Tuesday, June 11, 2024

ଘର ବାହୁଡା

                          ସେମାନଙ୍କର ପରିବାର  ବୋଇଲେ ମାଆ ପୁଅ ଦୁଇଜଣ ମାତ୍ର |ବାପା ସଂସାର ଛାଡିବାର ଅନେକ ବର୍ଷ ବିତିଲାଣି  |ବାପା ନଥିବାରୁ ପୁଅ  ପାଇଁ ଝିଅ ଚୟନ କରିବା ଠାରୁ ଆରମ୍ଭ କରି ବାହାଘର କରିବା ଦାୟିତ୍ତ୍ୱ ସବୁ  ମାମୁଁଘର  ଉପରେ ନ୍ୟସ୍ତ ଥିଲା |ଏକମାତ୍ର ପୁଅର ବାହାଘର ପାଇଁ ମାଆ ଉମାଙ୍କର  ଖୁସି କହିଲେ ନସରେ |ପୁଅ କାଳେ କାହା ସାଙ୍ଗରେ ଲଟର ପଟର ହୋଇ ରିଲ କରୁଛି ବୋଲି ଗାଆଁରେ ହୁରି ପଡିଥଲା |ବାହାଘର କରି  ଘରକୁ ବୋହୂ ନେଇ ଆସିଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ ବୋଲି ଭାବି ନିଜ ଭାଇଙ୍କ ମାଧ୍ୟମରେ ସେ ଝିଅ ଠିକ କରିଥିଲେ |ଝିଅ ସୁନ୍ଦରୀ,ମାଟ୍ରିକ ଯାଏଁ ପାଠ ପଢିଛି,ସିଲେଇ ଓ ରୋଷେଇବାସ ଜାଣିଛି,ଆଉ ଅଧିକ କଣ ଦରକାର ? ସବୁ ଠିକଠାକ ଥିଲା, କିନ୍ତୁ ବାହାଘର ଆଉ ଆଠଦିନ ବାକି ଥିବାବେଳେ ପୁଅ ଏକ କାଣ୍ଡ କରି ବସିଲା  |ଯେଉଁ ଝିଅ ସାଙ୍ଗରେ ରିଲ କରି ସାରା ଗାଁକୁ ଉଠା ପକା କରୁଥିଲା ବୋଲି  ଲୋକେ କହୁଥିଲେ, ସକାଳୁ ସକାଳୁ ତାକୁଇ  ମନ୍ଦିରରେ ବାହାହୋଇ,ବେକରେ ବରଣମାଳା ପକେଇ ଦୁହେଁ  ଆସି ଘରେ ହାଜର | ସେମାନଙ୍କୁ ଦେଖି ଉମାଙ୍କର ହୋସ ଉଡ଼ିଗଲା |କୁଳାଙ୍ଗାର କଣ କଲୁରେ କହି ସେ କାନ୍ଥରେ ମୁଣ୍ଡ ପିଟିଦେଲେ |

                     ପାଟିତୁଣ୍ଡ ଶୁଣି ଗାଆଁ ଲୋକେ ଜମା ହୋଇ ପ୍ରଥମେ ପାଣି ଛିଞ୍ଚି ଉମାଙ୍କୁ ସାଷ୍ଟାମ କରାଇଲେ |କିଛି ସମୟ ପରେ ପାଖ ଗାଆଁରୁ  ଭାଇ ଭାଉଜ ଆସି ପହଞ୍ଚିଗଲେ  | କିଏ କେତେ ପ୍ରକାର କଥା କହୁଥିଲେ |ସବୁ ଶୁଣି  ଭାଇ କହିଲେ,ଯାହା ହେବାର ହେଲାଣି,ବୋହୂ ଘରକୁ ଆସି ସାରିଲାଣି |ଏବେ କିଛି କରି ହେବନାହିଁ,ସେମାନଙ୍କୁ  ଘରକୁ ଆସିବାକୁ ଦିଅ  |ଭାଇଙ୍କ କଥାରେ ଉମା ବିଲକୁଲ ରାଜି ହେଉ ନଥିଲେ |ସେ ବାହୁନି ବାହୁନି କାନ୍ଦୁଥିଲେ ଓ କାଳ ସର୍ପିଣି  ଝିଅ ତାଙ୍କ ପୁଅକୁ ଗୁଣି କରି ଫସେଇ ତାଙ୍କ ମୁହଁରେ କାଳି ବୋଳିଛି କହି ତାର ଚଉଦ ପୁରୁଷଙ୍କୁ ଅନେକ ଅଭିଶାପ ଦେଉଥିଲେ |ଶେଷରେ ଭାଇ ଭାଉଜଙ୍କ ସମେତ ଗାଆଁର ମୁରବୀ ସ୍ଥାନୀୟ ବ୍ୟକ୍ତି ବୁଝାଇବାରୁ ଉମା ନିଜର ଇଚ୍ଛା ବିରୁଦ୍ଧରେ ରାଜି ହେଲେ | ଗୃହ ପ୍ରବେଶ ପରେ ଶାଶୁ ଘରେ ବିଧି ବିଧାନ ଅନୁଯାୟୀ ଯାହା କର୍ମ ହେବା କଥା ସବୁ ଭାଇ ଭାଉଜ ସାଧା ସିଧା ଭାବରେ କଲେ |କେବଳ ସାଇ ଲୋକଙ୍କୁ ଭୋଜି ଦିଆ ହୋଇ ବାହାଘର ପର୍ବ ସମାପ୍ତ କରାଗଲା  |

