Sunday, February 28, 2021

ଅନନ୍ୟା (ଭାଗ 33)

         ନିଜ ମନରେ ଉଙ୍କି ମାରୁଥିବା ସନ୍ଦେହରୁ ପରଦା ନ ଉଠିବା ପର୍ଯ୍ୟନ୍ତ ଅନସୂୟା ଶାନ୍ତିରେ ରହି ପାରୁନଥିଲେ |ଉପଯୁକ୍ତ ପ୍ରମାଣ ସହ ସେ ନିଜ ସନ୍ଦେହ ଦୂର କରିବାକୁ ଚାହୁଁଥିଲେ |ଏଥିରେ ଆଦିକନ୍ଦଙ୍କୁ ସାମିଲ କଲେ ସବୁ ନିଷ୍ଫଳ ହୋଇଯିବ ବୋଲି ସେ ଭଲଭାବେ ଜାଣିଥିଲେ |କିନ୍ତୁ ତାଙ୍କ ଯୋଜନାକୁ କିପରି କାର୍ଯ୍ୟକାରୀ କରିବେ,ସେ ବାଟ ସେ ଖୋଜୁଥିଲେ  |ଏମିତି ବ୍ୟଗ୍ରତା ଭିତରେ ଦିନେ ତାଙ୍କ ପାଇଁ ଏକ ସୁଯୋଗ ଆସିଲା |ସେଦିନ ତରବରରେ ଅଫିସ ଯିବାବେଳେ ଆଦିକନ୍ଦ ତାଙ୍କ ଟିଫିନ ଛାଡି ଯାଇଥିଲେ |ତାକୁ ନେବାପାଇଁ ଆଦିକନ୍ଦ ଶରତକୁ  ତାଙ୍କ ଘରକୁ ପଠାଇଲେ  |ଶରତକୁ ଦେଖି  ଅନସୂୟାଙ୍କ ଆନନ୍ଦର ସୀମା ରହିଲା ନାହିଁ | ସେ ତାକୁ ଲଗାଇ ଗଛରୁ ଢେର ସାରା ସଜନା ଛୁଇଁ ଓ ପିଜୁଳି ତୋଳି ସେଥିରୁ କିଛି ଶରତକୁ ଦେଲେ ଓ ବାକି ସବୁ ଦାସ ସାରଙ୍କ ବ୍ୟାଗରେ ଭର୍ତ୍ତି କଲେ |ଶରତ ଠାରୁ ସେ ଜାଣିଲେ,ଦାସ ସାର ସବୁଦିନ ତିନିଟାରେ ଘରକୁ ଖାଇବାକୁ ଆସନ୍ତି ଓ ଖାଇ ସାରିବା ପରେ ଘଣ୍ଟାଏ ଶୋଇ ଅଫିସ ଯାଆନ୍ତି  |ସେତେବେଳେ ବାରଟା ବାଜିଥିଲା |ଏହାକୁ ସୁବର୍ଣ୍ଣ ମୁହୂର୍ତ୍ତ ମନେକରି ସେ ଶରତକୁ ଏକ ଅଟୋ ଡାକିବାକୁ କହିଲେ |

            ଅଟୋରେ ଯିବାବେଳେ ପରିଣତିକୁ ଚିନ୍ତା କରି ତାଙ୍କୁ ଟିକେ ଭୟ ଲାଗୁଥିଲେହେଁ ଏହାଛଡା ଆଉ କିଛି ଉପାୟ ନାହିଁ ଭାବି ସେ ମନକୁ  ଦୃଢ଼ କଲେ |ଶରତ ତାଙ୍କୁ ଦାସ ସାରଙ୍କ  ଘର ଦେଖାଇ ଦେଇ ଅଫିସ ଚାଲିଗଲା |ଗେଟରେ ଦାସ ସାରଙ୍କ ନେମ ପ୍ଲେଟ ଲାଗିଥିଲା ଓ ତା ତଳକୁ ଲେଖାଥିଲା,'କୁକୁର ପ୍ରତି ସାବଧାନ"|ସେ ଅଟୋ ଡ୍ରାଇଭର କୁ ଅପେକ୍ଷା କରିବାକୁ କହି ଗେଟ ପାଖକୁ ଯିବା କ୍ଷଣି ଚେନରେ ବନ୍ଧା ହୋଇଥିବା ଏକ ମାଟିଆ କଳା ରଙ୍ଗ ମିଶା ଫ୍ରେଞ୍ଚ ବୁଲ ଡଗ ଭୋ ଭୋ ହୋଇ ଭୁକିବାକୁ ଆରମ୍ଭ କଲା  |ତା ଭୁକିବା  ଶବ୍ଦ ଶୁଣି  ଭିତରୁ ସାଲୁଆର ପଞ୍ଜାବି ପିନ୍ଧିଥିବା ଜଣେ ସୁନ୍ଦରୀ ମହିଳା ବାହାରି ଆସିଲେ |ଅନସୂୟାଙ୍କୁ ଦେଖି ତାଙ୍କ ଭୃ କୁଞ୍ଚିତ ହୋଇଗଲା |ସେ କର୍କଶ ସ୍ୱରରେ ପଚାରିଲେ,କଣ ଦରକାର ?ଅନସୂୟା ନମ୍ର କଣ୍ଠରେ କହିଲେ,ଗେଟ ଖୋଲନ୍ତୁ,କହିବି |ଭଦ୍ରମହିଳା ଆସି ଗେଟ ପାଖରୁ କିଛି ଦୂରରେ ଛିଡା ହେଲେ |ସେ ଆଉ କଣ ପ୍ରଶ୍ନ ପଚାରିବା ପୂର୍ବରୁ ଅନସୂୟା କହିଲେ,ମୁଁ ଆଦି ବାବୁଙ୍କ ମିସେସ, ଆପଣଙ୍କ ପରିବା ବ୍ୟାଗ ଆମଘରେ ରହି ଯାଇଥିଲା |ଖାଲି ବ୍ୟାଗ କଣ ଫେରାଇବି,ଏଥିରେ ଆମ ବାଡ଼ିର କିଛି ସଜନା ଛୁଇଁ ଓ ପିଜୁଳି ନେଇ ଆସିଛି |ବ୍ୟାଗର ଆୟତନକୁ ଦେଖି ଭଦ୍ରମହିଳା ଖୁସି ହୋଇ କହିଲେ,ଏତେ ଆଣିଛନ୍ତି ? ଦୁଇଟା ଯାକ ମୋର ଅତି ଫେଭୋରାଇଟ,ଥାଙ୍କ ୟୁ ସୋ ମଚ |ଅନସୂୟା କହିଲେ,ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା | ବଡ଼ ଶଙ୍କାରେ ଆସିଥିଲି,ଭାବିଥିଲି, ଆପଣ କାଳେ ଖରାପ ଭାବିବେ |ଭଦ୍ରମହିଳା କହିଲେ,ଆମେ ଦେଲୁ,ଆପଣ ଖରାପ ଭାବିଲେ ନାହିଁ,ଆପଣ ଦେଲେ ଆମେ କାହିଁକି ଖରାପ ଭାବିବୁ ?ସେ  ତାଙ୍କ ପରିଚାରକକୁ ଡାକି ଭିତରକୁ ବ୍ୟାଗ ନେଇଗଲେ |ଅନସୂୟା କହିଲେ,ମୁଁ ତାହେଲେ ଯାଉଛି |ଭଦ୍ରମହିଳା କହିଲେ,ସେମିତି କେମିତି ହେବ?ଚା' ପିଇ ଯିବେ |ଅନସୂୟା କହିଲେ,ଏତେବେଳେ ଆଉ ଚା' କଣ ?ଭଦ୍ରମହିଳା କହିଲେ,ହଉ ଠିକ ଅଛି,ଆସନ୍ତୁ,ପାଞ୍ଚ ମିନିଟ ବସି ଚାଲିଯିବେ |

           ଅନସୂୟା ଭିତରକୁ ଆସିଲେ |ତାଙ୍କୁ ସୋଫାରେ ବସିବାକୁ କହି ଭଦ୍ରମହିଳା ଭିତରକୁ ଚାଲିଗଲେ |ରୂମ ଟିର  ସାଜସଜ୍ଜା ଅତ୍ୟନ୍ତ ସୁଦୃଶ୍ୟ ଥିଲା |କାନ୍ଥରେ ଶିରିଡି ସାଇବାବାଙ୍କ ଏକ ନିଖୁଣ ସୁନ୍ଦର ତୈଳଚିତ୍ର ଟଙ୍ଗା ହୋଇଥିଲା |ତାଙ୍କୁ ଅନସୂୟା ନିର୍ନିମେଷ ନୟନରେ ଚାହିଁ ରହିଲେ |ସେ ଫଟୋକୁ ଯେତିକି ଦେଖୁଥିଲେ,ତାଙ୍କ ମନ ସେତିକି ପ୍ରସନ୍ନତାରେ ଭରି ଯାଉଥିଲା |ଭଦ୍ରମହିଳା କିଛି ସମୟ ପରେ ଅନସୂୟାଙ୍କ ପାଇଁ ଥଣ୍ଡା ପାନୀୟ ଆଣି ଦେଖିଲେ ଅନସୂୟା ଏକ ଲୟରେ ସାଇବାବାଙ୍କ ଫଟୋକୁ ଚାହିଁ ରହିଛନ୍ତି |ସେ ଗର୍ବରେ  କହିଲେ,ୟାକୁ ମୋ ବଡ଼ଝିଅ କରିଛି |ସେ ଖୁବ ସୁନ୍ଦର ପେଣ୍ଟିଂ କରେ;ଈଶ୍ଵରଦତ୍ତ ଗୁଣ,କେହି ତାକୁ ଶିଖେଇ ନାହାନ୍ତି |ଅନସୂୟା ଆଶ୍ଚର୍ଯ୍ୟ ହୋଇ କହିଲେ,ବଡ଼ଝିଅ ମାନେ ?ଆପଣଙ୍କର କେତେ ଝିଅ ??ଭଦ୍ରମହିଳା କହିଲେ,ମୋର ଦୁଇଝିଅ |ବଡ଼ ବି.ଏ.ପାଶ କରି ଏମ.ଏ. ପଢୁଛି  |ସାନ ଇଞ୍ଜିନିଅରିଂ ପଢୁଛି |ବଡ଼ ର ଅଧ୍ୟାପିକା ହେବାପାଇଁ ନହେଲେ ଓ.ଏ.ଏସ /ଆଇ .ଏ.ଏସ. ହେବାପାଇଁ ଭାରି ଇଛା,ଆମେ କିନ୍ତୁ ରାଜି ହେଉନୁ |ଅନସୂୟା ପଚାରିଲେ,କାହିଁକି ?ଭଦ୍ରମହିଳା କହିଲେ,ଝିଅକୁ ବାହା କରିଦେଲେ ଯାଏ,କିଏ ସେ ଏତେ ଝଞ୍ଜଟରେ ପଶିବ ?ତାପରେ ଏ ମାଷ୍ଟର ଚାକିରୀ ନାଁ ଶୁଣିଲେ,ମୋ ହାଡ଼ ଜଳେ |ଅନସୂୟା କହିଲେ,କ୍ଷମା କରିବେ,ମୋ ମତରେ,ଶିକ୍ଷକତା ସର୍ବୋତ୍ତମ ସମ୍ମାନଜନକ ବୃତ୍ତି |ତାପରେ ନିଜ ଇଛାରେ ଜିଇଁବାର ଅଧିକାର ସମସ୍ତଙ୍କର ଅଛି,ବିଶେଷ କରି ବର୍ତ୍ତମାନ ପରିସ୍ଥିତିରେ ଝିଅମାନେ ଆତ୍ମନିର୍ଭରଶୀଳ ହେବା  ଏକାନ୍ତ ଜରୁରୀ |ଝିଅର ଯଦି କେଉଁଥିରେ ଆଗ୍ରହ ଅଛି,ଆପଣ ତାକୁ ରୋକିବା ଉଚିତ ନୁହେଁ |ଏଇଟା ତା ପ୍ରତି ବହୁତ ବଡ଼ ଅନ୍ୟାୟ ବୋଲି ମୁଁ କହିବି |

