷ୍ମୀଙ୍କୁ କହିଲା,ତୋ ମନରେ ଦୁଃଖ ନଦେବା ପାଇଁ ମୁଁ ବିଜୟାକୁ ବାହା ହେଲି |ଏବେ କଣ କଲେ ତୁ ଖୁସି ହେବୁ କହିଲେ,ମୁଁ ସେଇଆ କରିବି |ଶ୍ରୀନିବାସ କହିଲେ,ତୁ ବ୍ୟସ୍ତ ହୁଅନା,ମୁଁ ବୋଉକୁ ବୁଝେଇ ଦେବି |ତାଙ୍କ କଥା ଶୁଣି ଶ୍ରୀମନ୍ତ ଖୁସି ହୋଇଗଲା |ସମସ୍ତେ ନିର୍ଦ୍ଦିଷ୍ଟ ଦିନରେ ହାଇଦ୍ରାବାଦ ଅଭିମୂଖେ ଟ୍ରେନରେ ଯାତ୍ରା କଲେ |ସେଠାରେ ପହଞ୍ଚିବା ବେଳକୁ ତା ପରଦିନ ଏଗାରଟା |ସମସ୍ତେ ପେଟ ଭର୍ତ୍ତି ଜଳଖିଆ ଖାଇ ଘରେ ପହଞ୍ଚିଲେ |ଶ୍ରୀମନ୍ତ ଆଗୁଆ ଯାଇ କଲିଂ ବେଲ ଚିପିଲା |ବିଜୟା କବାଟ ଖୋଲି ଶ୍ରୀମନ୍ତକୁ ଦେଖି କର୍କଶ ସ୍ୱରରେ ପଚାରିଲା,ଆସିବା ଆଗରୁ ଫୋନ କରିବାକୁ ମନ ପଡିଲାନି ? ମତେ ହଇରାଣ କରିବାକୁ ତମକୁ ଭାରି ଭଲଲାଗେ ,ନୁହେଁ ?ଶ୍ରୀମନ୍ତ ନିରୁତ୍ତର ରହି ଭିତରକୁ ଯିବାବେଳେ ବିଜୟା କବାଟ ବନ୍ଦ କରିଦେଉଥିଲା |ଶ୍ରୀମନ୍ତ କହିଲା,ଥାଉ,କବାଟ ବନ୍ଦ କରନା ,ବାପା ବୋଉ ଆସିଛନ୍ତି |ତା କଥା ଶୁଣି ବିଜୟାର ମୁହଁ ବିକୃତ ହୋଇଗଲା |ବିଜୟା କହିଲା,ତମେ ନିଜେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦିଅ,ମୁଁ ଏତେ ଜଣଙ୍କ ପାଇଁ ରୋଷେଇ କରି ପାରିବିନି |ତା କଥା ଶେଷ ନ ହେଉଣୁ ଶ୍ରୀନିବାସ ଓ ଲକ୍ଷ୍ମୀ ଆସି ପହଞ୍ଚିଗଲେ |ଶ୍ରୀମନ୍ତ କହିଲା,ଆମେ ଜଳଖିଆ ଖାଇ ଆସିଛୁ |ତମେ ଦୁଇଜଣ ଖାଇଦିଅ,ଆମେ ଡେରିରେ ଭୋକ ହେଲେ ଖାଇବୁ |ସେତେବେଳେ ବିଜୟାର ମମି ବିନୀତା ଟିଭି ଦେଖୁଥିଲେ |ଏମାନଙ୍କୁ ଦେଖି ନମସ୍କାର ଜଣାଇ କହିଲେ,ଭଲହେଲା,ଆପଣମାନେ ଆସିଲେ |ଏବର୍ଷ ଆମେ ଏକାଠି ଦୀପାବଳି ମନେଇବା |ପୁଣି କହିଲେ,ଆମେ କେବେଠାରୁ ଯାଇ ସାରନ୍ତୁଣି ,କିନ୍ତୁ ବିଜୁ ଡାଡିଙ୍କ ଅଚାନକ କାମ ପଡିବାରୁ ସେ ଚାଲିଗଲେ,ମୁଁ ବାଧ୍ୟହୋଇ ଏଇଠି ରହିଗଲି |ଲକ୍ଷ୍ମୀ ଅଖାଡୁଆ କଣ କହି ଆସୁଥିଲେ,ତାଙ୍କୁ କିଛି ନ କହିବାକୁ ଶ୍ରୀନିବାସ ଇଶାରାରେ ମନା କରିବାରୁ ସେ ଚୁପ ହୋଇଗଲେ |ଅଧ ଘଣ୍ଟା ପରେ ଲକ୍ଷ୍ମୀ ଗାଧୋଇବା ପାଇଁ ବାହାରିଲେ |ଶ୍ରୀମନ୍ତ ନେଇଥିବା ଭଡ଼ାଘରେ ଦୁଇଟି ରୁମ ପାଇଁ ଦୁଇଟି ବାଥରୁମ ଥିଲା |ଗୋଟିଏ ଆଟାଚ ଓ ଅନ୍ୟଟି କମନ |ସେ ଦ୍ୱିତୀୟ ବାଥରୁମକୁ ଗାଧୋଇବା ପାଇଁ ଗଲେ |ବାଥରୁମ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଥିଲା |ସେଠାରେ ଭଲ କମ୍ପାନୀର ଶାମ୍ପୁ,ଫେସ ୱାଶ ,ନଡ଼ିଆ ତେଲ ଇତ୍ୟାଦି ସୁନ୍ଦର ଭାବରେ ସଜା ହୋଇଥିଲା |ଲକ୍ଷ୍ମୀ ଯାତ୍ରା ଜନିତ କ୍ଲାନ୍ତି ଦୂର କରିବା ପାଇଁ କେଶରେ ଶାମ୍ପୁ,ଦେହରେ ଲିକ୍ୟୁଡ଼ ସାବୁନ ଓ ମୁହଁରେ ଫେସ ୱାସ ଲଗାଇ ଭଲକରି ଗାଧୋଇଲେ |ତାପରେ ଆସି ଠାକୁରଙ୍କୁ ମୁଣ୍ଡିଆ ମାରିଲେ |ସେତେବେଳେ ବିଜୟା ଓ ବିନୀତା ମିଶି ରୋଷେଇ କରୁଥିଲେ |ସମସ୍ତେ ଖାଇ ସାରିବା ପରେ ଲକ୍ଷ୍ମୀ ବିଛଣାରେ ଗଡ଼ପଡ଼ ହେବାକୁ ବାହାରିଛନ୍ତି,ଶ୍ରୀମନ୍ତ ତାଙ୍କ ପାଖକୁ ଧୀର ଗଳାରେ କହିଲା,ବୋଉ ଟିକେ ବାହାରକୁ ଆସିବ ?ଲକ୍ଷ୍ମୀ କହିଲେ,କଣ କହିବୁ ବାପା,ଏଇଠି କହୁନୁ ?ଶ୍ରୀମନ୍ତ ନେହୁରା ହୋଇ କହିଲା,ଗୋଟିଏ ମିନିଟ ପାଇଁ ପ୍ଲିଜ ଆସ |ଲକ୍ଷ୍ମୀ ବାହାରକୁ ଯିବାରୁ ଶ୍ରୀମନ୍ତ କହିଲା,ତମେ ବାଥରୁମରେ ଥିବା ଶାମ୍ପୁ ଓ ଫେସ ୱାସ ଲଗାଇ ଥିଲ କି ?ଲକ୍ଷ୍ମୀ କହିଲେ,ହଁ,କଣ ହେଲା ?