ମନ୍ଦାକିନୀଙ୍କର ସଂସାର କହିଲେ ସେମାନେ ଦୁଇଜଣ ଥିଲେ ,ସେ ଓ ତାଙ୍କର ସ୍ୱାମୀ ନିରଞ୍ଜନ |ପୁଅ ଝିଅ ଦୁଇଜଣ ବାହା ସାହା ହୋଇ ସେମାନଙ୍କ ପରିବାର ସହିତ ଓଡିଶା ବାହାରେ ରହୁଥିଲେ |ପିଲାଟି ଦିନରୁ କାହିଁକି କେଜାଣି ଅଚ୍ଛବ ଜାତି ପ୍ରତି ମନ୍ଦାକିନୀଙ୍କର ପ୍ରବଳ ଘୃଣା ଭାବ ରହିଥିଲା |ଏମିତିକି ତାଙ୍କ ପାଖ ଦେଇ ଅଚ୍ଛବ ଜାତିର କେହି ଚାଲିଗଲେ ବ୍ରତ ମାରା ହେବା ଭଳି ତାଙ୍କୁ ଲାଗୁଥିଲା |ତାଙ୍କ ଆଖ ପାଖ କେତୋଟି ଘରେ ଅଚ୍ଛବ ଜାତିର ସ୍ୱାମୀ ପରିତ୍ୟକ୍ତା ତୁଳସୀ ଘର ଓଳା ପୋଛା ଓ ବାସନ ମଜା ଇତ୍ୟାଦି କାମ କରୁଥିଲା | ଏମିତି କାମବାଲୀଟିଏ ରଖିବାକୁ ତାଙ୍କର ବି ଇଚ୍ଛା ହେଉଥିଲା |କିନ୍ତୁ ସାଧାରଣ ବର୍ଗର କାମବାଲୀ ନ ମିଳିବାରୁ ସେ ସେହି ଆଶା ମନରୁ କାଢି ଦେଇ ନିଜ କାମ ନିଜେ କରୁଥିଲେ |ଏତିକି ନୁହେଁ,ନିଜ କାମ ନିଜେ କଲେ କିପରି ଶରୀର ସୁସ୍ଥ ରହେ ସେ ବିଷୟରେ ସାଇ ପଡ଼ିଶାରେ ଲମ୍ବା ଭାଷଣ ଦେବାକୁ ଭୁଲୁ ନଥିଲେ |
ତୁଳସୀ ଦ୍ୱାରା କାମ କରାଇ ଅନ୍ୟମାନେ ବେଶ ଆରାମ କରୁଥିବାର ଦେଖି ଧୀରେ ଧୀରେ ମନ୍ଦାକିନୀଙ୍କର ମନୋଭାବରେ ପରିବର୍ତ୍ତନ ଆସିଲା |ସେ ଭାବିଲେ,ତୁଳସୀ ସିନା ଘର କାମ କରି ପାରିବ ନାହିଁ,ବାଡ଼ି ଓଳେଇବାରେ କଣ କ୍ଷତି ଅଛି ?ତୁଳସୀକୁ ଏକଥା ପଚାରୁ ପଚାରୁ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା | ତା ପରଦିନଠାରୁ ତୁଳସୀ ନିୟମିତ ଆସି ତାଙ୍କ ବଗିଚା ଓଳେଇ ପରିଷ୍କାର ପରିଚ୍ଛନ୍ନ କଲା |ଦିନେ ଛାତ ଉପରେ ଲୁଗା ଶୁଖେଇ ସେ ତଳକୁ ଆସୁଥିବାବେଳେ ଅନ୍ୟମନସ୍କତା ବଶତଃ ପାହାଚରୁ ଖସି ପଡି ତାଙ୍କର ବାମ ଗୋଡ଼ ଭାଙ୍ଗିଗଲା |ଅପରେସନ ପରେ ଡାକ୍ତର ଛଅ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଲେ |ଗୋଡ଼ ଭାଙ୍ଗିବା ଖବର ପାଇ ପିଲାମାନେ ଆସି ତାଙ୍କର ବେଶ ସେବା ଶୁଶ୍ରୁଷା କଲେ | ସେମାନେ ସିନା କଷ୍ଟେ ମଷ୍ଟେ ରୋଷେଇବାସ କରିଦେଉଥିଲେ, ପ୍ରତିଦିନର ବାସନ ମଜା ଓ ଘର ଓଳା ସେମାନଙ୍କ ପାଇଁ ଅତି କଷ୍ଟକର ବ୍ୟାପାର ଥିଲା | ଝିଅ ଶ୍ରୀୟା ମନ୍ଦାକିନୀଙ୍କୁ କହିଲା,ଯୁଗ କେତେ ଆଗେଇଲାଣି,ତମେ ସେଇ ଛୁଆଁ ଅଛୁଆଁ କୁ କେତେଦିନ ଗଣ୍ଠି ପକେଇ ଧରି ବସିବ ?