Sunday, April 16, 2017

ଅପରାଜିତା

                       
                      ଭୁବନେଶ୍ଵରର  ର ଏକ ଜନଗହଳି ପୂର୍ଣ୍ଣ ରାସ୍ତା କଡରେ ଦୀପା ଓ ମୋହନଂକର ଏକ ବଡ ଦରଜୀ ଦୋକାନ ଥିଲା | ଦୁହେଁ ସେ ଦୋକାନରେ ବସୁଥିଲେ |ସେମାନଂକ ବଡଝିଅ ଶିଖା ର ନାଁ ଅନୁସାରେ ସେମାନେ ଦୋକାନର ନାଁ ରଖିଥିଲେ, ,'ଶିଖା ଜେଣ୍ଟସ୍ ଆଣ୍ଡ୍ ଲେଡିଜ ଟେଲରିଂଗ ସେଣ୍ଟର' |ମୋହନ ଥିଲା କଟିଂଗ ମାଷ୍ଟର୍ |ସେ ଉଭୟ ମହିଳା ଓ ପୁରୁଷଂକର ବିଭିନ୍ନ ପ୍ରକାର ନୂଆ ଡିଜାଇନ ର ପୋଷାକ ତିଆରି କରିବାରେ ପାରଂଗମ ଥିଲା |ସେଥିପାଇଁ ସବୁବେଳେ ତା ଦୋକାନରେ ଗହଳି ଲାଗି ରହୁଥିଲା |ମୋହନ କାହାକୁ ନିରାଶ କରୁ ନଥିଲା |ଗ୍ରାହକ ଥରେ ମୋହନକୁ କପଡା ମାପ ଦେଇଦେଲେ ଠିକ ସମୟରେ ପୋଷାକ ତିଆରି ହୋଇଯିବ ବୋଲି ଦୃଢ ନିଶ୍ଚିତ ଥିଲା |ମୋହନ ତା ଦୋକାନରେ ମହିଳା ଓ ପୁରୁଷଂକ ପାଇଁ ଅଲଗା କାଉଣ୍ଟର ରଖିଥିଲା,ଯଦିଓ ସବୁ କପଡା ସେ ନିଜେ କାଟୁଥିଲା |ଦୀପା ମହିଳା ମାନଂକ ପୋଷାକ ସିଲେଇ କରୁଥିଲା |ଦୀପା ଓ ମୋହନ ପରସ୍ପରର ପରିପୁରକ ଥିଲେ |ଦେଖିବା ଶୁଣିବା ଲୋକେ ଦୁଇଜଣଂକ ଯୋଡିକୁ ଶିବପାର୍ବତୀ ଯୋଡି ବୋଲି କହୁଥିଲେ |
                     ନୀତା ଯେତେବେଳେ ନୂଆ କରି ବାସନ୍ତିପୁର କଲୋନି କୁ ଆସିଲା,ସେ ମୋହନ ଓ ଦୀପାଂକ ସିଲେଇ ର ବହୁତ ତାରିଫ ଶୁଣିଥିଲା |ପରୀକ୍ଷା କରିବା ପାଇଁ ସେ ଥରେ  ଶାଢୀ ର ପିକୋ ,ଫଲ୍ ଲଗାଇବା ପାଇଁ ଓ ବ୍ଲାଉଜ୍ ସିଲେଇ କରିବା ପାଇଁ ସେଠାକୁ ଗଲା |ସେତେବେଳେ ଦୋକାନ ରେ ଏକୁଟିଆ ଦୀପା ଥିଲା,ମୋହନ ନଥିଲା |ସତେକି ତା ସହିତ ବହୁତ ଦିନର ପରିଚୟ,ସେହିପରି ଭାବେ ଦୀପା ତା ସହିତ ଗପ ଆରମ୍ଭ କରିଦେଲା |ଗପ ଶୁଣିବା ଭିତରେ ଦୀପାକୁ ଭଲକରି ଲକ୍ଷ୍ୟ କରୁଥିଲା ନୀତା |ଛୋଟ ଗୋଲ ମୁହଁରେ ତାର ଥିଲା ଆବଶ୍ୟକତା ଠାରୁ  ବଡ ସିନ୍ଦୂର ଟୋପା ଓ ସିଂଥାରେ ମୋଟା ସିନ୍ଦୂର ରେଖା |ଦୀପା କହିଲା,ଅପା ,ତମେ ତ ଆମ ଘର ପାଖରେ ରହୁଛ ,ଆଉ ଏଠିକି ନ ଆସି ଘରକୁ ଆସି ଦେଇଦେବ |ମୁଁ ସିଲେଇ କରି ଦୋକାନକୁ ଆସିବା ବାଟରେ ତମ ଘରେ ଦେଇ ଦେବି |ନୀତା ବହୁତ ଖୁସି ହୋଇଗଲା |ତିନିଦିନ ପରେ  ବ୍ଲାଉଜ ଓ ଶାଢୀ କାମ ଶେଷ କରି ଦୀପା ନୀତା ଘରକୁ ଆସିଲା |କହିଲା,ଅପା ,ତମେ ସାଂଗେ ସାଂଗେ ପିନ୍ଧି ଦେଖି ଦିଅ ଫିଟ୍ ହଉଛି କି ନାଁ,ଫିଟ୍ ନହେଲେ ମୁଁ ସିଲେଇ କରି ଘରକୁ ଫେରିବା ବେଳେ ତମକୁ ଦେଇ ଦେବି |ନୀତା ବ୍ଲାଉଜ୍ ପିନ୍ଧି ଦେଖିଲା,ପୂରା ଫିଟିଂ ହେଉଛି,ଶାଢୀ ର ପିକୋ ଓ ଫଲ୍ ମଧ୍ୟ ଠିକ ଠାକ୍ |ସିଲେଇ କରିବା ପାଇଁ ଯେତିକି ମଜୁରି ଦୀପା କହିଥିଲା,ତାଠାରୁ ଦଶ ଟଂକା କମ୍ ନେଲା ସେ |ଗଲାବେଳେ କହିଗଲା,ଅପା,କେତେବେଳେ ସମୟ ଦେଖି ଆମ ଘରକୁ ଆସିବ |
                  ନୀତା ପାଖରେ  କିଛି ଶାଢୀ ଥିଲା,ଯାହାର ବ୍ଲାଉଜ୍ ପିସ୍ ଥିଲା,କିନ୍ତୁ ସମୟ ଅଭାବରୁ ସେ ତାହାକୁ ସିଲେଇ କରି ପାରୁ ନଥିଲା |ଦିନେ ମନ ସ୍ଥିର କରି ସେସବୁ ଏକାଠି କରି ଅପରାହ୍ନ ରେ ଦୀପା ଘରକୁ ଗଲା |ଅସମୟରେ ତାକୁ ଦେଖି ଦୀପା କୋଟିନିଧି ପାଇଲା ପରି ହେଲା |ସଂଗେ ସଂଗେ ରୋଷେଇ ଘରକୁ ଯାଇ ଦୁଇଜଣଂକ ପାଇଁ ଚା' ତିଆରି କରି ଆଣିଲା |ତା ସହିତ ସେଉ ଗାଂଠିଆ ମିକ୍ସଚର  |ଚା' ରେ ଅଳ୍ପ ଅଳ୍ପ ପକାଇ ପିଇବା ବେଳେ ବଢିଆ ଲାଗୁଥାଏ |ସେ ଏକ ନିଆରା ସ୍ୱାଦ  |ଦୀପା କହିଲା,ଭଲ ହେଲା,ତମେ ଘରକୁ ଆସିଲ |ମୁଁ ଏବେ କିଛିଦିନ ଦୋକାନକୁ ଯାଇ ପାରିବିନି |ନୀତା ଆଶ୍ଚର୍ଯ୍ୟ ହୋଇ ପଚାରିଲା,କଣ ପାଇଁ ?ଦୀପା ତା ପେଟକୁ ଦେଖାଇ କହିଲା,ଦେଖୁନ,ପୁଣି ଆଉ ଗୋଟେ ହବ |ନୀତା କହିଲା,ହେଲେ ତମର ତ ଅଲରେଡି ଦୁଇଟା ଝିଅ ଅଛି |ପରିବାର ସମ୍ପୂର୍ଣ୍ଣ,ଆଉ କଣ ଦରକାର ?