Monday, October 29, 2018

ସାର୍

             କାଲି ପରି ଲାଗୁଛି, ବିଶୁ ଦଶମ ଶ୍ରେଣୀ ପରୀକ୍ଷାରେ ପଞ୍ଚାନବେ  ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ସେହି ସ୍କୁଲରେ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିଲା ।ସ୍କୁଲ ଯିବାର ପ୍ରଥମ ଦିନରେ ବାପା ତାକୁ କାନେ କାନେ କହିଥିଲେ,ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପାଠରେ ବହୁତ ଫରକ ।ତତେ ଏଥରକ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ।କିନ୍ତୁ ବିଶୁର ପାଠରେ ଆଦୌ ମନ ନଥିଲା ।କ୍ଲାସରେ ବିଭିନ୍ନ ପଶୁ ପକ୍ଷୀ ମାନଙ୍କର ସ୍ୱର ଅବିକଳ ନକଲ କରି, ନିଜେ ପଢୁ ନଥିଲା କି ଆଉ କାହାକୁ ପଢେଇ ଦେଉ ନଥିଲା ।ସେତେବେଳେ ପ୍ରଶାନ୍ତ ସାର ନୂଆ କରି ସେହି ସ୍କୁଲରେ ନିଯୁକ୍ତି ପାଇଥାନ୍ତି ।ଥରେ କୌଣସି କାରଣରୁ ସେଦିନ ତାଙ୍କର ଶ୍ରେଣୀ ଶିକ୍ଷକ ଛୁଟିରେ ଥିଲେ ।ପ୍ରଶାନ୍ତ ସାର ତାଙ୍କ ବଦଳରେ ପଢେଇବାକୁ ଆସିଲେ ।ନୂଆ ସାରଙ୍କୁ ଦେଖି ବିଶୁ ନିଡର ହୋଇ ରହି ରହି ପଶୁ ପକ୍ଷୀଙ୍କ ଆବାଜ କରିବାରେ ଲାଗିଲା ।ପ୍ରଶାନ୍ତ ସାର ସେଆଡକୁ କର୍ଣ୍ଣପାତ ନକରି ପଢେଇବାରେ ଲାଗିଲେ ।କ୍ଲାସ ଶେଷ ହେବା ପରେ ବିଶୁକୁ ସେ ତାଙ୍କ ସହିତ ଡାକି ନେଇଗଲେ ।ସମସ୍ତେ ଭାବିଥିଲେ,ବିଶୁକୁ କଡ଼ା ଦଣ୍ଡ ମିଳିବ ।ବିଶୁ ବି ସେଇଆ ଭାବିଥିଲା ।କିନ୍ତୁ ସାର ତାକୁ ଚକିତ କରିଦେଇ କହିଲେ,ତୁମେ ତ ପଶୁ ପକ୍ଷୀ ମାନଙ୍କର ଆବାଜ ଅବିକଳ ନକଲ କରି ପାରୁଛ ।ତୁମର ଭଲ ପ୍ରତିଭା ଅଛି ।ଏଥରକ ସ୍କୁଲର ବାର୍ଷିକୋତ୍ସବ ରେ ତୁମକୁ ଏହା କରିବା ପାଇଁ ସୁଯୋଗ ମିଳିବ ।ପ୍ରଶାନ୍ତ ସାରଙ୍କ ସୁପାରିଶ ରେ ବିଶୁ ପ୍ରଥମ ଥର ପାଇଁ ମଞ୍ଚ ଉପରକୁ ଯାଇ ଢେର୍ ସାରା କରତାଳି ସାଉଁଟି ଥିଲା ।ସେଦିନ ଠାରୁ ବିଶୁ ଆଉ ସେପରି ଦୁଷ୍ଟାମୀ କରିନାହିଁ ।