ଏଥି ପାଇଁ ତମେ ହଇରାଣ ହେଉଛ,ତମ ଅପେକ୍ଷା ଆମେ ବେଶୀ ହଇରାଣ ହେଉଛୁ ,ତମେ ସେକଥା କେବେ ଭାବିଛ ? ଗୋଡ଼ ପୀଡାରେ କଷ୍ଟ ପାଉଥିବା ମନ୍ଦାକିନୀ ସବୁ ହୃଦୟଙ୍ଗମ କରି ନିଜ ମନୋଭାବରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେଲେ |ବାଡ଼ି ଓଳେଇବା କାମ ସହିତ ତୁଳସୀ ଘର ଓଳା ପୋଛା ଓ ବାସନ ମଜା କାମ କଲା |
ଭାଇ ଭାଉଜ ଯିବାପରେ ଶ୍ରୀୟା ମାଆଙ୍କ ସେବା କରିବା ପାଇଁ ଆଉ କିଛିଦିନ ବାପଘରେ ରହିଗଲା |ସେହି ସମୟରେ ସେ ତୁଳସୀକୁ ତାକୁ ଦିଆଯାଇଥିବା କାମ ସହିତ ପରିବା କାଟିବା,ୱାଶିଂ ମେସିନରେ ଲୁଗା ସଫା କରି ଛାତ ଉପରେ ଶୁଖେଇବା ଓ ଲୁଗା ଶୁଖିଯିବା ପରେ ତାକୁ ସଜାଡି ଭାଙ୍ଗି ଭୁଙ୍ଗି ରଖିବା କାମ ଦେଇଥିଲା |ମନ୍ଦାକିନୀଙ୍କୁ ଏସବୁ ପସନ୍ଦ ଆସୁ ନଥିଲେ ବି ଝିଅ ହଇରାଣ ହେଉଥିବାର ଦେଖି କିଛି କହିପାରୁ ନଥିଲେ |ବରଂ ତୁଳସୀକୁ ସହ୍ୟ କରିବାରେ ସେ କ୍ରମଶଃ ଅଭ୍ୟସ୍ତ ହୋଇଗଲେ |
ଝିଅ ଚାଲିଯିବା ପରେ ତୁଳସୀ ତାର ସେହି ସବୁ କାମ ଜାରୀ ରଖିଲା |ଏହା ସହିତ ଅଧିକ ଆଉ ଗୋଟିଏ କାମ ଯୋଡି ହୋଇଗଲା |ତା ହେଲା ଘଷା ମୋଡା କରିବା |ତୁଳସୀ ତାଙ୍କୁ ଏତେ ସୁନ୍ଦର ଘଷି ମୋଡି ଦେଉଥିଲା ଯେ,ପରମ ଆନନ୍ଦରେ ତାଙ୍କ ଆଖିକୁ ନିଦ ଆସି ଯାଉଥିଲା |କ୍ରମେ ତୁଳସୀ ବିନା ଚଳିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଲା |ତୁଳସୀ ଅନ୍ୟ ମାନଙ୍କ ଘରକୁ ଦିନକୁ ଗୋଟିଏ ବେଳା ଆସୁଥିବା ବେଳେ ମନ୍ଦାକିନୀଙ୍କ ଘରକୁ ଦୁଇବେଳା ଆସୁଥିଲା |ସେ ଏଥିପାଇଁ ତାକୁ ଅଧିକ ପାରିଶ୍ରମିକ ଦେଉଥିଲେ |
ଦିନ ପରେ ଦିନ ଗଡି ଚାଲିଲା |ଦିନେ,ଶ୍ରାବଣ ମାସର ଏକ ଅଶୁଭ ଅପରାହ୍ନରେ ନିରଞ୍ଜନ ହୃଦଘାତରେ ଆକ୍ରାନ୍ତ ହୋଇ ସେପୁରର ଯାତ୍ରୀ ହେଲେ |ତାଙ୍କର ବିୟୋଗରେ ମନ୍ଦାକିନୀଙ୍କର ସୁଖର ସଂସାର ଉଜୁଡି ଗଲା |ନିରଞ୍ଜନଙ୍କ ବିନା ସେ କିପରି ଏକାକିନୀ ରହିବେ,ଏହା ଚିନ୍ତା କରି ତାଙ୍କ ଆଖିରୁ ଲୁହ ଶୁଖୁ ନଥିଲା |ପିଲାମାନେ ଆସି ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବା ପରେ ପାଳି