ଦୀପା ମୁହଁ ଶୁଖାଇ କହିଲା,ତମେ ସିନା ସେମିତି କହୁଛ କିନ୍ତୁ ତାଂକର ପୁଅ ଦରକାର |ଆଛା,ତମେ କହିଲ ଅପା ,ଆଜିକାଲି ପୁଅ ଝିଅ କିଛି ଫରକ ଅଛି ?ଖାଲି ଗୋଟେ ମନର ଭ୍ରମ ,ଆଉ କିଛି ନୁହେଁ |ହଉ ଛାଡ,କଣ ପାଇଁ ଆସିଛ କହିଲ ?ନୀତା ବ୍ୟାଗ ରୁ ଶାଢୀ ଓ ବ୍ଲାଉଜ୍ ପିସ୍ କାଢିଲା |ସବୁ ଗୋଟି ଗୋଟି କରି ଦେଖିଲା ଦୀପା |କହିଲା,ବଢିଆ ହୋଇଚି ଲୋ ଅପା,ତମକୁ ଭଲ ମାନିବ |କଥା ପ୍ରସଂଗରେ ନୀତା କହିଲା,ତମର ତ ଛୋଟିଆ ହୋଇ ସୁନ୍ଦର ମୁହଁଟିଏ ,ଏତେ ବଡ ଟୋପା  ଲଗାଉଛ କାହିଁକି ?ଦୀପା ସ୍ମିତ ହସି କହିଲା,ମୁଁ ତାଙ୍କୁ ଭଲ ପାଇଁ ଘରୁ ଲୁଚି ପଳାଇ ଆସିଥିଲି |ଏଇ ଟୋପା ହିଁ ମୋର ସାହସ ,ତାଂକର ମୋର ଭଲପାଇବାର ସନ୍ତକ |ସାରା ଦୁନିଆ ଯାହା କହୁ,ମୁଁ ଯେଉଁ ପାଦ ଆଗକୁ ବଢାଇ ଦେଇଥିଲି,ସେ ଭୁଲ ହେଉ ବା ଠିକ ହେଉ,କେବେହେଲେ ସେ  ପାଦ ପଛକୁ ଫେରାଇ ନାହିଁ |କେବେହେଲେ ଭାବିନି,ଭଲପାଇ ବିରାଟ ବଡ ଭୁଲ କରି ଦେଇଛି ବୋଲି |ତେଣିକି ମୋ ଭାଗ୍ୟରେ ଯାହା ଥିବ |ନୀତା କହିଲା,ସେମିତି କହୁ କହୁ କହିଦେଲି,କିଛି ଖରାପ ଭାବିବନି |ଦୀପା ସାଂଗେ ସାଂଗେ କହିଲା,ନାଁ ନାଁ ବଡଭଉଣୀ  ହିସାବରେ ତମେ ଯାହା ଭଲ ଭାବିଲ,କହିଲ ,ମୁଁ କାହିଁକି ଖରାପ ଭାବିବି ?ହେଲେ ମୋର ଗୋଟିଏ ଗୁହାରି,ମତେ ଯଦି ନିଜ ଭଉଣୀ ପରି ଭଲ ପାଉଥିବ ତାହାଲେ  ଆଉ 'ତମେ' ନକହି 'ତୁ' ବୋଲି କହିବ |ନୀତା ହସିଦେଇ  କହିଲା,ଓକେ,ସିଓର୍ |ଏମିତି ବାରମ୍ବାର ଯିବା ଆସିବା ଭିତରେ ନୀତା ସେମାନଂକ ବିଷୟରେ ବହୁତ କିଛି ଜାଣିବାକୁ ପାଇଲା |ମୋହନ ପାଠପଢା ଶେଷ କରି  ଚାକିରୀ  ଯେତେବେଳେ ଚାକିରୀ ଅନ୍ୱେଷଣରେ ମୁମ୍ବାଇ ଯାଇଥିଲା,ସେଠାରେ ଜଣେ ମୁସଲମାନ ଦରଜୀଂକ ସଂସ୍ପର୍ଶରେ  