Friday, July 15, 2016

ଉତ୍ତରାଧିକାରୀ

             ଶଂକର ସରକାରୀ କାର୍ଯ୍ୟାଳୟରେ ଉଚ୍ଚ ପଦବୀରେ ଅଧିଷ୍ଠିତ ଥାଇ  ଅନେକ ଧନ ଉପାର୍ଜନ କରିଥିଲେ |ସେଥିରେ ସେ ରାଜଧାନୀ ଭୁବନେଶ୍ୱର ରେ ଏକ ବିଶାଳକାୟ ତିନି ମହଲା କୋଠାଘର ନିର୍ମାଣ କରି ଥିଲେ |ଏହା ସହିତ ଭୁବନେଶ୍ୱର ଉପକଣ୍ଠରେ ତାଂକର ଦୁଇଟି ବଡ ପ୍ଲଟ୍ ଥିଲା |ସେ ତାଂକ କୋଠାଘରକୁ ଭଡା ଦେଇ ନିଜେ ସରକାରୀ ବାସଭବନ ରେ ରହୁଥିଲେ |ତାଂକର ତିନିଟି ଝିଅ ଥିଲେ |ଏତେ ବଡ ସମ୍ପତ୍ତି କୁ ଭୋଗ କରିବା ପାଇଁ ଉତ୍ତରାଧିକାରୀ ରୁପେ ତାଂକର କୌଣସି ପୁତ୍ର ସନ୍ତାନ ନ ଥିବାରୁ ସବୁବେଳେ ସେ ଚିନ୍ତିତ ଥିଲେ |ତିନି ଝିଅ ତାଂକର ସୁଶ୍ରୀ ,ଶିକ୍ଷିତା ,ଗୁଣବତୀ ଥିଲେ  |ସବୁ ଝିଅଂକୁ ସୁଯୋଗ୍ୟ ପାତ୍ର ସହ ବିବାହ ଦେଇ ସେ ଶାନ୍ତିରେ ତାଂକର ଶେଷ ଜୀବନ କଟାଇବା କଥା |କିନ୍ତୁ ମନ ତାଂକର ସବୁବେଳେ ଉତ୍ତରାଧିକାରୀ ପାଇଁ ବ୍ୟାକୁଳ ହେଉଥାଏ |ଶେଷରେ ସେ ମନେ ମନେ ସ୍ଥିର କଲେ ତାଂକର ଏକ ନାତିକୁ  ପୋଷ୍ୟ ପୁତ୍ର କରି ନିଜର ଉତ୍ତରାଧିକାରୀ କରିବେ |ବଡ଼ ଝିଅ ର ଏକମାତ୍ର କନ୍ୟା ସନ୍ତାନ ,ତେଣୁ ତା କଥା ନୁହେଁ |ମଝିଆ ର ଗୋଟିଏ ପୁଅ |କେବଳ ସାନ ଝିଅ ର ଜାଆଁଳା ପୁଅ ଦୁଇଟି |ତାର  ଗୋଟିଏ ପୁଅ କୁ  ପୋଷ୍ୟପୁତ୍ର ଭାବେ ନେବା ପାଇଁ ତାଂକର ବହୁତ ଇଚ୍ଛା ହେଲା |ସେ ନିଜ ମନ କଥା ସ୍ତ୍ରୀ ଶାରଦାଂକୁ କହିଲେ |ଶାରଦା ଏଥିରେ ଆଦୌ ରାଜି ହେଲେ ନାହିଁ |କହିଲେ ,ଈଶ୍ୱର ଆମକୁ ଯାହା ଦେଇ ନାହାନ୍ତି ,ସେଥିପାଇଁ ବୃଥା ଆଶା କରିବା ଠିକ ନୁହେଁ |କିନ୍ତୁ ଶଂକର ତାଂକର ମନ ସ୍ଥିର କରି ସାରିଥିଲେ |ସେ ବହୁତ କଷ୍ଟରେ ସାନଝିଅ  ଓ ତାଂକର ପରିବାରକୁ ରାଜି କରାଇ ,ତା ସାନ ପୁଅ ଶୋଭନ କୁ ନିଜର ପୋଷ୍ୟ ପୁତ୍ର ରୂପେ ଗ୍ରହଣ କଲେ |
