Tuesday, July 19, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 7)

                      ଦୁଇଦିନ ପରେ ବସୁଧା ସ୍ୱାଭାବିକ ଅବସ୍ଥାକୁ ଆସିଗଲା |ଚତୁର୍ଥ ଦିନ ରବିବାର ଥିଲା |ସେଦିନ ସେମାନେ ମଧ୍ୟାନ୍ନ ଭୋଜନ ଖାଇ ସାରିବାପରେ ଭୁବନେଶ୍ୱର ଫେରିଯିବା ପାଇଁ,ଅପାତତଃ ସ୍ଥିର ହେଲା |ଶନିବାର ସନ୍ଧ୍ୟାରେ ଧୂପ ଦେଇ ରାତିପାଇଁ ରୁଟି ତରକାରୀ ତିଆରି କରି ସାରିବାପରେ ଦୀପା ହାତରେ ଆଉ କିଛି କାମ ନଥିଲା  |ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ତାର  ଏକମାତ୍ର ପୁତ୍ର  ମିଠୁର ପାଠପଢା ଦେଖିବାକୁ ଗଲା | ବିପ୍ଳବ ଓ ଅକ୍ଷର ସେତେବେଳେ  ସେମାନଙ୍କ ସାଙ୍ଗମାନଙ୍କ ସହିତ ଖଟିରେ ଗପ ଜମେଇଥିଲେ |ବସୁଧାର ଜ୍ୱର ଛାଡ଼ିଯାଇଥିଲା କିନ୍ତୁ ଦୁର୍ବଳତା ଯାଇ ନଥିଲା |ସେ ବିଛଣାରେ ଶୋଇ ୟାଡୁ ସାଡୁ ଅନେକ କଥା ଭାବି ଚାଲିଥିଲା  |

                      ସୁବାସିନୀ ଆସି ତା ପାଖରେ ବସି କହିଲେ,କଣ ଏତେ ଚିନ୍ତା କରୁଛୁ ମାଆ ??ତାଙ୍କୁ ଦେଖି,ବସୁଧା ସଙ୍ଗେ ସଙ୍ଗେ ଉଠିପଡ଼ିଲା |ସୁବାସିନୀ ତାକୁ ରୋକିଦେଇ କହିଲେ,ଶୋଇଥା ମା' ,ଉଠୁଛୁ କାହିଁକି ?ବସୁଧା କହିଲା,ନାଇଁ,ଆଉ ଶୋଇବିନି,ମୋ ଦେହ ଏବେ ଭଲ ଟିକେ ଲାଗୁଛି |ସୁବାସିନୀ କହିଲେ,ତୁ ତ କାଲି ଚାଲିଯିବୁ,ସେଥିପାଇଁ ଆଜି ତୋ ସାଙ୍ଗେ ଟିକେ କଥା ହେବାକୁ ଚାଲି ଆସିଲି |ତତେ ମୋର କିଛି  କଥା କହିବାର ଅଛି |ବସୁଧା ଉତ୍ସୁକ ହୋଇ କହିଲା,କୁହନ୍ତୁ ବଡ଼ବୋଉ,ମୁଁ ଆପଣଙ୍କର ସବୁକଥା ମାନିବି |

                ସୁବାସିନୀ କହିଲେ,ତୁ ଭୁବନେଶ୍ୱର ଯାଇ ତୋର ପାଠପଢା ପୁଣି ଜାରି ରଖିବୁ |କାରଣ ଶିକ୍ଷା ମଣିଷର ସବୁଠାରୁ ବଡ଼ ଅସ୍ତ୍ର |ସମସ୍ତେ ଭାବନ୍ତି,ନାରୀ ହେଉଛି ପୁରୁଷ ହାତର କଣ୍ଢେଇ |କିନ୍ତୁ ଏକଥା ସବୁବେଳେ ମନେ ରଖିବୁ,ଦୁନିଆରେ ସଫଳ ହୋଇଥିବା ପ୍ରତ୍ୟେକ ନାରୀ ହେଉଛନ୍ତି,ଜଣେ ଜଣେ "ଅଭଙ୍ଗା କଣ୍ଢେଇ" |ଦୁର୍ବଳମନା ନାରୀ ଭାଙ୍ଗିଯାଏ ଓ ଅଭିଶପ୍ତ ଜୀବନ ନେଇ ବଞ୍ଚି ରହେ |ସେପରି ବଞ୍ଚିବାର ମାନେ କିଛି ନଥାଏ,ତାଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର  | କିନ୍ତୁ ନାନା ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତି ଭିତରେ ଗତିକରି, ଅବିରତ ସଂଘର୍ଷ କରି,ଯିଏ ହାରୁ ହାରୁ ଜିତିଯାଏ ଓ ନିର୍ଭୟରେ ମୁଣ୍ଡ ଟେକି ଛିଡା ହେବାର ସାହସ ଅର୍ଜନ କରି ଅନ୍ୟ ମାନଙ୍କପାଇଁ ଉଦାହରଣ ସୃଷ୍ଟି କରେ,ତାର ଜୀବନ ଧନ୍ୟ |

                ମୋର ଶେଷକଥା ହେଲା,ତୁ କେବେ ବି ତୋ ଶାଶୁ ଉପରେ ରାଗ ରଖିବୁନି |କାରଣ ସେ ସବୁବେଳେ ସେମିତି |କୌଣସି କଥା ସେ ଭାବିଚିନ୍ତି କହେ ନାହିଁ |କିନ୍ତୁ ତାର ମନ ସଫା ଓ ସେ ବହୁତ ସ୍ନେହୀ |ପରିସ୍ଥିତି ତାକୁ ଏମିତି ରୁକ୍ଷ କରିଦେଇଛି |ତୋ ଶ୍ୱଶୁର ଅବିନାଶ ବହୁତ ମେଳାପୀ, ବନ୍ଧୁପ୍ରେମୀ ଓ ଖାଦ୍ୟ ପ୍ରିୟ ଥିଲେ |ପ୍ରତି ରବିବାର ଦିନ ସେ ସାଙ୍ଗ ମାନଙ୍କ ସହିତ ମିଶି ଭୋଜି କରୁଥିଲେ | ଭୋଜିରେ ସାଙ୍ଗମାନଙ୍କ ସହିତ ମିଶି କେବେ କେମିତି ସେ ମଦ ପିଇ ଦେଉଥିଲେ  |ଯେଉଁଦିନ ମଦପିଇ ସେ ଘରକୁ ଆସୁଥିଲେ,ସେଦିନ କାଞ୍ଚନ ଘରେ ମହାଭାରତ ସୃଷ୍ଟି କରୁଥିଲା  |ଅବିନାଶ  ମଦ ନ ପିଇବା ପାଇଁ ଶପଥ କରୁଥିଲେ ,କିନ୍ତୁ ଭୋଜି ଦିନ ଆସିଗଲେ, ଶପଥ କଥା ଭୁଲି ଯାଉଥିଲେ  |ଏମିତି ବାରମ୍ବାର ହେବାରୁ କାଞ୍ଚନ ରାଗିକରି ଗାଆଁକୁ ପଳାଇ ଆସିଲା |ପ୍ରଥମେ ପ୍ରଥମେ ଅଖି ବାପା ବୁଝାଇବାକୁ ଆସୁଥିଲେ ଓ  ସେ ଅଭିମାନ ଭାଙ୍ଗି ତାଙ୍କ ସାଙ୍ଗରେ ଫେରି ଯାଉଥିଲା |କିନ୍ତୁ ଦୁଇ ତିନିଥର ଏପରି ହେବାରୁ, ସେ ଆଉ ଗଲାନାହିଁ |ଅଖିକୁ ପାଖରେ ରଖିବାକୁ କାଞ୍ଚନର ଇଚ୍ଛା ଥିଲା |କିନ୍ତୁ ଭୁବନେଶ୍ୱର ସ୍କୁଲରେ ତାର ନାମ ଲେଖା ହୋଇଥିବାରୁ,ଅଖିକୁ ଅବିନାଶ ଛାଡିଲେ ନାହିଁ  |ଏତେ ଘଟଣା ଘଟିବା  ପରେ ବି,ଅବିନାଶ ମଦ ପିଇବା ଛାଡି ପାରିଲେ  ନାହିଁ, ଶେଷରେ ମଦ ତାଙ୍କୁ ଖାଇଦେଲା !!!ଅଵିନାଶଙ୍କ ଅକାଳ ମୃତ୍ୟୁ ପରେ କାଞ୍ଚନ ଅନୁତାପ କରି ତାଙ୍କୁ ବହୁତ ଝୁରିହୋଇଥିଲା, କିନ୍ତୁ ଭୁବନେଶ୍ୱରର ସେ ସ୍ମୃତି ବିଜଡିତ କ୍ୱାର୍ଟରକୁ ଆଉଥରେ ଯିବାପାଇଁ ମନ କରିନଥିଲା | ସବୁ ମାଆଙ୍କ ପରି  ଗୋଟିଏ ବୋଲି ପୁଅକୁ ନିଜ ପସନ୍ଦରେ ବାହା ଦେବାପାଇଁ,ତାର ବହୁତ ଇଚ୍ଛା ଥିଲା |ସେ ଇଚ୍ଛା ପୂରଣ  ନହେବାରୁ ସେ ଭାଙ୍ଗିପଡି,ଏମିତି ପ୍ରତିକ୍ରିୟାଶୀଳ ହୋଇ ଯାଇଛି |ମୋ ଜାଣିବାରେ ଅଧିକାଂଶ ପ୍ରେମବିବାହ  ସଫଳ ହୁଏନାହିଁ, କାରଣ ସେଥିରେ ପିତାମାତା ଓ ଗୁରୁଜନମାନଙ୍କର ସମ୍ମତି ଓ ଆଶୀର୍ବାଦ  ନଥାଏ |ସାଧାରଣତଃ ସ୍ୱାମୀ ସ୍ତ୍ରୀଙ୍କ ମନୋମାଳିନ୍ୟ ହେଲେ, ଗୁରୁଜନମାନଙ୍କ ମଧ୍ୟସ୍ଥତାରେ ତାର ସମାଧାନ ହୋଇଯାଏ | ପ୍ରେମ ବିବାହରେ ସେସବୁ ନଥାଏ,ତେଣୁ ପ୍ରାୟତଃ ବିବାହର ଅଳ୍ପଦିନପରେ ମନାନ୍ତର ଓ ମତାନ୍ତର ହୋଇ ଛାଡପତ୍ର ପର୍ଯ୍ୟନ୍ତ  କଥା ଯାଏ  |ଏସବୁ ମୁଁ ତତେ କହିବାର କାରଣ ହେଲା,,ଯେମିତି ଭାବପ୍ରବଣତାରେ ଭାସିଯାଇ ତୁ ଏକ ବଡ଼ ଅଘଟଣ କରିବାକୁ ଯାଉଥିଲୁ,ଭବିଷ୍ୟତରେ ସେମିତି କିଛି ବି କରିବୁ ନାହିଁ |ନିଜ ବୁଦ୍ଧି ବଳରେ ଧୈର୍ଯ୍ୟ ଧରି,ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ |ଭଗବାନ ତତେ ଯାହା ଦେଇଛନ୍ତି,ତାଠାରୁ ଅଧିକ ଆଶା ନକରି,ବରଂ ଯାହା ତୋ ପାଖରେ ଅଛି,ତାକୁ ଅମୂଲ୍ୟ ସମ୍ପଦ ଭାବି ଯତ୍ନରେ ସାଇତି ରଖିବୁ  |କେବଳ ଜଣେ ବୁଦ୍ଧିମତୀ ଓ ସମଝଦାର ନାରୀ  ସବୁବେଳେ ପରିବାରରେ ଶାନ୍ତି ରଖେ,ଓ ସେହି ଶାନ୍ତି ହିଁ  ପରିବାରକୁ ଉନ୍ନତି ପଥରେ ଆଗେଇ ନେବାରେ ସାହାଯ୍ୟ କରେ  |

