Saturday, October 6, 2018

ଗୁଣ ଚିହ୍ନେ ..........

                  ସେମାନେ ସାତଜଣ ଘନିଷ୍ଠ ବାନ୍ଧବୀ ଥିଲେ |ସମସ୍ତେ ଗାଁ ସ୍କୁଲରେ ପଢୁଥିଲେ |ସେଇ ସାତଜଣଂକ ଭିତରେ ନିରାଲୀ ଓ ଚୈତାଳି ଦୁଇଭଉଣୀ ମଧ୍ୟ ଥିଲେ |ନିରାଲୀ ଚୈତାଳି ଠାରୁ ଦୁଇବର୍ଷ ବଡ ଥିଲା |ହେଲେବି ଦୁଇଭଉଣୀ ଦୁଇ ସାଂଗ ପରି ଚଳୁଥିଲେ |ଚୈତାଳି ତା ମାଆ ପରି ତୋଫା ଗୋରା ଥିଲା |ନିରାଲୀର ଗଠନ ଦେବୀପ୍ରତିମା ପରି ଅତି ସୁନ୍ଦର ଥିଲେ ବି  ଶରୀରର  ବର୍ଣ୍ଣ ଘନ ଶ୍ୟାମଳ ଥିଲା |ତାଂକ ଗ୍ରୁପ ରେ କେବଳ ତାକୁ ଛାଡି ଅନ୍ୟ ସମସ୍ତେ ଗୋରା ଥିଲେ |ଛୋଟ ବେଳେ  ନିରାଲୀ  ଏକଥା ଅନୁଭବ କରିପାରୁ ନଥିଲା |ଯେତେବେଳେ ହାଇସ୍କୁଲ ପାଠ ଶେଷ କରି ସାଂଗମାନଂକ ସହିତ ସେ ଗାଁ କଲେଜରେ ପଢିବାକୁ ଗଲା,କାହାରି କାହାରି କମେଣ୍ଟ ଶୁଣି ଦିନକୁ ଦିନ ତା ମନ ହୀନମନ୍ୟତାରେ ଭରିଗଲା  |ବି.ଏ.ପାଠ ଶେଷ ନକରୁଣୁ ତାର ଅଧାରୁ ବେଶି ସାଂଗ ବାହା ହୋଇଗଲେ |ବାକି ବାନ୍ଧବୀ ବି.ଏ. ପରୀକ୍ଷା ଦେଇ ସାରିବା ପରେ ବାହା ହେଲେ |ସେ ବି.ଏ ପାସ୍ କରି ଘରେ ବସିଲା |ରଂଗ କଳା ଯୋଗୁଁ ସବୁ ପ୍ରସ୍ତାବ ଭାଂଗି ଯାଉଥିଲା |ଅନ୍ୟପକ୍ଷରେ ସାନଭଉଣୀ ଚୈତାଳି ପାଇଁ ନିତି ଦୁଇ/ତିନିଟି ପ୍ରସ୍ତାବ ଆସୁଥାଏ |କେହି କେହି ଉପଦେଶ ଦେଲେ,ଯାହା ପାଇଁ ପ୍ରସ୍ତାବ ଆସୁଛି,ତା  ବାହାଘର କରିଦିଅ ,ନହେଲେ ପଛକୁ କୌଣସି ଝିଅ ବାହା ହୋଇ ପାରିବେନି |ମାଆ ସୁଶୀଳାଂକ ମନକୁ କଥାଟି ପାଇଲା |ବାପା ମା ଦୁଇଜଣ ଏ ବିଷୟରେ ଆଲୋଚନା କଲେ ଓ ଏକମତ ହୋଇ ଚୈତାଳିର ବାହାଘର କରିଦେଲେ |
