Tuesday, June 25, 2024

ମମତା

                            ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ କଥାକୁ ନେଇ ସବୁବେଳେ ଯୁକ୍ତି ତର୍କ  ହେଉଥିଲା ,ତାହାର ମୁଖ୍ୟ କାରଣ ଥିଲା,ପିତା ରବିର ପୁତ୍ର ନରେଶ ପ୍ରତି ଥିବା ଅହେତୁକ ଭଲ ପାଇବା |ରବିର ବାତ୍ସଲ୍ୟ ମମତା ଏପରି ପ୍ରବଳ ମାତ୍ରାରେ ସୀମା ଲଂଘି ଯାଇଥିଲା ଯେ, ନରେଶ ଯାହା ଅଳି କରୁଥିଲା,ରବି ତାହା ତୁରନ୍ତ  ପୂରଣ କରିବାକୁ ପଛଘୁଞ୍ଚା ଦେଉ ନଥିଲା  |ଏପରିକି ନିଜ ଜୀବନ ବିନିମୟରେ ପୁଅକୁ  ଆକାଶର ଚାନ୍ଦ ଆଣି ଦେବାପାଇଁ ମଧ୍ୟ ରବି ପ୍ରସ୍ତୁତ  ଥିଲା |ସ୍ତ୍ରୀ ଶଶୀ କୁ କିନ୍ତୁ ଏକଥା ଆଦୌ ଭଲ ଲାଗୁ ନଥିଲା |ସେ ରବିକୁ ତାଗିଦ କରି କହୁଥିଲା,ଭଲପାଇବା ତୁମ ମନରେ ରଖ, ,ଉପରେ ଶାସନ କର,ନହେଲେ ତାର ପରିଣାମ ଭଲ ହେବନାହିଁ   |ରବି ବିରକ୍ତ ହୋଇ କହୁଥିଲା ,ତୁ  ମୂର୍ଖ,ସନ୍ତାନ ପ୍ରେମର ମାନେ କଣ ଜାଣିଛୁ ?ଛଅଟା ନୁହେଁ,ନଅଟା ନୁହେଁ, ଗୋଟିଏ ବୋଲି ପୁଅ ମୋର ,ତାକୁ ଭଲ ପାଇବିନି ତ ଆଉ କଣ କାନ୍ଥ ବାଡ଼କୁ ଭଲ ପାଇବି ?ମୋର ଭିତର ବାହାର ସବୁ ସମାନ,ଅନ୍ତର ଭିତରେ ଭଲ ପାଇବା ରଖି ବାହାରେ କଠୋର ହେବା ନୀତି ମତେ ଜଣା ନାହିଁ |ପିଲାଦିନ ମୋର ବହୁତ ଦୁଃଖରେ କଟିଛି ,ସେପରି ଦୁଃଖ କଷ୍ଟରେ ମୋ ପୁଅକୁ କେବେହେଲେ ଘାଣ୍ଟି ହେବାକୁ ଦେବିନି | ମୁଁ ଯାହା ପାଇନି,ସବୁ ମୋ ପୁଅକୁ ଦେବି  |ସେ ଯେତେ ଇଚ୍ଛା ସେତେ ପାଠ ପଢିବ,ଯାହା ଚାହିଁବ,ତାହା କରିବ |ଦରକାର ପଡିଲେ,ମୋ ଜମିବାଡ଼ି ସବୁ ବିକ୍ରି କରିଦେବି |କିନ୍ତୁ ମୋ ପୁଅକୁ ମୋ ପରି ଅଧା ପାଠୁଆ ଓ ମଳିମୁଣ୍ଡିଆ କରିବିନି |ଆଜି ନହେଲେ କାଲି  ଲୋକେ ଦେଖିବେ,ଚାଷୀ ଘର ପୁଅ କେତେ ବଡ଼ ଅଫିସର ହୋଇଛି ଓ ତା ପଛରେ ତା ବାପାର କେତେ ବଡ଼ ଅବଦାନ ରହିଛି  !!

