ବିଜୟା
ଯେତେବେଳେ ଗଣପତି କୁ ବାହାହେଲା ସେତେବେଳେ
ତାକୁ ହୋଇଥିଲା ସତର ବର୍ଷ ବୟସ | ଗଣପତି ରିକ୍ସାଚାଳକ ଥିଲା |ତା ସ୍ତ୍ରୀ ର ଅକାଳ ବିୟୋଗ ପରେ,
ତାର ଆଠ ମାସର ଛୁଆ, ‘ଲୋକନାଥ’ ର
ଲାଳନପାଳନ ପାଇଁ ସେ ବିଜୟା କୁ ଦ୍ୱିତୀୟ ବିବାହ କରିଥିଲା |ବିଜୟା ର ପିତା ମାତା ଅତ୍ୟନ୍ତ ଗରିବ
ଥିଲେ ,ପର ଘରେ ପାଇଟି କରି ପେଟ ପୋଷୁଥିଲେ |ବାହାଘର ର ପ୍ରଥମ ଦିନ ହିଁ ଗଣପତି ତାକୁ ସ୍ପଷ୍ଟ
ଭାବେ କହି ଦେଇଥିଲା ,ତାର ପ୍ରଥମ କାର୍ଯ୍ୟ ହେବ ‘ଲୋକନାଥ’ ର ଯତ୍ନ ନେବା ,ତାପରେ ଆଉ ଯାହା | ବିଜୟା
କୁ ପ୍ରଥମେ ପ୍ରଥମେ ଏସବୁ କାମ କରିବା ପାଇଁ ଭାରି ଅଡୁଆ ଲାଗୁଥିଲା ,ପରେ କିନ୍ତୁ ସବୁ ଦେହସୁହା
ହୋଇଗଲା |ଲୋକନାଥ ତାକୁ ବହୁତ ଭଲ ପାଉଥିଲା |ଯେତେବେଳେ ଲୋକନାଥ ତାକୁ ପ୍ରଥମ କରି ‘ମା’ ବୋଲି
ଡାକିଲା ,ତା ମନ ଏକ ଅଜଣା ଆନନ୍ଦରେ ଭରିଗଲା |ଗଣପତି ଅପେକ୍ଷା ତାକୁ ଲୋକନାଥ ର ସାନ୍ନିଧ୍ୟ
ବେଶୀ ଭଲ ଲାଗିଲା |ଠିକ ଭାବେ ଲୋକନାଥ ର ଯତ୍ନ ନେଉଥିବାରୁ ଗଣପତି ମଧ୍ୟ ବିଜୟା ଉପରେ ସନ୍ତୁଷ୍ଟ
ଥିଲା |ଗଣପତି ର ଏକ ଦରଜୀ ମିତ୍ର ଥିଲା ,’ଇକବାଲ୍’|ଛକ ପାଖରେ ତାର ଏକ ସିଲେଇ ଦୋକାନ ଥିଲା
|କପଡା କାଟିବା ଓ ସିଲେଇ କରିବାରେ ଇକବାଲ୍ ଦକ୍ଷ ଥିଲା |ଗଣପତି ପ୍ରାୟ ବେଳେ ଇକବାଲ୍ ଦୋକାନ କୁ
ଯାଏ ,ଦୁହେଁ ମନଖୋଲା ଖୁସି ଗପ ସପ ହୁଅନ୍ତି, ବିଜୟା ର କିଛି କପଡା ସିଲେଇ କରିବାର ଥିଲେ
,ଇକବାଲ ସିଲେଇ କରିଦିଏ |
ସମୟ ସବୁଦିନ ସମାନ ଯାଏନାହିଁ |ଲୋକନାଥ କୁ ଯେତେବେଳେ ଦୁଇବର୍ଷ,,ସଡକ ଦୁର୍ଘଟଣା ରେ ଗଣପତି ର ମୃତ୍ୟୁ
ହୋଇଗଲା |ଏତେ ବଡ ଦୁନିଆରେ ବିଜୟା ଏକୁଟିଆ ହୋଇଗଲା |ବାପା ମାଆଂକ ପାଖକୁ ଯାଇ ତାଂକ ଉପରେ ବୋଝ
ହେବା ପାଇଁ ସେ ଉଚିତ ମନେ କଲା ନାହିଁ |ପେଟ ପୋଷିବା ପାଇଁ ସେ ପର ଘରେ ବାସି ପାଇଟି କରିବା କାମ
ବାଛି ନେଲା |ଇକବାଲ୍ ଦୋକାନ କରିଥିବା ପାଖାପାଖି ଅଂଚଳରେ ଏସବୁ କାମର ଭଲ ଚାହିଦା ଥିଲା |ସେ
ସବୁଦିନ ସକାଳେ ଓ ଉପର ଓଳି ଲୋକନାଥ କୁ ଇକବାଲ୍ ଦୋକାନରେ ବସାଇ ଦେଇ କାମ କରିବାକୁ ଯାଏ ,କାମ ଶେଷ କରି ଫେରିବା ପରେ ତାକୁ ନେଇ