                    ଦିନ ପରେ ଦିନ ବିତି ଚାଲିଲା |ଇତି ମଧ୍ୟରେ ଉମା ଝିଲିକୁ ନିଜ ବୋହୂ ନୁହେଁ,ବରଂ ପୁଅର ସ୍ତ୍ରୀ ରୂପେ ସ୍ୱୀକାର କରି ନିଜ ମନକୁ ବୁଝାଇ ଦେଇଥିଲେ |ଘରେ ଝିଲି ରୋଷେଇବାସ ,ବାସନ ମଜା,,ଭିତର ଘର ଓଳେଇବା ଇତ୍ୟାଦି କାମ କରୁଥିଲା |ଉମା ବାହାର ବାଡ଼ି ଓଳାଇବା ସହିତ ଠାକୁର ପୂଜା କରୁଥିଲେ |  

            ପାଞ୍ଚ ବର୍ଷରେ ଝିଲିର ତିନି ଝିଅ ହେଲେ |ସେମାନଙ୍କୁ ତେଲ ଲଗାଇ,ଗାଧୋଇ,ଖୁଆଇ,ଶୁଆଇବା କାମ ଉମାଙ୍କର ଥିଲା |ପୁଅ ବୋହୂଙ୍କର ଖିଟମିଟରେ ସେ ଆଦୌ ମୁଣ୍ଡ ପୁରାଉ ନଥିଲେ,ବରଂ ମନେ ମନେ କହୁଥିଲେ,ଯିଏ ଆଣିଛି ସିଏ ବୁଝିବ,ମୋର କଣ ଯାଉଛି |ସେଦିନ ଉମା ସାନ ନାତୁଣୀକୁ ତେଲ ଲଗାଇ ଦେଉଥିବାବେଳେ ପୁଅ ବୋହୂଙ୍କର ପ୍ରବଳ ପାଟିତୁଣ୍ଡ ଶୁଣି ତର ତର ହୋଇ ନାତୁଣୀକୁ କାଖେଇ ସେଠାକୁ ଦୌଡିଲେ |ମନୁ ଓ ଝିଲିଙ୍କ ଭିତରେ ଝଗଡା ଚରମ ସୀମାରେ ପହଞ୍ଚିଥିଲା |ପିଲାମାନେ ଘଟଣା କଣ ଜାଣି ନପାରି ଭେଁ ଭେଁ ହୋଇ ରଡି ଛାଡୁଥିଲେ  |ଝିଲି ତାର ଛୋଟ ବ୍ୟାଗଟି ଧରି କହିଲା,ତମ ପିଲାଙ୍କୁ ତମେ ସମ୍ଭାଳ,ମୁଁ ଆଉ ଏଇଠି ମୁହୂର୍ତ୍ତେ ରହି ପାରିବିନି,ମୋ ବାପଘରକୁ ଯାଉଛି |ଆଉ ତମ ବାଟରେ କଣ୍ଟା ହେବିନି,ତମ ନୂଆ ପ୍ରେମିକାକୁ ବାହା ହୋଇ ସୁଖ ଶାନ୍ତିରେ ରୁହ  |ମନୁ କହିଲା,ଯୁଆଡେ ମରିବାକୁ ଇଚ୍ଛା ,ସିଆଡେ ଯାଆ,କିନ୍ତୁ   ତୋର ତିନିଟା ଯାକ ଝିଅଙ୍କୁ ସାଙ୍ଗରେ ନେଇ ଯାଆ |ମନୁ କଥା ଶୁଣି ଉମାଙ୍କର ମୁଣ୍ଡକୁ ପିତ୍ତ ଚଢ଼ିଗଲା |ସେ ନାତୁଣୀକୁ ତଳେ  ବସାଇ ଝିଲି କିଛି କହିବା ପୂର୍ବରୁ ମନୁ ଗାଲରେ ଗୋଟିଏ ଜୋରଦାର ଚଟକଣି ବସାଇଦେଲେ ଓ କହିଲେ,ଚୁପ ରହ ,ଅଲାଜୁକ କୁଳାଙ୍ଗାର ରସିକ ନାଗର |ଆମ ବଂଶରେ ଯାହା କେହି କରି ନଥିଲେ,ସେଇ କାମ ତୁ କରୁଛୁ |ଝିଲି କୁଆଡେ ଯିବନି |ସେ ମୋର ବୋହୂ ,ତାର ଝିଅ ମୋର ନାତୁଣୀ |ଯିବାର କଥା ଯଦି,ତୁ ଯିବୁ |ବହୁତ ହୋଇଗଲା,ବହୁତ ସହିଲି |ଏଇକ୍ଷିଣା ତୁ ମୋ ଘରୁ ବାହାର |ଏତିକି କହି ସେ ଝିଲିକୁ ଘରକୁ ଟାଣି ଆଣିଲେ ଓ ମନୁକୁ ବାହାରକୁ ପେଲି କବାଟ ଦେଇଦେଲେ |

