ଶ୍ଵେତା ଆଉ କବାଟ ଖୋଲି ନଥିଲା | ପୋଲିସ ଉପସ୍ଥିତିରେ ବାଥରୁମ କବାଟ ଭଙ୍ଗାଯାଇ ଶ୍ଵେତାର ଶବ ଉଦ୍ଧାର କରାଗଲା |ଫଳକଟା ଛୁରୀରେ ମଣିବନ୍ଧ ଧମନୀ କାଟି ସେ ଆତ୍ମହତ୍ୟା କରିଥିଲା |ତାର ମୃତ୍ୟୁ ପାଇଁ ରାକେଶ ଦାୟୀ ବୋଲି ସେ ସ୍ପଷ୍ଟ ଭାବେ ଲେଖି ଯାଇଥିଲା | ରାକେଶ କିଛିଦିନ ଫେରାର ରହିବା ପରେ,ପୋଲିସ ନିକଟରେ ଆତ୍ମସମର୍ପଣ କଲା |ତାକୁ ଆରେଷ୍ଟ କରାଯିବା ପରେ ସେ ତା ସ୍ଵୀକାରୋକ୍ତିରେ କହିଥିଲା,ବେଶ କିଛିଦିନ ହେବ,ଶ୍ଵେତା ତାକୁ ଅଣ୍ଡରଏଷ୍ଟିମେଟ କରି ଆଭଏଡ଼ କରୁଥିଲା ଓ ତାର ଫୋନ କଲ ରିସିଭ କରୁ ନଥିଲା |ତେଣୁ ତାକୁ ପାନେ ଦେବାପାଇଁ ସେ ଏପରି କରିଥିଲା |
କିନ୍ତୁ ଦିବ୍ୟାଶାର ଦୁନିଆଁ ଅନ୍ଧକାର ହୋଇ ଯାଇଥିଲା |ଶ୍ଵେତା କଥା ମନେପଡ଼ି ସେ ଅଧୀର ,ଅସ୍ଥିର ଓ ଅଥୟ ହୋଇ ଯାଉଥିଲା |ସେ ସବୁବେଳେ ଭାବୁଥିଲା,ଦୋଷୀ ଦଣ୍ଡ ପାଉ ବା ନପାଉ ତା ଶ୍ଵେତା ଆଉ ତା ପାଖକୁ ଫେରି ଆସିବ ନାହିଁ ! !ପିଲାଦିନରୁ ସେ ତା ସହିତ ଏପରି ନିବିଡ଼ ଭାବରେ ମିଶି ଯାଇଥିଲା ଯେ ତାକୁ ଭୁଲିଯିବା ତା ପକ୍ଷେ ସମ୍ଭବପର ନଥିଲା |ଏତେବଡ଼ ଦୁର୍ଘଟଣା ପରେ ସିଏ ବା କେଉଁ ମୁହଁରେ ଭାରତୀଙ୍କୁ ଅନିଷ ବିଷୟରେ କହି ପାରିବ?କିଏ ବା କାହିଁକି ତା ପାଇଁ ଓକିଲାତି କରି ବିପଦକୁ ଆବୋରିବାକୁ ଚାହିଁବ ?ବୋଉ ଫୋନ କରିଥିଲେ |କହୁଥିଲେ,ସାନଭାଇ ଦୀପୁ ଆଦୌ ପାଠପଢ଼ାରେ ମନ ଦେଉନି |ସେ ଅଫିସ ଆସିବା ପରେ ପାଠ ନପଢ଼ି ସାଙ୍ଗ ମାନଙ୍କ ସହିତ ମସ୍ତି କରୁଛି |ଶ୍ଵେତା ଯେଉଁ ବାଟରେ ଗଲା,ସେପରି କିଛି ନ କରିବାକୁ ସେ ତାକୁ ବାରମ୍ବାର ତାଗିଦ କରି ଦେଇଥିଲେ |ତାଙ୍କ କଥା ଶୁଣି ଦିବ୍ୟାଶା ର ଶେଷ ଆଶା ଟିକକ ମଉଳି ଯାଇଥିଲା |ତାର ଆଉ ଗୋଟିଏ ସେମିଷ୍ଟାର ବାକି ଥିଲା ଯାହାକି ତାପାଇଁ ବହୁତ ଗୁରୁତ୍ତ୍ଵପୂର୍ଣ୍ଣ ଥିଲା |କିନ୍ତୁ ବହି ଖୋଲିବା କ୍ଷଣି ଶ୍ୱେତାର ମୁହଁ ଓ କରୁଣ ଚାହାଣୀ ସବୁବେଳେ ତାର ମନେ ପଡୁଥିଲା | ଘଟଣା ସବୁ ଏପରି ଭାବରେ ଘଟି ଯାଉଥିଲା ଯେ,ତାକୁ ଲାଗୁଥିଲା,ଏହି ଜନ୍ମରେ ସେ ଆଉ ଅନିଷକୁ ପାଇ ପାରିବ ନାହିଁ |
