Wednesday, September 30, 2020

ବୋଉ

                    ରମେଶ ତାଙ୍କର ବୋଉ ଉଷାଙ୍କୁ ବହୁତ ଭଲ ପାଉଥିଲେ |ଅତି ଛୋଟ ଦିନରୁ ବାପାଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ଉଷା  ତାଙ୍କୁ ବଡ଼ କରିଥିଲେ |ରମେଶ ସବୁବେଳେ କହୁଥିଲେ, ସ୍ତ୍ରୀ ଠାରୁ ମାଆ  ବଡ଼ |କାରଣ ମଣିଷ ଜୀବନରେ ପ୍ରଥମେ ମାଆ ଆସେ,ତାପରେ ସ୍ତ୍ରୀ |ମାଆ ସାଙ୍ଗେ ରକ୍ତର ସମ୍ପର୍କ ଥିବାବେଳେ ବିବାହ ପରେ ହିଁ ସ୍ତ୍ରୀ ସହିତ ସମ୍ପର୍କ ଯୋଡ଼ା  ହୁଏ |ରମେଶଙ୍କୁ ଅକସ୍ମାତ ଚାକିରୀ ମିଳିବା ,ପଦୋନ୍ନତି ପାଇବା ଇତ୍ୟାଦି ପ୍ରତ୍ୟେକ ସଫଳତାକୁ ସେ ତାଙ୍କ ବୋଉଙ୍କ ଆଶୀର୍ବାଦ ବୋଲି ଭାବୁଥିଲେ |ଉଷା ତାଙ୍କୁ ଗେହ୍ଲାରେ 'ବାବୁ'ବୋଲି ଡାକୁଥିଲେ |ରମେଶଙ୍କୁ ଉଷାଙ୍କ ରାନ୍ଧଣା ବହୁତ ପସନ୍ଦ ଥିଲା |ସେଥିପାଇଁ ପ୍ରତିଦିନ ତରକାରୀ ରାନ୍ଧିବା ଦାୟିତ୍ତ୍ୱ ଉଷାଙ୍କ ଉପରେ ନ୍ୟସ୍ତ  ଥିଲା |ଖାଇବା ବେଳେ ସେ ତାହାକୁ ଚାଟିଚୁଟି  ଖାଉଥିଲେ ଓ ତାଙ୍କ ପତ୍ନୀଙ୍କୁ ବେଳେ ବେଳେ କହୁଥିଲେ,ଦେଖ ମୋ ବୋଉ କେମିତି ରାନ୍ଧିଛି !ତମେ ଯେତେ ତେଲ ମସଲା ପକାଅ ପଛକେ ,ମୋ ବୋଉ ପରି ରାନ୍ଧି ପାରିବନାହିଁ |ମା ପୁଅଙ୍କ ଯୋଡି ଅପୂର୍ବ ଥିଲା |ସକାଳ ହେଲେ ରମେଶ ଉଷାଙ୍କ ପାଖକୁ ଯାଇ  କହୁଥିଲେ,ବୋଉ  ମୁଁ ଉଠିଗଲି |ଅଫିସରୁ ଫେରିବା ପରେ ସେମିତି ଉଷାଙ୍କୁ ଖୋଜି ଖୋଜି ତାଙ୍କ ପାଖରେ ପହଞ୍ଚି ଯାଇ କହୁଥିଲେ,ବୋଉ,ମୁଁ ଆସିଗଲି ,ଶୀଘ୍ର ଗରମା ଗରମ ଚା' ଦେଲୁ |ରମେଶ ବୋଉଙ୍କୁ ଯେତିକି ଭଲ ପାଉଥିଲେ,ସେତିକି ତାଙ୍କ ଉପରେ ରାଗୁଥିଲେ ମଧ୍ୟ |ସେ ଟିକିଏ କ୍ଷଣକୋପୀ ଥିବାରୁ ଟିକିଏ କଥାରେ ରାଗି ଯାଉଥିଲେ |ଉଷାଙ୍କୁ ନିଜ ପୁଅ କଥା ଭାରି ବାଧୁଥିଲା |ସେ ସେତେବେଳେ ରୁଷି ଯାଉଥିଲେ ଓ ଯେପର୍ଯ୍ୟନ୍ତ ପୁଅ ତାଙ୍କୁ ବୁଝାଉ ନଥିଲେ,ସେ ଅନ୍ନ ଜଳ ସ୍ପର୍ଶ କରୁ ନଥିଲେ |ରମେଶ ଉଷାଙ୍କ ଏହି ଗୁଣ ବିଷୟରେ ଅବଗତ ଥିଲେ |ତେଣୁ ସେ ରାଗିବା ପରେ ପରେ ତାଙ୍କ କାନ୍ଧରେ ହାତ ରଖି  'ମୋ ସୁନା ବୋଉ,' କହିଦେଲେ ଉଷାଙ୍କ ଅଭିମାନ କୁଆଡେ ମିଳେଇ ଯାଉଥିଲା  |ରମେଶଙ୍କ ଦୁଇ ପୁଅ ଝିଅ ଥିଲେ |କିନ୍ତୁ ସେ ନିଜ ବୋଉ ପ୍ରତି ଯେତିକି ଆସକ୍ତ ଥିଲେ,ଅନ୍ୟ କାହା ପ୍ରତି ସେପରି ନଥିଲେ |

                  ଅନେକ ବର୍ଷ ପୂର୍ବେ ରମେଶଙ୍କ ଚର୍ମ ରୋଗ ବାହାରି ଥିଲା |ସେଥିପାଇଁ ସେ ବହୁତ ଔଷଧ ଖାଉଥିଲେ ବି କେତେବେଳେ ତାହା କମି ଯାଉଥିଲା,ପୁଣି କେତେବେଳେ ବଢି ଯାଉଥିଲା |ଶେଷରେ କେହି ଜଣେ ବନ୍ଧୁ ଅଧିକ ମାତ୍ରାରେ ଲଙ୍କା ଖାଇବାକୁ ଉପଦେଶ ଦେଇଥିଲେ |ତାଙ୍କ କଥା ମାନି ପରୀକ୍ଷାମୂଳକ ଭାବରେ ସେ ଲଙ୍କା ଖାଇବା ଆରମ୍ଭ କଲେ |ଆଶ୍ଚର୍ଯ୍ୟ ର କଥା,ଏହା କାମ ଦେଲା ଓ ସେ କିଛିଦିନ ପରେ ଚର୍ମ ସଂକ୍ରମଣରୁ ମୁକ୍ତି ପାଇଲେ |ସେହିଦିନ ଠାରୁ ତାଙ୍କର ଲଙ୍କା ଖାଇବା ଅଭ୍ୟାସ ରହିଯାଇ ଥିଲା |ତରକାରୀ ବେଶି  ରାଗ ହେଲେ,ପିଲାମାନେ ଖାଇ ପାରିବେ ନାହିଁ |ତେଣୁ ସେ ଖାଇବା ବେଳେ ଅତି କମରେ ଚାରି/ପାଞ୍ଚଟି ଲଙ୍କାମରିଚ ଥାଳିରେ ନେଇ ଖାଇ ବସୁଥିଲେ |ଦିନେ ଦିନେ ଖାଉ ଖାଉ ଛ /ସାତଟି ଖାଇ ଦେଉଥିଲେ |ବୟସ ଥିବାବେଳେ ସବୁ ଚଳି  ଯାଉଥିଲା |ବୟସ ବଢ଼ିବାରୁ ଧୀରେ ଧୀରେ ପାକସ୍ଥଳୀ ଉପରେ ରାଗ ର ପ୍ରଭାବ ପଡିଲା |ଯେଉଁଦିନ ଅଧିକ ଲଙ୍କା ଖାଇ ଦେଉଥିଲେ ,ତା ପରଦିନ ସକାଳୁ ସକାଳୁ ତାଙ୍କୁ ଚାରି ପାଞ୍ଚ  ଥର ପତଳା ଝାଡା ହୋଇ ଯାଉଥିଲା |ଏକଥା ଦେଖି ଉଷା ଭାରି ବ୍ୟସ୍ତ ହେଉଥିଲେ ଓ ପୁଅକୁ ଲଙ୍କା ନ ଖାଇବା ପାଇଁ ବହୁତ ବୁଝାଉ ଥିଲେ |କିନ୍ତୁ ରମେଶଙ୍କ ମନରେ ଚର୍ମ ସଂକ୍ରମଣର ଭୟ ଏପରି ଜମାଟ ବାନ୍ଧି ଯାଇଥିଲା ଯେ,ସେ କୌଣସିମତେ ଲଙ୍କା ଖାଇବା ଛାଡିବାକୁ ଚାହୁଁ ନଥିଲେ |ଥରେ  ତାଙ୍କୁ  ରକ୍ତ ଆମାଶୟ ହେଲା ଓ ଏହା ଏପରି ପ୍ରବଳ ଆକାର ଧାରଣ କଲା ଯେ,ତାଙ୍କୁ ଡାକ୍ତରଖାନାରେ ରହି ଚିକିତ୍ସିତ ହେବାକୁ ପଡିଲା |ତଥାପି ରମେଶଙ୍କ ଲଙ୍କା ପ୍ରତି ଆକର୍ଷଣ କମି ନଥିଲା |କିନ୍ତୁ ପୁଅ ପାଇଁ ଉଷା ଭାରି ବ୍ୟସ୍ତ ହେଉଥିଲେ |ଦିନେ ରମେଶ ଦେଖିଲେ, ଘରକୁ ଯେତେ ଲଙ୍କା ଆସୁଛି,ସାଙ୍ଗେ ସାଙ୍ଗେ ସବୁ କୁଆଡେ ଉଭାନ ହୋଇ ଯାଉଛି |ସେ ଉଷାଙ୍କ ଉପରେ ସନ୍ଦେହ କରି ,ଲଙ୍କା କୁଆଡେ ଗଲା ବୋଲି ପଚାରିବାରୁ,ସେ ମୁଁ ଜାଣିନି କହୁଥିଲେ ଓ ତାପରେ ଲଙ୍କାର ଅପକାରିତା ବିଷୟରେ ତାଙ୍କୁ ବୁଝାଉ ଥିଲେ |ତେଣୁ ଲଙ୍କା ଲୁଚେଇବା କାମ ବୋଉର ବୋଲି ରମେଶ ଜାଣୁଥିଲେ |ଧୀରେ ଧୀରେ ତାଙ୍କର ରାଗ ବଢ଼ି ଗୁରୁତର ଆକାର ଧାରଣ କଲା |ସେଦିନ ସୋମବାର ଥିଲା | ଭାତ ଥାଳିରେ ଲଙ୍କା ନଥିବାର ଦେଖି,ସେ ରାଗରେ ଥାଳି ଫୋପାଡ଼ି ଦେଲେ ଓ  ଉଷା ଙ୍କୁ କହିଲେ,ମୁଁ ମରିଗଲେ,ତୁ ଶାନ୍ତି ପାଇବୁ |ଏହା କହି ସେ କିଛି ନଖାଇ ଅଫିସ ଚାଲିଗଲେ |