           ଶୋଭନ କୁ ପାଞ୍ଚ  ବର୍ଷ ହେବା ପରେ ଶଙ୍କର  ତାକୁ ନିଜ ଘରକୁ ନେଇ ଆସିଲେ |ଅତି ଆଦର ଯତ୍ନରେ ତାର ଲାଳନ ପାଳନ କରି ତାକୁ ଉତ୍ତମ ପବ୍ଲିକ୍ ସ୍କୁଲରେ ପାଠ ପଢାଇଲେ |ସେ  ଚାକିରୀ ରୁ ଅବସର ଗ୍ରହଣ କରିବା ବେଳକୁ ଶୋଭନ କୁ ମାତ୍ର ପନ୍ଦର ବର୍ଷ |ସେ ଭଲ ପାଠ ପଢୁଥିଲା | ସେ କାନାଡ଼ାରେ ରହି ଏମ.ବି.ଏ.କଲା ଓ ପାଠ ପଢା ଶେଷ ହେବାପରେ ସେଠାରେ ତାକୁ ଭଲ ଚାକିରୀ ମିଳିଲା ମଧ୍ୟ |ସେତେବେଳକୁ ଶାରଦା ପରଲୋକ ଗମନ କରି ସାରିଥିଲେ |
            ଶଂକର ଅବସର ଗ୍ରହଣ କରିବା ପରେ ସରକାରୀ ବାସଭବନ ସରେଣ୍ଡର କରି ,ନିଜ ଘର କୁ ଚାଲି ଆସିଥିଲେ |ଉପର ଦୁଇ ମହଲା ଭଡା ଦେଇ ,ସେ ତଳ ମହଲାରେ ରହୁଥିଲେ | ତାଂକର ବିରାଟ ବଗିଚା ର ଉତ୍ତର ପାର୍ଶ୍ୱ ରେ ଥିବା  ଆଜବେଷ୍ଟସ ଘରେ  ତାଂକର ପୁରୁଣା ଚାକର ଦୈତାରୀ, ତା ସ୍ତ୍ରୀ ଓ  ପୁଅ ସହ ରହୁଥିଲା |ଦୈତାରୀ ତାଂକର ବଜାର ସୌଦା ,ପନିପରିବା କିଣିବା ଇତ୍ୟାଦି ସମସ୍ତ ବାହାର କାମ କରୁଥିବା ବେଳେ ,ତା ସ୍ତ୍ରୀ ପୁଷ୍ପା ଘର ଓଳାଇବା,ବାସନ ମାଜିବା,ରୋଷେଇ କରିବା ଆଦି ସମସ୍ତ ଘର କାମ କରୁଥିଲା |ଶାରଦାଂକ ମୃତ୍ୟୁ ପରେ ଶଂକର ତାଂକ ଉପରେ ଅଧିକ ପରିମାଣରେ ନିର୍ଭରଶୀଳ ହୋଇ ପଡିଥିଲେ |
           ଶୋଭନ ,ସେଇ କାନାଡା ରୁ ହିଁ ତାର ଜୀବନସାଥୀ ବାଛି ଥିଲା | |ତାରି କମ୍ପାନୀରେ ସେ  ଚାକିରୀ କରୁଥିଲା |ବାହାଘର କାନାଡା ରେ ହୋଇଥିଲା |ଶଂକର କାନାଡା ଯାଇଥିଲେ |ସେଠାରେ ପୁଅ ର ସୁଖ ,ବୈଭବ ଦେଖି ବହୁତ ଖୁସି ହୋଇଥିଲେ |ବୋହୂ ପ୍ରିୟଂକା ତାଂକୁ ଅନେକ ସମ୍ମାନ ,ଆଦର ,ଯତ୍ନ କରୁଥିଲା |ସେଠାରେ ତିନି ମାସ ରହି ସେ ଭୁବନେଶ୍ୱର ଫେରି ଆସିଲେ |ସେତେବେଳକୁ ଶଂକରଂକୁ ଚୌସ୍ତରୀ ବର୍ଷ ବୟସ ହେଲାଣି |ଆଣ୍ଠୁ ଗଣ୍ଠି ବ୍ୟଥା ସହ ଧୀରେ ଧୀରେ ତାଂକୁ ଅନେକ ବେମାରି ଗ୍ରାସ କରି