ଆସି ତାଂକଠାରୁ  କପଡା କାଟିବା ଓ ସିଲେଇ କରିବା କୌଶଳ ଶିଖିଥିଲା |ମୁମ୍ବାଇରୁ ଫେରିବା ପରେ ସେ ଗାଁ କଲେଜ ପାଖରେ ନିଜର ଦରଜୀ ଦୋକାନ ଖୋଲିଥିଲା |ଖୁବ କମ ଦିନ ଭିତରେ ଦୋକାନ ର ସୁନାମ ବଢି ଯାଇଥିଲା |ଚାହୁଁ ଚାହୁଁ ସେ ସ୍ଥାନୀୟ ଯୁବକ ଯୁବତୀଂକ ହୀରୋ ପାଲଟି ଯାଇଥିଲା |ଯିଏ ଯେମିତି ଡିଜାଇନ୍ ପୋଷାକ ପାଇଁ ଅର୍ଡର ଦେଉଥିଲା,ଅବିକଳ ସେହିଭଳି ପୋଷାକ ସେ ବନେଇ ପାରୁଥିଲା |ଦୀପା ସେତେବେଳେ ସେହି କଲେଜରେ ପଢୁଥିଲା |ଅନ୍ୟମାନଂକ ପରି ସେ ମଧ୍ୟ ମୋହନ ପାଖରେ ନିଜ ଡ୍ରେସ୍ ସିଲେଇ କରୁଥିଲା |ଏହାପରେ ସେମାନଂକ ଭିତରେ ସମ୍ପର୍କ ବଢିଥିଲା ଓ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ |ଦୀପାର ବାପା ଏକଥା ଶୁଣି ପ୍ରବଳ ବିରୋଧ କରିଥିଲେ  |ତାପରେ ଦିନେ ଦୀପା ଘରୁ ଲୁଚି ଚାଲି ଆସିଥିଲା |ମୋହନ ର ଘର ଲୋକେ ସେମାନଂକ ବାହାଘର ମହାଆଡମ୍ବରରେ କରିଥିଲେ  |ହେଲେ ଦୀପା ପାଇଁ ତା ବାପଘରର କବାଟ  ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା  |ବିବାହ ପରେ ମୋହନ ଗାଁ ରୁ ଆସି ଭୁବନେଶ୍ୱରରେ  ତା ସିଲେଇ ଦୋକାନ ଖୋଲିଥିଲା |
                          ତିନିବର୍ଷ ଭିତରେ ଦୀପା ଆଉ ଦୁଇଟି କନ୍ୟା ସନ୍ତାନ ର ଜନନୀ ହେଲା |ଚତୁର୍ଥ ଝିଅ ଜନ୍ମ ହେବା ପରେ ସେ ମୋହନର ଇଚ୍ଛା ବିରୁଦ୍ଧରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇ ନେଲା | ଚାହୁଁ ଚାହୁଁ ଏମିତି କିଛିବର୍ଷ  ବିତିଗଲା |ସେତେବେଳେ ମୋହନ ର ଡିମାଣ୍ଡ ଆକାଶଛୁଆଁ |ଦିନେ ସକାଳୁ ହୁରି ପଡିଲା,ମୋହନ ପାଂଚବର୍ଷର ସନ୍ତାନ ଥିବା ଜଣେ ପତି ପରିତ୍ୟକ୍ତା ମହିଳା ସହ କୁଆଡେ ଚାଲିଯାଇଛି |ନୀତା ତ ପ୍ରଥମେ ଏ କଥାକୁ ବିଶ୍ୱାସ  କରି