           ଭଦ୍ରମହିଳା କିଛି କହିବାକୁ ଯାଉଥିବାବେଳେ ଛୋଟେଇ ଛୋଟେଇ ଏକ ଯୁବତୀ ରୁମ ଭିତରକୁ ଅକସ୍ମାତ ପଶି ଆସି କହିଲା,ଆଣ୍ଟି,ଆପଣ ଏତେ କଥା ବୁଝିଛନ୍ତି,ମୋ ମମିଙ୍କୁ ଟିକେ ସେକଥା ଭଲକରି ବୁଝେଇ ଦେଲେ !ମୁଁ ନିଜ ଇଛାରେ ବଞ୍ଚିବାକୁ ଚାହେଁ,ସାରା ଜୀବନ କାହାର ଦୟାର ପାତ୍ର ହୋଇ ରହିବାକୁ  ଚାହେଁନା |କିନ୍ତୁ ମତେ ଏମାନେ ତାଙ୍କ ମୁଣ୍ଡର ବୋଝ ବୋଲି ଭାବୁଛନ୍ତି |ଏତିକି କହୁ କହୁ ତାର କଣ୍ଠ ବାଷ୍ପାରୁଦ୍ଧ ହୋଇଗଲା ଓ ସେ ଆଉ କିଛି ନକହି ଭିତରକୁ ଚାଲିଗଲା |

          ତାର ଯିବା ବାଟକୁ ଚାହିଁ ଅନସୂୟା ପଚାରିଲେ,ତାର ଗୋଡ଼ କଣ ହୋଇଛି?ଭଦ୍ରମହିଳାଙ୍କ ମୁହଁ ଶୁଖି ଯାଇଥିଲା |ସେ କୁଣ୍ଠିତ ସ୍ୱରରେ କହିଲେ,ହୋଇଛି ନାହିଁ,ହୋଇଥିଲା |ପୋଲିଓରେ ତାର ଡାହାଣ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲା ;ଏବେ ସର୍ଜରୀ ପରେ ଟିକେ ବାଗକୁ ଆସିଛି |ଆଉ ଗୋଟେ ଦି'ଟା ସର୍ଜରୀ ପରେ ପୁରା ଠିକ ହୋଇଯିବ ବୋଲି ଡାକ୍ତର କହିଛନ୍ତି |(କ୍ରମଶଃ)

            

Thursday, February 25, 2021

ଅନନ୍ୟା (ଭାଗ 32)

            ଦାସ ସାର ଯିବାପରେ ଅନସୂୟା ବ୍ୟାଗ ଖୋଲି ଦେଖିଲେ |ସେଥିରେ ଅମୃତଭଣ୍ଡା ,ଟମାଟୋ ସହିତ କଲରା ଓ ବାଇଗଣ ମଧ୍ୟ ଥିଲା |ଏତେ ସୁନ୍ଦର ଉନ୍ନତମାନର ପରିବା ଦେଖି ସେ ମନେ ମନେ ଦାସସାରଙ୍କୁ ପ୍ରଶଂସା ନକରି ରହି ପାରୁନଥିଲେ |କିନ୍ତୁ ଏପରି ଅପାତ୍ର ଦାନକୁ ଗ୍ରହଣ କରିବାକୁ ତାଙ୍କ ମନ ଆଦୌ ରାଜି ହେଉ ନଥିଲା |

            ସେ ଘରକାମରେ ବ୍ୟସ୍ତ ଥିବାବେଳେ,କଲିଂବେଲ ବାଜିବାର ଶବ୍ଦ ଶୁଣି, ବିରକ୍ତ ହୋଇ ପୁଣି କିଏ ଆସିଲା ଭାବି ଦେଖିଲା ବେଳକୁ ଚପରାଶି ଶରତ ବାହାରେ ଛିଡା ହୋଇ ମୁରୁକି ହସୁଛି |ଅନସୂୟା ପଚାରିଲେ,ପୁଣି କଣ ହେଲା ?ଶରତ କହିଲା,ମାଡାମ,ଦୁଇଜଣ ଲୋକ,ଏତେ ପରିବା କଣ ହେବ ବୋଲି, ଆପଣ କହୁଥିଲେ |ଭାବିଲି,ଯଦି ଆପଣଙ୍କର ଦରକାର ନାହିଁ,ତାହେଲେ ସେଥିରୁ ମୁଁ କିଛି ନେଇଯିବି  |ଅନସୂୟା ହସିଦେଇ କହିଲେ,ଠିକ ଅଛି ,ଏ ପୁରା ବ୍ୟାଗଟା  ନେଇଯାଅ |

           ଶରତ ଜିଭ କାମୁଡି କହିଲା,ଆପଣ ରାଗିଲେ କି ମାଡାମ ?ତାହେଲେ ମୁଁ ଯାଉଛି,ବଡ଼ବାବୁଙ୍କୁ କିଛି କହିବେନି,ସେ ମୋ ଉପରେ ବହୁତ ରାଗିବେ |ଅନସୂୟା କହିଲେ,ଏଥିରେ ରାଗିବାର କଣ ଅଛି ?ବରଂ ତମେ ଆସିବାରୁ ମୋ ବୋଝ ହାଲୁକା ହୋଇଗଲା |ତମ ପିଲାମାନେ ଖାଇବେ,ସବୁ ନେଇଯାଅ |ଶରତ କହିଲା,ମାଡାମ ଏମିତି କହନ୍ତୁ ନାହିଁ |ସାର ଶ୍ରଦ୍ଧାରେ ଦେଇଛନ୍ତି ଯେତେବେଳେ,ଆପଣଙ୍କୁ କିଛି ରଖିବାକୁ ପଡିବ |ଅନସୂୟା କହିଲେ,ହଉ ତମ କଥା ମୁଁ ରଖିଲି |ଏହା କହି ସେ ଘର ପାଇଁ  କିଛି ରଖି,ଶରତ ଆଣିଥିବା ବ୍ୟାଗରେ ବାକି ସବୁ ତାକୁ ଦେଇଦେଲେ |ଶରତ ଖୁସି ହୋଇ ତାଙ୍କୁ ମୁଣ୍ଡିଆ ମାରି କହିଲା,ଆପଣ ସାକ୍ଷାତ  ଲକ୍ଷ୍ମୀମାତା ,ଈଶ୍ୱରଙ୍କ ଦୟାରୁ,ଆପଣଙ୍କ ଭଣ୍ଡାର ସଦା ସର୍ବଦା ପୂର୍ଣ୍ଣ ହୋଇ ରହିଥାଉ |ଅନସୂୟା ହସି ହସି କହିଲେ,ତମର ଆଶୀର୍ବାଦ ମୋର ଶିରୋଧାର୍ଯ୍ୟ,ଏଥର ଖୁସି ମନରେ ଘରକୁ ଯାଅ |

           ରାତିରେ ଆଦିକନ୍ଦ ଘରକୁ ଫେରିବା ପରେ,ଅନସୂୟାଙ୍କ ଠାରୁ ସବୁ ଶୁଣି କହିଲେ,ସେ ଶରତ ଏତେ ଧୂର୍ତ୍ତ,ତଥାପି ସାର ତାକୁ ସବୁବେଳେ ସାଙ୍ଗରେ ନେବେ |କାଲି ଅଫିସକୁ ଗଲେ,ସାରଙ୍କୁ ସବୁକଥା କହିବି |ଅନସୂୟା କହିଲେ,ଅଭାବରୁ ସ୍ଵଭାଵ ନଷ୍ଟ,ମୁଁ ତାକୁ ଯାଚିକରି ଦେଇଛି,ତମେ କିଛି କହିବନି |ଆଦିକନ୍ଦ କହିଲେ,ତାମାନେ ତମକୁ ବି ସେ ପଟେଇ ସାରିଛି ;ଏମିତି ତାକୁ ମୁହଁ ଦେଲେ,ତା ଅଭ୍ୟାସ ଆହୁରି ବଢ଼ିଯିବନି ?ଅନସୂୟା କହିଲେ,ହଉ ଛାଡ଼,ପରିବା ଦି'ଟା ନେଇଛି,କୋଉ ସୁନାରୂପା ନେଇ ଯାଇଛି ଯେ ଏତେକଥା !