ବସିଲା |ବେଳେବେଳେ ବିଛଣାରେ ଝାଡା ,ପରିସ୍ରା ହୋଇ ଯାଉଥାଏ |ଶୋଭନ ଏହା ଶୁଣି ଭାରି ବ୍ୟସ୍ତ ହେଉଥାଏ |ଦିନେ ସେ କହିଲା ,ବାପା ,ସେଠାରେ ତମର ଭଲ ମନ୍ଦ ବୁଝିବା ପାଇଁ କେହି ନାହାନ୍ତି ,ପର ଲୋକଂକ ଉପରେ ନିର୍ଭର କରି କେତେଦିନ ରହିବ?ତମେ ମୋ ପାଖକୁ ଚାଲିଆସ ,ଏଇଠି ସମସ୍ତେ ଏକାଠି ଖୁସିରେ ରହିବା |ଶଂକର ନିଜ ଜନ୍ମମାଟି,କଷ୍ଟରେ କରିଥିବା ସମ୍ପତ୍ତି ର ମୋହ ଛାଡି ଏତେ ଦୂର ଯିବାକୁ ଆଦୌ ରାଜି ହେଉ ନ ଥାନ୍ତି |କିନ୍ତୁ କ୍ରମେ ସେ ଆହୁରି ଅସୁସ୍ଥ ହୋଇ ପଡିଲେ |ଶୋଭନ ପୁଣି ବୁଝାଇଲା ,ଏଇଠି ଭାରତ ଅପେକ୍ଷା ଅଧିକ ଚିକିତ୍ସା ସୁବିଧା ରହିଛି |ଶଂକର କହିଲେ,ଏ ଘର ,ଜମି ବାଡି ,ମୁଁ କାହା ଭରସା ରେ ଛାଡି ଦେଇ ଯିବି ?ଶୋଭନ ବୁଝାଇଲା,ଯଦି ମଣିଷ ନ ରହିବ,ତାହାଲେ ସମ୍ପତ୍ତି ର ମୂଲ୍ୟ କଣ ?ମୋର ତ ଆଉ ଭାରତ ଫେରିବାର ନାହିଁ ,ତମ ଅନ୍ତେ ସେ ସବୁ ଭୂତ ଖାଇବେ |ବରଂ ଭଲ ହେବ ସେସବୁ ବିକ୍ରୀ କରିଦେଇ ତମେ ମୋ ପାଖକୁ ଚାଲିଆସ |ପ୍ରିୟଂକା ତମକୁ ବହୁତ ଭଲ ପାଏ ,ସେ ତମର ଭଲ ଯତ୍ନ ନେବ |ଶୋଭନ  ମୁହଁରୁ ଏକଥା ଶୁଣି ତାଂକ ଛାତି ଫାଟିଯିବା ପରି ଲାଗୁଥିଲେ ହେଁ ପରେ ସେ ଭାବିଲେ  ଶୋଭନ ଯାହା କହୁଛି ଠିକ କହୁଛି |ତଥାପି ମନ ସ୍ଥିର କରିବା ପାଇଁ ତାଂକୁ ଆହୁରି ବର୍ଷେ ସମୟ ଲାଗିଗଲା |ଶେଷରେ ସେ ଶୋଭନ କୁ ଜଣାଇ ଦେଲେ ,ସେ ତା ପ୍ରସ୍ତାବ ରେ ରାଜି |
           ଶୋଭନ ଲମ୍ବା ଛୁଟି ନେଇ ଆସିଲା |ଶଂକର ପଚାରିଲେ ,ପ୍ରିୟଂକା ଆସିଲାନି ଯେ ?ଶୋଭନ କହିଲା ,ସେ ଆସିବାକୁ ଚାହୁଁଥିଲା, ମୁଁ ମନାକଲି,ଆମେ ତ ସବୁଦିନ ସେଇଠି ସାଂଗ ହୋଇ ରହିବା ,ସେ ଏବେ ଆସିବା କଣ ଦରକାର ?