Friday, July 28, 2017

ମାନସିକତା

            କଥାରେ କହନ୍ତି,'ଯାହା ଓଡିଶାରେ ନାହିଁ,ତାହା ଆଉ କେଉଁଠି ନାହିଁ '|ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର,କୋଣାର୍କ ସୁର୍ଯ୍ୟ ମନ୍ଦିର,ବାରବାଟୀ ଦୁର୍ଗ,ଚିଲିକା,ଖଣ୍ଡଗିରି,ଉଦୟଗିରି,ସିମିଳିପାଳ ଜାତୀୟ ଉଦ୍ୟାନ,ନନ୍ଦନକାନନ ପ୍ରାଣୀ ଉଦ୍ୟାନ,ଗହୀରମଥା,ଦାରିଂଗିବାଡି,ପଂଚ ଲିଂଗେଶ୍ବର ମନ୍ଦିର,ଚୌଷଠି ଯୋଗିନୀ ମନ୍ଦିର ଆଦି ଅଗଣିତ ଐତିହାସିକ,ପୌରାଣିକ ଓ ଧାର୍ମିକ ସ୍ଥଳ ଆମପାଇଁ ଗର୍ବ ଓ ଗୌରବ ର ବାର୍ତ୍ତା ବହନ କରେ | ଓଡିଶାର ପ୍ରଗତି ,ଉପଲବ୍ଧି,ଓଡିଆ ବୀରପୁତ୍ର ଓ ସାଧବପୁଅ ମାନଂକର ଅମର ଗାଥା ଓ ସର୍ବୋପରି  ସର୍ବଭାରତୀୟ ସ୍ତରରେ ଓଡିଆ ମାନଂକ ବିଶେଷ କୃତିତ୍ତ୍ବ ଓ  ସଫଳତା  ପ୍ରତ୍ୟେକ ଓଡିଆ ପାଇଁ ଆନନ୍ଦ ଓ ପ୍ରେରଣା ସୃଷ୍ଟି କରିଥାଏ   |ଏହା  ଶତଗୁଣ ବୃଦ୍ଧି ପାଇଥାଏ ସେତେବେଳେ , ଯେତେବେଳେ ଆମେମାନେ ଓଡିଶା ବାହାରେ ଥାଇ ଓଡିଶା ବିଷୟରେ ଏସବୁ କଥା  ଶୁଣୁ ବା ଟି.ଭି.ଚାନେଲ ମାନଂକରେ ଦେଖୁ  |ପୁଣି ଯେତେବେଳେ ଓଡିଶା ବଦନାମ ହେବା ଭଳି କିଛି ଖବର ଆମେ ଜାଣିବାକୁ ପାଉ ସେତେବେଳେ  ଆମ ଦୁଃଖର ସୀମା ରହେନାହିଁ |ଯେହେତୁ ଆମେ ଓଡିଆ ,ଓଡିଶାର ସୁଖଦୁଃଖ ,ଭଲମନ୍ଦ ସବୁକିଛି  ଆମ ମନରେ ପ୍ରତିକ୍ରିୟା ସୃଷ୍ଟି କରେ |
                 ନିକଟରେ ଖବର ମିଳିଲା ,ଓଡିଶାର ବ୍ୟବସାୟୀ ମହାସଂଘ ଏକଜୁଟ ହୋଇ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଚୀନ ଉତ୍ପାଦିତ ଜିନିଷ କିଣିବେ ନାହିଁ ବା ବିକିବେ ନାହିଁ |ଏହା କମ ବଡ ନିଷ୍ପତ୍ତି ନୁହେଁ |ନିଜର ଲାଭକ୍ଷତି କୁ ବିଚାରକୁ ନନେଇ ଏପରି ନିଷ୍ପତ୍ତି ନେବା କେବଳ ଓଡିଆ ବ୍ୟବସାୟୀଂକ ପକ୍ଷେ ସମ୍ଭବପର ହୋଇପାରେ  |ସମ୍ଭବତଃ ଏହା ସମଗ୍ର ଭାରତବର୍ଷ ରେ ପ୍ରଥମ  |ଏହା ଶୁଣି ଗର୍ବରେ ଛାତି କୁଂଢ଼େ ମୋଟ ହୋଇଗଲା |କ୍ରୀଡା,ସଂଗୀତ,ସାହିତ୍ୟ ଆଦି ସମସ୍ତ କ୍ଷେତ୍ରରେ କେବଳ ଭାରତ ନୁହେଁ,ସମଗ୍ର ବିଶ୍ବ କୁ ଓଡିଆ ମାନଂକ ବିଶେଷ ଅବଦାନ ରହିଛି |କେତେକ କହନ୍ତି,ଓଡିଆମାନେ ଓଡିଶା ବାହାରକୁ ଗଲେ ସୁନାମ ଅର୍ଜନ କରନ୍ତି |ନିଜ ରାଜ୍ୟରେ ସେମାନଂକୁ କେହି ଚିହ୍ନନ୍ତି ନାହିଁ ବା ପଚାରନ୍ତି ନାହିଁ |ଏକଥା କେତେକାଂଶରେ ସତ ହୋଇପାରେ |କାରଣ ନିଜକୁ ଶ୍ରେଷ୍ଠ ଦର୍ଶାଇବା ପାଇଁ ଅନ୍ୟର ଛିଦ୍ର ଅନ୍ବେଷଣ କରିବା ବା ତା ବିରୁଦ୍ଧରେ ଅଯଥା ବିଷୋଦଗାର କରିବା ଲୋକଂକର ଅଭାବ ଓଡିଶା ରେ ନାହିଁ |ଏଠାରେ ପ୍ରତିଭା କୁ ସମ୍ମାନ ଦେବାପାଇଁ ଆମେ କୁଣ୍ଠାବୋଧ କରୁ ଓ ଏକତାସୂତ୍ରରେ ବାନ୍ଧି ହୋଇ ଯେ କୌଣସି ମହତ୍ କାର୍ଯ୍ୟ କରିବାପାଇଁ ଆମେ ପଛଘୁଂଚା ଦେଉ |

            ଓଡିଆମାନେ ସାଧାରଣତଃ ସରଳ,ସୁସ୍ବାଦୁ ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରନ୍ତି |ପୃଥିବୀର ଯେଉଁ କୋଣ ଅନୁକୋଣରେ ଥିଲେ ମଧ୍ୟ ଓଡିଆମାନେ ପଖାଳ ଭାତ,ବଡିଚୁରା,ଆଳୁ ଚକଟା,ବାଇଗଣ ଭର୍ତ୍ତା,ଶାଗ ଓ ମାଛଭଜା ଖାଇବାକୁ ଭୁଲନ୍ତି ନାହିଁ |ସେମାନେ ପ୍ରାୟ ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ବର୍ଜନ କରନ୍ତି |ସେଥିପାଇଁ ଓଡିଆମାନେ ଦୀର୍ଘାୟୁ ଓ ନୀରୋଗ |ନିଜର ପ୍ରକୃତ ବୟସ ଅପେକ୍ଷା ସେମାନେ ଯଥେଷ୍ଟ  କମ ବୟସ୍କ ଦେଖାଯାଆନ୍ତି | ତିନିବର୍ଷ ତଳେ  ନାତିର ଅନ୍ନପ୍ରାସନ ଆମେ ବାଂଗାଲୋର ରେ କରିଥିଲୁ |ମଧ୍ୟାନ୍ନଭୋଜନ ଦାୟିତ୍ତ୍ବ ଜଣେ ଓଡିଆ କ୍ୟାଟରରଂକୁ ଦିଆ ଯାଇଥିଲା |ସବୁ ବ୍ୟଂଜନ ସେ ଏତେ ସୁନ୍ଦର ଭାବେ ପ୍ରସ୍ତୁତ କରିଥିଲେ ଯେ ଅତିଥି ମାନଂକ ମୁହଁରୁ ଭୁରି ଭୁରି ପ୍ରଶଂସା ଶୁଣି ଶୁଣି ଆମ ଗୋଡ ତଳେ ଲାଗୁନଥିଲା  |ସେମାନେ କହୁଥିଲେ,ଓଡିଆମାନଂକ ଖାଦ୍ୟ ଯେ ଏତେ ସୁସ୍ବାଦୁ ତାହା ଆମେ ପ୍ରଥମଥର ପାଇଁ ଜାଣିଲୁ |
               ଓଡିଶାର ସମ୍ବଲପୁରୀ ଶାଢୀ ବିଶ୍ବପ୍ରସିଦ୍ଧ |ଓଡିଶା ବୁଣାକାରୀଂକ ଚମତ୍କାରିତା ଆଗରେ ଲକ୍ଷ ଲକ୍ଷ ଟଂକାର ଦାମୀ ଶାଢୀ ଫିକା ପଡିଯାଏ |ନିକଟରେ ମେଲବୋର୍ଣ ଯାଇଥିଲୁ |ଦିନେ ସମ୍ବଲପୁରୀ ଶାଢୀ ପିନ୍ଧି ମୁଁ ଓ ମୋର ସ୍ବାମୀ ନାତିକୁ ଆଣିବାକୁ ତା ସ୍କୁଲ କୁ ଯାଉଥିଲୁ |ବାଟରେ ଆମକୁ ସମ୍ବୋଧନ କରି କେହି କିଛି କହୁଥିବାର ଶୁଣି ଅଟକି ଗଲୁ |ଜଣେ ଅଷ୍ଟ୍ରେଲୀୟ, ବୟସ୍କ ବ୍ୟକ୍ତି ମୁଁ ପିନ୍ଧିଥିବା ଶାଢୀର ଆଂଚଲକୁ ଧରି କହୁଥିଲେ,'very beautiful,very beautiful'.ସେହି ଶାଢୀ ବିଷୟରେ ପ୍ରଶ୍ନ କରିବାରୁ ସ୍ବାମୀ କହିଲେ,ଏହା ଇଣ୍ଡିଆ ର ଟ୍ରେଡିସନାଲ ଡ୍ରେସ |ସେ ଭଦ୍ରବ୍ୟକ୍ତି ସମ୍ବଲପୁରୀ ଶାଢୀ ଦେଖି ଏତେ ମୁଗ୍ଧ ହୋଇଯାଇ ଥିଲେ ଯେ ସେଥିରୁ ନିଜ ଦୃଷ୍ଟି ଫେରାଇ ପାରୁ ନଥିଲେ |ସେଠାରେ ସିନା ଆମ ପରିଚୟ 'ଭାରତୀୟ' ଥିଲା , ଅନ୍ତର ମଧ୍ୟରେ  ଆମେ କିନ୍ତୁ ଥିଲୁ  ଖାଣ୍ଚି ଓଡିଆ |ସେଦିନ ସମ୍ବଲପୁରୀ ଶାଢୀ ର ପ୍ରଶଂସା  ଶୁଣି ଆମକୁ ବହୁତ ଖୁସି ଲାଗୁଥିଲା |ସୂତା ହେଉ ବା ସିଲ୍କ ହେଉ ଅବା ଟସର ହେଉ ସମ୍ବଲପୁରୀ ପୋଷାକ ର ମର୍ଯ୍ୟାଦା ଆଉ କୌଣସିଥିରେ ନାହିଁ |
             ଓଡିଶାର ନୃତ୍ୟ,ସଂଗୀତ,ସଂସ୍କୃତି ସବୁକିଛି ଅତୁଳନୀୟ |ଏଠାରେ ବାରମାସ ରେ ତେରପର୍ବ ପାଳନ କରାଯାଏ |ଓଡିଆମାନେ ଅତ୍ୟନ୍ତ ଧର୍ମପରାୟଣ |ଠାକୁରପୂଜା ଶେଷ ନହେବା ପର୍ଯ୍ୟନ୍ତ ପ୍ରାୟ ଲୋକ ଉପାସ ରହିଥାନ୍ତି |ଓଡିଶାରେ ଗୋଟିଏ ଦୃଶ୍ୟ ପ୍ରାୟବେଳେ ଦୃଷ୍ଟିଗୋଚର ହୁଏ |ତା ହେଲା,ରାତି ନପାହୁଣୁ ଲୋକେ ହାତରେ ଲମ୍ବା ନଗି ଓ ପ୍ଲାଷ୍ଟିକ ଥଳି ନେଇ ଘରୁ ବାହାରି ଯାଆନ୍ତି |ଉଦ୍ଦେଶ୍ୟ ମଣିଂୱାକ କରିବା  ସଂଗେ ସଂଗେ ୟା ତା ବାଡିରୁ ଫୁଲ ସଂଗ୍ରହ କରିବା |ଏସବୁ ଓଡିଶା ରେ ଚଳେ |କିନ୍ତୁ ବାଂଗାଲୋରରେ ଏହା ଅପରାଧ ବୋଲି ଧରାଯାଏ |ଏଠିକାର ଲୋକେ ଅତ୍ୟନ୍ତ ପୁଷ୍ପପ୍ରେମୀ |ଛୋଟ ଜାଗାଟିଏ ପାଇଲେ ଫୁଲଗଛ ଲଗାଇବାକୁ ଭୁଲନ୍ତି ନାହିଁ |ଏଠାକାର ସ୍ତ୍ରୀ ଲୋକଂକ ଗଭାରେ ସବୁବେଳେ ଫୁଲମାଳ ଶୋଭା ପାଉଥାଏ |ଏମାନେ ପ୍ରାୟତଃ ନିଜ ଘର ବାହାରେ ନାନା ପ୍ରକାର ଫୁଲଗଛ ଲଗାଇ ଥାଆନ୍ତି |ସେହିବାଟ ଦେଇ ପ୍ରତ୍ୟେକ ଦିନ ଅନେକ ଲୋକ ଯିବା ଆସିବା କରନ୍ତି |କେହି କେବେ କାହାର ଫୁଲଗଛରେ ହାତ ଦିଅନ୍ତି ନାହିଁ |କିନ୍ତୁ ଦିନେ ଅସାଧାରଣ ଘଟଣା ଘଟିଲା |ଅଭିଯୋଗ ଆସିଲା,ସେମାନଂକ ଘରୁ ପ୍ରତିଦିନ କେହି ଫୁଲ ଚୋରୀ କରୁଛି |ସ୍ଥାନୀୟ ଲୋକେ ସତର୍କ ହୋଇ ପହରା ଦେଲେ |ଚୋର ଧରା ପଡିଲା |ଆକ୍ଷରୀକ ଅର୍ଥରେ କହିବାକୁ ଗଲେ,ସେମାନେ ଚୋର ନଥିଲେ |ସେମାନେ କିଛି  ଓଡିଆ ଭଦ୍ରମହିଳା ଥିଲେ,ଯେଉଁମାନେ ହାତରେ ବଡ ନଗି ଧରି ମଣିଂୱାକ କରିବା ସଂଗେ ସଂଗେ ଠାକୁରପୂଜା ପାଇଁ ଫୁଲ ଚୋରି କରୁଥିଲେ |
               ବାଂଗାଲୋର ରେ ମଲ୍ ସଭ୍ୟତା ଅଧିକ |ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନରେ ସବୁ ଜିନିଷ ମିଳି ଯାଉଥିବାରୁ ପ୍ରାୟ ଅଧିକାଂଶ ମଲ୍ ରୁ ଜିନିଷ କିଣିବା ପାଇଁ ପସନ୍ଦ କରନ୍ତି |ସେଠାରେ ଅନେକ ସେଲସ୍ ମ୍ୟାନ ଥାଆନ୍ତି |କିଛିବର୍ଷ ତଳେ ଜଣେ ସେଲସ୍ ମ୍ୟାନ ଗ୍ରାହକମାନଂକୁ ଲୋଭ ଦେଖାଇ ଅର୍ଥ ବିନିମୟରେ ବିନା ବିଲ୍ ରେ ଜିନିଷ ବିକ୍ରୀ କରେଇ ଦେଉଥିଲା |ଏଥିରେ ସେ ଏକୁଟିଆ ନଥିଲା |ତା ସହିତ ଆଉ କେତେଜଣ ମଧ୍ୟ ଥିଲେ |ଥରେ ସେମାନେ ଧରା ପଡିଲେ |ଅନୁସନ୍ଧାନରୁ ଜଣା ପଡିଲା,ସେମାନେ ସମସ୍ତେ ଓଡିଆ |ଆଉ ଗୋଟିଏ ଘଟଣା |କିଛିଦିନ ତଳେ ଆମେ ରହୁଥିବା ଆପାର୍ଟମେଣ୍ଟରୁ ଏକ ଛୋଟପିଲା ର ସାଇକେଲ ଚୋରି ହୋଇଗଲା |ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |କାରଣ ସେଠାରେ ବହୁ ମୂଲ୍ୟବାନ ଜିନିଷ ମୁକୁଳା ପଡିଥିଲେ ବି କେବେ ଚୋରି ହେବାର ନଜିର ନାହିଁ |ତାଛଡା ସେଠାରେ ଚବିଶ ଘଣ୍ଟା ସି.ସି.ଟି.ଭି.କ୍ୟାମେରା ଲାଗିଛି |ପ୍ରଥମେ ସି.ସି.ଟି.ଭି.କ୍ୟାମେରା ରେ କିଛି ଜଣା ପଡିଲା ନାହିଁ |ପରେ ତନ୍ନ ତନ୍ନ କରି ଦେଖିବା ପରେ ଜଣା ପଡିଲା ଯେ ଏସବୁ କାମ ସିକ୍ୟୁରିଟି ଗାର୍ଡ଼ ର ଯିଏ କି ମାସେ ତଳେ କାର୍ଯ୍ୟରେ ଯୋଗ ଦେଇଥିଲା |ସେ ଧରା ନପଡିବା ପାଇଁ ଅତି  ଚତୁରତାର ସହ ଏହି କାର୍ଯ୍ୟ କରିଥିଲା |ପ୍ରଥମେ ସେ ମାନୁ ନଥିଲା |ପରେ ଚୋରି କରିଛି ବୋଲି ମାନିଗଲା |ସିଏ ବି ଜଣେ ଓଡିଆ ଥିଲା |
              ସାରା ଭାରତରେ ଏପରି ଘଟଣା ଘଟୁଛି |ଖାଲି ଆମ  ରାଜ୍ୟର ଲୋକଂକୁ ଆମେ ଏଥିପାଇଁ ଦୋଷ ଦେଇ ପାରିବାନି |କିନ୍ତୁ ଆମେ ଯେତେବେଳେ  କୌଣସି କାର୍ଯ୍ୟପାଇଁ ରାଜ୍ୟ ବାହାରକୁ ଆସୁଛୁ,ସେଠାରେ ନିଜ ସମ୍ମାନ ରକ୍ଷା କରିବା ସଂଗେ ସଂଗେ ନିଜ  ରାଜ୍ୟର ସମ୍ମାନ ରକ୍ଷା କରିବା ପାଇଁ ସବୁବେଳେ ସଜାଗ ରହିବା ଉଚିତ |କାରଣ ଆମର ସମ୍ମାନ ଆମ ରାଜ୍ୟ ତଥା ସମଗ୍ର  ଓଡିଆଜାତିର ସମ୍ମାନ ସହ ଜଡିତ |ଏହା ମୋର ବ୍ୟକ୍ତିଗତ ମତ |
    by--Mamata Mohanty.mo-9437133391,email--mamatamohanty1206@gmail.com      
               

No comments:

Post a Comment