ଘରକୁ ଆସି ପୁଣି ତା ନିଜ କାମରେ ଲାଗିଯାଏ |ମଝିରେ ମଝିରେ ତାକୁ ବାବୁଘର ପୁରୁଣା ଲୁଗା
ଦିଅନ୍ତି,ଖାଇବା ଜିନିଷ ମଧ୍ୟ ଦିଅନ୍ତି |ବିଜୟା ଖୁସିରେ ସବୁ ନିଏ |ଏତେ ଦୂରରୁ ଆସି ,ଦିନକୁ
ଦୁଇ ଓଳି କାମ କରିବା କ୍ରମେ ତାପାଇଁ କଷ୍ଟକର ହୋଇ ପଡିଲା |ସେ ଇକବାଲ୍ କୁ ଏ ବିଷୟରେ କହିଲା
|ତା ଚେଷ୍ଟାରେ ତାକୁ ଗୋଟିଏ ବଖୁରିଆ ଚାଳଘର ଭଡାରେ ମିଳିଗଲା |ମାସକୁ ଭଡା ସାତ ଶହ |ସେ ତାର
ପୁରୁଣା ଝୁମ୍ପୁଡି ଘରେ ଚାବି ପକାଇ,ଘର ର ଚାବି ତା ପଡୋଶୀ ଇନ୍ଦିରା ହାତରେ ଦେଇ , ନୁଆ ଭଡା
ଘରକୁ ଚାଲିଆସିଲା |ଏଥର ତା କାମ ପୂର୍ବାପେକ୍ଷା ଟିକିଏ ସହଜ ହେଲା |ବିଜୟା ର ଚେହେରା ଅତ୍ୟନ୍ତ
ଶାନ୍ତ ,ସରଳ |ତାର ଚାହାଣୀ ଚନ୍ଦ୍ର ପରି ଶୀତଳ |ଅଳ୍ପ କୁଂଚ କରି ,ସାଦା ଶାଢୀ ପିନ୍ଧି ସେ
ମୁଣ୍ଡରେ ବଡ଼ ଓଢ଼ଣା ଦେଇଥାଏ, ଯାହା କେବେ ଖସି ପଡେ ନାହିଁ |ତାର ଏକମାତ୍ର ଲକ୍ଷ୍ୟ ଥିଲା ପୁଅ
ତାର ଭଲ ପାଠ ପଢିବ ,ବଡ ମଣିଷ ହେବ |
ଲୋକନାଥ ଟିକିଏ ବଡ ହେଲାରୁ ତାକୁ ନିକଟସ୍ଥ ଅଂଗନବାଡି ବିଦ୍ୟାଳୟରେ ଛାଡିଲା |ପାଠପଢାରେ
ଲୋକନାଥ ର ଆଦୌ ଆଗ୍ରହ ନ ଥାଏ |କିନ୍ତୁ ସିଲେଇରେ ତାର ପ୍ରଗାଢ଼ ରୁଚି ରହିଥିଲା |ମିସ୍ତ୍ରୀମାନେ
ଯେତେବେଳେ ସିଲେଇ କରୁଥାନ୍ତି କିମ୍ବା ଇକବାଲ୍ ଯେତେବେଳେ କପଡା କାଟୁଥାଏ,ସେସବୁ ମନଯୋଗ ଦେଇ ସେ
ଦେଖେ ଓ ମନେ ରଖିବାକୁ ଚେଷ୍ଟା କରେ |ସିଲେଇ ରେ ତାର ଆଗ୍ରହ ଦେଖି ଇକବାଲ୍ ତାକୁ କପଡା କାଟିବା
ଓ ମେସିନ୍ ରେ ସିଲେଇ କରିବା ଶିଖାଇଲା |ଇକବାଲ୍ କୁ ସେ ଚାଚା ବୋଲି ଡାକୁଥିଲା,ତା କଥା
ମାନୁଥିଲା ,ତାକୁ ବହୁତ ଭଲ ପାଉଥିଲା |ତାକୁ ଅଠର ବର୍ଷ ହେଲା ବେଳକୁ ସେ କପଡା କାଟିବା ଓ ସିଲେଇ
କରିବାରେ ଧୂରନ୍ଧର ହୋଇ ଯାଇଥାଏ କିନ୍ତୁ ପାଠ ପଢା ସେଇ ଅଷ୍ଟମ ଶ୍ରେଣୀରେ ଅଟକି ଯାଇଥାଏ |ପୁଅ
ବେଶୀ ପାଠ ପଢିଲାନି ବୋଲି ବିଜୟା ମନ ଦୁଃଖ କରେ ,ହେଲେ ଇକବାଲ୍ ତାକୁ ସାହସ ଦେଇ କହେ ,ତୁମେ
ବ୍ୟସ୍ତ ହୁଅନାହିଁ ଭାବୀ,ସେ ଏଇ କାମରେ ଭଲ ରୋଜଗାର କରିବ |
