Saturday, July 30, 2016

ପ୍ରାଥମିକତା

          ବାହାଘର ର ଦଶ ବର୍ଷ ପର୍ଯ୍ୟନ୍ତ ସୁପ୍ରଭା ମାତୃତ୍ୱ  ଲାଭ କରି ପାରି ନ ଥିଲେ |ସେଥିପାଇଁ ସବୁବେଳେ ସେ ଚିନ୍ତାଗ୍ରସ୍ତ ରହୁଥିଲେ |କିନ୍ତୁ ସ୍ୱାମୀ  ସନ୍ତୋଷ ଥିଲେ ଏକଦମ୍ ବିନ୍ଦାସ |ସେ ଏ ବିଷୟରେ ବିଲକୁଲ ଚିନ୍ତା ହିଁ କରୁ ନ ଥିଲେ |ଭଲ ଖାଇବା,ଭଲ ପିନ୍ଧିବା,ଭଲ ଭଲ ସ୍ଥାନକୁ ବୁଲିଯିବା ରେ ସେ ଅପାର ଆନନ୍ଦ ଲାଭ କରୁଥିଲେ |ସୁପ୍ରଭା କିନ୍ତୁ ସନ୍ତୋଷଂକ ମନଲାଖି ଏତେ ଭଲ ରାନ୍ଧି ପାରୁ ନ ଥିଲେ |ସେ ଖାଦ୍ୟ ର ସ୍ୱାଦ  ଅପେକ୍ଷା ଗୁଣବତ୍ତା ଉପରେ ଅଧିକ ଗୁରୁତ୍ୱ  ଦେଉଥିଲେ |ତରକାରୀ ରେ ଖୁବ କମ ତେଲ ମସଲା ବ୍ୟବହାର କରୁଥିଲେ ଓ ଛଣା ଖାଦ୍ୟ ଆଦୌ ପସନ୍ଦ କରୁ ନ ଥିଲେ |ସନ୍ତୋଷ ଏହାର ବିପରୀତ ଥିଲେ | ବରା,ପକୁଡି,ଆଳୁଚପ୍,ସିଂଗଡା,ଗୁପଚୁପ୍ ଇତ୍ୟାଦି ଛଣା  ଖାଦ୍ୟ ତାଂକର ଅତି ପ୍ରିୟ ଥିଲା |ତରକାରୀରେ ବେଶୀ ତେଲ ମସଲା ପକାଇ ରନ୍ଧା ହେଲେ ତାଂକୁ ଭଲ ଲାଗୁଥିଲା |ଏହା ଛଡା ସେ ବିଭିନ୍ନ ପ୍ରକାର ପିଠାପଣା,କ୍ଷିରୀ,ପୁରି ଆଦି ଭାରି ଭଲ ପାଉଥିଲେ |ଘରେ ଏସବୁ ରନ୍ଧା ହେଉ ନ ଥିବାରୁ ସେ ସାଂଗସାଥୀ ମେଳରେ ଏହାର ମଜା ନେଉଥିଲେ |ତାଂକର ଆଠଜଣ ଅତି ପ୍ରିୟ ମିତ୍ର ଥିଲେ |ସେମାନଂକ ମଧ୍ୟରୁ ଚାରିଜଣ ଅଫିସ ସହକର୍ମୀ ଥିବା ବେଳେ ଆଉ ତିନିଜଣ ପାଖ ପଡୋଶୀ ଥିଲେ |ମାସରେ ଥରେ ଦୁଇଥର ଯେମିତି ହେଲେ ସେମାନେ ଏକାଠି ହୋଇ ଭୋଜି ଭାତ କରୁଥିଲେ |ତାସ ର ଆସର ଜମୁଥିଲା ଓ ମନଖୋଲା ଖୁସି ଗପ ହେଉଥିଲା |ସେମାନଂକ ଭିତରୁ ଜଣେ ,ଯାହାଂକୁ ସନ୍ତୋଷ ଶ୍ରଦ୍ଧାରେ ଡାକୁଥିଲେ 'ବାବୁ ଭାଇ ',ରୋଷେଇ କରୁଥିଲେ ଓ ବାକି ସମସ୍ତେ ରୋଷେଇ ରେ ସହଯୋଗ କରୁଥିଲେ |ଏସବୁ ଭଲ ଜମୁଥିଲା |ସନ୍ତୋଷ, ବାବୁ ଭାଇଂକୁ ଭାରି ଭଲ ପାଉଥିଲେ |ବାବୁ ,ସନ୍ତୋଷଂକ ଠାରୁ ଚାରି ବର୍ଷ ବଡ ଥିଲେହେଁ ନିଜ ପୁଅ ଭଳି ସ୍ନେହ ଆଦର କରୁଥିଲେ | ବାବୁଂକ ଘରେ ଯେତେବେଳେ ପିଠାପଣା ହେଉଥିଲା କିମ୍ବା ସୋରିଷ ଦିଆ ମାଛ ତରକାରୀ ରନ୍ଧା ହେଉଥିଲା,ସେ ସନ୍ତୋଷଂକୁ ବିଭିନ୍ନ ପ୍ରକାର ବାହାନା ଦେଖାଇ,ଘରକୁ ଡାକି ନେଉଥିଲେ ଓ ପେଟ ଭରି ତାଂକୁ ଖୁଆଉ ଥିଲେ |ଅଫିସ ରେ କେହି ଯଦି କେତେବେଳେ ତାଂକ ସ୍ବାସ୍ଥ୍ୟ ବିଷୟରେ କିଛି ଲଘୁ ମନ୍ତବ୍ୟ ଦେଉଥିଲେ,ସନ୍ତୋଷ ସ୍ମିତ ହସି" ଏ ବାବୁ ଭାଇଂକ ଅବଦାନ"କହିବାକୁ ଭୁଲୁ ନ ଥିଲେ |ଭଲ ପୋଷାକ ପିନ୍ଧିବାରେ ମଧ୍ୟ ତାଂକର ବହୁତ ସୌକ ଥିଲା |ବିଭିନ୍ନ ପର୍ବ ପର୍ବାଣୀ ରେ ଘରେ ପିଠାପଣା ହେଉ କି ନ ହେଉ ,ନିଜ ପାଇଁ ଓ ସୁପ୍ରଭାଂକ ପାଇଁ ନୁଆ ପୋଷାକ କିଣା ହେଉଥିଲା  |ହିନ୍ଦୀ ଚଳଚିତ୍ର ତାରକା ଦେବାନନ୍ଦ,ତାଂକର ଅତି ପ୍ରିୟତାରକା  ଥିଲେ |ତାଂକ ପରି ପୋଷାକ ପିନ୍ଧିବା,ଓ କେଶ ବିନ୍ୟାସ କରିବାକୁ ସେ ଭଲ ପାଉଥିଲେ |
            ବାହାଘରର ଦଶ ବର୍ଷ ପରେ,ଯେତେବେଳେ ସୁପ୍ରଭା ମାତୃତ୍ୱ  ଲାଭ କରିବାକୁ ଯାଉଛନ୍ତି ବୋଲି ଜଣା ପଡିଲା,ସେ ଆନନ୍ଦରେ ଅଧିର ହୋଇଗଲେ |ସେତେବେଳେ ବାବୁଭାଇ ,ନିଜ ବଡଭାଇ ପରି ଆସି ତାଂକ ପାଖରେ ଛିଡା ହେଲେ ,ତାଂକୁ ସାନ୍ତ୍ୱନା  ଦେଇ କହିଲେ,କିଛି ବ୍ୟସ୍ତ ହେବାର ନାହିଁ ,ସବୁ ଠିକ ରେ ହେବ |ବାବୁଭାଇଂକ ସ୍ତ୍ରୀ ରଂଜନା ମଧ୍ୟ ସୁପ୍ରଭାଂକୁ ବହୁତ ଭଲ ପାଉଥିଲେ,ତାଂକର ସେବା ଯତ୍ନ କରୁଥିଲେ |ଉଭୟ ସନ୍ତୋଷ ଓ ସୁପ୍ରଭାଂକ ପିତାମାତା ମୃତ୍ୟୁ ବରଣ କରି ସାରିଥିଲେ |ଏଣୁ ସେମାନଂକ ଠାରୁ କିଛି ସାହାଯ୍ୟ ପାଇବାର ନ ଥିଲା |ବାବୁଭାଇଂକ ଅକୁଣ୍ଠିତ ସାହାଯ୍ୟ ସହଯୋଗ କୌଣସି ଦେବଦୂତ ଠାରୁ କମ୍ ନ ଥିଲା |ମାଘ ପୂର୍ଣ୍ଣିମା  ଦିନ ସୁପ୍ରଭାଂକ ଔରସ ରୁ କନ୍ୟା ସନ୍ତାନ ଜାତ ହେଲା |ଶ୍ରଦ୍ଧାରେ ତାର ନାମ ଦିଆଗଲା 'ସୃଷ୍ଟି'|ବାପାମାଆଂକର ସ୍ନେହ ଆଦର ପାଇ ସୃଷ୍ଟି ଧୀରେ ଧୀରେ ବଡ ହେଲା | |ସୁପ୍ରଭାଂକ ପାଇଁ ସୃଷ୍ଟି ଥିଲା ସବୁକିଛି |ତାଂକର ସବୁ ସମୟ ସୃଷ୍ଟି ର ଯତ୍ନ ନେବାରେ ବିତି ଯାଉ ଥିଲା |ଆସ୍ତେ ଆସ୍ତେ ଘରର କାମ ଦୁଇ ଭାଗରେ ବାଣ୍ଟି ହୋଇଗଲା |ସୁପ୍ରଭା ଛୁଆ ର କାମ କଲେ,ସନ୍ତୋଷ ରୋଷେଇ ଓ ଅନ୍ୟାନ୍ୟ କାମ କରନ୍ତି  |ଅଫିସ୍ କୁ ଆସିଲେ ସେ ଟିକିଏ ବିଶ୍ରାମ ନିଅନ୍ତି ,ଘରକୁ ଫେରିଲେ ପୁଣି ସେଇ ପୁରୁଣା କାମ ଆରମ୍ଭ ହୋଇଯାଏ | ଭୋଜିଭାତର ଆସର  କମି କମି ଶେଷରେ ବନ୍ଦ ହୋଇଗଲା |ରହିଗଲେ ଏକୁଟିଆ ବାବୁଭାଇ |ଆଗ ପରି ସେ ବିଶେଷ ଦିନରେ ବେଳେ ବେଳେ ସନ୍ତୋଷଂକୁ ଘରକୁ ଡାକି ଭଲ ଭଲ ଖାନା ପେଟଭରି ଖୁଆଉ ଥିଲେ |          
