Thursday, December 6, 2018

ଭାଇ

                    ଆଜି ସାନଭାଇ ଟୁନୁର ଏକାଦଶାହ |ଶବ ସଂସ୍କାର ଠାରୁ ଆରମ୍ଭକରି ଏପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବେଶ ସୁରୁଖୁରୁରେ ଓ ଆଡମ୍ବରରେ ଜିତୁ କରିଛି |ବନ୍ଧୁବାନ୍ଧବ,ସାଂଗସାଥୀ,ସାଇ ପଡିଶା ଆଦି ସମସ୍ତଂକ ମୁହଁରେ ତାର ଭୁରି ଭୁରି ପ୍ରଶଂସା 'ଭାଇ ହେବ ତ ଏମିତି |ମାସେକାଳ ଡାକ୍ତରଖାନାରେ ଅଖିଆଅପିଆ ପଡି, ଭାଇର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରି,ପୁଣି ତାର ଅନ୍ତେଷ୍ଟିକ୍ରିୟାରେ ହାତଖୋଲି ଖର୍ଚ୍ଚ କରିବା କଣ ସହଜ ହୋଇଛି ?ଆଜିକାଲି କେଉଁ ଭାଇ ଏମିତି କରୁଛି ?ଲୋକେ କହନ୍ତି,କାଳେ ମାଆ ପେଟରୁ ଶତ୍ରୁ ଜନ୍ମ ହୁଏ,ସବୁ ବେକାର କଥା ,ବହି ଲେଖା କଥା |ନିଜର ଆଖିଦେଖା,ଅନୁଭବ ହିଁ ସର୍ବଶ୍ରେଷ୍ଠ ସତ୍ୟ |'
                            ଜିତୁ ଭଲ ପଢୁଥିଲା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ସ୍ଥାନ ପାଇ ବଡ ଚାକିରୀ କରିଥିଲା |ସେମିତି ଭଲଘରୁ ସ୍ତ୍ରୀ ମଧ୍ୟ ତାକୁ ମିଳିଥିଲା |ସ୍ତ୍ରୀ ଗୀତା ଓ ଦୁଇପୁଅ ଝିଅକଂ ସହିତ ସେ ଖୁବ ଶାନ୍ତିରେ ସହରରେ ରହିଥିଲା |ତାର ଆଉ ଦୁଇଜଣ ବଡ ଭଉଣୀ ସେହି ସହର ମଧ୍ୟରେ ବାହାହୋଇ ଅଲଗା ଅଲଗା ସ୍ଥାନରେ ରହୁଥିଲେ |ଟୁନୁ ବି ଛୋଟିଆ ନଥିଲା |ସେ ଥିଲା,ଭାତ୍ରୁଭକ୍ତ ଭରତ |ଭାଇର ଯିଏ ଶତ୍ରୁ ଥିଲା ,ସେ ତାର ମଧ୍ୟ ଶତ୍ରୁ ଥିଲା |ଭାଇ ପାଇଁ ସେ ନିଜର ପରମମିତ୍ରକୁ ଶତ୍ରୁ କରିବାକୁ ପଛାଉ ନଥିଲା |କିନ୍ତୁ ସେ  ପାଠପଢାରେ ଦୁର୍ବଳ ଥିଲା |କଷ୍ଟେ ମଷ୍ଟେ ବି.ଏ.ପାଶ କରି , ରାଜ୍ୟ ବାହାରେ ଛୋଟିଆ ଚାକିରୀଟିଏ କରି  ସେ ସେଥିରେ ସନ୍ତୁଷ୍ଟ ରହିଥିଲା |ଯେତେବେଳେ ନିଜ ପସନ୍ଦର ଝିଅ ନୀନା କୁ ବାହାହେବାପାଇଁ ସେ ଘରେ ଜିଦ୍ଦି କଲା,ବାପା ରୋକଠୋକ୍ ମନାକରିଦେଲେ |ସେତେବେଳେ ଜିତୁ ବାପାଂକୁ ସମର୍ଥନ କିମ୍ବା ବିରୋଧ ନକରି ନୀରବ ରହିଥିଲା |ଶେଷରେ  ତାର ଦୁଇ ଭଉଣୀ ମିଶି ତାର ବାହାଘର ଯେନତେନ ପ୍ରକାରେଣ କରିଥିଲେହେଁ ଟେଣ୍ଟ ହାଉସକୁ ଦେବାପାଇଁ ଟଂକା ନିଅଣ୍ଟ ପଡିବାରୁ ସେ ନିଜ  ବାହାଘର ପାଇଁ କିଣିଥିବା  ଚେନ୍ ବିକି ସେ ଟଂକା ଭରଣା କରିଥିଲା | |ତା ପୁଅ ପାଂଚବର୍ଷର ହୋଇଥିବାବେଳେ ସେ ଏକ ସଡକ  ଦୁର୍ଘଟଣାରେ ଗୁରୁତର ହୋଇଗଲା |ଏଥିରୁ ଆରୋଗ୍ୟ ହେବାପାଇଁ ତାକୁ ଅନେକଦିନ ଲାଗିଗଲା ଓ ଆରୋଗ୍ୟ ଲାଭ କରି ସାରିବା ପରେ  ସେ ପୂର୍ବପରି ଆଉ  କାମ କରିପାରିଲା ନାହିଁ  | ସେ ସେଠାରୁ ଫେରି ଆସି  ଜିତୁ ପାଖରେ ରହିବାକୁ ଲାଗିଲା |ପରେ ତାକୁ ଏକ ଛୋଟ ଚାକିରୀ ମଧ୍ୟ ମିଳିଗଲା |ପୂର୍ବ ଚାକିରୀ କରୁଥିବାବେଳେ, କିଛି ଟଂକା ସଂଚୟ କରି ସେ ଭୁବନେଶ୍ବର ଉପକଣ୍ଠରେ ବାରଶହ ବର୍ଗଫୁଟର ଏକ ଜମି କିଣିଥିଲା ଓ ତାହା ତାର ଏକମାତ୍ର ସମ୍ବଳ ଥିଲା  | କିଛିଦିନ ଭଲରେ ରହିବା ପରେ ପରେ ଗୀତା ଓ ନୀନାଂକ ସମ୍ପର୍କ କ୍ରମେ ତିକ୍ତ ହୋଇଗଲା |ଅତି ଛୋଟ ଛୋଟ କଥାକୁ ନେଇ ପ୍ରତିଦିନ ଦୁଇଜଣଂକ ଭିତରେ କଳି ଲାଗୁଥିଲା |ଦିନେ ବିରକ୍ତ ହୋଇ ଜିତୁ ଟୁନୁକୁ କହିଲା,ତୁ ଅଲଗା ଘରଭଡା ନେଇ ରହ |ଏଠି ରହିଲେ,ତମକୁ ଅସୁବିଧା ଓ ମତେ ବି ଅସୁବିଧା |ଟୁନୁ କହିଲା,ମୁଁ  ଏତେ କମ୍ ଦରମା ପାଉଛି ; ଘରଭଡା ଟଂକା ଦେବାପରେ  ମୋ ପାଖରେ ଆଉ କଣ ରହିବ ଯେ ମୁଁ  ଖାଇବି ?ସେଥିରେ ପୁଣି ଆଗକୁ ପିଲାର ପାଠପଢା ଖର୍ଚ୍ଚ ଅଛି |ଜିତୁ କହିଲା,ବସ୍ତି ଭିତରେ ଅଳ୍ପ ଟଂକାରେ ଭଡାଘର ମିଳୁଛି |ପିଲା ବଡ ହେଲେ,ତା  କଥା ବୁଝିବା ,କିନ୍ତୁ ଏକାଠି ଆଉ ରହିବା ସମ୍ଭବ ନୁହେଁ |ଟୁନୁ ସବୁ ବୁଝିଲା,କିଛିଦିନ ଭିତରେ ଭଡାଘରଟିଏ ବୁଝି ସେ ସେଠାକୁ ଚାଲିଗଲା |
          ଏତେସବୁ ପରେ ବି ଜିତୁ ସହିତ ଟୁନୁର ସମ୍ପର୍କ ପୂର୍ବପରି ଥିଲା |ଭାଇ କଥା ମନେପଡିଲେ,ସେ ମଝିରେ ମଝିରେ ଯାଇ ତା ସହିତ ଦେଖାକରି ଆସୁଥିଲା |କିନ୍ତୁ ତାଂକ ଘରକୁ ଟୁନୁର ଯିବା ଆସିବା ଗୀତାର ପସନ୍ଦ ନଥିଲା |ତାର ସନ୍ଦେହ ଥିଲା,କାଳେ ଟୁନୁ ଦେଖା କରିବା ଆଳରେ ଜିତୁଠାରୁ ଟଂକା ନେବାପାଇଁ ଆସୁଥାଇପାରେ |ସେ ସେଥିପାଇଁ  ଟୁନୁ ଆସିଲେ ଜିତୁର ପାଖ ଛାଡୁ ନଥିଲା |ଦୁଇ ଭଉଣୀ ତା ପାଖକୁ ମଝିରେ ମଝିରେ ଆସୁଥିଲେ |ଯିବାବେଳେ କେବେ କେମିତି ପାଁଶହ/ହଜାରେ ନୀନା ହାତରେ ଗୁଂଜି ଦେଇ ଯାଉଥିଲେ |ଟୁନୁ ତାର  ଆର୍ଥିକ ସମସ୍ୟାର  ମୁକାବିଲା କରିବା ପାଇଁ ଅତି ସରଳ ଜୀବନଯାପନ କରୁଥିଲା |ଘରେ କେବଳ ଭାତ ଡାଲି ରନ୍ଧା ହେଉଥିଲା |ରାତିରେ ସେହି ଡାଲି ସହିତ ସେମାନେ ରୁଟି ଖାଉଥିଲେ |ବିଭିନ୍ନ ପର୍ବପର୍ବାଣୀ ହେଉ ବା ଯେ କୌଣସି ଭଲଦିନ ହେଉ ,ଘରେ ଠାକୁରଂକ ପାଖରେ କେବଳ ଦୀପ ଟିଏ ଜଳାଇବା ବ୍ୟତିତ ଅନ୍ୟ କିଛି ହେଉ ନଥିଲା  |ଅସୁବିଧାବେଳେ ସେ ପ୍ରଥମେ ପ୍ରଥମେ ଜିତୁ ଓ ତାର ଦୁଇ ଭଉଣୀଙ୍କ ଠାରୁ ଟଂକା ଧାର ଆଣୁଥିଲା | ସେ ଟଂକା ସୁଝି ନପାରିବାରୁ ସେମାନେ ବି ଆଉ ଟଂକା ଦେଲେ ନାହିଁ |ପୁଅ ପଢା ଖର୍ଚ୍ଚ ଭରଣା କରିବା ପାଇଁ  ନୀନା ଆଖପାଖ ପିଲାଂକୁ ଟିଉସନ କରିବା ସଂଗେ ସଂଗେ ପାଖ ସିଲେଇ ଦୋକାନରୁ ଅର୍ଡର ଆଣି ଶାଢୀ ଫଲ ସିଲେଇ କରୁଥିଲା |ପୁଅ ଅଜୁ ପାଖ ଓଡିଆ ମାଧ୍ୟମ ସ୍କୁଲରେ ପଢୁଥିଲା ଓ ସେ  ସବୁବେଳେ କ୍ଲାସରେ ପ୍ରଥମ ହେଉଥିଲା |ସବୁ ପିତାମାତାଂକ ପରି ଟୁନୁ ମନରେ ମଧ୍ୟ ଅଜୁ ପାଇଁ ଅନେକ ସ୍ବପ୍ନ ଥିଲା |ତାର ଇଚ୍ଛା ଥିଲା,ପୁଅ ତାର ଇଂଜିନିୟର ହେବ |ପୁଅ ମୁନା ବି ତାକୁ ନିରାଶ କରି ନଥିଲା |ପ୍ରଥମ ଚାନ୍ସରେ ସେ ସରକାରୀ ଇଂଜିନିୟରିଂ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା |ପରୀକ୍ଷା ଫଳ ବାହାରିବା ଦିନ ସ୍ବାମୀ ସ୍ତ୍ରୀ ଦୁହେଁ  ଅନେକ ଆନନ୍ଦାଶ୍ରୁ ବୁହାଇ ଥିଲେ |ଏହି ଖୁସି ଖବର ଜିତୁକୁ ଦେଇ ତା  ପାଖରୁ କିଛି ଆର୍ଥିକ ସହାୟତା ପାଇବାପାଇଁ ଟୁନୁ ତା ଘରକୁ ଦୌଡି ଯାଇଥିଲା |ଜିତୁ କିନ୍ତୁ ଏହି ଖବର ଶୁଣି ଖୁସି ହେବା ପରିବର୍ତ୍ତେ ରାଗରେ ଗର ଗର ହୋଇ କହିଥିଲା,ଏବେ ମୋ ଘର ତିଆରି ଚାଲିଛି,ଆଗକୁ ଝିଅ ବାହାଘର ଅଛି |ପୁଣି ପୁଅ ପାଇଁ ଭଲ କୋଚିଂ ଦେଇ,ତାକୁ ଲାଇନରେ ଛାଡିବାର ଅଛି |ଟୁନୁ ନିରାଶ ହୋଇ ଫେରିଆସି,ଶେଷରେ ତାର ଜମିଟିକୁ ବିକ୍ରୀ କରିଦେଲା |ଜମି ବିକ୍ରୀ ଟଂକା ହାତରେ ଧରି ସେ ସେଦିନ ବହୁତ କାଂଦିଥିଲା |କିନ୍ତୁ ନୀନା ତାକୁ ବୁଝାଇ କହିଥିଲା,ପୁଅ ଯଦି ମଣିଷ ନହେବ,ଜମି,ଘରବାଡି ଥାଇ ଲାଭ କଣ ?ମୁନା ଆମର ସମ୍ପତ୍ତି |ଭଗବାନ ଆମକୁ ଯୋଗ୍ୟ ପୁଅଟିଏ ଦେଇଛନ୍ତି,ସେତିକି ଆମପାଇଁ ଯଥେଷ୍ଟ |
                 ସମୟ ଗଡି ଚାଲିଲା | ମୁନାର ପାଠପଢା ଖର୍ଚ୍ଚ ତୁଲେଇବା ପାଇଁ, ଟୁନୁ ଧୀରେ ଧୀରେ ନିଜ ଖାଇବା ପରିମାଣ କମେଇ ଦେଲା |ପୂର୍ବରୁ ସେ ରାତିରେ ଚାରିପଟ ରୁଟି ଖାଉଥିଲା |ତାହା କମି କମି ତିନି,ଦୁଇ ହୋଇ  ଏକରେ ପହଂଚିଲା |ଶେଷରେ ସେ ଆଉ ଦିନରେ ନଖାଇ ରାତିରେ ଥରେ ମାତ୍ର ଖାଇଲା |ନୀନାର ଯେତେ ପ୍ରକାର ଅନୁରୋଧକୁ ସେ ଆଉ ଖାତିର ନକରି ତାକୁ ଆଖି ଦେଖେଇଲା |ଦିନେ ମୁନା ଖବର ଦେଲା,ସେ କ୍ୟାମ୍ପସ ରେ ସିଲେକ୍ସନ ହୋଇଯାଇଛି |ସେଦିନ ତାଂକ ପରିବାର ପାଇଁ ଅତ୍ୟନ୍ତ ଖୁସିର ଦିନ ଥିଲା  |ସେମାନଂକର ଏତେ ପରିଶ୍ରମ ସାର୍ଥକ ହୋଇଥିବାରୁ ଈଶ୍ବରଂକୁ କୋଟି କୋଟି କୃତଜ୍ଞତା ଜଣାଇ ପାଖ ମନ୍ଦିରରେ ଘିଅ ଦୀପ ଜାଳିଲେ |ଘରକୁ ଫେରି ସେଦିନ ନୀନା ଖୁସି ମନରେ ଯାହା ରାନ୍ଧିଲା,ତାକୁ ଟୁନୁ ସଂତୋଷରେ ପେଟ ଭରି ଖାଇଲା |ଅର୍ଦ୍ଧରାତ୍ରୀରେ ଟୁନୁର ଭୀଷଣ ପେଟବ୍ୟଥା ହେଲା |ଯାହା ଯେତେ ଉପଚାର କଲେବି ଆଦୌ ଉପଶମ ହେଲାନାହିଁ |ପଡୋଶୀଙ୍କ ସହାୟତାରେ ନୀନା  ତାକୁ ସ୍ଥାନୀୟ ଡାକ୍ତରଖାନା ନେଇଗଲା |ସେ ଭାବିଥିଲା ମାମୁଲି ପେଟବ୍ୟଥା ,ବଦହଜମୀ ହୋଇଛି ବୋଲି |କିନ୍ତୁ ଡାକ୍ତର ସବୁଦିନ ଗୋଟିଏ ଗୋଟିଏ ରୋଗର ନାମ କହିବାରୁ ତାର ହୋସ ଉଡିଗଲା |ନିରୁପାୟ ହୋଇ ସେ ଜିତୁକୁ ଖବର ଦେଲା |ଜିତୁ ଆସି ଦେଖେତ ଟୁନୁର ଅବସ୍ଥା ଗୁରୁତର | ଭଲ ଚିକିତ୍ସା ପାଇଁ ସେ ତାକୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲା |ସେଠାରେ ଜଣାପଡିଲା,ଦୀର୍ଘ ଦୁଇବର୍ଷ ଧରି ଟୁନୁ ଉପଯୁକ୍ତ ଖାଦ୍ୟ ନଖାଇବାରୁ ତାର ଶରୀରର ମୁଖ୍ୟ ଅଂଶଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଛନ୍ତି |ସେତେବେଳେ ଜିତୁ ନୀନାକୁ ବହୁତ ଭର୍ତ୍ସନା କରି କହିଲା,ପଇସା ସଂଚିବା ପାଇଁ ସେ ଟୁନୁକୁ ଖାଇବାକୁ ନଦେଇ ମରଣ ମୁହଁକୁ ଠେଲି ଦେଇଛି | ଆଖିରୁ ଲୁହ ଢାଳିଵା ବ୍ୟତିତ ନୀନାର ଆଉ କିଛି ଉପାୟ  ନଥିଲା  |ଜିତୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରି ଟୁନୁକୁ ଆବଶ୍ୟକୀୟ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେଲା  | କିନ୍ତୁ ଦୁଇମାସ କାଳ ରୋଗ ସାଂଗେ ଲଢି ଲଢି ଶେଷରେ ହାରିଗଲା ଟୁନୁ ............|
                 ବନ୍ଧୁବାନ୍ଧବ ବିଦା ହୋଇଯିବାପରେ ଘର ଖାଲି ହୋଇଗଲା |ସେଦିନ ନୀନା  ଏକଲୟରେ ଟୁନୁର ବିରାଟ ଫଟ କୁ ଚାହିଁ ରହିଥିଲା |ହଠାତ୍ ତା  ହୃଦୟରେ ଚାପି ହୋଇ ରହିଥିବା  ଦୁଃଖ, ଧୈର୍ଯ୍ୟର ବାଡ ବନ୍ଧ ଡ଼େଇଁ,ଦୀର୍ଘଦିନ ଧରି ଶୁଖି  ଯାଇଥିବା  ଆଖିଦେଇ   ଅନବରତ ଝରିବାକୁ ଲାଗିଲା |ଏତେଦିନ ପରେ ସେ ଅନୁଭବ କରୁଥିଲା,ତା ପାଖରେ ଆଉ ତା ପିଲାଦିନର ସାଥୀ ଟୁନୁ ନାହିଁ,ସେ ବିଧବା ହୋଇ ଯାଇଛି !!ଜୀବନରେ ଏତେ କଷ୍ଟକରି ,ସୁଖଭୋଗ କରିବା ସମୟ ଆସିବାବେଳକୁ ସେ ଆଉ ଜୀବିତ ରହିଲେ ନାହିଁ |ନୀନାକୁ ଏପରି କାନ୍ଦୁ ଥିବାର ଦେଖି,ସୀମା ଆସି ତାକୁ ଅନେକ ଆଶ୍ବାସନା ଦେଇ କହିଲା,କାନ୍ଦୁଛୁ କାହିଁକି ?ଟୁନୁ ଏତେ ଭଲ ବୋଲି,ତାଂକର ସବୁକାମ ଭଲରେ ହୋଇଗଲା ,କାହାରି କିଛି ଅଭିଯୋଗ ନାହିଁ,ସମସ୍ତେ ଖୁସିରେ ଆଶୀର୍ବାଦ ଦେଇକରି  ଗଲେ |ବହୁକଷ୍ଟରେ ନିଜ କୋହ ସମ୍ବରଣ କରି ନୀନା କହିଲା,ଅପା,ଏତିକି ସାହାଯ୍ୟ ଆମକୁ ଦୁଇବର୍ଷ ଆଗରୁ ମିଳିଥିଲେ,  ଆଜି ମୋ ମଥାରେ ସିନ୍ଦୂର ଥାଆନ୍ତା !!!
By-Mamata Mohanty.06-12-2018
 ବି:ଦ୍ର:-କାହାଣୀ ଓ ଚରିତ୍ର ସମ୍ପୂର୍ଣ୍ଣ କାଲ୍ପନିକ |ଏହାକୁ ସତ ମନେ ନ କରିବାକୁ ପାଠକ/ପାଠିକା ମାନଂକୁ ମୋର ବିନମ୍ର ନିବେଦନ |               

