Saturday, September 16, 2023

ଭକ୍ତିର ଶକ୍ତି

                    ସୁଶୀଳା ଜଣେ ଭକ୍ତି ପରାୟଣ ମହିଳା ଥିଲେ  |ଈଶ୍ୱର ଆରାଧନାରେ ତାଙ୍କର ବିଶେଷ ରୁଚି ରହିଥିଲା ଓ ଭକ୍ତିର ଶକ୍ତି ଉପରେ ତାଙ୍କର ପ୍ରଗାଢ଼ ଆସ୍ଥା ଓ ଭରସା ଥିଲା | ଲଟେରୀରେ ସେମାନଙ୍କୁ ସରକାରୀ ଜମି ମିଳିବା  ,ସ୍ୱାମୀଙ୍କର ଅଚାନକ ପ୍ରମୋଶନ ହେବା,ପ୍ରଥମ ଆଟେମ୍ପଟ ରେ ପୁଅକୁ ଆଇ ଆଇ ଟି ମିଳିବା ଇତ୍ୟାଦି ଅନେକ ବଡ଼ ବଡ଼ ସୁଖଦ ଘଟଣା ଗୁଡିକୁ ସେ ଈଶ୍ୱରଙ୍କ ପ୍ରତି ଥିବା  ତାଙ୍କର ଅନାବିଳ ଭକ୍ତିର ଶକ୍ତି ବୋଲି ଭାବୁଥିଲେ | ସ୍ୱାମୀ ଶ୍ରୀନାଥ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ସ୍ଵଭାଵର ଥିଲେ |ସୁଶୀଳାଙ୍କ ପୂଜା ପାଠକୁ ସେ ତାମସିକ ଭକ୍ତି ବୋଲି କହୁଥିଲେ |ସୁଶୀଳା ରାତି ତିନିଟାରୁ ଉଠି ତାଙ୍କ ନିତ୍ୟକର୍ମ ଶେଷ କରି ସକାଳ ଆଠଟା ପର୍ଯ୍ୟନ୍ତ ପୂଜାପାଠରେ ବ୍ୟସ୍ତ ଥିବାବେଳେ ଶ୍ରୀନାଥ  ତିନିଥର ଗାୟତ୍ରୀ ମନ୍ତ ପାଠ କରି  ତାଙ୍କର ପୂଜା ସମାପ୍ତ କରୁଥିଲେ  |ସେ ଖାଦ୍ୟ ପ୍ରେମୀ ଥିଲେ ଓ ଆଦୌ ଭୋକ ସମ୍ଭାଳି ରହି ପାରୁ ନଥିଲେ |ସେ  ସବୁବେଳେ କହୁଥିଲେ ଆତ୍ମ କୁଶଳେ ସର୍ବ ସିଦ୍ଧି,ପଛେ କରିବ ନାନା ବିଧି |ପେଟ ହେଉଛି ଅସଲ ଭଗବାନ ,ପେଟକୁ କଷ୍ଟ ଦେଲେ ଭଗବାନ ଅଶାନ୍ତି ହୁଅନ୍ତି ବୋଲି ସେ ସୁଶୀଳାଙ୍କୁ ବୁଝାଉ ଥିଲେ  |ତାଙ୍କର ଏହି ସ୍ଵଭାଵ ପାଇଁ ସୁଶୀଳା ତାଙ୍କୁ ନାସ୍ତିକ ଓ ବିଧର୍ମୀ ବୋଲି କହୁଥିଲେ | 

           ପୁଅ ସୁମନ୍ତ ମାଆଙ୍କର ଭକ୍ତ ଥିଲା |ମାଆଙ୍କ ପରି ସେ ଠାକୁର ପୂଜା କରିବାକୁ ଓ ଉପବାସ ରଖିବାକୁ ବହୁତ ଭଲ ପାଉଥିଲା  |ପୁଅ ଆଇ ଆଇ ଟି ପାଇବା ପରେ ସୁଶୀଳା  ଯେତିକି ଖୁସି ଥିଲେ,ତାଙ୍କୁ ଛାଡି ସେ ରାଜ୍ୟ ବାହାରକୁ ପଢିବାକୁ ଯାଉଥିବାରୁ ସେତିକି ଦୁଃଖୀ ଓ ଚିନ୍ତିତ ମଧ୍ୟ ଥିଲେ |କିନ୍ତୁ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଗଲା, ଯେତେବେଳେ  ଶ୍ରୀନାଥଙ୍କର ଜଣେ ଅଫିସ ସହକର୍ମୀଙ୍କ ପୁଅ ମହେଶ ସେହି ଶିକ୍ଷାନୁଷ୍ଠାନରେ ତାର ଉପର ବ୍ୟାଚରେ ପଢୁଛି ବୋଲି ଜଣା ପଡିଲା |ଏହି ଖବର ପାଇବା ପରେ ସୁଶୀଳା ଖୁସିରେ ଆତ୍ମହରା ହୋଇ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ  |ଶ୍ରୀନାଥ କହିଲେ,ଏହାକୁ ବି ତୁମ ଭକ୍ତିର ଶକ୍ତି ବୋଲି ମାନିନିଅ |ସୁଶୀଳା କହିଲେ,ନୁହେଁ ଆଉ କଣ ?ଈଶ୍ୱରଙ୍କ ଆଶୀର୍ବାଦ ସବୁବେଳେ ମୋ ପୁଅ ଉପରେ  ଥାଉ,ଏହାଠାରୁ ଅଧିକ ମୁଁ କିଛି ଚାହେଁନା |

