Monday, July 3, 2017

ଆଈଂକ ନିଃଶ୍ୱାସ

                        ଅନୁଷ୍କା ଓ ଅନୁଜଂକ ପାଇଁ ସବୁଠାରୁ ବେଶି ଖୁସିର ଦିନ ସେହିଦିନ ଥାଏ ,ଯେଉଁଦିନ  ଆଈ ଓ ସାନଆଈ ସେମାନଂକ ଘରକୁ ବୁଲି ଆସିଥାନ୍ତି |ଆଈ ବଡ଼ ଭଉଣୀ |ତାଂକ ସାନଭଉଣୀ ହେଲେ ସାନଆଈ |ସେମାନଂକ ପାଇଁ ଭଳିକି ଭଳି ଜିନିଷ  ସେମାନେ ସାଂଗରେ ନେଇ ଆସିଥାନ୍ତି |ସେ ସବୁର ପରିମାଣ ବି ଏମିତି ସେମିତି ନୁହେଁ | ସବୁଠାରୁ ବଡ ହୋଲସେଲ୍ ପାକିଂ ଟିଣରେ ବିସ୍କିଟ୍ ,ବସ୍ତାଏ ମୁଢି,ବଡ ହରଲିକ୍ସ୍ ବୋତଲ ରେ ଭର୍ତ୍ତି ଖାଣ୍ଟି ଗୁଆଘିଅ ,ବିଭିନ୍ନ ପ୍ରକାର ଫଳ ...ଏମିତି ଆହୁରି କେତେ କଣ ତାର ହିସାବ ନଥାଏ |ଅନୁଷ୍କା ର ଲୋଭ ଥାଏ ଆଈ ସେମାନଂକ ପାଇଁ ଆଣିଥିବା ନୂଆ ଡିଜାଇନ୍ ର ପୋଷାକ ଉପରେ |ଆଈ ରହନ୍ତି କଟକ ରେ |କଟକ ରୁ ସେମାନଂକ ଘରକୁ ଟ୍ରେନ ରେ ଆସିବା ପାଇଁ ଆଈଂକୁ ଚାରିଘଣ୍ଟା ସମୟ ଲାଗେ |ତା ସହିତ ଏତେ ଗୁଡାଏ ଜିନିଷ ନେଇ ଆସୁ ଥିବାରୁ ଆଈ ଓ ସାନଆଈ ସାଲଓ୍ଵାର କୁର୍ତ୍ତା ପିନ୍ଧି ଆସନ୍ତି |ଅଜା ଓ ସାନଅଜା କେବେଠାରୁ ସ୍ୱର୍ଗବାସ  କରି ସାରିଥିଲେ |ତେଣୁ ଯାହା କରିବେ,ସେମାନେ ଏକୁଟିଆ କରିବେ |ଅନୁଷ୍କା ର ମାଆ ଅରୁଣା,ଆଈଂକର ଏକମାତ୍ର ସନ୍ତାନ |ସାନଆଈ ନିଃସନ୍ତାନ |ଦୁହେଁ ଗୋଟିଏ ଘରେ ରହନ୍ତି |ଆଈ ସବୁବେଳେ କହନ୍ତି,ସାନଆଈ ତାଂକର ନିଃଶ୍ୱାସ  |ତାଂକ ବିନା ସେ ମୁହୂର୍ତ୍ତେ ବଂଚି ପାରିବେ ନାହିଁ |ଆଈ ସବୁବେଳେ ବିନ୍ଦାସ ଓ କର୍ମଚଂଚଳ |ତାଂକର କିଛି ବେମାରୀ ନଥାଏ |କିନ୍ତୁ ସାନଆଈ ଟିକିଏ ମାନ୍ଦା |ସବୁ କାମ ଧୀରେ ସୁସ୍ଥେ କରନ୍ତି |ସବୁବେଳେ ତାଂକୁ କିଛି ନାଁ କିଛି ରୋଗ ଲାଗି ରହିଥାଏ |ସେଥିପାଇଁ ଆଈଂକର ସବୁବେଳେ ଚିନ୍ତା ରହିଥାଏ |