Monday, October 29, 2018

ଜନ୍ମ ଜନ୍ମର ସାଥୀ

ଭରତ ଓ ସମୀର ଦୁଇଜଣ ଭଲ ବନ୍ଧୁ ।ସେମାନଙ୍କ ଭିତରେ ଗୋପନ କରି ରଖିବା ପରି କୌଣସି ଜିନିଷ ନଥିଲା ।ଭରତ ସମୀର ଠାରୁ ବୟସରେ ବେଶ କିଛି ବର୍ଷ ଛୋଟ ଥିଲା ।ସେ ତାକୁ ଶ୍ରଦ୍ଧା ଓ ଭକ୍ତି କରୁଥିଲା,ତା କଥାକୁ ଆଖି ବୁଜି ବିଶ୍ୱାସ କରୁଥିଲା ।ଭରତ ଜାଣିଥିଲା, ସମୀର ତାର ପାରିବାରିକ ଜୀବନରେ ବହୁତ ଦୁଃଖୀ ।ଘରେ ଯେତେବେଳେ ଯାହା ବିଶୃଙ୍ଖଳା ଘଟେ ସେସବୁ ସେ ଭରତକୁ ଗୋଟି ଗୋଟି କରି କହେ ।ତା କଥା ଶୁଣି ଭରତ ଭାରି ମନଦୁଃଖ କରେ, ତାକୁ ସାନ୍ତ୍ୱନା  ଦିଏ ।ସେମାନେ ଦୁଇଜଣ ଅଟୋଚାଳକ ଥିଲେ।ସେମାନେ ରହୁଥିବା ବସ୍ତିରେ କମଳା ରହୁଥିଲା ।କମଳାର ଝିଅ ଜନ୍ମ ହେବାପରେ ତା ସ୍ୱାମୀ ତାକୁ ଛାଡ଼ି ଆଉ ଜଣେ ଯୁବତୀ ସାଙ୍ଗରେ ପଳାଇ ଗଲା ।କମଳା ବାବୁମାନଂକ ଘରେ ପାଇଟି କରି ପେଟ ପୋଷେ ।ତା ଝିଅ ରୀନା ଦେଖିବାକୁ ଭାରି ସୁନ୍ଦରୀ ।ତାକୁ ବାହା ହେବା ପାଇଁ ଭରତ ର ଭାରି ଇଛା ଥିଲା ।ସେ ତା ମନକଥା ସମୀର କୁ କହିଲା ।ସମୀର କମଳା ସହିତ କଥା ହୋଇ ପ୍ରସ୍ତାବ ପକ୍କା କରିଦେଲା ।ଖୁସିରେ ଭରତ ର ଗୋଡ଼ ତଳେ ଲାଗୁ ନଥାଏ ।ସେଥିପାଇଁ ସେ ବାରମ୍ବାର ସମୀର କୁ ନିଜ ଅନ୍ତରର କୃତଜ୍ଞତା ଜଣାଉ ଥିଲା ।
       ଭରତ ରୀନା କୁ ବାହାହେଲା ।ବନ୍ଧୁ ହିସାବରେ ସେ ଭରତ କୁ ଉପଦେଶ ଦେଲା, ଦେଖ୍ ତୋ ଭଲ ପାଇବା ପେଟ ଭିତରେ ରଖିବୁ, କେବେହେଲେ ସ୍ତ୍ରୀ କୁ ମୁଣ୍ଡ ଉପରେ ବସେଇବୁ ନାହିଁ ।ନହେଲେ ମୋରି ପରି କାନ୍ଦି କାନ୍ଦି ତୋ ଜୀବନ ଯିବ ।ଭରତ ସମୀର କଥାକୁ ଗୁରୁତ୍ତ୍ୱ ର ସହ ନେଲା ।ରୀନା ସହ ମିଠା କଥା ହେବା ଦୂରେ ଥାଉ, ପ୍ରଥମରୁ ସବୁବେଳେ ବିନା କାରଣରେ ତା ଉପରେ ବିରକ୍ତ ହେଲା, ବେଳେବେଳେ ହାତ ମଧ୍ୟ ଉଠେଇଲା ।ସ୍ୱାମୀ ସହିତ ସୁଖରେ ଘର ସଂସାର କରିବାକୁ ଆଶା ବାନ୍ଧିଥିବା ରୀନା ର ସବୁ ସ୍ୱପ୍ନ  କ୍ରମେ ପାଣି ଫୋଟକା ପରି ମିଳେଇବାରେ ଲାଗିଲା ।ସେ ମନେ ମନେ କେତେ କାନ୍ଦେ, ବେଶି ଦୁଃଖ ହେଲେ ଉପାସ ରହିଯାଏ ।କିନ୍ତୁ ସେ ଖାଇଛି କି ନାଁ ବୋଲି ଭରତ କେବେହେଲେ  ପଚାରେ ନାହିଁ ।
         ସାବିତ୍ରୀ ବ୍ରତ ଦୁଇଦିନ ଆଗରୁ କମଳା ତା ଘରକୁ ଆସି ପୂଜା ପାଇଁ ତାକୁ ପାଞ୍ଚ ଶହ ଟଙ୍କା ଦେଇଗଲା ।ନିଜ ଦୁଃଖ କଥା ମାଆ କୁ କହି ତାକୁ ଆହୁରି ଦୁଃଖୀ କରିବାକୁ ରୀନା ଚାହିଁଲାନି ।ରାତିରେ ଭରତକୁ ଖାଇବାକୁ ଦେଇ ସାରିବା ପରେ ମାଆ ଦେଇଥିବା ପାଞ୍ଚ ଶହ ଟଙ୍କା କଥା କହିଲା ।ଏକଥା ରେ ରାଗ କରିବାର କିଛି ନଥିଲା |କିନ୍ତୁ ଭରତ ରାଗିଯାଇ କହିଲା,ସ୍ୱାମୀ ମାନଂକ ପଇସା ବରବାଦ କରିବା ପାଇଁ ଏସବୁ ଗୋଟେ ଫେଚକାମି ।କିଛି ଉପାସ ବ୍ରତ କରିବା ଦରକାର ନାହିଁ ।ରୀନା ଭାବିଲା, ଭରତ ସବୁଦିନ ଯେମିତି କହେ ସେମିତି କହୁଛି ।ସକାଳେ ଭରତ ଅଟୋ ନେଇ ଯିବାବେଳେ ତାକୁ ମାଆ ଦେଇଥିବା ପାଞ୍ଚ ଶହ ଟଙ୍କା ନୋଟ ଟି ଦେଲା ।ଭରତ କ୍ରୋଧିତ ହୋଇ ନୋଟ ରୀନା ଉପରକୁ ଫିଙ୍ଗି ଦେଇ ତା ଗୋଟିଏ ଚଟକଣା ମାରି କହିଲା, ଆଉ ଦିନେ ମତେ ବାଧ୍ୟ କରିବୁନି ।ସେ ଯିବାପରେ ରୀନା ଅନେକ କାନ୍ଦିଲା ।ଦିନ ସାରା କିଛି ଖାଇଲା ନାହିଁ ।ରାତିରେ ଭରତ କୁ ଖାଇବାକୁ ଦେଲା,କିନ୍ତୁ ନିଜେ କିଛି ଖାଇଲାନି ।
          ତା ପରଦିନ ସକାଳୁ ଉଠି ଭରତ ଦେଖିଲା, ରୀନା ଚା ସହିତ ଗତ ରାତିର ରୁଟି ଖାଉଛି ।ସେ ରୀନା କୁ ଚାହିଁଲା ।ଆଖି ଦୁଇଟି ତାର ନିଆଁ ପରି ଜଳୁଥିଲା ।ଭରତ କିଛି କହିବା ପୂର୍ବରୁ ସେ କହିଲା,ଏଇ ଜନ୍ମ ତ ନର୍କ ପାଲଟି ଗଲା, ବ୍ରତ କରି ଆଉ ସାତ ଜନ୍ମ ନର୍କ ରେ ଘାଣ୍ଟି ହେବାକୁ ମୋର ଇଛା ନାହିଁ  ।ଏମିତି ସ୍ୱାମୀ  ଯୁଗେ ଯୁଗେ କାହାକୁ ନମିଳୁ ।ରୀନା କଥା ଶୁଣି ଭରତ ଅବାକ୍ ହୋଇଗଲା ।ତା ମୁଣ୍ଡ କାମ କରୁ ନଥିଲା ।ସେ ବାହାରେ ଯାଇ ଘଣ୍ଟାଏ ବସିଲା ।ଘରକୁ ଆସି ରୀନା କୁ କହିଲା,ମୋର ଭୁଲ ହୋଇ ଯାଇଛି।ପର କଥାରେ ପଡ଼ି ମୁଁ ତୋ ପ୍ରତି ଅନ୍ୟାୟ କରିଛି ।ତୋର ସିନା ମତେ ଦରକାର ନାହିଁ, ହେଲେ ମୋର ତତେ ଦରକାର ,ସାତ ଜନ୍ମ ନୁହେଁ, ଜନ୍ମ ଜନ୍ମ ପାଇଁ ।

ସାର୍

             କାଲି ପରି ଲାଗୁଛି, ବିଶୁ ଦଶମ ଶ୍ରେଣୀ ପରୀକ୍ଷାରେ ପଞ୍ଚାନବେ  ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ସେହି ସ୍କୁଲରେ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିଲା ।ସ୍କୁଲ ଯିବାର ପ୍ରଥମ ଦିନରେ ବାପା ତାକୁ କାନେ କାନେ କହିଥିଲେ,ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପାଠରେ ବହୁତ ଫରକ ।ତତେ ଏଥରକ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ।କିନ୍ତୁ ବିଶୁର ପାଠରେ ଆଦୌ ମନ ନଥିଲା ।କ୍ଲାସରେ ବିଭିନ୍ନ ପଶୁ ପକ୍ଷୀ ମାନଙ୍କର ସ୍ୱର ଅବିକଳ ନକଲ କରି, ନିଜେ ପଢୁ ନଥିଲା କି ଆଉ କାହାକୁ ପଢେଇ ଦେଉ ନଥିଲା ।ସେତେବେଳେ ପ୍ରଶାନ୍ତ ସାର ନୂଆ କରି ସେହି ସ୍କୁଲରେ ନିଯୁକ୍ତି ପାଇଥାନ୍ତି ।ଥରେ କୌଣସି କାରଣରୁ ସେଦିନ ତାଙ୍କର ଶ୍ରେଣୀ ଶିକ୍ଷକ ଛୁଟିରେ ଥିଲେ ।ପ୍ରଶାନ୍ତ ସାର ତାଙ୍କ ବଦଳରେ ପଢେଇବାକୁ ଆସିଲେ ।ନୂଆ ସାରଙ୍କୁ ଦେଖି ବିଶୁ ନିଡର ହୋଇ ରହି ରହି ପଶୁ ପକ୍ଷୀଙ୍କ ଆବାଜ କରିବାରେ ଲାଗିଲା ।ପ୍ରଶାନ୍ତ ସାର ସେଆଡକୁ କର୍ଣ୍ଣପାତ ନକରି ପଢେଇବାରେ ଲାଗିଲେ ।କ୍ଲାସ ଶେଷ ହେବା ପରେ ବିଶୁକୁ ସେ ତାଙ୍କ ସହିତ ଡାକି ନେଇଗଲେ ।ସମସ୍ତେ ଭାବିଥିଲେ,ବିଶୁକୁ କଡ଼ା ଦଣ୍ଡ ମିଳିବ ।ବିଶୁ ବି ସେଇଆ ଭାବିଥିଲା ।କିନ୍ତୁ ସାର ତାକୁ ଚକିତ କରିଦେଇ କହିଲେ,ତୁମେ ତ ପଶୁ ପକ୍ଷୀ ମାନଙ୍କର ଆବାଜ ଅବିକଳ ନକଲ କରି ପାରୁଛ ।ତୁମର ଭଲ ପ୍ରତିଭା ଅଛି ।ଏଥରକ ସ୍କୁଲର ବାର୍ଷିକୋତ୍ସବ ରେ ତୁମକୁ ଏହା କରିବା ପାଇଁ ସୁଯୋଗ ମିଳିବ ।ପ୍ରଶାନ୍ତ ସାରଙ୍କ ସୁପାରିଶ ରେ ବିଶୁ ପ୍ରଥମ ଥର ପାଇଁ ମଞ୍ଚ ଉପରକୁ ଯାଇ ଢେର୍ ସାରା କରତାଳି ସାଉଁଟି ଥିଲା ।ସେଦିନ ଠାରୁ ବିଶୁ ଆଉ ସେପରି ଦୁଷ୍ଟାମୀ କରିନାହିଁ ।
               ଆଉ ଥରେ ସିନେମା ହଲ କୁ ଭଲ ମୁଭି ଆସିଥାଏ ।ବିଶୁର ସାଙ୍ଗ ମାନେ କ୍ଲାସ ଛାଡ଼ି ମୁଭି ଦେଖି ଯିବା ପାଇଁ ମତେଇଲେ ।ଯୋଜନା ମୁତାବକ ସେମାନେ ଚାରିଜଣ ସ୍କୁଲ ଯିବା ବାହାନାରେ ଘରୁ ଆସି ସିନେମା ହଲ ରେ ପଶିଲେ ।ମୁଭି ଆରମ୍ଭ ହେଉ ହେଉ ସେମାନଙ୍କୁ ଖବର ମିଳିଗଲା,ପ୍ରଶାନ୍ତ ସାର ଆଉ ତିନିଜଣ ସାରଙ୍କ ସହିତ ଆସି ସେମାନଙ୍କୁ ବାହାରେ ଜଗିଛନ୍ତି ।ଭୟରେ ସେମାନଙ୍କ ଅକଲ ଗୁଡ଼ୁମ୍ ହୋଇଗଲା ।ବସ୍ତାନି ଧରି ଦୌଡ଼ି ଦୌଡ଼ି ଗେଟ ଡ଼େଇଁବା ବେଳକୁ ଚାରିଜଣ ସାର ସେମାନଙ୍କୁ କାବୁ କରିନେଲେ ।ସେଦିନ ସେମାନଙ୍କ ପାଇଁ ଅତ୍ୟନ୍ତ ଘଡିସନ୍ଧି ର ମୁହୂର୍ତ୍ତ ଥିଲା ।ଚାରିଜଣଙ୍କ ପିତା ସ୍କୁଲ ଆସିଲେ ଓ ସେମାନଙ୍କୁ ଭବିଷ୍ୟତରେ ଏହାର ପୁନରାବୃତ୍ତି ନକରିବା ପାଇଁ ଅଣ୍ଡରଟେକିଂ ଲେଖିଦେବାକୁ ପଡ଼ିଥିଲା ।
             ବିଶୁଙ୍କ କ୍ଲାସରେ ସର୍ବାଧିକ ନମ୍ବର ରଖୁଥିଲା ତୃପ୍ତି ।ସେ ପାଠରେ ଯେମିତି ନମ୍ବର ଏକ ଥିଲା ରୂପରେ ମଧ୍ୟ ସେହିପରି ଥିଲା ନମ୍ବର ଏକ ।ତୃପ୍ତି ପଛରେ କେତେଜଣ ପଡ଼ିଥିଲେ।ସେମାନଙ୍କ ଭିତରୁ ବିଶୁ ଥିଲା ଅନ୍ୟତମ ।ଦିନେ ସେ ବ୍ଲେଡ୍ ରେ କାଟି ତୃପ୍ତି ନାଁ ନିଜ ହାତରେ ଲେଖିଦେଲା ।ସେତିକି ନୁହେଁ ଦ୍ୱାଦଶ ପରୀକ୍ଷା ଆଉ ଅଳ୍ପଦିନ ଅଛି,ସେ ପରୀକ୍ଷା ଦେବନାହିଁ ବୋଲି ଜିଦ୍ଦି ଧରିଲା ।ବିଶୁର ପିତା କାନ୍ଦି କାନ୍ଦି ଆସି ପ୍ରଶାନ୍ତ ସାର ଙ୍କୁ ଏକଥା କହିଲେ ।ପ୍ରଶାନ୍ତ ସାର କହିଲେ,ଆପଣ କାଲି ତାକୁ ସ୍କୁଲକୁ ଆଣନ୍ତୁ,ମୁଁ ବୁଝେଇ ଦେବି ।ବିଶୁ ଆସିଲା ।ସେ ପାଗଳଙ୍କ ପରି ହେଉଥିଲା ।ପ୍ରଶାନ୍ତ ସାର ତାକୁ ଅନେକ ବୁଝେଇଲେ ।ଶେଷରେ କହିଲେ,ହଉ ତୁ ତାକୁ ବାହା ହେବାକୁ ଚାହୁଁଛୁ ତ,ଠିକ୍ ଅଛି ।ତୁ ତାକୁ ବାହା ହବୁ ।ଆମେ ତୋ ବାହାଘର ଠିକ୍ କରି ରଖିବୁ,ପାଠ ପଢା ସରିଲେ ତୁ ତାକୁ ହିଁ ବାହା ହବୁ ।ସାର ଙ୍କ କଥାରେ କି ଯାଦୁ ଥିଲା କେଜାଣି ବିଶୁ ବୁଝିଗଲା ।ତାପରେ ସେ ଭଲ ଭାବରେ ପଢ଼ି ପରୀକ୍ଷା ଦେଲା ଓ ଭଲ ରେଜଲ୍ଟ ଆଣିଲା ମଧ୍ୟ ।କିନ୍ତୁ ପରୀକ୍ଷା ସରିବା ପରେ ତା ମୁଣ୍ଡ ରୁ ତୃପ୍ତି ର ଭୁତ ଉଭେଇ ଯାଇଥିଲା ।ଆଉ ସେ ପଛକୁ ଫେରି ଚାହିଁ ନଥିଲା ।
              ସ୍କୁଲର ଶେଷ ଦୁଇବର୍ଷ ସେମାନଙ୍କ ପାଇଁ ଘଟଣା ବହୁଳ ଥିଲା ।ପ୍ରଶାନ୍ତ ସାର, ସେ ଓ ତା ପରି ଆଉ କେତେଜଣ ବାଳୁଙ୍ଗା ପିଲାଙ୍କ ପାଇଁ କୌଣସି ଦୁଷ୍ଟ ଦାନବ ଠାରୁ କମ ନଥିଲେ ।ସେ ସେମାନଙ୍କୁ ଗୋଡେ ଗୋଡେ ଜଗିଥିଲେ ।ସେମାନଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଥିଲା ।ତାଙ୍କ କଡା ନଜର ଯୋଗୁଁ ସେମାନେ ଅନେକ ଭୁଲ କରିବାରୁ ବର୍ତ୍ତି ଯାଇଥିଲେ |
               ଇତି ମଧ୍ୟରେ କୋଡିଏ ବର୍ଷ ଅତିକ୍ରାନ୍ତ ହୋଇଗଲାଣି ।ସେଦିନର ସେଇ ଦୁଷ୍ଟ ପିଲା ଆଜି ଇଂଜିନିୟର,ବୈଜ୍ଞାନିକ,ଆଇ ଏ ଏସ,ଆଇ.ପି.ଏସ.,ପ୍ରଫେସର ଇତ୍ୟାଦି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ।ସେ ନିଜେ ମଧ୍ୟ ଏକ ପ୍ରସିଦ୍ଧ ଚକ୍ଷୁ ବିଶେଷଜ୍ଞ ।ସ୍ତ୍ରୀ ତାର ଅଧ୍ୟାପିକା ।ଗୋଟିଏ ବୋଲି ପୁଅ ରିଙ୍କୁ ପାଠରେ ବେଶ ଆଗୁଆ ।ଦିନେ ସେ ତାର ଚେମ୍ବର ଭିତରେ ବସି ରୋଗୀ ଦେଖିବା ବେଳେ ତା ନଜର ସମୁଖସ୍ଥ  ସି.ସି.ଟି.ଭି.ମନିଟର ଉପରେ ପଡ଼ିଗଲା ।ସେ ଜୁମ୍ କରି ଦେଖିଲା ପ୍ରଶାନ୍ତ ସାର ଚୁପ ଚାପ ହୋଇ ବେଞ୍ଚ ରେ ବସି ତାଙ୍କ ପାଳିକୁ ଅପେକ୍ଷା କରିଛନ୍ତି ।ସେ ସଙ୍ଗେ ସଙ୍ଗେ ଯାଇ ସାରଙ୍କ ହାତ ଧରି ରୁମ ଭିତରକୁ ଆଣି ତା ଚେୟାର ଉପରେ ବସାଇ ତାଙ୍କ ପାଦ ତଳେ ଲମ୍ବ ହୋଇ ପଡ଼ିଗଲା ।କହିଲା,ସାର, ଆଜି ମୁଁ ଯାହା କିଛି ହୋଇଛି,ସେସବୁ କେବଳ ଆପଣଙ୍କ ଅବଦାନ ।ଏଠାରେ ଆପଣଙ୍କ ପାଦଧୂଳି ପଡ଼ିଥିବାରୁ ମୁଁ ନିଜକୁ ଧନ୍ୟ ଓ ଗୌରବାନ୍ନିତ ମନେ କରୁଛି ।ଆପଣଙ୍କର ଚିକିତ୍ସା ମୁଁ ମାଗଣାରେ କରିବି ।ଆପଣ ମୋ ପାଇଁ କେବଳ ସାର ନୁହନ୍ତି,ମୋ ଗୁରୁ,ମୋ ଦେବତା !!!ମମତା ମହାନ୍ତି |(ପବିତ୍ର ଗୁରୁ ଦିବସ ଉପଲକ୍ଷେ ପାଠକ/ପାଠିକା ମାନଙ୍କ ନିମନ୍ତେ ମୋର ଏକ ପୁରୁଣା ଗଳ୍ପ )

