Monday, October 24, 2016

ଶେଷ ବାର୍ତ୍ତା

                      କାନ ଟା ଛିଣ୍ଡି ଗଲା ପରି ଲାଗୁଛି  |ସୌରଭ ଚଟ୍ କରି ଉଠି ପଡି ଦେଖିଲା,ବାବା ତା କାନ ମୋଡି ତାକୁ ଉଠାଉଛନ୍ତି |ସେ ଉଠିବା ଦେଖି ସୁଶାନ୍ତ ରାଗି କରି କହିଲେ,ନବାବଂକର ଏବେ ନିଦ ଭାଂଗୁଛି |କେତେ ଟା ବାଜିଲାଣି ଘଣ୍ଟା ଦେଖ |ତୋରି ସାଂଗର ପିଲା ଦୁଇ ଘଣ୍ଟା ହେଲାଣି ପାଠ ପଢିବା ଆରମ୍ଭ କଲେଣି |ବାବୁଂକର ନିଦ ଭାଂଗୁନି |
                        ମାଆ ସୁମିତ୍ରା ସୁଶାନ୍ତଂକର ପାଟି ଶୁଣି ସେଠାକୁ ଆସି ଚିହିଁକି ଉଠି କହିଲେ,କାହିଁକି ପାଟି କରୁଛ ଶୁଣେ ?କାଲି ରାତି ଦୁଇଟା ଯାଏଁ ସେ ପାଠ ପଢୁଥିଲା,ଅତି କମ୍ ରେ ତାକୁ ଛଅ ଘଣ୍ଟା ଶୋଇ ବାକୁ ଦିଅ |ତମେ ଗଲ ଏଇଠୁ,ତା କଥା ମୁଁ ବୁଝିବି |ସେ  ସୌରଭ ଉଦ୍ଦେଶ୍ୟରେ କହିଲେ,ପୁଅ ଶୋଇ ପଡ,ମୁଁ ତତେ ଉଠେଇ ଦେବି |ସୌରଭ ପୁଣି  ଶୋଇ ପଡିଲା |ସୁଶାନ୍ତଂକର କଥା ନ ରହିବା ଦେଖି ସେ ଆହୁରି ଜୋରରେ ରାଗିଗଲେ |କହିଲେ,ଖାସ୍ ତମରି ଯୋଗୁଁ ତା ମୁଁହ ବଢି ଯାଇଛି |ପିଲାଦିନେ ଏତେ ଭଲ ପାଠ ପଢୁଥିଲା,ଏବେ ଷ୍ଟାଣ୍ଡାର୍ଡ ଦେଖ,ଜମା ଏଇଟି ପରସେଣ୍ଟ |ଏଇଥିରେ ସେ ହେବ ଇଂଜିନିୟର!ସୁମିତ୍ରା ଦବି ନ ଯାଇ କହିଲେ,ପିଲାଟା ଉପରେ ଏତେ ପ୍ରେସର ଦେଲେ ସେ ଏବେ କରିବ କଣ ?ତାପରେ ଭଗବାନ ପାଂଚଟା ଆଂଗୁଠି ସମାନ କରି ନାହାନ୍ତି |ତାର ଯେତିକି ବୁଦ୍ଧି,ତାର ମାକ୍ସିମମ୍ ସେ ୟୁଟିଲାଇଜ କରୁଚି,ତମେ ତୁଚ୍ଛାରେ ଏତେ ଗରଗର ହେବା ଦରକାର ନାହିଁ |
                      ଇଏ ଦିନକର ଘଟଣା ନୁହେଁ |ସବୁଦିନେ ସୌରଭ ପାଇଁ ଏହିପରି କଳି ଝଗଡା ହୁଏ |ହାର୍ ମାନିବାକୁ କେହି ରାଜି ନୁହନ୍ତି |ସୌରଭ ପାଇଁ ସୁଶାନ୍ତଂକ ମନରେ ଅନେକ ସ୍ବପ୍ନ |ଅଫିସ୍ ରେ ଯେତେବେଳେ ପିଲାଂକ ବିଷୟରେ ଆଲୋଚନା ହୁଏ,ସେ ସମସ୍ତଂକ ଠାରୁ ପଛରେ ପଡି ଯାଆନ୍ତି |କାହାର ପୁଅ ଅନେଶ୍ୱତ  ପ୍ରତିଶତ ଆଣି ଟପ୍ପର ହେଲାଣି ତ କାହାର ଝିଅ ପ୍ରଥମ ସୁଯୋଗରେ ଆର.ଇ.ସି.ପାଇଲାଣି |କିଏ ଡାକ୍ତରୀ ପଢିବା ପାଇଁ ବାଂଗାଲୋର ଗଲାଣି ତ କିଏ ଆଇ.