           ସୁବାସିନୀ ଆହୁରି ଅଧିକ କିଛି କହିବା ପୂର୍ବରୁ,କବାଟ ପାଖରେ ଦୀପାକୁ ଛିଡା ହୋଇଥିବାର ଦେଖି ପଚାରିଲେ,କଣ ହେଲା ମା'  ?ଦୀପା କହିଲା,ସମସ୍ତେ ଆସିଗଲେଣି,ଖାଇବାକୁ ବାଢ଼ିବି ?ସୁବାସିନୀ ଘଣ୍ଟା ଦେଖି,ଜିଭ କାମୁଡି କହିଲେ,ଆରେ,ଏତେ ସମୟ ହେଲାଣି ?ଚାଲ ଖାଇବା |ଏହା କହି,ସେ ବସୁଧାକୁ ସାଙ୍ଗରେ ନେଇ ଦୀପା ପଛେ ପଛେ ଗଲେ |

               ପରଦିନ ସକାଳେ,ବିପ୍ଳବ ଉଭୟ ବଡ଼ ଓ ଛୋଟ ନଈ ମାଛ ଆଣିଥିଲା |ମାଛ ଦେଖି,ବସୁଧା ଖୁସି ହୋଇ ନିଜେ ରାନ୍ଧିବ ବୋଲି କହିଲା |ତା କଥା ଶୁଣି ସମସ୍ତେ ଖୁସି ହୋଇଗଲେ |ଦୀପା ମାଛ ବାଛି, ହଳଦୀ ଲୁଣ ଗୋଳେଇ ମସଲା ବାଟି ଦେଇ ଅନ୍ୟ କାମରେ ଚାଲିଗଲା  |ବସୁଧା ମାଛ ଭାଜୁଥିବାବେଳେ କାହାର ଉପସ୍ଥିତି ଅନୁଭବ କରି ପଛକୁ ଚାହିଁଲା |ମାଛ ଭଜା ଖାଇବା ପାଇଁ,ମିଠୁ ଗୋଟିଏ ପ୍ଲେଟ ଧରି ଛିଡା ହୋଇଥିଲା,କିନ୍ତୁ ସଙ୍କୋଚବଶତଃ କିଛି କହିପାରୁନଥିଲା |ବସୁଧା ମିଠୁକୁ ଆଦରରେ ଗେଲ କଲା ଓ ତା ହାତରୁ ପ୍ଲେଟ ନେଇ ସେ ଯେଉଁଟା ନେବାକୁ କହିଲା,ସେଥିରୁ ଆଉ ଦୁଇ ତିନିଟି ଅଧିକ କରି ତା ପ୍ଲେଟରେ ରଖିଦେଲା |

                 ମିଠୁ ଖୁସି ହୋଇ ଚାଲିଯିବାପରେ ବସୁଧାର ମନେପଡ଼ିଗଲା,ମାଆ ତାର ମାଛ ଭାଜୁଥିବା ବେଳେ ବାବା  କେମିତି ବାସନା ବାରି,ରୋଷେଇଘରକୁ ପ୍ଲେଟ ନେଇ ଚାଲି ଆସନ୍ତି,ଓ ଗୋଟିକ ପରେ ଗୋଟିଏ ଭଜା ମାଛ ନେଇ,ସେମାନଙ୍କ ସହିତ ମିଶି ଖାଆନ୍ତି !ମାଆ ଯେତେ ରାଗିଲେ ବି ତାଙ୍କ କଥା ସେ ଆଦୌ ଶୁଣନ୍ତି ନାହିଁ |ଏକଥା ମନେ ପଡି଼ବାକ୍ଷଣି ତା ହୃଦୟ ଭିତରୁ ଏକ ପ୍ରଚଣ୍ଡ କୋହ କାୟା ବିସ୍ତାର କରି ବାହାରକୁ ବାହାରି ଆସିବା ପାଇଁ ଚେଷ୍ଟା କଲା  |ଅନେକ ଚେଷ୍ଟା କରି ସେ ନିଜକୁ ରୋକିଦେଲା |ଏହି ପ୍ରଚେଷ୍ଟାରେ ତା ଆଖିର ଦୁଇ ପ୍ରାନ୍ତ ଦେଇ ଅନର୍ଗଳ ଲୁହଧାରା ଝରିଗଲା,ଇଚ୍ଛା କରି ବି ସେ ତାକୁ ରୋକି ପାରିଲା ନାହିଁ | |ତାର ଇଚ୍ଛା ହେଉଥିଲା,ଜୋରରେ ପାଟି କରି କାନ୍ଦିବା ପାଇଁ ଓ କହିବା ପାଇଁ,ମୋର ଭୁଲ ହୋଇ ଯାଇଛି ବାବା,ମତେ କ୍ଷମା କରିଦିଅ |(କ୍ରମଶଃ)

Monday, July 18, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 6)

                           ଅକସ୍ମାତ ଘଟିଯାଇଥିବା ଏତେବଡ଼ ଦୁର୍ଘଟଣାକୁ କେହି ସହଜରେ ହଜମ କରିପାରୁନଥିଲେ | ପୂରା ଅଞ୍ଚଳରେ ଏହି ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା |ଲୋକେ ଦଳ ଦଳ ହୋଇ ବସୁଧାକୁ ଦେଖିବାକୁ ଛୁଟି ଆସୁଥିଲେ |କିନ୍ତୁ ତା ପୂର୍ବରୁ ସୁବାସିନୀ କଠୋର ପଦକ୍ଷେପ ନେଇ,ଗେଟରେ ତାଲା ପକାଇ ଦେଇଥିଲେ ଓ ସାଇ ପଡିଶା ,ଏପରିକି ନିଜ ଲୋକଙ୍କୁ ମଧ୍ୟ ଏହି ବିଷୟରେ ଆଲୋଚନା କରିବାକୁ ଅନୁମତି ଦେଉ ନଥିଲେ  |ନିଶ୍ଚିତ ମୃତ୍ୟୁମୁଖରୁ ବସୁଧା ବଞ୍ଚିଯାଇଥିବାରୁ ସେ ଈଶ୍ୱରଙ୍କୁ କୋଟି କୋଟି କୃତଜ୍ଞତା ଜଣାଇ ତାଙ୍କୁ ବାରମ୍ବାର ମୁଣ୍ଡିଆ ମାରି କହୁଥିଲେ,ଏତେ ଭରସାରେ ଅଖି ବସୁଧାକୁ ତାଙ୍କ ପାଖରେ ଛାଡ଼ିଯାଇଥିଲା,ଯଦି କିଛି ଅଘଟଣ ଘଟିଯାଇଥାଆନ୍ତା ,ସେ ତାକୁ କି ଉତ୍ତର ଦେଇଥାଆନ୍ତେ ?କାଞ୍ଚନଙ୍କ ତିରସ୍କାର,ବସୁଧାର ଆତ୍ମହତ୍ୟା ଉଦ୍ୟମର ଏକମାତ୍ର କାରଣ ଜାଣି ସୁଦ୍ଧା,ସେ ତାଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରି, ଆଉ ଗୋଟିଏ ଦୁର୍ଘଟଣାକୁ ଆମନ୍ତ୍ରଣ କରିବାକୁ  ଉଚିତ ମନେ କରିନଥିଲେ |