               ସାନଭଉଣୀ  ଚୈତାଳିର ବିବାହ ପରେ ନିରାଲୀ ପାଇଁ ଆଉ ବିବାହ ପ୍ରସ୍ତାବ ଆସିଲା ନାହିଁ  |ଏମିତି ଦୁଇବର୍ଷ ବିତିଗଲା |ଦିନେ ମଧ୍ୟସ୍ଥି ଗୋଟିଏ ଭଲ ବିବାହ ପ୍ରସ୍ତାବ ନେଇ ଆସିଲା |ନିରାଲୀ ଜାଣିଥିଲା,ସବୁ ପ୍ରସ୍ତାବ ପରି ଏଇ ପ୍ରସ୍ତାବ ମଧ୍ୟ ତା କଳାରଂଗ ପାଇଁ ଭାଂଗିଯିବ |ତେଣୁ ସେ ଆଦୌ କନ୍ୟାଦେଖା ପାଇଁ ରାଜି ହେଲା ନାହିଁ  ଓ ଯେତେବେଳେ ଜାଣିଲା ଯେ ତାକୁ ଦେଖିବାକୁ ପୁଅଘର ତାଂକ ଘରେ ଆସି ପହଂଚିଗଲେଣି,ସେ ଗୋଟିଏ ରୁମ୍ ରେ କଣ ଜାଗା ଦେଖି ଲୁଚି ବସିପଡିଲା |ଦୁଃଖରେ ତା ଆଖିରୁ ଅମାନିଆ ଲୁହଧାର ଅନବରତ ଝରି ଚାଲିଥାଏ |ତା ଭାବନାରେ ବାଧା ଦେଇ, ତାକୁ ଆଶ୍ଚର୍ଯ୍ୟଚକିତ କରି ସେ ରୁମ୍ କୁ ତା ବାପାଂକ ସହିତ ଆଉଜଣେ ଭଦ୍ରଲୋକ ପଶି ଆସିଲେ |ସେ କହିଲେ,ମା',ତୋ ସାଂଗେ ଦୁଇପଦ କଥା ହୋଇ ମୁଁ ଚାଲିଯିବି | |ନିରାଲୀ ବାପାଂକ ଆଡକୁ ଚାହିଁଲା |ସେ ତାଂକୁ ଅପଦସ୍ତ କରିବାକୁ ଚାହୁଁ ନଥିଲା |ଆଖିରୁ ଲୁହ  ପୋଛି ସେ ବାପାଂକ ପଛେ ପଛେ ଆସିଲା ଓ ଚୁପ୍ ଚାପ୍ ସୋଫାର ଗୋଟିଏ କଣରେ ବସିପଡିଲା |ଭଦ୍ରଲୋକ ଜଣକ ପୁଅର ବାପା ଥିଲେ |ତାଂକର  ଜ୍ୟୋତିଷ ବିଦ୍ୟା ଉପରେ ଅଗାଧ ପାଣ୍ଡିତ୍ୟ ଥିଲା |ସେ ବିଭିନ୍ନ ବିଷୟରେ ଆଲୋଚନା କରି ଶେଷରେ ନିଜ ପୁଅ ବିଷୟରେ କହିଲେ |କିପରି ପୁଅର ଜାତକରେ ଅଛି,ସେ ଗୋଟିଏ ଲକ୍ଷ୍ମୀବନ୍ତ ଶ୍ୟାମଳବର୍ଣ୍ଣ ଝିଅକୁ ବିବାହ କରିବ |ଝିଅ ଡାହାଣ ଆଖି କୋଣରେ ଗୋଟିଏ ଛୋଟ ତିଳ ଥିବ |ଘର ଚାରିପଟେ ମାଳମାଳ ନଡିଆ ଗଛ ଓ ପଛପଟେ ଛୋଟ ପୋଖରୀ ଥିବ |ଆଉସବୁ ଯାହା ଯାହା କହିଗଲେ,ସବୁ ସତ ଥିଲା |ନିରାଲୀ ଅବାକ୍ ହୋଇ ତାଂକ କଥା ଶୁଣି ଯାଉଥିଲା |ସେ ନିଜେବି ଜାଣି ପାରୁ ନଥିଲା,ଏହା ସ୍ବପ୍ନ ନାଁ ସତ୍ୟ |ଝିଅ ପସନ୍ଦ ହୋଇଛି ବୋଲି,ସେ ସେହିଦିନ ହିଁ କହିଦେଲେ |ଦୁଇଦିନ ପରେ ସେମାନେ ସପରିବାରେ ଆସି ନିରାଲୀ କୁ ମୁଦି ପିନ୍ଧେଇ ,ନାହାକ ର ପରାମର୍ଶ କ୍ରମେ ବାହାଘର ତାରିଖ ଚୂଡାନ୍ତ କରିଦେଲେ |
