Wednesday, November 15, 2023

ପଡୋଶୀର ଦୁଃଖ

              ଦୁଃଖର କାରଣ ଅଗଣିତ  |କିନ୍ତୁ ସାଧାରଣତଃ  ଦୁଇଟି କାରଣ ପାଇଁ ମଣିଷ ବେଶୀ ଦୁଃଖ ପାଇଥାଏ  |ପ୍ରଥମଟି ହେଲା ସେ ଯେତେବେଳେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରେ ଓ ଦ୍ୱିତୀୟଟି ହେଲା, ଯେତେବେଳେ ତାର ପଡୋଶୀ ସୁଖରେ ଥାଏ !!

       ଜୟା ଥିଲେ ଲକ୍ଷ୍ମୀ ନଗର କଲୋନୀର ମଉଡମଣି  |ଜଣେ ସୁଗୃହୁଣୀଙ୍କ ସମସ୍ତ ଗୁଣ ତାଙ୍କଠାରେ ମହଜୁଦ ଥିଲା | ରୋଷେଇବାସ ଓ ଘରକରଣା ଆଦି ସମସ୍ତ କାର୍ଯ୍ୟରେ ସେ ନିପୁଣା ଥିବା ସହିତ ସବୁ ପ୍ରକାର ଓଷାର ପୂଜାବିଧି ତଥା  ବିବାହ ବ୍ରତର ନୀତି ନିୟମ ତାଙ୍କର ମୁହେଁ ମୁହେଁ ଥିଲା |ତେଣୁ ଏସବୁ କାର୍ଯ୍ୟରେ ପରାମର୍ଶ ତଥା ସହଯୋଗ ପାଇବା  ପାଇଁ କଲୋନୀର ସମସ୍ତ ବାସିନ୍ଦା  ତାଙ୍କ  ଉପସ୍ଥିତି ଲୋଡୁଥିଲେ  |ଏତେ ସବୁ ଭଲ ଗୁଣ ସତ୍ତ୍ୱେ ଜୟା ଅତି ମାତ୍ରାରେ ସ୍ପଷ୍ଟବାଦୀ ଥିଲେ ଓ ଅପ୍ରିୟ ସତ୍ୟ  ମୁହେଁ ମୁହେଁ କହିବାକୁ କୁଣ୍ଠା ବୋଧ କରୁନଥିଲେ |ଏକଦା ପଡୋଶୀ ବିପିନ ବାବୁଙ୍କ ସହଧର୍ମିଣୀ ପ୍ରଭାଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା |ଦୁହେଁ ଦୁହିଁଙ୍କୁ କ୍ଷଣେ ନଦେଖିଲେ ବଣା ହୋଇଯାଉଥିଲେ | ଦୁହିଁଙ୍କ ଭିତରେ  ନିୟମିତ ଭାବରେ ପିଠାପଣା ଓ ତରକାରୀ ଦିଆନିଆ ଚାଲିଥିଲା |କିନ୍ତୁ ତାଙ୍କ ହାତରନ୍ଧା ଖାଦ୍ୟ ଖାଇ  ବିପିନ ବାବୁ ଏପରି ଖୁସି ହୋଇଗଲେ ଯେ, ତାଙ୍କୁ ଆଉ ପ୍ରଭାଙ୍କ ହାତରନ୍ଧା ଭଲ ଲାଗିଲା ନାହିଁ ବୋଲି ପ୍ରଭା ମନେକଲେ || ବିପିନବାବୁଙ୍କ ଏପରି ଆଚରଣ ପ୍ରଭାଙ୍କ ପାଇଁ କ୍ରମେ ଅସହ୍ୟ ହୋଇ ଉଠିଲା | ଶେଷରେ ଦିନେ ସେ ମୁହଁ ଖୋଲି ଜୟାଙ୍କୁ କହିଦେଲେ,ନାନୀ ,ଦୟାକରି ଆଜିଠାରୁ ତମ ଘରେ ରନ୍ଧା ହୋଇଥିବା କୌଣସି ଜିନିଷ ଆମକୁ ଦେବନାହିଁ |ସେହିଦିନଠାରୁ  ଦୁହିଁଙ୍କର ଅଭେଦ୍ୟ ପ୍ରୀତି ସମାପ୍ତ ହୋଇଗଲା ବୋଲି ଲୋକେ କହନ୍ତି  |

            କେବଳ ଏତିକି ନୁହେଁ,ଯେତେବେଳେ ପ୍ରଭାଙ୍କର ଏକମାତ୍ର ପୁତ୍ର ପ୍ରକାଶର ବାହାଘର ଧୁମଧାମରେ ହୋଇ ତାଙ୍କ ଘରକୁ ସୁନ୍ଦରୀ ବୋହୂ ଆସିଲା, ସାଇ ମାଇପେ ପ୍ରଭାଙ୍କ ଘରକୁ ବୋହୂ ଦେଖିବାକୁ ଗଲେ |ସେମାନଙ୍କ ସହିତ ଜୟା ମଧ୍ୟ ଯାଇଥିଲେ |ଜୟାଙ୍କୁ ସାଙ୍ଗରେ ନେବାର କାରଣ ହେଲା,ସେ କାଳେ ବୋହୂ ଦେଖି  ସେ ଭଲ କି ମନ୍ଦ କହି ପାରୁଥିଲେ |ପୁଣି ତାର କେଉଁଠି କଣ ଖୁଣ ଅଛି,ତାହା ତାଙ୍କ ନଜରରୁ ବାଦ ଯାଉ ନଥିଲା |ପ୍ରଭାଙ୍କ ବୋହୂ ଶିକ୍ଷିତା ,ସୁନ୍ଦରୀ ଓ କର୍ମଜୀବି ଥିଲା |ତାକୁ ଦେଖିବା ମାତ୍ରେ  ଜୟା ମନ୍ତବ୍ୟ ଦେଲେ,ପୁଳାଏ ମେକଅପ ହୋଇଛି ବୋଲି  ସୁନ୍ଦର ଦିଶୁଛି ,ନହେଲେ ବାସ୍ତବରେ ଏତେ ସୁନ୍ଦରୀ ନୁହେଁ , ପ୍ରକୃତି ବି ଏତେ ଭଲ ପରି ଜଣା ପଡୁନି ,ଗର୍ବୀ ପରି ମନେ ହେଉଛି |ଜୟାଙ୍କର ମନ୍ତବ୍ୟ ପ୍ରଭାଙ୍କ କାନରେ ପଡ଼ିବାକୁ ବେଶୀ ଡେରି ଲାଗିଲା ନାହିଁ |ଯେଉଁ ଭଦ୍ର ମହିଳା ପ୍ରଭାଙ୍କୁ ଏକଥା କହିଲେ,ସେ ରାଣ ନିୟମ ପକାଇ ଜୟାଙ୍କୁ ଏକଥା ନକହିବାକୁ ବାରଣ କରିଥିଲେ |ତେଣୁ ଅନ୍ତର ଭିତରେ ଜଳି,ସୁଯୋଗର ଅପେକ୍ଷାରେ ରହିବା  ଛଡା ତାଙ୍କର ଆଉ କିଛି  ଉପାୟ  ନଥିଲା | ପ୍ରଭାଙ୍କ ବୋହୂ କର୍ମଜୀବି ହୋଇଥିବାରୁ ମାସକ ପରେ ପ୍ରକାଶ ସହିତ ତାର କର୍ମକ୍ଷେତ୍ରକୁ ଚାଲିଗଲା |ତେଣୁ ସେ ଭଲ କି ମନ୍ଦ ଜାଣିବାପାଇଁ କଲୋନୀ ମହିଳାଙ୍କୁ ସୁଯୋଗ ମିଳିଲା ନାହିଁ |

          ଜୟାଙ୍କର ଝିଅ ବଡ଼,ପୁଅ ସାନ |ଝିଅ ବାହାଘର କେବେଠାରୁ ସରି ଥିଲା ,ବାକି ଥିଲା ପୁଅ ବାହାଘର |ଯୋଗକୁ ପୁଅ ରୋହିତ  ପାଇଁ ତାଙ୍କ ମନଲାଖି  ଝିଅ ମିଳିଗଲା ଓ ତା ସହିତ ତାଙ୍କ ଆଶା ଠାରୁ ଯଥେଷ୍ଟ ଅଧିକ ଯୌତୁକ ବିନା ଡିମାଣ୍ଡରେ ମିଳିଗଲା |ଗୋଟିଏ ବଡ଼ ହୋଟେଲରେ ସେମାନେ  ରିସେପ୍ସନ ପାର୍ଟି ଦେଇଥିଲେ |ସମସ୍ତଙ୍କ ମୁହଁରୁ ବୋହୂ ଓ ବାହାଘର ଆୟୋଜନର ଭୁରି ଭୁରି ପ୍ରଶଂସା ଶୁଣି ଦୁଃଖରେ ପ୍ରଭାଙ୍କ ଛାତି ଫାଟି ଯାଉଥିଲା  |

       ଦୁଇମାସ ପରେ ଦିନେ ଖରାବେଳେ ଜୟାଙ୍କ ଘରୁ ଜୋରରେ ପାଟିତୁଣ୍ଡ ସହିତ ବାସନ ଫୋପଡ଼ା ଫିଙ୍ଗାର ଶବ୍ଦ ଶୁଭିଲା |ଘଟଣା କଣ ଜାଣିବା ପାଇଁ ପ୍ରଭା କାନ ଡେରିଲେ |ଜୟା ସମ୍ପୂର୍ଣ୍ଣ ନିରାମିଶାଷୀ ଥିଲେ |କିନ୍ତୁ ବାବାଙ୍କ ଆଶ୍ରମରୁ ଆସିଥିବା ଆମିଷ ପ୍ରସାଦ ବଡ଼ ତୃପ୍ତିରେ ଖାଉଥିଲେ ଯାହାକୁ ବୋହୂ ଭଲ ଦୃଷ୍ଟିରେ ଦେଖୁ  ନଥିଲା |ଏହାରି ଉପରେ ଯୁକ୍ତି ତର୍କ ହୋଇ ଝଗଡା ଆରମ୍ଭ ହୋଇଥିଲା |ଅସଲ କଥା ହେଲା,ଜୟା ବୋହୂକୁ ଅତି ମାତ୍ରାରେ ଶାସନ କରୁଥିଲେ ଓ ତାର ସବୁ କାର୍ଯ୍ୟରେ ଖୁଣ କାଢୁଥିଲେ |ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ବୋହୂ ତାଙ୍କର ଆମିଷ ପ୍ରସାଦ ପ୍ରତି ଥିବା ଦୁର୍ବଳତା କଥା କହିଦେଇଥିଲା |କିନ୍ତୁ ଏହା କରି  ସେ ମହୁଫେଣାରେ ହାତ ପୁରାଇ ଦେଇଥିଲା |ବୋହୂ ଅବଶ୍ୟ ସାଙ୍ଗେ ସାଙ୍ଗେ ତାଙ୍କ ଗୋଡ଼ ତଳେ ପଡି କ୍ଷମା ମାଗିଥିଲା |କିନ୍ତୁ ଜୟା ବୁଝି ନଥିଲେ |କଥା ବଢି ବଢି ଏପରି ବିରାଟ ଆକାର ଧାରଣ କଲା ଯେ,ଜୟା ତାଙ୍କ ମହିଳା ବାନ୍ଧବୀଙ୍କ ଆଗରେ  ବୋହୂ କିପରି ଜଣେ ଦାରୁଣ କର୍ମକୋଢ଼ୀ ଓ ତାକୁ କିଛି ଶଣ୍ଠଣା ଜଣା ନାହିଁ ଇତ୍ୟାଦି ତାର ଯେତେକ ଦୁର୍ଗୁଣ  ନିତି ନିତି ନୂଆ ଢଙ୍ଗରେ ବନେଇ ଚୁନେଇ କହିଲେ |ପ୍ରଭାଙ୍କୁ ଏକଥା ଶୁଣି ବହୁତ ଖୁସି ଲାଗୁଥିଲା |ଦିନେ ଜୟା ମହିଳା ମହଲରେ ବୋହୂ ବିରୁଦ୍ଧରେ ଗପୁଥିବାବେଳେ ସେଠାରେ ଉପସ୍ଥିତ ଥିବା ପ୍ରଭା କହିଦେଲେ,ଯିଏ  ଦିନେ ମୋ ଘରେ ନିଆଁ ଲଗାଉଥିଲା ,ଆଜି ତା ଘରେ ନିଆଁ ଲାଗିଛି|ସବୁ କର୍ମର ଫଳ |ଭୋଗିବନି ତ ଯିବ କୁଆଡେ !! ଏକଥା ଶୁଣି ବୋହୂ ବିରୁଦ୍ଧରେ ଅନବରତ ଗପୁଥିବା ଜୟା ହଠାତ ଚୁପ ହୋଇଗଲେ ଓ  କ୍ଷିପ୍ର ଗତିରେ ଘରକୁ ଚାଲିଗଲେ |ଏତେଦିନ ପରେ ସେ ହୃଦୟଙ୍ଗମ କରୁଥିଲେ,ବୋହୂର ବଦନାମ କରିବାକୁ ଯାଇ ସେ ନିଜ ପରିବାରର ଇଜ୍ଜତକୁ ଦାଣ୍ଡରେ ନିଲାମ କରି ଦେଇଛନ୍ତି !!

      ଏହି ଘଟଣା ପରଠାରୁ ଜୟାଙ୍କର ବିରାଟ ପରିବର୍ତ୍ତନ ଆସିଲା |ସେ ବୋହୂର ଖୁଣ ନଦେଖି ତାର ଭଲ ଗୁଣକୁ ଆଦର କରିବା ଶିଖିଗଲେ |ଏବେ ଶାଶୁ ବୋହୂ ଭଲରେ ଚଳୁଛନ୍ତି,ଆଉ କଳିଗୋଳ ନାହିଁ |ଜୟାଙ୍କ ଘରେ ସୁଖ ଶାନ୍ତି ଦେଖି ପ୍ରଭା ଅସହିଷ୍ଣୁ ହୋଇ କହନ୍ତି,ଘରର ଗୁମର ପଦାରେ ପଡିଗଲା,ଏବେ ଯେତେ ଭଲେଇ ହେଲେ କଣ ହେବ !!!!

             

Monday, October 16, 2023

ନାମ

                     ରୁଦ୍ର ତାର ମାଆଙ୍କୁ ବହୁତ ଭଲ ପାଉଥିଲା |ପାଠପଢା ,ଖେଳକୁଦ କିଣାକିଣି ବା ଯାହା  କିଛି ବି ହେଉ ତାକୁ ପ୍ରଥମେ ତାର ମାଆଙ୍କର ଭରପୁର ସମର୍ଥନ ମିଳୁଥିଲା | ଭଉଣୀ ଶ୍ରେୟା  ବାପାଙ୍କର ଗେହ୍ଲି ଥିବାବେଳେ ସେ ଥିଲା ତା ମାଆଙ୍କର ଅତି ଗେହ୍ଲା ପୁଅ |ସେହି ହିସାବରେ ତାର ଦୃଢ଼ ଆଶା  ଥିଲା, ମାଆ ନିଶ୍ଚିତ ଭାବରେ  ବାନ୍ଧବୀ ରିୟା ସହିତ ଥିବା ତାର ସମ୍ପର୍କକୁ ସ୍ୱୀକୃତି ଦେବେ |ସେଦିନ ବାପା ଅଫିସ ଓ ଶ୍ରେୟା  କଲେଜ ଯାଇଥିବା ବେଳେ ସେ ରିୟାକୁ ନେଇ ଘରକୁ ଯାଇଥିଲା |କିନ୍ତୁ ତାର ଆଶାର ବିପରୀତ ,ମାଆ ତା ସହିତ ରିୟାକୁ ଦେଖିବାକ୍ଷଣି ପ୍ରଚଣ୍ଡ କ୍ରୋଧରେ ଫାଟି ପଡି କଣ ନାହିଁ କଣ ବକି ଦେଇଗଲେ ଓ ରିୟାକୁ ସେ କେବେହେଲେ ସ୍ୱୀକାର କରିବେ ନାହିଁ ବୋଲି ପରୋକ୍ଷରେ ତାକୁ ଚେତାବନୀ ଦେଇଥିଲେ | | ମାଆଙ୍କର ଏପରି ଚଣ୍ଡୀ ରୂପ ରୁଦ୍ର ପୂର୍ବରୁ କେବେ ବି ଦେଖି ନଥିଲା | ଅନ୍ଧ ପରି ତାର ସବୁ କଥାକୁ ସମର୍ଥନ କରୁଥିବା ମାଆ କିପରି ଏତେ ନିଷ୍ଠୁର ହୋଇ ପାରିଲେ ବୋଲି ସେ ଭାବି ପାରୁ ନଥିଲା  |ମାଆଙ୍କ ଉଦାରତା ବିଷୟରେ ରିୟାକୁ ଅତୀତରେ କହିଥିବା ସବୁ  ବଡ଼ ବଡ଼ କଥା  ମୁହୂର୍ତ୍ତକେ ମିଥ୍ୟା  ପ୍ରମାଣିତ ହୋଇ ଯାଇଥିଲା  !!   ସେତେବେଳେ ତାର ଦୟନୀୟ ଅବସ୍ଥା କଥା କହିଲେ ନ ସରେ  |ସବୁଠାରୁ ବଡ଼ କଥା ହେଲା,ତାଙ୍କ କଥା ଶୁଣି ରିୟା ଏପରି ଭୟଙ୍କର ଭାବେ ରାଗି ଯାଇଥିଲା ଯେ,ସେହିଦିନ ତାଙ୍କର ବ୍ରେକଅପ ହେବା ପରି ପରିସ୍ଥିତି ଉପୁଜି  ଯାଇଥିଲା |  |କିନ୍ତୁ ଠିକଣା ସମୟରେ ରୁଦ୍ର ମାଆଙ୍କ ତରଫରୁ ରିୟାକୁ ସହସ୍ରବାର କ୍ଷମା ମାଗି ପରିସ୍ଥିତିକୁ କୌଣସିମତେ ସମ୍ଭାଳି ନେଇଥିଲା |

                 ଏହାପରେ ରୁଦ୍ର ସତର୍କ ହୋଇ ଯାଇଥିଲା  ଓ ରିୟା ସହିତ ଥିବା ତାର ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲା |ମାଆ ଭାବୁଥିଲେ,ପୁଅ ମୋର ସୁଧୁରି ଗଲାଣି !କିନ୍ତୁ ରୁଦ୍ରର ଭିନ୍ନ ଯୋଜନା ଥିଲା | ପଢା ଶେଷ କରି ଚାକିରୀ କରିବା କ୍ଷଣି ସେ ତା କାର୍ଯ୍ୟସ୍ଥଳୀକୁ ଚାଲି ଆସିଲା |ସେତେବେଳେ  ରିୟା ତା ପାଖକୁ ଚାଲି ଆସିଲା ଓ ଦୁହେଁ ଏକାଠି ରହିବାକୁ ଲାଗିଲେ |ମାନସିକ ଭାବେ ସେ କେବେଠାରୁ ପରିବାର ସହିତ ତାର ସମ୍ପର୍କ ଛିନ୍ନ କରି ସାରିଥିଲା | 

             ସର୍ବାଙ୍ଗ ସୁନ୍ଦରୀ  ରିୟାକୁ ବିବାହ କରିବାପରେ ରୁଦ୍ର ବହୁତ ଖୁସି ଥିଲା |ସେ ରିୟାକୁ ସାଙ୍ଗରେ ନେଇ ଯୁଆଡେ ଯାଉଥିଲା,ସମସ୍ତଙ୍କର ନଜର ରିୟା ଉପରେ ଅଟକି ଯାଉଥିଲା |ଏଥିରେ ରୁଦ୍ରର ଛାତି କୁଣ୍ଢେମୋଟ ହୋଇ ଯାଉଥିଲା |ରିୟାକୁ ସକଳ ସୁଖ ସ୍ଵାଚ୍ଛନ୍ଦ୍ୟ ଦେବାପାଇଁ ସେ ଟିକିଏ ବି କାର୍ପଣ୍ୟ କରୁ ନ ଥିଲା |

               ବର୍ଷକ ପରେ ରିୟା ଗର୍ଭବତୀ ହେଲା |ସେତେବେଳେ ସେ ଯାହା କିଛି କାମ କରୁଥିଲା,ସେତକ ବି ବନ୍ଦ ହୋଇଗଲା |ସେତେବେଳେ ରୁଦ୍ର ଘରୁ କାମ କରି ଏକୁଟିଆ ଘର ଓ ବାହାରର ସବୁ କାମ ସମ୍ଭାଳି ନେଲା |ପ୍ରସବର ଦୁଇ ମାସ ପୂର୍ବରୁ ରିୟାର ମାଆ ଆସିବାରୁ ରୁଦ୍ରକୁ ଟିକିଏ ବିଶ୍ରାମ ମିଳିଲା | ପରେ ପରେ ରିୟାର ସାନ ଭଉଣୀ ପ୍ରିୟା ମଧ୍ୟ ସେଠାକୁ ଯିବା ଆସିବା କଲା |ଏଥରକ ଘର ଟି ପ୍ରକୃତ ଘର ପରି ରୁଦ୍ରକୁ ଲାଗୁଥିଲା ଓ ସେ ବହୁତ ଖୁସି ଥିଲା  |ଯେତେବେଳେ ଡୁବୁଲୁ ସେମାନଙ୍କର ପ୍ରଥମ ପୁତ୍ର ସନ୍ତାନ ଭାବେ ଦୁନିଆଁରେ ପାଦ ରଖିଲା,ଖୁସିରେ ଆତ୍ମହରା ହୋଇ ତା  ଆଖିରୁ ଲୁହ ଝରି ପଡିଥିଲା |ସେତେବେଳେ ପ୍ରଥମ ଥର ପାଇଁ  ମାଆଙ୍କ କଥା ତାର ବହୁତ ମନେ ପଡିଥିଲା |

            ପୁଅକୁ ପ୍ରଥମ ଛଅ ମାସ କେବଳ ମାଆ କ୍ଷୀର ଦେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ |କିନ୍ତୁ ନିକିମା ହୋଇ ପିଲାକୁ ବାରମ୍ବାର  କ୍ଷୀର ଖୁଆଇବା ପାଇଁ ରିୟାର ଧୈର୍ଯ୍ୟ ନଥିଲା |ବାଧ୍ୟ ହୋଇ ତାକୁ ଡବା କ୍ଷୀର ପିଆଇବାକୁ ପଡିଲା |କୌଣସିମତେ ବର୍ଷେ ବିତିଗଲା |ଏଥରକ  ପୁଅକୁ ଡେ କେୟାରରେ ଛାଡିବା ପାଇଁ ରିୟା ରୁଦ୍ରକୁ ଅନୁରୋଧ କଲା |କିନ୍ତୁ ରୁଦ୍ର ରାଜି ହେଲାନାହିଁ |ସେ କହିଲା,କର୍ମଜୀବି ମହିଳା ମାନେ ସିନା ବାଧ୍ୟବାଧ୍ୟକତାରେ ପିଲାକୁ ଡେ କେୟାରରେ ଛାଡ଼ୁଛନ୍ତି,ତମର କଣ ଅସୁବିଧା ଅଛି ?ବାସନ ମଜା,ଘର ଓଳା ପୋଛା ଓ ରୋଷେଇ କରିବା ପାଇଁ ଲୋକ ଖଞ୍ଜା ହୋଇଛନ୍ତି,କେବଳ ମାତ୍ର ପିଲାକୁ ସମ୍ଭାଳିବା କଥା,ତା ପୁଣି ତମ ନିଜ ପିଲା,ଏତକ ତମ ଦ୍ୱାରା ହୋଇ ପାରିବ ନାହିଁ ?ସେଦିନ ଏଇ କଥାକୁ ନେଇ ଦୁହିଁଙ୍କ ଭିତରେ ବହୁତ ଝଗଡା ହୋଇଥିଲା |

         ରିୟା ପାଖକୁ ଅଧିକାଂଶ ସମୟରେ ପ୍ରିୟା ଆସୁଥିଲା |ତା ସହିତ ତାର ପୁରୁଷ ବନ୍ଧୁ ପିୟୁଷ ବି ଆସୁଥିଲା |ବେଳେ ବେଳେ ପିୟୁଷ ଏକୁଟିଆ ଆସି କିଛିଦିନ ରହି ଚାଲି ଯାଉଥିଲା |ଇଚ୍ଛା ନ ଥିଲେ ବି ରୁଦ୍ର ଏହାକୁ ବିରୋଧ କରି ପାରୁନଥିଲା |ଦିନେ ଅଫିସରେ ଥିବାବେଳେ ସାମନା ଘର ପଡୋଶୀ ଫୋନ କରି କହିଲେ,ଆପଣଙ୍କ ଘର ବାହାରୁ ବନ୍ଦ ଅଛି,ଭିତରେ ପୁଅ ଅନେକ ବେଳୁ ରାହା ଧରି  କାନ୍ଦୁଛି  |ଏକଥା ଶୁଣି ରୁଦ୍ର ତୁରନ୍ତ ଘରକୁ ଛୁଟି ଆସିଲା | ବାଇକ ରଖିବାବେଳେ ସିକ୍ୟୁରିଟି କହିଲା,ମାଡାମ ତାଙ୍କ ଫ୍ରେଣ୍ଡଙ୍କ ସାଙ୍ଗରେ ଯାଇଛନ୍ତି,ଏ ପର୍ଯ୍ୟନ୍ତ ଫେରି ନାହାନ୍ତି |ତା କଥା ଶୁଣିବାକୁ ରୁଦ୍ରର ଧୈର୍ଯ୍ୟ ନଥିଲା |ସେ ତୁରନ୍ତ ଲିଫ୍ଟ ଯୋଗେ ଉପରକୁ ଚାଲିଆସିଲା |ସେତେବେଳେ ତାର ଘର ସମ୍ମୁଖରେ ଅନେକ ଲୋକ ଜମା ହୋଇଥିଲେ |ସେ ସେମାନଙ୍କୁ ନଜର ଅନ୍ଦାଜ କରି ଚାବି ଖୋଲି ଭିତରକୁ ପଶିଗଲା ଓ ଡୁବୁଲୁ କୁ ଟେକି ନେଇ ଛାତିରେ ଜାବୁଡି ଧରିଲା |ପିତାଙ୍କୁ ଦେଖି ଡୁବୁଲୁର କାନ୍ଦ ବନ୍ଦ ହୋଇ ଯାଇଥିଲା |କିନ୍ତୁ ରୁଦ୍ର ଆଖିରୁ ସେମିତି ଲୁହଧାର ଝରି ଚାଲିଥିଲା |ଏତିକିବେଳେ ତାର ନଜର ସମ୍ମୁଖସ୍ଥ ବ୍ଲାକ ବୋର୍ଡ ଉପରେ ପଡିଲା,ଯେଉଁଥିରେ ରିୟା ଦୁଇ ଧାଡି ଲେଖି ଯାଇଥିଲା ,"ମୁଁ ସବୁଦିନ ପାଇଁ ଯାଉଛି,ମତେ ଖୋଜିବାକୁ ଚେଷ୍ଟା କରିବନି" |ରୁଦ୍ରର ପିଞ୍ଜରା ଥରେଇ ଅନ୍ତର ଭିତରୁ ପ୍ରବଳ ବେଗରେ କୋହ ବାହାରି ଆସିଲା |ସେ କାନ୍ଦୁ କାନ୍ଦୁ କହିଲା,'ମାଆ ଲୋ,ତୋ କଥା ନମାନି ମୁଁ ବହୁତ ବଡ଼ ନାମ ନେଲି,ମତେ କ୍ଷମା କରିଦେ |

          ରିୟା ଯାହା ସହିତ ପଳାୟନ କରିଥିଲା,ସେ ତାର ସାନ ଭଉଣୀ ପ୍ରିୟାର ପୁରୁଷ ବନ୍ଧୁ ପିୟୁଷ ଥିଲା ବୋଲି ପରେ ଜଣା ପଡିଲା !!

          

Tuesday, October 3, 2023

ଶେଷ ତୀର

                                                                 ଶେଷ ତୀର 

                  ଅନେକ ବର୍ଷ ପରେ ପ୍ରଦର୍ଶନୀ ପଡିଆରେ ଅଚାନକ ପ୍ରଣବ ସହିତ ଶାଶ୍ୱତର ଦେଖା ହୋଇଗଲା  |ଦୁହେଁ  ସ୍କୁଲ ବେଳର ବନ୍ଧୁ ଥିଲେ | ଦ୍ୱାଦଶ ଶ୍ରେଣୀ ପରେ କ୍ୟାରିଅର ପାଇଁ ଯିଏ ଯାହା ଲକ୍ଷ୍ୟରେ ଚାଲିଗଲେ,ଏଣୁ ଏତେ ଖାସ ନଥିଲେ,ସମସ୍ତେ ସମସ୍ତଙ୍କର ଖବର ରଖିବା ସମ୍ଭବପର  ନଥିଲା   |ପ୍ରଣବ ଇଞ୍ଜିନିଅର ହୋଇଥିବାବେଳେ ଶାଶ୍ୱତ ଅଧ୍ୟାପକ ଥିଲା |ଏତେ ବର୍ଷ ପରେ ବି  ଶାଶ୍ୱତକୁ ଚିହ୍ନିବାରେ ପ୍ରଣବର ଭୁଲ ହେଲାନାହିଁ |ସେ କହିଲା,ତୁ ଯେମିତି ଥିଲୁ ଆଜିଯାଏଁ ସେମିତି ଅଛୁ,ଟିକିଏ ବି ବଦଳି ନାହୁଁ |ଶାଶ୍ୱତ ଅଳ୍ପ ହସି କହିଲା,ତୁ କିନ୍ତୁ ଆଗ ଅପେକ୍ଷା ଟିକିଏ ଝଡି ଯାଇଛୁ |ପ୍ରଣବ ଉଦାସ ହୋଇ କହିଲା,ମୋ କଥା ଜାଣୁ,ମୁଁ ସବୁବେଳେ କିଛି ନା କିଛି ଦୁଶ୍ଚିନ୍ତାରେ ଥାଏ  |ଶାଶ୍ୱତ କହିଲା,ଭଲ ଚାକିରୀ କରିଛୁ,ବାହା ହୋଇ ଆରାମରେ ଜୀବନ ବିତେଇବା କଥା,ତୋର ପୁଣି କି ଦୁଶ୍ଚିନ୍ତା  ?ନିଶ୍ଚେ ତୋ ମୁଣ୍ଡରେ କିଛି ଦୁଷ୍ଟ ବୁଦ୍ଧି ଖେଳୁଥିବ,ସତ କହିଲି ନା ? ପ୍ରଣବ ପ୍ରତିବାଦ କରି କହିଲା,ଭାରି ଗୋଟେ ବଡ଼ ଜ୍ୟୋତିଷ ପରି ବାଣୀ ଶୁଣେଇ ଦେଲା !ମୁହେଁ ମୁହେଁ କହି ମନରେ ଦୁଃଖ ଦେବା ଅଭ୍ୟାସ ତୋର ଆଜି ଯାଏଁ ଗଲା ନାହିଁ |ଶାଶ୍ୱତ ତା ହାତ ଧରି ପକେଇ କହିଲା,ଭାଇ ,ମତେ କ୍ଷମା କର,କହୁ କହୁ କହିଦେଲି |ଚାଲ,କଫି ପିଇବା |

         ଦୁହେଁ କଫି ପିଉ ପିଉ କଥା ପ୍ରସଙ୍ଗରେ ପ୍ରଣବ କହିଲା, ତୋ କଥା ଅବଶ୍ୟ କେତେକାଂଶରେ ସତ |ଚାଲ,ମୁଁ ତତେ ଗୋଟିଏ କଥା ଦେଖାଇବି |ଦୁହେଁ ଚାଲି ଚାଲି କିଛି ଦୂର ଯିବାପରେ ପ୍ରଣବ  ଶାଶ୍ୱତକୁ ଦୂରରେ ବସିଥିବା ଦୁଇଜଣ ମହିଳାଙ୍କୁ ଇଙ୍ଗିତ କରି କହିଲା,ନୀଳ ଶାଢ଼ୀ ପିନ୍ଧିଥିବା ଝିଅର ନାଁ ମିନୁ,ମାଷ୍ଟ୍ରାଣୀ ଚାକିରୀ କରୁଛି,ଆଉ ତା ପାଖରେ ଯିଏ ବସିଛନ୍ତି,ସେ ତାର ଭାଉଜ |ଶାଶ୍ୱତ ଆଶ୍ଚର୍ଯ୍ୟ ହୋଇ କହିଲା,ସେମାନଙ୍କ ସହିତ ତୋର କି ସମ୍ପର୍କ ?ପ୍ରଣବ ତାକୁ ସେଠାରୁ ନେଇଯାଇ କହିଲା,କହୁଛି ,ଶୁଣ |ମିନୁର ଭାଉଜ ମୋର ଦୂର ସମ୍ପର୍କୀୟା ଭଉଣୀ |ଇଞ୍ଜିନିଅରିଂ ପଢିବା ବେଳେ ମୁଁ ପ୍ରାୟ ବେଳେ ତାଙ୍କ ଘରକୁ ଯାଉଥିଲି |ସେତେବେଳେ  ମିନୁ  ଅଲଗା ସହରରେ ତାର ବାପା ମାଆଙ୍କ ପାଖରେ ରହି ପଢୁଥିଲା ଓ ଛୁଟିରେ କେବେ କେବେ ତା ଭାଇଭାଉଜଙ୍କ  ଘରକୁ ବୁଲି ଆସୁଥିଲା |ପ୍ରଥମ ଦେଖାରେ ମୁଁ ମିନୁ  ପ୍ରତି ଆକୃଷ୍ଟ ହୋଇ ଯାଇଥିଲି |କିନ୍ତୁ ମିନୁ ମତେ ଟିକେ ବି ଭାଉ ଦେଉ ନଥିଲା |ଦିନେ ଘରେ କେହି ନଥିବାର ସୁଯୋଗ ନେଇ ମୁଁ ତା କାନ୍ଧରେ ହାତ ରଖିଦେଲି |ବାସ,ମୁଁ ଆଉ ଯାଏ କୁଆଡେ |ଢ଼ୋ ଢ଼ୋ କରି ଦୁଇ/ଚାରି ଚଟକଣା ସେ ମୋ ଗାଲରେ କଷି ଦେଇଗଲା |ଏତିକିରେ ସନ୍ତୁଷ୍ଟ ନହୋଇ ସେ ତାର ଭାଇ ଆଗରେ ଫେରାଦ ହେଲା |ମତେ ବାଧ୍ୟ ହୋଇ କ୍ଷମା ମାଗିବାକୁ ପଡିଲା ଓ ସବୁଦିନ ଲାଗି  ଘରର କବାଟ ମୋ ପାଇଁ ବନ୍ଦ ହୋଇଗଲା |ଏତିକି ଟିକିଏ ଅପରାଧର ଏତେ ବଡ଼ ଶାସ୍ତି ମୁଁ ଆଦୌ ବରଦାସ୍ତ କରି ପାରି ନଥିଲି ଓ ତା ଉପରେ କଡା ଗଣ୍ଡା ହିସାବରେ ପ୍ରତିଶୋଧ ନେବାପାଇଁ  ସେହିଦିନ ଶପଥ ନେଇଥିଲି |