                      ଖବର ପାଇଁ ଅକ୍ଷର ତୁରନ୍ତ ଆସି ଗାଆଁରେ ପହଞ୍ଚିଗଲା |ଏତେ ବାଟ ସେ କିପରି ନିଃଶ୍ୱାସ ନେଇ  ଆସିଥିଲା ,ସେକଥା କେବଳ ତାକୁ ଜଣା ଥିଲା |ଘରେ ପହଞ୍ଚି ଗେଟରେ ତାଲା ପଡିଥିବାର ଦେଖି,ସେ ଗେଟ ଡେଇଁ,ଭିତରକୁ ଆସି,ବସୁଧାକୁ ଦେଖିବାକୁ ଭିତରକୁ ଦୌଡ଼ିଗଲା |ବାହାର ଘରେ କାଞ୍ଚନ ବସିଥିଲେ |ଅକ୍ଷରକୁ ଦେଖି ସେ ଜୁଳୁ ଜୁଳୁ କରି ଚାହିଁଲେ |କିନ୍ତୁ ଅକ୍ଷର ତାଙ୍କୁ ଦେଖି ନଦେଖିବା ପରି ଭୂସ କରି ବସୁଧା ଥିବା କୋଠରୀକୁ  ଚାଲିଗଲା |ବସୁଧା ସେତେବେଳେ ପ୍ରବଳ ଜ୍ୱରରେ କମ୍ପୁଥିଲା |ପାଖରେ ସୁବାସିନୀ ବସି,ତା କପାଳରେ ପାଣି ପଟି ଦେଉଥିଲେ |ବସୁଧାକୁ  ଏପରି ଅବସ୍ଥାରେ ଦେଖି,ଅକ୍ଷର ଦୁଃଖରେ କାନ୍ଦି ଉଠିଲା |ସେ ସୁବାସିନୀଙ୍କ ପାଖରେ ବସିପଡି କହିଲା,ଆଉ ମୁଁ ସହିପାରୁନି ବଡ଼ବୋଉ ,ବସୁକୁ ମୁଁ ଏଇନା ନେଇ ଚାଲିଯିବି ,ଏଇ ଶେଷ,ଆଉ ଗାଆଁକୁ ଆସିବିନି  |

                   ସୁବାସିନୀ ଆଦରରେ ଅକ୍ଷରର ପିଠି ଥାପୁଡ଼ାଇ କହିଲେ,ବାଇଆଟା,ଟିକିଏ ଧୈର୍ଯ୍ୟ ଧର  |ଏତେ ଜ୍ୱରରେ ତାକୁ କେମିତି ଏତେ ବାଟ ବାଇକରେ ନେବୁ ?ଥଣ୍ଡା ପବନ ବାଜି,ତା ଦେହ ଆହୁରି ବେଶୀ ଖରାପ ହେବ ,ସେତେବେଳେ ତୁ କଣ କରିବୁ ? ଦିନେ ଦୁଇଦିନ ରହିଯା ,ଜ୍ୱର ଟିକିଏ ଛାଡ଼ିଗଲେ,ତାକୁ ନେଇଯିବୁ |ତାଙ୍କ କଥା ଶୁଣି ଅକ୍ଷର ବସୁଧାର ଗୋଡ଼ ତଳକୁ ଥିବା ଅଳ୍ପ ଜାଗାରେ ନିଜ ଅବଶ ଶରୀରକୁ ଲୋଟାଇ ଦେଇ  କହିଲା,ମୁଁ ବରବାଦ ହୋଇଗଲି ବଡ଼ବୋଉ,ବୋଉ ଏମିତି ହେବ ବୋଲି ମୁଁ କେବେ ବି ଭାବି ନଥିଲି |ସବୁ ମୋର ଦୁର୍ଭାଗ୍ୟ !!

                  ସୁବାସିନୀ ତା ପାଟିରେ ହାତ ଦେଇ କହିଲେ,ପୁଣି ସେଇ କଥା ?କିଛିଦିନ ଆମେ ସେ ବିଷୟରେ ଆଲୋଚନା ନକଲେ,ଆମ ସମସ୍ତଙ୍କ ପାଇଁ ମଙ୍ଗଳକର ହେବ |ଅକ୍ଷର କହିଲା,କାହିଁକି କହିବିନି ??ବୋଉ କଣ ଭୁଲ କରିନି ??ସୁବାସିନୀ କହିଲେ,ଭୁଲ ଠିକ ବିଚାର କରିବାପାଇଁ,ଆମ ପାଖରେ ବହୁତ ସମୟ ଅଛି |ବର୍ତ୍ତମାନ ବସୁଧା କେମିତି ସୁସ୍ଥ ହେବ,ସେଇଟା ଆମର  ପ୍ରଥମ କାମ |ତୁ ବାଟମଡ଼ା ହୋଇ ଆସିଛୁ,ଯାଆ,ଧୋଇଧାଇ ହୋଇ ତୋର ଜାମା ବଦଳେଇ ଆସି,ବସୁ ପାଖରେ ବସ |ତୁ ଆସିଲେ,ମୁଁ ଯିବି |

              ତାଙ୍କ କଥା ଶୁଣି,ଅକ୍ଷର ଆଉ ଯୁକ୍ତି ନକରି, ନୀରବରେ ସେଠାରୁ ଉଠି ଚାଲିଗଲା |କିଛି ସମୟପରେ ସେ ପୋଛାପୋଛି ହୋଇ,ନିଜ ପୋଷାକ ପରିବର୍ତ୍ତନ କରି ସେଠାକୁ ଆସିଲା |ତାକୁ ଦେଖି ସୁବାସିନୀ ଉଠି ଛିଡ଼ାହେଲେ ଓ ନିଜେ ବସିଥିବା ସ୍ଥାନକୁ ଇଙ୍ଗିତ କରି କହିଲେ,ତୁ ଏଇଠି ବସି,ପାଣି ପଟି ଦେଉଥା |ମୁଁ ତା ପାଇଁ ଖାଇବା ଆଣିବାକୁ ଯାଉଛି|ଖାଇ ସାରିବାପରେ ସେ  ଔଷଧ ଖାଇବ |

               ଅକ୍ଷର ତାଙ୍କ କଥା ମାନି ସେଠାରେ ବସିଲା |କିଛି ସମୟପରେ ସେ  ପାଣିପଟି  କାଢି ଥର୍ମୋମିଟରରେ ବସୁଧାର ଜ୍ୱର ମାପିଲା |ଜ୍ୱର କମିଯାଇଥିଲା | ପାଣି ଗିନା ଓ ପଟି ଯଥା ସ୍ଥାନରେ ରଖି ସେ ଚୁପଚାପ ଆସି,ବସୁଧା ପାଖରେ ଶୋଇପଡ଼ିଲା |(କ୍ରମଶଃ)

                             

                          

Friday, July 15, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 5)

                             ସମସ୍ତେ ଖାଇ ସାରିବାପରେ,ସୁବାସିନୀ ବସୁଧାକୁ ଡାକିନେଇ,ନିଜ ପାଖରେ ଶୁଆଇଲେ |ବସୁଧା ଯେତେ ମନା କଲେ ବି ସେ ତା କଥା ଶୁଣିଲେ ନାହିଁ |ବସୁଧାର ମନର ଗତି କିନ୍ତୁ ସୁବାସିନୀଙ୍କଠାରୁ ଅଧିକ ଦ୍ରୁତ ଗତିରେ ଚାଲୁଥିଲା |ସେ ତାର ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ,ପୂର୍ଣ୍ଣ ପ୍ରସ୍ତୁତି ଚଳାଇଥିଲା |ସେଥିପାଇଁ ସେ ପରିସ୍ରା କରିବା ବାହାନାରେ କୂଅ ପାଖକୁ ଯାଇ,ସେଠାରେ ଥିବା ବାଲଟିରୁ କୂଅ ଦଉଡ଼ିକୁ ଆସ୍ତେ କରି ଅଲଗା କରିଦେଇ,ତାକୁ ଗୋଟିଏ କଣରେ ଲୁଚାଇ ରଖିଦେଲା | ତାପରେ ସେ ଚୁପଚାପ ଆସି,ସୁବାସିନୀଙ୍କ ପାଖରେ ଶୋଇପଡ଼ିଲା |

                            ଘଣ୍ଟାଏ/ଦୁଇଘଣ୍ଟା  ଭିତରେ ସାରା ଗାଆଁ ଶୋଇପଡ଼ିଲା |କିନ୍ତୁ ବସୁଧା ଆଖିରେ ନିଦ ନଥିଲା |ସେ ଝରକା ବାଟେ ବାରମ୍ବାର ଆକାଶକୁ ଚାହୁଁଥିଲା |କେତେବେଳେ ଟିକିଏ ଫର୍ଚ୍ଚା ହେଲେ,ସେ ତା କାମରେ ବାହାରି ପଡିବ |କାରଣ ସେ ଭଲଭାବେ ଜାଣିଥିଲା,ଟିକିଏ ଡେରି କଲେ,ଦୀପା ଉଠିପଡିବ ଓ ତାର ସବୁ ଯୋଜନା ଫସରଫାଟି ଯିବ !