          ଆଦିକନ୍ଦ କହିଲେ,ଏତେବଡ଼ ଲୋକ ହୋଇ ସାର ଆମ ଘରକୁ ଆସିଲେ,ପୁଣି ତାଙ୍କ ଘର ପରିବା ନିଜେ ଆସି ଦେଇଗଲେ,କେତେ ମହାନ ହୃଦୟ ତାଙ୍କର ଦେଖିଲ ?ଅନସୂୟା କହିଲେ,ହଁ,ଠିଆ ଠିଆ ଆସିଲେ,ଠିଆ ଠିଆରେ ଗଲେ |ଚା' ଦେବାପାଇଁ କହିଲାରୁ,କହିଲେ,ଡାଇବେଟିସ ହୋଇଛି,ପାଣି ପିଇବାକୁ କହିବାରୁ କହିଲେ,ଡେରି ହୋଇ ଗଲାଣି କହି ସାଙ୍ଗେ ସାଙ୍ଗେ ଚାଲିଗଲେ |ବୁଝିଲ,ଏ ଦୁନିଆଁ ବଡ଼ ସ୍ୱାର୍ଥପର,ବିନା ସ୍ୱାର୍ଥରେ କେହି କାହାପାଇଁ କିଛି କରନ୍ତି ନାହିଁ |ଆଦିକନ୍ଦ ବିରକ୍ତ ହୋଇ କହିଲେ,ତମ ମନଟା ଛୋଟ,ସେଥିପାଇଁ ତମ ମନରେ ଏମିତି ଖରାପ ଚିନ୍ତାଧାରା ଆସୁଛି |

         ଅନସୂୟା କହିଲେ,ନାଇଁମ ,ଏମିତି କହୁ କହୁ କହିଦେଲି | ଭାବୁଛି,ମୁଁ ବି ଦିନେ ତାଙ୍କ ଘରକୁ ଯାଇ,ଆମର ଫେମସ ସଜନା ଛୁଇଁ,ଆଉ ପିଜୁଳି ଦେଇ ଆସିବି |ତାଙ୍କ ବ୍ୟାଗଟା ଆମ ପାଖରେ ରହିଗଲା ;ଖାଲି କେମିତି ଫେରେଇବା ?ତାଙ୍କ କଥା ଶୁଣି ଆଦିକନ୍ଦ ଆଶ୍ଚର୍ଯ୍ୟ ହୋଇ କହିଲେ,ତମେ ସତ କହୁଛ ?କିନ୍ତୁ ଯିବ କେମିତି ?ତମେ ତ ତାଙ୍କ ଘର ଦେଖିନ |ଅନସୂୟା କହିଲେ,ଯେବେ ମୋ ମନ ହେବ,ମୁଁ ଶରତ ସାଙ୍ଗରେ ଯିବି |ତା ଫୋନ ନମ୍ବର ମୋ ପାଖରେ ଅଛି |ତାଛଡ଼ା ମୋର ବି ତାଙ୍କ ଝିଅକୁ ଦେଖିବାକୁ ଭାରି ଇଛା ହେଉଛି |

         ତାଙ୍କ କଥା ଶୁଣି,ଆଦିକନ୍ଦ ଅବାକ ହୋଇ କହିଲେ,ଆଗରୁ ଏତେ କଥା କହୁଥିଲ,ଏବେ ତାଙ୍କ ପରିବା ବ୍ୟାଗ ଦେଖି ବଦଳି ଗଲ ନାଁ କଣ ?ଅନସୂୟା ନିରୁତ୍ତର ରହି,ମନେ ମନେ  କହିଲେ,ଯାହା କହୁଛ କୁହ,ମୁଁ କିନ୍ତୁ ଯାହା ଭାବିଛି,ସେଇଆ କରିବି  |(କ୍ରମଶଃ)

         

Sunday, February 21, 2021

ଅନନ୍ୟା (ଭାଗ 31)

            ଗାଆଁରେ କୋଠାଘର ତିଆରି କରିବାପାଇଁ ଆଦିକନ୍ଦ ଓ ତାଙ୍କ ଭାଇ ଯୋଜନା କରିଥିଲେ |ସେହି ବିଷୟରେ ଅଧିକ ଆଲୋଚନା କରିବାପାଇଁ ସକାଳୁ ଜଳଖିଆ ଖାଇ ଆଦିକନ୍ଦ ଗାଆଁକୁ ଗଲେ |

           ସେଦିନ ଭଲରେ ଠାକୁର ପୂଜା ସାରି ଉଠିବା ବେଳକୁ ଅନିଷର ଫୋନ ଆସିଲା |କହିଲା,ମମି ତମେ କି ଯାଦୁ କଲ,ଆନି ତ ପୂରା ବଦଳିଗଲା |ତମକୁ କେଉଁ ଭାଷାରେ ଧନ୍ୟବାଦ ଦେବି ମୁଁ ଭାଷା ଖୋଜି ପାଉନି |ଅନସୂୟା  କହିଲେ,ସକାଳୁ ସକାଳୁ କାହିଁକି ସେମିତି ହେଉଛୁ,କଣ ହେଲା ??ଅନିଷ କହିଲା,ମମି, ତମେ ଆନି ବିଷୟରେ ଯାହା କହିଥିଲ,ସବୁ ସତ ଥିଲା ;ମୁଁ ଖାଲି ଯାହା ତାକୁ ବୁଝି ନପାରି ମନେ ମନେ କେତେ କଣ ଭାବି ଯାଇଥିଲି |ସତରେ ମମି,ତମର ତୁଳନା ନାହିଁ |

           ଅନସୂୟା କହିଲେ, ତୁ ତ ଜାଣିଛୁ,ସେ ଏଡ଼ିକି ଟିଏ,ମୋଡ଼ିମାଡ଼ି ଦେଲେ,ମୁଠାଏରୁ କମ  ହେବ, କଣ ଭାବି ତାକୁ ଏତେ ବଡ଼ ମୁଦିଟିଏ ଦେଇଥିଲୁ, ସେଥିରେ ସେ କେଜାଣି  କେତେ ପରସ୍ତ ସୂତା ଗୁଡେଇଛି |ଅନିଷ କହିଲା,ତାକୁ  ସପ୍ରାଇଜ ଦେବା ପାଇଁ,ମୋ କାଣି ଆଙ୍ଗୁଠି ମାପର ମୁଦି ନେଇଥିଲି,ମୁଁ କଣ ଜାଣିଥିଲି,ସେଇଟା ବି  ତାକୁ ଏତେ ଛୋଟ ହୋଇଯିବ ? ତାକୁ କାଟି ତା ଆଙ୍ଗୁଠି ସାଇଜର କରିବା ପାଇଁ ମୁଁ ତାକୁ କେତେ କହିଲି |କିନ୍ତୁ ସେ ମନାକଲା |କହିଲା,ଶୁଭ ଜିନିଷ କାଟନ୍ତି ନାହିଁ |ଅନସୂୟା କହିଲେ,ସେ ଠିକ କହିଛି,ଦେଖିଲୁ,ତା ମୁଣ୍ଡରେ କେତେ ବୁଦ୍ଧି ?ବଡ଼ ଲକ୍ଷ୍ମୀବନ୍ତ ଝିଅ ଟିଏ |ଅନିଷ କହିଲା,ହଉ,ତାକୁ ଏବେଠାରୁ ଏତେ ଟେକ ନାହିଁ,ଆଗକୁ ବହୁତ ବାକି  ଅଛି |ଅନସୂୟା କହିଲେ,ଯାହାହେବ ଭଲ ହେବ :ଆଜି ଦିନଟା ଭଲରେ କଟୁ,କାଲିକଥା ଚିନ୍ତା କରିବା |

            ତାଙ୍କ କଥା ଶେଷ ନ ହେଉଣୁ,ବାହାରେ କଲିଂବେଲ ବାଜିଲା |ସେ ଅନିଷ କୁ କହିଲେ,ବାହାରେ କିଏ ଡାକୁଛନ୍ତି,ମୁଁ ଫୋନ ରଖୁଛି,ପରେ କଥା ହେବି |ଫୋନ ରଖି,ବାହାରକୁ ଆସି ଦେଖିଲେ, ଜଣେ ଅଜଣା ବ୍ୟକ୍ତି ବାହାରେ ଛିଡା ହୋଇଛନ୍ତି |ଅନସୂୟାଙ୍କୁ ଦେଖୁ ଦେଖୁ  ସେ କହିଲେ,ମାଡାମ ନମସ୍କାର |ଅନସୂୟା ପ୍ରତି ନମସ୍କାର ଜଣାଇ କହିଲେ,ଆପଣ କାହାକୁ ଖୋଜୁଛନ୍ତି ?ଆଗନ୍ତୁକ କହିଲେ,ଏଇଟା ଆଦିକନ୍ଦ ଦାସଙ୍କ ଘର ନାଁ ?ଅନସୂୟା କହିଲେ,ହଁ ,କିନ୍ତୁ ସେ ବର୍ତ୍ତମାନ ଘରେ ନାହାନ୍ତି |

          "ଜାଣିଛି,ଗାଆଁକୁ ଯାଇଛନ୍ତି |" ସେ ପୁଣି କହିଲେ,ମତେ ଆପଣ ଚିହ୍ନି ପାରିବେନି,ମୁଁ ଦାସବାବୁ,ତାଙ୍କ ଅଫିସ ର ଡେପୁଟି ଡ଼ାଇରେକ୍ଟର |ଏଇବାଟେ  ଯାଉଥିଲି,ମନହେଲା ଚାଲି ଆସିଲି |ତାଙ୍କ କଥା ଶୁଣି ଅନସୂୟା ଆଶ୍ଚର୍ଯ୍ୟ ହୋଇଗଲେ |ମନେ ମନେ ଭାବିଲେ,ଏଇ ତାହେଲେ ଦାସ ସାର,ଯାହାଙ୍କ କଥା ଆଦିକନ୍ଦ ତାଙ୍କୁ କହୁଥିଲେ |ସେ ସାଙ୍ଗେ ସାଙ୍ଗେ କହିଲେ,ସାର ଭିତରକୁ ଆସନ୍ତୁ |ଚା' ପିଇ ଯିବେ |ଦାସ ସାର କହିଲେ,ନାଁ ମୁଁ ସକାଳୁ ବହୁତ ଚା' ପିଇ ସାରିଲିଣି |ମୁଁ ତ ସହଜେ ଡାଇବେଟିକ ପେସେଣ୍ଟ,ଚା' ପିଇବା ମନା ,ତଥାପି ଲୋଭ ସମ୍ଭାଳି ପାରୁନି |ଏବେ ଆସିବାର ଉଦ୍ଦେଶ୍ୟ କହିଦିଏ |ଆମ ବାଡ଼ିରେ  ଏବର୍ଷ ବହୁତ ଟମାଟୋ,ଅମୃତଭଣ୍ଡା ହୋଇଛି,ଆଦିବାବୁଙ୍କୁ କହି କହି ଥକିଲି,ସେ ନେବା ଦୂରର କଥା,ଆମଘରକୁ ଆସିଲେ ମଧ୍ୟ ନାହିଁ |ତେଣୁ  ମୁଁ ନିଜେ ଆପଣଙ୍କ ଘରକୁ ଦେବାପାଇଁ ଚାଲିଆସିଲି,ଦୟାକରି ଆପଣ କିଛି ଖରାପ ଭାବିବେ ନାହିଁ |ଅନସୂୟାଙ୍କ ପାଟିରୁ ଚଟ କରି ବାହାରି ପଡିଲା,ଏଥିରେ ଖରାପ ଭାବିବାର କଣ ଅଛି ?