        ଶାଶ୍ୱତ ଉତ୍ସୁକ ହୋଇ ପଚାରିଲା,ତାପରେ ? ପ୍ରଣବ କହିଲା,ମିନୁ ସୁନ୍ଦରୀ ଓ ଉପାର୍ଜନକ୍ଷମ |ତାକୁ ଦେଖି ଯିଏ ନାହିଁ ସିଏ ବାହା ହେବାକୁ ରାଜି ହୋଇଯିବେ ,କିନ୍ତୁ ମୁଁ ତାହା ସମ୍ଭବ କରାଇ ଦେଉନାହିଁ |ଶାଶ୍ୱତ ଆଶ୍ଚର୍ଯ୍ୟ ହୋଇ କହିଲା,କେମିତି ?ପ୍ରଣବ ସହଜ ସ୍ୱରରେ କହିଲା,ଅତି ସିମ୍ପଲ |ପୁଅ ଘରକୁ ଫୋନ କରି ଝିଅ ମତେ ପ୍ରେମ କରୁଛି ବୋଲି କହି ଦଶ ବର୍ଷ ହେଲାଣି ମୁଁ ତାର ବାହାଘର ଭାଙ୍ଗି ଚାଲିଛି |ଶାଶ୍ୱତ ପଚାରିଲା,କିନ୍ତୁ ପୁଅ ଘର ନମ୍ବର ତତେ କେମିତି ମିଳି ଯାଉଛି ?ପ୍ରଣବ ଗର୍ବରେ କହିଲା,ଏଇ ଟିକକ ଆଗରୁ ତାର ଭାଉଜ ମୋର ଦୂର ସମ୍ପର୍କୀୟା ଭଉଣୀ ବୋଲି କହିଥିଲି ନା ?ସେ ମତେ ଆଜି ପର୍ଯ୍ୟନ୍ତ ସାହାଯ୍ୟ ଓ ସହଯୋଗ କରି ଆସିଛନ୍ତି  ଓ ଆଗକୁ କରିବେ ମଧ୍ୟ |କିନ୍ତୁ ବାରମ୍ବାର ବାହାଘର ପ୍ରସ୍ତାବ ଭାଙ୍ଗି ଯାଉ ଥିବାରୁ ମିନୁ ଆଜି ଶେଷଥର ପାଇଁ ଝିଅ ଦେଖା ପାଇଁ ରାଜି ହୋଇଛି  ଓ ଏକଥା ମଧ୍ୟ କହିଛି ଯେ,ଏଇଠି ପ୍ରସ୍ତାବ ଭାଙ୍ଗିଗଲେ ,ଆଉ ସେ ବାହା ହେବ ନାହିଁ |ବାପା କେବେଠାରୁ ଗଲେଣି ,ମାଆ ଏକୁଟିଆ |ଶାଶୁ ବୋହୂ ପଡୁ ନଥିବାରୁ ମିନୁ ତା ମାଆକୁ ପାଖରେ ରଖିଛି |ଆଗର ଫୁଟାଣି ଆଉ ନାହିଁ ,ସବୁ ଭାଙ୍ଗି ଚୁରମାର ହୋଇ ଯାଇଛି  |ତାର ଶେଷ ଇଣ୍ଟରଭିଉ ଦେବାପାଇଁ ସେ କେମିତି ବେଶରେ  ଆସିବ,ଓ ସେ ଟୋକା ସାଙ୍ଗରେ ସେ କେମିତି ମୁଖଭଙ୍ଗୀ କରି କଥା ହେବ,ତାହା ଦେଖିବାକୁ ଆଜି ଚାଲି ଆସିଲି |ଆଗପରି ଚେହେରା ନାହିଁ,ମୁହଁରେ ବୟସରେ ଛାପ ପଡ଼ିଲାଣି,କେଉଁ ହତଭାଗା ତାକୁ ରାଜି ହେବ କେଜାଣି ?ଶାଶ୍ୱତ କହିଲା,ତା ମାନେ,ଏଇଟା ତୋ ତୁଣୀରର ଶେଷ ତୀର ?ପ୍ରଣବ ଟିକିଏ ଚିନ୍ତା କରି କହିଲା,ସେଇଟା ସମୟ  କହିବ,ଏବେଠାରୁ ମୁଁ କିଛି କହି ପାରିବିନି |

         ଶାଶ୍ୱତ କହିଲା,ହଉ ତୁ ଥା,ମୁଁ  ଯାଉଛି |ପ୍ରଣବ କହିଲା,ମୁଁ ମୋ କଥା କହିଲି,ତୁ ତୋ କଥା କିଛି କହିଲୁନି ତ !ଶାଶ୍ୱତ କହିଲା,କଣ ଆଉ କହିବି ?ବଲାଙ୍ଗୀରରେ ଥିଲି,ମାସେ ହେବ ଏଠାକୁ ଆସିଛି |ପଛେ କଥା ହେବା ,ମୁଁ ଚାଲିଲି |ଯିବା ପୂର୍ବରୁ ଦୁହେଁ ଦୁହିଁଙ୍କ ଫୋନ ନମ୍ବର ମୋବାଇଲରେ ସେଭ କରିଦେଲେ |ଘଣ୍ଟାଏ /ଦୁଇଘଣ୍ଟା ଅପେକ୍ଷା କରି ପୁଅଘର ନ ଆସିବାରୁ ମିନୁ ଓ ତାର ଭାଉଜ ବିରକ୍ତ ହୋଇ ଚାଲିଗଲେ |ପରେ ପରେ ପ୍ରଣବ ମଧ୍ୟ ଚାଲିଗଲା |

          ମିନୁ ସ୍କୁଲ ଯିବାପରେ ତାର ଭାଉଜ ପ୍ରଣବ ସହିତ କଥା ହୁଅନ୍ତି |ପରଦିନ ପ୍ରଣବ ଫୋନ କରିବା ପୂର୍ବରୁ ମିନୁର ଭାଉଜ ଫୋନ କଲେ |ପ୍ରଣବ ପଚାରିଲା,ସେମାନେ କାଲି କାହିଁକି ଆସିଲେନି ?ମିନୁର ଭାଉଜ କହିଲେ,ନ ଆସିଲେ କଣ ହେଲା,ଏ ପ୍ରସ୍ତାବରେ ରାଜି ବୋଲି ୟାଙ୍କୁ କାଲି ସେମାନେ ଜଣେଇ ଦେଇଛନ୍ତି |ପନ୍ଦରଦିନ ପରେ ନିର୍ବନ୍ଧ ହେବ |ତାଙ୍କ କଥା ଶୁଣି ପ୍ରଣବ ହତବାକ ହୋଇଗଲା |ସେ କହିଲା,ତାଙ୍କ ନମ୍ବର ମତେ ଦେଇ ପାରିବ ?ସେମାନେ ଦୁଇଟା ନମ୍ବର ଦେଇଛନ୍ତି,ମୁଁ ଦୁଇଟାଯାକ ତୋ ପାଖକୁ ପଠେଇ ଦେଉଛି ,ଏହା କହି ମିନୁର ଭାଉଜ ଫୋନ କାଟିଦେଲେ  |ପ୍ରଣବକୁ ବେଶୀ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ,ମୋବାଇଲରେ ଟୁଂ ଆବାଜ ଶୁଣି ସେ ସଙ୍ଗେ ସଙ୍ଗେ ହ୍ୱାଟସ ଆପ ଖୋଲିଲା |କିନ୍ତୁ  ନମ୍ବର ଦୁଇଟି ଦେଖୁ ଦେଖୁ  ତା ଆଖି ଆଗରେ ଅନ୍ଧକାର ଘୋଟିଗଲା ଓ ସେ ନିରୁପାୟ ହୋଇ ମୁଣ୍ଡରେ ଦୁଇ ହାତ ଦେଇ ବସି ପଡିଲା | ଅନେକ ଆଶା ରଖି ପ୍ରସ୍ତୁତ କରିଥିବା ତାର ତୁଣୀରର ଶେଷ ତୀର ପ୍ରୟୋଗ ହେବା ପୂର୍ବରୁ ଅକାମୀ ହୋଇ ଯାଇଥିଲା  |କାରଣ,ମିନୁର ଭାଉଜ ପଠେଇଥିବା ଦୁଇଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ଶାଶ୍ୱତର ଥିଲା,ଯାହା ଆଗରେ  କାଲି ସିଏ ବିସ୍ତୃତ ଭାବରେ ତାର ପ୍ରତିଶୋଧ ନେବାର କଳା ଚିଠା ଖୋଲି ଦେଇଥିଲା !!!!(ସମାପ୍ତ) ମମତା ମହାନ୍ତି ସାମନ୍ତରାୟ 

Saturday, September 16, 2023

ଭକ୍ତିର ଶକ୍ତି

                    ସୁଶୀଳା ଜଣେ ଭକ୍ତି ପରାୟଣ ମହିଳା ଥିଲେ  |ଈଶ୍ୱର ଆରାଧନାରେ ତାଙ୍କର ବିଶେଷ ରୁଚି ରହିଥିଲା ଓ ଭକ୍ତିର ଶକ୍ତି ଉପରେ ତାଙ୍କର ପ୍ରଗାଢ଼ ଆସ୍ଥା ଓ ଭରସା ଥିଲା | ଲଟେରୀରେ ସେମାନଙ୍କୁ ସରକାରୀ ଜମି ମିଳିବା  ,ସ୍ୱାମୀଙ୍କର ଅଚାନକ ପ୍ରମୋଶନ ହେବା,ପ୍ରଥମ ଆଟେମ୍ପଟ ରେ ପୁଅକୁ ଆଇ ଆଇ ଟି ମିଳିବା ଇତ୍ୟାଦି ଅନେକ ବଡ଼ ବଡ଼ ସୁଖଦ ଘଟଣା ଗୁଡିକୁ ସେ ଈଶ୍ୱରଙ୍କ ପ୍ରତି ଥିବା  ତାଙ୍କର ଅନାବିଳ ଭକ୍ତିର ଶକ୍ତି ବୋଲି ଭାବୁଥିଲେ | ସ୍ୱାମୀ ଶ୍ରୀନାଥ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ସ୍ଵଭାଵର ଥିଲେ |ସୁଶୀଳାଙ୍କ ପୂଜା ପାଠକୁ ସେ ତାମସିକ ଭକ୍ତି ବୋଲି କହୁଥିଲେ |ସୁଶୀଳା ରାତି ତିନିଟାରୁ ଉଠି ତାଙ୍କ ନିତ୍ୟକର୍ମ ଶେଷ କରି ସକାଳ ଆଠଟା ପର୍ଯ୍ୟନ୍ତ ପୂଜାପାଠରେ ବ୍ୟସ୍ତ ଥିବାବେଳେ ଶ୍ରୀନାଥ  ତିନିଥର ଗାୟତ୍ରୀ ମନ୍ତ ପାଠ କରି  ତାଙ୍କର ପୂଜା ସମାପ୍ତ କରୁଥିଲେ  |ସେ ଖାଦ୍ୟ ପ୍ରେମୀ ଥିଲେ ଓ ଆଦୌ ଭୋକ ସମ୍ଭାଳି ରହି ପାରୁ ନଥିଲେ |ସେ  ସବୁବେଳେ କହୁଥିଲେ ଆତ୍ମ କୁଶଳେ ସର୍ବ ସିଦ୍ଧି,ପଛେ କରିବ ନାନା ବିଧି |ପେଟ ହେଉଛି ଅସଲ ଭଗବାନ ,ପେଟକୁ କଷ୍ଟ ଦେଲେ ଭଗବାନ ଅଶାନ୍ତି ହୁଅନ୍ତି ବୋଲି ସେ ସୁଶୀଳାଙ୍କୁ ବୁଝାଉ ଥିଲେ  |ତାଙ୍କର ଏହି ସ୍ଵଭାଵ ପାଇଁ ସୁଶୀଳା ତାଙ୍କୁ ନାସ୍ତିକ ଓ ବିଧର୍ମୀ ବୋଲି କହୁଥିଲେ | 

           ପୁଅ ସୁମନ୍ତ ମାଆଙ୍କର ଭକ୍ତ ଥିଲା |ମାଆଙ୍କ ପରି ସେ ଠାକୁର ପୂଜା କରିବାକୁ ଓ ଉପବାସ ରଖିବାକୁ ବହୁତ ଭଲ ପାଉଥିଲା  |ପୁଅ ଆଇ ଆଇ ଟି ପାଇବା ପରେ ସୁଶୀଳା  ଯେତିକି ଖୁସି ଥିଲେ,ତାଙ୍କୁ ଛାଡି ସେ ରାଜ୍ୟ ବାହାରକୁ ପଢିବାକୁ ଯାଉଥିବାରୁ ସେତିକି ଦୁଃଖୀ ଓ ଚିନ୍ତିତ ମଧ୍ୟ ଥିଲେ |କିନ୍ତୁ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଗଲା, ଯେତେବେଳେ  ଶ୍ରୀନାଥଙ୍କର ଜଣେ ଅଫିସ ସହକର୍ମୀଙ୍କ ପୁଅ ମହେଶ ସେହି ଶିକ୍ଷାନୁଷ୍ଠାନରେ ତାର ଉପର ବ୍ୟାଚରେ ପଢୁଛି ବୋଲି ଜଣା ପଡିଲା |ଏହି ଖବର ପାଇବା ପରେ ସୁଶୀଳା ଖୁସିରେ ଆତ୍ମହରା ହୋଇ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ  |ଶ୍ରୀନାଥ କହିଲେ,ଏହାକୁ ବି ତୁମ ଭକ୍ତିର ଶକ୍ତି ବୋଲି ମାନିନିଅ |ସୁଶୀଳା କହିଲେ,ନୁହେଁ ଆଉ କଣ ?ଈଶ୍ୱରଙ୍କ ଆଶୀର୍ବାଦ ସବୁବେଳେ ମୋ ପୁଅ ଉପରେ  ଥାଉ,ଏହାଠାରୁ ଅଧିକ ମୁଁ କିଛି ଚାହେଁନା |

           ପ୍ରତ୍ୟେକ ଦିନ ସମୟ ବାହାର କରି ସୁମନ୍ତ ଯେମିତି ହେଲେ ପିତାମାତାଙ୍କ ସହ କଥା ହେଉଥିଲା |ମହେଶ ମଧ୍ୟ ନିୟମିତ ଭାବରେ ସୁମନ୍ତର ଖବର ଅନ୍ତର ବୁଝି ସେମାନଙ୍କୁ ଜଣାଉ ଥିଲା  |ଦିନେ ମହେଶ କହିଲା,ସୁମନ୍ତ ଭଲ ପଢୁଛି |କିନ୍ତୁ ଯେତିକି ସମୟ ପଢୁଛି,ତା ଠାରୁ ଅଧିକ ସମୟ ଠାକୁର ପୂଜା ଓ ଧ୍ୟାନରେ ଅତିବାହିତ  କରୁଛି |ଏକଥା ଶୁଣି ଶ୍ରୀନାଥ ବିରକ୍ତ ହୋଇ  ସୁଶୀଳାଙ୍କୁ କହିଲେ,ସେ ସେଠିକି ପାଠ ପଢିବାକୁ ଯାଇଛି ନା ତପସ୍ୟା କରିବାକୁ ଯାଇଛି ?ସେସବୁ ବାଜେ ଧନ୍ଦାରେ ମନ ନଦେଇ ପାଠ ପଢ଼ାରେ ଧ୍ୟାନ ଦେବାକୁ ତାକୁ କୁହ |ସୁଶୀଳା ଦବି ନଯାଇ କହିଲେ,ଠାକୁର ପୂଜା କରିବା କଣ ବାଜେ ଧନ୍ଦା ?ସେ ମୋ ପୁଅ,ମୋ ପରି ହେବନି ତ ଆଉ ତମପରି ନାସ୍ତିକ ହେବ ?

            ସୁମନ୍ତ ମେଧାବୀ ଛାତ୍ର ଥିଲା ଓ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖୁଥିଲା |ତାର ଅମାୟିକ ବ୍ୟବହାର ପାଇଁ ସେ  ସମସ୍ତଙ୍କର ପ୍ରିୟପାତ୍ର ଥିଲା | ଦୁଇବର୍ଷ ଠିକ ଠାକ ଚାଲିଲା |ପୁଅର ଶୁଭ ମନାସି ସୁଶୀଳା ତାଙ୍କ ଉପବାସର ସଂଖ୍ୟା ବଢ଼ାଇ ଚାଲିଥିଲେ  ଓ ତାଙ୍କୁ ଏଥିରେ ପ୍ରଚୁର ମାନସିକ ଶାନ୍ତି ମିଳୁଥିଲା |ଦିନେ ମହେଶ ଠାରୁ ଏକ ଭିଡିଓ କ୍ଲିପ ପାଇ ଶ୍ରୀନାଥ  ସ୍ତବ୍ଧ ହୋଇଗଲେ ଓ ସୁଶୀଳାଙ୍କୁ ଡାକି କହିଲେ, ତୁମ ଗୁଣଵନ୍ତ ପୁତ୍ରର ନୂତନ ଅବତାର ଦେଖିବ ଆସ |ତାଙ୍କ କଥା ଶୁଣି ସୁଶୀଳା ରୋଷେଇ ଅଧାରୁ ଛାଡି ଶ୍ରୀନାଥଙ୍କ  ହାତରୁ ମୋବାଇଲ ନେଇ ଭିଡିଓ ଦେଖିବାକୁ ଲାଗିଲେ |ତାହା ସୁମନ୍ତ ଜୈନ ଧର୍ମରେ ଦୀକ୍ଷିତ ହୋଇ ସନ୍ୟାସୀ ହେବାର ଦୃଶ୍ୟ ଥିଲା |ସେ ନିଜ ହାତରେ ତା  ମୁଣ୍ଡରୁ ଚୁଟି ଉପାଡି ଲଣ୍ଡା ହେଉଥିଲା |ଶ୍ରୀନାଥ ପରିହାସ କରି କହିଲେ ଭଲକରି ଦେଖ,ଇଏ ହେଉଛି ଭକ୍ତିର ଶକ୍ତି , ଶାସ୍ତ୍ର କହିଛି ପରା,ଯେ ମାତା ଭକ୍ତି ଭାବେ ଥାଇ ,ତା ପୁତ୍ର ବୈରାଗୀ ହୁଅଇ !! ସୁଶୀଳା ଆଖି ତରାଟି ଶ୍ରୀନାଥଙ୍କୁ ଚାହିଁଲେ |ଶ୍ରୀନାଥ କହିଲେ,ତମେ ରାଗନା | ଶ୍ରୀ ଶ୍ରୀ ରବି ଶଙ୍କର,ସଦ୍ଗୁରୁ ଜାଗି ବାସୁଦେବ ,ସ୍ୱାମୀ ଚିନ୍ମୟାନନ୍ଦ,ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଆଦି ଅନେକ ବଡ଼ ବଡ଼ ଯୋଗୀ  ଆଇ ଆଇ ଟି ଇଞ୍ଜିନିୟର ଥିଲେ ,ଏକଥା ତମେ ବୋଧେ ଜାଣିନ |  ଆମ ପୁଅ ଯଦି ସେହି ବାଟରେ ଗଲା,ତାହାଲେ ଏହାଠାରୁ ବଳି  ଗର୍ବ ଓ ଗୌରବର ବିଷୟ ଆଉ କଣ ଥାଇପାରେ ? ଶ୍ରୀନାଥ ଆହୁରି କେତେ କଣ କହିଥାନ୍ତେ,ଏତିକିବେଳେ  ଜୋରରେ କିଛି ପଡ଼ିବାର ଆବାଜ ଶୁଣି ସେ ପଛକୁ ଚାହିଁ  ଦେଖିଲେ ସୁଶୀଳା ତଳେ ମୂର୍ଛିତ ହୋଇ ପଡିଛନ୍ତି ଓ ତାଙ୍କ ମୁଣ୍ଡ ଗୋଟିଏ ପଟକୁ ବୁଲିଯାଇ ପାଟିରୁ ଫେଣ ବାହାରୁଛି |ଏହା ଦେଖି ଶ୍ରୀନାଥଙ୍କର ହୋସ ଉଡ଼ିଗଲା |ପଡୋଶୀଙ୍କ ସହାୟତାରେ ସେ ତତ୍କ୍ଷଣାତ ତାଙ୍କୁ ଡାକ୍ତରଖାନା ନେଇଗଲେ |

