Sunday, May 14, 2017

ନୀରବି ଯାଇଥିବା ମଣିଷ

                        ଜୟାଂକୁ ଯେତେବେଳେ ସତର ବର୍ଷ ବୟସ, ଦୂର ସମ୍ପର୍କୀୟ ଏକ ଖାନଦାନୀ ଘରେ ତାଂକର ବିବାହ ହୋଇଗଲା |ଜୟାଙ୍କ ସାବତମାଆ ଜାଣିଶୁଣି ସମ୍ପତ୍ତି ଲୋଭରେ ଇନ୍ଦ୍ରଜିତଙ୍କ ପରି ଏକ ବୁଢାବରକୁ ଜୟାଙ୍କ ବେକରେ ବାନ୍ଧି ଦେଇଥିଲେ |  ଇନ୍ଦ୍ରଜିତଂକର  ତିନି ପୁଅ ଓ ଗୋଟିଏ ଝିଅ ଥିଲେ |ବର୍ଷେ ତଳେ ସ୍ତ୍ରୀ ଅନୁପମାଂକ ମୃତ୍ୟୁ ହୋଇଥିଲା |ଇନ୍ଦ୍ରଜିତଂକ ସାନଝିଅ ସୁମନା ଜୟାଂକ ଠାରୁ ବର୍ଷେ ଛୋଟ ଥିଲା |ସେ ଦଶମ ଶ୍ରେଣୀରେ ପଢୁଥିଲା |ଏ ବିବାହରେ ଇନ୍ଦ୍ରଜିତଙ୍କ ପରିବାରର କାହାରି ସମ୍ମତ୍ତି ନଥିଲା |କିନ୍ତୁ ମୁହଁ ଖୋଲି ପ୍ରତିବାଦ କରିବାକୁ କାହାରି ସାହସ ନଥିଲା |ଇନ୍ଦ୍ରଜିତ ସରକାରୀ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଫିସର ଥିଲେ |ବିଭିନ୍ନ ସୂତ୍ରରୁ  ମାସକୁ ତାଂକର ଲକ୍ଷ ଲକ୍ଷ ଟଂକା ଆୟ ହେଉଥିଲା |ବିଳାସବ୍ୟସନ ରେ ଟଂକା ଖର୍ଚ୍ଚ କରିବାକୁ ସେ ଭଲପାଉ ଥିଲେ |ବିବାହ ପରେ ଗୃହପ୍ରବେଶ ବେଳେ ଜୟାଂକୁ ଦେଖିବା ପାଇଁ ଅସମ୍ଭବ ଗହଳି ହୋଇଥିଲା |ସେହି ଭିଡ ଭିତରେ କେହି ଜଣେ ଗୀତ ଗାଇଥିଲା,'ପାନ ଉପରେ ଗୁଆଟେ,ଇନ୍ଦର ବୁଢା ବାହା ହୋଇଚି,ଏଡିକି ଟିକେ ଛୁଆଟେ' |ତାକୁ ପାଳି ଧରି ଆଉ ଜଣେ କହିଲା,ମେଘ ବରଷିଲା ଟୁପୁରୁ ଟାପୁରୁ ,କେଶୁର ମାଇଲା ଗଜା,ସାରୁ ଗଛ ମୂଳେ ବର ବେଶ ସାଜି ଇନ୍ଦିର ମାରୁଛି ମଜା |ସମସ୍ତେ ହେଁ ହେଁ ହୋଇ ହସୁଥଆନ୍ତି |ତା ଭିତରେ ଆଉ ଜଣେ କହିଦେଲା,କବିତା କାନ୍ଦୁଛି,ଗୁମୁରି ଗୁମୁରି,ଆଉ କିଏ ହସେ କିରି କିରି |ଏକଥା ଶୁଣି ହସୁଥିବା ଲୋକେ ହଠାତ ନୀରବ ହୋଇ ପରସ୍ପର ମୁହଁକୁ ଚାହିଁଲେ |ତାପରେ ଯିଏ ଯାହା ବାଟରେ ଚାଲିଗଲେ |ସେହିଦିନ ହିଁ ଇନ୍ଦ୍ରଜିତ ଜୟାଂକୁ କହିଥିଲେ,ତାଂକୁ ଯେତିକି ପ୍ରଶ୍ନ ପଚରା ଯିବ,କେବଳ ସେତିକି ପ୍ରଶ୍ନର ଉତ୍ତର ସେ ଦେବେ |ତାଠାରୁ ଅଧିକ କଥାବାର୍ତ୍ତା ସେ କାହାରି ସହିତ କରିବେ ନାହିଁ |ଏ କଥାକୁ ସେ ଯେମିତି ସବୁବେଳେ ମନେ ରଖନ୍ତି |ସେହିଦିନ ଠାରୁ ଜୟା ନୀରବ ମଣିଷ ପାଲଟିଗଲେ |ମଝିରେ ମଝିରେ ତାଂକର ଇଚ୍ଛା ହୁଏ ମନଖୋଲା ଦୁଇପଦ ଗପିବା ପାଇଁ |ସେଥିପାଇଁ ସେ ପ୍ରଥମେ ପ୍ରଥମେ ଗପସପରେ ମାତିଥିବା ନାରୀମହଲ ଭିତରେ ଯାଇଁ ବସି ପଡୁଥିଲେ |କିନ୍ତୁ ତାଂକୁ ଦେଖି ସେମାନଂକ ଆଲୋଚନାରେ ଭଟ୍ଟା ପଡି ଯାଉଥିଲା |କାମର ବାହାନା ଦେଖାଇ କିଏ କୁଆଡେ ଉଠି ଚାଲି ଯାଉଥିଲେ |ସେତେବେଳେ ତାଂକର ଇନ୍ଦ୍ରଜିତଂକ କଥା ମନେ ପଡିଯାଉଥିଲା |ସେ ନୀରବରେ ସେଠାରୁ ଉଠି ତାଂକ ରୁମ କୁ ଫେରି ଆସୁଥିଲେ |ସେ ଏହା ବି ଲକ୍ଷ୍ୟ କରୁଥିଲେ, ସେଠାରୁ ଚାଲି ଆସିବା ପରେ ନାରୀମହଲ ର ଉଷ୍ମତା ପୁଣି ଫେରି ଆସୁଥିଲା  |ଏତେ କଟକଣା ଭିତରେ ବି ସମସ୍ତଂକ ଅଗୋଚରରେ ସେ ନିଜର ଏକ ବିଶ୍ଵସ୍ଥ  ସାଥୀ ଖୋଜି ନେଇଥିଲେ |ସେ ହେଉଛି ତାଂକ ଚାକରାଣୀ ଉଷା |ଉଷା ଦିନକୁ ଦୁଇଓଳି କାମ କରିବା ପାଇଁ ଆସୁଥିଲା |ସକାଳେ ଘରକାମ ଓ ରୋଷେଇବାସ ଶେଷ କରି ନିଜ ପରିବାର ପାଇଁ ଖାଇବା ନେଇ ଯାଉଥିଲା |ସନ୍ଧ୍ୟାରେ ଆସି ବାସନ ମାଜି,ରୋଷେଇ କରି ସେହିପରି ରାତିପାଇଁ ତା ଘର ପାଇଁ ଖାଇବା ନେଇ ଯାଉଥିଲା |ଆଦିବାସୀ ହେଲେବି ଉଜ୍ଜ୍ୱଳ  ଶ୍ୟାମବର୍ଣ୍ଣ ର ଚେହେରା ଅତ୍ୟନ୍ତ ଆକର୍ଷଣୀୟ  ଥିଲା |ତା ସହିତ ସେ ମୃଦୁଭାଷୀ ଓ ପରିଶ୍ରମୀ ଥିଲା |ଜୟା ଖଟରେ ବସିଲେ,ସେ ତାଂକ ପାଦ ନିକଟରେ ବସି କଥାବାର୍ତ୍ତା କରେ |ଦୁଇଟି ପିଲା ତାର |ଗୋଟିଏ ପୁଅ ଓ ଅନ୍ୟଟି ଝିଅ |ସ୍ୱାମୀ  ମଦୁଆ |ମାତାଲ ହୋଇ ସବୁବେଳେ ଘରେ ଗଣ୍ଡଗୋଳ କରେ |ଉଷା ଅତି ଶାନ୍ତ ଚିତ୍ତରେ ତାର ସବୁ ଜୁଲୁମ ପିଲାଂକ ମୁହଁକୁ ଚାହିଁ ସହିଯାଏ |ସେ ନିଜେ ପିଲାଂକୁ ନେଇ ସ୍କୁଲରେ ଛାଡେ ଓ ଆଣେ |

                     ସକାଳ ଓଳି କାମ ଶେଷ କରି ଉଷା ଜୟାଂକ ପାଖରେ ଘଡିଏ ବସେ |ସେତେବେଳେ ଦୁନିଆଁ ଯାକର କଥା ତାଂକ ଆଗରେ ଗପେ |ଯେଉଁଦିନ ମଦୁଆ ସ୍ୱାମୀ  ତାକୁ ପିଟି ଥାଏ ,ସେଦିନ ସେ କାନ୍ଦି କାନ୍ଦି ଆସି ଜୟାଂକୁ ମାଡ ର ଚିହ୍ନ ଦେଖାଏ |ଜୟା ସମବେଦନା ଜଣାନ୍ତି,କ୍ଷତସ୍ଥାନ ରେ ମଲମ ଲଗାଇ ଦିଅନ୍ତି |ସେତିକିରେ ଉଷା ଖୁସି ହୋଇଯାଏ |ପୁଣି ସେ ତାର ଗପ ପେଡି ଖୋଲିଦିଏ |ଉପର ଓଳି ଇନ୍ଦ୍ରଜିତଂକ ଅଫିସ ରୁ ଫେରିବା ସମୟ |ସେତେବେଳେ ଉଷା ର ଆଉ ଫୁରସତ ନଥାଏ |ସେ ଶୀଘ୍ର ଶୀଘ୍ର ତାର କାମ ଶେଷ କରି ଘରକୁ ଚାଲିଯାଏ |ଦିନେ ଜୟାଂକ ସହ ଗପସପ ହେଉ ହେଉ କହିଲା,ଯାଇଁଲ ନାଁ ମା ,ଆମ ପୁରୁଣା ମା ତମରି ପରି ଭାରି ଭଲ ମଣିଷ ଥିଲେ |ଯେମିତି ସୁନ୍ଦର ସେମିତି ଗୁଣ ର |ମତେ ଭାରି ଭଲ ପାଉଥିଲେ |ତାପରେ ସେ ତା କାହାଣୀ ଲମ୍ବାଇ ଦେଲା |ତାଜୁବ ହୋଇ ସବୁ ଶୁଣି ଯାଉଥିଲେ ଜୟା |ତା କଥାରୁ ସେ ବୁଝିଲେ,ଇନ୍ଦ୍ରଜିତ ଓ ତାଂକର ପଡୋଶୀ ଶୁଭଂକର ଦୁଇ ଘନିଷ୍ଠ ବନ୍ଧୁ ଥିଲେ |ଦୁଇ ପରିବାର ମଧ୍ୟରେ ଅତି ମଧୁର ସମ୍ପର୍କ ଥିଲା |ଏକାଠି ବୁଲିବା,ଭୋଜିଭାତ କରିବା ଇତ୍ୟାଦି ସବୁବେଳେ ଚାଲିଥିଲା |ଥରେ ଶୁଭଂକରଂକ ସ୍ତ୍ରୀ ଶୁଭ୍ରାଂକ ଦୂର ସମ୍ପର୍କୀୟା ଭଉଣୀ କବିତା ତାଂକ ଘରକୁ  ଆସିଥିଲା | ରହୁ ରହୁ ସେଠାରେ ସେ ବେଶ କିଛିଦିନ ରହିଗଲା |ସେ ଭଲ ଗିଟାର ବଜାଇ ପାରୁଥିଲା |ତାଠାରୁ ଏହି କଳା ଶିଖିବା ପାଇଁ ଇନ୍ଦ୍ରଜିତ ସବୁଦିନ ସେଠାକୁ ଯାଉଥିଲେ |ଏହି ଶିଖିବା ଓ ଶିଖାଇବା ଭିତରେ ସେମାନଂକ ମଧ୍ୟରେ ସମ୍ପର୍କ ବଢିଲା |ଧୀରେ ଧୀରେ ସେମାନଂକ ସମ୍ପର୍କ ବିଷୟରେ ଲୋକେ ଟୁପୁରୁ ଟାପୁରୁ ହେବା ଆରମ୍ଭ କଲେ |ଅନୁପମାଂକ କାନରେ ଏକଥା ପଡିଲା |ସତ କି ମିଛ ଜାଣିବା ପାଇଁ ସେ ଦିନେ ସମସ୍ତଂକ ଅଗୋଚରରେ ସେଠାକୁ ଗଲେ |ସେଠାରେ ଦୁଇଜଣଂକୁ ଅସଂଯତ ଅବସ୍ଥାରେ ଦେଖି ତାଂକ ମନ ବହୁତ ଖରାପ ହେଲା |ସେଠାରୁ ଫେରିଆସି କାହାକୁ କିଛି ନକହି ସେ ବିଷ ପିଇ ଆତ୍ମହତ୍ୟା କଲେ |ଏହି ଘଟଣା ପରେ ସେ ଅଂଚଳରେ ଭୁକମ୍ପ ସୃଷ୍ଠି ହୋଇଥିଲା |ଲୋକଲଜ୍ଜା ରେ ଇନ୍ଦ୍ରଜିତ ଘରୁ ବାହାରି ପାରି ନଥିଲେ |କବିତା ତା ଘରକୁ ଚାଲିଗଲା ଓ ମାସକ ଭିତରେ ତା ବାହାଘର ହୋଇଗଲା |ସେହିଦିନ ଠାରୁ ଦୁଇ ପରିବାର ମଧ୍ୟରେ ସୁସମ୍ପର୍କ ସବୁଦିନ ପାଇଁ କଟିଗଲା |କଥା ଶେଷ କରି ଜୟାଂକୁ ଚାହିଁଲା ଉଷା |ହେଲେ ସେ ପୂର୍ବପରି ନିର୍ଲିପ୍ତ,ନିର୍ବିକାର ଥିଲେ |ତାଂକ ମୁହଁରେ କୌଣସି ଭାବାନ୍ତର ନଥିଲା |ଉଷା ଆଉ କଣ କହି ଆସୁଥିଲା,ଇଶାରା ରେ ତାକୁ ଚୁପ୍ ରହିବାକୁ କହି ଜୟା ଉଠିଯାଇ ଧୀରେ ଧୀରେ କବାଟ ଖୋଲିଲେ |କବାଟ ପାଖରେ ବଡପୁଅ ଅମର ଛିଡା ହୋଇଥିଲା |ଜୟାଂକୁ ଦେଖି ସେ ହଡବଡ଼େଇ ଗଲା |କହିଲା,ଉଷାକୁ ଖୋଜୁଥିଲି,ସେ ଏଇଠି ଅଛି?ଜୟା ମୁଣ୍ଡ ହଲାଇଲେ |ତାପରେ ଉଷା ଆଡକୁ ଚାହିଁଲେ |ଅମର ସାଂଗେ ସାଂଗେ କହିଲା,ନାଁ ଏମିତି ଖୋଜୁଥିଲି,ଏବେ ଦରକାର ନାହିଁ |ସେ ଚାଲିଗଲା |ସେ ଯିବାପରେ ଉଷା ଯିବାକୁ ବାହାରିଲା |କହିଲା,ମୁଁ ଯାଉଛି ଲୋ ମା,ମୋ ପଛରେ ଗୁଇନ୍ଦା ଲାଗି ଗଲେଣି |ଏହି ଘଟଣା ପରେ ଉଷାକୁ ଘରକାମ ରୁ ହଟାଇ ନୂଆ ଚାକରାଣୀ ରଖିବା ପାଇଁ ପିଲାମାନେ ଇନ୍ଦ୍ରଜିତଂକୁ କହିଲେ |କିନ୍ତୁ ସେ ରାଜି ହେଲେ ନାହିଁ |
                                ବର୍ଷକ ପରେ ଜୟାଂକର ପୁଅଟିଏ ହେଲା |ଅତି ଆଦରରେ ସେ ତାକୁ ଡାକିଲେ 'କାହ୍ନା' |ସେତେବେଳେ ତାର ସବୁ କାମ ଉଷା କରୁଥିଲା |ଯିବା ଆସିବାରେ ଅସୁବିଧା ହେଉ ଥିବାରୁ,ଇନ୍ଦ୍ରଜିତ ତାଂକ ଘରକୁ ଲାଗିଥିବା ଆଉଟ ହାଉସ ରେ ତାକୁ ରହିବାକୁ ଅନୁମତି ଦେଲେ |ଉଷା ଖୁସିରେ ନିଜ ପରିବାର ସହ ସେଠାକୁ ଚାଲି ଆସିଲା |ସେ ଆଉ ଚାରିଟି ଘର ର କାମ ଛାଡି ଦେଇ କେବଳ ଇନ୍ଦ୍ରଜିତଂକ ଘର ର କାମ କଲା |ସେଥିପାଇଁ ଇନ୍ଦ୍ରଜିତ ଅଧିକ ପାରିଶ୍ରମିକ ମଧ୍ୟ ଦେଲେ |ଏଥର ଜୟାଂକ ସମୟ ଖୁବ୍ ଆନନ୍ଦରେ କଟିଲା |ସେ ଘରେ ଏତେ ଲୋକଂକ ଭିତରେ ଉଷାକୁ ସବୁଠାରୁ ବେଶି ନିଜର ମନେ କରୁଥିଲେ |ଇନ୍ଦ୍ରଜିତ ଅବସର ଗ୍ରହଣ କରିବା ପୂର୍ବରୁ ବର୍ଷେ ଦୁଇବର୍ଷ ଅନ୍ତରରେ ତିନିପୁଅ ଓ ଝିଅ ବାହାଘର କରିଦେଲେ |ଘରକୁ ତିନି ବୋହୂ ଆସିଲେ |ହେଲେ ଶାଶୁ ହୋଇ ବି ସେ ସେମାନଂକ ଶାଶୁ ନଥିଲେ |ସେ ନିଜର ଅଧିକାର ର ସୀମାରେଖା ସମ୍ପର୍କରେ ସଚେତନ ଥିଲେ |ସେ ଭଲଭାବେ ଜାଣିଥିଲେ,ତାଂକୁ କେହି ଆନ୍ତରିକ ଭାବେ ଭଲ ପାଆନ୍ତି ନାହିଁ |
                                 ଇନ୍ଦ୍ରଜିତ ଜୟାଂକୁ ସବୁବେଳେ ଆତ୍ମନିର୍ଭରଶୀଳ ହେବା ପାଇଁ ବୁଝାଉ ଥିଲେ |ଏ.ଟି.ଏମ. ବ୍ୟବହାର କରି ଟଂକା ଉଠାଇବା ,ବ୍ୟାଂକରେ ଟଂକା ଡିପୋଜିଟ କରିବା ଓ ଚେକ୍ ର ବ୍ୟବହାର କରିବା ଇତ୍ୟାଦି ବିଷୟ ତାଂକୁ ଶିଖାଉ  ଥିଲେ |କିନ୍ତୁ ଜୟା କେବଳ ଚେକରେ ଦସ୍ତଖତ କରିବା ବ୍ୟତୀତ ଆଉ କିଛି ଶିଖିପାରି ନଥିଲେ |ଅବସର ଗ୍ରହଣ ର ଦୁଇ  ବର୍ଷ ପର୍ଯ୍ୟନ୍ତ ଇନ୍ଦ୍ରଜିତ ସୁସ୍ଥ ଥିଲେ |ତାପରେ ସେ ବାରମ୍ବାର ଅସୁସ୍ଥ ହୋଇ ପଡିଲେ |ସେ ନିଜେ ବି ଭାବୁଥିଲେ,ଆଉ ବେଶିଦିନ ବଂଚିବେ ନାହିଁ |ସେ ଦିନେ ଜୟାଂକୁ କହିଲେ,ମୋର ଦୁଇଟା କଥା ସବୁବେଳେ ମନେ ରଖିଥିବୁ |ପ୍ରଥମ ଟି ହେଲା,ନିଜକୁ ଦୁଃଖ  ଦେଇ କେବେହେଲେ ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରିବୁ ନାହିଁ ,ତାହାଲେ ତୋର ଦୁର୍ଦ୍ଦଶା ର ସୀମା ରହିବ ନାହିଁ |ଆଉ ଦ୍ଵିତୀୟ  ଟି ହେଲା,ତତେ ଯେଉଁଥିରେ ଆନନ୍ଦ ମିଳୁଥିବ,ତୁ ତାକୁ କେବେହେଲେ ଛାଡିବୁନି |ଏମିତି ବାରମ୍ବାର ଅସୁସ୍ଥତା ଭିତରେ ଇନ୍ଦ୍ରଜିତ ଦିନେ ଆଖି ବୁଜିଦେଲେ |ସେତେବେଳେ କାହ୍ନା ଦିଲ୍ଲୀ ରେ ପଢୁଥିଲା |ତାର ପାଠପଢା ଆଉ କିଛି ବର୍ଷ ବାକି ଥିଲା |ଇନ୍ଦ୍ରଜିତ ଯିବାପରେ ପ୍ରଥମ ଆକ୍ରମଣ ହେଲା ଉଷା ଉପରେ |ଅମର ଉଷାକୁ ମାସିକିଆ ନୋଟିସ୍ ଦେଇ କହିଲା,ତୁ ଏଥର ତୋ ବାଟ ଦେଖ,ଆମେ ନୂଆ ପିଲା ରଖିବୁ |ଜୟା କାନ୍ଦି କାନ୍ଦି ଜୟାଂକ ନିକଟରେ ନେହୁରା ହେଲା |ଜୟା ଅମର କୁ କହିଲେ,ସେ ଏବେ ଆଉ କୁଆଡେ ଯିବ?କେମିତି ତା ପେଟ ପୋଷିବ |ଅମର ରୁକ୍ଷ ସ୍ବରରେ କହିଲା,ତାର ଯୁଆଡେ ଇଚ୍ଛା ସିଆଡେ ଯାଉ |ଏଇଠି ସବୁଦିନ ରହିବା ପାଇଁ ଆମେ ତା ସାଂଗେ ଆଗ୍ରିମେଣ୍ଟ କରିନୁ |ଚୁଗୁଲି ଚପଟ କରିବା ଛଡା ତାର ଆଉ ଘରେ କିଛି କାମ ନାହିଁ |ଏକଥା ଜୟାଂକୁ ବହୁତ ବାଧିଲା |ହେଲେ  ସେ ନିରୁତ୍ତର ରହିଲେ |ଇନ୍ଦ୍ରଜିତଂକ ଦେହାନ୍ତ ପରେ ତାଂକ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା |ଉଷା ଚାଲିଗଲା |ସେ ଯିବାପରେ ଘରକାମ ଓ ରୋଷେଇ କରିବା ପାଇଁ ଦୁଇଜଣ ଲୋକ ଆସିଲେ |ତାଂକ ହାତ ରନ୍ଧା ରୋଷେଇ ଖାଇବା ପାଇଁ ଜୟା ସିଧା ସିଧା ମନା କରିଦେଲେ |ସକାଳେ ସମସ୍ତେ ଉଠିବା ପୂର୍ବରୁ ସେ ନିଜର ନିତ୍ୟକର୍ମ ଶେଷ କରି ନିଜପାଇଁ ରୋଷେଇ କରି ତାଂକ କୋଠରୀକୁ ନେଇ ଆସନ୍ତି |ତାକୁ ସେ ଦିନ ସାରା ଖାଆନ୍ତି |ସନ୍ଧ୍ୟା ପରେ ଆଉ ସେ କିଛି ଖାଆନ୍ତି ନାହିଁ |ଏହାପରେ ସେ ପୁଅବୋହୂଂକ ରୋଷ ର ଶୀକାର ହେଲେ |କଥା କଥାକେ ସେମାନେ ତାଂକୁ ଖୁଣିଲେ |କ୍ରମେ ଏହା ବଢ଼ିବାକୁ ଲାଗିଲା |ଏମିତି ହେବ ବୋଲି ଜୟା ଜାଣିଥିଲେ |ତେଣୁ ସେ ସେଥିପ୍ରତି ଗୁରୁତ୍ତ୍ୱ  ଦେଉ ନଥିଲେ |କାହ୍ନା ଛୁଟିରେ ଆସି ତାଂକୁ ବୁଝାଇ କହିଥିଲା,ମାମା,ଘରେ ରୋଷେଇ କରିବା ପାଇଁ ଲୋକ ଅଛନ୍ତି,ତମେ କାହିଁକି ଏତେ କଷ୍ଟ କରୁଛ ?ଜୟା କହିଥିଲେ,ମତେ ନିଜେ ରାନ୍ଧି ଖାଇବାକୁ ଭଲ ଲାଗୁଛି,ତୁ ମତେ ମନା କରନାହିଁ ବାପା |ତୁ ଖାଲି ମନ ଦେଇ ପାଠ ପଢ,ଆଉ କୌଣସି କଥାରେ ମୁଣ୍ଡ ପୁରାନା |
                                ଇନ୍ଦ୍ରଜିତ କହିଥିଲେ,ତାଂକୁ ଯେଉଁଥିରେ ଆନନ୍ଦ ମିଳୁଥିବ,ତାକୁ ନଛାଡିବା ପାଇଁ |ଜୟାଂକୁ ଠାକୁର ପୂଜା କରିବାରେ ଅତ୍ୟନ୍ତ ଆନନ୍ଦ ମିଳୁଥିଲା |ସେ ବଡି ଭୋରରୁ ଉଠି ବଗିଚା ରୁ ଚାଂଗୁଡ଼ି ଚାଂଗୁଡ଼ି ଫୁଲ ଆଣୁଥିଲେ |ସେଥିରେ ମାଳ ତିଆରି କରି ସବୁ ଠାକୁରଂକୁ ପିନ୍ଧାଉ ଥିଲେ |ଇନ୍ଦ୍ରଜିତଂକ ଫଟୋ ରେ ମଧ୍ୟ ଗୋଟିଏ ଫୁଲ ମାଳ ପିନ୍ଧାଉ ଥିଲେ |ସନ୍ଧ୍ୟା ପରେ ସେ ଆଉ ତାଂକ ରୁମ୍ ର କବାଟ ଖୋଲୁ ନଥିଲେ | ସେତେବେଳେ ତାଂକର ରୂପାନ୍ତର ହୋଇ ଯାଉଥିଲା |ସେ ପାଲଟି ଯାଉଥିଲେ ଆଉଜଣେ ମଣିଷ |ପୂଜା ପାଟଶାଢୀ ପିନ୍ଧି,କପାଳରେ ଠାକୁରଂକ ସିନ୍ଦୂର ଲଗାଇ,ଧୂପ ,ଦୀପ ଦେଇ , ଭଜନ କୀର୍ତ୍ତନ କରି ସେ ଭାବାବେଗରେ ବୁଡି ଯାଉଥିଲେ |ସେତେବେଳେ ତାଂକୁ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କିଛି ଦେଖା ଯାଉ ନଥିଲା |ମଥାରେ ସିନ୍ଦୂର ଟୋପା ଲଗାଇ ସଧବା ବେଶ ଧାରଣ କରିବାରେ ତାଙ୍କୁ ଅପୂର୍ବ ଆନନ୍ଦ ମିଳୁଥିଲା |ପୂଜା ଶେଷ ହେବା ପରେ ମୁହଁ ହାତ ଧୋଇ ସେ ପୁଣି ପୂର୍ବାବସ୍ଥା କୁ ଫେରି ଆସୁଥିଲେ |ଯେତେବେଳେ ପୂଜାସାମଗ୍ରୀ ସରି ଯାଉଥିଲା,ସେ ନିଜେ ଯାଇଁ  ପାଖ ଦୋକାନରୁ କିଣି ଆଣୁଥିଲେ |ସେ  ଚକଲେଟ ଖାଇବାକୁ ଭାରି ଭଲ ପାଉଥିଲେ |ତେଣୁ ଗୋଟିଏ ଡବାରେ  ତାଂକ ମନପସନ୍ଦ ର ଚକଲେଟ ଭରି ରଖୁଥିଲେ |ଯେତେବେଳେ ଇଚ୍ଛା ହେଉଥିଲା,ଗୋଟିଏ ଗୋଟିଏ ଖାଉଥିଲେ |ସରିଗଲେ ପୁଣି ଆଣି ଡବା ଭରି  ଦେଉଥିଲେ |ତାଂକର କାହାରି ପ୍ରତି କିଛି  ଆପତ୍ତି ,ଅଭିଯୋଗ ନଥିଲା |ଯେତେବେଳେ ତାଂକର ଶରୀର ଅସୁସ୍ଥ ହେଉଥିଲା,ସେ ଉପବାସ କରି କିମ୍ବା ଚେରିମୂଳି ଔଷଧ ଖାଇ ଭଲ ହୋଇ ଯାଉଥିଲେ |
                               କାହ୍ନା ପଢା ଶେଷ କରି, ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଭଲ ଚାକିରୀ କଲା |ସେଦିନ ଠାକୁରଂକ ପାଖରେ ଅଖଣ୍ଡ ଦୀପ ଜାଳି ସେ ନିଜର କୃତଜ୍ଞତା ଜଣାଇଲେ |ଚାକିରୀରେ ଯୋଗ ଦେବାର କିଛିଦିନ ପରେ ସେ ଛୁଟି ନେଇ ଆସି ଜୟାଂକୁ ପୁରୀ ବୁଲାଇ ନେଇଗଲା |ଜୟାଂକ ଖୁସି ର ସୀମା ନଥିଲା |ପୁରୀ ଯିବା ପାଇଁ ତାଂକର ଅନେକ ଦିନରୁ ଇଚ୍ଛା ଥିଲା |କିନ୍ତୁ ସେ ନିଜର ମନକଥା କାହାକୁ କହିପାରୁ ନଥିଲେ |ଏବେ ତାଂକର ବହୁଦିନର ସ୍ୱପ୍ନ  ସାକାର ହୋଇଗଲା |ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ବାଟରେ କାହ୍ନା ନିଜ ମନକଥା ଜୟାଂକୁ କହିଲା |ସେ ତା ବଡଭାଉଜଂକ ଝିଆରିକୁ ବାହା ହେବାକୁ ଚାହେଁ,ସେଥିପାଇଁ ଜୟାଂକ ଅନୁମତି ଓ ଆଶୀର୍ବାଦ ଦରକାର |ଏକଥା ଶୁଣି ଜୟା ସ୍ତବ୍ଧ ହୋଇଗଲେ |ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଖ ପାଣି ଫୋଟକା ପରି କୁଆଡେ ମିଳେଇ ଗଲା |ନାହିଁ କରିଦେଲେ ପୁଅ ମନଦୁଃଖ କରିବ |ସେ କାହ୍ନା ମନରେ ଦୁଃଖ ଦେବାକୁ ଚାହୁଁ ନଥିଲେ |ଏତିକି କହିଲେ,ଯାହା ତୋ ଇଚ୍ଛା |ତୋ ଖୁସିରେ ମୋ ଖୁସି |କାହ୍ନା ଖୁସିରେ ଜୟାଂକୁ କୁଣ୍ଢେଇ  ପକାଇ କହିଲା,ମାମା ,ମୁଁ ଜାଣିଥିଲି ,ତମେ କେବେ ମନା କରିବନି |ସେଦିନ କାହିଁକି କେଜାଣି ଜୟା ବହୁତ କାନ୍ଦିଥିଲେ |ଅନେକ ଚେଷ୍ଟା କରି ମଧ୍ୟ ସେ ନିଜ ଲୁହକୁ ରୋକି ପାରି ନଥିଲେ |