ଦିନେ ଇକବାଲ୍ ବିଜୟା କୁ କହିଲା , ଟାଉନ୍ ଭିତରେ ମୋର ଗୋଟିଏ ସିଲେଇ
ସୋରୁମ୍ କରିବି ବୋଲି ଭାବିଛି |ତମେ ଯଦି ଚାହିଁବ, ଲୋକନାଥ ପାଇଁ ଏଇ ଦୋକାନ ରଖି ପାରିବ
|କିନ୍ତୁ ରୋଜଗାର ହେଲେ ମତେ କିଛି ଫେରାଇବ |ତାର ଏ ପ୍ରସ୍ତାବ ଶୁଣି ଖୁସିରେ ଇକବାଲ୍ ଗୋଡ ତଳେ
ପଡିଗଲା, ଲୋକନାଥ |ବିଜୟା ଆଖିରୁ ମଧ୍ୟ ଆନନ୍ଦାଶ୍ରୁ ଝରି ଆସିଲା ,ସେ କହିଲା ,ଆପଣଙ୍କର ଏ
ଉପକାର ଆମେ ଜୀବନ ସାରା ଭୁଲି ପାରିବୁ ନାହିଁ |ଦୁଇ ବର୍ଷ ଭିତରେ ତାର ନୁଆ ଦୋକାନ କୁ ଉଠିଗଲା
ଇକବାଲ୍ |ଲୋକନାଥ ତା ଦୋକାନ ର ନାମ ତାର ବାପାଂକ ନାମ ଅନୁସାରେ ରଖିଲା “ଗଣପତି ଟେଲରିଂ ହାଉସ “|ଗଣେଶ
ପୂଜା ଦିନ ସେ ଦୋକାନ ର ଶୁଭ ଉଦ୍ଘାଟନ କଲା,ବିଜୟା ନଡିଆ ଭାଂଗିଲା,ହୁଳହୁଳି ପକାଇଲା |ନନା ଧୁପ
,ଦୀପ ,ନୈବେଦ୍ୟ ଅର୍ପଣ କରି ପୂଜା ସମ୍ପୂର୍ଣ କଲେ |ଲୋକନାଥ ବିଜୟା କୁ କହିଲା ,’ମା’,ଆଜିଠାରୁ
ତୋର ବାସି ପାଇଟି କାମ ବନ୍ଦ |ବିଜୟା ମନା କଲା ,କହିଲା ,ତୁ ଆଗ ତୋର ପାଦ ମଜଭୁତ କରି
ସାରେ,ତାପରେ ଦେଖିବା |ଆମକୁ ପୁଣି ଇକବାଲ୍ ଚାଚାର ଟଂକା ଫେରାଇବାର ଅଛି |ଇକବାଲ୍ ଦୋକାନ
କରିଥିବା ବେଳେ ଲୋକନାଥ ର ବହୁତ ସୁନାମ ରହିଥିଲା ,ଏବେ ସେ ନିଜେ ଦୋକାନ ଚଳାଉ ଥିବାର ଖବର ପାଇ
,ପୂର୍ବପରି ଦୋକାନରେ ଭିଡ଼ ଲାଗି ରହିଲା |ସେ ମୂଖ୍ୟତଃ ମହିଳା ମାନଂକ ର ପୋଷାକ ତିଆରି କରୁଥିଲା
|ଏକୁଟିଆ କାମ କରିବା ପାଇଁ କଷ୍ଟକର ହେଲେ ମଧ୍ୟ ସେ ଦିନରାତି ପରିଶ୍ରମ କରି ଲୋକଂକ ଚାହିଦା
ପୂରଣ କରିବା ପାଇଁ ଚେଷ୍ଟା କରୁଥିଲା |ଯେହେତୁ ତା କାମ ନିଖୁଣ ଥିଲା ,ଆଖ ପାଖ ନିବାସୀ ତାକୁ
କପଡା ସିଲେଇ କରିବାକୁ ଦେଉଥିଲେ |କ୍ରମେ ତାର କାମ ଜମି ଆସିଲା |ସେ ଧିରେ ଧିରେ ଇକବାଲ୍ କୁ ତାର
ପ୍ରାପ୍ୟ ଫେରାଇବାକୁ ସକ୍ଷମ ହେଲା |ବିଜୟା ଆଉ ବାସିପାଇଟି କରିବାକୁ ଗଲାନାହିଁ |ସେ ପ୍ରତ୍ୟେକ
ଦିନ ରାତି ତିନି ଟାରୁ ଉଠି, ତାର ନିତ୍ୟକର୍ମ
ଶେଷ କରି, ପାଖରେ ଥିବା ମା ମଂଗଳାଂକ ମନ୍ଦିର କୁ
ଯାଏ |ସେଠାରେ ମନ୍ଦିର ପ୍ରାଂଗଣ ଓଳାଇ,ଭିତର ଚଉତରା ପୋଛା କାମ ଶେଷ କରି ,ଠାକୁରଂକ ପୂଜା ବାସନ
