Friday, December 17, 2021

ସାଥୀ ବିନା ଜୀବନ

                         ତିନି ମହଲା ବିଶିଷ୍ଟ ସୁଶ୍ରୀ  ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ବରୁଣ,ସୁକାନ୍ତ,ସୁଧୀର ଓ ହିମାଂଶୁ ରହୁଥିଲେ |ବରୁଣଙ୍କ ଦୁଇଝିଅ ,ହିମାଂଶୁଙ୍କ ଏକମାତ୍ର ପୁଅ ଓ ସୁଧୀରଙ୍କ ୨ପୁତ୍ରଙ୍କ ବିବାହ ସରିଥିବା ବେଳେ ସୁକାନ୍ତ ନିଃସନ୍ତାନ ଥିଲେ |ଅବସର ନେବାପାଇଁ,ସୁକାନ୍ତଙ୍କ ଆଉ ଦୁଇବର୍ଷ ବାକିଥିଲା ଓ  ଅନ୍ୟ ତିନି ବନ୍ଧୁ  ଅବସର ଗ୍ରହଣ କରି ସାରିଥିଲେ |ଦ୍ୱିତୀୟ ମହଲାରେ ଆଉ ସାତଟି ପରିବାର ରହୁଥିଲେ |କିନ୍ତୁ ଏଇ ଚାରିବନ୍ଧୁ ଅଧିକ ସମୟ ଏକାଠି ସମୟ ବିତାଉ ଥିଲେ |ବରୁଣଙ୍କ ସ୍ତ୍ରୀ ମୁକ୍ତା ପୂଜାପାଠରେ ରୁଚି ରଖିଥିଲେ ଓ ସେଥିରେ ଅଧିକ ସମୟ ବିତେଇବାକୁ ସେ ଭଲ ପାଉଥିଲେ |ଭୋର ପାଞ୍ଚଟା ବେଳେ ଆପାର୍ଟମେଣ୍ଟବାସୀ ଯେଉଁ ପ୍ରଥମ ଶଙ୍ଖ ଧ୍ୱନି ଶୁଣୁଥିଲେ,ତାହା ମୁକ୍ତାଙ୍କର ଥିଲା |ସୁକାନ୍ତଙ୍କ ସ୍ତ୍ରୀ ମଧୁ ଥିଲେ ମିଷ୍ଟଭାଷୀ ,ଖାଣ୍ଟି ଓଡ଼ିଆଣୀ ଓ ଘର ସାଜସଜ୍ଜାରେ ତାଙ୍କର ଅଧିକ ରୁଚି ଥିଲା  |ତାଙ୍କର ଆଉ ଏକ ବିଶେଷତ୍ତ୍ୱ ଥିଲା,ତା ହେଲା,ତାଙ୍କ ମୁଣ୍ଡର ଓଢଣା କେବେ ବି ଖସୁ ନଥିଲା | ସୁଧୀରଙ୍କ ସ୍ତ୍ରୀ ରିମା ଅତ୍ୟନ୍ତ ସାଧାସିଧା ଓ ରନ୍ଧନ ନିପୁଣା ଥିଲେ |ସପ୍ତାହରେ ଥରେ ଯେମିତି ହେଲେବି ସମସ୍ତେ ତାଙ୍କ ଘରକୁ ଆସୁଥିଲେ ଓ ସେ ପ୍ରତ୍ୟେକ ଥର ନୂତନ ଷ୍ଟାଇଲରେ ରୋଷେଇ କରି,ସମସ୍ତଙ୍କ ମନ କିଣି ନେଉଥିଲେ |ହିମାଂଶୁଙ୍କ ସ୍ତ୍ରୀ ସ୍ନିଗ୍ଧା କିନ୍ତୁ ସମସ୍ତଙ୍କ ଠାରୁ ଭିନ୍ନ ଥିଲେ |ଅତ୍ୟନ୍ତ ସୁନ୍ଦରୀ,ଆଧୁନିକା ଓ  ଆକର୍ଷଣୀୟ  ଚେହେରା ଦେଖି ତାଙ୍କର ପ୍ରକୃତ ବୟସର କଳନା କରିବା କାହାରି ପକ୍ଷରେ ସମ୍ଭବ ନଥିଲା  |ଯେ କେହି ହେଉନା କାହିଁକି,ତାଙ୍କୁ ଯିଏ ଥରେ ଦେଖୁଥିଲା,ଆଉଥରେ ଦେଖିବା ପାଇଁ,ନିଶ୍ଚୟ ମନ କରୁଥିଲା |ଗୀଟାର ବଜାଇବାକୁ ସେ ବହୁତ ଭଲ ପାଉଥିଲେ |ଚାରିବନ୍ଧୁଙ୍କ  ପ୍ରକୃତି ଓ ଚିନ୍ତାଧାରା ଭିନ୍ନ ଥିଲେ ବି,ଏକାଠି ବୁଲିବା ଓ ମଉଜ ମସ୍ତି କରିବାରେ ସମସ୍ତଙ୍କ ମତ ଏକ ଥିଲା |

                      ସେଥର ନୂତନ ବର୍ଷ ଉପଲକ୍ଷେ ଦ୍ୱିତୀୟ ମହଲାର ସମସ୍ତ ପରିବାର ଡିସେମ୍ବର ମାସର ଶେଷ ରବିବାର ଦିନ ପିକନିକରେ ଯିବାପାଇଁ ସ୍ଥିର କଲେ | ଏଥିପାଇଁ ଚାରିବନ୍ଧୁଙ୍କୁ ପିକନିକ ସ୍ଥାନ ନିରୂପଣ କରିବାଠାରୁ ଆରମ୍ଭ କରି ଗାଡି ଯୋଗାଡ଼ କରିବା ପର୍ଯ୍ୟନ୍ତ ସମସ୍ତ ଆୟୋଜନର ଦାୟିତ୍ତ୍ୱ ଦିଆଗଲା |ଚାରିବନ୍ଧୁ ମଧ୍ୟ ଖୁସିରେ ସବୁ ଆୟୋଜନରେ ଲାଗି ପଡିଲେ | ସେଦିନ ସକାଳ ଆଠଟା ସୁଦ୍ଧା ସମସ୍ତେ ବାହାରିଲେ  |ତାର ଏକଘଣ୍ଟା ପୂର୍ବରୁ,ଅନ୍ୟ ଏକ ଗାଡ଼ିରେ ପିକନିକ ସ୍ଥଳରେ ଭୋଜିର ଆୟୋଜନ କରିବାକୁ ଚାରିବନ୍ଧୁ  ରୋଷେଇ ସାମଗ୍ରୀ,ସରଞ୍ଜାମ ଓ ରୋଷେଇଆ ସହ ଗଲେ |ବ୍ରେକଫାଷ୍ଟରେ ସମସ୍ତଙ୍କ  ପାଇଁ,ପ୍ୟାକେଟ ବନ୍ଦୋବସ୍ତ ହୋଇଥିଲା |ବସରେ ଜଳଖିଆ ପ୍ୟାକେଟ ଖୋଲି ଖାଉ ଖାଉ ହସ,ଖୁସି ଓ ଆନନ୍ଦରେ ସମସ୍ତେ ମସଗୁଲ ଥିଲେ |କିନ୍ତୁ ସେମାନଙ୍କର ଏହି ଆନନ୍ଦ ବେଶି ସମୟ ରହିଲା ନାହିଁ | ନଅଟା ପାଖାପାଖି ବେଳକୁ ଖବର ଆସିଲା,ବରୁଣ ଇତ୍ୟାଦିଙ୍କୁ ନେଇ,ଆଗରେ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଥିବା ଏକ ଖାଇରେ ଖସି ପଡିଛି |  ମୁହୂର୍ତ୍ତକ ମଧ୍ୟରେ ସମସ୍ତ ଆନନ୍ଦ ଶୋକରେ ପରିଣତ ହୋଇଗଲା |ବିଶେଷ କରି ମୁକ୍ତା ,ମଧୁ,ରିମା ଓ ସ୍ନିଗ୍ଧାଙ୍କ ଅବସ୍ଥା ଶୋଚନୀୟ ଥିଲା |ଏହି ପରିସ୍ଥିତିରେ ସେମାନଙ୍କୁ ସାନ୍ତ୍ୱନା ଦେବା ଛଡ଼ା ଆଉ କିଛି କରିବାର ନଥିଲା |

                    ଦୁର୍ଘଟଣାରେ ଗୁରୁତର ଆଘାତ ପ୍ରାପ୍ତ ଏକମାତ୍ର ଡ୍ରାଇଭର ଛଡ଼ା ,ଆଉ କେହି ବଞ୍ଚି ନଥିଲେ |ଚାରିବନ୍ଧୁ ଚାଲିଯିବା ପରେ ସେମାନଙ୍କ ପରିବାର ଉପରେ ଯେପରି ଚଡ଼କ ପଡିଯାଇଥିଲା  |ସ୍ୱାମୀଙ୍କ ବିୟୋଗ ସହ୍ୟ କରିବା ମଧୁଙ୍କ ପକ୍ଷେ ଅସହ୍ୟ ଥିଲା |ସେ ସେହିଦିନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ |ସବୁବେଳେ ପୂଜାପାଠ କରିବାକୁ ଭଲପାଉଥିବା ମୁକ୍ତା ଈଶ୍ୱରଙ୍କୁ ଅଭିମାନ କରି ସବୁଦିନପାଇଁ ନିଜ ପୂଜାଘର ବନ୍ଦ କରିଦେଲେ |ସେ ଭାବୁଥିଲେ,ଏତେ ପୂଜା କରିବା ସତ୍ତ୍ୱେ ଈଶ୍ୱର ଯଦି ତାଙ୍କ ସ୍ୱାମୀଙ୍କୁ ବଞ୍ଚେଇ ପାରିଲେ ନାହିଁ,ତାହେଲେ ସର୍ବଶକ୍ତିମାନ ଈଶ୍ୱରଙ୍କୁ ପୂଜା କରି ଲାଭ କଣ ???ରିମା ନିଜର ସାଜସଜ୍ଜାକୁ ପରିତ୍ୟାଗ କରି ସନ୍ନ୍ୟାସିନୀର ଜୀବନ ଆପଣେଇ ନେଇଥିଲେ  |ତାଙ୍କ ଚେହେରା ଦେଖି ହଠାତ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଥିଲା |କାରଣ ଏହି ପରିବର୍ତ୍ତିତ ଚେହେରା ତାଙ୍କର ବୟସକୁ ଅତି କମରେ କୋଡ଼ିଏ  ବର୍ଷ ବଢ଼େଇ ଦେଇଥିଲା |ସ୍ନିଗ୍ଧା କିନ୍ତୁ ବଦଳି ନଥିଲେ |ପୂର୍ବପରି ତାଙ୍କ ଚେହେରାରେ ଚମକ ଓ ଆକର୍ଷଣ ଥିଲା ଓ ସେ ସେମିତି ସଧବା ବେଶରେ ରହୁଥିଲେ |ସନ୍ଧ୍ୟାବେଳେ ଗୀଟାର  ବାଦନ କରି ସେଥିରେ ମଜ୍ଜି ଯାଉଥିଲେ |