ଅନିଷ କଥା ମନକୁ ଆସିବା କ୍ଷଣି ଅନସୂୟାଙ୍କ ସୁନ୍ଦର ସ୍ନେହବୋଳା ମୁହଁ ଟି ତା ଆଖି ଆଗରେ ନାଚିଗଲା |କେତେ ସହଜରେ ସେ ସେମାନଙ୍କ ଭଲପାଇବାକୁ ସ୍ଵୀକୃତି ଦେଇଥିଲେ |ତାଙ୍କୁ ସେ କି ଉତ୍ତର ଦେବ ?କିନ୍ତୁ ଆଉ ଅନିଶ୍ଚିତ ସୁଖସ୍ୱପ୍ନରେ ଭାସିଯିବାକୁ ତା ମନ ଚାହୁଁ ନଥିଲା |ସେ ନିଜେ ବି ଜାଣିପାରୁଥିଲା,ସେ ବିଲକୁଲ ବଦଳି ଯାଇଛି !!
ଏମିତି ମାନସିକ ଦୁଃଶ୍ଚିନ୍ତା ଭିତରେ ଦିନେ ଅକସ୍ମାତ ଅନିଷ ଆସି ତା ପାଖରେ ପହଞ୍ଚିଲା |ସେ ଦେଖିଲା,ଦିବ୍ୟାଶା ଅନେକ ବଦଳି ଯାଇଛି,ଆଉ ଆଗପରି ଚୁଲବୁଲି ନାହିଁ |ଅନିଷ କହିଲା,ତମେ ବହୁତ ବଦଳି ଯାଇଛ ଦେବୁ,ଖାଲି କଣ ଶ୍ଵେତା ପାଇଁ ? ଦିବ୍ୟାଶା କହିଲା,ଘର ପରିସ୍ଥିତି ଭଲ ନାହିଁ, ମତେ ବି ଆଜିକାଲି କିଛି ଭଲ ଲାଗୁନାହିଁ ;ମୋ ମନକୁ ନ ସଜାଡ଼ିବା ପର୍ଯ୍ୟନ୍ତ ମୁଁ ଆମ ସମ୍ପର୍କକୁ କିଛିଦିନ ବିରତି ଦେବାପାଇଁ ଚାହୁଁଛି,ପ୍ଲିଜ ମତେ ଭୁଲ ବୁଝିବ ନାହିଁ |ଦିବ୍ୟାଶାର କଥା ଶୁଣି ଅନିଷ ହୃଦୟରେ ଗଭୀର ଆଘାତ ସୃଷ୍ଟି ହେଲା ଓ ଅସୀମ ଦୁଃଖରେ ତାର ଗଳା ରୁଦ୍ଧ ହୋଇ ଆସିଲା |ସେ କହିଲା,ତାହେଲେ ଇଏ କଣ ତୁମର ଶେଷକଥା ?ମମି ପଚାରିଲେ,ମୁଁ କଣ କହିବି ??ଦିବ୍ୟାଶା କିଛି ନକହି ନୀରବରେ ପଥର ପରି ଛିଡା ହୋଇଥିଲା |ଅନିଷ କହିଲା,ଠିକ ଅଛି,ତମର ଯଦି ଏଇ ଇଛା ତାହେଲେ ମୁଁ ମଧ୍ୟ ପ୍ରମିଜ କରୁଛି, କେବେହେଲେ ମୁଁ ମୋ ଆଡୁ ତମକୁ ଆଗତୁରା ଫୋନ କରିବି ନାହିଁ |ଏତିକି କହି ସେ ସେଠାରୁ ଝଡ଼ ପରି ଚାଲିଗଲା | (କ୍ରମଶଃ)
No comments:
Post a Comment