Tuesday, October 3, 2023

ଶେଷ ତୀର

                                                                 ଶେଷ ତୀର 

                  ଅନେକ ବର୍ଷ ପରେ ପ୍ରଦର୍ଶନୀ ପଡିଆରେ ଅଚାନକ ପ୍ରଣବ ସହିତ ଶାଶ୍ୱତର ଦେଖା ହୋଇଗଲା  |ଦୁହେଁ  ସ୍କୁଲ ବେଳର ବନ୍ଧୁ ଥିଲେ | ଦ୍ୱାଦଶ ଶ୍ରେଣୀ ପରେ କ୍ୟାରିଅର ପାଇଁ ଯିଏ ଯାହା ଲକ୍ଷ୍ୟରେ ଚାଲିଗଲେ,ଏଣୁ ଏତେ ଖାସ ନଥିଲେ,ସମସ୍ତେ ସମସ୍ତଙ୍କର ଖବର ରଖିବା ସମ୍ଭବପର  ନଥିଲା   |ପ୍ରଣବ ଇଞ୍ଜିନିଅର ହୋଇଥିବାବେଳେ ଶାଶ୍ୱତ ଅଧ୍ୟାପକ ଥିଲା |ଏତେ ବର୍ଷ ପରେ ବି  ଶାଶ୍ୱତକୁ ଚିହ୍ନିବାରେ ପ୍ରଣବର ଭୁଲ ହେଲାନାହିଁ |ସେ କହିଲା,ତୁ ଯେମିତି ଥିଲୁ ଆଜିଯାଏଁ ସେମିତି ଅଛୁ,ଟିକିଏ ବି ବଦଳି ନାହୁଁ |ଶାଶ୍ୱତ ଅଳ୍ପ ହସି କହିଲା,ତୁ କିନ୍ତୁ ଆଗ ଅପେକ୍ଷା ଟିକିଏ ଝଡି ଯାଇଛୁ |ପ୍ରଣବ ଉଦାସ ହୋଇ କହିଲା,ମୋ କଥା ଜାଣୁ,ମୁଁ ସବୁବେଳେ କିଛି ନା କିଛି ଦୁଶ୍ଚିନ୍ତାରେ ଥାଏ  |ଶାଶ୍ୱତ କହିଲା,ଭଲ ଚାକିରୀ କରିଛୁ,ବାହା ହୋଇ ଆରାମରେ ଜୀବନ ବିତେଇବା କଥା,ତୋର ପୁଣି କି ଦୁଶ୍ଚିନ୍ତା  ?ନିଶ୍ଚେ ତୋ ମୁଣ୍ଡରେ କିଛି ଦୁଷ୍ଟ ବୁଦ୍ଧି ଖେଳୁଥିବ,ସତ କହିଲି ନା ? ପ୍ରଣବ ପ୍ରତିବାଦ କରି କହିଲା,ଭାରି ଗୋଟେ ବଡ଼ ଜ୍ୟୋତିଷ ପରି ବାଣୀ ଶୁଣେଇ ଦେଲା !ମୁହେଁ ମୁହେଁ କହି ମନରେ ଦୁଃଖ ଦେବା ଅଭ୍ୟାସ ତୋର ଆଜି ଯାଏଁ ଗଲା ନାହିଁ |ଶାଶ୍ୱତ ତା ହାତ ଧରି ପକେଇ କହିଲା,ଭାଇ ,ମତେ କ୍ଷମା କର,କହୁ କହୁ କହିଦେଲି |ଚାଲ,କଫି ପିଇବା |

