Tuesday, September 20, 2022

ଅଭଙ୍ଗା କଣ୍ଢେଇ (18)

                          ଅକ୍ଷର ଓ ବସୁଧା ଖାଇବା ଆରମ୍ଭ କରିଥିବାବେଳେ ଅଚାନକ କଲିଂ ବେଲ ଶବ୍ଦ ଶୁଣି ଉଭୟେ ଡରିଗଲେ |କିନ୍ତୁ ଅକ୍ଷର ନିଜକୁ ସ୍ୱାଭାବିକ କରିନେଇ କବାଟ ଖୋଲି ଦେଖିଲା,ତାଙ୍କ ଅଫିସ ଚପରାଶି ବଳରାମ ଛିଡ଼ା ହୋଇଛି |ଅଫିସରେ ସେ ବଳରାମ ପରିବର୍ତ୍ତେ "ପେଚା" ନାମରେ ବେଶ ପରିଚିତ |କାରଣ ଦୁଃସମ୍ବାଦ ଯେଉଁଠି,ବଳରାମ ସେଇଠି |ତାକୁ ଦେଖିଲେ,କିଛି ଗୋଟେ ଅଶୁଭ  ଖବର ମିଳିବାର ଆଶଙ୍କା ଥାଏ |ସେ ବିରକ୍ତ ହୋଇ କହିଲା,ବାସନା ଶୁଙ୍ଘି ଶୁଙ୍ଘି ତମେ ଶେଷରେ ଆସି ଏଇଠି ପହଞ୍ଚିଗଲ ?ଏଥରକ କଣ ଅଶୁଭ ଖବର ନେଇ ଆସିଛ ?ବଳରାମ  ଅଣ୍ଟା ପର୍ଯ୍ୟନ୍ତ ନଇଁ ଲମ୍ବା ଜୁହାର ପକାଇ କହିଲା,ସାର,ଏଇ ବାଟେ ଯାଉଥିଲି ,ଘର ଖୋଲା ଦେଖି ଚାଲି ଆସିଲି,ଆପଣ ଏଠାରେ ଅଛନ୍ତି ବୋଲି ଜାଣିନଥିଲି  |ଅକ୍ଷର କହିଲା,ହଉ, ଜାଣିଦେଲ ତ ,ଯାଅ,ଚାରିଆଡେ ପ୍ରଚାର କରିଦେବ,ସେଇ କାମରେ ତ ତମେ ଧୁରନ୍ଧର !ବଳରାମ କାନ କୁଣ୍ଡେଇ କହିଲା,ନାଇଁ ଆଜ୍ଞା,ମୁଁ କାଇଁକି କାହାକୁ କହିବି ?ଅକ୍ଷର କହିଲା,ତମ କଥା ସରିଲା ?ଏଥର ଯାଅ |ବଳରାମ କହିଲା,ହଁ ,ସାର ଯାଉଛି,ଆପଣ ତ ସୋମବାର ଆସିବେ |

                ବଳରାମ ଯିବାପରେ ଅକ୍ଷର ବିରକ୍ତ ହୋଇ ହୋଇ ଧଡ଼ କରି କବାଟ ବନ୍ଦ କରିଦେଲା |କ୍ଷଣକ ପୂର୍ବରୁ ତା ମନରେ ଥିବା ଅଫୁରନ୍ତ ଆନନ୍ଦ କୁଆଡେ ଉଭେଇ  ଯାଇଥିଲା  |ତାର ଦୁଶ୍ଚିନ୍ତାଗ୍ରସ୍ତ ମୁଖମଣ୍ଡଳକୁ ଲକ୍ଷ୍ୟ କରି ବସୁଧା କହିଲା,କଣ ଅସୁବିଧା ହେଲା ?କିଏ ଆସିଥିଲା ?ଅକ୍ଷର କହିଲା,ନା ସେ କିଛି ନୁହେଁ,ତମେ ଖାଅ  |

