Sunday, September 25, 2022

ଅଭଙ୍ଗା କଣ୍ଢେଇ (19)

                ସରକାରୀ କ୍ୱାର୍ଟରକୁ ଯିବା ପୂର୍ବରୁ ଅକ୍ଷରଙ୍କ ପରିବାର ହାଉସିଂ କଲୋନୀରେ ବେଶ କିଛିବର୍ଷ ରହିଥିଲେ |ତେଣୁ ସେଠାକାର ବାସିନ୍ଦା ତାକୁ ଚିହ୍ନିବା ସ୍ୱାଭାବିକ ଥିଲା |ଅକ୍ଷର ଏହି କଥାକୁ ପାସୋରି ଯାଇଥିଲା |ଭଦ୍ରମହିଳା ଦୁଇଜଣ ଯିବାପରେ,ସେ ଆଉ ସେଠାରେ ରହିବାକୁ ଚାହିଁଲା ନାହିଁ |ପ୍ରଥମତଃ ତା ମୁଣ୍ଡରେ  ଚିନ୍ତାର ପାହାଡ଼ ଲଦି ହୋଇ ରହିଥିଲା ,ଦ୍ୱିତୀୟରେ, ପରିଚିତ ଲୋକମାନଙ୍କର ଅଯଥା ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ତାକୁ ଭଲ ଲାଗୁନଥିଲା |ସେ ବସୁଧାକୁ ନେଇ ତାର ପ୍ରିୟ ଢାବା ନିକଟରେ ପହଞ୍ଚିଲା |ବସୁଧା ପଚାରିଲା,ଏଠିକି କାହିଁକି ଆସିଲ ?ଅକ୍ଷର କହିଲା,ଭୋକ ହେଲାଣି,ଗରମା ଗରମ ଡିନର ଖାଇ ଯିବା |

     ବସୁଧା କହିଲା,କିନ୍ତୁ ତମେ ତ ରାତି ଖାଇବା ନେଇ ଆସିଥିଲ ?ଅକ୍ଷର କହିଲା,ଭୁଲରେ ନେଇ ଆସିଥିଲି,ଥଣ୍ଡା ଖାନା ଏତେ ବେକାର ଲାଗିବ ବୋଲି ମତେ ଜଣା ନଥିଲା |

:ତାହାଲେ ସେ ଖାନା କଣ ହେବ ?ବସୁଧା ପଚାରିଲା |

:ଯେଉଁଟା ଆମେ ଖାଇବାନି,ସେଇଟା ଯାହା କରିବା କଥା , ସେଇଆ କରିବା |ଏତିକି କହୁ କହୁ ଅକ୍ଷର ଢାବାରେ ପ୍ରବେଶ କରି କୋଣ ସିଟଟି  ଅକ୍ତିଆର କଲା |ବସୁଧା ତାକୁ ଅନୁସରଣ କରି ତା ପାଖରେ ବସିପଡିଲା |ନିଜ ମନପସନ୍ଦର ଭାତ ଓ ମାଛ ତରକାରୀ  ଅର୍ଡର କରିବା ବେଳେ ବସୁଧା କହିଲା,ପୁଣି ଭାତ ଖାଇବା ? ଅକ୍ଷର କହିଲା,ଆଜି ଖରାବେଳେ ମୁଁ ଭାରି ଅଶାନ୍ତିରେ ଖାଇଥିଲି  |  ଆମ ବୈବାହିକ ଜୀବନର ଅୟମାରମ୍ଭରେ ଥଣ୍ଡା ଜିନିଷ ଖାଇ ଆମ ସ୍ୱପ୍ନର ଭବିଷ୍ୟତକୁ  ଖରାପ କରିବାକୁ ମୋର ଆଦୌ ଇଚ୍ଛା ହେଉନି  |ତାପରେ ଆମେ ତ ଡାଏଟିଂ  କରୁନୁ,,ତେଣୁ ଯାହା ମନ ତାହା ଖାଇବା  |ବସୁଧା ତା କଥାରେ  ତାଳ ଦେଇ କହିଲା,ଭଲ ଖାଇବା,ଭଲ ପିନ୍ଧିବା ଆଉ ମନଖୁସିରେ ବୁଲିବା |ଅକ୍ଷର ଖୁସି ହୋଇ କହିଲା,ଏକଦମ ଠିକ କଥା କହିଛ,ଶୁଣ,ତମେ ଯଦି ରୁଟି ଖାଇବାକୁ ଚାହୁଁଛ ,ଏବେ କହିଦିଅ,ମୁଁ ଅର୍ଡର କରିବି |ବସୁଧା କହିଲା,ନା ଦରକାର ନାହିଁ ,ତମେ ଯାହା ଖାଇବ,ମୁଁ ତାହା ଖାଇବି ,ଖାଦ୍ୟ ମେଳକ ହିଁ ଶ୍ରେଷ୍ଠ ମେଳକ |ତା କଥା ଶୁଣି ଅକ୍ଷର ଖୁସି ହୋଇ ହସିଲା   |

            ଖାଇବା ପରେ ଅକ୍ଷର ଟଙ୍କା ପୈଠ କରିବାପାଇଁ କାଉଣ୍ଟରକୁ ଯାଇ,ସେଠାରେ  ତାଙ୍କ ଅଫିସ ର ଶୁଭ୍ରାଂଶୁକୁ ଦେଖିଲା |ଶୁଭ୍ରାଂଶୁ ତାକୁ ଦେଖି  କହିଲା,ବହୁତ ଦିନ ପରେ ଦେଖାହେଲା,ତତେ ଆମେ ଶାନ୍ତ ଶିଷ୍ଟ ପିଲା ବୋଲି ଭାବିଥିଲୁ,କିନ୍ତୁ ତୁ ତ ବିରାଟ ବୋମା  ବିସ୍ଫୋରଣ କରି ସମସ୍ତଙ୍କୁ ଚମକେଇ ଦେଲୁ !!ଅକ୍ଷର କିଛି ପ୍ରତିକ୍ରିୟା ପ୍ରକାଶ ନକରି କହିଲା,ଅଫିସ ଖବର କଣ କହ |ଶୁଭ୍ରାଂଶୁ ଅନୁଚ୍ଚ ସ୍ୱରରେ  କହିଲା,ତୋ ମାମୁଁ ଶ୍ୱଶୁର ଦୁଇ ତିନିଥର ଅଫିସ ଆସିଲେଣି |ଡ଼ାଇରେକ୍ଟରଙ୍କ ରୁମରେ ବସି ଫୁସୁର ଫାସର ହୋଇ ଯାଉଛନ୍ତି |ତୋ ବିରୁଦ୍ଧରେ ରୀତିମତ  ଷଡଯନ୍ତ୍ର ଚାଲିଛି ବୋଲି ସମସ୍ତେ କୁହାକୁହି ହେଉଛନ୍ତି !!ତା କଥା ଶୁଣି ଅକ୍ଷରର ମୁହଁ ଶୁଖିଗଲା |କହିଲା,ତାପରେ ଆଉ କଣ ?ଶୁଭ୍ରାଂଶୁ କହିଲା,ତୁ ସୋମବାର  ଜଏନ କରିବୁ ,ନା ଛୁଟି ବଢ଼େଇବୁ ??ଅକ୍ଷର କଥା ଆଉ ଆଗକୁ ନ ବଢ଼ାଇ କହିଲା,ନା,ଆଉ ଛୁଟି ବଢେଇବିନାହିଁ | ସୋମବାର ଦିନ ଅଫିସରେ ଦେଖା ହେବ,  ମୁଁ ଆସୁଛି |

           ପଛରେ ଛିଡା ହୋଇ ବସୁଧା ସବୁକଥା ଶୁଣି ସାରିଥିଲା |ସେ  ଆତଙ୍କିତ ହୋଇ କହିଲା,ଏବେ କଣ ହେବ ?ଅକ୍ଷର  ପ୍ରଶ୍ନର ଉତ୍ତର ନଦେଇ,ତା ହାତ ଧରି ବାହାରକୁ ଚାଲି ଆସିଲା |ବାଇକ ପାଖରେ ପହଞ୍ଚିବା ପରେ ବସୁଧା ପୁଣି ତା ପ୍ରଶ୍ନର ପୁନରାବୃତ୍ତି କଲା |ଅକ୍ଷର କହିଲା,ମୁଁ ଶୁଣା କଥାରେ ବିଶ୍ୱାସ କରେ ନାହିଁ |ସୋମବାର ଡେରି ଅଛି ,ଆମେ ସୋମବାର କଥା ଚିନ୍ତା କରି ଆଜିର ଦିନକୁ  କାହିଁକି ନଷ୍ଟ କରିବା ?ଏଥର କୁହ,ଆଇସକ୍ରିମ ଖାଇବ ନା ଘରକୁ ଫେରିଯିବ ?ବସୁଧା କହିଲା,ମୁଁ ନିଶ୍ଚିତ ଭାବେ ଆଇସକ୍ରିମ ଖାଇବାକୁ ଇଚ୍ଛା କରିବି |ଅକ୍ଷର କହିଲା,ଏଇଥର ଠିକ ମୋ ବସୁ ପରି କଥା କହିଲ |

          ଦୁହେଁ ଆଇସକ୍ରିମ ଖାଉ ଖାଉ ଅକ୍ଷର କହିଲା,ଯେଉଁମାନେ ପରିବାର ଓ ସମାଜ ବିରୁଦ୍ଧରେ ଯାଇଥାନ୍ତି,ତାଙ୍କୁ ଅନେକ ବାଧା ବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡେ  | ଇଏ ତ ଦୁନିଆର ନିୟମ |ଆମେ ସେହି ନିୟମରୁ କେମିତି ବାହାରିଯାଇ ପାରିବା ?ଭଲ ଲାଗୁ କି ନ ଲାଗୁ,ଆମକୁ ତାର ସମ୍ମୁଖୀନ ହେବାକୁ ପଡିବ |ବସୁଧା ବୁଝିଗଲା,କିନ୍ତୁ କିଛି କହିଲା ନାହିଁ |