             ଦୁଇଜଣଂକ ସ୍ନେହ ଆଦର ପାଇ ସୃଷ୍ଟି ଧୀରେ ଧୀରେ ବଡ ହେଲା |ସନ୍ତୋଷଂକ ଇଚ୍ଛା ଥିଲା ,ଝିଅ ତାଂକର ବହୁତ ପାଠ ପଢିବ,ସମସ୍ତଂକ ଠାରୁ ଭିନ୍ନ ହେବ |କିନ୍ତୁ ସୁପ୍ରଭା ଚାହୁଁଥିଲେ ଝିଅ ଓଡିଆ ସଂସ୍କାର,ରୋଷେଇବାସ,ଘରକରଣା କାମ ଶିଖୁ |ଏଥିପାଇଁ ଦୁହିଂକ ମଧ୍ୟରେ ମତାନ୍ତର ,ମନାନ୍ତର ହୁଏ ,କେହି ନଇଁ ବାକୁ ରାଜି ନ ଥାନ୍ତି |ଶେଷରେ ସୃଷ୍ଟି ରହିଗଲା ମଝି ସ୍ଥାନରେ |ନା ସେ ଭଲ ପାଠ ପଢି ପାରିଲା,ନା ଘରକରଣା କାମ ଶିଖି ପାରିଲା |ସାଧାରଣ ଭାବେ ବି.ଏ.ପାସ୍ କରି ଘରେ ବସିଲା |ଏଥର ସୃଷ୍ଟି ,ସୁପ୍ରଭାଂକ ହାତରୁ ରୋଷେଇ ଦାୟିତ୍ୱ  ନେଲା |ଯେତେବେଳେ ସୃଷ୍ଟିକୁ ସନ୍ତୋଷ  ତାଂକ ମନ  ପସନ୍ଦ  ରୋଷେଇ କରିବାକୁ କହନ୍ତି,ସୁପ୍ରଭା ମନା କରନ୍ତି,କହନ୍ତି,ପିଲାଲୋକ ସେ ପାରିବନି |ମା ,ଝିଅ ଏକାଠି ହୋଇଗଲେ ,ଆଉ ତୃତୀୟ ବନ୍ଧୁର ଆବଶ୍ୟକତା ପଡି ନ ଥାଏ |ଏହି କ୍ଷେତ୍ରରେ ତାହାହିଁ ହେଲା |ବେଳେବେଳେ ସନ୍ତୋଷ ଅନୁଭବ କରନ୍ତି ,ଏତେ ବଡ ଦୁନିଆରେ ସେ ସମ୍ପୂର୍ଣ୍ଣ  ଏକୁଟିଆ ,ତାଂକର କେହି  ନାହାନ୍ତି | ସୁପ୍ରଭା ଯେତେବେଳେ ସନ୍ତୋଷଂକ ଭଲ ଖାଇବା,ପିନ୍ଧିବା ଉପରେ ଆକ୍ଷେପ କରନ୍ତି,ସୃଷ୍ଟି ମାଆଂକ ପକ୍ଷ ନିଏ |ସନ୍ତୋଷ ସେତେବେଳେ ଘରୁ ବାହାରିଯାଇ ବାହାରେ ବୁଲନ୍ତି,ସିଗାରେଟ ଟାଣନ୍ତି,ବେଶୀ ରାତି ହେଲେ ଘରକୁ ଫେରନ୍ତି,ଯାହା ରନ୍ଧା ହୋଇଥାଏ,ଖାଇ ଦେଇ ଶୋଇ ପଡନ୍ତି |
           ସୁପ୍ରଭାଂକର ପ୍ରାୟ ବେଳେ ପେଟବ୍ୟଥା ହୁଏ |ସେତେବେଳେ ପେନ୍କିଲର ବଟିକା ଖାଇଦେଲେ ଉପଶମ ହୋଇଯାଏ | ଥରେ ବଟିକା ଖାଇବା ସତ୍ତ୍ୱେ  ପେଟବ୍ୟଥା ଭଲ ହେଲାନାହିଁ |ସବୁ ପ୍ରକାର ପରୀକ୍ଷା କରିବାରୁ ଜଣା ପଡିଲା,ପାକସ୍ଥଳି ରେ ଟ୍ୟୁମର ହୋଇଚି,ଅପରେସନ ଜରୁରୀ |ସୃଷ୍ଟିକୁ ବାବୁଭାଇଂକ ଘରେ ଛାଡି ସୁପ୍ରଭାଂକୁ ସନ୍ତୋଷ  ନେଇଗଲେ ସୁଦୂର ବମ୍ବେ କୁ |ସେଠାରେ ଅସ୍ତ୍ରୋପଚାର ସଫଳ ହେଲା,ଓ ସେ ଖୁସି ମନରେ ଘରକୁ ଫେରି ଆସିଲେ |ସେତେବେଳେ ସନ୍ତୋଷଂକ ବ୍ୟସ୍ତତା ଦେଖି ଓ ତାଂକର ନିରବିଛିନ୍ନ ସେବା ଯତ୍ନ ପାଇ , ନିଜର ସମସ୍ତ ଯନ୍ତ୍ରଣା ଭୁଲିଯାଇଥିଲେ ସୁପ୍ରଭା |ପ୍ରଥମ ଥର କରି ଅନୁଭବ କରିଥିଲେ,ସନ୍ତୋଷ ତାଂକୁ କେତେ ଭଲ ପାଆନ୍ତି |ଦୁଇ ବର୍ଷ ପରେ ଭଲ ଘର,ଭଲ ପାତ୍ର ଦେଖି ଦୁହେଁ ସୃଷ୍ଟିର ବାହାଘର କଲେ |ସନ୍ତୋଷ ଭାବିଥିଲେ,ଏଥର ତାଂକର ଚିନ୍ତା ଗଲା  |କିନ୍ତୁ ଶାଶୁ ଘରେ ଚଳି ପାରିଲାନି ସୃଷ୍ଟି |ବାହାଘର ବର୍ଷ ନ ପୁରୁଣୁ ଆସି ଘରେ ହାଜର |ଅନେକ  ବୁଝାଇବା ସତ୍ତ୍ୱେ  ସୃଷ୍ଟି ଆଉ ଶାଶୁ ଘରକୁ ଗଲାନି |ତା ପଛେ ପଛେ ଜ୍ୱାଇଁ  ଆସିଲେ |ସେମାନଂକ ର  ତିନିଟି ସନ୍ତାନ ହେଲା |ପିଲାଛୁଆଂକ ଜଂଜାଳରେ ସୁପ୍ରଭା ବୁଡିଗଲେ |କ୍ରମେ ସନ୍ତୋଷ ପୁର୍ବ ଠାରୁ ଅଧିକ ଅବହେଳିତ ହୋଇଗଲେ |ଭଲ ଖାଇବା ,ଭଲ ପିନ୍ଧିବା ଦୂରେ ଥାଉ,ଦେହ ଖରାପ ହେଲେ ,କଣ ହୋଇଛି ବୋଲି ମଧ୍ୟ କେହି ପଚାରିଲେ ନାହିଁ |ବାବୁଭାଈ ସେତେବେଳକୁ ଚାକିରିରୁ ଅବସର ନେଇ ଗାଁକୁ ଚାଲିଯାଇ ଥାଆନ୍ତି |ସୁପ୍ରଭାଂକ ପରି ସୃଷ୍ଟି ମଧ୍ୟ ଏତେ ଭଲ ରାନ୍ଧି ପାରେ ନାହିଁ |ଯେତେବେଳେ ବାହାରେ କେଉଁଠି ମାଛ,ମାଂସ ରନ୍ଧା ହେଉଥିବାର ବାସନା ଆସେ,ସେତେବେଳେ ବାବୁଭାଇଂକ କଥା ବହୁତ ମନେ  ପଡେ |ତାଂକର ସ୍ନେହ ଆଦର କଥା ମନେ ପକାଇ ତାଂକୁ  ଝୁରି ହୁଅନ୍ତି |
           ଧୀରେ ଧୀରେ ମାନସିକ ସ୍ଥରରେ ସନ୍ତୋଷ ଦୁର୍ବଳ ହୋଇ ପଡିଲେ |ତାଂକର ଦେହ ବି ଏତେ ଆଉ ଭଲ ରହିଲାନି |ଦିନେ ତାଂକର ନିଜ ବୋଉଂକର ହାତ ରନ୍ଧା କ୍ଷିରୀ କଥା ବହୁତ ମନେ ପଡିଲା ,ମନେହେଲା ଯେମିତି କ୍ଷିରୀ ନ ଖାଇଲେ ତାଂକର ପ୍ରାଣବାୟୁ ଉଡି ଯିବ |ସେ ସୁପ୍ରଭାଂକୁ କହିଲେ ,ମୋର ଆଜି କ୍ଷିରୀ ଖାଇବାକୁ ଭାରି ଇଚ୍ଛା ହେଉଛି ,ପ୍ଲିଜ୍ ଆଜି ତମେ ଯେମିତି ହେଲେ କ୍ଷିରୀ ବନାଅ |ତାଂକର ଏତିକି କଥାରେ ସୁପ୍ରଭା ରାଗି ନିଆଁବାଣ ହୋଇଗଲେ,କହିଲେ ,ପିଲାଂକ ଜଂଜାଳରେ ମୁଁ ମରିଗଲିଣି,ତମର ଏତିକି ବେଳେ କ୍ଷିରୀ ଖାଇବାକୁ ଇଚ୍ଛା ହେଉଛି |ସେଇ ଥିଲା ସନ୍ତୋଷଂକ ଶେଷ ଅନୁରୋଧ |ସେଦିନ ରାତିରେ ସନ୍ତୋଷ ହଠାତ୍ ଅସୁସ୍ଥ ହୋଇ ପଡିଲେ |ଜ୍ଵାଇଁ  ତାଂକୁ ଡାକ୍ତରଖାନା ନେବା ବାଟରେ ହୃଦଘାତ ରେ ସେ  ଆରପାରିକୁ ଚାଲିଗଲେ |ସୁପ୍ରଭାଂକ ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଥିଲେ ମଧ୍ୟ ନିଜ ଝିଅ ଓ ନାତି ନାତୁଣୀଂକ ମୁହଁକୁ ଚାହିଁ ସବୁ ସହିଗଲେ |ହେଲେ ମନ ଭିତରେ ଗୋଟିଏ କଥା ସବୁବେଳେ ବାଜିଲା,ମୋ ପାଇଁ ଏତେ କଷ୍ଟ କରିଥଲେ,ମୁଁ ତାଂକୁ ଶେଷ ମୁହୁର୍ତ୍ତରେ କ୍ଷିରୀ ଟୋପାଏ ଦେଇ ପାରିଲିନି !!!
            ସନ୍ତୋଷଂକ ମୃତ୍ୟୁ ର ଦୁଇ ବର୍ଷ ପର୍ଯ୍ୟନ୍ତ ମନ ଟାଣ କରି ନିଜ ମନ କଥା ମନ ଭିତରେ ରଖି ,ଝିଅ ,ଜ୍ୱାଇଁ ,ନାତି ,ନାତୁଣୀଂକ ସ୍ନେହ ,ଶ୍ରଦ୍ଧା ଭିତରେ ନିଜକୁ ହଜାଇ ଦେବା ପାଇଁ ଚେଷ୍ଟା କଲେ ସୁପ୍ରଭା  |କିନ୍ତୁ କ୍ରମେ ସେ ଅନୁଭବ କଲେ ,ସିନ୍ଦୂର ଟୋପା ଲିଭିଗଲା ପରେ ସ୍ତ୍ରୀ ର ସବୁ ସୁଖ ସରିଯାଏ |ସନ୍ତୋଷଂକ ବେଶ ପୋଷାକ ପ୍ରତି ଆକ୍ଷେପ କରି ଥିବାରୁ ,ତାଂକ ମନଲାଖି ଖାଇବାକୁ ଦେଇ ପାରି ନ ଥିବାରୁ ସବୁବେଳେ ସେ ଅନୁତାପ ନିଆଁ ରେ ଜଳିବାକୁ ଲାଗିଲେ ,ତାଂକର ମନେହେଲା ତାଂକ ପାପ ର ପ୍ରାୟଶ୍ଚିତ ନାହିଁ |ସନ୍ତୋଷ ତାଂକ ପାଇଁ ଯେଉଁ ଶାଢୀ ଆଣିଥିଲେ ,ଭଲ ହେଇନି କହି ସେ ତାକୁ ରଖି ଦେଇଥିଲେ ,ଏବେ ସେ ଶାଢୀ ତାଂକୁ ବହୁତ ସୁନ୍ଦର ମନେହେଲା |ସବୁବେଳେ ସେ ସେଇ ଶାଢୀ ପିନ୍ଧିଲେ |ସୃଷ୍ଟି ଯେତେବେଳେ କହେ,ବୋଉ,ଏତେ ଭଲ ଶାଢୀ ଥାଉ ଥାଉ ଏ ପୁରୁଣାକାଳିଆ ଶାଢୀ କାହିଁକି ପିନ୍ଧୁଛୁ,ସେତେବେଳେ ସୁପ୍ରଭା କହନ୍ତି,ଶାଢୀ କିଣି ଦେଉଥିଲେ ତୋ ବାପା ,ତୁ ଶତ ଜନ୍ମ ଚେଷ୍ଟା କଲେ ସେମିତି ଶାଢୀ ମତେ ଦେଇ ପାରିବୁନି | ଜୀବନରେ ଯାହାକୁ ପ୍ରାଥମିକତା ଦେବା କଥା ,ଦେଇ ପାରି ନ ଥିବାରୁ ଶେଷରେ ମନସ୍ତାପରେ ତାଂକ ଜୀବନଦୀପ ଲିଭିଗଲା  |
ମମତା ମହାନ୍ତି