         ଦୁହେଁ କଫି ପିଉ ପିଉ କଥା ପ୍ରସଙ୍ଗରେ ପ୍ରଣବ କହିଲା, ତୋ କଥା ଅବଶ୍ୟ କେତେକାଂଶରେ ସତ |ଚାଲ,ମୁଁ ତତେ ଗୋଟିଏ କଥା ଦେଖାଇବି |ଦୁହେଁ ଚାଲି ଚାଲି କିଛି ଦୂର ଯିବାପରେ ପ୍ରଣବ  ଶାଶ୍ୱତକୁ ଦୂରରେ ବସିଥିବା ଦୁଇଜଣ ମହିଳାଙ୍କୁ ଇଙ୍ଗିତ କରି କହିଲା,ନୀଳ ଶାଢ଼ୀ ପିନ୍ଧିଥିବା ଝିଅର ନାଁ ମିନୁ,ମାଷ୍ଟ୍ରାଣୀ ଚାକିରୀ କରୁଛି,ଆଉ ତା ପାଖରେ ଯିଏ ବସିଛନ୍ତି,ସେ ତାର ଭାଉଜ |ଶାଶ୍ୱତ ଆଶ୍ଚର୍ଯ୍ୟ ହୋଇ କହିଲା,ସେମାନଙ୍କ ସହିତ ତୋର କି ସମ୍ପର୍କ ?ପ୍ରଣବ ତାକୁ ସେଠାରୁ ନେଇଯାଇ କହିଲା,କହୁଛି ,ଶୁଣ |ମିନୁର ଭାଉଜ ମୋର ଦୂର ସମ୍ପର୍କୀୟା ଭଉଣୀ |ଇଞ୍ଜିନିଅରିଂ ପଢିବା ବେଳେ ମୁଁ ପ୍ରାୟ ବେଳେ ତାଙ୍କ ଘରକୁ ଯାଉଥିଲି |ସେତେବେଳେ  ମିନୁ  ଅଲଗା ସହରରେ ତାର ବାପା ମାଆଙ୍କ ପାଖରେ ରହି ପଢୁଥିଲା ଓ ଛୁଟିରେ କେବେ କେବେ ତା ଭାଇଭାଉଜଙ୍କ  ଘରକୁ ବୁଲି ଆସୁଥିଲା |ପ୍ରଥମ ଦେଖାରେ ମୁଁ ମିନୁ  ପ୍ରତି ଆକୃଷ୍ଟ ହୋଇ ଯାଇଥିଲି |କିନ୍ତୁ ମିନୁ ମତେ ଟିକେ ବି ଭାଉ ଦେଉ ନଥିଲା |ଦିନେ ଘରେ କେହି ନଥିବାର ସୁଯୋଗ ନେଇ ମୁଁ ତା କାନ୍ଧରେ ହାତ ରଖିଦେଲି |ବାସ,ମୁଁ ଆଉ ଯାଏ କୁଆଡେ |ଢ଼ୋ ଢ଼ୋ କରି ଦୁଇ/ଚାରି ଚଟକଣା ସେ ମୋ ଗାଲରେ କଷି ଦେଇଗଲା |ଏତିକିରେ ସନ୍ତୁଷ୍ଟ ନହୋଇ ସେ ତାର ଭାଇ ଆଗରେ ଫେରାଦ ହେଲା |ମତେ ବାଧ୍ୟ ହୋଇ କ୍ଷମା ମାଗିବାକୁ ପଡିଲା ଓ ସବୁଦିନ ଲାଗି  ଘରର କବାଟ ମୋ ପାଇଁ ବନ୍ଦ ହୋଇଗଲା |ଏତିକି ଟିକିଏ ଅପରାଧର ଏତେ ବଡ଼ ଶାସ୍ତି ମୁଁ ଆଦୌ ବରଦାସ୍ତ କରି ପାରି ନଥିଲି ଓ ତା ଉପରେ କଡା ଗଣ୍ଡା ହିସାବରେ ପ୍ରତିଶୋଧ ନେବାପାଇଁ  ସେହିଦିନ ଶପଥ ନେଇଥିଲି |