ଆଇ.ଟି.ପାଇଲାଣି |ପୁଣି କିଏ କ୍ୟାଟ୍ ରେ ଯୋଗ୍ୟତା ହାସଲ କରି ଏମ.ବି.ଏ.ପଢିବାକୁ ଗଲାଣି ତ କାହାର ପୁଅ ଆମେରିକାରେ ଚାକିରୀ ପାଇଲାଣି |ଏସବୁ ଶୁଣି ଶୁଣି କାନ ତାଂକର ବଧିରା ହୋଇ ଯାଏ |ନିଜର ତାଂକର ଗର୍ବ କରିବା ଭଳି  କିଛି କହିବାକୁ ନ ଥାଏ |ପିଲାଟାକୁ ଆକଟ କଲେ ଭଲ ପାଠ ପଢ଼ନ୍ତା,କିନ୍ତୁ ମାଆ ସେଥିରେ ଅନ୍ତରାୟ |ପାଣି ଗ୍ଲାସେ ନିଜ  ହାତରେ ଆଣି ପିଇବନି |ଘରକୁ ଆସିବା ମାତ୍ରକେ ମାଆ କୋଳରେ ବସିବ |ଭଲରେ ପାଠ ପଢିବ ବୋଲି ତାପାଇଁ ଅଲଗା ରୁମ୍ କରାଗଲା,କମ୍ପ୍ୟୁଟର ଆଦି ସମସ୍ତ ପାଠ୍ୟ ସରଂଜାମ ଯୋଗାଇ ଦିଆଗଲା |କିନ୍ତୁ ଏକୁଟିଆ ଶୋଇବାକୁ ଡର ଲାଗୁଛି କହି,ରାତି ଅଧରେ ଆସି ମାଆ ଗୋଡ ତଳେ ଜାକିଜୁକି ହୋଇ ଶୋଇଥିବ |ବାରମ୍ବାର ସେ ତାଗିଦ୍ କରନ୍ତି,ତାକୁ ଏତେ ଡିପେଣ୍ଡେଣ୍ଚ କରନା |ପୁଅ ପିଲାଟା,ବାହାରକୁ ଗଲେ ଚଳିବ କେମିତି ?ସୌରଭକୁ ମଧ୍ୟ ସୁମିତ୍ରା ସେକଥା ବୁଝାନ୍ତି |ସୌରଭ କିନ୍ତୁ ଅମାନିଆ |କହେ,ଡାକ୍ତର,ଇଂଜିନିୟର ଛଡା କଣ ଦୁନିଆଁରେ ଆଉ କିଛି ପାଠ ନାହିଁ?ମୁଁ ତମକୁ ଛାଡି କୁଆଡେ ଯିବିନି |ଯଦି ଯିବି ,ତମକୁ ସାଂଗରେ ନେଇ ଯିବି |
                   ସୁମିତ୍ରା ସବୁ ହୃଦୟଂଗମ କରନ୍ତି |ସେ ଅନୁଭବ କରନ୍ତି,ସୌରଭ ର ଛୋଟ ଛୋଟ ଅଳି ପୂର୍ଣ୍ଣ  କରିଦେଲେ,ସେ ଅପେକ୍ଷାକୃତ ଭଲ ପାଠ ପଢୁଛି |ଭଲ ନମ୍ବର ମଧ୍ୟ ଆଣୁଛି |ତା ପାଖରେ ସେ ଯେତେ ସମୟ ବସିଥିବେ,ସେ ଖୁବ୍ ମନଯୋଗ ସହକାରେ ପାଠ ପଢୁଥିବ |ତେଣୁ ସେ ତାକୁ ନିଜ ଷ୍ଟାଇଲ୍ ରେ ପଢିବାକୁ ଛାଡି ଦିଅନ୍ତି |ଚେଷ୍ଟା ତ କରୁଛି,ସେଇଟା ବଡ କଥା |ତେଣୁ ସୁଶାନ୍ତ ଯେତେ ଯାହା କହିଲେ ବି ସେ ତାଂକ କଥା ଏ କାନରେ ପୁରାଇ ସେ କାନରେ କାଢି ଦିଅନ୍ତି |ସୌରଭ ଏକା ସାଂଗରେ ଯୁକ୍ତ ଦୁଇ,ରାଜ୍ୟସ୍ତରୀୟ ତଥା ସର୍ବ ଭାରତୀୟ ସ୍ତରର ଇଂଜିନିୟରିଂ ଏଣ୍ଚ୍ରାନ୍ସ ପରୀକ୍ଷା ଦେଇଥିଲା |ସବୁଥିରେ ସେ ଭଲ ରାଙ୍କ  ରଖି କୃତକାର୍ଯ୍ୟ ହେଲା |ଖୁସିରେ ସୁମିତ୍ରାଂକ ଗୋଡ ତଳେ ଲାଗୁ ନ ଥାଏ |ସୁଶାନ୍ତ କିନ୍ତୁ ଭାବୁଥିଲେ,ଏ ସବୁ ତାଂକ ଆକଟ କରିବାର ଫଳ |ସେ ନିଷ୍ପତ୍ତି ନେଲେ,ପୁଅକୁ ରାଜ୍ୟ ବାହାରେ ପଢାଇବେ |ଏହାଦ୍ୱାରା  ତାର ଆଉଟଲୁକ୍ ବଢିବ ଓ ସେ ଆତ୍ମନିର୍ଭରଶୀଳ ହେବ |କାହାରି କଥା ନ ଶୁଣି ସେ ରାଜ୍ୟ ବାହାର ର ଏକ ଇଂଜିନିୟରିଂ କଲେଜ ରେ ସୌରଭ ର ନାମ ଲେଖାଇ ଦେଲେ |ବର୍ଷକୁ ଲକ୍ଷାଧିକ ଟଂକା ଖର୍ଚ୍ଚ ହେବ |ହଉ ପଛକେ,ପିଲାଟା ମାଆ ପଣତକାନି ଧରିବା ଅଭ୍ୟାସ ଛାଡିଦେବ |
                   ଏତେ ଦୂରକୁ ଯିବାପାଇଁ ସୌରଭ ର ଆଦୌ ଇଚ୍ଛା ନ ଥିଲା |ସୁମିତ୍ରା ମଧ୍ୟ ପ୍ରତିବାଦ କରିଥିଲେ |ସେ ସିଡି ର ପ୍ରଥମ ପାହାଚ ଚଢିବା ଶିଖିନି,ତମେ ତାକୁ ଏକାଥରେ ନେଇ ଉପର ପାହାଚ ରେ ଛିଡା କରାଇ ଦେଲ?ସୁଶାନ୍ତ କହିଲେ,ଓଡିଶା ର ବହୁତ ପିଲା ସେଇଠି ପଢୁଛନ୍ତି,କିଛି ଅସୁବିଧା ହେବ ନାହିଁ |
                        ସେଠାରେ ପହଂଚିବା ପରେ କିଛି ଦିନ କୌଣସି ପ୍ରକାରେ କଟିଗଲା |ପ୍ରାୟ ପ୍ରତ୍ୟେକ ଦିନ ସୌରଭ ସୁଶାନ୍ତ ଓ ସୁମିତ୍ରାଂକୁ ଫୋନ୍ କରେ |ଦିନେ ସେ କହିଲା,ବାବା, ସିନିୟର ପିଲା ବହୁତ ରାଗିଂଗ କରୁଛନ୍ତି |ଯିଏ ତାଂକ କଥା ମାନୁ ନାହାନ୍ତି,ତାଂକୁ ପିଟୁଛନ୍ତି |ସୁଶାନ୍ତ କହିଲେ,ତାଂକ କଥା ମାନିଯା,ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ |ତା ପରଦିନ ସୌରଭ କହିଲା,ରାତିରେ ଶୁଆଇ ଦେଉ ନାହାନ୍ତି|ସୁଶାନ୍ତ କହିଲେ,କିଛିଦିନ ସେମାନେ ସେମିତି ହେବେ,ତୁ ସହିଯା |ତା ପରଦିନ ପୁଣି ସୌରଭ ର ଫୋନ୍ ଆସିଲା,ସେମାନେ ମତେ ଲଣ୍ଡା ହେବାକୁ କହୁଛନ୍ତି |ସୁଶାନ୍ତ କହିଲେ,ଲଣ୍ଡା ହୋଇ ଯା,କିଛିଦିନ ପରେ ପୁଣି ଚୁଟି ଉଠିଯିବ |ଏଥର ସୁମିତ୍ରା ମୁହଁ ଫିଟାଇଲେ |କାହିଁକି ସେ ଲଣ୍ଡା ହେବ?ଘରେ କଣ କିଏ ମରିଗଲା?ତମେ ଯାଅ,କଲେଜ ପ୍ରିନ୍ସିପାଲଂକୁ ଦେଖା କରିବ |ସୁଶାନ୍ତ ରାଗିକରି କହିଲେ,ଏଇଠି କେଉଁଠି ପାଖରେ ହୋଇଛି ଯେ ତମେ କହିଲା ମାତ୍ରକେ ଚାଲିଯିବି?ସୁମିତ୍ରା କହିଲେ,ତାହାଲେ ତାକୁ ଏତେ ଦୂରରେ ପଢ଼ାଉଥିଲ କାହିଁକି?