           ଆଇସକ୍ରିମ ଖାଇ ଘରକୁ ଫେରିବାବେଳକୁ ବସୁଧା ମନ ଆନନ୍ଦରେ ଭରି ଯାଇଥିଲା ଓ ସେ ବାଇକ ପଛରେ ଅକ୍ଷର ପିଠିରେ ମୁଣ୍ଡ ରଖି ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲା,"ଏଇ ଝୁମା ଝୁମା ଗୋଲାପି ବେଳାରେ ..........."|(କ୍ରମଶଃ)

           

               

      

Tuesday, September 20, 2022

ଅଭଙ୍ଗା କଣ୍ଢେଇ (18)

                          ଅକ୍ଷର ଓ ବସୁଧା ଖାଇବା ଆରମ୍ଭ କରିଥିବାବେଳେ ଅଚାନକ କଲିଂ ବେଲ ଶବ୍ଦ ଶୁଣି ଉଭୟେ ଡରିଗଲେ |କିନ୍ତୁ ଅକ୍ଷର ନିଜକୁ ସ୍ୱାଭାବିକ କରିନେଇ କବାଟ ଖୋଲି ଦେଖିଲା,ତାଙ୍କ ଅଫିସ ଚପରାଶି ବଳରାମ ଛିଡ଼ା ହୋଇଛି |ଅଫିସରେ ସେ ବଳରାମ ପରିବର୍ତ୍ତେ "ପେଚା" ନାମରେ ବେଶ ପରିଚିତ |କାରଣ ଦୁଃସମ୍ବାଦ ଯେଉଁଠି,ବଳରାମ ସେଇଠି |ତାକୁ ଦେଖିଲେ,କିଛି ଗୋଟେ ଅଶୁଭ  ଖବର ମିଳିବାର ଆଶଙ୍କା ଥାଏ |ସେ ବିରକ୍ତ ହୋଇ କହିଲା,ବାସନା ଶୁଙ୍ଘି ଶୁଙ୍ଘି ତମେ ଶେଷରେ ଆସି ଏଇଠି ପହଞ୍ଚିଗଲ ?ଏଥରକ କଣ ଅଶୁଭ ଖବର ନେଇ ଆସିଛ ?ବଳରାମ  ଅଣ୍ଟା ପର୍ଯ୍ୟନ୍ତ ନଇଁ ଲମ୍ବା ଜୁହାର ପକାଇ କହିଲା,ସାର,ଏଇ ବାଟେ ଯାଉଥିଲି ,ଘର ଖୋଲା ଦେଖି ଚାଲି ଆସିଲି,ଆପଣ ଏଠାରେ ଅଛନ୍ତି ବୋଲି ଜାଣିନଥିଲି  |ଅକ୍ଷର କହିଲା,ହଉ, ଜାଣିଦେଲ ତ ,ଯାଅ,ଚାରିଆଡେ ପ୍ରଚାର କରିଦେବ,ସେଇ କାମରେ ତ ତମେ ଧୁରନ୍ଧର !ବଳରାମ କାନ କୁଣ୍ଡେଇ କହିଲା,ନାଇଁ ଆଜ୍ଞା,ମୁଁ କାଇଁକି କାହାକୁ କହିବି ?ଅକ୍ଷର କହିଲା,ତମ କଥା ସରିଲା ?ଏଥର ଯାଅ |ବଳରାମ କହିଲା,ହଁ ,ସାର ଯାଉଛି,ଆପଣ ତ ସୋମବାର ଆସିବେ |

                ବଳରାମ ଯିବାପରେ ଅକ୍ଷର ବିରକ୍ତ ହୋଇ ହୋଇ ଧଡ଼ କରି କବାଟ ବନ୍ଦ କରିଦେଲା |କ୍ଷଣକ ପୂର୍ବରୁ ତା ମନରେ ଥିବା ଅଫୁରନ୍ତ ଆନନ୍ଦ କୁଆଡେ ଉଭେଇ  ଯାଇଥିଲା  |ତାର ଦୁଶ୍ଚିନ୍ତାଗ୍ରସ୍ତ ମୁଖମଣ୍ଡଳକୁ ଲକ୍ଷ୍ୟ କରି ବସୁଧା କହିଲା,କଣ ଅସୁବିଧା ହେଲା ?କିଏ ଆସିଥିଲା ?ଅକ୍ଷର କହିଲା,ନା ସେ କିଛି ନୁହେଁ,ତମେ ଖାଅ  |

             ବସୁଧା କହିଲା,କଣ ହୋଇଛି ନ କହିଲେ,ମୁଁ ଜମା ଖାଇବିନି | ମୁହଁରେ ଶୁଖିଲା ହସ ଫୁଟେଇ ଅକ୍ଷର କହିଲା,ଆରେ କିଛି ହୋଇନି,ବିଶ୍ୱାସ କର |ଘର ଭଡା ଦିଆଯିବକି ନାହିଁ ବୋଲି ଜଣେ ଆସି ପଚାରୁଥିଲା |ଅକ୍ଷର ସେଇଠି କଥା ଶେଷ କରିଦେବା ପାଇଁ ଜାଣିଶୁଣି ମିଛ କହିଲା |ବସୁଧା କିନ୍ତୁ ଛାଡିବାର ପାତ୍ରୀ  ନଥିଲା |କହିଲା,ତାହାଲେ ତମେ ଏତେ ଚିନ୍ତିତ ହେବାର କାରଣ କଣ ?ଅକ୍ଷର କହିଲା,କାହିଁକି ନା,ଅପରାହ୍ନ ଚାରିଟା ବାଜିଲାଣି,ଆମେ ଏପର୍ଯ୍ୟନ୍ତ ଖାଇନୁ,ଲୋକ ପରେ ଲୋକ ଆସି ଚାଲିଛନ୍ତି,ସମସ୍ୟା ପରେ ସମସ୍ୟା ଚାଲିଛି,ଆମ ଦୁଃଖ କଥା ବୁଝିବାକୁ କେହି ନାହାନ୍ତି | |ବସୁଧା ପ୍ରାଣଖୋଲା ହସି କହିଲା,ଓଃ ,ଏଇକଥା କୁ ଏମିତି ବ୍ୟସ୍ତ ହେଉଛ ?ଆସ,ଚଟାପଟ ଖାଇଦେବା |ଅକ୍ଷରର ଭୋକ ମରି ଯାଇଥିଲା |ନ ଖାଇଲେ ବସୁଧା ଫେଣେଇ କରି ପଚାରିବ ,ତେଣୁ ସେ ଇଚ୍ଛା ନ ଥାଇ ବି ତାର ଭାଗ ଖାଦ୍ୟ ଶେଷ କଲା |ବସୁଧା କିନ୍ତୁ ଖୁସିରେ ଖାଉଥିବାର ଦେଖି ତାର ମନ ଆନନ୍ଦରେ ଭରିଗଲା |

               ଖାଇସାରି ବସୁଧା ଟେବ୍ଳ ପୋଛିବା ବେଳେ ଅକ୍ଷର ଖଟରେ ବେଡ଼ସିଟ ଓ ତକିଆ ପକେଇ ଆରାମରେ ଗଡି ପଡିଲା |କିନ୍ତୁ ପରମୁହୂର୍ତ୍ତରେ ତାର ବଳରାମ କଥା ମନେ ପଡିଲା |ବଳି କାହିଁକି ଆସିଥିଲା ?ବିନା କାରଣରେ ସେ କେଉଁଠିକି ଯାଏ ନାହିଁ |ଅଫିସକୁ ଯାଇ ବସୁଧାର ମାମୁଁ ପୁଣି କିଛି ଚକ୍ରାନ୍ତ କଲେ କି ?ବସୁଧା ସହିତ ଆଲୋଚନା କଲେ ହୁଏତ କିଛି ପରିମାଣରେ ମନ ହାଲୁକା ହୋଇ ଯାଆନ୍ତା, କିନ୍ତୁ ସେସବୁ କଥା ବସୁଧାକୁ କହି ତାକୁ ଅଯଥା ଚିନ୍ତାଗ୍ରସ୍ତ କରିବାକୁ ସେ ଚାହୁଁ ନଥିଲା |

            ଏମିତି ଭାବୁ ଭାବୁ  କେତେବେଳେ ତା ଆଖିକୁ ନିଦ ଘାରି ଆସିଛି,ସେ ଜାଣିନି,ଯେତେବେଳେ ତାର ନିଦ ଭାଙ୍ଗିଲା,ସେ ଦେଖିଲା,ଚାରିଆଡ ଅନ୍ଧକାର |ପାଖରେ ବସୁଧା କୁନି ପିଲାଟିଏ ପରି ଶୋଇ ପଡିଥିଲା |ସେ ଉଠିପଡ଼ି ଲାଇଟ ଅନ କଲା ଓ ମୁହଁ ଧୋଇ ପାଣି ପିଇଲା |ବସୁଧାକୁ ଉଠାଇବ କି ନାହିଁ ଭାବୁ ଭାବୁ ବସୁଧା ଉଠିପଡ଼ିଲା |ତାକୁ ଉଠିବାର ଦେଖି ଅକ୍ଷର କହିଲା,ଶୀଘ୍ର ରେଡି ହୁଅ,ଯିବା |ବସୁଧା ପଚାରିଲା,କୁଆଡେ ?ଅକ୍ଷର କହିଲା, ଘେରାଏ ବୁଲି ଆସିବା,ଚା'ପିଇବାକୁ ମନ ହେଲାଣି ,ଚା' ପିଇବା |

           ବସୁଧା କହିଲା,,ମୋର  ବି ଚା' ପିଇବାକୁ ମନ ହେଉଛି ,କିନ୍ତୁ କ୍ୱାର୍ଟର ଘରେ ଆମର ସବୁ ଜିନିଷ ରହିଗଲା, ନହେଲେ ମଜାରେ ଚା' ପିଇ ତାପରେ ବୁଲିବାକୁ ଯାଇଥାନ୍ତେ |କେତେବେଳେ ଆମ ଜିନିଷ ଆଣିବାକୁ ଯିବା ?ଅକ୍ଷର କହିଲା,ଭାବୁଛି କାଲି  ଯିବି |କିନ୍ତୁ ସବୁ ଜିନିଷ ନଆଣି ,ଯେତିକି ଆମର ଦରକାର କେବଳ ସେତିକି ଆଣିବା | ବାକିତକ ଛାଡ଼ିଦେବା ,କଣ କହୁଛ ? ବସୁଧା କହିଲା,ଠିକ କହିଛ,ଅଯଥା ଜିନିଷ ଆଣି ଘରେ ଗଦେଇଲେ,ନିଃଶ୍ୱାସ ନେଇ ହେବନି |ତାହାଲେ କାଲି ଆମେ କେତେବେଳେ ଯିବା ?