Saturday, October 6, 2018

ଗୁଣ ଚିହ୍ନେ ..........

                  ସେମାନେ ସାତଜଣ ଘନିଷ୍ଠ ବାନ୍ଧବୀ ଥିଲେ |ସମସ୍ତେ ଗାଁ ସ୍କୁଲରେ ପଢୁଥିଲେ |ସେଇ ସାତଜଣଂକ ଭିତରେ ନିରାଲୀ ଓ ଚୈତାଳି ଦୁଇଭଉଣୀ ମଧ୍ୟ ଥିଲେ |ନିରାଲୀ ଚୈତାଳି ଠାରୁ ଦୁଇବର୍ଷ ବଡ ଥିଲା |ହେଲେବି ଦୁଇଭଉଣୀ ଦୁଇ ସାଂଗ ପରି ଚଳୁଥିଲେ |ଚୈତାଳି ତା ମାଆ ପରି ତୋଫା ଗୋରା ଥିଲା |ନିରାଲୀର ଗଠନ ଦେବୀପ୍ରତିମା ପରି ଅତି ସୁନ୍ଦର ଥିଲେ ବି  ଶରୀରର  ବର୍ଣ୍ଣ ଘନ ଶ୍ୟାମଳ ଥିଲା |ତାଂକ ଗ୍ରୁପ ରେ କେବଳ ତାକୁ ଛାଡି ଅନ୍ୟ ସମସ୍ତେ ଗୋରା ଥିଲେ |ଛୋଟ ବେଳେ  ନିରାଲୀ  ଏକଥା ଅନୁଭବ କରିପାରୁ ନଥିଲା |ଯେତେବେଳେ ହାଇସ୍କୁଲ ପାଠ ଶେଷ କରି ସାଂଗମାନଂକ ସହିତ ସେ ଗାଁ କଲେଜରେ ପଢିବାକୁ ଗଲା,କାହାରି କାହାରି କମେଣ୍ଟ ଶୁଣି ଦିନକୁ ଦିନ ତା ମନ ହୀନମନ୍ୟତାରେ ଭରିଗଲା  |ବି.ଏ.ପାଠ ଶେଷ ନକରୁଣୁ ତାର ଅଧାରୁ ବେଶି ସାଂଗ ବାହା ହୋଇଗଲେ |ବାକି ବାନ୍ଧବୀ ବି.ଏ. ପରୀକ୍ଷା ଦେଇ ସାରିବା ପରେ ବାହା ହେଲେ |ସେ ବି.ଏ ପାସ୍ କରି ଘରେ ବସିଲା |ରଂଗ କଳା ଯୋଗୁଁ ସବୁ ପ୍ରସ୍ତାବ ଭାଂଗି ଯାଉଥିଲା |ଅନ୍ୟପକ୍ଷରେ ସାନଭଉଣୀ ଚୈତାଳି ପାଇଁ ନିତି ଦୁଇ/ତିନିଟି ପ୍ରସ୍ତାବ ଆସୁଥାଏ |କେହି କେହି ଉପଦେଶ ଦେଲେ,ଯାହା ପାଇଁ ପ୍ରସ୍ତାବ ଆସୁଛି,ତା  ବାହାଘର କରିଦିଅ ,ନହେଲେ ପଛକୁ କୌଣସି ଝିଅ ବାହା ହୋଇ ପାରିବେନି |ମାଆ ସୁଶୀଳାଂକ ମନକୁ କଥାଟି ପାଇଲା |ବାପା ମା ଦୁଇଜଣ ଏ ବିଷୟରେ ଆଲୋଚନା କଲେ ଓ ଏକମତ ହୋଇ ଚୈତାଳିର ବାହାଘର କରିଦେଲେ |
               ସାନଭଉଣୀ  ଚୈତାଳିର ବିବାହ ପରେ ନିରାଲୀ ପାଇଁ ଆଉ ବିବାହ ପ୍ରସ୍ତାବ ଆସିଲା ନାହିଁ  |ଏମିତି ଦୁଇବର୍ଷ ବିତିଗଲା |ଦିନେ ମଧ୍ୟସ୍ଥି ଗୋଟିଏ ଭଲ ବିବାହ ପ୍ରସ୍ତାବ ନେଇ ଆସିଲା |ନିରାଲୀ ଜାଣିଥିଲା,ସବୁ ପ୍ରସ୍ତାବ ପରି ଏଇ ପ୍ରସ୍ତାବ ମଧ୍ୟ ତା କଳାରଂଗ ପାଇଁ ଭାଂଗିଯିବ |ତେଣୁ ସେ ଆଦୌ କନ୍ୟାଦେଖା ପାଇଁ ରାଜି ହେଲା ନାହିଁ  ଓ ଯେତେବେଳେ ଜାଣିଲା ଯେ ତାକୁ ଦେଖିବାକୁ ପୁଅଘର ତାଂକ ଘରେ ଆସି ପହଂଚିଗଲେଣି,ସେ ଗୋଟିଏ ରୁମ୍ ରେ କଣ ଜାଗା ଦେଖି ଲୁଚି ବସିପଡିଲା |ଦୁଃଖରେ ତା ଆଖିରୁ ଅମାନିଆ ଲୁହଧାର ଅନବରତ ଝରି ଚାଲିଥାଏ |ତା ଭାବନାରେ ବାଧା ଦେଇ, ତାକୁ ଆଶ୍ଚର୍ଯ୍ୟଚକିତ କରି ସେ ରୁମ୍ କୁ ତା ବାପାଂକ ସହିତ ଆଉଜଣେ ଭଦ୍ରଲୋକ ପଶି ଆସିଲେ |ସେ କହିଲେ,ମା',ତୋ ସାଂଗେ ଦୁଇପଦ କଥା ହୋଇ ମୁଁ ଚାଲିଯିବି | |ନିରାଲୀ ବାପାଂକ ଆଡକୁ ଚାହିଁଲା |ସେ ତାଂକୁ ଅପଦସ୍ତ କରିବାକୁ ଚାହୁଁ ନଥିଲା |ଆଖିରୁ ଲୁହ  ପୋଛି ସେ ବାପାଂକ ପଛେ ପଛେ ଆସିଲା ଓ ଚୁପ୍ ଚାପ୍ ସୋଫାର ଗୋଟିଏ କଣରେ ବସିପଡିଲା |ଭଦ୍ରଲୋକ ଜଣକ ପୁଅର ବାପା ଥିଲେ |ତାଂକର  ଜ୍ୟୋତିଷ ବିଦ୍ୟା ଉପରେ ଅଗାଧ ପାଣ୍ଡିତ୍ୟ ଥିଲା |ସେ ବିଭିନ୍ନ ବିଷୟରେ ଆଲୋଚନା କରି ଶେଷରେ ନିଜ ପୁଅ ବିଷୟରେ କହିଲେ |କିପରି ପୁଅର ଜାତକରେ ଅଛି,ସେ ଗୋଟିଏ ଲକ୍ଷ୍ମୀବନ୍ତ ଶ୍ୟାମଳବର୍ଣ୍ଣ ଝିଅକୁ ବିବାହ କରିବ |ଝିଅ ଡାହାଣ ଆଖି କୋଣରେ ଗୋଟିଏ ଛୋଟ ତିଳ ଥିବ |ଘର ଚାରିପଟେ ମାଳମାଳ ନଡିଆ ଗଛ ଓ ପଛପଟେ ଛୋଟ ପୋଖରୀ ଥିବ |ଆଉସବୁ ଯାହା ଯାହା କହିଗଲେ,ସବୁ ସତ ଥିଲା |ନିରାଲୀ ଅବାକ୍ ହୋଇ ତାଂକ କଥା ଶୁଣି ଯାଉଥିଲା |ସେ ନିଜେବି ଜାଣି ପାରୁ ନଥିଲା,ଏହା ସ୍ବପ୍ନ ନାଁ ସତ୍ୟ |ଝିଅ ପସନ୍ଦ ହୋଇଛି ବୋଲି,ସେ ସେହିଦିନ ହିଁ କହିଦେଲେ |ଦୁଇଦିନ ପରେ ସେମାନେ ସପରିବାରେ ଆସି ନିରାଲୀ କୁ ମୁଦି ପିନ୍ଧେଇ ,ନାହାକ ର ପରାମର୍ଶ କ୍ରମେ ବାହାଘର ତାରିଖ ଚୂଡାନ୍ତ କରିଦେଲେ |
              ନିର୍ଦ୍ଦିଷ୍ଟ ତିଥିରେ ମହାସମାରୋହରେ ନିରାଲୀ ର ବାହାଘର ହୋଇଗଲା |ଏ ବିବାହରେ ଉଭୟ ସୁଶୀଳା ଓ ଗୋବିନ୍ଦ ଏତେ ଖୁସି ଥିଲେଯେ ବରପକ୍ଷର କିଛି ଦାବୀ ନଥିବା ସତ୍ତ୍ବେ ସେମାନଂକ ମନପସନ୍ଦ ର ସବୁ ଜିନିଷ  ଝିଅ ଝୋଲିରେ  ଭରି ଦେଇଥିଲେ |ତାଂକର ଏଇ ଆନନ୍ଦ ବାହାଘର ପରେ ବି ଜାରି ରହିଲା |ବାହାଘର ର ଦଶଦିନ ପରେ କିପରି ପୁଅର  ପଦୋନ୍ନତି ହେଲା,ଦୀର୍ଘକାଳ ଧରି କୋର୍ଟରେ ଗଡୁଥିବା କେଶରେ ତାଂକର ବିଜୟ ହେଲା,ଭାଇ ମାନଂକ ମଧ୍ୟରେ ଥିବା ମନୋମାଳିନ୍ୟ ତୁଟି ସମସ୍ତେ ପୁଣି ଏକାଠି ହୋଇଗଲେ,ଇତ୍ୟାଦି,ଇତ୍ୟାଦି ..|ସବୁ ଶୁଣି ବାପା ମାଆଂକ ମନ କୁଣ୍ଢେମୋଟ ହୋଇଯାଉଥାଏ ଓ ସେମାନେ ଈଶ୍ବରଂକ ନିକଟରେ ପ୍ରାର୍ଥନା କରୁଥାନ୍ତି,ପ୍ରଭୁ,ତୁମର ଆଶୀର୍ବାଦର ହାତ ସବୁବେଳେ ଆମ ଝିଅ ମଥା ଉପରେ ଥାଉ |
                 ନିରାଲୀ ନିଜ ସ୍ବଭାବସୁଲଭ ବ୍ୟବହାରରେ  ଖୁବ୍ ଅଳ୍ପଦିନରେ ଶାଶୁଘରେ  ସମସ୍ତଂକୁ ଆପଣାର କରିନେଲା |ସେମାନଂକ ପରିବାର ଏକ ସୁଖୀ ପରିବାର ଥିଲା |କିନ୍ତୁ ସେମାନଂକର ଏକ ବଡ ଦୁଃଖ ରହିଥିଲା |ତାର ସାନନଣନ୍ଦ ଶିଳ୍ପା ବିବାହର ଛ ମାସପରେ ଆସି ବାପଘରେ ଥିଲା |ଇତିମଧ୍ୟରେ ବର୍ଷେ  ବିତି ଯାଇଥିଲେ ମଧ୍ୟ କଥାର ସମାଧାନ ନହେବାରୁ ସେମାନେ ଶିଳ୍ପାକୁ ଶାଶୁଘରକୁ ପଠାଉ ନଥିଲେ |ତା ପାଇଁ ଘରର ସମସ୍ତେ ମାନସିକ ଅଶାନ୍ତିରେ ଥିଲେ |କିନ୍ତୁ ଏସବୁର ମୂଳ କାରଣ ନିରାଲୀ ଜାଣିପାରୁ ନଥିଲା |ନୂଆବୋହୂ ହିସାବରେ ସେ ଏକଥା କାହାକୁ ପଚାରିବାକୁ ଉଚିତ ମନେକରୁ ନଥିଲା |ଦିନେ ଶାଶୁ କହୁ କହୁ କହିଦେଲେ,ଗୋଟିଏ ପୁଅ,ଭଲ ଚାକିରୀ ଦେଖି ଆମେ ବାହାଘର କଲୁ |ହେଲେ ପୁଅ ରହିଲା,ହାଇଦ୍ରାବାଦରେ ଆଉ ଝିଅ ରହିଲା,ଗାଁ ରେ |ତିନିଟା ବଡଭଉଣୀ ବାହାହୋଇ ଯେ ଝା ଶାଶୁଘରେ ରହିବା କଥା |ସେକଥା ନକରି  ସେଗୁଡା  ମାସରେ ପଚିଶ ଦିନ ଆସି ବାପଘରେ ଆଡ୍ଡା ଜମାନ୍ତି |ଆଉ ସମସ୍ତଂକୁ ରୋଷେଇ କରି ମୋ ଝିଅ ଖାଇବାକୁ ଦବ |କେତେ ଅଲିଅଳରେ ଆମେ ଝିଅକୁ ବଢେଇ ଥିଲୁ,କୁଟା ଖଣ୍ଡକୁ ଦିଖଣ୍ଡ କରୁନଥିଲା,ତା ଭାଗ୍ୟରେ ପୁଣି ଏଇଆ ଲେଖା ଥିଲା ?ସେଥିରେ ପୁଣି କଣ ଗୁଣୀ ପେଷିଛନ୍ତି ଯେ ସବୁବେଳେ ତା ଦେହ ଖରାପ |ଯେତେ ଔଷଧ ଖାଇଲେ ବି ଦେହ ଭଲ ହଉନି |ଶାଶୁଂକ କଥା ଶୁଣି ନିରାଲୀ ମନ ଦୁଃଖରେ ଭରିଗଲା |ଶିଳ୍ପା ସବୁବେଳେ ଉଦାସ ଥାଏ,ନିରାଲୀ ସହିତ ପ୍ରାୟ କଥାବାର୍ତ୍ତା କରେନାହିଁ |
             ଦିନେ ପୁଣି ଶିଳ୍ପା ଅସୁସ୍ଥ ହୋଇଗଲା |ତାକୁ ନେଇ ଶାଶୁ ଡାକ୍ତରଂକ ପାଖକୁ ଗଲେ |ସେମାନେ ଯିବାପରେ ନିରାଲୀ ମନେ ମନେ ଜଣା ଅଜଣା ସବୁ ଠାକୁରଂକୁ ନିଜ ଗୁହାରୀ ଜଣାଇ ଶିଳ୍ପାର ବୈବାହିକ ଜୀବନର ସମାଧାନ ପାଇଁ  କୃପାଭିକ୍ଷା କଲା |ସେ ଭାବୁଥିଲା,ଏମାନେ ଏତେ ଭଲଲୋକ ହୋଇ ଠାକୁର କାହିଁକି ଏତେ ଦୁଃଖ ଦେଲେ ?ସେ ଏହାର କିଛି ବି କୂଳ କିନାରା ପାଉ ନଥିଲା |କିଛି  ସମୟପରେ ଶାଶୁ ଓ ଶିଳ୍ପା ଫେରିଲେ |ସେମାନଂକ ଠାରୁ କିଛି ଶୁଣିବାପାଇଁ ଉତ୍ସୁକତାର ସହ ସେମାନଂକୁ  ଚାହିଁଲା |କିନ୍ତୁ ଶାଶୁ ଚାଲିଗଲେ ରୋଷେଇଘରକୁ ଓ ଶିଳ୍ପା ନିଜ ରୁମକୁ ଫେରି ଆସିଲା |ତା ଯିବା ବାଟକୁ ଚାହିଁ ରହିଲା ସେ |ହଠାତ୍ ସେ ଲକ୍ଷ୍ୟ କଲା,ଶିଳ୍ପା ତା ବ୍ୟାଗରୁ ଉଭୟ ଔଷଧ ଓ ପ୍ରେସକ୍ରୀପସନ କାଢି  ଖଟ ତଳକୁ ଫିଂଗିଦେଲା |ନିରାଲୀ ଆଶ୍ଚର୍ଯ୍ୟ ହୋଇଗଲା |ଏତେ କଷ୍ଟ କରି ଡାକ୍ତରଂକ ସହିତ ପରାମର୍ଶ କରି ଔଷଧ ଆଣିବା ପରେ ତାକୁ ସେ ନଖାଇ କାହିଁକି ଫିଂଗିଦେଲା ?ହୁଏତ ସେ ଭୁଲ ଦେଖିଥାଇପାରେ ,ଏହା ଭାବି ଶିଳ୍ପା ଗାଧୋଇବାକୁ ଯିବାପରେ ଖଟତଳକୁ ଭଲକରି ଦେଖିଲା |ଖଟତଳେ ଗୋଟିଏ ମଧ୍ୟମ ଧରଣର ଆଟାଚି ଅଧାଖୋଲା ଅବସ୍ଥାରେ ଥିଲା |ସେ ତାହାକୁ ଖୋଲି ଦେଖିଲା,ସେଥିରେ ବିଭିନ୍ନ ତାରିଖର ଅସଂଖ୍ୟ ପ୍ରେସକ୍ରୀପସନ ସହ ଅବ୍ୟବହୃତ ଔଷଧ ଗଦା ହୋଇରହିଛି |ସେଥିରୁ ଗୋଟିଏ ବି ବଟିକା ବ୍ୟବହାର ହୋଇନାହିଁ |ନିରାଲୀ ଆଶ୍ଚର୍ଯ୍ୟ ହୋଇଗଲା |ଶିଳ୍ପା ଡାକ୍ତରଂକ ପାଖକୁ ଯାଇ ଔଷଧ ଆଣୁଛି ଅଥଚ ତାହାକୁ ଖାଉନି ?ଏହା କଣ ତାର ରୋଗ ଭଲ ନହେବାର କାରଣ ?ସେ କାହିଁକି ଏପରି କରୁଛି ?ସେ ମନେ ମନେ ଭାବିଲା,ଶିଳ୍ପା ଯାହା ଭାବୁ ପଛକେ,ସେ ତାକୁ ନିଶ୍ଚୟ ଏହାର କାରଣ ପଚାରିବ |ଯୋଗକୁ ସେଦିନ ସନ୍ଧ୍ୟାପରେ ଶିଳ୍ପା ଛାତ ଉପରେ ବସିଥିଲା |ଶାଶୁଂକୁ କହି ସେ ମଧ୍ୟ ଛାତ ଉପରକୁ ଗଲା |ନିରାଲୀକୁ ଦେଖି ଶିଳ୍ପା ମୁହଁ ବୁଲେଇ ବସିଲା | ସେ ତା ସହିତ କଥା ହେବାକୁ ଚାହେଁନାହିଁ ବୋଲି ,ସତେକି ପରୋକ୍ଷରେ ଜଣେଇ ଦେବାକୁ ଚାହୁଁଥିଲା |କିନ୍ତୁ ନିରାଲୀ ଏହାକୁ ନଜରଅନ୍ଦାଜ କରି ଶିଳ୍ପା ପାଖରେ ଯାଇ ବସିପଡିଲା |ଶିଳ୍ପା କିଛି କହିବା ଆଗରୁ ସେ କହିଲା,ମୁଁ ଖାଲି ପଦେକଥା ତମକୁ ପଚାରିବାକୁ ଆସିଛି,ତମର ଇଚ୍ଛା ହେଲେ ଉତ୍ତର ଦେବ,ନହେଲେ ମୁଁ ଚାଲିଯିବି |ସେ ପୁଣି କହିଲା,ତମେ ଡାକ୍ତରଂକ ପାଖକୁ ଯାଉଛ,ଔଷଧ ଆଣୁଛ,ଅଥଚ ତାକୁ ଖାଉନ କାହିଁକି ?ତା କଥା ଶୁଣି ଶିଳ୍ପା ଚମକି ପଡିଲା |ପ୍ରଥମେ ପ୍ରଥମେ ସେ  ଏହାକୁ ଫାଂକି ଦେବାକୁ ବସିଥିଲା |କିନ୍ତୁ ପରେ ନରମିଯାଇ ନିରାଲୀ ହାତ ଧରି କହିଲା,ପ୍ଲିଜ୍ ଭାଉଜ,ଏକଥା ଘରେ କାହାରିକୁ କହିବନି |ନିରାଲୀ ପଚାରିଲା,କିନ୍ତୁ ତମେ ଔଷଧ ଖାଉନ କାହିଁକି ?ଶିଳ୍ପା ଅନେକ ସମୟ ସେମିତି ନୀରବରେ ବସି ରହିଲା |ତାପରେ କହିଲା,ମୁଁ ଔଷଧ ଖାଉନି କିମ୍ବା ଖାଇବାକୁ ଚାହେଁନା କାରଣ ମୁଁ ବଂଚିବାକୁ ଚାହେଁନା |
                 ସେଦିନ ଶିଳ୍ପା ,ନିରାଲୀ ନିକଟରେ ନିଜ ଅନ୍ତର ଖୋଲିଦେଇଥିଲା |ସେ କହିଲା,ଏମାନେ କହୁଛନ୍ତି,ମୋ ନଣନ୍ଦମାନେ ସବୁବେଳେ ବାପଘରକୁ ଆସି ମତେ ଖଟଉଛନ୍ତି |କିନ୍ତୁ ଏକଥା ସତ ନୁହେଁ |ସେମାନେ ଯେବେ ଆସନ୍ତି,ମତେ କିଛିକାମ କରେଇ ଦିଅନ୍ତି ନାହିଁ |ଝିଅମାନେ ତ ସବୁବେଳେ ବାପଘରକୁ ଆସିବାକୁ ଭଲ ପାଆନ୍ତି |ତାଂକୁ ମନା କରିବ କିଏ ?ମୁଁ ଏବେ ବାପଘରେ ବର୍ଷେ ଉପରେ ରହିଲିଣି |ତମେ କଣ ମତେ ଏଇଠୁ ଜବରଦସ୍ତି ବାହାର କରିଦେବ ?ଆଉ ରହିଲା,ୟାଂକ କଥା |ତାଂକର ଯବ ବଦଳେଇବାର ଥିଲା |ତାପରେ ମୁଁ ତାଂକ ପାଖକୁ ଯାଇଥାନ୍ତି |କିନ୍ତୁ ଏମାନେ ଅର୍ଥକୁ ଅନର୍ଥ କରି ମତେ ଏଠାକୁ ନେଇ ଆସିଲେ  |ସେ ସବୁବେଳେ ମୋ ସଂଗେ ଫୋନରେ କଥା ହେଉଥିଲେ |କାଳେ ମତେ ଶିଖେଇଦେବେ,ସେଥିପାଇଁ ମା ରାଗିଯାଇ ମୋଠାରୁ ଫୋନ୍ ନେଇଗଲେ |ମୁଁ ଛ ମାସରୁ ଅଧିକ ଦିନ ହେଲାଣି ତାଂକ ସହିତ କଥା ହୋଇନି |ତମେ କୁହ ମୁଁ ବଂଚିବି କାହିଁକି ?ଶିଳ୍ପା ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା |କେତେଦିନ ଧରି ତାର ହୃଦୟରେ ଜମାଟ ବାନ୍ଧିଥିବା ଦୁଃଖ ସ୍ନେହର ଉଷ୍ମତା ପାଇ ତରଳିବାକୁ ଆରମ୍ଭ କରିଥିଲା ଯେପରି |ନିରାଲୀ କହିଲା,ତାଂକର ଫୋନ୍ ନମ୍ବର ମତେ ଟିକେ କହିବ |ଶିଳ୍ପା କହିଲା,ନାଁ ଭାଉଜ,ମୋ ଦୁଃଖ ମୋ ପାଖରେ ଥାଉ ,ତୁମେ ସେଥିରେ ଅଯଥା ମୁଣ୍ଡ ପୁରାଅ ନାହିଁ |ନିରାଲୀ କହିଲା,ସେମିତି କେମିତି ହେବ ?କଥାଟା ଆରମ୍ଭ ହୋଇଛି ଯେତେବେଳେ ,ମୁଁ ଶେଷ ନକରି ଏଇଠୁ ଯାଉନି |ଜୋରକରି ତାଠାରୁ ଶଶାଂକର ନମ୍ବର ଆଣି ନିଜ ମୋବାଇଲରେ ଦୁହିଁକୁ କଥା କରେଇ ସେ ସେଠାରୁ ଚାଲି ଆସିଲା |
               ଏହି ଘଟଣାର ପନ୍ଦରଦିନ ପରେ ଦିନେ ଶିଳ୍ପାର ଶାଶୁଘର ଖବର ଦେଲେ,ସେମାନେ ଅମୁକ ଦିନ ତାଂକ ବୋହୁକୁ ନେବାପାଇଁ ଆସିବେ |ଖବର ପାଇ ନିରାଲୀର ଶାଶୁ ଭୀଷଣ ବିରକ୍ତ ହେଲେ |କହିଲେ,ହଠାତ୍ ସେମାନେ କେମିତି ଆମ ଝିଅକୁ ନେଇ ଚାଲିଯିବେ ?ତାକୁ ସେମାନେ ସେଇଠି ଭଲରେ ରଖିବେ କି ନାହିଁ ଆମେ ଜାଣିବୁ କେମିତି ?ଏଥରକ ଶିଳ୍ପା ମୁହଁ ଖୋଲିଲା |କହିଲା,ମା ସେମାନେ ଆସିଲେ ମୁଁ ଯିବି |ତମେ ମନା କରନି |ଶିଳ୍ପା ମୁହଁରୁ ଏକଥା ଶୁଣି ନିରାଲୀର ଶାଶୁ ଆକାଶରୁ ଖସି ପଡିଲେ ଯେମିତି |ସେ ଆଉ କିଛି କହିଲେ ନାହିଁ |ନିର୍ଦ୍ଦିଷ୍ଟ ଦିନ ଶଶାଂକ ଓ ତାର ମା ତାକୁ ନେବାକୁ ଆସିଲେ |ଶିଳ୍ପା ସମସ୍ତଂକୁ ଭୂମିଷ୍ଠ ପ୍ରଣାମ କରି ଖୁସିମନରେ ଶାଶୁଘରକୁ ଗଲା |କିଛିଦିନ ପରେ ଖବର ଆସିଲା,ଶଶାଂକ ନିଜର ନୂତନ କର୍ମସ୍ଥଳୀ ବାଂଗାଲୋରରେ ଯୋଗ ଦେଇଛି ଓ ତା ସହିତ ଶିଳ୍ପାକୁ ସାଂଗରେ ନେଇ ଯାଇଛି |..........
By---Mamata Mohanty .06-10-2018.Melbourne.
           