ମାଜି,ସବୁ ଜିନିଷ ଯଥା ସ୍ଥାନରେ ରଖି ଚାଲିଆସେ |ଘରେ ପହଂଚି ଲୋକନାଥ ପାଇଁ ଜଳଖିଆ ପ୍ରସ୍ତୁତ
କରେ |ସେ ଜଳଖିଆ ଖାଇ ଦୋକାନ କୁ ଯିବାପରେ ବିଜୟା ନିଜେ ଖାଏ |ତାପରେ ଟିକିଏ ବିଶ୍ରାମ ନେଇ ସେ
ତାର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ହୋଇଯାଏ |ଲୋକନାଥ ଖରାବେଳେ ଘରକୁ ଆସେନି |ବିଜୟା ତାପାଇଁ ଖାଇବା
ନେଇ ଦୋକାନକୁ ଯାଏ ,ସେ ଖାଇ ସାରିବା ପରେ ଅଇଁଠା ବାସନ ଧରି ଘରକୁ ଆସେ |ରାତିରେ ନଅଟା ସୁଦ୍ଧା
ଘରକୁ ଆସିଯାଏ ଲୋକନାଥ |ରାତି ଦଶ ବେଳକୁ ମା ପୁଅ ଦୁହେଁ ଖାଇ ଶୋଇ ପଡନ୍ତି |ସବୁଦିନ ଏହିପରି
ରୁଟିନ ପରି କାମ ଚାଲେ |
ତିନି ଚାରି ବର୍ଷ ଭିତରେ ସେମାନଂକ ଆର୍ଥିକ ଅବସ୍ଥା କ୍ରମେ ସ୍ୱଚ୍ଛଳ ହୋଇ ଆସିଲା
|ଦୁହେଁ ଦୁଇ ବଖରା ଟାଇଲ ଭଡା ଘରକୁ ଉଠିଗଲେ |ବିଜୟା ମନେ ମନେ ଏଥର ପୁଅ ବାହାଘର କଥା ଚିନ୍ତା
କଲା |ସେ ନିଜ ମନ କଥା ଲୋକନାଥ କୁ କହିଲା |ଲୋକନାଥ ପ୍ରଥମେ ନାହିଁ କରୁଥିଲା ,ପରେ ବିଜୟା
ବାଧ୍ୟ କରିବାରୁ କହିଲା ,ଯଦି ବାହାହେବ ତାହାଲେ କେବଳ ‘ପାର୍ବତୀ କୁ ହିଁ ବାହାହେବ |ପାର୍ବତୀ
ଥିଲା ଇନ୍ଦିରାର ଝିଅ ,ତାର ପୁର୍ବ ଘର ର ପଡୋଶୀ ,ଯାହା ହାତରେ ସେ ଘର ର ଚାବି ଦେଇ ଆସିଥିଲା
|ତାର ଦୁଇ ଝିଅ ଓ ଗୋଟିଏ ପୁଅ |ବଡ ଝିଅ ଲକ୍ଷ୍ମୀ ବର୍ଷେ ତଳେ ବାହା ହୋଇଛି |ସବା ସାନ ପୁଅ’
କ୍ରିଷ୍ଣା’ |ଲୋକନାଥ କଥା ଶୁଣି ମନ ଭିତରେ ଟିକିଏ ଶଂକିଗଲା ବିଜୟା |ଇନ୍ଦିରାର ମିଜାଜ ସବୁବେଳେ
ଗରମ ଥାଏ |ତିଳକୁ ତାଳ କରିବା ତାର ପ୍ରକୃତି |ହେଲେ ଲୋକନାଥ ତାର ନୟନ ପିତୁଳା,ତା ମନ ସେ
ଭାଂଗିଦେଇ ପାରିବ ନାହିଁ |ସପ୍ତାହେ ପରେ ଭଲଦିନ ଦେଖି ବିଜୟା ,ଇନ୍ଦିରା ଘରକୁ ଗଲା |ବାଟ ଯାକ
ସେ ଇନ୍ଦିରା କଥା ଭାବି ଭାବି ଯାଉଥିଲା |ଗତ ବର୍ଷ ଲକ୍ଷ୍ମୀ ବାହାଘରକୁ ମା’ ପୁଅ ଦୁହେଁ
ଯାଇଥିଲେ |ଇନ୍ଦିରା ହାତରେ ହଜାରେ ଟଂକା ଓ ଗୋଟିଏ ସୁନା ମୁଦି ଧରାଇଦେଇ କହିଲା ,ଭଉଣୀ ,ଇଏ
ଲକ୍ଷ୍ମୀ ପାଇଁ |ଭାବିଥିଲା,ଇନ୍ଦିରା ଖୁସି ହୋଇଯିବ |କିନ୍ତୁ ଇନ୍ଦିରା ଖୁସି ହେବା ପରିବର୍ତ୍ତେ