            ଏହି ଘଟଣାକ୍ରମରେ ଝିଲି ଆଚମ୍ବିତ ହୋଇ ଯାଇଥିଲା ଓ ଅନେକ ଦିନରୁ ତାର ହୃଦୟ ଭିତରେ ଜମାଟ ବାନ୍ଧିଥିବା କୋହ ତରଳି ଯାଇ ଝର ଝର ହୋଇ ଅଶ୍ରୁ ରୂପରେ ଝରିବାକୁ ଲାଗିଥିଲା |ଉମା ତା ଆଖିରୁ ଲୁହ ପୋଛିଦେଇ  କହିଲେ,ଆଉ କାନ୍ଦନା | ତୁ ବୋଧେ ରାତି ସାରା ଶୋଇନୁ ,ଯାଆ  ଶୋଇପଡ,ମୁଁ ଆଜି ରୋଷେଇ କରିଦେବି |

             ଘଣ୍ଟାଏ ପରେ କବାଟରେ ଆବାଜ ଶୁଣି ଉମା କବାଟ ଖୋଲି ଦେଖିଲେ ବାହାରେ ମନୁ ଛିଡା ହୋଇଛି |ପଶ୍ଚାତାପରେ ମୁହଁ ତାର ଶୁଖି କଳାକାଠ ଦିଶୁଥିଲା |ସେ କିଛି କହିବା ପୂର୍ବରୁ ମନୁ ତାଙ୍କର ଦୁଇ ପାଦ ଜାବୁଡି ଧରି କହିଲା,ବୋଉ,ମତେ କ୍ଷମା କରିଦେ |ଆଉ ଏମିତି ଭୁଲ କରିବି ନାହିଁ |ଉମା କହିଲେ,ମତେ ନୁହେଁ,ଆଗେ ଝିଲିକୁ କ୍ଷମା ମାଗ |ମନୁ ଆଉ କିଛି ନକହି ଭିତରକୁ ଚାଲିଗଲା |କିଛି ସମୟ ପରେ ସେ ରୋଷେଇଘରକୁ ଆସି ଉମାଙ୍କ ହାତରୁ ଚଟୁ ନେଇ କହିଲା ,ଭୁଲ ମୁଁ କରିଛି,ପ୍ରାୟଶ୍ଚିତ୍ତ ମୁଁ କରିବି |ତୁ ଯାଆ ,ଆଜି  ସମସ୍ତଙ୍କ ପାଇଁ ମୁଁ ରୋଷେଇ କରିବି |

ସମାପ୍ତ |ମମତା ମହାନ୍ତି ସାମନ୍ତରାୟ |

       

No comments:

Post a Comment