Friday, June 9, 2017

ସମ୍ପର୍କ

                           ମୁନୁ,କୁନୁ ଓ ରୁନୁଂକ ପରେ ଗୁଡୁ ଥିଲା ଶୁଭକାନ୍ତଂକ ଏକମାତ୍ର ପୁତ୍ର ସନ୍ତାନ |ଶୁଭକାନ୍ତ ବେଶି ପାଠ ପଢି ନଥିଲେ,ଛୋଟ ସରକାରୀ ଚାକିରୀ କରୁଥିଲେ | ଗୁଡୁ ପାଇଁ ଶୁଭକାନ୍ତଂକ ମନରେ ଅନେକ ସ୍ୱପ୍ନ  ଥିଲା |ତାଂକର ତିନିଝିଅ ସରକାରୀ ସ୍କୁଲରେ ପଢୁଥିବା ବେଳେ ଗୁଡୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିଲା |ସ୍ୱଳ୍ପ  ଆୟରେ କିପରି ଘର ଚଳାଇବାକୁ ହୁଏ,ସେକଥା ସହଧର୍ମିଣୀ ସୁକାନ୍ତିଂକୁ ଭଲଭାବେ ଜଣା ଥିଲା |ସବୁ ପିଲା ଭଲ ପଢୁଥିଲେ,ହେଲେ ସେମାନେ  ଗୁଡୁର ସ୍ୱତନ୍ତ୍ର  ଯତ୍ନ ନେଉଥିଲେ |ସେ ଭାବୁଥିଲେ,ଝିଅମାନେ ଯେତେ ପାଠ ପଢି ଯେତେ ବଡ ଚାକିରୀ କଲେ ବି ଶେଷରେ  ବାହା ହୋଇ ପରଘରକୁ ଯିବେ |ହେଲେ ସେମାନେ ସବୁବେଳେ ଗୁଡୁ ପାଖରେ ହିଁ ରହିବେ |ସେ ଭଲ ପଢି ବଡ ଚାକିରୀ କଲେ,ସେମାନଂକ ଶେଷ ଜୀବନ ସୁଖଶାନ୍ତିରେ କଟିବ |
                      ଶୁଭକାନ୍ତ  ତାଂକ କାର୍ଯ୍ୟାଳୟରେ ଜଣେ ଲୋକପ୍ରିୟ କର୍ମଚାରୀ ଥିଲେ |ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ତାଂକୁ ଭଲ ପାଉଥିଲେ |ମୁନୁ ମାଟ୍ରିକ୍ ପ୍ରଥମ ଶ୍ରେଣୀରେ ପାଶ କଲା |ତାର ଇଚ୍ଛା ଥିଲା,ସେ ଡାକ୍ତର ହେବ |ସେଥିପାଇଁ ସେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେଇଥିଲା ମଧ୍ୟ |କିନ୍ତୁ ସେତେବେଳକୁ ପରିବାରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ |ଶୁଭକାନ୍ତ ଅନେକ ଧାର,କରଜରେ ବୁଡି ଯାଇଥାଆନ୍ତି |ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିବାରୁ ଗୁଡୁର ପାଠପଢା ଖର୍ଚ୍ଚ ବର୍ଷକୁ ବର୍ଷ ବଢି ଚାଲିଥାଏ |ଦିନେ ଶୁଭକାନ୍ତ ମୁନୁକୁ କହିଲେ,ଆମ ଅଫିସ କୁ ଗୋଟିଏ ପୋଷ୍ଟ ଆସିଛି |ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାଶ |ତୁ ଯଦି ଚାହିଁବୁ,ତାହାଲେ ମୁଁ ସେକ୍ରେଟାରୀଂକ ସାଂଗେ କଥା ହେବି |ମୁନୁ ଜାଣୁଥିଲା ଘରର ଆର୍ଥିକ ଅବସ୍ଥା ଭଲ ନାହିଁ,କିନ୍ତୁ ସେଥିପାଇଁ ଯେ ତାକୁ ତାର ସ୍ୱପ୍ନକୁ  ଜଳାଂଜଳି ଦେବାକୁ ପଡିବ,ଏକଥା ସେ କେବେବି କଳ୍ପନା କରିପାରି ନଥିଲା |ସେ ତଥାପି କହିଲା,ହେଲେ ମତେ ତ ଏବେ ଷୋହଳ ବର୍ଷ |ଅଠର ବର୍ଷ ହେବା ପାଇଁ ଆଉ ଦୁଇବର୍ଷ ବାକି ଅଛି |ଶୁଭକାନ୍ତ କହିଲେ,ତୁ ସେ ବିଷୟରେ ଚିନ୍ତା କରନା,ସେ ଦାୟିତ୍ତ୍ୱ  ମୋର |କୋର୍ଟରେ ସତ୍ୟପାଠ କରାଇ ମୁନୁର ବୟସ ଷୋହଳରୁ ଅଠର ବର୍ଷକୁ ବୃଦ୍ଧି କରାଗଲା |ନାମକୁ ମାତ୍ର ଇଣ୍ଟରଭିଉ ରେ ମୁନୁ ପ୍ରଥମ ସ୍ଥାନ ଅଧିକାର କଲା |ସେ  ଫ୍ରକ ପିନ୍ଧା ଛାଡି ଶାଢୀ ପିନ୍ଧି ଗଲା,ଚାକିରୀ କରିବା ପାଇଁ |
                        ଚାକିରୀ କରିବା ପରେ ସେ ଜଣେ ବୟସ୍କ ମଣିଷ ପାଲଟି ଗଲା |ପରିବାରରେ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଶୁଭକାନ୍ତ ପ୍ରଥମେ ମୁନୁ ସହ ଆଲୋଚନା କରୁଥିଲେ |ଧୀରେ ଧୀରେ ସମୟ ଗଡି ଚାଲିଲା |ମୁନୁ ଅନୁଶାସନପ୍ରିୟ ଥିଲା |ତାର ମୂଳ ଲକ୍ଷ୍ୟଥିଲା,ଭାଇ ଭଉଣୀ ମାନେ କିପରି ଭଲ ପାଠ ପଢି ନିଜ ଗୋଡରେ ନିଜେ ଛିଡା ହେବେ |ପ୍ରଥମରୁ ଗୁଡୁ ପାଠ ପଢାରେ ଅମନଯୋଗୀ ଥିଲା |ବେଶି ସମୟ ସେ ଖେଳକୁଦ ରେ କଟାଉ ଥିଲା |ବେଳେବେଳେ ସ୍କୁଲ ନଯାଇ ସାଂଗସାଥୀ ମାନଂକ ସାଂଗରେ ଖେଳି,ସ୍କୁଲ ଛୁଟି ସମୟ ହେଲେ ଘରକୁ ଫେରି ଆସୁଥିଲା |ଯେଉଁଦିନ ମୁନୁ କାନକୁ ଏକଥା ଆସିଲା,ସେ ସେଦିନ ତାକୁ ଛାଟରେ ନିର୍ଧୁମ ପିଟିଲା |ସେତେବେଳେ ସୁକାନ୍ତି ପ୍ରତିବାଦ କରି କହିଥିଲେ,ପିଲାଟାକୁ ଏତେ ବାଡା ନା |ସେ ଏବେ ଛୋଟ ଅଛି,ବଡ଼ ହେଲେ ଧୀରେ ଧୀରେ ବୁଝିଯିବ |କିନ୍ତୁ ମୁନୁ ମାନିବା ପିଲା ନଥିଲା |ପାଠ ଆଗରେ ଗେଲବସର ର କିଛି ମୂଲ୍ୟ ନାହିଁ |ତାପାଇଁ ପ୍ରଥମେ ପାଠ,ତାପରେ ଆଉ ଯାହା |ଗୁଡୁ କୁ ମାଡ ମାରି ସେ ଚୁପ ହୋଇ ବସିଲା ନାହିଁ |ତା ପରଦିନ ସେ ଗୁଡୁ ର ଶ୍ରେଣୀ ଶିକ୍ଷୟିତ୍ରୀଂକ ସହ ଦେଖା କରି ଗୁଡୁ କେମିତି ପାଠ ପଢୁଛି ଓ ତା ପାଠପଢା ର ଉନ୍ନତି ପାଇଁ କି ପଦକ୍ଷେପ ନେଲେ ଭଲ ହେବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କଲା |ଆଲୋଚନାରେ ଏହା ମଧ୍ୟ ସ୍ଥିର ହେଲା , ଯେଉଁଦିନ ଗୁଡୁ ସ୍କୁଲରେ ଅନୁପସ୍ଥିତ ରହିବ,ଶିକ୍ଷୟିତ୍ରୀ ମୁନୁକୁ ଫୋନ କରି ସେକଥା ଜଣାଇ ଦେବେ |ମୁନୁର କଡା ଅନୁଶାସନରେ କ୍ରମେ ଗୁଡୁର ପାଠରେ ଉନ୍ନତି ହେଲା |ତାପରେ ଗୁଡୁ ଆଉ ପଛକୁ ଫେରି ଚାହିଁନଥିଲା  |ଦଶମ ଓ ଦ୍ୱାଦଶ  ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖି ପାଶ କରିବା ପରେ ସେ ଇଂଜିନିୟରିଂ ପଢିଲା |ଯେତେବେଳେ ତାକୁ ଚାକିରୀ କରିବା ପାଇଁ ଅଫର ଲେଟର ମିଳିଲା,ସେ ପ୍ରଥମେ ଆସି ମୁନୁକୁ ମୁଣ୍ଡିଆ ମାରିଲା ଓ  କହିଲା,ନାନୀ ,ଏସବୁ କେବଳ ତୋ ପାଇଁ ସମ୍ଭବପର ହୋଇଛି |ତୋ ୠଣ ମୁଁ ଏ ଜନ୍ମ କଣ, ଶତ ଜନ୍ମ ତପସ୍ୟା କଲେ ବି  ଶୁଝି ପାରିବି ନାହିଁ |
                          ଅନ୍ୟ ଦୁଇ ଭଉଣୀଂକ ମଧ୍ୟରୁ କୁନୁ ଅଧ୍ୟାପିକା ହେଲା ଓ ରୁନୁ ଏମ.ବି.ଏ. କରି ବ୍ୟାଂକରେ ଚାକିରୀ କଲା |ମୁନୁ ତାର ସେଇ ଛୋଟ ଚାକିରୀରେ ସନ୍ତୁଷ୍ଟ ରହିଲା |ଯେତେବେଳେ ଯେଉଁଠି ପିଲାମାନଂକ ଉପଲବ୍ଧି ବିଷୟରେ ଆଲୋଚନା ହୁଏ, ସୁକାନ୍ତି ସମସ୍ତଂକ ବିଷୟରେ ବଢେଇ ଚଢେଇ କହିବା ବେଳେ,ମୁନୁ ବାବଦରେ ଗୋଳେଇ କରି କହି ଦିଅନ୍ତି  |ସମସ୍ତେ ଚାକିରୀ କରିବା ପରେ ଧୀରେ ଧୀରେ ପରିବାରର ଅର୍ଥିକ ଅବସ୍ଥା ସୁଧୁରି ଯାଇଥିଲା |ପୂର୍ବପରି  ଆର୍ଥିକ ଅଭାବ ଅନାଟନ ଆଉ ନଥିଲା |ଶୁଭକାନ୍ତ ତିନି ଝିଅଂକ ବାହାଘର କଲେ |ସୁକାନ୍ତି କହିଲେ,ଆମେ ଗୁଡୁ ପାଇଁ ଏତେ ତର ତର ହେବାନି |ଭାବି ଚିନ୍ତି ତା ସାଂଗେ ମିଶିଲା ପରି ଭଲ ଝିଅ ଦେଖି କରିବା |
                          ଶେଷରେ ଭଲ ଘର ଓ ଭଲ ଝିଅ ଦେଖି ଗୁଡୁର ବିବାହ ସ୍ଥିର ହେଲା |ଝିଅ ର ବାପା କୌଣସି ଜିନିଷ ଦେବାରେ ଅବହେଳା କରି ନଥିଲେ |ସବୁ ଜିନିଷ ସେ ଶୁଭକାନ୍ତଂକ ଛୋଟ ଘରେ ଖଂଜି ଦେଇଥିଲେ |ଝିଅ ଉପରେ କାଳେ ବେଶି କାମ ପଡିବ,ସେଥିପାଇଁ ତାଂକ ଘରର ଚାକରାଣୀ କୁ କିଛିଦିନ ପାଇଁ ତା ସହିତ ପଠାଇ ଥିଲେ |ଏସବୁ ଶୁଭକାନ୍ତଂକୁ ଭଲ ନ ଲାଗୁ ଥିଲେବି ଖୁସିରେ ସୁକାନ୍ତିଂକ ଗୋଡ ତଳେ ଲାଗୁ ନଥିଲା |ସେ ଭାବୁଥିଲେ,ବୋହୂ ତାଂକର ଲକ୍ଷ୍ମୀଵନ୍ତ,କାନ୍ଧରେ ଲକ୍ଷ୍ମୀଂକୁ ବସାଇ ସେ ତାଂକ ଘରକୁ ଆସିଛି |