               ଆଉ ଥରେ ସିନେମା ହଲ କୁ ଭଲ ମୁଭି ଆସିଥାଏ ।ବିଶୁର ସାଙ୍ଗ ମାନେ କ୍ଲାସ ଛାଡ଼ି ମୁଭି ଦେଖି ଯିବା ପାଇଁ ମତେଇଲେ ।ଯୋଜନା ମୁତାବକ ସେମାନେ ଚାରିଜଣ ସ୍କୁଲ ଯିବା ବାହାନାରେ ଘରୁ ଆସି ସିନେମା ହଲ ରେ ପଶିଲେ ।ମୁଭି ଆରମ୍ଭ ହେଉ ହେଉ ସେମାନଙ୍କୁ ଖବର ମିଳିଗଲା,ପ୍ରଶାନ୍ତ ସାର ଆଉ ତିନିଜଣ ସାରଙ୍କ ସହିତ ଆସି ସେମାନଙ୍କୁ ବାହାରେ ଜଗିଛନ୍ତି ।ଭୟରେ ସେମାନଙ୍କ ଅକଲ ଗୁଡ଼ୁମ୍ ହୋଇଗଲା ।ବସ୍ତାନି ଧରି ଦୌଡ଼ି ଦୌଡ଼ି ଗେଟ ଡ଼େଇଁବା ବେଳକୁ ଚାରିଜଣ ସାର ସେମାନଙ୍କୁ କାବୁ କରିନେଲେ ।ସେଦିନ ସେମାନଙ୍କ ପାଇଁ ଅତ୍ୟନ୍ତ ଘଡିସନ୍ଧି ର ମୁହୂର୍ତ୍ତ ଥିଲା ।ଚାରିଜଣଙ୍କ ପିତା ସ୍କୁଲ ଆସିଲେ ଓ ସେମାନଙ୍କୁ ଭବିଷ୍ୟତରେ ଏହାର ପୁନରାବୃତ୍ତି ନକରିବା ପାଇଁ ଅଣ୍ଡରଟେକିଂ ଲେଖିଦେବାକୁ ପଡ଼ିଥିଲା ।
             ବିଶୁଙ୍କ କ୍ଲାସରେ ସର୍ବାଧିକ ନମ୍ବର ରଖୁଥିଲା ତୃପ୍ତି ।ସେ ପାଠରେ ଯେମିତି ନମ୍ବର ଏକ ଥିଲା ରୂପରେ ମଧ୍ୟ ସେହିପରି ଥିଲା ନମ୍ବର ଏକ ।ତୃପ୍ତି ପଛରେ କେତେଜଣ ପଡ଼ିଥିଲେ।ସେମାନଙ୍କ ଭିତରୁ ବିଶୁ ଥିଲା ଅନ୍ୟତମ ।ଦିନେ ସେ ବ୍ଲେଡ୍ ରେ କାଟି ତୃପ୍ତି ନାଁ ନିଜ ହାତରେ ଲେଖିଦେଲା ।ସେତିକି ନୁହେଁ ଦ୍ୱାଦଶ ପରୀକ୍ଷା ଆଉ ଅଳ୍ପଦିନ ଅଛି,ସେ ପରୀକ୍ଷା ଦେବନାହିଁ ବୋଲି ଜିଦ୍ଦି ଧରିଲା ।ବିଶୁର ପିତା କାନ୍ଦି କାନ୍ଦି ଆସି ପ୍ରଶାନ୍ତ ସାର ଙ୍କୁ ଏକଥା କହିଲେ ।ପ୍ରଶାନ୍ତ ସାର କହିଲେ,ଆପଣ କାଲି ତାକୁ ସ୍କୁଲକୁ ଆଣନ୍ତୁ,ମୁଁ ବୁଝେଇ ଦେବି ।ବିଶୁ ଆସିଲା ।ସେ ପାଗଳଙ୍କ ପରି ହେଉଥିଲା ।ପ୍ରଶାନ୍ତ ସାର ତାକୁ ଅନେକ ବୁଝେଇଲେ ।ଶେଷରେ କହିଲେ,ହଉ ତୁ ତାକୁ ବାହା ହେବାକୁ ଚାହୁଁଛୁ ତ,ଠିକ୍ ଅଛି ।ତୁ ତାକୁ ବାହା ହବୁ ।ଆମେ ତୋ ବାହାଘର ଠିକ୍ କରି ରଖିବୁ,ପାଠ ପଢା ସରିଲେ ତୁ ତାକୁ ହିଁ ବାହା ହବୁ ।ସାର ଙ୍କ କଥାରେ କି ଯାଦୁ ଥିଲା କେଜାଣି ବିଶୁ ବୁଝିଗଲା ।ତାପରେ ସେ ଭଲ ଭାବରେ ପଢ଼ି ପରୀକ୍ଷା ଦେଲା ଓ ଭଲ ରେଜଲ୍ଟ ଆଣିଲା ମଧ୍ୟ ।କିନ୍ତୁ ପରୀକ୍ଷା ସରିବା ପରେ ତା ମୁଣ୍ଡ ରୁ ତୃପ୍ତି ର ଭୁତ ଉଭେଇ ଯାଇଥିଲା ।ଆଉ ସେ ପଛକୁ ଫେରି ଚାହିଁ ନଥିଲା ।