                    ଅନୁଷ୍କା ର ଜନ୍ମ ଫେବୃୟାରୀ ମାସରେ,ଅନୁଜ ର ଅଗଷ୍ଟ  ରେ |ବର୍ଷକୁ ଦୁଇଥର ସେମାନଂକ ଜନ୍ମଦିନ ରେ ଦୁଇ ଆଈ ଯେମିତି ହେଲେ ଆସନ୍ତି |କିନ୍ତୁ ଆଈଂକ ଘରକୁ ଏମାନେ ଏତେ ଯାଇ ପାରନ୍ତି ନାହିଁ |ବାପାଂକ ଚାକିରୀ ଜଂଜାଳ,ସବୁବେଳେ କାର୍ଯ୍ୟବ୍ୟସ୍ତ |ଅନୁଷ୍କା ଜାଣିବାରେ ,ସେ ଯେତେବେଳେ ଦ୍ୱିତୀୟ  ଶ୍ରେଣୀରେ ପଢୁଥିଲା, କେବଳ ଗୋଟିଏ ଥର ସେମାନଂକୁ ଆଈଂକ ଘରକୁ ଯିବାପାଇଁ ସୁଯୋଗ ମିଳିଥିଲା |ସେତେବେଳେ ଦଶହରା ଛୁଟି |ବାପାଂକର ଦିଲ୍ଲୀରେ ସେମିନାର କାର୍ଯ୍ୟକ୍ରମ ଥାଏ |ଗୋଟିଏ ସପ୍ତାହ ର ପ୍ରୋଗ୍ରାମ |ଅନୁଷ୍କା ଓ ଅନୁଜ ର ଅଳି କୁ ଏଡାଇ ନପାରି ବାପା ଆଶୁତୋଷ ସମସ୍ତଂକୁ  ଆଈଂକ ଘରେ ଛାଡି ଏକୁଟିଆ ଦିଲ୍ଲୀ ଗଲେ |ଯେତିକି ଦିନ ସେମାନେ ଆଈଂକ ଘରେ ରହିଲେ,ସ୍ଵର୍ଗରେ  ରହିବା ପରି ଅନୁଭବ କଲେ |ମାଆ ମଧ୍ୟ ଏତେ ଖୁସି ଥିଲେ ଯେ ଏହା ପୂର୍ବରୁ ମାଆଂକୁ ଏତେ ଖୁସି ହେବାର ଅନୁଷ୍କା  କେବେ ଦେଖି ନଥିଲା |ଆଈଂକ ଘରେ କୌଣସି ଜିନିଷ ର ଅଭାବ ନାହିଁ  |ଘରେ ଗାଈ ଅଛନ୍ତି |ତେଣୁ କ୍ଷୀର,ଦହି,ଚା' ଇତ୍ୟାଦି ର ଅଭାବ ନଥାଏ |ବଗିଚାରେ ବିଭିନ୍ନ ପ୍ରକାର  ଫୁଲଗଛ,ଅମୃତଭଣ୍ଡା,କଦଳୀ, ଓ ଲଂକା ଗଛ |ଆଈ ନିଜ ଘରେ ଲେଡିଜ ସିଲେଇ ଦୋକାନ ଖୋଲିଛନ୍ତି | |ଦୁଇ ଆଈ ମିଶି ସିଲେଇ କରନ୍ତି |ସପ୍ତମୀ  ଠାରୁ ଭସାଣି ପର୍ଯ୍ୟନ୍ତ ସିଲେଇ ଦୋକାନ ବନ୍ଦ ରହେ |କଟକ ରେ ଦଶହରା ଉତ୍ସବ କେତେ ଆଡମ୍ବରରେ ପାଳନ କରାଯାଏ,ସେକଥା  ସେମାନେ ପ୍ରଥମ କରି ଅନୁଭବ କରିଥିଲେ  |ନୂଆ ପୋଷାକ ପିନ୍ଧି ସମସ୍ତେ ଦେବୀ ଦର୍ଶନ ପାଇଁ ବାହାରିଲେ |ଗହଳି ରେ ଚଲାବୁଲା କରିବା ପାଇଁ ଅସୁବିଧା