Wednesday, November 17, 2021

କୋଡ଼ିଏ ବର୍ଷ ପରେ

                      ବେକରେ ପଣତ କାନି ଗୁଡ଼େଇ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ଉଠିବା ବେଳକୁ ପ୍ରୀତିର ନଜର ଅକସ୍ମାତ  ହାତ ଯୋଡ଼ି ଛିଡ଼ା ହୋଇଥିବା ଜଣେ ଭକ୍ତଙ୍କ ଉପରେ ପଡିଗଲା |ଅବିକଳ କେଦାର ଭାଇଙ୍କ ପରି ଚେହେରା |କିନ୍ତୁ କେଦାର ଭାଇ ଏଠାକୁ କାହିଁକି ବା  ଆସିବେ ?ହୁଏତ ଏହା ତାର ମନର ଭ୍ରମ ହୋଇପାରେ |ସେ ଈଶ୍ୱରଙ୍କୁ ନିଜ ବିଚଳିତ ଚିତ୍ତ ପାଇଁ କ୍ଷମା ମାଗି ଯିବାକୁ ବାହାରିବା ବେଳେ ତାକୁ  ଲାଗୁଥିଲା,କେହି ଯେପରି ତାର ପାଦ ଦୁଇଟିକୁ ଭିଡି ଧରିଛି |ସେ ସେହି ଅଜଣା ବ୍ୟକ୍ତିଙ୍କୁ ପୁଣିଥରେ ନିରିଖେଇ ଦେଖିଲା |ହଁ,ସିଏ ହିଁ ତାର କେଦାର ଭାଇ |ଅନେକ  ବର୍ଷ ବିତି ଯାଇଥିଲେ ବି ତାଙ୍କୁ ଚିହ୍ନିବାରେ ସେ କଦାପି ଭୁଲ କରି ପାରିବନି |

                   ଦୁଇ ଭଉଣୀ ଓ ଚାରି ଭାଇଙ୍କୁ ନେଇ ସେମାନଙ୍କର ପରିବାର ଥିଲା |ବାପା ସଦାନନ୍ଦ ଜଣେ ସ୍ୱଳ୍ପ ବେତନଭୋଗୀ ସରକାରୀ କର୍ମଚାରୀ ଥିଲେ |ଅଭାବ ଅସୁବିଧା ଭିତରେ ଅତି କଷ୍ଟରେ ସେମାନେ ଚଳୁଥିଲେ |ସମସ୍ତଙ୍କ ଠାରୁ ବଡ଼ ତାର ଶାନ୍ତା ଦିଦି ଥିଲା |ପ୍ରୀତି ସମସ୍ତଙ୍କ ଠାରୁ ସାନ ଥିଲା  |ସେମାନଙ୍କ ମଝିରେ ଦୁଇ ଭାଇ ଥିଲେ |ବଡ଼ ଭାଇ କାବୁ ଝୁଣ୍ଟି ଝୁଣ୍ଟି କଷ୍ଟେ ମଷ୍ଟେ ଆଇ .ଏ.ଯାଏଁ ଗଲା |ତାପରେ ଆଉ ପଢିଲାନି |କିନ୍ତୁ ଦୁଷ୍ଟାମୀରେ ସେ ତାଙ୍କ କଲୋନୀକୁ ହୁଲସ୍ତୁଲ କରୁଥିଲା |ବୋଉ କିନ୍ତୁ ତାକୁ ଭାରି ଭଲ ପାଉଥିଲା |ତା ନାମରେ ଯେତେ ଅଭିଯୋଗ ଆସିଲେ ବି,ବୋଉ ଅଭିଯୋଗକାରୀଙ୍କୁ  ଓଲଟି ଗାଳି ଦେଇ ଘଉଡ଼େଇ ଦେଉଥିଲା | ଦିଦି ମେଧାବୀ ଛାତ୍ରୀ ଥିଲା |ବି.ଏସ.ସି..ପାଶ କରିବା ପରେ ଇଣ୍ଟରଭିଉ ଦେଇ ଅକସ୍ମାତ ସେ ଏକ ସରକାରୀ ଚାକିରୀ ପାଇଗଲା |ସେଦିନ ଘରେ ସମସ୍ତେ  ଖୁସିରେ ଫାଟି ପଡୁଥିଲେ |ବାପା କହୁଥିଲେ,ସେ ମୋ ଝିଅ ନୁହେଁ,ପୁଅ | କିଛିଦିନ ପରେ ପ୍ରୀତି ଜାଣିଲା,ଦିଦି ତାଙ୍କ କଲୋନୀର କେଦାରକୁ ଭଲ ପାଉଛି |କେଦାର ବିଭିନ୍ନ ଖେଳରେ ରୁଚି ରଖିଥିଲା ଓ ଭଲ କ୍ରିକେଟ ଖେଳୁଥିଲା |ସେ ବି.ପି.ଏଡ଼ କରିଥିଲା ଓ ଖେଳ କୋଟାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଏକ ଚାକିରୀ ମଧ୍ୟ ପାଇଥିଲା |କିନ୍ତୁ ଆଗକୁ ଏମ ପି ଏଡ଼ କରି ଖେଳରେ ତାର କାରିଅର ଗଢିବାକୁ ଚାହୁଁଥିଲା  |ଆର୍ଥିକ ଦୂରାବସ୍ଥା ପାଇଁ, ତାଙ୍କ  ଘରେ ଏତେ ଶୀଘ୍ର ଦିଦିର ବାହାଘର କରିବା ବିଷୟରେ କେହି ଚାହୁଁ ନଥିଲେ |ଏକଥା ଭଲଭାବେ  ଜାଣି ସୁଦ୍ଧା ଦିଦି ନିଆଁରେ ଗୋଡ଼ ପୁରେଇ ଥିଲା  |