ରାଗିଯାଇ କହିଲା ,ତୋ ପୁଅ ଭଲ ରୋଜଗାର କରୁଛି,ତୁ
କଣ ମତେ ଭିଖ ଦଉଛୁ?ତୋ ଜିନିଷ ତୁ ଫେରେଇ ନେ |ଶେଷରେ ତା ଇଚ୍ଛା ଅନୁଯାୟୀ ଉପହାର ଦେବାପରେ ତା ଅଭିମାନ ଭାଂଗି ଥିଲା |
ଅବେଳ ରେ ବିଜୟା କୁ ଦେଖି ଇନ୍ଦିରା କହିଲା ,ତୁ କଣ ତୋ ଘରର ଚାବି ନେବାପାଇଁ ଆସିଛୁ ?ବିଜୟା
ହସି ଦେଇ କହିଲା ,ନାଁ ଚାବି ନୁହେଁ ,ମୋ ପୁଅ ପାଇଁ ପାର୍ବତୀ କୁ ମାଗିବାକୁ ଆସିଛି |ଇନ୍ଦିରା କହିଲା ,ତୁ କଣ ଜାଣିନୁ ଗତ ବର୍ଷ ମୁଁ ବଡ
ଝିଅ ବାହାଘର କରିଛି ବୋଲି?ଏତେ ଶୀଘ୍ର ମୁଁ ପାର୍ବତୀ ବାହାଘର କରି ପାରିବିନି |ତାପରେ ପାର୍ବତୀ
ପାଇଁ ଏବେ ପୁଳା ପୁଳା ପ୍ରସ୍ତାବ ଆସୁଛି ,ଭାବି ଚିନ୍ତି ଭଲ ଘର ଦେଖି ,ବାହାଘର କରିବି | ବିଜୟା
କହିଲା ,ମୁଁ କିଛି ଯୌତୁକ ନେବିନି, ଆମେ ମନ୍ଦିର ରେ ବାହାଘର କରିଦେବା |ଇନ୍ଦିରା ରାଗିଯାଇ
କହିଲା ,ତୁ ତ ମତେ ଭଲ ପାଠ ପଢ଼ଉଛୁ ,ତୁ କଣ ମତେ ମୋର ବନ୍ଧୁବାନ୍ଧବଂକ ଆଗରେ ବେଜ୍ଜିତ କରିବୁ
ବୋଲି ଭାବିଛୁ ?ବିଜୟା ତାକୁ ବହୁତ ଅନୁରୋଧ କରିବାରୁ ସେ କହିଲା ,ଆଜି ମୁଁ କିଛି କହି
ପାରିବିନି,ପରେ କହିବି |ବିଜୟା ଚାଲି ଆସିଲା |ଏ ଘଟଣା ର ପନ୍ଦର ଦିନ ପରେ ଇନ୍ଦିରା ବିଜୟା ଘରକୁ
ବୁଲି ଆସିଲା |ତା ଘର ,ଚଳଣି ଦେଖି ମନେ ମନେ ଖୁସି ହେଲେ ବି ଉପରେ ତାହା ପ୍ରକାଶ କଲାନାହିଁ
|ଖାଲି ଏତିକି କହିଲା ,ସେ ଏ ପ୍ରସ୍ତାବ ରେ ରାଜି କିନ୍ତୁ ବାହାଘର ର ମୁଖ୍ୟ ଖର୍ଚ୍ଚ ଓ ଝିଅ ର ଅଳଂକାର
ବିଜୟା କୁ ଦେବାକୁ ପଡିବ |ବିନା ଦ୍ୱଧା ରେ ହଁ କହିଦେଲା ବିଜୟା |ବାହାଘର ପାଇଁ ଆଉ ଯାହା କିଛି ଛୋଟ ଛୋଟ ଜିନିଷ ଦରକାର ,ସେଥିପାଇଁ
ମଧ୍ୟ ରାଜି ହୋଇଗଲା ସେ |
ଶୁଭ ଦିନ ,ଶୁଭ ମୂହୁର୍ତ୍ତରେ ଲୋକନାଥ ସହିତ ପାର୍ବତୀ ର ବାହାଘର ହୋଇଗଲା |ପାର୍ବତୀ
ତାଂକ ଘରକୁ ବୋହୂ ହୋଇ ଆସିଲା |ଆନନ୍ଦରେ ବିଜୟା ର ଗୋଡ ତଳେ ଲାଗୁ ନ ଥାଏ |ପୁଅ ର ଖୁସି ତାର
ଖୁସି ,ତାର ଆଉ କିଛି ଲୋଡା ନାହିଁ |ପାର୍ବତୀ କିଛି କିଛି ସିଲେଇ ଜାଣିଥିଲା |ଲୋକନାଥ ମେସିନ୍