       ଅକ୍ଷର କହିଲା,ତମେ ଯିବନି,ମୁଁ ଏକୁଟିଆ ସକାଳେ ଯାଇ ନେଇ ଆସିବି | ବସୁଧା କହିଲା,ଯଦି କିଛି ଅସୁବିଧା ହେବ ?ଅକ୍ଷର କହିଲା,ହେଲେ ହେବ,ଚୋରକୁ ମାନ କରି ଆମେ କଣ ଖପରାରେ ଖାଇବା ?ବଡ଼ଲୋକ ପରା କହିଛନ୍ତି,ଭୟାନକ ପରିସ୍ଥିତିର ସମ୍ମୁଖୀନ ହୁଅ ଓ ସାହସର ସହ ମୁକାବିଲା କର  !ତାହାଲେ ମୁଁ କାହିଁକି ଡରିବି ? ତମେ କହୁଥିଲ ନା ,ଈଶ୍ୱର ଆମ ସହିତ ସବୁବେଳେ ଅଛନ୍ତି,ସବୁ ଅଶୁଭକୁ ଶୁଭ କରିଦେବେ !ମୁଁ କହୁଛି,ସବୁ ଶୁଭ ହେବ ,ଅଶୁଭର ପ୍ରଶ୍ନ ହିଁ ନାହିଁ |ଚାଲ ଯିବା |ବସୁଧା ବୁଝିଗଲା ଓ ତା' ମୁହଁରେ ହସ ଫୁଟି ଉଠିଲା |

        ଅକ୍ଷର ତାଙ୍କ ଘରର ଅନତି ଦୂରରେ ଥିବା ପାର୍କ ନିକଟସ୍ଥ ଏକ ଚା' ଦୋକାନ ପାଖରେ ବାଇକ ଅଟକାଇଲା |ଦୁହେଁ ସେଠାରେ ଚା' ପିଇଲେ ଓ ଅନେକ ସମୟ ପର୍ଯ୍ୟନ୍ତ ପାର୍କରେ ଚଲାବୁଲା କଲେ |ବୁଲି ବୁଲି ଅତିଶୟ କ୍ଲାନ୍ତ ହେବାପରେ ଥକା ମେଣ୍ଟାଇବାପାଇଁ ଦୁହେଁ ଏକ ସିମେଣ୍ଟ ବେଞ୍ଚରେ ବସିପଡିଲେ |କିଛିସମୟ ପରେ ଦୁଇଜଣ ଭଦ୍ରମହିଳା ସେମାନଙ୍କ ନିକଟରେ ପହଁଚିଲେ |ସେମାନଙ୍କ ମଧ୍ୟରୁ ଜଣେ ଅକ୍ଷରକୁ ଦେଖି ଦୋ ଦୋ ଚିହ୍ନା ହୋଇ କହିଲେ,ଆରେ ତୁ ଅଖି ନା ?ତାଙ୍କ ପ୍ରଶ୍ନ ଶୁଣି ଅକ୍ଷର ହଡ଼ବଡେ଼ଇ ଯାଇ କହିଲା,ନମସ୍କାର ଆଣ୍ଟି |ଅକ୍ଷର ନମସ୍କାର କରିବା ଦେଖି,ବସୁଧା ମଧ୍ୟ ଦୁଇଜଣଙ୍କୁ ପ୍ରଣାମ କଲା  |

      ଭଦ୍ରମହିଳା ପ୍ରତି ନମସ୍କାର ଜଣାଇ କହିଲେ,ଏଇ ଝିଅଟି କିଏ ?ଚିହ୍ନି ପାରିଲିନି |

:ମୋ ସ୍ତ୍ରୀ |ଅକ୍ଷର ଉତ୍ତର ଦେଲା  |

:କେବେ ବାହାହେଲ ?ରହୁଛ କେଉଁଠି ?ଭଦ୍ରମହିଳା ପଚାରିଲେ |ଅକ୍ଷର କହିଲା,ମାସେ ତଳେ ବାହା ହୋଇଛି,ଗାଆଁରେ ବାହାଘର ହେଲା,ଆମେ ଆମ ଘରେ ରହୁଛୁ  |ଆଉ କଣ ପଚାରିବେ ପଚାରନ୍ତୁ |

      ତା କଥା ଶୁଣି ଭଦ୍ରମହିଳା ହସିଲେ |କହିଲେ ,କଥା କଣ କି,ଆମେ ଆମ କଲୋନୀରେ ଲକ୍ଷ୍ମୀପୂଜା କରୁଛୁ |ଘର ପିଛା ହଜାରେ ଟଙ୍କା ଚାନ୍ଦା  ଆଦାୟ କରୁଛୁ | ତମେ ଯଦି ମିଶିବାକୁ ଚାହୁଁଛ,ତାହାଲେ ମିଶିପାରିବ,କିଛି ବାଧ୍ୟବାଧକତା  ନାହିଁ |ଅକ୍ଷର କହିଲା,ଆମ କଲୋନୀରେ ଲକ୍ଷ୍ମୀପୂଜା ହେବ,ଆମେ  ମିଶିବୁନି ?ୟେ କି କଥା !! ଏହା କହି ସେ ତା ପର୍ସରୁ ଟଙ୍କା କାଢ଼ିବା ବେଳକୁ ଭଦ୍ରମହିଳା କହିଲେ,ଆମ ପାଖରେ ଏବେ ରସିଦ ବହି ନାହିଁ,ତେଣୁ  ଆମେ ଏବେ ଟଙ୍କା ନେବୁନି |ତମ ଘରକୁ ଯିବୁ,ରସିଦ ଦେଇ ଟଙ୍କା  ଆଣିବୁ |ଅକ୍ଷର କହିଲା,ଆପଣ ଯିବାବେଳକୁ ଆମେ ଥିବୁ କି ନଥିବୁ,ଆପଣ ଏବେ ଟଙ୍କା ରଖିଥାନ୍ତୁ,ପରେ ମୁଁ ଆପଣଙ୍କଠାରୁ ରସିଦ ନେଇ ଆସିବି  |ପ୍ରକୃତ କଥା ହେଲା,ସେମାନେ ତାଙ୍କ ଘରକୁ ଯାଆନ୍ତୁ ବୋଲି ଅକ୍ଷର ଚାହୁଁ ନଥିଲା ଓ ତୁରନ୍ତ  ଚାନ୍ଦା  ଦେଇ,ସେମାନଙ୍କର ପିଛା ଛଡ଼ାଇବାକୁ ଚାହୁଁଥିଲା |ଅକ୍ଷର କଥା ଶୁଣି ଭଦ୍ରମହିଳା ଦୁଇଜଣ ପରସ୍ପର ମଧ୍ୟରେ ଆଲୋଚନା କଲେ ଓ ଶେଷରେ ରାଜି ହୋଇ ଅକ୍ଷର ପାଖରୁ ଟଙ୍କା ନେବା ସହିତ ତାର ଫୋନ ନମ୍ବର ଲେଖି ରଖିଲେ |

                 ସେମାନେ ଯିବାପରେ ଅକ୍ଷର ବସୁଧାକୁ ଚାହିଁ ହସିଲା ଓ  କହିଲା,ଦେଖିଲ ,ମୁଁ କଣ କହୁଥିଲି ?ଆଉ ଏଠାରେ ବସି ହେବନି,ଚାଲ ଘରକୁ ଯିବା |(କ୍ରମଶଃ)


         



           

Friday, September 16, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 17)

                    ଅକ୍ଷର ବସୁଧାକୁ  ପାଖରେ ବସାଇ ତା କାନ୍ଧରେ ହାତ ରଖି,ସ୍ନେହବୋଳା କଣ୍ଠରେ କହିଲା,ଆଜି ଏଇ ଘରେ ତମର ପ୍ରଥମ ଗୃହ ପ୍ରବେଶ ବୋଲି ତମେ କହୁଥିଲ,  ତେଣୁ  ତମ ମନ ଭାଙ୍ଗିବାକୁ ଇଚ୍ଛା ହେଲାନାହିଁ  |ସେଥିପାଇଁ ରିସ୍କ ନେଇ ଅତି କମରେ ଚଳିଲା ପରି ଯାହା ଦରକାର କ୍ୱାର୍ଟର ଘରୁ ନେଇ ଆସିଛି |ବାକି  ଯାହା ଦରକାର ହେବ,ଧୀରେ ଧୀରେ ନେଇ ଆସିବି ,ନହେଲେ ଏଇଠୁ କିଣିଦେବା |ଏଥରକ ଖାଇବାକୁ ବାଢ ,ଭୋକ ହେଲାଣି |ବସୁଧା ଅକ୍ଷରର କଥା ମନ୍ତ୍ର ମୁଗ୍ଧ ପରି ଶୁଣି ଯାଉଥିଲା |ଅକ୍ଷର ଭୋକ ହେବା  କଥା କହିବାରୁ,ତାକୁ ବି ଭୋକ ଲାଗିବା ପରି ଜଣା ପଡିଲା |ସେ ଉଠି ଯାଉ ଯାଉ କହିଲା,ତମର ଅମୃତ ବୋଳା କଥାରେ ମୋ ପେଟ ପୁରିଗଲା,ଆଉ ଖାଇବି କଣ ?