               ଦିନେ ଅଫିସକୁ ଯାଇ ଦିଦି ଆଉ ଘରକୁ ଫେରିଲା ନାହିଁ |ପରେ ଜଣାପଡିଲା, ଦିଦି ପୁରୀରେ କେଦାରକୁ ବାହା ହୋଇ ଯାଇଛି ଓ ସେ କେଦାର ଭାଇଙ୍କ ଘରେ ଅଛି  |ବାପା ଏହି ଖବର ପାଇଁ ସେଠାକୁ ଛୁଟି ଯାଇଥିଲେ  ଓ ମାସେ  ଭିତରେ ସେମାନଙ୍କ  ବାହାଘର ବିଧି ଅନୁଯାୟୀ ବେଦୀରେ କରିବେ କହି ଦିଦିକୁ  ବୁଝାଇ ସୁଝାଇ ଘରକୁ ନେଇ ଆସିଲେ |କିନ୍ତୁ ମାସେ  କଣ,ଆଜି କାଲି ହୋଇ ଛଅ ମାସ  ବିତିଗଲା ପଛକେ, ଦିଦିର  ବାହାଘର ହୋଇ ପାରିଲାନି |ଚିନ୍ତାରେ ଦିଦି ଶୁଖି କଳାକାଠ ପଡିଗଲା ଓ ତା ମୁହଁ ସାରା କଳା ଛଉ ପରି ଦାଗ ବାହାରି ଚେହେରା ଶ୍ରୀହୀନ ହୋଇଗଲା |ସବୁଦିନ ନିଦ ବଟିକା ଖାଇ ସେ ଶୋଉଥିଲା |ଦିନେ ଏହି ବାହାଘର କଥାକୁ ନେଇ,ଘରେ ବହୁତ ଗଣ୍ଡଗୋଳ ହେଲା ଓ ଭାଇ ରାଗିଯାଇ ଦିଦିକୁ ଜୋରରେ ଏକ ଚଟକଣା ମାରିଲା |ବୋଉ ଭାଇକୁ ସମର୍ଥନ କରି କହିଲା,ଘରର ଦାୟିତ୍ତ୍ୱ ନେବା କଥା ଛାଡ଼ି ଝିଅ ଆମର ବାହା ହେବାକୁ ସକ ସକ ହେଉଛି !ଦିଦିକୁ ଏକଥା ବହୁତ ବାଧିଲା |ସେ ସେଦିନ ରାତିରେ ଏକାସାଙ୍ଗରେ ତିରିଶ ଗୋଟି ନିଦ ବଟିକା ଖାଇ ସବୁଦିନ ପାଇଁ ଶୋଇ ପଡିଲା |ତା ମୃତ୍ୟୁ ଖବର ପାଇ କେଦାର ଭାଇ ପାଗଳ ପରି ତାଙ୍କ ଘରକୁ ଛୁଟି ଆସିଥିଲେ ଓ ମୁଣ୍ଡପିଟି କାନ୍ଦୁଥିଲେ |କିନ୍ତୁ ଭାଇ ତାକୁ ଧକ୍କା ମାରି ବାହାର କରିଦେଲା ଓ କହିଲା,ଭଲ ଦଶା  ଅଛି ଯଦି,ଶୀଘ୍ର ଏ କଲୋନୀ ଛାଡି ପଳା ,ନହେଲେ ତୋ ଡେଡ ବଡି କେହି ପାଇବେ ନାହିଁ |ତା ପରଠାରୁ ସତକୁ ସତ କେଦାର ଭାଇ କୁଆଡେ ଚାଲିଗଲେ,କେହି ତାଙ୍କ ପତ୍ତା ପାଇଲେ ନାହିଁ |