             ବସୁଧା କହିଲା,କଣ ହୋଇଛି ନ କହିଲେ,ମୁଁ ଜମା ଖାଇବିନି | ମୁହଁରେ ଶୁଖିଲା ହସ ଫୁଟେଇ ଅକ୍ଷର କହିଲା,ଆରେ କିଛି ହୋଇନି,ବିଶ୍ୱାସ କର |ଘର ଭଡା ଦିଆଯିବକି ନାହିଁ ବୋଲି ଜଣେ ଆସି ପଚାରୁଥିଲା |ଅକ୍ଷର ସେଇଠି କଥା ଶେଷ କରିଦେବା ପାଇଁ ଜାଣିଶୁଣି ମିଛ କହିଲା |ବସୁଧା କିନ୍ତୁ ଛାଡିବାର ପାତ୍ରୀ  ନଥିଲା |କହିଲା,ତାହାଲେ ତମେ ଏତେ ଚିନ୍ତିତ ହେବାର କାରଣ କଣ ?ଅକ୍ଷର କହିଲା,କାହିଁକି ନା,ଅପରାହ୍ନ ଚାରିଟା ବାଜିଲାଣି,ଆମେ ଏପର୍ଯ୍ୟନ୍ତ ଖାଇନୁ,ଲୋକ ପରେ ଲୋକ ଆସି ଚାଲିଛନ୍ତି,ସମସ୍ୟା ପରେ ସମସ୍ୟା ଚାଲିଛି,ଆମ ଦୁଃଖ କଥା ବୁଝିବାକୁ କେହି ନାହାନ୍ତି | |ବସୁଧା ପ୍ରାଣଖୋଲା ହସି କହିଲା,ଓଃ ,ଏଇକଥା କୁ ଏମିତି ବ୍ୟସ୍ତ ହେଉଛ ?ଆସ,ଚଟାପଟ ଖାଇଦେବା |ଅକ୍ଷରର ଭୋକ ମରି ଯାଇଥିଲା |ନ ଖାଇଲେ ବସୁଧା ଫେଣେଇ କରି ପଚାରିବ ,ତେଣୁ ସେ ଇଚ୍ଛା ନ ଥାଇ ବି ତାର ଭାଗ ଖାଦ୍ୟ ଶେଷ କଲା |ବସୁଧା କିନ୍ତୁ ଖୁସିରେ ଖାଉଥିବାର ଦେଖି ତାର ମନ ଆନନ୍ଦରେ ଭରିଗଲା |

               ଖାଇସାରି ବସୁଧା ଟେବ୍ଳ ପୋଛିବା ବେଳେ ଅକ୍ଷର ଖଟରେ ବେଡ଼ସିଟ ଓ ତକିଆ ପକେଇ ଆରାମରେ ଗଡି ପଡିଲା |କିନ୍ତୁ ପରମୁହୂର୍ତ୍ତରେ ତାର ବଳରାମ କଥା ମନେ ପଡିଲା |ବଳି କାହିଁକି ଆସିଥିଲା ?ବିନା କାରଣରେ ସେ କେଉଁଠିକି ଯାଏ ନାହିଁ |ଅଫିସକୁ ଯାଇ ବସୁଧାର ମାମୁଁ ପୁଣି କିଛି ଚକ୍ରାନ୍ତ କଲେ କି ?ବସୁଧା ସହିତ ଆଲୋଚନା କଲେ ହୁଏତ କିଛି ପରିମାଣରେ ମନ ହାଲୁକା ହୋଇ ଯାଆନ୍ତା, କିନ୍ତୁ ସେସବୁ କଥା ବସୁଧାକୁ କହି ତାକୁ ଅଯଥା ଚିନ୍ତାଗ୍ରସ୍ତ କରିବାକୁ ସେ ଚାହୁଁ ନଥିଲା |

            ଏମିତି ଭାବୁ ଭାବୁ  କେତେବେଳେ ତା ଆଖିକୁ ନିଦ ଘାରି ଆସିଛି,ସେ ଜାଣିନି,ଯେତେବେଳେ ତାର ନିଦ ଭାଙ୍ଗିଲା,ସେ ଦେଖିଲା,ଚାରିଆଡ ଅନ୍ଧକାର |ପାଖରେ ବସୁଧା କୁନି ପିଲାଟିଏ ପରି ଶୋଇ ପଡିଥିଲା |ସେ ଉଠିପଡ଼ି ଲାଇଟ ଅନ କଲା ଓ ମୁହଁ ଧୋଇ ପାଣି ପିଇଲା |ବସୁଧାକୁ ଉଠାଇବ କି ନାହିଁ ଭାବୁ ଭାବୁ ବସୁଧା ଉଠିପଡ଼ିଲା |ତାକୁ ଉଠିବାର ଦେଖି ଅକ୍ଷର କହିଲା,ଶୀଘ୍ର ରେଡି ହୁଅ,ଯିବା |ବସୁଧା ପଚାରିଲା,କୁଆଡେ ?ଅକ୍ଷର କହିଲା, ଘେରାଏ ବୁଲି ଆସିବା,ଚା'ପିଇବାକୁ ମନ ହେଲାଣି ,ଚା' ପିଇବା |