ଶ୍ରୀମନ୍ତ କହିଲା,ସେଇଟା ମମିଙ୍କର ,ତାଙ୍କ ଜିନିଷ ତମେ ଆଉ ବ୍ୟବହାର କରିବନି ,ମୁଁ ତମପାଇଁ ଅଲଗା ଆଣିଦେଵି |ଲକ୍ଷ୍ମୀ ଅବାକ ହୋଇ କହିଲେ,ମୁଁ ଏତେ ଛନ୍ଦ କପଟ ଜାଣିନି ବାପା |ସେଇଠି ଥିଲା,ଲଗେଇ ଦେଲି |ହେଲେ ଏଇଟା ମୋ ପୁଅର ଘର |ଏଇଠି ସବୁ ଜିନିଷରେ ମୋର ପୂର୍ଣ୍ଣ ଅଧିକାର ଅଛି |କିନ୍ତୁ ତୋ କଥା ମତେ ଭାରି ଦୁଃଖ ଦେଲା |କଥା ଶେଷ କରି ସେ ତାଙ୍କ ଆଖିରୁ ଲୁହ ପୋଛିଲେ |ଶ୍ରୀମନ୍ତ ବିଚଳିତ ହୋଇ କହିଲା,ବୋଉ,ମନଦୁଃଖ କରନି |ତମେ ମନଦୁଃଖ କଲେ,ମୋ ମନ ବି ଦୁଃଖ ହେବ |ଲକ୍ଷ୍ମୀ କହିଲେ,ତୋର ଏଥିରେ କିଛି ଦୋଷ ନାହିଁ |ମୁଁ ବୁଝିଗଲି,ଆଉ ସେମିତି କରିବିନି |
         ତା ପରଦିନ ସକାଳେ ଲକ୍ଷ୍ମୀ ଶ୍ରୀନିବାସଙ୍କ ସହ ନିକଟସ୍ଥ ମାର୍କେଟକୁ ଯାଇ ସେହି ନିର୍ଦ୍ଦିଷ୍ଟ କମ୍ପାନୀର ଶାମ୍ପୁ,ଫେସ ୱାସ ଇତ୍ୟାଦିର ବଡ଼ ସାଇଜ ବୋତଲ କିଣି ଆଣି ତାକୁ ବାଥରୁମରେ ସଜାଇ ରଖିଦେଲେ |ସେସବୁ ସେଠାରେ ରଖିବା ପୂର୍ବରୁ ବିନୀତା ତାଙ୍କ ବ୍ୟବହୃତ ସାମଗ୍ରୀ ସେଠାରୁ ଅପସାରଣ କରି ସାରିଥିଲେ |ସେଦିନ ଲକ୍ଷ୍ମୀ ଜିଦ୍ଦି କରିବା ପରି ଆଉଥରେ କେଶରେ ଶାମ୍ପୁ ଲଗାଇ ବିନୀତାଙ୍କ ସାମ୍ନାରେ ଚୁଟି ଝାଡ଼ି ଶୁଖାଇଲେ |ଏଥିରେ ବିନୀତା ଅପମାନିତ ବୋଧ କଲେହେଁ କିଛି କହି ପାରିଲେ ନାହିଁ |
   
                           ପରଦିନ ଭୋରରୁ ଉଠି ନିଜ ନିତ୍ୟକର୍ମ ଶେଷ କରି ଲକ୍ଷ୍ମୀ ସକାଳ ଜଳଖିଆ ପାଇଁ ଉପମା ଓ ସମ୍ବର ତିଆରି କଲେ |ପ୍ରାୟ ଦିନ ବ୍ରେଡ଼ ଖାଇ ଅଫିସ ଯାଉଥିବା ଶ୍ରୀମନ୍ତ ବ୍ରେକଫାଷ୍ଟ ରେ ନିଜ ପ୍ରିୟ ଜଳଖିଆ ଦେଖି ଭାରି ଖୁସି ହୋଇଗଲା |ସେଥିରୁ ପେଟେ ଖାଇ ସେ ଅଫିସ ବାହାରି ଗଲା |ସେ ଯିବାପରେ ଲକ୍ଷ୍ମୀ ଶ୍ରୀନିବାସଂକୁ ଜଳଖିଆ ଦେଇ ନିଜେ ଖାଇଲେ | ବିଜୟାକୁ କହିଲେ,ତୋ ମମି ଆଉ ତୁ ଶୀଘ୍ର ଖାଇଦେବ,ନ ହେଲେ ଥଣ୍ଡା ହୋଇଯିବ |ତାଂକ କଥାର ଉତ୍ତର ନ ଦେଇ ବିଜୟା ତଳକୁ ଚାଲିଗଲା ଓ କିଛି ସମୟ ପରେ ଜଳଖିଆ ଦୋକାନରୁ ବରା,ସିଂଗଡା ଆଣି ଟମାଟୋ ସସ୍ ଲଗାଇ ଖାଇଲା |ବିନୀତା ମଧ୍ୟ ତାକୁ ଖାଇଲେ |ଲକ୍ଷ୍ମୀ କହିଲେ,ମୁଁ ଏତେ ଉପମା କଲି,କଣ ହେବ?