Monday, December 27, 2021

ସମୟର କଥା

                           ଲକ୍ଷ୍ମୀ ତାର ବାପା ମାଆଙ୍କ ସହିତ ବାଘଛାଲ ବସ୍ତିରେ ରହୁଥିଲା |ବାପ ତ୍ରିନାଥ ଦିନ ମଜୁରିଆ ଥିଲା  |ଦିନସାରା କାମ କରି,ସନ୍ଧ୍ୟାବେଳେ ବୋଝେ ମଦ ପିଇ ସେ ଘରକୁ ଫେରୁଥିଲା ଓ ବିନା କାରଣରେ ତାର ମାଆକୁ ପିଟୁଥିଲା |ମାଆ ବାବୁମାନଙ୍କ ଘରେ କାମ କରି ଯାହା ରୋଜଗାର କରୁଥିଲା,ସବୁ ତ୍ରିନାଥ ମଦରେ ଉଡ଼େଇ ଦେଉଥିଲା |ଏମିତି ମାଡ଼ ଖାଇ ଖାଇ ଦିନେ ଅଜାଗାରେ ବାଜି ଯିବାରୁ ମାଆ ତାର ମରିଗଲା |ପୋଲିସ ଭୟରେ ତ୍ରିନାଥ ଲକ୍ଷ୍ମୀକୁ ଏକୁଟିଆ ଛାଡି ଫେରାର ହୋଇଗଲା |ଲକ୍ଷ୍ମୀକୁ ସେତେବେଳେ ଦଶ ବର୍ଷ ବୟସ |ଉପାୟହୀନା ହୋଇ ସେ କିଛି ଦୂରରେ ଥିବା ତାର ଲେଖା ଯୋଖା ମଞ୍ଜୁମାଉସୀଙ୍କ  ଘରେ ଆଶ୍ରୟ ନେଲା |ବିଧବା ମଞ୍ଜୁମାଉସୀଙ୍କ ଘରେ ତା ପରି ଚାରିଜଣ ଅନାଥ ପୁଅଝିଅ ଥିଲେ |ସବୁଠାରୁ ଛୋଟ ଝିଅଟି ଦେଢ଼ ବର୍ଷର ହୋଇଥିବାବେଳେ ସମସ୍ତଙ୍କଠାରୁ ବଡ଼ ବିଭାସକୁ ବାର ବର୍ଷ ହୋଇଥିଲା |ମଞ୍ଜୁମାଉସୀ ବସ୍ତି ପିଲାଙ୍କୁ ଟିଉସନ କରି ଯେଉଁ ଅର୍ଥ ଉପାର୍ଜନ କରୁଥିଲେ,ସେଥିରେ ଦୁଃଖେ କଷ୍ଟେ ଚଳି ଯାଉଥିଲେ | ଲକ୍ଷ୍ମୀ ସେଠାରେ ରହି,ଘର କାମରେ ମଞ୍ଜୁମାଉସୀଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ସ୍କୁଲକୁ ଯାଇ ତାର ପାଠପଢା ଜାରି ରଖିଲା |