                     ପୁଅର ଏତେ କଡା କଥା ଉଷା ହଜମ କରି ପାରିଲେ ନାହିଁ |ବାରମ୍ବାର ପୁଅର ସେହି କଥା ତାଙ୍କ କାନରେ ପ୍ରତିଧ୍ଵନିତ ହେବାରେ ଲାଗିଲା |ଏପରି କଟୂ ବାକ୍ୟ ପୁଅ କେମିତି କହି ପାରିଲା ଭାବି   ଦୁଃଖରେ ତାଙ୍କ ହୃଦୟ ଖିନ ଭିନ ହୋଇଗଲା ଓ ସେ  ଭିତରେ ଭିତରେ ଅନେକ କାନ୍ଦିଲେ  |କେତେ ସମୟ ପରେ ସେ ନାତି ବୁବୁଲୁ କୁ କହିଲେ,ତୋ ବାପା କିଛି ନଖାଇ ଚାଲିଗଲା,ଯାଆ ତାକୁ ବୁଝେଇ ସୁଝେଇ  ଡାକି ଆଣିବୁ |ବୁବୁଲୁ କହିଲା,ବାପା କଣ ଛୋଟ ପିଲା ହୋଇଛନ୍ତି ଯେ ମୁଁ ତାଙ୍କୁ ଡାକିଲେ ସେ ଚାଲି ଆସିବେ ?ସବୁ ତମର ଦୋଷ | ବାପା ଲଙ୍କା ଭଲ ପାଆନ୍ତି ବୋଲି ଜାଣି ସୁଦ୍ଧା ତମେ କାହିଁକି ତାକୁ ଲୁଚାଉ ଥିଲ ?ମୋର ଡେରି ହେଲାଣି,ମୁଁ ସ୍କୁଲ ଯାଉଛି |ସେ ସ୍କୁଲ ଚାଲିଗଲା |ତା ସହିତ ନାତୁଣୀ ମଧ୍ୟ ସ୍କୁଲ ଗଲା |ଘରେ ବୋହୂ  ଏପରି ବ୍ୟବହାର ଦେଖାଇଲା ,ଜଣା ପଡୁଥିଲା  ସତେ ଯେପରି  ସେ ନରହତ୍ୟା କରି ପକାଇଛନ୍ତି |

                     ସେଦିନ ସଞ୍ଜ ଯାଇ ରାତି ହେଲା |ସେତେବେଳେ ରମେଶଙ୍କ  ରାଗ କମି ଯାଇଥିଲା |ହଠାତ ତାଙ୍କର ଉଷାଙ୍କ କଥା ମନେ ପଡିଲା |ବୋଉ ଉପରେ ରାଗିଲେ,ସେ ଅନ୍ନ ଜଳ ସ୍ପର୍ଶ କରେ  ନାହିଁ ଜାଣି ସୁଦ୍ଧା ସେ ୟେ କଣ କଲେ  ?କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ଜୀବନରୁ ବଳି ଅଧିକ ଭଲ ପାଉଥିବା ବୋଉକୁ ସେ ସାରା ଦିନ ଉପବାସରେ ରଖିଦେଲେ ?  ସେ  ଦ୍ରୁତ ଗତିରେ ତୃତୀୟ ମହଲାରେ ଥିବା ତାଙ୍କ ଅଫିସରୁ ବାହାରି ତଳକୁ  ଆସି ଦେଖିଲେ ବୁବୁଲୁ ତା ସାଙ୍ଗ ବାଇକରେ ତାଙ୍କ ପାଖକୁ ଆସୁଛି |ସେ କିଛି କହିବା ପୂର୍ବରୁ ବୁବୁଲୁ କହିଲା,ଜେଜେମା  ଅଚେତ ହୋଇ ପଡିଛି,କଥା କହୁନି  |ରମେଶଙ୍କ ହୋସ ଉଡ଼ିଗଲା |ସେ  ତୀବ୍ର ଗତିରେ ବାଇକ ଚଳାଇ ଘରକୁ ଆସି ଦେଖିଲେ, ଉଷା ବିଛଣାରେ ନିସ୍ତେଜ ହୋଇ ପଡିଛନ୍ତି ,ମୁହଁରୁ ଫେଣ ବାହାରୁଛି ଓ ଆଖିରୁ ଦୁଇଧାର ଲୁହ ଝରି ଶୁଖି ଯାଇଛି |  ଲଙ୍କା ଭର୍ତ୍ତି ଥିବା ଏକ ଲଙ୍କା ପୁଟୁଳି ତାଙ୍କ ମୁଣ୍ଡ ପାଖରେ ପଡିଛି  |ସେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଗଲେ |ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ |ଉଷା ବିଷ  ପିଇ ଦେଇଥିଲେ |

                     ଉଷାଙ୍କୁ ହରାଇବା ଦୁଃଖରେ ରମେଶ ପାଗଳ ପ୍ରାୟ ହୋଇ ଯାଇଥିଲେ ଓ ସବୁଦିନ ପାଇଁ ଲଙ୍କା ଖାଇବା ଛାଡି ଦେଇଥିଲେ |କିନ୍ତୁ ଏ ସବୁ ସତ୍ତ୍ୱେ ଅତି ଆଦରର ବୋଉ ତାଙ୍କୁ 'ବାବୁ' ବୋଲି ଡାକିବାକୁ ଆଉ ନଥିଲେ |ମମତା ମହାନ୍ତି |

                       

              




Friday, September 25, 2020

ମଣି କେବେ ହାରେନା

                        ବାହାହୋଇ ଶାଶୁଘରକୁ ଆସିବାର ବେଶ କିଛି ବର୍ଷ ମଣି ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା |ରାତି ନ ପାହୁଣୁ ଉଠି,ଘର ଯାକର କାମ କରି, ଡେରି ରାତିରେ ଶୋଇବା ତାର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା |ଘରର ଏକମାତ୍ର ବୋହୂ ହିସାବରେ ଘରର ସବୁ କାମ ତାକୁ କରିବାକୁ ପଡୁଥିଲା |ପୂଜା ଆଦି ବିଶେଷ ଦିନରେ ଶାଶୁ ସାହାଯ୍ୟର ହାତ ବଢାଉ ଥିଲେ ସିନା,ଅନ୍ୟ ଦିନରେ ତା ମୁହଁରୁ ଝାଳ ପୋଛି ଆହା ବୋଲି ପଦେ କହିବାକୁ କେହି ନଥିଲେ |ଏପରିକି ତାର ସ୍ୱାମୀ ଶରତ ମଧ୍ୟ ନୁହେଁ | ତାର ଏଇ ଦୁଃଖ ନିଆଁରେ ଘିଅ ପକାଇବାକୁ, ଶାଶୁଙ୍କ ଅନୁପସ୍ଥିତିରେ,ଅନେକ ହିତାକାଂକ୍ଷୀ ତା ଦୁଃଖରେ ସମବେଦନା ଜଣାଇବାକୁ ଯାଇ,ତାକୁ ସୁହାଇବା ପରି, ଶାଶୁଙ୍କ ବିରୁଦ୍ଧରେ ଅନେକ କଥା ଗପୁଥିଲେ |ମଣି ଭଲଭାବେ  ଜାଣିଥିଲା, ଏହି ପରିବାରରେ ସମସ୍ତଙ୍କ ମନ ନେଇ ତାକୁ ସବୁଦିନ ଚଳିବାକୁ  ପଡିବ |ତାର କିଛି ଅସୁବିଧା ହେଲେ,ତାର ନିଜ ଲୋକେହିଁ ତା ପାଖରେ ଛିଡା ହେବେ,କୁତ୍ସାରଟନା କରୁଥିବା ଲୋକେ କେବେହେଲେ  ତାର ପିଠିରେ ପଡିବେ ନାହିଁ |ତେଣୁ ସେ ସେମାନଙ୍କୁ ସମ୍ମାନ ଦେଉଥିଲା ସତ ,କିନ୍ତୁ ତାଙ୍କର ସବୁ କଥା ଏ କାନରେ ପୁରାଇ ସେ  କାନରେ ବାହାର କରିଦେଉଥିଲା  |  

