Wednesday, August 31, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 14)

             ସରୋଜ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଥିଲା କିନ୍ତୁ ଅକ୍ଷର କିଛି ଉତ୍ତର ନ ଦେଇ କେବଳ କାନ୍ଦି ଚାଲିଥିଲା |ତା କାନ୍ଦ ଦେଖି ଧୀରେ ଧୀରେ ଲୋକଙ୍କ ଗହଳି ଜମିବାରେ ଲାଗିଲା,କିନ୍ତୁ ଅକ୍ଷର ଉପରେ ଏ ସବୁର କିଛି ପ୍ରଭାବ ପଡୁ ନଥିଲା |ଏହି ସମୟରେ ତା ମୋବାଇଲରେ ଟୁଙ୍ଗ କରି ଶବ୍ଦ ହେବାରୁ ସେ ସଚେତନ ହୋଇ ମେସେଜ ପଢିଲା,ବସୁଧା ତାର ମେସେଜରେ  ମାମୁଁଙ୍କ  ଘର ଠିକଣା ପଠେଇଥିଲା |ଅଚାନକ ଅକ୍ଷର ଶରୀରରେ ଯେପରି ଶତସିଂହର ବଳ ଆସିଗଲା |ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରି ସେ ତତକ୍ଷଣାତ ବାଇକ ଷ୍ଟାର୍ଟ କରି ଦ୍ରୁତ ଗତିରେ ସେଠାରୁ ଚାଲିଗଲା |ତାର ଯିବା ବାଟକୁ ସରୋଜ ବୋକାଙ୍କ ପରି ଚାହିଁ ରହି  ଭାବୁଥିଲା,ଗଗନ ଘଟଣା ପରେ ଅକ୍ଷର  ବୋଧେ ତାକୁ ଆଉ ବିଶ୍ୱାସ କରି ପାରିଲା ନାହିଁ !1

            ଏଣେ ବସୁଧାର  ମାମୁଁଙ୍କ ଘରେ ଜୋରଦାର ଆଲୋଚନା ଚାଲିଥିଲା |ଆଲୋଚନାରେ ମାମୁଁ ମାଇଁଙ୍କ ବ୍ୟତୀତ କରୁଣାକର ଓ ଇନ୍ଦିରା ମଧ୍ୟ ଉପସ୍ଥିତ ଥିଲେ |ବସୁଧା ଚୁପଚାପ ତଳକୁ ମୁହଁ ପୋତି ବସିଥିଲା |ଏତେବଡ଼ ସଫଳତାର ନାୟକ ମାମୁଁ ଗର୍ଜନ କରି କହୁଥିଲେ,ସେଇଟା ଚାକର ପରି ଘରେ ଆମର ବୋଲହାକ କରୁଥିଲା,ତାର ଏତେ ହିମ୍ମତ, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବାର ପରିଣାମ ତାକୁ ଖୁବ ଶୀଘ୍ର ଭୋଗିବାକୁ ପଡିବ,ପୁଅ ଅଖା ଧୋଉଥିବ,ଆଉ ଗୁଣ ଗାଉଥିବ  !!ଛୋଟିଆ ଚାକିରୀ,ସେ ପୁଣି ଅନୁକମ୍ପା ମୂଳକ,କଣ ଭାବି ତୁ ତା ସାଙ୍ଗରେ ପଳେଇଲୁ ?ସେ କଣ ,ତାର ଚଉଦ ପୁରୁଷ ହଜାରେ ବର୍ଷ ତପସ୍ୟା କଲେ ବି ଆମର ସମକକ୍ଷ ହୋଇ ପାରିବେ ନାହିଁ | ଛୋଟ ଲୋକ,କୁକୁର ,ଅଇଁଠା ପତ୍ର ଚାଟିବା ଯାହାର ଅଭ୍ୟାସ,ତା'ର ପୁଣି ଏତେ ବହପ  !!!ହଉ,ଯାହା ଅନିଷ୍ଟ ହେବାର ଥିଲା,ହୋଇଗଲା,ସେକଥା ଭାବି କିଛି ଲାଭ ନାହିଁ,ଏବେ ବି ସମୟ ଅଛି' ତୁ ତା ସାଙ୍ଗେ ସମ୍ପର୍କ କାଟି ଘରକୁ ଫେରିଆସ ,ଆମେ ଭଲ ପାତ୍ର ଦେଖି,ଧୂମଧାମରେ ତୋ ବାହାଘର କରିବୁ | 

             ଅନେକ ସମୟ ଧରି ନୀରବ ହୋଇ ବସିଥିବା ବସୁଧା ଏଥର  ମୁହଁ ଖୋଲି କହିଲା,ଯେମିତି ବଡ଼ ଘର ଦେଖି ଦିଦି ବାହାଘର କରିଛ,ସେଇଭଳିଆ ?କରୁଣାକର କହିଲେ,ଖାନଦାନୀ ଘରେ ତୋ ଦିଦି ବାହାଘର କରିଛି,ସମସ୍ତେ ଧନ୍ୟ ଧନ୍ୟ କହୁଛନ୍ତି ,କଣ ଅସୁବିଧା ହୋଇଛି ?ବସୁଧା କହିଲା,ହଁ ଏମିତି ଖାନଦାନୀ ଘର ଯେ,ମୋଟା ଅଙ୍କର କ୍ୟାଶ ନେବା ସତ୍ତ୍ୱେ ରାତି ପାହିଲେ,ଭିକାରୀ ପରି ଏଇଟା ଦିଅ,ସେଇଟା ଦିଅ କହୁଛନ୍ତି |ଦିଦି ସବୁବେଳେ କାନ୍ଦୁଛି,ତମକୁ ସେକଥା ଦେଖା ଯାଉନି ନା ?ମାମୁଁ କହିଲେ,ଚୁପ କର,କିଛି ନ କହିଲାରୁ ମୁହଁ ବଢି ଯାଉଛି !ଭଲ ଭଲ କହି ସମସ୍ତେ ମୁଣ୍ଡ ଉପରେ ବସେଇ ଥିଲେ,ଭଲ ପଣିଆ ଭଲକରି ଦେଖେଇ ଦେଲୁ !ଲାଜ ଲାଗୁନି,ଆହୁରି ମୁହେଁ ମୁହେଁ ଜବାବ ଦେଉଛୁ ?ହଉ ଏଥରକ କେମିତି ଯିବୁ ଦେଖିବା,ତତେ ଘରେ ଚାବି ପକାଇ ରଖାଯିବ,କେମିତି ବାହାରିବୁ,ଆମେ ଦେଖିବୁ !

        ତାଙ୍କ କଥା ଶୁଣି ଭୟରେ ବସୁଧାର ଆପାଦମସ୍ତକ ଥରିଗଲା |ଦେହ ତାର ଧୀରେ ଧୀରେ ଯେପରି ବରଫ ପାଲଟି ଯାଉଥିଲା !!!ସେ ଚାହିଁ ଦେଖିଲା,ତାର ପର୍ସ ମାମୁଁଙ୍କ ସମ୍ମୁଖରେ ଟେବ୍ଳ ଉପରେ ରହିଛି  |ସେ ତାର ସମସ୍ତ ଶକ୍ତି ସଞ୍ଚୟ କରି ତାର ପର୍ସକୁ ଖପ କରି ଉଠାଇ କବାଟ ଖୋଲି ଅମୁହାଁ ଦୌଡିବାକୁ ଲାଗିଲା ଓ ସାମ୍ନାରେ ଥିବା ଦର ଆଉଜା ଗେଟ ଖୋଲି ସେ ରାସ୍ତା ଉପରକୁ ଚାଲି ଆସିଲା |ହଠାତ ତାକୁ ଲାଗିଲା,କେହି ଯେମିତି ତାର ହାତ ଧରି ଭିଡି ନେଉଛି !ବିକଳ ଓ ବିସ୍ମିତ ହୋଇ ଚାହିଁ ଦେଖିଲା,ଅକ୍ଷର ହାତରେ ତା ହାତ ରହିଛି |ଅକ୍ଷର  ତାକୁ କହିବାକୁ ସୁଯୋଗ ନ ଦେଇ , ଏକ ପ୍ରକାର ଟେକି ନେଇ ବାଇକରେ ବସାଇଦେଲା ଓ ପଛକୁ ନ ଚାହିଁ,ବାଇକ ଷ୍ଟାର୍ଟ କରି ଦ୍ରୁତ ବେଗରେ ଚାଲିଗଲା |(କ୍ରମଶଃ)

         

            

Friday, August 26, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 13)