ଉପୁଜିବ,ସେଥିପାଇଁ ଦୁଇ ଆଈ ଓ ମାଆ ଡ୍ରେସ ପିନ୍ଧିଥିଲେ |ଦଶହରା ଚାରିଦିନ ଘରେ ରୋଷେଇ ବନ୍ଦ |ବାହାରେ ବୁଲା ଓ ବାହାରେ ଖିଆ |ମେଲଣ ରେ ସେମାନେ ଯାହା ଚାହିଁଲେ,ଆଈ ସେମାନଂକ ପାଇଁ କିଣିଦେଲେ |ମହାଷ୍ଟମୀ ଦିନ ଆଈ ବହୁତ ଖୁସି ଥିଲେ |ନୂଆ ଡ୍ରେସ ପିନ୍ଧି ବାହାରକୁ ଯିବା ବେଳେ ସେ ତାଂକର ପ୍ରିୟ ଗୀତ ଆରମ୍ଭ କଲେ"ନୈନୀତାଲା,ନୈନୀତାଲା,ଘୁମି ଆୟୋ ରେଲା,ଆଁଖୋଁ ମେଁ କାଲା କାଜଲ୍,ବୁଲ ବୁଲ ମାଁ ତେଲା' |ଗୀତ ଗାଇବା ସଂଗେ ସଂଗେ ସେ ଖୁବ୍ ନାଚିଲେ |ତାଂକ ଗୀତ ଶୁଣି ସାନଆଈ ଆସିଲେ |ସେ ମଧ୍ୟ ଆଈଂକ ସାଂଗେ ତାଳ ଦେଇ ନାଚିଲେ |କିଛି ସମୟ ପରେ ଏମାନେ ତିନିଜଣ ମଧ୍ୟ ସେମାନଂକ ସାଂଗେ ନାଚିଲେ |ଘରେ ଖାଲି ଖୁସି ହିଁ ଖୁସି ଥିଲା |ଆଈ କହୁଥିଲେ ,ଯାହା କଟକରେ ଅଛି,ସାରା ରାଜ୍ୟରେ ଆଉ କେଉଁଠି ନାହିଁ |କଟକ ରେ ଫୁଲ ଫୁଟି ମଉଳି ଆସିବା ବେଳକୁ ଅନ୍ୟ ଅଂଚଳରେ ଗଛରେ କଢି ଧରିବା ଆରମ୍ଭ ହେଉଥାଏ |କଟକ ରେ ଯାହା ବି ହୁଏ,ତାକୁ ଅନ୍ୟମାନେ ଅନୁସରଣ କରନ୍ତି |ଆଈ କହନ୍ତି,କଟକ ର ସାଇ ପଡୋଶୀ ନିଜ ଆତ୍ମୀୟସ୍ଵଜନଙ୍କୁ  ଠାରୁ ମଧ୍ୟ ଅଧିକ |କାହାର କିଛି ଅସୁବିଧା ହେଲେ ସାହାଯ୍ୟ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ଯାଆନ୍ତି  |'କଟକ' ର ନାମକରଣ ର ତାତ୍ପର୍ଯ୍ୟ ମଧ୍ୟ ସେ ପିଲାମାନଂକୁ ପ୍ରାଂଜଳ ଭାବରେ ବୁଝାଇ ଦେଇଥିଲେ  |ଆଈଂକ କଥା ଶୁଣି ଅନୁଷ୍କା ଅରୁଣାଂକୁ ପଚାରେ,ଏତେ ଭଲ ଜାଗା ଛାଡି ଆମେ ସେ ଅପନ୍ତରାରେ କାହିଁକି ରହିଛୁ ମା' ?ଆଈଂକ ଘରେ ଏତେ ଜାଗା ଖାଲି ପଡିଛି,ଆମେ କଣ ଏଇଠି ରହି ପାରିବାନି ?ଅରୁଣା ବୁଝାନ୍ତି,ବାପାଂକ ଚାକିରୀ ସେଇଠି,ଆମେ ଏଇଠି କେମିତି ରହିବା ?