                   ଦୁଇବର୍ଷ ପରେ ତ୍ରିନାଥ ଦ୍ୱିତୀୟ ସ୍ତ୍ରୀ ଗଙ୍ଗା ଓ ଛଅ ମାସର ପୁଅକୁ ଧରି ତାର ପୁରୁଣା ଘରକୁ ଫେରିଲା |ସେଠାରେ ପହଞ୍ଚି ଲକ୍ଷ୍ମୀ ବିଷୟରେ ଖବର ନେଇ ତାକୁ ଫୁସୁଲା ଫୁସୁଲି କରି ପାଖକୁ ନେଇ ଆସିଲା |ମାଆ ହତ୍ୟାକାରୀ ବାପା ସାଙ୍ଗରେ ଯିବା ପାଇଁ ଲକ୍ଷ୍ମୀର ଆଦୌ ଇଛା ନଥିଲା |କିନ୍ତୁ ସେ ତାକୁ ଭଲ ସ୍କୁଲରେ ପାଠ ପଢାଇବାର ଲୋଭ ଦେଖାଇବାରୁ ଲକ୍ଷ୍ମୀ ତା କଥାରେ ଭଳି ଗଲା ଓ ତା ସହିତ ଚାଲି ଆସିଲା |କିନ୍ତୁ ପରେ ଜାଣିଲା,କେବଳ ଘର କାମ କରିବାକୁ ଓ ତାର ସାବତ ଭାଇର ଦେଖାଶୁଣା କରିବାକୁ ବାପା ତାକୁ ଡାକି ଆଣିଥିଲା |ନୂଆ ମା ତାକୁ ଦିନାକେତେ ଭାରି ଭଲ ପାଇଲା |କିନ୍ତୁ କିଛିଦିନ ପରେ ତାର ସାମାନ୍ୟ ଭୁଲ ପାଇଁ ତାକୁ କଥା କଥାକେ ଗାଳି ଗୁଲଜ ଓ ପରେ ବାଡ଼ିରେ ପିଟିବା ଆରମ୍ଭ କଲା |ଏମିତିକି ତାର ଚେହେରାକୁ ବିଦ୍ରୁପ କରି ସେ ତାକୁ ଲକ୍ଷ୍ମୀ ପରିବର୍ତ୍ତେ "ପାତି" ବୋଲି ଡାକୁଥିଲା |ବାପା ଘରକୁ ଫେରିବା ପରେ ଲକ୍ଷ୍ମୀ ଯେତେବେଳେ ତାକୁ ଏକଥା କହୁଥିଲା ,ସେ ତାକୁ ବୁଝାଇବ କଣ,ଓଲଟି ମାଆ ନାଆଁରେ କାହିଁକି ଚୁଗୁଲି କରୁଛୁ କହି,ପିଟୁଥିଲା |ଲକ୍ଷ୍ମୀ ସେତେବେଳେ ରାଗିକରି ମଞ୍ଜୁମାଉସୀଙ୍କ ଘରକୁ ଚାଲି ଆସୁଥିଲା ଓ ତାଙ୍କୁ ସବୁକଥା  କହି,ତାଙ୍କଠାରୁ ସାନ୍ତ୍ୱନା ପାଇ,ତାର ଦୁଃଖ ଲାଘବ କରୁଥିଲା |ସେତେବେଳେ ମଞ୍ଜୁମାଉସୀଙ୍କ ଛଡ଼ା  ଆଉଜଣେ ମଧ୍ୟ ତାର ଦୁଃଖ ଅନୁଭବ କରୁଥିଲା,ସେ ହେଲା ବିଭାସ |କିଛିଦିନ ପରେ ତ୍ରିନାଥ  ଆସି ତାକୁ କଅଁଳ କଥା କହି ଘରକୁ ନେଇ ଯାଉଥିଲା ଓ ପୁଣି ସେଇ ପୁରୁଣା କଥାର ପୁନରାବୃତ୍ତି ହେଉଥିଲା |ଲକ୍ଷ୍ମୀ ସ୍କୁଲରେ ପଢିବା ସଙ୍ଗେ ସଙ୍ଗେ ଚାରି  ଘରେ ପାଇଟି କରୁଥିଲା ଓ ନିଜ ପଢା ଖର୍ଚ୍ଚ ନିଜେ ଉଠାଉ ଥିଲା |ଏମିତି ଦୁଃଖ କଷ୍ଟରେ ସେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାଶ କଲା |କିନ୍ତୁ ବାପା ଓ ତାର ନୂଆ ମାଆ ତାର ଏହି ଅସାଧାରଣ କୃତ୍ତିତ୍ତ୍ଵରେ ଖୁସି ନଥିଲେ |ପ୍ଲସ ଟୁ ରେ ନାମ ଲେଖାଇ ଅଧିକ ପାଠ ପଢିବା ପାଇଁ ଲକ୍ଷ୍ମୀର ବହୁତ ଇଛା ଥିଲା |କିନ୍ତୁ ଗଙ୍ଗା ପାଇଁ ଏହା ଅସହ୍ୟ ଥିଲା | ଯେଉଁଦିନ ସେ ତ୍ରିନାଥକୁ କହି ତା ପାଠପଢ଼ାରେ ଡୋରି ବାନ୍ଧିବାକୁ ନିଷ୍ପତ୍ତି ନେଲା,ସେହିଦିନ ଲକ୍ଷ୍ମୀ ସବୁଦିନ ପାଇଁ ଘର ଛାଡି,ମଞ୍ଜୁମାଉସୀଙ୍କ ଘରକୁ ଚାଲି ଆସିଲା |