                         ପାଞ୍ଚ ବର୍ଷ ପରେ ସନା ଜନ୍ମ ହେଲା |ସେତେବେଳକୁ  ଶାଶୁ ଜାଣି ସାରିଥିଲେ,ତାଙ୍କ ବୋହୂ ଆଉ ସବୁ ବୋହୂଙ୍କ ପରି ନୁହେଁ   |ଆଗ ପରି ମଣି ଉପରେ ସବୁ କାମର ବୋଝ ନ ଲଦି,ସ୍ୱତଃ ପ୍ରବୃତ୍ତ ଭାବରେ ସେ  ଅନେକ ଛୋଟ ମୋଟ କାମ କରି ଦେଉଥିଲେ |ଏପରିକି  ନାତି ଜନ୍ମ ହେବା ପରେ,ସେ  ନାତିର  ସମ୍ପୂର୍ଣ୍ଣ ଦାୟିତ୍ତ୍ୱ ନେଇ ମଣିକୁ ଚିନ୍ତା ଶୂନ୍ୟ କରି ଦେଇଥିଲେ  |ମଣି  ବହୁତ ଖୁସି ଥିଲା,ତା ଧୈର୍ଯ୍ୟର ଜୟ ହୋଇଥିଲା |ତା ପାଇଁ ସର୍ବଦା ଚିନ୍ତାରେ ଥିବା ମଣିର  ବାପା ମଧ୍ୟ ଖୁସି ହୋଇ ସମସ୍ତଙ୍କୁ କହୁଥିଲେ,ମୋ ମଣି କେବେ ହାରେନା   |

                         ଶାଶୁ ଶ୍ୱଶୁର,ସ୍ୱାମୀ ଓ ସନ୍ତାନକୁ ନେଇ ମଣିର ସଂସାର ଖୁବ ଖୁସିରେ ଚାଲିଥିଲା |କିନ୍ତୁ ସୁଖ କେବେହେଲେ ଚିରସ୍ଥାୟୀ ନୁହେଁ | ଶାଶୁଙ୍କର ସର୍ପାଘାତରେ ଓ ପରେ ପରେ ଶ୍ଵଶୁରଙ୍କ ବଜ୍ରାଘାତରେ ମୄତ୍ୟୁ, ତାର ସବୁ ସୁଖଶାନ୍ତିକୁ ମାଟିରେ ମିଶାଇ ଦେଇଥିଲା |ତା ଉପରେ ଦଇବ ଦାଉ ସାଧିଲା ପରି,ସ୍ୱାମୀ ଶରତର   ଅଣ୍ଟା ବେମାରୀ ଯୋଗୁଁ ସେ ଆଉ ଚାଷକାମ କରି ପାରିଲା   ନାହିଁ |ବାଧ୍ୟ ହୋଇ ସନାର ପାଠରେ ଡୋରି ବାନ୍ଧିବାକୁ ପଡିଲା  |କିନ୍ତୁ ମଣି ହାରି ନଯାଇ ସନା ସହିତ ମିଶି ଚାଷ ଓ ବିଲବାଡ଼ି କଥା ବୁଝିଲା |ଯିଏ ଯାହା କହିଲେ ବି ସେଥିକି ତାର ଖାତିର ନଥିଲା |ଦେଖୁ ଦେଖୁ ବର୍ଷ କେଇଟାରେ ସେମାନେ ପୁଣି ଅଣ୍ଟା ସଳଖି ଛିଡା ହେଲେ |ସେତେବେଳେ ଶରତ ଖୁସିହୋଇ ମଣିକୁ କହିଥିଲା ,ମୋ ମଣି କେବେ ହାରେନା |

                       ଦିନେ ପାଖ ଗାଆଁରୁ ସନା ପାଇଁ ବିବାହ ପ୍ରସ୍ତାବ ଆସିଲା |ବାପା ମାଆଙ୍କର ଗୋଟିଏ ବୋଲି ଝିଅ,ଡାକ ନାମ ତାର ରୁନି  |ବେଶି ପଢିନି,କିନ୍ତୁ କାମ ଦାମ ସବୁ ଜାଣିଛି |ସେତେବେଳେ  ସନାର ବାହାଘର କଥା ଦୁହିଁଙ୍କ  ମନକୁ ଆସି ନଥିଲା |କିନ୍ତୁ ପ୍ରସ୍ତାବ ଆସିଲାଣି ଯେତେବେଳେ,ଦୁହେଁ ଝିଅ ଦେଖିବାକୁ ଗଲେ |ରୁନି ଉଭୟଙ୍କ ମନକୁ ଖୁବ ପାଇଲା |ଭଲଦିନ ଦେଖି ରୁନି ଓ ସନାଙ୍କ ବାହାଘର ହେଲା |ଝିଅ ବିଦାବେଳେ ତାର ମାଆ କହିଥିଲେ,ଝିଅ ମୋର ଭାରି ଗେହ୍ଲାରେ ବଢିଛି,ଆଗ ପଛ ନ ବିଚାରି ମୁହେଁ ମୁହେଁ କହିଦିଏ |ତା କଥା ସମୁଦୀ ଧରିବ ନାହିଁ |ଶରତ ସେକଥା ମଣିକୁ କହି ଥିଲା  |ଆଉ ମଧ୍ୟ କହିଥିଲା,ଆମର ଝିଅ ନାହିଁ,ଆଜିଠାରୁ ଇଏ ଆମର ଝିଅ |ତାକୁ ଚଳେଇ ନେବୁ |ମଣି ହସି ହସି କହିଥିଲା,ତାକୁ ଏମିତି ସ୍ନେହ ଶ୍ରଦ୍ଧା ଦେବି ଯେ,ସେ ନିଜ ବାପା ମାଆ କଥା ପାଶୋରି ଯିବ |କିନ୍ତୁ ଦିନ କେଇଟାରେ ତାର ସବୁ ଦମ୍ଭ ଭାଙ୍ଗିଗଲା |ମଣି ଯାହା ବି ରାନ୍ଧୁଥିଲା,ରୁନିକୁ ଭଲ ଲାଗୁ ନଥିଲା |ସେମାନେ ନାଲି ଚା' ପିଉଥିବା ବେଳେ ଖାଣ୍ଟି କ୍ଷୀରରେ ତିଆରି ଚା' ରୁନି ର ପସନ୍ଦ ଥିଲା | ସେମାନଙ୍କୁ ଅଳ୍ପ ତେଲରେ ପ୍ରସ୍ତୁତ ସନ୍ତୁଳା ପସନ୍ଦ ଥିବା ବେଳେ ରୁନିକୁ  ଅଧିକ ତେଲରେ ପ୍ରସ୍ତୁତ ଭଜା ପସନ୍ଦ ଥିଲା |ସବୁ ଛଣା ପିଠା ତାର ପସନ୍ଦ ଥିବା ବେଳେ ମଣ୍ଡା,ଇଡ଼ିଲି,ମୁଆଁ ପିଠା ଆଦିକୁ ସେ ମୁଁ ଏଗୁଡା ଖାଏନା କହି ଆଡେଇ ଦେଉଥିଲା |ସବୁଠାରୁ ବଡ଼ କଥା ଥିଲା,ସନା ତା ମାଆକୁ ଏତେ ଭଲ ପାଇବା,ଟିକିଏ କଣ ଦରକାର ପଡିଲେ,ମାଆକୁ ଖୋଜିବା ଆଦି ତାକୁ ଆଦୌ ଭଲ ଲାଗୁ ନଥିଲା |ମାଆ ପୁଅ ବସି ଖୁସିରେ ଗପସପ ହେଲେ,ତା ଦେହରେ ଯାଉ ନଥିଲା |ସେ ସେତେବେଳେ ବିଭିନ୍ନ ମିଛ ବାହାନା ଦେଖାଇ ସନାକୁ ଡାକି ନେଉଥିଲା |ମଣି ସବୁ ଜାଣୁଥିଲା | ନୂଆ ନୂଆ ବାହାଘର ହୋଇଛି,ଏମିତି ହେବା  ସ୍ୱାଭାବିକ ଭାବି ସେକଥାକୁ ସେ ଗୁରୁତ୍ତ୍ଵ ଦେଉ ନଥିଲା | କିନ୍ତୁ ଦିନକୁ ଦିନ ରୁନି ର ବ୍ୟବହାରରେ ଦ୍ରୁତ ପରିବର୍ତ୍ତନ ଆସିବାରେ ଲାଗିଲା |ଘରେ ନିତି ସାଇପଡିଶାଙ୍କ ଗହଳି ଲାଗିଲା |ରୁନି ତାଙ୍କ ସଙ୍ଗେ ଗପିବାରେ ବ୍ୟସ୍ତ ରହି ତାର ଦୈନନ୍ଦିନ କାମରେ ଅବହେଳା କଲା |ଯଦି ମଣି କେବେ ତାକୁ ଆକଟ କରି କିଛି କହୁଥିଲା,ସେ ଆହୁରି ଚଢା ଗଳାରେ ପ୍ରତ୍ୟୁତ୍ତର ଦେବାକୁ ପଛାଉ  ନଥିଲା |ଗଣ୍ଡଗୋଳ ତା ଆୟତ୍ତର ବାହାରେ ହେଲେ ସେ ରୁଷି ଯାଇ ନ ଖାଇ ନ ପିଇ ଶୋଇ ପଡୁଥିଲା,ନହେଲେ ବାପଘରକୁ ଚାଲି ଯାଉଥିଲା ଓ ଅନେକ ଖୋସାମତ ପରେ ଫେରୁଥିଲା |ସନା ରୁନି କୁ ବୁଝାଇବାରେ ବିଫଳ ହୋଇ, ମଣିକୁ କହୁଥିଲା, ବୋଉ, ମୁଁ ତୋ ପସନ୍ଦରେ ବାହା ହୋଇଛି ,ତାକୁ ଚଳେଇବା ଦାୟିତ୍ତ୍ୱ ତୋର  |ମଣି ନିଜ ଅତୀତ କଥା ମନେ ପକାଏ |ଦିନେ ହେଲେ,ସେ ତା ଶାଶୁକୁ ଜବାବ ଦେଇ ନଥିଲା |ଅଥଚ,ରୁନି କଥା ପଦକରେ ତା ଆଡକୁ ଝପଟି ଆସୁଛି,ସତେ କି ମାରି ପକେଇବ !ଏକଥା ସେ ଶରତକୁ କହି ପାରୁ ନଥିଲା |କାରଣ ଶରତ ସମର୍ଥନ କରିବା ପରିବର୍ତ୍ତେ,ଓଲଟି ତାକୁ ଦୋଷ ଦେବ |  ଶାଶୁ ବୋହୂଙ୍କ ମତାନ୍ତର ମନାନ୍ତର କଥା ଆଲୋଚନା କରି ସାଇ ପଡିଶା ଖୁସି ହେବାବେଳେ ମଣି ଦୁଃଖରେ ଫାଟି ପଡୁଥିଲା |