                             ଏମିତି ଭାବୁ ଭାବୁ କେତେବେଳେ ତାର ଆଖିପତା ଲାଗିଯାଇଥିଲା |ହଠାତ ଏକ ଅଦ୍ଭୁତ ଶବ୍ଦ ଶୁଣି ତାର ନିଦ ଭାଙ୍ଗିଗଲା |ତାର ମନେପଡ଼ିଲା,ବୁଢୀମା କହୁଥିଲେ, ଦଉଡ଼ିକୁ ଆତ୍ମହତ୍ୟା ଅଭିପ୍ରାୟରେ ରଖିଲେ,ସେ କାଳେ ତାର ସମୟ ଆସିଗଲେ,ଏମିତି ଡାକେ |ତରତର ହୋଇ ବସୁଧା ଉଠିପଡ଼ିଲା |ଦିନେ ଯିଏ ଗଛର ଛାଇ ଦେଖି ଡରି ଯାଉଥିଲା,ଆଜି ସେ ଭିନ୍ନ ମଣିଷ ପାଲଟି ଯାଇଥିଲା |ତାର  ମନରେ ଟିକିଏ ବି ଭୟ ନଥିଲା |ସେ ଦେଖିଲା,ଆକାଶ ସାମାନ୍ୟ ଫର୍ଚ୍ଚା ହୋଇଛି |ଏହାକୁ ଉପଯୁକ୍ତ ସମୟ ମନେକରି ସେ ନିକଟସ୍ଥ ଆମ୍ବତୋଟାକୁ ଗଲା |ଯେଉଁ ସ୍ଥାନରେ ଫାଶୀ ନେବାପାଇଁ ସେ ମନସ୍ଥିର କରିଥିଲା,ସେଠାକୁ ଯାଇ ସେ ଦଉଡ଼ିରେ ଫାଶ ପକାଇ,ଆମ୍ବ ଡାଳକୁ ଛାଟିଲା |କିନ୍ତୁ ଯେତେଥର ସେ ଦଉଡି  ଛାଟୁଥିଲା,ସେତେଥର ଦଉଡି ଖସି ଯାଉଥିଲା |ନିରାଶ ହୋଇ କଣ କରିବ ଭାବିବା ବେଳକୁ ଦେଖିଲା,ଅଦୂରରେ କେହିଜଣେ ତାର କାର୍ଯ୍ୟକଳାପକୁ ମନଧ୍ୟାନ ଦେଇ ଲକ୍ଷ୍ୟ କରୁଛନ୍ତି |ସେ ତାଙ୍କ ବେକରେ ଏକ ଢୋଲ ପକାଇଥିଲେ |ବୋଧହୁଏ କୌଣସି ବିବାହ କାର୍ଯ୍ୟରେ ବାଜା ବଜାଇ ଫେରୁଥିଲେ |ତାଙ୍କୁ ଦେଖି ବସୁଧା ଡରିଗଲା |କିନ୍ତୁ ମନର ଭାବ ମୁହଁରେ ପ୍ରକଟ ନକରି ସେ ରୁକ୍ଷ ସ୍ୱରରେ ପଚାରିଲା,କଣ ଦରକାର ?ଆଗନ୍ତୁକଙ୍କର ଲକ୍ଷ୍ୟ ଯେ ସେ ପିନ୍ଧିଥିବା ସୁନାଗହଣା ଉପରେ ଥିଲା,ଏକଥା ବସୁଧା ଜାଣି ପାରିଲାନାହିଁ |ସେ  ଅଳ୍ପ ହସି କହିଲେ,ଏସବୁ କାମ ତମ ଦ୍ୱାରା ହୋଇ ପାରିବ ନାହିଁ,ଦେଖ ମୁଁ କେମିତି କାଇଦାରେ କରୁଛି |

                           ବସୁଧା ହାତରୁ ଦଉଡି ନେଇ ସେ ସେଥିରେ ଭଲକରି ଫାଶ ପକାଇଲେ ଓ ତାକୁ ଜୋରକରି ଉପରକୁ ଛାଟିଦେଲେ |ଏକାଥରକେ  ଦଉଡ଼ିଟି ଆମ୍ବଡାଳ ଆରପଟ ଦେଇ ଖସି ଆସିଲା |ତାପରେ ସେ ଦଉଡ଼ିର ଉଭୟ ପାର୍ଶ୍ୱକୁ ଯୋଡ଼ି ଆଉଥରେ ଭଲକରି ଫାଶ ତିଆରି କଲେ ଓ ତାକୁ ଆମ୍ବଡାଳରେ ଭଲକରି ଗଣ୍ଠି ପକାଇ ବାନ୍ଧିଲେ |ତାପରେ ଢୋଲ ତଳେ ରଖି ତା ଉପରେ ଛିଡା ହୋଇ,ଆସ୍ତେ କରି ବେକରେ ଫାଶ ପୁରାଇଲେ ଓ କହିଲେ,ଏମିତି ବେକରେ ପୁରେଇବୁ ,ତାପରେ ଗୋଡ଼ରେ ଢୋଲକୁ ଠେଲିଦେବୁ |ଇଶାରାରେ ଏତିକି କହି ବେକରୁ ଫାଶ କାଢ଼ିବା ବେଳକୁ, ଅସାବଧାନତା ବଶତଃ ଢୋଲ ତଳକୁ ଗଡ଼ିଗଲା ଓ ବସୁଧା ଆଖି ଆଗରେ ଆଗନ୍ତୁକ ଜଣକ ଛଟପଟ ହୋଇ ଲମ୍ବା ଜିଭ କାଢ଼ିଦେଲେ  |ଏତିକି ଦେଖୁ ଦେଖୁ ଭୟ ଓ ଆତଙ୍କରେ ବସୁଧା ସେଇଠାରେ ବେହୋସ ହୋଇ ପଡିଗଲା |ଠିକ ସେତିକିବେଳେ ବସୁଧାକୁ ଘରେ ନପାଇ ଦୀପା ତାକୁ ଖୋଜି ଖୋଜି ଆସୁଥିଲା | ଆଖି ସାମ୍ନାରେ ଏହି ଅଭାବନୀୟ କାଣ୍ଡ ଓ ଭୟଙ୍କର ମୃତ୍ୟୁକୁ ଦେଖି ସେ ବିକଟ ଚିତ୍କାର କରି ଉଠିଲା |ତାର ପାଟି ଶୁଣି ନିତ୍ୟକର୍ମ ସାରିବାକୁ ଆସିଥିବା ମହିଳା ଓ ପୁରୁଷ ସେଠାକୁ ଦୌଡ଼ି ଆସିଲେ | 

                    ମୁହୂର୍ତ୍ତକ ଭିତରେ ସେଠାରେ ଗ୍ରାମବାସୀଙ୍କ ଭିଡ଼ ଜମିଗଲା |ଏକଥା କାହାକୁ ବୁଝିବାକୁ ବାକି ରହିଲାନାହିଁ ଯେ,ଜଣେ  ଆତ୍ମହତ୍ୟା କରିବାକୁ ଆସିଥିଲା ,କିନ୍ତୁ ତା ବଦଳରେ ଲୋଭର ବଶବର୍ତ୍ତୀ ହୋଇ ଆଉ ଜଣେ ପ୍ରାଣଦେଲା |ଏହାକୁ କହନ୍ତି,ଦୈବର ବିଚାର !!!(କ୍ରମଶଃ)

Thursday, July 14, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 4)

                         ଅକ୍ଷର ଯିବାପରେ ବସୁଧାକୁ ଲାଗୁଥିଲା,ସତେ ଯେପରି ତା ଦେହରେ ଆଉ ଜୀବନ ନାହିଁ  |ଦେହ ତାର ଝୋଲା ମାରି ଯାଉଥିଲା |କେତେ ସମୟ ସେମିତି କାଠ ପରି ଛିଡା ହୋଇ ରହିବା ପରେ ଜୋରରେ କବାଟ ବନ୍ଦ ହେବାର ଶବ୍ଦ ଶୁଣି ତାର ଧ୍ୟାନ ଭାଙ୍ଗିଲା |ସେ ଦେଖିଲା,ଶାଶୁ ବାରି ପଟ କବାଟ ବନ୍ଦ କରି ଭିତରକୁ ଆସୁଛନ୍ତି |ବୋଧହୁଏ ସେ ଜାଣିଶୁଣି ଜୋରରେ ଶବ୍ଦ କରି କବାଟ ବନ୍ଦ କରୁଥିଲେ |ସେତେବେଳେ ଦୀପା ପୂଜା ସରଞ୍ଜାମ ସଜାଡି ଠାକୁର ଘରେ ପୂଜାରେ ବ୍ୟସ୍ତ ଥିଲା |ବସୁଧା କିଛି ସମୟ ଚିନ୍ତାକରି,ଓଢଣା ଟାଣି ଠାକୁର ଘରକୁ ଯାଇ ମୁଣ୍ଡିଆ ମାରିବା ବେଳକୁ ଶାଶୁଙ୍କ କର୍କଶ ସ୍ୱର ଶୁଣି ଚମକି ପଡିଲା |ସେ ତାରି ଉଦ୍ଦେଶ୍ୟରେ ଚିତ୍କାର କରି କହୁଥିଲେ,ବାରବୁଲି ଛତରଖାଇ,ଖବରଦାର,ଠାକୁରଘରକୁ ଗଲେ,ତୋ ମୁଣ୍ଡ ଫଟେଇ ଦେବି |ଏ ପ୍ରକାର ଭାଷା ଶୁଣିବାରେ ଅନଭ୍ୟସ୍ତ  ଥିବା ବସୁଧାର ମୁଣ୍ଡ ହଠାତ ଘୁରେଇ ଗଲା |ସେ ମୁଣ୍ଡରେ ଦୁଇହାତ ଦେଇ,ସେଇଠାରେ ବସି ପଡିଲା |କାଞ୍ଚନ କିନ୍ତୁ ଥମିବାର ନାମ ନେଉ ନଥିଲେ |ସେ ସେମିତି କହି ଚାଲିଥିଲେ,ଆଲୋ ଦୋଚାରୁଣୀ,ପ୍ରେମ କରିବାକୁ ତତେ କଣ ଆଉ କେହି ନାଗର ମିଳିଲେ ନାହିଁ ଯେ  ମୋ ପୁଅ ଉପରେ ସବାର ହେଲୁ ?ଶୀଘ୍ର ପଳା ଏଇଠୁ,ତୋ ଛାଇ ପଡିଲେ,ଏ ଘର ଆହୁରି ରସାତଳକୁ ଯିବ | କାନରେ ନ ଶୁଣିବା ପରି,ସେ ଆହୁରି କେତେ କଣ କହି ସମ୍ପି ଚାଲିଥିଲେ |ସୁବାସିନୀ କାଞ୍ଚନଙ୍କୁ ଆକଟ କରି କହିଲେ,ଅଖି ନାହିଁ,କାହିଁକି ତାକୁ ସେମିତି କହୁଛୁ ?ଆଉ ଗୋଟିଏ ଦିନର କଥା,ଟିକେ ଚୁପ ହୋଇ ରହିପାରୁନୁ ?

