Friday, September 2, 2016

ବିଶ୍ଵାସ

               ସୁପ୍ରିୟା ପିଲାଟି ଦିନରୁ ଅତ୍ୟନ୍ତ ଧର୍ମବିଶ୍ୱାସୀ  ଥିଲା |ବୋଉ ମାଳବିକା ବାର ମାସରେ ତେର ବ୍ରତ,ଉପାସ କରନ୍ତି |ସେ  ଯେତେବେଳେ ଠାକୁର ପୂଜା କରନ୍ତି,ସୁପ୍ରିୟା  ମନ ଧ୍ୟାନ ଦେଇ ସବୁ ଲକ୍ଷ୍ୟ କରେ ଓ ତାକୁ ମନେ ରଖେ |ଧୀରେ ଧୀରେ ଜ୍ଞାନ ହେବା ପରେ ବୋଉଙ୍କ ସହ  ମିଶି ସେ ମଧ୍ୟ ସେହି ପୂଜା,ଉପବାସ କରିବାକୁ ଲାଗିଲା |ବରଂ ତାଙ୍କ  ଠାରୁ ଆହୁରି ପାଦେ ଆଗେଇ ଯାଇ ଅଧିକ କଷ୍ଟକର ଉପବାସ କରିବାକୁ ଲାଗିଲା |ସେ ଥିଲା ହର ପାର୍ବତୀଙ୍କର  ପରମ ଭକ୍ତ |ଈଶ୍ୱରଙ୍କ  ଉପରେ ତାର ପ୍ରଗାଢ଼ ବିଶ୍ୱାସ  ଥିଲା |ବିଶ୍ୱାସ  ରହିବାର କାରଣ ମଧ୍ୟ ଥିଲା |ତା ଜୀବନରେ ଘଟଣା ଗୁଡିକ ଏପରି ଚମତ୍କାର ଭାବରେ ଘଟିଥିଲା ଯେ,କେବଳ ସେ ନୁହେଁ,ତାକୁ ଜାଣିଥିବା ସମସ୍ତ ଲୋକ ବିଶ୍ୱାସ  କରିବାକୁ ବାଧ୍ୟ ହୁଅନ୍ତି ଯେ,ତା ପ୍ରତି ଈଶ୍ୱରଙ୍କ  ଆଶୀର୍ବାଦ ରହିଛି ଓ  ଈଶ୍ଵର ତା ଡାକ ଶୁଣନ୍ତି |
             ମାଳବିକା କହନ୍ତି,ସେ ଯେତେବେଳେ ଜନ୍ମ ହେଲା, ସେଦିନ ଗୁରୁବାର,ରାତି ଗୋଟାଏ |ନିଦ ବାଉଳାରେ ଧାଈ ଆସି   ଡେଲିଭରି କରାଇ କେମିତି କଣ ସୁପ୍ରିୟାର ନାଭି କାଟିଲା ଯେ, ନାଭିରୁ ପ୍ରବଳ ରକ୍ତସ୍ରାବ ହେଉଥିଲା | ସେଥିପ୍ରତି ଧ୍ୟାନ ନ ଦେଇ,ସେ ତର ତର ହୋଇ ଘରକୁ ଚାଲି ଯାଇଥିଲା |ସେତେବେଳେ ମାଳବିକା ଗୁରୁତର ଅସୁସ୍ଥ ହୋଇ ଅଚେତନ ହୋଇ ଯାଇଥିଲେ |ପାଖରେ ଶୋଇଥିବା ମାଳବିକାଙ୍କ  ମା ଦିନ ଯାକର ଅଶେଷ କ୍ଲାନ୍ତି ପରେ ଗଡ ପଡ ହେଉ ହେଉ ଆଖି ଲାଗି ଯାଇ ଥାଏ |ହଠାତ୍ ସ୍ୱପ୍ନରେ  ବଡ ସିନ୍ଦୂର ଟୋପା ଲଗାଇ ଥିବା ଜଣେ  ସ୍ତ୍ରୀ ଲୋକ ଆସି ତାଙ୍କୁ  କହିଲେ,ତୁ କଣ ମଜାରେ ଶୋଇଛୁ,ମା,ଝିଅ ଏଣେ ମରିବାକୁ ବସିଲେଣି,ଶୀଘ୍ର ସେମାନଙ୍କୁ  ଡାକ୍ତରଖାନା ନେଇଯା |ମାଳବିକାଙ୍କ  ମାଆ ଧଡ ପଡ ହୋଇ ଉଠି ଦେଖିଲେ,ଅବସ୍ଥା ସଙ୍ଗୀନ  |ସେ ପାଖ ରୁମରେ  ଶୋଇଥିବା ଜ୍ୱାଇଁ  ଶୁଭେନ୍ଦୁଙ୍କୁ  ଉଠାଇଲେ |ସଙ୍ଗେ ସଙ୍ଗେ  ଡାକ୍ତରଖାନା ନେଇ ଯିବାରୁ ସୁପ୍ରିୟା ବଞ୍ଚିଗଲା |ଆଈ ସେଦିନ ର କଥା ବର୍ଣ୍ଣନା  କରି କହନ୍ତି,ସେଦିନ ସାକ୍ଷାତ ମା' ମଙ୍ଗଳା  ଆସି ସ୍ୱପ୍ନରେ  ଦେଖାଦେଇ ତାଙ୍କୁ  ଉଠାଇଲେ,ନ ହେଲେ କଥା ସରିଥିଲା |ସୁପ୍ରିୟା ଆଈଙ୍କ  କଥା ବିଶ୍ୱାସ  କରେ |ସେ ମଧ୍ୟ ମା' ମଙ୍ଗଳାଙ୍କର  ତା ପ୍ରତି ଆଶୀର୍ବାଦ ରହିଥିବା କଥା ବିଶ୍ୱାସ କରେ  |ସୁପ୍ରିୟା ଜନ୍ମ ବେଳେ ଶୁଭେନ୍ଦୁଙ୍କର  କଳାହାଣ୍ଡି ରେ ପୋଷ୍ଟିଂ ହୋଇଥିଲା |ସେ ସେଠାରୁ ଉପକୁଳବର୍ତ୍ତୀ ଏରିଆ କୁ ଟ୍ରାନ୍ସଫର ହୋଇ ଆସିବା ପାଇଁ ବହୁତ ଚେଷ୍ଟା କରୁଥିଲେ |କିନ୍ତୁ ତାଙ୍କର କୌଣସି ଚେଷ୍ଟା ସଫଳ ହୋଇ ପାରୁ ନ ଥିଲା |ସୁପ୍ରିୟା ଜନ୍ମ ହେବାର ତିନି ମାସ ଭିତରେ ଏକ ନାଟକୀୟ ଘଟଣାକ୍ରମରେ ରାଜଧାନୀ ଭୁବନେଶ୍ୱରକୁ ତାଙ୍କର ଟ୍ରାନ୍ସଫର ହୋଇଗଲା |ସେଥିପାଇଁ ସେ ଭାବନ୍ତି,ସୁପ୍ରିୟା ତାଙ୍କ  ପାଇଁ ଲକ୍ଷ୍ମୀଵନ୍ତ |ସୁପ୍ରିୟା ଥିଲା ଘରର ବଡ ଝିଅ |ତା ତଳେ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ |ଘରେ ତା କଥା ଚୂଡାନ୍ତ ଥିଲା |ତାର ଭାଇ ଭଉଣୀ ମାନେ କଣ ପିନ୍ଧିବେ,କେମିତି ପାଠ ପଢିବେ,କେମିତି ଶାଳୀନତାର ସହ ଅନ୍ୟମାନଂକୁ ବ୍ୟବହାର କରିବେ,ସବୁକିଛି ଥିଲା ତାର ଦାୟିତ୍ତ୍ୱ  |ସେ ପରିଷ୍କାର ପରିଚ୍ଛନ୍ନତାକୁ ସବୁବେଳେ ପ୍ରାଥମିକତା ଦେଉଥିଲା ଓ  କହୁଥିଲା,'ଚାକର ପରି ଖଟିବ,ରାଜା ପରି ଭୋଗ କରିବ'|ତାର ଅର୍ଥ ହେଲା,ପରିଶ୍ରମ କରି ଘରଦ୍ୱାର  ପରିଷ୍କାର ରଖିବ,ସେଇ ସଫା ସୁତୁରା ଘରେ ନିଜେ ଆରାମରେ ରହିବ |ସେଥିପାଇଁ ଶୁଭେନ୍ଦୁଙ୍କ  ଘରକୁ ଦିନର ଯେ କୌଣସି ସମୟରେ ଗଲେ,ସବୁବେଳେ ସୁସଜ୍ଜିତ ଓ ପରିଷ୍କାର,ପରିଚ୍ଛନ୍ନ  ଥିବାର ସମସ୍ତେ ଦେଖନ୍ତି |  ସୁପ୍ରିୟା ପାଠ ପଢାରେ ଟିକିଏ କମ୍ ଥିଲା |କିନ୍ତୁ ଖେଳକୁଦ,ନୃତ୍ୟ,ସଂଗୀତରେ ଥିଲା ଏକଦମ୍ ସୁପର |ଶୃଙ୍ଖଳା ଜ୍ଞାନ ଅଧିକ ଥିବାରୁ ସେ  ଶ୍ରେଣୀରେ ମନିଟର ହୋଇଥିଲା |
              ଶୁଭେନ୍ଦୁଙ୍କ  ଘରେ ଗଣେଶ ପୂଜା,ନବରାତ୍ର ଓ ଶିବରାତ୍ରୀ ଖୁବ ନିଷ୍ଠା ର ସହ ପାଳନ କରାଯାଉଥିଲା  |ଗଣେଶ ପୂଜା ଦିନ ପୁଷ୍ପାଞ୍ଜଳି ଦିଆଯିବା ପୂର୍ବରୁ ଛୋଟରୁ ବଡ ପର୍ଯ୍ୟନ୍ତ କେହି ଜଳ ସ୍ପର୍ଶ କରୁ ନ ଥିଲେ |ନବରାତ୍ରୀ ପୂଜା ସେମାନେ ଚୈତ୍ର ଓ ଆଶ୍ଵିନ ମାସରେ ଦୁଇଥର କରୁଥିଲେ |ନଅ ଦିନ ଯାକ ସୁପ୍ରିୟା ଦିନକୁ ଥରେ ମାତ୍ର ଖାଇ ନବରାତ୍ରୀ ପାଳନ କରୁଥିଲା |ଶିବରାତ୍ରୀ ଉପବାସ କଥା ନ କହିଲେ ଭଲ |ସେଦିନ ନିର୍ଜଳ ଉପବାସ କରି,ସାରା ରାତି ଈଶ୍ୱରଙ୍କ  ପାଖରେ ଜାଗର ଜାଳୁଥିଲା  |ଏସବୁ କରିବା ଭିତରେ ଯଦି କେଉଁଠି କିଛି ବିଘ୍ନ ଘଟୁଥିଲା,ତାହାଲେ ପ୍ରାୟଶ୍ଚିତ କରିବା ପାଇଁ ସେ ଆଉ ଗୋଟିଏ ଦିନ ଖାଡ଼ା ଖାଡା ଉପବାସ ରହୁଥିଲା |ଯିଏ ଯେତେ ମନା କଲେ ବି ସେ କାହାରି କଥା ଶୁଣୁ ନ ଥିଲା |ଈଶ୍ୱରପ୍ରେମ ତା ପାଇଁ ଥିଲା,ସର୍ବୋପରି |
