Thursday, July 4, 2024

ମୁଖା

                                                                     ମୁଖା 

                                                                 *******

                                  ଫେସ୍ବୁକରେ ପିଲାଦିନର ବାନ୍ଧବୀ ପ୍ରଭାର ଚାଳିଶତମ ବିବାହ ବାର୍ଷିକୀ ଉତ୍ସବର ଫଟ ଗୁଡିକୁ ଅନେକ ସମୟ ଧରି ଖୁବ ତନ୍ମୟ ହୋଇ ସୁଷମା ଦେଖୁଥିଲେ |ବିବାହର ଚାଳିଶ ବର୍ଷ ପରେ ବି ପ୍ରଭାର ସୌନ୍ଦର୍ଯ୍ୟ ସେହିପରି ଅକ୍ଷୁର୍ଣ୍ଣ ଥିଲା,ବରଂ ସେ ପୂର୍ବାପେକ୍ଷା ଆହୁରି ଅଧିକ ସୁନ୍ଦରୀ ଦିଶୁଥିଲା |ଫଟର ଶୀର୍ଷକ ଥିଲା,"ମେଡ଼ ଫର ଇଚ ଅଦର" |ଦୁହେଁ ପରସ୍ପର ଗଳାରେ ବରଣମାଳା ପକାଇ ମୁଦି ପିନ୍ଧାଉ ଥିବାର ଦୃଶ୍ୟ ଅଧିକ ମନୋରମ ଥିଲା |ସୁଷମା ମନେ ମନେ ଭାବୁଥିଲେ,ପ୍ରଭା ସତରେ କେତେ ଭାଗ୍ୟବତୀ |ତାର ଅପରୂପ ସୌନ୍ଦର୍ଯ୍ୟ ,ମନଖୋଲା ହସ ଓ ସ୍ୱାମୀଙ୍କ ସହିତ ପୋଷ୍ଟ କରିଥିବା ଫଟ ଗୁଡିକ ତାର ସୁଖୀ ଜୀବନର ପ୍ରମାଣ ଦେଉଥିଲା |ସୁଷମାଙ୍କର ଛୋଟ ପରିବାର |ଏକମାତ୍ର ପୁଅ ସୁମନ୍ତ ବ୍ୟାଙ୍କରେ ଚାକିରୀ କରେ |ନିକଟରେ ତାର  ସମ୍ବଲପୁରକୁ ବଦଳି ହୋଇଛି  |ତାର ସ୍ତ୍ରୀ ଓ ତାଙ୍କର ବୋହୂ ଉଷା ଏକ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରେ | ନାତି ବବ୍ଲୁ ପ୍ରଥମ ଶ୍ରେଣୀରେ ପଢେ | ତାକୁ ସ୍କୁଲକୁ ନେବା ଆଣିବା କରିବା କାମ ସ୍ୱାମୀ ଜିତେନ୍ଦ୍ରଙ୍କର ଥିଲା  |ବାକି କାମଗୁଡିକ ଉଷା ଓ ସୁଷମାଙ୍କର ଦାୟିତ୍ତ୍ଵର ଅନ୍ତର୍ଭୁକ୍ତ ଥିଲା  |ମୋଟ ଉପରେ କହିବାକୁ ଗଲେ,ପରିବାରର ସମସ୍ତ ସଦସ୍ୟ ନିଜ ନିଜର ଦାୟିତ୍ତ୍ୱ ଓ କର୍ତ୍ତବ୍ୟ ଠିକ ଭାବରେ ନିଭାଉ ଥିଲେ   | 

                  ଦୀର୍ଘ ସମୟ ଧରି ମୋବାଇଲରେ ଆଖି ପଶେଇ ଦେଇଥିବା ସୁଷମାଙ୍କୁ ଦେଖି  ସ୍ୱାମୀ ଜିତେନ୍ଦ୍ର କୌତୂହଳୀ ହୋଇ ତାଙ୍କ ପାଖକୁ ଯାଇ,ତାଙ୍କ ସହିତ ମିଶି  ଫଟ ଗୁଡିକୁ ଦେଖିଲେ |ତାପରେ ଜୋରରେ  ହସି ଉଠି  କହିଲେ, ଫଟରେ ଯାହା ଦେଖୁଛ,ସବୁ ସତ ନୁହେଁ ,ଏମାନେ ସମସ୍ତେ ମୁଖାପିନ୍ଧା ମଣିଷ  |ସୁଷମା ଆଶ୍ଚର୍ଯ୍ୟ ହୋଇ କହିଲେ,ଏଇଠି ତ କେହି ମୁଖା ପିନ୍ଧି ନାହାନ୍ତି,ଏମିତି କାହିଁକି କହିଲ ??ଜିତେନ୍ଦ୍ର କହିଲେ,ଆମେ ଘରେ ଯେପରି ଭାବରେ କଥାବାର୍ତ୍ତା କରୁ କିମ୍ବା  ବ୍ୟବହାର କରୁ,ବାହାରକୁ ଗଲେ ଆମର ଆଚାର ,ବିଚାର ସମ୍ପୂର୍ଣ୍ଣ ବିପରୀତ ହୋଇଯାଏ |କାରଣ ଆମେ ବାହାରକୁ ଯିବାବେଳେ ସମ୍ଭ୍ରମତାର ମୁଖା ପିନ୍ଧି ଯାଇଥାଉ |ସେମିତି କୌଣସି ପୂଜା,ପର୍ବ,ବାହାଘର ଇତ୍ୟାଦି କାର୍ଯ୍ୟରେ ବାହାରକୁ ଯିବାବେଳେ ତମେ ତମର ଶ୍ୟାମଳ ବର୍ଣ୍ଣକୁ ଲୁଚାଇବା ପାଇଁ ଯେଉଁ ମେକଅପର ସାହାଯ୍ୟ ନେଇ ଗୋରା ଵନିଯାଅ,ତାହାକୁ ତମର ମୁଖା ବୋଲି ମୁଁ କହିବି  |ସୁଷମା ବିରକ୍ତ ହୋଇ ସେଠାରୁ ଉଠିଯାଉଥିବା ବେଳେ ଜିତେନ୍ଦ୍ର କହିଲେ,ମୋ କଥା ସରିନାହିଁ,ପୂରା ଶୁଣିକରି  ଯାଅ |ସୁଷମା କହିଲେ,ନା ମୁଁ ଶୁଣିବିନି ,ମୋର ବହୁତ କାମ ଅଛି,ବବ୍ଲୁ ଆସିବା ସମୟ ହେଲାଣି  |ଜିତେନ୍ଦ୍ର କହିଲେ,ମୁଁ ପାଞ୍ଚ ମିନିଟ ସମୟ ନେବି,ପ୍ଲିଜ,ମୋ କଥା ଶେଷ କରିବାକୁ ଦିଅ |ଅଗତ୍ୟା ସୁଷମାଙ୍କୁ ବସିବାକୁ ପଡିଲା |

                                ଜିତେନ୍ଦ୍ର କହିଲେ,ସୋସିଆଲ ମିଡ଼ିଆ ହେଉ ବା ଅନ୍ୟ ଯେ କୌଣସି ମାଧ୍ୟମ ହେଉ,ନିଜେ ଯାହା ନୁହେଁ,ତାହା ଦେଖାଇବାକୁ ଆଜିକାଲି ଲୋକଙ୍କ ଭିତରେ ପ୍ରବଳ ପ୍ରତିଦ୍ୱନ୍ଦିତା ଚାଲିଛି |ପିତାମାତାଙ୍କୁ ଅବହେଳିତ ଅବସ୍ଥାରେ ମରିବାକୁ  ଛାଡିଦେଇ,ସେମାନଙ୍କ ଶ୍ରାଦ୍ଧ ଆଦି ଦିବସରେ  ପୁଅ/ଝିଅମାନେ  ଫେସ୍ବୁକରେ ଆମ ବେଷ୍ଟ ମମି/ପାପା ଲେଖି ଫଟ ସେଆର କରୁଛନ୍ତି ଓ ସେମାନଙ୍କୁ ସେମାନେ କେତେ ମିସ କରୁଛନ୍ତି,ତାହା ମଧ୍ୟ ଲେଖୁଛନ୍ତି |ଏହାକୁ ସେମାନଙ୍କର ମୁଖା ନୁହେଁ ତ ଆଉ କଣ କୁହାଯିବ ?ମୁଁ ତମକୁ ଜଣେ ଭଦ୍ରଲୋକ ଓ ତାଙ୍କ ସ୍ତ୍ରୀଙ୍କ କଥା କହିବି,ଯେଉଁମାନେ ତାଙ୍କର ବୋହୂକୁ ଅତି ଭଲ ପାଉଥିଲେ |ପୁଅ ବୋହୂ ଦୁହେଁ ଚାକିରିଆ ଥିବାରୁ,ନାତି ନାତୁଣୀଙ୍କ ସେବା ଯତ୍ନ କରିବାପାଇଁ ସେମାନେ ନିଜର ବାସସ୍ଥାନ ଛାଡି ଦୀର୍ଘ ବର୍ଷ ଧରି ସେମାନଙ୍କ ପାଖରେ ଥିଲେ |ପିତୃଦିବସ ଓ ମାତୃ ଦିବସରେ ନିଜ ସହିତ ଶାଶୁ ଶ୍ଵଶୁରଙ୍କ ଫଟୋ ପୋଷ୍ଟ କରି ସେମାନେ ମୋର ଅସଲି ପିତାମାତା ଓ ଈଶ୍ୱରଙ୍କ ଅସୀମ କୃପାରୁ ଏହି ଭଳି ଦେବତୂଲ୍ୟ ପିତାମାତା ମତେ ପ୍ରାପ୍ତ ହୋଇଛନ୍ତି ବୋଲି ବୋହୂ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରି  ପ୍ରଶଂସା ସାଉଁଟି ଥିଲା  |ନାତି ନାତୁଣୀ ଟିକିଏ ବଡ଼ ହେବାପରେ ଆଉ ସେମାନଙ୍କର ଆଵଶ୍ୟକତା ନ ପଡିବାରୁ ଶାଶୁ ଶ୍ୱଶୁର ନିଜ ବାସସ୍ଥାନକୁ ଫେରି ଆସିଲେ | କିଛି ବର୍ଷ ପରେ ଶ୍ଵଶୁରଙ୍କ ଶରୀର ଅସୁସ୍ଥ ହେଲା |ତାଙ୍କୁ ଦେଖିବାକୁ ପୁଅ ଆସିଲା |କିନ୍ତୁ ବୋହୂ ଆସିଲା ନାହିଁ |ପରେ ପରେ ଶ୍ଵଶୁରଙ୍କ ଦେହାନ୍ତ ହୋଇଗଲା |ସବୁଦିନ ପାଇଁ ଶାଶୁଙ୍କ ମଥାରୁ ସିନ୍ଦୂର ଲିଭିଗଲା,ସଦା ସର୍ବଦା ବୋଝେ ବୋଝେ ନାଲି ଚୁଡ଼ି ପିନ୍ଧିଥିବା ହାତ ତାଙ୍କର ପୁଙ୍ଗୁଳା ହୋଇଗଲା,ସେ କାନ୍ଦି କାନ୍ଦି ବେହାଲ ହୋଇଗଲେ |ସେହି ସମୟରେ ତାଙ୍କୁ ସାନ୍ତ୍ୱନା ଦେବା ଦୂରର କଥା,ଛୁଆଙ୍କ ବାହାନା ଦେଖାଇ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାକୁ ମଧ୍ୟ ବୋହୂ ଆସିଲା ନାହିଁ |ମୁଁ କହିବି, ଏଇଟା ବୋହୂର ପ୍ରକୃତ ରୂପ ଥିଲା,ପୂର୍ବରୁ ସେ ମୁଖା ପିନ୍ଧି ଅଭିନୟ କରୁଥିଲା !