ବିଜୟା ସାଂଗେ ସାଂଗେ ଉତ୍ତର ଦେଲା,ମୁଁ ସେଗୁଡା ଖାଏନି,ଯିଏ ରାନ୍ଧିଛି,ସିଏ ଖାଇବ |ଲକ୍ଷ୍ମୀ କହିଲେ,ତାହାଲେ ଭାତ ଅଳ୍ପ ରାନ୍ଧିବୁ,ମୁଁ ଆଜି ଉପମା ଖାଇଦେବି |ଯେତେବେଳେ,ଗୋଟାଏ ବାଜିଲା,ଲକ୍ଷ୍ମୀ ବିଜୟାକୁ କହିଲେ,ବାପାଂକ ପାଇଁ ଭାତ ବାଢି ଦେ,ତାଂକୁ ଭୋକ କଲାଣି |ବିଜୟା କହିଲା,ଆପଣ କହିଲେ,ଉପମା ଖାଇବେ ବୋଲି,ତେଣୁ ମୁଁ ଆପଣ ମାନଂକ ପାଇଁ ରାନ୍ଧିନି |ଲକ୍ଷ୍ମୀ କହିଲେ,ଏ କି କଥା,ଉପମା ମୁଁ ଖାଇବି ବୋଲି କହିଲି,ବାପା ଖାଇବେ ବୋଲି ତ କହିନି |ସେ ତାପରେ ବିନୀତାଂକୁ କହିଲେ,ସମୁଦୁଣୀ ଆପଣ ଏ ସବୁ ଦେଖୁଛନ୍ତି ତ?ବିନୀତା ହସି ଦେଇ କହିଲେ,ସେ ସବୁବେଳେ ସେଇଆ |ସେ କଣ କାହା କଥା ମାନେ?ଲକ୍ଷ୍ମୀ ଆଉ ବାକ୍ୟବ୍ୟୟ ନ କରି ରୋଷେଇ ଘରକୁ ଯାଇ ଭାତ,ଡାଲମା ରାନ୍ଧିଲେ |ତା ସହିତ ଆଚାର ଓ ପାମ୍ପଡ ଦେଇ ଶ୍ରୀନିବାସଂକୁ ଖାଇବାକୁ ଦେଲେ |ଶ୍ରୀନିବାସ ତାକୁ ଆନନ୍ଦରେ ଖାଇ କହିଲେ,ବାଃ,ବିଜୁ ତ ଆମର ଭଲ ରାନ୍ଧିଛି |ଏମିତି ସବୁବେଳେ ରାନ୍ଧିବୁ ମା ,ମତେ ଭାରି ଭଲ ଲାଗେ |ବିଜୟା ରାଗରେ ଦାନ୍ତ କଡ଼ମଡ କରି ସେଠାରୁ ଚାଲିଗଲା |ସନ୍ଧ୍ୟାବେଳେ ଶ୍ରୀମନ୍ତ ଅଫିସ୍ ରୁ ଫେରିବା ପରେ ବିଜୟା ତାକୁ କହିଲା,କାଲି ଦୀପାବଳୀ ରେ ପିନ୍ଧିବା ପାଇଁ ମୋ ପାଇଁ ନୂଆ ଡ୍ରେସ୍ କିଣିଦେବ,ଚାଲ ଏବେ ଯିବା |ଶ୍ରୀମନ୍ତ କହିଲା,ଦଶହରାରେ ନୂଆ ଡ୍ରେସ୍ ପିନ୍ଧିଲ,ପୁଣି କଣ ?