              ନିର୍ଦ୍ଦିଷ୍ଟ ତିଥିରେ ମହାସମାରୋହରେ ନିରାଲୀ ର ବାହାଘର ହୋଇଗଲା |ଏ ବିବାହରେ ଉଭୟ ସୁଶୀଳା ଓ ଗୋବିନ୍ଦ ଏତେ ଖୁସି ଥିଲେଯେ ବରପକ୍ଷର କିଛି ଦାବୀ ନଥିବା ସତ୍ତ୍ବେ ସେମାନଂକ ମନପସନ୍ଦ ର ସବୁ ଜିନିଷ  ଝିଅ ଝୋଲିରେ  ଭରି ଦେଇଥିଲେ |ତାଂକର ଏଇ ଆନନ୍ଦ ବାହାଘର ପରେ ବି ଜାରି ରହିଲା |ବାହାଘର ର ଦଶଦିନ ପରେ କିପରି ପୁଅର  ପଦୋନ୍ନତି ହେଲା,ଦୀର୍ଘକାଳ ଧରି କୋର୍ଟରେ ଗଡୁଥିବା କେଶରେ ତାଂକର ବିଜୟ ହେଲା,ଭାଇ ମାନଂକ ମଧ୍ୟରେ ଥିବା ମନୋମାଳିନ୍ୟ ତୁଟି ସମସ୍ତେ ପୁଣି ଏକାଠି ହୋଇଗଲେ,ଇତ୍ୟାଦି,ଇତ୍ୟାଦି ..|ସବୁ ଶୁଣି ବାପା ମାଆଂକ ମନ କୁଣ୍ଢେମୋଟ ହୋଇଯାଉଥାଏ ଓ ସେମାନେ ଈଶ୍ବରଂକ ନିକଟରେ ପ୍ରାର୍ଥନା କରୁଥାନ୍ତି,ପ୍ରଭୁ,ତୁମର ଆଶୀର୍ବାଦର ହାତ ସବୁବେଳେ ଆମ ଝିଅ ମଥା ଉପରେ ଥାଉ |
                 ନିରାଲୀ ନିଜ ସ୍ବଭାବସୁଲଭ ବ୍ୟବହାରରେ  ଖୁବ୍ ଅଳ୍ପଦିନରେ ଶାଶୁଘରେ  ସମସ୍ତଂକୁ ଆପଣାର କରିନେଲା |ସେମାନଂକ ପରିବାର ଏକ ସୁଖୀ ପରିବାର ଥିଲା |କିନ୍ତୁ ସେମାନଂକର ଏକ ବଡ ଦୁଃଖ ରହିଥିଲା |ତାର ସାନନଣନ୍ଦ ଶିଳ୍ପା ବିବାହର ଛ ମାସପରେ ଆସି ବାପଘରେ ଥିଲା |ଇତିମଧ୍ୟରେ ବର୍ଷେ  ବିତି ଯାଇଥିଲେ ମଧ୍ୟ କଥାର ସମାଧାନ ନହେବାରୁ ସେମାନେ ଶିଳ୍ପାକୁ ଶାଶୁଘରକୁ ପଠାଉ ନଥିଲେ |ତା ପାଇଁ ଘରର ସମସ୍ତେ ମାନସିକ ଅଶାନ୍ତିରେ ଥିଲେ |କିନ୍ତୁ ଏସବୁର ମୂଳ କାରଣ ନିରାଲୀ ଜାଣିପାରୁ ନଥିଲା |ନୂଆବୋହୂ ହିସାବରେ ସେ ଏକଥା କାହାକୁ ପଚାରିବାକୁ ଉଚିତ ମନେକରୁ ନଥିଲା |ଦିନେ ଶାଶୁ କହୁ କହୁ କହିଦେଲେ,ଗୋଟିଏ ପୁଅ,ଭଲ ଚାକିରୀ ଦେଖି ଆମେ ବାହାଘର କଲୁ |ହେଲେ ପୁଅ ରହିଲା,ହାଇଦ୍ରାବାଦରେ ଆଉ ଝିଅ ରହିଲା,ଗାଁ ରେ |ତିନିଟା ବଡଭଉଣୀ ବାହାହୋଇ ଯେ ଝା ଶାଶୁଘରେ ରହିବା କଥା |ସେକଥା ନକରି  ସେଗୁଡା  ମାସରେ ପଚିଶ ଦିନ ଆସି ବାପଘରେ ଆଡ୍ଡା ଜମାନ୍ତି |ଆଉ ସମସ୍ତଂକୁ ରୋଷେଇ କରି ମୋ ଝିଅ ଖାଇବାକୁ ଦବ |କେତେ ଅଲିଅଳରେ ଆମେ ଝିଅକୁ ବଢେଇ ଥିଲୁ,କୁଟା ଖଣ୍ଡକୁ ଦିଖଣ୍ଡ କରୁନଥିଲା,ତା ଭାଗ୍ୟରେ ପୁଣି ଏଇଆ ଲେଖା ଥିଲା ?ସେଥିରେ ପୁଣି କଣ ଗୁଣୀ ପେଷିଛନ୍ତି ଯେ ସବୁବେଳେ ତା ଦେହ ଖରାପ |ଯେତେ ଔଷଧ ଖାଇଲେ ବି ଦେହ ଭଲ ହଉନି |ଶାଶୁଂକ କଥା ଶୁଣି ନିରାଲୀ ମନ ଦୁଃଖରେ ଭରିଗଲା |ଶିଳ୍ପା ସବୁବେଳେ ଉଦାସ ଥାଏ,ନିରାଲୀ ସହିତ ପ୍ରାୟ କଥାବାର୍ତ୍ତା କରେନାହିଁ |
             ଦିନେ ପୁଣି ଶିଳ୍ପା ଅସୁସ୍ଥ ହୋଇଗଲା |ତାକୁ ନେଇ ଶାଶୁ ଡାକ୍ତରଂକ ପାଖକୁ ଗଲେ |ସେମାନେ ଯିବାପରେ ନିରାଲୀ ମନେ ମନେ ଜଣା ଅଜଣା ସବୁ ଠାକୁରଂକୁ ନିଜ ଗୁହାରୀ ଜଣାଇ ଶିଳ୍ପାର ବୈବାହିକ ଜୀବନର ସମାଧାନ ପାଇଁ  କୃପାଭିକ୍ଷା କଲା |ସେ ଭାବୁଥିଲା,ଏମାନେ ଏତେ ଭଲଲୋକ ହୋଇ ଠାକୁର କାହିଁକି ଏତେ ଦୁଃଖ ଦେଲେ ?ସେ ଏହାର କିଛି ବି କୂଳ କିନାରା ପାଉ ନଥିଲା |କିଛି  ସମୟପରେ ଶାଶୁ ଓ ଶିଳ୍ପା ଫେରିଲେ |ସେମାନଂକ ଠାରୁ କିଛି ଶୁଣିବାପାଇଁ ଉତ୍ସୁକତାର ସହ ସେମାନଂକୁ  ଚାହିଁଲା |କିନ୍ତୁ ଶାଶୁ ଚାଲିଗଲେ ରୋଷେଇଘରକୁ ଓ ଶିଳ୍ପା ନିଜ ରୁମକୁ ଫେରି ଆସିଲା |ତା