                          ଚାକିରୀ କରିବା ପର୍ଯ୍ୟନ୍ତ ଶୁଭକାନ୍ତଂକ ଜୀବନ ଖୁବ ସୁଖ ଶାନ୍ତିରେ କଟି ଗଲା |ପ୍ରକୃତ ସମସ୍ୟା ଆରମ୍ଭ ହେଲା,ସେ ଯେତେବେଳେ ଅବସର ଗ୍ରହଣ କରି ଘରେ ରହିଲେ |ତାଂକର ଗୋଟିଏ ଅଭ୍ୟାସ ଥିଲା,ସେ ପ୍ରତିଦିନ ଦୁଇଟି ଖବରକାଗଜ କିଣି ପଢୁଥିଲେ |ଗୋଟିଏ ସରକାରଂକ ସପକ୍ଷବାଦୀ ଥିବାବେଳେ ଅନ୍ୟଟି ବିପକ୍ଷବାଦୀ ଥିଲା |ଏହାଦ୍ୱାରା  ସେ ପ୍ରକୃତ ଘଟଣାର ସତ୍ୟାସତ୍ୟ ବିଷୟରେ ଅନ୍ଦାଜ ଲଗାଇ ପାରୁଥିଲେ |ଏମିତିକି ନିର୍ବାଚନ ବେଳେ କେଉଁ ଦଳ କ୍ଷମତାକୁ ଆସିବ,ସେ ସଠିକ କହି ପାରୁ ଥିଲେ |ହୋମିଓପାଥିକ ବିଷୟରେ ତାଂକର ଗଭୀର ଜ୍ଞାନ ଥିଲା |ସେ ମାଗଣାରେ ରୋଗୀ ମାନଂକୁ ଔଷଧ ଦେଉଥିଲେ |ତାଂକର ଔଷଧ ଏପରି ଅକାଟ୍ୟ ଥିଲା ଯେ ,ଯିଏ ଥରେ ତାଂକ ଠାରୁ ଔଷଧ ନେଉଥିଲା,ସେ ବାରମ୍ବାର ତାଂକ ପାଖକୁ ଔଷଧ ନେବାକୁ ଆସୁଥିଲା |ସେତିକି ନୁହେଁ,ବନ୍ଧୁତା ଖାତିରରେ ସେ ତାଂକୁ ଚା' ନ ପିଆଇ ଛାଡୁ ନଥିଲେ |ଏସବୁ ତାଂକର ବହୁତ ପୁରୁଣା ଅଭ୍ୟାସ ଥିଲା |ଯେତେବେଳେ ସେ ଅତ୍ୟନ୍ତ ଆର୍ଥିକ ଦୁରବସ୍ଥା ଭିତର ଦେଇ ଗତି କରୁଥିଲେ,ସେତେବେଳେ ମଧ୍ୟ ସେ ତାଂକର ଏହି ଅଭ୍ୟାସ ଛାଡି ନଥିଲେ |ଯେତେବେଳେ ବାହାରେ ସେ ବନ୍ଧୁମାନଂକ ସହ ଗପୁ ଥାଆନ୍ତି,ଚା'ପାଇଁ ବରାଦ କରିବା ପୂର୍ବରୁ ମୁନୁ କେତେଜଣ ବାହାରେ ବସିଛନ୍ତି ଗଣିଦେଇ ସେଇ ଅନୁସାରେ ସେମାନଂକୁ ଚା'ଦେଇ ଆସେ |ଏଥିରେ ଶୁଭକାନ୍ତଂକ ପତିଆରା ବଢିଯାଏ |ତାଂକର ବନ୍ଧୁମାନେ ମୁନୁ ର ଭୁରି ଭୁରି ପ୍ରଶଂସା କରନ୍ତି |'ଯାହା କୁହ ପଛକେ ଶୁଭ ର ବଡ଼ଝିଅ କୋଟିକ ରେ ଗୋଟିଏ '|ଏହା ଶୁଣି ଖୁସିରେ ଶୁଭକାନ୍ତଂକ ଛାତି କୁଣ୍ଢେ ମୋଟ ହୋଇଯାଏ |ମୁନୁ ବାହା ହୋଇଯିବା ପରେ କୁନୁ ରୁନୁ କିଛିଦିନ ସେହିପରି ଚା'ଦେଲେ |କିନ୍ତୁ ମୁନୁ ପରି ନୁହେଁ |ଚା' ପାଇଁ ବରାଦ କଲେ  କେତେଜଣଂକ ପାଇଁ ଚା' ହେବ ପଚାରି ତାପରେ ଚା' ତିଆରି କରି ଦିଅନ୍ତି |ସେମାନେ ବାହା ହୋଇ ଯିବା ପରେ ସୁକାନ୍ତି ବେଳେବେଳେ ଚା' କରି ଦିଅନ୍ତି,ଆଉ ବେଳେବେଳେ କାମ ଅଛି,ଚା' କରି ପାରିବିନି ବୋଲି ମନା କରି ଦିଅନ୍ତି |ବୋହୂ ଆସିବା ପରେ ଜଂଜାଳ ବଢିଗଲା |ଶୁଭକାନ୍ତ ଆଉ ଚା' ପାଇଁ ବରାଦ ନକରି ସାଂଗ ମାନଂକ ସହିତ ଛକ ପାଖକୁ ଯାଇ ଚା' ପିଅନ୍ତି |
                         ଦିନେ ଗୁଡୁ ସୁକାନ୍ତିଂକୁ କହିଲା,ବୋଉ,ବାପାଂକୁ ମନା କର,ସେ କାହିଁକି ବେକାରଟା ରେ ମାଗଣା ଔଷଧ ଆଉ ମାଗଣା ଚା' ଦେଇ ପଇସା ବରବାଦ କରୁଛନ୍ତି |ସେମାନେ ବାପାଂକୁ ତେଲେଇ ଦଉଛନ୍ତି,ଆଉ ବାପା ତାଂକ କଥାରେ ଭାସି ଯାଉଛନ୍ତି |ଏଥିରେ  ତାଂକର କଣ ଲାଭ ହେଉଛି ?ସୁକାନ୍ତି ଦିନେ ଶୁଭକାନ୍ତଂକୁ ଏ ବିଷୟରେ କହିଲେ |ତାଂକ କଥା ଶୁଣି ଶୁଭକାନ୍ତ ରାଗରେ ନିଆଁବାଣ ହୋଇଗଲେ |କହିଲେ,ଏକଥା ଗୁଡୁ କହିଛି ନାଁ ତମେ ମନରୁ ଫାନ୍ଦି କହୁଛ ?