                          ନରେଶ ଭଲ ପଢିବା ସଙ୍ଗେ ସଙ୍ଗେ  ତା ପିତାକୁ ବହୁତ ଭଲ ପାଉଥିଲା |ଦୁହେଁ ଏକା ସାଙ୍ଗରେ ଗୋଟିଏ ଥାଳିରେ ଖାଉଥିଲେ,ଏକାଠି ଗୋଟିଏ ଖଟରେ ଶୋଉଥିଲେ |ପରୀକ୍ଷା ବେଳେ ଯେତେବେଳେ ନରେଶ ଅଧିକ ରାତି ଯାଏଁ ପାଠ ପଢୁଥିଲା,ରବି ଅନିଦ୍ରା ହୋଇ ତାକୁ ଜଗି ବସୁଥିଲା |ମାଟ୍ରିକ ପରୀକ୍ଷାରେ ସେ ଯେତେବେଳେ  ପ୍ରଥମ ଦଶ ଜଣଙ୍କ ଭିତରେ ସ୍ଥାନ ରଖି  ଉତ୍ତୀର୍ଣ୍ଣ ହେଲା,ସେତେବେଳେ ରବି ଖୁସିରେ ପାଗଳ ପ୍ରାୟ ହୋଇ ସେ ଗାଁ ସାରା ଲୋକଙ୍କୁ  ମିଠା ବାଣ୍ଟିଥିଲା  |ତାପରେ ଉଚ୍ଚ ଶିକ୍ଷା ପାଇଁ ଯେବେ ନରେଶ ସହରକୁ ଯିବାକୁ ବାହାରିଲା,ପୁଅକୁ ଛାଡିବା ଦୁଃଖରେ ରବିକୁ ଜ୍ୱର ଆସିଯାଇଥିଲା ଓ ଚାରିଦିନ କାଳ ଜ୍ୱର ଓହ୍ଲାଇବାର ନାମ ନେଇ ନଥିଲା |ଶେଷରେ ଜଣେ ଗୁଣିଆ ଆସି ଝଡା ଫୁଙ୍କା କରିବାରୁ ଜ୍ୱର କମିଥିଲା |ସେ କହୁଥିଲେ,ରବି ମନରେ କାଳେ "ହା"(ଏକ ପ୍ରକାର ମାନସିକ ରୋଗ) ପଶିଯାଇଥିଲା |ପୁଅର ଭବିଷ୍ୟତ ପାଇଁ ରବି ଧୀରେ ଧୀରେ ମନକୁ ବୁଝାଇ ଦୃଢ଼ କଲା |ନରେଶର  ରସାୟନ ବିଜ୍ଞାନ ପ୍ରତି ଆଗ୍ରହ ଥିଲା ଓ ଏହି ବିଷୟରେ  ପି ଏଚ ଡି  କରିବା ପାଇଁ  ସେ  ବିଦେଶକୁ ଯିବାକୁ ଚାହୁଁଥିଲା |ପୁଅକୁ ନିରାଶ ନକରି ରବି ଜମି ବିକି ଏଥିପାଇଁ ଆବଶ୍ୟକୀୟ ଅର୍ଥର ବନ୍ଦୋବସ୍ତ କଲା | 

                   ପାଖ ଗାଆଁର ଅନିନ୍ଦ୍ୟ ସୁନ୍ଦରୀ ମାଳିନୀକୁ ବୋହୂ କରିବାକୁ  ଉଭୟ ସ୍ୱାମୀ ସ୍ତ୍ରୀଙ୍କର ବହୁତ ଇଚ୍ଛା ଥିଲା |ରବି ମଧ୍ୟ  ଏକଥା ନରେଶ କାନରେ ପକାଇ ଥିଲା |ଆଗେ ପଢା ସରୁ,ତାପରେ କହିବି ବୋଲି ନରେଶ କହିଥିଲା |ପଢା ଶେଷ କରି  ନରେଶ ଯେତେବେଳେ ସ୍ଵଦେଶକୁ ଫେରିଲା,ତାକୁ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ମିଳିଗଲା |ସେତେବେଳେ ଉଭୟ ପତିପତ୍ନୀଙ୍କର ଆନନ୍ଦ ଦେଖେ କିଏ ?ରବିକୁ ଲାଗୁଥିଲା ସତେ ଯେପରି ଚନ୍ଦ୍ର ତାର ହାତମୁଠାକୁ ଚାଲି ଆସିଛି |କିଛିଦିନ ପରେ  ନରେଶ  ନିଜଆଡୁ ବାହାଘର କଥା ଉଠାଇ ତାର ନାମ ସୁପାରିଶ କରି ବିଦେଶକୁ ପଠାଇଥିବା ଅଫିସରଙ୍କ ଅଲିଅଳି ଝିଅ ଲିସାକୁ ବାହାହେବା ପାଇଁ ମନସ୍ଥ କରିଥିବା କଥା ପିତାମାତାଙ୍କୁ ଜଣାଇଦେଲା |ତା କଥା ଶୁଣି ରବିକୁ ଲାଗିଲା ସତେ ଯେପରି ତାର ପାଦତଳୁ ଭୂମି ଅପସରି ଯାଉଛି !  କିନ୍ତୁ ତା  ପାଇଁ ପୁଅର ଖୁସି ସର୍ବୋପରି ଥିଲା |ସେ ଏକଥା କହି ନିଜକୁ ସାନ୍ତ୍ୱନା ଦେବା ସହିତ ଶଶୀକୁ  ବୁଝାଇ କହିଲା,ପୁଅ ଆମର ଏବେ ବିଦେଶ ଫେରନ୍ତା,ବଡ଼ ଚାକିରୀ କରୁଛି,ସେ ଏମିତି ସେମିତି ଝିଅକୁ ବାହାହେଲେ,ସମାଜରେ ତାର ଇଜ୍ଜତ ରହିବ ନାହିଁ  |ସେ ଯାହା ବି କରୁ ,ଆମର ପୁଅ ବୋଲି  ସମସ୍ତେ କହିବେ,ଯେତେ ଯାହା ହେଲେ ବି ,ହାତୀ ବନସ୍ତରେ ଥିଲେ ବି ରାଜାଙ୍କର |