ଯିବା ବାଟକୁ ଚାହିଁ ରହିଲା ସେ |ହଠାତ୍ ସେ ଲକ୍ଷ୍ୟ କଲା,ଶିଳ୍ପା ତା ବ୍ୟାଗରୁ ଉଭୟ ଔଷଧ ଓ ପ୍ରେସକ୍ରୀପସନ କାଢି  ଖଟ ତଳକୁ ଫିଂଗିଦେଲା |ନିରାଲୀ ଆଶ୍ଚର୍ଯ୍ୟ ହୋଇଗଲା |ଏତେ କଷ୍ଟ କରି ଡାକ୍ତରଂକ ସହିତ ପରାମର୍ଶ କରି ଔଷଧ ଆଣିବା ପରେ ତାକୁ ସେ ନଖାଇ କାହିଁକି ଫିଂଗିଦେଲା ?ହୁଏତ ସେ ଭୁଲ ଦେଖିଥାଇପାରେ ,ଏହା ଭାବି ଶିଳ୍ପା ଗାଧୋଇବାକୁ ଯିବାପରେ ଖଟତଳକୁ ଭଲକରି ଦେଖିଲା |ଖଟତଳେ ଗୋଟିଏ ମଧ୍ୟମ ଧରଣର ଆଟାଚି ଅଧାଖୋଲା ଅବସ୍ଥାରେ ଥିଲା |ସେ ତାହାକୁ ଖୋଲି ଦେଖିଲା,ସେଥିରେ ବିଭିନ୍ନ ତାରିଖର ଅସଂଖ୍ୟ ପ୍ରେସକ୍ରୀପସନ ସହ ଅବ୍ୟବହୃତ ଔଷଧ ଗଦା ହୋଇରହିଛି |ସେଥିରୁ ଗୋଟିଏ ବି ବଟିକା ବ୍ୟବହାର ହୋଇନାହିଁ |ନିରାଲୀ ଆଶ୍ଚର୍ଯ୍ୟ ହୋଇଗଲା |ଶିଳ୍ପା ଡାକ୍ତରଂକ ପାଖକୁ ଯାଇ ଔଷଧ ଆଣୁଛି ଅଥଚ ତାହାକୁ ଖାଉନି ?ଏହା କଣ ତାର ରୋଗ ଭଲ ନହେବାର କାରଣ ?ସେ କାହିଁକି ଏପରି କରୁଛି ?ସେ ମନେ ମନେ ଭାବିଲା,ଶିଳ୍ପା ଯାହା ଭାବୁ ପଛକେ,ସେ ତାକୁ ନିଶ୍ଚୟ ଏହାର କାରଣ ପଚାରିବ |ଯୋଗକୁ ସେଦିନ ସନ୍ଧ୍ୟାପରେ ଶିଳ୍ପା ଛାତ ଉପରେ ବସିଥିଲା |ଶାଶୁଂକୁ କହି ସେ ମଧ୍ୟ ଛାତ ଉପରକୁ ଗଲା |ନିରାଲୀକୁ ଦେଖି ଶିଳ୍ପା ମୁହଁ ବୁଲେଇ ବସିଲା | ସେ ତା ସହିତ କଥା ହେବାକୁ ଚାହେଁନାହିଁ ବୋଲି ,ସତେକି ପରୋକ୍ଷରେ ଜଣେଇ ଦେବାକୁ ଚାହୁଁଥିଲା |କିନ୍ତୁ ନିରାଲୀ ଏହାକୁ ନଜରଅନ୍ଦାଜ କରି ଶିଳ୍ପା ପାଖରେ ଯାଇ ବସିପଡିଲା |ଶିଳ୍ପା କିଛି କହିବା ଆଗରୁ ସେ କହିଲା,ମୁଁ ଖାଲି ପଦେକଥା ତମକୁ ପଚାରିବାକୁ ଆସିଛି,ତମର ଇଚ୍ଛା ହେଲେ ଉତ୍ତର ଦେବ,ନହେଲେ ମୁଁ ଚାଲିଯିବି |ସେ ପୁଣି କହିଲା,ତମେ ଡାକ୍ତରଂକ ପାଖକୁ ଯାଉଛ,ଔଷଧ ଆଣୁଛ,ଅଥଚ ତାକୁ ଖାଉନ କାହିଁକି ?