              ପଥର ପଡ଼ିବାର ଆବାଜ ଏତେ ତୀବ୍ର ଥିଲା ଯେ,ବୋମା ମାଡ଼ ହେବାପରି ଲାଗୁଥିଲା |ଭୟରେ ବସୁଧା ଅକ୍ଷରକୁ ଜାବୁଡି ଧରିଲା  |ଅକ୍ଷର କବାଟ ଖୋଲି ଘଟଣା କଣ ଜାଣିବାକୁ ଚାହୁଁଥିଲା |କିନ୍ତୁ ବସୁଧା କହିଲା,ରାତି ଗୋଟାଏ ହେଲାଣି,ଏବେ କବାଟ ଖୋଲନାହିଁ,ସକାଳ ହେଲେ ଦେଖିବା |ଅକ୍ଷର କହିଲା, ଏମିତି ଆଉ ଗୋଟେ/ଦୁଇଟା ପଥର ମାଡ଼ରେ  ଯଦି କବାଟ ଭାଙ୍ଗିଯିବ,ତାହେଲେ କଣ କରିବା ?ବସୁଧା କହିଲା,ଏବେ ଲକ୍ଷ୍ୟ କରିବା କଣ ହେଉଛି,ତାପରେ କଣ କରାଯାଇ ପାରିବ,ଭାବିବା |କିନ୍ତୁ ଆଉ ସେପରି କିଛି ହେଲାନାହିଁ |ବଡ଼ ମୁସ୍କିଲରେ ଦୁହେଁ ଶୋଇବାକୁ ଚେଷ୍ଟା କଲେ ,କିନ୍ତୁ ସେମିତି ଚାହିଁ ଚାହିଁ  ରାତି ପାହିଗଲା |ଭୋର ବେଳକୁ ଦୁହେଁ କବାଟ ଖୋଲି ଦେଖିଲେ,କବାଟ ପାଖରେ ଏକ ଇଟା ଭାଙ୍ଗି ପଡିଛି |ପଥର ନୁହେଁ କେହି ବୋଧହୁଏ ଇଟା ଫିଙ୍ଗିଥିଲା |ଇଟା ମାଡ଼ରେ କବାଟରେ  ଫାଟ ସୃଷ୍ଟି ହୋଇଥିଲା |ବସୁଧା କହିଲା,ବଢ଼େଇକୁ ଡାକି ପରେ ମରାମତି କରିବା,ଏବେ ଚାଲ ଟିକେ ଶୋଇ ପଡିବା |

              ବିଛଣାରେ ପଡୁ ପଡୁ ସେମାନଙ୍କୁ ନିଦ ଘାରି ଆସିଲା ଓ ଚାହୁଁ ଚାହୁଁ  ଦୁହେଁ ଗଭୀର ନିଦ୍ରାରେ ଶୋଇ ପଡିଲେ |ପ୍ରଥମେ ଅକ୍ଷରର ନିଦ ଭାଙ୍ଗିଲା |ସେ ଘଣ୍ଟାକୁ ଚାହିଁ ଦେଖିଲା,ସାଢେ ନଅଟା ବାଜିଛି |ସେ ବସୁଧାକୁ ଚାହିଁଲା |ବସୁଧା ନିଘୋଡ଼ ନିଦରେ ଶୋଇ ପଡିଥିଲା |ଅକ୍ଷରର ବି ଆଉ ଟିକେ ଶୋଇବାକୁ ଇଚ୍ଛା ହେଉଥିଲା କିନ୍ତୁ ସେ  ଆଉ ନ ଶୋଇ ଉଠିପଡ଼ିଲା |ତାପରେ ସେ ପାଣି ପିଇଲା ଓ ମୁହଁ ଧୋଇ, ଚା' ତିଆରି କଲା |ଟ୍ରେ ରେ ଦୁଇ କପ ଚା' ଓ ଏକଗ୍ଲାସ ପାଣି ଆଣି ସେ ବସୁଧାକୁ ଉଠାଇଲା |ବସୁଧା ହାଇ ମାରି ଉଠିଲା |କହିଲା,ଆଉ ଟିକେ ଶୋଇଥାନ୍ତି |ଅକ୍ଷର କହିଲା,ତମେ କଲେଜ ଯିବ ପରା,ଶୀଘ୍ର କାମ ସାର,ମୁଁ ତମକୁ ନେଇ କଲେଜରେ ଛାଡ଼ିଦେଇ ଆସିବି |ବସୁଧା କୁଣ୍ଠିତ ସ୍ୱରରେ କହିଲା,ଆଜି ନ ଗଲେ ଚଳନ୍ତାନି ?|ଅକ୍ଷର କହିଲା,ଯିବ ବୋଲି କହିଛ ମାନେ ଯିବା |ଆଉ ଦ୍ୱିତୀୟ ଚିନ୍ତା ମନକୁ ଆଣନା |ବସୁଧା ଉଠିପଡ଼ି ତାର ସାମ୍ନାରେ ଚା' ଦେଖି ଖିସି ହୋଇ କପ ଉଠାଇ ନେବା ବେଳକୁ ଅକ୍ଷର କହିଲା,ଆଗେ ପାଣି ପିଅ,ତାପରେ ଚା' ପିଇବ |ବସୁଧା ତା କଥା ମାନି ପାଣି ପିଇଲା  ଓ  ଚା' ପିଉ ପିଉ କହିଲା,କେତେ ବଢିଆ ବନେଇଛ ,ମନ ଖୁସି ହୋଇଗଲା,ଆଜି ଦିନଟା ନିଶ୍ଚୟ ଭଲରେ କଟିବ |

             ଅକ୍ଷର ମୁରୁକି ହସି କହିଲା,ରାଣୀ ମା ,ଆଜି ପ୍ରାତଃଭୋଜନରେ କଣ ଖାଇବାକୁ ମନ କରିଛ  ?ବସୁଧା ଅକ୍ଷରର କଥା ଶୁଣି  ହସିଦେଇ କହିଲା,ଚୁଡା ଅଛି ,ପାଚିଲା କଦଳୀ ଅଛି,ଭୁରି ଭୋଜନ ହେବ,ତାକୁ ଖାଇବା |ଅକ୍ଷର ପଚାରିଲା,କିଛି ଭଲ ଖାଇବାକୁ ଇଚ୍ଛା ହେଉନି ?ବସୁଧା କହିଲା,ୟା ଠାରୁ ଆଉ କଣ ଭଲ ଜିନିଷ ଅଛି ଯେ ମୁଁ କହିବି ?ଆମେ ଓଡ଼ିଆ,ଓଡ଼ିଆ ଭଳି ଓଡ଼ିଆ ଖାଦ୍ୟ  ଗର୍ବରେ ଖାଇବା |ଅକ୍ଷର ତା କଥା ଶୁଣି ହୋ ହୋ ହୋଇ ହସି ଉଠିଲା |

              ବସୁଧାକୁ କଲେଜରେ ଛାଡି ଅକ୍ଷର ତାକୁ ମନେ ପକାଇ ଦେଲା,ବସୁ,ତମେ ଅଟୋରେ ଯିବନି,ମତେ ଫୋନ କଲେ,ମୁଁ ଆସି ତମକୁ ନେଇଯିବି |ହଁ କହି ବସୁଧା ଚାଲିଗଲା |ଫେରିବାବେଳେ ବାଟରେ ସରୋଜ ଦେଖାହେଲା |ସେ ତାକୁ ହାତ ଦେଖାଇ ରହିବାପାଇଁ କହୁଥିଲା  |ବାଇକ ନ ଅଟକାଇ ଚାଲିଯିବ ବୋଲି ଅକ୍ଷର ଭାବିଥିଲା ,କିନ୍ତୁ ପରମୁହୂର୍ତ୍ତରେ ଜଣକର ଦୋଷ ପାଇଁ ଅନ୍ୟ ଜଣକୁ ଦଣ୍ଡିତ କରିବାକୁ ,ତାକୁ ଠିକ ଲାଗିଲା ନାହିଁ |ସେ ସରୋଜ ପାଖରେ ବାଇକ ରଖିଲା |କଥାବାର୍ତ୍ତା ଭିତରେ ସେ ତାକୁ ଗଗନର କାରନାମା ବିଷୟରେ କହିଲା ଓ ତା ସହିତ ଇଟା ଫୋପଡ଼ା କଥା ମଧ୍ୟ କହିଲା |ସରୋଜ କହିଲା,ଯେଉଁଦିନ ତୁ ଆମକୁ ଘର ଛାଡିବା କଥା କହିଲୁ,ସେହିଦିନଠାରୁ ସେ ପାଗଳ ହୋଇଯାଇଛି |ପାଗଳ ନ ହୋଇଥିଲେ,ଏମିତି ବେଇମାନୀ କାମ କରିବାକୁ ସାହସ କରିନଥାନ୍ତା  |ମୁଁ ବି ସ୍ଥିର କରିଛି,ଏଠାରେ ନ ରହି,ଗାଆଁକୁ ଯାଇ ସେଠାରେ ପିଲାଙ୍କୁ ଟ୍ୟୁସନ କରିବି ଓ ତା ସହିତ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବି  |

           ଅକ୍ଷର କହିଲା,ଇଏ କଣ ତୋର ଚୂଡାନ୍ତ ନିଷ୍ପତ୍ତି ?ସରୋଜ କହିଲା,ହଁ,ମୁଁ ଖାଲି ମୋର ଜିନିଷପତ୍ର ନେବାପାଇଁ ଆସିଥିଲି,କାଲି ଯିବି ବୋଲି ଭାବିଥିଲି,କିନ୍ତୁ ତୋ କଥା ଶୁଣି ଆଜି ଚାଲିଯିବି ବୋଲି ଭାବୁଛି  |ଦୁହେଁ ଆନେକ ସମୟ କଥା ହେଲେ |ଶେଷରେ ସରୋଜ ବିଦାୟ ନେଇ ବାହାରିବା ବେଳକୁ ବସୁଧାର ଫୋନ ଆସିଲା |ସେ କାନ୍ଦି କାନ୍ଦି ଅସ୍ପଷ୍ଟ ଭାଷାରେ ଯାହା କହୁଥିଲା,ସେଥିରୁ ଅକ୍ଷର  ବୁଝିଲା,କଲେଜରୁ ଫେରି ସେ ଗେଟ ପାଖରେ ପହଞ୍ଚିବାକ୍ଷଣି,ତାର ମାମୁଁ କେଉଁଠି ଲୁଚିଥିଲେ ,ତା ପାଖକୁ ଆସି ତାଙ୍କ ଗାଡ଼ିରେ ତାକୁ ଜବରଦସ୍ତି ନେଇଗଲେ  |ସେ ବର୍ତ୍ତମାନ ତାଙ୍କ ଘରେ ଅଛି | ମାମୁଁ ତାକୁ ଗୋଟିଏ ରୁମରେ ବନ୍ଦ କରି ବାପାଙ୍କୁ ଡାକିଛନ୍ତି  |ଯେ କୌଣସି ମୁହୂର୍ତ୍ତରେ ବାପା ଆସି ସେଠାରେ ପହଞ୍ଚିଯିବେ |ତା କଥା ଶୁଣି ଅକ୍ଷର ଧୈର୍ଯ୍ୟ ହରାଇ ଭୋ ଭୋ ହୋଇ କାନ୍ଦି ଉଠିଲା |ସରୋଜ ଫେରି ଯାଉ ଯାଉ ଅକ୍ଷରର ଅସ୍ୱାଭାବିକ କାନ୍ଦ ଶୁଣି ଅଟକିଗଲା |ସେ ତା ପାଖକୁ ଆସି ଘଟଣା କଣ ବୋଲି ଜାଣିବାକୁ ଚାହିଁଲା |କିନ୍ତୁ ଅକ୍ଷର କିଛି ନ କହି କେବଳ କାନ୍ଦୁଥିଲା ଆଉ କାନ୍ଦୁଥିଲା |(କ୍ରମଶଃ)