          ସରକାରଙ୍କ ଥଇଥାନ ନିୟମ ଅନୁସାରେ ଦିଦି ଜାଗାରେ ଭାଇକୁ ପିଅନ ଚାକିରୀ ମିଳିଥିଲା |ଦିଦିର ଏପରି ମର୍ମନ୍ତୁଦ ମୃତ୍ୟୁକୁ ପ୍ରୀତି ସହଜରେ ଗ୍ରହଣ କରିପାରି ନଥିଲା ଓ ପରିବାରର ସମସ୍ତଙ୍କ ପ୍ରତି ତାର ଘୃଣା ଭାବ ଆସିଯାଇଥିଲା  | ସି.ଟି.ଟ୍ରେନିଂ ନେବା ପରେ ସେ  ଶିକ୍ଷୟତ୍ରୀ ଚାକିରୀ ପାଇଲା  ଓ  ପୁରୀରେ ତାର ପୋଷ୍ଟିଙ୍ଗ ହେଲା |ଜଗନ୍ନାଥଙ୍କ ଆଶୀର୍ବାଦ ମନେକରି ସେ ସେଠାରେ ଜଏନ କଲା ଓ ସେହିଦିନ ଠାରୁ ସେ ପୁରୀରେ ହିଁ ରହିଛି  |ତାର ଦୁଇଭାଇ ବାହା ହେଲେ,କିନ୍ତୁ ସେ ଆଉ ବାହାହେଲା ନାହିଁ | ବିବାହ ପ୍ରତି ତାର ବିତୃଷ୍ଣା ଭାବ ଆସିଯାଇଥିଲା |ଆଜି ଏତେଦିନ ପରେ କେଦାରକୁ ଦେଖି ତାର ପୁରୁଣା କ୍ଷତ ପୁଣି ସତେଜ ହୋଇ ଉଠିଲା |ସେ ତା ପାଖରେ ପହଞ୍ଚି  ଆସ୍ତେ କରି ଡାକିଲା,'କେଦାର ଭାଇ' !ଅଚିହ୍ନା ସ୍ଥାନରେ ତାର ନାମ ଶୁଣି କେଦାର ଚମକି ପଡି ପ୍ରୀତିକୁ ଚାହିଁଲା |ସେ ନିଜକୁ ବିଶ୍ୱାସ କରି ପାରୁ ନଥିଲା |କହିଲା,ଆରେ ତୁ ପ୍ରୀତି ନାଁ ?ଏମିତି କଣ ଦିଶୁଛୁ ? 

