Saturday, July 15, 2023

ରାଜରାଣୀ

           ଏମିତି ଗୋଟିଏ ସମୟ ଥିଲା,ଯେତେବେଳେ ଶିଖର ଆଶାକୁ ପାଇବା ପାଇଁ ଧରଣୀ ଆକାଶ ଏକ କରି ଦେଇଥିଲା  ଓ  ଅନେକ ଆକାଶ ଛୁଆଁ ସ୍ୱପ୍ନ ଦେଖାଇ ତା ମନ କିଣିବାରେ ସେ ସମର୍ଥ ହୋଇଥିଲା |ସେଥି  ମଧ୍ୟରୁ ଗୋଟିଏ ଥିଲା,ବିବାହ ପରେ ମୁଁ ତମକୁ ରାଜରାଣୀ କରି ରଖିବି |ଆଶା  ତା କଥାକୁ ବିଶ୍ୱାସ କରିଥିଲା |ସେ ସେହି ସ୍ୱପ୍ନ ସହିତ ଆହୁରି ଅନେକ ସ୍ୱପ୍ନ ଯୋଡି ତା କଳ୍ପନା ରାଜ୍ୟରେ ଭାସି ଯାଇଥିଲା  |ନୂଆ ନୂଆ ଶିଖରକୁ ବିବାହ କରି ଆଶା ନିଜକୁ ପରମ ସୌଭାଗ୍ୟବତୀ ମନେ କରୁଥିଲା ଓ ବାହାଘରର ମାସେ ପର୍ଯ୍ୟନ୍ତ ସେ  ନିଜକୁ ପୃଥିବୀର ସର୍ବଶ୍ରେଷ୍ଠ  ସୁଖୀ ମଣିଷ ବୋଲି ଭାବୁଥିଲା |ତା ସ୍ୱପ୍ନ ସେତିକିବେଳେ ଭାଙ୍ଗିବାକୁ ଆରମ୍ଭ କଲା, ଯେତେବେଳେ ଅଳ୍ପଦିନ ପରେ ଫେରି ସାଙ୍ଗରେ ନେଇଯିବି କହି ଶିଖର ଏକାକୀ ନିଜ କର୍ମକ୍ଷେତ୍ରକୁ ଚାଲିଗଲା  | ଆଶା ସେତେବେଳେ ବି ତା କଥାକୁ  ବିଶ୍ୱାସ କରିଥିଲା |କିନ୍ତୁ ଖୁବ କମ ଦିନ ଭିତରେ ଆଶାର ସେହି ସ୍ୱପ୍ନ ଭାଙ୍ଗିଗଲା |ନିଜ ପିତାମାତା ଓ ଭାଇ ଭଉଣୀଙ୍କ କଥା  କିଏ ବୁଝିବ କହି ଶିଖର ପନ୍ଦରଦିନ/ମାସରେ ଥରେ ଯିବା ଆସିବା କଲା ସିନା  ଆଉ ତାକୁ ନିଜ ପାଖକୁ ନେଇ ପାରିଲା ନାହିଁ | 

             ଶିଖରର ଏପରି ବ୍ୟବହାରରେ ଆଶା କିଛିଦିନ ବହୁତ କନ୍ଦାକଟା କରିଥିଲା |ପରେ ସବୁ ଭାଗ୍ୟର କଥା ଓ କିଛି ନେବାରେ ନୁହେଁ,ବହୁତ କିଛି ଦେବାରେ ହିଁ ପ୍ରକୃତ ଆନନ୍ଦ ମିଳେ କହି ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନେଇଥିଲା |ବାପଘରେ ଆଦୌ କାମ କରୁ ନଥିଲେ ବି ଶାଶୁଘରେ ରାତି ନପାହୁଣୁ ସମସ୍ତେ ଉଠିବା ପୂର୍ବରୁ ବିଛଣା ଛାଡି  ଘରର ସବୁ କାମ ସାରି ରାତିରେ ସମସ୍ତେ ପରେ ଶୋଇବା ପରେ ସେ ଶୋଉଥିଲା  |ସମୟ ବିତିବା ସହିତ  କେତେବେଳେ ସେ ରାଜରାଣୀ ହେବା ପରିବର୍ତ୍ତେ ଚାକରାଣୀ,ମେହେନ୍ତରାଣୀ ଆଦି ଅନେକ ରାଣୀ/ଆଣି/ମାଣି /ଶାଣୀ ପାଲଟି ଯାଇଥିଲା, ସେକଥା ସେ ନିଜେ ବି ଜାଣି ପାରି ନଥିଲା  |ଭଲ ସ୍ତ୍ରୀ ହେବା ଅପେକ୍ଷା ଭଲ ବୋହୂ , ଭଲ ଭାଉଜ ଓ ଭଲ ମାଆ ହେବା ପାଇଁ ସେ ନିଜର ସବୁ ସୁଖକୁ ବଳି ଦେଇଥିଲା |ସମୟ ସହିତ ତାଳ ଦେଇ ଶିଖର ମଧ୍ୟ ଧୀରେ ଧୀରେ ବଦଳି ଯାଇଥିଲା |କଥା କଥାକେ ତା ଉପରେ ବିରକ୍ତ ହେବା ,ତା କାମରୁ ଦୋଷ ତ୍ରୁଟି ବାହାର କରିବା ଓ ନିଜ ଭାଗ୍ୟକୁ ନିନ୍ଦା କରିବା କ୍ରମେ ତାର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା  |ଏସବୁ ସତ୍ତ୍ୱେ ଆଶା ତାର ଶାଶୁ,ଶ୍ୱଶୁର ,ଦିଅର ଓ ନଣନ୍ଦଙ୍କ ପ୍ରତି କର୍ତ୍ତବ୍ୟ ନିଭାଇବାରେ କୌଣସି ଅବହେଳା  କରିନଥିଲା |

        ଆଶାର ତିନିଟି ସନ୍ତାନ ଭିତରୁ ପୁଅ ଆହ୍ୱାନ ବଡ଼ ଥିଲା |ତା ତଳକୁ ଦୁଇ ଝିଅ,ସୃଷ୍ଟି ଓ ଶୃତି  |ପିଲାମାନେ ଉଚ୍ଚ ଶିକ୍ଷିତ ହୋଇ ଭଲ ଚାକିରୀ କଲେ ଓ ବିବାହ କଲେ ମଧ୍ୟ |ପୁଅ ପରି ବୋହୂ ମଧ୍ୟ ଭଲ ଚାକିରୀ କରୁଥିଲା |ଆଶା ସବୁବେଳେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ତ୍ଵ ଦେଉଥିଲା ଓ ପରିବାରରେ ନାରୀମାନେ ନିହାତି ଭାବେ ଉପାର୍ଜନକ୍ଷମ ହୁଅନ୍ତୁ ବୋଲି ସେ ଚାହୁଁଥିଲା |ସେଥିପାଇଁ ବୋହୂର ପିଲା ହେବା ପରେ ସେ ଡେ କେୟାରକୁ ଯିବା ପର୍ଯ୍ୟନ୍ତ ତାର ସବୁ ଯତ୍ନ ନେଇଥିଲା |ଝିଅ ମାନଙ୍କ ପିଲା ହେବା  କ୍ଷେତ୍ରରେ ମଧ୍ୟ ସେ ସେଇଆ କରିଥିଲା |