        ଶାଶ୍ୱତ ଉତ୍ସୁକ ହୋଇ ପଚାରିଲା,ତାପରେ ? ପ୍ରଣବ କହିଲା,ମିନୁ ସୁନ୍ଦରୀ ଓ ଉପାର୍ଜନକ୍ଷମ |ତାକୁ ଦେଖି ଯିଏ ନାହିଁ ସିଏ ବାହା ହେବାକୁ ରାଜି ହୋଇଯିବେ ,କିନ୍ତୁ ମୁଁ ତାହା ସମ୍ଭବ କରାଇ ଦେଉନାହିଁ |ଶାଶ୍ୱତ ଆଶ୍ଚର୍ଯ୍ୟ ହୋଇ କହିଲା,କେମିତି ?ପ୍ରଣବ ସହଜ ସ୍ୱରରେ କହିଲା,ଅତି ସିମ୍ପଲ |ପୁଅ ଘରକୁ ଫୋନ କରି ଝିଅ ମତେ ପ୍ରେମ କରୁଛି ବୋଲି କହି ଦଶ ବର୍ଷ ହେଲାଣି ମୁଁ ତାର ବାହାଘର ଭାଙ୍ଗି ଚାଲିଛି |ଶାଶ୍ୱତ ପଚାରିଲା,କିନ୍ତୁ ପୁଅ ଘର ନମ୍ବର ତତେ କେମିତି ମିଳି ଯାଉଛି ?ପ୍ରଣବ ଗର୍ବରେ କହିଲା,ଏଇ ଟିକକ ଆଗରୁ ତାର ଭାଉଜ ମୋର ଦୂର ସମ୍ପର୍କୀୟା ଭଉଣୀ ବୋଲି କହିଥିଲି ନା ?ସେ ମତେ ଆଜି ପର୍ଯ୍ୟନ୍ତ ସାହାଯ୍ୟ ଓ ସହଯୋଗ କରି ଆସିଛନ୍ତି  ଓ ଆଗକୁ କରିବେ ମଧ୍ୟ |କିନ୍ତୁ ବାରମ୍ବାର ବାହାଘର ପ୍ରସ୍ତାବ ଭାଙ୍ଗି ଯାଉ ଥିବାରୁ ମିନୁ ଆଜି ଶେଷଥର ପାଇଁ ଝିଅ ଦେଖା ପାଇଁ ରାଜି ହୋଇଛି  ଓ ଏକଥା ମଧ୍ୟ କହିଛି ଯେ,ଏଇଠି ପ୍ରସ୍ତାବ ଭାଙ୍ଗିଗଲେ ,ଆଉ ସେ ବାହା ହେବ ନାହିଁ |ବାପା କେବେଠାରୁ ଗଲେଣି ,ମାଆ ଏକୁଟିଆ |ଶାଶୁ ବୋହୂ ପଡୁ ନଥିବାରୁ ମିନୁ ତା ମାଆକୁ ପାଖରେ ରଖିଛି |ଆଗର ଫୁଟାଣି ଆଉ ନାହିଁ ,ସବୁ ଭାଙ୍ଗି ଚୁରମାର ହୋଇ ଯାଇଛି  |ତାର ଶେଷ ଇଣ୍ଟରଭିଉ ଦେବାପାଇଁ ସେ କେମିତି ବେଶରେ  ଆସିବ,ଓ ସେ ଟୋକା ସାଙ୍ଗରେ ସେ କେମିତି ମୁଖଭଙ୍ଗୀ କରି କଥା ହେବ,ତାହା ଦେଖିବାକୁ ଆଜି ଚାଲି ଆସିଲି |ଆଗପରି ଚେହେରା ନାହିଁ,ମୁହଁରେ ବୟସରେ ଛାପ ପଡ଼ିଲାଣି,କେଉଁ ହତଭାଗା ତାକୁ ରାଜି ହେବ କେଜାଣି ?ଶାଶ୍ୱତ କହିଲା,ତା ମାନେ,ଏଇଟା ତୋ ତୁଣୀରର ଶେଷ ତୀର ?ପ୍ରଣବ ଟିକିଏ ଚିନ୍ତା କରି କହିଲା,ସେଇଟା ସମୟ  କହିବ,ଏବେଠାରୁ ମୁଁ କିଛି କହି ପାରିବିନି |