           

              

              

Saturday, August 20, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 12)

              ଅକ୍ଷର ଯିବାପରେ ବସୁଧା ଚିନ୍ତାରେ ପଡିଗଲା  |ଅକ୍ଷର ରାଗିକରି ଘରୁ ଯାଇଥିଲା,କାଳେ କିଛି ଅଘଟଣ ଘଟିବ,ସେହି ଆଶଙ୍କାରେ ତାର ମନ ଅସ୍ଥିର ହେଉଥିଲା |କିନ୍ତୁ ପନ୍ଦର ମିନିଟ ଭିତରେ ଅକ୍ଷର ଚାଲିଆସିଲା  |ବସୁଧା ତାକୁ ଭଲକରି ଲକ୍ଷ୍ୟ କଲା, ମୁହଁଟି ତାର ଶୁଖି ଯାଇଥିଲା  |ସେ ବସୁଧାକୁ କିଛି ନକହି ସିଧା ଭିତରକୁ ଚାଲିଗଲା ଓ ତାର ପୋଷାକ ପରିବର୍ତ୍ତନ କରି ଆସି ବାରମ୍ବାର ବିଭିନ୍ନ ଚାନେଲ ବଦଳେଇ,ଟିଭି ଦେଖିବାରେ ଲାଗିଲା |ବସୁଧା ତା ପାଖରେ ବସିଲା,କିନ୍ତୁ ପଚାରିବ ପଚାରିବ ହୋଇ କିଛି ପଚାରି ପାରିଲାନାହିଁ |ସେ ସେଠାରୁ ଯିବାପାଇଁ ବାହାରିବାବେଳେ ଅକ୍ଷର ପଚାରିଲା,କୁଆଡେ ଯାଉଛ ?ବସୁଧା କହିଲା,ତମେ ତ କିଛି କହୁନ ....|ତା କଥା ଶେଷ ହେବା  ପୂର୍ବରୁ ଅକ୍ଷର କହିଲା,ମୁଁ କିଛି କହୁନି ବୋଲି ତମେ ମତେ କିଛି ପଚାରିବନି ?ପଚାର,ଯାହା ଇଚ୍ଛା ତାହା ପଚାର,ଏମିତି ସାଙ୍ଗ କାହିଁକି କଲି ବୋଲି ମତେ ଗାଳିଦିଅ !!କଥା ଶେଷ କରି ସେ କାନ୍ଦି ପକାଇ କହିଲା,ଯେଉଁ ସାଙ୍ଗକୁ ମୁଁ ଏତେ ଭଲ ପାଉଥିଲି,ସେ ମତେ ଏତେ ବଡ଼ ଧୋକା ଦେବ ବୋଲି ମୁଁ କେବେହେଲେ କଳ୍ପନା କରିପାରିନଥିଲି !!

             ବସୁଧା ଚେୟାର ଅକ୍ଷର ପାଖକୁ ଟାଣିନେଇ ତା ପାଖରେ ବସିଲା ଓ ତା ପିଠିରେ ହାତ ରଖି କହିଲା,ପର ଲୋକେ ଧୋକା ଦିଅନ୍ତି ନାହିଁ  ,ନିଜର ଅତି ଆପଣାର ଲୋକହିଁ  ସବୁବେଳେ ଧୋକା ଦିଅନ୍ତି ,ଯେମିତି  ଆମେ ଆମ ବାପା ମାଆଙ୍କୁ ଧୋକା ଦେଲୁ !!ତା କଥା ଶୁଣି ଅକ୍ଷର ଚମକି ପଡି ବସୁଧାକୁ ବିସ୍ଫାରିତ ନେତ୍ରରେ ଚାହିଁ କ୍ଷୀଣ ସ୍ୱରରେ କହିଲା,ଏମିତି କଣ କହୁଛ ?ଆମେ କେମିତି ଧୋକା ଦେଲୁ?ଆମେ ତ ଭଲ ପାଉଥିଲୁ,ସେମାନେ ବରଂ ଆମ ପ୍ରେମ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିଲେ !

           ବସୁଧା କହିଲା,ଧୋକା ସବୁବେଳେ ଧୋକା |ଆମେ ଆମ ଭଲପାଇବାକୁ ଅଗ୍ରାଧିକାର ଦେଲୁ, ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଘର ଛାଡି ବାହା ହୋଇଗଲୁ,ଆମେ ଏମିତି କରିବୁ  ବୋଲି ଆମ ବାବା ମାଆ କଣ କେବେ ଭାବିଥିଲେ ?ଏଇଟା  ଧୋକା ଓ ବିଶ୍ଵାସଘାତକତା ନୁହେଁ ତ ଆଉ କଣ ?

          ଅକ୍ଷର ଆହତ ସ୍ୱରରେ କହିଲା,ତା ମାନେ ଆମେ ଭୁଲ କରିଛୁ ?ଗଗନ ଯେଉଁ ଭୁଲ କଲା,ଆମେ କଣ ସେଇ ଭୁଲ କରିଛୁ ?ସିଧା ସିଧା କହୁନ,ମୁଁ ତମକୁ ଫସେଇ  ନେଇ ଆସିଛି ବୋଲି  !!ବସୁଧା ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁ କହିଲା,ଏମିତି ତ ମୁଁ କହିନି ,ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର |କିନ୍ତୁ ଅକ୍ଷର କିଛି ବୁଝୁ ନଥିଲା,ସେମିତି ଗୁମସୁମ ହୋଇ ବସିଥିଲା |

        ବସୁଧା ଅକ୍ଷରର କାନ୍ଧରେ ହାତ ରଖି ଧୀର ସ୍ୱରରେ କହିଲା,ଗୋଟିଏ କଥା ଭୁଲି ଯାଆନା ଡିଅର ,ପ୍ରେମ ଓ ଯୁଦ୍ଧରେ ସବୁକିଛି ନ୍ୟାୟସଙ୍ଗତ ଅଟେ |ଆମେ ଯଦି ଆଜି ଆମ ଚଲାପଥରେ ପଡିଥିବା ସବୁ କଣ୍ଟା କାଢି,ନାନା ବାଧା ବିଘ୍ନ ସତ୍ତ୍ୱେ ଆଗେଇ ଯିବା,ତାହେଲେ,କାଲି ସମସ୍ତେ ଆମକୁ କ୍ଷମା କରି,ଆମ ସହିତ ଛିଡା ହେବେ,କିନ୍ତୁ ଗଗନ ତାର ଅକ୍ଷମଣୀୟ ଅପରାଧ ପାଇଁ,ନିଜେ ଖୋଳିଥିବା ଗାତରୁ ଆଉ ବାହାରି ପାରିବନାହିଁ |ତା କଥା ଶୁଣି ଅକ୍ଷରର ସବୁ ଅଭିମାନ କୁଆଡେ ଉଭେଇ ଗଲା ଓ ସେ ଫିକ କରି ହସିଦେଇ କହିଲା,ତମେ ଭାରି ଚାଲାକ ଅଛ |ଆଚ୍ଛା ,ଏଥର କୁହ,ତମେ ଗଗନର ଷଡଯନ୍ତ୍ର କଥା କେମିତି ଜାଣିପାରିଲ ?

          ବସୁଧା କହିଲା,ତମେ ବି ଜାଣି ପାରିଥାନ୍ତ,ଯଦି ତମ ମନରେ ତା ପ୍ରତି ଟିକିଏ ବି ସନ୍ଦେହ ଥାଆନ୍ତା |କିନ୍ତୁ ତମେ ଆଖିବୁଜା ତାକୁ ବିଶ୍ୱାସ କରୁଥିଲ,ଯାହାର ଫାଇଦା ଉଠାଇବାର ସାହସ ସେ କରିପାରିଲା |ମତେ କିନ୍ତୁ ତାର ଚାହାଣୀ ,ଅପେକ୍ଷାକୃତ ଅଧିକ ନମ୍ରତା ଓ ଜିଦ୍ଦିଖୋର ପ୍ରବୃତ୍ତି ଦେଖି ମୂଳରୁ ତା ପ୍ରତି ସନ୍ଦେହ ଆସୁଥିଲା |ଯେତେବେଳେ ସେ ଜାଣିଶୁଣି ଡେରିକରି ଆମ ଇଚ୍ଛା ବିରୁଦ୍ଧରେ ତା ଘରେ ରହିବାକୁ ବାଧ୍ୟକଲା ,ସେଥିରେ ମୋ ସନ୍ଦେହ ଆହୁରି ବଢିଗଲା |ଆମ ଶୋଇବା ପାଇଁ ରଖିଥିବା ରୁମରେ ବଡ଼ ଲାଇଟ ପାଇଁ ପଏଣ୍ଟ ଥିବା ସତ୍ତ୍ୱେ,ତାକୁ କାଢି  ଜିରୋ ପାୱାର ବଲ୍ବ ଲଗାଇବା ,ମୋ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କଲା,ଆଉ ପରିଣାମ ତୁମ ସମ୍ମୁଖରେ |ଛାଡ଼ ସେକଥା,ମୋର କାଲି କଲେଜକୁ ଯିବାର ଅଛି |ତମର କିଛି କାମ ନଥିଲେ,ମତେ ନେଇ କଲେଜରେ ଛାଡ଼ିଦେବ ?

           ଅକ୍ଷର କହିଲା,ସତ କଥା ତ ,ମୁଁ ସେକଥା ଭୁଲି ଯାଇଥିଲି,କିନ୍ତୁ ବହି ନାହିଁ,ସବୁ ତମ ଘରେ ରହିଲା,ପଢିବ କେମିତି ?ବସୁଧା ମୁହଁ ଶୁଖେଇ କହିଲା,ମୁଁ ଆଗ କଲେଜ ଯାଏ,ତାପରେ ଦେଖିବା,କଣ କରାଯାଇ ପାରିବ |ତା କଥା ନ ସରୁଣୁ ମୁଖ୍ୟ ଦରଜାରେ ଏକ ଭାରି ପଥର ପଡ଼ିବାର ଆବାଜ ଶୁଣି ଦୁହେଁ ଚମକି ପଡିଲେ |(କ୍ରମଶଃ)

Tuesday, August 16, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 11)

             ଗୁପ୍ତ କ୍ୟାମେରା ଦେଖି ରାଗରେ ବସୁଧାର ଦେହ ଜଳୁଥିଲା |ବିଶ୍ୱାସରେ କିପରି ବନ୍ଧୁକୁ ବିଷ ଦିଆଯାଇପାରେ,ଗଗନ ବୋଧହୁଏ ତାର ଜ୍ୱଳନ୍ତ ଉଦାହରଣ ଥିଲା |ସେ ମୋବାଇଲରେ କ୍ୟାମେରାର ଫଟ ଉଠାଇଲା |ତାପରେ ନିଜକୁ ଯଥାସମ୍ଭବ ସହଜ ଓ ସ୍ୱାଭାବିକ କରି ବାହାରକୁ ଆସିଲା |ସେତେବେଳେ ଦୁଇବନ୍ଧୁ ଖାଇବାର ଶେଷ ପର୍ଯାୟରେ ପହଞ୍ଚି ସାରିଥିଲେ |ଅକ୍ଷର ତା ମୁହଁର  ଭାବଭଙ୍ଗୀ ଲକ୍ଷ୍ୟ କରି ପଚାରିଲା,କଣ ହୋଇଛି  ??ବସୁଧା ବ୍ୟସ୍ତ ହୋଇ କହିଲା,ଜାଣିଲ,ମୁଁ ବଡ଼ ଭୁଲ କରି ଦେଇଛି ,ଶୀଘ୍ର ଘରକୁ ଚାଲ |ଅକ୍ଷର ବିସ୍ମିତ ହୋଇ କହିଲା,କଣ ଏମିତି କରି ପକେଇଛ ଯେ ?ବସୁଧା କହିଲା,ଗ୍ୟାସରେ କ୍ଷୀର ବସେଇ ଥିଲି,ଅଫ କରିବା ପାଇଁ ଭୁଲି ଯାଇଛି |ଅକ୍ଷର ପଚାରିଲା,କ୍ଷୀର କେତେବେଳେ ବସେଇଲ ,ମୁଁ ତ ଦେଖିନି !

         ବସୁଧା କହିଲା,ତମେ ଆଉ କେମିତି ଦେଖିବ ,ତମେ ତ ଏକ ଧ୍ୟାନରେ ଜିନିଷ ସଜାଡୁ ଥିଲ ,ଫ୍ରିଜରେ କ୍ଷୀର ପ୍ୟାକେଟ ଥିଲା,ଭାବିଲି କାଳେ କ୍ଷୀର ଛିଣ୍ଡିଯିବ,ସେଥିପାଇଁ,ଗ୍ୟାସରେ ବସେଇ ଦେଇଥିଲି |ଅକ୍ଷର ମୁଣ୍ଡରେ ହାତ ଦେଇ କହିଲା,ଆଉ ସେ କ୍ଷୀର  କଣ ଥିବ ?ଜଳି ପୋଡି ଅଙ୍ଗାର ହୋଇ ଯାଇଥିବ ,ରୋଷେଇଘରେ ବି ନିଆଁ ଲାଗିଯିବଣି ,ଦମକଳ ଡାକିବାକୁ ପଡିବ !!ବସୁଧା କିଛି ଉତ୍ତର ନଦେଇ,ଦୋଷୀ ପରି ଛିଡା ହୋଇଥିଲା  |ଅକ୍ଷର ତାକୁ କହିଲା,ଆଉ ଛିଡା ହେଲ କଣ,ଶୀଘ୍ର ଘରକୁ ଚାଲ |ସେମାନଙ୍କ କଥା ଶୁଣି ଗଗନର ମୁହଁ କଳାକାଠ ପଡିଗଲା |ସେ କହିଲା,ସତରେ କଣ ତୁମେମାନେ ଚାଲିଯିବ ?ଭାଉଜ ଥାଆନ୍ତୁ,ତୁ ଯାଆ ,କଣ ହୋଇଛି, ଦେଖି ଆସିବୁ |ଅକ୍ଷର ତା କଥା ଶୁଣି ବଡ଼ ବଡ଼ ଆଖି କରି ତାକୁ ଚାହିଁଲା ଓ ବିରକ୍ତ ହୋଇ କହିଲା,ତୋ ମୁଣ୍ଡ ଠିକ ନାହିଁ |ଏତିକି  କହି ସେ ଝଡ଼ ବେଗରେ ବାହାରକୁ ଚାଲିଗଲା,ତା ପଛେ ପଛେ ବସୁଧା ମଧ୍ୟ ଦୌଡିବା ପରି ତାକୁ ଅନୁସରଣ କଲା   | |

         ବାଟସାରା ଗୁଣୁ ଗୁଣୁ ହୋଇ ଅକ୍ଷର କେତେ କଣ କହି ଚାଲିଥିଲା |ବସୁଧା ତାର ବ୍ୟସ୍ତତାକୁ ଅନୁଭବ କରି,ବିନା ପ୍ରତିବାଦରେ ସବୁ ଶୁଣି ଯାଉଥିଲା |ଅଳ୍ପ ସମୟପରେ  ସେମାନେ ଘରେ ପହଞ୍ଚିଗଲେ |ଅକ୍ଷର କହିଲା,ଶୀଘ୍ର  ଯାଇ ଦେଖ ଘର ଜଳିଛି ନା ଅଛି  !ବସୁଧା କୌଣସିମତେ ତା ହସକୁ ଚାପି, ଚାବି ଖୋଲି ଭିତରେ ପ୍ରବେଶ କରି  ଆରାମରେ ଚେୟାରରେ ବସି ଶାନ୍ତିର ନିଃଶ୍ୱାସ ମାରିଲା |ସଙ୍ଗେ ସଙ୍ଗେ ଅକ୍ଷର ଭିତରକୁ ଆସି ବସୁଧାକୁ ନିର୍ଲିପ୍ତ ଓ ନିର୍ବିକାରଭାବେ ବସିଥିବାର ଦେଖି ପଚାରିଲା ,ଏମିତି ଚୁପଚାପ ହୋଇ ବସି ପଡ଼ିଲ କଣ ?ରୋଷେଇଘରକୁ ଯାଇ ଦେଖ,କଣ ହୋଇଛି |ବସୁଧା ଅକ୍ଷରକୁ ଚାହିଁ କହିଲା,ସବୁ ଠିକଠାକ ଅଛି,କିଛି ହୋଇନି |ଅକ୍ଷର ତା କଥା ବିଶ୍ୱାସ ନ କରି ରୋଷେଇଘରକୁ ଗଲା |ବସୁଧା ତା ପଛେ ପଛେ ଯାଇ,ତାକୁ ପଛପଟୁ କୁଣ୍ଢେଇ ପକାଇ କହିଲା,ସରି,ମତେ ବାଧ୍ୟହୋଇ ମିଛ କହିବାକୁ ପଡିଲା  |

           ଅକ୍ଷର ନିଜକୁ ବସୁଧାର ହସ୍ତ ବନ୍ଧନୀରୁ ମୁକ୍ତ କରି କହିଲା,ପିଲାଟା ଏତେ ସରାଗରେ ଡାକିଥିଲା,ତମେ ତାକୁ ଏତେବଡ଼ ଧୋକା ଦେଲ ?ବସୁଧା କହିଲା,ଏ ମିଷ୍ଟର,ଶୁଣ,ଧୋକା ମୁଁ ନୁହେଁ,ସେ ଆମକୁ ଦେଇଛି ,ଭାଗ୍ୟ ଭଲ ଥିଲା ବୋଲି ଆମେ ବଞ୍ଚିଗଲୁ ,ନ ହେଲେ ଆମର ଇଜ୍ଜତ ବିଚ ବଜାରରେ ନିଲାମ ହୋଇଥାନ୍ତା !1ଏହା କହି ସେ ସବୁ କଥା ଆମୁଳଚୁଳ ବର୍ଣ୍ଣନା କଲା ଓ ପ୍ରମାଣ ସ୍ୱରୂପ ମୋବାଇଲରେ ଉଠାଇଥିବା ଗୁପ୍ତ କ୍ୟାମେରାର ଫଟ ଅକ୍ଷରକୁ ଦେଖାଇଲା |

         ଅକ୍ଷର ମୁଣ୍ଡ ହଲାଇ କହିଲା,ନା,ମୁଁ କଦାପି ଏକଥା ବିଶ୍ୱାସ କରି ପାରିବିନି |ବସୁଧା କହିଲା,ମୁଁ ଜାଣେ,ତମେ ଏକଥା କହିବ |ଯଦି ବିଶ୍ୱାସ ହେଉନି,ତାହେଲେ ଏଇ ସାଙ୍ଗେ ସାଙ୍ଗେ ଯାଅ ,ସେ ନିଶ୍ଚୟ ପ୍ରମାଣ ନଷ୍ଟ କରିବାପାଇଁ କ୍ୟାମେରା ଖୋଲୁଥିବ |ଅକ୍ଷର କିଛି ନକହି ବାଇକ ଷ୍ଟାର୍ଟ କରି ଚାଲିଗଲା ଓ ଗଗନ ଘରଠାରୁ ଅଳ୍ପ ଦୂରରେ ବାଇକ ରଖିଲା |ସେ ପର୍ଯ୍ୟନ୍ତ ଗଗନ ରୁମରେ ଆଲୋକ ଜଳୁଥିଲା |  ସେ ଅତି ସନ୍ତର୍ପଣରେ ଯାଇ  ମୁଖ୍ୟ ଦ୍ୱାରରେ ହାତ ମାରୁ ମାରୁ ତାହା ଖୋଲିଗଲା  | ଭିତରକୁ ଯାଇ ଯାହା ଦେଖିଲା,ତାର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ |ଗଗନ ଚେୟାରରେ ଚଢି ଗୁପ୍ତ କ୍ୟାମେରା ଖୋଲୁଥିଲା |ଅକ୍ଷର ତାଳି ମାରି କହିଲା,ୱେଲ ଡନ ଗଗନ,ତତେ ସତରେ ମାନିବାକୁ ପଡିବ | ଚମକି ପଡି ଗଗନ ପଛକୁ ଚାହିଁଲା ଓ ଅକ୍ଷରକୁ ଦେଖି ହତବାକ ହୋଇଗଲା | ତାକୁ କିଛି କହିବାକୁ ସୁଯୋଗ ନ ଦେଇ ଅକ୍ଷର କହିଲା,ତୁ ଏମିତି ବିଶ୍ଵାସଘାତକତା କରିବୁ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି |ଏତିକି କହିବା କ୍ଷଣି ଆଖିକୁ ତାର ଲୁହ ଚାଲି ଆସିଲା |ସେ ଆଉ ସେଠାରେ ମୁହୂର୍ତ୍ତେ ମାତ୍ର ନ ରହି,ଯେମିତି ଆସିଥିଲା,ସେମିତି ଚାଲିଗଲା |(କ୍ରମଶଃ)  

Sunday, August 14, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 10)

                     ଏକ ଭୟଙ୍କର ସ୍ୱପ୍ନ ଦେଖି,ହଠାତ ବସୁଧାର ନିଦ ଭାଙ୍ଗିଗଲା |ସେ ବିଛଣାରୁ ଉଠି,ଚାରିଆଡ଼କୁ ବଲ ବଲ କରି ଚାହିଁଲା |ଭୟରେ ତା ଦେହରୁ ଗମ ଗମ ହୋଇ ଝାଳ ବୋହି ଯାଉଥିଲା |ଏହି ସମୟରେ ଅକ୍ଷର କବାଟ ଖୋଲି ଭିତରେ ପ୍ରବେଶ କଲା |ବ୍ୟାଗ ଦୁଇଟି ତଳେ ରଖି,ସେ ବସୁଧା ପାଖକୁ ଯାଇ ପଚାରିଲା,କଣ ହୋଇଛି ?ବସୁଧା ଧଇଁସଇଁ ହୋଇ କହିଲା,ବହୁତ ଖରାପ ସ୍ୱପ୍ନ ଦେଖିଲି |ଅକ୍ଷର ଶାନ୍ତ ସ୍ୱରରେ କହିଲା,ଅବେଳରେ  ଶୋଇଲେ,ସେମିତି ଖରାପ ସ୍ୱପ୍ନ ଆସେ |ସେ ବସୁଧାକୁ ପାଣି ଗ୍ଲାସେ ଦେଇ କହିଲା,ପାଣି ପିଇ ମୁହଁ ଧୋଇ ଆସ,ଆଠଟା ବାଜିଲାଣି,ଆଉ ଘଣ୍ଟାକ ପରେ ଆମେ ବାହାରିବା |ବସୁଧା ଅକ୍ଷର ହାତରୁ ଗ୍ଲାସ ନେଇ,ଢକ ଢକ କରି ସବୁ ପାଣି ପିଇଲା ଓ ମୁହଁ ଧୋଇ ଆସି ଦେଖିଲା,ଅକ୍ଷର ରୋଷେଇ ଘରେ ଆଣିଥିବା ଜିନିଷ ସଜାଡି ରଖୁଛି |ସେ ସେଠାକୁ ଯାଇ ଦେଖିଲା,ରୋଷେଇଘର ଛୋଟ ହେଲେ ବି ,ଅକ୍ଷର ଅତି ସୁନ୍ଦର ଭାବେ ତାକୁ ସଜାଇ ରଖିଛି |ସବୁ ଡବାରେ ଜିନିଷର ନାମ ଲେଖା ହୋଇଛି ଓ ସେହି ଅନୁସାରେ ସେଥିରେ ଜିନିଷ ରହିଛି |ଫ୍ରିଜରେ ପରିବା ବି ସେମିତି ସୁନ୍ଦର ଭାବେ ସଜାଇ ହୋଇ ରହିଥିଲା |ସେ ଅକ୍ଷରର ପିଠି ଥାପୁଡ଼ାଇ କହିଲା,ଆରେ ବାଃ!ଘର ସିନା ଅସନା ,ରୋଷେଇଘର ତ ବେଶ ଚକାଚକ !!ଅକ୍ଷର କିଛି ଉତ୍ତର ନ ଦେଇ ନିଜ କାମରେ ବ୍ୟସ୍ତ ଥିଲା  |

               ବସୁଧା ସେଠାରୁ ଚାଲି ଆସିଲା  |ତାକୁ ଭୀଷଣ ଭୋକ ଲାଗୁଥିଲା |ତାର ମନେ ପଡିଲା,ସେମାନେ  ଆସିବା ବେଳେ ବଡ଼ବୋଉ  ତାକୁ ଗୋଟିଏ ଧଳା ବ୍ୟାଗ ଦେଇ,ସେଥିରେ ଖାଇବା ଜିନିଷ ଅଛି ବୋଲି କହିଥିଲେ |ଘର ଓଳାଇବାବେଳେ ସେ ଗାଆଁରୁ ଆଣିଥିବା  ଜିନିଷ ସବୁ ଏକାଠି କରି ଗୋଟିଏ ଜାଗାରେ ରଖିଦେଇଥିଲା | ସେଠାରୁ ଧଳା ବ୍ୟାଗ ଆଣି ଖୋଲି ଦେଖିଲା,ସେଥିରେ ଚୁଡା ଭଜା,ମୁଢି, ଉଖୁଡା,ଆରିସା ପିଠା,ନଡ଼ିଆ,କଦଳୀ  ଓ ପାଚିଲା ଅମୃତଭଣ୍ଡା ଅଛି  |ସେ ଆରିସା ପିଠାରୁ ଗୋଟିଏ ଆଣି ଖାଇଲା |ତାହା ବହୁତ ସୁସ୍ୱାଦୁ ଥିଲା |ଗୋଟିଏ ଖାଇ ଆଉ ଗୋଟିଏ ଖାଇବା ବେଳକୁ ଅକ୍ଷର ସେଠାରେ ପହଞ୍ଚିଲା |ତାକୁ ଦେଖି,ବସୁଧା ତା ହାତରେ ଏକ ପିଠା ରଖି କହିଲା ,ଖାଅ,ବଢିଆ ଲାଗୁଛି |ଅକ୍ଷର କହିଲା,ଆମେ ପରା ଏବେ ଖାଇବାକୁ ଯିବା,ପୁଣି ୟାକୁ କାହିଁକି ଖାଇବା  ?ବସୁଧା କହିଲା, ମୁଁ ଆଉ ଭୋକ ସମ୍ଭାଳି ପାରୁନି |ଗାଆଁରେ ସେମାନେ ଏତେ ଭଲ ଜିନିଷ ଖାଉଛନ୍ତି,ଆମ ପାଇଁ, ଏସବୁ ସାତ ସ୍ୱପ୍ନ |ତମେ ନ ଖାଅ,କିନ୍ତୁ ମତେ ମନା କରନି |ବଡ଼ ଲୋକ ପରା କହିଛନ୍ତି,ଘରୁ କେବେହେଲେ ଖାଲି ପେଟରେ ବାହାରିବନି !!ଅକ୍ଷର କହିଲା,ହଉ,ଖାଅ,ଖାଇସାରି ଶୀଘ୍ର ଡ୍ରେସ ଚେଞ୍ଜ କଲେ ଯିବା |