ବିଜୟା କହିଲା,ସେଇଟା ମୋ ଡାଡି ,ମମି କିଣି ଛନ୍ତି ,ଏବେ ଦୀପାବଳୀ ପାଇଁ ତମେ କିଣି ଦିଅ |ଶ୍ରୀନିବାସ କହିଲେ,ସେ ଠିକ କହୁଛି ଶିରୀ ,ଏକା ତାପାଇଁ କାହିଁକି,ତୁମ ଦୁଇଜଣଂକ ପାଇଁ ନୂଆ ଡ୍ରେସ୍ ଆଣିବୁ |ଏହା କହି ସେ ତାଂକର ଏ.ଟି.ଏମ.କାର୍ଡ଼ ଶ୍ରୀମନ୍ତ କୁ ଦେଲେ |ବିଜୟା ଉତକ୍ଷିପ୍ତ ହୋଇ କହିଲା,ରଖନ୍ତୁ ଆପଣଂକ ଏ.ଟି.ଏମ.କାର୍ଡ଼,ମୁଁ ଏମିତି ବହୁତ ଦେଖିଛି |ମୋ ଡାଡି ପାଞ୍ଚ ଲକ୍ଷ ଟଂକା ଡାଉରି ଦେଇଥିଲେ,ଆପଣ ସବୁ ଖାଇଗଲେ,ଗୋଟିଏ ପଇସା ଆମକୁ ଦେଲେନି,ଏବେ କହୁଛନ୍ତି କଣ ନାଁ କାର୍ଡ଼ ନିଅ ଡ୍ରେସ୍ କିଣିବ !ଦରକାର ନାହିଁ ଆପଣଂକର କାର୍ଡ଼ |ବିଜୟା ର କଥା ଶୁଣି ସମସ୍ତେ ସ୍ତବ୍ଧ ହୋଇ ରହିଗଲେ |ଶ୍ରୀମନ୍ତ ସଂଗେ ସଂଗେ ସେଠାରୁ ତଳକୁ ଚାଲିଗଲା |ଘରକୁ ଫେରିବା ବେଳକୁ ରାତି ବାର |ଶ୍ରୀନିବାସ ଓ ଲକ୍ଷ୍ମୀ ନ ଖାଇ ସେପର୍ଯ୍ୟନ୍ତ ତାକୁ ଅପେକ୍ଷା କରି ବସିଥିଲେ |ସେମାନେ ତାକୁ ଅପେକ୍ଷା କରି ବସି ଥିବାର ଦେଖି ସେ କହିଲା,ତମେମାନେ ଖାଇ ସାରିଲଣି?ଲକ୍ଷ୍ମୀ କହିଲେ,ନାଁ ବାପା,ତତେ ଚାହିଁ ବସିଛୁ |ଶ୍ରୀମନ୍ତ କହିଲା,ମୁଁ ଖାଇ କରି ଆସିଛି,ତମେ ଖାଇ କରି ଶୋଇପଡ |ଲକ୍ଷ୍ମୀ ଜାଣିଥିଲେ,ପୁଅ ଖାଇନି,ମିଛ କହୁଛି |ସେ ରୋଷେଇ ଘରକୁ ଯାଇ ଖାଇବା ଜିନିଷ ଘୋଡାଇ ଫ୍ରିଜ୍ ରେ ରଖିବା ବେଳକୁ ଶ୍ରୀମନ୍ତ ଆସି ସେଠାରେ ପହଂଚି ଗଲା |କହିଲା,ହଉ  ବାଢ,ଏକାଠି ଖାଇବା |ଏତେ ରାତିରେ ଖାଇବା ପାଇଁ କାହାରି ଇଚ୍ଛା ନ ଥିଲା |ସମସ୍ତେ ଟିକେ ଟିକେ ଖାଇ ଉଠି ଗଲେ |
                       ପରଦିନ ସକାଳେ ଶ୍ରୀନିବାସ ଶ୍ରୀମନ୍ତକୁ ଜଣାଇ ରାମଚନ୍ଦ୍ରଙ୍କ  ଆକାଉଣ୍ଟ କୁ ପାଞ୍ଚ ଲକ୍ଷ ଟଂକା ଟ୍ରାନ୍ସଫର୍ କରିଦେଲେ |ଦ୍ୱିପହର ବେଳେ  ଲକ୍ଷ୍ମୀଂକ ସହିତ ମାର୍କେଟ ଯାଇ ଦୀପ,ତେଲ ଓ ମହମବତୀ କିଣି ଆଣିଲେ |ସନ୍ଧ୍ୟାବେଳେ ଦୀପ ଜାଳି ପରିବାରର ସୁଖ ମନାସିଲେ |ପରଦିନ ଅଫିସରୁ ଫେରି  ଶ୍ରୀମନ୍ତ ଶ୍ରୀନିବାସଂକୁ ଟିକଟ ଦେଇ କହିଲା,ଆସନ୍ତା ଶୁକ୍ରବାରକୁ ଟିକଟ କରି ଦେଇଛି,ତୁମେ ଦୁଇ ଜଣ ଚାଲିଯିବ |ବିନା ଆପତ୍ତିରେ ତା ହାତରୁ ଟିକଟ ନେଇ ଶ୍ରୀନିବାସ ତାଂକ ପକେଟରେ ରଖିଲେ |ଶୁକ୍ରବାର ପର୍ଯ୍ୟନ୍ତ ଘରେ ସମସ୍ତେ ଚୁପ୍ ଚାପ୍ ଥିଲେ |କେହି କାହାରି ସାଂଗେ କଥା ହେଉ ନ ଥିଲେ |ଏୟାରପୋର୍ଟ ରେ ତାଂକୁ ବିଦାୟ ଦେବାବେଳେ ଶ୍ରୀମନ୍ତ ବହୁତ କାନ୍ଦୁଥିଲା |କହିଲା,ତମେମାନେ ସେଇଠି ତୁମମାନଂକ ଦେହର ଯତ୍ନ ନେବ ,ତେଣିକି ଭଗବାନଂକ ଇଛା |ଲକ୍ଷ୍ମୀ ତାକୁ ବୁଝାଇ କହିଥିଲେ,ଇଏ କଣ ବଜାର ଜିନିଷ ହୋଇଛି ଯେ,ଖରାପ ପଡିଲେ,ବଦଳେଇ ନୂଆ ନେଇ ଆସିବ ?ଇଏ ଜୀବନ ସଉଦା କଥା ବାପା ,ସେମିତି ମାଡି ମକଚି ତତେ ତା ସହିତ ସାରା ଜୀବନ ଚଳିବାକୁ ପଡିବ |
                      ଘରକୁ ଫେରିବା ପରେ ଲକ୍ଷ୍ମୀଙ୍କ ସାଇ ପଡିଶା ଓ ଆତ୍ମୀୟସ୍ୱଜନ ତାଙ୍କୁ ଘେରିଯାଇ ପ୍ରଶ୍ନବାଣରେ ବିବ୍ରତ କରି ପକାଇଲେ |ବିଜୟା ଓ ତାର ପିତାମାତାଙ୍କ ବିରୁଦ୍ଧରେ  ଗୁଡ଼ାଏ ଗପି ମନ ଥଣ୍ଡା ହେବା ପରେ , ଲକ୍ଷ୍ମୀ ଅନୁଭବ କଲେ ,ଅଳ୍ପ ବହୁତ ତାଙ୍କରି  ପରି ଅବସ୍ଥା ପ୍ରାୟ ସମସ୍ତଙ୍କର |କେଉଁଠି ବୋହୂ ତାର ଶାଶୁ ଓ ନଣନ୍ଦଙ୍କ  ଉପରେ ଅଶାନ୍ତି ତ  ଆଉ କେଉଁଠି ଶାଶୁ ତାର ବୋହୂ ଓ ତାର ବାପା ମାଆଙ୍କ ଉପରେ  |ନିଜକୁ ସେମାନଙ୍କ ଠାରୁ ଦୂରେଇ ଲକ୍ଷ୍ମୀ ଚିନ୍ତାକଲେ,ଯଦି ଏ ସମସ୍ୟା ଯୁଗ ଯୁଗର ତାହେଲେ ତାର ସମାଧାନ ନିଶ୍ଚୟ ଥିବ |ସେ ତାଙ୍କ ବୋଉଙ୍କ କଥା ମନେ ପକାଇଲେ |ସେ ସବୁବେଳେ କହୁଥିଲେ,ଗୋଟିଏ ପରିବାରରେ ଯଦି କୌଣସି କାରଣବଶତଃ  ମତଭେଦ ହୁଏ,ତାହେଲେ ସେଥିପାଇଁ ପ୍ରଥମେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଦାୟୀ କରାଯାଏ  |ଶ୍ରୀନିବାସ ନରମପନ୍ଥୀ ହୋଇଥିବାରୁ ସେ ପ୍ରଥମେ ନିଜକୁ ଦୋଷୀ ସ୍ଥାନରେ ରଖି,ନିଜର ଭୁଲ ଖୋଜିବାକୁ ଚେଷ୍ଟା କଲେ |ସେ ଯେତେ ଯେତେ ଏ ବିଷୟରେ ଭାବିଲେ ସେତେ ସେତେ ତାଙ୍କର  ମନେହେଲା,କେଉଁଠି ନାଁ କେଉଁଠି ତାଙ୍କର ଯେମିତି କିଛି କିଛି ଭୁଲ ରହିଛି | ସେ ମନେ ମନେ ଭାବିଲେ,ଏବେ ନିଜକୁ ସୁଧାରିବାର ସମୟ ଆସିଯାଇଛି |
******* ଏହା ଭିତରେ କିଛି ବର୍ଷ ବିତିଯାଇଛି  |ଶ୍ରୀନିବାସଙ୍କ ଡାହାଣ ଆଂଠୁ ସମସ୍ୟା ଯୋଗୁଁ ସର୍ଜରୀ କରାଯାଇଛି |ଲକ୍ଷ୍ମୀ ନିଜେ ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ  ରୋଗରେ ପୀଡିତା |ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇଜଣଙ୍କୁ ନିୟମିତ ଚଲା ବୁଲା ଓ ଖାଦ୍ୟପେୟରେ ସଂଯମତା ରକ୍ଷା ତଥା ନିରାମିଷ ଭୋଜନ କରିବାକୁ ପଡୁଛି |ବିଜୟା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଓ ଅଧିକାଂଶ ଦିନ ବାହାରେ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାରୁ ପୂର୍ବରୁ ପିଲାଙ୍କ ପାଖରେ ରହିବା ସମୟତକ ସେମାନେ ନାହିଁ ନଥିବା ଅଶାନ୍ତିରେ ସମୟ କାଟୁଥିଲେ  | ଏବେ କିନ୍ତୁ ଆଉ ସେ ସମସ୍ୟା ନାହିଁ |ସକାଳେ ମର୍ଣ୍ଣିଙ୍ଗ ୱାକ ସରିବା ପରେ ଦୁହେଁ ବାଛି ବାଛି ନିଜ ମନ ମୁତାବକ ସତେଜ ପରିବା କିଣି ଆଣନ୍ତି | ନିଜର ନିତ୍ୟକର୍ମ ଶେଷକରି  ସକାଳ ଜଳଖିଆରେ  ରୁଟି  ଓ କ୍ଷୀର ଖାଇଦିଅନ୍ତି |ସେଥିପାଇଁ ରାତିରେ ଅଧିକ ଚାରିପଟ ରୁଟି କରି ଦେଇଥାନ୍ତି |ମଧ୍ୟାନ୍ନ ଭୋଜନରେ ଲକ୍ଷ୍ମୀ ଉଭୟଙ୍କ ପାଇଁ ନିଜ ମନ ପସନ୍ଦର ତରକାରୀ ଅଧିକ ପରିମାଣର ବନେଇ ଦିଅନ୍ତି |ସେଥିରୁ ଅଧା ଦିନବେଳା ଓ ଆଉ ଅଧା ରାତିରେ ରୁଟି ସାଙ୍ଗରେ ଖାଆନ୍ତି |ସେଥିରେ ପୁଣି ଦୁଇ ନାତୁଣୀ ଓ ପୁଅର ଭାଗ ଥାଏ |ମା ହାତ ରନ୍ଧା ତରକାରୀ ଖାଇ ଶ୍ରୀମନ୍ତ ଖୁସି ତ ହୋଟେଲ ର ଚିକେନ/ମଟନ  ବିରିୟାନୀ ଖାଇ ବିଜୟା ଖୁସି |ମୋଟ ଉପରେ ଏବେ ସମସ୍ତେ ଖୁସି |ଯେତେବେଳେ ବିଜୟା ପିଲାମାନଙ୍କୁ ଆକଟ କରୁଥାଏ କିମ୍ବା କୌଣସି କାରଣ ପାଇଁ ଶ୍ରୀମନ୍ତ ସହିତ ତାର ଜୋରଦାର ଝଗଡ଼ା ଚାଲିଥାଏ,ସେତେବେଳେ ଲକ୍ଷ୍ମୀ ଓ ଶ୍ରୀନିବାସ  ଜାଣିଶୁଣି ଟିଭି ଭଲ୍ୟୁମ ବଢ଼େଇ ନ୍ୟୁଜ ଶୁଣିବାରେ ମନ ଦିଅନ୍ତି |ମାମଲା ଅଧିକ ଗମ୍ଭୀର ଥିଲେ ଦୁହେଁ କିଛି ସମୟ ଛାତ ଉପରକୁ ଯାଇ ବୁଲି ଆସନ୍ତି |ବେଳେବେଳେ ବିଜୟାର ମୁଡ଼ ଭଲ ଥିଲେ,ସେ ଲକ୍ଷ୍ମୀଙ୍କ ପାଖେ ଗେହ୍ଲେଇ ହୋଇ କହେ,ବୋଉ,ଆପଣ ଆପଣଙ୍କ ପୁଅଙ୍କୁ ଏତେ ଗେହ୍ଲା କରି ବଢ଼େଇଛନ୍ତି,ଛୁଟିଦିନ ହେଲେ ସେ ଦଶଟା ବେଳକୁ ଉଠୁଛନ୍ତି,ପୁଣି କୁଟା ଖଣ୍ଡକୁ ଦିଖଣ୍ଡ କରୁ ନାହାନ୍ତି |ଆପଣ ତାଙ୍କୁ କଡ଼ାକରି ଦି'ପଦ ଗାଳି ଦିଅନ୍ତୁ,ନହେଲେ ସେ ଜମା ସୁଧୁରିବେନି |ତା କଥା ଶୁଣି ଲକ୍ଷ୍ମୀ ଯେପରି କିଛି ଶୁଣି ନାହାନ୍ତି,ଏପରି ଭାବ ଦେଖାଇ ସଂଗେ ସଂଗେ ବିଷୟବସ୍ତୁ ବଦଳେଇ ଦିଅନ୍ତି ଓ  ମନେ ମନେ କହନ୍ତି ,ଆମର ତ ସମୟ ସରିବା ସରିବା ହେଲାଣି ,ବେକାର  ଝମେଲାରେ ପଶି କାହିଁକି  ମୁଣ୍ଡ ଖରାପ କରିବୁ ?  ଆଜି ପର୍ଯ୍ୟନ୍ତ ଚଳେଇ  ଆସିଲୁ,ଆଉ କିଛିଦିନ ଚଳେଇ ଦେଲେ କାମ ଶେଷ |ନିଜେ ଭଲ ଥିଲେ,ଦୁନିଆଁ ଭଲ,ଏଇତ ଜୀବନ !!!ମମତା ମହାନ୍ତି |

                          

No comments:

Post a Comment