                         ଚାହୁଁ ଚାହୁଁ ସାତଦିନ କୁଆଡେ ବିତିଗଲା |ସେମାନଂକୁ ନେବାକୁ ଆଶୁତୋଷ ଆସିଲେ |ତାଂକୁ ଦେଖି ଅନୁଷ୍କା ଯିବ ନାହିଁ ବୋଲି କାନ୍ଦ ଆରମ୍ଭ କରିଦେଲା |ଅନୁଜ ଖଟ ତଳେ ଲୁଚିଗଲା |ଦୁଇ ଭାଇଭଉଣୀଂକୁ ବୁଝାଇ ଘରକୁ ଆଣିବା ପାଇଁ ଆଶୁତୋଷଂକୁ ବାଧ୍ୟ ହୋଇ ସେହି ଦିନଟି ସେଠାରେ ରହିବାକୁ ପଡିଲା |ସେଦିନ ରାତିରେ ଆଈ ମାଂସ ତରକାରୀ ଓ ଚକୁଳି ପିଠା କରିଥିଲେ |ସମସ୍ତେ ଖୁସି ମନରେ ପେଟ ଭରି ଖାଇଲେ |ପରଦିନ ସକାଳେ ଯିବାବେଳେ ଆଈ ଦୁଇଟା ବଡ ବ୍ୟାଗ ରେ କେତେ କଣ ଜିନିଷ ଭର୍ତ୍ତି କରି ଦେଇଥିଲେ |ମାଆଂକ ଡ୍ରେସ ମଧ୍ୟ ତା ଭିତରେ ରଖିଥିଲେ |ମାଆ ଆସିଲା ବେଳେ ତାକୁ ଆଈ ଘରେ ରଖିଦେଇ ଆସିଲେ |କହିଲେ,ପୁଣି ଯେତେବେଳେ ଆସିବି,ପିନ୍ଧିବି |ଆସିବା ବେଳେ ଆଶୁତୋଷଂକୁ ଛାଡି ସମସ୍ତେ କାନ୍ଦିଲେ  |ଘରେ ପହଂଚିବାର ଅନେକ ଦିନ ପର୍ଯ୍ୟନ୍ତ ଦୁଇ ଭାଇଭଉଣୀ କେବଳ ଆଈ ଘର ବିଷୟରେ କଥା ହେଉଥିଲେ |ଅନୁଜ କହୁଥିଲା,ଆମ ଆଈ ପରି ଦୁନିଆଁ ରେ ଆଉ କେହି ନାହିଁ |
                        ଅନୁଷ୍କା ର ସେତେବେଳେ ଷଷ୍ଠ ଶ୍ରେଣୀ ,ଅନୁଜ ର ଚତୁର୍ଥ ଶ୍ରେଣୀ |ସାନଆଈଂକ ଦେହ ଖରାପ ଯୋଗୁଁ ସେବର୍ଷ ଅନୁଜ ଜନ୍ମଦିନ କୁ ଆଈ ଆସି ପାରିଲେ ନାହିଁ |କିନ୍ତୁ ପଡିଶା ଘର ପିଲା ହାତରେ ଜନ୍ମଦିନ ଡ୍ରେସ,ବିସ୍କିଟ,ଚକଲେଟ ଓ ଆରିଶା ପିଠା ପଠେଇ ଥିଲେ | ଆଈ ଚିଠି ଲେଖିଥଲେ,ଅନୁଷ୍କା ର ଜନ୍ମଦିନ କୁ ଯେମିତି ହେଲେ ଆସିବେ |ଏଥରକ ଆସିବା ବେଳେ ତା ପାଇଁ ଗୋଟିଏ ବିଶେଷ ଉପହାର ଆଣିବେ ବୋଲି