Tuesday, September 4, 2018

ମୋ ଶାଶୁ

                 ମୋ ଜୀବନରେ ଦୁଇଜଣଂକ ଦ୍ବାରା ମୁଁ ଅଧିକ ପ୍ରଭାବିତ ହୋଇଛି |ଜଣେ ହେଲେ ମୋ ବାପା ଓ ଅନ୍ୟ ଜଣକ ହେଲେ ମୋ ଶାଶୁ |ବାହାଘର ପୂର୍ବରୁ ମୋ ବାପା ଓ ବାହାଘର ପରେ ମୋ ଶାଶୁଂକ ଭୁମିକା ମୋ ଜୀବନରେ ମୁଁ ବିଶେଷ ଭାବରେ ଅନୁଭବ କରିଛି  |ସେମାନଂକ ଠାରୁ ମୁଁ ବହୁତ କଥା ଶିଖିଛି , ଜାଣିଛି ଓ ସେମାନଂକ ଉପଦେଶ ମାନିଛି  |ଉଭୟେ ବେଶ କଡାମିଜାଜ ର ଥିଲେ | ମୋ ଜାଣିବାରେ ,ଉପରକୁ  ଯେତେ ଭୟଂକର ଦେଖାଗଲେ ମଧ୍ୟ ରାଗୀଲୋକଂକ ହୃଦୟ ଅତ୍ୟନ୍ତ ନରମ ହୋଇଥାଏ  ଓ ସେମାନେ ଅତ୍ୟନ୍ତ ସ୍ପଷ୍ଟବାଦୀ ହୋଇଥାନ୍ତି |ସେମାନେ ଉପରେ ଯାହା, ଭିତରେ ମଧ୍ୟ ତାହା ହୋଇଥାନ୍ତି ଓ କ୍ଷଣକ ପାଇଁ କ୍ରୋଧ କରି ପରମୁହୂର୍ତ୍ତ ରେ ସେକଥା ଭୁଲି ଯାଆନ୍ତି |ମୋ ଶାଶୁ ସେହିଭଳି ଥିଲେ |ମୁଣ୍ଡରେ ଦୁଇହାତ ଲମ୍ବା ଓଢ଼ଣା,ଦୁଇ ହାତରେ ଦୁଇ ଡର୍ଜନରୁ ଅଧିକ ସଂଖ୍ୟକ ଚୁଡି ଯାହାକୁ ସେ କ୍ବଚିତ ବଦଳେଉ ଥିଲେ   |କପାଳରେ ତାଂକର  ଆଠଣି ଆକୃତିର ସିନ୍ଦୂର ଟୋପା ସବୁବେଳେ ଝଲସୁ ଥିଲା  ଓ ତାହା କେବେବି ଧୁଆ ହେଉ ନଥିଲା  | ସେ ଆଣ୍ଠୁ ତଳ ପର୍ଯ୍ୟନ୍ତ ସାଧା ଶାଢୀ ପିନ୍ଧୁଥିଲେ  | ଅଚିହ୍ନା ଲୋକ ଦେଖିଲେ,ଓଢ଼ଣା ଆହୁରି ହାତେ ଲମ୍ବେଇ ଦେଉଥିଲେ  |ବିଭିନ୍ନ ପ୍ରକାର ମସଲା ପକାଇ ସେ କଡାପାନ ଖାଇବାକୁ ଭାରି ଭଲ ପାଉଥିଲେ  |
            ଆମେ ଚାରିବୋହୂ ଥିଲୁ |ବଡବୋହୂ,ଅପୂର୍ବ ସୁନ୍ଦରୀ, ସାକ୍ଷାତ ଅନ୍ନପୂର୍ଣ୍ଣା ,ନିମିଷକେ ଅତି ସୁଆଦିଆ ଛ ତିଅଣ ନ ଭଜା ରାନ୍ଧିଦେବେ |ପିଠାପଣା କଥା ନକହିବା ଭଲ |ଦୁଇଶହ ପ୍ରକାର ଭଳିକି ଭଳି ପିଠା କରିବାରେ ସେ ଧୁରନ୍ଧର |ଶାଶୁ ତାଂକ ହାତରନ୍ଧାକୁ ଭାରି ଭଲ ପାଉଥିଲେ |ଦ୍ବିତୀୟ ବୋହୂ ,ଘର ସଫାସୁତୁରା କରି ,ସବୁବେଳେ ଅତି ସୁନ୍ଦରଭାବେ ସଜେଇ ରଖିଥାଆନ୍ତି |ତାଂକର ଏହିଗୁଣ ଶାଶୁଂକର ବହୁତ ପସନ୍ଦ ଥିଲା |ତୃତୀୟ ବୋହୂ ଉଚ୍ଚଶିକ୍ଷିତା |ଓଡ଼ିଆରେ ପି.ଏଚ୍.ଡି.କରିଥିଲେ |ଶାଶୁଂକୁ ଭଲ ଦାମିକା ଶାଢୀ ଦିଅନ୍ତି |ମିଠା କଥା କହନ୍ତି |ଶାଶୁଂକ ଯେତେବେଳେ ଯାହା ଦରକାର ,ଦିଅନ୍ତି |ତେଣୁ ସେ ମଧ୍ୟ ଶାଶୁଂକ ପ୍ରିୟ |ମୁଁ ଚତୁର୍ଥ ବୋହୂ ,କୌଣସି ବିଶେଷ ଗୁଣ ମୋଠାରେ ନାହିଁ |କିନ୍ତୁ ମୁଁ ଥିଲି ଶାଶୁଂକ ଆଜ୍ଞାଧୀନା,ଆଖିବୁଜି ତାଂକ ଆଦେଶ  ପାଳନ କରୁଥିଲି  |ମୁଁ ବୋଉ ବୋଲି ଡାକିଦେଲେ ସେ ଖୁସିରେ ଗଦ ଗଦ ହୋଇ ଯାଉଥିଲେ, ଆଉ କହୁଥିଲେ,ଏମିତି ସୁନ୍ଦର ଡାକ କିଏ ଡାକିବ ଲୋ  |ଶାଶୁ ତାଂକ ପୁଅମାନଂକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ | ପୁଅମାନଂକ ବିରୁଦ୍ଧରେ ତାଂକର କେବେବି କିଛି ଅଭିଯୋଗ ନଥିଲା  |ଦୁଇଝିଅଂକ ମଧ୍ୟରୁ ସାନଝିଅ ,ସର୍ବ ଗୁଣ ସମ୍ପନ୍ନା 'ମନି' ଥିଲେ ତାଂକ ନୟନମଣି |ଶୟନେ, ସ୍ବପନେ,ଜାଗରଣେ ସେ କେବଳ ତାଂକ କଥାହିଁ ଚିନ୍ତା କରୁଥିଲେ ଓ ତାଂକପାଇଁ ବ୍ୟସ୍ତ ହେଉଥିଲେ |ବିବାହ ପୂର୍ବରୁ ମନି ଘରର ସର୍ବେସର୍ବା ଥିଲେ |ଅତି ଛୋଟ ଛୋଟ କାର୍ଯ୍ୟ ପାଇଁ ମଧ୍ୟ ଶାଶୁ ମନିଂକ ଉପରେ ନିର୍ଭର କରୁଥିଲେ |ତାଂକ ବିବାହ ପରେ ,ଅନେକ ଦିନ ପର୍ଯ୍ୟନ୍ତ ଶାଶୁ ଅତ୍ୟନ୍ତ ଅସହାୟ ହୋଇ ପଡିଥିଲେ ଓ ନିଜକୁ ସମ୍ଭାଳିବା ପାଇଁ ତାଂକୁ ଅନେକଦିନ ଲାଗିଥିଲା |ଜ୍ୟେଷ୍ଠ ଦେଢଶୁରଂକ  ବଡ ଝିଅ ବୁନୁ,ମୋର ଦୁଇପୁଅ ତପୁ,ଚିତୁ ଓ ଦାଦାଶ୍ବଶୁରଂକ ମଝିଆ ପୁଅ, ଦିଲୁଂକୁ ସେ ବହୁତ ଭଲ ପାଉଥିଲେ |ବୁନୁଂକୁ ସେ 'ହଗୁରୀ'ନାମରେ ଡାକୁଥିଲେ ଓ ତପୁର ନାଁ ଦେଇଥିଲେ,'ଶୁକୁଟା' | 'ଚିତୁ'ନାମ ମୋ ନଣନ୍ଦ 'ମନି' ଦେଇଥିଲେ |ତେଣୁ ତାହା ଅପରିବର୍ତ୍ତିତ ରହିଥିଲା |ବଡପୁଅ ଛୋଟ ଥିଲାବେଳେ ତାକୁ  କୋଳରେ ବସେଇ ଗୀତ ବୋଲନ୍ତି,'ଆରେ ଶୁକୁଟା,ଦାନ୍ତ ନିକୁଟା,ଖଇରି କୁଟା,....ତୋ  ମାଆ ଯାଇଛି ଅସୁରେଶ୍ବର,ତୋ ପାଇଁ ଆଣିବ,ଧୋବେଇ ବର '....|ପୁଣି 'ଝୁଲରେ ହାତୀ ଝୁଲ୍' ଆଦି ଅନେକ ଗୀତ ବୋଲି ତାକୁ ବହୁତ ଗେଲ୍ହା କରୁଥିଲେ  |ଦୁଇ ନାତି ତାଂକୁ ବହୁତ ଭଲ ପାଉଥିଲେ  |ସେ ବଡପୁଅର ଯାଆଁ ବାଳ ଆମ ଗାଁ ନିକଟସ୍ଥ 'ମା ସାରଳାଂକ ପାଖରେ ପକେଇ ଥିବା ବେଳେ ,ସାନପୁଅର ବାଳ ଗାଁ 'ମହାପୁରୁଷଂକ ପାଖରେ ପକେଇ ଥିଲେ | ଦିନକର ଘଟଣା ,ସେତେବେଳେ ବଡପୁଅ ବର୍ଷକର ହୋଇଥାଏ |ଆମେ ଗାଁକୁ ଯାଇଥିଲୁ |ସେଦିନ ରାତିରେ  ପୁଅକୁ ହଠାତ୍ ଜ୍ବର ଆସିଲା ଓ ସେ ଭୟରେ ଥରିବାକୁ ଲାଗିଲା |ଶାଶୁ କହିଲେ,ସେ ଅମୁକ ଡାହାଣୀ ଆଜି ଆସି ତାକୁ ଧରିଥିଲା,ସେଇ ତାକୁ ଶୋଷିଛି |ଏକଥା ଶୁଣି କେହି ବିଶ୍ବାସ କଲେନାହିଁ |କହିଲେ,ଏତେ ଶୁକୁଟା ପିଲାକୁ କାହିଁକି ଡାହାଣୀ ଲାଗିବ ?କିନ୍ତୁ ଶାଶୁଂକ ବିଶ୍ବାସ ଅଟଳ  ଥିଲା |ସେ ନିଜେ ଯାଇଁ ନିକଟରେ ଥିବା  ଗୁଣିଆକୁ ଡାକି ଆଣିଲେ |ସେ ପୁଅକୁ ଦେଖୁ ଦେଖୁ କହିଲା,ଶକତ ଡାହାଣୀ ଲାଗିଛି |ଖଡିରେ ଗୋଲ ଆକୃତି କରି ତା ଭିତରେ ପୁଅକୁ ବସେଇ ଝଡାଫୁଂକା କରି ସେ ଏକମୁହାଁ ହୋଇ ଚାଲିଗଲା |ସତକୁ ସତ ଘଣ୍ଟାଏ ପରେ ପୁଅର ଜ୍ବର ଛାଡିଗଲା ଓ ସେଦିନ ରାତିରେ ସେ ଗୋଟିଏ ନିଦରେ ଶୋଇ ସକାଳେ ଉଠିଲା ବେଳକୁ ପୁରା ସତେଜ ଲାଗୁଥିଲା |ସେଇଦିନ  ଠାରୁ ଗାଁକୁ ଗଲେ ଶାଶୁ ପିଲାମାନଂକୁ ଗୋଡେ ଗୋଡେ ଜଗୁଥିଲେ |
           ଶାଶୁ ପ୍ରତ୍ୟେକ ଦିନ ଭୋର ଚାରିଟା ପୂର୍ବରୁ ଉଠୁଥିଲେ |ଚାରିଆଡେ ଗୋବର ପାଣି ଛିଂଚି ସେ ପ୍ରଥମେ ଦାଣ୍ଡ ପହଁରୁଥିଲେ  ଓ ତାପରେ ଅନ୍ୟାନ୍ୟ କାମ ଶେଷ କରି ଗାଧୋଇ ସାରିବା ବେଳକୁ ପ୍ରାୟ କେହି ବିଛଣା ଛାଡି ନଥାନ୍ତି |ଶାଶୁଂକ ଛୁଆଁ ଛୁତି ପ୍ରତି ଅନେକ ବାରଣ |ଯେତେଥର ସେ ବାହାରକୁ ଯାଉଥିଲେ ,ଗାଧୋଇ କରି ଓଦାଲୁଗାରେ ଆସୁଥିଲେ  ଓ ସେ ଲୁଗା ପୁଣିଥରେ  ଧୋଇ ଶୁଖାଉଥିଲେ  |ଯେଉଁ ଲୁଗା ପିନ୍ଧି ଶ୍ବଶୁର ବାହାରକୁ ଯାଉଥିଲେ,ଘରକୁ ଫେରିଲେ,ତାହା ସାବୁନରେ ଧୁଆ ହେଉଥିଲା   |ଘରକୁ ଲୋକ ଆସିଲେ,ସେମାନେ ଯିବାପରେ ପାଂପୋଛ ସହିତ ଘର ଧୁଆ ହେବା ନିଶ୍ଚିତ ||ଶାଶୁ ଖୁବ୍ କମ୍ ତେଲରେ ସ୍ବାଦିଷ୍ଟ ଭୋଜନ ବନେଇ ପାରୁଥିଲେ  |ଅଧକିଲୋ ସୋରିଷତେଲ ତାଂକର ଛ' ମାସ ଯାଉଥିଲା |ତାଂକର ଏହି କଳା ମୁଁ ଶତ ଚେଷ୍ଟା ସତ୍ତ୍ବେ ଶିଖି ପାରିଲି ନାହିଁ |ତାଂକୁ ବେଶି ତେଲ କିମ୍ବା  ବେଶି ମିଠା ଆଦୌ ଭଲ ଲାଗୁନଥିଲା  |ଥରେ ମତେ ବହୁତ ଥଣ୍ଡା ହୋଇଥିଲା |ସେ ପ୍ରତିଦିନ ଯେଉଁ ଚା ପିଅନ୍ତି ସେଥିରୁ କପେ ଆଣି ମତେ ଦେଲେ |ସେଥିରେ ଚିନି ବଦଳରେ ଲୁଣ ପଡିଥିଲା ଓ ତା ସହିତ ଅଦା,ଗୋଲମରିଚ,ଗୁଜୁରାତି ,ଲବଂଗ ଓ ତେଜପତ୍ର ଆଦି କେତେ କଣ ପଡିଥିଲା  |ସେଇ ଚା ମତେ ସେଦିନ  ଅମୃତ ପରି ଲାଗୁଥିଲା |ସାହସ କରି ତାଂକୁ ଆଉ କପେ ମାଗି ପାରିଲି ନାହିଁ |ତାକୁ  ପିଇ ମୋ ଥଣ୍ଡା କୁଆଡେ ଗାଏବ ହୋଇଯାଇଥିଲା  |ଏମିତି ଚା  ଆଜିଯାକେ କିଏ  ବନେଇ ପାରିବା ମୁଁ ଜାଣିନାହିଁ |ଦ୍ବିପହର ହେଉ ବା ରାତି ହେଉ,ଖାଇବା ପୂର୍ବରୁ  ରୋଷେଇ ଘର ଲିପିବା ପରେ ହିଁ ସେ ଖାଉଥିଲେ  |ଖାଇବା ପରେ ସଂଗେ ସଂଗେ ବାସନ ମଜା ହେଉ ଥିଲା  |ରାତି ଅଇଁଠା ବାସନ ସକାଳକୁ ଆଦୌ ରହୁନଥିଲା  |ସେ କହୁଥିଲେ,ଅଇଁଠାବାସନ ସକାଳକୁ ରହିଲେ,ସବାଖିଆ ରେ ଯାଏ  |