             ସେହି ଗହଳିରେ ପ୍ରୀତି ତାର ପ୍ରଶ୍ନର ଉତ୍ତର ଦେଲାନାହିଁ |ବାହାରକୁ ଆସିବା ପରେ ସେମାନେ ଶ୍ରୀ ମହାଲକ୍ଷ୍ମୀମାତାଙ୍କ ମନ୍ଦିର ବେଢ଼ାରେ ବସିଲେ |କେଦାର କହୁଥିଲା,ଦିଦିର ମୃତ୍ୟୁ ପରେ ସେ ଚାକିରୀ ଛାଡି ଭୋପାଳରେ ରହୁଥିବା ତା ବଡଭାଇଙ୍କ ପାଖକୁ ଚାଲି ଯାଇଥିଲା | ସେଠାରେ ଏମ.ପି.ଏଡ଼.କରିବା ପରେ ଓଡ଼ିଶାର ଏକ ନବୋଦୟ ବିଦ୍ୟାଳୟରେ ଖେଳ ଶିକ୍ଷକ ଅଛି |ଦିଦି ସହିତ ତାର ବିବାହ ଦିନକୁ  ମନେ ପକାଇବା ପାଇଁ,ସବୁବର୍ଷ ଏହି ଦିନରେ ସେ ପୁରୀ ଆସି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରେ | ପ୍ରୀତି ପଚାରିଲା,ତୁମ ସ୍ତ୍ରୀ ଏକଥା ଜାଣିଛନ୍ତି ?କେଦାର କହିଲା,ସେ ଥିଲେ ସିନା ଜାଣିଥାନ୍ତା !ପ୍ରୀତି ପଚାରିଲା,ମାନେ ?ସେ କୁଆଡେ ଗଲେ ?କେଦାର କହିଲା,ତମ ପରିବାର ଯେପରି ଆମ ଦୁଇଜଣଙ୍କ ଜୀବନ ସହିତ ଖେଳିଲେ,ଓ ଯେଉଁ ପରିସ୍ଥିତିରେ ତୋ ଦିଦି ମତେ ଛାଡି ଚାଲିଗଲା, ତାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରିନି |ଆଉଥରେ ବାହାହୋଇଥାନ୍ତି କେମିତି ?  

             ପ୍ରୀତି କହିଲା, ଦିଦି ମୃତ୍ୟୁପାଇଁ, ତମେ ସମ୍ପୂର୍ଣ୍ଣ ଭାବେ ଦାୟୀ,ଅଯଥା ଅନ୍ୟ କାହାକୁ କାହିଁକି ଦୋଷ ଦେଉଛ ? ପ୍ରୀତି ଠାରୁ ଏପରି କଥା ଶୁଣିବ ବୋଲି କେଦାର ଆଶା କରି ନଥିଲା |ସେ ଦୁଃଖ ଭରା ସ୍ୱରରେ କହିଲା,ମୁଁ କେମିତି ଦାୟୀ ହେଲି ?ପ୍ରୀତି କହିଲା,ଶୁଣ,ବାପା ଯେତେବେଳେ ଦିଦିକୁ ଆଣିବାକୁ ଗଲେ,ତମେ ତାଙ୍କ କଥାରେ କେମିତି ରାଜିହୋଇଗଲ ?ଥରେ ଦିଦି ଘରୁ ଗୋଡ଼ କାଢି ତମ ସହିତ ଯାଇଥିଲା ମାନେ,ତମେ ତାକୁ ପୁଣିଥରେ  ଆମ ଘରକୁ ପଠାଇବା ଉଚିତ ନଥିଲା |ସେଇଠି ତମେ ବାପାଙ୍କୁ ରୋକଠୋକ ମନା କରି ଦେଇ ପାରିଥାଆନ୍ତ |ତାହେଲେ ମୋ ଦିଦି ଆଜି ପର୍ଯ୍ୟନ୍ତ ବଞ୍ଚି ଥାଆନ୍ତା !!