           ବସୁଧା କହିଲା,,ମୋର  ବି ଚା' ପିଇବାକୁ ମନ ହେଉଛି ,କିନ୍ତୁ କ୍ୱାର୍ଟର ଘରେ ଆମର ସବୁ ଜିନିଷ ରହିଗଲା, ନହେଲେ ମଜାରେ ଚା' ପିଇ ତାପରେ ବୁଲିବାକୁ ଯାଇଥାନ୍ତେ |କେତେବେଳେ ଆମ ଜିନିଷ ଆଣିବାକୁ ଯିବା ?ଅକ୍ଷର କହିଲା,ଭାବୁଛି କାଲି  ଯିବି |କିନ୍ତୁ ସବୁ ଜିନିଷ ନଆଣି ,ଯେତିକି ଆମର ଦରକାର କେବଳ ସେତିକି ଆଣିବା | ବାକିତକ ଛାଡ଼ିଦେବା ,କଣ କହୁଛ ? ବସୁଧା କହିଲା,ଠିକ କହିଛ,ଅଯଥା ଜିନିଷ ଆଣି ଘରେ ଗଦେଇଲେ,ନିଃଶ୍ୱାସ ନେଇ ହେବନି |ତାହାଲେ କାଲି ଆମେ କେତେବେଳେ ଯିବା ?

       ଅକ୍ଷର କହିଲା,ତମେ ଯିବନି,ମୁଁ ଏକୁଟିଆ ସକାଳେ ଯାଇ ନେଇ ଆସିବି | ବସୁଧା କହିଲା,ଯଦି କିଛି ଅସୁବିଧା ହେବ ?ଅକ୍ଷର କହିଲା,ହେଲେ ହେବ,ଚୋରକୁ ମାନ କରି ଆମେ କଣ ଖପରାରେ ଖାଇବା ?ବଡ଼ଲୋକ ପରା କହିଛନ୍ତି,ଭୟାନକ ପରିସ୍ଥିତିର ସମ୍ମୁଖୀନ ହୁଅ ଓ ସାହସର ସହ ମୁକାବିଲା କର  !ତାହାଲେ ମୁଁ କାହିଁକି ଡରିବି ? ତମେ କହୁଥିଲ ନା ,ଈଶ୍ୱର ଆମ ସହିତ ସବୁବେଳେ ଅଛନ୍ତି,ସବୁ ଅଶୁଭକୁ ଶୁଭ କରିଦେବେ !ମୁଁ କହୁଛି,ସବୁ ଶୁଭ ହେବ ,ଅଶୁଭର ପ୍ରଶ୍ନ ହିଁ ନାହିଁ |ଚାଲ ଯିବା |ବସୁଧା ବୁଝିଗଲା ଓ ତା' ମୁହଁରେ ହସ ଫୁଟି ଉଠିଲା |

        ଅକ୍ଷର ତାଙ୍କ ଘରର ଅନତି ଦୂରରେ ଥିବା ପାର୍କ ନିକଟସ୍ଥ ଏକ ଚା' ଦୋକାନ ପାଖରେ ବାଇକ ଅଟକାଇଲା |ଦୁହେଁ ସେଠାରେ ଚା' ପିଇଲେ ଓ ଅନେକ ସମୟ ପର୍ଯ୍ୟନ୍ତ ପାର୍କରେ ଚଲାବୁଲା କଲେ |ବୁଲି ବୁଲି ଅତିଶୟ କ୍ଲାନ୍ତ ହେବାପରେ ଥକା ମେଣ୍ଟାଇବାପାଇଁ ଦୁହେଁ ଏକ ସିମେଣ୍ଟ ବେଞ୍ଚରେ ବସିପଡିଲେ |କିଛିସମୟ ପରେ ଦୁଇଜଣ ଭଦ୍ରମହିଳା ସେମାନଙ୍କ ନିକଟରେ ପହଁଚିଲେ |ସେମାନଙ୍କ ମଧ୍ୟରୁ ଜଣେ ଅକ୍ଷରକୁ ଦେଖି ଦୋ ଦୋ ଚିହ୍ନା ହୋଇ କହିଲେ,ଆରେ ତୁ ଅଖି ନା ?ତାଙ୍କ ପ୍ରଶ୍ନ ଶୁଣି ଅକ୍ଷର ହଡ଼ବଡେ଼ଇ ଯାଇ କହିଲା,ନମସ୍କାର ଆଣ୍ଟି |ଅକ୍ଷର ନମସ୍କାର କରିବା ଦେଖି,ବସୁଧା ମଧ୍ୟ ଦୁଇଜଣଙ୍କୁ ପ୍ରଣାମ କଲା  |