ତା କଥା ଶୁଣି ଶିଳ୍ପା ଚମକି ପଡିଲା |ପ୍ରଥମେ ପ୍ରଥମେ ସେ  ଏହାକୁ ଫାଂକି ଦେବାକୁ ବସିଥିଲା |କିନ୍ତୁ ପରେ ନରମିଯାଇ ନିରାଲୀ ହାତ ଧରି କହିଲା,ପ୍ଲିଜ୍ ଭାଉଜ,ଏକଥା ଘରେ କାହାରିକୁ କହିବନି |ନିରାଲୀ ପଚାରିଲା,କିନ୍ତୁ ତମେ ଔଷଧ ଖାଉନ କାହିଁକି ?ଶିଳ୍ପା ଅନେକ ସମୟ ସେମିତି ନୀରବରେ ବସି ରହିଲା |ତାପରେ କହିଲା,ମୁଁ ଔଷଧ ଖାଉନି କିମ୍ବା ଖାଇବାକୁ ଚାହେଁନା କାରଣ ମୁଁ ବଂଚିବାକୁ ଚାହେଁନା |
                 ସେଦିନ ଶିଳ୍ପା ,ନିରାଲୀ ନିକଟରେ ନିଜ ଅନ୍ତର ଖୋଲିଦେଇଥିଲା |ସେ କହିଲା,ଏମାନେ କହୁଛନ୍ତି,ମୋ ନଣନ୍ଦମାନେ ସବୁବେଳେ ବାପଘରକୁ ଆସି ମତେ ଖଟଉଛନ୍ତି |କିନ୍ତୁ ଏକଥା ସତ ନୁହେଁ |ସେମାନେ ଯେବେ ଆସନ୍ତି,ମତେ କିଛିକାମ କରେଇ ଦିଅନ୍ତି ନାହିଁ |ଝିଅମାନେ ତ ସବୁବେଳେ ବାପଘରକୁ ଆସିବାକୁ ଭଲ ପାଆନ୍ତି |ତାଂକୁ ମନା କରିବ କିଏ ?ମୁଁ ଏବେ ବାପଘରେ ବର୍ଷେ ଉପରେ ରହିଲିଣି |ତମେ କଣ ମତେ ଏଇଠୁ ଜବରଦସ୍ତି ବାହାର କରିଦେବ ?ଆଉ ରହିଲା,ୟାଂକ କଥା |ତାଂକର ଯବ ବଦଳେଇବାର ଥିଲା |ତାପରେ ମୁଁ ତାଂକ ପାଖକୁ ଯାଇଥାନ୍ତି |କିନ୍ତୁ ଏମାନେ ଅର୍ଥକୁ ଅନର୍ଥ କରି ମତେ ଏଠାକୁ ନେଇ ଆସିଲେ  |ସେ ସବୁବେଳେ ମୋ ସଂଗେ ଫୋନରେ କଥା ହେଉଥିଲେ |କାଳେ ମତେ ଶିଖେଇଦେବେ,ସେଥିପାଇଁ ମା ରାଗିଯାଇ ମୋଠାରୁ ଫୋନ୍ ନେଇଗଲେ |ମୁଁ ଛ ମାସରୁ ଅଧିକ ଦିନ ହେଲାଣି ତାଂକ ସହିତ କଥା ହୋଇନି |ତମେ କୁହ ମୁଁ ବଂଚିବି କାହିଁକି ?