                    ଅକ୍ଷର ଆଣିଥିବା ପ୍ୟାକେଟ ଅଳ୍ପ  ଖୋଲି ବସୁଧା ଦେଖିଲା ,ଦମ ବିରିୟାନୀ ସହ ରୁଟି, ତଡକା ଓ ଚିଲି ଚିକେନ ଅଛି |  ରାତି ପାଇଁ ରୁଟି ତଡକା ରଖି,ସେ ପେପର ପ୍ଲେଟରେ ବିରିୟାନୀ,ରାଇତା ଓ ଚିଲି ଚିକେନ ଆଣି ଡାଇନିଂ ଟେବ୍ଳ ରେ ସଜେଇ ରଖିଲା |ସେଇ ସମୟରେ ଅକ୍ଷର ବ୍ୟାଗ ଖୋଲି ସେଥିରୁ ପାଣି ବୋତଲ ଓ ଗ୍ଲାସ କାଢି ଟେବ୍ଳ ରେ ରଖିଲା ଓ ଚେୟାରରେ ବସି ମୃଦୁ ହସି ବସୁଧାକୁ କହିଲା,ରାଣୀମା ,ଏଥର ବସନ୍ତୁ ଓ ଖାଇବା ଆରମ୍ଭ କରନ୍ତୁ  | ବସୁଧା ଚେୟାରରେ ବସି,ସେହିଭଳି ଭାବଭଙ୍ଗୀ କହିଲା,ମହାରାଜ,ଖାଇବା ପୂର୍ବରୁ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ ଓ ଏମିତି କିଛି କଥା କୁହନ୍ତୁ ଯାହା ଶୁଣି ମନ ଖୁସି ହୋଇଯିବ |ଅକ୍ଷର ଟିକିଏ ଚିନ୍ତା କରି କହିଲା,ପ୍ରଥମେ ତମେ କୁହ,ତାପରେ ମୁଁ କହିବି |

                  ବସୁଧା ହସିଲା ଓ ସଜାଡି ହୋଇ ବସି କହିଲା,ଆଜିର ଦିନ ତମ ହାତ ତିଆରି ସୁସ୍ୱାଦୁ ଚା' ପିଇ ଆରମ୍ଭ ହୋଇଥିଲା |ମଝିରେ କେତେ ଅଘଟଣ ଘଟିଗଲା |କିନ୍ତୁ ସବୁଥର ଈଶ୍ୱର ଆମ ପାଖେ ପାଖେ ରହି  ଆମକୁ ସାହାଯ୍ୟର ହାତ ବଢ଼େଇ  ଦେଲେ ଓ ସବୁ ବିପଦରୁ  ଆମକୁ ରକ୍ଷା କଲେ |ପ୍ରତ୍ୟେକ କ୍ଷତି ପଛରେ କିଛି ନା କିଛି ଲାଭ ଲୁଚି ରହିଥାଏ |ମୋ ପାଇଁ ଆଜିର ଲାଭ ହେଲା,ଏଇ ଘରେ ମୋର ପ୍ରଥମ ଗୃହ ପ୍ରବେଶ |ମତେ ଲାଗୁଛି,ଏଠିକି ମତେ ଆଣିବା ପାଇଁ ବୋଧହୁଏ ଏତେ ସବୁ ଘଟଣା ଘଟିଗଲା |ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି,ଆଜି ପର୍ଯ୍ୟନ୍ତ ସେ ଯେମିତି ଆମର  ପାଖେ ପାଖେ ଥାଇ,ଆମକୁ ସବୁ ବିପଦରୁ ରକ୍ଷା କରିଛନ୍ତି,ସେମିତି ସାରା ଜୀବନ ସେ ଆମ ପାଖେ ପାଖେ ଥାଇ ଆମକୁ ଆଶୀର୍ବାଦ ଦେଇ ,ଆମର କଣ୍ଟକିତ ଚଲାପଥକୁ କୁସୁମିତ କରିଦେବେ    |

             ଏକା ଧ୍ୟାନରେ ଅକ୍ଷର ବସୁଧାର ପ୍ରତିଟି ବାକ୍ୟ ଶୁଣି ଯାଉଥିଲା |ଏଇ ଘରକୁ ଆସି ସେ ଯେ କେତେ ଖୁସି ହୋଇଛି,ତାହା ସେ ମର୍ମେ ମର୍ମେ ଅନୁଭବ କରି ପାରୁଥିଲା |ବସୁଧାର କଥା ଶେଷ ହେବାପରେ ସେ ତା ଚେୟାର ନେଇ ବସୁଧା ଚେୟାରକୁ ଲାଗିକରି ପକାଇ ଦେଲା ଓ ତା କାନ୍ଧରେ ହାତ ପକାଇ କହିଲା,ଥ୍ୟାଙ୍କ ୟୁ ବସୁ |ତମ କଥା ଶୁଣି ମତେ ବହୁତ ଖୁସି ଲାଗିଲା |ବସୁଧା ମୁଣ୍ଡ ହଲାଇ  କହିଲା,ନା ନା ,ସେମିତି ହେବନି,ଏଥର ତମ ପାଳି,ତମକୁ କିଛି କହିବାକୁ ପଡିବ |

               ଅକ୍ଷର ଭାବପ୍ରବଣ ହୋଇ  କହିଲା,ତମକୁ ଜୀବନସାଥୀ ରୂପେ ଚୟନ କରି ଭୁଲ କରିଛି କି ଠିକ କରିଛି ସେକଥା ସମୟ କହିବ |କିନ୍ତୁ ତମ ସହିତ କଟାଇଥିବା ପ୍ରତିଟି ମୁହୂର୍ତ୍ତକୁ  ମୁଁ ମୋ ହୃଦୟରେ ସାଇତି ରଖିଛି | ଈଶ୍ୱର କରନ୍ତୁ,ତମର ଭଲପାଇବା ସବୁଦିନ ଏହିପରି ଅତୁଟ ଥାଉ  |ଆଜି ମୋର ତମକୁ ଗୋଟିଏ ଅନୁରୋଧ,ମୋର ଯେଉଁ କଥା ତମକୁ ଭଲ ଲାଗିବନି,ମନ କଥା ମନରେ ନ ରଖି ମନଖୋଲି  ମତେ କହିଦେବ,ତାହେଲେ ମୁଁ ନିଜକୁ ସଂଶୋଧନ କରି ପାରିବି |

              ବସୁଧା ଅକ୍ଷର ପାଟିରେ ହାତ ରଖି କହିଲା,ସେମିତି କୁହନା,ଆଜିର ଦିନରେ ଖାଲି ଭଲ କଥା କୁହ,ବାକି ସବୁ ପାଇଁ, ଠାକୁର ଆମ ସହିତ ଅଛନ୍ତି |ଅକ୍ଷର କହିଲା,ତମର ଠାକୁରଙ୍କ ଉପରେ ଏତେ ବିଶ୍ୱାସ ?

            ବସୁଧା କହିଲା,ହଁ,ତାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କଲେ,ସେ ସବୁ ଅସୁବିଧାକୁ ସୁବିଧା ,ସବୁ ଅଶୁଭକୁ ଶୁଭ ଓ ସବୁ ଦୁଃଖକୁ ସୁଖରେ ପରିଣତ କରି ଦିଅନ୍ତି |ତାଙ୍କଠାରେ ଆସ୍ଥା ରଖିଥିବା ବ୍ୟକ୍ତିର କିଛି ନ ଥାଇ ବି ସେ ସର୍ବୋତଭାବେ ସୁଖୀ ହୋଇପାରେ |ଅକ୍ଷର ବିରିୟାନୀରୁ ଗୋଟିଏ ଗୁଣ୍ଡା ନେଇ ବସୁଧା ପାଟିରେ ପୁରେଇ କହିଲା,ଏଥର ଖାଅ ଆଉ  କେମିତି ହୋଇଛି କୁହ  |ବସୁଧା "ବହୁତ ଟେଷ୍ଟି "କହି ଅକ୍ଷର ପାଟିରେ ଏକ ଗୁଣ୍ଡା ଦେବା ବେଳକୁ କଲିଂ ବେଲ ବାଜିଲା |କଲିଂ ବେଲ ଶବ୍ଦ ଶୁଣି ଉଭୟେ ଶଙ୍କିତ ହୋଇ ପରସ୍ପରକୁ ଚାହିଁଲେ |କିନ୍ତୁ ଅକ୍ଷର ନିଜକୁ ସ୍ୱାଭାବିକ କରି,ବସୁଧା ତା ପାଟିରେ ଦେଇଥିବା ଗୁଣ୍ଡା ଖାଉ ଖାଉ କହିଲା,ତମେ ଖାଉଥା,ମୁଁ ଆସୁଛି |(କ୍ରମଶଃ)

Saturday, September 10, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 16)

                         ଅକ୍ଷର ଆନନ୍ଦ ଓ ଆଶ୍ଚର୍ଯ୍ୟରେ ବସୁଧାକୁ କୁଣ୍ଢେଇ ପକାଇ କହିଲା,ତମେ ସତ କହୁଛ ବସୁ ?ମୁଁ ଭାବିଥିଲି ତମେ କେବେ ବି ତମ ବାପଘରଠାରୁ ଦୂରରେ ରହିବାକୁ ଚାହିଁବନି,କିନ୍ତୁ ତମଠାରୁ ଏମିତି କଥା ଶୁଣି ମୋର ଆନନ୍ଦର ସୀମା ନାହିଁ , କଣ କହି ତମକୁ ମୋର କୃତଜ୍ଞତା ଜଣାଇବି,ମୁଁ ଜାଣି ପାରୁନି,ଅତ୍ୟଧିକ ଭାବପ୍ରବଣ ହୋଇ ତା' ଆଖିରୁ ଦୁଇଟୋପା ଲୁହ ଝରି ଆସିଲା  |

                        ବସୁଧା କହିଲା,ଏମିତି କଣ କହୁଛ ?କେତେଟା ବାଜିଲା ଦେଖିଲ ?ଆଜି ଆମେ ଆଉ ଖାଇବା ନାହିଁ ?ଭୋକରେ ପେଟ କଁ କଁ ହେଲାଣି |ଅକ୍ଷର ପ୍ରକୃତିସ୍ଥ ହୋଇ କହିଲା,ସରି |ଏତେ ବଡ଼ ଦୁର୍ଘଟଣା ପରେ ମୋର ଆଉ ହୋସ ନାହିଁ,ସବୁ ଭୋକ ଶୋଷ ମୁଁ ଭୁଲି ଯାଇଛି |ଏଇ ପାଖରେ ଗୋଟେ ବଢିଆ ଢାବା ଅଛି,ଚାଲ ଖାଇବା |