               ଲକ୍ଷ୍ମୀ ଘରୁ ଚାଲି ଆସିବାରୁ ତାର ଅର୍ଜିତ ରାଶି ଆଉ ତ୍ରିନାଥ ପାଇ ପାରିଲା ନାହିଁ |ଲକ୍ଷ୍ମୀ ସହିତ ବିଭାସର ସମ୍ପର୍କ ଥିବା କଥା ମଧ୍ୟ ସେ ଜାଣିବାକୁ ପାଇଲା |ତେଣୁ ସେ ନିତି ମଞ୍ଜୁଙ୍କ ଘରକୁ  ଆସି ଗଣ୍ଡଗୋଳ କଲା ଓ ବିଭାସକୁ ଜୀବନରୁ ମାରି ଦେବାପାଇଁ ଧମକ ଦେଲା |ମଞ୍ଜୁ ବାଧ୍ୟହୋଇ ସ୍ଥାନୀୟ ମନ୍ଦିରରେ ଲକ୍ଷ୍ମୀ ଓ ବିଭାସର ବାହାଘର କରିଦେଲେ |ବାହାଘର ପରେ ଵିଭାସ ସେହି ବସ୍ତି ଛାଡି ଅନ୍ୟ ଏକ ବସ୍ତିରେ ଲକ୍ଷ୍ମୀ ସହିତ ଆନନ୍ଦରେ ରହିବାକୁ ଲାଗିଲା |

             ଵିଭାସ ଏକ ଫାବ୍ରିକେସନ କମ୍ପାନୀରେ ଚାକିରୀ କରୁଥିଲା |ତା ହାତ ତିଆରି ଷ୍ଟିଲ ଫର୍ଣ୍ଣିଚର ଗ୍ରାହକମାନେ ଖୁବ ପସନ୍ଦ କରୁଥିଲେ |ଲକ୍ଷ୍ମୀର ପରାମର୍ଶରେ ବିଭାସ ସେହି କମ୍ପାନୀରୁ ବାହାରି ଆସି, ନିଜେ ସ୍ୱାଧୀନ ଭାବରେ ଷ୍ଟିଲ ଫର୍ଣ୍ଣିଚର ତିଆରି କଲା ଓ ନିଜ କମ୍ପାନୀର ନାମ "ଲକ୍ଷ୍ମୀ ଷ୍ଟିଲ ଫର୍ଣ୍ଣିଚର" ରଖିଲା |କିଛି ବର୍ଷ ଭିତରେ ବିଭାସର କମ୍ପାନୀ ହୁ ହୁ ହୋଇ ବଢି ଚାଲିଲା ଓ ସେ ତା ଉତ୍ପାଦିତ ଷ୍ଟିଲ ଫର୍ଣ୍ଣିଚର ସରକାରୀ ଅଫିସକୁ ସଫଳତାର ସହ ସପ୍ଲାଇ କରିବାକୁ ଲାଗିଲା |ଇତି ମଧ୍ୟରେ ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରି ସେମାନଙ୍କ କୋଳକୁ ଝିଅଟିଏ ଆସିଲା ଓ ଖୁସିରେ ଲକ୍ଷ୍ମୀ ତାର ନାମ ବିଦ୍ୟା ରଖିଲା |