ସିଲେଇ କରିବା ପରେ ,ହାତ ସିଲେଇ କାମ ପାର୍ବତୀ କରିଦିଏ |ଏଥିରେ ପୂର୍ବାପେକ୍ଷା ଅଧିକ ଶୀଘ୍ର
ସିଲେଇ କାମ ଶେଷ ହେଲା |ବିଜୟାର ଅନୁମତି ନେଇ
,ପାର୍ବତୀ ଲୋକନାଥ ଠାରୁ ମେସିନ ରେ ସିଲେଇ କରିବା ଶିଖିଲା |ଦୁହେଁ ମିଶି ସିଲେଇ କରିବାରୁ
,ବ୍ୟବସାୟ ଭଲ ଚାଲିଲା |ପୂଜା ପାର୍ବଣ ଋତୁ ଓ ବାହାଘର ,ଜନ୍ମଦିନ ଆଦି ସମୟରେ ସିଲେଇ ପାଇଁ
ଅଧିକା ବରାଦ ଆସେ |ସେତେବେଳେ ଦୁହେଁ ଦିନସାରା ଦୋକାନରେ ରହି କାମ କରନ୍ତି |ବିଜୟା ସେମାନଂକ ପାଇଁ
ଖାଇବା ଆଣେ ,ସନ୍ଧ୍ୟା ବେଳେ ,ଚା’,ବିସ୍କୁଟ୍ ମଧ୍ୟ ଆଣେ |ସ୍ୱାମୀ ,ସ୍ତ୍ରୀଂକ ଭିତରେ କେବେ କେମିତି ମନୋମାଳିନ୍ୟ
ହେଲେ , ସେ ନିଜ ବୁଦ୍ଧିରେ ତୁରନ୍ତ ତାର ସମାଧାନ କରିଦିଏ |
ବାହାଘରର ତିନି ବର୍ଷ ପରେ ପାର୍ବତୀ ଗର୍ଭବତୀ ହେଲା |ନିଜ ଘରେ ଡେଲିଭରି କରିବା ପାଇଁ
ବିଜୟା ଚାହୁଁଥିଲା |କିନ୍ତୁ ପାର୍ବତୀ ଚାହିଁଲା ,ତା ବାପଘରେ ତାର ପ୍ରଥମ ସନ୍ତାନ ଜନ୍ମ ହେଉ |ବିଜୟା
ମଧ୍ୟ ରାଜି ହେଲା |ଆଠମାସରେ ,ଦୁହେଁ ସସମ୍ମାନେ ପାର୍ବତୀ କୁ ଟା ବାପଘରେ ଛାଡିଲେ |ଏତେ ଫଳ
,ପନିପରିବା ,ବିଭିନ୍ନ ରକମର ପିଠା ପଣା ଦେଖି ଇନ୍ଦିରା ଭାରି ଖୁସି ହୋଇଗଲା |ନିଜ ମନୋଭାବ
ପ୍ରକଟ ନ କରି ସେ କହିଲା ,ଆମେ ତମକୁ ଦେବା କଥା
,ତମେ କଣ ଆମକୁ ଦେଉଛ?ସେମାନେ ଯିବାପରେ ଇନ୍ଦିରା ଗର୍ବରେ କହିଲା ,ବାଛି ବାଛି ଏମିତି ବନ୍ଧୁଘର
କରିଛି ଯେ ,ଉଠ କହିଲେ ଉଠିବେ ,ବସ କହିଲେ ବସିବେ |ପାର୍ବତୀ କୁ ଦେଖି ସାନ ଭାଇ କ୍ରିଷ୍ଣା ଭାରି
ଖୁସି ହୋଇଗଲା |କହିଲା ,ତୁ ଆସିଲୁ ,ଭଲ ହେଲା |ତୋ ଠାରୁ ମୁଁ ବହୁତ କିଛି ସାହାଯ୍ୟ ପାଇବି ବୋଲି
,ତତେ ଚାହିଁ ବସିଥିଲି |?ପାର୍ବତୀ ଆଶ୍ଚର୍ଯ୍ୟ ହୋଇ କହିଲା ,କି ପ୍ରକାର ସାହାଯ୍ୟ ?କ୍ରିଷ୍ଣା
ଆଖ ପାଖ ଅଂଚଳରେ ଛୋଟ ମୋଟ କଣ୍ଟ୍ରାକ୍ଟରୀ କାମ କରି ଭଲ ଦି’ପଇସା ରୋଜଗାର କରୁଥିଲା |ସେଇଠିକାର
ଗୋଟିଏ ଝିଅ କୁ ସେ ବାହା ହେବାକୁ ସେ ଚାହୁଁ ଥିଲା |କିନ୍ତୁ ସେମାନେ ଗରିବ ଥିବାରୁ ଇନ୍ଦିରା
ରାଜି ହେଉ ନ ଥିଲା |ତାର ଇଚ୍ଛା ଥିଲା ,ଯେଉଁଠି ଭଲ ଯୌତୁକ ମିଳିବ ,ସେ ସେଇଠି ପୁଅ ବାହାଘର