                       ବସୁଧା କହିଲା,ଉହୁଁ,ମୁଁ ଜମା ଯିବିନି |ଅକ୍ଷର କହିଲା,ଭୋକ ହଉଛି କହିଲ ,ଏବେ କହୁଛ ଯିବନି,ଶୀଘ୍ର ନ ଗଲେ ଖାଇବା ସରିଯିବ,ଶେଷରେ ହୋଟେଲର ଅଖାଦ୍ୟ ଖାଇବାକୁ ପଡିବ | ବସୁଧା ଆଖି ନଚେଇ କହିଲା,ଆଜି ତମ ଘରେ ମୋର ପ୍ରଥମ ଗୃହ ପ୍ରବେଶ |ଛୋଟିଆ ହେଉ ପଛକେ,ଏଇଟା ମୋର ସ୍ୱପ୍ନର ଘର,ଆଜିଠାରୁ ଇଏ ତମ ଘର ନୁହେଁ,ଆମ ଘର |ମୋ ନିଜ ହାତରେ ମୁଁ ମୋ ମନ ମୁତାବକ ଆମ ଘରକୁ  ସଜେଇବି, ଆଉ ମୋର ସ୍ୱପ୍ନର ଦୁନିଆରେ ହଜି ଯିବି |ଅକ୍ଷର କହିଲା,   ତମେ ହଜିଗଲେ,ମୁଁ ଆକାଶ ପାତାଳ ଏକାକାର କରି,ତମେ ଯେଉଁଠି ଥାଅ ନା କାହିଁକି ତମକୁ ଖୋଜି କରିବି  | |ବସୁଧା ଜୋରରେ ହସି ଉଠି କହିଲା,ନା ,ମୁଁ ହଜିବିନି,ତମକୁ ନେଇ ସ୍ୱପ୍ନ ରାଇଜରେ ସୁଖର ସଂସାର ଗଢିବି  |ଏଥର ଯାଅ ,ଯାହା ମିଳିବ ନେଇ ଆସିବ |ଖାଲି ମତେ ଝାଡୁ କେଉଁଠି ଅଛି,କହିଦିଅ,ମୁଁ ଘର ସଫା କରିବି | 

                    ଅକ୍ଷର କହିଲା,ଆଜି ଆମେ ଏଇଠି ରହିବା ନା କଣ ?ବସୁଧା କହିଲା,ହଁ ,ମୁଁ ଏତେ କଥା କହିଲି,ତମେ ବୁଝି ପାରିଲନି ?ଅକ୍ଷର କହିଲା,କିନ୍ତୁ ଆମ ଜିନିଷପତ୍ର ସବୁ ସିଆଡେ ରହିଲା,ଲୁଗାପଟା କିଛି ନାହିଁ ,ଖଟ ଉପରେ ପକେଇବା ପାଇଁ ବେଡ଼ସିଟ ବି ନାହିଁ |ଆଜି ରହିବ କେମିତି ?ବସୁଧା କହିଲା,ସତ କଥା ତ ,ମୋ ମୁଣ୍ଡରେ ଏତେକଥା ପଶି ନ ଥିଲା |ଅକ୍ଷର କିଛି ସମୟ ଚିନ୍ତା କରି କହିଲା,ଖଟ ତଳେ ଝାଡୁ ଅଛି,ତମେ ଘର ସଫା କରୁଥାଅ ,ମୁଁ ଆଗେ ଖାଇବା ନେଇ ଆସୁଛି,ତାପରେ କଣ କରିବା ଆରାମରେ ବସି ଚିନ୍ତା କରିବା |ଏଥର କବାଟ ଦିଅ,ମୋ ସ୍ୱର ଶୁଣିଲେ କବାଟ ଖୋଲିବ |ଏତିକି କହି ସେ ଚାଲିଗଲା |

                 ଅକ୍ଷର ଯିବାପରେ ବସୁଧା ଚିନ୍ତାରେ ପଡିଗଲା |ଆଜିଠାରୁ ଏଠାରେ ରହିବା ଅର୍ଥ ଲୁଗାପଟା ଠାରୁ ଆରମ୍ଭ କରି ଟୁଥ ବ୍ରସ ଓ ପେଷ୍ଟ ପର୍ଯ୍ୟନ୍ତ ସବୁ ନୂଆ କିଣିବାକୁ ପଡିବ,କିନ୍ତୁ ସେ ଅକ୍ଷରକୁ  ଅଯଥା ଖର୍ଚ୍ଚାନ୍ତରେ ପକେଇବାକୁ ଚାହୁଁ ନଥିଲା |ଅନ୍ୟ ପକ୍ଷରେ  କ୍ୱାର୍ଟରକୁ ଯାଇ ପୁଣି ସେଇ ପୁରୁଣା ସ୍ମୃତିକୁ ମନେ ପକେଇବାକୁ ଓ ନିତି  ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ତାର ଆଦୌ ଇଚ୍ଛା ହେଉ ନଥିଲା | ଭାବି ଭାବି ସେ  ସମାଧାନର ସୂତ୍ର ପାଇ ପାରୁନଥିଲା |ଦୀର୍ଘନିଃଶ୍ବାସ ଛାଡି ସେ ଖଟ ତଳୁ ଝାଡୁ ଆଣି ସବୁ କୋଠରୀ ପରିଷ୍କାର ପରିଚ୍ଛନ୍ନ କରି ଓଳେଇ ଦେଲା |ତାପରେ ମପରେ ଘର ପୋଛିଦେଲା |ସେପର୍ଯ୍ୟନ୍ତ ଅକ୍ଷର ଫେରି ନଥିଲା |ତା ମନକୁ ପାପ ଛୁଇଁଲା ଓ ଏକ ଅଜଣା ଭୟ ତାକୁ ଗ୍ରାସ କରିବାକୁ ଲାଗିଲା,ପୁଣି କିଛି ଅଘଟଣ ଘଟି ନାହିଁ ତ !!ସାଙ୍ଗେ ସାଙ୍ଗେ ସେ ଅକ୍ଷରକୁ ଫୋନ କଲା |ଫୋନ ନୋ ରିପ୍ଲାଏ ଆସୁଥିଲା |ହଠାତ ତାର ମୁଣ୍ଡବ୍ୟଥା ଆରମ୍ଭ ହୋଇଗଲା ଓ ସେ ମୁଣ୍ଡରେ ହାତ ଦେଇ ବସି ପଡିଲା |

          ଏତିକିବେଳେ କଲିଂ ବେଲ ଆବାଜ ଶୁଭିଲା |ବସୁଧା ଶଙ୍କିତ ସ୍ୱରରେ ପଚାରିଲା,କିଏ ?ସେପଟୁ ଶୁଭିଲା,ମୁଁ ଅଖି |ସଙ୍ଗେ ସଙ୍ଗେ ବସୁଧା କବାଟ ଖୋଲିଦେଲା |ପଚାରିଲା,ଏତେ ଡେରି କାହିଁକି କଲ  ?ଅକ୍ଷର କିଛି ନକହି ବସୁଧା ହାତକୁ ଖାଇବା ପ୍ୟାକେଟ ବଢ଼େଇ ଦେଇ କହିଲା,ଏକାବେଳକେ ରାତି ପାଇଁ ନେଇ ଆସିଛି |ବସୁଧା ପ୍ୟାକେଟ ନେବାବେଳେ  ଅକ୍ଷରର ଅନ୍ୟ   ହାତରେ ଏକ ବଡ଼ ବ୍ୟାଗ ଦେଖି କୌତୂହଳୀ ହୋଇ ପଚାରିଲା,ସେଥିରେ କଣ ଅଛି ?ଅକ୍ଷର କହିଲା,ସେଇଥିପାଇଁ ତ ଏତେ ଡେରି ହେଲା,ନିଅ,ଦେଖ କଣ ଅଛି |ବସୁଧା ବ୍ୟାଗ ଖୋଲି ଦେଖିଲା,ସେଥିରେ ସେମାନେ ବ୍ୟବହାର କରୁଥିବା  ଲୁଗାପଟା ,ବେଡ଼ସିଟ , ଟୁଥ ପେଷ୍ଟ,ବ୍ରସ ଇତ୍ୟାଦି ନିତ୍ୟ ବ୍ୟବହୃତ ଜିନିଷ ଅଛି |ବସୁଧା କହିଲା,ତା ମାନେ ତମେ କ୍ୱାର୍ଟର କୁ ଯାଇଥିଲ ?ଯଦି କିଛି ଅସୁବିଧା ହୋଇଥାଆନ୍ତା ?

