Saturday, September 9, 2023

ମୋ ପୁଅ ବେଷ୍ଟ !!

                                                                   (ଏକ) 

                       ପିତାମାତାଙ୍କର ଏକମାତ୍ର ପୁତ୍ର  ନିଶାନ୍ତ  କ୍ରିକେଟ ଖେଳିବାକୁ ବହୁତ ଭଲ  ପାଉଥିଲା |ଟିକିଏ ସମୟ ପାଇଲେ ସେ ତାର ସାଙ୍ଗ ମାନଙ୍କ ସାଙ୍ଗରେ କ୍ରିକେଟ ଖେଳରେ ମାତି ଯାଉଥିଲା  |କିନ୍ତୁ ବାପା ଉମେଶଙ୍କର ଭିନ୍ନ ସ୍ୱପ୍ନ ଥିଲା |ନିଜର ଏକମାତ୍ର ପୁତ୍ରକୁ ଖେଳାଳୀ ନୁହେଁ,ଏକ ଭଲ ଡାକ୍ତର କରିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା   |ସେ ତାକୁ ଭଲ ଟ୍ୟୁସନ ଦେଇଥିଲେ ,ତାର ଗତିବିଧି ଉପରେ କଡା ନଜର ରଖି ଥିଲେ,ସେ ନିଜେ ଟିଭି ଦେଖୁ ନଥିଲେ କି ପୁଅକୁ ଟିଭି ଦେଖିବାକୁ ଦେଉ ନଥିଲେ |ଏମିତିକି ସେ ତାର ଡାକ ନାମ ପୂର୍ବରୁ ଡକ୍ଟର ଶବ୍ଦ ଯୋଡି ତାକୁ "ଡକ୍ଟର ନିଶାନ୍ତ " ବୋଲି ଡାକୁଥିଲେ |ନିଶାନ୍ତର କିନ୍ତୁ ପାଠପଢ଼ାରେ କମ ,କ୍ରିକେଟ ଖେଳରେ ବେଶି ମନ ଥିଲା |ବାପା ଘରେ ନଥିବା ସମୟରେ ଓର ଉଣ୍ଡି ସେ  ତାର ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳିବାକୁ ଚାଲି ଯାଉଥିଲା |ତାକୁ ଗୋଡ଼େ ଗୋଡ଼େ ଜଗୁଥିବା ଉମେଶଙ୍କୁ ଯେତେବେଳେ ଏହାର ଆଭାସ ମିଳୁଥିଲା, ସେ ତତକ୍ଷଣାତ କ୍ରିକେଟ ଫିଲ୍ଡକୁ ଯାଇ ତାକୁ  ଘରକୁ ନେଇ ଆସୁଥିଲେ |

        ପିତାଙ୍କର ଅକ୍ଲାନ୍ତ ଉଦ୍ୟମ ଫଳରେ ଧୀରେ ଧୀରେ ନିଶାନ୍ତ  କ୍ରିକେଟକୁ ଭୁଲି  ପାଠ ପଢ଼ାରେ ମନ ଦେଇଥିଲା ଓ  ପରିଶ୍ରମର ଫଳ ସ୍ୱରୂପ ସେ ଦଶମ ଶ୍ରେଣୀ ପରୀକ୍ଷାରେ ସତାନବେ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା |ଏଥିରେ ଉଭୟ ପିତାମାତାଙ୍କର ଖୁସିର ସୀମା ରହି ନଥିଲା |ଦ୍ୱାଦଶ ଶ୍ରେଣୀରେ ମଧ୍ୟ ନିଶାନ୍ତ ପୂର୍ବପରି ଅନେକ ପରିଶ୍ରମ କରିଥିଲା |କିନ୍ତୁ ତାର ଆଶାନୁଯାୟୀ ନମ୍ବର ମିଳି ନଥିଲା   |ଉମେଶ ଭାବିଲେ ,ଘରେ ରହିବାରୁ ନିଶାନ୍ତ ପାଠ ପଢ଼ାରେ ଏତେଟା ମନୋନିବେଶ କରି ପାରୁନାହିଁ | ତେଣୁ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ କରାଉଥିବା ରାଜ୍ୟ ବାହାରର ଏକ କୋଚିଂ ଶିକ୍ଷାନୁଷ୍ଠାନରେ ତାର ନାମ ଲେଖାଇବା ପାଇଁ ସେ ମନସ୍ଥ କଲେ  |ନିଶାନ୍ତ ଯେତେବେଳେ ଏକଥା ଜାଣିଲା, ଉମେଶଙ୍କ ପାଦ ଧରି ନେହୁରା ହୋଇ କହିଲା,ବାବା , ତୁମେ ଯାହା କହିବ,ମୁଁ ସବୁ ମାନିବି,କିନ୍ତୁ ମତେ ବାହାରକୁ ପଠାଅ ନାହିଁ , ତୁମମାନଙ୍କ ପାଖରେ ରହିବାକୁ ଦିଅ |ଉମେଶ କିନ୍ତୁ ନିଷ୍ପତ୍ତି ନେଇ ସାରିଥିଲେ |ବିଫଳ ହୋଇ ନିଶାନ୍ତ ତାର ପ୍ରିୟ ମାମାଙ୍କ ପାଖରେ କାନ୍ଦି କାନ୍ଦି ଅନେକ କାକୁତି ମିନତି କଲା |କିନ୍ତୁ  ବାପାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବାର ସାହସ  ମାମାଙ୍କର ନଥିଲା,କାରଣ ଏଥିରେ ପୁଅର  ଭବିଷ୍ୟତ ଜଡିତ ଥିଲା |

         ପିତାମାତାଙ୍କ ସ୍ୱପ୍ନ ସାକାର କରି ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ  ନିଶାନ୍ତ ମଧ୍ୟ ଚାହୁଁଥିଲା |କିନ୍ତୁ ଡାକ୍ତରୀ ବିଦ୍ୟା ଆୟତ୍ତ କରିବା ତା ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ଥିଲା |କିଛି ମାସ ପରେ ଖବର ଆସିଲା,ନିଶାନ୍ତ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି |ମୃତ୍ୟୁ ପୂର୍ବରୁ ସେ ତାର ଶେଷ କଥା ଲେଖି ଯାଇଥିଲା,ମୁଁ ପାରିଲିନି ବାବା,ଡାକ୍ତରୀ ବିଦ୍ୟା ଆୟତ୍ତ କରିବା ମୋ ସାଧ୍ୟ ବାହାରେ ,ତମ ଅଯୋଗ୍ୟ ପୁତ୍ରକୁ କ୍ଷମା କରିଦିଅ | **********

                                                                  (ଦୁଇ)

               ତୁଷାର ଓ ମନୋଜ ଏକା ସରକାରୀ ସଂସ୍ଥାରେ ଚାକିରୀ କରୁଥିଲେ ଓ ସେମାନଙ୍କର ସନ୍ତାନ ଦ୍ୱୟ  ଏକା ସ୍କୁଲରେ ଓ ଏକା ଶ୍ରେଣୀରେ ପାଠ ପଢୁଥିଲେ |ତୁଷାର ନିଜ ସନ୍ତାନକୁ ସବୁବେଳେ ନମ୍ବର ୱାନ ପୋଜିସନରେ ଦେଖିବାକୁ ଚାହୁଁଥିଲେ |  ସେଥିପାଇଁ ସେ ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ସବୁବେଳେ ତାରି ପିଛା ଲାଗିଥିଲେ  | ସଙ୍ଗଦୋଷ ପିଲାଙ୍କ ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ତାଙ୍କର ଦୃଢ଼ ଧାରଣା ଥିଲା |ତେଣୁ ସେ ପୁଅକୁ ତାର ସାଙ୍ଗମାନଙ୍କ ସହିତ ମିଳାମିଶା କରିବାକୁ ଛାଡୁ ନଥିଲେ |ତୁଷାରଙ୍କ ପୁଅ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ବେଳେ ମନୋଜଙ୍କ ପୁଅ ଏତେ ମେଧାବୀ ଛାତ୍ର ନଥିଲା |