                  କାଞ୍ଚନ ଆହୁରି ଉଗ୍ର ରୂପ ଧାରଣ କରି କହିଲେ, କାଇଁକି ଚୁପ ହେବି ?ମୁଁ କଣ ତା ବାଡ଼ିତଳେ ଘର କରିଛି ?ଭାରି ବହପ ତ !କୁହା ନାହିଁ,ବୋଲା ନାହିଁ,ସିଧା ଆସି ଏଇଠି ହାଜର ?ମୁଁ ପଚାରୁଛି,ସେ କଣ ଭାବି ଏଠିକି ଆସିଲା ?ରାସଲୀଳା କରିବା ପାଇଁ ତାକୁ କଣ ଜାଗା ମିଳୁନଥିଲା ? ବସୁଧା ପାଇଁ ଏସବୁ ସମ୍ପୂର୍ଣ୍ଣ  ଅସହ୍ୟ ଥିଲା |ସେ ବହୁତ କଷ୍ଟରେ ସେଠାରୁ ଉଠି ଟଳି ଟଳି ଯାଇ ନିଜ ଅବଶ ଶରୀରକୁ ବିଛଣାରେ ଲୋଟାଇ ଦେଲା |ଅତ୍ୟଧିକ ଦୁଃଖରେ ବୁକୁ ଫଟେଇ ତାର କୋହ ବାହାରକୁ ବାହାରି ଆସିଲା ଓ ସେ ମୁଣ୍ଡପିଟି ଭୋ ଭୋ ହୋଇ କାନ୍ଦି ଉଠିଲା  |

                      ତା କାନ୍ଦ ଶବ୍ଦ ଶୁଣି ସୁବାସିନୀ ସେଠାକୁ ଦୌଡ଼ି ଆସି ତାକୁ ନିଜ ବାହୁବନ୍ଧନୀରେ ଜଡ଼ାଇ ଧରି କହିଲେ,ତୁ ତାଙ୍କ କଥାକୁ ଧରନା  ମା |କାଞ୍ଚନ କିନ୍ତୁ ସହଜରେ ଛାଡିବାକୁ ପ୍ରସ୍ତୁତ ନଥିଲେ |ସେ ସେମାନଙ୍କ କୋଠରୀ ଭିତରକୁ ପଶି ଆସି କହିଲେ,ଚୋରକୁ ତଣ୍ଟିଆ ମାରି ଘରୁ ବିଦା କରିବା କଥା,ତାକୁ ପୁଣି ସାଉଁଳା ହଉଛି !!ଦୀପା ନିଜ ପୂଜା ଅଧା ରଖି ସେଠାକୁ ଆସି ବସୁଧା ପାଖରେ ବସି ତାକୁ ବୁଝାଇବାରେ ଲାଗିଲା |ଶେଷରେ ସୁବାସିନୀଙ୍କ ପୁଅ ବିପ୍ଳବ ସେଠାରେ ପହଞ୍ଚି କହିଲା,କି ପାଲା ଚାଲିଛି  ?ଘରେ କଣ ଶାନ୍ତିରେ ରହିବାକୁ ଦେବନି ?

                     କାଞ୍ଚନ କହିଲେ,ଏଇ କାଳନାଗୁଣୀ ପାଇଁ ପାଲା ଲାଗିଛି,ତାକୁ ଶୀଘ୍ର ଏ ଘରୁ ବାହାର କର,ତାପରେ ସବୁ ଠିକ ହୋଇଯିବ  |ବିପ୍ଳବ ଉତ୍ତ୍ୟକ୍ତ ହୋଇ କହିଲା,ତମେ ମଣିଷ ନାଁ ପଶୁ ?ତମରି ପୁଅ ପାଲା ଲଗେଇଛି |ତାକୁଇ ଧର ,ଯାହା କହିବା କଥା,ତାକୁ କୁହ |ବଡ଼ ବାଉଁଶ ରଖିଥାଅ ,କାଲି ସେ ଯେମିତି ଆସିବ,ବାଡେଇ ବାଡେଇ ତା ହାତ ଗୋଡ଼ ଭାଙ୍ଗିଦେବ |ଯାହାକୁ କହିବା କଥା ତାକୁ ନକହି,ଗୋଟେ ତାମସା ଲଗେଇଛନ୍ତି !!କାଣୀ ବିଲେଇର କୁଜି ଅସରପା ଉପରେ ରାଗ !!!ତା କଥା ଶୁଣି ନିଆଁରେ ପାଣି ପଡିବା ପରି,କାଞ୍ଚନ ପୁରା ଚୁପ ହୋଇଗଲେ |ସେଠାରୁ ଯାଉ ଯାଉ ତାଙ୍କର ଶେଷ ବାଣୀ ଛାଡିଲେ ,ଅଲକ୍ଷଣୀ,ଆମ ଘର ଭାଙ୍ଗିବାକୁ ଆସିଛି |

                    କାଞ୍ଚନ ଯିବାପରେ ସୁବାସିନୀ ଓ ଦୀପା ବସୁଧାକୁ ବହୁତ ବୁଝାଇଲେ |ବସୁଧା ମନରେ କିନ୍ତୁ ଅନେକ ଭାବାନ୍ତର ସୃଷ୍ଟି ହେଉଥିଲା ଓ ସେ ନିଜ କର୍ମପନ୍ଥା ସ୍ଥିର କରି ସାରିଥିଲା |ତାକୁ ଆଉ ମୁହୂର୍ତ୍ତେ ମାତ୍ର ବଞ୍ଚିବାକୁ ଇଚ୍ଛା ହେଉନଥିଲା |କିନ୍ତୁ ଅନ୍ୟମାନଙ୍କ ମନରେ ସନ୍ଦେହ ନ ଆଣିବାପାଇଁ,ନିଜ ମନକଥା ମନରେ ରଖି, ଯେପରି ସବୁକିଛି ସ୍ୱାଭାବିକ ଅଛି ସେପରି ଆଚରଣ ଦେଖାଉ ଥିଲା |ଭୁବନେଶ୍ୱରରେ ପହଞ୍ଚି ଅକ୍ଷର ଫୋନ କରିଥିଲା |ତାକୁ ମଧ୍ୟ ସକାଳର ଘଟଣା ବିଷୟରେ କିଛି ନକହି,ସବୁ ଠିକ ଅଛି ବୋଲି ସେ କହିଲା |

                   ରାତିରେ ଶୋଇବାବେଳେ  ବାବା,ମାଆ ଓ ଭଉଣୀମାନଙ୍କ ତାର କଥା ବହୁତ ମନେ ପଡିଲା |ବାବା ତାକୁ କେତେ ଭଲ ପାଉଥିଲେ,ଗର୍ବରେ ସମସ୍ତଙ୍କ ଆଗରେ କହୁଥିଲେ,ମୋ ଝିଅ ସମସ୍ତଙ୍କଠାରୁ ଭିନ୍ନ,ଅସାଧାରଣ,ଆମ ବଂଶର ନାଁ ରଖିବ !!କିନ୍ତୁ ସେ କଣ କଲା ,ଯିଏ ତା ଉପରେ ଏତେ ବିଶ୍ୱାସ ରଖିଥିଲେ,ତାଙ୍କୁ ଧୋକା ଦେଲା !!ତା ପାପର ପ୍ରାୟଶ୍ଚିତ୍ତ ନାହିଁ !!!ସେ ଯେତେ ଏକଥା ଭାବୁଥିଲା,ସେତେ କ୍ଷିପ୍ର ଗତିରେ ଆଖିରୁ ତାର ଝର ଝର ହୋଇ ଲୁହଧାରା ଝରି ଯାଉଥିଲା |(କ୍ରମଶଃ)  

Tuesday, July 12, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ,ଭାଗ 3)

                                  ସୁବାସିନୀଙ୍କଠାରୁ ସାନ୍ତ୍ୱନା ବାଣୀ ଶୁଣିବାପରେ ଅକ୍ଷର ଟିକିଏ ଆଶ୍ୱସ୍ତ ହେଲା |ଏସବୁ ବାର୍ତ୍ତାଳାପ ବସୁଧା ଶୁଣୁଛି କି ନାହିଁ,ଜାଣିବାପାଇଁ ସେ ବସୁଧା ଆଡକୁ ଚାହିଁଲା |କିନ୍ତୁ ବସୁଧା ଅନେକବେଳୁ ସେଠାରୁ ଚାଲିଯାଇଥିଲା |ସେ ତାକୁ ଖୋଜି ଖୋଜି ଯାଇ ଦେଖିଲା,ସୁବାସିନୀଙ୍କ କୋଠରୀ ପାଖରେ ଥିବା  କଣିକିଆ ଘରେ, ଯେଉଁଟି ସେମାନଙ୍କପାଇଁ  ଉଦ୍ଦିଷ୍ଟ ଥିଲା,ସେଇଠି ସେ  ଦୁଇ ଆଂଠୁ ଭିତରେ ମୁହଁ ଲୁଚାଇ ବସିଛି |ଅକ୍ଷର ତା ପାଖରେ ବସି ତାକୁ ନିଜ ଆଡକୁ ଆଉଜାଇ ଆଣିଲା |ବସୁଧା କାନ୍ଦୁଥିଲା ,ବିନା ଶବ୍ଦରେ ଆଖିରୁ ତାର ଧାର ଧାର ଲୁହ ଝରି ଯାଉଥିଲା |ତା କାନ୍ଦ ଦେଖି ଅକ୍ଷର ଆଖିକୁ ମଧ୍ୟ ଲୁହ ଚାଲିଆସିଲା |ସେ କହିଲା,ମୁଁ ବଡ଼ ଭୁଲ କରିଦେଇଛି ବସୁ,ଯିଏ ରାଜମହଲରେ ରହିବା କଥା ତାକୁ ମୁଁ ଆଣି ଭଙ୍ଗା କୁଡ଼ିଆରେ ରଖିଦେଲି !!ମୋ ଭଳି ପାପୀ ଦୁନିଆଁରେ କେହି ନାହାନ୍ତି | ତା କଥା ଶୁଣି ବସୁଧା ମୁହଁ ଉଠାଇ ଅକ୍ଷରକୁ ଚାହିଁଲା  |ଅକ୍ଷର ସେମିତି କହି ଚାଲିଥିଲା,ତମେ ବ୍ୟସ୍ତ ହୁଅନା,ମୁଁ କାଲି ସକାଳେ ଯାଇ ରାତିରେ କିମ୍ବା ତା ପରଦିନ ସକାଳେ ଚାଲିଆସିବି |ତାପରେ ଆମେ ଚାଲିଯିବା,ଆଉ ଗାଆଁକୁ ଆସିବା ନାହିଁ  |ହେଲେ ଗୋଟିଏ ସମସ୍ୟା ଅଛି,ଯଦି ଅଙ୍କଲ ମୋ ନାଆଁରେ ଏଫ ଆଇ ଆର ଦେଇଥିବେ,ତାହେଲେ କଥା ସରିଲା,ମତେ ସିଧା ଜେଲ ଯିବାକୁ ପଡ଼ିବ |

                             ଅକ୍ଷରର କଥା ଶେଷ ନ ହେଉଣୁ,ବସୁଧା ତା ହାତ ମୁଠାକୁ ନିଜ ହାତମୁଠାରେ ଜାବୁଡି ଧରି କହିଲା,ନାଁ  ନାଁ,ତମେ ଏବେ କୁଆଡେ ଯାଅନା ,ଆମେ ବରଂ ଆଉ କିଛିଦିନ ଅପେକ୍ଷା କରିବା |ଅକ୍ଷର କହିଲା,ସେଇଆ ତ ଭାବିଥିଲି,କିନ୍ତୁ ଦେଖୁଛ ତ ବୋଉ କେମିତି ହେଉଛି !ସେ ସହଜରେ ବୁଝିବନି |ତେଣୁ ଯେତେ ଶୀଘ୍ର ଏଇଠୁ ଚାଲିଯିବା ଆମପାଇଁ ବରଂ ଭଲ ହେବ |ଅକ୍ଷର କଥା ଶୁଣି ବସୁଧାର ଆପାଦମସ୍ତକ  ଭୟରେ ଥରିଗଲା |ସେ କହିଲା,ତମେ ଯିବାପରେ ମତେ  ବୋଉ ବାଡିଆପିଟା କରିବେନି ତ ?ଅକ୍ଷର ହସି ପକାଇ କହିଲା,ନାଁ ସେମିତି କିଛି ହେବନି,ବଡ଼ବୋଉ ଅଛନ୍ତି,ଭାଇ ଭାଉଜ ଅଛନ୍ତି,କାହିଁକି ବ୍ୟସ୍ତ ହେଉଛ ? 

                               ପରଦିନ ଭୋରରୁ ଅକ୍ଷର ଉଠିବା ପୂର୍ବରୁ,ବସୁଧା  ଦୀପା ସହିତ ତାର ସକାଳ ନିତ୍ୟକର୍ମ ସାରିବାକୁ ଗଲା |ଗାଆଁରେ ଘରର ଅବସ୍ଥା ଯେମିତି,ବାହାର ଅବସ୍ଥା ତା ଠାରୁ ଅଧିକ ଶୋଚନୀୟ ଥିଲା |ଝାଡା ଯିବାପାଇଁ ନାମକୁ ମାତ୍ର ପାଇଖାନା ଅଛି,କିନ୍ତୁ ସେଠାକୁ ପାଣି ନେବା ଆଣିବା କରିବା କଷ୍ଟକର ବ୍ୟାପାର ହୋଇଥିବାରୁ,ବାହାରେ ସମସ୍ତେ କାମ ସାରିଦେଇ ଆସନ୍ତି |ବସୁଧାକୁ ମଧ୍ୟ ସେଇଆ କରିବାକୁ ପଡୁଥିଲା  |ସେମାନେ ଦୁଇଜଣ ଗାଧୋଇ ଆସିବାବେଳକୁ ଅକ୍ଷର ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହୋଇ ବସୁଧା ପ୍ରତୀକ୍ଷାରେ ଥିଲା |ବସୁଧାକୁ ଦେଖୁ ଦେଖୁ ସେ କହିଲା,ମୁଁ ଯାଉଛି,ଭୁବନେଶ୍ୱରରେ ମୋର ବହୁତ କାମ ରହିଛି |ସେଇଠି ମୋର  ନିତ୍ୟକର୍ମ ଇତ୍ୟାଦି କାମ କରିବି|ମୁଁ ଆଜି ରାତିରେ କିମ୍ବା କାଲି ଆସିବି,ତମେ ବ୍ୟସ୍ତ ହେବନାହିଁ,ମତେ ଫୋନ କରୁଥିବ |ତାପରେ ସେ ସୁବାସିନୀଙ୍କ ପାଖକୁ ଯାଇ କହିଲା,ବଡ଼ବୋଉ ଯାଉଛି,ବସୁ ତମକୁ ଲାଗିଲା |ସୁବାସିନୀ ତା ମୁଣ୍ଡରେ ହାତ ରଖି କହିଲେ ,ପାଗଳା ଟା ,ଦିନକର କଥା,କାହିଁକି ସେମିତି ହେଉଛୁ ?ଆମେ ସମସ୍ତେ ମିଶି ବସୁକୁ  ଆମ ପଣତ କାନିରେ ଘୋଡେଇ ରଖିବୁ,ତୁ ଆସିଲେ,ତାକୁ ତୋ ଜିମା ଦେଇଦେଲେ ଆମର ଶାନ୍ତି |ତୁ ଏଥର ନିଶ୍ଚିନ୍ତ ହୋଇ ଭଲରେ ଯାଇ ଭଲରେ ଆସେ |ସେଇଠି ପହଞ୍ଚିବା ପରେ,ବସୁକୁ ଫୋନ କରିବୁ | (କ୍ରମଶଃ)

Sunday, July 10, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ, ଭାଗ 2)

                         ହଠାତ ଏକ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଅକ୍ଷର ବସୁଧାକୁ ନେଇ ଚାଲି ଆସିଲା ସିନା,ତାକୁ ନେଇ କୁଆଡେ ଯିବ,କଣ କରିବ,ସେକଥା ସେ ଆଦୌ ଚିନ୍ତା କରି ନଥିଲା |ଶେଷରେ ତାର ନିଜ ଗାଆଁ ହିଁ ସେମାନଙ୍କର ଏକମାତ୍ର ନିର୍ଭରଯୋଗ୍ୟ ଆଶ୍ରୟସ୍ଥଳ ବୋଲି ତାର ମନେହେଲା |ସେ ବସୁଧାକୁ କହିଲା,ବସୁ,ଆମେ ଗାଆଁକୁ ଯିବା,ସେଇଠି ସମସ୍ତେ ଆମ ନିଜର,ଆମେ ସେଇଠି ନିରାପଦରେ ରହିପାରିବା  |ବସୁଧାକୁ କାନ୍ଦ ମାଡୁଥିଲା |ଗୋଟିଏ ହୋସରେ ସେ ସିନା ଘର ଛାଡି ଚାଲି ଆସିବାର ନିଷ୍ପତ୍ତି ନେଲା,କିନ୍ତୁ ତାହା ଯେ ସେମାନଙ୍କ ପାଇଁ ଏତେ ବିପଦପୂର୍ଣ୍ଣ ହେବ,ସେ କଳ୍ପନା ସୁଦ୍ଧା କରିପାରିନଥିଲା |