                       ସନାର ସାଙ୍ଗ ମନୋଜର  ଏକ ଲୁଗା ଦୋକାନ  ଥିଲା | ଦଶହରାରେ ଲୁଗା ବେପାର କରିବା ପାଇଁ ମନୋଜ  ଲୁଗା ଆଣିବାକୁ କଟକ ଗଲା  |ସନା ମଧ୍ୟ ତା ସହିତ ଗଲା |ଦଶହରାରେ ପିନ୍ଧିବାକୁ  ଘର ପାଇଁ ତାର ମଧ୍ୟ କିଛି ଲୁଗାପଟା ଆଣିବାର ଥିଲା | ସେ ତା ନିଜ ପସନ୍ଦରେ ଶାଶୁ ବୋହୂଙ୍କ  ପାଇଁ ଶାଢ଼ୀ ,ଶରତ ଓ ତା ନିଜ ପାଇଁ ସାର୍ଟ ପ୍ୟାଣ୍ଟ ଆଣିଲା  |ଘରେ ପହଞ୍ଚୁ  ପହଞ୍ଚୁ ଟିକିଏ ଡେରି ହୋଇ ଯାଇଥିଲା |ସେ ମଣିକୁ ଲୁଗା ପ୍ୟାକେଟ ଦେଇ,ଚୁପ କରି  କହିଲା,ମନୋଜ ସାଙ୍ଗରେ କଟକ ଯାଇଥିଲି,ଆଗକୁ ଦଶହରା ଆସୁଛି,ସମସ୍ତଙ୍କ ପାଇଁ,ଲୁଗା/ଡ୍ରେସ ନେଇ ଆସିଛି |ତୋ ପାଇଁ ଓ ରୁନି ପାଇଁ  ଶାଢ଼ୀ ଆଣିଛି |ତୁ ତୋ ପସନ୍ଦର ଶାଢ଼ୀ ରଖି,ଅନ୍ୟଟି ରୁନିକୁ ଦେବୁ |ପାଖରେ ବସିଥିବା ରୁନି କାନରେ ଏକଥା ପଡିଲା |ସନାର ଶେଷ କଥା ପଦକ ତା କାନରେ ବାରମ୍ବାର ପ୍ରତିଧ୍ଵନିତ ହେବାରେ ଲାଗିଲା |ମଣି ଯେତେବେଳେ ତାକୁ ନ ଦେଖାଇ ଲୁଗା ପ୍ୟାକେଟ ନେଇ ତା ଶୋଇବା ଘରେ ରଖିଦେଇ ଆସିଲା,ସେତେବେଳେ ତା ରାଗ ଆହୁରି ବଢିଗଲା |ରାତିରେ ସମସ୍ତେ ଶୋଇବାକୁ ଯିବା ପରେ ମଣି ସବୁ ଦିନ ବାକି ପଡିଥିବା କାମ ଶେଷ କରି ଶୋଇବାକୁ ଯାଏ |ସେଦିନ ସେ  ଶୋଇବାକୁ ଯିବାବେଳେ  ସନା ରୁମରୁ ଆସୁଥିବା  ପାଟି ତୁଣ୍ଡ ଶୁଣି ଅଟକି ଗଲା |ସନା ପ୍ରଥମେ କାହିଁକି ରୁନିକୁ ଶାଢ଼ୀ ପସନ୍ଦ କରିବାକୁ କହିଲା ନାହିଁ,ତାହା  କଳିର ବିଷୟ ବସ୍ତୁ ଥିଲା | ଏହା ଶୁଣି ମଣି ବିରକ୍ତ ହୋଇ ଶୋଇବାକୁ ଚାଲିଗଲା |

                           ସେ ଏପଟ ସେପଟ କଡ଼ ଲେଉଟାଇ,ଶୋଇବାକୁ ଅନେକ ଚେଷ୍ଟା କଲା |କିନ୍ତୁ ତା ଆଖିକୁ ନିଦ ଆସୁ ନଥିଲା |ତାକୁ ଲାଗୁଥିଲା,ବୋହୂ ହୋଇ ଶାଶୁଙ୍କୁ ଚଳାଇବା ବରଂ ସହଜ,କିନ୍ତୁ ଶାଶୁ ହୋଇ ବୋହୂକୁ ଚଳାଇବା ଭାରି କଷ୍ଟ |ସେତିକି ତ୍ୟାଗ,କଷ୍ଟ ସ୍ୱୀକାର ନକଲେ,ଜଣେ ଭଲ ଶାଶୁ ହୋଇ ପାରେନା | ଏତେ କଷ୍ଟ କରି,ସେ କଣ ଜୀବନର ଏହି ଶେଷ ପର୍ଯ୍ୟାୟରେ ହାରିଯିବ ??ଏହି ସମୟରେ ସନା ରୁମରୁ ରୁନି ର ଚିତ୍କାର ଶୁଣି ସେ ଦଉଡିଯାଇ ଦେଖିଲା,କବାଟ ଭିତର ପଟୁ ବନ୍ଦ ଅଛି ଓ କବାଟ ତଳୁ ତାଜା ରକ୍ତର  ଧାର ଗାଡି ଆସୁଛି |ଏହି ସମୟରେ ରୁମ କବାଟ ଖୋଲିଗଲା ଓ ସନା ହାତରେ ରକ୍ତ ଭିଜା ଛୁରୀ ଧରି ବାହାରକୁ ବାହାରି ଆସି ସାମନାରେ ମଣିକୁ ଦେଖି କହିଲା,ବୋଉ, ରୁନି ଦିନକୁ ଦିନ ବହୁତ ଉଦ୍ଧତ ହୋଇ ଯାଉଥିଲା |ଭାବିଥିଲି ତୁ ତାକୁ ସୁଧାରି ଦେବୁ |କିନ୍ତୁ ତୁ ଫେଲ ମାରିଲୁ |ତେଣୁ ସବୁଦିନ ପାଇଁ ତା ପାଟି ବନ୍ଦ କରିଦେଲି |ଏବେ ଯାଉଛି,ପୋଲିସ ପାଖରେ ସରେଣ୍ଡର କରିବି |ସନା ଟଳି ଟଳି ସେଠାରୁ ଚାଲିଗଲା |ମଣି ଭୟରେ ଚିତ୍କାର କରି ଡାକୁଥିଲା.ସନା ....ସନା .....|ତାର ନିଃଶ୍ୱାସ ବନ୍ଦ ହୋଇ ଯାଉଥିଲା | ସେ ତଳେ ଗଡି ବାଉଳି ଚାଉଳି ହେଉଥିଲା  ଓ ତାର  ଲୁଗା ରକ୍ତରେ ଭିଜି ଯାଉଥିଲା |ହଠାତ ତା ନିଦ ଭାଙ୍ଗିଗଲା |ସେ ଆଖି ଖୋଲି ଚାରି ଆଡକୁ ଚାହିଁଲା |ରାତିରେ ମୁଣ୍ଡ ପାଖରେ ରଖିଥିବା ପାଣି ଢାଳଟି ଓଲଟି ପଡି,ତା ଲୁଗା ଓଦା ହୋଇ ଯାଇଥିଲା  |ଦୁଃସ୍ୱପ୍ନ ଦେଖି ଭୟରେ ତାର ଛାତି ଥରୁଥିଲା |ସେ ମନେ ମନେ 'ଗୋବିନ୍ଦ' 'ଗୋବିନ୍ଦ' କହି ଈଶ୍ୱରଙ୍କୁ ସ୍ମରଣ କଲା |ସେତେବେଳକୁ ସକାଳ ହୋଇ ଆସୁଥିଲା |ସେ ଲୁଗା ବଦଳାଇ ବାହାରକୁ ଯାଇ ଦେଖିଲା,ରୁନି ଘର ଓଳାଉଛି,ମୁହଁଟି ତାର ଶୁଖି ଯାଇଥିଲା |ମଣି ଭାବିଲା,ରୁନି ଛୋଟ ପିଲା |କାଲି ସକାଳେ ତା ଘରକୁ ବୋହୂ ହୋଇ ଆସିଛି |ଅନ୍ୟ ପକ୍ଷରେ ତାର ଦୀର୍ଘ ଦିନର ଅଭିଜ୍ଞତାରେ ସେ ଦୁନିଆଁ କଣ  ଜାଣିଛି,ଚିହ୍ନିଛି |ଯଦି ରୁନି ତା ସହିତ ଚଳି ପାରୁନି,ତାକୁ ରୁନି ସହିତ ଚଳିବାକୁ ପଡିବ |ତା ନହେଲେ ତାର ଏତେ ଦିନର କଷ୍ଟ ବୃଥା ଯିବ |ସେ ରୁନି  ହାତରୁ ଛାଞ୍ଚୁଣି ନେଇ କହିଲା,ମୁଁ ଓଳାଇଦେବି,ତୁ ଯାଆ ଗାଧୋଇବୁ  |