               ଅକ୍ଷର କଥା ଶୁଣି ବସୁଧା କହିଲା,ଆଉ କାହିଁକି ଡ୍ରେସ ଚେଞ୍ଜ କରିବି ?ଏଇ  ପାଖକୁ ତ ଯିବା,କେଉଁ ପାର୍ଟିକୁ ଆମେ ଯାଉନୁ  |ବସୁଧାକୁ ଅକ୍ଷର ଚାହିଁଲା,ସେ ଆରାମରେ ଆରିସା ପିଠା ଖାଇ ଚାଲିଥିଲା |ଏତିକିବେଳେ ଗଗନର ଫୋନ ଆସିଲା |ସେ ସେମାନଙ୍କୁ ଶୀଘ୍ର ଆସିବାକୁ କହୁଥିଲା |ଅକ୍ଷର କିଛି କହିବା ପୂର୍ବରୁ ବସୁଧା କହିଲା,ମୁଁ  ବାହାରି ସାରିଛି ,ତମେ ଚାଲ,ମୁଁ ଚାବି ପକାଇ ଯାଉଛି |

               ମାତ୍ର ପାଞ୍ଚ ମିନିଟରେ ସେମାନେ ଗଗନର ଭଡ଼ାଘରେ ପହଞ୍ଚିଗଲେ |ଗେଟ ପାଖରେ ଗଗନ ଅପେକ୍ଷା କରିଥିଲା |ଭିତରୁ ମାଂସ ତରକାରୀର ସୁଗନ୍ଧ ଭାସି ଆସୁଥିଲା | ଗଗନ କୋଟିନିଧି ପାଇବା ପରି,ସେମାନଙ୍କୁ ଘର ଭିତରକୁ ପାଛୋଟି ନେଲା | ଘରଟି ଅପେକ୍ଷାକୃତ ଛୋଟ ଥିଲା |ଦୁଇଟି କୋଠରୀ ମଧ୍ୟରୁ ପ୍ରଥମଟି ଉଭୟ ଶୋଇବା ତଥା ଡ୍ରଇଂ ରୁମ ଥିଲା |ରୁମରେ ଗୋଟିଏ ଜଣିକିଆ ଖଟ ଓ ଦୁଇଟି ଚେୟାର ପଡିବା ପରେ ଆଉ ଚଳପ୍ରଚଳ କରିବାପାଇଁ ସୁବିଧା ନଥିଲା |ଗଗନ ଖଟରେ ବସିଲା ଓ ସେମାନେ ଦୁଇଜଣ ଚେୟାରରେ ବସିଲେ |ଗଗନ ମାଂସ ରାନ୍ଧିଥିଲା ଓ ରୁଟି ହୋଟେଲରୁ ଆଣିଥିଲା |ଗପୁ ଗପୁ ଯେତେବେଳେ ସାଢେ ଦଶଟା ବାଜିଲା,ବାଧ୍ୟହୋଇ ବସୁଧା କହିଲା,ଆମେ ଏଥର ଖାଇଦେଲେ ଭଲହେବ |

            ତା କଥା ଶୁଣି,ଗଗନ ରୋଷେଇ ଘରକୁ ଗଲା ଓ ତିନିଜଣଙ୍କ ପାଇଁ ଖାଇବା ନେଇ ଆସିଲା |ରୋଷେଇଘର ପାଖରେ ଥିବା ବାରଣ୍ଡାରେ  ସେମାନେ ଆସନ ପକାଇ ଖାଇଲେ |ବସୁଧା ଶୀଘ୍ର ଖାଇ ଉଠିଗଲା, କିନ୍ତୁ ଦୁଇ ସାଙ୍ଗ ଅଳ୍ପ ଖାଇ ବେଶୀ ଗପୁଥିଲେ |ବସୁଧା ଅକ୍ଷରକୁ କହିଲା,ଶୀଘ୍ର ଖାଇବା ଶେଷ କର ,ଏଗାରଟା ବାଜିଲାଣି,ଆମକୁ ପୁଣି ଘରକୁ ଯିବାର ଅଛି  |ଗଗନ ମୁହଁ ଶୁଖାଇ  ମିନତି  ଭରା କଣ୍ଠରେ କହିଲା,ଏତେ ରାତିରେ ଆଉ କାହିଁକି ଯିବ ଭାଉଜ,ତମ ଗୋଡତଳେ ପଡୁଛି,ଆଜି ରାତିଟା ରହିଯାଅ |ତା କଥା ଶୁଣି,ବସୁଧା ବିରକ୍ତ ହୋଇ ଅକ୍ଷରକୁ ଚାହିଁଲା |ଅକ୍ଷର କହିଲା,ଏତେ କରି କହୁଛି ଯେତେବେଳେ,ଆଜି ରାତିଟା ରହିଯିବା,ତମେ ଆଉ ମନା କରନି |

            ବସୁଧା କିଛି ନକହି ସେମାନଙ୍କ ପାଇଁ ଗଗନ ସଜାଇ ରଖିଥିବା ରୁମରେ ପ୍ରବେଶ କଲା |ରୁମରେ ନୀଳ ରଙ୍ଗର ଜିରୋ ପାୱାର ବଲ୍ବ ଜଳୁଥିଲା ଓ ଚତୁର୍ଦ୍ଦିଗ ଏକ ଅପୂର୍ବ ସୁଗନ୍ଧରେ ଭରି  ଯାଇଥିଲା |ବସୁଧା ସୁଇଚ ବୋର୍ଡ ତନଖି କଲା |ସେଠାରେ ବଲ୍ବ ପାଇଁ ଦୁଇଟି ଓ ଫ୍ୟାନ ପାଇଁ ଗୋଟିଏ ସୁଇଚ ଥିଲା |କିନ୍ତୁ ଦ୍ୱିତୀୟ ବଲ୍ବ  ଲାଗିବା ସ୍ଥାନ ଫାଙ୍କା ପଡିଥିଲା | ଏଥର ବସୁଧାର ସନ୍ଦେହ ବଢିବାକୁ ଲାଗିଲା |ସେ ଭିତରୁ କବାଟ ବନ୍ଦ କରି ନିଜ ପର୍ସରୁ ଛୋଟ ଟର୍ଚ୍ଚ କାଢି ଚାରିଆଡେ ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା |ତାର ଅନୁମାନ ସତ୍ୟ ଥିଲା |କାନ୍ଥରେ ଥିବା ଏକ କ୍ୟାଲେଣ୍ଡର ପାଖରେ ଏକ ଅତି ଛୋଟ  ଗୁପ୍ତ ମ୍ୟାଗନେଟଯୁକ୍ତ  କ୍ୟାମେରା ଫିଟ କରାଯାଇଥିଲା |ଏହାକୁ ଲୁଚାଇବା ପାଇଁ ବୋଧହୁଏ ସେ ଜାଣିଶୁଣି ବଡ଼ ଲାଇଟ ଦେଇ ନଥିଲା !ସେ  ମନେ ମନେ ଭାବିଲା,ଏହା ତାହେଲେ ସେମାନଙ୍କୁ ଖାଇବାକୁ ଡାକି ରାତିରେ ରହିବାକୁ ବାଧ୍ୟ କରିବାର କାରଣ !!ବନ୍ଧୁତାର  ଚରମ ପରାକାଷ୍ଠା !!!(କ୍ରମଶଃ) 

                

Monday, August 8, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 9)

              ଅକ୍ଷରର ଦୁଇ କୋଠରୀ ବିଶିଷ୍ଟ କ୍ୱାର୍ଟର ବିଶେଷ ବଡ଼ ନଥିଲା |ଅବିନାଶ ଥିବାବେଳେ ବାପପୁଅ ଦୁଇଜଣ ଦୁଇଟି କୋଠରୀରେ ଆରାମରେ ଚଳି ଯାଉଥିଲେ |ଅଵିନାଶଙ୍କ ଦେହାନ୍ତ ପରେ ସେ ରହୁଥିବା ଦ୍ୱିତୀୟ କୋଠରୀରେ ଗଗନ ଓ ସରୋଜ ବ୍ୟବହାର କରୁଥିଲେ  |ବସୁଧାର ଆଗମନ ପରେ ସେମାନଙ୍କୁ ବାଧ୍ୟହୋଇ ଅନ୍ୟତ୍ର ଭଡାଘର ନେଇ ରହିବାକୁ ପଡିଲା |ଅକ୍ଷର ସେମାନଙ୍କର ଆର୍ଥିକ ଦୁରାବସ୍ଥା କଥା ଭଲଭାବେ ଜାଣିଥିଲା |ତେଣୁ  ସେମାନେ ମୁହଁଖୋଲି କିଛି କହିବା ପୂର୍ବରୁ ସେ ସେମାନେ ଦୁଇଜଣ ବ୍ୟବହାର କରୁଥିବା  ଥିବା ଖଟ ,ଟେବଲ,ଚେୟାର ସହ ଅଧାରୁ ଅଧିକ ରୋଷେଇ ସରଞ୍ଜାମ ସେମାନଙ୍କୁ ଦେଇଥିଲା |ତା ସହିତ ପ୍ରତିମାସରେ ସେମାନଙ୍କୁ ଦଶହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲା |

             ପ୍ରାୟବେଳେ ଅକ୍ଷରର ଘର ଅପରିଷ୍କାର ହୋଇ ପଡିଥାଏ,ଓଳା ପୋଛା କରିବାକୁ କାହାର ସମୟ ନଥାଏ,ଇଚ୍ଛା ବି ନଥାଏ  |ମାତ୍ରାଧିକ ଅପରିଷ୍କାର ହେଲେ, କେତେବେଳେ କେମିତି ଅକ୍ଷର ଅଳନ୍ଧୁ ଝାଡ଼ି,ଘର ଓଳାଇ ଦିଏ |ଭାବିଥିଲା,ବସୁଧାକୁ ଘରକୁ ଆଣିବା ପୂର୍ବରୁ ଘର ପରିଷ୍କାର ପରିଚ୍ଛନ୍ନ କରିଦେବ,କିନ୍ତୁ ଏପରି ପରିସ୍ଥିତିରେ ସେ ଗାଆଁକୁ ଗଲା ଯେ, କୋଠରୀ ପରିଷ୍କାର କରିବାକୁ ସମୟ ପାଇଲା ନାହିଁ  |

            ବସୁଧା ତାଲା ଖୋଲି  ଘରେ ପ୍ରବେଶ କରି,କ୍ଷଣକ ପାଇଁ,ଭାବପ୍ରବଣ ହୋଇଗଲା \ପରମୁହୂର୍ତ୍ତରେ ତାର ହୃଦୟ ଭେଦ କରି,ଏକ ଦୀର୍ଘଶ୍ଵାସ ବାହାରିଗଲା  |ସେ ଅନ୍ୟମନସ୍କ ହୋଇ ଭାବିଲା,ଏଇ ଘରେ ସେ ତାର ନୂତନ ସଂସାର ଆରମ୍ଭ କରିବ !!କିଛିସମୟ ପରେ ପ୍ରକୃତିସ୍ଥ ହୋଇ ସେ  ଅପରିଷ୍କାର କୋଠରୀ ଓ ଇତସ୍ତତଃ ହୋଇ ପଡିଥିବା ଜିନିଷ ଉପରେ ନିଜ କ୍ଲାନ୍ତ ନୟନ ଘୁରାଇ ଆଣିଲା |ଘର ନୁହେଁ ତ ଅଳିଆଗଦା !! ଆଉ ଭାବିବାକୁ ସମୟ ନଥିଲା |ସେ ସବୁ ଜିନିଷ ଯଥା ସ୍ଥାନରେ ସଜାଡି ରଖି,ପରିଷ୍କାର କରି  ଘର ଓଳାଇ ଆଣିଲା |ତାପରେ ବିଛଣା ଚାଦର ଭଲକରି ଝାଡ଼ି ଖଟ ଉପରେ ପକାଇ ଧୋଇଧାଇ ହୋଇ ଆସି ପୋଷାକ ପରିବର୍ତ୍ତନ କଲା ଓ  ଖଟ ଉପରେ ନିଜ କ୍ଲାନ୍ତ ଶରୀରକୁ ଲୋଟାଇ ଦେଲା |ତାର ଆଖିପତା ଲାଗି ଆସୁଥିଲା |ଏତିକିବେଳେ ଅକ୍ଷରର ଡାକ ଶୁଣି ସେ ଉଠିପଡ଼ିଲା |ଅକ୍ଷର ପ୍ଲେଟରେ କିଛି ବିସ୍କିଟ ଓ ଦୁଇଟି କପରେ ଚା' ଆଣି ତା ପାଖରେ ବସିଥିଲା |ବସୁଧାର ସେତେବେଳେ ଚା'ପିଇବାକୁ ଭାରି ମନ ହେଉଥିଲା |ସେ ସାଙ୍ଗେ ସାଙ୍ଗେ ଉଠିପଡ଼ି ଚା' ପିଇବାକୁ ଲାଗିଲା |ଅକ୍ଷର କହିଲା,ଚା' ସାଙ୍ଗରେ ବିସ୍କିଟ ଖାଅ,ଭଲ ଲାଗିବ  |ବସୁଧା ମୁଣ୍ଡ ହଲାଇ ମନା କଲା,କହିଲା,ନା, ଖାଇବାକୁ ଇଚ୍ଛା ନାହିଁ |

             ଅକ୍ଷର ଚା' ପିଉ ପିଉ କହିଲା,ଗଗନ କଥା କଣ କରିବା ?ସେ ବହୁତ ବାଧ୍ୟ  କରିବାରୁ,ମୁଁ ହଁ କହିଦେଇଛି |ବସୁଧା କହିଲା,ମୁଁ ଯିବିନି ବୋଲି ଆଗରୁ କହି ସାରିଛି,ତମେ ଏକୁଟିଆ ଯାଅ |ଅକ୍ଷର କହିଲା,ସେମିତି କେମିତି ହେବ ?ଏତେ ଆଗ୍ରହରେ କହିଛି,ତା ମନ ଭାଙ୍ଗିଦେବା ପାଇଁ ମୋ ଅନ୍ତର ଡାକୁନି |ବସୁଧା କହିଲା,ଆରେ,ତମର ଏଇ ସାଙ୍ଗ ତ ବଡ଼ ଅଜବ ମଣିଷ !!ମୋ ଦେହ ଭଲନାହିଁ ,ଆମର ବିଶ୍ରାମ ଆବଶ୍ୟକ  ଜାଣି ସୁଦ୍ଧା,ଏତେ ବାଧ୍ୟ କରିବାର କାରଣ କଣ ମୁଁ ଆଦୌ ଜାଣି ପାରୁନି |ତା ଛଡ଼ା ,ତମର ଅନ୍ୟ ସାଙ୍ଗ ସରୋଜ ନାହିଁ,ସେ ଆସୁ,ଏତେ ବ୍ୟସ୍ତ କାହିଁକି ?

            ଅକ୍ଷର ହାତଯୋଡ଼ି କହିଲା,ପ୍ଲିଜ ବସୁ ,ମୁଁ ତାକୁ ହଁ କହି ସାରିଛି, କମସେ କମ ,ମୋ କଥା ଟିକେ ଚିନ୍ତା କର |ଏଇ  ପାଖରେ ତାର ଘର,ଆମେ ଯିବା,ଖାଇଦେଇ ସାଙ୍ଗେ ସାଙ୍ଗେ ଚାଲିଆସିବା ,କଣ କହୁଛ ?ବସୁଧା ଅକ୍ଷରକୁ ଚାହିଁଲା,ସେ ତାର ଆସ୍ତିବାଚକ ଉତ୍ତରକୁ ଆତୁର ହୋଇ  ଅପେକ୍ଷା କରିଥିଲା |ବସୁଧା କହିଲା,ହଉ,ତମ କଥା ରହିଲା ,ମୁଁ ଯିବି |ଆମେ କେତେବେଳେ ଯିବା ?ଅକ୍ଷର ତା କଥା ଶୁଣି ଖୁସି ହୋଇଗଲା ,କହିଲା,ଆମେ ନଅଟା ବେଳେ ଯିବା | ବସୁଧା କହିଲା,ମୁଁ ତାହେଲେ ଏବେ ଟିକେ ଶୋଇପଡୁଛି |ଏକଥା କହିବା ସଙ୍ଗେ ସଙ୍ଗେ ସେ ଗଭୀର ନିଦ୍ରାରେ ଶୋଇପଡ଼ିଲା |

             ଅକ୍ଷରର  ମଧ୍ୟ ଶୋଇବାକୁ ଇଚ୍ଛା ହେଉଥିଲା,କିନ୍ତୁ ଘରେ କିଛି ପରିବା ନଥିଲା ଓ ତେଜରାତି ଜିନିଷ ବି ଶେଷ ହେବା ଉପରେ ଥିଲା |ସେ ରୋଷେଇ ଘରକୁ ଯାଇ ଯେଉଁ ଜିନଷ ନିହାତି ଦରକାର ଥିଲା,ତାର ଏକ ତାଲିକା ପ୍ରସ୍ତୁତ କଲା |ବସୁଧା ଶୋଇ ପଡ଼ିଥିବାରୁ ଆଉ ତାକୁ ନିଦରୁ ନ ଉଠାଇ ସେ ବାହାରୁ କବାଟ ବନ୍ଦ କରି, ତାଲା ପକାଇ, ମାର୍କେଟ ଚାଲିଗଲା |(କ୍ରମଶଃ)

             

Tuesday, August 2, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 8)

                        (ପୂର୍ବାଭାସ -- ମିଠୁ ଖୁସି ହୋଇ ଚାଲିଯିବାପରେ ବସୁଧାର ମନେପଡ଼ିଗଲା,ମାଆ ତାର ମାଛ ଭାଜୁଥିବା ବେଳେ ବାବା  କେମିତି ବାସନା ବାରି,ରୋଷେଇଘରକୁ ପ୍ଲେଟ ନେଇ ଚାଲି ଆସନ୍ତି,ଓ ଗୋଟିକ ପରେ ଗୋଟିଏ ଭଜା ମାଛ ନେଇ,ସେମାନଙ୍କ ସହିତ ମିଶି ଖାଆନ୍ତି !ମାଆ ଯେତେ ରାଗିଲେ ବି ତାଙ୍କ କଥା ସେ ଆଦୌ ଶୁଣନ୍ତି ନାହିଁ |ଏକଥା ମନେ ପଡି଼ବାକ୍ଷଣି ତା ହୃଦୟ ଭିତରୁ ଏକ ପ୍ରଚଣ୍ଡ କୋହ କାୟା ବିସ୍ତାର କରି ବାହାରକୁ ବାହାରି ଆସିବା ପାଇଁ ଚେଷ୍ଟା କଲା  |ଅନେକ ଚେଷ୍ଟା କରି ସେ ନିଜକୁ ରୋକିଦେଲା |ଏହି ପ୍ରଚେଷ୍ଟାରେ ତା ଆଖିର ଦୁଇ ପ୍ରାନ୍ତ ଦେଇ ଅନର୍ଗଳ ଲୁହଧାରା ଝରିଗଲା,ଇଚ୍ଛା କରି ବି ସେ ତାକୁ ରୋକି ପାରିଲା ନାହିଁ | |ତାର ଇଚ୍ଛା ହେଉଥିଲା,ଜୋରରେ ପାଟି କରି କାନ୍ଦିବା ପାଇଁ ଓ କହିବା ପାଇଁ,ମୋର ଭୁଲ ହୋଇ ଯାଇଛି ବାବା,ମତେ କ୍ଷମା କରିଦିଅ |ତାପରେ ......)