ପାରିଲାନି |ପରେ ସେ ମଧ୍ୟ ସମସ୍ତଂକ ପରି ଦୀପା ଘର ଅଭିମୁଖେ ଛୁଟିଲା |ଦୀପା  ଘର ସମ୍ମୁଖରେ ପ୍ରବଳ ଜନଗହଳି ହୋଇଥିଲା |ସେ ଭିଡ ଆଡେଇ ଘର ଭିତରକୁ ଯାଇ ଦେଖିଲା,ଦୀପା ପଥର ପରି ବସିଛି,ପାଖରେ ତାର ପିଲାମାନେ ଘେରି କାନ୍ଦୁଛନ୍ତି |ବଡ ଅଭାବନୀୟ ଦୃଶ୍ୟ !ନିଜକୁ ଅତି ଅଦ୍ଭୁତ ଭାବେ ସମ୍ଭାଳି ନେଇ ଦୀପା  ଉପସ୍ଥିତ ଥିବା ସମସ୍ତଂକୁ କହିଲା,ଆପଣମାନେ ଯାଆନ୍ତୁ,ମୋ କଥା ମୁଁ ବୁଝିବି |
                       କିଛିଦିନ ପରେ ଦୀପା ପୁଣି ଦୋକାନ ଖୋଲି କେବଳ ମହିଳା ମାନଂକ ପୋଷାକ ତିଆରି କଲା |କିନ୍ତୁ ଦୀପା ଏହାକୁ ଚଳେଇ ପାରିଲା ନାହିଁ |କାରଣ ତାର ଶକ୍ତି ର ଉତ୍ସ ଥିଲା ମୋହନ |ସେ କପଡା କାଟିବା ପରେହିଁ ଦୀପା ସୁନ୍ଦର ଭାବରେ ଡ୍ରେସ ତିଆରି କରି ପାରୁଥିଲା |କ୍ରମେ ଗ୍ରାହକ ମାନଂକ ଠାରୁ ଅନେକ ଅଭିଯୋଗ ଆସିଲା | ଫଳ ସ୍ୱରୂପ  ଅଲ୍ପଦିନ ଭିତରେ ତା ଦୋକାନ ବନ୍ଦ ହୋଇଗଲା |ତାପରେ ପିଲାମାନଂକ ସହ ଦୀପା କୁଆଡେ ଗଲା କେହି ଜାଣି ପାରିଲେ ନାହିଁ |
                      ଏହି ଘଟଣାର ଅନେକ ବର୍ଷ  ପରେ ଦିନେ ଏୟାରପୋର୍ଟରେ ଦୀପା ର ଝିଅ ଶିଖା କୁ ଦେଖିଲା ନୀତା |ପ୍ରଥମେ ତ ଶିଖାକୁ ସେ ଆଦୌ ଚିହ୍ନି ପାରିଲାନି |କିନ୍ତୁ ଶିଖା ଯେତେବେଳେ ଆସି ତାକୁ କୁଂଢ଼େଇ ପକାଇ କହିଲା,ମାଉସୀ ମତେ ଚିହ୍ନି ପାରୁନାହାନ୍ତି ,ମୁଁ ପରା ଶିଖା ,ସେତେବେଳେ ସେ ଯାଇଁ ତାକୁ ଚିହ୍ନିଲା |ଶିଖା ଖୁବ୍ ସୁନ୍ଦର ଦେଖାଯାଉଥିଲା |ବିବାହ ବି କରି ସାରିଥିଲା |ନୀତା ପଚାରିଲା,କୁଆଡେ ଯିବୁ ?ଶିଖା କହିଲା,ସେ ଆଜି ଦୁବାଇ ରୁ ଆସିବାର ଅଛି ତ ,ସେଥିପାଇଁ ଅପେକ୍ଷା କରିଛି |ଅଳ୍ପ କଥାବାର୍ତ୍ତା ଭିତରେ ସେ ଜାଣିଲା,ତାର ତିନି ଭଉଣୀ  ପୁନେ,ବାଂଗାଲୋର ଓ ଭୁବନେଶ୍ୱରରେ  ଚାକିରୀ କରୁଛନ୍ତି |ଦୁଇ ଭଉଣୀ ଇଂଜିନିୟର ଓ ସାନ ଭଉଣୀ ବି.