            ତାଙ୍କର ଇଙ୍ଗିତ ପାଇ ,ଜଣେ ଲୋକ ଆସି ଅନସୂୟାଙ୍କୁ ନମସ୍କାର କରି,ତାଙ୍କ ସାମ୍ନାରେ ଏକ ବଡ଼ ବ୍ୟାଗ ରଖିଦେଲା |ଅନସୂୟା ତାକୁ ସାଙ୍ଗେ ସାଙ୍ଗେ ଚିହ୍ନିଦେଲେ |ସେ ଅଫିସ ର ଚପରାଶି ଶରତ ଥିଲା |ଅନସୂୟା  କହିଲେ,ଘରେ ଆମେ ମାତ୍ର  ଦୁଇଜଣ,ଏତେ ପରିବା କଣ ହେବ?ଅଧାରୁ ଅଧିକ ଆପଣ ନେଇଯାଆନ୍ତୁ,ଆଉ କାହାକୁ ଦେଇଦେବେ |ଦାସବାବୁ ମୁହଁ ଶୁଖେଇ କହିଲେ,ଆମଘର ପନିପରିବା ନେବାପାଇଁ ସମସ୍ତେ ବାଡ଼ାବାଡ଼ି ହେଉଛନ୍ତି,ଅଥଚ ଆପଣଙ୍କୁ ଶ୍ରଦ୍ଧାରେ ଯାଚିକରି ଦେଲେ,ଆପଣ ଅରାଜି ହେଉଛନ୍ତି |ସତରେ ଆପଣ ମତେ ଦୁଃଖୀ କରିଦେଲେ !!ଅନସୂୟା ନିରୂପାୟ  ହୋଇ କହିଲେ,ହଉ ଠିକ ଅଛି,ଆପଣ ବସନ୍ତୁ |ଚା' ନହେଲା ନାହିଁ,ପାଣି ଗ୍ଲାସେ ପିଇ ଚାଲିଯିବେ |କିନ୍ତୁ 'ମୋର କାମ ଅଛି,ଯାଉଛି' କହି ଦାସ ସାର ତାଙ୍କୁ ଅପେକ୍ଷା କରିଥିବା କାରରେ ବସି ତତକ୍ଷଣାତ ଚାଲିଗଲେ |

           ଥରେ  ପରିବା ବ୍ୟାଗ ଓ ଆଉଥରେ ଦାସସାରଙ୍କ ଯିବା ବାଟକୁ ଅନେଇ ଅନସୂୟା ମନେ ମନେ ଭାବୁଥିଲେ,ଦାସ ସାର ଆଦିକନ୍ଦଙ୍କ ବସ ,ରାଜ୍ୟ ସରକାରଙ୍କ ପ୍ରଥମଶ୍ରେଣୀ ଅଧିକାରୀ,ଏକମାତ୍ର ଝିଅ ତାଙ୍କର ଅପୂର୍ବ ସୁନ୍ଦରୀ |ବିନା ଚେଷ୍ଟାରେ ତାଙ୍କ ପାଇଁ ନିଜ ସମାସ୍କନ୍ଧ ଯୋଗ୍ୟପାତ୍ର ର ଅଭାବ ହେବନାହିଁ | ତା ସତ୍ତ୍ୱେ ଆଦିକନ୍ଦଙ୍କ ପରି ଜଣେ ଅଧସ୍ତନ କର୍ମଚାରୀଙ୍କ ପଛରେ ସେ ପଡ଼ିବାର କାରଣ କଣ ହୋଇପାରେ ??ନିଶ୍ଚୟ ଡାଲ ମେଁ କୁଛ କାଲା ହୈ |(କ୍ରମଶଃ)

            

           

Wednesday, February 17, 2021

ଅନନ୍ୟା (ଭାଗ 30)

       ବହୁତ କଷ୍ଟରେ ଅସ୍ପଷ୍ଟ ଭାଷାରେ ଦିବ୍ୟାଶା  ଯାହା କହିଲା,ସେଥିରୁ ଅନସୂୟା ବୁଝିଲେ ଯେ,ଶ୍ଵେତାର ଆତ୍ମହତ୍ୟା ପରେ ପୁରୁଷ ଜାତି ପ୍ରତି ଦିବ୍ୟାଶାର ଘୃଣା ଆସି ଯାଇଥିଲା |ପରେ ପରେ ବୋଉଙ୍କ ତାଗିଦ ଓ ଭାଇର ପାଠପଢ଼ାରେ ଅବହେଳା ତାର ମାନସିକ ଅବସାଦକୁ ଆହୁରି ବଢ଼େଇ ଦେଇଥିଲା |ତେଣୁ ସେ ସବୁଦିନ ପାଇଁ ଅନିଷ ସହିତ ସମ୍ପର୍କ କାଟିଦେବା ପାଇଁ,ନିଷ୍ପତ୍ତି ନେଇଥିଲା |ଏବେ ଅନସୂୟାଙ୍କ ସହିତ କଥାବାର୍ତ୍ତା କରିବା ପରେ ସେ ତା ଭୁଲ ବୁଝି ପାରିଛି |

       ତାର ସବୁକଥା ଶୁଣି ଅନସୂୟା କହିଲେ,ମୁଁ ମୋ ଆନିକୁ ଭଲଭାବେ ଜାଣେ |ଏତେସବୁ ଘଟଣା ଘଟିଯିବା  ପରେ ମୁଁ  କଣ ନାହିଁ କଣ କରି ପକେଇ ଥାଆନ୍ତି,ଆଉ ତୁ ତ ସହଜେ ଛୋଟ ପିଲା !!ଏଥର ତୋ ମୁଦି ତୁ ରଖ |ଦିବ୍ୟାଶା କହିଲା,କାଲି ମୁଁ ଘରକୁ ଯାଉଛି |ମୋ ରେଜଲ୍ଟ ବାହାରି,ଚାକିରୀ ମିଳିବା ପର୍ଯ୍ୟନ୍ତ ସେଇଠି ରହିବି | ବୋଉ ଯଦି ମୁଦି ଦେଖି ମତେ କିଛି ପଚାରେ ,ମୁଁ ତାକୁ ମିଛକଥା କହି,ଭୁଲାଇ ପାରିବିନି |ବର୍ତ୍ତମାନ ପାଇଁ ଏଇଟା ଆପଣଙ୍କ ପାଖରେ ଥାଉ,ଆପଣଙ୍କ ପାଖରେ ରହିଲେ,ଏହା ସୁରକ୍ଷିତ ରହିବ |ଅନସୂୟା କହିଲେ,ହଉ ଠିକ ଅଛି,ତୋ ସମସ୍ୟା ମୁଁ ବୁଝି ପାରିଲି |ଈଶ୍ୱର ଚାହିଁଲେ,ତୋ ମୁଦି ତୋ ପାଖକୁ ଶୀଘ୍ର ଫେରିଯିବ |

        ଏଥର ଦିବ୍ୟାଶା ଟିକିଏ ସହଜ ହୋଇ ଯାଇଥିଲା |ସେ କହିଲା,ମୁଁ କାଲି ଭବାନୀପାଟଣା ଯିବି,ଭୁବନେଶ୍ୱର ଫେରିବି କି ନାଁ ଜାଣେନା |ଶେଷଥର ପାଇଁ ଆପଣଙ୍କ ସ୍ପେଶାଲ ଚା' ପିଇ ପାରିବି ?ତା କଥା ଶୁଣି ଖୁସିରେ ଅନସୂୟାଙ୍କ ଆଖିକୁ ଲୁହ ଚାଲି ଆସିଲା |ସେ କିଛି ନକହି ସାଙ୍ଗେ ସାଙ୍ଗେ ରୋଷେଇଘରକୁ  ଯାଇ ଚା' ବସାଇଲେ |ତାଙ୍କ ପଛେ ପଛେ,ଦିବ୍ୟାଶା ରୋଷେଇଘରକୁ ଆସି କହିଲା,ମୁଁ ଚା' ତିଆରି କରିବି |ଅନସୂୟା କହିଲେ,ନାଁ |ତୋ କଥା ଅନୁସାରେ ଏଇ 'ଶେଷ' ଚା' ମୋ ହାତ ତିଆରି ହେବ |ଦିବ୍ୟାଶା ହାତ ଯୋଡି କହିଲା,ସରି ଆଣ୍ଟି,ଭୁଲ କହିଦେଲି |ଶେଷଥର  ନୁହେଁ,ଆପଣଙ୍କ ହାତରୁ ମୋର ବହୁତଥର ଚା' ପିଇବା ପାଇଁ ଆଶା ଅଛି |ମୁଁ ନିଜେ ବି ଜାଣି ପାରୁନି,କଣ ଭାବି କଣ କହି ଦେଉଛି |

          ଅନସୂୟା ହସିଦେଇ କହିଲେ,ପାଗଳୀ ଟା |ତୁ ଅନୁ ସାଙ୍ଗେ କଥା ହଉ ଥା ,ମୁଁ ଚା' କରୁଛି,ଦୁହେଁ ସାଙ୍ଗ ହୋଇ ପିଇବା |ତାକୁ ନେଇ ସେ ଡ୍ରଇଂରୁମ ସୋଫାରେ ବସାଇ କହିଲେ,ତୁ ଏଇଠି ବସ,ମୁଁ ଏଇ ଗଲି ଆଉ ଏଇ ଆସିଲି | 