                  ଲିସା ଓ ନରେଶଙ୍କ ବିବାହ ଗ୍ରାମରେ ନ ହୋଇ ଦିଲ୍ଲୀରେ ହେଲା,ଯେଉଁଠି  ଲିସାର ପିତା ଚାକିରୀ କରୁଥିଲେ |ପିତାମାତାଙ୍କୁ ସାଙ୍ଗରେ ନେଇ ନରେଶ ଦିଲ୍ଲୀ ଯାଇଥିଲା |ସେଠାରେ ଝିଅ ଘରର ବୈଭବ ଦେଖି ରବି  ଚମତ୍କୃତ ହେବା ସଙ୍ଗେ ସଙ୍ଗେ  ସେମାନଙ୍କ ତୁଳନାରେ ନିଜକୁ ଅତି ତୁଚ୍ଛ ମନେକରୁଥିଲା |ତଥାପି ତା ମନର ଟାଣ ପଣ ଭାଙ୍ଗି ନଥିଲା | ବରଂ ପୁଅ ବଡ ଘରେ ବାହା ହୋଇଛି ବୋଲି କହିବାକୁ ତାକୁ ଭଲ ଲାଗୁଥିଲା |

              ବାହାଘର ପରେ ଲିସା ଥରଟିଏ ବି ଶାଶୁଘର ଗାଆଁକୁ ଆସିନଥିଲା | ରବି ଓ ଶଶୀ ଏକାଧିକ ବାର ପୁଅ ବୋହୂଙ୍କ ପାଖକୁ ଯାଇ କିଛିଦିନ ରହି ଫେରି ଆସୁଥିଲେ |ପ୍ରତିଥର ଖୁସି ମନରେ ଯାଆନ୍ତି ଓ ବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଦୁଃଖୀ ମନରେ ଫେରନ୍ତି |କ୍ରମଶଃ ବୋହୂ ଓ ତାର ପିତାମାତାଙ୍କ ବ୍ୟବହାର ଅସହ୍ୟ ହେବାରୁ,ବଞ୍ଚିଥିବା ପର୍ଯ୍ୟନ୍ତ  ଆଉ ପୁଅ ପାଖକୁ ଆସିବି ନାହିଁ ବୋଲି  ନିଷ୍ପତ୍ତି ନେଇ ଶଶୀ ଗାଆଁରେ ରହିଗଲା  |କିନ୍ତୁ ରବି ପୁଅ ପ୍ରତି ଏପରି ନିଷ୍ଠୁର ହୋଇ ପାରିବ ନାହିଁ ବୋଲି ସଫା ସଫା ମନା କରିଦେଇ ମଝିରେ ମଝିରେ ଏକୁଟିଆ ପୁଅ ପାଖକୁ ଯାଇ ଦିନେ ଦୁଇଦିନ ରହି ଫେରି ଆସୁଥିଲା  |ଏହାପରେ ଲିସାର ଦୁଇଟି ଯାଆଁଳା ପୁଅ ଜନ୍ମ ହେଲେ |ଏହି ଖବର ପାଇ ଶଶୀର ଅଭିମାନ ମିଳେଇ ଗଲା  |ଦୁହେଁ ଦୁଇ ନାତିଙ୍କ ପାଇଁ ସୁନା ଚେନ ,ଡ୍ରେସ ଆଦି ନେଇ ସେଠାକୁ ଗଲେ |କିନ୍ତୁ ସେଠାରେ ସେମାନଙ୍କ ପାଇଁ ଏକ ବିଚିତ୍ର ପରିସ୍ଥିତି ଅପେକ୍ଷା କରିଥିଲା |ବୋହୂର ଅଭିଯୋଗ ଥିଲା,ସେ ଅନ୍ତସତ୍ତ୍ଵା ଥିବାବେଳେ ଶାଶୁଙ୍କର ସେବା ଓ ସହଯୋଗ ଆଶା କରୁଥିଲା |ସେତେବେଳେ ନ ଆସି ଏବେ ଆସିଲେ କାହିଁକି  ?