କମ ପରେ ଏମ,ବି,ଏ, କରିଛି |ସେ ନିଜେ  ମଧ୍ୟ ଏମ.ଏସ.ସି.ପରେ ଚାକିରୀ କରୁଥଲା |ବିବାହ ପରେ ଚାକିରୀ ଛାଡି ଦେଇଛି |ସେମାନେ ଏବେ ନିଜ ଘରେ ରହୁଛନ୍ତି |ସେ ନୀତା ର ଫୋନ ନମ୍ବର ନେଲା ଓ ଦୀପାର ଫୋନ ନମ୍ବର ନୀତା କୁ ଦେଇ କହିଲା,ମାଉସୀ,ଆପଣ ମମୀଂକୁ ଫୋନ କରିବେ,ସେ ଆପଣଂକ କଥା ସବୁବେଳେ ମନେ ପକାନ୍ତି |ଶିଖା ପ୍ରଣାମ କରି ଚାଲିଗଲା |ଶିଖା ଠାରୁ ସେମାନଂକ ସଫଳତା ର କାହାଣୀ ଶୁଣି ନୀତା  ଆଶ୍ଚର୍ଯ୍ୟ ହୋଇ ଯାଉଥିଲା |ଦୀପା କୁ ଫୋନ କରିବ ଭାବି ଭାବି ଆଉ ଫୋନ କରି ପାରିଲାନି |କିଛିଦିନ ପରେ ଦୀପା ତାକୁ ଫୋନ କଲା |କହିଲା,ଅପା ,ତମେ ଯେଉଠି ଥିଲ ସେଇଠି ଅଛ ନାଁ ଘର ବଦଳେଇ ଦେଲଣି ?ତା ସ୍ୱର  ଶୁଣି ନୀତା ଖୁସି ହୋଇଗଲା |କହିଲା,ଆମେ ଏବେ ନିଜଘରକୁ ଆସି ସାରିଲୁଣି |ଘର ର ଠିକଣା ସେ ଦୀପାକୁ ଦେଲା  |ଘଣ୍ଟାଏ ପରେ  ଘର ଖୋଜି ଖୋଜି ଆସି ଦୀପା ପହଂଚି ଗଲା |ନୀତା କହିଲା,ତୁ ସତକୁ ସତ ଆସିଗଲୁ ?ମୁଁ ଭାବିଲି,ତୁ ଏମିତି ଘର ଠିକଣା ପଚାରୁଛୁ |ଦୀପା ଝାଳ ପୋଛି କହିଲା,ଗିଲାସେ ପାଣି ଦେଲ ଅପା,ଭାରି ଶୋଷ ହେଉଛି |ନୀତା  ସରବତ ଆଣି ଦେଲା |ପରମ ସନ୍ତୋଷ ରେ ତାକୁ ପିଇ ଦୀପା କହିଲା,ଓହୋ ଜୀବନ ବଂଚିଗଲା |ବହୁତ କଷ୍ଟରେ ତୁମ ଘର ପାଇଲି ଅପା |ତା ଆସିବାର କାରଣ ସେ କହିଲା |ଦ୍ଵିତୀୟ  ଝିଅ ଆଶା ର ବାହାଘର ହେବ,ସେଥିପାଇଁ ସେ ନିମନ୍ତ୍ରଣ କରିବାକୁ ଆସିଛି |ତା ସାଂଗରେ କଥାବାର୍ତ୍ତା ହୋଇ ସେ ଜାଣିଲା,ଦୋକାନ ବନ୍ଦ ହେବା ପରେ ସେ  ପିଲାମାନଂକୁ ନେଇ  ଶାଶୁଘରକୁ ଚାଲିଯାଇଥିଲା  |ସେଠାରେ ସେ ଗୁରୁତର ଅସୁସ୍ଥ ହୋଇ ଦୀର୍ଘଦିନ ଧରି ବିଛଣାରେ ପଡି ରହିଲା |କ୍ରମେ ମନକୁ ଦୃଢ କରି ଶାଶୁଘର ସହାୟତାରେ ରୂପସଜ୍ଜା