                ବିବାହ ବୟସ ହେବାରୁ ସୁପ୍ରିୟା ପାଇଁ ଅନେକ ପ୍ରସ୍ତାବ ଆସିଲା |ଭଲ ଘର, ଭଲ ବର ଦେଖି ଶୁଭେନ୍ଦୁ ଗୋଟିଏ ଜାଗାରେ ବାହାଘର ପକ୍କା କଲେ |ପିଲାଟିର ନାଁ ସିଦ୍ଧାର୍ଥ |ସେ ଘରର ବଡ଼ ପୁଅ |ତା ତଳେ ଦୁଇ ଭାଇ,ଦୁଇ ଭଉଣୀ |ଦୁର୍ଭାଗ୍ୟବଶତଃ ନିର୍ବନ୍ଧ ଆଉ ଆଠ ଦିନ ଅଛି,ସିଦ୍ଧାର୍ଥର ବଡ ବାପାଂକ ଅକାଳ ବିୟୋଗ ଘଟିଲା |ପୁଅଘର , ସେମାନଙ୍କ  ପାଇଁ  ଝିଅ ଅଶୁଭ କହି ବାହାଘର  ଭାଙ୍ଗିଦେଲେ |ଶୁଭେନ୍ଦୁଙ୍କ  ମନ ଦୁଃଖ ହେଲେ ବି ,ଯାହା ହେଲା ,ଭଲ ହେଲା କହି ମନକୁ ବୁଝାଇ ରହିଲେ |ବର୍ଷକ ପରେ ସିଦ୍ଧାର୍ଥର ବାପା ଅଭିମନ୍ୟୁ ଶୁଭେନ୍ଦୁଙ୍କ  ପାଖକୁ ଆସି ବାହାଘର ଭାଙ୍ଗିଦେଇ ଥିବାରୁ, କ୍ଷମା ମାଗିଲେ ଓ ଖୁବ ଶୀଘ୍ର ବାହାଘର କରିବା ପାଇଁ ଅନୁରୋଧ କଲେ |କଥା ଛଳରେ ସେ କହିଲେ,ଆପଣଙ୍କ ଝିଅ ଦୈବୀ ଅଂଶରେ ଜନ୍ମ ହୋଇଛି ବୋଲି ଆମେ ଜାଣି ନ ଥିଲୁ |ମନ୍ଦିର ଭାଇନା କହିଲେ ,ସେଇ ଝିଅ ଛଡା ଆଉ କାହାକୁ ବୋହୁ କରନାହିଁ,ସେ ଭବିଷ୍ୟତରେ ତୁମକୁ ଅନେକ ଦୁର୍ଭାଗ୍ୟରୁ ରକ୍ଷା କରିବ |ଯାହା ହେଇଚି ,ହେଇଚି |ଏଥର  ବୋହୁ ନୁହେଁ,ବରଂ ଆମର ଝିଅ ଦରକାର |ଶୁଭେନ୍ଦୁ ଆନନ୍ଦରେ ରାଜି ହେଲେ |ବିନା ଯୌତୁକରେ ,ମହା ଆଡମ୍ବରରେ ସୁପ୍ରିୟା ର ବାହାଘର ହେଲା |
                      ଶାଶୁଘରେ ଖୁବ ଅଳ୍ପ ଦିନରେ ସମସ୍ତଙ୍କ  ମନ କିଣି ନେଲା ସୁପ୍ରିୟା |ସେଠାରେ ସେ ଶାଶୁଙ୍କ  ସହ ମିଶି ପୂର୍ବରୁ କରୁଥିବା ଉପବାସ ସହ ଶାଶୁଘରେ ପାଳିତ ହେଉଥିବା ଆହୁରି ଅନେକ ଉପବାସ କଲା | ପୂଜା ପଦ୍ଧତି ,କର୍ମ କାଣ୍ଡ ବିଷୟରେ ସେ ଏପରି ଧୁରନ୍ଧର ଥିଲା ଯେ ତା ଆଗରେ ନନା ଶ୍ଲୋକ ଉଚ୍ଚାରଣ କରିବାକୁ ଭୟ କରୁଥିଲେ |ବରଂ ବେଳେବେଳେ କାହା ପରେ କଣ ହେବ,ବା କିପରି ଭାବରେ ହେବ ତାକୁ ପଚାରୁ ଥିଲେ | ଅନେକ ପୂଜା,ଉପବାସ କରିବା ଫଳରେ,ସୁପ୍ରିୟା କ୍ରମେ ଶାରୀରିକ ଭାବେ ଦୁର୍ବଳ ହୋଇ ପଡିଲା |ଘରର ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ତା ଶରୀର ସକ୍ଷମ ହୋଇ ପାରୁ ନ ଥିଲା |ତଥାପି ସେ ତାର ନିୟମିତ ଠାକୁର ପୂଜା,ଓଷା,ଉପବାସ ଛାଡୁ ନ ଥିଲା |ସୁପ୍ରିୟା ର ଗୋଟିଏ ଗୁଣ ଥିଲା, ଯେ କୌଣସି ଘଟଣା ର ଭଲ ମନ୍ଦ ସେ ଯଥେଷ୍ଟ ଆଗରୁ ଜାଣି ପାରୁଥିଲା ବା ଅନ୍ୟ ଅର୍ଥରେ କହିବାକୁ ଗଲେ ,ସେ ଘଟଣା ଦୁର୍ଘଟଣା ର ସଠିକ କଳନା କରି ପାରୁଥିଲା |
                     ତାଙ୍କ  ଘର ସାମନାରେ ମଧୁ ନାମରେ ପିଲାଟିଏ କ୍ୟାବିନ ପକାଇ ଚା,ପାନ,ବିଡି,ସିଗାରେଟ ଇତ୍ୟାଦି ବିକ୍ରୀ  କରିବା ସହ ଚୋରା ପେଟ୍ରୋଲ ବିକ୍ରୀ  କରୁଥିଲା |ଦିନେ ଅକସ୍ମାତ ମଧୁ ଦୋକାନରେ ନିଆଁ ଲାଗିଗଲା |ଦୋକାନଟି ସମ୍ପୂର୍ଣ୍ଣ  ଜଳିଗଲା |ମଧୁ ଶରୀରର ସତୁରୀ ପ୍ରତିଶତ ଅଂଶ ଜଳି ଯାଇଥିଲା |ତାକୁ ଡାକ୍ତରଖାନା ନିଆଗଲା |ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କଲେ | କହିଲେ,ବଞ୍ଚିବାର  ଆଶା ଖୁବ କମ୍ |ମଧୁ ର ବାପା ସୁପ୍ରିୟା ପାଖକୁ ଦୌଡି ଆସିଲେ,କହିଲେ,ମା' ତୁ ଟିକେ ଚାଲ ମୋ ପୁଅକୁ ଦେଖି ଆସିବୁ,ମୋ ମନ କହୁଛି,ତୋ ଆଶୀର୍ବାଦରେ ମୋ ପୁଅ ବଞ୍ଚିଯିବ |ଅନ୍ୟ ମାନଙ୍କ  ଦୃଷ୍ଟିରେ ଏ ସବୁ ନିହାତି ହାସ୍ୟାସ୍ପଦ ଥିଲେହେଁ,ସୁପ୍ରିୟା ମଧୁକୁ ଦେଖିବା ପାଇଁ ଡାକ୍ତରଖାନା ଗଲା |ସେଠାରେ ମଧୁକୁ ଏକ ଲୟରେ ଅନେକ ସମୟ ଚାହିଁବା ପରେ ସେ ତାକୁ ପଚାରିଲା,ସତ କହ ମଧୁ,ତୁ କିଛି ଅନ୍ୟାୟ କାର୍ଯ୍ୟ କରିଛୁ?ମଧୁ କିଛି ଉତ୍ତର ଦେଲା ନାହିଁ |ପୁଣି ଥରେ ନିଜ ପ୍ରଶ୍ନର ପୁନରାବୃତ୍ତି କଲା,ସୁପ୍ରିୟା |ଏଥର ଅନୁଶୋଚନାରେ ମଧୁ ଆଖିରୁ ଅନର୍ଗଳ ଲୁହ ଝରିଗଲା |ସେ ଥର ଥର କଣ୍ଠ ରେ ଯାହା କହିଲା,ସେଥିରୁ ଜଣା ପଡିଲା,ସମସ୍ତଂକ ଅଗୋଚରରେ ସେ ମୂର୍ତ୍ତୀ ଚୋର ମାନଂକ ଠାରୁ ଏକ ଫୂଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁ ରେ ନିର୍ମିତ,ଏକ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଦୁଇଦିନ ତଳେ କିଣିଛି |ଘରେ ଏ କଥା ସେ କାହାକୁ କହିନି |ଶୋଇବା ଘର ସିନ୍ଦୁକରେ ସବା ତଳେ କେହି ଦେଖି ନ ପାରିବା ଭଳି ,ଲୁଗାରେ ଗୁଡାଇ ରଖିଛି |ସୁପ୍ରିୟା ମଧୁ ର ବାପାଂକୁ କହିଲା,ଆପଣ ତୁରନ୍ତ ମୂର୍ତ୍ତୀ  କେଉଁଠୁ ଆସିଛି ପତ୍ତା କରନ୍ତୁ |ଯଦି ଜାଣି ପାରିବେ ଭଲ କଥା,ନ ହେଲେ ଅନ୍ୟ ଯେ କୌଣସି ମନ୍ଦିରରେ ବିଧି ବିଧାନ ସହ ଠାକୁରଙ୍କୁ  ପ୍ରତିଷ୍ଠା କରାଇ ପୁଜା ଆରମ୍ଭ କରନ୍ତୁ |ବେଶି କଷ୍ଟ କରିବାକୁ ପଡିଲାନି,ସେମାନଙ୍କ  ଘରଠାରୁ ଅଳ୍ପ ଦୂରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରୁ କିଛି ଦିନ ତଳେ ମୂର୍ତ୍ତୀ  ଚୋରି ହୋଇଥିଲା |ସେମାନେ ଠାକୁରଙ୍କ  ମୂର୍ତ୍ତୀ  ଚିହ୍ନଟ କରିବା ପରେ ଯଥା ଶୀଘ୍ର ଆବଶ୍ୟକ ବିଧି ବିଧାନ ସହ ପୂଜା ଆରମ୍ଭ କଲେ  |ପୂଜା ର ସମସ୍ତ ଖର୍ଚ୍ଚ ମଧୁ ର ବାପା ବହନ କଲେ |ଏଣେ ଆଶ୍ଚର୍ଯ୍ୟଜନକ ଭାବେ ମଧୁ ର ପୋଡା ଘାଆ ଶୁଖିବାକୁ ଲାଗିଲା,ଓ ସେ ମାସକ ଭିତରେ ସମ୍ପୂର୍ଣ୍ଣ  ସୁସ୍ଥ ହୋଇ ଘରକୁ ଫେରି ଆସିଲା,ଯଦିଓ  ପୋଡା ଦାଗ ତା ଶରୀରରେ ସବୁ ଦିନ ପାଇଁ  ରହିଗଲା | ଏହି ଘଟଣା ବହୁଦିନ ଧରି ସେଠାରେ ଆଲୋଚନା ର ବିଷୟ ପାଲଟି ଥିଲା |
                    ସୁପ୍ରିୟାର ଦିଅର ଅଭିଷେକ କଲେଜରେ ପଢିବା ବେଳେ ଜ୍ୱରରେ  ଆକ୍ରାନ୍ତ ହେଲା |ଯେତେ ଔଷଧ ଖାଇଲେ ବି ଜ୍ୱର  ଉପଶମ ହେବାର ନାଁ ଧରିଲାନି |ଦିନେ ଅଭିଷେକ, ସୁପ୍ରିୟାକୁ ନିଜ ରୋଗ ବିଷୟରେ କହୁଥିବା ବେଳେ ହଠାତ୍ ସୁପ୍ରିୟା ଉପରେ ଦୁଲଭୁସ ହୋଇ ପଡି ଯାଇ ବେହୋସ୍ ହୋଇ ଗଲା |ବ୍ୟସ୍ତ  ହୋଇ ତାକୁ ତୁରନ୍ତ  ଡାକ୍ତରଙ୍କ  ପାଖକୁ ନିଆଗଲା |ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ କହିଲେ |ରକ୍ତ ପରୀକ୍ଷା ରୁ ଜଣା ପଡିଲା,ତାକୁ ମସ୍ତିଷ୍କ ମ୍ୟାଲେରିଆ ହୋଇଛି |ସିଦ୍ଧାର୍ଥ ଡାକ୍ତରଙ୍କୁ  ପଚାରିବାରୁ ସେ କହିଲେ,ଏଇଟା ଲଷ୍ଟ କେଶ |ଏଇ ଷ୍ଟେଜ୍ ରେ ଆଉ କିଛି କରି ହେବ ନାହିଁ |ଆପଣ କେବଳ ଈଶ୍ୱରଙ୍କୁ  ଡାକନ୍ତୁ |ଏକଥା ଶୁଣି ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଗଲା |ସୁପ୍ରିୟା କାହାକୁ କିଛି ନ କହି ପୂଜା ଘରକୁ ଚାଲିଗଲା |ସେଠାରେ ଅଖଣ୍ଡ ଦୀପ ଲଗାଇ ସେ ତାର ପୂଜା ଆରମ୍ଭ କଲା |ତାପର ଦିନ ଦଶ ଟା ବେଳକୁ ଯେତେବେଳେ ଖବର ଆସିଲା,ଅଭିଷେକ ର ଅବସ୍ଥା ଭଲ ଆଡକୁ ଗତି କରୁଛି,ସେତେବେଳେ ସେ ପୂଜାରୁ ଉଠିଲା ଓ ଜଳ ପାନ କଲା | ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଭିଷେକ ତାର ଶରୀର ସୁସ୍ଥତାର  ସମସ୍ତ ଶ୍ରେୟ ଡାକ୍ତରଙ୍କୁ  ଦେବା  ପରିବର୍ତ୍ତେ ସୁପ୍ରିୟା କୁ ଦେଲା |କହିଲା,ଭାଉଜଙ୍କ  ଯୋଗୁଁ ମୁଁ ଆଜି  ନୂଆ  ଜୀବନ ପାଇଚି,ନ ହେଲେ ଏତେ ବେଳକୁ ସରଗପୁରରେ ଥାଆନ୍ତି |ହେଲେ ଭାଉଜ,ଏତେ ଉପବାସ କଲେ ତମ ଦେହ ବିଗିଡି ଯିବ |କାଲି ଯଦି ତମର କିଛି ଭଲ ମନ୍ଦ ହୋଇ ଯାଏ ,ତାହାଲେ ଆମେ କଣ କରିବୁ?