     ସୁଶୀଳାଙ୍କୁ ହୃଦଘାତ ହୋଇଥିଲା ଓ ତାଙ୍କ ଜୀବନ ପ୍ରତି ବିପଦ ଥିଲା |ନିରୁପାୟ ହୋଇ,ଡାକ୍ତରଖାନା ବାରଣ୍ଡାରେ ତଳେ ଜାକିଜୁକି ହୋଇ ବସି ଶ୍ରୀନାଥ ଈଶ୍ୱରଙ୍କୁ ମନେ ମନେ  ପ୍ରାର୍ଥନା କରି କହିଲେ,ପ୍ରଭୁ,ମୁଁ ଯଦି କାୟମନୋବାକ୍ୟରେ ପବିତ୍ର ଥିବି,କାହାର ଅନିଷ୍ଟ କରି ନଥିବି ,ସବୁବେଳେ ସମସ୍ତଙ୍କର ଭଲ ପାଞ୍ଚିଥିବି,ତାହାଲେ ସେହି ଧର୍ମ ବଳରେ ମୋ ସୁଶୀଳାକୁ ବଞ୍ଚେଇ ଦିଅ |ଅଶ୍ରୁପୁର୍ଣ୍ଣ ନୟନରେ ଈଶ୍ୱରଙ୍କୁ ସ୍ମରଣ କରି ଏମିତି କେତେ ଘଣ୍ଟା ବସିଛନ୍ତି,ତାଙ୍କର ଖିଆଲ ନାହିଁ,ଅକସ୍ମାତ ନର୍ସଙ୍କ  ପାଟି ଶୁଣି ସେ ଆଖି ଖୋଲି ଚାହିଁଲେ |ସୁଶୀଳାଙ୍କର ଚେତା ଫେରିଛି ଓ ଏବେ ସେ ତାଙ୍କୁ ଦେଖା କରିବାକୁ ଯାଇ ପାରିବେ ବୋଲି ସେ କହୁଥିଲେ |ଶ୍ରୀନାଥଙ୍କର ହାତ ଯୋଡିକ ଅଦୃଶ୍ୟ କର୍ତ୍ତାଙ୍କ ଉଦ୍ଦେଶ୍ୟରେ ଆପେ ଆପେ ଉଠିଗଲା ଓ ସେ ଯନ୍ତ୍ରଚାଳିତ ପରି ନର୍ସଙ୍କୁ ଅନୁସରଣ କଲେ |

              

Saturday, September 9, 2023

ମୋ ପୁଅ ବେଷ୍ଟ !!

                                                                   (ଏକ) 

                       ପିତାମାତାଙ୍କର ଏକମାତ୍ର ପୁତ୍ର  ନିଶାନ୍ତ  କ୍ରିକେଟ ଖେଳିବାକୁ ବହୁତ ଭଲ  ପାଉଥିଲା |ଟିକିଏ ସମୟ ପାଇଲେ ସେ ତାର ସାଙ୍ଗ ମାନଙ୍କ ସାଙ୍ଗରେ କ୍ରିକେଟ ଖେଳରେ ମାତି ଯାଉଥିଲା  |କିନ୍ତୁ ବାପା ଉମେଶଙ୍କର ଭିନ୍ନ ସ୍ୱପ୍ନ ଥିଲା |ନିଜର ଏକମାତ୍ର ପୁତ୍ରକୁ ଖେଳାଳୀ ନୁହେଁ,ଏକ ଭଲ ଡାକ୍ତର କରିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା   |ସେ ତାକୁ ଭଲ ଟ୍ୟୁସନ ଦେଇଥିଲେ ,ତାର ଗତିବିଧି ଉପରେ କଡା ନଜର ରଖି ଥିଲେ,ସେ ନିଜେ ଟିଭି ଦେଖୁ ନଥିଲେ କି ପୁଅକୁ ଟିଭି ଦେଖିବାକୁ ଦେଉ ନଥିଲେ |ଏମିତିକି ସେ ତାର ଡାକ ନାମ ପୂର୍ବରୁ ଡକ୍ଟର ଶବ୍ଦ ଯୋଡି ତାକୁ "ଡକ୍ଟର ନିଶାନ୍ତ " ବୋଲି ଡାକୁଥିଲେ |ନିଶାନ୍ତର କିନ୍ତୁ ପାଠପଢ଼ାରେ କମ ,କ୍ରିକେଟ ଖେଳରେ ବେଶି ମନ ଥିଲା |ବାପା ଘରେ ନଥିବା ସମୟରେ ଓର ଉଣ୍ଡି ସେ  ତାର ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳିବାକୁ ଚାଲି ଯାଉଥିଲା |ତାକୁ ଗୋଡ଼େ ଗୋଡ଼େ ଜଗୁଥିବା ଉମେଶଙ୍କୁ ଯେତେବେଳେ ଏହାର ଆଭାସ ମିଳୁଥିଲା, ସେ ତତକ୍ଷଣାତ କ୍ରିକେଟ ଫିଲ୍ଡକୁ ଯାଇ ତାକୁ  ଘରକୁ ନେଇ ଆସୁଥିଲେ |

        ପିତାଙ୍କର ଅକ୍ଲାନ୍ତ ଉଦ୍ୟମ ଫଳରେ ଧୀରେ ଧୀରେ ନିଶାନ୍ତ  କ୍ରିକେଟକୁ ଭୁଲି  ପାଠ ପଢ଼ାରେ ମନ ଦେଇଥିଲା ଓ  ପରିଶ୍ରମର ଫଳ ସ୍ୱରୂପ ସେ ଦଶମ ଶ୍ରେଣୀ ପରୀକ୍ଷାରେ ସତାନବେ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା |ଏଥିରେ ଉଭୟ ପିତାମାତାଙ୍କର ଖୁସିର ସୀମା ରହି ନଥିଲା |ଦ୍ୱାଦଶ ଶ୍ରେଣୀରେ ମଧ୍ୟ ନିଶାନ୍ତ ପୂର୍ବପରି ଅନେକ ପରିଶ୍ରମ କରିଥିଲା |କିନ୍ତୁ ତାର ଆଶାନୁଯାୟୀ ନମ୍ବର ମିଳି ନଥିଲା   |ଉମେଶ ଭାବିଲେ ,ଘରେ ରହିବାରୁ ନିଶାନ୍ତ ପାଠ ପଢ଼ାରେ ଏତେଟା ମନୋନିବେଶ କରି ପାରୁନାହିଁ | ତେଣୁ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ କରାଉଥିବା ରାଜ୍ୟ ବାହାରର ଏକ କୋଚିଂ ଶିକ୍ଷାନୁଷ୍ଠାନରେ ତାର ନାମ ଲେଖାଇବା ପାଇଁ ସେ ମନସ୍ଥ କଲେ  |ନିଶାନ୍ତ ଯେତେବେଳେ ଏକଥା ଜାଣିଲା, ଉମେଶଙ୍କ ପାଦ ଧରି ନେହୁରା ହୋଇ କହିଲା,ବାବା , ତୁମେ ଯାହା କହିବ,ମୁଁ ସବୁ ମାନିବି,କିନ୍ତୁ ମତେ ବାହାରକୁ ପଠାଅ ନାହିଁ , ତୁମମାନଙ୍କ ପାଖରେ ରହିବାକୁ ଦିଅ |ଉମେଶ କିନ୍ତୁ ନିଷ୍ପତ୍ତି ନେଇ ସାରିଥିଲେ |ବିଫଳ ହୋଇ ନିଶାନ୍ତ ତାର ପ୍ରିୟ ମାମାଙ୍କ ପାଖରେ କାନ୍ଦି କାନ୍ଦି ଅନେକ କାକୁତି ମିନତି କଲା |କିନ୍ତୁ  ବାପାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବାର ସାହସ  ମାମାଙ୍କର ନଥିଲା,କାରଣ ଏଥିରେ ପୁଅର  ଭବିଷ୍ୟତ ଜଡିତ ଥିଲା |

         ପିତାମାତାଙ୍କ ସ୍ୱପ୍ନ ସାକାର କରି ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ  ନିଶାନ୍ତ ମଧ୍ୟ ଚାହୁଁଥିଲା |କିନ୍ତୁ ଡାକ୍ତରୀ ବିଦ୍ୟା ଆୟତ୍ତ କରିବା ତା ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ଥିଲା |କିଛି ମାସ ପରେ ଖବର ଆସିଲା,ନିଶାନ୍ତ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି |ମୃତ୍ୟୁ ପୂର୍ବରୁ ସେ ତାର ଶେଷ କଥା ଲେଖି ଯାଇଥିଲା,ମୁଁ ପାରିଲିନି ବାବା,ଡାକ୍ତରୀ ବିଦ୍ୟା ଆୟତ୍ତ କରିବା ମୋ ସାଧ୍ୟ ବାହାରେ ,ତମ ଅଯୋଗ୍ୟ ପୁତ୍ରକୁ କ୍ଷମା କରିଦିଅ | **********

                                                                  (ଦୁଇ)

               ତୁଷାର ଓ ମନୋଜ ଏକା ସରକାରୀ ସଂସ୍ଥାରେ ଚାକିରୀ କରୁଥିଲେ ଓ ସେମାନଙ୍କର ସନ୍ତାନ ଦ୍ୱୟ  ଏକା ସ୍କୁଲରେ ଓ ଏକା ଶ୍ରେଣୀରେ ପାଠ ପଢୁଥିଲେ |ତୁଷାର ନିଜ ସନ୍ତାନକୁ ସବୁବେଳେ ନମ୍ବର ୱାନ ପୋଜିସନରେ ଦେଖିବାକୁ ଚାହୁଁଥିଲେ |  ସେଥିପାଇଁ ସେ ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ସବୁବେଳେ ତାରି ପିଛା ଲାଗିଥିଲେ  | ସଙ୍ଗଦୋଷ ପିଲାଙ୍କ ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ତାଙ୍କର ଦୃଢ଼ ଧାରଣା ଥିଲା |ତେଣୁ ସେ ପୁଅକୁ ତାର ସାଙ୍ଗମାନଙ୍କ ସହିତ ମିଳାମିଶା କରିବାକୁ ଛାଡୁ ନଥିଲେ |ତୁଷାରଙ୍କ ପୁଅ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ବେଳେ ମନୋଜଙ୍କ ପୁଅ ଏତେ ମେଧାବୀ ଛାତ୍ର ନଥିଲା |

             ଦଶମ ଶ୍ରେଣୀ ପରୀକ୍ଷାରେ ତାଙ୍କ ପୁଅ ନିଶ୍ଚିତ ଭାବରେ ଭଲ ନମ୍ବର ଆଣିବ ବୋଲି ତୁଷାର  ଦୃଢ଼ ଆଶାବାଦୀ ଥିଲେ |କିନ୍ତୁ ଏହାଠାରୁ ଅଧିକ ଆଶା କରି  ପୁଅ  ତାଙ୍କର ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରୁ ବୋଲି ସେ ଚାହୁଁଥିଲେ |ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଯେତେବେଳେ ଜାଣିଲେ ତା ଠାରୁ ମାତ୍ର ଏକ ନମ୍ବର ଅଧିକ ରଖି ଜଣେ ଝିଅ ଷ୍ଟେଟ ଟପ୍ପର ହୋଇଛି ,ତାଙ୍କର ସବୁ ଆଶା ଧୂଳିସାତ ହୋଇଗଲା |ଅନେକ ଚେଷ୍ଟା ସତ୍ତ୍ୱେ ସେ ନିଜର ଲୁହକୁ ଚାପି ରଖି ପାରିଲେ ନାହିଁ |

        ସନ୍ଧ୍ୟାବେଳେ ମନୋଜ ଯେତେବେଳେ ମିଠା ପ୍ୟାକେଟ ନେଇ ତୁଷାରଙ୍କ ଘରକୁ ଆସିଲେ , ଘର ଅନ୍ଧକାରାଚ୍ଛନ୍ନ ଥିବାର ଦେଖି ତାଙ୍କ ମନ ଆଶଙ୍କାରେ ଭରି ଗଲା |  |ଦୋ ଦୋ ପାଞ୍ଚ ହୋଇ ସେ କଲିଂ ବେଲ ଚିପିଲେ |ଅନେକ ସମୟ ପରେ ତୁଷାର କବାଟ ଖୋଲିଲେ |ମୁହଁଟି ତାଙ୍କର ଶୁଖି କଳା କାଠ ପଡି ଯାଇଥିଲା |ତାଙ୍କର ଏପରି ଅବସ୍ଥା ଦେଖି ମନୋଜ ପଚାରିଲେ,କଣ ହୋଇଛି ଭାଇ ?ଦେହ ଭଲ ନାହିଁ  ?ତୁଷାର ଫିକା ହସି କହିଲେ,କଣ ପାଇଁ ଆସିଥିଲେ କୁହନ୍ତୁ |ମନୋଜ ତାଙ୍କ ହାତକୁ ମିଠା ପ୍ୟାକେଟ ବଢ଼ାଇ ଦେଇ କହିଲେ,ପାଟି ମିଠା କରନ୍ତୁ,ପୁଅ ମୋର ଫାର୍ଷ୍ଟ ଡିଭିଜନ ପାଇଛି |ତୁଷାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ,କେତେ ପରସେଣ୍ଟ ଆଣିଛି ?ମନୋଜ ଗର୍ବ ଓ ଆତ୍ମ ସନ୍ତୋଷରେ କହିଲେ,ସିକ୍ସଟି ଥ୍ରୀ ପରସେଣ୍ଟ |ତାଙ୍କ କଥା ଶୁଣି ତୁଷାରଙ୍କ ଓଠକୁ ହସ ଚାଲି ଆସିଲା ଓ ତାଙ୍କ ପାଟିରୁ ସ୍ୱତଃ ବାହାରି ଆସିଲା,ଜମା ଏତିକି ??ମନୋଜ କହିଲେ,କଣ ହେଲା ସେଇଠୁ ?ମୁଁ ଏମିତି କଣ ତାଡି ପକେଇଛି ଯେ,ପୁଅଠାରୁ ଅଧିକ ଆଶା କରିବି ?ସାରା ଜୀବନ ମୋର ସେକେଣ୍ଡ/ଥାର୍ଡ଼ ଡିଭିଜନ ପାଇ ପାଇ କଟିଗଲା |ଆଜି ଯେତେବେଳେ  ପୁଅ ମୋର  ଫାର୍ଷ୍ଟ ଡିଭିଜନ ପାଇଛି ,ମୁଁ ଖୁସି ନ ହେବି କାହିଁକି ?ମୋ ପାଇଁ ମୋ ପୁଅ ବେଷ୍ଟ !!!

Saturday, August 26, 2023

ନିଆରା ସନ୍ତାନ

               ପିତାମାତାମାନେ କେତେ ଆଶା ସ୍ୱପ୍ନ ନେଇ ,କଷ୍ଟ ସହି,ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ  ପିଲାଙ୍କୁ ମଣିଷ କରିଥାନ୍ତି |ସେହି ପିଲା ଯୋଗ୍ୟ ହେବାପରେ ଯଦି ତାର କର୍ତ୍ତବ୍ୟ ଭୁଲିଯାଇ ସେମାନଙ୍କୁ ଅବହେଳା କରେ,ସେମାନେ ଜରାଗ୍ରସ୍ତ ହେଲେ ତାଙ୍କୁ ଵୃଦ୍ଧାଶ୍ରମରେ ଛାଡିଦିଏ,ଦୀର୍ଘଦିନ ସେବା କରି ପାରିବ ନାହିଁ ବୋଲି ଲାଇଫ ସପୋର୍ଟ କାଢ଼ିଦେଇ ମୃତ୍ୟୁ ମୁଖକୁ ଠେଲିଦିଏ ,ସେମାନଙ୍କ ସରଳତା ଓ ଅନ୍ଧ ମମତାର ସୁଯୋଗ ନେଇ ସେମାନଙ୍କର ସବୁ  ସମ୍ପତ୍ତି ହଡପ କରିନେଇ ଦାଣ୍ଡର ଭିକାରୀ କରିଦିଏ ତାହେଲେ ଏହାଠାରୁ ବଳି ମର୍ମନ୍ତୁଦ ଘଟଣା ଆଉ କଣ ଥାଇପାରେ ?ସବୁଠାରୁ ବଡ଼  ଦୁଃଖଦାୟକ କଥା ହେଲା,ବୁଢା ବୁଢୀଙ୍କୁ  ପାଖରେ ରଖିବାର ଅନିଚ୍ଛା କିମ୍ବା ପାଳିକରି  ରଖିବାର ନୀଚ ମାନସିକତା |ଏହା ପିତାମାତାଙ୍କ ପାଇଁ ଜୀବନ୍ତ ମରଣ ସହିତ ସମାନ |ଏହି ବିଷୟରେ ପ୍ରତ୍ୟେକଦିନ ଆମେ କିଛି ନା କିଛି ଶୁଣୁଛୁ ଓ ଦେଖୁଛୁ |ତେଣୁ ଅଧିକ ନ ଲେଖି ଏମାନଙ୍କ ଠାରୁ ଭିନ୍ନ କିଛି ନିଆରା ସନ୍ତାନ ମାନଙ୍କ ବିଷୟରେ ଆପଣମାନଙ୍କୁ କହିବି |

                                                                    (ଏକ)