             ସମୟ ଗଡି ଚାଲିଲା |ଦିନେ ଟଙ୍କାଟିଏ ପାଇଁ ସଙ୍ଘର୍ଷ କରୁଥିବା ବିଭାସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିବା,କୋଠାଘରେ ରହିବା ,ଗାଡି ଚଢିବା,ଆଜ୍ଞା ପାଳନକାରୀ ଚାକର ପୂଜାରୀଙ୍କ ମେଳରେ ରହିବା ଓ ସମସ୍ତ ପ୍ରକାର ସୁଖ ସୁବିଧା ହାସଲ କରିବା,କୌଣସି ଫିଲ୍ମର କାହାଣୀ  ଠାରୁ କମ ନଥିଲା | କ୍ରମେ ଅଧିକରୁ ଅଧିକ  ଅର୍ଥ ରୋଜଗାର କରିବା  ମୋହରେ ତାର ପାଦ ଖସିଗଲା |ତାକୁ ଆଉ ଲକ୍ଷ୍ମୀର ମୁହଁ ଭଲ ଲାଗିଲା ନାହିଁ |କୁସଙ୍ଗରେ ପଡି ସେ ପ୍ରତିଦିନ ଆକଣ୍ଠ ମଦ୍ୟ ପାନ କରି ଘରକୁ ଫେରୁଥିଲା ଓ ଲକ୍ଷ୍ମୀର ପଦେ କଥାରେ ସେ ଘରେ ଖଣ୍ଡ ପ୍ରଳୟ ସୃଷ୍ଟି କରୁଥିଲା |ଦିନେ ଲକ୍ଷ୍ମୀ ଜାଣିଲା ବିଭାସ କୌଣସି ଏକ କାର୍ଯ୍ୟାଳୟର ଟାଇପିଷ୍ଟ  ପ୍ରେମରେ ପଡିଛି |ବିଭାସକୁ  ଏକଥା ପଚାରିବାରୁ ସେ କ୍ରୋଧରେ ନିଜ ହିତାହିତ ଜ୍ଞାନ ହରାଇ ବସିଲା ଓ କହିଲା,ଅଲକ୍ଷଣୀ ପାତି,ତୁ ମୋର ପାଦର ଚପଲ |ତତେ ବାହାହୋଇ ମୁଁ ମସ୍ତବଡ ଭୁଲ କରିଛି | ମୋର ଯାହା ଇଚ୍ଛା,ମୁଁ ତାହା କରିବି |ତୋର ମନ ହେଲେ ତୁ ଏ ଘରେ ରହ,ନହେଲେ,ଝିଅକୁ ଧରି,ଯୁଆଡେ ଇଚ୍ଛା,ସିଆଡେ ଚାଲିଯା |ଲକ୍ଷ୍ମୀ ଜୀବନରେ ବହୁତ ଦୁଃଖ ସହିଥିଲା |ଦିବ୍ୟା ମୁହଁକୁ ଚାହିଁ,ଏହି ଦୁଃଖକୁ ମଧ୍ୟ ସହିଯିବା ପାଇଁ ସେ ନିଷ୍ପତ୍ତି ନେଲା | ସେହିଦିନ ଠାରୁ ସେ  ଚୁପ ରହିଲା ଓ ବିଭାସର କୌଣସି କାର୍ଯ୍ୟରେ ବାଧା ଦେଲା ନାହିଁ |

               ଏହି ଘଟଣାର କିଛିଦିନ ପରେ,ବିଭାସ ଜୟା ନାମ୍ନୀ ତରୁଣୀକୁ ଘରକୁ ନେଇ ଆସିଲା ଓ ସେମାନେ ଉପର ମହଲାରେ ବିଳାସବ୍ୟସନରେ ରହିବାକୁ ଲାଗିଲେ |ଲକ୍ଷ୍ମୀ ତା ଝିଅ ସହ ମଝି ମହଲାରେ ରହିଲା |ତଳ ମହଲା ସଂପୂର୍ଣ୍ଣ ଭାବେ ଅଫିସ କାମ ପାଇଁ ବ୍ୟବହୃତ ହେଉଥିଲା  |