ସୁପ୍ରିୟା ର ବାପା ମା',ଶାଶୁ ,ଶ୍ୱଶୁର  ମଧ୍ୟ ତାକୁ ସେକଥା ବୁଝାନ୍ତି |ସୁପ୍ରିୟା କହେ,ମତେ ଠାକୁର ବହୁତ ଭଲ ପାଆନ୍ତି |ମତେ କଷ୍ଟ ହେଲେ ସେ ସହି ପାରନ୍ତି ନାହିଁ | ସେ କେବେହେଲେ ମୋର କିଛି ଅନିଷ୍ଟ ହେବାକୁ ଦେବେ ନାହିଁ |ତମେମାନେ କେହି ବ୍ୟସ୍ତ ହୁଅନାହିଁ |
                    ସୁପ୍ରିୟା ସବୁବେଳେ ଚାହୁଁ ଥିଲା,ଉଭୟ ଶାଶୁଘର ଓ ବାପଘର ର ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ |ସେଥିପାଇଁ ସେ ଅହରହ ଚେଷ୍ଟା ମଧ୍ୟ କରୁଥିଲା |ସମସ୍ତଙ୍କ  ମିଳିତ ସହଯୋଗରେ ସେ ନିଜ ଭାଇ ଭଉଣୀ ଓ ଦିଅର ନଣନ୍ଦଙ୍କୁ  ପାଠ ପଢାଇ ଚାକିରୀ କରାଇଲା ଓ ଉପଯୁକ୍ତ ସ୍ଥାନରେ ବିବାହ ମଧ୍ୟ କରାଇଲା |ତାର ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ |ପୁଅର ନାମ ସ୍ୱାଗତ  ଓ ଝିଅର ନାମ ସୌମ୍ୟା |ଉଭୟ ସ୍ୱାଗତ  ଓ ସୌମ୍ୟା ଅତ୍ୟନ୍ତ ଶାନ୍ତ,ସରଳ,ଓ ମେଧାବୀ ଥିଲେ |ବାପା ମାଆଙ୍କ  କଥା କେବେହେଲେ ତଳେ ପକାଇ ଦେଉ ନ ଥିଲେ |ସ୍ୱାଗତ  ଏମ.ବି.ଏ.କରିବା ପରେ ଚାକିରୀ ଅନ୍ୱେଷଣରେ  ବାଙ୍ଗାଲୋର  ଚାଲିଗଲା |ସେଠାରେ ବେଶ କିଛି ଦିନ ରହି ସଂଘର୍ଷ କରିବା ପରେ ତାକୁ ଚାକିରୀ ମିଳିଲା |ସେଇ ସମୟ ତକ ସୁପ୍ରିୟା ପାଇଁ ଥିଲା,ଘୋର ଦୁର୍ଦ୍ଦିନ ର ସମୟ |ସ୍ୱାଗତ  ପାଇଁ ଠାକୁରଙ୍କ  ପାଖରେ ଲୁହ ଢାଳି ଢାଳି ତା ଆଖିରେ ମୋତିଆ ବିନ୍ଦୁ ହୋଇଗଲା |ତାପରେ ଆସିଲା,ସୌମ୍ୟା ର ବାହାଘର ସମସ୍ୟା |ଭଲ ପାତ୍ରଟିଏ ପାଇବା ତା ପାଇଁ ମୁସ୍କିଲ ହୋଇ ପଡିଲା |ଗୋଟିଏ ସ୍ଥାନରେ ବାହାଘର ଠିକ ହେଲା,ସେମାନେ ଆସି ମୁଦି ପିନ୍ଧାଇ ଦେଇ ଗଲେ |ପରେ ଜଣା ପଡିଲା,ସେମାନେ ପୁଅ ବିଷୟରେ ଯାହା କହିଛନ୍ତି,ସବୁ ମିଛ |ସେ ବାହାଘର ଭାଙ୍ଗିଗଲା  |ଏହାପରେ ସୁପ୍ରିୟା ମାନସିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଲା |ଜ୍ୟୋତିଷଙ୍କ  ପାଖରେ ଜାତକ ଦେଖାଇ ଜାଣିଲା,କିଛି ଗ୍ରହ ପୀଡା ରହିଛି,ତାର ପ୍ରତିକାର କରିବାକୁ ପଡିବ |ପ୍ରତିକାର ବ୍ୟବସ୍ଥା କଷ୍ଟକର ଥିବାରୁ,ସିଦ୍ଧାର୍ଥ ପଛଘୁଞ୍ଚା  ଦେଲା |କିନ୍ତୁ ସୁପ୍ରିୟା ନଛୋଡବନ୍ଧା |ଝିଅର