ଏହିପରି ଅଜସ୍ର ଘଟଣା ମୁଁ ମୋ ଆଖି ଆଗରେ ଦେଖିଛି |ତେଣୁ ଲୋକ ଦେଖାଣିଆ ସେଲିବ୍ରେସନକୁ ମୁଁ ଘୃଣା କରେ |ଯିଏ ଯାହାକୁ ଅନ୍ତରର ସହିତ ଭଲପାଏ,ତାହା ତାର କାର୍ଯ୍ୟକଳାପରେ ସ୍ପଷ୍ଟ ଦିଶିଯାଏ ,ସେଥିପାଇଁ  ସୋସିଆଲ ମିଡ଼ିଆର ପ୍ରୟୋଜନ ହୁଏ ନାହିଁ |ସୁଷମା କହିଲେ,ତମର ମୁଖା ପିନ୍ଧା କଥା ମୁଁ ଗ୍ରହଣ କରିବି ନାହିଁ |ଵିଵାହବାର୍ଷିକୀ ଦୂରର କଥା,ଯିଏ ମୋର ଜନ୍ମଦିନ ତାରିଖ ମନେ ରଖିନାହାନ୍ତି ,ତାଙ୍କ ମୁହଁରେ ଏମିତି କଥା ଶୋଭା ପାଏ ନାହିଁ  |

                          ଦିନେ ମାର୍କେଟରେ ଅକସ୍ମାତ ପ୍ରଭା ସହ ଦେଖା ହୋଇଗଲା |ତାଙ୍କୁ ଦେଖୁ ଦେଖୁ ସୁଷମା ସାଙ୍ଗେ ସାଙ୍ଗେ ଚିହ୍ନି ଦେଲେ,ଯଦିଓ ସୁଷମାଙ୍କୁ  ଚିହ୍ନିବାକୁ ପ୍ରଭାଙ୍କୁ କିଛି ମିନିଟ ଲାଗିଗଲା |ପ୍ରଭା କହିଲେ,ଏମିତି କଣ ଚେହେରା କରିଛୁ ?ପାର୍ଲର ଯାଉନୁ କି ?ସୁଷମା କହିଲେ ବୟସ ଥିବାବେଳେ ପାର୍ଲର ଯାଉ ନଥିଲି,ଏବେ ବୁଢ଼ୀ ବୟସରେ କଣ ଯିବି ?ପ୍ରଭା କହିଲେ,ପାର୍ଲର,ଜିମ,ଯୋଗ,ଇତ୍ୟାଦି ଆଜିକାଲିର ସ୍ଟାଟସ |ସଭ୍ୟ ସମାଜରେ ଚଳିବାକୁ ହେଲେ,ଏସବୁ ମେଣ୍ଟେନ କରିବାକୁ ପଡେ  |ଅନ୍ୟ କଥା କହ କହି ସୁଷମା ପ୍ରଭାଙ୍କ କଥାକୁ ଏଡାଇ ଗଲେ | ଅନତି ଦୂରରେ ଥିବା ତିନି ମହଲା କୋଠାଘରକୁ ଇଙ୍ଗିତ କରି ପ୍ରଭା କହିଲେ,ଏଇ ପାଖରେ ଆମର ଘର,ଏତେ ଦିନପରେ ଦେଖା ହେଲା,ତତେ ଆମ ଘରକୁ ଆସିବାକୁ ପଡିବ |ସୁଷମା ଯେତେ ମନା କଲେ ବି ପ୍ରଭା ନଛୋଡବନ୍ଧା ଥିଲେ |ଅନୁମତି ଅପେକ୍ଷାରେ ସୁଷମା