                       ସେଦିନ ସକାଳେ ସମସ୍ତେ ଜଳଖିଆ ଖାଇ ସାରିବା ପରେ ସନା ଦେଇଥିବା ଲୁଗା ପ୍ୟାକେଟ ରୁନି କୁ ଦେଇ ମଣି କହିଲା, ଦୁଇଟାଯାକ ଶାଢ଼ୀ  ତୁ ପିନ୍ଧ | ନାଲି ହଳଦିଆ ରଙ୍ଗ ମତେ ଆଉ ଭଲ ଲାଗୁନି |ତୋ ଜେଜେମା ଅକାଳରେ ଚାଲିଗଲେ |ତାଙ୍କର ସବୁ ଶାଢ଼ୀ ମୁଁ ପିନ୍ଧୁଛି |ଦିନକୁ ଗୋଟେ ଗୋଟେ ପିନ୍ଧିଲେ ବି ମାସ ସାରା ପିନ୍ଧି ଆହୁରି ବଳିବ |ଏବେ ତ ତୋର ଖାଇବା ପିନ୍ଧିବା ବୟସ |ତୁ ପିନ୍ଧିଲେ ତତେ ମାନିବ,ମତେ ମାନିବନି |ରୁନି କିଛି ନକହି ମଣି ହାତରୁ ଲୁଗା ପ୍ୟାକେଟ ନେଇ ଶାଢ଼ୀ ଦୁଇଟି ଖୋଲି ଦେଖିଲା ଓ ତାକୁ ପୁଣି ପ୍ୟାକେଟରେ ଯତ୍ନରେ ରଖିଦେଲା |କିଛି ସମୟ ପରେ ସେ ମଣି ପାଖକୁ ଆସି କହିଲା,ବୋଉ,ଆପଣଙ୍କୁ ସୋରିଷ ଫୁଲ ରଙ୍ଗ ଭଲ ଲାଗେ ବୋଲି ଜାଣିଛି |ଏଇ ଶାଢ଼ୀ ମୋ ତରଫରୁ ମୁଁ ଆପଣଙ୍କୁ ଦେଉଛି |ଆପଣ ୟାକୁ ଦଶହରାରେ ପିନ୍ଧିବେ |ତାହେଲେ ମୁଁ ବି ଆପଣଙ୍କ କଥା ମାନି ସେହି ଶାଢ଼ୀ ପନ୍ଧିବି |ଏହା କହି ସେ ମଣି ହାତରେ ଗୋଟିଏ ପ୍ୟାକେଟ ରଖିଦେଲା |ମଣି  ପାଟିରୁ କଣ ବାହାରି ଆସୁଥିଲା |କିନ୍ତୁ ସେ ନିଜକୁ ରୋକିନେଇ କହିଲା,ମୋ ଝିଅ ମତେ ମନ ଖୁସିରେ ମତେ ଯାହା ଦେବ,ତାହା ମୋ ପାଇଁ ସ୍ୱର୍ଗ |ମୁଁ ତାକୁ କେବେହେଲେ ଭଲ ମନ୍ଦ ବୋଲି କହି ପାରିବିନି |ସେ ରୁନି ହାତରୁ ଶାଢ଼ୀ ନେଇ ତା   ମୁଣ୍ଡରେ ହାତ ରଖି କହିଲା,ମୋର ସବୁ ଆୟୁଷ ତତେ ଲାଗିଯାଉ,ଭଗବାନ ତତେ ସକଳ ଐଶ୍ଵର୍ଯ୍ୟ ଦିଅନ୍ତୁ |ଖୁସିରେ ରୁନି ଆଖିକୁ ଲୁହ ଚାଲି ଆସିଲା |ସେଦିନ ଠାରୁ ମଣି ନିଜକୁ ବଦଳେଇବାରେ ଲାଗି ପଡିଲା |କ୍ରମଶଃ  ସେ ଅନୁଭବ କଲା ,ରୁନି ମଧ୍ୟ ଧୀରେ ଧୀରେ ବଦଳିବାରେ ଲାଗିଛି ଓ ଘରେ ଶାନ୍ତି ଫେରି ଆସୁଛି |ଏଥର ମଣି ଖୁବ ଖୁସି ଥିଲା |ତାକୁ ଲାଗୁଥିଲା,ସେ ଯେମିତି ହାରୁ ହାରୁ ଜିତି ଯାଇଛି !!!!  |ମମତା ମହାନ୍ତି |




                         

                                                        

Sunday, September 6, 2020

ଝିଲିମିଲି ମାଉସୀ

                ନୂଆକରି କଲୋନୀରେ ଆସି ରହୁଥିବା ମହାପାତ୍ର ଦମ୍ପତ୍ତିଙ୍କୁ  ନେଇ ଆଜିକାଲି ଭାରି ଚର୍ଚ୍ଚା |ଦୁହେଁ ପଡୋଶୀ ମାନଙ୍କ ସହ ଏତେ ମିଳାମିଶା କରନ୍ତି ନାହିଁ;ଅଧିକାଂଶ ସମୟ  ଘର ଭିତରେ ନିଜ କାମରେ ବ୍ୟସ୍ତ ଥାଆନ୍ତି |ନୂଆ ଘରକୁ ଆସିବାର ଅଳ୍ପଦିନ ଭିତରେ ସେମାନେ ତାଙ୍କ ଘର ଛାତ ଉପରେ ନାନା ପ୍ରକାର ଫୁଲ ଓ ଫଳ ଗଛ ଲଗାଇ ତାକୁ ଏକ ଛୋଟିଆ ନନ୍ଦନ କାନନରେ ପରିଣତ  କରି ସାରିଲେଣି |କିନ୍ତୁ ପୂଜା ପର୍ବରେ କିଏ ଫୁଲ ଗୋଟିଏ ମାଗିଲେ,ସେମାନଙ୍କ ଦେହରୁ ଇଞ୍ଚେ ରକ୍ତ ଶୁଖିଯାଏ |ଦୁହେଁ ସଫା ସଫା ମନା କରି ଦିଅନ୍ତି |ମିସେସ ମହାପାତ୍ର ଠାକୁରଙ୍କୁ ଧୂପ ଦେଇ,ମୁଣ୍ଡିଆ ମାରି ପୂଜା ଶେଷ କରିବା ବେଳେ  ମିଷ୍ଟର ମହାପାତ୍ର ,ସକାଳେ ଦୁଇଘଣ୍ଟା ଓ ସନ୍ଧ୍ୟାରେ ଘଣ୍ଟାଏ ପୂଜା ପାଠରେ ସମୟ ବିତାନ୍ତି |ଏହି ସମୟରେ କେହି ଯେପରି  ତାଙ୍କୁ ଡିଷ୍ଟର୍ବ ନକରି ପାରିବେ,ସେଥିପ୍ରତି  ମିସେସ ମହାପାତ୍ର ସଜାଗ ଥାଆନ୍ତି  |ସେତେବେଳେ ସେ ନିଜ ମୋବାଇଲଟି କାନରେ ଦେଇ କେତେବେଳେ ତାଙ୍କ ଗେଟ ପାଖରେ ତ କେତେବେଳେ ଛାତ ଉପରେ ବୁଲି ଦୁନିଆଁ ଲୋକଙ୍କ ସଂଗେ କଥା ହେଉ ଥାଆନ୍ତି |ସିଏ ଏକ  ଅଦ୍ଭୁତ ପ୍ରକାରର ମଣିଷ |ବୟସାଧିକ୍ୟ ହୋଇଥିଲେ  ବି ତାଙ୍କ  ଫେସନରେ ଆଞ୍ଚ ଆସିନଥିଲା   | ପ୍ରତିଦିନ ଶାଢ଼ୀ ରଙ୍ଗ ସହିତ ମ୍ୟାଚ କରି ଚୂଡି,କାନଫୁଲ,ହାର,ଇତ୍ୟାଦି ବିଭିନ୍ନ ଡିଜାଇନର ସୁନ୍ଦର ସୁନ୍ଦର ଇମିଟେସନ ଗହଣା ସେ ପିନ୍ଧନ୍ତି |ସୁନା ଗହଣା ପିନ୍ଧିବାକୁ ତାଙ୍କୁ କୁଆଡେ ଆଦୌ ଭଲ ଲାଗେନା |କାରଣ ପଚାରିଲେ କହନ୍ତି,ସେଇଆକୁ ସେଇଆକୁ ସବୁଦିନ କେତେ ପିନ୍ଧିବି ?  ଗୋରା ରଙ୍ଗ ଓ ସୁନ୍ଦର ଚେହେରା  ସାଙ୍ଗକୁ ସଦା ହସ ହସ ପାନଖିଆ ନାଲି ଓଠ ତାଙ୍କୁ ଖୁବ ମାନେ |ସେ ଯୁଆଡେ ଯାଆନ୍ତି ,ଅତରର ସୁଗନ୍ଧ ବେଶ କିଛି ସମୟ ପାଇଁ ସେହି ସ୍ଥାନରେ ଅଟକି ରହିଯାଏ |କିନ୍ତୁ ଆଶ୍ଚର୍ଯ୍ୟର କଥା,ସେ ଯେଉଁ ଅତର ବ୍ୟବହାର କରୁଥିଲେ,ତାକୁ ଅନ୍ୟମାନେ ଯେତେ ଅଧିକ ମାତ୍ରାରେ ଲଗେଇଲେ ବି ତାଙ୍କ ପରି ସୁଗନ୍ଧ ଆସୁ ନଥିଲା  | ଦୁଇ ପୁଅଝିଅ ତାଙ୍କର କେବେଠାରୁ  ବାହାହୋଇ,ନାତି ନାତୁଣୀ  ସ୍କୁଲ ଗଲେଣି |ତଥାପି ବୁଢ଼ୀ ବୟସରେ ୟେ କି ଫେସନ !!ଛିଃ  ଛିଃ |ନାରୀ ମହଲରେ ଏକଥା ପଡିଲେ,ସମସ୍ତେ ନାକ ଟେକନ୍ତି |ତାଙ୍କର ନାମ ଜୁଲି ହେଲେହେଁ କେତେଜଣ ତାଙ୍କୁ ଥଟ୍ଟାରେ ଝିଲିମିଲି ମାଉସୀ ଡାକୁ ଡାକୁ  କ୍ରମେ ସେ ସେହି ନାମରେ କଲୋନୀରେ ପରିଚିତ ହୋଇଗଲେ |

           ସବୁଦିନ ଅପରାହ୍ନରେ କଲୋନୀରେ ନାରୀ ମହଲର ମିଟିଂ ବସେ |ସେଠାରେ ସବୁ ବିଷୟରେ ଆଲୋଚନା ହୁଏ |ଦିନଯାକର କ୍ଲାନ୍ତି ମେଣ୍ଟାଇବା ପାଇଁ ସେହି ବନ୍ଧୁମିଳନ  ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଥିବାବେଳେ ଝିଲିମିଲି ମାଉସୀ କିନ୍ତୁ କେବେ ବି ସେଠାକୁ ଆସୁ ନଥିଲେ |ସେ କହୁଥିଲେ ,ଘରେ ମୋର କେତେ କାମ,ଅଯଥାରେ  ଗପି କି ଲାଭ ??ତାଙ୍କର ଏହି କଥା,ସମସ୍ତଙ୍କ ଦେହରେ କଣ୍ଟା ପରି ଗଳିଯାଉଥିଲା  |କେହି କେହି କହୁଥିଲେ ,ବୋପାଲୋ ,ଏଇ ଏକା ସଂସାରକୁ ମୁଣ୍ଡେଇ ଧରିଛି,ଆମେ କଣ ଘରେ କାମ କରୁନୁ ନାଁ ଆମ ସଂସାର ଚାଲୁନି ?ଯେତେବେଳେ ଦେଖିବ,ଦୁଇ ପ୍ରାଣୀ ସେଇ ଛାତ ଉପରେ ଥିବା ଗଛ ଗୁଡିକୁ ନିରେଖି ଚାହିଁ ରହିଥିବେ |କଣ ସେଥିରୁ ପାଆନ୍ତି କେଜାଣି !!