        ନିଶା  ସୁନ୍ଦରୀ ,ଉଚ୍ଚ ଶିକ୍ଷିତା ଓ କର୍ମଜୀବି ଯୁବତୀ |ପିତାମାତାଙ୍କର ପୁଅ ନାହିଁ ବୋଲି ସେ ସେମାନଙ୍କୁ  କେବେହେଲେ  ଅନୁଭବ କରିବାକୁ ଦେଇନି |ଘରଠାରୁ କିଛି ଦୂରରେ ତାର ଚାକିରୀ ସ୍ଥଳ |ତେଣୁ ସବୁ ଶୁକ୍ରବାର ସନ୍ଧ୍ୟାରେ ସେ ନିଜ କାରରେ ପିତାମାତାଙ୍କ ପାଖକୁ ଚାଲି  ଆସେ ଓ ସୋମବାର ସକାଳେ ତାର କାର୍ଯ୍ୟ କ୍ଷେତ୍ରକୁ ଫେରିଯାଏ |ଯେତିକି ଦିନ ଘରେ ରହେ ବାପା ମାଆଙ୍କୁ  ତା କାରରେ ନେଇ  ସହର ବୁଲିବାକୁ ଯାଏ,ସେମାନଙ୍କ ମନ ପସନ୍ଦର ମୁଭି ଦେଖାଏ,ହୋଟେଲରେ ପେଟ ଭରି ଖାନା ଖୁଆଇ ଘରକୁ ଫେରେ |ପୂଜା ପର୍ବ ସମୟରେ ସେମାନଙ୍କ ପାଇଁ ଦାମୀ ଲୁଗାପଟା ଓ ଗହଣା କିଣିଦିଏ |ପିତାମାତା ଅଧିକାଂଶ ସମୟରେ ଅସୁସ୍ଥ ରହନ୍ତି |ତେଣୁ ସେମାନଙ୍କ  ଦେହ ଖରାପ ହେଲେ ସେମାନଙ୍କୁ ଡାକ୍ତରଖାନା ନେଇ ଡାକ୍ତର ପରାମର୍ଶ କରି ଉପଯୁକ୍ତ ଚିକିତ୍ସା କରିବା ହେଲା ତାର ମୁଖ୍ୟ କାମ |ଏସବୁ ଭିତରେ ସେ ତା ନିଜ ବିବାହ କଥା ଭୁଲି ଯାଇଛି |ମାଆ ତାକୁ ବହୁତ ବୁଝାନ୍ତି ,ଆମେ ବଞ୍ଚି ଥାଉ ଥାଉ ,ଆମ ପସନ୍ଦରେ ନ ହେଲା ନାହିଁ,ତୁ ତୋ ପସନ୍ଦରେ ଜୀବନସାଥୀ ବାଛି ନେ |ନିଶାକୁ ଏକଥା ଶୁଣିବାକୁ ଭଲ ଲାଗେନା |ସେ କହେ,ବୋଉ,ତୁ ଚାଲିଗଲେ,ମୁଁ କଣ ଆଉ ବଞ୍ଚିବି ?କାଲି କୁ  କିଏ ଦେଖିଛି ?ବର୍ତ୍ତମାନର ମୁହୂର୍ତ୍ତ ଶ୍ରେଷ୍ଠ ମୁହୂର୍ତ୍ତ |ଆମେ ଯେତିକି ଦିନ  ବଞ୍ଚିଛେ ,ପରସ୍ପରକୁ ଭଲପାଇ ଖୁସିରେ ବଞ୍ଚିବା |

                                                                        (ଦୁଇ)

      ଵିପୁ ଅବିବାହିତ |ବୟସ ଚାଳିଶ ଉପରେ ହେଲାଣି |ପୁଅ ପାଇଁ ଭଲ ଝିଅଟିଏ ପାଇବା ପାଇଁ ମାଆ ବାର ଓଷା ତେର ପର୍ବ କରି  ସୁନା ଶରୀରକୁ  ଚୁନା କରି ଦେଲେ ପଛକେ,ପୁଅର ସେ ବିଷୟରେ ନିର୍ଲିପ୍ତ,ନିର୍ବିକାର ରହିଥିଲା |ମୋଟ ଉପରେ କହିବାକୁ ଗଲେ, ପୁଅର ବାହା ହେବା ପାଇଁ ବିଲକୁଲ ଇଚ୍ଛା ନ ଥିଲା  |ଏଇ ଗୋଟିଏ କଥାକୁ ଛାଡିଦେଲେ  ସେ ତାର ପିତାମାତାଙ୍କର ଜଣେ ବାଧ୍ୟ ସନ୍ତାନ ଥିଲା |ମନ ଇଚ୍ଛା ଖର୍ଚ୍ଚ କରିବା ପାଇଁ,ସେ ବାପାଙ୍କୁ ତାର ଏଟିଏମ କାର୍ଡ  ଧରାଇ  ଦେଇଛି | ଯେତେବେଳେ ଘରକୁ ଆସେ,ବାପା ମାଆଙ୍କର ଖାଇବା,ପିନ୍ଧିବା,ବୁଲିବାରେ କିଛି ଅଭାବ ରଖେ ନାହିଁ |ମାଆଙ୍କ ସହିତ ମିଶି ଉପବାସ କରେ,ଘଣ୍ଟା ଘଣ୍ଟା ଧରି ଈଶ୍ୱର ଆରାଧନା କରେ |ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ପସନ୍ଦ ମୁତାବକ ଏକ ସୁନ୍ଦର ତିନି ମହଲା ଘର ତୋଳାଇ ଦେଇଛି |ମାଆ ଯେତେବେଳେ ତାର ବିବାହ କଥା କହି କାନ୍ଦନ୍ତି,ସେ ତାଙ୍କୁ ବୁଝାଇ କହେ,ତମେ  ମୋର  ଖୁସି ଦେଖିବା ପାଇଁ ବାହାଘର କରିବାକୁ ଚାହୁଁଛ ,କିନ୍ତୁ ଯଦି ସେ ଝିଅ ତୁମମାନଙ୍କୁ ଭଲ ନ ପାଇଲା ,ମତେ ମୋ ଇଚ୍ଛା ଅନୁସାରେ ତମ ମାନଙ୍କର ସେବା କରିବାକୁ ସୁଯୋଗ ନ ଦେଲା ଓ ମୋ ଜୀବନକୁ ନର୍କ କୁଣ୍ଡରେ ପରିଣତ କରିଦେଲା,ତାହେଲେ ସେତେବେଳେ ମୁଁ କଣ କରିବି ମାମା  ?ମାଆ କହନ୍ତି,ନା ସେମିତି କେବେ ହେବ ନାହିଁ |ଆମେ ବୋହୂର ସବୁ ଦୋଷ ଗୁଣକୁ ସହି ନେବୁ ,ଦରକାର ପଡିଲେ,ତୁମେ ଦୁଇଜଣ ଆମଠାରୁ ଅଲଗା ହୋଇ ରହିବ |ଵିପୁ ରାଜି ନ ହୋଇ କହେ,ଆଜିକାଲି ଛାଡପତ୍ର,ପରକୀୟା ପ୍ରୀତି ଯେପରି ଡିଆଁ ରୋଗ ପରି ମାଡି ଚାଲିଲାଣି ,କାହା ଉପରେ ଭରସା କରିବା ମୁସ୍କିଲ ହୋଇ ପଡିଛି  |ମୁଁ ମୋ ସାଙ୍ଗ ମାନଙ୍କୁ ଦେଖି ଜାଣିଛି ,କେହି ଜଣେ ବି  ଭଲରେ ନାହାନ୍ତି |ଏଇ ଜୀବନ ଭଲ ମାମା,ମତେ ବାଧ୍ୟ କର ନାହିଁ | 

                                                                               (ତିନି)

      ଅନୁରାଗର ଚଞ୍ଚଳ ସ୍ଵଭାବକୁ ଲକ୍ଷ୍ୟ କରି ମାଆ ସବୁବେଳେ ମଜାରେ କହୁଥିଲେ , ପୁଅ ମୋର "ଝଡର ଇଗଲ , ଧରଣୀର କୃଷ୍ଣସାର" | ବୟସ ବଢିବା ସଙ୍ଗେ ସଙ୍ଗେ ,ମାଆଙ୍କର ଏହି କଥା ସତ ହେବାରେ ଲାଗିଲା |ଅନୁରାଗ ସବୁବେଳେ ଅଧୀର,ଅସ୍ଥିର, ସବୁବେଳେ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିବାର ଆଗ୍ରହ ରଖିଥିଲା |ତାର ଅଭିଧାନରେ ଆଳସ୍ୟତା ଶବ୍ଦ ନ ଥିଲା | |ଜ୍ଞାନର  ପିପାସା ତାର ଏତେ ପ୍ରବଳ  ଯେ,ଥରେ ଗୋଟିଏ କଥା ମୁଣ୍ଡରେ ପଶିଗଲେ,ତାହାର ରହସ୍ୟ  ନ ଜାଣିବା ପର୍ଯ୍ୟନ୍ତ ସେ ଖାଇବା ଶୋଇବା ଭୁଲି ଯାଉଥିଲା |ସେ ମିତଵ୍ୟୟୀ ଥିଲା ଓ  ସରଳ ନିରାଡ଼ମ୍ବର ଜୀବନଯାପନ କରିବା ପାଇଁ ଭଲ ପାଉଥିଲା |ସାନଭାଇ ଅଂଶୁମାନ ପ୍ରତି ତାର ଥିଲା ପ୍ରଗାଢ଼ ସ୍ନେହ |ଦୁଇ ଭାଇ ଦୁଇ ବନ୍ଧୁଙ୍କ ପରି ଚଳୁଥିଲେ | ଅନୁରାଗ ଏକାଧାରାରେ  ଜଣେ ଭଲ ପୁତ୍ର,ଭଲ ଭାଇ,ଭଲ ସ୍ୱାମୀ ଓ ଜଣେ ଭଲ ପିତା ଥିଲା |ଚାକିରୀ ପାଇଁ ବିଦେଶରେ ରହୁ ଥିଲେ ବି ନିଜ ଦେଶର ଉପଲବ୍ଧି ପାଇଁ ସେ ସବୁବେଳେ ଗର୍ବିତ ଥିଲା ଓ ଦେଶର ପ୍ରତିଟି ଖବର ତାର  ମୁହେଁ ମୁହେଁ ଥିଲା |

            ଅନୁରାଗର ସ୍ତ୍ରୀ ନୀଳିମା ମଧ୍ୟ  ତଦ୍ରୁପ ସ୍ୱଭାବର ଥିଲା |ଶିବଙ୍କ ମଥାରେ ବେଲପତ୍ର ଚଢ଼ାଇବା ଦିନେ ବନ୍ଦ ହୋଇଯିବ ପଛକେ, ପ୍ରତିଦିନ ଥରେ ଯେମିତି ହେଲେ ଭିଡିଓ କଲ କରି ଶାଶୁ ଶ୍ଵଶୁରଙ୍କ ଖବର ବୁଝିବାକୁ ସେ କେବେହେଲେ ଭୁଲୁ  ନଥିଲା  |ତାର ଏହି ସ୍ଵଭାଵ ପାଇଁ ସେମାନଙ୍କୁ ସାମାନ୍ୟ ଟିକେ ଥଣ୍ଡା ସର୍ଦ୍ଦି ହେଲେ ବି ସେ ତତକ୍ଷଣାତ ଜାଣି ଯାଉଥିଲା |

            ଅନୁରାଗର ପିତା ଅଭିରାମ ଅତ୍ୟନ୍ତ ସ୍ୱାଭିମାନୀ ଥିଲେ |ଯେତେ  ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ  ପିଲାଙ୍କ ଠାରୁ ଟଙ୍କାଟିଏ ବି ସାହାଯ୍ୟ ନେବାକୁ ସେ ନାପସନ୍ଦ କରୁଥିଲେ |ଚାକିରୀରୁ ଅବସର ନେବାର  କିଛି ବର୍ଷ ପରେ ଗାଆଁରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ପୈତୃକ ଘରଟିକୁ ମରାମତି କରିବା ପାଇଁ ତାଙ୍କ ମନରେ ବହୁ ଦିନରୁ ଚାପି ହୋଇ ରହିଥିବା ସୁପ୍ତ ଇଚ୍ଛା ଜାଗ୍ରତ ହେଲା |ପିଲାମାନଙ୍କୁ  ଏ ବିଷୟରେ କିଛି ନ ଜଣାଇ ନିଜର ସଞ୍ଚିତ ଅର୍ଥରେ ଘର ମରାମତି କରିବା ପାଇଁ ସେ ନିଷ୍ପତ୍ତି ନେଲେ |ଏଥିପାଇଁ ସ୍ୱାମୀ ସ୍ତ୍ରୀ ଦୁଇଜଣ ଅଣ୍ଟା ଭିଡ଼ିଲେ |କିନ୍ତୁ ବାସ୍ତବତା ଅବଲୋକନ କରି ଦୁହିଁଙ୍କ ହୋସ ଉଡ଼ିଗଲା |କାରଣ ଘର ଏପରି ଅବସ୍ଥାରେ ଥିଲା ଯେ,ତାକୁ ଭାଙ୍ଗି ପୁନର୍ବାର ତିଆରି କରିବାର ଆବଶ୍ୟକତା ପଡୁଥିଲା |ଏଥିରେ ଅଧିକ ଅର୍ଥ ଖର୍ଚ୍ଚ ହେବାର ଆଶଙ୍କା ଥିଲା |କିନ୍ତୁ ପିତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଅଭିରାମ  ମୁଖ୍ୟ କୋଠରୀ ଦୁଇଟିକୁ  ମରାମତି କରି ଅନ୍ୟ ଅଂଶକୁ ଭାଙ୍ଗି ପୁନର୍ନିର୍ମାଣ  କରିବା ପାଇଁ ନିଷ୍ପତ୍ତି ନେଲେ | ଏଥିପାଇଁ ପ୍ଲାନ ର ଆବଶ୍ୟକତା ହେଉଥିବାରୁ ଗାଁ ଘର ମରାମତି କରିବା କଥା ଗୁପ୍ତ ରଖି ସେ ଦୂର ସହରରେ ରହୁଥିବା ଅଂଶୁମାନର ସାହାଯ୍ୟ ନେଲେ |ଅଂଶୁମାନ ଅବିଳମ୍ବେ ପ୍ଲାନ ତିଆରି କରିଦେଲା |କିନ୍ତୁ କହିଲା,ଏହା  ତୁମ ପାଇଁ ଅତି ବ୍ୟୟ ବହୁଳ ଓ କଷ୍ଟସାଧ୍ୟ ବ୍ୟାପାର ହେବ ,ଏକୁଟିଆ ତମେ ପାରିବ ନାହିଁ | ଅଭିରାମ ତା କଥାରେ ମିଛି ମିଛିକା  ହଁ ମାରି,ଦରକାର ପଡିଲେ,ତୁମମାନଙ୍କ ସାହାଯ୍ୟ ନେବି କହି,ନିଜେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଘର କାମ ଆରମ୍ଭ କରିଦେଲେ |  ଏହି କାର୍ଯ୍ୟ ଦୀର୍ଘଦିନ ଧରି ଗୁପ୍ତ ରହିଥାନ୍ତା , ସେମାନେ ଗାଆଁରେ ଥିବାବେଳେ ଯଦି ସଂଯୋଗ ବଶତଃ ଅଚାନକ ନୀଳିମା ତାର ପ୍ରତିଦିନର ଅଭ୍ୟାସ ମୁତାବକ ଭିଡିଓ କଲ କରି ନଥାନ୍ତା !ତାର ଛଞ୍ଚାଣ ଦୃଷ୍ଟି ଓ ବିଚକ୍ଷଣ ବୁଦ୍ଧି ନିମିଷକେ ସବୁ କଥା କଳନା କରି ପାରିଲା |ଅନୁରାଗ ଯେତେବେଳେ ଏକଥା ଜାଣିଲା,ବହୁତ ମନଦୁଃଖ କଲା |ମନଦୁଃଖ କଲା ଏଇଥିପାଇଁ ଯେ,ଏତେବଡ଼ କାର୍ଯ୍ୟ କରିବା ପୂର୍ବରୁ ପିତାମାତା ତାକୁ ଭରସାକୁ ନେଲେ ନାହିଁ  !!ପରଦିନ ଅଭିରାମ ତାଙ୍କ  ଆକାଉଣ୍ଟରେ ଏକ ମୋଟା ଅଙ୍କର ରାଶି ଡିପୋଜିଟ ହେବାର ଦେଖି ଏସବୁ ଅନୁରାଗର କାମ ବୋଲି ଜାଣିପାରି ବିରକ୍ତ ହେଲେ |ଅନୁରାଗକୁ  ଏହାର କାରଣ ପଚାରିବାରୁ ସେ କହିଲା,ବାବା,ତମେ ତ ମତେ ସବୁବେଳେ କହି ଆସିଛ,ସୁଖ ବାଣ୍ଟିଲେ ବଢେ,ଦୁଃଖ ବାଣ୍ଟିଲେ ଛିଡେ,ଏକଥା ମୁଁ କେମିତି ଭୁଲିଯାଇ ପାରିବି ? 