                  କିନ୍ତୁ ବିଧାତାର ନିର୍ଦ୍ଦେଶ ଭିନ୍ନ ଥିଲା |ଦିନେ ଟ୍ରକରୁ ମାଲ ଅନଲୋଡ଼ ହେଉଥିବା ବେଳେ ଏକ ଭାରି ଆଲମିରା ବିଭାସ ଉପରେ ଅଚାନକ ଖସି ପଡିଲା |ବିଭାସ ଗୁରୁତର ଆଘାତପ୍ରାପ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଲା ଓ ତାର ଚିକିତ୍ସାରେ ପାଣି ପରି ଟଙ୍କା  ଖର୍ଚ୍ଚ ହେଲା |ଦୁଇବର୍ଷ ପରେ ସେ କ୍ରମେ ଚାଲିବାକୁ ସକ୍ଷମ ହେଲା ସିନା, ସବୁଦିନ ପାଇଁ ତାର ଦୃଷ୍ଟିଶକ୍ତି ଚାଲିଯାଇଥିଲା | ବ୍ୟୟବହୁଳ  ଚିକିତ୍ସାରେ ତାର ଗାଡି,ଘର ସବୁ ବିକ୍ରୀ ହୋଇ ଯାଇଥିଲା, ବ୍ୟାଙ୍କ ବାଲାନ୍ସ ଖାଲି ହୋଇ ଯାଇଥିଲା ଓ ସେ ପୁଣି ତାର ପୁରୁଣା,ସଂଘର୍ଷମୟ  ଜୀବନକୁ ଫେରି ଯାଇଥିଲା |ଦୁର୍ଘଟଣା ପରେ ପରେ ଜୟା ବି  ଅନ୍ତର୍ଦ୍ଧାନ ହୋଇ ଯାଇଥିଲା |

                  ଏତେ ସୁଖ ଆସିବା ଓ ହଠାତ ଚାଲିଯିବାକୁ ବିଭାସ  ଆଦୌ ସହିପାରୁନଥିଲା ଓ ତାର ସୁଖର ଦିନକୁ ଝୁରି ହେଉଥିଲା |ଲକ୍ଷ୍ମୀ କିନ୍ତୁ ହାର ମାନି ନଥିଲା |ବିଭାସ ଟିକିଏ ଭଲ ହେବା ପରେ ସେ ପୁରୁଣା କାରିଗରଙ୍କୁ ଏକାଠି କରି କାରଖାନା ଚଲେଇବାକୁ ତାର ଅହରହ ଉଦ୍ୟମ ଜାରି ରଖିଥିଲା |ଏଥିପାଇଁ ସେ ଘରେ ଅଧିକ ସମୟ ଅନୁପସ୍ଥିତ ରହୁଥିଲା |ତାର ଏହି ଅନୁପସ୍ଥିତିକୁ ବିଭାସ ସନ୍ଦେହ କରୁଥିଲା ଓ ଲକ୍ଷ୍ମୀ ଯେତେ ଯାହା କୈଫିୟତ ଦେଲେ ବି ସେ ସେଥିରେ ସନ୍ତୁଷ୍ଟ ହେଉ ନଥିଲା |ଦିନେ ତାର ଏକ ବୋତଲ ସାଙ୍ଗ ତା ଘରକୁ ଆସିଲା ଓ ବିଭାସକୁ ସୁହାଇବା ପରି,ଲକ୍ଷ୍ମୀ ନାମରେ ଏଣୁ ତେଣୁ ଗୁଡ଼ାଏ ମିଛ କଥା ଗପିଗଲା |ସେ ଏକଥା ମଧ୍ୟ କହିଲା ଯେ,ଲକ୍ଷ୍ମୀ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଖରାପ ସମ୍ପର୍କ ରଖି ଲୋନ ଆଣିବାକୁ ଚେଷ୍ଟା କରୁଛି |ନିଜର ଶାରୀରିକ ଅକ୍ଷମତା ପାଇଁ ମାନସିକ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ବିଭାସ ପାଇଁ ଏହା ଏକାବେଳକେ ଅସହ୍ୟ ଥିଲା |ସେ ଭାବିନେଲା ,ଲକ୍ଷ୍ମୀ ତାର ଅସୁସ୍ଥତାର ସୁଯୋଗ ନେଇ ସ୍ୱେଚ୍ଛାଚାରିଣୀ ହୋଇଯାଇଛି |ଅତ୍ୟଧିକ କ୍ରୋଧରେ ସେ ନିଜର  ମାନସିକ ଭାରସାମ୍ୟ ହରାଇ ବସିଲା |