              ସପ୍ତାହରେ ଥରେ  ସ୍ୱାମୀ ସ୍ତ୍ରୀ ଦୁଇଜଣ ଯେମିତିହେଲେ ସେମାନଙ୍କ କାର ନେଇ ବାହାରକୁ ବୁଲି ଯାଉଥିଲେ  |ସେଦିନ ସେମାନଙ୍କର ବାହାରେ ଖାଇ ଆସିବା ଥୟ |ସେମାନେ ଯେଉଁଠାରେ ଆଗରୁ ରହୁଥିଲେ, ସେଠାରେ ଥିବା ଏକ ଛୋଟ ରେସ୍ତୋରାଁ ର ସେମାନେ କାଳେ ନିୟମିତ ଗରାଖ ଥିଲେ |ତାର ରୁଟି ତଡକା ଆଖପାଖରେ ଏତେ  ପ୍ରସିଦ୍ଧ ଯେ ରାତି  ନଅଟା ସୁଦ୍ଧା ସବୁ ମାଲ ବିକ୍ରୀ ହୋଇ ଦୋକାନ ବନ୍ଦ ହୋଇଯାଉଥିଲା |ଜୁଲିଙ୍କ ସବୁଠାରୁ ବଡ଼ ସମାଲୋଚିକା ହେଲେ ରୀତୁ |ତାଙ୍କୁ ଏସବୁ ଜଣା |କାରଣ ତାଙ୍କ ଘରେ ରୀତୁଙ୍କ ଅବାଧ ପ୍ରବେଶ |ସେ ହିଁ ନାରୀ ମହଲରେ ତାଙ୍କର ସବୁ ଗୁମର ଖୋଲିଦେଉଥିଲେ | 

              କରୋନା ଯୋଗୁଁ ସମସ୍ତଙ୍କର ସବୁ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଛେଦ ପଡି ଯାଇଥିଲା |କଟକଣା ପାଇଁ ନାରୀମହଲ ର ଦରବାର ବି ଆଉ ବସି ପାରୁ ନଥିଲା |ପିଲାମାନେ ଘରେ ବୋର ହୋଇ ଉତ୍ପାତ କରୁଥିଲେ | ଦିନେ ରୀତୁଙ୍କ ପୁଅ ବଣ୍ଟି ପାଚେରୀ ଉପରେ ଚଢିଥିବାବେଳେ ଅସାବଧାନତା ବଶତଃ ତଳକୁ ଖସି ତା ମୁଣ୍ଡ ଫାଟିଗଲା |କ୍ଷତ ଏତେ ଗଭୀର ଥିଲା ଯେ ରକ୍ତସ୍ରାବ ବନ୍ଦ ହେଉ ନଥିଲା |ସେ ଓ ତାଙ୍କ ସ୍ୱାମୀ ରବି  ବ୍ୟସ୍ତ ହୋଇ ପାଖ ପଡୋଶୀ ମାନଙ୍କ ସହାୟତା ଲୋଡିଲେ |କିନ୍ତୁ ସେତେବେଳକୁ ସମସ୍ତଙ୍କ ତାଟି କବାଟ ପଡି ଯାଇଥିଲା |ରୀତୁ ମୁଣ୍ଡ ପିଟି କାନ୍ଦୁଥିଲେ ଓ ରବି  କାହାକୁ କାହାକୁ ଫୋନ କରୁଥିଲେ |ସେତେବେଳେ ମହାପାତ୍ର ବାବୁଙ୍କ ପୂଜାପାଠ  ସମୟ | ସବୁଦିନ ପରି ଜୁଲି ସେତେବେଳେ ଗେଟ ଆଖପାଖରେ ବୁଲି, ନିଜ ଲୋକଙ୍କ ସହ  ମୋବାଇଲରେ ଗପୁଥିଲେ   |ରୀତୁଙ୍କ ଘରେ ପାଟି ଶୁଣି,ଜୁଲି  ସେଠାକୁ ଯାଇ ସବୁ ଘଟଣା ଜାଣି ପାରିଲେ |କରୋନା ଯୋଗୁଁ ମଣିଷ କଣ,ସ୍ୱୟଂ ଡାକ୍ତର ମଧ୍ୟ ସହାୟତାର ହାତ ବଢାଇବାକୁ ପଛଘୁଞ୍ଚା ଦେଉଛନ୍ତି |କିନ୍ତୁ ଯାହା ସମ୍ଭବ ତାକୁ କରିବାକୁ ପଡିବ |ସେ ସଙ୍ଗେ ସଙ୍ଗେ କାହା ସହିତ ଫୋନରେ କଥା ହୋଇ ରୀତୁଙ୍କୁ କହିଲେ,ଆପଣ ରେଡି ହୋଇ ପିଲାକୁ ଧରି ବାହାରନ୍ତୁ ,ମୁଁ ସାଙ୍ଗେ ସାଙ୍ଗେ ଆସୁଛି |ଏହା କହି ସେ ଚାଲିଗଲେ ଓ ପାଞ୍ଚ  ମିନିଟ ଭିତରେ ଫେରି ଆସିଲେ |ସାଙ୍ଗରେ ତାଙ୍କର କାର ଓ ଡ୍ରାଇଭିଂ ସିଟରେ ସେ ନିଜେ |ଏହା ଦେଖି ରୀତୁଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ |ସେ କହିଲେ,ଆପଣ କାର ବି ଚଲେଇ ଜାଣନ୍ତି????ଜୁଲି କହିଲେ,ପଛେ କଥା ହେବା ,ଏବେ ଶୀଘ୍ର ଆସନ୍ତୁ  |ରବି,ରୀତୁ ଓ ବଣ୍ଟି କାରରେ ବସିଲେ |ଜୁଲି ସେମାନଙ୍କୁ ନେଇ ତାଙ୍କ ସମ୍ପର୍କୀୟଙ୍କ କ୍ଲିନିକ୍କୁ ଗଲେ |ଡାକ୍ତର ବାବୁ କହିଲେ,ଯାହାହେଉ ଆପଣମାନେ ଠିକ ସମୟରେ ଆସିଲେ,ଡେରି ହୋଇଥିଲେ ଅସୁବିଧା ହୋଇ ଥାଆନ୍ତା |

             ପୁଅର ଚିକିତ୍ସା ଚାଲିଥିବାବେଳେ,ରୀତୁ ଅପଲକ ନୟନରେ ଜୁଲିଙ୍କୁ ଚାହିଁ ରହିଥିଲେ |ଏହି ମହିଳାଙ୍କୁ ଙ୍କୁ ସେ କଣ ନ କହିଛନ୍ତି !ଅଥଚ ତାଙ୍କ ବିପଦବେଳେ ସେ ଈଶ୍ୱରଙ୍କ ପରି ସାହାଯ୍ୟ କରିବାକୁ ଆଗେଇ ଆସିଲେ |କିନ୍ତୁ ଯେଉଁମାନଙ୍କ ସହ  ସଙ୍ଗାତ,ମାଉସୀ,ପିଉସୀ ଇତ୍ୟାଦି କହି ଅନ୍ତରଙ୍ଗ ସମ୍ପର୍କ ବଢ଼ାଇ ଥିଲେ,ଠିକଣା ସମୟରେ ସେମାନେ ମୁହଁ ଫେରାଇ ନେଲେ |ବଣ୍ଟି  ଯେତେବେଳେ ଆସି ତାଙ୍କ କୋଳରେ ବସିଲା,ସେତେବେଳେ ତାଙ୍କ ଧ୍ୟାନ ଭାଙ୍ଗିଲା |ଡାକ୍ତରଙ୍କୁ ତାଙ୍କ ଫିସ ଦେବାପାଇଁ ସେ ତାଙ୍କ ପର୍ସ ଖୋଲିଲା ବେଳକୁ,ଜୁଲି ତାଙ୍କୁ ରୋକିଦେଇ କହିଲେ,ସେକଥା ମୁଁ ବୁଝିବି,ଏବେ ଚାଲନ୍ତୁ ମେଡ଼ିସିନ ଆଣିବା |ଜୁଲି କାହାକୁ ଫୋନ କରି ବୁଝିଲେ,ସେ ତାଙ୍କ ମେଡ଼ିସିନ ଷ୍ଟୋରକୁ ଆସିବାକୁ ଡେରି ହେବ |ତେଣୁ ସେ ତାଙ୍କ ଘରକୁ ଯାଇ,ଡାକ୍ତର ଲେଖିଥିବା ଔଷଧ ନେଇ ଆସିଲେ |ଏଥର ରୀତୁଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା |ସେ ଜୁଲିଙ୍କ ପାଦ ଦୁଇଟି ଧରି ପକାଇ କହିଲେ,ମାଡାମ ,ଆପଣ ଆଜି ଆମ ପାଇଁ ଯାହା କଲେ,ଆମ ନିଜର ଲୋକ ସେତିକି କରି ପାରି ନଥାନ୍ତେ  |ଆପଣଙ୍କ ବେଶଭୂଷା ଦେଖି ମୁଁ କେତେ କଣ କହିଛି |ଏବେ ଜାଣୁଛି ,ମଣିଷର ବାହାର ଚେହେରା ଦେଖି, ଅନ୍ତଃସୌନ୍ଦର୍ଯ୍ୟର କଳନା  କରିବା ଅସମ୍ଭବ  | ମୋ ଜୀବନର ସବୁଠାରୁ ବଡ଼ ଶିକ୍ଷା ମୁଁ ଆଜି ପାଇଲି |ଜୁଲି ଅତି  ସରଳ ଭାବରେ ହସିଦେଇ କହିଲେ,ମୁଁ କଣ ଏମିତି କରି ପକେଇଲି ଯେ ,ଆପଣ ଟେକା ଟେକି କରି ଏତେ କଥା କହି ସାରିଲେଣି ! ଏବେ ବଣ୍ଟି ଆମର ଫାଷ୍ଟ ପ୍ରାୟରିଟି ,ତା କଥା ବୁଝନ୍ତୁ ,ବାକି  ସବୁକଥା  ଭୁଲି ଯାଆନ୍ତୁ |