Saturday, July 15, 2023

ରାଜରାଣୀ

           ଏମିତି ଗୋଟିଏ ସମୟ ଥିଲା,ଯେତେବେଳେ ଶିଖର ଆଶାକୁ ପାଇବା ପାଇଁ ଧରଣୀ ଆକାଶ ଏକ କରି ଦେଇଥିଲା  ଓ  ଅନେକ ଆକାଶ ଛୁଆଁ ସ୍ୱପ୍ନ ଦେଖାଇ ତା ମନ କିଣିବାରେ ସେ ସମର୍ଥ ହୋଇଥିଲା |ସେଥି  ମଧ୍ୟରୁ ଗୋଟିଏ ଥିଲା,ବିବାହ ପରେ ମୁଁ ତମକୁ ରାଜରାଣୀ କରି ରଖିବି |ଆଶା  ତା କଥାକୁ ବିଶ୍ୱାସ କରିଥିଲା |ସେ ସେହି ସ୍ୱପ୍ନ ସହିତ ଆହୁରି ଅନେକ ସ୍ୱପ୍ନ ଯୋଡି ତା କଳ୍ପନା ରାଜ୍ୟରେ ଭାସି ଯାଇଥିଲା  |ନୂଆ ନୂଆ ଶିଖରକୁ ବିବାହ କରି ଆଶା ନିଜକୁ ପରମ ସୌଭାଗ୍ୟବତୀ ମନେ କରୁଥିଲା ଓ ବାହାଘରର ମାସେ ପର୍ଯ୍ୟନ୍ତ ସେ  ନିଜକୁ ପୃଥିବୀର ସର୍ବଶ୍ରେଷ୍ଠ  ସୁଖୀ ମଣିଷ ବୋଲି ଭାବୁଥିଲା |ତା ସ୍ୱପ୍ନ ସେତିକିବେଳେ ଭାଙ୍ଗିବାକୁ ଆରମ୍ଭ କଲା, ଯେତେବେଳେ ଅଳ୍ପଦିନ ପରେ ଫେରି ସାଙ୍ଗରେ ନେଇଯିବି କହି ଶିଖର ଏକାକୀ ନିଜ କର୍ମକ୍ଷେତ୍ରକୁ ଚାଲିଗଲା  | ଆଶା ସେତେବେଳେ ବି ତା କଥାକୁ  ବିଶ୍ୱାସ କରିଥିଲା |କିନ୍ତୁ ଖୁବ କମ ଦିନ ଭିତରେ ଆଶାର ସେହି ସ୍ୱପ୍ନ ଭାଙ୍ଗିଗଲା |ନିଜ ପିତାମାତା ଓ ଭାଇ ଭଉଣୀଙ୍କ କଥା  କିଏ ବୁଝିବ କହି ଶିଖର ପନ୍ଦରଦିନ/ମାସରେ ଥରେ ଯିବା ଆସିବା କଲା ସିନା  ଆଉ ତାକୁ ନିଜ ପାଖକୁ ନେଇ ପାରିଲା ନାହିଁ | 

             ଶିଖରର ଏପରି ବ୍ୟବହାରରେ ଆଶା କିଛିଦିନ ବହୁତ କନ୍ଦାକଟା କରିଥିଲା |ପରେ ସବୁ ଭାଗ୍ୟର କଥା ଓ କିଛି ନେବାରେ ନୁହେଁ,ବହୁତ କିଛି ଦେବାରେ ହିଁ ପ୍ରକୃତ ଆନନ୍ଦ ମିଳେ କହି ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନେଇଥିଲା |ବାପଘରେ ଆଦୌ କାମ କରୁ ନଥିଲେ ବି ଶାଶୁଘରେ ରାତି ନପାହୁଣୁ ସମସ୍ତେ ଉଠିବା ପୂର୍ବରୁ ବିଛଣା ଛାଡି  ଘରର ସବୁ କାମ ସାରି ରାତିରେ ସମସ୍ତେ ପରେ ଶୋଇବା ପରେ ସେ ଶୋଉଥିଲା  |ସମୟ ବିତିବା ସହିତ  କେତେବେଳେ ସେ ରାଜରାଣୀ ହେବା ପରିବର୍ତ୍ତେ ଚାକରାଣୀ,ମେହେନ୍ତରାଣୀ ଆଦି ଅନେକ ରାଣୀ/ଆଣି/ମାଣି /ଶାଣୀ ପାଲଟି ଯାଇଥିଲା, ସେକଥା ସେ ନିଜେ ବି ଜାଣି ପାରି ନଥିଲା  |ଭଲ ସ୍ତ୍ରୀ ହେବା ଅପେକ୍ଷା ଭଲ ବୋହୂ , ଭଲ ଭାଉଜ ଓ ଭଲ ମାଆ ହେବା ପାଇଁ ସେ ନିଜର ସବୁ ସୁଖକୁ ବଳି ଦେଇଥିଲା |ସମୟ ସହିତ ତାଳ ଦେଇ ଶିଖର ମଧ୍ୟ ଧୀରେ ଧୀରେ ବଦଳି ଯାଇଥିଲା |କଥା କଥାକେ ତା ଉପରେ ବିରକ୍ତ ହେବା ,ତା କାମରୁ ଦୋଷ ତ୍ରୁଟି ବାହାର କରିବା ଓ ନିଜ ଭାଗ୍ୟକୁ ନିନ୍ଦା କରିବା କ୍ରମେ ତାର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା  |ଏସବୁ ସତ୍ତ୍ୱେ ଆଶା ତାର ଶାଶୁ,ଶ୍ୱଶୁର ,ଦିଅର ଓ ନଣନ୍ଦଙ୍କ ପ୍ରତି କର୍ତ୍ତବ୍ୟ ନିଭାଇବାରେ କୌଣସି ଅବହେଳା  କରିନଥିଲା |

        ଆଶାର ତିନିଟି ସନ୍ତାନ ଭିତରୁ ପୁଅ ଆହ୍ୱାନ ବଡ଼ ଥିଲା |ତା ତଳକୁ ଦୁଇ ଝିଅ,ସୃଷ୍ଟି ଓ ଶୃତି  |ପିଲାମାନେ ଉଚ୍ଚ ଶିକ୍ଷିତ ହୋଇ ଭଲ ଚାକିରୀ କଲେ ଓ ବିବାହ କଲେ ମଧ୍ୟ |ପୁଅ ପରି ବୋହୂ ମଧ୍ୟ ଭଲ ଚାକିରୀ କରୁଥିଲା |ଆଶା ସବୁବେଳେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ତ୍ଵ ଦେଉଥିଲା ଓ ପରିବାରରେ ନାରୀମାନେ ନିହାତି ଭାବେ ଉପାର୍ଜନକ୍ଷମ ହୁଅନ୍ତୁ ବୋଲି ସେ ଚାହୁଁଥିଲା |ସେଥିପାଇଁ ବୋହୂର ପିଲା ହେବା ପରେ ସେ ଡେ କେୟାରକୁ ଯିବା ପର୍ଯ୍ୟନ୍ତ ତାର ସବୁ ଯତ୍ନ ନେଇଥିଲା |ଝିଅ ମାନଙ୍କ ପିଲା ହେବା  କ୍ଷେତ୍ରରେ ମଧ୍ୟ ସେ ସେଇଆ କରିଥିଲା |

         ଇତିମଧ୍ୟରେ ସେମାନଙ୍କ ବିବାହର ଦୀର୍ଘ ଚାଳିଶ ବର୍ଷ ବିତି ଯାଇଥିଲା |ସ୍ୱାମୀ ଶିଖର ଚାକିରୀରୁ ଅବସର ନେଇ ସାରିଥିଲା  |ଜୀବନ ସାରା ନିଜ କର୍ତ୍ତବ୍ୟ ନିଭାଇ  ଆଶା ମଧ୍ୟ କ୍ଲାନ୍ତ ହୋଇ ପଡିଥିଲା ||ତାକୁ ଏଥର ପ୍ରଚୁର  ବିଶ୍ରାମର  ନିହାତି  ଆବଶ୍ୟକତା ଥିଲା |ଉଚ୍ଚ ରକ୍ତଚାପ ନଥାଇ ସବୁବେଳେ ମୁଣ୍ଡବିନ୍ଧା ଓ କାରଣ ନଥାଇ ଶରୀରର ଶକ୍ତି ଶୂନ୍ୟ ହେବା ପରି ସେ ପ୍ରାୟ ବେଳେ ଅନୁଭବ କରୁଥିଲା |ରୋଷେଇ କରୁଥିବାବେଳେ ଦିନେ ଅଚାନକ ସେ ଚେତାଶୂନ୍ୟ ହୋଇ ତଳେ ପଡିଗଲା |ଶିଖର ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ନେଇଗଲା |ଡାକ୍ତରୀ ପରୀକ୍ଷାରୁ ତାର ବ୍ରେନ ଟ୍ୟୁମର ହୋଇଛି ଓ ଏହା ଧୀରେ ଧୀରେ ବଢୁଛି ବୋଲି ଜଣା ପଡିଲା |ତୁରନ୍ତ ଅସ୍ତ୍ରୋପଚାର ନକଲେ ଜୀବନ ପ୍ରତି ବିପଦ ଅଛି ବୋଲି ମଧ୍ୟ ଡାକ୍ତର ତାଙ୍କର ଶେଷକଥା ଶୁଣାଇ ଦେଲେ |ଏହା ଶୁଣି ଏତେଦିନ ଧରି ନିର୍ଲିପ୍ତ ଓ ନିର୍ବିକାର ଥିବା ଶିଖରର ଧୈର୍ଯ୍ୟ  ବନ୍ଧ ଭାଙ୍ଗି ଗଲା ଓ ସେ  ଦୁଃଖରେ କଇଁ କଇଁ ହୋଇ କାନ୍ଦି ପକାଇଲା  | ତାର ଗୋପନ ମନରେ ସ୍ତ୍ରୀର ଦୂରାବସ୍ଥା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରୁଥିଲା |ପରେ  ନିଜକୁ ସମ୍ଭାଳି ,ମନ ଦୃଢ଼ କରି ପୁଅ ପାଖକୁ ଯାଇ ସହରର ସବୁଠାରୁ ଭଲ ଡାକ୍ତରଖାନାରେ ଆଶାର ସଫଳ ଅସ୍ତ୍ରୋପଚାର କରାଇଲା  |ଟ୍ୟୁମର କ୍ୟାନ୍ସର ପ୍ରାରମ୍ଭିକ ଅବସ୍ଥାରେ ଥିଲା ଓ ଉପଯୁକ୍ତ ଚିକିତ୍ସାରେ ଆଶା ଭଲ ହୋଇ ପାରିବ ବୋଲି ଡାକ୍ତର ଆଶ୍ୱାସନା ବାଣୀ ଶୁଣାଇବାରୁ ସେ ସାମାନ୍ୟ ଆଶ୍ୱସ୍ତ ହେଲା  |

          ପୁଅ ପାଖରେ କିଛି ମାସ ରହିବାପରେ ଡାକ୍ତରଙ୍କ ଅନୁମତି ନେଇ ଶିଖର ଆଶାକୁ ନେଇ ନିଜ ଘରକୁ ଫେରି ଆସିଲା |ଆଶା ନିଜ କାମ ନିଜେ କରିବାକୁ ଭଲ ପାଉଥିବାରୁ ଘରେ କାମବାଲୀ ରଖି ନଥିଲା |କିନ୍ତୁ ଆଶାକୁ ଆରାମରେ ରଖିବା ପାଇଁ ଶିଖର କାମବାଲୀ ସହିତ ଏକ ରୋଷେଇଆକୁ ନିଯୁକ୍ତି ଦେଲା |ଏହା ସହିତ ଆଶାର ନିରବିଚ୍ଛିନ୍ନ ସେବା ଶୁଶ୍ରୁଷା କରିବା ପାଇଁ ଏକ ନର୍ସଙ୍କୁ ରଖିଲା ମଧ୍ୟ |ବିବାହ ପୂର୍ବରୁ ଆଶାକୁ ଦେଇଥିବା ପ୍ରତିଶୃତି ବଦଳରେ  ଅସରନ୍ତି ଦୁଃଖ ଯନ୍ତ୍ରଣା ଦେଇ ତାକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବାରୁ ଶିଖର ମନସ୍ତାପରେ ଘାଣ୍ଟି ହେଉଥିଲା ଓ ପ୍ରାୟଶ୍ଚିତ୍ତ ସ୍ୱରୂପ ସେ  ତାକୁ ତାର ଅକୁଣ୍ଠ  ସ୍ନେହ ପ୍ରେମ ଅଜାଡି ଦେବାରେ କାର୍ପଣ୍ୟ କରୁ ନଥିଲା  |ଦିନେ  ଅତି ଦୁଃଖରେ ସେ ଆଶାକୁ କହିଲା,ତମକୁ ରାଜରାଣୀ ପରି ରଖିବି ବୋଲି ମୁଁ  ପ୍ରତିଶୃତି ଦେଇଥିଲି,କିନ୍ତୁ ରାଜରାଣୀ କରିବା ଦୂରର କଥା, ତମ ଜୀବନକୁ  ନର୍କ କୁଣ୍ଡରେ  ପରିଣତ  କରିଦେଲି ,ମତେ କ୍ଷମା କର, ମୁଁ ତମ ସ୍ୱାମୀ ହେବାର ଯୋଗ୍ୟତା ମୋ ଠାରେ ନାହିଁ  |ଅସ୍ତ୍ରୋପଚାର ପରେ  ଭଲଭାବେ କଥା କହି ପାରୁ ନଥିବା ଆଶା ଶିଖର କଥା ଶୁଣି ତା ମୁହଁରେ ହାତ ରଖି ଖନେଇ ଖନେଇ କହିଲା, ମୁଁ ରାଜରାଣୀ ନୁହେଁ ବୋଲି ତମକୁ କିଏ କହିଲା ?ମୋର ସେବା କରିବା ପାଇଁ ଘରେ ତିନି ତିନିଜଣ  ଚାକରାଣୀ ଖଟୁଛନ୍ତି ,ଦିନରାତି ମୋ ସେବାରେ ଲାଗି ରହି ତମେ ମତେ ଏତେ ଭଲ ପାଉଛ ,ଏଭଳି ସ୍ୱର୍ଗ ସୁଖକୁ  ରାଜରାଣୀର ସୁଖ କୁହାଯିବ ନାହିଁ  ତ ଆଉ କଣ କୁହାଯିବ ???ସେ ପୁଣି କହିଲା,ପ୍ରତ୍ୟେକ କ୍ଷତି ପଛରେ କିଛି ଲାଭ ଥାଏ ବୋଲି ଶୁଣିଥିଲି |କିନ୍ତୁ ମୋର ଏହି ସାମାନ୍ୟ କ୍ଷତି ପଛରେ ଏତେ ବଡ଼ ଲାଭ ଥିଲା ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରି ନଥିଲି |ଶେଷ ଜୀବନରେ ମିଳୁଥିବା ସୁଖ ହେଉଛି ପ୍ରକୃତ ସୁଖ,ଏପରି ଅଖଣ୍ଡ ସୁଖ ପାଇ ମୋ ଜୀବନ ଧନ୍ୟ ହୋଇ ଯାଇଛି !!!

           

Tuesday, July 11, 2023

କିଛି ଅଛି,ଆଉ କିଛି ଲୋଡ଼ା !!

            ସୁଶ୍ରୀର ପିଲାଟି ଦିନରୁ ପାଠପଢ଼ାରେ କମ ,ଖେଳିବାରେ ବେଶୀ ଆଗ୍ରହ ଥିଲା |ସେତେବେଳେ ବାପା ତାକୁ ତାଙ୍କ ଘରକୁ ଝାଡୁ ପୋଛା କରିବାକୁ ଆସୁଥିବା କାମବାଲୀ ନିନି ମାଉସୀଙ୍କୁ ଦେଖାଇ କହୁଥିଲେ,ପାଠ ନ ପଢିଲେ ୟାରି ପରି ହେବୁ,ଦଶ ଘର ବୁଲି ବାସନ ମାଜିବୁ,ସମସ୍ତଙ୍କ ଅଇଁଠା ଧୋଇ ଧୋଇ ତୋ ଦିନ ଯିବ !

            ସୁଶ୍ରୀ ର ଯେତେବେଳେ ପାଠ ପଢିବାକୁ ଇଚ୍ଛା ହୁଏ ନାହିଁ,ସେ ନିନି ମାଉସୀ କଥା ଚିନ୍ତା କରେ |ସତରେ କଣ ପାଠ ନ ପଢିଲେ,ତାକୁ ଏମିତି ଝାଳ ନାଳ ହୋଇ ବାର ଦୁଆର ବୁଲି ବାସନ ମାଜିବାକୁ ପଡିବ ?ଏଇ ଭୟ ଟି ତା ମନରେ ଏମିତି ବସା ବାନ୍ଧି ରହିଗଲା ଯେ,ଧୀରେ ଧୀରେ ତାକୁ ଆଉ ଖେଳିବାକୁ ଭଲ ଲାଗିଲା ନାହିଁ |ବୁଝୁ ନ ବୁଝୁ ସବୁବେଳେ ସେ ପାଠ ପଢିବାରେ ମନ ଦେଲା |

              ଆଜି ସେ ଓ ତାର ସ୍ୱାମୀ ଦୁଇଜଣଯାକ ଇଞ୍ଜିନିୟର ଓ ଦୁହେଁ ପ୍ରତିଷ୍ଠିତ ଆଇ .ଟି. କମ୍ପାନୀରେ ଚାକିରୀ କରନ୍ତି |ଅଫିସ ଯାଆନ୍ତୁ ବା ଘରେ ରୁହନ୍ତୁ,ସେମାନଙ୍କୁ କେବେହେଲେ କାମରୁ ନିସ୍ତାର ମିଳେ ନାହିଁ ,କିଛି ନା କିଛି କାମ ପାଇଁ ସେମାନଙ୍କୁ ସବୁବେଳେ ଲାପଟପ ପାଖରେ ବସିବାକୁ ପଡିଥାଏ |ବେଳେ ବେଳେ ରାତି ଦଶଟାରେ ସରିବାକୁ ଥିବା ମିଟିଂ ରାତି ବାରଟାରେ ବି ସରେ ନାହିଁ |ସ୍ୱାମୀ ସ୍ୱାଗତଙ୍କ କଥା ନ କହିଲେ ଭଲ,ତାଙ୍କୁ ଏକ କାମ କରିବା ମେସିନ କହିଲେ ଭୁଲ ହେବନାହିଁ |ସେ ସକାଳ ଆଠଟାରେ ଅଫିସ ଯାଇ ରାତି ଦଶଟାରେ ଘରକୁ ଫେରନ୍ତି |ଘରେ ପହଞ୍ଚୁ ପହଞ୍ଚୁ ଲୁଗା ନ ବଦଳେଇ ପୁଣି ଲାପଟପ ପାଖରେ ବସି ଯାଆନ୍ତି ,କାମ ସରୁ ସରୁ ଦିନେ ଦିନେ ରାତି ଦୁଇଟା ହୋଇଯାଏ |ସେମାନଙ୍କ ଜୀବନର ମୁଖ୍ୟ କାମ ହେଲା ଅଫିସ କାମ ,ଖାଇବା,ପିନ୍ଧିବା ଓ ବୁଲିବା ଆଦି ଯାବତୀୟ ଦିନଚର୍ଯ୍ୟା ତା ପାଖରେ ଗୌଣ ହୋଇଯାଇଛି |ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ସେମାନଙ୍କୁ ଛୁଟି ମିଳେ |ସେହି ଦୁଇଦିନ ବି ସେମାନଙ୍କୁ ବିଶ୍ରାମ ମିଳେନାହିଁ |ଲୁଗାସଫା ଠାରୁ ଆରମ୍ଭ କରି ପରିବା ଓ ଗ୍ରୋସରୀ କିଣିବା ଆଦି ସପ୍ତାହର ସବୁ ବାକିଆ କାମ ସେହି ଦୁଇ ଦିନରେ କରିବାକୁ ପଡେ |କଦବା କ୍ଵଚିତ ମୁଭି ଦେଖିବାକୁ ଇଚ୍ଛା ହେଲେ ନେଟଫ୍ଲିକ୍ସରେ ଦେଖି ଦିଅନ୍ତି | ସୁଶ୍ରୀ ସବୁବେଳେ ଭାବେ ୟାକୁଇ କଣ ଜୀବନ କହନ୍ତି ??