Wednesday, July 20, 2016

କଳିହୁଡି ଶାଶୁ

                 ପାଂଚ ବୋହୂ ରେ ସଂଗୀତା ଥିଲା ସବୁଠାରୁ ସାନ ବୋହୂ |ତାର ଗୋଟିଏ ବୋଲି ସାନ  ନଣନ୍ଦ ଥିଲା , ଯିଏକି ତା ବାହାଘର ର ଚାରି ବର୍ଷ ଆଗରୁ ଦୂର ଗାଁ ରେ ବାହା ହୋଇ ଥିଲା |ବାହାଘର କୁ ତାର ସବୁ ଯାଆ ଓ ନଣନ୍ଦ ଗାଁକୁ ଆସିଥିଲେ |ବାହାଘରର ପ୍ରଥମ ସାତ ଦିନ ବେଶ୍ ଖୁସିରେ କଟିଗଲା |ସେମାନଂକ ହସ ,ଖୁସି ,ଆନନ୍ଦ ଦେଖି ସଂଗୀତା ନିଜକୁ ଭାଗ୍ୟବତୀ ମନେକରୁଥିଲା ଓ ଭାବୁଥିଲା 'ସରଗ ସମାନ ଆହା ଅଟେ ସେହି ଘର ,ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର '|କିନ୍ତୁ କଥା ପ୍ରକୃତରେ ତାହା ନ ଥିଲା ,ସେକଥା ସେ ଜାଣିଲା ଅଷ୍ଟ ମଂଗଳା ଦିନ |ସେଦିନ ବୋହୂ ସକାଳୁ ସଂଜ ପର୍ଯ୍ୟନ୍ତ ଅନ୍ୟ ଘରେ ଲୁଚି ରହିବା କଥା  |ସଂଗୀତା  ସେଦିନ ସକାଳୁ ତାର ଖୁଡୀଶାଶୁଂକ ଘରେ ରହିଲା |ଖରାବେଳେ ସମସ୍ତେ ଖାଇ ସାରିବା ପରେ ତାର ଯାଆ ମାନେ ସେଠାକୁ ଆସିଲେ |କଥା ପ୍ରସଂଗରେ ସେମାନେ ତାଂକର ପୂର୍ବ ଅଭିଜ୍ଞତା ବର୍ଣ୍ଣନା  କଲେ |ବଡ ଯାଆ କହିଲେ ,ମୁଁ ଭଲ ରୋଷେଇ କରେ ବୋଲି ଶାଶୁଂକର  ମୋ ଉପରେ ଭାରି ହିଂସା |କାଳେ ସମସ୍ତେ ମୋ ରୋଷେଇକୁ ଭଲ କହିବେ,ସେଥିପାଇଁ ସେ ଲୁଚେଇ କରି ତରକାରୀରେ  ପୁଳାଏ ଲୁଣ ନେଇ ପକେଇ ଦିଅନ୍ତି , ଖାଇଲା ବେଳେ ସମସ୍ତେ ଛି ଛାକର କଲେ ତାଂକ ମନ ଖୁସି ହୁଏ  |ମୋର ଦ୍ୱିତୀୟ  ଝିଅ ଜନ୍ମ ହେବା ପରେ ସେ  ଭାରି ଅଶାନ୍ତି ହୋଇଥିଲେ,ଦିନେ ରାତିରେ ତାର ତଣ୍ଟିରେ ଛିଡା ହୋଇ ତାକୁ ମାରି ଦେବାକୁ ବସିଥିଲେ,ମୋ ନିଦ ଭାଂଗିି ଯିବାରୁ ସେ ରକ୍ଷା ପାଇଗଲା |ମଝିଆ ଯାଆ କହିଲେ,ହଁ ବା ,କାହାରି ଘରକୁ ଛାଡିବେନି କି କାହାରି ସାଂଗେ କଥା କୁହାଇ ଦେବେନି,ସବୁବେଳେ ସେଇ ଘରଟି ଭିତରେ ମୁହଁ ମାଡି ପଡିଥା |ରାତି ଅଧାରୁ ଉଠିବେ,ସଂଜ ହୋଇ ନ ଥିବ,କହିବେ,ଶୋଇପଡ଼ |ଏଇ ଘରେ ପାନରୁ ଚୂନ ଖସିଲେ ବିପଦ,ମାଛି ପଡିଲେ ନବଖଣ୍ଡ |ସଂଗୀତା କୁ କହିଲେ,ଆମକୁ ବି ସେମିତି ନୂଆ ନୂଆ ଭାରି ଆଦର କରୁଥିଲେ,ମାସେ ପରେ ଆମେ ହେଲୁ ତୁଠପଥର |ତୋରି ବି ସେଇ ଦଶା ହବ,ସେତେବେଳେ ମନେ  ପକେଇବୁ |ଧୀରେ ଧୀରେ ସେଠାରେ ମହିଳା ମାନଂକ ସଂଖ୍ୟା ବଢିଲା ଓ ସମସ୍ତେ ନିଜ ଅଭିଜ୍ଞତାରୁ ତାଂକ ବିରୁଦ୍ଧରେ କିଛି କିଛି   କହିଲେ |
               ସବୁ ଶୁଣି ଭୟରେ ଆତଂକିତ ହୋଇଗଲା ସଂଗୀତା,ଇଏ କେମିତି ଘରକୁ ସେ ବୋହୂ ହୋଇ ଆସିଲା ,ଏଠାରେ ସେ ସାରା ଜୀବନ ଚଳିବ କେମିତି?ଏତିକି ବେଳେ ଶାଶୁଂକ କଣ୍ଠସ୍ୱର  ଶୁଭିଲା,ସେ ଭୀଷଣ ବିରକ୍ତ ହୋଇ କହୁଥିଲେ,ଘରେ ସବୁ କାମ ଛାଡି ,ଏଇଠି ବସି ଗପ ଜମେଇଛ,ସବୁ କାମ କଣ ମୁଁ ଏକୁଟିଆ  କରିବି?ଏତିକି କଥାରେ ଛିନଛତ୍ର ହୋଇ ଯିଏ ଯୁଆଡେ ଚାଲିଗଲେ |ସନ୍ଧ୍ୟା ହୋଇଯିବାରୁ ସଂଗୀତା ମଧ୍ୟ ଘରକୁ ଫେରିଲା |ସେଦିନ ରାତିରେ ଏଇ କଥାକୁ ନେଇ ଘରେ ଭୀଷଣ ପାଟି ତୁଣ୍ଡ ହେଲା |ଦୋଷ ହେଲା ନଣନ୍ଦର |ସେମାନେ କହିଲେ,ସେ  ଶାଶୁଂକୁ ଶିଖେଇ ଏ ସବୁ କାଣ୍ଡ କରିଛି |ରାତି ନ ପାହୁଣୁ ଚାରି ଯାଆ ଯାକ ଯିଏ ଯାହା ଗନ୍ତବ୍ୟ ସ୍ଥଳକୁ ଦେଢ଼ଶୁର ମାନଂକ ସାଂଗରେ ଚାଲିଗଲେ |ରହିଗଲା ଖାଲି ନଣନ୍ଦ ସୁନୟନା |ତା ମନଲାଖି ନଣନ୍ଦ ପୁଟୁଳି ଆସି ନ ଥିବାରୁ ,ସେ ମନଦୁଃଖ କରିଥିଲା |ସଂଗୀତା ତାକୁ ତାର ମୁଦି,କାନଫୁଲ ଓ ହାତ ଘଣ୍ଟା ଦେଲା ,ସାଂଗରେ ଆଣିଥିବା ନୂଆ ପାଟଶାଢୀ ମଧ୍ୟ ଦେଲା |ସୁନୟନା ଖୁସି ହୋଇଗଲା |ଗଲାବେଳେ  କହିଲା,ଭାଉଜ ,ବୋଉ ମୋର ବହୁତ ଭଲ |ତା  କଥା ମାନିଲେ ସେ ମୁଣ୍ଡରେ ମୁଣ୍ଡାଇ ଥିବ,ଏମାନେ ଗାଁରେ  ରହିବେନି ବୋଲି  ମିଛରେ ବୋଉ ର ନିନ୍ଦା କରୁଛନ୍ତି, ତମେ ସେମାନଂକ କଥା ଜମାରୁ ଶୁଣିବନି |
            ସଂଗୀତା ବହୁତ ଆଜ୍ଞାଧୀନା ଥିଲା |ତାକୁ କୌଣସି କାମ କରିବାକୁ କହିଲେ ,ଭଲ ମନ୍ଦ ବିଚାର ନ କରି  ତତ୍କ୍ଷଣାତ୍ ସେ ତାହା  ପାଳନ କରୁଥିଲା |କେହି ତାକୁ ଡାକିଲେ,ସେ  ଯେତେ ବ୍ୟସ୍ତ ଥାଉ ନା କାହିଁକି ,ସବୁ କାମ ଛାଡି ଦୌଡି ଦୌଡି ଆସୁଥିଲା ,ଏଥିପାଇଁ  ସେ କେତେଥର ଝୁଣ୍ଟି ତଳେ ପଡି ଯାଉଥିଲା ,ସେଥିକି ତାର ଖାତିର୍ ନ ଥିଲା |ଶାଶୁଂକର ପୂଜା ପାଠରେ ଭାରି ଆଗ୍ରହ,ସେଥପାଇଁ ସେ ବଡି ସକାଳୁ ଉଠି ନିଜ ନିତ୍ୟକର୍ମ ସାରି,ପୂଜା ଘରେ ଘଣ୍ଟାଏ ବିତାଉ ଥିଲେ |ଏଥିରେ ବିଘ୍ନ ସୃଷ୍ଟି ହେଲେ ସେ ଭୀଷଣ ବିରକ୍ତ ହେଉଥିଲେ |ସଂଗୀତା ଶାଶୁଂକ ମନ କଥା ଜାଣୁଥିଲା |ସେଥିପାଇଁ ଶାଶୁ ଉଠିବା ପୂର୍ବରୁ  ଘଣ୍ଟାରେ ଆଲାର୍ମ ଦେଇ ,ସେ ମଧ୍ୟ ଉଠି ପଡୁ ଥିଲା ଓ ଶାଶୁଂକ କାମରେ ସାହାଯ୍ୟ କରି ତାଂକ କାମ ଟିକିଏ ହାଲକା କରି ଦେଉଥିଲା |ବୋହୂ କାହା ଘରକୁ ଯିବା କିମ୍ବା ତାଂକ ଘରକୁ କେହି ଆସି ବୋହୂ  ସାଂଗେ ଗପିବା ତାଂକର ପସନ୍ଦ ନ ଥିଲା ,କାରଣ ସେ ଭାବୁଥିଲେ ,କାଳେ ତାଂକ ବୋହୁକୁ କିଏ କିଛି ଶିଖେଇ ଦେବ |ତାଂକର ଆଉ ଗୋଟିଏ ଗୁଣ ଥିଲା ,ସେ ଚାହୁଁଥିଲେ ,ସେ ଯାହାକୁ ଭଲ ପାଆନ୍ତି,ସେ ମଧ୍ୟ ତାଂକୁ ସେହିପରି ଭଲ ପାଉ ,ଯେଉଁଟା ସଂଗୀତାକୁ ବେଶି ଭଲ ଲାଗୁଥିଲା |ସମସ୍ତଂକ ଠାରୁ ସାନ ଥିବାରୁ ସେ ତାକୁ ଶ୍ରଦ୍ଧାରେ ଡାକୁଥିଲେ 'ଟିକି' |ଶାଶୁଂକର ଗୋଟିଏ ଅଭ୍ୟାସ ,ରାତିରେ ଯେଉଁ  ତରକାରୀ ବଳି ଥିବ ତାକୁ ପଖାଳ ଉପରେ ରଖି ଘୋଡାଇ ଦେଇଥିବେ ,ସକାଳେ ଠାକୁର ପୂଜା ପରେ ,ପଖାଳ ସାଂଗେ ତାକୁ ଖାଇବା ପାଇଁ ତାଂକୁ ଭାରି ଭଲ ଲାଗେ |ଦିନେ ଅନ୍ୟମନସ୍କ ହୋଇ ପଖାଳ ଘୋଡ଼ଣୀ ଖୋଲି ଦେବା ବେଳକୁ ,ତରକାରୀ ପଖାଳ ରେ ଢାଳି ହୋଇଗଲା |ସେଦିନ ଶାଶୁ ତା ଉପରେ ବିରକ୍ତ ହେଲେ |ମା ଏଇୟା ଶିଖେଇ ପଠେଇଛି କହି ଗାଳିଦେଲେ |ପାଖରେ ଥିବା ଖୁଡୀ ଶାଶୁ ଆସିବାରୁ ତାଂକୁ ବି ସେକଥା କହି ତାଂକ ଆଗରେ ବୋଝେ ଗାଳିଦେଲେ |ସେଦିନ ସଂଗୀତା ବହୁତ  କାନ୍ଦିଲା,ଦୁଃଖ ସହିତ ଅପମାନ ତାକୁ ବେଶି ବାଧିଲା |ଅପରାହ୍ନ ରେ ଶାଶୁ ଘରେ ନ ଥିବା ବେଳେ,ଖୁଡୀ ଶାଶୁ ଆସି କହିଲେ ,ତୋ ଶାଶୁକୁ ଚଳେଇବା ଭାରି କଷ୍ଟ ଲୋ,ଏଇଥିପାଇଁ ପରା ଘରେ କେହି ବୋହୂ ରହିଲେନି,ସେ କଣ ସେକଥା ବୁଝୁଛି?ସଂଗୀତା ଲୁହ ପୋଛି କହିଲା,ଘରେ ଭୁଲ କଲେ, ବୋଉ ମତେ କେତେ ଗାଳି ଦିଏ ,ତା ବୋଲି କଣ ମୁଁ ବୋଉକୁ ଛାଡି ଚାଲି ଯାଇଛି?ଏବେ ମୋ ଭୁଲ ହୋଇଗଲା ବୋଲି ବୋଉ  ଯଦି ପଦେ କହିଦେଲେ ,ତାହାଲେ ମୁଁ କଣ ଘର ଛାଡି ଚାଲିଯିବି ?ଖୁଡିଶାଶୁ ତା  କଥା ଶୁଣି ଆଶ୍ଚର୍ଯ୍ୟ ହେଲେ,କହିଲେ ,ମୁଁ ତୋ ମନକଥା  ଜାଣିବାକୁ ଏମିତି କହୁଥିଲି ,ଶାଶୁ କିଏ ବୋଉ କିଏ ସବୁ ସମାନ ,ଖାଲି ବୁଝିଲେ ହେଲା |
                ଯେଉଁ ଯାଆ ମାନେ ଶାଶୁଂକ ପାଖରେ ସଂଗୀତା ମାସେ ଚଳି ପାରିବନି  ବୋଲି ଭବିଷ୍ୟବାଣୀ କରିଥିଲେ ,ସେମାନେ କହିଲେ ,ମାସେ ହେଲା ,ବର୍ଷେ ସମ୍ଭାଳୁ ତାପରେ ଦେଖିବା |କିନ୍ତୁ ବର୍ଷେ କଣ ,ହସ ଖୁସିରେ ପାଂଚ ବର୍ଷ ବିତିଗଲା |ସଂଗୀତା ର ଝିଅଟିଏ  ହେଲା |ପୂର୍ବାପେକ୍ଷା ଶାଶୁ ବୋହୁଂକ ସମ୍ପର୍କ ଆହୁରି ନିବିଡ଼ତର ହେଲା |ସଂଗୀତା ଗାଁରେ ରହିବାରୁ ,ଏଥର ପୂଜା ପର୍ବରେ ଯାଆ ଦେଢ଼ଶୁର  ମାନେ ଗାଁକୁ ବୁଲି ଆସିଲେ,ଦୁଇଦିନ ରହିବାପାଇଁ ଆସି ଆଠ ଦିନ ରହି ଗଲେ |ସେମାନଂକୁ ଲାଗିଲା ,ଗୁଣୀ ଗାରିଡି କରି ସଂଗୀତା  ଶାଶୁଂକୁ ପୁରା କିମିଆ କରି ଦେଇଛି,ତାରି କଥାରେ ଶାଶୁ ଉଠ ବସ ହେଉଛନ୍ତି |ପୁଣି ଭାବିଲେ ବୋଉକୁ ଶିଖା ଶିଖି କରି ଗାଁ ସମ୍ପତ୍ତି  ହାତେଇବା ପାଇଁ ବୋଧେ କିଛି ଚକ୍ରାନ୍ତ ଚାଲିଛି |କିନ୍ତୁ ଏସବୁ କିଛି ବି କାରଣ ନ ଥିଲା  |ପ୍ରକୃତ ସ୍ନେହ ଶ୍ରଦ୍ଧା ରହିଲେ ଘର ବୈକୁଣ୍ଠ ରେ  ପରିଣତ ହୁଏ ,ଏକଥା ସେମାନେ ବହୁତ ଡେରିରେ ବୁଝିଲେ  |ମମତା ମହାନ୍ତି |
     

Friday, July 15, 2016

ଉତ୍ତରାଧିକାରୀ

             ଶଂକର ସରକାରୀ କାର୍ଯ୍ୟାଳୟରେ ଉଚ୍ଚ ପଦବୀରେ ଅଧିଷ୍ଠିତ ଥାଇ  ଅନେକ ଧନ ଉପାର୍ଜନ କରିଥିଲେ |ସେଥିରେ ସେ ରାଜଧାନୀ ଭୁବନେଶ୍ୱର ରେ ଏକ ବିଶାଳକାୟ ତିନି ମହଲା କୋଠାଘର ନିର୍ମାଣ କରି ଥିଲେ |ଏହା ସହିତ ଭୁବନେଶ୍ୱର ଉପକଣ୍ଠରେ ତାଂକର ଦୁଇଟି ବଡ ପ୍ଲଟ୍ ଥିଲା |ସେ ତାଂକ କୋଠାଘରକୁ ଭଡା ଦେଇ ନିଜେ ସରକାରୀ ବାସଭବନ ରେ ରହୁଥିଲେ |ତାଂକର ତିନିଟି ଝିଅ ଥିଲେ |ଏତେ ବଡ ସମ୍ପତ୍ତି କୁ ଭୋଗ କରିବା ପାଇଁ ଉତ୍ତରାଧିକାରୀ ରୁପେ ତାଂକର କୌଣସି ପୁତ୍ର ସନ୍ତାନ ନ ଥିବାରୁ ସବୁବେଳେ ସେ ଚିନ୍ତିତ ଥିଲେ |ତିନି ଝିଅ ତାଂକର ସୁଶ୍ରୀ ,ଶିକ୍ଷିତା ,ଗୁଣବତୀ ଥିଲେ  |ସବୁ ଝିଅଂକୁ ସୁଯୋଗ୍ୟ ପାତ୍ର ସହ ବିବାହ ଦେଇ ସେ ଶାନ୍ତିରେ ତାଂକର ଶେଷ ଜୀବନ କଟାଇବା କଥା |କିନ୍ତୁ ମନ ତାଂକର ସବୁବେଳେ ଉତ୍ତରାଧିକାରୀ ପାଇଁ ବ୍ୟାକୁଳ ହେଉଥାଏ |ଶେଷରେ ସେ ମନେ ମନେ ସ୍ଥିର କଲେ ତାଂକର ଏକ ନାତିକୁ  ପୋଷ୍ୟ ପୁତ୍ର କରି ନିଜର ଉତ୍ତରାଧିକାରୀ କରିବେ |ବଡ଼ ଝିଅ ର ଏକମାତ୍ର କନ୍ୟା ସନ୍ତାନ ,ତେଣୁ ତା କଥା ନୁହେଁ |ମଝିଆ ର ଗୋଟିଏ ପୁଅ |କେବଳ ସାନ ଝିଅ ର ଜାଆଁଳା ପୁଅ ଦୁଇଟି |ତାର  ଗୋଟିଏ ପୁଅ କୁ  ପୋଷ୍ୟପୁତ୍ର ଭାବେ ନେବା ପାଇଁ ତାଂକର ବହୁତ ଇଚ୍ଛା ହେଲା |ସେ ନିଜ ମନ କଥା ସ୍ତ୍ରୀ ଶାରଦାଂକୁ କହିଲେ |ଶାରଦା ଏଥିରେ ଆଦୌ ରାଜି ହେଲେ ନାହିଁ |କହିଲେ ,ଈଶ୍ୱର ଆମକୁ ଯାହା ଦେଇ ନାହାନ୍ତି ,ସେଥିପାଇଁ ବୃଥା ଆଶା କରିବା ଠିକ ନୁହେଁ |କିନ୍ତୁ ଶଂକର ତାଂକର ମନ ସ୍ଥିର କରି ସାରିଥିଲେ |ସେ ବହୁତ କଷ୍ଟରେ ସାନଝିଅ  ଓ ତାଂକର ପରିବାରକୁ ରାଜି କରାଇ ,ତା ସାନ ପୁଅ ଶୋଭନ କୁ ନିଜର ପୋଷ୍ୟ ପୁତ୍ର ରୂପେ ଗ୍ରହଣ କଲେ |
           ଶୋଭନ କୁ ପାଞ୍ଚ  ବର୍ଷ ହେବା ପରେ ଶଙ୍କର  ତାକୁ ନିଜ ଘରକୁ ନେଇ ଆସିଲେ |ଅତି ଆଦର ଯତ୍ନରେ ତାର ଲାଳନ ପାଳନ କରି ତାକୁ ଉତ୍ତମ ପବ୍ଲିକ୍ ସ୍କୁଲରେ ପାଠ ପଢାଇଲେ |ସେ  ଚାକିରୀ ରୁ ଅବସର ଗ୍ରହଣ କରିବା ବେଳକୁ ଶୋଭନ କୁ ମାତ୍ର ପନ୍ଦର ବର୍ଷ |ସେ ଭଲ ପାଠ ପଢୁଥିଲା | ସେ କାନାଡ଼ାରେ ରହି ଏମ.ବି.ଏ.କଲା ଓ ପାଠ ପଢା ଶେଷ ହେବାପରେ ସେଠାରେ ତାକୁ ଭଲ ଚାକିରୀ ମିଳିଲା ମଧ୍ୟ |ସେତେବେଳକୁ ଶାରଦା ପରଲୋକ ଗମନ କରି ସାରିଥିଲେ |
            ଶଂକର ଅବସର ଗ୍ରହଣ କରିବା ପରେ ସରକାରୀ ବାସଭବନ ସରେଣ୍ଡର କରି ,ନିଜ ଘର କୁ ଚାଲି ଆସିଥିଲେ |ଉପର ଦୁଇ ମହଲା ଭଡା ଦେଇ ,ସେ ତଳ ମହଲାରେ ରହୁଥିଲେ | ତାଂକର ବିରାଟ ବଗିଚା ର ଉତ୍ତର ପାର୍ଶ୍ୱ ରେ ଥିବା  ଆଜବେଷ୍ଟସ ଘରେ  ତାଂକର ପୁରୁଣା ଚାକର ଦୈତାରୀ, ତା ସ୍ତ୍ରୀ ଓ  ପୁଅ ସହ ରହୁଥିଲା |ଦୈତାରୀ ତାଂକର ବଜାର ସୌଦା ,ପନିପରିବା କିଣିବା ଇତ୍ୟାଦି ସମସ୍ତ ବାହାର କାମ କରୁଥିବା ବେଳେ ,ତା ସ୍ତ୍ରୀ ପୁଷ୍ପା ଘର ଓଳାଇବା,ବାସନ ମାଜିବା,ରୋଷେଇ କରିବା ଆଦି ସମସ୍ତ ଘର କାମ କରୁଥିଲା |ଶାରଦାଂକ ମୃତ୍ୟୁ ପରେ ଶଂକର ତାଂକ ଉପରେ ଅଧିକ ପରିମାଣରେ ନିର୍ଭରଶୀଳ ହୋଇ ପଡିଥିଲେ |
           ଶୋଭନ ,ସେଇ କାନାଡା ରୁ ହିଁ ତାର ଜୀବନସାଥୀ ବାଛି ଥିଲା | |ତାରି କମ୍ପାନୀରେ ସେ  ଚାକିରୀ କରୁଥିଲା |ବାହାଘର କାନାଡା ରେ ହୋଇଥିଲା |ଶଂକର କାନାଡା ଯାଇଥିଲେ |ସେଠାରେ ପୁଅ ର ସୁଖ ,ବୈଭବ ଦେଖି ବହୁତ ଖୁସି ହୋଇଥିଲେ |ବୋହୂ ପ୍ରିୟଂକା ତାଂକୁ ଅନେକ ସମ୍ମାନ ,ଆଦର ,ଯତ୍ନ କରୁଥିଲା |ସେଠାରେ ତିନି ମାସ ରହି ସେ ଭୁବନେଶ୍ୱର ଫେରି ଆସିଲେ |ସେତେବେଳକୁ ଶଂକରଂକୁ ଚୌସ୍ତରୀ ବର୍ଷ ବୟସ ହେଲାଣି |ଆଣ୍ଠୁ ଗଣ୍ଠି ବ୍ୟଥା ସହ ଧୀରେ ଧୀରେ ତାଂକୁ ଅନେକ ବେମାରି ଗ୍ରାସ କରି ବସିଲା |ବେଳେବେଳେ ବିଛଣାରେ ଝାଡା ,ପରିସ୍ରା ହୋଇ ଯାଉଥାଏ |ଶୋଭନ ଏହା ଶୁଣି ଭାରି ବ୍ୟସ୍ତ ହେଉଥାଏ |ଦିନେ ସେ କହିଲା ,ବାପା ,ସେଠାରେ ତମର ଭଲ ମନ୍ଦ ବୁଝିବା ପାଇଁ କେହି ନାହାନ୍ତି ,ପର ଲୋକଂକ ଉପରେ ନିର୍ଭର କରି କେତେଦିନ ରହିବ?ତମେ ମୋ ପାଖକୁ ଚାଲିଆସ ,ଏଇଠି ସମସ୍ତେ ଏକାଠି ଖୁସିରେ ରହିବା |ଶଂକର ନିଜ ଜନ୍ମମାଟି,କଷ୍ଟରେ କରିଥିବା ସମ୍ପତ୍ତି ର ମୋହ ଛାଡି ଏତେ ଦୂର ଯିବାକୁ ଆଦୌ ରାଜି ହେଉ ନ ଥାନ୍ତି |କିନ୍ତୁ କ୍ରମେ ସେ ଆହୁରି ଅସୁସ୍ଥ ହୋଇ ପଡିଲେ |ଶୋଭନ ପୁଣି ବୁଝାଇଲା ,ଏଇଠି ଭାରତ ଅପେକ୍ଷା ଅଧିକ ଚିକିତ୍ସା ସୁବିଧା ରହିଛି |ଶଂକର କହିଲେ,ଏ ଘର ,ଜମି ବାଡି ,ମୁଁ କାହା ଭରସା ରେ ଛାଡି ଦେଇ ଯିବି ?ଶୋଭନ ବୁଝାଇଲା,ଯଦି ମଣିଷ ନ ରହିବ,ତାହାଲେ ସମ୍ପତ୍ତି ର ମୂଲ୍ୟ କଣ ?ମୋର ତ ଆଉ ଭାରତ ଫେରିବାର ନାହିଁ ,ତମ ଅନ୍ତେ ସେ ସବୁ ଭୂତ ଖାଇବେ |ବରଂ ଭଲ ହେବ ସେସବୁ ବିକ୍ରୀ କରିଦେଇ ତମେ ମୋ ପାଖକୁ ଚାଲିଆସ |ପ୍ରିୟଂକା ତମକୁ ବହୁତ ଭଲ ପାଏ ,ସେ ତମର ଭଲ ଯତ୍ନ ନେବ |ଶୋଭନ  ମୁହଁରୁ ଏକଥା ଶୁଣି ତାଂକ ଛାତି ଫାଟିଯିବା ପରି ଲାଗୁଥିଲେ ହେଁ ପରେ ସେ ଭାବିଲେ  ଶୋଭନ ଯାହା କହୁଛି ଠିକ କହୁଛି |ତଥାପି ମନ ସ୍ଥିର କରିବା ପାଇଁ ତାଂକୁ ଆହୁରି ବର୍ଷେ ସମୟ ଲାଗିଗଲା |ଶେଷରେ ସେ ଶୋଭନ କୁ ଜଣାଇ ଦେଲେ ,ସେ ତା ପ୍ରସ୍ତାବ ରେ ରାଜି |
           ଶୋଭନ ଲମ୍ବା ଛୁଟି ନେଇ ଆସିଲା |ଶଂକର ପଚାରିଲେ ,ପ୍ରିୟଂକା ଆସିଲାନି ଯେ ?ଶୋଭନ କହିଲା ,ସେ ଆସିବାକୁ ଚାହୁଁଥିଲା, ମୁଁ ମନାକଲି,ଆମେ ତ ସବୁଦିନ ସେଇଠି ସାଂଗ ହୋଇ ରହିବା ,ସେ ଏବେ ଆସିବା କଣ ଦରକାର ?ଶଂକର ବୁଝିଗଲେ |ତାପରେ ଘର ଓ  ଜମି ଇତ୍ୟାଦି ବିକ୍ରୀ କରିବା ପାଇଁ ଉଦ୍ୟମ ଚାଲିଲା |ଶୋଭନ ଅନ ଲାଇନ୍ ରେ ବିଜ୍ଞାପନ ଦେଇଥିଲା |ଘର ବିକ୍ରୀ ହେଉଥିବାର କଥା ଶୁଣି ଦୈତାରୀ ଭାରି ମନ ଦୁଃଖ କଲା ,କହିଲା ,ଆପଣ ଯଦି ମନ ସ୍ଥିର କରି ସାରିଛନ୍ତି ,ତାହାଲେ ମୁଁ ଯେଉଁଠି ଅଛି,ସେଇଠାରେ  ମତେ ରହିବାକୁ ଦିଅନ୍ତୁ  |ଶୋଭନ ଏଥିରେ ଆପତ୍ତି କଲା ,କହିଲା ,ସେମିତି କେମିତି ହେବ ?ଯିଏ ନବ ପୁରା ବିଲ୍ଡିଂଗ ନେବ |ଶଂକର କହିଲେ ,ହଁ ସେ ଯଦି ଚାହୁଁଛି ରହୁ, ,ସେମାନେ ମୋର ବହୁତ ସେବା କରିଛନ୍ତି ,ତା ମନ ମୁଁ ଭାଂଗି ଦେଇ ପାରିବି ନାହିଁ |ଶୋଭନ କିନ୍ତୁ ଆଦୌ ରାଜି ହେଲାନାହିଁ|ସେ କହିଲା ,ସେମିତି ଖଣ୍ଡ ଖଣ୍ଡ ଘର କେହି ନେବେନି |ଏକଥା ଶୁଣି ଦୈତାରୀ କାନ୍ଦି କାନ୍ଦି କହିଲା ,ଏବେ ମୁଁ ଆଉ କୁଆଡେ ଯିବି ବାବୁ?ଶଂକର ତାକୁ ଆଶ୍ୱାସନା ଦେଇ କହିଲେ ,ତୁ ବ୍ୟସ୍ତ ହୁଅନା,ତୋ ପାଇଁ କିଛି ଗୋଟେ ବ୍ୟବସ୍ଥା କରିବା |ଶଂକର ତାଂକ ଚାକିରୀ ଆରମ୍ଭରେ ହାଉସିଂ ବୋର୍ଡ଼ରୁ ଗୋଟିଏ ଏକ ବଖରା  ଘର କିଣିଥିଲେ |ସେ ତାକୁ ଭଡା ନ ଲଗାଇ ସେମିତି ଚାବି ପକାଇ ରଖି ଦେଇଥିଲେ |ମାସରେ ଥରେ ଦୈତାରୀ ସେଠାକୁ ଯାଇ ଘର ସଫା କରି ଆସୁଥିଲା  |ସେ ଦୈତାରୀକୁ ଏକୁଟିଆ ଡାକି କହିଲେ ,ସେ ଘର ର ଚାବି ତୋ ପାଖରେ ଅଛି,ମୁଁ ଯିବା ପୂର୍ବରୁ ତୁ ତୋ ପିଲାମାନଂକୁ ନେଇ ସେଠିକି ଚାଲିଯା |ତୁ ମୋ ପାଇଁ ବହୁତ କରିଛୁ ,ଆଜିଠାରୁ ସେ ଘର ତୋର |ସେ ଖୁସିରେ ଆତ୍ମହରା ହୋଇ ଦୈତାରୀ ତାଙ୍କ ପାଦତଳେ ପଡି କହିଲା,ବାବୁ,ଆପଣ ମଣିଷ ନୁହନ୍ତି,ସାକ୍ଷାତ ଦେବତା |  ତା ପରଦିନ  ଘର ଖାଲି କରି ଦୈତାରୀ ଚାଲିଗଲା  |ସେ ଯିବାପରେ ଶୋଭନ ନିଜେ ରୋଷେଇ କଲା,ଶଙ୍କରଙ୍କ  ଗୋଡ଼,ହାତ,ଘଷି ମୋଡି  ଦେଲା,ରାତିରେ ତାଂକ ପାଖରେ ଶୋଇଲା |ଶଂକର ମନେ ମନେ ବହୁତ ଖୁସି ହେଲେ |ସବୁ  ସମ୍ପତ୍ତି ବିକ୍ରୀ ହେବା ପରେ ,ବିକ୍ରୀ ଟଂକା ଶୋଭନ ଆକାଉଣ୍ଟ ରେ ଡିପୋଜିଟ୍ ହେଲା |ଯେତେବେଳେ କାନାଡା ଯିବାର ଫ୍ଲାଇଟ୍ ଟିକେଟ୍ ଶୋଭନ ତାଂକୁ ଦେଖାଇଲା,ଶଂକରଂକ ଆଖିରୁ ଅନେକ ଧାର ଅମାନିଆ ଲୁହ ଝରି ଆସିଲା |
            ସମସ୍ତଂକ ଠାରୁ ବିଦାୟ ନେଇ ,ଶଂକର ବାହାରିଲେ ନିଜ ନୁଆ ଗନ୍ତବ୍ୟସ୍ଥଳ କୁ |ଭୁବନେଶ୍ୱର ରୁ ଦିଲ୍ଲୀ,ତାପରେ କାନାଡା |ଦିଲ୍ଲୀରେ ସବୁ ଚେକିଂ ସରିବା ପରେ ଦୁହେଁ ଆରାମରେ ବସି କାନାଡା ଫ୍ଲାଇଟ୍ କୁ ଅପେକ୍ଷା କଲେ |ଶୋଭନ କହିଲା ,ବାପା ,ଫ୍ଲାଇଟ୍ ଟିକିଏ ଡେରିରେ ଆସିବ,ତମେ ଇୟର୍ ଫୋନ୍ ଲଗାଇ ଗୀତ ଶୁଣୁ ଥାଅ ,ମୁଁ ଏଇଠୁ ଆସୁଛି |ଶୋଭନ ଚାଲିଗଲା |ଶଂକର ଗୀତ ଶୁଣୁ ଶୁଣୁ କେତେବେଳେ ତାଂକ ଆଖି ପତା ଲାଗିଯାଇଛି ,ହଠାତ୍ କାହାର ହାତ ସ୍ପର୍ଶରେ ତାଂକ ଆଖି ଖୋଲିଗଲା |ସେ ଚାହିଁ ଦେଖିଲେ ,ତାଂକ ଅଫିସ୍ ର ପୁରୁଣା ସହକର୍ମୀ ମାୟାଧର ଦାସ |ସେ ପଚାରିଲେ ,କୁଆଡେ ଯାଉଛନ୍ତି ?ଏକୁଟିଆ ?ଶଂକର ହସିଦେଇ କହିଲେ ,ପୁଅ ସାଂଗେ କାନାଡା ଯାଉଛି |ମାୟାଧର ପଚାରିଲେ  ପୁଅ କାହିଁ?ଶଂକର ଉତ୍ତର ଦେଲେ ,ଏଇଠି କୁଆଡେ ଯାଇଛି,ଆସିବ ଏଇନା |ମାୟାଧର କହିଲେ ,କିନ୍ତୁ କାନାଡା ଫ୍ଲାଇଟ୍ ତ କେତେବେଳୁ ଗଲାଣି |ଶଂକର ଚମକି ପଡି ପୁଅ କୁ ଫୋନ ଲଗାଇଲେ ,ହେଲେ ତାର ଫୋନ ସ୍ୱିଚ ଅଫ ଆସିଲା |ସେ ନିଜକୁ ବିଶ୍ୱାସ କରି ପାରିଲେ ନାହିଁ  |ତଳକୁ ଯାଇ  କାଉଣ୍ଟରରେ ପଚାରିଲେ ,ଜାଣିଲେ ମାୟାଧର ଯାହା କହୁଥିଲେ ,ସବୁ  ସତ | ପାଦ  ତଳୁ ତାଂକର ଭୂମି ଖସିଯିବା ପରି ଲାଗିଲା |ସେ ଜାଣି ପାରିଲେ ତାଂକର ଉତ୍ତରାଧିକାରୀ ତାଂକୁ କାଙ୍ଗାଳ କରି ପ୍ରଚଣ୍ଡ ଭାବରେ ଧୋକା ଦେଇ ଚାଲି ଯାଇଛି |ସେ ସ୍ଥାଣୁ ପରି ସେଠାରେ ଛିଡା ହୋଇ ରହିଲେ |ମମତା ମହାନ୍ତି |
            *******************************************************************

Monday, July 11, 2016

‘ମା’

           ବିଜୟା  ଯେତେବେଳେ  ଗଣପତି କୁ ବାହାହେଲା ସେତେବେଳେ ତାକୁ ହୋଇଥିଲା ସତର ବର୍ଷ ବୟସ | ଗଣପତି ରିକ୍ସାଚାଳକ ଥିଲା |ତା ସ୍ତ୍ରୀ ର ଅକାଳ ବିୟୋଗ ପରେ, ତାର ଆଠ ମାସର ଛୁଆ, ଲୋକନାଥ  ର ଲାଳନପାଳନ ପାଇଁ ସେ ବିଜୟା କୁ ଦ୍ୱିତୀୟ ବିବାହ କରିଥିଲା |ବିଜୟା ର ପିତା ମାତା ଅତ୍ୟନ୍ତ ଗରିବ ଥିଲେ ,ପର ଘରେ ପାଇଟି କରି ପେଟ ପୋଷୁଥିଲେ |ବାହାଘର ର ପ୍ରଥମ ଦିନ ହିଁ ଗଣପତି ତାକୁ ସ୍ପଷ୍ଟ ଭାବେ କହି ଦେଇଥିଲା ,ତାର ପ୍ରଥମ କାର୍ଯ୍ୟ ହେବ ‘ଲୋକନାଥ’ ର ଯତ୍ନ ନେବା ,ତାପରେ ଆଉ ଯାହା | ବିଜୟା କୁ ପ୍ରଥମେ ପ୍ରଥମେ ଏସବୁ କାମ କରିବା ପାଇଁ ଭାରି ଅଡୁଆ ଲାଗୁଥିଲା ,ପରେ କିନ୍ତୁ ସବୁ ଦେହସୁହା ହୋଇଗଲା |ଲୋକନାଥ ତାକୁ ବହୁତ ଭଲ ପାଉଥିଲା |ଯେତେବେଳେ ଲୋକନାଥ ତାକୁ ପ୍ରଥମ କରି ‘ମା’ ବୋଲି ଡାକିଲା ,ତା ମନ ଏକ ଅଜଣା ଆନନ୍ଦରେ ଭରିଗଲା |ଗଣପତି ଅପେକ୍ଷା ତାକୁ ଲୋକନାଥ ର ସାନ୍ନିଧ୍ୟ ବେଶୀ ଭଲ ଲାଗିଲା |ଠିକ ଭାବେ ଲୋକନାଥ ର ଯତ୍ନ ନେଉଥିବାରୁ ଗଣପତି ମଧ୍ୟ ବିଜୟା ଉପରେ ସନ୍ତୁଷ୍ଟ ଥିଲା |ଗଣପତି ର ଏକ ଦରଜୀ ମିତ୍ର ଥିଲା ,’ଇକବାଲ୍’|ଛକ ପାଖରେ ତାର ଏକ ସିଲେଇ ଦୋକାନ ଥିଲା |କପଡା କାଟିବା ଓ ସିଲେଇ କରିବାରେ ଇକବାଲ୍ ଦକ୍ଷ ଥିଲା |ଗଣପତି ପ୍ରାୟ ବେଳେ ଇକବାଲ୍ ଦୋକାନ କୁ ଯାଏ ,ଦୁହେଁ ମନଖୋଲା ଖୁସି ଗପ ସପ ହୁଅନ୍ତି, ବିଜୟା ର କିଛି କପଡା ସିଲେଇ କରିବାର ଥିଲେ ,ଇକବାଲ ସିଲେଇ କରିଦିଏ |
              ସମୟ ସବୁଦିନ ସମାନ ଯାଏନାହିଁ |ଲୋକନାଥ କୁ ଯେତେବେଳେ ଦୁଇବର୍ଷ,,ସଡକ ଦୁର୍ଘଟଣା ରେ ଗଣପତି ର ମୃତ୍ୟୁ ହୋଇଗଲା |ଏତେ ବଡ ଦୁନିଆରେ ବିଜୟା ଏକୁଟିଆ ହୋଇଗଲା |ବାପା ମାଆଂକ ପାଖକୁ ଯାଇ ତାଂକ ଉପରେ ବୋଝ ହେବା ପାଇଁ ସେ ଉଚିତ ମନେ କଲା ନାହିଁ |ପେଟ ପୋଷିବା ପାଇଁ ସେ ପର ଘରେ ବାସି ପାଇଟି କରିବା କାମ ବାଛି ନେଲା |ଇକବାଲ୍ ଦୋକାନ କରିଥିବା ପାଖାପାଖି ଅଂଚଳରେ ଏସବୁ କାମର ଭଲ ଚାହିଦା ଥିଲା |ସେ ସବୁଦିନ ସକାଳେ ଓ ଉପର ଓଳି ଲୋକନାଥ କୁ ଇକବାଲ୍ ଦୋକାନରେ ବସାଇ ଦେଇ କାମ  କରିବାକୁ ଯାଏ ,କାମ ଶେଷ କରି ଫେରିବା ପରେ ତାକୁ ନେଇ ଘରକୁ ଆସି ପୁଣି ତା ନିଜ କାମରେ ଲାଗିଯାଏ |ମଝିରେ ମଝିରେ ତାକୁ ବାବୁଘର ପୁରୁଣା ଲୁଗା ଦିଅନ୍ତି,ଖାଇବା ଜିନିଷ ମଧ୍ୟ ଦିଅନ୍ତି |ବିଜୟା ଖୁସିରେ ସବୁ ନିଏ |ଏତେ ଦୂରରୁ ଆସି ,ଦିନକୁ ଦୁଇ ଓଳି କାମ କରିବା କ୍ରମେ ତାପାଇଁ କଷ୍ଟକର ହୋଇ ପଡିଲା |ସେ ଇକବାଲ୍ କୁ ଏ ବିଷୟରେ କହିଲା |ତା ଚେଷ୍ଟାରେ ତାକୁ ଗୋଟିଏ ବଖୁରିଆ ଚାଳଘର ଭଡାରେ ମିଳିଗଲା |ମାସକୁ ଭଡା ସାତ ଶହ |ସେ ତାର ପୁରୁଣା ଝୁମ୍ପୁଡି ଘରେ ଚାବି ପକାଇ,ଘର ର ଚାବି ତା ପଡୋଶୀ ଇନ୍ଦିରା ହାତରେ ଦେଇ , ନୁଆ ଭଡା ଘରକୁ ଚାଲିଆସିଲା |ଏଥର ତା କାମ ପୂର୍ବାପେକ୍ଷା ଟିକିଏ ସହଜ ହେଲା |ବିଜୟା ର ଚେହେରା ଅତ୍ୟନ୍ତ ଶାନ୍ତ ,ସରଳ |ତାର ଚାହାଣୀ ଚନ୍ଦ୍ର ପରି ଶୀତଳ |ଅଳ୍ପ କୁଂଚ କରି ,ସାଦା ଶାଢୀ ପିନ୍ଧି ସେ ମୁଣ୍ଡରେ ବଡ଼ ଓଢ଼ଣା ଦେଇଥାଏ, ଯାହା କେବେ ଖସି ପଡେ ନାହିଁ |ତାର ଏକମାତ୍ର ଲକ୍ଷ୍ୟ ଥିଲା ପୁଅ ତାର ଭଲ ପାଠ ପଢିବ ,ବଡ ମଣିଷ ହେବ |
             ଲୋକନାଥ ଟିକିଏ ବଡ ହେଲାରୁ ତାକୁ ନିକଟସ୍ଥ ଅଂଗନବାଡି ବିଦ୍ୟାଳୟରେ ଛାଡିଲା |ପାଠପଢାରେ ଲୋକନାଥ ର ଆଦୌ ଆଗ୍ରହ ନ ଥାଏ |କିନ୍ତୁ ସିଲେଇରେ ତାର ପ୍ରଗାଢ଼ ରୁଚି ରହିଥିଲା |ମିସ୍ତ୍ରୀମାନେ ଯେତେବେଳେ ସିଲେଇ କରୁଥାନ୍ତି କିମ୍ବା ଇକବାଲ୍ ଯେତେବେଳେ କପଡା କାଟୁଥାଏ,ସେସବୁ ମନଯୋଗ ଦେଇ ସେ ଦେଖେ ଓ ମନେ ରଖିବାକୁ ଚେଷ୍ଟା କରେ |ସିଲେଇ ରେ ତାର ଆଗ୍ରହ ଦେଖି ଇକବାଲ୍ ତାକୁ କପଡା କାଟିବା ଓ ମେସିନ୍ ରେ ସିଲେଇ କରିବା ଶିଖାଇଲା |ଇକବାଲ୍ କୁ ସେ ଚାଚା ବୋଲି ଡାକୁଥିଲା,ତା କଥା ମାନୁଥିଲା ,ତାକୁ ବହୁତ ଭଲ ପାଉଥିଲା |ତାକୁ ଅଠର ବର୍ଷ ହେଲା ବେଳକୁ ସେ କପଡା କାଟିବା ଓ ସିଲେଇ କରିବାରେ ଧୂରନ୍ଧର ହୋଇ ଯାଇଥାଏ କିନ୍ତୁ ପାଠ ପଢା ସେଇ ଅଷ୍ଟମ ଶ୍ରେଣୀରେ ଅଟକି ଯାଇଥାଏ |ପୁଅ ବେଶୀ ପାଠ ପଢିଲାନି ବୋଲି ବିଜୟା ମନ ଦୁଃଖ କରେ ,ହେଲେ ଇକବାଲ୍ ତାକୁ ସାହସ ଦେଇ କହେ ,ତୁମେ ବ୍ୟସ୍ତ ହୁଅନାହିଁ ଭାବୀ,ସେ ଏଇ କାମରେ ଭଲ ରୋଜଗାର କରିବ |
                ଦିନେ ଇକବାଲ୍ ବିଜୟା କୁ କହିଲା , ଟାଉନ୍ ଭିତରେ ମୋର ଗୋଟିଏ ସିଲେଇ ସୋରୁମ୍ କରିବି ବୋଲି ଭାବିଛି |ତମେ ଯଦି ଚାହିଁବ, ଲୋକନାଥ ପାଇଁ ଏଇ ଦୋକାନ ରଖି ପାରିବ |କିନ୍ତୁ ରୋଜଗାର ହେଲେ ମତେ କିଛି ଫେରାଇବ |ତାର ଏ ପ୍ରସ୍ତାବ ଶୁଣି ଖୁସିରେ ଇକବାଲ୍ ଗୋଡ ତଳେ ପଡିଗଲା, ଲୋକନାଥ |ବିଜୟା ଆଖିରୁ ମଧ୍ୟ ଆନନ୍ଦାଶ୍ରୁ ଝରି ଆସିଲା ,ସେ କହିଲା ,ଆପଣଙ୍କର ଏ ଉପକାର ଆମେ ଜୀବନ ସାରା ଭୁଲି ପାରିବୁ ନାହିଁ |ଦୁଇ ବର୍ଷ ଭିତରେ ତାର ନୁଆ ଦୋକାନ କୁ ଉଠିଗଲା ଇକବାଲ୍ |ଲୋକନାଥ ତା ଦୋକାନ ର ନାମ ତାର ବାପାଂକ ନାମ ଅନୁସାରେ ରଖିଲା “ଗଣପତି ଟେଲରିଂ ହାଉସ “|ଗଣେଶ ପୂଜା ଦିନ ସେ ଦୋକାନ ର ଶୁଭ ଉଦ୍ଘାଟନ କଲା,ବିଜୟା ନଡିଆ ଭାଂଗିଲା,ହୁଳହୁଳି ପକାଇଲା |ନନା ଧୁପ ,ଦୀପ ,ନୈବେଦ୍ୟ ଅର୍ପଣ କରି ପୂଜା ସମ୍ପୂର୍ଣ କଲେ |ଲୋକନାଥ ବିଜୟା କୁ କହିଲା ,’ମା’,ଆଜିଠାରୁ ତୋର ବାସି ପାଇଟି କାମ ବନ୍ଦ |ବିଜୟା ମନା କଲା ,କହିଲା ,ତୁ ଆଗ ତୋର ପାଦ ମଜଭୁତ କରି ସାରେ,ତାପରେ ଦେଖିବା |ଆମକୁ ପୁଣି ଇକବାଲ୍ ଚାଚାର ଟଂକା ଫେରାଇବାର ଅଛି |ଇକବାଲ୍ ଦୋକାନ କରିଥିବା ବେଳେ ଲୋକନାଥ ର ବହୁତ ସୁନାମ ରହିଥିଲା ,ଏବେ ସେ ନିଜେ ଦୋକାନ ଚଳାଉ ଥିବାର ଖବର ପାଇ ,ପୂର୍ବପରି ଦୋକାନରେ ଭିଡ଼ ଲାଗି ରହିଲା |ସେ ମୂଖ୍ୟତଃ ମହିଳା ମାନଂକ ର ପୋଷାକ ତିଆରି କରୁଥିଲା |ଏକୁଟିଆ କାମ କରିବା ପାଇଁ କଷ୍ଟକର ହେଲେ ମଧ୍ୟ ସେ ଦିନରାତି ପରିଶ୍ରମ କରି ଲୋକଂକ ଚାହିଦା ପୂରଣ କରିବା ପାଇଁ ଚେଷ୍ଟା କରୁଥିଲା |ଯେହେତୁ ତା କାମ ନିଖୁଣ ଥିଲା ,ଆଖ ପାଖ ନିବାସୀ ତାକୁ କପଡା ସିଲେଇ କରିବାକୁ ଦେଉଥିଲେ |କ୍ରମେ ତାର କାମ ଜମି ଆସିଲା |ସେ ଧିରେ ଧିରେ ଇକବାଲ୍ କୁ ତାର ପ୍ରାପ୍ୟ ଫେରାଇବାକୁ ସକ୍ଷମ ହେଲା |ବିଜୟା ଆଉ ବାସିପାଇଟି କରିବାକୁ ଗଲାନାହିଁ |ସେ ପ୍ରତ୍ୟେକ ଦିନ  ରାତି ତିନି ଟାରୁ ଉଠି, ତାର ନିତ୍ୟକର୍ମ ଶେଷ କରି, ପାଖରେ ଥିବା ମା ମଂଗଳାଂକ ମନ୍ଦିର  କୁ ଯାଏ |ସେଠାରେ ମନ୍ଦିର ପ୍ରାଂଗଣ ଓଳାଇ,ଭିତର ଚଉତରା ପୋଛା କାମ ଶେଷ କରି ,ଠାକୁରଂକ ପୂଜା ବାସନ ମାଜି,ସବୁ ଜିନିଷ ଯଥା ସ୍ଥାନରେ ରଖି ଚାଲିଆସେ |ଘରେ ପହଂଚି ଲୋକନାଥ ପାଇଁ ଜଳଖିଆ ପ୍ରସ୍ତୁତ କରେ |ସେ ଜଳଖିଆ ଖାଇ ଦୋକାନ କୁ ଯିବାପରେ ବିଜୟା ନିଜେ ଖାଏ |ତାପରେ ଟିକିଏ ବିଶ୍ରାମ ନେଇ ସେ ତାର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ହୋଇଯାଏ |ଲୋକନାଥ ଖରାବେଳେ ଘରକୁ ଆସେନି |ବିଜୟା ତାପାଇଁ ଖାଇବା ନେଇ ଦୋକାନକୁ ଯାଏ ,ସେ ଖାଇ ସାରିବା ପରେ ଅଇଁଠା ବାସନ ଧରି ଘରକୁ ଆସେ |ରାତିରେ ନଅଟା ସୁଦ୍ଧା ଘରକୁ ଆସିଯାଏ ଲୋକନାଥ |ରାତି ଦଶ ବେଳକୁ ମା ପୁଅ ଦୁହେଁ ଖାଇ ଶୋଇ ପଡନ୍ତି |ସବୁଦିନ ଏହିପରି ରୁଟିନ ପରି କାମ ଚାଲେ |
             ତିନି ଚାରି ବର୍ଷ ଭିତରେ ସେମାନଂକ ଆର୍ଥିକ ଅବସ୍ଥା କ୍ରମେ ସ୍ୱଚ୍ଛଳ ହୋଇ ଆସିଲା |ଦୁହେଁ ଦୁଇ ବଖରା ଟାଇଲ ଭଡା ଘରକୁ ଉଠିଗଲେ |ବିଜୟା ମନେ ମନେ ଏଥର ପୁଅ ବାହାଘର କଥା ଚିନ୍ତା କଲା |ସେ ନିଜ ମନ କଥା ଲୋକନାଥ କୁ କହିଲା |ଲୋକନାଥ ପ୍ରଥମେ ନାହିଁ କରୁଥିଲା ,ପରେ ବିଜୟା ବାଧ୍ୟ କରିବାରୁ କହିଲା ,ଯଦି ବାହାହେବ ତାହାଲେ କେବଳ ‘ପାର୍ବତୀ କୁ ହିଁ ବାହାହେବ |ପାର୍ବତୀ ଥିଲା ଇନ୍ଦିରାର ଝିଅ ,ତାର ପୁର୍ବ ଘର ର ପଡୋଶୀ ,ଯାହା ହାତରେ ସେ ଘର ର ଚାବି ଦେଇ ଆସିଥିଲା |ତାର ଦୁଇ ଝିଅ ଓ ଗୋଟିଏ ପୁଅ |ବଡ ଝିଅ ଲକ୍ଷ୍ମୀ ବର୍ଷେ ତଳେ ବାହା ହୋଇଛି |ସବା ସାନ ପୁଅ’ କ୍ରିଷ୍ଣା’ |ଲୋକନାଥ କଥା ଶୁଣି ମନ ଭିତରେ ଟିକିଏ ଶଂକିଗଲା ବିଜୟା |ଇନ୍ଦିରାର ମିଜାଜ ସବୁବେଳେ ଗରମ ଥାଏ |ତିଳକୁ ତାଳ କରିବା ତାର ପ୍ରକୃତି |ହେଲେ ଲୋକନାଥ ତାର ନୟନ ପିତୁଳା,ତା ମନ ସେ ଭାଂଗିଦେଇ ପାରିବ ନାହିଁ |ସପ୍ତାହେ ପରେ ଭଲଦିନ ଦେଖି ବିଜୟା ,ଇନ୍ଦିରା ଘରକୁ ଗଲା |ବାଟ ଯାକ ସେ ଇନ୍ଦିରା କଥା ଭାବି ଭାବି ଯାଉଥିଲା |ଗତ ବର୍ଷ ଲକ୍ଷ୍ମୀ ବାହାଘରକୁ ମା’ ପୁଅ ଦୁହେଁ ଯାଇଥିଲେ |ଇନ୍ଦିରା ହାତରେ ହଜାରେ ଟଂକା ଓ ଗୋଟିଏ ସୁନା ମୁଦି ଧରାଇଦେଇ କହିଲା ,ଭଉଣୀ ,ଇଏ ଲକ୍ଷ୍ମୀ ପାଇଁ |ଭାବିଥିଲା,ଇନ୍ଦିରା ଖୁସି ହୋଇଯିବ |କିନ୍ତୁ ଇନ୍ଦିରା ଖୁସି ହେବା ପରିବର୍ତ୍ତେ ରାଗିଯାଇ କହିଲା ,ତୋ ପୁଅ ଭଲ ରୋଜଗାର  କରୁଛି,ତୁ କଣ ମତେ ଭିଖ ଦଉଛୁ?ତୋ ଜିନିଷ ତୁ ଫେରେଇ ନେ |ଶେଷରେ ତା ଇଚ୍ଛା ଅନୁଯାୟୀ ଉପହାର  ଦେବାପରେ ତା ଅଭିମାନ ଭାଂଗି ଥିଲା |