ଓ ବିୟୁଟି ଟ୍ରିଟମେଣ୍ଟ ଟ୍ରେନିଂ ନେଲା |ତାପରେ ସହରକୁ ଆସି ନିଜର ଏକ  ବିୟୁଟି ପାର୍ଲର ଆରମ୍ଭ କଲା |ପ୍ରଥମେ ପ୍ରଥମେ ଟିକିଏ କଷ୍ଟ ହେଲା,ପରେ ତାହା ଖୁବ୍ ଭଲ ଚାଲିଲା |ପିଲାମାନେ  ସେମାନଂକ ପସନ୍ଦ ଅନୁଯାୟୀ ପାଠ ପଢି ଚାକିରୀ କଲେ  |ଶିଖା ବାହାଘର ବେଳକୁ ତା ପାଖରେ ଅର୍ଥାଭାବ ଥିଲା |କିନ୍ତୁ ତା ପାଖରେ ପ୍ରାୟ ତିରିଶ ଭରି ପାଖାପାଖି ସୁନା ଗହଣା ଥିଲା |ସେଥିରୁ କିଛି ବିକ୍ରୀ କରି ନିରାଡମ୍ବର ଭାବରେ ସେ ତାର  ବାହାଘର କଲା |ପିଲାମାନେ ତାକୁ ଆରାମରେ ରଖିବା ପାଇଁ ଘରେ କାମବାଲି ଓ ରୋଷେଇଆ ରଖି ଦେଇଛନ୍ତି |ଚଳପ୍ରଚଳ ହେବାପାଇଁ  କାର କିଣି ଦେଇଛନ୍ତି  ଓ  କାର ଚଲାଇବା ପାଇଁ ସ୍ଥାୟୀ ଡ୍ରାଇଭର ରଖିଛନ୍ତି  |ନୀତା ଦୀପାକୁ ନିରେଖି ଚାହିଁଲା |ପୂର୍ବପରି ସେ ସିଂଥାରେ ସେମିତି ମୋଟା ସିନ୍ଦୂର ରେଖା ଲଗାଇଛି | କିନ୍ତୁ ମଥାରେ ସିନ୍ଦୂର ଟୋପା ବଦଳରେ ସେଇ ଆକୃତି ର ବଡ ଟିକିଲି ଶୋଭା ପାଉଛି |ପଚାରିବନି ପଚାରିବନି ଭାବି ସେ ପଚାରିଦେଲା,ଆଉ ମୋହନ ଖବର କଣ ?ଦୀପା ଚୁପ୍ ହୋଇ କିଛି ସମୟ ବସିଗଲା |ତାପରେ କହିଲା ,ତମେ କଣ ସତରେ ମୋ ବିଷୟରେ କିଛି ଜାଣିନ?ନାଁ ମୋ ମୁହଁ ରୁ ଶୁଣିବାକୁ ଚାହୁଁଛ ବୋଲି ଏମିତି ପଚାରିଦେଲ ?ନୀତା ହଡ଼ବଡେଇ ଯାଇ କହିଲା,ମୋରାଣ ଖାଉଚି ଲୋ,ମୁଁ କିଛି ଜାଣିନି |ତୋ ଇଚ୍ଛା ହଉନି ଯଦି କହନା |ଦୀପା କହିଲା,ନାଁ ନାଁ ସେମିତି କିଛି ନୁହେଁ |ମୋହନ ପାଖରେ ବହୁତ ପଇସା ଥିଲା |ସେ ସେଇ ମାଇକିନା କୁ ଧରି ଦିନା କେତେ ବହୁତ ମଉଜ ମଜଲିସ କଲା |ପାଂଚବର୍ଷ ପରେ ଯେମିତି ମୋହନ ପାଖରୁ ମାଲ ସରି ଆସିଲା,ସେ ତାକୁ ଛାଡି ପଳେଇଲା  |ଲାଜ ଅପମାନରେ ମୋହନ ଦିନେ ବିଷ ଖାଇଦେଲା |ତା କଥା ଶୁଣି ନୀତା ଯେମିତି ଆକାଶରୁ ଖସି ପଡିଲା  |କହିଲା,କଣ କହୁଛୁ ତୁ ?