ତମେ ନ ଯାଇ ପାରିଲେ ମତେ ଟ୍ରେନ୍ ରେ ବସାଇ ଦିଅ,ମୁଁ ଚାଲିଯିବି |କିଛି ଉତ୍ତର ନ ଦେଇ ସେଠାରୁ ଚାଲିଗଲେ,ସୁଶାନ୍ତ |କିଛିଦିନ ପରେ ସୌରଭ ପାଖରୁ ଏକ ଏସ.ଏମ.ଏସ ଆସିଲା |ଜାଣିଶୁଣି ତାକୁ ପଢିଲେ ନାହିଁ ସୁଶାନ୍ତ |ତାର ଚାରିଦିନ ପରେ କଲେଜ୍ ରୁ ଫୋନ୍ ଆସିଲା,ଆପଣଂକ ପୁଅ ନିରୁଦ୍ଦିଷ୍ଟ |ସୁମିତ୍ରାଂକ ମୁଣ୍ଡରେ ଚଡକ ପଡିଲା |ସେ କାନ୍ଦି କାନ୍ଦି ମୁଣ୍ଡ ପିଟିଦେଲେ |କିନ୍ତୁ ସୁଶାନ୍ତ ଦୃଢ ନିଶ୍ଚିତ ଥିଲେ,ସୌରଭ ରାଗିଂଗ ଭୟରେ କୁଆଡେ ଚାଲି ଯାଇଛି |
                     କଲେଜରେ ପହଂଚିବା ପରେ ପରିସ୍ଥିତି ଅଲଗା ପ୍ରକାରର ଥିଲା |ସୌରଭ ର ମୃତ ଦେହ ପାଖରେ ଅନେକ ପିଲା ଜମା ହୋଇଥିଲେ |ଟ୍ରେନ୍ ରେ କଟି ତାର ମୃତ୍ୟୁ ହୋଇଥିଲା |କଲେଜ୍ ମ୍ୟାନେଜମେଣ୍ଟ ସଫେଇ ଦେଲେ,ସୁଇସାଇଡ କେଶ୍ |ସୁଶାନ୍ତ ଲକ୍ଷ୍ୟ  କଲେ,ଏତେ ସୁନ୍ଦର ପିଲାଟା,ଶୁଖିକରି କଳା କାଠ ପଡି ଯାଇଛି  |ମୁଣ୍ଡ ତାର ଲଣ୍ଡା ଥିଲା |ସୌରଭ ର ସାଂଗମାନେ ତାଂକୁ ଏକାନ୍ତରେ ଡାକି ନେଇ କହିଲେ,ଅଙ୍କଲ ,ସୌରଭ ଆପଣଂକୁ ଏତେ ଡାକିଲା,ଆପଣ ଥର ଟିଏ ବି ଆସିଲେ ନାହିଁ?ଖାଲି କଣ ନାଁ ସହିଯା |କେତେ ସହିବ ସେ?ଆମକୁ ବି ସେମାନେ ସେମିତି ଟର୍ଚର କରୁଥିଲେ |କିନ୍ତୁ ଆମର ପ୍ୟାରେଣ୍ଟ ଆସିବାରୁ ଆମକୁ ଛାଡି ଦେଲେ |ଆପଣ ଥରଟିଏ ଆସିଥିଲେ,ଏ ଘଟଣା ଘଟି ନ ଥାଆନ୍ତା |ସୌରଭ ସୁଇସାଇଡ କରିନି |ସେମାନେ ତାକୁ "ଗୁଲାମ୍"ଫିଲ୍ମ ଷ୍ଟାଇଲ୍ ରେ ରେଲ୍ ଲାଇନ୍ ରେ ଦୌଡିବାକୁ ବାଧ୍ୟ କରିଥିଲେ |ସେ ଦୌଡୁଥିବା ଅବସ୍ଥାରେ ଟ୍ରେନ୍ ଆସିଗଲା ,ସବୁ ଶେଷ |ଆପଣ ଏଠାକାର ସିକ୍ୟୁରିଟି ଗାର୍ଡ଼ କୁ ପଚାରନ୍ତୁ,ସେ କହିବ |ସୌରଭ ସବୁଠାରୁ ବେଶି ଅପସେଟ୍ ହୋଇଥିଲା,ଯେତେବେଳେ ସେମାନେ ତାକୁ ଲଣ୍ଡା କରିଦେଲେ |
                    ପକେଟ୍ ରେ ଥିବା ମୋବାଇଲ୍ ଟା ପେଁ କରି ବାଜି ଉଠିଲା |ସୁଶାନ୍ତ ମୋବାଇଲ୍ କାଢି ଦେଖିଲେ,ସୌରଭ ର ପୁରୁଣା ମେସେଜ୍,ଯାହାକୁ ସେ ପଢି ନ ଥିଲେ |ସେ ମେସେଜ ଖୋଲି ପଢିଲେ,ସୌରଭ ଲେଖିଥିଲା,ଆଇ ମିସ୍ ୟୁ ମମି,ଭେରି ମଚ୍ |ମମତା ମହାନ୍ତି |

No comments:

Post a Comment