ଜିତେନ୍ଦ୍ରଙ୍କୁ ଚାହିଁଲେ |ଜିତେନ୍ଦ୍ର କହିଲେ,ମୋର କାମ ଅଛି,ତମେ ଯାଅ |ଡେରି କରିବନି |ମତେ ଫୋନ କଲେ,ମୁଁ ଆସି ଏଇଠି ଛିଡା ହୋଇଥିବି |ପ୍ରଭା ଜିତେନ୍ଦ୍ରଙ୍କୁ କହିଲେ,ଭାଇନା ଆପଣ ବି ଆସନ୍ତୁ ନା ପ୍ଲିଜ |ଜିତେନ୍ଦ୍ର କହିଲେ,ସରି ,ମାମ ,ମୋର କାମ ଅଛି ,ମୁଁ ଯାଇ ପାରିବିନାହିଁ ,ଏହା କହିବା  ସାଙ୍ଗେ ସାଙ୍ଗେ ସେ ସେଠାରୁ ଚାଲିଗଲେ |ତାଙ୍କ ଯିବା ବାଟକୁ ଚାହିଁ ପ୍ରଭାଙ୍କ ମୁହଁରୁ ବାହାରି ପଡିଲା,କେମିତି ଅଜବ ଲୋକଟାକୁ ବାହା ହୋଇଛି କିଲୋ ?ପୁରା ରୋକ ଠୋକ |ସୁଷମା କହିଲେ,ତୁ ଚାଲିଲୁ ,ଠିକ ପାଞ୍ଚ ମିନିଟ ରହିବି,ବେଶୀ ସମୟ ରହି ପାରିବିନି | 

                         ଘର ନୁହେଁ ତ ତାହା ଥିଲା ଏକ ଇନ୍ଦ୍ର ଭୁବନ |ମଝି ମହଲାରେ ସେମାନେ ରହୁଥିବାବେଳେ ଉପର ଓ ତଳ ମହଲା ଭଡା ଲାଗିଥିଲା  |ଗୋଟିଏ ବଡ଼ ହଲ ଓ ରୋଷେଇ ଘରକୁ ଛାଡି ମଝି ମହଲାରେ ତିନିଟି ବେଡ଼ରୁମ ଥିଲା | ସୁନ୍ଦର ଭାବରେ ସଜ୍ଜିତ ହୋଇଥିବା ବେଡ଼ ରୁମକୁ ଦେଖାଇ ପ୍ରଭା ସେମାନଙ୍କର ଦାମ୍ପତ୍ୟ ଜୀବନର ମଧୁରତା ବର୍ଣ୍ଣନା କରିବାବେଳେ  କହୁ କହୁ କହିଦେଲେ,ଏଇ ରୁମ ଟି ମୋର ଓ ତା ପାଖ ରୁମକୁ ଦେଖାଇ କହିଲେ,ଏଇଟା ଆମ ମିଷ୍ଟରଙ୍କର |ସୁଷମା କିଛି କହିବା ପୂର୍ବରୁ ପ୍ରଭା କହିଲେ,ମୁଁ ଟିକିଏ ଡେରିରେ ଶୁଏ,ସେ ଶୀଘ୍ର ଶୁଅନ୍ତି |ତେଣୁ କେହି କାହାରି ନିଦ୍ରାରେ ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ଆମେ ଦୁଇଜଣ ଅଲଗା ରୁମରେ ଶୋଇବାକୁ ନିଷ୍ପତ୍ତି ନେଇଛୁ |ସୁଷମା କହିଲେ,ମୁଁ ତତେ କିଛି ପଚାରିଛି ?ପ୍ରଭା ଟିକିଏ ହସିଦେଇ ସ୍ୱର ନରମ କରି କହିଲେ,ତୁ ମୋର ସାଙ୍ଗ ,ତତେ କଣ ମିଛ କହିବି ?