                             ଅମର ଓ ପ୍ରଭା ବହୁତ ଜାକଜମକରେ କାହ୍ନା ବାହାଘର କଲେ |ଶାଶୁ ବୋହୂକୁ କଣ ଦେବେ,ସମସ୍ତେ ଆଗ୍ରହର  ସହ ଅପେକ୍ଷା କରିଥିଲେ |ଜୟା ବୋହୂକୁ ନିଜ କୋଠରୀକୁ ଡାକି ତାଂକର ସମସ୍ତ ଗହଣା ଗୋଟି ଗୋଟି କରି ତାକୁ ପିନ୍ଧେଇ ଦେଲେ |ତାଂକର ବଡ ବାକ୍ସ କୁ ଇଂଗିତ କରି କହିଲେ,ଏଥିରେ ଯାହା ଶାଢୀ ଇତ୍ୟାଦି ଅଛି,ସବୁ ତୋର |ଯେତେବେଳେ ଇଚ୍ଛା ହେବ,ପିନ୍ଧିବୁ |ବହୁତ ବାଧ୍ୟ ବାଧ୍ୟକତାରେ ସେ ରିସେପସନ କୁ   ଯାଇଥିଲେ |କାହ୍ନା ବାରମ୍ବାର ଆସି ପଚାରୁଥିଲା,ମାମା,ଡେକୋରେସନ ତମକୁ ଭଲ ଲାଗୁଛି ନାଁ ?ମୁଁ ଭଲ ଦେଖା ଯାଉଛି ?ପିଂକି ତମ ମନକୁ ଯାଉଛି  ?ନିଜ ବନ୍ଧୁମାନଂକ ସହ ମଧ୍ୟ ଅତି ଉତ୍ସାହ ର ସହ ପରିଚୟ କରାଇ ଦେଉ ଥାଏ |ସେତେବେଳେ ଜୟା ମନେ ମନେ ଈଶ୍ୱରଙ୍କୁ  ପ୍ରାର୍ଥନା କରୁଥାଆନ୍ତି,ପ୍ରଭୁ,ମୋ ପୁଅ ଏମିତି ସବୁବେଳେ ହସୁଥାଉ |ତାର ସୁଖ ଚିରସ୍ଥାୟୀ ହେଉ |ମୁଁ ଯଦି ଜୀବନରେ କିଛି ପୁଣ୍ୟ କରିଥାଏ ,ସେ ସବୁ ମୋ ପୁଅ କୁ ମିଳିଯାଉ |
                           ଛୁଟି ଶେଷ ହେବାପରେ କାହ୍ନା ପିଂକିକୁ ନେଇ ତା ଚାକିରୀସ୍ଥଳକୁ ଯିବାକୁ ବାହାରିଲା |ଜୟାଂକୁ କହିଲା,ମାମା,ତମେ ବି ଆମ ସାଂଗରେ ଚାଲ |ଜୟା ଖୁସି ହୋଇ କହିଲେ,ହଁ,ଯିବି ବାପା ,ହେଲେ ଏବେ ନୁହେଁ |ତମେ ବୁଲାବୁଲି କର |ଆଉଥରେ ଆସିଲେ ତୁମମାନଂକ ସାଂଗରେ ଯିବି |କାହ୍ନା ବୁଝିଗଲା |ସେଠାକୁ ଯିବା ପରେ କାହ୍ନା ଓ ପିଂକି ନିୟମିତ ବ୍ୟବଧାନ ରେ ଫୋନ କରନ୍ତି |ଏମିତି ହୋଇ ବର୍ଷେ ପାଖାପାଖି ବିତିଗଲା |କାହ୍ନା ଦିନେ ଖବର ଦେଲା,ପିଂକି ମା'ହେବାକୁ ଯାଉଛି |ଏହା ଶୁଣି ଜୟାଂକ ଆନନ୍ଦ ର ସୀମା ରହିଲା ନାହିଁ |ସେ ଘରେ ଓ ମନ୍ଦିରରେ ଘିଅଦୀପ ଜଳାଇଲେ,ଆଖପାଖ ର ଛୋଟ ଛୋଟ ପିଲାଂକୁ ଲଡୁ ବାଣ୍ଟିଲେ |ଭାବିଲେ,ଏଥର ପିଲାଂକ ପାଖରେ ରହିଯିବି |ବୋହୂକୁ ତା ପସନ୍ଦ ଅନୁସାରେ ଭଲ ଭଲ ଜିନିଷ ରାନ୍ଧି ଖୁଆଇବି |ପନ୍ଦର ଦିନ ପରେ କାହ୍ନା ଓ ପିଂକି ଆସିଲେ |ସେମାନଂକୁ ଦେଖି ଜୟା କୋଟିନିଧି ପାଇଲା ପରି ହେଲେ |ପିଂକିକୁ ବହୁତ ଆଦର ଯତ୍ନ କଲେ,ତାର ଭଲ ମନ୍ଦ ପଚାରିଲେ |ସେ କାହ୍ନା କୁ କହିଲେ,ମୁଁ ଏଇଥର ତୁମ ମାନଂକ ସାଂଗରେ ଯିବି |ପିଂକି ର ପସନ୍ଦ ଅନୁସାରେ ତାକୁ ରାନ୍ଧି ଖୁଆଇବି |କାହ୍ନା କହିଲା,ନାଁ ମାମା,ତମେ ତ ସବୁବେଳେ ଠାକୁର ପୂଜାରେ ଲାଗିବ,ପିଂକି କଥା ବୁଝିବ କେତେବେଳେ ? ମମିଂକୁ ପଚାରୁଥିଲି,ସେ ରାଜି ହୋଇଛନ୍ତି |ଏ ସବୁ କାମରେ ସେ ଧୁରନ୍ଧର |ସେ ଆମ ସାଂଗରେ ଯିବେ |ପିଂକି ବି ତାଂକ ପାଖରେ ଫ୍ରି ହୋଇ ଚଳି ପାରିବ ଆଉ ନିଜେ ବି ଟିକେ ବିଶ୍ରାମ ନେଇ ପାରିବ |ତମେ ଗଲେ,ନାଁ ସେ ତମକୁ କାମ କରେଇ ଦବ,ନାଁ ବିଶ୍ରାମ ନେଇ ପାରିବ |ଜୟାଂକ ମନ ମରିଗଲା |ସେ କହିଲେ,ହଉ ଠିକ ଅଛି,ଯାହା ତୋ ଇଚ୍ଛା |
                         ସେମାନେ ଯିବାପରେ ସେ ମା ମଂଗଳାଂକ ଉଦ୍ଦେଶ୍ୟରେ କୋଟି କୋଟି ପ୍ରଣାମ ଜଣାଇ କହିଲେ,ମା' ମୋ ବୋହୂ କୁ ଭଲରେ ଭଲରେ ଉଦ୍ଧାର କରିଦେ ମା' |ମୋର ଆଉ କିଛି ଲୋଡା ନାହିଁ |ଯଥା ସମୟରେ ପିଂକି ର ପୁଅ ଟିଏ ହେଲା |ଅସ୍ତ୍ରୋପଚାର ଯୋଗେ ପୁଅ ଜନ୍ମ ହୋଇ ଥିବାରୁ ପିଂକି ର ଅନେକ ସେବାସୁଶୃଷ| ଆବଶ୍ୟକ ହେଉଥିଲା |ତେଣୁ ଏତେ ଦୂର ନଆସି କାହ୍ନା ସେଇଠାରେ ପୁଅ ର ଏକୋଇଶିଆ କଲା |ଜୟା କହିଲେ,ହଉ ତାହେଲେ,ଜନ୍ମଦିନ ଆମେ ଏଠାରେ ଭଲରେ କରିବା |ହଁ କହିଲା,କାହ୍ନା |କିନ୍ତୁ ପରେ କାହ୍ନା କହିଲା,ସେଠାରେ ତାର ଅନେକ ବନ୍ଧୁ ଅଛନ୍ତି,ଜନ୍ମଦିନ ତାର ଚାକିରୀ ସ୍ଥଳରେ ହେବ |ସେଇଆ ହେଲା |ଜନ୍ମଦିନ ଉତ୍ସବରେ ଯୋଗ ଦେବାପାଇଁ କାହ୍ନା ଆସିଥିଲା,ଜୟାଂକୁ ନେବାପାଇଁ |ଜୟା ଅଭିମାନରେ କହିଲେ,ଏତେଦିନ ହେଲା ଯାଇନି,ଏବେ ଆଉ କାହିଁକି ଯିବି |ଯେତେବେଳେ ପୁଅକୁ ଧରି ଏଠାକୁ ଆସିବୁ,ମୁଁ ତାକୁ ଆଶୀର୍ବାଦ କରିବି |