          ଦିବ୍ୟାଶା କିଂକର୍ତ୍ତବ୍ୟବିମୂଢ ହୋଇ ଯାଇଥିଲା |ତାକୁ ଲାଗୁଥିଲା,ସତେ ଯେମିତି ବାଟ ଭୁଲି ସେ ଏକ ପରୀ ରାଇଜରେ ପହଞ୍ଚି  ଯାଇଛି | କଣ ଭାବି ଆସିଥିଲା,ଆଉ କଣ ଘଟିଗଲା | ସାମ୍ନାରେ ଟଙ୍ଗା ହୋଇଥିବା ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଏକ ବନ୍ଧେଇ ଫଟ ଉପରେ ହଠାତ ତାର ନଜର ପଡିଗଲା |ସେ ଏକ ଲୟରେ ତ୍ରିମୂର୍ତ୍ତିଙ୍କୁ ଚାହିଁ ତାଙ୍କ ମନୋହର ରୂପରେ ହଜିଗଲା |କେତେ ସମୟ ପରେ,ଅନସୂୟାଙ୍କ ସ୍ୱର ସେ ଶୁଣି ପ୍ରକୃତିସ୍ଥ ହୋଇ ତାଙ୍କଆଡକୁ ଦୃଷ୍ଟି ଫେରାଇଲା  |ଆଖିରୁ ତାର ଅଜାଣତରେ ଦୁଇଧାର ଲୁହ ଝରି ଯାଇଥିଲା |ଅନସୂୟା ବ୍ୟସ୍ତ ହୋଇ କହିଲେ,ତୁ କାନ୍ଦୁଛୁ ?

           ଦିବ୍ୟାଶା ଆଖିରୁ ଲୁହ ପୋଛି କହିଲା,ଠାକୁରଙ୍କୁ ଦେଖି ଇମୋସନାଲ ହୋଇ ଯାଇଥିଲି |ଅନସୂୟା କହିଲେ,ହଉ,ଏବେ ଚା' ପିଇବା |ଏହା କହି,ସେ ଗୋଟିଏ କପ ଚା' ଦିବ୍ୟାଶାକୁ ଦେଇ,ନିଜେ ଗୋଟିଏ କପ ପିଇଲେ |ଦିବ୍ୟାଶାର କହିବାକୁ ଇଛା ହେଉଥିଲା,ଦୁନିଆଁ ଯାକର ସବୁ ସ୍ନେହ,ଶ୍ରଦ୍ଧା,ମମତା ଏଇ ଚା' ରେ ଭରି ହୋଇ ରହିଛି |କିନ୍ତୁ  କାହିଁକି କେଜାଣି ତା ପାଟିରୁ ସେକଥା ବାହାରିଲା ନାହିଁ |ଚା' ପିଇ ସାରିବା ପରେ ସେ ଅନସୂୟାଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇଲା |ଅନସୂୟା ଅତି ଆଦରରେ ତାକୁ ନିବିଡ଼ ଆଲିଙ୍ଗନ କରି କହିଲେ,ତୁ ଏଠାକୁ ଆସ କି ନ ଆସ,ମତେ ରେଗୁଲାର ଫୋନ କରି ଭଲମନ୍ଦ ଜଣେଇବାକୁ ଭୁଲିବୁ ନାହିଁ |ଦିବ୍ୟାଶା କହିଲା, ହଁ ଆଣ୍ଟି |

             ସେ ଯିବାପରେ ଅନସୂୟା ପ୍ୟାକେଟ ଖୋଲି ଦେଖିଲେ,ପତଳା ନକ ନକ ଛୋଟିଆ ମୁଦି ଟିଏ ;ସେଥିରେ ଅନେକ ପରସ୍ତ ସୂତା ଗୁଡ଼ା ହୋଇଥିଲା |ମୁଦିକୁ ଛାତିରେ ଜାକି ସେ ଭାବବିହ୍ୱଳ ହୋଇଗଲେ;ଆଖିରୁ ତାଙ୍କର କେଇଧାର ଲୁହ ଝରି ଆସିଲା |(କ୍ରମଶଃ)

Monday, February 15, 2021

ଅନନ୍ୟା (ଭାଗ 29)

         ସବୁଦିନ ଅପରାହ୍ନରେ ଗଛରେ ପାଣି ଦେବାବେଳେ ମିତାଙ୍କ ସହିତ ଅନସୂୟାଙ୍କ ଦେଖା ହୁଏ |ତାଙ୍କ ସାନପୁଅ ଅଭିର  ମଧ୍ୟ ଇଞ୍ଜିନିଅରିଂ ଫାଇନାଲ ଇଅର ଥିଲା |ଆଉ ମାସେ ପରେ ବି.ଟେକ ଶେଷ ସେମିଷ୍ଟାର ପରୀକ୍ଷା ସରିଯିବ ବୋଲି ଅନସୂୟା ତାଙ୍କଠାରୁ ଜାଣିଥିଲେ |ପରୀକ୍ଷା ଶେଷ ହେବାପରେ ଦିବ୍ୟାଶା ତାଙ୍କୁ କଣ ଦେବାକୁ ଆସିବ ବୋଲି ଅନିଷ ତାଙ୍କୁ କହିଥିଲା |ତେଣୁ କେବେ ପରୀକ୍ଷା ସରିବ ଓ ଦିବ୍ୟାଶା ତାଙ୍କ ପାଖକୁ ଆସିବ,ମନେ ମନେ ଦିନ ଗଣି ଚାଲିଥିଲେ |ଗୋଟିଏ ଦିନ ତାଙ୍କୁ ଗୋଟିଏ ଯୁଗ ପରି ଲାଗୁଥିଲା |

         ୟାଡୁ ସାଡୁ ଅନେକ କଥା ଚିନ୍ତା କରି, ଅନସୂୟାଙ୍କର ଦିନକୁ ଦିନ ମାନସିକ ଅବସାଦ ବଢି ଯାଉଥିଲା | ଖରାବେଳେ ସେ ଆଦୌ ଶୋଇ ପାରନ୍ତି ନାହିଁ |କିନ୍ତୁ ସେଦିନ ଖାଇସାରି ବିଛଣାରେ ଗଡୁ ଗଡୁ,କେତେବେଳେ ତାଙ୍କର  ଆଖିପତା ଲାଗିଯାଇଥିଲା  |ହଠାତ ଚିର ପରିଚିତ ଗେଟ ଖଡ଼ ଖଡ଼ ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଗଲା |ସେ ସାଙ୍ଗେ ସାଙ୍ଗେ ବିଛଣାରୁ ଉଠିପଡ଼ି ବାହାରକୁ ଯାଇ ଦେଖିଲେ,ଦିବ୍ୟାଶା ଗେଟ ପାଖରେ ଛିଡ଼ା ହୋଇଛି |ତାକୁ ଦେଖି ତାଙ୍କ ଓଠରେ ଅନେକ ଦିନରୁ ହଜି ଯାଇଥିବା ହସ ଫେରି ଆସିଲା |ଆନନ୍ଦରେ ଆତ୍ମହରା ହୋଇ,ସେ ଗେଟ ଖୋଲି ତାକୁ କୁଣ୍ଢେଇ ପକାଇ କହିଲେ,ଆ' ମା' ଭିତରକୁ ଆ',ତୁ ଆଗେ ମୋ ପାଖରେ ଟିକେ ବସିଲୁ !କୁଆଡେ ହଜି ଯାଇଥିଲୁ,ଟିକେ ଫୋନ କରିବାକୁ ବି ତୋର ମନେ ପଡିଲା ନାହିଁ ?ଏତେ ଶୀଘ୍ର  ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଦେଲୁ ?ଦିବ୍ୟାଶା ତାଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇ ତାଙ୍କ ପାଖରେ ବସି କହିଲା,ସେମିତି କୁହନ୍ତୁନି ଆଣ୍ଟି,ଆପଣଙ୍କୁ ମୁଁ କଣ,କେହି ବି ଭୁଲି ପାରିବେ ନାହିଁ | 

          ଅନସୂୟା କହିଲେ,ତାହେଲେ ଅନୁ ମତେ କଣ ଏମିତି କହୁଥିଲା ?ଦିବ୍ୟାଶା କହିଲା,ସେଦିନ ମୁଁ ବହୁତ ଡିପ୍ରେସଡ ଥିଲି |ବହୁତ କଷ୍ଟରେ  ନିଜକୁ ସେଥିରୁ ମୁକୁଳେଇ ପାଠ ପଢିବାପାଇଁ ମନସ୍ଥିର କରୁଥିଲି |କିନ୍ତୁ ସେ ମତେ ଭୁଲ ବୁଝିଲେ |କଣ କରିବି ଆଣ୍ଟି,ଆଜି ପର୍ଯ୍ୟନ୍ତ ବି  ମୁଁ ଶ୍ଵେତାକୁ ଭୁଲିପାରିନି |ପରୀକ୍ଷାରେ ବି ଏତେ ଭଲ ହୋଇନି |ମତେ ଛାଡି,ମୋର ସବୁ ସାଙ୍ଗ କ୍ୟାମ୍ପସରେ ସିଲେକ୍ଟ ହୋଇଗଲେ | ସାନଭାଇର ଏ ବର୍ଷ ମାଟ୍ରିକ ପରୀକ୍ଷା ଥିଲା |କିନ୍ତୁ ବୋଉ ଅଫିସ ଯିବାପରେ ପାଠ ନ ପଢି ସେ ସାଙ୍ଗମାନଙ୍କ ସାଙ୍ଗରେ ମସ୍ତି କରୁଥିଲା | ସେଥିପାଇଁ ବାଧ୍ୟହୋଇ ଛୁଟିରେ ରହି ବୋଉକୁ  ଭାଇର ପାଠପଢା ଦେଖିବାକୁ ପଡିଲା |ଦିପୁର ପରୀକ୍ଷା ସରିଯାଇଛି,ତଥାପି ବୋଉ ଏ ପର୍ଯ୍ୟନ୍ତ ଅଫିସରେ ଜଏନ କରିନି  |ଯଦି ମତେ ଚାକିରୀ ନମିଳେ,ତାହେଲେ ମୋର ସବୁ ସ୍ୱପ୍ନ  ଅଧୂରା ହୋଇ  ରହିଯିବ |ଏହା କହି ସେ ତାର ବ୍ୟାଗରୁ ଗୋଟିଏ ଟିଫିନ ବକ୍ସ କାଢି କହିଲା,ଏଇଟା ଆପଣଙ୍କର,ମୋ ପାଖେ ରହି ଯାଇଥିଲା |ଅନସୂୟା କହିଲେ,ୟାକୁ ଫେରାଇବାକୁ ତୁ ଏତେବାଟ ଆସିଲୁ ?ଦିବ୍ୟାଶା ଲଜ୍ଜିତ ହୋଇ କହିଲା,ନାଁ ନାଁ ଆଣ୍ଟି,ଆପଣଙ୍କ ପାଇଁ କେକ ତିଆରି କରି ଆଣିଛି,ଆପଣଙ୍କୁ କେମିତି ଲାଗିବ,ମୁଁ ଜାଣିନି |ଅନସୂୟା ଆର୍ଦ୍ର କଣ୍ଠରେ କହିଲେ,ଶ୍ରଦ୍ଧାରେ ଦେଲେ,ମୁଁ ବିଷକୁ ଅମୃତ ଭାବି  ପିଇଦେବି ,ଆଉ ଇଏତ ସହଜେ ତୋ ହାତ ତିଆରି କେକ !ଟିକିଏ ରହି ସେ କହିଲେ,ଆଜି ତୁ ତୋର ଫେଭୋରାଇଟ ଚା' ପିଇବୁନି ?