              ସେ କେବେହେଲେ ଘଣ୍ଟା ଘଣ୍ଟା ଧରି ଠାକୁରପୂଜା କରୁନଥିଲେ |ତାଂକପାଇଁ ଜୀବନ୍ତଠାକୁର ଥିଲେ,ମୋ ଶ୍ବଶୁର |ସେ ମତେ ସବୁବେଳେ କହୁଥିଲେ,ପୁଅ ହେଉ ବା ଝିଅ ହେଉ,ବୁଢୀକାଳେ ତତେ କେହି  ପଚାରିବେନି | ମାରୁ,ହାଣୁ,କାଟୁ ଏକୁଟିଆ ତୋ ଗେରସ୍ତ  ତତେ ପଚାରିବ |ସିଏ ଯଦି ନପଚାରିଲା,ଜାଣିବୁ,ଦୁନିଆଁରେ ତୋର ଆଉ କେହି ନାହିଁ | ସକାଳେ ବିଛଣା ଛାଡିବା ପୂର୍ବରୁ ସେ ଶ୍ବଶୁରଂକ ପାଦ ଛୁଇଁ ପ୍ରଣାମ କରୁଥିଲେ |ଗାଧୋଇସାରି ପ୍ରଥମେ ସେ ଚଉରା ରେ ପାଣି ଦେଉଥିଲେ |ତାପରେ ଅତି ଯତ୍ନରେ ଦୁଇ ଭ୍ରୂଲତା ମଝିରେ ଓ ସିଂଥାରେ ସିନ୍ଦୂର ଲଗେଇ, ସିନ୍ଦୂର ହାତ  ନିଜ ଚୁଡ଼ିରେ ବୋଳୁଥିଲେ |ଏହାପରେ ନିର୍ମାଲ୍ୟପେଡି ଖୋଲି,ନିର୍ମାଲ୍ୟ ପାଉଥିଲେ ଓ ଦୁଇହାତ ଯୋଡି  ମନେମନେ ବଡ ଚଉରା ଓ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରୁଥିଲେ |ତାପରେ ଶ୍ବଶୁରଂକ ଫଟରେ ଚନ୍ଦନ ଓ ଫୁଲ ଦେଇ ମୁଣ୍ଡିଆ ମାରୁଥିଲେ |ଏତିକି ହେଲା ତାଂକର ଠାକୁରପୂଜା, ଯାହାକୁ ସେ 'ସେବା'ବୋଲି କହୁଥିଲେ |
              ମୁଁ ରୋଷେଇବାସରେ ଦୁର୍ବଳ ,ଏଥିପାଇଁ ମୋର ଚାରିଆଡେ କୁଖ୍ୟାତି ରହିଛି |କିନ୍ତୁ ଦୁନିଆଁରେ ଏକମାତ୍ର ଜଣେ  ମୋ ଶାଶୁ , ମୋ ରାନ୍ଧଣାକୁ ଭୁରି ଭୁରି ପ୍ରଶଂସା କରୁଥିଲେ ଓ ଅସୀମ ତୃପ୍ତିରେ ଖାଉଥିଲେ |କହୁଥିଲେ,ଅମୃତ ପରି ଲାଗୁଛି |ମତେ ଆଶୀର୍ବାଦ ଦେଇ କହୁଥିଲେ,ସକଳ ଐଶ୍ବର୍ଯ୍ୟ ଭୋଗ କରିବୁ |ମତେ ଶାଶୁଂକ ପ୍ରଶଂସା ଶୁଣିବାକୁ ଭାରି ଭଲ ଲାଗୁଥିଲା |ସେଥିପାଇଁ ଶାଶୁ ମୋ ପାଖକୁ ଯେବେ ଆସୁଥିଲେ ,ମୁଁ ମୋ ଇଚ୍ଛା ଅନୁସାରେ ବିଭିନ୍ନ ପ୍ରକାର ତରକାରୀ,ପିଠା ଆଦି ତିଆରି କରୁଥିଲି  |ଶାଶୁ ପିଠାପଣା ଖାଇବାକୁ ଭାରି ଭଲ ପାଉଥିଲେ  |ଆମେ ଯେତେବେଳେ ଗାଁକୁ ଯାଉଥିଲୁ ,ସେ ତା ପୂର୍ବଦିନରୁ ପିଠା ପ୍ରସ୍ତୁତିରେ ଲାଗି ଯାଉଥିଲେ |ଭଳିକି ଭଳି ପିଠା ବନେଇ ଆମକୁ ଖାଇବାକୁ ଦେଉଥିଲେ ଓ ନିଜେ ଖାଉଥିଲେ |ମୋ ପିଲା ଆସିଛନ୍ତି କହି ଖୁସିରେ ତାଂକ ଆଖିକୁ ନିଦ ଆସୁନଥିଲା |
            ସେ ଖରାର ଗତି ଲକ୍ଷ୍ୟ କରି ସଠିକ୍ ସମୟ କହିପାରୁଥିଲେ |ସନ୍ଧ୍ୟା ହେବା ପୂର୍ବରୁ ଘର ର ଝରକା ଓ ବାହାରପଟ  କବାଟ ବନ୍ଦ କରିଦେଉଥିଲେ |ଘର ର ଚାବିନେନ୍ଥା ଗୋଟିଏ ସ୍ଥାନରେ ରହୁଥିଲା |ତାଂକର ଲୁଗା ସବୁବେଳେ ସଫାସୁତୁରା ଓ କେବେହେଲେ ଚିରୁ ନଥିଲା |ବର୍ଷ ବର୍ଷର ଲୁଗା ସେ ଅତି ଯତ୍ନରେ ସାଇତି ରଖୁଥିଲେ |ସେ କହୁଥିଲେ,ତୁମେ ଜିନିଷକୁ ଯତନ କଲେ,ଜିନିଷ ତୁମକୁ ଯତନ କରିବ |ପେଟରେ ଜାଗା ନଥାଉ ପଛକେ ସେ ଖାଇବା ପଦାର୍ଥ କେବେହେଲେ  ଫିଂଗୁ ନଥିଲେ |କହୁଥିଲେ,ଘରକୁ ଘରଣୀ,ବିଲକୁ ଖୋରଣୀ |ମା ଲକ୍ଷ୍ମୀଂକର ମାଣବସା ଓଷା ସେ ଖୁବ୍ କାଷ୍ଠାରେ  କରୁଥିଲେ |ଏବେ ଯେମିତି ମାର୍ଗଶୀର ମାସ ସାରା ଓଷା କରି ଶେଷପାଳିକୁ ଉଜେଇଁ ଦେଉଛନ୍ତି,ତାଂକୁ ସେମିତି ଆଦୌ ଭଲ ଲାଗୁନଥିଲା |ସେ ମାର୍ଗଶୀର ମାସ ଶୁକ୍ଲପକ୍ଷରେ ଗୋଟିଏ ପାଳି ଓ ମାଘମାସ ଶୁକ୍ଲପକ୍ଷରେ ଶେଷପାଳି କରି ବ୍ରତ ଉତ୍ଜାପନ କରୁଥିଲେ |ଏମିତି କରିବାର କେତୋଟି ବୈଜ୍ଞାନିକ ଓ ତାର୍କିକ କାରଣ ମଧ୍ୟ ତାଂକ ପାଖରେ ଥିଲା |
             ଶାଶୁଶ୍ବଶୁରଂକ ମଧ୍ୟରେ କେବେ ମତାନ୍ତର ବା ମନାନ୍ତର ହେବାର ମୁଁ ଜାଣିନି |ଶାଶୁଂକର ସମସ୍ତ କଥାକୁ ଶ୍ବଶୁରଂକ ସମର୍ଥନ ଥିଲା ଓ ଶ୍ବଶୁରଂକ ସମସ୍ତ କଥାକୁ ଶାଶୁଂକ ସମର୍ଥନ ରହିଥିଲା |ସେମାନଂକ ଭିତରୁ କେହି ଜଣେ ରାଗିଲେ ଅନ୍ୟଜଣେ ଚୁପ୍ ରହୁଥିଲେ |ଶ୍ବଶୁରଂକ ଥରେ ଭୀଷଣ ଦେହ ଖରାପ ହେଲା |ଆମେ ତାଂକୁ ଆମପାଖକୁ ନେଇ ଆସିଲୁ |ପରୀକ୍ଷା ପରେ ଜଣା ପଡିଲା,ତାଂକୁ ମାରାତ୍ମକ ଖାଦ୍ୟନଳୀ କ୍ୟାନସର ହୋଇଛି |ଶତଚେଷ୍ଟା ସତ୍ତ୍ବେ ସେ ଆରୋଗ୍ୟ ଲାଭ କରିପାରିଲେ ନାହିଁ |ଶାଶୁଂକ ସଧବା ହେବାର ସ୍ବପ୍ନକୁ ଧୂଳିସାତ୍ କରି ସେ ଚାଲିଗଲେ ଆରପୁରକୁ |ତାଂକର ମୃତ୍ୟୁକୁ ଶାଶୁ କେବେବି ସହଜରେ ଗ୍ରହଣ କରିପାରି ନଥିଲେ |ସେ ଭାବୁଥିଲେ,ତାଂକୁ କିଏ ଗୁଣୀ କରି ମାରିଦେଇଛି |ଏମିତି ଭାବି ଭାବି ଦୁଃଖ ଓ ହତାଶରେ ତାଂକର ମସ୍ତିଷ୍କବିକୃତି ଘଟିଲା |ଶେଷରେ ସେ ତାଂକର ଅତିପ୍ରିୟ ମାସ ମାର୍ଗଶିରମାସ ଶୁକ୍ଲପକ୍ଷରେ ଶେଷନିଶ୍ବାସ ତ୍ୟାଗ କଲେ |
              ଆଜି ସିନା ଶାଶୁ ଆମ ଗହଣରେ ନାହାନ୍ତି,ତାଂକର ପ୍ରତିଟି କଥା,ଉପଦେଶ ସବୁବେଳେ ମନେପଡି ମୋ  ହୃଦୟକୁ ଆନ୍ଦୋଳିତ କରି ଦେଉଛି |ଏବେବି ମତେ ଲାଗେ ସେ ମୋ ପାଖରେ ଥାଇ ମତେ ସ୍ନେହ ଆଦର  ଓ ଆକଟ କରୁଛନ୍ତି |ଶାଶୁଂକ ମୃତ୍ୟୁର କଛିମାସ ପରର ଘଟଣା |ଆମେ ସେତେବେଳେ ଭୁବନେଶ୍ବର ନଅ ନମ୍ବର ଫ୍ଲାଟରେ ଆମ ସରକାରୀ ଭଡାଘରେ ଥାଉ |ଖରାଦିନ ହୋଇଥିବାରୁ ମୁଁ ତଳେ ଶୋଇଥିଲି |ଅଧରାତିରେ ମତେ ଲାଗିଲା,କିଏ ଯେପରି ବାରମ୍ବାର ମୋ ପାଖ ଦେଇ ଚାଲି ମତେ ଝୁଣ୍ଟି ପଡୁଛି |ମୁଁ ଯେତେ କଡ ଲେଉଟାଇ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇ ପାରିଲି ନାହିଁ |ଉଠି ବସି ଦେଖିଲି,ଶାଶୁ କବାଟ ପାଖରେ ଛିଡା ହୋଇ ମତେ ରାଗିକରି ଚାହିଁଛନ୍ତି |ମତେ ଦେଖି କହିଲେ,କବାଟ ଖୋଲା ଅଛି,ଚାବି ପଡିନି |ଏହାପରେ ସେ ଅଦୃଶ୍ୟ ହୋଇଗଲେ |ପ୍ରକୃତିସ୍ଥ ହେବାପାଇଁ ମତେ କିଛିସମୟ ଲାଗିଲା |ମୁଁ ଉଠି ଦେଖିଲି,ସତକୁ ସତ ଆମର ମୁଖ୍ୟଦ୍ବାର ଗ୍ରୀଲରେ କୋଲପ ସହିତ ଚାବିନେନ୍ଥା ଲାଗିଛି କିନ୍ତୁ କୋଲପ ଖୋଲା ଅଛି |ସେତେବେଳେ ସେଠାରେ ଦିନଦ୍ବିପହରରେ ମଧ୍ୟ ଡକାୟତି ହୁଏ |ଏକ ଆସନ୍ନ ବିପଦରୁ ରକ୍ଷାପାଇ ଯାଇଥିବାରୁ ମୁଁ ଶାଶୁଂକୁ କୋଟି କୋଟି ଧନ୍ୟବାଦ ଦେଲି ଓ ତାଂକୁ କ୍ଷମା ମାଗିଲି |କେବଳ ଏଇ ଗୋଟିଏ ନୁହେଁ ଏମିତି କେତେ ବିପଦରୁ ସେ ଆମକୁ ରକ୍ଷା କରିଛନ୍ତି ,ସବୁ ଲେଖିଲେ ପୋଥି ହେବ |ଏବେବି ଯେତେବେଳେ ମୁଁ କୌଣସି ସମସ୍ୟାର ସମ୍ମୁଖୀନ ହୁଏ ଓ ମୋ ପାଖରେ ସମାଧାନର ରାସ୍ତା ନଥାଏ,ମୁଁ ଶାଶୁଂକୁ ମନେ ମନେ ସ୍ମରଣ କରେ ଓ ସଂଗେ ସଂଗେ ମୋ ସମସ୍ୟାର ସମାଧାନ ହୋଇଯାଏ |ଆଜି ପଛକୁ ଚାହିଁଲେ ,ସବୁ ସ୍ବପ୍ନ ପରି ମନେହୁଏ |ସୁଖର ଦିନ ଆଖିପିଛୁଳାକେ କେତେ ଶୀଘ୍ର ଚାଲିଗଲା,ଆଦୌ ଜଣା ପଡିଲାନି  |**********
By....Mamata Mohanty,04.09.2018           
   