                              ଏମିତି ଆଉ ଦୁଇବର୍ଷ ବିତିଗଲା |ଦିନେ ଶୀତ ସକାଳରେ ଜୟା ଶାଲ ଘୋଡେଇ ହୋଇ ବସିଛନ୍ତି,କାହ୍ନା ପିଂକି ଓ ପୁଅକୁ ଧରି ପହଂଚିଲା |ସେମାନଂକୁ ଦେଖି ଜୟାଂକ ଅଭିମାନ କୁଆଡେ ମିଳେଇ ଗଲା |ସେ ପିଂକି ଓ ନାତିକୁ କୁଣ୍ଢେଇ  ଅନେକ ଆଶୀର୍ବାଦ ଢାଳିଦେଲେ |ନିଜ ଗଳାରୁ ସୁନା ଚେନ୍ ଖୋଲି ନାତିକୁ ପିନ୍ଧେଇ ଦେଲେ |ପଚାରିଲେ,ତା ନାଁ କଣ ରଖିଚ ?କାହ୍ନା କହିଲା,ତାକୁ ପଚାର |ଜୟା ପଚାରିଲେ,ତୋ ନାଁ କଣ ବାପା ?ନାତି ଅଚିହ୍ନା ମାରି ମା କୋଳରେ ମୁହଁ ଲୁଚାଇ ଦେଲା |କାହ୍ନା କହିଲା,ଜନ୍ମ ହେଲା ପରଠାରୁ ତ ସେ ତମକୁ ଦେଖିନି,ଏବେ କଣ ସେ ତମକୁ ଚିହ୍ନିବ ନାଁ ତମ ପାଖକୁ ଯିବ ?ପିଂକି କାହ୍ନା କଥା ଶୁଣି ହେଁ ହେଁ ହୋଇ ହସିଲା |ଜୟା କହିଲେ,ରକ୍ତ ର ଡାକ,ଦେଖିବୁ,ଦୁଇଦିନ ଭିତରେ ସେ ମତେ ଚିହ୍ନି ଯିବ |ସତକୁ ସତ ନାତି ସମସ୍ତଂକୁ ପର କରିଦେଇ ସବୁବେଳେ ଆସି ଜୟାଂକ ପାଖରେ ବସିଲା,ତାଂକ ସହିତ ଗେହ୍ଲା ହେଲା |ସେ ତାକୁ 'ଗୋପାଳ' ନାମରେ ଡାକୁଥିଲେ |ଜୟା 'ଗୋପାଳ' ବୋଲି ଡାକିଦେଲେ ସେ ଯେଉଁଠାରେ ଥାଉ ନାଁ କାହିଁକି ଦୌଡି ଦୌଡି ଜୟାଂକ ପାଖକୁ ଚାଲିଆସେ |ଦିନେ ଜୟା ଚକଲେଟ ଖାଉଥିବା ବେଳେ ଗୋପାଳ ଦେଖିଦେଲା |ଜିଦ୍ଦି କରି କହିଲା,ମତେ ଗୋଟେ ଦିଅ |ଜୟା ତା ହାତରେ ଗୋଟିଏ ଚକଲେଟ ଦେଲେ |ସେ ତାକୁ ଖାଇଦେଇ କହିଲା,ଆଉ ଗୋଟେ |ଜୟା ନାହିଁ କରିବାରୁ କାନ୍ଦି କାନ୍ଦି ଗଡ଼ିଗଲା |ବାଧ୍ୟ ହୋଇ ଜୟା ଆଉ ଗୋଟିଏ ଚକଲେଟ ଦେଲେ |ଏମିତି ଅଝଟ ହୋଇ ସେ ତିନିଟି ଚକଲେଟ ଖାଇଦେଲା |ଚତୁର୍ଥ ଟି ଖାଇବା ବେଳକୁ ପିଂକି ଆସି ସେଠାରେ ପହଂଚି ଗଲା |ଗୋପାଳ ଚକଲେଟ ଖାଉଥିବାର ଦେଖି ତା ମୁଣ୍ଡ ଉପରକୁ ପିତ୍ତ ଚଢିଗଲା |ଢୋ ଢୋ କରି ତାର ଦୁଇ ଗାଲରେ ଦୁଇଟି ଚଟକଣା ମାରି ଜୟାଂକୁ କହିଲା,ଆପଣ ତାକୁ ଏଇ ଖରାପ ଅଭ୍ୟାସ ଶିଖାଉଛନ୍ତି? ତାର ଦାନ୍ତ ଖରାପ ହେଲେ ଭୋଗିବ କିଏ ?ଜୟା ସ୍ମିତ ହସି କହିଲେ,ଏଇଠି ଖାଉ,ସେଠିକି ଗଲେ ତମେ ତାକୁ ବାରଣ କରିବ |ପିଂକି ଆହୁରି ରାଗିଯାଇ ଗୋପାଳ ହାତରୁ ଚକଲେଟ ଛଡେଇ ଫିଂଗିଦେଲା ଓ ତାକୁ ନେଇ ଚାଲି ଆସିଲା |ଗୋପାଳ ଗୋଡ ହାତ ଛାଟି ଭେଁ ଭେଁ ହୋଇ କାନ୍ଦୁଥିଲା |ତାର ଦୁଇଦିନ ପର୍ଯ୍ୟନ୍ତ ଗୋପାଳ ଆଉ ତାଂକ ପାଖକୁ ଆସିଲାନି |କାରଣ ଟା କଣ ଜୟା ଅନୁମାନ କରି ପାରୁଥିଲେ |ତେଣୁ ସେ ଆଉ ସେ ଦିଗରେ ମୁଣ୍ଡ ନ ଖେଳାଇ ତାଂକ ପୂଜାପାଠରେ ମନ ଦେଲେ |