ଶଂକର ବୁଝିଗଲେ |ତାପରେ ଘର ଓ  ଜମି ଇତ୍ୟାଦି ବିକ୍ରୀ କରିବା ପାଇଁ ଉଦ୍ୟମ ଚାଲିଲା |ଶୋଭନ ଅନ ଲାଇନ୍ ରେ ବିଜ୍ଞାପନ ଦେଇଥିଲା |ଘର ବିକ୍ରୀ ହେଉଥିବାର କଥା ଶୁଣି ଦୈତାରୀ ଭାରି ମନ ଦୁଃଖ କଲା ,କହିଲା ,ଆପଣ ଯଦି ମନ ସ୍ଥିର କରି ସାରିଛନ୍ତି ,ତାହାଲେ ମୁଁ ଯେଉଁଠି ଅଛି,ସେଇଠାରେ  ମତେ ରହିବାକୁ ଦିଅନ୍ତୁ  |ଶୋଭନ ଏଥିରେ ଆପତ୍ତି କଲା ,କହିଲା ,ସେମିତି କେମିତି ହେବ ?ଯିଏ ନବ ପୁରା ବିଲ୍ଡିଂଗ ନେବ |ଶଂକର କହିଲେ ,ହଁ ସେ ଯଦି ଚାହୁଁଛି ରହୁ, ,ସେମାନେ ମୋର ବହୁତ ସେବା କରିଛନ୍ତି ,ତା ମନ ମୁଁ ଭାଂଗି ଦେଇ ପାରିବି ନାହିଁ |ଶୋଭନ କିନ୍ତୁ ଆଦୌ ରାଜି ହେଲାନାହିଁ|ସେ କହିଲା ,ସେମିତି ଖଣ୍ଡ ଖଣ୍ଡ ଘର କେହି ନେବେନି |ଏକଥା ଶୁଣି ଦୈତାରୀ କାନ୍ଦି କାନ୍ଦି କହିଲା ,ଏବେ ମୁଁ ଆଉ କୁଆଡେ ଯିବି ବାବୁ?ଶଂକର ତାକୁ ଆଶ୍ୱାସନା ଦେଇ କହିଲେ ,ତୁ ବ୍ୟସ୍ତ ହୁଅନା,ତୋ ପାଇଁ କିଛି ଗୋଟେ ବ୍ୟବସ୍ଥା କରିବା |ଶଂକର ତାଂକ ଚାକିରୀ ଆରମ୍ଭରେ ହାଉସିଂ ବୋର୍ଡ଼ରୁ ଗୋଟିଏ ଏକ ବଖରା  ଘର କିଣିଥିଲେ |ସେ ତାକୁ ଭଡା ନ ଲଗାଇ ସେମିତି ଚାବି ପକାଇ ରଖି ଦେଇଥିଲେ |ମାସରେ ଥରେ ଦୈତାରୀ ସେଠାକୁ ଯାଇ ଘର ସଫା କରି ଆସୁଥିଲା  |ସେ ଦୈତାରୀକୁ ଏକୁଟିଆ ଡାକି କହିଲେ ,ସେ ଘର ର ଚାବି ତୋ ପାଖରେ ଅଛି,ମୁଁ ଯିବା ପୂର୍ବରୁ ତୁ ତୋ ପିଲାମାନଂକୁ ନେଇ ସେଠିକି ଚାଲିଯା |ତୁ ମୋ ପାଇଁ ବହୁତ କରିଛୁ ,ଆଜିଠାରୁ ସେ ଘର ତୋର |ସେ ଖୁସିରେ ଆତ୍ମହରା ହୋଇ ଦୈତାରୀ ତାଙ୍କ ପାଦତଳେ ପଡି କହିଲା,ବାବୁ,ଆପଣ ମଣିଷ ନୁହନ୍ତି,ସାକ୍ଷାତ ଦେବତା |  ତା ପରଦିନ  ଘର ଖାଲି କରି ଦୈତାରୀ ଚାଲିଗଲା  |ସେ ଯିବାପରେ ଶୋଭନ ନିଜେ ରୋଷେଇ କଲା,ଶଙ୍କରଙ୍କ  ଗୋଡ଼,ହାତ,ଘଷି ମୋଡି  ଦେଲା,ରାତିରେ ତାଂକ ପାଖରେ ଶୋଇଲା |ଶଂକର ମନେ ମନେ ବହୁତ ଖୁସି ହେଲେ |ସବୁ  ସମ୍ପତ୍ତି ବିକ୍ରୀ ହେବା ପରେ ,ବିକ୍ରୀ ଟଂକା ଶୋଭନ ଆକାଉଣ୍ଟ ରେ ଡିପୋଜିଟ୍ ହେଲା |ଯେତେବେଳେ କାନାଡା ଯିବାର ଫ୍ଲାଇଟ୍ ଟିକେଟ୍ ଶୋଭନ ତାଂକୁ ଦେଖାଇଲା,ଶଂକରଂକ ଆଖିରୁ ଅନେକ ଧାର ଅମାନିଆ ଲୁହ ଝରି ଆସିଲା |