           ଅକ୍ଷର ତାକୁ ପାଖରେ ବସାଇ ତା କାନ୍ଧରେ ହାତ ରଖି,ସ୍ନେହବୋଳା କଣ୍ଠରେ ବୁଝାଇ କହିଲା,ଆଜି ଏଇ ଘରେ ତମର ପ୍ରଥମ ଗୃହ ପ୍ରବେଶ ବୋଲି ତମେ କହୁଥିଲ ନା , ତମ ମନ ଭାଙ୍ଗିବାକୁ ମୋର ଇଚ୍ଛା ହେଲାନାହିଁ  |ସେଥିପାଇଁ ରିସ୍କ ନେଇ ଅତି କମରେ ଚଳିଲା ପରି ଯାହା ଦରକାର କ୍ୱାର୍ଟର ଘରୁ ନେଇ ଆସିଛି |ବାକି  ଯାହା ଦରକାର ହେବ,ଧୀରେ ଧୀରେ ନେଇ ଆସିବା,ନହେଲେ ଏଇଠୁ କିଣିଦେବା |ଏଥରକ ଖାଇବାକୁ ବାଢ ,ଭୋକ ହେଲାଣି |ବସୁଧା ଅକ୍ଷରର କଥା ମନ୍ତ୍ର ମୁଗ୍ଧ ପରି ଶୁଣି ଯାଉଥିଲା |ଅକ୍ଷର ଭୋକ ହେବା  କଥା କହିବାରୁ,ତାକୁ ବି ଭୋକ ଲାଗିବା ପରି ଜଣା ପଡିଲା |ସେ ଉଠି ଯାଉ ଯାଉ କହିଲା,ତମର ଅମୃତ ବୋଳା କଥାରେ ମୋ ପେଟ ପୁରିଗଲା,ଆଉ ଖାଇବି କଣ ? (କ୍ରମଶଃ)   

               

Wednesday, September 7, 2022

ହିନ୍ଦୁ ଏକତା

         ସମ୍ରାଟ ପୃଥ୍ୱୀରାଜ ଚୌହାନ ଜଣେ ପରାକ୍ରମୀ ଯୋଦ୍ଧା ଥିଲେ |ସେ ଅସ୍ତ୍ର ଶସ୍ତ୍ର ସହିତ ଗଣିତ,ଇତିହାସ,ବେଦାନ୍ତ,ସାମରିକ କୌଶଳ ,ସଂସ୍କୃତ ଆଦି ଅନେକ ବିଦ୍ୟାରେ ପାରଦର୍ଶିତା  ହାସଲ କରିଥିଲେ |ପ୍ରାୟ ତିନିଶହ ହାତୀ ଓ ତିନି ଲକ୍ଷ ଯୋଦ୍ଧାଙ୍କୁ ନେଇ ତାଙ୍କର ବିଶାଳ ସେନାବାହିନୀ ଥିଲା |ତାଙ୍କର ସାମ୍ରାଜ୍ୟ ଦିଲ୍ଲୀ ,ରାଜସ୍ଥାନ ଓ ହରିୟାଣା ପର୍ଯ୍ୟନ୍ତ ବ୍ୟାପିଥିଲା |

         ତାଙ୍କର ଏହି ବିଶାଳ ସାମ୍ରାଜ୍ୟ ଉପରେ ମହମ୍ମଦ ଘୋରୀଙ୍କ ଲୋଲୁପ ଦୃଷ୍ଟି ପଡିଲା ଓ ସେ ତାଙ୍କର ସୈନ୍ୟବାହିନୀ ସହ ଦିଲ୍ଲୀ  ଆକ୍ରମଣ କଲେ  |କିନ୍ତୁ ପୃଥ୍ଵୀରାଜଙ୍କ ଅସୀମ ବୀରତ୍ୱ ନିକଟରେ ତାଙ୍କୁ ହାର ମାନିବାକୁ ପଡିଲା ଓ ସେ ଶୋଚନୀୟ ଭାବେ ପରାସ୍ତ ହେଲେ |ଏହିପରି ଥରେ ନୁହେଁ ସତର ଥର ସେ ବୀର ପୃଥ୍ଵୀରାଜଙ୍କଠାରୁ ପରାସ୍ତ ହୋଇଥିଲେ |

         ବାରମ୍ବାର ପରାସ୍ତ ହେବାରୁ ଘୋରୀଙ୍କ ମନରେ ପରାଜୟର ଗ୍ଲାନି ଆସିଲା |ସେ ପୃଥ୍ଵୀରାଜଙ୍କୁ କଳେ ବଳେ କୌଶଳେ ହରାଇବାକୁ ଚାହୁଁଥିଲେ |ତେଣୁ ସେ ତାଙ୍କର ଗୁପ୍ତଚରମାନଙ୍କୁ ଡାକି ପୃଥ୍ଵୀରାଜଙ୍କ ସେନାବାହିନୀରେ ଥିବା ଦୁର୍ବଳତା ବିଷୟରେ ବୁଝି ଆସିବାକୁ ଆଦେଶ ଦେଲେ |ଗୁପ୍ତଚର ଚାରିଆଡେ ଖେଦିଗଲେ ଓ ଫେରିଆସି ଘୋରୀଙ୍କୁ କହିଲେ,ମହାରାଜ,ସେମାନେ ବୀର  ସତ,କିନ୍ତୁ ତାଙ୍କ ଭିତରେ ପ୍ରବଳ ଜାତିପ୍ରଥା ରହିଛି |ସେମାନେ କେହି କାହା ଚୁଲୀରେ ଖାଆନ୍ତି ନାହିଁ ଓ ଜାତି ଅନୁସାରେ ସମସ୍ତେ ଅଲଗା ରୋଷେଇ କରି ଖାଆନ୍ତି |ସନ୍ଧ୍ୟାବେଳେ ସେଠାରେ ସହସ୍ର ଚୁଲି ଜଳୁଥିବାର ଆମେ ଦେଖିଲୁ  |ଘୋରୀ ସବୁକଥା ବୁଝିଗଲେ ଓ ସନ୍ଧ୍ୟା ସମୟରେ  ସେମାନେ  ରୋଷେଇ କରୁଥିବାବେଳେ ସେ  ଆକ୍ରମଣ କଲେ | ପୃଥ୍ଵୀରାଜଙ୍କ ସୈନିକ ମାନେ ଏକାଠି ହୋଇ ଯୁଦ୍ଧ କରିବାପାଇଁ  ସମୟ ପାଇଲେ ନାହିଁ ଓ ଘୋରୀ ଅକ୍ଳେଶରେ ବିଜୟ ହାସଲ କଲେ |

         ଏହା 1192 ମସିହାର ଘଟଣା ଓ ଏବେ 2022 ମସିହା ଚାଲିଛି |ଏହା ଭିତରେ ଭାରତ ଅନେକ କ୍ଷେତ୍ରରେ ଅଗ୍ରଗତି ଲାଭ କରି ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଛି ସତ କିନ୍ତୁ ଯେଉଁ ଜାତିପ୍ରଥା ପାଇଁ ଏତେକଥା,ତା କବଳରୁ  ନିଜକୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରି ପାରିନାହିଁ |ଏବେ ହିନ୍ଦୁ ମାନଙ୍କର ଏକତା ବିଷୟରେ ସର୍ବତ୍ର ଚର୍ଚ୍ଚା ଚାଲିଛି ଓ ଏଥିପାଇଁ କେତେକ ହିନ୍ଦୁ ସଙ୍ଗଠନ ମଧ୍ୟ ଚେଷ୍ଟା କରୁଛନ୍ତି |କିନ୍ତୁ ଯେତେବେଳେ ଘୃଣ୍ୟ ଜାତିପ୍ରଥା ଆମ ଭିତରେ ବସା ବାନ୍ଧି ରହିଛି ,ସେତେବେଳେ ହିନ୍ଦୁ ଏକତା କିପରି ସମ୍ଭବପର ହୋଇପାରିବ ?ଆମେ ଯାହାକୁ ଦଳିତ ବା ହରିଜନ ବୋଲି ମନେକରୁ ଓ ପୂଜା ଆଦି ସମୟରେ "ଛୁଆଁ ହୋଇଯିବ"କହି  ଯେଉଁମାନଙ୍କର ଉପସ୍ଥିତିକୁ ବର୍ଜନ କରୁ ସେତେବେଳେ ସେମାନେ ଯେ  ହିନ୍ଦୁ ସମାଜର ଏକ ବଳିଷ୍ଠ ଅଙ୍ଗ ଓ ସେମାନଙ୍କ ବିନା ମୁହୂର୍ତ୍ତେ ମାତ୍ର ଚଳିବା ଯେ ଆମ ପକ୍ଷରେ ଅସମ୍ଭବ,ସେକଥା ଭୁଲିଯାଉ  |ଏବେ ବି ଅଧିକାଂଶ ଲୋକ "ମୁଁ ହିନ୍ଦୁ" କହିବା ଅପେକ୍ଷା ମୁଁ ବ୍ରାହ୍ମଣ,କରଣ,ଖଣ୍ଡାୟତ ,କ୍ଷତ୍ରୀୟ ,ରାଜପୁତ ଇତ୍ୟାଦି କହିବାକୁ ଗର୍ବ ଅନୁଭବ କରୁଛନ୍ତି |

           ଜାତିପ୍ରଥା ଓ ଜାତି ଭିତ୍ତିକ ସଂରକ୍ଷଣ ଆମ ସମାଜକୁ ନଷ୍ଟ ଭ୍ରଷ୍ଟ କରି ଦେଇଛି ଓ "ହିନ୍ଦୁ ଏକତା" ଆଣିବା ପାଇଁ ଏହାର ମୂଳୋତ୍ପାଟନ ଅତ୍ୟନ୍ତ ଜରୁରୀ | ସେଥିପାଇଁ ରାଜନୈତିକ ଷଡଯନ୍ତ୍ରର ଶିକାର ନ ହୋଇ,ଆମ ମନୋଭାବ ଓ ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ | 

          

Sunday, September 4, 2022

ଅଭଙ୍ଗା କଣ୍ଢେଇ (ଧାରାବାହିକ ଉପନ୍ୟାସ,ଭାଗ 15)