                ଅନେକ ପରିଶ୍ରମ ଓ ଧାଁ ଦୌଡ଼ ପରେ  ନିଜର ନୂଆ ପ୍ରୋଜେକ୍ଟ ପାଇଁ ଲକ୍ଷ୍ମୀକୁ ସେହିଦିନ ବ୍ୟାଙ୍କଲୋନ ମଞ୍ଜୁର ହୋଇ ଯାଇଥିବାରୁ ସେ ଅତି ଖୁସିରେ ସେହିକଥା ବିଭାସକୁ କହିବା ପାଇଁ ଘରକୁ ଛୁଟି ଆସିଲା |କିନ୍ତୁ ବିଭାସକୁ କିଛି କହିବା ପୂର୍ବରୁ,ସେ ଚିତ୍କାର କରି କହିଲା,କୁଳଟା,ଦୋଚାରୁଣୀ,ପାତି,ପାପିନୀ ,ଏ ଘରେ ତୋର ଆଉ ସ୍ଥାନ ନାହିଁ,ଏଇକ୍ଷଣି ଯେଉଁଠୁ ଆସିଥିଲୁ,ସେଇଠିକି ଚାଲିଯା |ଲକ୍ଷ୍ମୀର ସବୁ ଖୁସି ମିଳେଇ ଗଲା |ସେ ସେମିତି ପଥର ପରି ଛିଡ଼ାହୋଇ  ବିଭାସର ଗାଳି ଶୁଣିବାକୁ ଲାଗିଲା |ସେତିକିବେଳେ ବିଦ୍ୟା  ବାଡ଼ିପଟ କବାଟ ଖୋଲି ଦେବାରୁ ସେ ଘର ଭିତରକୁ ଗଲା |ବିଭାସ ଯେତେ ରାଗିଲେ ବି,ପରମୁହୂର୍ତ୍ତରେ ଶାନ୍ତ ହୋଇଯାଏ ଓ ତାକୁ ବୁଝାଇଦେଲେ ସେ ବୁଝିଯାଏ |କିନ୍ତୁ ସେଦିନ ତାର ମୁଣ୍ଡରୁ ରାଗ ଓହ୍ଲାଉ ନଥିଲା |ରାତିରେ ଯେତେବେଳେ ଲକ୍ଷ୍ମୀ ସମସ୍ତଙ୍କ ପାଇଁ ଖାଇବା ବାଢ଼ିଦେଇ ତାକୁ ଖାଇବାକୁ ଡାକିଲା,ବିଭାସ ଖାଇବା ଥାଳି ଫୋପାଡ଼ି ଦେଇ କହିଲା,ତୁ ମଲାପରେ ମୁଁ ଖାଇବି |ସେ ନଖାଇବାରୁ ଆଉ କେହି ଖାଇଲେ ନାହିଁ ଓ ସମସ୍ତେ ଉପାସରେ ଶୋଇଲେ |