କରିବ |ପାର୍ବତୀ କହିଲା ,ମା’ କଣ ମୋ କଥା ଶୁଣିବ ?ତୁ କଣ ମା’ କୁ ଜାଣିନୁ ?କ୍ରିଷ୍ଣା କହିଲା ,ସେବେକାର କଥା
ଅଲଗା ଥିଲା ,ଏବେ ତୁ ବାହା ହୋଇ ଗଲୁଣି,ମା’ ତୋ କଥା ନିଶ୍ଚେ ଶୁଣିବ |ପାର୍ବତୀ କହିଲା ,ହଉ
ଦେଖିବା |ସୁବିଧା ଦେଖି ମା’କୁ କ୍ରିଷ୍ଣା କଥା କହିଲା ସେ |ହେଲେ ବାହାଘର କଥା ଶୁଣୁ ଶୁଣୁ ଘରେ
ଖଣ୍ଡ ପ୍ରଳୟ ସୃଷ୍ଠି କରିଦେଲା ଇନ୍ଦିରା |କହିଲା ,ମୋର ଗୋଟିଏ ବୋଲି ପୁଅ ,ମୁଁ କଣ ଖାଲି ଦେଇ
ଚାଲିଥିବି,କାହାଠୁ କିଛି ନେବିନି?ପାର୍ବତୀ କହିଲା, “’ଗୋଟିଏ ବୋଲି ପୁଅ ର ମନ ଭାଂଗି ଦେବାକୁ
ତତେ ଭଲ ଲାଗୁଛି?ତା ଖୁସିରେ ତୁ କଣ ଖୁସି ହେବୁନି”?ହେଲେ ,ଇନ୍ଦିରା ତା ନିଷ୍ପତ୍ତି ରେ ଅଚଳ
ଅଟଳ ଥିଲା |ଶେଷରେ କହିଲା ,କ୍ରିଷ୍ଣା ମୋ ଇଚ୍ଛା ବିରୁଦ୍ଧ ରେ ଗଲେ ମୁଁ ଆତ୍ମହତ୍ୟା କରିବି
|ପାର୍ବତୀ କହିଲା,ତାହାଲେ ମୁଁ ଆଉ ଏଇଠି ରହିବିନି ,ତୁ ମତେ କ୍ରିଷ୍ଣା ବାହାଘରକୁ ଡାକିବୁନି
|ଇନ୍ଦିରା ରାଗ ତମ ତମ ହୋଇ କହିଲା ,ଏଇ ମୂହୁର୍ତ୍ତ ରେ ତୁ ମୋ ଘରୁ ଚାଲିଯା |କାନ୍ଦି କାନ୍ଦି
ସେଦିନ ପାର୍ବତୀ ତା ବାପ ଘରୁ ଚାଲି ଆସିଲା |ସବୁ କଥା ବିଜୟା କୁ କହିଲା |ବିଜୟା କହିଲା,ଏସବୁ
ସେମାନଂକ ର ନିଜ କଥା ,ଆମେ ସେଥିରେ ମୁଣ୍ଡ ନ ଖେଳେଇଲେ ଭଲ |କିଛି ଦିନ ପରେ ପାର୍ବତୀ ର ଝିଅ
ଟିଏ ଜନ୍ମ ହେଲା |ନାତୁଣୀ ଏକୋଇଶିଆ କୁ ଇନ୍ଦିରା କୁ ବିଜୟା ନିମନ୍ତ୍ରଣ କରିଥିଲା ,କିନ୍ତୁ ସେ
ଆସିଲାନି |
କିଛି ମାସ ପରେ , ଅନେକ ଜାନି ଯୌତୁକ ନେଇ,ନିଜ ପସନ୍ଦରେ କ୍ରିଷ୍ଣାର ବାହାଘର କଲା
ଇନ୍ଦିରା |ବାହାଘର କୁ ସେ ବିଜୟା କୁ ନିମନ୍ତ୍ରଣ କରି ନ ଥିଲା |ବିଜୟା ଖବର ପାଇଥିଲା ,ଇନ୍ଦିରା
ବହୁତ ଭଲରେ ପୁଅ ବାହାଘର କରିଛି |ବିଜୟା ମନେ ମନେ ଭାବିଲା ,ସମସ୍ତଂକ ର କିଛି ମନର ଆଶା ଥାଏ
,ସେ ଆଶା ପୂରଣ ହେଲେ ଭଲ ଲାଗେ |ସେଇ ହିସାବରେ ଇନ୍ଦିରାର ଆଶା ପୂରଣ ହେଲା ,ଭଲ ହେଲା |ବାହାଘରର
ଆଠ ମାସ ପରେ ଇନ୍ଦିରା ଦିନେ ଝଡ ପରି ଆସି ବିଜୟା ଘରେ
ପହଂଚିଲା |ମୁଂହ ଟି ତାର ଶୁଖି ଯାଇଥିଲା ,କଥା କଥାକେ ସେ କାନ୍ଦୁଥିଲା| ବିଜୟା କୁ କହିଲା