             ଅକ୍ଷର ଦ୍ରୁତ ଗତିରେ ବାଇକ ଚଳାଇ ହାଉସିଂ ବୋର୍ଡ କଲୋନୀର ଏକ ଦୁଇ ବଖୁରିଆ ଘର ପାଖରେ ଅଟକିଲା  |ବସୁଧା ଆଶ୍ଚର୍ଯ୍ୟ ହୋଇ କହିଲା,ଇଆଡ଼େ କୁଆଡେ ଆସିଲ ?ଇଏ କାହା ଘର ?ଅକ୍ଷର ମୃଦୁ ହସି ଘର ଉପରେ ଥିବା ନାମ ଫଳକକୁ ଇଙ୍ଗିତ କଲା |ସେଠାରେ "କାଞ୍ଚନ ନିବାସ" ଲେଖାଥିଲା |ବସୁଧା ତଥାପି କିଛି ବୁଝି ନପାରି କହିଲା,ତା ମାନେ କଣ ?ଅକ୍ଷର କହିଲା,ତା ମାନେ ଏଇଟା ଆମ ଘର |ଉପରେ ବୋଉ ନାଁ ଲେଖା ହୋଇଛି,ଜାଣି ପାରୁନ ?ଏହା ଭିତରେ ଅକ୍ଷର ଘରର ତାଲା ଖୋଲି ଦେଇଥିଲା |ଦୁହେଁ ଭିତରେ ପ୍ରବେଶ କଲେ |ଅକ୍ଷର ଫ୍ୟାନ ଅନ କରି,ସମସ୍ତ କୋଠରୀର କବାଟ ଝରକା ଖୋଲିଦେଲା | ଘର ଭିତରେ ମୁକ୍ତ ବାୟୁ ପ୍ରବେଶ କରିବାରୁ ବସୁଧାକୁ ଭଲ ଲାଗିଲା |ସେ ଲକ୍ଷ୍ୟ କଲା,ଘର ଭିତରଟି ବେଶ ପରିଷ୍କାର ପରିଚ୍ଛନ୍ନ , ଦୁଇଟି ରୁମରେ ଦୁଇଟି ଡବଲ ବେଡ଼ ଖଟ, କୌଣସିଥିରେ ବେଡ଼ସିଟ ପଡ଼ିନଥିଲା |

           ଖଟ ପାଖରେ ପଡିଥିବା ଚେୟାରରେ ବସି ବସୁଧା କହିଲା,କିନ୍ତୁ ତମେ ତ ମତେ କେବେହେଲେ ଏଇ ଘର ବିଷୟରେ କହିନଥିଲ  ?ଅକ୍ଷର କହିଲା,କାରଣ ତମେ ମତେ କେବେ ବି ମୋ ଦରମା,ଘର ବାଡ଼ି ,ସମ୍ପତ୍ତି ବିଷୟରେ ଆଗ୍ରହ ଦେଖାଇନଥିଲ  କିମ୍ବା ପଚାରିନଥିଲ ,ତେଣୁ ମୁଁ ସେ ବିଷୟରେ ଆଗତୁରା କେମିତି କହିଥାନ୍ତି ? ବସୁଧା ପୁଣି ପଚାରିଲା,ହେଲେ,ନିଜ ଘରେ ସ୍ୱାଧୀନ ଭାବରେ  ନ ରହି,  କ୍ୱାର୍ଟର୍ସରେ ରହିବାର  କାରଣ କଣ  ?

             ଅକ୍ଷର କହିଲା, କ୍ୱାର୍ଟର ରେ ବାଡ଼ି ବଗିଚା ପାଇଁ ପ୍ରଶସ୍ତ ଜାଗା ଥିଲା,ଆଉ ବାପାଙ୍କର ବାଡ଼ି ବଗିଚାରେ ବହୁତ ଆଗ୍ରହ ଥିଲା | ଏଇଠି ମୁଣ୍ଡା ମୁଣ୍ଡି ଘର,ତୁଳସୀ ଗଛଟିଏ ବି ଲଗାଇବାକୁ ଜାଗା ନାହିଁ  |କେବଳ  ଛାତ ଉପରେ ଯାହା ଗଛ ଲଗାଇବା କଥା |ସେଥିପାଇଁ କ୍ୱାର୍ଟର ମିଳିବା ପରେ ବାପା ଆଉ ଏଇଠି ରହିବାକୁ ରାଜି ହେଲେ ନାହିଁ |ଏଇ ଘର ଛାଡିବାକୁ ବୋଉର ଜମା  ଇଚ୍ଛା ନ ଥିଲା |କିନ୍ତୁ ବାପାଙ୍କ ଜିଦ୍ଦି ଆଗରେ ତାକୁ ନଇଁବାକୁ ପଡିଲା |ବୋଉ ସେଠାରେ ଅଳ୍ପଦିନ ରହିବାପରେ ଗାଆଁକୁ ଚାଲିଗଲା |ବାପା ବଞ୍ଚିଥିବା ଯାକେ ଆମ ବାଡ଼ିରେ ଫୁଲ ଫଳର ସମ୍ଭାର ଥିଲା,ସବୁ ସେ ନିଜେ କରୁଥିଲେ |ସେ ଯିବାପରେ ମୁଁ ଏସବୁରେ ମନ ଦେଲିନାହିଁ |ବସୁଧା ପଚାରିଲା,ଘର ତ ଏବେ ଖାଲି ଅଛି,ଘର ଭଡା କାହିଁକି ଦେଇନ ?

           ଅକ୍ଷର କହିଲା,ଏବେ ମାସେ ହେବ,ଘର ଖାଲି ପଡିଛି |ଗୋଟେ ମଜା କଥା ଜାଣିଛ ?ଏଇ ଘରର ଗୋଟେ ଅଦ୍ଭୁତ ଗୁଣ ଅଛି,ଏଇଠି ଛଅ ମାସରୁ ଉର୍ଦ୍ଧ୍ୱ କେହି ରହି ପାରନ୍ତି ନାହିଁ |ବସୁଧା ଆଶ୍ଚର୍ଯ୍ୟ ହୋଇ କହିଲା,ବଡ଼ ଅଜବ କଥା,ଏହା  କେମିତି ସମ୍ଭବ ?  ଅକ୍ଷର ହସି ହସି କହିଲା,କେହି ବିଶ୍ୱାସ କରନ୍ତୁ କି ନ କରନ୍ତୁ,ମୋ ହିସାବରେ ଆମ ଘର ଭାରି ଲକ୍ଷ୍ମୀବନ୍ତ |ଏଠାରେ ଯିଏ ରହେ,ତାର ଚାକିରୀ ହୋଇଯାଏ କିମ୍ବା ପ୍ରମୋଶନ ପରେ ଟ୍ରାନ୍ସ୍ଫର ହୋଇଯାଏ କିମ୍ବା  ନୂଆଘର ମିଳିଯାଏ କିମ୍ବା ଆଉ କଣ ଭଲ କାମ ହୋଇଯାଏ,ଯାହା ଫଳରେ ସେ ଘର ଛାଡିବା ପାଇଁ ବାଧ୍ୟ ହୁଅନ୍ତି   | ପୁଣି ଘର ଛାଡି ଯିବାବେଳେ  ଅନେକ ଆଶୀର୍ବାଦ ଦେଇ ଯାଆନ୍ତି |ବସୁଧା କହିଲା,ତାହେଲେ ଏମିତି ଶୁଭ ଘରେ ନ ରହି,ସେ ସରକାରୀ ଘରେ କାହିଁକି ରହୁଥିଲ ?ସେଇଠି ପୁଣି ଅଙ୍କଲ ଚାଲିଗଲେ |ଅକ୍ଷର ଦୀର୍ଘ ନିଃଶ୍ୱାସ ଛାଡି କହିଲା,ଶୁଭ ଅଶୁଭ କଥାକୁ ବାପା ସବୁବେଳେ ଅନ୍ଧବିଶ୍ୱାସ କହୁଥିଲେ | ଅନେକ ଦିନ ସରକାରୀ ଘରେ ରହିବା ପରେ ସେଠିକାର ପରିବେଶ ,ପଡୋଶୀ ଓ  ବାତାବରଣ ପ୍ରତି ମୋର ମଧ୍ୟ ମମତା ଆସି ଯାଇଥିଲା  |ତା'ପରେ ତମେ ମୋ ଜୀବନକୁ ଆସିଲ |ମୁଁ ଭଲରେ ଜାଣିଥିଲି,ତମେ କେବେହେଲେ ବାପଘର ଠାରୁ ଦୂରରେ ରହିବାକୁ ଚାହିଁବ ନାହିଁ |ତେଣୁ ନିଜ ଘରେ ରହିବା ଇଚ୍ଛାକୁ ସବୁଦିନପାଇଁ ମନରୁ କାଢ଼ିଦେଲି |ମାସେ ହେଲା,ପୁରୁଣା ଭଡାଟିଆ ଘର ଛାଡି ଦେଇଛନ୍ତି,ନୂଆ ଭଡାଟିଆ ଠିକ କରି ସାରିଛି,ଏଇ ପହିଲାରେ ଆସିବେ ବୋଲି କହିଛନ୍ତି |

           ତା' କଥା ଶୁଣି ବସୁଧାର ମୁହଁ ଶୁଖିଗଲା |ସେ  ମିନତି ଭରା କଣ୍ଠରେ କହିଲା,ଆଉ ସେମାନଙ୍କୁ ମନା କରି ହେବନି ?ଅକ୍ଷର କହିଲା,କାହିଁକି ?କଣ ପାଇଁ ସେମାନଙ୍କୁ ମନା କରିବି ?ବସୁଧା ସେମିତି ସ୍ୱରରେ କହିଲା,କାହିଁକିନା ମତେ ଏଇ ଘର ବହୁତ ଭଲ ଲାଗୁଛି ,ଆମେ ଆଜିଠାରୁ ଏଇଠି ରହିବା ,ତମେ ପ୍ଲିଜ ମନା କରନା |

           ଅକ୍ଷର ଆନନ୍ଦ ଓ ଆଶ୍ଚର୍ଯ୍ୟରେ ବସୁଧାକୁ କୁଣ୍ଢେଇ ପକାଇ କହିଲା,ତମେ ସତ କହୁଛ ବସୁ ?ମୁଁ ଭାବିଥିଲି ତମେ କେବେ ବି ବାପଘରଠାରୁ ଦୂରରେ ରହିବାକୁ ଚାହିଁବନି,କିନ୍ତୁ ତମଠାରୁ ଏମିତି କଥା ଶୁଣି ମୋର ଆନନ୍ଦର ସୀମା ନାହିଁ , କଣ କହି ତମକୁ ମୋର କୃତଜ୍ଞତା ଜଣାଇବି,ମୁଁ ଜାଣି ପାରୁନି,ଅତ୍ୟଧିକ ଭାବପ୍ରବଣ ହୋଇ ତା' ଆଖିରୁ ଦୁଇଟୋପା ଲୁହ ଝରି ଆସିଲା  |(କ୍ରମଶଃ)