            ସମସ୍ତଂକ ଠାରୁ ବିଦାୟ ନେଇ ,ଶଂକର ବାହାରିଲେ ନିଜ ନୁଆ ଗନ୍ତବ୍ୟସ୍ଥଳ କୁ |ଭୁବନେଶ୍ୱର ରୁ ଦିଲ୍ଲୀ,ତାପରେ କାନାଡା |ଦିଲ୍ଲୀରେ ସବୁ ଚେକିଂ ସରିବା ପରେ ଦୁହେଁ ଆରାମରେ ବସି କାନାଡା ଫ୍ଲାଇଟ୍ କୁ ଅପେକ୍ଷା କଲେ |ଶୋଭନ କହିଲା ,ବାପା ,ଫ୍ଲାଇଟ୍ ଟିକିଏ ଡେରିରେ ଆସିବ,ତମେ ଇୟର୍ ଫୋନ୍ ଲଗାଇ ଗୀତ ଶୁଣୁ ଥାଅ ,ମୁଁ ଏଇଠୁ ଆସୁଛି |ଶୋଭନ ଚାଲିଗଲା |ଶଂକର ଗୀତ ଶୁଣୁ ଶୁଣୁ କେତେବେଳେ ତାଂକ ଆଖି ପତା ଲାଗିଯାଇଛି ,ହଠାତ୍ କାହାର ହାତ ସ୍ପର୍ଶରେ ତାଂକ ଆଖି ଖୋଲିଗଲା |ସେ ଚାହିଁ ଦେଖିଲେ ,ତାଂକ ଅଫିସ୍ ର ପୁରୁଣା ସହକର୍ମୀ ମାୟାଧର ଦାସ |ସେ ପଚାରିଲେ ,କୁଆଡେ ଯାଉଛନ୍ତି ?ଏକୁଟିଆ ?ଶଂକର ହସିଦେଇ କହିଲେ ,ପୁଅ ସାଂଗେ କାନାଡା ଯାଉଛି |ମାୟାଧର ପଚାରିଲେ  ପୁଅ କାହିଁ?ଶଂକର ଉତ୍ତର ଦେଲେ ,ଏଇଠି କୁଆଡେ ଯାଇଛି,ଆସିବ ଏଇନା |ମାୟାଧର କହିଲେ ,କିନ୍ତୁ କାନାଡା ଫ୍ଲାଇଟ୍ ତ କେତେବେଳୁ ଗଲାଣି |ଶଂକର ଚମକି ପଡି ପୁଅ କୁ ଫୋନ ଲଗାଇଲେ ,ହେଲେ ତାର ଫୋନ ସ୍ୱିଚ ଅଫ ଆସିଲା |ସେ ନିଜକୁ ବିଶ୍ୱାସ କରି ପାରିଲେ ନାହିଁ  |ତଳକୁ ଯାଇ  କାଉଣ୍ଟରରେ ପଚାରିଲେ ,ଜାଣିଲେ ମାୟାଧର ଯାହା କହୁଥିଲେ ,ସବୁ  ସତ | ପାଦ  ତଳୁ ତାଂକର ଭୂମି ଖସିଯିବା ପରି ଲାଗିଲା |ସେ ଜାଣି ପାରିଲେ ତାଂକର ଉତ୍ତରାଧିକାରୀ ତାଂକୁ କାଙ୍ଗାଳ କରି ପ୍ରଚଣ୍ଡ ଭାବରେ ଧୋକା ଦେଇ ଚାଲି ଯାଇଛି |ସେ ସ୍ଥାଣୁ ପରି ସେଠାରେ ଛିଡା ହୋଇ ରହିଲେ |ମମତା ମହାନ୍ତି |
            *******************************************************************

No comments:

Post a Comment