ଆଈ ତାଂକ ଚିଠିରେ ଲେଖିଥିଲେ | ସେ ବିଶେଷ ଉପହାର କଣ,ଏହା ଭାବି ଭାବି ଅନୁଷ୍କା  ଆଖିରୁ ନିଦ ହଜି ଯାଇଥାଏ | ଫେବୃୟାରୀ ଅଠର ତାରିଖ ଯେତେ ଯେତେ ପାଖେଇ ଆସୁଥାଏ,ଅନେକ କଳ୍ପନା ଜଳ୍ପନାରେ ତା ମନ କୁରୁଳି ଉଠୁଥାଏ |
                    ଦୁଇ ଭାଇଭଉଣୀଂକ ସ୍କୁଲ ସେମାନଂକ ଘର ଠାରୁ ଟିକିଏ ଦୂର |ସେଥିପାଇଁ ସେମାନେ ମାସିକିଆ ଭଡା ରିକ୍ସାରେ ସବୁଦିନ ଯିବା ଆସିବା କରନ୍ତି |ସେଦିନ ସୋମବାର,ଫେବୃୟାରୀ ମାସ ଷୋହଳ ତାରିଖ |ଅନୁଷ୍କା ମନେ ମନେ ହିସାବ କରୁଥାଏ,ଆଈ ଓ ସାନଆଈ ଆସିବା ପାଇଁ ଆଉ ଦିନେ ବାକି ରହିଲା |ସ୍କୁଲ ଛୁଟି ବେଳେ ସେ ସବୁଦିନ ଗେଟ ପାଖରେ ଅନୁଜ କୁ ଅପେକ୍ଷା କରେ |ସେ ଆସିବା ପରେ ଦୁହେଁ ଏକାଠି ରିକ୍ସା ରେ ଘରକୁ ଫେରନ୍ତି |ସେଦିନ ସେ ଗେଟ ପାଖକୁ ଆସି ଦେଖିଲା,ଆଈ ଛିଡା ହୋଇଛନ୍ତି |ତାଂକ ହାତରେ ଗୋଟିଏ ବ୍ୟାଗ |କିନ୍ତୁ ସବୁଥର ପରି ଆଈ ତାଂକର ସେ ସାଲଓ୍ଵାର,କୁର୍ତ୍ତା ପିନ୍ଧି ନଥିଲେ କିମ୍ବା ତାଂକ ହାତରେ ଢେର ସାରା ବ୍ୟାଗ ନଥିଲା |ତାଂକ ସାଂଗରେ ସାନଆଈ ମଧ୍ୟ ନଥିଲେ |ସେ ଆଈଂକ ପାଖକୁ ଦୌଡି ଆସି ଦେଖିଲା,ତାଂକ ମୁଣ୍ଡ ଫାଟି ରକ୍ତ ବାହାରୁଛି |ସେ କାନ୍ଦି ପକାଇ କହିଲା,ଆଈ ତମେ କେଉଁଠି ପଡିଗଲ ?ତମ ମୁଣ୍ଡ କେମିତି ଫାଟିଲା ??ସାନଆଈ କୁଆଡେ ଗଲେ ??କିନ୍ତୁ ଆଈ କିଛି କହୁନଥିଲେ   |ଏମିତି ପଚାରିବା ଭିତରେ ଆଈ  କୁଆଡେ   ଅଦୃଶ୍ୟ ହୋଇଗଲେ  |ଆଈ କାହିଁକି କିଛି କହିଲେ ନାହିଁ ବୋଲି ଅନୁଷ୍କା କାନ୍ଦିଲା |ଏମିତି କାନ୍ଦୁ କାନ୍ଦୁ ତା ନିଦ ଭାଂଗିଗଲା |ସେ ଆଖି ଖୋଲି ଦେଖିଲା,ବାପା ତାକୁ ନିଦରୁ ଉଠାଇ ପଚାରୁଚନ୍ତି,କଣ ହେଲା,କାହିଁକି କାନ୍ଦୁଛୁ ?