ତାର ମାମା  ଶତ ପ୍ରତିଶତ ସବୁ କାମ କରୁଛନ୍ତି,ସେ ଦୁଇଜଣ ସେଠାରେ ଅଯଥା ରହିବା କଣ ଦରକାର ? ବୋହୂ ଠାରୁ ଏକଥା ଶୁଣି ରବି ଓ ଶଶୀଙ୍କ ମନ ଭାଙ୍ଗିଗଲା |ଶଶୀ ସାଙ୍ଗେ ସାଙ୍ଗେ ଫେରିଯିବା ପାଇଁ କହୁଥିଲା କିନ୍ତୁ ଗୁଲୁଗୁଲିଆ ନାତି ଦୁଇଟିଙ୍କ ମୋହ ଏଡାଇ ନପାରି ଏକୋଇଶିଆ ପର୍ଯ୍ୟନ୍ତ ଅଟକିବା ପାଇଁ ରବି ଶଶୀକୁ ଅନୁରୋଧ କଲା | ଏକୋଇଶିଆ ଉତ୍ସବ ପରେ  ରବି ଓ ଶଶୀ ଅନୁଭବ କଲେ,ସେଠାରେ ସେମାନେ  ନିଜର ଅସ୍ତିତ୍ଵ ହରାଇ  ସମ୍ପୂର୍ଣ୍ଣ  ଅଲୋଡ଼ା ହୋଇ ପଡିଛନ୍ତି |ଦୁହେଁ ଗାଆଁକୁ ଫେରିଯିବା ପାଇଁ ନରେଶକୁ କହିଲେ  |ରବି ଭାବିଥିଲା,ନରେଶ ସେମାନଙ୍କୁ ଯିବାକୁ ଦେବନାହିଁ |କିନ୍ତୁ  ସେମାନଙ୍କ ଯିବା କଥା ଶୁଣି ନରେଶ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା  |

                କିଛିଦିନ ଗାଆଁରେ ରହିବାପରେ ରବିର ପୁଣି ପୁଅ କଥା ମନେ ପଡିଲା | ଯେତେ ରାଣ ନିୟମ ପକାଇଲେ ବି ଶଶୀ କିନ୍ତୁ  ଆଉ ପୁଅ ପାଖକୁ ଯିବାକୁ ଇଚ୍ଛା କଲାନାହିଁ |ବୋହୂ କଥା ଆଲୋଚନା କରି ରବି ମନରେ ଦୁଃଖ ଦେବାପାଇଁ ଶଶୀ ଚାହୁଁ ନଥିଲା  |ମନ କଥା ମନରେ ରଖି,ମାନସିକ ଦୁଶ୍ଚିନ୍ତାରେ ଘାଣ୍ଟି ହୋଇ ତାର  ଖାଇବା ପିଇବାର ଠିକଣା ରହିଲା ନାହିଁ |  ଧୀରେ ଧୀରେ ତାର ଶରୀର ରୁଗ୍ଣ ହେବାକୁ ଲାଗିଲା ଓ ଶେଷରେ ସେ ସବୁଦିନପାଇଁ ଆଖି ବୁଜିଦେଲା |ମାଆର ଅକାଳ ମୃତ୍ୟୁରେ ନରେଶ ବ୍ୟଥିତ ହେଲା | ପିଲା ଦୁଇଟି ଛୋଟ ଥିବାରୁ ଶେଷକୃତ୍ୟ କରିବା ପାଇଁ ସେ  ଏକୁଟିଆ ଗାଆଁକୁ ଆସିଲା  | ଶାଶୁର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାପାଇଁ ବୋହୂ ନ ଆସିବାରୁ ଗାଁ ଲୋକେ ଟୁପୁରୁ ଟାପୁରୁ ହେଲେ |ରବି  ସେମାନଙ୍କ ମୁହଁ ବନ୍ଦ କରିଦେଇ କହିଲା,ଛୋଟ ପିଲା ଦୁଇଟିଙ୍କୁ ନେଇ ସେ କେମିତି ଆସିଥାନ୍ତା ?ଆଖ ପାଖରେ ଡାକ୍ତରଖାନା ନାହିଁ,ଛୁଆଙ୍କ ଦେହ ଖରାପ ହେଲେ,କିଏ ଆମ ପିଠିରେ ପଡିଥାନ୍ତା ??