              ଦୈନନ୍ଦିନ କାମ କରିବା ପାଇଁ ସେମାନଙ୍କୁ କାମବାଲୀ ଉପରେ ନିହାତି ଭାବେ ନିର୍ଭର କରିବାକୁ ପଡେ |ଏବେ ଯେଉଁ ନୂଆ କାମବାଲୀ ଆସିଛି,ବୟସ ତାର ଅତି ବେଶୀରେ କୋଡିଏ ବର୍ଷ ହେବ |ନାଁ ସୁମନା ,ନେପାଳର ବାସିନ୍ଦା |ପ୍ରସାଧନ ବିହୀନ ସୁନ୍ଦର  ନିଖୁଣ ଚେହେରା,ସବୁବେଳେ ହସ ହସ ମୁହଁ |କେବେ ସେ ମୁହଁରୁ ହସ ଲିଭେନା କି ଚେହେରାରେ କ୍ଲାନ୍ତି ପରିଲକ୍ଷିତ ହୁଏନା |ସେ ସୁଶ୍ରୀକୁ ଡାକେ ମାମ |କଥାବାର୍ତ୍ତାରେ ତାର ଏତେ ଶାଳୀନତା ଯେ,ବେଳେବେଳେ ତା ଆଗରେ ସୁଶ୍ରୀ ନିଜକୁ ଛୋଟ ମନେକରେ |ଅଳ୍ପ କିଛି ମାସ ହେବ ସେ ପ୍ରେମ ବିବାହ କରିଛି |ସେ କହୁଥିଲା,ପରିବାରରେ ସେମାନଙ୍କ ପ୍ରେମକୁ ସ୍ୱୀକୃତି ନ ମିଳିବାରୁ ଦୁହେଁ ଭାଗିକରି ମନ୍ଦିରରେ ବାହା ହୋଇ ଏଠାକୁ ଚାଲି ଆସିଛନ୍ତି |ତାର ସ୍ୱାମୀ କେଉଁ ବିଲଡର ପାଖରେ ସୁପରଭାଇଜର କାମ କରେ |ଦିନେ ଦିନେ ସୁଶ୍ରୀଙ୍କ  ଘରକୁ କେହି ଅତିଥି ଆସିଲେ,ବାସନ ଅଧିକା ହୋଇଯାଏ କିମ୍ବା ଅଧିକ ରୁଟି ତିଆରି କରିବାକୁ ପଡେ |ସେଥିରେ ସୁମନାର ଆପତ୍ତି ନଥାଏ କି ସେଥିପାଇଁ ସେ ଅଧିକ ପାରିଶ୍ରମିକ ଦାବି କରେନାହିଁ  |ତାର କାମ ଅତି ପରିଷ୍କାର ପରିଚ୍ଛନ୍ନ ,ସେଥିରେ ଟିକିଏ ବି ଧୂଳି ମଳି ନଥାଏ |ସେ ଦିନକୁ ଦୁଇବେଳା ଆସେ |ସକାଳେ ବାସନ ମଜା ଓ ଝାଡୁ ପୋଛା ସହିତ ପରିବା କାଟିଦିଏ |ସନ୍ଧ୍ୟାରେ ବାସନ ମଜା ସହିତ ଦୁଇଜଣଙ୍କ ପାଇଁ ରୁଟି କରିଦିଏ |ରବିବାର ଉପରବେଳା ତାର ଛୁଟି |ସେଦିନ ସେ ସାଜିସୁଜି ହୋଇ,ଭଲ ଡ୍ରେସ ପିନ୍ଧି,ତା ସ୍ୱାମୀ ସହିତ ସପିଂ କରେ,ମୁଭି ଦେଖେ ନହେଲେ ବୁଲିବାକୁ ଯାଏ |ଉପାର୍ଜନ ସୀମିତ ହେଲେ ବି ଖୁସିରେ ଜୀବନକୁ କିପରି ଉପଭୋଗ କରାଯାଏ ସେକଥା ସେମାନେ ବେଶ ଭଲଭାବେ ଜାଣିଛନ୍ତି |

         ଦିନେ ସୁମନା ଅତି ଖୁସିରେ ଆସି ସୁଶ୍ରୀକୁ  କହିଲା,ସେମାନଙ୍କ ବିବାହକୁ ଉଭୟ ପରିବାରର ସ୍ୱୀକୃତି ମିଳି ଯାଇଛି,ଆଉ ମାସେ ପରେ ଫ୍ଲାଇଟରେ ସେମାନେ ନେପାଳ ଯିବେ |ପ୍ରଥମେ ସୁଶ୍ରୀ ସେମାନଙ୍କର ଫ୍ଲାଇଟରେ ଯିବା କଥାକୁ ବିଶ୍ୱାସ କରି ପାରୁନଥିଲା |କିନ୍ତୁ ସୁମନା ଯେତେବେଳେ ତା ମୋବାଇଲରେ ଟିକେଟ ବୁକିଂ ମେସେଜ ଦେଖାଇଲା,ସେ ବିଶ୍ୱାସ କରିବାକୁ ବାଧ୍ୟ ହେଲା |ମୋବାଇଲ ଖୋଲିବା ବେଳେ ପ୍ରୋଫାଇଲରେ  ଦୁଇଜଣଙ୍କ ଯୁଗ୍ମ ରୋମାଣ୍ଟିକ ଫଟ ସେ ଦେଖିଲା |ତା ସ୍ୱାମୀ ବି ତା ପରି ସୁନ୍ଦର ଓ କମ ବୟସର ଥିଲା | ସେମାନେ ଫେରୁ ଫେରୁ ଦୁଇ ତିନି ମାସରୁ ଉର୍ଦ୍ଧ୍ୱ ହୋଇଯିବାର ସମ୍ଭାବନା ଥିବାରୁ ଏହି ସମୟ ପାଇଁ କାହାକୁ ଯୋଗାଡ଼ କରିଦେବ ବୋଲି ସେ ସୁଶ୍ରୀକୁ ତା ତରଫରୁ ଆଶ୍ୱାସନା ଦେଲା |

          ସୁମନା ଯିବାର ଦିନ ଯେତିକି ପାଖେଇ ଆସୁଥିଲା,ସୁଶ୍ରୀର ଉଦବିଗ୍ନତା ସେତିକି ବଢି ଚାଲିଥିଲା |କିନ୍ତୁ ସୁମନା ତା କଥା ରକ୍ଷା କରି,ସେ ଯିବାର ଦଶଦିନ ପୂର୍ବରୁ ତା ପରି ଆଉଜଣେ ନେପାଳୀ କାମବାଲୀକୁ ଠିକ କରି  ଘରର ସବୁ କାମ ତାକୁ ବୁଝାଇ ଦେଲା |ସୁଶ୍ରୀ ତ ଏକଦମ କୃତ୍ୟ କୃତ୍ୟ ହୋଇଗଲା |ସେ ମନେ ମନେ ଭାବୁଥିଲା,ଏମାନଙ୍କର ରୂପ,ଗୁଣ,ବ୍ୟବହାର ଓ ଚାଲିଚଳନ ସବୁ ସୁନ୍ଦର |

        ରାତିରେ  ସ୍ୱାଗତ ଘରକୁ ଫେରି ସୁଶ୍ରୀକୁ ପଚାରିଲା ,ସୁମନା କେବେ ଯିବ ବୋଲି କହୁଥିଲା ?ସୁଶ୍ରୀ ଅନ୍ୟମନସ୍କ ହୋଇ ଉତ୍ତର ଦେଲା,ପହିଲାକୁ ଯିବ ,କିନ୍ତୁ ସେ ତା ବଦଳରେ ଆଉ ଜଣକୁ ଯୋଗାଡ଼ କରିଦେଇଛି |ସ୍ୱାଗତ କହିଲା,ଦେଖ,ଏମାନେ ଦିନସାରା  ହାଡଭଙ୍ଗା ପରିଶ୍ରମ କରି କେତେ କମ ଅର୍ଥ ରୋଜଗାର କରୁଛନ୍ତି, ଅଥଚ କେତେ ଖୁସିରେ ଜୀବନକୁ ଉପଭୋଗ କରୁଛନ୍ତି |ସୁଶ୍ରୀ କହିଲା,ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?ଅର୍ଥ କିଛି ନୁହେଁ,ସବୁ ନିଜର ମାନସିକତା ଉପରେ ନିର୍ଭର କରେ |ସ୍ୱାଗତ କହିଲା,ତମେ ଠିକ କହିଛ,ଜୀବନରେ ଟଙ୍କା ରୋଜଗାର କରି ବଡ଼ ଘର,ଗାଡି କିଣିବା,ଦାମୀ ପୋଷାକ ପିନ୍ଧିବା ଓ ନିଜ ସାଙ୍ଗ ସାଥୀଙ୍କ ସହ ଫାଲତୁ ପ୍ରତିଦ୍ଵନ୍ଦିତା କରିବାକୁ  ବାଦ ଦେଇ ଆଉ ଯେ ଗୋଟିଏ ସୁନ୍ଦର ଦୁନିଆଁ ଅଛି,ତାହା ମୁଁ ବହୁତ ଡେରିରେ ଜାଣିଲି |ସୁଶ୍ରୀ କହିଲା କହିଲା ,ମୁଁ ବି ଦିନେ କାମବାଲୀ କାମ ଅତି ଘୃଣ୍ୟ ଓ ନୀଚ  କାମ ବୋଲି ଭାବୁଥିଲି |କିନ୍ତୁ ସୁମନାକୁ ଦେଖିବା ପରେ ମୁଁ ଜାଣିଲି,ଛୋଟ ବଡ଼ ବୋଲି କିଛି କାମ ନାହିଁ,ଜଣେ ଚାହିଁଲେ,ଯେ କୌଣସି ପରିସ୍ଥିତିରେ ବି ସୁଖରେ ରହି ପାରିବ | ସ୍ୱାଗତ ତାକୁ ଚକିତ କରିଦେଇ ସେମାନଙ୍କର ଗୋଆ ଭ୍ରମଣ କରି ଯିବାର ଫ୍ଲାଇଟ ଟିକେଟ ଦେଖାଇ କହିଲା,ଆସନ୍ତା ସପ୍ତାହରେ ଆମେ ଗୋଆ ଯିବା |ସମୟ ଅତି ମୂଲ୍ୟବାନ,ଏଇ ସମୟ ଚାଲିଗଲେ,ମୁଣ୍ଡ ପିଟି ଦେଲେବି ଆଉ ଫେରି ପାଇବା ନାହିଁ |ଚାଖଣ୍ଡେ ପେଟ ଭରିବା ପାଇଁ  ଆମ ପାଖରେ କିଛି ଅଛି,କିନ୍ତୁ ସୁଖ ଶାନ୍ତିରେ ରେ ରହିବା ପାଇଁ ଭ୍ରମଣ  ପରି କିଛି ମାଧ୍ୟମ  ନିହାତି ଲୋଡ଼ା ,ତା ନହେଲେ ଆମ ଜୀବନ ଦୁର୍ବିସହ ହୋଇଯିବ !!!

Sunday, July 9, 2023

ଅସ୍ପୃଶ୍ୟ

                   ମନ୍ଦାକିନୀଙ୍କର ସଂସାର କହିଲେ ସେମାନେ ଦୁଇଜଣ ଥିଲେ ,ସେ ଓ ତାଙ୍କର ସ୍ୱାମୀ ନିରଞ୍ଜନ |ପୁଅ ଝିଅ  ଦୁଇଜଣ ବାହା ସାହା ହୋଇ ସେମାନଙ୍କ ପରିବାର ସହିତ ଓଡିଶା ବାହାରେ ରହୁଥିଲେ |ପିଲାଟି ଦିନରୁ କାହିଁକି କେଜାଣି ଅଚ୍ଛବ ଜାତି ପ୍ରତି ମନ୍ଦାକିନୀଙ୍କର  ପ୍ରବଳ ଘୃଣା ଭାବ ରହିଥିଲା |ଏମିତିକି ତାଙ୍କ ପାଖ ଦେଇ ଅଚ୍ଛବ ଜାତିର କେହି ଚାଲିଗଲେ   ବ୍ରତ ମାରା ହେବା ଭଳି ତାଙ୍କୁ ଲାଗୁଥିଲା |ତାଙ୍କ ଆଖ ପାଖ କେତୋଟି ଘରେ ଅଚ୍ଛବ ଜାତିର ସ୍ୱାମୀ ପରିତ୍ୟକ୍ତା ତୁଳସୀ ଘର ଓଳା ପୋଛା ଓ ବାସନ ମଜା ଇତ୍ୟାଦି କାମ କରୁଥିଲା | ଏମିତି କାମବାଲୀଟିଏ ରଖିବାକୁ ତାଙ୍କର ବି ଇଚ୍ଛା ହେଉଥିଲା |କିନ୍ତୁ ସାଧାରଣ ବର୍ଗର କାମବାଲୀ ନ ମିଳିବାରୁ ସେ ସେହି ଆଶା ମନରୁ କାଢି ଦେଇ ନିଜ କାମ ନିଜେ କରୁଥିଲେ  |ଏତିକି ନୁହେଁ,ନିଜ କାମ ନିଜେ କଲେ କିପରି ଶରୀର ସୁସ୍ଥ ରହେ ସେ ବିଷୟରେ ସାଇ ପଡ଼ିଶାରେ ଲମ୍ବା ଭାଷଣ ଦେବାକୁ ଭୁଲୁ ନଥିଲେ  | 

                   ତୁଳସୀ ଦ୍ୱାରା କାମ କରାଇ ଅନ୍ୟମାନେ ବେଶ ଆରାମ କରୁଥିବାର ଦେଖି ଧୀରେ ଧୀରେ ମନ୍ଦାକିନୀଙ୍କର   ମନୋଭାବରେ ପରିବର୍ତ୍ତନ ଆସିଲା |ସେ ଭାବିଲେ,ତୁଳସୀ ସିନା ଘର କାମ କରି ପାରିବ ନାହିଁ,ବାଡ଼ି ଓଳେଇବାରେ କଣ କ୍ଷତି ଅଛି ?ତୁଳସୀକୁ ଏକଥା ପଚାରୁ ପଚାରୁ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା | ତା ପରଦିନଠାରୁ ତୁଳସୀ ନିୟମିତ ଆସି ତାଙ୍କ ବଗିଚା  ଓଳେଇ ପରିଷ୍କାର ପରିଚ୍ଛନ୍ନ କଲା  |ଦିନେ ଛାତ ଉପରେ ଲୁଗା ଶୁଖେଇ ସେ ତଳକୁ ଆସୁଥିବାବେଳେ ଅନ୍ୟମନସ୍କତା ବଶତଃ ପାହାଚରୁ ଖସି ପଡି ତାଙ୍କର ବାମ  ଗୋଡ଼ ଭାଙ୍ଗିଗଲା |ଅପରେସନ ପରେ ଡାକ୍ତର ଛଅ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଲେ |ଗୋଡ଼ ଭାଙ୍ଗିବା ଖବର ପାଇ ପିଲାମାନେ ଆସି ତାଙ୍କର ବେଶ ସେବା ଶୁଶ୍ରୁଷା କଲେ | ସେମାନେ ସିନା କଷ୍ଟେ ମଷ୍ଟେ ରୋଷେଇବାସ କରିଦେଉଥିଲେ, ପ୍ରତିଦିନର ବାସନ ମଜା ଓ ଘର ଓଳା ସେମାନଙ୍କ ପାଇଁ ଅତି କଷ୍ଟକର ବ୍ୟାପାର ଥିଲା | ଝିଅ ଶ୍ରୀୟା ମନ୍ଦାକିନୀଙ୍କୁ କହିଲା,ଯୁଗ କେତେ ଆଗେଇଲାଣି,ତମେ ସେଇ ଛୁଆଁ ଅଛୁଆଁ କୁ କେତେଦିନ ଗଣ୍ଠି ପକେଇ ଧରି ବସିବ ?ଏଥି ପାଇଁ  ତମେ ହଇରାଣ  ହେଉଛ,ତମ ଅପେକ୍ଷା  ଆମେ ବେଶୀ  ହଇରାଣ ହେଉଛୁ ,ତମେ ସେକଥା କେବେ ଭାବିଛ ? ଗୋଡ଼ ପୀଡାରେ କଷ୍ଟ ପାଉଥିବା ମନ୍ଦାକିନୀ ସବୁ ହୃଦୟଙ୍ଗମ କରି ନିଜ ମନୋଭାବରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେଲେ  |ବାଡ଼ି ଓଳେଇବା  କାମ ସହିତ ତୁଳସୀ ଘର ଓଳା ପୋଛା ଓ ବାସନ ମଜା କାମ  କଲା |

             ଭାଇ ଭାଉଜ ଯିବାପରେ ଶ୍ରୀୟା ମାଆଙ୍କ ସେବା କରିବା ପାଇଁ ଆଉ  କିଛିଦିନ ବାପଘରେ  ରହିଗଲା |ସେହି ସମୟରେ ସେ ତୁଳସୀକୁ ତାକୁ ଦିଆଯାଇଥିବା କାମ ସହିତ ପରିବା କାଟିବା,ୱାଶିଂ ମେସିନରେ ଲୁଗା ସଫା କରି ଛାତ ଉପରେ ଶୁଖେଇବା ଓ ଲୁଗା ଶୁଖିଯିବା ପରେ ତାକୁ ସଜାଡି  ଭାଙ୍ଗି ଭୁଙ୍ଗି ରଖିବା କାମ ଦେଇଥିଲା  |ମନ୍ଦାକିନୀଙ୍କୁ ଏସବୁ ପସନ୍ଦ ଆସୁ ନଥିଲେ ବି ଝିଅ ହଇରାଣ ହେଉଥିବାର  ଦେଖି କିଛି କହିପାରୁ ନଥିଲେ |ବରଂ  ତୁଳସୀକୁ ସହ୍ୟ କରିବାରେ ସେ କ୍ରମଶଃ ଅଭ୍ୟସ୍ତ ହୋଇଗଲେ |