           ପ୍ରତ୍ୟେକ ଦିନ ସମୟ ବାହାର କରି ସୁମନ୍ତ ଯେମିତି ହେଲେ ପିତାମାତାଙ୍କ ସହ କଥା ହେଉଥିଲା |ମହେଶ ମଧ୍ୟ ନିୟମିତ ଭାବରେ ସୁମନ୍ତର ଖବର ଅନ୍ତର ବୁଝି ସେମାନଙ୍କୁ ଜଣାଉ ଥିଲା  |ଦିନେ ମହେଶ କହିଲା,ସୁମନ୍ତ ଭଲ ପଢୁଛି |କିନ୍ତୁ ଯେତିକି ସମୟ ପଢୁଛି,ତା ଠାରୁ ଅଧିକ ସମୟ ଠାକୁର ପୂଜା ଓ ଧ୍ୟାନରେ ଅତିବାହିତ  କରୁଛି |ଏକଥା ଶୁଣି ଶ୍ରୀନାଥ ବିରକ୍ତ ହୋଇ  ସୁଶୀଳାଙ୍କୁ କହିଲେ,ସେ ସେଠିକି ପାଠ ପଢିବାକୁ ଯାଇଛି ନା ତପସ୍ୟା କରିବାକୁ ଯାଇଛି ?ସେସବୁ ବାଜେ ଧନ୍ଦାରେ ମନ ନଦେଇ ପାଠ ପଢ଼ାରେ ଧ୍ୟାନ ଦେବାକୁ ତାକୁ କୁହ |ସୁଶୀଳା ଦବି ନଯାଇ କହିଲେ,ଠାକୁର ପୂଜା କରିବା କଣ ବାଜେ ଧନ୍ଦା ?ସେ ମୋ ପୁଅ,ମୋ ପରି ହେବନି ତ ଆଉ ତମପରି ନାସ୍ତିକ ହେବ ?