                ଶୁଦ୍ଧିକ୍ରିୟା ସରିବାପରେ  ନରେଶ ବାପାଙ୍କୁ  ସାଙ୍ଗରେ ନେଇ ଆସିଲା |ବାଟ ସାରା ତାଙ୍କୁ ବୁଝାଇ କହିଲା,ମୋ ସୁନା ବାପା, ଲିସା ଅତି ଗେହ୍ଲାରେ ବଢି ଏକଜିଦ୍ଦିଆ ହୋଇ ଯାଇଛି,ନହେଲେ,ତାର ଆଉସବୁ ଗୁଣ ଭଲ |ଏବେ ଦିନ ରାତି ପିଲାଙ୍କ ଜଞ୍ଜାଳରେ ଘାଣ୍ଟି ହୋଇ  ସେ ଆହୁରି ବେଶୀ ଚିଡିଚିଡ଼ା  ହୋଇ ଯାଇଛି | ରାଗରେ ସେ କେବେ କିଛି କହିଦେଲେ ତମେ ତା କଥା ଧରିବ ନାହିଁ,ତମ ଗୁଣରେ ତାକୁ କ୍ଷମା କରିଦେବ  |ତା କଥା ଶୁଣି ରବି ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିଲା |ସେ ମନେ ମନେ ଭାବିଲା,ଯାହା ଉପରେ ରାଗ ସୁଝାଉ ଥିଲି,ସିଏ ତ ଚାଲିଗଲା,ମୁଁ ଆଉ କାହା ଉପରେ ରାଗିବି ?

             ଯେତେ ଚେଷ୍ଟା କଲେ ବି, ବୋହୂର ମନ ନେଇ ଚଳିବା ରବି ପାଇଁ କଷ୍ଟକର ନୁହେଁ ବରଂ ଅସମ୍ଭବ ବ୍ୟାପାର ଥିଲା |ନାମକୁ ମାତ୍ର ସିନା ତାର ଦୁଇଟି ନାତି ଥିଲେ, ସେମାନଙ୍କ ଉପରେ ତାର କିଛି ଅଧିକାର ନଥିଲା |ସେମାନଙ୍କ ସହିତ ସେ କେମିତି କଥା ହେବ,ତାଙ୍କୁ କେମିତି ଧରିବ,ଗେଲ କରିବ କି ନାହିଁ,ଗାଉଁଲି ନାନାବାୟା ଗୀତ ଗାଇବ କି ନାହିଁ ଇତ୍ୟାଦି ଟିକି ନିଖି ସବୁ କଥା ତାକୁ ଲିସାକୁ ପଚାରି କରିବାକୁ ପଡୁଥିଲା |ତା ନହେଲେ ଲିସା ଘରେ ପ୍ରଳୟ ସୃଷ୍ଟି କରୁଥିଲା | ରବିର  ଥରକରେ ବେଶୀ ନଖାଇ କିଛି ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ କରି ଖାଇବାର ଅଭ୍ୟାସ ଥିଲା  |ଏଠାରେ କିନ୍ତୁ ସେ ଅଭ୍ୟାସକୁ ମାରି ଦେବାକୁ ପଡିଲା  | ଗାଆଁରେ ଚୁଡା,ମୁଢି,ଛତୁଆ ,କ୍ଷୀର,ଦହି ସବୁ ଥିଲା  | ସକାଳେ ଚୁଡା ଦହି ଓ ଖରାବେଳେ  ଭଲରେ ମରା ହୋଇଥିବା ସର ଭର୍ତ୍ତି କ୍ଷୀରରେ ଗରମ ଭାତ ଚକଟି ଖାଇବାକୁ ସେ ଭାରି ଭଲ ପାଉଥିଲା |ତାର ମନଜାଣି ଶଶୀ ଠିକ ସମୟରେ ତାକୁ ସବୁ ଯୋଗାଇ ଦେଉଥିଲା |ଏଠାରେ ସେ ସବୁ ସାତ ସପନ ଥିଲା |ନରେଶ ସକାଳେ ପାଉଁରୁଟି ଓ ଜାମ ଖାଇ କଲେଜ ଯାଉଥିଲା,ରବି ପାଉଁରୁଟି ପାଣିରେ ବୁଡାଇ ଖାଉଥିଲା |ଛୁଟି ଦିନରେ ନରେଶ ବଜାରରୁ ଇଡ଼ିଲି/ଦୋଷା ନେଇ ଆସୁଥିଲା |ହଜମ ନହେଉ ପଛକେ,ସେଦିନ ରବି ଖୁସିରେ ଖାଉଥିଲା |