                          ବସୁଧା ଡାହାଣ ହାତରେ ମାଛ ଭାଜୁଥିବାବେଳେ ବାମ ହାତରେ ତାର ଲୁଗାକାନି ପାଟିରେ ଚାପିଧରି,କୋହ ଚାପିବାକୁ ଚେଷ୍ଟା କରୁଥିଲା  |ଏହି ସମୟରେ ଦୀପା ସେଠାକୁ ଆସି,ତା ମୁହଁକୁ ଝୁଙ୍କି ପଡି ଭଲଭାବେ ଲକ୍ଷ୍ୟ କଲା ଓ ଆଶ୍ଚର୍ଯ୍ୟ ହୋଇ ପଚାରିଲା.ତୁ କାନ୍ଦୁଛୁ କାହିଁକି ?କଣ ହୋଇଛି ? ଦେହ  ଭଲ ଲାଗୁନି ?ପାଖରେ ଦୀପାକୁ ଦେଖି,ବସୁଧା ଚମକି ପଡି ତା ଆଖିରୁ ଲୁହ ପୋଛି ପାଟିରେ ଆଙ୍ଗୁଠି ରଖି ଈଶାରାରେ ତାକୁ ଚୁପ ରହିବାପାଇଁ କହିଲା |ଦୀପା କହିଲା,ବୁଝିଲି,ଘର କଥା ମନେ ପଡୁଛି ନା ??ଠିକ ଅଛି,ତୋ କାମ ନୁହେଁ,ମୁଁ ତରକାରି  କରିଦେବି,ତୁ ଯାଆ  |ବସୁଧା କହିଲା,ନା ଅପା,ତମେ ଯାଅ,ଆଉ ଅଳ୍ପ ଅଛି,ମତେ ରାନ୍ଧିବାକୁ ଦିଅ,କାହାକୁ କିଛି କୁହନି,ପ୍ଲିଜ  |ଦୀପା ସ୍ମିତ ହସି କହିଲା,ହଉ ହେଲା ,କିନ୍ତୁ ଏ ଥରକ ଗଡ଼ବଡ଼ କଲେ,ତୋ ହାତରୁ ଚଟୁ ଛଡେଇ ନେବି,ଆଉ ତୋ କଥା ମାନିବିନି |ବସୁଧା ତା କଥାରେ ନୀରବ ସମ୍ମତି ଜଣାଇ,ନିଜକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରି, ପୁଣି ମାଛ ଭାଜିବାରେ ମନ ଦେଲା |

                         ସେଦିନ ମାଛ ତରକାରି  ଖୁବ ସୁସ୍ୱାଦୁ ହୋଇଥିଲା ,ଖାଇବା ବେଳେ ସମସ୍ତେ ବସୁଧାର ଭୁରି ଭୁରି ପ୍ରଶଂସା କରୁଥିଲେ |କାଞ୍ଚନ କିନ୍ତୁ ମାଛ ତରକାରି ନଖାଇ ସନ୍ତୁଳା ଖାଇଲେ |ବସୁଧା ଆମିଷ ତରକାରି ରାନ୍ଧୁଥିବା ଜାଣି ସେ ଆଗରୁ ଦୀପାକୁ ସନ୍ତୁଳା ପାଇଁ ବରାଦ କରିଥିଲେ |

                         ଖାଇସାରି ସମସ୍ତଙ୍କଠାରୁ ବିଦାୟ ନେଇ ବାହାରିବାବେଳକୁ,ଅପରାହ୍ନ ଚାରିଟା ପାଖାପାଖି ହୋଇଥିଲା |କାଞ୍ଚନ ସେତେବେଳେ କବାଟ ଦର ଆଉଜା କରି ଶୋଇଥିଲେ |ସେଇ ଦୁଆରମୁହଁ ପାଖରେ ତାଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇ ଦୁହେଁ ଚାଲିଆସିଲେ |ବାଟରେ ଅକ୍ଷର ବସୁଧାକୁ  କହିବାକୁ ଚାହୁଁଥଲା ,ବ୍ୟସ୍ତ ହୁଅନା,ବୋଉ ବୁଝିବାପାଇଁ କିଛି ସମୟ ଲାଗିବ,କିନ୍ତୁ ତା ପାଟିରୁ ସେକଥା ବାହାରିଲାନାହିଁ ,ସେ ଚୁପ ରହିଗଲା |ଭୁବନେଶ୍ୱରରେ ସେମାନଙ୍କ ପାଇଁ ସମସ୍ୟାର ପାହାଡ଼ ଛିଡା ହୋଇଥିଲା |କିପରି ସେସବୁର ସମ୍ମୁଖୀନ ହେବେ,ଦୁହେଁ ସେକଥା ଭାବୁ ଭାବୁ ବାଟ ସରି ଯାଇଥିଲା |

                  କ୍ୱାର୍ଟର ପାଖରେ ବନ୍ଧୁ ଗଗନ ସେମାନଙ୍କୁ ପ୍ରତୀକ୍ଷା କରିଥିଲା |ପୂର୍ବରୁ ଗଗନ ଓ  ସରୋଜ, ଅକ୍ଷର କ୍ୱାର୍ଟରରେ ଏକାଠି ରହୁଥିଲେ |ବସୁଧା ପାଇଁ ସେମାନଙ୍କୁ ସେ ଘର ଛାଡି ସବଲେଟିଙ୍ଗରେ ଆଉ ଏକ ଘର ଭଡା ନେବାକୁ ପଡିଲା |ଗଗନ ଏକ ଛୋଟ ଘରୋଇ ସଂସ୍ଥାରେ ସ୍ୱଳ୍ପ ବେତନରେ ଚାକିରୀ କରୁଥିବାବେଳେ ସରୋଜ ଟ୍ୟୁସନ କରୁଥିଲା |ଚାକିରୀ ପାଇଁ ଦୁହେଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ |ଏବେ ଅକ୍ଷର ଜୀବନରେ ବସୁଧାର ପ୍ରବେଶ ହେବାପରେ,ମାଗଣାରେ ମିଳିଥିବା ଘର ସେମାନଙ୍କ ହାତରୁ ଚାଲିଯାଇଥିଲା |କିନ୍ତୁ କିଛି ଉପାୟ ନଥିଲା |

                     ସେମାନଙ୍କୁ ଦେଖୁ ଦେଖୁ ଗଗନ ଖୁସି ହୋଇ କହିଲା,ମୁଁ ତତେ ଘଣ୍ଟାଏ ହେଲାଣି ଅପେକ୍ଷା କରିଛି |ଅକ୍ଷର ପଚାରିଲା,କଣ ହୋଇଛି,ଏତେ ବ୍ୟସ୍ତ କାହିଁକି ?ଗଗନ କହିଲା,ଚାଲ ଆମ ଘରକୁ ଯିବା,ସେଇଠି ଚା' ଜଳଖିଆ ଖାଇବ,ତାପରେ  ଡିନର ଖାଇ ଆମ ଘରେ ରହି ସକାଳକୁ ଫେରିବ |ବସୁଧା ଗଗନ କଥାକୁ ସିଧା ଅଗ୍ରାହ୍ୟ କରିଦେଇ କହିଲା,ଆଜି ମୁଁ କେଉଁଠିକି ଯାଇ ପାରିବି ନାହିଁ |ଏହା କହି.ସେ ଅକ୍ଷର ପାଖରୁ ଚାବି ନେଇ ଚାଲିଗଲା |ଅକ୍ଷର କହିଲା,ତୁ ଏବେ ଯାଆ ,ମୁଁ ପଛରେ କଥା ହେବି,କିନ୍ତୁ ଗଗନ ନଛୋଡବନ୍ଧା ଥିଲା  |ଅକ୍ଷର ଯେତେ ବାହାନା କଲେ ବି ସେ ଆଦୌ ମାନୁନଥିଲା |ଶେଷରେ ଅକ୍ଷର ହାର ମାନି କହିଲା,ହଉ ଠିକ ଅଛି,ଆମେ ରାତିରେ ଅଧଘଣ୍ଟା ପାଇଁ ଯିବୁ,ଖାଇଦେଇ ସାଙ୍ଗେ ସାଙ୍ଗେ ଚାଲି ଆସିବୁ,ତୁ ଡେରି କରିବୁନି  |ତା କଥା ଶୁଣି ଗଗନ ଖୁସି ହୋଇ,ସେମାନେ ରହୁଥିବା ଘରର ଠିକଣା ଅକ୍ଷର ମୋବାଇଲକୁ ପଠାଇ ସେଠାରୁ ଚାଲିଗଲା |(କ୍ରମଶଃ )

                      


.