ଶିଳ୍ପା ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା |କେତେଦିନ ଧରି ତାର ହୃଦୟରେ ଜମାଟ ବାନ୍ଧିଥିବା ଦୁଃଖ ସ୍ନେହର ଉଷ୍ମତା ପାଇ ତରଳିବାକୁ ଆରମ୍ଭ କରିଥିଲା ଯେପରି |ନିରାଲୀ କହିଲା,ତାଂକର ଫୋନ୍ ନମ୍ବର ମତେ ଟିକେ କହିବ |ଶିଳ୍ପା କହିଲା,ନାଁ ଭାଉଜ,ମୋ ଦୁଃଖ ମୋ ପାଖରେ ଥାଉ ,ତୁମେ ସେଥିରେ ଅଯଥା ମୁଣ୍ଡ ପୁରାଅ ନାହିଁ |ନିରାଲୀ କହିଲା,ସେମିତି କେମିତି ହେବ ?କଥାଟା ଆରମ୍ଭ ହୋଇଛି ଯେତେବେଳେ ,ମୁଁ ଶେଷ ନକରି ଏଇଠୁ ଯାଉନି |ଜୋରକରି ତାଠାରୁ ଶଶାଂକର ନମ୍ବର ଆଣି ନିଜ ମୋବାଇଲରେ ଦୁହିଁକୁ କଥା କରେଇ ସେ ସେଠାରୁ ଚାଲି ଆସିଲା |
               ଏହି ଘଟଣାର ପନ୍ଦରଦିନ ପରେ ଦିନେ ଶିଳ୍ପାର ଶାଶୁଘର ଖବର ଦେଲେ,ସେମାନେ ଅମୁକ ଦିନ ତାଂକ ବୋହୁକୁ ନେବାପାଇଁ ଆସିବେ |ଖବର ପାଇ ନିରାଲୀର ଶାଶୁ ଭୀଷଣ ବିରକ୍ତ ହେଲେ |କହିଲେ,ହଠାତ୍ ସେମାନେ କେମିତି ଆମ ଝିଅକୁ ନେଇ ଚାଲିଯିବେ ?ତାକୁ ସେମାନେ ସେଇଠି ଭଲରେ ରଖିବେ କି ନାହିଁ ଆମେ ଜାଣିବୁ କେମିତି ?ଏଥରକ ଶିଳ୍ପା ମୁହଁ ଖୋଲିଲା |କହିଲା,ମା ସେମାନେ ଆସିଲେ ମୁଁ ଯିବି |ତମେ ମନା କରନି |ଶିଳ୍ପା ମୁହଁରୁ ଏକଥା ଶୁଣି ନିରାଲୀର ଶାଶୁ ଆକାଶରୁ ଖସି ପଡିଲେ ଯେମିତି |ସେ ଆଉ କିଛି କହିଲେ ନାହିଁ |ନିର୍ଦ୍ଦିଷ୍ଟ ଦିନ ଶଶାଂକ ଓ ତାର ମା ତାକୁ ନେବାକୁ ଆସିଲେ |ଶିଳ୍ପା ସମସ୍ତଂକୁ ଭୂମିଷ୍ଠ ପ୍ରଣାମ କରି ଖୁସିମନରେ ଶାଶୁଘରକୁ ଗଲା |କିଛିଦିନ ପରେ ଖବର ଆସିଲା,ଶଶାଂକ ନିଜର ନୂତନ କର୍ମସ୍ଥଳୀ ବାଂଗାଲୋରରେ ଯୋଗ ଦେଇଛି ଓ ତା ସହିତ ଶିଳ୍ପାକୁ ସାଂଗରେ ନେଇ ଯାଇଛି |..........
By---Mamata Mohanty .06-10-2018.Melbourne.
           

No comments:

Post a Comment