            ସୁମନ୍ତ ମେଧାବୀ ଛାତ୍ର ଥିଲା ଓ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖୁଥିଲା |ତାର ଅମାୟିକ ବ୍ୟବହାର ପାଇଁ ସେ  ସମସ୍ତଙ୍କର ପ୍ରିୟପାତ୍ର ଥିଲା | ଦୁଇବର୍ଷ ଠିକ ଠାକ ଚାଲିଲା |ପୁଅର ଶୁଭ ମନାସି ସୁଶୀଳା ତାଙ୍କ ଉପବାସର ସଂଖ୍ୟା ବଢ଼ାଇ ଚାଲିଥିଲେ  ଓ ତାଙ୍କୁ ଏଥିରେ ପ୍ରଚୁର ମାନସିକ ଶାନ୍ତି ମିଳୁଥିଲା |ଦିନେ ମହେଶ ଠାରୁ ଏକ ଭିଡିଓ କ୍ଲିପ ପାଇ ଶ୍ରୀନାଥ  ସ୍ତବ୍ଧ ହୋଇଗଲେ ଓ ସୁଶୀଳାଙ୍କୁ ଡାକି କହିଲେ, ତୁମ ଗୁଣଵନ୍ତ ପୁତ୍ରର ନୂତନ ଅବତାର ଦେଖିବ ଆସ |ତାଙ୍କ କଥା ଶୁଣି ସୁଶୀଳା ରୋଷେଇ ଅଧାରୁ ଛାଡି ଶ୍ରୀନାଥଙ୍କ  ହାତରୁ ମୋବାଇଲ ନେଇ ଭିଡିଓ ଦେଖିବାକୁ ଲାଗିଲେ |ତାହା ସୁମନ୍ତ ଜୈନ ଧର୍ମରେ ଦୀକ୍ଷିତ ହୋଇ ସନ୍ୟାସୀ ହେବାର ଦୃଶ୍ୟ ଥିଲା |ସେ ନିଜ ହାତରେ ତା  ମୁଣ୍ଡରୁ ଚୁଟି ଉପାଡି ଲଣ୍ଡା ହେଉଥିଲା |ଶ୍ରୀନାଥ ପରିହାସ କରି କହିଲେ ଭଲକରି ଦେଖ,ଇଏ ହେଉଛି ଭକ୍ତିର ଶକ୍ତି , ଶାସ୍ତ୍ର କହିଛି ପରା,ଯେ ମାତା ଭକ୍ତି ଭାବେ ଥାଇ ,ତା ପୁତ୍ର ବୈରାଗୀ ହୁଅଇ !! ସୁଶୀଳା ଆଖି ତରାଟି ଶ୍ରୀନାଥଙ୍କୁ ଚାହିଁଲେ |ଶ୍ରୀନାଥ କହିଲେ,ତମେ ରାଗନା | ଶ୍ରୀ ଶ୍ରୀ ରବି ଶଙ୍କର,ସଦ୍ଗୁରୁ ଜାଗି ବାସୁଦେବ ,ସ୍ୱାମୀ ଚିନ୍ମୟାନନ୍ଦ,ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଆଦି ଅନେକ ବଡ଼ ବଡ଼ ଯୋଗୀ  ଆଇ ଆଇ ଟି ଇଞ୍ଜିନିୟର ଥିଲେ ,ଏକଥା ତମେ ବୋଧେ ଜାଣିନ |  ଆମ ପୁଅ ଯଦି ସେହି ବାଟରେ ଗଲା,ତାହାଲେ ଏହାଠାରୁ ବଳି  ଗର୍ବ ଓ ଗୌରବର ବିଷୟ ଆଉ କଣ ଥାଇପାରେ ? ଶ୍ରୀନାଥ ଆହୁରି କେତେ କଣ କହିଥାନ୍ତେ,ଏତିକିବେଳେ  ଜୋରରେ କିଛି ପଡ଼ିବାର ଆବାଜ ଶୁଣି ସେ ପଛକୁ ଚାହିଁ  ଦେଖିଲେ ସୁଶୀଳା ତଳେ ମୂର୍ଛିତ ହୋଇ ପଡିଛନ୍ତି ଓ ତାଙ୍କ ମୁଣ୍ଡ ଗୋଟିଏ ପଟକୁ ବୁଲିଯାଇ ପାଟିରୁ ଫେଣ ବାହାରୁଛି |ଏହା ଦେଖି ଶ୍ରୀନାଥଙ୍କର ହୋସ ଉଡ଼ିଗଲା |ପଡୋଶୀଙ୍କ ସହାୟତାରେ ସେ ତତ୍କ୍ଷଣାତ ତାଙ୍କୁ ଡାକ୍ତରଖାନା ନେଇଗଲେ |

     ସୁଶୀଳାଙ୍କୁ ହୃଦଘାତ ହୋଇଥିଲା ଓ ତାଙ୍କ ଜୀବନ ପ୍ରତି ବିପଦ ଥିଲା |ନିରୁପାୟ ହୋଇ,ଡାକ୍ତରଖାନା ବାରଣ୍ଡାରେ ତଳେ ଜାକିଜୁକି ହୋଇ ବସି ଶ୍ରୀନାଥ ଈଶ୍ୱରଙ୍କୁ ମନେ ମନେ  ପ୍ରାର୍ଥନା କରି କହିଲେ,ପ୍ରଭୁ,ମୁଁ ଯଦି କାୟମନୋବାକ୍ୟରେ ପବିତ୍ର ଥିବି,କାହାର ଅନିଷ୍ଟ କରି ନଥିବି ,ସବୁବେଳେ ସମସ୍ତଙ୍କର ଭଲ ପାଞ୍ଚିଥିବି,ତାହାଲେ ସେହି ଧର୍ମ ବଳରେ ମୋ ସୁଶୀଳାକୁ ବଞ୍ଚେଇ ଦିଅ |ଅଶ୍ରୁପୁର୍ଣ୍ଣ ନୟନରେ ଈଶ୍ୱରଙ୍କୁ ସ୍ମରଣ କରି ଏମିତି କେତେ ଘଣ୍ଟା ବସିଛନ୍ତି,ତାଙ୍କର ଖିଆଲ ନାହିଁ,ଅକସ୍ମାତ ନର୍ସଙ୍କ  ପାଟି ଶୁଣି ସେ ଆଖି ଖୋଲି ଚାହିଁଲେ |ସୁଶୀଳାଙ୍କର ଚେତା ଫେରିଛି ଓ ଏବେ ସେ ତାଙ୍କୁ ଦେଖା କରିବାକୁ ଯାଇ ପାରିବେ ବୋଲି ସେ କହୁଥିଲେ |ଶ୍ରୀନାଥଙ୍କର ହାତ ଯୋଡିକ ଅଦୃଶ୍ୟ କର୍ତ୍ତାଙ୍କ ଉଦ୍ଦେଶ୍ୟରେ ଆପେ ଆପେ ଉଠିଗଲା ଓ ସେ ଯନ୍ତ୍ରଚାଳିତ ପରି ନର୍ସଙ୍କୁ ଅନୁସରଣ କଲେ |

              

No comments:

Post a Comment