                         ସେମାନେ ଗାଆଁରେ ପହଞ୍ଚିବା ପରେ,ଚାରିଆଡେ ହୁରି ପଡିଗଲା |ସେମାନଙ୍କୁ ଦେଖିବାପାଇଁ ମାଳ ମାଳ ହୋଇ ନିଜ ଗାଆଁ ସମେତ ଆଖପାଖ ଗ୍ରାମ ବାସିନ୍ଦା ମାଡିଆସିଲେ |ଅକ୍ଷରର ମାଆ କାଞ୍ଚନଙ୍କ କାନରେ ଏକଥା ପଡିବା ମାତ୍ରକେ, ସେ କ୍ରୋଧରେ ଫାଟି ପଡିଲେ ଓ ପରେ ପରେ ବସୁଧା ଓ ତାର ଚଉଦ ପୁରୁଷକୁ ଗାଳି ଦେଇ ବାହୁନିବାରେ ଲାଗିଲେ | ପରିବାରରେ ସେମାନେ ଦୁଇଯାଆ ଥିଲେ |କାଞ୍ଚନଙ୍କ ବଡ଼ଯାଆ ସୁବାସିନୀଙ୍କ ସ୍ୱାମୀଙ୍କର ଅନେକ ବର୍ଷ ତଳେ ଦେହାନ୍ତ ହୋଇ ସାରିଥିଲା  |ତାଙ୍କର ଝିଅ ପାଖ ଗାଆଁରେ ବାହା ହୋଇଥିବାବେଳେ,ବୋହୂ ସେଇ ଆଖପାଖ ଗାଆଁର ଝିଅ |ଯାହାତ ହେବାର ହେଲାଣି,ପୁଅ ବୋହୂଙ୍କୁ ସ୍ଵୀକାର କରିବା ପାଇଁ,ସୁବାସିନୀ କାଞ୍ଚନଙ୍କୁ ଅନେକ ବୁଝାଇଲେ |କାଞ୍ଚନ କିନ୍ତୁ ଆଦୌ ବୁଝୁ ନଥିଲେ |ଅକ୍ଷରର ସରକାରୀ ଚାକିରୀ ଥିଲା |ସେହି ହିସାବରେ ସେ ଭଲ ଜାନିଯୌତୁକ ଦେଇ ପାରୁଥିବା ଝିଅଟିଏ  ଠିକ କରିଥିଲେ |କିନ୍ତୁ ଅକ୍ଷରର ଏହି ଅବାଂଛିତ କାର୍ଯ୍ୟ ତାଙ୍କର ସବୁ ସ୍ୱପ୍ନକୁ ଭାଙ୍ଗି ଚୁରମାର କରି ଦେଇଥିଲା |କାଞ୍ଚନ ଅବୁଝା ଥିବାରୁ,ବଡ଼ ହିସାବରେ,ସୁବାସିନୀଙ୍କୁ ନିଷ୍ପତ୍ତି ନେବାକୁ ପଡିଲା  |ବୋହୂ ଦୀପା ହାତରେ ବନ୍ଦାଣ ଥାଳି ଦେଇ,ସେ ଉଭୟଙ୍କୁ ଘରକୁ ପାଛୋଟି ଆଣିଲେ |

                       ଅକ୍ଷର ଓ ବସୁଧା ବିଧିବଦ୍ଧ ଭାବରେ ବିବାହ କରିନଥିଲେ |ତେଣୁ ସୁବାସିନୀ କୁଳପୁରୋହିତଙ୍କ ସହିତ ବିଚାର ବିମର୍ଶ କରି,ଦୁହିଁଙ୍କର ବାହାଘର କରାଇଲେ ଓ ସାହି ଲୋକଙ୍କୁ ଯତ କିଞ୍ଚିତ ଭୋଜି ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କଲେ |ଏସବୁ କାଞ୍ଚନଙ୍କ ଇଚ୍ଛା ବିରୁଦ୍ଧରେ ହେଉଥିଲା |ତେଣୁ ସେ ମନେ ମନେ ରକ୍ତ ଚାଉଳ ଚୋବାଉ ଥିଲେ |

                       ଚତୁର୍ଥୀ ପରଦିନ ସେ ଅକ୍ଷରକୁ ସଫା ସଫା ଶୁଣାଇଦେଲେ ଯେ,ସେ ବଞ୍ଚିଥିବାଯାକେ ବସୁଧା ଗାଆଁରେ ରହି ପାରିବନାହିଁ |ଅକ୍ଷର ତାକୁ ନେଇ ଯୁଆଡେ ମନ ସିଆଡେ ଯାଉ |ଅକ୍ଷର କହିଲା,ଏମିତି କଣ କହୁଛୁ ବୋଉ ?  ଆମ  ଭୁବନେଶ୍ୱର ଘରେ ମୋ ସାଙ୍ଗରେ ଆଉ ଦୁଇଜଣ ପିଲା ଅଛନ୍ତି |ତାଙ୍କୁ କାଢ଼ି ଘର ଠିକଣା କଲେ ସିନା,ମୁଁ ୟାକୁ ନେବି !!ସେଥିପାଇଁ ମତେ  ଅତି କମରେ  ତିନି ଚାରି ଦିନ ସମୟ ଲାଗିବ | କାଞ୍ଚନ କହିଲେ,ଯଦି ଏତେ କଥା ଥିଲା,ସବୁ ଠିକଣା ନକରି କାହିଁକି ତାକୁ ଏଠିକି ନେଇ ଆସିଲୁ ?ଏ ବିଷୟରେ ଥରେ ମତେ ପଚାରିଛୁ ?ନାଁ,ସେକଥା ହୋଇ ପାରିବ ନାହିଁ,ତୁ ଆଜି ଯାଆ ,କାଲି ଆସି ତାକୁ ନେଇଯିବୁ |ସେ ଅଲକ୍ଷଣୀ ମୁହଁ ଦେଖିଲେ,ମୋ ହାଡ ଜଳୁଛି |ଏହି ସମୟରେ ସୁବାସିନୀ ସେଠାକୁ ଆସି କହିଲେ,ତୁ ତାକୁ ଦେଖିବା ଦରକାର ନାହିଁ କି ତୋର ହାଡ ଜଳିବା ଦରକାର ନାହିଁ ,ବସୁ ଏଣିକି ମୋ ଦାୟିତ୍ତ୍ଵରେ ରହିବ |ତାପରେ ସେ ଅକ୍ଷରକୁ କହିଲେ,ଆଜି ଗୁରୁବାର,ତୁ ଆଜି ଯାଆନା,କାଲି ଯିବୁ |ସବୁ ସୁବିଧା ହେଲା ପରେ ଆସିବୁ |ସୁବାସିନୀଙ୍କ ଏକ ଏକ ବାକ୍ୟ କାଞ୍ଚନଙ୍କ ମୁଣ୍ଡରେ ହାତୁଡି ପ୍ରହାର ପରି ଲାଗୁଥିଲା |ସେ  ଆଉ ଅଧିକ କିଛି ନକହି ସେଠାରୁ ଚାଲିଗଲେ |(କ୍ରମଶଃ) 

Thursday, July 7, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ ଭାଗ 1)

                  (  ମୋର ପ୍ରିୟ ପାଠକ/ପାଠିକା ମାନଙ୍କ ପାଇଁ ଏହା ମୋର  ପଞ୍ଚମ ଧାରାବାହିକ ଭେଟି  | ଏହାର କାହାଣୀ ଓ ଏଥିରେ ବର୍ଣ୍ଣିତ ସମସ୍ତ ଚରିତ୍ର ସମ୍ପୂର୍ଣ୍ଣ କାଳ୍ପନିକ |ବାସ୍ତବିକ ଜୀବନ ସହିତ କାହାଣୀର କିଛି ବି ସାମଞ୍ଜସ୍ୟକୁ  ଆକସ୍ମିକ ସଂଯୋଗ ବୋଲି ଧରିନେବାକୁ ମୋର ବିନମ୍ର ନିବେଦନ   |)

                   କରୁଣାକର ଓ ଇନ୍ଦିରାଙ୍କର ଚାରି ଝିଅ ଥିଲେ |ସେମାନେ ହେଲେ,ସିନ୍ଧୁଜା,ବସୁଧା,ସୁଦୀକ୍ଷା ଓ ଅମୃତା |ପ୍ରଥମ ଦୁଇ ଭଉଣୀଙ୍କ ଜନ୍ମର ବ୍ୟବଧାନ ଦୁଇବର୍ଷ ଥିବାବେଳେ ଶେଷ ଦୁଇଭଉଣୀ ବସୁଧା ଠାରୁ ପାଞ୍ଚବର୍ଷ ସାନ,ଯାଆଁଳା ସନ୍ତାନ ଥିଲେ |ଉଭୟ କରୁଣାକର ଓ ଇନ୍ଦିରା ସିରିଡ଼ି ସାଇବାବାଙ୍କର ଭକ୍ତ ଥିଲେ |ପ୍ରତି ମାସର ଶେଷ ଗୁରୁବାର ସନ୍ଧ୍ୟାରେ ତାଙ୍କ ଘରେ ସାଇବାବାଙ୍କ ପୂଜା ଆରାଧନା ସହିତ ଭକ୍ତମାନଙ୍କର ଗହଳି ଲାଗୁଥିଲା |ସେଦିନ ସମସ୍ତେ ନିଜ ନିଜ ଘରୁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଆଣୁଥିଲେ ଓ ପୂଜା ଶେଷରେ ଭୋଗ କରି ସମସ୍ତେ ପ୍ରସାଦ ବାଣ୍ଟି କରି ଖାଉଥିଲେ |ନିନ୍ଦୁକମାନେ କହନ୍ତି ,କରୁଣାକର ଦମ୍ପତ୍ତି କାଳେ ଦୁଇଝିଅ ପରେ ପୁଅଟିଏ ପାଇବାପାଇଁ ଦେବାଦେବୀଙ୍କ ନିକଟରେ ଅନେକ ପୂଜା,ଓଷା ,ଯଜ୍ଞ ଓ ବ୍ରତ ଆଦି କରିଥିଲେ |କିନ୍ତୁ ଯାଆଁଳା ଝିଅ ଜନ୍ମ ହେବାପରେ ସେମାନେ ଦେବାଦେବୀଙ୍କ ପ୍ରତି ବୀତସ୍ପୃହ ହୋଇ ସାଇବାବାଙ୍କର ଆଶ୍ରିତ ହୋଇଯାଇଥିଲେ  |