ସୁକାନ୍ତି କହିଲେ,ନାଁ ନାଁ ସେ କାହିଁକି ଏକଥା କହିବ,ମୁଁ ଘରର  ଭଲ ପାଇଁ କହୁଥିଲି |ତମେ ତ ରିଟାୟାର୍ଡ ହୋଇ ଗଲଣି,ପର ପାଇଁ ଅଯଥା ଖର୍ଚ୍ଚ କରି ଲାଭ କଣ ?ଶୁଭକାନ୍ତ କହିଲେ,ଯେତେବେଳେ ଧାର ଉଧାର କରି ବହୁତ କଷ୍ଟରେ ଚଳୁଥିଲି,ସେତେବେଳେ ଏ ଅଭ୍ୟାସ ଛାଡି ନଥିଲି,ଏବେ ଛାଡିବି କାହିଁକି ?ମୁଁ ତମକୁ ପ୍ରଥମ ଆଉ ଶେଷ ଥର ପାଇଁ କହି ଦେଉଛି,ଯଦି ଖୁବ ଶୀଘ୍ର ତମେ ମୋର ମୃତ୍ୟୁ ଚାହୁଁଥାଅ ତାହାଲେ,ମୁଁ ଯେଉଁ କାମ କରିବାରେ ଆନନ୍ଦ ପାଉଛି,ତାକୁ ବନ୍ଦ କରନାହିଁ |ଇଏ ତ ଆରମ୍ଭ ମାତ୍ର ଥିଲା,କ୍ରମେ ଛୋଟ ଛୋଟ କଥାକୁ ନେଇ ଘରେ ସବୁବେଳେ କିଛି ନାଁ କିଛି ମନାନ୍ତର ଓ ମତାନ୍ତର ଲାଗି ରହିଲା |ଧୀରେ ଧୀରେ ଶୁଭକାନ୍ତ ଅନୁଭବ କଲେ, ତାଂକର ପ୍ରାଧାନ୍ୟ କମି କମି ଯାଉଛି ଓ ସେ ଯେପରି ଏକ ଅଲୋଡା ଓ ଅଦରକାରୀ ବସ୍ତୁରେ ପରିଣତ ହୋଇ ଯାଉଛନ୍ତି  |ସେ ପଛଦିନର କଥା  ମନେ ପକାଇ  ଝୁରି ହୁଅନ୍ତି |ଭାବନ୍ତି,ସେତେବେଳେ କେତେ ଅଭାବ ଅନାଟନ ଥିଲା,କିନ୍ତୁ ଘରେ କେତେ ଶାନ୍ତି ଥିଲା |ଯେତେବେଳେ ଝିଅମାନେ ଘରକୁ ବୁଲି ଆସନ୍ତି,ସେ ଖୁସିରେ ଘର ପାଖ ଗୁଡିଆ ଦୋକାନରୁ ବରା,ପିଆଜି,ଆଳୁଚପ୍ ଇତ୍ୟାଦି ନେଇ ଆସନ୍ତି |ମନଖୁସିରେ ସେମାନଂକ ସହ ଘଣ୍ଟା ଘଣ୍ଟା ଗପନ୍ତି |ବେଳେବେଳେ ବୋହୂକୁ କହନ୍ତି,ରୋଷେଇ କର,ପିଲାମାନେ ଖାଇକରି ଯିବେ |ନୂଆ ନୂଆ ରିତୁ କୁ ନିଜ ନଣନ୍ଦ ମାନଂକୁ ସୁସ୍ୱାଦୁ  ଜିନିଷ ରୋଷେଇ କରି ଦେବାରେ ଆନନ୍ଦ ମିଳୁଥିଲା |ପରେ ତାକୁ ଆଉ ସେ କାମ କରିବାକୁ ଭଲ ଲାଗିଲା ନାହିଁ |ସେମାନେ ଆସିବା କ୍ଷଣି ସେ ଶରୀର ଅସୁସ୍ଥତା ର ବାହାନା କରି ବିଛଣା ରେ ଶୋଇଯାଏ |କୁନୁ,ରୁନୁ କହନ୍ତି,ଦେଖ ଲୋ ନାନୀ,ଆମକୁ ଦେଖି କେମିତି ପେଖନା ମାରି ଶୋଇଲାଣି |ମୁନୁ ସେମାନଂକୁ ଆକଟ କରି  କହେ,ସେମିତି କହନା,ସେ ଶୋଇଥାଉ,ଆମେ ମିଳିମିଶି ରୋଷେଇ କରିଦେବା |କୁନୁ ପ୍ରତିବାଦ କରି କହେ,ଆମେ ବାପଘରକୁ ଆସିଛୁ କଣ ଖଟିବା ପାଇଁ ?ମୁଁ ଚାଲିଲି,ତମର ଯାହା ଇଚ୍ଛା ତାହା କର |ସେ ଯିବାପରେ ବାଆଁରେଇ ହୋଇ ରୁନୁ ମଧ୍ୟ ଚାଲିଯାଏ |ମୁନୁ କିନ୍ତୁ ଯାଇ ପାରେନାହିଁ |ସେ ବୁଝେ,ସେମାନେ ଆସିଲେ,ବାପା କେତେ ଖୁସି ହେଉଛନ୍ତି |ଆଉ କିଛି ସମୟ ରହିଗଲେ ବାପା ଆହୁରି କେତେ ଖୁସି ହେବେ |ସେ ସମସ୍ତଂକ ପାଇଁ ରୋଷେଇ କରେ |ସେଦିନ ଶୁଭକାନ୍ତ ହାତ ଚାଟି ରୁଟି ତରକାରୀ ଖାଆନ୍ତି |କହନ୍ତି,ମୋ ମୁନୁ ପରି କେହି ରାନ୍ଧି ପାରିବେ ନାହିଁ |ତା ହାତରେ ଅମୃତ ଅଛି |
                         ଶୁଭକାନ୍ତ ସ୍ବାଧୀନଚେତା ମଣିଷ ଥିଲେ |ସେ ଯାହା ଠିକ ଭାବୁଥିଲେ,ଯେତେ ବାଧାବିଘ୍ନ ଆସିଲେ ବି ତାହା କରୁଥିଲେ |ତାଂକର ଗୋଟିଏ ଖୋଇ ଥିଲା,ଭୋଟ ଗ୍ରହଣ ବେଳେ ସେ ସର୍ବ ପ୍ରଥମେ ଭୋଟ ଦେବେ |ତାଂକ ପୂର୍ବରୁ କେହି ଭୋଟ ଦେବାକୁ ସେ ବରଦାସ୍ତ କରିପାରୁ ନଥିଲେ |ସେଥରକ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ ହେଉଥିଲା |ସକାଳ ସାତ ଟା ପୂର୍ବରୁ ଭୋଟଗ୍ରହଣ କେନ୍ଦ୍ରରେ ଉପସ୍ଥିତ ହେବାପାଇଁ ସେ ମନେ ମନେ ଯୋଜନା କରିଥାଆନ୍ତି |କାଳେ ସେଠାରେ ପହଂଚୁ ପହଂଚୁ ଡେରି ହୋଇଯିବ,ସେଥିପାଇଁ ସେ  ଗୁଡୁ ର ପୁଅ ବିରୁ କୁ କହି ଥାଆନ୍ତି,ସେ  ତାଂକୁ ସ୍କୁଟି ରେ ନେଇ ଛାଡି ଦେବ |ତେଣିକି ଫେରିବା ଦାୟିତ୍ତ୍ୱ ତାଂକର |ବିରୁ ବି ରାଜି ଥିଲା |କିନ୍ତୁ ସେମାନେ ଠିକ ବାହାରିବା ବେଳକୁ ରିତୁ ସଫା ସଫା କହିଦେଲା,ବିରୁ ଯାଇ ପାରିବ ନାହିଁ |ଶୁଭକାନ୍ତଂକ ରୁକୁଣା ରଥ ଅଣଲେଉଟା | ଯିବାକୁ ମନ କରିଛନ୍ତି ମାନେ ଯେମିତି ହେଉ ଯିବେ |ସେ ଏକୁଟିଆ ବାହାରି ପଡିଲେ |ଚଞ୍ଚଳ  ପଦକ୍ଷେପ ରେ ଯାଉ ଯାଉ ଏକ ଖାଲରେ ତାଂକ ଗୋଡ ପଶିଗଲା ଓ ସେ କଚଡା ଖାଇ ପଡିଗଲେ |ଜୀବନରେ ପ୍ରଥମ ଥର ପାଇଁ ସେ ଭୋଟ ଦେଇ ପାରିଲେ ନାହିଁ |ତା ସହିତ ତାଂକ ଅଣ୍ଟା ହାଡ଼ ଭାଂଗିଗଲା |
                       
                           ସୁସ୍ଥ ହେବାପାଇଁ ତାଂକୁ ବର୍ଷେ ପାଖାପାଖି ଲାଗିଗଲା |ସେହି ସମୟ ଭିତରେ ସେ ଯେଉଁ ନର୍କ ଯନ୍ତ୍ରଣା ଭୋଗିଲେ,ସେ ଭାବୁଥିଲେ,ମରିଯାଇଥିଲେ,ଏହାଠାରୁ ଢେର ଭଲ ହୋଇଥାନ୍ତା |ତାଂକୁ ଦେଖିବା ପାଇଁ ମୁନୁ,କୁନୁ ଓ ରୁନୁ ପ୍ରାୟ ବେଳେ ଆସୁଥିଲେ |ଏହି ମଉକା ରେ ତିନି ଭଉଣୀ ପରସ୍ପରକୁ ଭେଟୁଥିଲେ,ଗପସପ କରୁଥିଲେ |ଯେତେବେଳେ କିଛି ବି ଅସୁବିଧା ହେଉଥିଲା,ଜଣେ ଜାଣିବା ମାତ୍ରକେ ଅନ୍ୟ ଦୁଇ ଭଉଣୀଂକୁ ଫୋନ କରି ସାଂଗେ ସାଂଗେ ଜଣାଇ ଦେଉଥିଲା |ତିନିଭଉଣୀ ଏକ ସମୟରେ ଶୁଭକାନ୍ତଂକ ପାଖରେ ପହଂଚି ଯାଉଥିଲେ |ଶୁଭକାନ୍ତ ଯେଉଁ ଜିନିଷ ଖାଇବାକୁ ଭଲ ପାଆନ୍ତି,ତିନି ଭଉଣୀ ଘରେ ତିଆରି କରି ଆଣିଥାନ୍ତି |ସେସବୁ ଶୁଭକାନ୍ତ ଖାଇ ବହୁତ ଖୁସି ହୁଅନ୍ତି |ଦିନେ ଗୁଡୁ କହିଲା,ତମେମାନେ ସବୁବେଳେ କାହିଁକି ଏଠିକି ଚାଲି ଆସୁଛ ?ଏକେ ତ ଘରକାମ କରି କରି ରିତୁ  ହାଲିଆ ହୋଇ ଯାଉଚି,ସେଥିରେ ତମକୁ କେତେ ଚା' ଜଳଖିଆ କରି ଦେବ ?ତମେମାନେ କଣ ସନ୍ଦେହ କରୁଛ,ମୁଁ ବାପାଂକ ଯତ୍ନ ଠିକ ରେ ନେଇ ପାରୁନି ବୋଲି ?ରୁନୁ ରାଗିଯାଇ କହିଲା,ବାପାଂକୁ ଟିକିଏ ଦେଖିବାକୁ ଆସୁଚୁ ବୋଲି ତୁ ଏତେ କଥା କହୁଚୁ ?ତାକୁ ଚା' ଜଳଖିଆ କରି ଦେବାପାଇଁ କିଏ କହୁଚି ?କାହିଁ ଏ ପର୍ଯ୍ୟନ୍ତ ତ ଆମକୁ କେହି ଚା' ଦେଇ ନାହାନ୍ତି |ମୁହଁ  ଉଠେଇ କଥା କହୁ ନଥିଲା,ଏବେ କେତେ କଥା କହୁଚି ଦେଖ !କୁନୁ ମଧ୍ୟ ରାଗିଗଲା |ସୁକାନ୍ତିଂକୁ କହିଲା,ବୋଉ,ଆମେ ଏଠିକି ଆସିଲେ,ତୋ ପୁଅ ବୋହୂଂକୁ ଭଲ ଲାଗୁନି |ତମେ ତମ ଦୁଃଖ ରେ ଥାଅ,ଆମେ ଆଉ ଏଠିକି ଆସିବୁନି |ତୁ ବି'ଆମକୁ ଆଉ ଡାକିବୁନି |ସୁକାନ୍ତି କହିଲେ,ସାନଭାଇ କଥା ଧରୁଛୁ ?ସେ ମତେ କେତେ କଡା କଥା କହୁଚି ଜାଣିଛୁ ?ଆଖି ର ଲୁହ କାନିରେ ପୋଛି ସବୁ ସହୁଛି |ଯେତେହେଲେ ମୋର ପୁଅ ,କଣ କହିଦେଲା ବୋଲି ତା କଥାରେ ମାନ କରି ବସିବି ?ରୁନୁ କହିଲା,ହଉ ହଉ ,ତୁ ଆମକୁ ଆଉ ପାଠ ପଢ଼ାନା |ଆମର ଆଉ ଏଠିକି ଆସିବାର ନାହିଁ କି ତାର ବୋଲି ଶୁଣିବାର ନାହିଁ |ମୁନୁ କିନ୍ତୁ ସେମାନଂକ କଥାରେ ରାଜି ହେଲା ନାହିଁ |ସେ କହିଲା,ଭାଇ ଦୋଷ କଲା ବୋଲି ଆମେ କଣ ବାପା ବୋଉଂକୁ ଛାଡି ଦେବା ?