             ଝିଅ ଚାଲିଯିବା ପରେ  ତୁଳସୀ ତାର ସେହି ସବୁ କାମ ଜାରୀ ରଖିଲା |ଏହା ସହିତ ଅଧିକ ଆଉ ଗୋଟିଏ କାମ ଯୋଡି ହୋଇଗଲା |ତା ହେଲା ଘଷା ମୋଡା କରିବା |ତୁଳସୀ ତାଙ୍କୁ ଏତେ ସୁନ୍ଦର ଘଷି ମୋଡି ଦେଉଥିଲା ଯେ,ପରମ ଆନନ୍ଦରେ ତାଙ୍କ ଆଖିକୁ ନିଦ ଆସି ଯାଉଥିଲା  |କ୍ରମେ ତୁଳସୀ ବିନା ଚଳିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଲା |ତୁଳସୀ ଅନ୍ୟ ମାନଙ୍କ ଘରକୁ ଦିନକୁ ଗୋଟିଏ ବେଳା ଆସୁଥିବା ବେଳେ ମନ୍ଦାକିନୀଙ୍କ ଘରକୁ ଦୁଇବେଳା  ଆସୁଥିଲା |ସେ ଏଥିପାଇଁ ତାକୁ ଅଧିକ ପାରିଶ୍ରମିକ ଦେଉଥିଲେ |

              ଦିନ ପରେ ଦିନ ଗଡି ଚାଲିଲା |ଦିନେ,ଶ୍ରାବଣ ମାସର ଏକ ଅଶୁଭ ଅପରାହ୍ନରେ ନିରଞ୍ଜନ ହୃଦଘାତରେ ଆକ୍ରାନ୍ତ ହୋଇ ସେପୁରର ଯାତ୍ରୀ ହେଲେ  |ତାଙ୍କର ବିୟୋଗରେ ମନ୍ଦାକିନୀଙ୍କର ସୁଖର ସଂସାର ଉଜୁଡି ଗଲା |ନିରଞ୍ଜନଙ୍କ ବିନା ସେ କିପରି ଏକାକିନୀ ରହିବେ,ଏହା ଚିନ୍ତା କରି ତାଙ୍କ ଆଖିରୁ ଲୁହ ଶୁଖୁ ନଥିଲା  |ପିଲାମାନେ ଆସି ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବା ପରେ ପାଳି କରି ମନ୍ଦାକିନୀଙ୍କୁ ନିଜ ପାଖରେ ରଖିଲେ |କିନ୍ତୁ ସ୍ୱାଧୀନଚେତା ମନ୍ଦାକିନୀଙ୍କୁ ସୁନାର ପଞ୍ଜୁରୀରେ ରହିବାକୁ ଭଲ ଲାଗୁନଥିଲା |କାହାର ପଦେ  କଡା କଥା ଶୁଣିବା ତାଙ୍କ ପାଇଁ ଅସହ୍ୟ ହୋଇ ପଡୁଥିଲା |ତୁଳସୀର ସେବା ଯତ୍ନ ସବୁବେଳେ ତାଙ୍କର ମନେ ପଡୁଥିଲା |ଦିନେ ମନସ୍ଥିର କରି ,ଦୃଢ଼ ନିଷ୍ପତ୍ତି ନେଇ ସେ ତାଙ୍କ ନିଜ ଘରକୁ ଫେରି ଆସିଲେ |ତୁଳସୀ ସତେ ଯେପରି  ତାଙ୍କ ଫେରିବା ବାଟକୁ ଚାତକ ପରି ଚାହିଁ ବସିଥିଲା !ତାଙ୍କୁ ଦେଖୁ ଦେଖୁ ଲମ୍ବା ମୁଣ୍ଡିଆଟିଏ ମାରି କହିଲା,ମୁଁ ଜାଣେ,ମୋ ମାଆ ମତେ ଛାଡି କେବେହେଲେ  ରହି ପାରିବେ ନାହିଁ |

               ଏକୁଟିଆ ସ୍ଵଚ୍ଛନ୍ଦରେ ଚଳିବା ପାଇଁ ସ୍ୱାମୀଙ୍କ ପେନସନ ପ୍ରାପ୍ୟ ସହିତ ଉପର ମହଲା ଭଡାଘର ଅର୍ଥ ମନ୍ଦାକିନୀଙ୍କ ଚଳିବା  ପାଇଁ ଯଥେଷ୍ଟ ଥିଲା |କିନ୍ତୁ ସମୟ ସମୟରେ ତାଙ୍କର ବୟସାଧିକ୍ୟ ରୁଗ୍ଣ ଶରୀର ଏଥିରେ ବାଧକ ସୃଷ୍ଟି କରୁଥିଲା |ତୁଳସୀ ବିନା ଗୋଟିଏ ମୁହୂର୍ତ୍ତ ଚଳିବା ତାଙ୍କ ପକ୍ଷରେ କ୍ରମେ ଅସମ୍ଭବ ହୋଇ ପଡୁଥିଲା |ତୁଳସୀ ମଧ୍ୟ ବହୁତ ଅସୁବିଧାରେ ଥିଲା |ତା ମୁଣ୍ଡ ଉପରେ ବିଧବା ଝିଅ ଓ ତାର ଦୁଇଟି ଛୋଟ ପିଲାଙ୍କୁ ଚଳାଇବା ବୋଝ ରହିଥିଲା |ବହୁତ ଭାବିଚିନ୍ତି ଦିନେ ମନ୍ଦାକିନୀ  ତୁଳସୀକୁ ତାଙ୍କ ଘରକୁ ଡାକି ଆଣିଲେ |ମାଆ ଝିଅଙ୍କ ପାଇଁ ବଡ଼ କୋଠରୀଟି ଛାଡ଼ିଦେଇ ସେ ନିଜେ ବାଥରୁମ ସଂଲଗ୍ନ ଥିବା କୋଠରୀରେ ରହିଲେ |

          ଥରେ ତାଙ୍କୁ ଭୀଷଣ ଜ୍ୱର ହେଲା |ତାଙ୍କୁ ଡାକ୍ତରଙ୍କୁ ଦେଖାଇ ଔଷଧ ଖୁଆଇବା କାମ ସବୁ ମାଆ ଝିଅ ଦୁହେଁ କରୁଥିଲେ |ତଥାପି ଜ୍ୱର ଛାଡିବାର ନାମ ନେଉ ନଥିଲା |ଚାରିଦିନ ପରେ ଜ୍ୱର ଟିକିଏ କମିବାରୁ ମନ୍ଦାକିନୀ ତୁଳସୀ କୁ କହିଲେ,ଚାରିଦିନ କାଳ ଠାକୁର ଅପୂଜାରେ ରହିଛନ୍ତି,ତୋ ଆଖିକୁ ଦେଖା ଯାଉନି ?ଯାଆ ଭଲକରି ପୋଛା ପୋଛି କରି ଧୂପ ଦେଇଦେବୁ !!ତାଙ୍କ କଥା ଶୁଣି ତୁଳସୀ ତଟସ୍ଥ ହୋଇ ତାଙ୍କୁ ଚାହିଁ ରହିଲା |ମନ୍ଦାକିନୀ କହୁଥିଲେ,ବସିଛୁ କଣ,ମୋ କଥା ତତେ ଶୁଭୁନି ??ହଁ ଯାଉଛି ମାଆ କହି ତୁଳସୀ ତାର ପିନ୍ଧା ଲୁଗା ବଦଳାଇ ଠାକୁର ଘର ଆଡକୁ ଆଗେଇ ଗଲା |

              

            

                



Monday, January 9, 2023

ପ୍ରେମ


                                                                      (ଏକ )
             କଲେଜ ଯିବାବେଳେ ସିଗାରେଟ ଟାଣୁଥିବା ଯୁବକ  ସହିତ ରିଚାର ନିତି ଦେଖା ହେଉଥିଲା | ଯୁବକର ନାମ ନିଶାନ୍ତ ଥିଲା  ଓ ସେ ସ୍ଥାନୀୟ କାର୍ଯ୍ୟାଳୟରେ ଚାକିରୀ କରୁଥିଲା |ପ୍ରଥମେ କଥାବାର୍ତ୍ତା,ତାପରେ ପ୍ରେମ ଓ ଶେଷରେ ବିବାହ  |ନିଶାନ୍ତର ସ୍ଵଭାଵ ବହୁତ ଭଲ ଥିଲା ଓ ତାକୁ ସ୍ୱାମୀ ରୂପେ ପାଇ ରିଚା ନିଜକୁ ଭାଗ୍ୟବତୀ ମଣୁ ଥିଲା |
             କିନ୍ତୁ ଏଥିରେ ଗୋଟିଏ କେଁ ଥିଲା | ବିବାହ ପୂର୍ବରୁ ନିଶାନ୍ତ ରିଚାକୁ ସଫା ସଫା କହିଦେଇଥିଲା,ସିଗାରେଟ ହେଉଛି ତାର ପ୍ରଥମ ପ୍ରେମ,ତାକୁ ସେ କେବେହେଲେ ଛାଡି ପାରିବ ନାହିଁ |ସତକୁ ସତ ଅନେକ ଚେଷ୍ଟା କରିବା ସତ୍ତ୍ୱେ ବି ରିଚା ନିଶାନ୍ତର  ସିଗାରେଟ ବଦଭ୍ୟାସକୁ ଛଡାଇ ପାରିଲା ନାହିଁ |ଯେତେବେଳେ କେହି ରିଚାକୁ  ନିଶାନ୍ତର ବଦଭ୍ୟାସ ବିଷୟରେ ପଚାରୁ ଥିଲେ ,ସେତେବେଳେ ସେ ମନଦୁଃଖରେ କହୁଥିଲା ,ସିଗାରେଟ ତାଙ୍କର ପ୍ରଥମ ପ୍ରେମ,ସେ ପଛକେ ମତେ ଛାଡ଼ିଦେବେ କିନ୍ତୁ ସିଗାରେଟକୁ ଛାଡି ପାରିବେ ନାହିଁ |
               ସମୟ ବିତି ଚାଲିଲା |ଏହା ସହିତ ତାଳ ଦେଇ ନିଶାନ୍ତର ସିଗାରେଟ ପ୍ରତି ଥିବା  ପ୍ରେମ ବଢି ଚାଲିଲା |ଏମିତି ସମୟ ଆସିଲା ନିଜେ ଚାହିଁଲେ ବି ନିଶାନ୍ତ ନିଜକୁ ସିଗାରେଟ କବଳରୁ ମୁକ୍ତ କରି ପାରିଲା ନାହିଁ |ଶେଷରେ ଯାହା ଆଶଙ୍କା କରାଯାଉଥିଲା,ତାହା ହେଲା ,ଦିନେ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ସେ ରିଚାକୁ ଛାଡି ଆର ପୁରକୁ ଚାଲିଗଲା !
                                                                       (ଦୁଇ)
                ସେମାନଙ୍କ ସଂସାରରେ ସେମାନେ କେବଳ ଚାରିଜଣ ଥିଲେ |ସ୍ୱାମୀ ସୌମ୍ୟ ,ସ୍ତ୍ରୀ ପ୍ରଜ୍ଞା ଆଠ ବର୍ଷର ପୁଅ ରାମ  ଓ ପୋଷା କୁକୁର 'ବାବା'  | ସେମାନଙ୍କ ଭିତରେ ସ୍ନେହ,ପ୍ରେମ ଓ ମମତାର ବନ୍ଧନ ଅତି ନିବିଡ଼ ଥିଲା |ସୌମ୍ୟକୁ  ଯେତେବେଳେ ବ୍ୟବସାୟ କାର୍ଯ୍ୟରେ ବାହାରକୁ ଯିବାକୁ ପଡୁଥିଲା,ସେତେବେଳେ ମାଆ ପୁଅଙ୍କୁ ବାବା ଜିମାରେ ଛାଡିଦେଇ  ସେ ନିଶ୍ଚିନ୍ତରେ ଯାଇ ପାରୁଥିଲା  |
                 ଥରେ ଏମିତି ଏକ କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଅସୁସ୍ଥତା ଯୋଗୁ କାର୍ଯ୍ୟକ୍ରମ ବାତିଲ କରି ତାକୁ  ଘରକୁ ଫେରିବାକୁ ପଡିଲା |ସେ ଭାବିଥିଲା,ଏପଟ ସେପଟ ହୋଇ ଦେହ ଖରାପ ହୋଇ ଯାଇଛି,ବିଶ୍ରାମ ନେଲେ ଭଲ ହୋଇଯିବ |କିନ୍ତୁ ତାର ଧାରଣା ଭୁଲ ଥିଲା |ପରୀକ୍ଷା ପରେ ସେ କୋଭିଡ ସଂକ୍ରମିତ ବୋଲି ଜଣାପଡିଲା  |ପ୍ରଜ୍ଞାର ଦୁନିଆ ଯେପରି ଓଲଟି ଯାଇଥିଲା !! ସୌମ୍ୟକୁ  ସୁସ୍ଥ କରିବା ପାଇଁ ସେ  ପାଣି ପରି ଟଙ୍କା ବୁହାଇ ଦେଲା | କିନ୍ତୁ ସବୁ ବୃଥା ଥିଲା |ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ତ୍ୱେ ସୌମ୍ୟ  ଆରୋଗ୍ୟ ଲାଭ କରି ପାରିଲା ନାହିଁ |
                  ପ୍ରଜ୍ଞାର କପାଳରୁ ସବୁଦିନ ପାଇଁ ସିନ୍ଦୁର ଲିଭି ଯାଇଥିଲା,ରାମ ହୋଇଯାଇଥିଲା ଅନାଥ |ତଥାପି ସବୁଦିନ ମରି ମରି ସେମାନେ ବଞ୍ଚିଲେ |ଆଉ ବାବା ?ପ୍ରଭୁ ପ୍ରେମକୁ ଝୁରି ଝୁରି ସେ ଖାଇବା ପିଇବା ଛାଡି ଦେଇଥିଲା ଓ ଏହିପରି ଚାରିଦିନ ରହିବା ପରେ ସେ  ତାର ପ୍ରଭୁର ପଥ ଅନୁସରଣ କରିଥିଲା | 
                                                                       (ତିନି)
                   
                     ସ୍ୱାମୀ,ଶାଶୁ,ଶ୍ୱଶୁର,ଦିଅର,ନଣନ୍ଦଙ୍କୁ ନେଇ ନିମାର  ପରିପୂର୍ଣ୍ଣ ସଂସାରଟିଏ  ଥିଲା | ସେ ଥିଲା ଘରର ବଡ଼ବୋହୂ ଓ ତାକୁ ସମସ୍ତେ ଭଲ ପାଉଥିଲେ | ସବୁ ସୁଖ ଐଶ୍ଵର୍ଯ୍ୟ ଈଶ୍ୱର ତା ପାଖରେ ଅଜାଡି ଦେଇଥିଲେ ,ଅଭାବ ଥିଲା ଖାଲି ଗୋଟିଏ ଜିନିଷର |ତା ସାତ ପଛରେ ବାହାହୋଇ ଦୁଇ ଯାଆଙ୍କର ଦୁଇ/ତିନିଟି ଲେଖାଏଁ ପିଲା ଜନ୍ମ ହେଲେ  କିନ୍ତୁ ବିଧାତା ତା କପାଳରେ ପିଲା ଲେଖିନଥିଲେ | |ପିଲାଟିଏ ପାଇବା ପାଇଁ ନାନା ଓଷା,ବ୍ରତ କରି ସେ କ୍ରମେ ଈଶ୍ୱର ପ୍ରେମରେ ଏପରି ପାଗଳୀ ହୋଇଗଲା ଯେ,ସାରା ଦୁନିଆ ତାକୁ ଖାଲି ଈଶ୍ୱରମୟ ଦେଖାଗଲା  |ସ୍ୱାମୀ ଥିବାଯାଏଁ କେହି ତା ଦେହରେ ଟିପ ମାରିବାକୁ ସାହସ କରି ପାରୁନଥିଲେ |କିନ୍ତୁ ବୃଦ୍ଧା ବୟସରେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ସମସ୍ତଙ୍କ ପାଇଁ  ଏକ ଅଲୋଡ଼ା ବସ୍ତୁ  ପାଲଟି ଗଲା  |ତାର କିଛି ଖରାପ ଅଭ୍ୟାସ ନଥିଲା,ଗୁଣ୍ଡି  ଟିକେ ଯାହା ପାଟିରେ ଜାକିବାକୁ ତାକୁ ଭଲ ଲାଗୁଥିଲା |ସ୍ୱାମୀଙ୍କ ମୃତ୍ୟୁ ପରେ ସେତକ ତାକୁ ମିଳିବା ଦୂରର କଥା,ବୁଢ଼ୀ ଅଯଥା ଖର୍ଚ୍ଚ କରୁଛି କହି ,ନାନା ଅପବାଦ ଦେଇ ତାକୁ ଘରୁ ତଡ଼ିଦେଲେ |ତାର ଦୂରାବସ୍ଥା ଦେଖି ସମସ୍ତେ କହିଲେ,ନିମା ପରି ଦୁଃଖୀ ସଂସାରରେ ଆଉ କେହି ନାହିଁ |
                  କିନ୍ତୁ ନିମା ନିଜକୁ ସବୁଠାରୁ ସୁଖୀ ମଣିଷ ବୋଲି ଭାବୁଥିଲା |ଘରୁ ତଡା ଖାଇବା ପରେ ସେ ଭିକ୍ଷା ମାଗି ତାର ଜୀବିକା ନିର୍ବାହ କରୁଥିଲା  |ଭିକ୍ଷାରେ ମିଳୁଥିବା  ଟଙ୍କାରେ ସେ ଗୁଣ୍ଡି କିଣି ପାରୁଥିଲା ଓ ଯାହା ଇଚ୍ଛା ତାହା କିଣି ଖାଉଥିଲା |ସବୁଠାରୁ ବଡ଼କଥା ହେଲା,ଈଶ୍ୱରଙ୍କୁ ଡାକିବାପାଇଁ ତା ପାଖରେ ଢେର ସମୟ ଥିଲା |ଈଶ୍ୱର ପ୍ରେମରେ ତନ୍ମୟ ହୋଇ ଦିନେ ଦିନେ ସେ ଭୋକ ଶୋଷ ପାସୋରି ଯାଉଥିଲା |ତା ପାଇଁ ଈଶ୍ୱର ପ୍ରେମ ଥିଲା,ସର୍ବଶ୍ରେଷ୍ଠ ପ୍ରେମ |