                  

Tuesday, August 21, 2018

କଣ୍ଢେଇ

             ପିଲାଦିନେ ଭାରି ଗୁଲୁଗୁଲିଆ ଓ ଡଉଲ ଡାଉଲ ହୋଇଥିବାରୁ ଜେଜେମା ଅତି ଆଦରରେ ତାର ନାଁ ଦେଇଥିଲେ କଣ୍ଢେଇ |ଜେଜେମା କେବେଠାରୁ  ସରଗପୁରକୁ ଗଲେଣି  |ହେଲେ ସେ  କେଉଁ ବେଳାରେ ତା ନାଁ କଣ୍ଢେଇ ରଖିଥିଲେ କେଜାଣି  ସତକୁ ସତ ସେ ଗୋଟିଏ କଣ୍ଢେଇ ହୋଇ ରହିଗଲା |ତାକୁ ବସ  କହିଲେ ବସିବ,ଉଠ କହିଲେ ଉଠିବ |ଖାଇବା,ପିନ୍ଧିବାରେ କିଛି ପ୍ରତିବାଦ  ନାହିଁ |ଯାହା ଖାଇବାକୁ ଦେଲେ ଖାଇବ ,ପିନ୍ଧିବାକୁ ଦେଲେ ପିନ୍ଧିବ |ଜେଜେମା ବଂଚିଥିବା ପର୍ଯ୍ୟନ୍ତ ତାକୁ କଣ୍ଢେଇ ନାମରେ ଡାକୁଥିଲେ |ସେ ସ୍ଵର୍ଗବାସୀ  ହେବାପରେ ତା ନାଁ କଟି କାଟି ହୋଇଗଲା 'କୁନି' |ପିଲାଦିନୁ ତାର ନୀଳ ଆକାଶ,ନୀଳ ସମୂଦ୍ର ଓ ନୀଳ ରଂଗର ପ୍ରତୀକ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରବଳ ଆକର୍ଷଣ ରହିଥିଲା |ନୀଳରଂଗକୁ ଏତେ ଭଲ ପାଉଥିବା ସତ୍ତ୍ୱେ   ସେ କେବେହେଲେ ନୀଳରଂଗର ଡ୍ରେସ ପିନ୍ଧିବା ପାଇଁ ବାପା ମାଆଂକ ପାଖରେ ଅଳି କରି ନଥିଲା |ସେ ଓ ତାର ସାନଭାଇ ନୀଲୁ କଠୋର ଶୃଂଖଳା ଭିତରେ ବଡ ହୋଇଥିଲେ |ନୀଲୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ  ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଗଲା |କିନ୍ତୁ ସେ  ସାନଭାଇ ଅପେକ୍ଷା ମେଧାବୀ ଛାତ୍ରୀ ଥିବାବେଳେ ତାକୁ କଳାରେ ସ୍ନାତକ କରିବାକୁ ପଡିଲା |କାରଣ ବାପା ଶରତ ଓ  ମାଆ ମାନସୀ ଭାବୁଥିଲେ , ଝିଅକୁ ସେମାନେ  ଢେର୍ ସାରା ଯୌତୁକ ଦେଇ ଭଲ ଘରେ ବାହାଘର କରିବେ |ଦରକାର ପଡିଲେ,ସେମାନେ ଚାରିଚକିଆ ଯାନ ମଧ୍ୟ ଦେବେ |ଝିଅ ବି ତାଂକର ବେଶି ପାଠ ପଢି ଭବିଷ୍ୟତରେ ଚାକିରୀ କରିବାର ନାହିଁ |ତେଣୁ ଗୁଡାଏ ପାଠପଢେଇ   ଅଯଥା ଖର୍ଚ୍ଚ କରିବା କଣ ଦରକାର ?
           କୁନି ଦେଖିବାକୁ ଅପୂର୍ବ ସୁନ୍ଦରୀ ଥିଲା |ସେ ବି.ଏ .ପଢ଼ିବା ସମୟରେ ତା ପାଇଁ ଅନେକ ଭଲ ବିବାହ ପ୍ରସ୍ତାବ ଆସିଥିଲା |କିନ୍ତୁ   ଶରତ  ଏତେ କମ୍ ବୟସରେ ଝିଅ ବାହାଘର କରିବେ ନାହିଁ ବୋଲି ସେସବୁ ପ୍ରସ୍ତାବ ନାକଚ କରିଦେଇଥିଲେ  |ଘର ତିଆରି କରିବା ପରେ କୁନି ବାହାଘର କରିବା ପାଇଁ ସେମାନଂକ ଯୋଜନା ଥିଲା |ତିନିବର୍ଷ ଭିତରେ ଘର ତିଆରି କାମ ସରିଗଲା |ଭଲଦିନ ଦେଖି ମଧ୍ୟସ୍ଥିକୁ କୁନିର ଫଟ ଓ ଟିପଣା ଦେଇ ଯୋଗ୍ୟ ପାତ୍ର ଟିଏ ବୁଝିବା ପାଇଁ ମାନସୀ ଓ ଶରତ  ଅନୁରୋଧ କଲେ |ମାନସୀ କହିଲେ,ଆମେ ଚାରିଚକିଆ ଯାନ ସହ ସବୁକିଛି ଦେବୁ |କିନ୍ତୁ ପିଲା ଇଂଜିନିୟର କିମ୍ବା ଡାକ୍ତର ହେବା ଦରକାର |କୁଜି ଅମୁକ  ଚଳିବନି ,ଖାଣ୍ଟି ଅମୁକ  ଦରକାର |ଆଉ ଆମ କୁନି ସାଂଗେ ମ୍ୟାଚ କରି ପିଲାଟି  ସୁନ୍ଦର ହୋଇଥିବା ନିହାତି ଜରୁରୀ  |ମଧ୍ୟସ୍ଥି ତାର ପ୍ରାଥମିକ ପାଉଣା ନେଇ ବିଦାୟ ନେଲା |ସପ୍ତାହେ ପରେ ମଧ୍ୟସ୍ଥି ପପୁ ୨୦/୨୫ ପ୍ରସ୍ତାବ ଧରି ଘରେ ପହଂଚି ଗଲା |ବଡ ଆଗ୍ରହରେ ମାନସୀ ତାକୁ ଦେଖିଲେ |ସେଥିରୁ ଅଠରଟି ଜାତକ ଅମେଳ ଯୋଗୁ କଟିଗଲା |ବାକି ଯାହା ରହିଲା,କାହାର ଚେହେରା ଭଲ ନଥିଲା ତ କାହାର ଉଚ୍ଚତା ଅବଶ୍ୟକ ମୁତାବକ ନଥିଲା ,ପୁଣି କାହାର ବଂଶ ମର୍ଯାଦା ଠିକ ଠାକ୍ ନଥିଲା |ମାନସୀ ପପୁକୁ ଆକଟ କରି କହିଲେ,ଏଥରକ ମୁଁ ଯେମିତି କହିଥିଲି ସେମିତି ଆଣିବ,ଯେମିତି ଗୋଟିଏ ଥରରେ ପସନ୍ଦ ହୋଇଯିବ |କିନ୍ତୁ ପପୁ ଯେତେ ପ୍ରସ୍ତାବ ଆଣିଲେ ବି କୌଣସି ଗୋଟିଏ ବି ତାଂକ ମନକୁ ପାଇଲା ନାହିଁ |ଏମିତି ରେ ଆଉ ଦୁଇବର୍ଷ ବିତିଗଲା |ବେଳେବେଳେ ଏମିତି ହେଲା,ତାଂକୁ  ପୁଅ ପସନ୍ଦ ହୋଇଥିଲେ ,ପୁଅଘର ଝିଅକୁ ପସନ୍ଦ କଲେନାହିଁ ଓ ପୁଅଘର ଝିଅକୁ ପସନ୍ଦ କଲେ,ସେମାନେ ପୁଅକୁ ପସନ୍ଦ କଲେନାହିଁ |ଏମିତି କିଛି ବର୍ଷ ଚାଲିଲା ପରେ କୁନିପାଇଁ ଆଉ ବିବାହ ପ୍ରସ୍ତାବ ଆସିଲାନାହିଁ |ପପୁର ବି ଆଉ ଦେଖା ଦର୍ଶନ ମିଳିଲାନି |ସେତେବେଳକୁ କୁନିକୁ ବତିଶ ବର୍ଷ ହେଲାଣି |ଶରତ  ଓ ମାନସୀଂକ ଚିନ୍ତା ବଢ଼ିଗଲା |ଦିନେ ରବିବାର ସକାଳେ ପପୁ ଆସି ହଠାତ୍ ପହଂଚି ଗଲା |ମୁହଁରେ ତାର ବିଜୟସୂଚକ ହସ |ସତେକି ଗଡ ଜୟ କରି ଆସିଛି |କହିଲା,ମାଉସୀ ବହୁତ କଷ୍ଟରେ ଏଇ ପ୍ରସ୍ତାବଟି ମିଳିଛି |ୟାକୁ ଅରାଜି ହେଲେ ପଛକୁ ପସ୍ତେଇବ,ସେତେବେଳେ ମତେ ଆଉ ଦୋଷ ଦେବନାହିଁ |ପିଲାଟି କିରାଣୀ ଚାକିରୀ କରୁଛି |ସରକାରୀ ଚାକିରୀ ହେଲେହେଁ କଣ୍ଟ୍ରାକଚୁଆଲ ନିଯୁକ୍ତି |ବାପା ମାଂକର ଏକମାତ୍ର ସନ୍ତାନ |ପିଓର୍ ଅମୁକ,ଖାନଦାନୀ ଘର |ଶହୀଦନଗରରେ ତିନି ମହଲା କୋଠା |ଦୁଇଜଣଂକ ଏକାରାଶି,ଆଉ ଜାତକ ମିଳେଇବା ଦରକାର ନାହିଁ |ହଁ କହିଲେ ମୁଁ କାଲି ତାଂକ ଘରକୁ ଯିବି |ମାନସୀ ଦୀର୍ଘଶ୍ଵାସ  ଛାଡି କହିଲେ,ଏତେ ଖୋଜି ଖୋଜି ଶେଷରେ ଏଇ କିରାଣୀ ଟା ଆମ କପାଳରେ ଥିଲା !ସେ ପପୁକୁ କହିଲେ,ହଉ ତୁ ଦୁଇଦିନ ଛାଡି ଆସେ ,ଆମେ ନିଷ୍ପତ୍ତି ନେବା ପୂର୍ବରୁ ଟିକେ ଚିନ୍ତା କରିବୁ |
               କିନ୍ତୁ ଚିନ୍ତା କରିବା ପାଇଁ ସେମାନଂକ ପାଖରେ ଆଉ ଦ୍ୱିତୀୟ  ବିକଳ୍ପ  ନଥିଲା |ପପୁକୁ ସେମାନେ ହଁ କହିବା ପରେ ,ନାମକୁ ମାତ୍ର ଦେଖାଚାହାଁ ହେଲା |ମାସେ ପରେ  କୁନି ଓ ଅସୀମଂକର ବିବାହ ମହାସମାରୋହରେ ସମ୍ପନ୍ନ ହୋଇଗଲା  |ଶାଶୁଘରେ କୁନି ପରି ବୋହୂ ପାଇ ସମସ୍ତେ ଖୁସି ଥିଲେ |କିନ୍ତୁ ଏତେ ଖୁସି ଭିତରେ ଗୋଟିଏ କେଁ ରହିଥିଲା  |ପପୁ ଯେତେବେଳେ ପୁଅଘରୁ ତାର ପାଉଣା ଆଣିବାକୁ ଗଲା,ସେତେବେଳେ କୁନିର ଶାଶୁ ତାକୁ ପ୍ରବଳ ଗାଳି ବର୍ଷଣ କରି କହିଲେ, ଆମକୁ ବହୁତ ଚାକିରୀଆ ଝିଅ ମିଳୁଥିଲା,ତୁମେ ଚାରିଚକିଆ ଯାନ କଥା କହିବାରୁ ଆମେ ପ୍ରସ୍ତାବରେ ରାଜି ହେଲୁ |କାଇଁ ସେ ଯାନ ?ଯାନ ବାବଦକୁ ଟଂକା ଆଣିଲେ,ତମ ପାଉଣା ମିଳିବ ନହେଲେ,ଆଉ ଏଠିକି ଆସି ତମ ମୁହଁ ଦେଖେଇବ ନାହିଁ |ପପୁ ଅପମାନିତ ହୋଇ ଫେରିଗଲା  |ମାନସୀଂକ ଆଗରେ ମସଲା ଦେଇ ସବୁକଥା ବଖାଣିଲା |କହିଲା, ମାଉସୀ ଜବାବ ରଖି,ତାଂକୁ ଯାହା ଦେବାକଥା ଶୀଘ୍ର ଦେଇଦେବ ,ନହେଲେ କଥାଟା ଅସୁନ୍ଦର ହୋଇଯିବ |ମାନସୀ ଚିହିଁକି ଉଠି କହିଲେ, ଏତେ କାର୍ ଚଢିଲା ବାଲା ? କାରରେ ପେଟ୍ରୋଲ ପକେଇବା ପାଇଁ ତାଂକ  ପକେଟରେ ପଇସା ଅଛି ?ସେ ସୁର୍ପଣଖା ବୁଢୀ ଏକଥା କହିଛି ନାଁ ?ତାକୁ ଏମିତି ପାନେ ଦେବି ଯେ ସାରାଜୀବନ ମନେ ରଖିଥିବ |ପପୁର ମୁହଁ ଶୁଖିଗଲା |ସେ କହିଲା,ହଉ ,ଯାହା ହେବାର ଥିଲା,ହେଲାଣି |ମତେ ମୋ ପାଉଣା ଦେଇଦିଅ ,ମୁଁ ଚାଲିଯିବି |ମାନସୀ ଆହୁରି ରାଗିଯାଇ କହିଲେ,ଆମକୁ ବଡ଼ ବଡ଼ ସପନ ଦେଖେଇ ଶେଷକୁ ଠିକା କିରାଣୀ ଟାକୁ ଯୁଟେଇ ଦେଲ |ଭାବିଛ,ଭାରି ଖୁସି ହୋଇ ତମକୁ ଟଂକା ଓଜାଡି ପକେଇବି !ଭଲଦଶା ଅଛି ଯଦି,ଅତି ଶୀଘ୍ର ଏଠାରୁ ପଳା |ପପୁର ଅକଲ ଗୁଡୁମ ହୋଇଗଲା |ସେ ଧୀରେ ଧୀରେ ସେଠାରୁ ଉଠି ଚାଲିଆସିଲା ଓ ଗେଟ୍ ପାଖରେ ପାଟି କରି କହିଲା,ସେଇ ଠିକା କିରାଣୀ କୁ ଖୋଜି ଦେଇଥିଲି ବୋଲି ଝିଅର ବାଡୁଅ ଦୋଷ କଟିଗଲା |ନହେଲେ,ଆଜି ଯାଏଁ ସେମିତି ଘରେ ବସିଥାଆନ୍ତା |ତାପରେ ସେ ଗେଟ୍ ସେମିତି ଖୋଲା ରଖି ସାଇକେଲରେ ପାଡେଲ ମାରି ଚାଲିଗଲା |ତା  କଥା ଶୁଣି ମାନସୀଂକ ଛାତିରେ ଛୁରୀ ଗଳିଯିବା ପରି ଲାଗିଲା |ସେ ଗେଟ୍ ର ଶିକୁଳି ଦେବାକୁ ଆସି ଦେଖିଲେ,ପଡିଶା ଘରର କେହି କେହି ତାଂକୁ କୌତୁହୁଳୀ  ହୋଇ  ଲକ୍ଷ୍ୟ କରୁଛନ୍ତି |
                     ସେଠାରୁ ଫେରି ପପୁ ସିଧା ଗଲା ଅସୀମଂକ ଘରକୁ |ଘରେ କେବଳ ଶାଶୁ ବୋହୂଙ୍କ ବ୍ୟତିତ ଆଉ କେହି ନଥିଲେ |କୁନି ରୋଷେଇ ଘରେ ଥିଲା |ଶାଶୁ କବିତା ,ଡ୍ରଇଂରୁମରେ ବସି  ଟି.ଭି.ଦେଖୁଥିଲେ |ପପୁ ତାଂକ ପାଦତଳେ ବସିପଡି  ମାନସୀ ତାକୁ ଯାହା ଯାହା କହିଥିଲେ,ସେଥିରେ ଆଉ କିଛି ମିଶେଇ ସବୁ ଗୋଟି ଗୋଟି କରି କହିଗଲା |ଶେଷରେ କହିଲା,ଆପଣମାନଂକ ପରି ଠାକୁର ଭଳିଆ ଲୋକଂକୁ ଏପରି ଦୁଷ୍ଟ ଲୋକଂକୁ ଜୁଟେଇ ମୁଁ ବଡ ପାପ କରିଛି ମା' |ମତେ କ୍ଷମା କରି ଗୋଟିଏ ବଡ ଗୋଇଠା ମାରି ଦିଅ,ମୁଁ ଚାଲିଯିବି |ଆଉଦିନେ ଏଠିକି ଆସିବି ନାହିଁ |ପପୁ  କଥା ଶୁଣି କବିତାଂକ ରାଗ ପଂଚମକୁ ଉଠିଗଲା |ସେ କହିଲେ ,ପ୍ରକୃତରେ ସେ ଏକଥା କହିଛନ୍ତି ନାଁ ତମେ ମନରୁ ଫାନ୍ଦି କହୁଛ ?ପପୁ କାନ ଧରି ଚାପୁଡା ମାରି ହୋଇ କହିଲା,ମହାପୁରୁଷଂକ ରାଣ ମା' |ମିଛ କହୁଥିଲେ,ମୋ ମୁହଁରେ ପୋକ ପଡିବ ,ମତେ କୁଷ୍ଠରୋଗ ହୋଇଯିବ |କବିତା ତାକୁ ଅପେକ୍ଷା କରିବାକୁ କହି ଭିତରକୁ ଚାଲିଗଲେ ଓ କିଛିସମୟ ପରେ ଫେରି ଆସି ତାକୁ ତାର ପ୍ରାପ୍ୟ ପାଉଣା ସହ ଆଉ ହଜାରେ ଟଂକା ମିଶାଇ ଦେଲେ |ପପୁ ଖୁସିହୋଇ ତାଂକୁ ମୁଣ୍ଡିଆ ମାରି ଚାଲିଗଲା |ସେ ଯିବାପରେ କବିତା ଅତ୍ୟଧିକ କ୍ରୋଧରେ ଅସ୍ଥିର ହେବାକୁ ଲାଗିଲେ |ବିଶେଷ କରି ମାନସୀ ତାଂକୁ କହିଥିବା 'ସୁର୍ପଣଖା ବୁଢୀ 'ତାଂକୁ ଭାରି ବାଧି ଥିଲା |ଅସୀମ ଓ ତାର ପିତା ସବ୍ୟସାଚୀ  କେତେବେଳେ ଘରକୁ ଫେରିବେ ଓ ସେ  ସେମାନଂକୁ ଏକଥା କହିବେ,ଏହା ଭାବି ସେ ବାରମ୍ବାର ଘଣ୍ଟା କୁ ଦେଖୁଥଆନ୍ତି ଓ ଏପଟ ସେପଟ ହେଉଥାନ୍ତି |ଏହିସମୟରେ କୁନି ଆସି ତାଂକ ପାଦତଳେ ପଡି କହିଲା,ବୋଉ,ଆପଣ ଶୁଣାକଥାକୁ ବିଶ୍ୱାସ  କରି ଏତେ ରାଗନ୍ତୁ ନାହିଁ |ମା' ଏମିତି କେବେବି କହି ନଥିବେ,ପପୁ ଲଗେଇ ଯୋଡି ମିଛକଥା କହିଛି |ସେ ବହୁତ ମିଛ କହେ ,ଆପଣ ଜମା ତା କଥାରେ ବିଶ୍ୱାସ  କରନ୍ତୁ ନାହିଁ |ଜଳନ୍ତାନିଆଁରେ ପାଣି ପଡିବା ପରି କବିତା ଥମ୍ ହୋଇ ରହିଗଲେ |କହିଲେ,ତୁ କେମିତି ଜାଣିଲୁ ସେ ମିଛ କହୁଛି ବୋଲି ?ସବୁ ମିଛ ନହୋଇ ପାରେ,କିଛି ତ ସତ ଥିବ |ନିଆଁ ନଥାଇ ଧୁଆଁ ଉଠେନା |କୁନି କବିତାଂକ ପାଦ ଦୁଇଟିକୁ ଜାବୁଡି ଧରି କହିଲା,ତାହେଲେ ଯାହା ଶାସ୍ତି ଦେବା ମତେ ଦେଇ  ସେକଥା ଏଇଠି ଶେଷ କରି ଦିଅନ୍ତୁ  |କବିତା କୁନିକୁ ଚାହିଁଲେ |ତାର ସୁନ୍ଦର ଆଖି ଦୁଇଟିରୁ ଅନର୍ଗଳ ଲୁହ ଧାରା ଝରି ଯାଉଥିଲା |ସେ କୁନିକୁ ଛାତିରେ ଜାବୁଡି ଧରି କହିଲେ,ତୁ ତ ମୋର ସୁନାମୁଣ୍ଡାଟିଏ ,ଆଉ ଯିଏ ଯାହା କହିଲେ,ମୋର କଣ ଯାଏ ଆସେ |ସେଦିନ ସେକଥା ଆଉ ଆଗକୁ ବଢି ନଥିଲା |