                               ଶୁଭକାନ୍ତ ଧୀରେ ଧୀରେ ଆରୋଗ୍ୟ ଲାଭ କଲେ  |କିନ୍ତୁ  ସବୁଦିନ ପାଇଁ ବାଡି ର ସାହାରା ନେଇ ତାଂକୁ ଚାଲିବାକୁ ପଡିଲା  |ପୂର୍ବ ପରି ଚଳପ୍ରଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା |ଘରେ ବନ୍ଧୁମାନଂକ ଗହଳି ମଧ୍ୟ କ୍ରମେ କମିଗଲା |ଦିନେ ମୁନୁ ଶୁଭକାନ୍ତଂକ ପାଇଁ ତାଂକର ଅତିପ୍ରିୟ କଖାରୁ ଫୁଲ ଭଜା ନେଇ ଆସିଥିଲା |ଘରେ ପହଂଚି ଦେଖିଲା,ଘର ର କବାଟ ଦରଆଉଜା ଅଛି  |ସେ ଭିତରକୁ ପଶିବା ବେଳକୁ ଶୁଣିଲା,ଶୁଭକାନ୍ତ ସୁକାନ୍ତିଂକୁ କହୁଚନ୍ତି ,ମୋର ଯଦି କିଛି ହୋଇଯାଏ ତମେ ମୁନୁ ପାଖକୁ ଚାଲିଯିବ |ସୁକାନ୍ତି କହିଲେ,ଗୁଡୁ ଥାଉ ଥାଉ ମୁଁ କାହିଁକି ମୁନୁ ପାଖକୁ ଯିବି |ଶୁଭକାନ୍ତ କହିଲେ,ନଯିବ ଯଦି ଭଲକଥା |ହେଲେ ମୁନୁ ଯଦି ଡାକିବ,ତମେ ମନା କରିବନି |ବାପାଂକର ତା ଉପରେ ଏତେ ଭରସା ଥିବା ଦେଖି ମୁନୁ ଆଖିରୁ ଅନର୍ଗଳ ଲୁହଧାର ଝରିଗଲା |ସେ ଶତ ଚେଷ୍ଟା କରି ତାକୁ ରୋକି ପାରିଲା ନାହିଁ |ତାର କାନ୍ଦୁରା ମୁହଁ ଦେଖିଲେ ବାପା ଆଉ କଣ ଭାବିବେ |ସେଥିପାଇଁ ଆଉ ସେ ତାଂକୁ ଦେଖା ନକରି ରିତୁକୁ ଖାଇବା ଜିନିଷ ଦେଇ କହିଲା,ବାପାଂକୁ ଖାଇବାକୁ ଦେବୁ,ମୁଁ କାଲି ଆସିବି |ତା ପରଦିନ ଆସି ଜାଣିଲା,ସେ ଆଣିଥିବା ଜିନିଷ ରିତୁ ବାପାଂକୁ ନଦେଇ,ତା ପିଲାମାନଂକୁ ଦେଇ ଦେଇଛି |ସୁକାନ୍ତି କହିଲେ,ଏବେ ଯିଏ ଯାହା ଖାଇବା ଜିନିଷ ଶୁଭକାନ୍ତଂକ ପାଇଁ ଆଣୁଛନ୍ତି ,ରିତୁ ଆଉ ତାହା ତାଂକୁ ଦେଉନି |କହୁଛି,ଏ ବୟସରେ ଗରିଷ୍ଠ ଜିନିଷ ଖାଇଲେ,ତାଂକ ଦେହ ଖରାପ ହେବ |ମୁନୁ ସବୁ ବୁଝିଲା |ଏଣିକି ଖାଇବା ଜିନିଷ ଆଣିଲେ,ସେ ଶୁଭକାନ୍ତଂକୁ ଖୁଆଇ ସାରିବା ପରେ ଯାଏ |
                              ମୁନୁ ର ଶାଶୁ ଶ୍ୱଶୁର  ଗାଁ ରେ ରହୁଥିଲେ |ସ୍ୱାମୀ  ଦୀପକ ତାଂକର ଏକମାତ୍ର ପୁଅ |ମୁନୁ ର ଗୋଟିଏ ପୁଅ ଓ ଗୋଟିଏ ଝିଅ |ଦୁହେଁ ବାହାରେ ହଷ୍ଟେଲରେ ରହି ପଢୁଥିଲେ |ଶୁଭକାନ୍ତ ସୁସ୍ଥ ହେବାପରେ ଶ୍ଵଶୁରଙ୍କ  ଦେହ ଖରାପ ହେଲା |ଦୀପକ ବାପା ବୋଉ ଦୁଇ ଜଣଂକୁ ଗାଁ ରୁ ନେଇ ଆସିଲା |ଶ୍ଵଶୁରଙ୍କ  ପାକସ୍ଥଳୀ ସଂକ୍ରମିତ ହୋଇଥିଲା |ଅନେକ ଚିକିତ୍ସା ସତ୍ତ୍ୱେ  ସେ ଆଉ ସୁସ୍ଥ ହୋଇ ପାରିଲେ ନାହିଁ |ଦୁଇମାସ କାଳ ଭୋଗି ଭୋଗି ଶେଷରେ ଆଖି ବୁଜିଲେ |ଶାଶୁ ଚାହୁଁଥିଲେ,କିଛିଦିନ ଗାଁ ରେ ରହି ତାପରେ ସେମାନଂକ ପାଖକୁ ଆସିବେ |କିନ୍ତୁ ମୁନୁ ଆଦୌ ରାଜି ହେଲାନାହିଁ |ଗାଁ ଘରେ ତାଲା ପଡିଲା |ଶାଶୁ ଆସି ତାଂକ ପାଖରେ ରହିଲେ |ସେ ଆସି ରହିବା ପରେ ଘର ର ବାତାବରଣ ସୁଖ ଶାନ୍ତିରେ ଭରିଗଲା |ସେ ମନଖୋଲା ମଣିଷ |ସରଳ ମନରେ ତାଂକ ମନକୁ ଯାହା ଆସେ କହି ଦିଅନ୍ତି |ମୁନୁ ମୁହଁ ଶୁଖେଇ ବସିଲେ ଆଦୌ ସହି ପାରନ୍ତି ନାହିଁ |ଶ୍ୱଶୁର  ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଶୁଭକାନ୍ତଂକ ଦୁଇଆଖି ର  ମୋତିଆବିନ୍ଦୁ ଅପରେସନ ହୋଇଚି ବୋଲି ମୁନୁ ଖବର ପାଇଥିଲା |ସେତେବେଳେ ଆଉ ତାଂକୁ ଦେଖିବାକୁ ଯାଇପାରି ନଥିଲା |ଦିନେ କୁନୁ,ରୁନୁଂକ ସହ କଥା ହୋଇ ସମସ୍ତେ ସାଂଗ ହୋଇ ଶୁଭକାନ୍ତଂକୁ ଦେଖିବାକୁ ଗଲେ |ପହଂଚିଲା ବେଳକୁ ଉଭୟ ସୁକାନ୍ତି ଓ ଶୁଭକାନ୍ତ ମନଦୁଃଖରେ ବସିଥିଲେ |ତିନିଜଣଂକୁ ଏକାସାଂଗରେ ଦେଖି ଶୁଭକାନ୍ତ ଆନନ୍ଦରେ ଆତ୍ମହରା ହୋଇ ଶୋଇବା ସ୍ଥାନରୁ ଉଠିବସିଲେ |କହିଲେ,ଆରେ ,ଘର ଅନ୍ଧାର କାହିଁକି କରିଛ,ଲାଇଟ ଲଗାଅ |ଏକଥା କହି ସେ ନିଜ ହାତରେ ସୁଇଚ ରେ ହାତ ମାରି ଅନ କଲେ |କିନ୍ତୁ ଏତେ ଆଲୋକ ରେ ବି ତାଂକୁ କିଛି ଦେଖାଯାଉ ନଥିଲା  |ଏହାର ସପ୍ତାହେ ପରେ ଶୁଭକାନ୍ତ ଆଖି ବୁଜିଲେ  |ଶୁଭକାନ୍ତଂକ କଥା ଭାବି ଭାବି ମୁନୁ ଆଖିରୁ ଲୁହ ଶୁଖୁ ନଥାଏ |ଦଶାହ ଦିନ ତୁଠ କାମ ସରିବା ପରେ ସମସ୍ତେ ଏକାଠି ବସିଥିଲେ |ନୀରବତା ଭାଂଗି ରିତୁ ର ମାଆ କହିଲେ,ଏଣିକି ଆଉ ଅସୁବିଧା ନାହିଁ |ବୁଢାଂକ ପେନସନ୍ ବୁଢୀଂକୁ ମିଳିବ |ତିନି ଝିଅଂକ ଭିତରୁ ଯିଏ ବୁଢୀଂକୁ ରଖିବ ସିଏ ତାଂକ ପେନସନ୍ ଭୋଗ କରିବ |ରୁନୁ ସେଠାରେ ଥଲା |କହିଲା,ଗୁଡୁ,ରିତୁ କଣ କରିବେ ?ରିତୁ ର ମାଆ କହିଲେ,ସେମାନେ ଏତେଦିନ ଯାଏଁ କଲେ |ଝିଅ ହିସାବରେ ତୁମ ମାନଂକର କଣ କିଛି କର୍ତ୍ତବ୍ୟ ନାହିଁ ?ରୁନୁ କହିଲା,ନାହିଁ କାହିଁକି  ଅଛି |କିନ୍ତୁ ବାପାଂକ ଦଶାହ କାମ ନସରୁଣୁ ବୋଉ କୁ ନେଇ ଏବେଠାରୁ  ଭାଗବଣ୍ଟା ଆରମ୍ଭ ହୋଇ ଗଲାଣି ?ରିତୁ କହିଲା,ବାପାଂକ ଘୁଅମୁତ ସିନା ବୋଉ କରୁଥିଲେ,ବୋଉଂକର କିଏ କରିବ ?କୁନୁ କହିଲା,ବୋଉ ତ ଏବେ ସୁସ୍ଥ ମଣିଷ |ତାର ଅସୁସ୍ଥତା କଥା ଏବେଠାରୁ କାହିଁକି ଚିନ୍ତା କରୁଛ ? ଗୁଡୁ କେଉଁଠି ଥିଲା ସେଠାକୁ ଆସି ,ଆଲୋଚନାରେ ଭାଗ ନେଇ କହିଲା,ବୋଉ କୁ ରାତିରେ ନିଦ ହଉନି |ରାତି ନ ପାହୁଣୁ ଠାକୁରଂକ ପାଖରେ ଘଣ୍ଟି ଟିଣି ଟିଣି କରି ଜମା ଶୁଆଇ ଦଉନି |ମୁନୁ ରାଗିଯାଇ କହିଲା,ବୋଉ ସବୁବେଳେ ଭୋରରୁ ଉଠି ଠାକୁର ପୂଜା କରେ |ତୁ ପରୀକ୍ଷା ଦେବାକୁ ଯିବାବେଳେ ଯେତେବେଳେ ତୋର ଶୁଭ ମନାସି ଘଣ୍ଟା ଘଣ୍ଟା ଧରି ଠାକୁରଂକ ପାଖରେ ଘଣ୍ଟି ଟିଣି ଟିଣି କରୁଥିଲା,ସେତେବେଳେ ତ ତୋ ନିଦ ଭାଂଗିଯାଉ ନଥିଲା,ଏବେ ନିଦ ଭାଂଗି ଯାଉଚି ?ସିଧା ସିଧା କହିଦିଅ ତମର ଉଦ୍ଦେଶ୍ୟ କଣ,ଏତେ ବଂକେଇ ବୁଲେଇ କାହିଁକି କହୁଛ ?କଥା ଆଗକୁ ଆହୁରି ବଢି ଥାଆନ୍ତା,ସେତେବେଳେ କିଏ ଜଣେ ଆସି ଖବର ଦେଲା,ନନା ଡାକୁଛନ୍ତି,ସମସ୍ତେ ଆସ |କଥା ସେଇଠି ରହିଲା |
                         ସେଦିନ ଘରକୁ ଫେରି ମୁନୁ ଦୀପକ କୁ କହିଲା,ବୋଉ ଭାରି ହଇରାଣ ହେଉଛି,ଆମେ ତାକୁ ଆମ ଘରକୁ ନେଇ ଆସିବା ?ଦୀପକ ବିରକ୍ତ ହୋଇ କହିଲା,ଘରେ ବୋଉ ଅଛି,ତମ ବୋଉ ଆସିଲେ, ଦୁଇ ଜଣ ଚଳିବେ କେମିତି ?ତମେ ତମ ଘର କଥାରେ ମୁଣ୍ଡ ପୁରାଇ ଅଯଥା ବାହାର କଳି ଆମଘରକୁ ଆଣନା |ସେକଥା ଗୁଡୁ ଉପରେ ଛାଡିଦିଅ,ସେ ଠିକ ବୁଝିବ |ମୁନୁ ଚୁପ୍ ହୋଇଗଲା |କିଛିମାସ  ପରେ ଖବର ପାଇଲା,ଗୁଡୁ ବୋଉ କୁ ନେଇ ବୃଦ୍ଧାଶ୍ରମ ରେ ଛାଡି ଦେଇଛି |ମୁନୁ ସେଦିନ ଅଥୟ ଅସ୍ଥିର ହୋଇ ପଡିଲା |ଆଉ ମୂହୁର୍ତ୍ତେ ମଧ୍ୟ ତାକୁ ଆଉ ଅଫିସ ରେ ରହିବାକୁ ଇଚ୍ଛା ହେଲାନାହିଁ |ସେ ଅଧା ଛୁଟି ନେଇ ସୁକାନ୍ତିଂକୁ ଦେଖିବାକୁ ବୃଦ୍ଧାଶ୍ରମ ଗଲା |ତାକୁ ଦେଖି ସୁକାନ୍ତିଂକ ଆଖିରୁ ଧାର ଧାର ଲୁହ ଝରିଗଲା |କିନ୍ତୁ ସେ ପଦେ  ବି କଥା କହିଲେ ନାହିଁ |ସେଠାରୁ ଫେରି ରାତିରେ ମୁନୁକୁ ପ୍ରବଳ ଜ୍ୱର  ହେଲା |ଯେତେ ପ୍ରକାର ଔଷଧ ଖାଇ ମଧ୍ୟ ତାର ଜ୍ୱର  କମିବାର ନାଁ ଧରିଲା ନାହିଁ |ଏହିପରି ଚାରିଦିନ ବିତିଗଲା |ଶାଶୁ ବ୍ୟସ୍ତ ହୋଇ ଦୀପକ କୁ କହିଲେ,ଏତେଦିନ ହେଲାଣି ଜ୍ୱର  କମୁନି,ଆଉଜଣେ ଡାକ୍ତରଂକୁ ହେଲେ ଦେଖା |ଦୀପକ କହିଲା,ହଁ ମୁଁ ଆପଏନ୍ଟମେଣ୍ଟ ନେଇଛି,କାଲି ତାକୁ ନେଇ ହସ୍ପିଟାଲକୁ ଯିବି |ସେଦିନ ଖରାବେଳେ ମୁନୁ ଔଷଧ ଖାଇ ବିଛଣାରେ ଗଡପଡ ହେଉଥିଲା |ସେତେବେଳେ ଶୁଭକାନ୍ତଂକ କଥା ତାର ମନେ ପଡିଲା |ସେ କେତେ ଭରସାରେ ସୁକାନ୍ତିଂକୁ କହୁଥିଲେ,ମୁନୁ ଡାକିଲେ ତମେ ଚାଲିଯିବ |ଅଥଚ ସେ ବାପାଂକ ଭରସା ର ଯୋଗ୍ୟ ହୋଇ ପାରିଲା ନାହିଁ |ସେତେବେଳେ ତାଂକ କଥା ମନେପଡି ତାର କୋହ ଉପରେ କୋହ ଉଠିଲା |ନିଜକୁ ରୋକି ନପାରି ସେ ଚାଦରରେ ମୁହଁ ଲୁଚେଇ କାନ୍ଦିବାକୁ ଲାଗିଲା |ହଠାତ ତାର ମନେହେଲା,କିଏ ଯେମିତି ତାର ପିଠି ଆଉଁସୁଛନ୍ତି |ସେ ଚାଦରରୁ ମୁହଁ କାଢି ଦେଖିଲା,ପାଖରେ ଶାଶୁ ଛିଡା ହୋଇଛନ୍ତି |ସେ କହିଲେ,କାନ୍ଦୁଛୁ କାହିଁକି ମା',କଣ ହୋଇଛି ?ମୁନୁ ଆଖିରୁ ଲୁହ ପୋଛି କହିଲା,ମୁଣ୍ଡ ବିନ୍ଧୁଛି |ଶାଶୁ କହିଲେ,ୟେ ତ ମୁଣ୍ଡ ବିନ୍ଧା କାନ୍ଦ ନୁହେଁ |ସତ କହ,କଣ ହୋଇଛି ,ତତେ ମୋରାଣ |ମୁନୁ ପ୍ରଥମେ ପ୍ରଥମେ କିଛି ନୁହେଁ ବୋଲି ଫାଂକି ଦେଉଥିଲା |ପରେ ତାଂକ ସ୍ନେହ ଶ୍ରଦ୍ଧା ଆଗରେ ହାର ମାନି ତାର ଅନ୍ତର ଖୋଲିଦେଲା |ତା କଥା ଶୁଣି ଶାଶୁ ସ୍ତବ୍ଧ ହୋଇ ରହିଗଲେ |କହିଲେ,ଭାଇ ସିନା ଅବାଟରେ ଗଲା,ତମେ ତିନି ଭଉଣୀ କଣ କଲ ?ତମେମାନେ ବି ତା'ପରି ପଥର  ହୋଇ ଗଲ ?ଏଇ ମୁହୁର୍ତ୍ତରେ ମୁଁ ଏଇ ସମସ୍ୟା ର ସମାଧାନ ଚାହେଁ |ତୁ ଶୀଘ୍ର ଟାକ୍ସି ଡାକ |ମୁନୁ ପଚାରିଲା,କଣ ପାଇଁ ?ଶାଶୁ କହିଲେ,ଲାଜ ଲାଗୁନି, କହୁଛୁ କଣ ପାଇଁ ?ତୋ ବୋଉ କୁ ନୁହେଁ,ମୁଁ ମୋ ସମୁଦୁଣୀ କୁ ଆଣିବାକୁ ଯିବି |ସେ ଏଇଠି ଆମରି ପାଖରେ ରହିବେ |ମୁନୁ କହିଲା,ହେଲେ ବୋଉ,ତାଂକୁ ଟିକିଏ ପଚାରିଦେଲେ ଭଲ ହୁଅନ୍ତା |ଶାଶୁ କହିଲେ,କାହାକୁ, ଦୀପୁ କୁ ?ସେ କିଏ ?ଆଜି ମୁଁ ଯାହା କହିବି,ତାହା ହବ |କାହାରି କଥା ଶୁଣିବିନି |ମୁନୁ ଫୋନ କରି ଟାକ୍ସି ବୁକ୍ କଲା |କିଛି ସମୟ ପରେ ଟାକ୍ସି ଆସି ପହଂଚି ଗଲା |ସେତେବେଳେ ମୁନୁ ର ହୃଦୟଂଗମ ହେଲା,ସେ ପ୍ରକୃତରେ ତାର ବୋଉ କୁ ଆଣିବାକୁ ଯାଉଛି |ଏକଥା ତା ମନକୁ ଆସିବା କ୍ଷଣି ତା ଦେହରୁ ଗମ୍ ଗମ୍ ହୋଇ ଝାଳ  ବାହାରି ଗଲା |ଆଉ ତା ଦେହରେ ଜ୍ୱର  ନଥିଲା |ସେ ବିଛଣାରୁ ଉଠି ଲମ୍ବା ହୋଇ ଶାଶୁଂକ ଗୋଡ ତଳେ ପଡି କହିଲା,ଆପଣ ମାନବୀ ନୁହନ୍ତି ,'ମହାମାନବୀ','ଦେବୀ' |କେତେ ଜନ୍ମ ର ପୁଣ୍ୟ ଫଳରେ ଆପଣଂକୁ ପାଇଛି |
             ସେମାନେ ବୃଦ୍ଧାଶ୍ରମରେ ପହଞ୍ଚିଲାବେଳକୁ ସୁକାନ୍ତି କାନ୍ଥକୁ ଆଉଜି ଧ୍ୟାନମଗ୍ନ ହେବାପରି ବସିଥିଲେ |ମୁନୁ ତାଙ୍କ ପାଦକୁ ହଲେଇ ଉଠେଇ ଡାକିଲା ,'ବୋଉ' |ସୁକାନ୍ତି ଆଖି ଖୋଲି ମୁନୁ ଓ ସମୁଦୁଣୀଙ୍କୁ ଏକାଠି ଦେଖି ବହୁତ ଖୁସି ହୋଇଗଲେ |ପୁଣି ଯେତେବେଳେ ଜାଣିଲେ,ଦୁହେଁ ତାଙ୍କୁ ନେବାକୁ ଆସିଛନ୍ତି,ତାଙ୍କ ଆନନ୍ଦର ସୀମା ରହିଲା ନାହିଁ |ସେ ଭାବବିହ୍ଵଳ ହୋଇ ସମୁଦୁଣୀଙ୍କୁ କୁଣ୍ଢେଇ ପକାଇ କହିଲେ,'ବହୁତ ବହୁତ ଧନ୍ୟବାଦ ସମୁଦୁଣୀ,ଆପଣଙ୍କ ପରି ସମୁଦୁଣୀ ସମସ୍ତଙ୍କୁ ଯୁଗେ ଯୁଗେ ମିଳୁ' |ସେଇ ତାଙ୍କର ଶେଷକଥା ଥିଲା |ଦୁଃଖୀ ମନ ତାଙ୍କର ଅତ୍ୟଧିକ ଆନନ୍ଦକୁ ସମ୍ଭାଳି ନପାରି ହୃଦଘାତକୁ ବରଣ କରି ନେଇଥିଲା  ଓ ସମସ୍ତଙ୍କୁ ସବୁଦିନ ପାଇଁ ଭାରମୁକ୍ତ କରି ପ୍ରାଣପକ୍ଷୀ ତାଙ୍କର ଉଡି ଯାଇଥିଲା ବହୁଦୂରକୁ .............................|
***ମମତା ମହାନ୍ତି ****

No comments:

Post a Comment