         ତାଙ୍କ କଥା ଶୁଣି ଦିବ୍ୟାଶାର ଆଖିରୁ,ଅନର୍ଗଳ ଲୁହଧାର ଝରିଗଲା |ସେ କହିଲା,ଆପଣଙ୍କ ଚା' ମୋ ଅପେକ୍ଷା ଶ୍ଵେତା  ବେଶି ଭଲ ପାଉଥିଲା,ସେ ଯିବାପରେ,ମୁଁ ଚା' ପିଇବା ଛାଡି ଦେଇଛି !ଅନସୂୟା ଆଉ ତାକୁ ବାଧ୍ୟ କଲେ ନାହିଁ |କିଛି ସମୟ ନୀରବରେ ବସିବା ପରେ ଦିବ୍ୟାଶା ଅନସୂୟାଙ୍କ ପାଦଧୂଳି ନେଇ କହିଲା,ଯାଉଛି ଆଣ୍ଟି |କିନ୍ତୁ ଯିବାପାଇଁ ଉଦ୍ୟତ ହୋଇ,ସେ ପୁଣି ବସିପଡି ବ୍ୟାଗରୁ ଏକ ଛୋଟ ପ୍ୟାକେଟ କାଢ଼ି ଅନସୂୟାଙ୍କୁ ଦେଇ କହିଲା,ଏଇଟା ଆପଣ ରଖିଥିବେ |ସେତେବେଳେ ଅନସୂୟାଙ୍କର ଅନିଷ କଥା ମନେ ପଡିଲା | 

           ଅନସୂୟା ପଚାରିଲେ,ଇଏ କଣ ?ସୁନା ଜିନିଷ ପରି ଲାଗୁଛି |ଦିବ୍ୟାଶା ମୁହଁ ତଳକୁ କରି କହିଲା,ହଁ,ଆଣ୍ଟି ଏଇଟା ସେ ମତେ 'ଭାଲେଣ୍ଟାଇନ ଡେ' ରେ ଦେଇଥିଲେ |ଅନସୂୟା କହିଲେ,ତାହେଲେ ଫେରାଉଛୁ କାହିଁକି ?ମତେ ତୋ କଥା କେମିତି କେମିତି ଲାଗୁଛି |ଆଜି ତୁ ମୋ ଆନି ନୁହେଁ,ଆଉ କାହା ପରି ଲାଗୁଛୁ |ମତେ ଅନ୍ଧାରରେ ନରଖି,ସତ କଥା କଣ କହ ?ତତେ ମୋ ରାଣ |

           ତାଙ୍କ କଥା ଶୁଣି ଦିବ୍ୟାଶାର ଧୈର୍ଯ୍ୟବନ୍ଧ ଭାଙ୍ଗିଗଲା | ନିଜ କୋହକୁ ରୋକି ନପାରି ସେ ଭୋ ଭୋ ହୋଇ କାନ୍ଦି ଉଠିଲା |ଅନସୂୟା ଯେତେ ବୁଝାଇଲେ ବି ସେ ଆଦୌ ବୁଝୁନଥିଲା |(କ୍ରମଶଃ)

Sunday, February 14, 2021

ଅନନ୍ୟା (ଭାଗ 28)

                 ରବିବାରଦିନ ଆଦିକନ୍ଦ ଦୈନିକ ଖବରକାଗଜ ପଢୁଥିବାବେଳେ ଅନସୂୟା ତାଙ୍କ ପାଖରେ ଚା' କପ ରଖି ଚାଲିଯାଉଥିଲେ | ଆଦିକନ୍ଦ ତାଙ୍କୁ ପଛରୁ ଡାକି କହିଲେ,ଟିକେ ବସ,ତମକୁ କିଛି କଥା କହିବାର ଅଛି |ଅନସୂୟା କହିଲେ,ଆଉ ଟିକେ ପରେ କହିଲେ,ଚଳିବନି?ମୋର ବହୁତ କାମ ବାକି ପଡିଛି |ଆଦିକନ୍ଦ କହିଲେ,ଚଳିବନି କାହିଁକି,ଭଲକରି ଚଳିବ |କିନ୍ତୁ ମୁଁ ଏବେ ସେକଥା କହିବାକୁ ଚାହୁଁଛି |ଅନସୂୟା ତାଙ୍କ ପାଖ ଚେୟାରରେ ବସି ପଡି କହିଲେ,କୁହ କଣ କହିବ,ଶୁଣିକରି ଯେମିତି ମୋ ମନ ଖୁସି ହୋଇଯିବ |ଆଦିକନ୍ଦ ଈଷତ ବିରକ୍ତ ହୋଇ କହିଲେ,ସେମିତି ହେଲେ,ମୁଁ କହିବିନି |ଅନସୂୟା କହିଲେ,ହଉ ତାହେଲେ,ମୁଁ ଯାଉଛି |ଆଦିକନ୍ଦ କହିଲେ,ଆଜି ରବିବାର ପରା ,ଟିକିଏ ଡେରି ହେଲେ ,କଣ ଟା ଅସୁବିଧା ହୋଇଯିବ ଯେ ?ଅନସୂୟା ସଜାଡି ହୋଇ ବସି କହିଲେ,ହଉ କୁହ ଏଥର |

              ଆଦିକନ୍ଦ ଗଳା ଝାଡ଼ି କହିଲେ,ଆମ ଅଫିସ ର ଡେପୁଟି ଡ଼ାଇରେକ୍ଟରଙ୍କ ଗୋଟିଏ ବୋଲି ଝିଅ,ବହୁତ ସୁନ୍ଦର |ବି.ଏ ପାଶ କରି ଏମ.ଏ  ପଢୁଛି | ଅନିଷକୁ ଜ୍ୱାଇଁ କରିବାକୁ ତାଙ୍କର ଭାରି ମନ |ମତେ କେତେଥର ପରୋକ୍ଷ ଭାବରେ ୟା ତା ଜରିଆରେ ପ୍ରସ୍ତାବ ଦେଇଥିଲେ,ମୁଁ ତାକୁ ଗୁରୁତ୍ତ୍ଵ ଦେଉନଥିଲି |କାଲି  ସେ ମତେ ଏକୁଟିଆ ଡାକି,ବହୁତ ନମ୍ର ଭାବରେ ଏକଥା କହିଛନ୍ତି |ଏତେବଡ଼ ଅଫିସର,ମତେ ନେହୁରା ହୋଇ ଏମିତି ଅନୁରୋଧ କରିବା,ମତେ କେମିତି ମାଡି ପଡୁଛି |ଅନସୂୟା ଗମ୍ଭୀର ହୋଇ କହିଲେ,ଅନୁକୁ ଏବେ ବାଇଶ ପୁରି ତେଇଶ ଚାଲିଛି |ଏମିତି ଦେଖିବାକୁ ଗଲେ,ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ତାର ବାହାଘର ହେବାର ନାହିଁ |ତେଣୁ ଏବେଠାରୁ ସେ ବିଷୟରେ ଆଲୋଚନା କରି ଲାଭ କଣ ?ଆଦିକନ୍ଦ କହିଲେ,ସେକଥା ମୁଁ ତାଙ୍କୁ କହିଛି |ସେ ବି ସେଥିରେ ରାଜି |କହିଲେ,ବାହାଘର ଯେବେ ହେବାର କଥା ହେବ,କିନ୍ତୁ ସେ ପର୍ଯ୍ୟନ୍ତ  ଆମ ଭିତରେ ପାରିବାରିକ ସମ୍ପର୍କ ଚାଲୁ ରହିବ |