               ଦୁଇଦିନ ପରେ ମାନସୀ କୁନିକୁ ଫୋନ୍ କଲେ |ସାଧାରଣତଃ ପ୍ରତ୍ୟେକ ଦିନ ଅପରାହ୍ନ ସାଢେ ତିନିଟା ରୁ ଚାରିଟା ଭିତରେ କୁନି ଯେମିତି ହେଉ ଥରେ ମାନସୀଂକୁ ଫୋନ୍ କରେ |ସେତେବେଳେ କବିତା ଖାଇସାରି ବିଶ୍ରାମ ନେଉଥାନ୍ତି ଓ କୁନି ହାତରେ କିଛି କାମ ନଥାଏ |ଦୁଇଦିନ ଧରି କୁନି ପାଖରୁ କିଛି ଫୋନ୍ ଆସି ନଥିବାରୁ ତାଂକ ମନକୁ ପାପ ଛୁଇଁଲା |ସେ କୁନିକୁ ପଚାରିଲେ,ଦୁଇଦିନ ହେଲାଣି କାହିଁକି ଫୋନ୍ କରିନୁ ?କଣ ହୋଇଚି ?ସବୁ ଭଲ ତ ?କୁନି କହିଲା, କାମରେ ବ୍ୟସ୍ତ ଥିଲି,ସମୟ ହେଲାନି |ମାନସୀ ପୁଣି ପଚାରିଲେ,ପପୁ ସେଠିକି ଯାଇଥିଲା ?କୁନି କହିଲା,ମୁଁ ଜାଣିନି |ମାନସୀ କହିଲେ,ତୁ ମିଛ କହୁଛୁ,ପପୁ ନିଶ୍ଚେ ସେଠିକି ଯାଇଥିବ |କବିତା କେତେବେଳୁ ଆସି  ପଛପଟେ ଛିଡା ହୋଇଛନ୍ତି ,କୁନି ଜାଣିନି |ସେ କୁନି ହାତରୁ ଫୋନ୍ ନେଇ କହିଲେ,ହଁ ପପୁ ଆସିଥିଲା |ଆପଣ ତାକୁ ଯାହା ଯାହା କହିଥିଲେ,ସବୁ ସେ ମତେ କହିଛି |ଏବେ ଆପଣମାନଂକ ଅସଲ ରୂପ ଧରାପଡି ଯାଇଛି |ଆପଣଙ୍କ ମୁହଁରେ ମଧୁର ବଚନ,ଭିତରେ ଏତେ ବିଷ ?ଯାହା କହିବା କଥା ସିଧା ସିଧା ମତେ କହିଥାନ୍ତେ ,ୟା ତା ପାଖରେ କହିବା କଣ ଦରକାର ?ଆପଣଙ୍କ ଷ୍ଟାଣ୍ଡାର୍ଡ ସେଇଆ, ଆପଣ କଣ କରିବେ ?ଆମର ଦୁର୍ଭାଗ୍ୟ ଯୋଗୁଁ  ଆମେ ଫସିଗଲୁ,ଆଉ ଉପାୟ କଣ ଅଛି ?ଏତିକିରେ ମାନସୀଂକ ମୁଣ୍ଡକୁ ପିତ୍ତ ଚଢିଗଲା |ସେ ତାଂକ ମନକୁ ଯାହା ଆସିଲା,ବକି ଚାଲିଲେ |ଶେଷରେ କହିଲେ,ଯଦି ମୋ ଝିଅକୁ ପଦେ କିଛି କହିବ,ତାହାଲେ ନାଲିକୋଠା ଦେଖେଇ ଦେବି |କବିତା କହିଲେ,ଯାଃ ଯାଃ ,ଆମକୁ କଣ ନାଲିକୋଠା ର ଭୟ ଦେଖାଉଛନ୍ତି ,ଆମ ଚଉଦ ପୁରୁଷ ନାଲିକୋଠାରେ ଓକିଲାତି କରି କରି ତାଂକ ଚୁଟି ପାଚିଛି |ଦେଖିବା,କିଏ କେତେବାଟ ଯାଉଛି !ସେ ଫୋନ୍ ସ୍ଵିଚ  ଅଫ କରି , କୁନି ହାତରେ ଫୋନ୍ ଧରେଇ ଦେଇ ଚାଲିଗଲେ |କୁନି ଭୟରେ କାନ୍ଦୁଥାଏ |କିନ୍ତୁ ଏଥରକ ଆଉ କବିତା ତରଳି ଗଲେନି |ସେଦିନ ଅସୀମ ଓ  ସବ୍ୟସାଚୀ ଘରକୁ ଫେରିବା ପରେ ମହାପାଲା ଲାଗିଲା  |ସବୁଠାରୁ ବେଶି କ୍ରୋଧାନ୍ଵିତ  ହେଲା,ଅସୀମ |ସେ କହିଲା,କେତେ କେତେ ହାଇ କ୍ଵାଲିଫାଏଡ  ପିଲା ମୋ ସାଂଗରେ ଏଇ ଠିକା ଚାକିରୀ କରୁଛନ୍ତି,ଏମାନଙ୍କୁ ସରକାରୀ ଚାକିରୀ ଗନ୍ଧଉଛି !ଠିକ ଅଛି,ତାଂକର ଯଦି ମୋ ଚାକିରୀ ପ୍ରତି ଏତେ ଘୃଣା,ମୋର ବି ସେମିତି ତାଂକର ହାଇ ଫାଇ ଝିଅ ଦରକାର ନାହିଁ |କବିତା ଓ ସବ୍ୟସାଚୀ ପୁଅକୁ ବୁଝାଇ ବିଫଳ ହେଲେ |ସେଦିନ ରାତିରେ ଅସୀମ  ଅଲଗା ରୁମରେ ଶୋଇଲା |କୁନି ମଧ୍ୟ ଅସୀମ ସହିତ କଥା ହେବାପାଇଁ ସୁଯୋଗ ପାଇଲା ନାହିଁ |ମୋଟ ଉପରେ କହିବାକୁ ଗଲେ,ଅସୀମ ,କୁନି ଓ ତାର ଘର ଲୋକଂକୁ ଛିଃ କରି ଦେଇଥିଲା |କିଛିଦିନ ପରେ ସବ୍ୟସାଚୀ ଶରତଂକୁ ଡକାଇଲେ |ସେ ଆସିବା ପରେ ତାଂକୁ କହିଲେ, ଅସୀମ ଏକବାଗିଆ ପିଲାଟା |ଯାହା ତା  ମୁଣ୍ଡରେ ପଶିଥିବ,ସହଜରେ ବାହାରିବନି |ଆପଣ କିଛିଦିନ ପାଇଁ ଝିଅକୁ ନେଇ ଯାଆନ୍ତୁ |ପୁଅ ବୁଝିଗଲେ,ଆମେ ନିଜେ ଯାଇ କୁନିକୁ ନେଇ ଆସିବୁ |କୁନି ଶରତଂକ ସଂଗେ ବାପଘରକୁ ଆସିଲା |କିନ୍ତୁ ସବ୍ୟସାଚୀ ଆଉ କୁନିକୁ ନେବାକୁ ଆସିଲେ ନାହିଁ |ଶରତ ଦିନେ ସବ୍ୟସାଚୀଂକୁ ଫୋନ୍ କଲେ |କିନ୍ତୁ ସେ ଫୋନ୍ ଉଠାଇଲେ ନାହିଁ |ଏହାପରେ ସେ ବାରମ୍ବାର ସବ୍ୟସାଚୀଂକୁ ଫୋନ୍ କରିବା ସତ୍ତ୍ୱେ  ସେ କୌଣସି ଥର ଫୋନ୍ ଉଠାଇଲେ ନାହିଁ |ତେଣୁ ବାଧ୍ୟ ହୋଇ ସେ ତାଂକ ଘରେ ପହଂଚିଲେ |ସେମାନଂକ ଭିତରେ ଅନେକ ଆଲୋଚନା ହେଲା |ସବ୍ୟସାଚୀ କହିଲେ ,ପୁଅକୁ ଯେତେ ବୁଝାଇଲେ ବି ସେ ବୁଝୁନି |ଆମେ ନିରୁପାୟ |ଦୁଃଖ ଓ ହତାଶରେ ଜର୍ଜରିତ ହୋଇ ଶରତ ସମୁଦୀଂକ ଘରୁ ଫେରି ଆସିଲେ |ତାପରେ ଓକିଲ ପରାମର୍ଶ କରି ମହିଳାକମିଶନରେ ସବ୍ୟସାଚୀ,କବିତା ଓ ଅସୀମଂକ ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ |ପରେ ପରେ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଆରମ୍ଭ ହୋଇଗଲା |ପୋଲିସ ତିନିଜଣଂକୁ ବିଭିନ୍ନ ଦଫା ଲଗାଇ ଗିରଫ କଲା ଓ ସେମାନେ ଜେଲ୍ ଗଲେ |ଅସୀମ ଚାକିରୀରୁ ନିଲମ୍ବିତ ହେଲା |କୋର୍ଟରେ କେଶ ଚାଲିଲା |ପୋଲିସ ଓ କୋର୍ଟ ଚକ୍କରରେ ନପଶିବା ପାଇଁ କୁନି ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ  ଶରତ ଓ ମାନସୀ ତା କଥାରେ କର୍ଣ୍ଣପାତ  କଲେ ନାହିଁ |
                   ଦିନେ ମାନସୀ କୁନିକୁ କହିଲେ,ଅସୀମ ବାଇକ ରୁ ପଡି ତା ଗୋଡ ଭାଂଗି ଯାଇଛି |କୁନି ବ୍ୟସ୍ତ ହୋଇ ପଚାରିଲା,କେବେ?ମାନସୀ କହିଲେ,ବୋଧେ କାଲି |କାପିଟାଲ ହସ୍ପିଟାଲ ରେ ପଡିଛି |ଆଛା ହୋଇଛି,ତାକୁ ତା କର୍ମର ସଜା ମିଳିଛି |କିଛି ସମୟ ପରେ କୁନି ସାଂଗ ଘରକୁ ଯାଉଛି କହି,କ୍ୟାପିଟାଲ ହସ୍ପିଟାଲରେ ପହଂଚିଲା |ଖୋଜି ଖୋଜି ସେ ଅସୀମ ଥିବା ରୁମରେ ପହଂଚିଲା |ଅସୀମ ପାଖରେ କବିତା ଥିଲେ |କୁନି ଦୁହିଁକୁ ଭୁମିଷ୍ଠ ପ୍ରଣାମ ଜଣାଇଲା |କବିତା ତାକୁ ଦେଖି ମୁହଁ ବୁଲେଇ ଦେଲେ |ଅସୀମ ଭୀଷଣ ବିରକ୍ତରେ କୁନିକୁ କହିଲା,ଗେଟ୍ ଆଉଟ |ତାପରେ କବିତାଂକୁ କହିଲା,ମମି,ତାକୁ ଶୀଘ୍ର ଏଇଠୁ ଧକ୍କା ଦେଇ ବାହାର କରିଦିଅ,ନହେଲେ ମୁଁ ପାଗଳ ହୋଇଯିବି |କବିତା କୁନିକୁ କହିଲେ,ଆମକୁ ଜେଲରେ ପୁରେଇଲ,ମୋ ପୁଅର ଚାକିରୀ ନେଲ |ମାନସିକ ଦୁଷ୍ଚିନ୍ତାରେ ତାର  ଆକ୍ସିଡେଣ୍ଟ ହୋଇ , ଗୋଡ ଭାଂଗିଲା |ଆଉ କଣ ବାକି ରଖିଛ ଯେ ତାକୁ ଦେଖିବାକୁ ଆସିଛୁ ?ତଥାପି କୁନି ସେଠାରୁ ଯାଉ ନଥିଲା |କବିତା ତାକୁ ଜବରଦସ୍ତି ଉଠେଇ ବାହାରକୁ ବାହାର କରିଦେବା ବେଳକୁ କବାଟ ଫାଂକରେ କୁନିର ହାତ ପଶି ଗଭୀର କ୍ଷତ ହୋଇ ରକ୍ତସ୍ରାବ ହେବାରେ ଲାଗିଲା |ସେ ଲୁଗାକାନିରେ ତାହାକୁ ଲୁଚାଇ କାନ୍ଦି କାନ୍ଦି  ସେଠାରୁ ଚାଲିଆସିଲା |ତାର ଫେରିବାରେ ଡେରି ଦେଖି ମାନସୀ ବ୍ୟସ୍ତ ହେଉଥିଲେ |କୁନି ମାନସୀଂକୁ କିଛି ନକହି ନିଜ ଲୁଗା ବଦଳେଇ କ୍ଷତ ସ୍ଥାନରେ ମଲମ ଲଗେଇ ବିଛଣାରେ ଶୋଇପଡିଲା |ମାନସୀ କହିଲେ ଶୋଇଲୁ କଣ ?ଖାଇବୁନି କି ?କୁନି, ନାଁ କହି ଘୋଡେଇ ହୋଇ ଶୋଇପଡିଲା |ମାନସୀଂକର ସନ୍ଦେହ ହେଲା |ସେ କହିଲେ,ତୁ କଣ ତାକୁ ଦେଖିବାକୁ ହସ୍ପିଟାଲ ଯାଇଥିଲୁ ?କୁନି ଉତ୍ତର ଦେଲା,ହଁ |ମାନସୀ ରାଗିଯାଇ କହିଲେ ,କଣପାଇଁ ସେଠିକି ଯାଇଥିଲୁ ? ତୁ ଜାଣିଛୁ,ସେମାନେ ଛାଡପତ୍ର ଦେବାପାଇଁ କୋର୍ଟରେ କେଶ କରିଛନ୍ତି ?ତାଂକ କଥା ଶୁଣି କୁନିର  ପାଦତଳୁ ମାଟି ଖସିଯିବା ପରି ଲାଗିଲା |ସେ ଅବାକ୍ ହୋଇ ମାନସୀଂକୁ ଚାହିଁ ରହିଲା |
                       ତିନି ମାସ ପରେ କୋର୍ଟରେ ତାରିଖ ପଡିଲା |ତା ପୂର୍ବରୁ ଓକିଲ ତାଂକ ଘରକୁ ଆସି କୋର୍ଟରେ କଣ କହିବାକୁ ପଡିବ,ସେ ବିଷୟରେ ଆଲୋଚନା କରୁଥିଲେ |କୁନି ସୁଯୋଗ ଦେଖି ଓକିଲଂକୁ ନିରୋଳାରେ କହିଲା,ମଉସା ,ଛାଡପତ୍ର ନହୋଇ ଆମ ଭିତରେ ମୀମାଂସା ହୋଇପାରିବନି ?ଓକିଲ ମହାପାତ୍ର ବାବୁ କହିଲେ,ହଁ,ତାଂକ ପକ୍ଷର ଓକିଲଂକୁ ଧରିଲେ,ହୁଏତ ସମ୍ଭବ ହୋଇପାରେ |କୁନି ବିକଳ ହୋଇ କହିଲା,ତାହାଲେ ମଉସା ଆପଣ ସେଇଆ କରନ୍ତୁ |ମୁଁ ଛାଡପତ୍ର ଚାହେଁ ନାହିଁ |ମହାପାତ୍ର ବାବୁ କୁନି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ | କହିଲେ,କିନ୍ତୁ ସାର୍ ତ ଅଲଗା କଥା କହୁଥିଲେ |ଏତିକିବେଳେ ଶରତ ସେଠାକୁ ଆସିବାରୁ ସେକଥା ସେଇଠି ରହିଲା |ତାରିଖ ଦିନ ଉଭୟପକ୍ଷ ର ସମସ୍ତେ ଯାଇଥିଲେ |ଅସୀମ ଆଶାବାଡି ସାହାଯ୍ୟରେ ସେଠାକୁ ଆସିଥିଲା |ସେ ସେପର୍ଯ୍ୟନ୍ତ ଭଲରେ ଚାଲି ପାରୁନଥିଲା |କୁନିକୁ ବହୁତ ଶିଖାଇବା ସତ୍ତ୍ୱେ ବି  ସେ କହିଲା,ମୁଁ ଛାଡପତ୍ର ଚାହେଁନା |ସ୍ୱାମୀଙ୍କ  ସହ ଶାଶୁଘରେ ରହିବାକୁ ଚାହେଁ |ସେ ଭାବିଥିଲା,ଏପରି କହିଲେ  ସେମାନେ କରିଥିବା ଛାଡପତ୍ର କେଶ୍ ହୁଏତ ଦୁର୍ବଳ ହୋଇଯିବ |କିନ୍ତୁ କୁନିର ଧାରଣା ଭୁଲ ଥିଲା |ମହାପାତ୍ର ବାବୁଂକୁ ଅସୀମ  ଘର ଟଂକା ଲୋଭ ଦେଖାଇ ଚୁପ୍ କରିଦେଲେ |ଯାହା ଫଳରେ ସେ ଜାଣିଶୁଣି କୋର୍ଟରେ ଠିକ ଭାବରେ ମାମଲା ଟିକୁ ପରିଚାଳନା କଲେ ନାହିଁ |ଦିନେ ଖବର ମିଳିଲା ଅସୀମ କେଶ୍ ରେ ଜିତି ଯାଇଛି |କୋର୍ଟ ଆଦେଶ ଅନୁସାରେ ସେମାନେ କ୍ଷତିପୂରଣ ଟଂକା ସାଂଗେ ସାଂଗେ ଦେଇଦେଲେ |ସବୁ ଜାଣି କୁନି ଦୁଃଖରେ ଭାଂଗି ପଡିଲା |ଆହୁରି ବେଶି ଦୁଃଖ ପାଇଲା,ଯେତେବେଳେ ଜାଣିଲା,ଅସୀମ ପୁନର୍ବିବାହ କରିଛି |
                   ଛାଡପତ୍ର ମିଳିବାର କିଛିମାସ ପରେ ଦିନେ ମାନସୀ କୁନିକୁ କହିଲେ,ମା' ଆଜି ଟିକେ ଭଲ ଶାଢୀ ପିନ୍ଧି ସଜ ହୋଇଯିବୁ,ସେମାନେ ତତେ ଦେଖିବାକୁ ଆସିବେ |କୁନି ଆଶ୍ଚର୍ଯ୍ୟ ହୋଇ କହିଲା,କିଏ ମା ?ମାନସୀ କହିଲେ,ଭଲ ଅଛି ,ମନ୍ଦ ଅଛି,ଆମେ ତ ସବୁଦିନ ବଂଚିବୁ ନାହିଁ  |ଭାବିଛୁ ,ଆଉଥରେ ତୋ ବାହାଘର କରିଦେବୁ |ତାଂକ କଥା ଶୁଣି କୁନିର ଛାତି ଫାଟିଯିବା ପରି ଲାଗିଲା |ସେ କହିଲା,ମା ,ଥରେ ପରା ବାହାଘର କରିଥିଲ ,କଣ ହେଲା ?ମାନସୀ କହିଲେ,ତାକୁ ଦୁଃସ୍ୱପ୍ନ  ପରି ତତେ  ଭୁଲି ଯିବାକୁ ପଡିବ |ତୋ ଆଗରେ ଲମ୍ବା ଭବିଷ୍ୟତ ପଡିଛି  |କିଛି ଗୋଟେ ବ୍ୟବସ୍ଥା ନକଲେ,ତୋ ଜୀବନ ନର୍କ ପାଲଟି ଯିବ |କୁନି ଅଳ୍ପ ହସି କହିଲା,ଏବେ କଣ ମୁଁ ସ୍ଵର୍ଗରେ  ଅଛି ମା ?ମତେ ତମେମାନେ କଣ୍ଢେଇ ପରି ବହୁତ ନଚେଇଲ |ମୁଁ ବି ଆଖିବୁଜି ତମକଥା ମାନି ବହୁତ ନାଚିଲି |ଆଉ ନୁହେଁ |କାଲିଠାରୁ ସେ କାମବାଲିକୁ ମନା କରିଦିଅ ,ସେ ଆଉ ଆମଘରେ କାମ କରିବନି |ତା ବଦଳରେ ରୋଷେଇବାସ ସହିତ ଘରର ସବୁକାମ ମୁଁ କରିବି |ନୀଲୁ ବାହା ହୋଇ ତାର ପିଲାଛୁଆ ହେଲେ ସେମାନଂକ ଦାୟିତ୍ତ୍ଵ  ମୋର |ତା ବଦଳରେ ମତେ ମୁଠାଏ ଖାଇବାକୁ ଦେଲେ ସେତିକି ମୋପାଇଁ ଯଥେଷ୍ଟ  |ମୋର ଆଉ କଣ ଦରକାର ?ଆଉଦିନେ ମୋ ବାହାଘର କଥା କହିଲେ,ମୋ ଶବ ଦେଖିବ |ସେ ମତେ ଛାଡପତ୍ର ଦେଇଛନ୍ତି,ଆଉଥରେ ବାହା ହୋଇଛନ୍ତି |ସେଥିରେ ମୋର କିଛି ଯାଏଆସେ ନାହିଁ |ସେ ଏବେବି ମୋ ସ୍ୱାମୀ  ଆଉ ମୁଁ ବଂଚିଥିବା ଯାକେ ତାଂକ ନାମରେ ସିନ୍ଦୂର ପିନ୍ଧୁଥିବି |ସେଥିପାଇଁ ମତେ କେହି ମନା କରି ପାରିବେ ନାହିଁ |କୁନିଠାରୁ ଏପରି ଧୀର ଓ କଠୋର କଥା ଶୁଣିବେ ବୋଲି ମାନସୀ ଆଶା କରି ନଥିଲେ |କୁନିକୁ ବାଧ୍ୟ କରିବା ପାଇଁ ତାଂକ ପାଖରେ ଭାଷା ନଥିଲା |ମମତା ମହାନ୍ତି |
             