      ଭଦ୍ରମହିଳା ପ୍ରତି ନମସ୍କାର ଜଣାଇ କହିଲେ,ଏଇ ଝିଅଟି କିଏ ?ଚିହ୍ନି ପାରିଲିନି |

:ମୋ ସ୍ତ୍ରୀ |ଅକ୍ଷର ଉତ୍ତର ଦେଲା  |

:କେବେ ବାହାହେଲ ?ରହୁଛ କେଉଁଠି ?ଭଦ୍ରମହିଳା ପଚାରିଲେ |ଅକ୍ଷର କହିଲା,ମାସେ ତଳେ ବାହା ହୋଇଛି,ଗାଆଁରେ ବାହାଘର ହେଲା,ଆମେ ଆମ ଘରେ ରହୁଛୁ  |ଆଉ କଣ ପଚାରିବେ ପଚାରନ୍ତୁ |

      ତା କଥା ଶୁଣି ଭଦ୍ରମହିଳା ହସିଲେ |କହିଲେ ,କଥା କଣ କି,ଆମେ ଆମ କଲୋନୀରେ ଲକ୍ଷ୍ମୀପୂଜା କରୁଛୁ |ଘର ପିଛା ହଜାରେ ଟଙ୍କା ଚାନ୍ଦା  ଆଦାୟ କରୁଛୁ | ତମେ ଯଦି ମିଶିବାକୁ ଚାହୁଁଛ,ତାହାଲେ ମିଶିପାରିବ,କିଛି ବାଧ୍ୟବାଧକତା  ନାହିଁ |ଅକ୍ଷର କହିଲା,ଆମ କଲୋନୀରେ ଲକ୍ଷ୍ମୀପୂଜା ହେବ,ଆମେ  ମିଶିବୁନି ?ୟେ କି କଥା !! ଏହା କହି ସେ ତା ପର୍ସରୁ ଟଙ୍କା କାଢ଼ିବା ବେଳକୁ ଭଦ୍ରମହିଳା କହିଲେ,ଆମ ପାଖରେ ଏବେ ରସିଦ ବହି ନାହିଁ,ତେଣୁ  ଆମେ ଏବେ ଟଙ୍କା ନେବୁନି |ତମ ଘରକୁ ଯିବୁ,ରସିଦ ଦେଇ ଟଙ୍କା  ଆଣିବୁ |ଅକ୍ଷର କହିଲା,ଆପଣ ଯିବାବେଳକୁ ଆମେ ଥିବୁ କି ନଥିବୁ,ଆପଣ ଏବେ ଟଙ୍କା ରଖିଥାନ୍ତୁ,ପରେ ମୁଁ ଆପଣଙ୍କଠାରୁ ରସିଦ ନେଇ ଆସିବି  |ପ୍ରକୃତ କଥା ହେଲା,ସେମାନେ ତାଙ୍କ ଘରକୁ ଯାଆନ୍ତୁ ବୋଲି ଅକ୍ଷର ଚାହୁଁ ନଥିଲା ଓ ତୁରନ୍ତ  ଚାନ୍ଦା  ଦେଇ,ସେମାନଙ୍କର ପିଛା ଛଡ଼ାଇବାକୁ ଚାହୁଁଥିଲା |ଅକ୍ଷର କଥା ଶୁଣି ଭଦ୍ରମହିଳା ଦୁଇଜଣ ପରସ୍ପର ମଧ୍ୟରେ ଆଲୋଚନା କଲେ ଓ ଶେଷରେ ରାଜି ହୋଇ ଅକ୍ଷର ପାଖରୁ ଟଙ୍କା ନେବା ସହିତ ତାର ଫୋନ ନମ୍ବର ଲେଖି ରଖିଲେ |

                 ସେମାନେ ଯିବାପରେ ଅକ୍ଷର ବସୁଧାକୁ ଚାହିଁ ହସିଲା ଓ  କହିଲା,ଦେଖିଲ ,ମୁଁ କଣ କହୁଥିଲି ?ଆଉ ଏଠାରେ ବସି ହେବନି,ଚାଲ ଘରକୁ ଯିବା |(କ୍ରମଶଃ)


         



           

No comments:

Post a Comment