          ପ୍ରୀତି କଥା ଶୁଣି କେଦାର ଆଖିରୁ ଏକ ପରେ ଅନେକ ଲୁହଧାର ଝରି ଆସିଲା |ସେ ତାର ଦୁଇ ଆଂଠୁରେ ନିଜ ମୁହଁକୁ ଲୁଚେଇ କାନ୍ଦିବାକୁ ଲାଗିଲା |ପ୍ରୀତି କହିଲା,ସରି |କହୁ କହୁ ଏମିତି କଡା କଥା କହିଦେଲି,ମତେ କ୍ଷମା କର  |ଅନେକ ସମୟ ପରେ ନିଜକୁ ସମ୍ଭାଳି  କେଦାର ମୁହଁ ଉଠାଇ ପ୍ରୀତିକୁ ଚାହିଁଲା | କହିଲା,ତୁ ଠିକ କହିଛୁ |ସବୁ ଦୋଷ ମୋର |ମୁଁ ବହୁତ ବଡ଼ ଅପରାଧ କରିଛି |ମୋ ପାଇଁ ତୋ ଦିଦି ଚାଲିଗଲା |ଆଚ୍ଛା ,ମୁଁ ଯାଉଛି ,ତୋ ସାଙ୍ଗେ ଦେଖା ହେଲା,ଭଲ ହେଲା |ପ୍ରୀତିର ମୁହଁ ଶୁଖି ଯାଇଥିଲା |ସେ କହିଲା,ତମେ ତମ ବିଷୟରେ ଏତେ କଥା କହିଲ,ମୋ ବିଷୟରେ ତ କିଛି ପଚାରିଲନି !କେଦାର କହିଲା,ତୁ ଯାହା କହିଲୁ,ମୋ ପେଟ ଭରିଗଲା,ଆଉ କଣ ପଚାରିବି ?ପ୍ରୀତି ନିରୀହ ଦୃଷ୍ଟିରେ କେଦାରକୁ ଚାହିଁ କହିଲା,ମୁଁ କାହିଁକି ଏପର୍ଯ୍ୟନ୍ତ ବାହା ହୋଇନି,ତମକୁ ବାହା ହେବା ପାଇଁ,ମୁଁ ରାଜି ଅଛି କି ନାଁ ମତେ ପଚାରିବନି ?

           ପ୍ରୀତି  କଥା ଶୁଣି କେଦାର ଆକାଶରୁ ଖସି ପଡିଲା ଯେମିତି !ସେ କହିଲା,ତୁ ମତେ ବାହାହେବୁ ?କିନ୍ତୁ କାହିଁକି ?ମୁଁ ତୋ ଦିଦିର ହତ୍ୟାକାରୀ ବୋଲି କହୁଥିଲୁ ନାଁ ?ପ୍ରୀତି ଲୁହଭରା ଦୃଷ୍ଟିରେ କେଦାରକୁ ଚାହିଁ କହିଲା,ଆଜି ତମେ ଚାଲିଗଲେ,ପୁଣି ଆଉ ଜଣକର ମୃତ୍ୟୁ ପାଇଁ ଦାୟୀ ହେବ |କେଦାର ଆଶ୍ଚର୍ଯ୍ୟ ହୋଇ କହିଲା,ଆଉ ଜଣେ ପୁଣି କିଏ ??ପ୍ରୀତି କହିଲା,ସେଇ ଜଣକ ମୁଁ |

           କେଦାର କିଂକର୍ତ୍ତବ୍ୟବିମୁଢ଼ ହୋଇଗଲା |ସେ ପ୍ରୀତିକୁ ଗଭୀର ଦୃଷ୍ଟିରେ ଲକ୍ଷ୍ୟ କଲା |ଏ କଥା ତ ସେ କେବେହେଲେ ଭାବିନି !କିଛି ସମୟ ଚିନ୍ତା କରି ସେ କହିଲା,ହଁ,ମୁଁ ତୋ ପ୍ରସ୍ତାବରେ ରାଜି ଅଛି,କିନ୍ତୁ ଗୋଟିଏ ସର୍ତ୍ତରେ |ତା କଥା ଶୁଣି ପ୍ରୀତି କେଦାରକୁ ଚାହିଁଲା |କେଦାର କହିଲା,ତୁ ମତେ ଆଜି ବାହା ହୋଇ ପାରିବୁ ?ପ୍ରୀତି ଚମକି ପଡି କହିଲା,ଆଜି ???କେଦାର ଗମ୍ଭୀର ହୋଇ କହିଲା,ହଁ,ଆଜି |କାରଣ ମୁଁ ଆଉ ମୋ ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନି |ପ୍ରୀତି କିଛି ଉତ୍ତର ନଦେଇ,ଅତି ସରାଗରେ କେଦାରର ହାତ ନିଜ ହାତ ମୁଠାରେ  ଧରିଲା  |

            

               

No comments:

Post a Comment