                          କ୍ରମେ କରୋନାର ଭୟଙ୍କର ପ୍ରକୋପ ବୃଦ୍ଧି ପାଇ ଚାଲିଥିଲା |ତା ପାଖରେ  ଭଲ ମନ୍ଦ,ପାପ ପୁଣ୍ୟ କିଛିର ଭେଦଭାବ ନଥିଲା |ବରଂ ଯେଉଁମାନେ କରୋନା ରୋଗୀମାନଙ୍କର ସେବା କରିବାକୁ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସୁଥିଲେ,ସେହିମାନେ ପ୍ରଥମେ ତାର ଶୀକାର ହେଉଥିଲେ |ଦିନେ ଶୁଣାଗଲା,ମହାପାତ୍ର ବାବୁଙ୍କୁ କରୋନା ହୋଇଛି |ଏକଥା ଜାଣି  କରୋନା ଭୟରେ କେହି ତାଙ୍କ ଘର ଦୁଆର ମୁହଁ ମାଡିଲେ ନାହିଁ |କିନ୍ତୁ ସେଦିନ ସନ୍ଧ୍ୟାରେ ହିଁ ଜୁଲି ନିଜେ କଲୋନୀ ସୋସାଇଟି ହ୍ୱାଟସ ଅପ ଗୃପରେ ମହାପାତ୍ର ବାବୁଙ୍କ କୋଭିଡ ଆକ୍ରାନ୍ତ ହେବା  କଥା ଜଣାଇ ସମସ୍ତଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କଲେ | ସେ  କାହାକୁ  ସାହାଯ୍ୟ ନମାଗି ମହାପାତ୍ର ବାବୁଙ୍କୁ ନିଜେ କୋଭିଡ ହସ୍ପିଟାଲରେ ଆଡମିଶନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଭଲ କରିବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ  |କିନ୍ତୁ ମହାପାତ୍ର ବାବୁଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଥିଲା | 

                ଦିନେ ସନ୍ଧ୍ୟାରେ ଦେଖାଗଲା ଜୁଲିଙ୍କ ଘରକୁ ତାଙ୍କ ପୁଅ,ବୋହୂ ଆସିଛନ୍ତି |ପରେ ପରେ ଝିଅ ଜ୍ୱାଇଁ,ଭାଇ ଭାଉଜ ଇତ୍ୟାଦି ଅନେକ  ଆତ୍ମୀୟସ୍ୱଜନ ଜଣକ ପରେ ଜଣେ ଆସି ପହଞ୍ଚିବାକୁ ଲାଗିଲେ |ରୀତୁ ସେତେବେଳେ ଜୁଲିଙ୍କୁ ଫୋନ କଲେ |କିନ୍ତୁ ସେ ଫୋନ ଉଠାଇଲେ ନାହିଁ |କଲୋନୀରେ ଏତେ ଲୋକ ଥିବା ସତ୍ତ୍ୱେ,କରୋନାକୁ ଭୟ କରି କେହି ଜଣେ ବି ତାଙ୍କ ଘରକୁ ଗଲେନାହିଁ |ତାଙ୍କ ପୁଅକୁ ଜୁଲି ଯେପରି ଅଯାଚିତ ଭାବରେ ସେବା କରିଥିଲେ,ସେକଥା ମନେ ପକାଇ ତାଙ୍କର ଏହି ବିପଦ ବେଳେ ରୀତୁ ତାଙ୍କ ଘରକୁ ଯିବେ କି ନାହିଁ ଭାବୁ ଭାବୁ ଶେଷରେ ଆଉ ଯାଇ ପାରିଲେ ନାହିଁ |ପରେ କାନ୍ଦ ବୋବାଳି ଶୁଣି ମହାପାତ୍ର ବାବୁ ଚାଲିଗଲେ ବୋଲି ସମସ୍ତେ ଜାଣିଲେ  |

                ଶବ ସଂସ୍କାର ପରେ ଘରେ ଚାବି  ପକାଇ ସମସ୍ତେ ଗାଆଁକୁ ଚାଲିଯିବା ପରେ କଲୋନୀ ଲୋକ ଟିକେ ଶାନ୍ତିରେ  ନିଃଶ୍ୱାସ ମାରିଲେ |କାରଣ ଏହା କଲୋନୀର ପ୍ରଥମ କୋଭିଡ ମୃତ୍ୟୁ ଥିଲା ଓ ସମସ୍ତେ ଜୁଲିଙ୍କ ଦୁଃସମୟ ଅପେକ୍ଷା ନିଜ ନିରାପତ୍ତା ବିଷୟରେ ଅଧିକ ଚିନ୍ତିତ ଥିଲେ |ମାସେ ପରେ ପୁଅ ବୋହୂ ଓ ନାତିଙ୍କ ସହିତ ଜୁଲି ଫେରିଲେ |ଜୁଲିଙ୍କ ପୁଅ ବୋହୂ ବାହାରେ ଚାକିରୀ କରୁଥିବାରୁ ସେମାନେ ଚାଲିଯିବା ନିଶ୍ଚିତ ଥିଲା  |କଲୋନୀର ସମ୍ପାଦକ ପରିଡା ବାବୁ ଦିନେ ଜୁଲିଙ୍କ ପୁଅଙ୍କ ସାଙ୍ଗେ କଥା ହୋଇ ଜାଣିଲେ,ସେମାନେ ସପ୍ତାହେ ପରେ ଚାଲିଯିବେ |ସେ ପୁଅଙ୍କୁ କହିଲେ,ମାଆଙ୍କୁ ଏକୁଟିଆ ଛାଡି ଯାଅ ନାହିଁ,ତାଙ୍କୁ ସାଙ୍ଗରେ ନେଇଯାଅ |ପୁଅ ତାଙ୍କ କଥା ମନଦେଇ ଶୁଣିଲା,କିନ୍ତୁ କିଛି କହିଲା ନାହିଁ |

             ସପ୍ତାହେ ପରେ ଦେଖାଗଲା,ପୁଅ ବୋହୂ ଓ ନାତି ଚାଲିଗଲେ |କିନ୍ତୁ ତାଙ୍କ ସହିତ ଜୁଲି ଗଲେନାହିଁ |ଏହାଦେଖି ସମସ୍ତେ ଅଶାନ୍ତି ହେଲେ ଓ ମନେ ମନେ ସ୍ଥିର କଲେ,ତାଙ୍କ ପିଲାମାନେ ଯଦି ତାଙ୍କ ଦାୟିତ୍ତ୍ୱ ନେଲେନାହିଁ,ତାହେଲେ,ଆମର ମଧ୍ୟ ଏ ବାବଦରେ,ମୁଣ୍ଡବିନ୍ଧା କରିବାର ନାହିଁ |ଏଥରକ କଲୋନୀରେ ଜୁଲିଙ୍କର ସନ୍ଦେହଜନକ ଗତିବିଧି ସମସ୍ତଙ୍କର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା |ଏମିତିକି ରୀତୁ ମଧ୍ୟ ସେହି ଆଲୋଚନାରେ ଭାଗ ନେଇ ପଦେ ଅଧେ କହି ଦେଉଥିଲେ |ଜୁଲି ସବୁଦିନ ପୂର୍ବାହ୍ନ ନଅଟାରେ କାର ଡ୍ରାଇଭିଂ କରି କୁଆଡେ ବାହାରି ,ସନ୍ଧ୍ୟାରେ ଘରକୁ ଫେରୁଥିଲେ  |ରାତି ଆଠଟା ବେଳକୁ ତାଙ୍କ ଘରର ସବୁ ଲାଇଟ ଅଫ ହୋଇଯାଉଥିଲା  |ବୋଧହୁଏ ସେ ସେତିକିବେଳେ ଶୋଇବାକୁ ଯାଉଥିଲେ  |