             ନରେଶ ଯେତେବେଳେ କଲେଜରୁ ଫେରୁଥିଲା,ବାପା  ପାଇଁ କିଛି ନା କିଛି ଖାଇବା ଜିନିଷ ନେଇ ଆସୁଥିଲା | ସେ ଧୁଆଧୋଇ ହୋଇ ସାରିବା ପରେ ବାପାଙ୍କୁ  ପାଖରେ ବସାଇ ,ନିଜ ହାତରେ ଖୁଆଇ , ଦିନଯାକର ହାଲଚାଲ ପଚାରି ବୁଝୁଥିଲା |ବେଳେବେଳେ ରବି କୋଳରେ ମୁଣ୍ଡ ଦେଇ ସେ ନିଦରେ ଶୋଇ ପଡୁଥିଲା |ନରେଶର ଏପରି ଶ୍ରଦ୍ଧା ଦେଖି ରବି ବୋହୂର ନିର୍ଯ୍ୟାତନା କଥା ଭୁଲି ଯାଉଥିଲା |

             ଖାଦ୍ୟାଭାସରେ ପରିବର୍ତ୍ତନ ଯୋଗୁ ରବିର ପାକସ୍ଥଳୀ ଉପରେ ପ୍ରଭାବ ପଡିଲା ଓ ଯାହା କିଛି ଖାଇଲେ ହଜମ ନହୋଇ  ଝାଡା ବାଟେ ବାହାରି ଯାଉଥିଲା | ସ୍ମରଣ ଶକ୍ତି ହ୍ରାସ ହେବା ଯୋଗୁ ଝାଡା ପରିସ୍ରା ଯାଇ ପାଣି ଢାଳିବାକୁ ସେ ବାରମ୍ବାର  ଭୁଲି ଯାଉଥିଲା |ଖାଇବା ଜିନିଷ ଭଲ ନ ଲାଗିଲେ ଅଧା ଖାଇ ଫିଙ୍ଗିଦେବା,ଘର ସଫା ସୁତୁରା ନ ରଖିବା  ଆଦି ଦିନ ସାରା ରବିର  ସବୁ ଭୁଲ କାମ ,ନରେଶ ଘରେ ପାଦ ଦେଉ ଦେଉ ଲିସା ସବୁ ଏକାସାଙ୍ଗରେ ଉଦ୍ଗାରି ପକାଉ  ଥିଲା  |ପ୍ରଥମେ ପ୍ରଥମେ ନରେଶ  ତାକୁ ସହଜରେ ନେଇ ଲିସାକୁ ଶୁଭିବା ପରି ମୃଦୁ ହସି ରବିକୁ କହୁଥିଲା ,ମୋ ସୁନା ବାପା ବୁଢା ହେଲେଣି,କିଛି ମନେ ରହୁନି,ତାଙ୍କୁ ବୁଝାଇ ଦେଲେ ସେ ସବୁ କାମ ଠିକରେ କରିବେ  |ଏହାପରେ ନରେଶର ଟ୍ୟୁସନ ଆରମ୍ଭ ହୋଇଯାଉଥିଲା  |ଏମିତି କରିବନି,ସେମିତି କରିବନି କହି ସେ ବାପାଙ୍କୁ ଶୁଆ ପରି ବୁଝାଉ ଥିଲା  |