         ଶାଶ୍ୱତ କହିଲା,ହଉ ତୁ ଥା,ମୁଁ  ଯାଉଛି |ପ୍ରଣବ କହିଲା,ମୁଁ ମୋ କଥା କହିଲି,ତୁ ତୋ କଥା କିଛି କହିଲୁନି ତ !ଶାଶ୍ୱତ କହିଲା,କଣ ଆଉ କହିବି ?ବଲାଙ୍ଗୀରରେ ଥିଲି,ମାସେ ହେବ ଏଠାକୁ ଆସିଛି |ପଛେ କଥା ହେବା ,ମୁଁ ଚାଲିଲି |ଯିବା ପୂର୍ବରୁ ଦୁହେଁ ଦୁହିଁଙ୍କ ଫୋନ ନମ୍ବର ମୋବାଇଲରେ ସେଭ କରିଦେଲେ |ଘଣ୍ଟାଏ /ଦୁଇଘଣ୍ଟା ଅପେକ୍ଷା କରି ପୁଅଘର ନ ଆସିବାରୁ ମିନୁ ଓ ତାର ଭାଉଜ ବିରକ୍ତ ହୋଇ ଚାଲିଗଲେ |ପରେ ପରେ ପ୍ରଣବ ମଧ୍ୟ ଚାଲିଗଲା |

          ମିନୁ ସ୍କୁଲ ଯିବାପରେ ତାର ଭାଉଜ ପ୍ରଣବ ସହିତ କଥା ହୁଅନ୍ତି |ପରଦିନ ପ୍ରଣବ ଫୋନ କରିବା ପୂର୍ବରୁ ମିନୁର ଭାଉଜ ଫୋନ କଲେ |ପ୍ରଣବ ପଚାରିଲା,ସେମାନେ କାଲି କାହିଁକି ଆସିଲେନି ?ମିନୁର ଭାଉଜ କହିଲେ,ନ ଆସିଲେ କଣ ହେଲା,ଏ ପ୍ରସ୍ତାବରେ ରାଜି ବୋଲି ୟାଙ୍କୁ କାଲି ସେମାନେ ଜଣେଇ ଦେଇଛନ୍ତି |ପନ୍ଦରଦିନ ପରେ ନିର୍ବନ୍ଧ ହେବ |ତାଙ୍କ କଥା ଶୁଣି ପ୍ରଣବ ହତବାକ ହୋଇଗଲା |ସେ କହିଲା,ତାଙ୍କ ନମ୍ବର ମତେ ଦେଇ ପାରିବ ?ସେମାନେ ଦୁଇଟା ନମ୍ବର ଦେଇଛନ୍ତି,ମୁଁ ଦୁଇଟାଯାକ ତୋ ପାଖକୁ ପଠେଇ ଦେଉଛି ,ଏହା କହି ମିନୁର ଭାଉଜ ଫୋନ କାଟିଦେଲେ  |ପ୍ରଣବକୁ ବେଶୀ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ,ମୋବାଇଲରେ ଟୁଂ ଆବାଜ ଶୁଣି ସେ ସଙ୍ଗେ ସଙ୍ଗେ ହ୍ୱାଟସ ଆପ ଖୋଲିଲା |କିନ୍ତୁ  ନମ୍ବର ଦୁଇଟି ଦେଖୁ ଦେଖୁ  ତା ଆଖି ଆଗରେ ଅନ୍ଧକାର ଘୋଟିଗଲା ଓ ସେ ନିରୁପାୟ ହୋଇ ମୁଣ୍ଡରେ ଦୁଇ ହାତ ଦେଇ ବସି ପଡିଲା | ଅନେକ ଆଶା ରଖି ପ୍ରସ୍ତୁତ କରିଥିବା ତାର ତୁଣୀରର ଶେଷ ତୀର ପ୍ରୟୋଗ ହେବା ପୂର୍ବରୁ ଅକାମୀ ହୋଇ ଯାଇଥିଲା  |କାରଣ,ମିନୁର ଭାଉଜ ପଠେଇଥିବା ଦୁଇଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ଶାଶ୍ୱତର ଥିଲା,ଯାହା ଆଗରେ  କାଲି ସିଏ ବିସ୍ତୃତ ଭାବରେ ତାର ପ୍ରତିଶୋଧ ନେବାର କଳା ଚିଠା ଖୋଲି ଦେଇଥିଲା !!!!(ସମାପ୍ତ) ମମତା ମହାନ୍ତି ସାମନ୍ତରାୟ 

No comments:

Post a Comment