           ଲକ୍ଷ୍ମୀର ଆଖିରେ କିନ୍ତୁ ନିଦ ନଥିଲା |ଏତେଦିନ ଦୁଃଖ,ଅତ୍ୟାଚାର ସହିବା ପରେ ଆଉ ବଞ୍ଚି ରହିବାକୁ ତିଳେ ମାତ୍ର ତାର ଇଚ୍ଛା ନଥିଲା |ସମସ୍ତେ ଶୋଇବାପରେ ସେ ଅଧା ଢାଳ ପାଣିରେ ପୁଳାଏ ଦାନାଦାର ଗୋଳାଇ ଠାକୁରଙ୍କ ପାଖରେ ବସି ତାର ଶେଷ ପ୍ରଣାମ ଜଣାଇଲା ଓ ତାକୁ ପିଇବାକୁ ଯିବାବେଳେ ପଛପଟୁ ଏକ ଶକ୍ତ ଗୋଇଠା ମାଡ଼ ଖାଇ ତାର ହାତରୁ ଢାଳ ଖସିଗଲା | ଚମକି ପଡି ସେ ପଛକୁ ଚାହିଁ ଦେଖିଲା,ବିଭାସ ଛିଡା ହୋଇଛି |ତାକୁ କିଛି କହିବାକୁ ସୁଯୋଗ ନଦେଇ,ବିଭାସ ତା ହାତ ଧରି ପକାଇ କହିଲା,ତୋର ଅନ୍ଧ ବିଭୁକୁ ଛାଡି ତୁ କଣ ସତକୁ ସତ ଚାଲିଯିବୁ ?ମୋର ଏତେ ଗଞ୍ଜଣା,ଅତ୍ୟାଚାର ସହିଲୁ,ଆଜି ପଦେ କଣ କହିଦେଲି ବୋଲି ତୁ ଦେହକୁ ନେଇଗଲୁ ?ତୋ ସୁକୃତରୁ ଏବେ ମତେ ଟିକେ ଟିକେ ଦେଖା ଗଲାଣି ଲୋ  |ଏଇ ପାପୀ ଟାକୁ କ୍ଷମା କରିଦେ,ମତେ ଛାଡି ଯାଆନା,ତୁ ମୋର ସୌଭାଗ୍ୟ ଲକ୍ଷ୍ମୀ,ତୋ ବିନା ମୁଁ ବଞ୍ଚି ପାରିବିନି  |ତା କଥା ଶୁଣି ଲକ୍ଷ୍ମୀ ହୃଦୟରେ ଅନେକ ଦିନରୁ ଜମାଟ ବାନ୍ଧିଥିବା କୋହ ଧାରା ଶ୍ରାବଣ ପରି ଝରି ଯାଉଥିଲା |ଏତିକିବେଳେ ବିଦ୍ୟା  ଆସି ଲକ୍ଷ୍ମୀକୁ କୁଣ୍ଢେଇ ପକାଇ ତା ଆଖିରୁ ଲୁହ ପୋଛିଦେଇ  କହିଲା,ବାବା ସିନା ତମକୁ ଗାଳି ଦେଲେ,ମୁଁ ତ ତମକୁ କିଛି କହି ନଥିଲି |ତମେ ମୋ କଥା କେମିତି ଭୁଲିଗଲ ମାମା |ଲକ୍ଷ୍ମୀ ସେମିତି କାନ୍ଦୁ କାନ୍ଦୁ ଅସ୍ପଷ୍ଟ ସ୍ୱରରେ କହିଲା,ମୋର ଭୁଲ ହୋଇଗଲା,ମା' |

                ବିଭାସ କହୁଥିଲା,ଅଧ ରାତିରେ ବିଦ୍ୟା  ଯେତେବେଳେ ମାମା କୁଆଡେ ଗଲା ବୋଲି ତାକୁ ପଚାରିଲା,ସେତେବେଳେ ସେ କିଛି ଗୋଟେ ଅଘଟଣର ଗନ୍ଧ ବାରି ପାରିଥିଲା | ବିଦ୍ୟାର  ହାତ ଧରି ତାର ଝାପ୍ସା ଦେଖା ଯାଉଥିବା ଆଖିରେ ଖୋଜି ଖୋଜି ସେ ଏଠାକୁ ଆସିବା ବେଳେ ଜୋରରେ ଲକ୍ଷ୍ମୀକୁ  ଝୁଣ୍ଟି ପଡିଲା |କେବଳ ବିଦ୍ୟା  ପାଇଁ ଲକ୍ଷ୍ମୀ ବଞ୍ଚିଗଲା |ଲକ୍ଷ୍ମୀ ଖୁସି ଥିଲା କାରଣ ସେ ତାର ହଜିଯାଇଥିବା ପ୍ରେମ ଫେରି ପାଇଥିଲା |ସେ କହିଲା,ଏତେ ଦୁଃଖ କଷ୍ଟ ଭିତରେ ବି  ମୁଁ କେବେହେଲେ  ମୋର  ଚରିତ୍ର ହରାଇ ନାହିଁ,ଯାହା ଭାବିଛି ଓ କରିଛି ସବୁ କେବଳ ମୋ ପରିବାରର ମଙ୍ଗଳ ପାଇଁ |ବିଭାସ କହିଲା,ହଁ ମୁଁ ଜାଣେ,ତୋର ସଫଳତାର ରହସ୍ୟ ହେଉଛି ତୋର ଶୁଦ୍ଧ ମନ ଓ ଚରିତ୍ର |ମୁଁ ହତଭାଗା ସେକଥା ବୁଝି ନପାରି ତଳି ତଳାନ୍ତ ହୋଇଗଲି |(ସମାପ୍ତ)

                   

No comments:

Post a Comment