|ଅନୁଷ୍କା ଧଡପଡ ହୋଇ ଉଠି ପଡିଲା ଓ  ଯାହା ଶୁଣିଲା,ନିଜକୁ ବିଶ୍ୱାସ  କରିପାରିଲାନାହିଁ |ଆଈ ଓ ସାନଆଈଂକ ଅକାଳମୃତ୍ୟୁ ହୋଇ ଯାଇଥିଲା |ମାଆ ମୁଣ୍ଡପିଟି କାନ୍ଦୁଥିଲେ |ସେ ମଧ୍ୟ ମାଆଂକୁ କୁଂଢ଼ାଇ କେତେ କାନ୍ଦିଲା |ପଛରେ ଜାଣିଲା,ସାନଆଈଂକୁ ଡାକ୍ତରଖାନା ନେବା ବେଳେ ସେ ତାକୁ ଦେବାକୁ ଥିବା ଜନ୍ମଦିନ ଉପହାର ତାଂକ ପଡିଶାଘର ପିଲା ହାତରେ ଦେଇ କହିଥିଲେ,ଏଇଟା ଅନୁକୁ ଦେଇଦବୁ,ମୁଁ ପଛରେ ଯିବି |କିନ୍ତୁ ସେଇଦିନ ହିଁ ସାନଆଈ ଗୁରୁତର ହୋଇ ପଡିଲେ ଓ ଶେଷନିଃଶ୍ୱାସ  ତ୍ୟାଗ କଲେ |ତାଂକ ମୃତ୍ୟୁରେ ମ୍ରିୟମାଣ ହୋଇ ଆଈ ଅତିଦୁଃଖରେ କାନ୍ଥରେ ମୁଣ୍ଡପିଟି ଦେଲେ |ସେତିକିରେ ସବୁ ଶେଷ |
                     ସେଦିନ ଠାରୁ ଅନେକ ବର୍ଷ ବିତି ଗଲାଣି |ଆଜି ଅନୁଷ୍କା ଏମ.ବି.ବି.ଏସ .ର ଛାତ୍ରୀ |କିନ୍ତୁ ସ୍ୱପ୍ନରେ  ଆଈଂକ ସହିତ ତାର  ଶେଷ ଦେଖା ,ଆଜିବି ତା ମନରେ ଜୀବନ୍ତ ହୋଇ ରହିଛି |ଆଈ ସବୁବେଳେ କହୁଥିଲେ,ସାନଆଈ ତାଂକର ନିଃଶ୍ୱାସ  |ତେଣୁ ସାନଆଈଂକ ମୃତ୍ୟୁପରେ ତାଂକର ବଞ୍ଚିବା  ନିରର୍ଥକ ହୋଇଯାଇଥିଲା .........  ଆଈଂକର ଶେଷ ଉପହାର ଏକ ଟେବଲ ଘଣ୍ଟାକୁ ସେ  ଆଜି ପର୍ଯ୍ୟନ୍ତ ଅତି ଯତ୍ନରେ ସାଇତି ରଖିଛି ଓ ତାକୁ ଦେଖିଲେ ଆଈଂକର ଆଶୀର୍ବାଦ ତା ଉପରେ ଅଛି ବୋଲି ଅନୁଭବ କରିଛି |ମମତା ମହାନ୍ତି

                      

No comments:

Post a Comment