ହେଲେ ଏ ସିନ୍ଦୂର !!!ତୁ କଣ ଆଉଥରେ ......?ଦୀପା ଜିଭ କାମୁଡି କହିଲା,ଛି !!କି କଥା କହୁଛ |ମୁଁ ତୁମକୁ ବହୁତ ଦିନ ତଳେ କହିଥିଲି ନାଁ ,ଏଇ ସିନ୍ଦୂର ମୋର ସାହସ |ୟାକୁ ପିନ୍ଧିଲେ ମତେ ଲାଗେ ମୁଁ ଏକୁଟିଆ ନାହିଁ |ମୋ ପାଖରେ ସେ ଅଛନ୍ତି |ସେମିତି ନହେଲେ ମୁଁ କଣ ଆଜିଯାଏଁ ବଂଚି ଥାଆନ୍ତି ? ମୋ ଭୟାନକ ଅତୀତ ମତେ ସବୁବେଳେ ପଛରୁ ଟାଣି ଥାଆନ୍ତା |ମୋ ଜୀବନ ସିନା ନଷ୍ଟ ହୋଇଗଲା ,ପିଲାଂକ ଜୀବନ ମୁଁ କାହିଁକି ନଷ୍ଟ କରିବାକୁ ଦେବି ?ହଁ ଏଥିପାଇଁ କିଏ ମତେ କେତେ କଥା କହୁଛନ୍ତି  |କୁହନ୍ତୁ |ମୋର କଣ ଯାଏ ଆସେ ?ମୁଁ ଯଦି ନିଜ ହିସାବରେ ଠିକ ଅଛି,ଆଉ କାହାର ସାର୍ଟିଫିକେଟ୍ କଣ ଦରକାର  ?ମୁଁ ଜାଣିଛି ମୋହନ ମତେ ଧୋକା ଦେଇଛି,ମୋ ବିଶ୍ୱାସରେ ବିଷ ଦେଇଛି |ହେଲେ ସେ ମୋର ପ୍ରଥମ ପ୍ରେମ,ଆଜି ପର୍ଯ୍ୟନ୍ତ ମୁଁ ତାକୁ ଭଲ ପାଏ ଆଉ ପାଉଥିବି ମଧ୍ୟ |
                                 ବାହାଘରକୁ ନୀତା ତାର ପରିବାର ସହ ଯାଇଥିଲା |ଦୀପା ଜଣ ଜଣ କରି ସବୁ ନିମନ୍ତ୍ରିତ ଅତିଥିଂକ କଥା ବୁଝୁଥିଲା |ଆଶା ବୋହୂ ବେଶରେ ପରୀ ପରି ଦେଖା ଯାଉଥିଲା |ଆଉ ଦୁଇ ଝିଅ ମଧ୍ୟ ଆଶା ପରି ସୁନ୍ଦରୀ ଥିଲେ |ଶିଖା ଓ ତାର ସ୍ୱାମୀ  ଅତିଥି ଅଭ୍ୟାଗତଂକ କଥା ବୁଝୁଥିଲେ |ହୋଟେଲ ର ସାଜସଜ୍ଜା ଓ ଖାଦ୍ୟ ସବୁ ଭଲଥିଲା |ଦୀପା ଠାରୁ ବିଦାୟ ନେଇ ଫେରିବା ବେଳେ ନୀତା କେବଳ ଦୀପା କଥାହିଁ ଭାବୁଥିଲା |ହାରିବା ମ୍ୟାଚ୍ କେମିତି ଜିତା ଯାଇପାରେ ସେଇଟା ଦୀପା ତା ଜୀବନରେ  ପ୍ରମାଣ କରିଦେଖାଇ ଦେଲା |  ସେ 'ଦୀପା' ନୁହେଁ,ଅନନ୍ୟା ନୁହେଁ,ଅଦ୍ଵିତୀୟା  ମଧ୍ୟ ନୁହେଁ,ତା ହିସାବରେ ସେ ଥିଲା 'ଅପରାଜିତା' |ମମତା ମହାନ୍ତି |



No comments:

Post a Comment