ପ୍ରକୃତ କଥା ହେଲା, ଆମର ବାଥ ରୁମକୁ ସେ ସବୁବେଳେ ଗନ୍ଧିଆ କଲେ |କେତେ ପରିଷ୍କାର କରିବି ?ତେଣୁ ତାଙ୍କୁ  ଅଲଗା ରୁମ ଦେଇଦେଲି ,ତେଣିକି ଯାହା ଇଚ୍ଛା ତାହା କରନ୍ତୁ |ଦୁହେଁ କଥାବାର୍ତ୍ତା କରୁଥିବାବେଳେ ପ୍ରଭାଙ୍କ ସ୍ୱାମୀ ସେଠାକୁ ଆସି କହିଲେ,ଜୀରା ଡବା କେଉଁଠି ରଖିଛ ?ଖୋଜି ଖୋଜି ପାଉନାହିଁ |ତାଙ୍କ କଥା ଶୁଣି ପ୍ରଭା ରାଗ ତମ ତମ ହୋଇ କହିଲେ,ରୋଷେଇ କିଏ କରୁଛି ?ତମେ ରୋଷେଇ କରି ଆଡ଼େ ସାଡେ ଜିନିଷ ରଖୁଛ ,ଜୀରା ଡବା କଥା ମୁଁ କେମିତି ଜାଣିବି  ?ତାଙ୍କ କଥା ଶୁଣି ସୁଷମା ଅବାକ ହୋଇଗଲେ | ଭାବିଲେ,ଏହା ବୋଧହୁଏ ତାଙ୍କ ସଫଳ ଦାମ୍ପତ୍ୟ ଜୀବନର ରହସ୍ୟ !!ଏହି ସମୟରେ ଜିତେନ୍ଦ୍ରଙ୍କ ଫୋନ ଆସିବାରୁ,ମୁଁ ଯାଉଛି,ପରେ ଆସିବି କହି  ସୁଷମା ସେଠାରୁ ଚାଲି ଆସିଲେ |

                      ଫାଲଗୁନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଜିତେନ୍ଦ୍ରଙ୍କ ପରିବାର ପାଇଁ ଏକ କାଳରାତ୍ରି ଥିଲା |ଅର୍ଦ୍ଧ ରାତ୍ରିରେ ସୁଷମା ପରିସ୍ରା କରିବାକୁ ଯାଇଥିବାବେଳେ ବାଥରୁମରେ ଗୋଡ଼ ଖସିଯିବାରୁ ଶକ୍ତ ଆଘାତ ପାଇ ତାଙ୍କର ବାମ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ହୋଇଗଲା |ଉଷା ଦୁଇମାସ ଛୁଟିରେ ରହି ତାଙ୍କର ନିରବିଚ୍ଛିନ୍ନ ସେବା କଲା |ତଥାପି ସୁଷମାଙ୍କ ଅବସ୍ଥାରେ କିଛି ଉନ୍ନତି ପରିଲିକ୍ଷିତ ନ ହେବାରୁ  ଜିତେନ୍ଦ୍ର ଉଷାକୁ ଅଫିସରେ ଜଏନ କରିବାକୁ କହି ନିଜେ ସୁଷମାଙ୍କର ସମସ୍ତ ଦାୟିତ୍ତ୍ୱ ବହନ କଲେ  |ଏହିପରି ଭାବରେ ଦୀର୍ଘ ଦୁଇବର୍ଷ ବିତିଗଲା |କ୍ରମେ ସୁଷମାଙ୍କ ଶରୀର ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲା |ତାଙ୍କୁ ଦେଖିଲେ ଲାଗୁଥିଲା,ଯେପରି ହାଡ଼ ଉପରେ ଏକ ପତଳା ଚମଡା ଘୋଡା ହୋଇଛି !