,ଭଉଣୀ ମୁଁ ଠକିଗଲି |ସୁନା ବୋଲି ଯାହା କୁ ବୋହୂ କରି ଆଣିଲି,ସେ ପଂକ ଠାରୁ ହୀନ |ସାକ୍ଷାତ
ରଣଚଣ୍ଡି | ତମ ମାନଂକୁ ବାହାଘର କୁ ଡାକିଲିନି,,ତମରି ନିଃଶ୍ୱାସ ଜାଣ ମୋ ଉପରେ ପଡିଗଲା |ବିଜୟା
ଆଶ୍ୱାସନା ଦେଇ କହିଲା ,ସେମିତି ଭାବନି,ଏବେ ତ ବର୍ଷ ପୁରିନି,ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ |ଯାହା
ହେଲେବି ସେ ତା ବାପଘର ଛାଡି ତମ ଘରକୁ ଆସିଛି |ତମ ମାନଂକ ସାଂଗେ ମିଶିବା ପାଇଁ କିଛି ଦିନ
ଲାଗିବ |ଇନ୍ଦିରା କହିଲା ,ନିଜେ ତ ଭଲରେ ଅଛ,ଅନ୍ୟକୁ ପ୍ରବଚନ ଶୁଣେଇବନି ଆଉ କଣ କରିବ? ପାର୍ବତୀ
ଅନ୍ୟ ଘରେ ଝିଅ କୁ କ୍ଷୀର ଖୁଆଉ ଥିଲା |ତା ପାଖକୁ ଯାଇ ନିଜ ମନ ଦୁଃଖ ବଖାଣିଲା ଇନ୍ଦିରା |ପାର୍ବତୀ
କହିଲା ,ତୋ ପସନ୍ଦରେ ତୁ ବାହାଘର କଲୁ ,ସେଇଠି କ୍ରିଷ୍ଣା ବାହା ନ ହେଲେ ଆତ୍ମହତ୍ୟା କରିବୁ
ବୋଲି ଧମକ ଦେଲୁ |ମୁଁ ଟିକିଏ ଭାଇ ପାଇଁ କହିବାରୁ ମତେ ଗର୍ଭାବସ୍ଥା ରେ ଘରୁ ତଡି ଦେଲୁ ,ଏମିତିକି ବାହାଘରକୁ ବି ଡାକିଲୁନି
,ଏବେ ଆଉ କାଂଦିଲେ କଣ ହେବ?ଯାହା କରିବା କଥା
,ତୁ କରି ସାରିଛୁ ,ଏବେ ସେଇ ପୁଅ ବୋହୁଂକ ମୁଂହ ଚାହିଁ ତତେ ବଂଚିବାକୁ ପଡିବ |ଇନ୍ଦିରା
ରାଗିଯାଇ କହିଲା ,ମୁଁ ତୋର ମାଆ ,ତୁ ମତେ ଏତେ କଡାକଥା କହି ପାରୁଛୁ?ପାର୍ବତୀ କହିଲା ,ଖାଲି
ଜନ୍ମ କରିଦେଲେ କଣ ହେବ ,ପିଲା ର ମନ କଥା ନ ବୁଝିଲେ ସିଏ କି ମା’?ପ୍ରକୃତ ମା’ ହୋଇଥିଲେ ତୁ କଣ
ମତେ ସେଦିନ ଘରୁ ତଡି ଦେଇଥାନ୍ତୁ?ତୋ ପାଇଁ ପିଲା ନୁହେଁ ,ନିଜ ସ୍ୱାର୍ଥ ବଡ |ଯେଉଁ ଦିନ ତୁ ମତେ
ଘରୁ ତଡି ଦେଲୁ ,ସେଇଦିନୁ ମୁଁ ତୋ ଝିଅ ତାଲିକାରୁ କଟି ଯାଇଛି |ଏବେ ମୋର ପ୍ରକୃତ ମାଆ
ହେଉଛନ୍ତି ,ମୋ ଶାଶୁ |ସେ ମତେ ଭଲ ପାଆନ୍ତି,ଅନାବିଳ ସ୍ନେହ ଦିଅନ୍ତି,ମୋ ମନ କଥା ବୁଝନ୍ତି
,କେବେହେଲେ ମୋ ମନରେ ଦୁଃଖ ଦିଅନ୍ତି ନାହିଁ |ପାର୍ବତୀ କଥା ଶୁଣି ଅବାକ୍ ହୋଇଗଲା ଇନ୍ଦିରା |ସେ
ନୀରବରେ କାହାକୁ କିଛି ନ କହି ସେଠାରୁ ଚାଲି ଆସିଲା |
No comments:
Post a Comment