           ଆଦିକନ୍ଦଙ୍କୁ ସେହିଠାରେ ରୋକିଦେଇ ଅନସୂୟା କହିଲେ,ତା ମାନେ ତମେ କହୁଛ,ବାହାଘର ପରେ ମୁଁ ମୋ ସମୁଦୀ ସମୁଦୁଣୀଙ୍କୁ ସାର ଆଉ ମାଡାମ ବୋଲି ଡାକିବି ?ମୁଁ ବଞ୍ଚିଥିବାଯାକେ ଏହା କଦାପି ସମ୍ଭବ ହେବନି |ଆଉ ଗୋଟେ କଥା ମୁଁ ସ୍ପଷ୍ଟ କରି ଦେଉଛି,ବୋହୂ ମୋ ପସନ୍ଦରେ ହେବ |ଆଦିକନ୍ଦ କହିଲେ,ସେଇ ଯେଉଁ ଝିଅକୁ ମତେ ସେଦିନ ଦେଖାଇ ଥିଲ,ତାକୁ ବୋହୂ କରିବ ?ସେମାନେ ହଷ୍ଟେଲରେ ରହି କଣ କରୁଛନ୍ତି,ତମେ କେବେ ସେକଥା  ଚିନ୍ତା କରିଛ ?ଖାଲି ଟାଇମ ପାସ ପାଇଁ ସେମାନେ ପ୍ରେମ କରନ୍ତି |ପାଠପଢ଼ା ଶେଷ ହେଲେ,ସେମାନଙ୍କ ପ୍ରେମ ଶେଷ ହୋଇଯାଏ ,ଯିଏ ଯାହା ବାଟରେ ଯାଆନ୍ତି |ଅନସୂୟା ରାଗିଯାଇ କହିଲେ,ତମର ଝିଅ ନାହିଁ ବୋଲି,ତମେ ଆଜି ନିର୍ଭୟରେ ଏକଥା କହି ପାରୁଛ |ଝିଅ ଥିଲେ,ଏକଥା କହିବା ପୂର୍ବରୁ ଦୁଇଥର ଚିନ୍ତା କରି ଥାଆନ୍ତ |କଣ କରିବା,ଆମ ସମସ୍ତଙ୍କର  ଏମିତି ମାନସିକତା ହୋଇ ଗଲାଣି ଯେ,ଗୋଟିଏ ଝିଅ ଧର୍ଷଣର ଶୀକାର ହେଲେ,ଆମେ  ଧର୍ଷଣକାରୀକୁ ଦୋଷ ନଦେଇ,ପ୍ରଥମେ ଧର୍ଷିତାର ଚରିତ୍ର ପ୍ରତି  ଆଙ୍ଗୁଳି ନିକ୍ଷେପ କରୁ |କିନ୍ତୁ ମନେରଖିଥାଅ ,ହତ୍ୟା ଠାରୁ ଧର୍ଷଣ ଅଧିକ ନିର୍ମମ |ହତ୍ୟାରେ ପୀଡିତା ମରିଯାଏ,କିନ୍ତୁ ଧର୍ଷଣରେ ପୀଡିତା ବଞ୍ଚିଥିବାଯାକେ ପ୍ରତ୍ୟେକ ଦିନ ମରୁଥାଏ |ଆମେ ଏମିତି ସମାଜରେ ବଞ୍ଚିଛୁ,ଯେଉଁଠି ଜଣେ ବାରଙ୍ଗନାକୁ ସମ୍ମାନ ଦିଆଯାଇପାରେ,କିନ୍ତୁ ଜଣେ ଧର୍ଷିତାକୁ ନୁହେଁ |

          ଆଦିକନ୍ଦ କହିଲେ,ଆରେ ତମେ କୋଉ କଥା କୋଉଠିକି ନେଇ, ରୀତିମତ ଭାଷଣ ଦେବା ଆରମ୍ଭ କଲଣି !ପୁଅ ଝିଅ ଥିଲେ,ଏମିତି କେତେ ପ୍ରସ୍ତାବ ଆସେ ଆଉ ଯାଏ ;ତମେ ତାକୁ ଏତେ ସିରିଅସଲି ନେବା ଦରକାର ନାହିଁ |ହଉ ଠିକ ଅଛି,ତମ ସାଙ୍ଗେ ଗପି ଗପି ମୋ ଚା' ଥଣ୍ଡା ହୋଇଗଲା |ଆଉ କପେ ଗରମା ଗରମ ସ୍ପେଶାଲ ଚା' ମିଳିବ ?ଅନସୂୟା ହସିଦେଇ,ହଁ କହି ,ଭିତରକୁ ଚାଲିଗଲେ |(କ୍ରମଶଃ)

Thursday, February 11, 2021

ଅନନ୍ୟା (ଭାଗ 27)

          ଅନିଷ କିଛିଦିନ ରହିବା ପାଇଁ ପ୍ରୋଗ୍ରାମ କରି  ଆସିଥିଲା |କିନ୍ତୁ ଦିବ୍ୟାଶା ପାଖରୁ ଫେରି ଘରକୁ ଆସି ସେ ଅନସୂୟାଙ୍କୁ କହିଲା,ମମି ,ମୁଁ କାଲି ଯାଉଛି |ତା କଥା ଶୁଣି ଅନସୂୟା କହିଲେ,ତୁ ତ କହୁଥିଲୁ,ସପ୍ତାହକ ପାଇଁ ଆସିଛୁ ବୋଲି,ଏତେ ଶୀଘ୍ର କଣ ଯିବାକୁ ବାହାରିଲୁଣି,ଘଟଣା କଣ ?ସବୁ ଠିକ ଠାକ ତ ?ଆନି ସାଙ୍ଗେ ଦେଖା ହେଲା ?ଅନିଷ କହିଲା,ଓହୋଃ ମମି ପ୍ଲିଜ ,ମତେ ଏତେ କଥା ପଚାରନି,ମୁଁ ମିଛ କହିବାକୁ ଚାହୁଁନି |ଅନସୂୟାଙ୍କ ମୁହଁ ଶୁଖିଗଲା |ସେ କହିଲେ,ହଉ କିଛି ପଚାରିବିନି,କିନ୍ତୁ ତୁ ଅନ୍ତତଃ ମୋ ପାଇଁ ଆଉ ଦୁଇଦିନ ରହିକରି ଯିବୁ  |ଅନିଷ କିଛି ନକହି ଭିତରକୁ ଚାଲିଗଲା |

          ଶ୍ଵେତା ଆତ୍ମହତ୍ୟା କରିବା କଥା ଦିବ୍ୟାଶା ହିଁ ପ୍ରଥମେ ଅନସୂୟାଙ୍କୁ ଫୋନ କରି ଜଣାଇ ଥିଲା |ସେଦିନ ସେ ବହୁତ କାନ୍ଦୁଥିଲା |ତାର ଅନେକ କଥା ତାର କାନ୍ଦ ଭିତରେ ଲୁଚି ଯାଇଥିଲା |ତାପରେ କିନ୍ତୁ ସେ ଆଉ ଫୋନ ଉଠାଇ ନଥିଲା |କିନ୍ତୁ ଏହା ଯେ ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିବ,ସେକଥା ସେ କେବେ ବି କଳ୍ପନା କରି ପାରି ନଥିଲେ |ଯେତେବେଳେ ଏହି ସମ୍ବାଦ ଟିଭିରେ ପ୍ରସାରଣ ହେଉଥିଲା,ଫଟ ଦେଖି ଆଦିକନ୍ଦ ଶ୍ଵେତାକୁ ଚିହ୍ନି ଦେଇଥିଲେ |କହିଥିଲେ,ଦେଖୁଛ ଏଇ ପିଲାଙ୍କ କାରନାମା ?ତମେ ତାଙ୍କୁ ପ୍ରଶ୍ରୟ ଦେଇଥିଲ ନାଁ ?ସେଇ ଦୁଇ/ତିନିଦିନ ଆଦିକନ୍ଦ ଆଗ୍ନେୟଗିରି ପାଲଟି ଯାଇଥିଲେ |ଅନସୂୟା କେବଳ ନୀରବତା ଅବଲମ୍ବନ କରି ପରିସ୍ଥିତିକୁ ସମ୍ଭାଳି ନେଇଥିଲେ |

        ସେଦିନ ରାତିରେ ଅନିଷ କିଛି ଖାଇଲା ନାହିଁ |ତାଙ୍କ କଥା ମାନି ସେ ଆଉ ଦୁଇଦିନ ରହିଗଲା ସିନା,କିନ୍ତୁ ସେଇ ସମୟତକ ସେ ସମ୍ପୂର୍ଣ୍ଣ ମୂକ ପାଲଟି ଯାଇଥିଲା |ତାର କଳାକାଠ ମୁହଁକୁ ଦେଖି,ଅନସୂୟା ନିଜକୁ ସମ୍ଭାଳି ପାରୁ ନଥିଲେ |କିନ୍ତୁ ଏକଥା ମା ପୁଅଙ୍କ ଭିତରେ ସୀମିତ ଥିଲା |ଜାଣିଶୁଣି ସେ ଆଦିକନ୍ଦଙ୍କୁ ଏହି ଘଟଣାର ସୁରାକ ଦେଇ ନଥିଲେ |ଯିବା ପୂର୍ବଦିନ ଅନିଷ କହିଲା,ମମି,ତମେ ମୋକଥା ଭାବି ବ୍ୟସ୍ତ ହୁଅ ନାହିଁ ;ସମୟ ସବୁ ଠିକ କରିଦେବ |ମୁଁ ଜାଣିଛି,ତୁମ ଆଶୀର୍ବାଦରେ  ମୋ ଜୀବନର ସବୁ ଦୁଃଖ ସୁଖରେ ପରିଣତ ହୋଇଯିବ |ମୋର ଖାଲି ଗୋଟିଏ ଛୋଟ ଅନୁରୋଧ,କାଲି ମୁଁ ଯିବାବେଳେ କାନ୍ଦିବ ନାହିଁ କି ବାବାଙ୍କୁ ଏ ବିଷୟରେ କିଛି କହିବ ନାହିଁ |ତା କଥା ଶୁଣି ଅନସୂୟାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରିଗଲା |ସେ କହିଲେ,ତତେ ଦୁଃଖୀ ଦେଖିଲେ ,ମୋ ଛାତି ଫାଟି ଯାଉଛି ବାପା |କିନ୍ତୁ ମୁଁ ଯେତେଦୂର ଆନିକୁ ଜାଣିଛି,ସେ ଅତି ଭଲ ଝିଅ |ମୋର ଦୃଢ଼ବିଶ୍ୱାସ,ମୋ  ନଜର ମତେ କେବେହେଲେ  ଧୋକା ଦେବନାହିଁ |ତାଙ୍କ କଥା ଶୁଣି ଅନିଷର ଶୁଖିଲା ମୁହଁରେ କ୍ଷୀଣ ହସରେଖା ଫୁଟି ସାଙ୍ଗେ ସାଙ୍ଗେ ମଉଳି ଗଲା |ସେ କହିଲା,ବେଳେ ବେଳେ ନଜର ଧୋକା ଖାଇ ଯାଏ, ମମି |ତମେ ତ ମୋଠାରୁ ଅଧିକ ଦୁନିଆଁକୁ ଚିହ୍ନିଛ,ଜାଣିଛ,ତମକୁ ଅଧିକ ଆଉ କଣ ବୁଝେଇବି !!ଛାଡ଼,ତମେ ମୋ ପାଖରେ ଅଛ ମାନେ,ସାରା ଦୁନିଆଁ ମୋ ପାଖରେ ଅଛି,ଏଇ ବିଶ୍ୱାସରେ ମୁଁ ଚାଲିବି |***