                 
                 

Sunday, July 22, 2018

ପୁଅର ଚିଠି

    ପୂଜନୀୟ ବାବା,
                 ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ |ତୁମ ପାଖକୁ ଫୋନ୍ କଲେ ତୁମେ ଫୋନ୍ ଉଠାଉ ନଥିବାରୁ ଏହି ଚିଠି ଲେଖୁଛି |ମୋର ଅନୁରୋଧ,ଶେଷ ପର୍ଯ୍ୟନ୍ତ ଏହାକୁ ପଢିବ |
                   ବାବା ,ମୋର ପିଲାଦିନ କଥା ସବୁବେଳେ ମନେପଡେ |ତମେ ମତେ କେତେ ଭଲ ପାଉଥିଲ |ମୋ ଆଖିରୁ ଲୁହ ଝରିଲେ,ତୁମ ଆଖିରୁ ରକ୍ତ ଝରି ଯାଉଥିଲା |ମୁଁ ତମ ସାଂଗେ ଖାଉଥିଲି,ତମ ପାଖରେ ଶୋଉଥିଲି |ତମେ ଅଫିସ୍ ବାହାରିଲେ ତମ ସାଂଗରେ ଯିବାପାଇଁ ମୁଁ କେତେ ଅଝଟ କରୁଥିଲି |କାନ୍ଦି କାନ୍ଦି ଆଖିରୁ ବୋଝେ ଲୁହ ଝରାଉ ଥିଲି |ତମେ କେତେବେଳେ ଅଫିସରୁ ଫେରିବ,ସେକଥା ଭାବି ,ତମ ଫେରିବା ବାଟକୁ ଚାହିଁ ବସୁଥିଲି |ତମେ ଅଫିସରୁ ଫେରିଲେ ମୁଁ ଖୁସିରେ ତୁମ ଉପରକୁ ଡ଼େଇଁ କେତେ ଗେଲ୍ହା ହେଉଥିଲି |ତମେ ଥିଲ,ମୋ ଜୀବନର ପ୍ରଥମ ହିରୋ |ଜାଣେନା କାହିଁକି ମୁଁ ମାମାଂକ ଅପେକ୍ଷା ତମକୁ ବେଶି ଭଲ ପାଉଥିଲି |ଥରେ ପଡିଶା ଘର ବୁଲୁର ତିନି ଚକିଆ ସାଇକେଲ ରେ ବସିବାକୁ ବୁଲୁ ମନାକରି ଦେବାରୁ ମୁଁ କାନ୍ଦିଲି |ତମେ ମୋ କାନ୍ଦ ସହି ନପାରି ସେହିଦିନ ମାର୍କେଟ ଯାଇ ତାଠାରୁ ଆହୁରି ଦାମିକିଆ ତିନି ଚକିଆ ସାଇକେଲ ଆଣି ଦେଇଥିଲ |ମୋର ଟିକିଏ ଦେହ ଖରାପ ହେଲେ,ତମେ ରାତି ରାତି ମତେ ଜଗି ବସୁଥିଲ |
               ବାବା, ଅଜିକାଲିର ପାଠ ବିଷୟରେ ମୋର କିଛିବି ଧାରଣା ନଥିଲା |ମୁଁ ତ ମାମାଂକ ହାତରନ୍ଧା ଖାଦ୍ୟ ଖାଇବାକୁ,ତାଂକ କୋଳରେ ଶୋଇ ଗପ ଶୁଣିବାକୁ,ତମ ସାଂଗରେ ବୁଲିବାକୁ ଓ ମୋ ସାଂଗ ମାନଂକ ସାଂଗେ ଖେଳିବାକୁ ଭାରି ଭଲ ପାଉଥିଲି |କିନ୍ତୁ ତମେହିଁ ମୋ ମନରେ ସ୍ବପ୍ନ ଦେଖିବାର ନିଶା ଭରିଦେଲ |  ସମୟ ବିତିବାକୁ ଲାଗିଲା |ସମୟ ସହିତ ତାଳ ଦେଇ ତମର ମତେ ନେଇ ଦେଖିଥିବା ସ୍ବପ୍ନର ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା |ତମେ ସବୁବେଳେ ଆଶା କରୁଥିଲ,ମୁଁ ଯେମିତି ସବୁବେଳେ ସର୍ବଶ୍ରେଷ୍ଠ ହୁଏ |ସେଥିପାଇଁ ମୋର ଖେଳିବା ,ବୁଲିବା,ଟି.ଭି.ଦେଖିବା ଇତ୍ୟାଦି  ଉପରେ କଟକଣା ଜାରି ହୋଇଥିଲା |ଖରାଦିନ ଛୁଟି ,ଦଶହରା କିମ୍ବା  ବଡ଼ ଦିନ ଛୁଟିରେ ମୋ ସାଂଗମାନେ ଗାଁ ରେ ମଜା କରୁଥିବା ବେଳେ ମୋ ସମୟ କୋଚିଂକ୍ଲାସ ରେ କଟୁଥିଲା |ମୋପାଇଁ ଦିନ ରାତି ସବୁ ସମାନ ଥିଲା ବାବା |ତମର ଇଚ୍ଛା ଥିଲା,ମୁଁ ଆଇ.ଆଇ.ଟି.ଇଂଜିନିୟର ହୁଏ |ତୁମ ସ୍ବପ୍ନ ସାକାର କରିବାକୁ ମୁଁ ପ୍ରାଣପଣେ ଚେଷ୍ଟା କରୁଥିଲି ଓ ସଫଳ ହୋଇଥିଲି ମଧ୍ୟ |ସେଦିନ କଥା ମୋର ଆଜିବି ମନେଅଛି ବାପା |ମୋର ଆଇ.ଆଇ.ଟି.ରେ କୃତକାର୍ଯ୍ୟ ହେବା ଖବର ପାଇ ଖୁସିରେ ତୁମ ଆଖିରୁ ଧାର ଧାର ଅଶ୍ରୁ ଝରି ଯାଉଥିଲା |ତମେ ମତେ କୁଣ୍ଢେଇ ପକାଇ କହିଥିଲ,କେତେ ଜନ୍ମର ତପସ୍ୟାର ଫଳ ସ୍ବରୁପ ତୋ ପରି ପୁଅ ପାଇଛି |ମୋର ସବୁବେଳେ ଇଚ୍ଛା ଥିଲା,ମୁଁ ମୋ ନିଜ ଦେଶରେ ତୁମମାନଂକ ପାଖରେ ରହିବି |ତମେ ବି ସବୁବେଳେ କହୁଥିଲ,ବଂଚିଥିବା ଯାକେ ଆମେ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ରହିବା |କିନ୍ତୁ ଯେତେବେଳେ ମୋର ସବୁ ସାଂଗମାନେ ବିଦେଶ ଯାଇ ସେଠାରେ ବସବାସ କରିବାକୁ ଲାଗିଲେ,ସେତେବେଳେ ତମେ ଆଉ ପଛରେ ପଡିବାକୁ ଚାହିଁ ନଥିଲ |ତମର ମୁହଁରେ ହସ ଦେଖିବା ପାଇଁ ମୋ ମନରେ ମଧ୍ୟ ବିଦେଶ ଯିବାର ସ୍ବପ୍ନ ଜାଗିଲା |ବିଦେଶରେ ନିଯୁକ୍ତି ପାଇଥିବାର ଚିଠି ଯେତେବେଳେ ମୁଁ ତମକୁ ଦେଖାଇଥିଲି,ତମେ ଖୁସିରେ ଆତ୍ମହରା ହୋଇ ଯାଇଥିଲ |ମୋକଥା ଅନ୍ୟମାନଂକ ଆଗରେ କହି ତମେ ଗର୍ବ ଅନୁଭବ କରୁଥିଲ |ତୁମେ ଦୁଇଜଣ ମୋ ପାଖକୁ ବୁଲି ଆସିଥିଲ |ଆମେ ଏକାଠି କେତେ ସ୍ଥାନ ବୁଲି ଦେଖିଥିଲୁ |ସେତେବେଳେ ମୁଁ ଭାବୁଥିଲି,ଏଇ ଦୁନିଆଁରେ ମୋ ଠାରୁ ଅଧିକ ସୁଖୀ ଆଉ କେହି ନାହାନ୍ତି |ତୁମ ଇଛାକୁ ସମ୍ମାନ ଜଣାଇ ତୁମ ସାଂଗ ଉମେଶ ମଉସାଂକ ଝିଅ ସାଗରୀକାକୁ ବାହା ହେଲି |ବିବାହ ପରେ ସେ ମୁଁ ଚାକିରୀ କରୁଥିବା କମ୍ପାନୀରେ ଚାକିରୀ କଲା |ଯେତେବେଳେ ତମର କେହି କେହି ସାଂଗସାଥୀ ଟାପରା କରି 'ଏଥର ପୁଅ ହାତରୁ ଖସିଗଲା ବୋଲି କହୁଥିଲେ',ତମେ ଗଭୀର ଆତ୍ମବିଶ୍ବାସରେ' ମୋ ପୁଅ ସେପରି ନୁହେଁ ' ବୋଲି କହୁଥିଲ |ଆମର ପ୍ରଥମ ସନ୍ତାନ ଜନ୍ମ ସମୟରେ ତମେମାନେ ଆମ ପାଖରେ ଥିଲ |କିନ୍ତୁ କାହିଁକି କେଜାଣି ମତେ ଲାଗୁଥିଲା,ତମେ ବହୁତ ବଦଳି ଯାଇଛ |ମୁଁ ତମକୁ କହିଥିଲି,ବାବା,ତମେ ଦୁଇଜଣ ଏଥର ସ୍ଥାୟୀ ଭାବରେ ଆମ ପାଖରେ ରହିଯାଅ |କିନ୍ତୁ ତମେ କହିଥିଲ,ତୋପାଇଁ ଆମେ ବହୁତ କଷ୍ଟ କରିଛୁ |ତୋ ପିଲା ପାଇଁ ଆମେ ଆଉ ଅଧିକ କଷ୍ଟ କରି ପାରିବୁ ନାହିଁ  |ତୋ ଭବିଷ୍ୟତ ଗଢିବା ଆଶାରେ ଆମର ବହୁତ କାମ  ଅଧୁରା ରହିଯାଇଛି |ଘର ମରାମତି କରି ଉପର ମହଲା କରିବି,ଗାଁ ଜମି ଭୂତ ଖାଇଲେଣି,ସେକଥା ବୁଝିବାକୁ ପଡିବ |ବନ୍ଧୁବାନ୍ଧବଂକ ଉତ୍ସବ,ନିମନ୍ତ୍ରଣରେ ଯୋଗ ନଦେବାରୁ ସେମାନଂକ ସହିତ ସମ୍ପର୍କ କଟିଯିବା ଉପରେ ,ସେସବୁ ଏଣିକି ଆମକୁ ଦେଖିବାକୁ ପଡିବ |ମୁଁ ଯେତେବେଳେ ପଚାରିଲି,ତମର ଦେହ ଖରାପ ହେଲେ ତମକଥା କିଏ ବୁଝିବ ?ତମେ କହିଥିଲ,ଆମର ଦେହ ଏତେ ଖରାପ ହୁଏ ନାହିଁ |ତଥାପି ଦେହକୁ ସୁସ୍ଥ ରଖିବା ପାଇଁ ଆମେ ନିୟମିତ ଯୋଗ,ପ୍ରାଣାୟମ କରିବୁ ,ସ୍ବାସ୍ଥ୍ୟରକ୍ଷା ନିୟମ ମାନି ଚଳିବୁ |ଜୀବନର ଶେଷ କିଛିବର୍ଷ ଆମକୁ ଆମ ହିସାବରେ ବଂଚିବାକୁ ଛାଡିଦେ | ତମେ ଯିବାବେଳେ ତମ ମୁହଁରେ ମୁଁ  ଆତ୍ମବିଶ୍ବାସ ର ହସ ଦେଖିଥିଲି |ସେତିକି ମୋପାଇଁ ବଡ଼ ସାନ୍ତ୍ବନା ଥିଲା |କିନ୍ତୁ ମତେ ଲାଗୁଥିଲା,ତୁମ ସହିତ ମୋର ସବୁ ସୁଖ ଚାଲି ଯାଇଛି |
                       ମୁଁ ଯେତେବେଳେ ଫୋନରେ ତୁମ ସହିତ କଥା ହୁଏ,ତୁମେ  ଭଲ ଅଛ ବୋଲି କୁହ |ଦୁଇବର୍ଷ ପରେ ଯେତେବେଳେ ମୁଁ ପିଲାମାନଂକ ସହ ପହଂଚିଲି,ଜାଣିଲି,ତମେ ମତେ ବହୁତ ମିଛ କହିଛ |ଉପରମହଲା ତିଆରି ସମୟରେ ମାମାଂକ ଡାହାଣ ଗୋଡ଼ ଭାଂଗି ଗଲା ,ତମର ଦୁଇ ଆଖିରେ ମୋତିଆବିନ୍ଦୁ ଅପରେସନ ହେଲା ଓ ଆଉ କଣ କଣ ଅସୁବିଧା ହେଲା |ତେଣୁ ଘରକାମ ସେତିକିରେ ଅଟକି ରହିଲା |ତମେ ମତେ ଏହା ଜଣାଇ ନଥିଲ କାରଣ ତମେ ନିଜ ହିସାବରେ ବଂଚିବାକୁ ଚାହୁଁଥିଲ |କିନ୍ତୁ ଆମର ସାଇପଡିଶା ଓ ବନ୍ଧୁବାନ୍ଧବ ଆମକୁ ଛି ଛାକର କରୁଥିଲେ |ବିଦେଶରେ ରହି ବାବା ମାମାଂକୁ ଭୁଲିଗଲୁ ବୋଲି ଆମର ବହୁତ ବଦନାମ ହୋଇଥିଲା |ଯେଉଁ ଖୁସି ନେଇ ଆମେ ତୁମମାନଂକୁ ଦେଖିବାକୁ ଏତେ ଦୂରରୁ ଦୌଡି ଆସିଥିଲୁ,ସବୁ ପାଣିଫୋଟକା ପରି କୁଆଡେ ମିଳେଇ ଗଲା |କିନ୍ତୁ ବାବା ,ମୋର ଏଥିରେ କି ଦୋଷ ଅଛି ?ମୋ ଅଜାଣତରେ ତମେ ମତେ ଏତେ ଉପରକୁ ଚଢେଇ ଦେଇଛ ଯେ ତଳକୁ ଓଲ୍ହେଇବାର ମୋର ସବୁ ବାଟ ବନ୍ଦ ହୋଇଯାଇଛି |ମୁଁ ବି ଏମିତି ଜୀବନ ଚାହିଁ ନଥିଲି ବାବା |ଆଜି ବି ମୁଁ ତମକୁ ସେମିତି ଭଲପାଏ ବାବା,ଯେମିତି ପିଲାଦିନେ ଭଲ ପାଉଥିଲି |ତମେ କୁହ ମୁଁ କଣ କରିବି ?
                                                               ତମର ଅଭାଗା ପୁଅ ସୋନୁ