Friday, September 2, 2022

ଦୀର୍ଘାୟୁ ଯୋଗ

                   ରବିବାବୁ ଓ ଦାଶବାବୁ ଏକା ଅଫିସରେ ଚାକିରୀ କରୁଥିଲେ | ଦୁହେଁ ଦୁହିଁଙ୍କର ପ୍ରବଳ ବିରୋଧୀ ଥିଲେ |ନିନ୍ଦୁକ କହୁଥିଲେ,ଦାଶବାବୁ କାଳେ ତାଙ୍କ ଉପରିସ୍ଥ ଅଫିସରଙ୍କୁ ଧରାଧରି କରି ରବିବାବୁଙ୍କର ସାମାନ୍ୟ ଏକ ଭୁଲ ପାଇଁ ତାଙ୍କୁ ଦଣ୍ଡିତ କରାଇବାରେ ସଫଳ ହୋଇଥିଲେ ଯେଉଁଥିପାଇଁ ସେ ରବିବାବୁଙ୍କ ଠାରୁ ସିନିଅର ହୋଇ ପଦୋନ୍ନତି ପାଇଥିଲେ |ରବିବାବୁ ଏଥିପାଇଁ କେବେହେଲେ ଦାଶବାବୁଙ୍କୁ କ୍ଷମା କରି ପାରିପାରି ନଥିଲେ | ସମୟ ସୁଯୋଗ ପାଇଲେ ତାଙ୍କୁ ସେ କଡା ଭାଷାରେ ଗାଳି ଦେଉଥିଲେ |ଦାଶବାବୁ ବି କେଉଁ ଛାଡିବା ଲୋକ,ସେ ବି ତାଙ୍କୁ ତାଙ୍କରି ଭାଷାରେ ପ୍ରତ୍ୟୁତ୍ତର ଦେବାକୁ ଭୁଲୁ ନଥିଲେ |

                  ଦିନେ ରବିବାବୁ ଅଫିସକୁ ଛୋଟେଇ ଛୋଟେଇ ଆସିଲେ |ପଚାରିବାରୁ ତାଙ୍କର ଅଜାଗା ସ୍ଥାନରେ ବଥ ହୋଇଛି ବୋଲି  କହିଲେ |ଦାଶବାବୁ ଏକଥା ଶୁଣୁ ଶୁଣୁ କହିଲେ,ତୁ ମରିବୁରେ ଧନ,ଆଉ ତତେ କେହି ରକ୍ଷା କରି ପାରିବେନାହିଁ |ରବିବାବୁ ଗଭୀର ଆତ୍ମବିଶ୍ଵାସର  ସହ କହିଲେ,ଜ୍ୟୋତିଷ କହିଛି,ମୁଁ ଶହେ ଏକ ବର୍ଷ ବଞ୍ଚିବି,ତୁ ମରିବୁ,ମୁଁ ତୋ ଶୁଦ୍ଧିକ୍ରିୟାକୁ ଯିବି |

                 କିନ୍ତୁ ପରୀକ୍ଷା ପରେ ରବିବାବୁଙ୍କର ବଥଟି  କର୍କଟ ବୋଲି ଚିହ୍ନିତ ହେଲା,ଓ ତାହା ଶେଷ ପର୍ଯାୟରେ ପହଞ୍ଚି ସାରିଥିଲା | ମାତ୍ର ଦଶ ଦିନର ଚିକିତ୍ସା ପରେ ରବିବାବୁ ଜ୍ୟୋତିଷ ଗଣନାକୁ ମିଥ୍ୟା ପ୍ରମାଣିତ କରି,ପରଲୋକ ଗମନ କଲେ  |

               ଉଚ୍ଚ ପଦବୀରେ ଅଧିଷ୍ଠିତ,ସୋହନ ଏକ ବିଜ୍ଞ,କୁଶଳୀ ,ପରୋପକାରୀ ଓ ନମ୍ର ସ୍ୱଭାବର ଯୁବକ ଥିଲା |ଜୀବନରେ ସେ କାହାକୁ ନା କହିବା ଶିଖି ନ ଥିଲା |ଯେ କୌଣସି  କାମ କରିବାପାଇଁ ସେ ଯାହାକୁ ପ୍ରତିଶୃତି ଦେଉଥିଲା,ନିଜ ଜୀବନକୁ ବାଜି ଲଗାଇ ସେ କାମ ସମ୍ପନ୍ନ  କରିବାପାଇଁ ସେ ଅବଶ୍ୟ ସମର୍ଥ ହେଉଥିଲା |କିନ୍ତୁ ତାର ଏକ ବଦଗୁଣ ଥିଲା |ସେ କାମଚାପରେ ବୁଡିରହି ଭୋକ ନ ଲାଗିବାପାଇଁ,ସବୁବେଳେ ପାଟିରେ ପାନ ରଖି ଚୋବାଉଥିଲା |ଦିନେ ତାଙ୍କ ଅଫିସର ଯେତେବେଳେ ଏହାକୁ ପସନ୍ଦ କଲେନାହିଁ,ସେ ପାନ ଛାଡି,ତା ବଦଳରେ ଗୁଟଖା ଖାଇବାକୁ ଲାଗିଲା |ପରେ ସଙ୍ଗ ଦୋଷରେ ପଡି ମଦ୍ୟପାନ ମଧ୍ୟ କଲା |ନିଜ ଶରୀର ପ୍ରତି କାହିଁକି ଏତେ ଅତ୍ୟାଚାର କରୁଛୁ ବୋଲି ତାକୁ ପଚାରିଲେ ସେ କହୁଥିଲା,ମୋର କିଛି ହେବନି |ମୁଁ ଦୁଇ/ତିନିଜଣ ଜ୍ୟୋତିଷଙ୍କୁ ମୋର ଜାତକ ଦେଖାଇଥିଲି ,ସମସ୍ତେ ମତେ ଶତାୟୁ ହେବି ବୋଲି କହିଛନ୍ତି |ଜଣେ ସିନା ମିଛ କହିବ,ସମସ୍ତେ କଣ ମିଛ କହିବେ ?

             କିନ୍ତୁ ସେହି ମିଷ୍ଟଭାଷୀ ଓ ପରୋପକାରୀ ସୋହନ ଦିନେ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଥିବା ଜଣା ପଡିଲା |ସୋହନର ଜ୍ୟୋତିଷ ବାଣୀ ଉପରେ ଭରସା ଥିଲା  ଓ ସେ କର୍କଟ ରୋଗରୁ ଆରୋଗ୍ୟ ଲାଭ କରିବ ବୋଲି ମଧ୍ୟ ତାର ଦୃଢ଼ ବିଶ୍ୱାସ ଥିଲା |କିନ୍ତୁ ଚିକିତ୍ସା ବିଜ୍ଞାନ ସୋହନ ଉପରେ ଯାଦୁ ଦେଖାଇ ପାରିଲାନାହିଁ ଓ ସେ ସବୁଦିନପାଇଁ ଦୁନିଆଁରୁ ବିଦାୟ ନେଲା |

               ଅବସର ଗ୍ରହଣପରେ ପ୍ରକାଶ ବାବୁ ନିଜ ନାତି ନାତୁଣୀଙ୍କ ମେଳରେ ଖୁବ ଖୁସିରେ ଥିଲେ |ସହଧର୍ମିଣୀଙ୍କ ଅସମୟ ତିରୋଧାନ ତାଙ୍କୁ ଅନେକ ସମୟରେ ବ୍ୟଥିତ କରୁଥିଲେ ହେଁ,ସେ ତାହା ଭୁଲି ଲେଖାଲେଖିରେ ସମୟ ଅତିବାହିତ କରୁଥିଲେ |କିନ୍ତୁ ଧୀରେ ଧୀରେ ସେ  ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଲେ,ଆଉ ଚଲାବୁଲା କରିବାକୁ ସକ୍ଷମ ହୋଇ ପାରିଲେ ନାହିଁ |ସେତେବେଳେ ତାଙ୍କୁ ଅଶୀ ବର୍ଷ ଉପରେ ବୟସ ହେଲାଣି |ସମସ୍ତେ ଜାଣିଲେ,ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ |ଘରେ ଗୀତା ଭାଗବତ ପଢା ଚାଲିଲା |ଏକଥା ତାଙ୍କ ସାନପୁଅକୁ ଭଲ ଲାଗିଲା ନାହିଁ |ସେ ବାପାଙ୍କୁ ନେଇ ନିଜ ପାଖରେ ରଖିଲା |ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଔଷଧ ଦେବା ସଙ୍ଗେ ସଙ୍ଗେ, ବୟସ୍କ ବ୍ୟକ୍ତି ମାନଙ୍କପାଇଁ ଉଦ୍ଦିଷ୍ଟ ନିକଟସ୍ଥ ଯୋଗ  କେନ୍ଦ୍ରରେ ତାଙ୍କ ନାମ ରେଜିଷ୍ଟ୍ରି କରାଇଲା | ପ୍ରକାଶ ବାବୁ ସେଠାରେ ସବୁଦିନ ଯୋଗ କଲେ ଓ ସମସ୍ତଙ୍କୁ ଚମତ୍କୃତ କରି,ଦିନକୁ ଦିନ ତାଙ୍କ ସ୍ୱାସ୍ଥାବସ୍ଥାରେ ଆଖିଦୃଶିଆ ଉନ୍ନତି ଆସିବାରେ ଲାଗିଲା  |

               ଏବେ ପ୍ରକାଶ ବାବୁ ଶହେ ଦୁଇ ବର୍ଷରେ ପଦାର୍ପଣ କରିଛନ୍ତି |ନିକଟରେ ସେ ତାଙ୍କ ଜନ୍ମ ଶତବାର୍ଷିକୀ ମହା ସମାରୋହରେ ପାଳନ କରିଛନ୍ତି |ତାଙ୍କ ଦୀର୍ଘାୟୁ ଜୀବନର ରହସ୍ୟ କଣ ବୋଲି ପଚାରିଲେ ସେ  ସମସ୍ତ ଶ୍ରେୟ "ଯୋଗ"କୁ ଦିଅନ୍ତି |ତାଙ୍କ ଭାଷାରେ ଏହାକୁ "ଦୀର୍ଘାୟୁ ଯୋଗ" କୁହାଯାଏ |