କରି ମନ୍ଦାକିନୀଙ୍କୁ ନିଜ ପାଖରେ ରଖିଲେ |କିନ୍ତୁ ସ୍ୱାଧୀନଚେତା ମନ୍ଦାକିନୀଙ୍କୁ ସୁନାର ପଞ୍ଜୁରୀରେ ରହିବାକୁ ଭଲ ଲାଗୁନଥିଲା |କାହାର ପଦେ କଡା କଥା ଶୁଣିବା ତାଙ୍କ ପାଇଁ ଅସହ୍ୟ ହୋଇ ପଡୁଥିଲା |ତୁଳସୀର ସେବା ଯତ୍ନ ସବୁବେଳେ ତାଙ୍କର ମନେ ପଡୁଥିଲା |ଦିନେ ମନସ୍ଥିର କରି ,ଦୃଢ଼ ନିଷ୍ପତ୍ତି ନେଇ ସେ ତାଙ୍କ ନିଜ ଘରକୁ ଫେରି ଆସିଲେ |ତୁଳସୀ ସତେ ଯେପରି ତାଙ୍କ ଫେରିବା ବାଟକୁ ଚାତକ ପରି ଚାହିଁ ବସିଥିଲା !ତାଙ୍କୁ ଦେଖୁ ଦେଖୁ ଲମ୍ବା ମୁଣ୍ଡିଆଟିଏ ମାରି କହିଲା,ମୁଁ ଜାଣେ,ମୋ ମାଆ ମତେ ଛାଡି କେବେହେଲେ ରହି ପାରିବେ ନାହିଁ |
ଏକୁଟିଆ ସ୍ଵଚ୍ଛନ୍ଦରେ ଚଳିବା ପାଇଁ ସ୍ୱାମୀଙ୍କ ପେନସନ ପ୍ରାପ୍ୟ ସହିତ ଉପର ମହଲା ଭଡାଘର ଅର୍ଥ ମନ୍ଦାକିନୀଙ୍କ ଚଳିବା ପାଇଁ ଯଥେଷ୍ଟ ଥିଲା |କିନ୍ତୁ ସମୟ ସମୟରେ ତାଙ୍କର ବୟସାଧିକ୍ୟ ରୁଗ୍ଣ ଶରୀର ଏଥିରେ ବାଧକ ସୃଷ୍ଟି କରୁଥିଲା |ତୁଳସୀ ବିନା ଗୋଟିଏ ମୁହୂର୍ତ୍ତ ଚଳିବା ତାଙ୍କ ପକ୍ଷରେ କ୍ରମେ ଅସମ୍ଭବ ହୋଇ ପଡୁଥିଲା |ତୁଳସୀ ମଧ୍ୟ ବହୁତ ଅସୁବିଧାରେ ଥିଲା |ତା ମୁଣ୍ଡ ଉପରେ ବିଧବା ଝିଅ ଓ ତାର ଦୁଇଟି ଛୋଟ ପିଲାଙ୍କୁ ଚଳାଇବା ବୋଝ ରହିଥିଲା |ବହୁତ ଭାବିଚିନ୍ତି ଦିନେ ମନ୍ଦାକିନୀ ତୁଳସୀକୁ ତାଙ୍କ ଘରକୁ ଡାକି ଆଣିଲେ |ମାଆ ଝିଅଙ୍କ ପାଇଁ ବଡ଼ କୋଠରୀଟି ଛାଡ଼ିଦେଇ ସେ ନିଜେ ବାଥରୁମ ସଂଲଗ୍ନ ଥିବା କୋଠରୀରେ ରହିଲେ |
ଥରେ ତାଙ୍କୁ ଭୀଷଣ ଜ୍ୱର ହେଲା |ତାଙ୍କୁ ଡାକ୍ତରଙ୍କୁ ଦେଖାଇ ଔଷଧ ଖୁଆଇବା କାମ ସବୁ ମାଆ ଝିଅ ଦୁହେଁ କରୁଥିଲେ |ତଥାପି ଜ୍ୱର ଛାଡିବାର ନାମ ନେଉ ନଥିଲା |ଚାରିଦିନ ପରେ ଜ୍ୱର ଟିକିଏ କମିବାରୁ ମନ୍ଦାକିନୀ ତୁଳସୀ କୁ କହିଲେ,ଚାରିଦିନ କାଳ ଠାକୁର ଅପୂଜାରେ ରହିଛନ୍ତି,ତୋ ଆଖିକୁ ଦେଖା ଯାଉନି ?ଯାଆ ଭଲକରି ପୋଛା ପୋଛି କରି ଧୂପ ଦେଇଦେବୁ !!ତାଙ୍କ କଥା ଶୁଣି ତୁଳସୀ ତଟସ୍ଥ ହୋଇ ତାଙ୍କୁ ଚାହିଁ ରହିଲା |ମନ୍ଦାକିନୀ କହୁଥିଲେ,ବସିଛୁ କଣ,ମୋ କଥା ତତେ ଶୁଭୁନି ??ହଁ ଯାଉଛି ମାଆ କହି ତୁଳସୀ ତାର ପିନ୍ଧା ଲୁଗା ବଦଳାଇ ଠାକୁର ଘର ଆଡକୁ ଆଗେଇ ଗଲା |
No comments:
Post a Comment