            ଅବେଳ ରେ ବିଜୟା କୁ ଦେଖି ଇନ୍ଦିରା କହିଲା ,ତୁ କଣ ତୋ ଘରର ଚାବି ନେବାପାଇଁ ଆସିଛୁ ?ବିଜୟା ହସି ଦେଇ କହିଲା ,ନାଁ ଚାବି ନୁହେଁ ,ମୋ ପୁଅ ପାଇଁ ପାର୍ବତୀ କୁ ମାଗିବାକୁ ଆସିଛି  |ଇନ୍ଦିରା କହିଲା ,ତୁ କଣ ଜାଣିନୁ ଗତ ବର୍ଷ ମୁଁ ବଡ ଝିଅ ବାହାଘର କରିଛି ବୋଲି?ଏତେ ଶୀଘ୍ର ମୁଁ ପାର୍ବତୀ ବାହାଘର କରି ପାରିବିନି |ତାପରେ ପାର୍ବତୀ ପାଇଁ ଏବେ ପୁଳା ପୁଳା ପ୍ରସ୍ତାବ ଆସୁଛି ,ଭାବି ଚିନ୍ତି ଭଲ ଘର ଦେଖି ,ବାହାଘର କରିବି | ବିଜୟା କହିଲା ,ମୁଁ କିଛି ଯୌତୁକ ନେବିନି, ଆମେ ମନ୍ଦିର ରେ ବାହାଘର କରିଦେବା |ଇନ୍ଦିରା ରାଗିଯାଇ କହିଲା ,ତୁ ତ ମତେ ଭଲ ପାଠ ପଢ଼ଉଛୁ ,ତୁ କଣ ମତେ ମୋର ବନ୍ଧୁବାନ୍ଧବଂକ ଆଗରେ ବେଜ୍ଜିତ କରିବୁ ବୋଲି ଭାବିଛୁ ?ବିଜୟା ତାକୁ ବହୁତ ଅନୁରୋଧ କରିବାରୁ ସେ କହିଲା ,ଆଜି ମୁଁ କିଛି କହି ପାରିବିନି,ପରେ କହିବି |ବିଜୟା ଚାଲି ଆସିଲା |ଏ ଘଟଣା ର ପନ୍ଦର ଦିନ ପରେ ଇନ୍ଦିରା ବିଜୟା ଘରକୁ ବୁଲି ଆସିଲା |ତା ଘର ,ଚଳଣି ଦେଖି ମନେ ମନେ ଖୁସି ହେଲେ ବି ଉପରେ ତାହା ପ୍ରକାଶ କଲାନାହିଁ |ଖାଲି ଏତିକି କହିଲା ,ସେ ଏ ପ୍ରସ୍ତାବ ରେ ରାଜି କିନ୍ତୁ ବାହାଘର ର ମୁଖ୍ୟ ଖର୍ଚ୍ଚ ଓ ଝିଅ ର ଅଳଂକାର ବିଜୟା କୁ ଦେବାକୁ ପଡିବ |ବିନା ଦ୍ୱଧା ରେ ହଁ କହିଦେଲା ବିଜୟା |ବାହାଘର ପାଇଁ  ଆଉ ଯାହା କିଛି ଛୋଟ ଛୋଟ ଜିନିଷ ଦରକାର ,ସେଥିପାଇଁ ମଧ୍ୟ ରାଜି ହୋଇଗଲା ସେ |          
              ଶୁଭ ଦିନ ,ଶୁଭ ମୂହୁର୍ତ୍ତରେ ଲୋକନାଥ ସହିତ ପାର୍ବତୀ ର ବାହାଘର ହୋଇଗଲା |ପାର୍ବତୀ ତାଂକ ଘରକୁ ବୋହୂ ହୋଇ ଆସିଲା |ଆନନ୍ଦରେ ବିଜୟା ର ଗୋଡ ତଳେ ଲାଗୁ ନ ଥାଏ |ପୁଅ ର ଖୁସି ତାର ଖୁସି ,ତାର ଆଉ କିଛି ଲୋଡା ନାହିଁ |ପାର୍ବତୀ କିଛି କିଛି ସିଲେଇ ଜାଣିଥିଲା |ଲୋକନାଥ ମେସିନ୍ ସିଲେଇ କରିବା ପରେ ,ହାତ ସିଲେଇ କାମ ପାର୍ବତୀ କରିଦିଏ |ଏଥିରେ ପୂର୍ବାପେକ୍ଷା ଅଧିକ ଶୀଘ୍ର ସିଲେଇ କାମ ଶେଷ ହେଲା |ବିଜୟାର  ଅନୁମତି ନେଇ ,ପାର୍ବତୀ ଲୋକନାଥ ଠାରୁ ମେସିନ ରେ ସିଲେଇ କରିବା ଶିଖିଲା |ଦୁହେଁ ମିଶି ସିଲେଇ କରିବାରୁ ,ବ୍ୟବସାୟ ଭଲ ଚାଲିଲା |ପୂଜା ପାର୍ବଣ ଋତୁ ଓ ବାହାଘର ,ଜନ୍ମଦିନ ଆଦି ସମୟରେ ସିଲେଇ ପାଇଁ ଅଧିକା ବରାଦ ଆସେ |ସେତେବେଳେ ଦୁହେଁ ଦିନସାରା  ଦୋକାନରେ ରହି କାମ କରନ୍ତି |ବିଜୟା ସେମାନଂକ ପାଇଁ ଖାଇବା ଆଣେ ,ସନ୍ଧ୍ୟା ବେଳେ ,ଚା’,ବିସ୍କୁଟ୍ ମଧ୍ୟ  ଆଣେ |ସ୍ୱାମୀ ,ସ୍ତ୍ରୀଂକ ଭିତରେ କେବେ କେମିତି ମନୋମାଳିନ୍ୟ ହେଲେ , ସେ  ନିଜ ବୁଦ୍ଧିରେ ତୁରନ୍ତ ତାର  ସମାଧାନ କରିଦିଏ |
             ବାହାଘରର ତିନି ବର୍ଷ ପରେ ପାର୍ବତୀ ଗର୍ଭବତୀ ହେଲା |ନିଜ ଘରେ ଡେଲିଭରି କରିବା ପାଇଁ ବିଜୟା ଚାହୁଁଥିଲା |କିନ୍ତୁ ପାର୍ବତୀ ଚାହିଁଲା ,ତା ବାପଘରେ ତାର ପ୍ରଥମ ସନ୍ତାନ ଜନ୍ମ ହେଉ |ବିଜୟା ମଧ୍ୟ ରାଜି ହେଲା |ଆଠମାସରେ ,ଦୁହେଁ ସସମ୍ମାନେ ପାର୍ବତୀ କୁ ଟା ବାପଘରେ ଛାଡିଲେ |ଏତେ ଫଳ ,ପନିପରିବା ,ବିଭିନ୍ନ ରକମର ପିଠା ପଣା ଦେଖି ଇନ୍ଦିରା ଭାରି ଖୁସି ହୋଇଗଲା |ନିଜ ମନୋଭାବ ପ୍ରକଟ ନ କରି ସେ  କହିଲା ,ଆମେ ତମକୁ ଦେବା କଥା ,ତମେ କଣ ଆମକୁ ଦେଉଛ?ସେମାନେ ଯିବାପରେ ଇନ୍ଦିରା ଗର୍ବରେ କହିଲା ,ବାଛି ବାଛି ଏମିତି ବନ୍ଧୁଘର କରିଛି ଯେ ,ଉଠ କହିଲେ ଉଠିବେ ,ବସ କହିଲେ ବସିବେ |ପାର୍ବତୀ କୁ ଦେଖି ସାନ ଭାଇ କ୍ରିଷ୍ଣା ଭାରି ଖୁସି ହୋଇଗଲା |କହିଲା ,ତୁ ଆସିଲୁ ,ଭଲ ହେଲା |ତୋ ଠାରୁ ମୁଁ ବହୁତ କିଛି ସାହାଯ୍ୟ ପାଇବି ବୋଲି ,ତତେ ଚାହିଁ ବସିଥିଲି |?ପାର୍ବତୀ ଆଶ୍ଚର୍ଯ୍ୟ ହୋଇ କହିଲା ,କି ପ୍ରକାର ସାହାଯ୍ୟ ?କ୍ରିଷ୍ଣା ଆଖ ପାଖ ଅଂଚଳରେ ଛୋଟ ମୋଟ କଣ୍ଟ୍ରାକ୍ଟରୀ କାମ କରି ଭଲ ଦି’ପଇସା ରୋଜଗାର କରୁଥିଲା |ସେଇଠିକାର ଗୋଟିଏ ଝିଅ କୁ ସେ ବାହା ହେବାକୁ ସେ ଚାହୁଁ ଥିଲା |କିନ୍ତୁ ସେମାନେ ଗରିବ ଥିବାରୁ ଇନ୍ଦିରା ରାଜି ହେଉ ନ ଥିଲା |ତାର ଇଚ୍ଛା ଥିଲା ,ଯେଉଁଠି ଭଲ ଯୌତୁକ ମିଳିବ ,ସେ ସେଇଠି ପୁଅ ବାହାଘର କରିବ |ପାର୍ବତୀ କହିଲା ,ମା’ କଣ ମୋ କଥା ଶୁଣିବ ?ତୁ କଣ  ମା’ କୁ ଜାଣିନୁ ?କ୍ରିଷ୍ଣା କହିଲା ,ସେବେକାର କଥା ଅଲଗା ଥିଲା ,ଏବେ ତୁ ବାହା ହୋଇ ଗଲୁଣି,ମା’ ତୋ କଥା ନିଶ୍ଚେ ଶୁଣିବ |ପାର୍ବତୀ କହିଲା ,ହଉ ଦେଖିବା |ସୁବିଧା ଦେଖି ମା’କୁ କ୍ରିଷ୍ଣା କଥା କହିଲା ସେ |ହେଲେ ବାହାଘର କଥା ଶୁଣୁ ଶୁଣୁ ଘରେ ଖଣ୍ଡ ପ୍ରଳୟ ସୃଷ୍ଠି କରିଦେଲା ଇନ୍ଦିରା |କହିଲା ,ମୋର ଗୋଟିଏ ବୋଲି ପୁଅ ,ମୁଁ କଣ ଖାଲି ଦେଇ ଚାଲିଥିବି,କାହାଠୁ କିଛି ନେବିନି?ପାର୍ବତୀ କହିଲା, “’ଗୋଟିଏ ବୋଲି ପୁଅ ର ମନ ଭାଂଗି ଦେବାକୁ ତତେ ଭଲ ଲାଗୁଛି?ତା ଖୁସିରେ ତୁ କଣ ଖୁସି ହେବୁନି”?ହେଲେ ,ଇନ୍ଦିରା ତା ନିଷ୍ପତ୍ତି ରେ ଅଚଳ ଅଟଳ ଥିଲା |ଶେଷରେ କହିଲା ,କ୍ରିଷ୍ଣା ମୋ ଇଚ୍ଛା ବିରୁଦ୍ଧ ରେ ଗଲେ ମୁଁ ଆତ୍ମହତ୍ୟା କରିବି |ପାର୍ବତୀ କହିଲା,ତାହାଲେ ମୁଁ ଆଉ ଏଇଠି ରହିବିନି ,ତୁ ମତେ କ୍ରିଷ୍ଣା ବାହାଘରକୁ ଡାକିବୁନି |ଇନ୍ଦିରା ରାଗ ତମ ତମ ହୋଇ କହିଲା ,ଏଇ ମୂହୁର୍ତ୍ତ ରେ ତୁ ମୋ ଘରୁ ଚାଲିଯା |କାନ୍ଦି କାନ୍ଦି ସେଦିନ ପାର୍ବତୀ ତା ବାପ ଘରୁ ଚାଲି ଆସିଲା |ସବୁ କଥା ବିଜୟା କୁ କହିଲା |ବିଜୟା କହିଲା,ଏସବୁ ସେମାନଂକ ର ନିଜ କଥା ,ଆମେ ସେଥିରେ ମୁଣ୍ଡ ନ ଖେଳେଇଲେ ଭଲ |କିଛି ଦିନ ପରେ ପାର୍ବତୀ ର ଝିଅ ଟିଏ ଜନ୍ମ ହେଲା |ନାତୁଣୀ ଏକୋଇଶିଆ କୁ ଇନ୍ଦିରା କୁ ବିଜୟା ନିମନ୍ତ୍ରଣ କରିଥିଲା ,କିନ୍ତୁ ସେ ଆସିଲାନି |
                       କିଛି ମାସ ପରେ , ଅନେକ ଜାନି ଯୌତୁକ ନେଇ,ନିଜ ପସନ୍ଦରେ କ୍ରିଷ୍ଣାର ବାହାଘର କଲା ଇନ୍ଦିରା |ବାହାଘର କୁ ସେ ବିଜୟା କୁ ନିମନ୍ତ୍ରଣ କରି ନ ଥିଲା |ବିଜୟା ଖବର ପାଇଥିଲା ,ଇନ୍ଦିରା ବହୁତ ଭଲରେ ପୁଅ ବାହାଘର କରିଛି |ବିଜୟା ମନେ ମନେ ଭାବିଲା ,ସମସ୍ତଂକ ର କିଛି ମନର ଆଶା ଥାଏ ,ସେ ଆଶା ପୂରଣ ହେଲେ ଭଲ ଲାଗେ |ସେଇ ହିସାବରେ ଇନ୍ଦିରାର ଆଶା ପୂରଣ ହେଲା ,ଭଲ ହେଲା |ବାହାଘରର  ଆଠ  ମାସ ପରେ ଇନ୍ଦିରା ଦିନେ ଝଡ ପରି ଆସି ବିଜୟା ଘରେ ପହଂଚିଲା |ମୁଂହ ଟି ତାର ଶୁଖି ଯାଇଥିଲା ,କଥା କଥାକେ ସେ କାନ୍ଦୁଥିଲା| ବିଜୟା କୁ କହିଲା ,ଭଉଣୀ ମୁଁ ଠକିଗଲି |ସୁନା ବୋଲି ଯାହା କୁ ବୋହୂ କରି ଆଣିଲି,ସେ ପଂକ ଠାରୁ ହୀନ |ସାକ୍ଷାତ ରଣଚଣ୍ଡି | ତମ ମାନଂକୁ ବାହାଘର କୁ ଡାକିଲିନି,,ତମରି ନିଃଶ୍ୱାସ ଜାଣ ମୋ ଉପରେ ପଡିଗଲା |ବିଜୟା ଆଶ୍ୱାସନା ଦେଇ କହିଲା ,ସେମିତି ଭାବନି,ଏବେ ତ ବର୍ଷ ପୁରିନି,ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ |ଯାହା ହେଲେବି ସେ ତା ବାପଘର ଛାଡି ତମ ଘରକୁ ଆସିଛି |ତମ ମାନଂକ ସାଂଗେ ମିଶିବା ପାଇଁ କିଛି ଦିନ ଲାଗିବ |ଇନ୍ଦିରା କହିଲା ,ନିଜେ ତ ଭଲରେ ଅଛ,ଅନ୍ୟକୁ ପ୍ରବଚନ ଶୁଣେଇବନି ଆଉ କଣ କରିବ? ପାର୍ବତୀ ଅନ୍ୟ ଘରେ ଝିଅ କୁ କ୍ଷୀର ଖୁଆଉ ଥିଲା |ତା ପାଖକୁ ଯାଇ ନିଜ ମନ ଦୁଃଖ ବଖାଣିଲା ଇନ୍ଦିରା |ପାର୍ବତୀ କହିଲା ,ତୋ ପସନ୍ଦରେ ତୁ ବାହାଘର କଲୁ ,ସେଇଠି କ୍ରିଷ୍ଣା ବାହା ନ ହେଲେ ଆତ୍ମହତ୍ୟା କରିବୁ ବୋଲି ଧମକ ଦେଲୁ |ମୁଁ ଟିକିଏ ଭାଇ ପାଇଁ କହିବାରୁ ମତେ ଗର୍ଭାବସ୍ଥା ରେ  ଘରୁ ତଡି ଦେଲୁ ,ଏମିତିକି ବାହାଘରକୁ ବି ଡାକିଲୁନି ,ଏବେ ଆଉ କାଂଦିଲେ କଣ ହେବ?ଯାହା କରିବା  କଥା ,ତୁ କରି ସାରିଛୁ ,ଏବେ ସେଇ ପୁଅ ବୋହୁଂକ ମୁଂହ ଚାହିଁ ତତେ ବଂଚିବାକୁ ପଡିବ |ଇନ୍ଦିରା ରାଗିଯାଇ କହିଲା ,ମୁଁ ତୋର ମାଆ ,ତୁ ମତେ ଏତେ କଡାକଥା କହି ପାରୁଛୁ?ପାର୍ବତୀ କହିଲା ,ଖାଲି ଜନ୍ମ କରିଦେଲେ କଣ ହେବ ,ପିଲା ର ମନ କଥା ନ ବୁଝିଲେ ସିଏ କି ମା’?ପ୍ରକୃତ ମା’ ହୋଇଥିଲେ ତୁ କଣ ମତେ ସେଦିନ ଘରୁ ତଡି ଦେଇଥାନ୍ତୁ?ତୋ ପାଇଁ ପିଲା ନୁହେଁ ,ନିଜ ସ୍ୱାର୍ଥ ବଡ |ଯେଉଁ ଦିନ ତୁ ମତେ ଘରୁ ତଡି ଦେଲୁ ,ସେଇଦିନୁ ମୁଁ ତୋ ଝିଅ ତାଲିକାରୁ କଟି ଯାଇଛି |ଏବେ ମୋର ପ୍ରକୃତ ମାଆ ହେଉଛନ୍ତି ,ମୋ ଶାଶୁ |ସେ ମତେ ଭଲ ପାଆନ୍ତି,ଅନାବିଳ ସ୍ନେହ ଦିଅନ୍ତି,ମୋ ମନ କଥା ବୁଝନ୍ତି ,କେବେହେଲେ ମୋ ମନରେ ଦୁଃଖ ଦିଅନ୍ତି ନାହିଁ |ପାର୍ବତୀ କଥା ଶୁଣି ଅବାକ୍ ହୋଇଗଲା ଇନ୍ଦିରା |ସେ ନୀରବରେ କାହାକୁ କିଛି ନ କହି ସେଠାରୁ ଚାଲି ଆସିଲା |