                  କାଞ୍ଚନଙ୍କ  ସ୍ୱାମୀ ଅବିନାଶ କରୁଣାକରଙ୍କ ବାଲ୍ୟ ବନ୍ଧୁ ଥିଲେ |କାଞ୍ଚନ  ଗାଁରେ ସଂଯୁକ୍ତ ପରିବାରରେ ରହୁଥିବାବେଳେ ଅବିନାଶ ନିଜର ଏକମାତ୍ର ପୁତ୍ର ଅକ୍ଷର ସହ ଭୁବନେଶ୍ୱରର ଏକ ସରକାରୀ ଭଡ଼ାଘରେ ରହୁଥିଲେ | ପିତାପୁତ୍ର ଦୁଇଜଣ କରୁଣାକରଙ୍କ ଘରେ ଅନୁଷ୍ଠିତ ହେଉଥିବା ସାଇବାବାଙ୍କ ପୂଜାରେ ନିଶ୍ଚିତଭାବେ ଯୋଗ ଦେଉଥିଲେ |ସାଇବାବାଙ୍କୁ ପୁଷ୍ପମାଳାରେ ସଜାଇଦେବାଠାରୁ ଆରମ୍ଭ କରି ଭୋଗ ବାଣ୍ଟିବା ଆଦି ସମସ୍ତ ଦାୟିତ୍ତ୍ୱ ଅକ୍ଷର ଉପରେ ନ୍ୟସ୍ତ ଥିଲା |କରୁଣାକର ଦମ୍ପତ୍ତି ଅକ୍ଷରକୁ ବହୁତ ଭଲ ପାଉଥିଲେ ଓ ବିଶ୍ୱାସ କରୁଥିଲେ |ଅବିନାଶ ଜଣେ ଭଲ ମଣିଷ ଥିବା ସତ୍ତ୍ୱେ  ନିଶା ପ୍ରତି ତାଙ୍କର ପ୍ରବଳ ଆସକ୍ତି ଥିଲା | ନିଶାସକ୍ତ ହୋଇ ହୋଇ ଦିନେ ସେ ଏକ ଭୋଜିରୁ ଫେରୁଥିବାବେଳେ ଅକସ୍ମାତ ଏକ ବିଜୁଳି ଖୁଣ୍ଟରେ ସ୍କୁଟିଟି  ବାଡେଇ ହୋଇଯିବାରୁ,ଘଟଣାସ୍ଥଳରେ ତାଙ୍କର ଅକାଳ ମୃତ୍ୟୁ ହୋଇଗଲା  |

                  ପିତାଙ୍କ ମୃତ୍ୟୁ ପରେ ଅକ୍ଷରକୁ  ସରକାରୀ ନିୟମାନୁଯାୟୀ ଚାକିରୀ ମିଳିଲା ଓ  ପିତାଙ୍କ ନାମରେ ଥିବା ଛୋଟ ଦୁଇ ବଖରା ସରକାରୀ ବାସଗୃହଟି ତା ନାମରେ ହୋଇ ଯାଇଥିଲା |କାଞ୍ଚନ କିନ୍ତୁ ଭୁବନେଶ୍ୱରକୁ ନ ଆସି, ପୂର୍ବପରି ଗାଆଁରେ ରହିଥିଲେ |

                    କରୁଣାକରଙ୍କ ସମସ୍ତ  କନ୍ୟା ସୁନ୍ଦରୀ ଓ ଗୁଣବତୀ ଥିଲେ |କିନ୍ତୁ ଦ୍ୱିତୀୟ କନ୍ୟା ବସୁଧା ସବୁ ଭଉଣୀମାନଙ୍କଠାରୁ ଭିନ୍ନ ,ଅତି ସୁନ୍ଦରୀ, ଉଭୟ ଘର ଓ ବାହାର କାର୍ଯ୍ୟରେ ନିପୁଣା ଥିଲା  |ଦରଜିକୁ ସିଲେଇ କରିବାକୁ କପଡା ନଦେଇ,ସେ ନିଜେ ସମସ୍ତଙ୍କର ପୋଷାକ ଘରେ ସିଲେଇ ମେସିନରେ ତିଆରି କରୁଥିଲା |ତାହା ଏପରି ନିଖୁଣ ଥିଲା ଯେ,ଡ୍ରେସ କିଣା ହୋଇଛି କି ଘରେ ତିଆରି ହୋଇଛି,ବେଳେବେଳେ ଜାଣିବା ମୁସ୍କିଲ ହୋଇ ପଡୁଥିଲା |ସେମାନେ ସମସ୍ତେ ଆମିଷ ପ୍ରିୟ ଥିଲେ |ଘରକୁ ଆମିଷ ଆସିଲେ,ବସୁଧା ରାନ୍ଧିବା ଥୟ ଥିଲା | ପ୍ରତିଥର ନିଜ ପସନ୍ଦ ଅନୁସାରେ ଭିନ୍ନ ଭିନ୍ନ ଶୈଳୀରେ ଆମିଷ ତରକାରୀ ରାନ୍ଧି ସେ ସମସ୍ତଙ୍କ ମନ ମୋହି ନେଉଥିଲା  | ବସୁଧା ନିଜର ନିରାଡ଼ମ୍ବର ବେଶଭୂଷା ଓ ମେଳାପୀ ବ୍ୟବହାର  ପାଇଁ, ସମସ୍ତଙ୍କର ପ୍ରିୟ ଥିଲା |

                     କରୁଣାକରଙ୍କର ଚାରିଝିଅ ଥିବାରୁ,ସେ ଝିଅମାନଙ୍କର ବିବାହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଚାହୁଁଥିଲେ |ସିନ୍ଧୁଜା ଯୁକ୍ତ ତିନିରେ ପଢୁଥିବାବେଳେ,ତା ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଲା |କରୁଣାକର ପୁଅ ବିଷୟରେ ସବିଶେଷ ଖବର ସଂଗ୍ରହ କରିବାପରେ ତାଙ୍କ ଘରକୁ ଯାଇ ସେମାନଙ୍କ ପରିବାର ବିଷୟରେ ଅବଶିଷ୍ଟ ତଥ୍ୟ ସଂଗ୍ରହ କଲେ |ପ୍ରସ୍ତାବଟି ତାଙ୍କ ମନଲାଖି ଥିଲା |ତେଣୁ ସେ ଅରାଜି ହେବାର ପ୍ରଶ୍ନ ଉଠୁନଥିଲା |ଶୁଭ ତିଥି ବାର ଦେଖି,ନିର୍ବନ୍ଧ ଓ ବିବାହ ତାରିଖ ଧାର୍ଯ୍ୟ ହେଲା |

                    ସିନ୍ଧୁଜାର ନିର୍ବନ୍ଧ ଓ ବାହାଘରରେ କରୁଣାକରଙ୍କୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ ଓ ସହଯୋଗ କରି ଅକ୍ଷର ପ୍ରକୃତ ବନ୍ଧୁ ପୁତ୍ରର ଦାୟିତ୍ତ୍ୱ ନିଭାଇ ଥିଲା |ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘରରେ କନ୍ୟା ବିଦା ହେବା ପର୍ଯ୍ୟନ୍ତ କରୁଣାକରଙ୍କ ପାଟିରେ "ଅଖି" ଛଡ଼ା ଆଉ କିଛି ଶବ୍ଦ ପଶୁ  ନଥିଲା | ସୁରୁଖୁରୁରେ ବାହାଘର ଶେଷ ହେବାପରେ ଉଭୟ କରୁଣାକର ଓ ଇନ୍ଦିରା ଅକ୍ଷରକୁ ପ୍ରଶଂସାରେ ପୋତି ପକାଇଲେ |ଅକ୍ଷର ନଥିଲେ ସେମାନେ ଯେ କେତେ ହଇରାଣ ହରକତ ହୋଇଥାନ୍ତେ,ଏକଥା ବର୍ଣ୍ଣନା କରି କରି ତାଙ୍କ ପାଟି ଥକୁ ନଥିଲା |

                କରୁଣାକରଙ୍କ ଘରକୁ ନିୟମିତ ଯିବା ଆସିବା ଭିତରେ ଅକ୍ଷର ସେମାନଙ୍କ ପରିବାରର ଏକ ସଦସ୍ୟ  ପାଲଟି ଯାଇଥିଲା |କିନ୍ତୁ ସିଏ ଯେ ଦିନେ ବସୁଧାକୁ ତାର  ପ୍ରେମ ଜାଲରେ ଫସାଇ ଦେବ,ଏହା ତାଙ୍କ କଳ୍ପନାର ବାହାରେ ଥିଲା |ଯେତେବେଳେ ତାଙ୍କୁ ଏହାର ସମ୍ୟକ ଆଭାସ ମିଳିଲା,ସେମାନେ ଉଭୟଙ୍କୁ ଆକଟ କରି, ତାଙ୍କ ଘରକୁ ନ ଆସିବା ପାଇଁ,ଅକ୍ଷର ଉପରେ  ନିଷେଧାଜ୍ଞା  ଜାରି କଲେ  |କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା |ସେମାନଙ୍କ ମାନ ସମ୍ମାନକୁ ଖାତିର ନକରି ଓ ପରିବାରର ଇଜ୍ଜତକୁ ମାଟିରେ ମିଶେଇ,ଦିନେ ବସୁଧା ଅକ୍ଷର ସହିତ ଫେରାର ହୋଇଗଲା  |(କ୍ରମଶଃ )