ପୁଅ ପ୍ରତ୍ୟେକ ଶନିବାର ଘରକୁ ଆସୁଥିଲା ଓ ରବିବାର ଚାଲି ଯାଉଥିଲା  |ସେଦିନ ରବିବାର  ଥିଲା |ଘରେ ସମସ୍ତେ ଥିଲେ |ସୁଷମାଙ୍କୁ ଆଉଁସି ଦେଉ ଦେଉ ଜିତେନ୍ଦ୍ର କହି ପକାଇଲେ ,ଭଗବାନ ତମକୁ କେତେ ଆୟୁଷ ଦେଇଛନ୍ତି ?ପିଲାମାନଙ୍କୁ ଆଉ କେତେ ହଇରାଣ କରିବ ?ଉତ୍ତରରେ ସୁଷମାଙ୍କ ନୟନ ପ୍ରାନ୍ତରୁ ଦୁଇଧାର ଅଶ୍ରୁ ଗଡି ପଡିଲା |ଜିତେନ୍ଦ୍ରଙ୍କ ଏପରି କଥା ଶୁଣି ଉଷା ଆଶ୍ଚର୍ଯ୍ୟ ହୋଇଗଲା |ଶାଶୁ ଚାଲି ଯାଆନ୍ତୁ ବୋଲି ସିଏ ବି ମନେ ମନେ ଚାହୁଁଥିଲା |କିନ୍ତୁ ସ୍ୱାମୀ ହୋଇ ତାଙ୍କ ମୁହଁ ଉପରେ ଶ୍ୱଶୁର କିପରି ଏମିତି କହି ପାରିଲେ ?ସମସ୍ତଙ୍କୁ ମୁକ୍ତି ଦେଇ, ସେହିଦିନ ସନ୍ଧ୍ୟାରେ ସୁଷମା ଶେଷ ନିଶ୍ଵାସ ତ୍ୟାଗ କଲେ |ତାଙ୍କ ମୃତ ଶରୀର ଉପରେ ମୁଣ୍ଡ ରଖି ଜିତେନ୍ଦ୍ର କହିଲେ,ଏଥର ମୁଁ ଶାନ୍ତିରେ ମରି ପାରିବି , ତୁମ ଆଗରୁ ମରି ଯାଇଥିଲେ କିଏ ତୁମର ସେବା ଶୁଶ୍ରୁଷା କରିଥାନ୍ତା ??ଏହା କହିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା |

                ଏକା ସାଙ୍ଗରେ ପତି ପତ୍ନୀ ଦୁଇଜଣଙ୍କର ଅନ୍ତିମ ସଂସ୍କାର କରାଗଲା | ଜିତେନ୍ଦ୍ର ସୁଷମାଙ୍କର ଜନ୍ମଦିନ କିମ୍ବା ସେମାନଙ୍କର ବିବାହ ବାର୍ଷିକୀ ତାରିଖ  ସିନା ମନେରଖି ପାରି ନଥିଲେ ତାଙ୍କୁ ସେ କେତେ ଭଲ ପାଆନ୍ତି ଓ ତାଙ୍କ ବିନା ବଞ୍ଚିବା କିପରି ଅସମ୍ଭବ,ତାହା ତାଙ୍କ ମୃତ୍ୟୁରୁ ପ୍ରମାଣିତ ହୋଇଗଲା  |ଏହା ସ୍ୱତଃସ୍ଫୁର୍ତ୍ତ ଥିଲା ଓ ଏଥିପାଇଁ ତାଙ୍କ ଭାଷାରେ ତାଙ୍କୁ ଛଳନାର ମୁଖା ପିନ୍ଧିବା ଆବଶ୍ୟକ  ପଡିନଥିଲା |  (ସମାପ୍ତ)ମମତା ମହାନ୍ତି ସାମନ୍ତରାୟ 

No comments:

Post a Comment