             ଦଶମ ଶ୍ରେଣୀ ପରୀକ୍ଷାରେ ତାଙ୍କ ପୁଅ ନିଶ୍ଚିତ ଭାବରେ ଭଲ ନମ୍ବର ଆଣିବ ବୋଲି ତୁଷାର  ଦୃଢ଼ ଆଶାବାଦୀ ଥିଲେ |କିନ୍ତୁ ଏହାଠାରୁ ଅଧିକ ଆଶା କରି  ପୁଅ  ତାଙ୍କର ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରୁ ବୋଲି ସେ ଚାହୁଁଥିଲେ |ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଯେତେବେଳେ ଜାଣିଲେ ତା ଠାରୁ ମାତ୍ର ଏକ ନମ୍ବର ଅଧିକ ରଖି ଜଣେ ଝିଅ ଷ୍ଟେଟ ଟପ୍ପର ହୋଇଛି ,ତାଙ୍କର ସବୁ ଆଶା ଧୂଳିସାତ ହୋଇଗଲା |ଅନେକ ଚେଷ୍ଟା ସତ୍ତ୍ୱେ ସେ ନିଜର ଲୁହକୁ ଚାପି ରଖି ପାରିଲେ ନାହିଁ |

        ସନ୍ଧ୍ୟାବେଳେ ମନୋଜ ଯେତେବେଳେ ମିଠା ପ୍ୟାକେଟ ନେଇ ତୁଷାରଙ୍କ ଘରକୁ ଆସିଲେ , ଘର ଅନ୍ଧକାରାଚ୍ଛନ୍ନ ଥିବାର ଦେଖି ତାଙ୍କ ମନ ଆଶଙ୍କାରେ ଭରି ଗଲା |  |ଦୋ ଦୋ ପାଞ୍ଚ ହୋଇ ସେ କଲିଂ ବେଲ ଚିପିଲେ |ଅନେକ ସମୟ ପରେ ତୁଷାର କବାଟ ଖୋଲିଲେ |ମୁହଁଟି ତାଙ୍କର ଶୁଖି କଳା କାଠ ପଡି ଯାଇଥିଲା |ତାଙ୍କର ଏପରି ଅବସ୍ଥା ଦେଖି ମନୋଜ ପଚାରିଲେ,କଣ ହୋଇଛି ଭାଇ ?ଦେହ ଭଲ ନାହିଁ  ?ତୁଷାର ଫିକା ହସି କହିଲେ,କଣ ପାଇଁ ଆସିଥିଲେ କୁହନ୍ତୁ |ମନୋଜ ତାଙ୍କ ହାତକୁ ମିଠା ପ୍ୟାକେଟ ବଢ଼ାଇ ଦେଇ କହିଲେ,ପାଟି ମିଠା କରନ୍ତୁ,ପୁଅ ମୋର ଫାର୍ଷ୍ଟ ଡିଭିଜନ ପାଇଛି |ତୁଷାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ,କେତେ ପରସେଣ୍ଟ ଆଣିଛି ?ମନୋଜ ଗର୍ବ ଓ ଆତ୍ମ ସନ୍ତୋଷରେ କହିଲେ,ସିକ୍ସଟି ଥ୍ରୀ ପରସେଣ୍ଟ |ତାଙ୍କ କଥା ଶୁଣି ତୁଷାରଙ୍କ ଓଠକୁ ହସ ଚାଲି ଆସିଲା ଓ ତାଙ୍କ ପାଟିରୁ ସ୍ୱତଃ ବାହାରି ଆସିଲା,ଜମା ଏତିକି ??ମନୋଜ କହିଲେ,କଣ ହେଲା ସେଇଠୁ ?ମୁଁ ଏମିତି କଣ ତାଡି ପକେଇଛି ଯେ,ପୁଅଠାରୁ ଅଧିକ ଆଶା କରିବି ?ସାରା ଜୀବନ ମୋର ସେକେଣ୍ଡ/ଥାର୍ଡ଼ ଡିଭିଜନ ପାଇ ପାଇ କଟିଗଲା |ଆଜି ଯେତେବେଳେ  ପୁଅ ମୋର  ଫାର୍ଷ୍ଟ ଡିଭିଜନ ପାଇଛି ,ମୁଁ ଖୁସି ନ ହେବି କାହିଁକି ?ମୋ ପାଇଁ ମୋ ପୁଅ ବେଷ୍ଟ !!!

No comments:

Post a Comment