              ସ୍କୁଲର ଶେଷ ଦୁଇବର୍ଷ ସେମାନଙ୍କ ପାଇଁ ଘଟଣା ବହୁଳ ଥିଲା ।ପ୍ରଶାନ୍ତ ସାର, ସେ ଓ ତା ପରି ଆଉ କେତେଜଣ ବାଳୁଙ୍ଗା ପିଲାଙ୍କ ପାଇଁ କୌଣସି ଦୁଷ୍ଟ ଦାନବ ଠାରୁ କମ ନଥିଲେ ।ସେ ସେମାନଙ୍କୁ ଗୋଡେ ଗୋଡେ ଜଗିଥିଲେ ।ସେମାନଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଥିଲା ।ତାଙ୍କ କଡା ନଜର ଯୋଗୁଁ ସେମାନେ ଅନେକ ଭୁଲ କରିବାରୁ ବର୍ତ୍ତି ଯାଇଥିଲେ |
               ଇତି ମଧ୍ୟରେ କୋଡିଏ ବର୍ଷ ଅତିକ୍ରାନ୍ତ ହୋଇଗଲାଣି ।ସେଦିନର ସେଇ ଦୁଷ୍ଟ ପିଲା ଆଜି ଇଂଜିନିୟର,ବୈଜ୍ଞାନିକ,ଆଇ ଏ ଏସ,ଆଇ.ପି.ଏସ.,ପ୍ରଫେସର ଇତ୍ୟାଦି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ।ସେ ନିଜେ ମଧ୍ୟ ଏକ ପ୍ରସିଦ୍ଧ ଚକ୍ଷୁ ବିଶେଷଜ୍ଞ ।ସ୍ତ୍ରୀ ତାର ଅଧ୍ୟାପିକା ।ଗୋଟିଏ ବୋଲି ପୁଅ ରିଙ୍କୁ ପାଠରେ ବେଶ ଆଗୁଆ ।ଦିନେ ସେ ତାର ଚେମ୍ବର ଭିତରେ ବସି ରୋଗୀ ଦେଖିବା ବେଳେ ତା ନଜର ସମୁଖସ୍ଥ  ସି.ସି.ଟି.ଭି.ମନିଟର ଉପରେ ପଡ଼ିଗଲା ।ସେ ଜୁମ୍ କରି ଦେଖିଲା ପ୍ରଶାନ୍ତ ସାର ଚୁପ ଚାପ ହୋଇ ବେଞ୍ଚ ରେ ବସି ତାଙ୍କ ପାଳିକୁ ଅପେକ୍ଷା କରିଛନ୍ତି ।ସେ ସଙ୍ଗେ ସଙ୍ଗେ ଯାଇ ସାରଙ୍କ ହାତ ଧରି ରୁମ ଭିତରକୁ ଆଣି ତା ଚେୟାର ଉପରେ ବସାଇ ତାଙ୍କ ପାଦ ତଳେ ଲମ୍ବ ହୋଇ ପଡ଼ିଗଲା ।କହିଲା,ସାର, ଆଜି ମୁଁ ଯାହା କିଛି ହୋଇଛି,ସେସବୁ କେବଳ ଆପଣଙ୍କ ଅବଦାନ ।ଏଠାରେ ଆପଣଙ୍କ ପାଦଧୂଳି ପଡ଼ିଥିବାରୁ ମୁଁ ନିଜକୁ ଧନ୍ୟ ଓ ଗୌରବାନ୍ନିତ ମନେ କରୁଛି ।ଆପଣଙ୍କର ଚିକିତ୍ସା ମୁଁ ମାଗଣାରେ କରିବି ।ଆପଣ ମୋ ପାଇଁ କେବଳ ସାର ନୁହନ୍ତି,ମୋ ଗୁରୁ,ମୋ ଦେବତା !!!ମମତା ମହାନ୍ତି |(ପବିତ୍ର ଗୁରୁ ଦିବସ ଉପଲକ୍ଷେ ପାଠକ/ପାଠିକା ମାନଙ୍କ ନିମନ୍ତେ ମୋର ଏକ ପୁରୁଣା ଗଳ୍ପ )

No comments:

Post a Comment