Saturday, July 2, 2016

କର୍ତ୍ତବ୍ୟ

ତିନି  ଭାଇ  ତିନି  ଭଉଣୀ ରେ  ସବା ସାନ  ଥିଲା  ପୂର୍ଣିମା  |ପୂର୍ଣିମା  ରେ  ଜନ୍ମ  ହୋଇଥିବାରୁ  ମନୋହର  ତାର  ନାମ  ‘ପୂର୍ଣିମା’  ରଖିଥିଲେ  ହେଁ  ଗେଲ୍ହାରେ  ତାକୁ  ଡାକୁଥିଲେ  ‘ଚାନ୍ଦ’ |ପ୍ରକୃତ  ରେ  ପୂର୍ଣିମା  ର  ଚନ୍ଦ୍ର  ପରି  ସେ  ବହୁତ  ସୁନ୍ଦର  ଥିଲା  |ସବୁ  ଭାଇ  ଭଉଣୀଂକ  ଠାରୁ  ସେ  ଦେଖିବାକୁ  ଯେମିତି  ଭିନ୍ନ  ଥିଲା  ,ତାର  ସ୍ୱଭାବ ,ଚାଲିଚଳଣ ,କଥାବାର୍ତ୍ତା  ସବୁକିଛି  ସେମାନଂକ ଠାରୁ  ଭିନ୍ନ  ଥିଲା  |ଛାଇ ପରି  ସେ  ସବୁବେଳେ  ମନୋହରଂକ  ପାଖେ  ପାଖେ  ରହୁଥିଲା  |ସକାଳେ  ମନୋହର  ଉଠିଲେ  ତାଂକୁ  ବଡ  ଗ୍ଲାସ୍  ରେ  ପାଣି ଦେବ ,ଓ ସେ ପାଣି  ପିଇ  ସାରିଲେ  ତାଂକ  ହାତ ରୁ  ଗ୍ଲାସ୍ ନେଇ  ଯଥା  ସ୍ଥାନରେ  ରଖି  ଦେବ |ତାପରେ  ବୋଉ  ସୁଲୋଚନାଂ କ ପାଖରେ  ଛିଡା  ହୋଇଥିବ  |ସେ  ନାଲି  ଚା’  କରିବା  କ୍ଷଣି  ,ତାକୁ  ବଡ  କପ୍ ରେ  ଆଣି  ତାଂକୁ  ଦେବ | ପୁଣି  ଅନେଇ  ଥିବ  ,କପ୍  ରେ  ଚା’ ବଳିଲେ  ,ତାକୁ  ଲୁଚେଇ  କରି  ପିଇବ  |ମନୋହର  ଭୁବନେଶ୍ୱର ରେ  ଏକ  ସରକାରୀ  ଅଫିସ  ରେ  କିରାଣୀ  ଚାକିରୀ  କରୁଥିଲେ  |ସେ  ପ୍ରତିଦିନ ଗାଁ  ରୁ  ଭୁବନେଶ୍ୱର,  ବସ୍ ରେ  ଯିବା  ଆସିବା  କରୁଥିଲେ  |ତେଣୁ  ସେ  ସକାଳ  ନଅ ଟା  ସୁଦ୍ଧା  ଜଳଖିଆ  ଖାଇ  ଅଫିସ୍  ଅଭିମୁଖେ  ବାହାରି  ପଡୁଥିଲେ,   ଠିକ  ନଅ ଟା ପଚାଶ  ରେ  ଅଫିସ  ରେ  ପହଂଚି  ଯାଉଥିଲେ  |ସେ  ଅଫିସ  କୁ  ବାହାରିବା  ପର୍ଯ୍ୟନ୍ତ  ପୂର୍ଣିମା  ତାଂକ  ପାଖେ  ପାଖେ  ରହି  ସବୁ  ବୋଲହାକ  କରେ  ଓ  ସେଥିରେ  ସେ  ଅପାର  ଆନନ୍ଦ  ପାଏ  |ମନୋହର  ଘରକୁ  ଫେରିବା  ବେଳକୁ  ସନ୍ଧ୍ୟା  ସାତ ଟା  ହୋଇଯାଏ |କାମ  ଥିଲେ  ବେଳେ  ବେଳେ  ଆଠ ଟା ,ନଅ ଟା  ମଧ୍ୟ  ହୋଇଯାଏ |  ସେତେବେଳ  ପର୍ଯ୍ୟନ୍ତ  ଆତୁର  ହୋଇ  ତାଂକ  ବାଟ କୁ  ଚାହିଁ  ରହିଥାଏ  ପୂର୍ଣିମା  |ସେ  ଘରକୁ  ଫେରିବା  ପରେ  ଆଉ  ତାଂକ  ପାଖ  ଛାଡେନାହିଁ    ସେ   |ରାତି ରେ  ଏକାଠି  ଗୋଟିଏ  ଥାଳିରେ  ଖାଇବା  ପରେ  ମନୋହରଂକ  ପାଖରେ ସେ  ଶୋଇପଡେ    |ପାଂଚ ବର୍ଷ  ହେବାପରେ  ସେ  ସ୍କୁଲ  ଗଲା  |ସେତେବେଳେ  ସେ ଆଉ  ଅଫିସ  ଯିବାବେଳେ  ମନୋହରଂକୁ  ଦେଖି  ପାରିଲା  ନାହିଁ  |     ତେଣୁ  ସେ  ସ୍କୁଲ  ଯିବାବେଳେ  ମନୋହରଂକୁ  କହିଦେଇ  ଯାଏ  ,ବାପା , ଆଜି  ଶୀଘ୍ର  ଅଫିସ ରୁ  ଆସିବ  |ସବୁଦିନ  ସେଇ   ଗୋଟିଏ  କଥା  ,କିନ୍ତୁ  ସବୁଦିନ  ସେଇ  ଏକା  କଥା  କହି ସ୍କୁଲ  ଯାଏ  |
         କ୍ରମେ  ପୂର୍ଣିମା  ବଡ  ହେଲା ,ବି.ଏସ .ସି .,ବି .ଇ .ଡି . କରି ଗାଁ  ପାଖ   ସରକାରୀ  ସ୍କୁଲ  ରେ  ଶିକ୍ଷୟତ୍ରୀ  ଚାକିରୀ  ପାଇଲା  |ସେତେବେଳେ  ତାର  ତିନି  ଭାଇ  ଓ  ଦୁଇ  ଭଉଣୀ ବାହା  ହୋଇ  ସାରିଥାନ୍ତି, ମନୋହର  ମଧ୍ୟ  ଚାକିରୀ ରୁ   ଅବସର  ଗ୍ରହଣ  କରି ସାରି ଥାଆନ୍ତି  |ମନୋହରଂକ  ତିନି ପୁଅ  ଉଚ୍ଚ ଶିକ୍ଷା  ଲାଭ  କରି  ଯଥାକ୍ରମେ  କଟକ ,ଭୁବନେଶ୍ୱର  ଓ  କଲିକତା  ରେ  ଚାକିରୀ  କରୁଥାନ୍ତି  |ଦୁଇ  ଜ୍ୱାଇଁ  ମଧ୍ୟ  ଭଲ  ପଦବୀ ରେ  କାର୍ଯ୍ୟରତ  ଥାଆନ୍ତି  |ସମସ୍ତେ  ଭଲରେ  ଥିବା  ସତ୍ତ୍ୱେ  ମନୋହର  ଓ  ସୁଲୋଚନାଂକ   ଭଲ ମନ୍ଦ  ଖବର  କେହି  ବୁଝୁ  ନଥାନ୍ତି  |ପୂର୍ଣିମା କୁ  ସେତେବେଳକୁ  ଅଠେଇଶ  ବର୍ଷ   ହେଲାଣି  |ତା  ବାହାଘର  ବିଷୟରେ  କେହି  ମୁଣ୍ଡ  ଖେଳାଉ  ନଥାନ୍ତି  |ପୁଅ  ମାନଂକୁ ଏ  ବିଷୟରେ  ପଚାରିଲେ  ,ସେମାନେ  ବିରକ୍ତ  ହୋଇ  କହନ୍ତି  ,ଚାକିରୀ  କାମରେ  ଆମକୁ  ଫୁର୍ସତ  ନାହିଁ ,ଚାନ୍ଦ  କଥା  ବୁଝିବୁ  କେତେବେଳେ  ?ଯୋଗକୁ  ସେଇ  ପାଖାପାଖି ସ୍କୁଲ  ରେ  ଶିକ୍ଷକତା  କରୁଥିବା  ପାତ୍ର ଟିଏ  ମିଳିଗଲା  |ପିଲାମାନଂକ  ମତାମତ  ଲୋଡିବାରୁ  ସେମାନେ  କହିଲେ, ମିଳୁଛି  ଯଦି  ସେଇଠି  କରିଦିଅ  ,ତା  ପାଇଁ  ଏ  ବୟସରେ  ଆଇ .ଏ .ଏସ୍.  ଜ୍ୱାଇଁ  ମିଳିବେ  କେଉଁଠୁ  ?ନିର୍ବନ୍ଧ  ବେଳକୁ  ପୁଅ, ବୋହୂ ,ଝିଅ ,ଜ୍ୱାଇଁ, ସମସ୍ତେ  ଆସିଥିଲେ  |ବାହାଘରରେ  ଖର୍ଚ୍ଚ  ହେବାକୁ  ଥିବା  ଟଂକା  ବିଷୟରେ  ଆଲୋଚନା  ହେବା  ପୂର୍ବରୁ  ବଡ ପୁଅ  କହିଲା ,ମୁଁ  ଏବେ  ଏବେ  ନୂଆ  ଘର  କିଣି  ୠଣ ରେ  ବୁଡି  ଯାଇଛି ,ମୋଠାରୁ  କିଛି  ସାହାଯ୍ୟ  ଆଶା  କରିବ    ନାହିଁ  |ମଝିଆ  ଓ  ସାନପୁଅ  ମଧ୍ୟ  ବିଭିନ୍ନ  କାରଣ  ଦେଖାଇ  ଅର୍ଥ  ସାହାଯ୍ୟ  କରିବା  ପାଇଁ  ନିଜର  ଅସମର୍ଥତା  ପ୍ରକାଶ  କଲେ |ସେମାନଂକ ର  କହିବା  କଥା  ଥିଲା  ,ଆମର  ବିପୁଳ  ଭୂ ସମ୍ପତ୍ତି  |ଧାନ ,ମୁଗ,ବିରି ,ବିକ୍ରୀ  ଟଂକା  ଆସୁଛି ,ମାସକୁ  ମାସ   ବାପାଂକ  ପେନସନ୍  ,ପୁଣି  ଚାନ୍ଦ ର  ଦରମା ,ସବୁ  ମିଶିଲେ  ଲକ୍ଷାଧିକ  ଟଂକା  ହେବ ,ସେଥିରେ  ଆମ  ସାହାଯ୍ୟ ର  ପ୍ରଶ୍ନ  ଉଠୁଛି  କେଉଁଠି  ?ମନୋହର  ଆର୍ଥିକ  ସାହାଯ୍ୟ  ମାଗି  ନଥିଲେ , କିନ୍ତୁ  ଏହି  ପ୍ରସଂଗ  ଉଠିବାରୁ  ସେ  କହିଲେ ,ଟଂକା  ଲୋଡା  ନାହିଁ  |ତୁମେମାନେ  ସମସ୍ତେ  ଆଠଦିନ  ଆଗରୁ  ଆସି  ଅନ୍ୟାନ୍ୟ   ବିଷୟରେ  ସହଯୋଗ  କରିବ |ତାହା  ବି  ହେଲାନାହିଁ ,ବାହାଘର  ଦୁଇଦିନ  ଆଗରୁ  ଆସି  ଝିଅ  ବିଦା  ହେବା  ପରେ  ଯିଏ  ଯୁଆଡେ  ନିଜ  ଗନ୍ତବ୍ୟ  ଅଭିମୁଖେ  ଚାଲିଗଲେ  |
          ପୂର୍ଣିମା  ବାହା ହୋଇଯିବା  ପରେ  ଘରେ  ଏକୁଟିଆ  ରହିଗଲେ  ମନୋହର  ଓ  ସୁଲୋଚନା  |ପିଲାମାନେ  କେତେବେଳେ  କେମିତି  ଫୋନ୍  କରନ୍ତି ,ଆସିବାର  ନାଁ  ଗନ୍ଧ  ନ ଥାଏ  |ପୂର୍ଣିମା  ସବୁଦିନ  ସ୍କୁଲ  ଛୁଟି  ପରେ  ଘରକୁ   ଫେରିବାବେଳେ  ବାପା ,ବୋଉଂକ  ପାଖରେ  ଘଣ୍ଟାଏ ବସେ  ,ସୁଖ  ,ଦୁଃଖ  କଥା  ହୁଏ ,ବେଳେ  ବେଳେ  ରାତି  ପାଇଁ   ରୁଟି ତରକାରୀ  କରିଦିଏ  |ସନ୍ଧ୍ୟା  ବେଳେ  ତାର  ସ୍ୱାମୀ  ପ୍ରଶାନ୍ତ  ଆସିଲେ ,ତାଂକ  ସାଂଗରେ  ଫେରେ  |ଘରେ  ଶାଶୁଂକୁ  ଛାଡି  ଦେଲେ  ଆଉ  କେହି  ନାହାନ୍ତି  |ଶାଶୁଂକର  ଉଚ୍ଚ ମନ  |ସେ  ପୂର୍ଣିମା  ର  ମନ କଥା  ବୁଝନ୍ତି ,କେବେହେଲେ  ତା  ବାପଘର  କୁ   ଯିବାପାଇଁ  ବାରଣ  କରନ୍ତି  ନାହିଁ  |ଗାଁ ର  ଲୋକେ  ପୁଅ  ମାନଂକ  ସହ  କେବେ  କେମିତି  ଦେଖାହେଲେ  ପଚାରନ୍ତି  ,ଝିଅ  ଟା  ପରଘରକୁ  ଯାଇ  ବୁଢା ବୁଢୀଂକ  ପାଇଁ   ଏତେ  କରୁଛି ,ତମେ  ସବୁ  ଅଯୋଗ୍ୟ  ପୁଅମାନେ  ଦିନେ  ବି  ତାଂକୁ  ଦେଖିବାକୁ  ଯାଉନ  ?ମଝିଆ ପୁଅ  କହେ  ,ସେମାନଂକ ଅନ୍ତେ  ସବୁ  ସମ୍ପତ୍ତି  ସିଏ  ନବ ,ସେଥିପାଇଁ  ବାପା ବୋଉଂକୁ  ତେଲେଇ କରି  ରଖିଛି  |ଆମର  ଆଉ  ଦୁଇ  ଭଉଣୀ  ଅଛନ୍ତି  ,ସେମାନେ  ତାଂକ  ଘର  ସଂସାର  ନେଇ  ବ୍ୟସ୍ତ ,ୟା ଭଳିଆ କଣ  ପର  କଥାରେ  ମୁଣ୍ଡ  ଖେଲାଉଛନ୍ତି  ?ପୁଣି  କେତେବେଳେ  କହନ୍ତି ,ଆମର  ଗାଁ  ସମ୍ପତ୍ତି ରେ  ଲୋଭ  ନାହିଁ ,ପୂର୍ଣିମା  ବାପା  ,ବୋଉଂକର  ବହୁତ  କରୁଛି ,ସେଇ  ସବୁ  ନଉ  |ପୂର୍ଣିମା  କାନକୁ  ଏ  ସବୁ  କଥା  ଆସେ  |ସବୁ  ଶୁଣି  ସେ  ନୀରବ ରହେ |ସେ  ଭଲରୁପେ ଜାଣିଥାଏ ,ଏ  ସବୁ  କଥା  କହିବାର  ଉଦ୍ଦେଶ୍ୟ  କଣ  |