                ମୁକ୍ତା କିନ୍ତୁ ସ୍ନିଗ୍ଧାଙ୍କ ଏପରି ଅପରିବର୍ତ୍ତିତ ଗତିବିଧିକୁ ଆଦୌ ପସନ୍ଦ କରି ପାରୁନଥିଲେ |ଏତେବଡ଼ କ୍ଷତି ହୋଇଗଲା,ଅଥଚ ସେ ଯେମିତି ଥିଲେ ସେମିତି ??ତାଙ୍କ ଆଚରଣରେ ଟିକିଏ ବି ପରିବର୍ତ୍ତନ ଆସିଲା ନାହିଁ ?ଇଏ କି ଭଲପାଇବା ?ପ୍ରକୃତରେ ସେ ହିମାଂଶୁଙ୍କୁ ଭଲ ପାଉଥିଲେ କି ନାହିଁ,ତାହା ତାଙ୍କୁ ହିଁ ଜଣା !ଥରେ ସେ ସାହସ କରି ସ୍ନିଗ୍ଧାଙ୍କୁ ଏକଥା ପଚାରିଦେଲେ |ସ୍ନିଗ୍ଧା କହିଲେ,ଆପଣମାନଙ୍କ ପାଇଁ ସେ ମୃତ,ମୋପାଇଁ କିନ୍ତୁ ସେ ଏବେବି ଜୀବିତ,ମୁଁ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି |ଆପଣ ସେକଥା ବୁଝି ପାରିବେ ନାହିଁ |ଏପରି ଅବାନ୍ତର କଥା ଶୁଣି ମୁକ୍ତାଙ୍କର  ସ୍ନିଗ୍ଧାଙ୍କ ଉପରେ ପ୍ରଚଣ୍ଡ ରାଗ ଆସୁଥିଲା |ଦିନେ ସେ କରିଡରରେ ବୁଲୁଥିବାବେଳେ କେହି ଜଣେ ସ୍ନିଗ୍ଧାଙ୍କ କବାଟ ଖୋଲି ଭିତରକୁ ପଶିଯିବାର ସେ ଲକ୍ଷ୍ୟ କଲେ |ସେତେବେଳେ ସ୍ନିଗ୍ଧାଙ୍କର ଗୀଟାର ବଜାଇବା ସମୟ | କୌତୂହଳୀ ହୋଇ ଘଟଣା କଣ ଜାଣିବା ଉଦ୍ଦେଶ୍ୟରେ ସେ ଧୀରେ ଧୀରେ ଯାଇ,ବାହାରପଟକୁ ଥିବା ସ୍ନିଗ୍ଧାଙ୍କ ଝରକା ପାଖରେ ଛିଡା ହେଲେ |ଝରକାରେ ପର୍ଦ୍ଦା ପଡି ନଥିଲା,ହୁଏତ ସ୍ନିଗ୍ଧା ସେଦିନ  ପର୍ଦ୍ଦା ପକାଇବାକୁ ଭୁଲି ଯାଇଥିଲେ |ସେଠାରେ ପହଞ୍ଚି ଭିତରର ଦୃଶ୍ୟ ଦେଖି ସେ ନିଜକୁ ବିଶ୍ୱାସ କରି ପାରିଲେ ନାହିଁ |ସ୍ନିଗ୍ଧା ବିମୋହିତ ହୋଇ ଗୀଟାର ବଜାଉ  ଥିଲେ ଓ ପାଖରେ ତାଙ୍କ କାନ୍ଧରେ ହାତ ରଖି ହିମାଂଶୁ ତନ୍ମୟ ହୋଇ ତାଙ୍କ ଗୀଟାର ବାଦନ ଶୁଣୁଥିଲେ !!!ଏପରି ଦୃଶ୍ୟ ମୁକ୍ତାଙ୍କ ପାଇଁ କଳ୍ପନାତୀତ ଥିଲା |ସେ ନିଜକୁ ବିଶ୍ୱାସ କରି ପାରୁନଥିଲେ | ହଠାତ ଆପାର୍ଟମେଣ୍ଟରୁ କରେଣ୍ଟ ଚାଲିଗଲା ଓ ଚତୁର୍ଦ୍ଦିଗ ଅନ୍ଧକାର ହୋଇଗଲା |ମୁକ୍ତା କିଛି ଭାବିବା ପୂର୍ବରୁ ତାଙ୍କ ପାଖ ଦେଇ ଦମକାଏ ଶୀତଳ ପବନ ଚାଲିଯିବାର ସେ ଅନୁଭବ କଲେ |

                ପରମୁହୂର୍ତ୍ତରେ କରେଣ୍ଟ ଆସିଗଲା |ମୁକ୍ତା  ଚାହିଁ ଦେଖିଲେ,ସ୍ନିଗ୍ଧା ସେମିତି ନିର୍ଲିପ୍ତ ନିର୍ବିକାର ହୋଇ ଗୀଟାର ବଜାଉଛନ୍ତି,ପାଖରେ କିଛିକ୍ଷଣ ପୂର୍ବରୁ ଦେଖିଥିବା ହିମାଂଶୁ କିନ୍ତୁ ନଥିଲେ |||

             

                






No comments:

Post a Comment