              ସହରୀ ଖାଦ୍ୟ,ଜଳବାୟୁ ଓ ଅଶାନ୍ତ ପରିବେଶ ରବିକୁ ଆଦୌ ସୁହାଉ ନଥିଲା  |ଦିନେ ରାତିରେ ଖାଇ ସାରିବା ପରେ  ତାକୁ  ଅତର୍ଚ୍ଛା ଝାଡ଼ା ମାଡିଲା  |ସେ ତର ତର ପାଇଖାନା ଯିବା ବେଳକୁ ଅଧା ବାଟରେ ଝାଡା ହୋଇଗଲା |ସେହି ଝାଡା ଉପରେ ତାର ପାଦ ପଡି ଯିବାରୁ ତାର ଗୋଡ ଖସି ସେ ତଳେ ପଡିଗଲା |ଶବ୍ଦ ଶୁଣି ଲିସା ଆସି ରବିକୁ ଏହି ଅବସ୍ଥାରେ ଦେଖି  ରାଗରେ ଫାଟି ପଡିଲା ଓ ତାକୁ ଜୋରରେ ଗୋଟିଏ ଗୋଇଠା ମାରି ଚିତ୍କାର କରି କହିଲା,ଏ ବୁଢା,ତୁ ମତେ କାହିଁକି ଏତେ ହଇରାଣ କରୁଛୁ, ମରି ଯାଉନୁ କାହିଁକି  ?ଏମିତି ଗାଳି ଦେଉଥିବାବେଳେ ନରେଶ ସେଠାରେ ପହଞ୍ଚି କିଛି ନବୁଝି କହିଲା,ବାପା,  ଏତେ ବୁଝାଇବା ପରେ ବି ତମେ ପୁଣି ସେମିତି ଭୁଲ କଲ ?ମୁଁ ଜାଣିଛି ,ତମେ ଜମା ମରିବନି ,ଆମ ସମସ୍ତଙ୍କୁ ମାରିବା ପରେ ଯାଇ ତମେ ମରିବ |ପୁଅ ମୁହଁରୁ  ଏପରି ନିଷ୍ଠୁର କଥା ଶୁଣି ରବି ଆଖିରୁ ଧାର ଧାର ହୋଇ ଅଶ୍ରୁଧାର ଝରି ପଡିଲା  |ବୋହୂର ନିର୍ଯ୍ୟାତନା  ତାକୁ ଯେତେ ବାଧି  ନଥିଲା,ତାଠାରୁ ସହସ୍ର ଗୁଣ ଅଧିକ ପୁଅର ହୃଦୟ ବିଦାରକ କଥା ତାକୁ ବାଧିଲା |

              ସେଦିନ ରାତିରେ ରବିକୁ ଆଦୌ ନିଦ ହେଲା ନାହିଁ |ସମସ୍ତେ ଶୋଇ ସାରିବା ପରେ ସେ ଆସ୍ତେ କରି କବାଟ ଖୋଲି ବାହାରକୁ ବାହାରି ଆସି ଲକ୍ଷ୍ୟହୀନ ଭାବରେ  ଚାଲିବାକୁ ଲାଗଲା |ତାପାଇଁ ଏକମାତ୍ର ବାଟ ଖୋଲା ଥିଲା,ତାହା ହେଲା  ମୃତ୍ୟୁ ,କାରଣ ଜୀବନ ତାପାଇଁ ଦୁର୍ବିସହ ହୋଇ ପଡିଥିଲା |ଘଣ୍ଟାଏ କାଳ ଅନିର୍ଦ୍ଦିଷ୍ଟ ଭାବରେ ଚାଲୁ ଚାଲୁ ପାଖରେ ତାକୁ ଜଳ ପୂର୍ଣ୍ଣ ଏକ ବିରାଟ କେନାଲ ଦେଖାଗଲା |ଆଗପଛ କିଛି ବିଚାର ନ କରି ସେ  କେନାଲ ଭିତରକୁ ଡେଇଁ ପଡିଲା !!!କିନ୍ତୁ ନା,ସେ ଡେଇଁ ପାରିଲା ନାହିଁ |ପଛପଟୁ ଦୁଇଟି  ସବଳ ହସ୍ତ ତାକୁ ଜୋରରେ ଜାବୁଡି ଧରିଥିଲା |ଯେତେ ଛାଟିପିଟି ହେଲେ ବି ରବି ନିଜକୁ ସେ ଦୃଢ଼ ବାହୁବନ୍ଧନରୁ ମୁକ୍ତ କରି ପାରୁନଥିଲା |

         ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କିଛି ଯୁବକ ସେହିଠାରେ ବସି ଗଳ୍ପ କରୁଥିଲେ |ସେମାନଙ୍କ ମଧ୍ୟରୁ ତାକୁ ଉଦ୍ଧାର କରିଥିବା ଯୁବକଟି ଜଣେ ଥିଲା |ସେମାନେ ରବିକୁ ପାଖରେ ବସାଇ ଆତ୍ମହତ୍ୟାର କାରଣ  ପଚାରିବାରୁ ରବି କାନ୍ଦି କାନ୍ଦି ଆମୂଳଚୂଳ ସବୁ କଥା ବଖାଣି ଚାଲିଲା ଓ ତାକୁ ନେଇ ତୁରନ୍ତ ଗାଆଁରେ ଛାଡି ଆସିବାକୁ କରୁଣ ନିବେଦନ କଲା  |ରବିର ଅଜାଣତରେ ଆଉ ଜଣେ ଯୁବକ ଏହାର ଭିଡିଓ ରେକଡିଂ କରୁଥିଲା |ସେମାନେ ରବିକୁ ସାଙ୍ଗରେ ନେଇ ସ୍ଥାନୀୟ ଥାନାରେ ଏତଲା ଦେଲେ |ସେତେବେଳେ  ସେ କିଛି ଗୁରୁତର ଭୁଲ କରି ପକାଇଛି ବୋଲି ରବି ହୃଦୟଙ୍ଗମ କଲା  |ସେ ସେଠାରୁ ପଳାଇ ଯିବାକୁ ଚାହିଁଲା ,କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା |କିଛି ସମୟ ପରେ ନରେଶ ଆସି ଥାନାରେ ପହଞ୍ଚିଲା |ମୁହଁ ତାର ଶୁଖି ଯାଇଥିଲା |ସେ କାତର ଦୃଷ୍ଟିରେ ହାତଯୋଡ଼ି ତାର ବାପାଙ୍କୁ ଚାହିଁଲା |ତାର  ମୁହଁକୁ ଚାହିଁବା କ୍ଷଣି  ନରେଶ ର ସବୁ ଅଭିମାନ ବରଫ  ପରି ତରଳି ଗଲା  |ସେ ଥାନା ଅଧିକାରୀଙ୍କୁ  କହିଲା,ମୋ ପୁଅ ମତେ ବହୁତ ଭଲ ପାଏ,ମୁଁ ବି ତାକୁ ବହୁତ ଭଲପାଏ  |ମୋର ମୁଣ୍ଡ  ଦୋଷ ଥିବାରୁ ମୁଁ ଘରୁ ଚାଲି ଆସିଥିଲି,ଏବେ ଠିକ ଅଛି   |ଏହାପରେ ଥାନା ଅଧିକାରୀ ଯେତେ ଯାହା ପ୍ରଶ୍ନ କଲେ ବି ରବି ସବୁ ଫାଙ୍କି ଦେଲା |ଶେଷରେ ବାପାଙ୍କୁ ଭଲରେ ରଖିବ ବୋଲି ଏକ ଅଣ୍ଡରଟେକିଂ ନରେଶକୁ ଲେଖିବାକୁ ପଡିଲା |  ନରେଶ ରବି ପାଖକୁ ଯାଇ ତା ହାତ ଧରି କହିଲା,ବାପା ଆସ,ଘରକୁ ଯିବା |ରବି ନରେଶର ହସ୍ତ ବନ୍ଧନୀରୁ ନିଜ ହସ୍ତକୁ ମୁକ୍ତ କରି କହିଲା,ବାପାରେ,ବହୁତ ହୋଇଗଲା,ଆଉ ନୁହେଁ | ବାତ୍ସଲ୍ୟମମତାରେ ଅନ୍ଧ ହୋଇ ମୁଁ ବହୁତ କିଛି ହରାଇଛି,ଆଉ ଯାହା ବାକି ରହିଛି,ତାକୁ ହରାଇବାକୁ ଚାହେଁନା  |ଏଥର ମୁଁ ତୋ ପାଇଁ ନୁହେଁ,ମୋ ନିଜ ପାଇଁ ବଞ୍ଚିବି | ତୁ ଦୟାକରି ଆମ ଗାଁକୁ ଯାଉଥିବା ବସରେ ମତେ ବସେଇ ଦେ|ଜୀବନର ଅନ୍ତିମ ପର୍ଯ୍ୟାୟରେ  ମୁଁ ମୋ ଗାଆଁ ମାଟିରେ  ଶାନ୍ତିରେ ମରିବାକୁ ରହିବାକୁ ଚାହେଁ  |(ସମାପ୍ତ |ମମତା ମହାନ୍ତି ସାମନ୍ତରାୟ |)

                   

                               

No comments:

Post a Comment