ଭବିଷ୍ୟତ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ |ବାଧ୍ୟ ହୋଇ ସିଦ୍ଧାର୍ଥ ରାଜି ହେଲା |ଭଲଦିନ,ଭଲ ମୂହୁର୍ତ୍ତ  ଦେଖି ପୂଜା ପାଠ କରାଗଲା |ତା ପରଦିନ ବଡି ଭୋରରୁ ସ୍ୱାମୀ  ସ୍ତ୍ରୀ ଦୁଇଜଣ ଠାକୁର ପୂଜା ସାରି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗଲେ |ସେଠାରେ ବଡ ଠାକୁରଙ୍କ  ପାଖରେ ସାଷ୍ଟାଙ୍ଗ  ପ୍ରଣିପାତ କରି,ନିଜକୁ ତାଙ୍କ  ନିକଟରେ ସମ୍ପୂର୍ଣ୍ଣ  ସମର୍ପଣ କରି ସୁପ୍ରିୟା  କହିଲା,ପ୍ରଭୁ,ବଡ ଆଶାରେ ତୁମ ପାଖକୁ ଧାଇଁ ଆସିଛୁ,ତୁମ ଆଶୀର୍ବାଦରେ ଆମ ଆଞ୍ଜୁଳି ଭରିଦିଅ |ଯାହା କିଛି ହେବ,ସବୁ ତୁମ ଇଚ୍ଛାରେ  ହେଉ |ଘରେ ପହଞ୍ଚିବା ବେଳକୁ ଦିନ ଏଗାର |ସେପର୍ଯ୍ୟନ୍ତ ସେମାନେ କିଛି ଖିଆପିଆ କରି ନ ଥିଲେ |ଘରେ ପହଞ୍ଚୁ ପହଞ୍ଚୁ  ଖବର ଆସିଲା,ଯେଉଁ ପୁଅଘର ପାଞ୍ଚମାସ ତଳେ ଝିଅ ଦେଖି ଆସିଥିଲେ ,ସେମାନଙ୍କର ଝିଅ  ପସନ୍ଦ ହୋଇଛି |ଆସନ୍ତା ମାସରେ ସେମାନେ ବାହାଘର କରିବେ ବୋଲି ଇଚ୍ଛା କରୁଛନ୍ତି  |ସୁପ୍ରିୟା ଆନନ୍ଦରେ ଆତ୍ମହରା ହୋଇ ଯେଉଁଠାରେ ବସିଥିଲା,ସେହିଠାରେ ଠାକୁରଙ୍କ  ଉଦ୍ଦେଶ୍ୟରେ ବଡ ମୁଣ୍ଡିଆ ଟିଏ ମାରିଲା |ଏତେ ଦିନର ଦୁଃଖ ମୂହୁର୍ତ୍ତକ ଭିତରେ ପାଣିଫୋଟକା ପରି ମିଳେଇ ଗଲା |ସୌମ୍ୟା ବାହା ହେଲା ଓ ଖୁବ୍ ସୁଖ ଶାନ୍ତିରେ ଘର ସଂସାର କଲା |
                  ସେହିପରି ସ୍ୱାଗତ  ବାହାଘର ପାଇଁ ମଧ୍ୟ ଖୁବ୍ କସରତ କରିବାକୁ ପଡିଲା |ସେ ସ୍ୱାଗତ ର ପ୍ରକୃତି ଜାଣିଥିଲା |ତା ପସନ୍ଦରେ କେବେହେଲେ ସେ ଅରାଜି ହେବନାହିଁ |କିନ୍ତୁ ସେଇ ପସନ୍ଦିଆ ଝିଅଟି କାହିଁ?ଗୋଟିଏ ଜାଗାରେ ଝିଅଟି ତା ମନକୁ ବହୁତ ପାଇଥିଲା |ହେଲେ ଘରକୁ ଫେରିବା ବାଟରେ ଝିଅଟି  ତାକୁ ଫୋନ କରି କହିଲା,ଆଣ୍ଟି,ପ୍ଲିଜ୍ ,ଆପଣ ଏ ପ୍ରପୋଜାଲ ନାହିଁ କରି ଦିଅନ୍ତୁ,ମୋର ଜଣଙ୍କ ସହିତ ରିଲେସନ ଅଛି |ସୁପ୍ରିୟା ର ମନ ଖରାପ ହୋଇଗଲା |ଏଥର ସେ ମଧ୍ୟସ୍ଥି ଜରିଆରେ ବାହାଘର ନ ବୁଝି ,ନିଜ ଚିହ୍ନାଜଣା ରେ ପ୍ରସ୍ତାବ ଦେଖିଲା |ଶେଷରେ ଏକ ସାଧାରଣ ପରିବାର ର ଶାନ୍ତ ଶିଷ୍ଟ ଝିଅଟିକୁ ବୋହୂ  କରି ଆଣିଲା |କିନ୍ତୁ ଏତିକିରେ ସୁପ୍ରିୟା ର ଦୁଃଖ ସରିଲା ନାହିଁ |ବାହାଘର ର ଛଅ ବର୍ଷ ପରେ ବି ବୋହୂ ମାନ୍ୟତା ଗର୍ଭବତୀ ହେଲା ନାହିଁ |ସୁପ୍ରିୟା ର ମୁଣ୍ଡ ଖରାପ ହୋଇ ଗଲା |ସେ ପୁଅ ପାଇଁ ପ୍ରତି ମଙ୍ଗଳବାର ଓ ମାସ ର ଦୁଇଟି ଚତୁର୍ଦ୍ଦଶୀ ଗୋଟିଏ ବେଳା ଜଳଖିଆ ଖାଇ ପାଳନ କରୁଥିଲା |ସେ ନିଷ୍ପତ୍ତି କଲା,ଏଥର ନିର୍ଜଳ ଉପବାସ ରହି ମଙ୍ଗଳବାର ଓ ଚତୁର୍ଦ୍ଦଶୀ ପାଳିବ |ତାର ଦୁର୍ବଳ ଶରୀରରେ ଏସବୁ ବ୍ରତ କରିବା ସମ୍ଭବ ନୁହେଁ ଜାଣି ମଧ୍ୟ ନିଜ ପୁଅର ମଙ୍ଗଳ  ପାଇଁ ଉପବାସ ରହିଲା |ଗୋଟିଏ ଥର ମଙ୍ଗଳବାର ଓ ଚତୁର୍ଦ୍ଦଶୀ ଲାଗ ଲାଗ ଆଗ ପଛ ହୋଇ ପଡିଲା |ଦୁଇଦିନ ନିର୍ଜଳ ଉପବାସ ତାର ଦୁର୍ବଳ ଶରୀର ସମ୍ଭାଳି ପାରିଲା ନାହିଁ |ତୃତୀୟ ଦିନ ତାକୁ ପ୍ରବଳ ଝାଡା ବାନ୍ତି ହେଲା |ଅବସ୍ଥା ଏପରି ହେଲା ଯେ ତାକୁ ଡାକ୍ତରଖାନାରେ ଆଡମିଶନ କରିବାକୁ ପଡିଲା |ସେଠାରେ ତାକୁ ଅନବରତ ସାଲାଇନ ଦେବା ଫଳରେ ତା ଅବସ୍ଥା ଟିକିଏ ସୁଧୁରିଲା |ଡାକ୍ତର କହିଲେ,ତା କିଡିନିରେ ପଥର ହୋଇଛି,ତୁରନ୍ତ ଅପରେସନ କରିବାକୁ ପଡିବ |ପୁଅ ପାଇଁ ଚିନ୍ତା କରି ସୁପ୍ରିୟା ର ଆଉ ବଞ୍ଚିବାକୁ  ଇଚ୍ଛା ହେଉ ନ ଥିଲା |ସେ ଆଦୌ ଅପରେସନ କରିବାକୁ ରାଜି ହେଲା ନାହିଁ |ଭାବିଲା,ମରିଗଲେ ଭଲ |ଏତିକି ବେଳେ ଗୋଟିଏ ସୁଖବର ଆସିଲା,ମାନ୍ୟତା ମା' ହେବାକୁ ଯାଉଛି |ସୁପ୍ରିୟା ର ଆନନ୍ଦର ସୀମା ରହିଲା ନାହିଁ |ଈଶ୍ୱରଙ୍କୁ  ତାର କୋଟି କୋଟି ଧନ୍ୟବାଦ ଓ କୃତଜ୍ଞତା  ଜଣାଇଲା |ନିଜ ଜୀବନ ପ୍ରତି ତାର ମମତା ଆସିଗଲା |ସେ ମନେ ମନେ କହିଲା,ମତେ ବଞ୍ଚିବାକୁ  ପଡିବ |ନିଜ ପାଇଁ ନୁହେଁ,ମୋ ପୁଅ ବୋହୂଙ୍କ  ପାଇଁ |ଅପରେସନ ପାଇଁ ସେ ରାଜି ହୋଇ ଗଲା |ଅପରେସନ ପରେ ଡାକ୍ତର ଆଣି ଦେଖାଇଲେ ,କିଡିନିରେ ପଞ୍ଚତିରିଶ ଟି ଷ୍ଟୋନ୍ ଥିଲା |
                     ସମ୍ପୂର୍ଣ୍ଣ  ସୁସ୍ଥ ହେବା ପରେ ସୁପ୍ରିୟା ପୁଣି ତାର ପୂଜା ପାଠ ଆରମ୍ଭ କଲା,କିନ୍ତୁ ଟିକିଏ ଭିନ୍ନ ଭାବରେ |ସେ ଠାକୁରଙ୍କ ପାଖରେ ପ୍ରାର୍ଥନା କରି କହିଲା,ପ୍ରଭୁ,କାୟମନୋବାକ୍ୟରେ  ପବିତ୍ରତା ହେଉଛି ପ୍ରକୃତ ଧର୍ମ |ଉପବାସ କରି ଶରୀରକୁ କଷ୍ଟ ଦେଇ ,ଶରୀର ମଧ୍ୟରେ ଅବସ୍ଥାନ କରୁଥିବା ଆତ୍ମା ରୂପୀ ପରମାତ୍ମା ଅର୍ଥାତ ତୁମକୁ  କଷ୍ଟ ଦେଇ ମୁଁ ଅଧିକ ପାପ ଅର୍ଜନ କରିବାକୁ ଚାହୁଁ ନାହିଁ |ମୋର ଦୋଷ କ୍ଷମା କର,ଓ ମତେ ଠିକଣା ବାଟରେ ଯିବାପାଇଁ ବାଟ ଦେଖାଇ ଦିଅ |
ମମତା ମହାନ୍ତି ସାମନ୍ତରାୟ |ph 9437133391

No comments:

Post a Comment