         ଇତିମଧ୍ୟରେ ସେମାନଙ୍କ ବିବାହର ଦୀର୍ଘ ଚାଳିଶ ବର୍ଷ ବିତି ଯାଇଥିଲା |ସ୍ୱାମୀ ଶିଖର ଚାକିରୀରୁ ଅବସର ନେଇ ସାରିଥିଲା  |ଜୀବନ ସାରା ନିଜ କର୍ତ୍ତବ୍ୟ ନିଭାଇ  ଆଶା ମଧ୍ୟ କ୍ଲାନ୍ତ ହୋଇ ପଡିଥିଲା ||ତାକୁ ଏଥର ପ୍ରଚୁର  ବିଶ୍ରାମର  ନିହାତି  ଆବଶ୍ୟକତା ଥିଲା |ଉଚ୍ଚ ରକ୍ତଚାପ ନଥାଇ ସବୁବେଳେ ମୁଣ୍ଡବିନ୍ଧା ଓ କାରଣ ନଥାଇ ଶରୀରର ଶକ୍ତି ଶୂନ୍ୟ ହେବା ପରି ସେ ପ୍ରାୟ ବେଳେ ଅନୁଭବ କରୁଥିଲା |ରୋଷେଇ କରୁଥିବାବେଳେ ଦିନେ ଅଚାନକ ସେ ଚେତାଶୂନ୍ୟ ହୋଇ ତଳେ ପଡିଗଲା |ଶିଖର ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ନେଇଗଲା |ଡାକ୍ତରୀ ପରୀକ୍ଷାରୁ ତାର ବ୍ରେନ ଟ୍ୟୁମର ହୋଇଛି ଓ ଏହା ଧୀରେ ଧୀରେ ବଢୁଛି ବୋଲି ଜଣା ପଡିଲା |ତୁରନ୍ତ ଅସ୍ତ୍ରୋପଚାର ନକଲେ ଜୀବନ ପ୍ରତି ବିପଦ ଅଛି ବୋଲି ମଧ୍ୟ ଡାକ୍ତର ତାଙ୍କର ଶେଷକଥା ଶୁଣାଇ ଦେଲେ |ଏହା ଶୁଣି ଏତେଦିନ ଧରି ନିର୍ଲିପ୍ତ ଓ ନିର୍ବିକାର ଥିବା ଶିଖରର ଧୈର୍ଯ୍ୟ  ବନ୍ଧ ଭାଙ୍ଗି ଗଲା ଓ ସେ  ଦୁଃଖରେ କଇଁ କଇଁ ହୋଇ କାନ୍ଦି ପକାଇଲା  | ତାର ଗୋପନ ମନରେ ସ୍ତ୍ରୀର ଦୂରାବସ୍ଥା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରୁଥିଲା |ପରେ  ନିଜକୁ ସମ୍ଭାଳି ,ମନ ଦୃଢ଼ କରି ପୁଅ ପାଖକୁ ଯାଇ ସହରର ସବୁଠାରୁ ଭଲ ଡାକ୍ତରଖାନାରେ ଆଶାର ସଫଳ ଅସ୍ତ୍ରୋପଚାର କରାଇଲା  |ଟ୍ୟୁମର କ୍ୟାନ୍ସର ପ୍ରାରମ୍ଭିକ ଅବସ୍ଥାରେ ଥିଲା ଓ ଉପଯୁକ୍ତ ଚିକିତ୍ସାରେ ଆଶା ଭଲ ହୋଇ ପାରିବ ବୋଲି ଡାକ୍ତର ଆଶ୍ୱାସନା ବାଣୀ ଶୁଣାଇବାରୁ ସେ ସାମାନ୍ୟ ଆଶ୍ୱସ୍ତ ହେଲା  |