            ଦିନେ  ସୁଲୋଚନାଂକ  ଦେହ  ଖରାପ  ହେଲା  |ପୂର୍ଣିମା  ଭାବିଥିଲା, ସାଧାରଣ  ଜ୍ୱର ,କିନ୍ତୁ  ଦିନକୁ  ଦିନ  ତାଂକର  ଅବସ୍ଥା  ଖରାପ  ଆଡକୁ  ଗତି  କଲା  |ବିଛଣାରେ   ଝାଡା  ,ପରିସ୍ରା  ହୋଇଗଲା  |ମନୋହର  ,ପ୍ରଶାନ୍ତ  ଓ  ପୂର୍ଣିମାଂକୁ  ସାଂଗରେ  ନେଇ  ସହରର  ଡାକ୍ତରଖାନା ରେ  ଆଡମିଶନ  କରାଇଲେ  |ଡାକ୍ତର  ପ୍ରଥମ  ରୁ  କିଛି  କହୁ ନ ଥିଲେ ,ପରେ  କହିଲେ ,ତାଂକର  ଯକୃତ ରେ  କାନସର  ହୋଇ  ଯାଇଛି ,ଆଉ  କିଛି  କରି  ହେବନି  |ପୂର୍ଣିମା  ,ପ୍ରଶାନ୍ତ  କୁ  ବିଦା କରି  ନିଜେ  ମନୋହରଂକ  ସହିତ  ମିଶି  ସୁଲୋଚନାଂକ  ସେବାରେ  ଲାଗି  ପଡିଲା  |ମଝିରେ  ଭାଇମାନେ  ଆସିଥିଲେ ,କହିଲେ,ଚାନ୍ଦ  ତ  ସବୁ  କରୁଛି ,ଆମେ  ଆଉ  ଅଧିକ   କଣ  କରିବୁ ,କିଛି  ଦରକାର  ହେଲେ  ଆମକୁ  ଖବର  ଦେବ |ମାସେ  ଭିତରେ  ସୁଲୋଚନା  ଆରପୁରକୁ  ଚାଲିଗଲେ  |ପୁଅ  ,ବୋହୂ ,ଝିଅ ,ଜ୍ୱାଇଁ,ନାତି ,ନାତୁଣୀ  ସମସ୍ତେ  ଆସି  ଗାଁ  ରେ  ସୁଲୋଚନାଂକର  ଶେଷକୃତ୍ୟ  କଲେ  |ପୂର୍ଣିମା  କୁ  ଗାଳିଦେଲେ ,କହିଲେ  ,ବୋଉ ର  ଦେହ  ଏତେ  ଖରାପ  ବୋଲି  କାହିଁକି  ସେମାନଂକୁ  ଆଗରୁ  ଜଣାଇଲା ନାହିଁ  |ସବୁ  କାମ  ସରିବା  ପରେ  ତିନି  ଭାଇ  ଚାଷ ଜମି  ଦେଖିବାକୁ  ଗଲେ  |ଜମି  ପଡିଆ  ପଡିଥିଲା  | ମନୋହରଂକୁ  ଏହାର  କାରଣ  ପଚାରିବାରୁ  ସେ  କହିଲେ ,ଚାନ୍ଦ  ବାହାଘର  ପରଠାରୁ   ଜମି  ପଡିଆ  ପଡିଛି  |  ମୂଲିଆ  ଲଗେଇ  ଏତେ  କାମ  କରିବା  ପାଇଁ  ମୋ  ଶରୀର  ମତେ  ଅନୁମତି  ଦେଉନାହିଁ  |ତାପରେ  କଥା  ଉଠିଲା  ,ମନୋହରଂକର   ଏକୁଟିଆ  ଗାଁ ରେ  ରହିବା  କଥା  |ପୂର୍ଣିମା  କହିଲା  ,ବାପା  ଗାଁ ରେ  ଏକୁଟିଆ  ରହିଲେ  ହଇରାଣ  ହେବେ |ବାପାଂକୁ  ନେଇ  ପାଖରେ  ରଖ  |ତା  କଥା  ଶୁଣି  ସମସ୍ତେ  ଚୁପ୍  ହୋଇଗଲେ  |ସାନପୁଅ  କହିଲା ,ଆମେ  ସମସ୍ତେ  ଏ  ବିଷୟରେ  ଆଲୋଚନା  କରି  କିଛି  ଗୋଟାଏ  ନିଷ୍ପତ୍ତି  ନେବା  |ମନୋହର  କହିଲେ  ,କିଛି  ଆଲୋଚନା  କରିବା  ଦରକାର  ନାହିଁ  କି  ନିଷ୍ପତ୍ତି  ନେବା  ଦରକାର  ନାହିଁ |ମୁଁ  ଗାଁ  ଛାଡି  କୁଆଡେ  ଯିବି ନାହିଁ  |ପୂର୍ଣିମା  କହିଲା ,ବାପା  ,ଅବୁଝା  ହୁଅନାହିଁ  ,କିଛିଦିନ   ପାଇଁ  ଅନ୍ତତଃ  ବୁଲି ଆସ  |ମନୋହର  ରାଗିଯାଇ  କହିଲେ ,ତୁ  ଚୁପ୍ କର ,ତୋ  ଇଚ୍ଛା  ହେଲେ  ତୁ ଆସିବୁ,ନ  ହେଲେ  ନାହିଁ,  ମୁଁ  ମୋ  ଭିଟାମାଟି  ଛାଡି  କୁଆଡେ ଯିବିନି  |ମୋ  ଶରୀର  ଏତେ  ଦୁର୍ବଳ  ହୋଇନି  ଯେ ,ମୁଁ  ନିଜ  ପାଇଁ  ଗଣ୍ଡେ  ରାନ୍ଧି  ଖାଇ  ପାରିବିନି  |କଥା  ଏତିକିରେ  ରହିଲା ,ସମସ୍ତେ  ମନୋହରଂକ  ଠାରୁ  ବିଦାୟ  ନେଇ  ନିଜ  କର୍ମସ୍ଥଳୀ  କୁ  ଚାଲିଗଲେ  |
           କିନ୍ତୁ  ପୂର୍ଣିମା ର  ମନ  ବୁଝିଲାନି  |ସେ  ଶାଶୁଂକ  ପରାମର୍ଶ  ନେଲା  |ସେତେବେଳେ  ତାଂକ  ଘରେ  ଦୂର  ସମ୍ପର୍କୀୟ  ପୁତୁରା  ,ମାଧବ , ସେଠାରେ  ରହି  ପାଠ  ପଢିବା  ସଂଗେ  ସଂଗେ  ଅନ୍ୟ  କିଛି  କିଛି  କାମରେ  ସାହାଯ୍ୟ  କରୁଥିଲା | ସ୍ଥିର  ହେଲା  ,ସେ  ମନୋହରଂକ  ଦେଖାଶୁଣା  କରିବା  ସଂଗେ  ସଂଗେ  ସେଇଠି  ରହି  ପାଠ  ପଢିବ  | ମାଧବ  ମଧ୍ୟ  ରାଜି  ହୋଇଗଲା  |ସବୁ କିଛି  ଭଲରେ  ଚାଲିଲା  |
            ମନୋହର  ଅଯଥା  ଔଷଧ  ଖାଇବାକୁ  ଭଲ  ପାଆନ୍ତି  ନାହିଁ  |ସବୁଦିନ  ସକାଳେ  ଖାଲି  ପେଟରେ  ବେଲପତ୍ର  ଓ  ଭୃସଂଗ ପତ୍ର  ଚୋବାଇ  ଖାଆନ୍ତି  ,ଦୁଇ  କିଲୋମିଟର  ବାଟ  ଚାଲନ୍ତି ,ତାପରେ  ତାଂକର  ନିତ୍ୟକର୍ମ  କରନ୍ତି  |ଏହା  ତାଂକର  ନିତି  ଦିନିଆ  ଅଭ୍ୟାସ  |ସେଥିରେ  ସେ  ସୁସ୍ଥ  ଥାଆନ୍ତି  |କିନ୍ତୁ  ତାଂକର  ଗୋଟିଏ  ମୁଖ୍ୟ  ସମସ୍ୟା  ଥାଏ  ,ଗ୍ୟାସ୍  ବେମାରୀ  | ସେଥିପାଇଁ  ସେ  ଯେତେ ପ୍ରକାର ଖାଦ୍ୟ  କଟକଣା କଲେ  ମଧ୍ୟ  ,ସେହି  ରୋଗରୁ  ମୁକ୍ତି  ପାଇ  ପାରୁ  ନ ଥାନ୍ତି  |ଥରେ  ମାଧବ  ଏକଥା  ପୂର୍ଣିମା କୁ  କହିଲା  |ସେ ଏ ବିଷୟରେ  ମନୋହରଂକ  ସହ  କଥା  ହେଲା  |ଚାରିଦିନ  ପରେ  ରାମନବମୀ  ପାଇଁ  ସ୍କୁଲ  ଛୁଟି  ହେବାର  ଥିଲା ,ସେଇଦିନ  ପ୍ରଶାନ୍ତଂକ  ସାଂଗରେ  ସହର କୁ  ଯାଇ  ଡାକ୍ତରଂକୁ  ଦେଖାଇବା  ସ୍ଥିର  ହେଲା |  କିନ୍ତୁ    ରାମନବମୀ  ପୂର୍ବରୁ  ଅଶୋକାଷ୍ଟମୀ  ଦିନ  ସକାଳେ  ତାଂକର  ହୃଦଘାତ  ହେଲା  |ଗାଡି  ଯୋଗାଡ଼  କରି  ଡାକ୍ତରଖାନା  ନେବା  ପୂର୍ବରୁ  ସେ  ମୃତ୍ୟୁ ବରଣ  କଲେ  |ପୂର୍ଣିମା  ସେତେବେଳକୁ  ସାତ  ମାସର  ଗର୍ଭବତୀ  |ଶରୀର ଅସୁସ୍ଥତା  ସହିତ ମନୋହରଂକ  ଆକସ୍ମିକ  ବିୟୋଗ  ,ତାର  ତନୁ ,ମନକୁ  ଅବଶ  କରିଦେଇଥାଏ  |ସେ  ପ୍ରଶାନ୍ତ  କୁ  କହି ତାର  ଭାଇ  ଭଉଣୀ  ମାନଂକୁ  ଏ ବିଷୟରେ  ଜଣାଇଲା  |ପ୍ରଥମେ  ମଝିଆ  ଭାଇ  ଆସିଲେ  |ତାଂକୁ  ଦେଖି  ବହେ  କାନ୍ଦିଲା  ପୂର୍ଣିମା  |ସେ  ବିରକ୍ତ  ହୋଇ  କହିଲେ ,ବାପା  ତ ଚାଲିଗଲେ ,ଆଉ  ସେ  କୁମ୍ଭୀର କାନ୍ଦଣା  କାହିଁକି  ଦେଖାଉଛୁ ?କିଏ  ତାକୁ  ବିଶ୍ୱାସ  କରିବ ?ତୁ  ଶୀଘ୍ର  ଏଇଠୁ  ଚାଲିଯା  |ତୋ  ମୁହଁ  ଦେଖିଲେ  ମତେ  ବିରକ୍ତ  ଲାଗୁଛି  |ବାପା  ,ବୋଉଂକୁ  ଆମ  ନାଁ ରେ  ଚୁଗୁଲି  କରି କରି  ତାଂକୁ  ଏମିତି  ବାଟ ବଣା  କରି ଦେଲୁ ଯେ , ସେ ଆମକୁ  ଦେଖିଲେ  ରାଗରେ  ଗର  ଗର  ହେଲେ |ତୋ  ଯୋଗୁଁ  ଆମେ  ଦାଣ୍ଡରେ  ମୁଣ୍ଡ  ଟେକି  ବାଟ  ଚାଲି  ପାରୁନୁ  |ତତେ  ନ ଡାକିଲେ  ,ତୁ ଏ  ଘର  ଦୁଆର  ମୁହଁ  ମାଡିବୁନି |ଆମେ  ଆମର କର୍ତ୍ତବ୍ୟ  ଠିକ କରୁଛୁ  ଆଉ  କରିବୁ  ମଧ୍ୟ  |ଭାଇଂକ  କଥା  ଶୁଣି  କାନ୍ଦି କାନ୍ଦି  ସେଠାରୁ  ଚାଲିଆସିଲା  ପୂର୍ଣିମା  |

              ସତକୁ  ସତ  ପୂର୍ଣିମା କୁ  ଡାକିବାକୁ କେହି  ଆସିଲେ  ନାହିଁ  |ବିନା  ନିମନ୍ତ୍ରଣ  ରେ  ସେଠାକୁ  ଯିବାପାଇଁ  ବାହାରିଥିଲା  ପୂର୍ଣିମା  ,କିନ୍ତୁ  ଶାଶୁ  ମନାକଲେ  |କହିଲେ ,କେହି  ଜାଣୁ ନ  ଜାଣୁ  ମୁଁ  ଜାଣେ ତୁ  ତୋ  ବାପା  ବୋଉଂକ  ପାଇଁ  ଢେର୍ କରିଛୁ  |ଖାଲି  ପିଣ୍ଡ ଦାନ  କରିଦେଲେ  ଯେ  ବାପା  ବୋଉଂକର  ଆଶୀର୍ବାଦ  ମିଳିଯିବ ,ଏକଥା  ଯିଏ  ଭାବୁଛି ,ସେ  ମୂର୍ଖ  |ଯାହା  କରିଥିବ ,ମଣିଷ ବଂଚିଥିବାବେଳେ  |ତାପରେ  ଆଉ  ଯାହା  ହୁଏ ,ସବୁ  ଲୋକ ଦେଖାଣିଆ  |ତୁ  ଏଇଠି  ବସି  ତୋ  ବାପା ,ବୋଉଂକୁ  ମନେ ମନେ  ସ୍ମରଣ  କର ,ତାଂକର  ଭଲ କଥା ,ଭଲ ପାଇବା କୁ  ମନେ ପକା  ,ଇଶ୍ୱରଂକୁ  ତାଂକର  ଅମର  ଆତ୍ମା ର  ସଦ୍ଗତି  ପାଇଁ  ପ୍ରାର୍ଥନା  କର  ,ସେଇ ତୋ ପାଇଁ  ଯଥେଷ୍ଟ  |.........

ମମତା  ମହାନ୍ତି
mamatamohanty1206@gmail.com
Mob: +61 401758678