          ପୁନେରେ ପହଞ୍ଚିବା ପରେ ଅନିଷ ଫୋନ କରିଥିଲା | କହିଲା,ମମି ମୁଁ ଭଲରେ ପହଞ୍ଚି ଗଲି |ତମକୁ ଆଉ ଗୋଟିଏ କଥା କହିବାକୁ ଭୁଲି ଯାଇଛି |ଆନିର ପରୀକ୍ଷା ସରିବା ପରେ ସେ  ଆସି ତମକୁ କିଛି ଦେଇଯିବ,ତମେ  ତାକୁ ରଖିଦେବ କିନ୍ତୁ  ତାକୁ ସେ ବିଷୟରେ କିଛି ପଚାରିବ ନାହିଁ |ତା କଥା ଶୁଣି ଅନସୂୟାଙ୍କ ଛାତି ଭିତରେ ଖଟ କରି କଣ ଗୋଟେ ହୋଇଗଲା |ତାଙ୍କ ଆଖି ଆଗରେ ଯାହା ସବୁ ଘଟି ଯାଉଥିଲା,ସେଥିପାଇଁ ନିଜକୁ ସେ ସବୁଠାରୁ ଅଧିକ ଦୋଷୀ ମନେ କରୁଥିଲେ |(କ୍ରମଶଃ)

          

        

         

           

         

Thursday, February 4, 2021

ଅନନ୍ୟା (ଭାଗ 26)

         ଶ୍ଵେତା ଆଉ କବାଟ ଖୋଲି ନଥିଲା | ପୋଲିସ ଉପସ୍ଥିତିରେ ବାଥରୁମ କବାଟ ଭଙ୍ଗାଯାଇ ଶ୍ଵେତାର ଶବ ଉଦ୍ଧାର କରାଗଲା |ଫଳକଟା ଛୁରୀରେ ମଣିବନ୍ଧ ଧମନୀ କାଟି ସେ ଆତ୍ମହତ୍ୟା କରିଥିଲା |ତାର ମୃତ୍ୟୁ ପାଇଁ ରାକେଶ ଦାୟୀ ବୋଲି ସେ ସ୍ପଷ୍ଟ ଭାବେ ଲେଖି ଯାଇଥିଲା | ରାକେଶ କିଛିଦିନ ଫେରାର ରହିବା ପରେ,ପୋଲିସ ନିକଟରେ ଆତ୍ମସମର୍ପଣ କଲା |ତାକୁ  ଆରେଷ୍ଟ କରାଯିବା ପରେ ସେ ତା ସ୍ଵୀକାରୋକ୍ତିରେ କହିଥିଲା,ବେଶ କିଛିଦିନ ହେବ,ଶ୍ଵେତା ତାକୁ ଅଣ୍ଡରଏଷ୍ଟିମେଟ କରି  ଆଭଏଡ଼ କରୁଥିଲା ଓ ତାର ଫୋନ କଲ  ରିସିଭ କରୁ ନଥିଲା |ତେଣୁ ତାକୁ ପାନେ ଦେବାପାଇଁ ସେ ଏପରି କରିଥିଲା |

         କିନ୍ତୁ ଦିବ୍ୟାଶାର ଦୁନିଆଁ ଅନ୍ଧକାର ହୋଇ ଯାଇଥିଲା |ଶ୍ଵେତା କଥା ମନେପଡ଼ି ସେ ଅଧୀର ,ଅସ୍ଥିର ଓ ଅଥୟ ହୋଇ ଯାଉଥିଲା |ସେ ସବୁବେଳେ ଭାବୁଥିଲା,ଦୋଷୀ  ଦଣ୍ଡ ପାଉ ବା ନପାଉ ତା ଶ୍ଵେତା ଆଉ ତା ପାଖକୁ ଫେରି ଆସିବ ନାହିଁ ! !ପିଲାଦିନରୁ ସେ ତା ସହିତ ଏପରି ନିବିଡ଼ ଭାବରେ ମିଶି ଯାଇଥିଲା ଯେ ତାକୁ ଭୁଲିଯିବା ତା ପକ୍ଷେ ସମ୍ଭବପର ନଥିଲା |ଏତେବଡ଼ ଦୁର୍ଘଟଣା ପରେ ସିଏ ବା  କେଉଁ ମୁହଁରେ ଭାରତୀଙ୍କୁ ଅନିଷ ବିଷୟରେ କହି ପାରିବ?କିଏ ବା କାହିଁକି ତା ପାଇଁ ଓକିଲାତି କରି ବିପଦକୁ ଆବୋରିବାକୁ ଚାହିଁବ ?ବୋଉ ଫୋନ କରିଥିଲେ |କହୁଥିଲେ,ସାନଭାଇ ଦୀପୁ  ଆଦୌ ପାଠପଢ଼ାରେ ମନ ଦେଉନି |ସେ ଅଫିସ ଆସିବା ପରେ ପାଠ ନପଢ଼ି ସାଙ୍ଗ ମାନଙ୍କ ସହିତ ମସ୍ତି କରୁଛି |ଶ୍ଵେତା ଯେଉଁ ବାଟରେ ଗଲା,ସେପରି କିଛି ନ କରିବାକୁ ସେ ତାକୁ ବାରମ୍ବାର ତାଗିଦ କରି ଦେଇଥିଲେ |ତାଙ୍କ କଥା ଶୁଣି ଦିବ୍ୟାଶା ର ଶେଷ ଆଶା ଟିକକ ମଉଳି ଯାଇଥିଲା |ତାର ଆଉ ଗୋଟିଏ  ସେମିଷ୍ଟାର ବାକି ଥିଲା ଯାହାକି ତାପାଇଁ ବହୁତ ଗୁରୁତ୍ତ୍ଵପୂର୍ଣ୍ଣ  ଥିଲା |କିନ୍ତୁ ବହି ଖୋଲିବା କ୍ଷଣି ଶ୍ୱେତାର  ମୁହଁ ଓ କରୁଣ  ଚାହାଣୀ ସବୁବେଳେ ତାର ମନେ ପଡୁଥିଲା | ଘଟଣା ସବୁ ଏପରି ଭାବରେ ଘଟି ଯାଉଥିଲା ଯେ,ତାକୁ ଲାଗୁଥିଲା,ଏହି ଜନ୍ମରେ ସେ ଆଉ ଅନିଷକୁ ପାଇ ପାରିବ ନାହିଁ |

         ଅନିଷ କଥା ମନକୁ ଆସିବା କ୍ଷଣି ଅନସୂୟାଙ୍କ ସୁନ୍ଦର ସ୍ନେହବୋଳା  ମୁହଁ ଟି ତା ଆଖି ଆଗରେ ନାଚିଗଲା |କେତେ ସହଜରେ ସେ ସେମାନଙ୍କ ଭଲପାଇବାକୁ ସ୍ଵୀକୃତି ଦେଇଥିଲେ |ତାଙ୍କୁ ସେ କି ଉତ୍ତର ଦେବ  ?କିନ୍ତୁ ଆଉ ଅନିଶ୍ଚିତ ସୁଖସ୍ୱପ୍ନରେ ଭାସିଯିବାକୁ ତା ମନ ଚାହୁଁ ନଥିଲା |ସେ ନିଜେ ବି ଜାଣିପାରୁଥିଲା,ସେ ବିଲକୁଲ ବଦଳି ଯାଇଛି !!

          ଏମିତି ମାନସିକ ଦୁଃଶ୍ଚିନ୍ତା ଭିତରେ ଦିନେ ଅକସ୍ମାତ ଅନିଷ ଆସି ତା ପାଖରେ ପହଞ୍ଚିଲା |ସେ ଦେଖିଲା,ଦିବ୍ୟାଶା ଅନେକ ବଦଳି ଯାଇଛି,ଆଉ ଆଗପରି ଚୁଲବୁଲି ନାହିଁ |ଅନିଷ କହିଲା,ତମେ ବହୁତ  ବଦଳି ଯାଇଛ ଦେବୁ,ଖାଲି କଣ ଶ୍ଵେତା ପାଇଁ ? ଦିବ୍ୟାଶା କହିଲା,ଘର ପରିସ୍ଥିତି ଭଲ ନାହିଁ, ମତେ ବି ଆଜିକାଲି କିଛି ଭଲ ଲାଗୁନାହିଁ ;ମୋ ମନକୁ ନ ସଜାଡ଼ିବା ପର୍ଯ୍ୟନ୍ତ ମୁଁ  ଆମ ସମ୍ପର୍କକୁ କିଛିଦିନ ବିରତି ଦେବାପାଇଁ ଚାହୁଁଛି,ପ୍ଲିଜ ମତେ ଭୁଲ ବୁଝିବ ନାହିଁ |ଦିବ୍ୟାଶାର କଥା ଶୁଣି ଅନିଷ ହୃଦୟରେ ଗଭୀର ଆଘାତ ସୃଷ୍ଟି ହେଲା ଓ ଅସୀମ ଦୁଃଖରେ ତାର ଗଳା ରୁଦ୍ଧ ହୋଇ ଆସିଲା |ସେ କହିଲା,ତାହେଲେ ଇଏ କଣ ତୁମର ଶେଷକଥା ?ମମି ପଚାରିଲେ,ମୁଁ କଣ କହିବି ??ଦିବ୍ୟାଶା କିଛି ନକହି ନୀରବରେ ପଥର ପରି ଛିଡା ହୋଇଥିଲା |ଅନିଷ କହିଲା,ଠିକ ଅଛି,ତମର ଯଦି ଏଇ ଇଛା ତାହେଲେ ମୁଁ ମଧ୍ୟ ପ୍ରମିଜ କରୁଛି, କେବେହେଲେ ମୁଁ ମୋ ଆଡୁ ତମକୁ  ଆଗତୁରା ଫୋନ କରିବି ନାହିଁ |ଏତିକି କହି ସେ ସେଠାରୁ ଝଡ଼ ପରି ଚାଲିଗଲା | (କ୍ରମଶଃ)