          ପୁଅ ପାଖରେ କିଛି ମାସ ରହିବାପରେ ଡାକ୍ତରଙ୍କ ଅନୁମତି ନେଇ ଶିଖର ଆଶାକୁ ନେଇ ନିଜ ଘରକୁ ଫେରି ଆସିଲା |ଆଶା ନିଜ କାମ ନିଜେ କରିବାକୁ ଭଲ ପାଉଥିବାରୁ ଘରେ କାମବାଲୀ ରଖି ନଥିଲା |କିନ୍ତୁ ଆଶାକୁ ଆରାମରେ ରଖିବା ପାଇଁ ଶିଖର କାମବାଲୀ ସହିତ ଏକ ରୋଷେଇଆକୁ ନିଯୁକ୍ତି ଦେଲା |ଏହା ସହିତ ଆଶାର ନିରବିଚ୍ଛିନ୍ନ ସେବା ଶୁଶ୍ରୁଷା କରିବା ପାଇଁ ଏକ ନର୍ସଙ୍କୁ ରଖିଲା ମଧ୍ୟ |ବିବାହ ପୂର୍ବରୁ ଆଶାକୁ ଦେଇଥିବା ପ୍ରତିଶୃତି ବଦଳରେ  ଅସରନ୍ତି ଦୁଃଖ ଯନ୍ତ୍ରଣା ଦେଇ ତାକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବାରୁ ଶିଖର ମନସ୍ତାପରେ ଘାଣ୍ଟି ହେଉଥିଲା ଓ ପ୍ରାୟଶ୍ଚିତ୍ତ ସ୍ୱରୂପ ସେ  ତାକୁ ତାର ଅକୁଣ୍ଠ  ସ୍ନେହ ପ୍ରେମ ଅଜାଡି ଦେବାରେ କାର୍ପଣ୍ୟ କରୁ ନଥିଲା  |ଦିନେ  ଅତି ଦୁଃଖରେ ସେ ଆଶାକୁ କହିଲା,ତମକୁ ରାଜରାଣୀ ପରି ରଖିବି ବୋଲି ମୁଁ  ପ୍ରତିଶୃତି ଦେଇଥିଲି,କିନ୍ତୁ ରାଜରାଣୀ କରିବା ଦୂରର କଥା, ତମ ଜୀବନକୁ  ନର୍କ କୁଣ୍ଡରେ  ପରିଣତ  କରିଦେଲି ,ମତେ କ୍ଷମା କର, ମୁଁ ତମ ସ୍ୱାମୀ ହେବାର ଯୋଗ୍ୟତା ମୋ ଠାରେ ନାହିଁ  |ଅସ୍ତ୍ରୋପଚାର ପରେ  ଭଲଭାବେ କଥା କହି ପାରୁ ନଥିବା ଆଶା ଶିଖର କଥା ଶୁଣି ତା ମୁହଁରେ ହାତ ରଖି ଖନେଇ ଖନେଇ କହିଲା, ମୁଁ ରାଜରାଣୀ ନୁହେଁ ବୋଲି ତମକୁ କିଏ କହିଲା ?ମୋର ସେବା କରିବା ପାଇଁ ଘରେ ତିନି ତିନିଜଣ  ଚାକରାଣୀ ଖଟୁଛନ୍ତି ,ଦିନରାତି ମୋ ସେବାରେ ଲାଗି ରହି ତମେ ମତେ ଏତେ ଭଲ ପାଉଛ ,ଏଭଳି ସ୍ୱର୍ଗ ସୁଖକୁ  ରାଜରାଣୀର ସୁଖ କୁହାଯିବ ନାହିଁ  ତ ଆଉ କଣ କୁହାଯିବ ???ସେ ପୁଣି କହିଲା,ପ୍ରତ୍ୟେକ କ୍ଷତି ପଛରେ କିଛି ଲାଭ ଥାଏ ବୋଲି ଶୁଣିଥିଲି |କିନ୍ତୁ ମୋର ଏହି ସାମାନ୍ୟ କ୍ଷତି ପଛରେ ଏତେ ବଡ଼ ଲାଭ ଥିଲା ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରି ନଥିଲି |ଶେଷ ଜୀବନରେ ମିଳୁଥିବା ସୁଖ ହେଉଛି ପ୍ରକୃତ ସୁଖ,ଏପରି ଅଖଣ୍ଡ ସୁଖ ପାଇ ମୋ ଜୀବନ ଧନ୍ୟ ହୋଇ ଯାଇଛି !!!

           

No comments:

Post a Comment