                        ଦୁଇଦିନ ପରେ ଅପରାହ୍ନ ରେ ଜୟା ସ୍ଥାନୀୟ ପୂଜା ଦୋକାନ ରୁ କର୍ପୁର ଓ ବଳିତା ଆଣିବାକୁ ଗଲେ |ଫେରିଲା ବେଳକୁ ଗୋପାଳ କେଉଁଠି ଥିଲା,ଦୌଡି ଦୌଡି ଆସି ତାଂକ ଦୁଇ ଗୋଡକୁ ଜାବୁଡି ଧରିଲା |ଜୟା ତାକୁ ଆଦରରେ କାଖେଇ ପକାଇଲେ |କହିଲେ,ମମି ଖୋଜୁଥିବେ,ଘରକୁ ଯାଆ |ଜୋରରେ ମୁଣ୍ଡ ହଲେଇ ନାହିଁ କଲା ଗୋପାଳ |କହିଲା,ମୁଁ ଜେଜେମା ଘରକୁ ଯିବି |ଜୟା ଭାବୁଥିଲେ,ତାକୁ ନେଇ ପିଂକି ପାଖରେ ଛାଡିଦେବେ |ପରମୁହୁର୍ତ୍ତ ରେ ଭାବିଲେ,ସିଏ ତ କାଲି ଚାଲିଯିବ,ପିଲାଟା ଏତେ ଆଶା କରି ମୋ ପାଖକୁ ଆସିଛି,କିଛି ସମୟ ମୋ ପାଖରେ ଥାଉ |ସେ ତାକୁ ଗେଲ କରି ନିଜ କୋଠରୀ କୁ ନେଇଗଲେ |ତା ସହିତ କଥାବାର୍ତ୍ତା ହେଲେ |କିନ୍ତୁ ଗୋପାଳ ମନ ଚକଲେଟ ପାଖରେ |ଜୟା ସନ୍ଧ୍ୟାଦୀପ ସଜାଡିବା ବେଳେ ଗୋପାଳ ଖଟଉପରକୁ ଉଠି ଚକଲେଟ ଡବା ଆଣିବା ବେଳେ ତାହା ତା ହାତରୁ ଖସି ପଡିଲା |ଜୟା ଜାଣିଲେ,ଗୋପାଳ ବୁଝିବନି |ସେ ତାକୁ ଗୋଟିଏ ଚକଲେଟ ଦେଇ ଡବା ଲୁଚାଇ ଦେଲେ |ପରମ ଆନନ୍ଦରେ ଗୋପାଳ ତାକୁ ପାଟିରେ ପୁରାଇ ଚୁଚୁମିବାକୁ ଲାଗିଲା |ସେତିକିବେଳେ ପିଂକି ଆସି ସେଠାରେ ପହଂଚି ଗଲା  |ତାକୁ ଦେଖି ଗୋପାଳ ଭୟରେ ଖଟ ତଳେ ଲୁଚିଗଲା |ପିଂକି ରାଗରେ ଗର ଗର ହୋଇ ତାକୁ ଖଟତଳୁ ଟାଣି ନେଇଗଲା |ଜୟା କହୁଥିଲେ,ପିଲାଟା ଶ୍ରଦ୍ଧାରେ ଆସିଛି ,ତାକୁ ନେ ନାଁ ମା |ପିଂକି କିଛି ନ ଶୁଣି ଚାଲିଗଲା |କାହ୍ନା ଯେତେବେଳେ ଘରକୁ ଫେରିଲା,ସେ ଗୋପାଳ ର ନାଲି ଓଠକୁ ଦେଖାଇ କହିଲା,ଦେଖା,ମାମା ପୁଣି ଆଜି ତାକୁ ଚକଲେଟ ଦେଇଛନ୍ତି |ଏଥର କାହ୍ନା ସତକୁ ସତ ରାଗିଗଲା |ସେ ଜୟାଂକୁ ଏ ବିଷୟରେ ପଚାରିବା ପାଇଁ ତାଂକ ରୁମ କୁ ଗଲା |ସେତେବେଳେ ଜୟା ପାଟଶାଢୀ ପିନ୍ଧି,କପାଳରେ ଠାକୁରଂକ ସିନ୍ଦୂର ଲଗାଇ କୀର୍ତ୍ତନରେ ସମ୍ପୂର୍ଣ୍ଣ ମଜ୍ଜି ଯାଇ ଥାଆନ୍ତି |କିନ୍ତୁ ସେଦିନ ସେ ଭୁଲବଶତଃ କବାଟ ଭିତରୁ ବନ୍ଦ କରିବାକୁ ଭୁଲି ଯାଇଥିଲେ |କାହ୍ନା ଝଡ ପରି ରୁମ ଭିତରେ ପ୍ରବେଶ କରି ଚିତ୍କାର କରି କହିଲା,ମାମା ....କିନ୍ତୁ କଥା ତାର ସେଇଠି ଅଟକି ଗଲା |ଜୟାଂକ ପାଟଶାଢୀ ଓ କପାଳରେ ସିନ୍ଦୂର ଟୋପା ଦେଖି ଘୃଣାରେ କହିଲା,ୟେ କି ବେଶ ହୋଇଛ,ମାମା  ?ଛିଃ,ଆଇ ହେଟ୍ ୟୁ |ଆକସ୍ମିକ ପାଟିତୁଣ୍ଡରେ ଜୟାଂକ ଧ୍ୟାନ ଭାଂଗିଗଲା |ସେ କାହ୍ନା କୁ ଚାହିଁଲେ |ପରମୁହୁର୍ତ୍ତରେ ତାଂକ ନଜର ପିଂକି ଉପରେ ପଡିଲା |ସେ ଗୋପାଳ କୁ କାଖେଇ ଛିଡା ହୋଇଥିଲା |କାହ୍ନା ତା କଥା ଶେଷକରି ଚାଲିଗଲା |ତା ପଛେ ପଛେ ପିଂକି ମଧ୍ୟ ଚାଲିଗଲା |କାହ୍ନା ର ଗୋଟିଏ ଗୋଟିଏ ବାକ୍ୟ ଜୟାଂକ ହୃଦୟରେ ତୀର ପରି ଭେଦି ଯାଇଥିଲା |ସେ ଧୀରେ ଧୀରେ ଉଠି କବାଟ ଭିତରୁ ବନ୍ଦ କଲେ ଓ ନିଜର ଅବଶ  ଶରୀରକୁ ବିଛଣାରେ ଲୋଟାଇ ଦେଲେ |ଭାବିଲେ,ଏଇ ଗୋଟିଏ ଆସକ୍ତି ପାଇଁ ତାଂକୁ ଦୁନିଆଁ ର ମାୟା ମୋହ  ଜାବୁଡି ଧରିଥିଲା,ଭଲ ହେଲା,ବେଳ ଥାଉ ଥାଉ ଏ ଆସକ୍ତି ବି ତୁଟି ଗଲା |ଓଠ କଡରେ ତାଂକର ମ୍ଲାନ ହସ ଟିଏ ଫୁଟି ମଉଳି ଗଲା |ମମତା ମହାନ୍ତି |

No comments:

Post a Comment