              ଏମିତି କିଛିଦିନ ଯିବାପରେ ଦିନେ ସକାଳେ ଜୁଲି ସୋସାଇଟିର ସମ୍ପାଦକ ଓ ସଭାପତିଙ୍କୁ ନିଜ ଘରକୁ ଡାକିଲେ |ସେମାନେ ପ୍ରଥମେ ବିଭିନ୍ନ କାମର ଆଳ ଦେଖାଇ ଯିବାପାଇଁ ମନା କରି ଦେଉଥିଲେ |କିନ୍ତୁ ଜୁଲି ବାଧ୍ୟ କରିବାରୁ ଅନିଚ୍ଛା ସତ୍ତ୍ୱେ ଦୁହେଁ ତାଙ୍କ ଘରକୁ ଗଲେ |ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି,ଜୁଲି  କହିଲେ,ମୁଁ ଏହି ଘର ଛାଡି ସବୁଦିନ ପାଇଁ ଚାଲି ଯାଉଛି | ପରିଡା ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ,କାହିଁକି ଯିବେ ଓ କୁଆଡେ ଯିବେ ?ଏଇଠି ତ ଆମେ ଗୋଟିଏ ପରିବାର ପରି ଚଳୁଥିଲୁ,ଆପଣଙ୍କର କଣ ଅସୁବିଧା ହେଲା ?ଜୁଲି କହିଲେ,ସେହିକଥା କହିବାପାଇଁ ମୁଁ ଆପଣମାନଙ୍କୁ ଡାକିଛି |

                       ତାପରେ ଜୁଲି ଯାହା କହିଲେ,ତାର ସାର ମର୍ମ ହେଲା,ଜୁଲି ଓ ତାଙ୍କ ସ୍ୱାମୀ ମହାପାତ୍ର ବାବୁ ନିଜର ପିଲା ଦୁଇଟିଙ୍କୁ ମଣିଷ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ଓ  ନିଜ ଭାଇ,ବନ୍ଧୁ,କୁଟୁମ୍ବ ଆଦି ସମସ୍ତଙ୍କୁ ଭୁଲି ଯାଇଥିଲେ | ପିଲାମାନେ ମଧ୍ୟ ସେମାନଙ୍କୁ ନିରାଶ କରିନଥିଲେ |ସେମାନେ ଭଲ ଚାକିରୀ କରି ବାହାହେବା ପରେ ମହାପାତ୍ର ବାବୁ ନିଶ୍ଚିନ୍ତ ହୋଇଯାଇଥିଲେ ଓ ସବୁବେଳେ ଜୁଲିଙ୍କୁ କହୁଥିଲେ ଅବସର ନେବାର ପ୍ରଥମ ଦଶବର୍ଷ ସମସ୍ତଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ |କାରଣ ଯେତେ ସ୍ୱାସ୍ଥ୍ୟ ସଚେତନ ରହିଲେ ବି,ଏହାପରେ ଧୀରେ ଧୀରେ ବାର୍ଦ୍ଧକ୍ୟ ଆକ୍ରମଣ କରିବା ଆରମ୍ଭ କରିଦିଏ |ତେଣୁ ଏହି ଦଶବର୍ଷ ଆମେ ଆମ ହିସାବରେ ଜିଇଁବା |ଯାହା ଇଛା ତାହା ଖାଇବା,ନିଜ ମନ ପସନ୍ଦର ସ୍ଥାନ ବୁଲିବାକୁ ଯିବା ଓ ଆମ ଆତ୍ମୀୟସ୍ୱଜନ,ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ସ୍ଥାପନ କରି,କ୍ୱାଲିଟି ସମୟ ବିତେଇବା |ପୁଅ ଝିଅ କିନ୍ତୁ ତାଙ୍କ କଥାରେ ରାଜି ହେଲେ ନାହିଁ |ପୁଅ କହିଲା,ଆମେ ଦୁଇଜଣ ଚାକିରୀ କରିବାକୁ ଯାଉଛୁ,ପିଲା ଡେ କେଆରରେ ରହୁଛି |ତମେ ଆସିଲେ,ସେ ତୁମମାନଙ୍କ ପାଖରେ ରହିବ ଓ ଆମର ଆଉ ଟେନସନ ରହିବ ନାହିଁ | ଅନୁରୂପ ଭାବେ ଝିଅ କହିଲା,ମୋ ଶାଶୁଙ୍କ ଅପେକ୍ଷା ତମେ  ମୋ ମନ କଥା ଭଲକରି ବୁଝିପାରିବ,ତେଣୁ ଭାଇ ପାଖରେ ନରହି,ମୋ ପାଖରେ ରୁହ |ମହାପାତ୍ର ବାବୁ କିନ୍ତୁ ନିଷ୍ପତ୍ତି ନେଇ ସାରିଥିଲେ |ସେ କାହା କଥାରେ ରାଜି ହେଲେ ନାହିଁ |ଏଥର ପିଲାମାନେ ଜୁଲିଙ୍କ ଉପରେ ଚାପ ପକାଇଲେ |କିନ୍ତୁ ଜୁଲି ସ୍ୱାମୀଙ୍କ ନିଷ୍ପତ୍ତିକୁ ଅଗ୍ରାଧିକାର ଦେଲେ |ଦିନେ ପୁଅ ବିରକ୍ତ ହୋଇ କହିଲା,ଠିକ ଅଛି,ଦଶ ବର୍ଷ ପରେ ତମେ ଜରାନିବାସରେ ରହିବ,ଆଉ ଆମ ପାଖକୁ ଆସିବ ନାହିଁ |ମହାପାତ୍ର ବାବୁ ମଧ୍ୟ ନିଜ ଜିଦ୍ଦିରେ ଅଟଳ ରହି କହିଲେ,ହଁ,ଆମେ ସେଇଆ କରିବୁ |ଜୁଲି କିନ୍ତୁ ପିଲାମାନଙ୍କ ସହ ସମ୍ପର୍କ କାଟି ନଥିଲେ | ସକାଳେ ଯେତେବେଳେ ମହାପାତ୍ର ବାବୁ ପୂଜାରେ ବସୁଥିଲେ,ସେତିକିବେଳେ ତାଙ୍କ ଅଗୋଚରରେ ସେ ନିଶ୍ଚିତ ଭାବରେ ପୁଅ ଝିଅଙ୍କ ସହ କଥା ହେଉଥିଲେ |

                   ଏହାପରେ ମହାପାତ୍ର ବାବୁ ତାଙ୍କ ବନ୍ଧୁ ସ୍ଥାପନ କରିଥିବା ଜରାନିବାସର ସକ୍ରିୟ ସଦସ୍ୟ ହୋଇଗଲେ ଓ ସେଠାକୁ ସେମାନେ ନିୟମିତ ଯିବା ଆସିବା କରୁଥିଲେ |ଏହି କଲୋନୀରେ ରହିବାପାଇଁ ମହାପାତ୍ର ବାବୁଙ୍କର ଆଦୌ ଇଛା ନଥିଲା |ସେ ଭୁବନେଶ୍ୱରର ଭଡ଼ାଘରେ ନିଜ ପ୍ରିୟ ବନ୍ଧୁମାନଙ୍କ ସହ ବେଶ ଖୁସିରେ ଥିଲେ |କିନ୍ତୁ ଘର ମାଲିକ ବାରମ୍ବାର ଘର ଭଡା ବଢେଇବାରୁ ସେମାନେ ବାଧ୍ୟ ହୋଇ ଏଠାକୁ ଆସିଥିଲେ |ମହାପାତ୍ର ବାବୁ  ପରଲୋକ ଗମନ କରିବା ପରେ ପିଲାମାନେ ତାଙ୍କ ପାଖରେ ରହିବାପାଇଁ ଡାକୁଥିଲେ |କିନ୍ତୁ ବହୁତ ଚିନ୍ତା କରିବା ପରେ ତାଙ୍କର  ମଧ୍ୟ ହୃଦବୋଧ ହେଲା ଯେ,ଭିନ୍ନ ଧରଣର ଜୀବନ ଜିଇଁବା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ |ଏଥିରେ ଆନନ୍ଦ ଅଛି ଓ ରୋମାଞ୍ଚ ମଧ୍ୟ ଅଛି |ତେଣୁ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଓ ତାଙ୍କ ଶେଷ ଇଛାକୁ ସମ୍ମାନ ଦେଇ  ସବୁ ମାୟା ମୋହ ଛାଡି ସେ ଜରାନିବାସରେ ରହିବାପାଇଁ ମନସ୍ଥ କଲେ |

                   ତାପରେ ସେ କହିଲେ,ମୁଁ ଜାଣିଛି,ସୋସାଇଟିର ନିଜସ୍ୱ ଘରଟିଏ ନାହିଁ ବୋଲି ଆପଣମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ସେଥିପାଇଁ ମୋ ଘର ସୋସାଇଟିକୁ ଦାନ କରି ମୁଁ ଏଠାରୁ ସବୁଦିନ ପାଇଁ ଚାଲି ଯାଉଛି |ଆପଣମାନେ ଭବିଷ୍ୟତରେ ହଇରାଣ ନହେବା ପାଇଁ,ଆଇନ ଅନୁଯାୟୀ ଏଥିପାଇଁ ଯାହା କରିବା କଥା ଓକିଲଙ୍କ ସାଙ୍ଗେ ପରାମର୍ଶ କରି ପେପର ପ୍ରସ୍ତୁତ କରିଛି | ତଥାପି ଯଦି ଦରକାର ପଡି଼ବ,ମତେ ଫୋନ କଲେ ମୁଁ ଆସିବି |ଘରର ଚାବି ଓ ଆବଶ୍ୟକୀୟ କାଗଜପତ୍ର ସେମାନଙ୍କୁ ହସ୍ତାନ୍ତର କରି ଜୁଲି ତାଙ୍କର ଚିର ପରିଚିତ ଅଭୁଲା ସ୍ମିତ ହାସ୍ୟ ଖେଳାଇ,ସେମାନଙ୍କ ଠାରୁ ବିଦାୟ ନେଇ କାର ଡ୍ରାଇଭିଂ କରି ଚାଲିଗଲେ | ସମ୍ପାଦକ ଓ ସଭାପତିଙ୍କ ମୁହଁରେ ଭାଷା ନଥିଲା ଓ ସେମାନେ ଅବାକ ହୋଇ ତାଙ୍କ ଯିବା ବାଟକୁ ଚାହିଁ ଛିଡା ହୋଇଥିଲେ   |(ସମାପ୍ତ )