Saturday, April 1, 2017

ବାପା

                                    ବଡପୁଅ ମୁନା  ପାଇଁ ବୋହୂ ଦେଖିବାକୁ ଯିବାପାଇଁ ସୁରେଶ ଆଦୌ ରାଜି ହେଉ ନ ଥିଲେ |ସେ କହୁଥିଲେ ତମେ ମା ପୁଅ ଦେଖିବାକୁ ଯାଅ |ତମେମାନେ ରାଜି ହେଲେ ମୁଁ ରାଜି,ମତେ ଆଉ ସେ ଅଡୁଆ ରେ ପୁରାଅ ନାହିଁ |କିନ୍ତୁ ଶାନ୍ତି ନଛୋଡବନ୍ଧା |ସେମିତି କେମିତି ହେବ ?ଘର ର ମୁରବୀ ନଗଲେ ଝିଅ ଘର କଣ ଭାବିବେ ?ସୁରେଶଂକ ପାଇଁ ୟେ ଥିଲା ବଡ କଷ୍ଟକର ବ୍ୟାପାର |କିନ୍ତୁ ଯିବାକୁ ପଡିବ,ସେହି ହିସାବରେ ସେ ଗଲେ |ଝିଅଟି ଯେତେବେଳେ ଜାକିଜୁକି ହୋଇ ସେମାନଂକ ସାମନାରେ ବସିଲା ,ମୁଗ୍ଧ ହୋଇ ତାକୁ ଚାହିଁ ରହିଲେ ସୁରେଶ |ତାଂକୁ ଲାଗୁଥିଲା ତାଂକ ସାନଝିଅ ଟିକି ତାଂକ ସାମନାରେ ବସିଛି |ସେ ପଚାରିଲେ,ତୋ ନାଁ କଣ ମା ?ସେ ସଲ୍ଲଜ ଭାବେ ଉତ୍ତର ଦେଲା ,'ଭରସା '|କିନ୍ତୁ ତାର ଉତ୍ତର ଶୁଣି ପାରୁ ନଥିଲେ ସେ |  ପାଂଚବର୍ଷ ତଳ କଥା ତାଙ୍କର ମାନେ ପଡୁଥିଲା  |ଦୁଇପୁଅ ମୁନା ଓ କୁନାଂକ ପରେ ଟିକି ଥିଲା ତାଂକର ଅତି ଆଦରର ଗେହ୍ଲା ଝିଅ |ଅତି ଶାନ୍ତ ଶିଷ୍ଟ ,ମାଛି କୁ 'ମ' କହେନା |ତାର ସବୁ ଅଳି ଅର୍ଦ୍ଦଳି  କୁ ସେ ପୂରଣ କରୁଥିଲେ |ସେ ଭଲ ପାଠ ବି ପଢୁଥିଲା |ମାଟ୍ରିକ ପରୀକ୍ଷା ଦେଇ ସାରି ସେ ମାମୁଁଘରକୁ ବୁଲି ଯାଇଥିଲା |ସେଠାରେ ତାରରେ ଓଦାଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାର ଅକାଳ ବିୟୋଗ ଘଟିଲା |ଏ ଘଟଣା ଏପରି ହୃଦୟ ବିଦାରକ ଥିଲା ଯେ ମାସେ କାଳ ବିଛଣାରୁ ସେ ଉଠି ପାରି ନଥିଲେ |ସେତେବେଳେ ତାଂକୁ ମୃଦୁ ହୃଦଘାତ ମଧ୍ୟ ହୋଇ ଯାଇଥିଲା |ଏବେ ବି ଯେତେବେଳେ ଟିକି କଥା ମନେ ପଡିଯାଏ ,ଛାତି ଫଟାଇ ତାଂକର ଦୀର୍ଘଶ୍ଵାସ  ବାହାରି ଆସେ |ସମୟ ଅନୁସାରେ ଧୀରେ ଧୀରେ ହୃଦୟ ର କ୍ଷତ ଚିହ୍ନ ଲିଭି ଆସୁଥିଲା,କିନ୍ତୁ ଭରସାକୁ ଦେଖିବା ପରେ ସେ କ୍ଷତ ପୁଣି ତାଜା ହୋଇ ତାଂକ ହୃଦୟକୁ କୋରି ପକାଇଲା |
                               ସେ ଭରସାକୁ ଯେତେ ଦେଖୁଥିଲେ,ଟିକି କଥା ତାଂକର ସେତେ ବେଶି ମନେ ପଡୁଥିଲା |ସେଇଭଳି ଗୋଲ ମୁହଁ,ହସିଦେଲେ ଗାଲରେ ଭଉଁରୀ,ସିଧା କେଶ,ଲମ୍ବା ଚୁଟି |ହାତ ଓ ପାଦ ର ଆଂଗୁଠି ଲମ୍ବା ଲମ୍ବା |ସୁରେଶ ଶାନ୍ତିଂକୁ ବାହାରକୁ ଡାକି କହିଲେ,ତମେ ମୁଦି ଆଣିଛ ?ଶାନ୍ତି ଆଶ୍ଚର୍ଯ୍ୟ ହୋଇ କହିଲେ ,କଣ ପାଇଁ?ସୁରେଶ କହିଲେ,ଯଦି ଆଣିଛ,ଝିଅକୁ ପିନ୍ଧେଇ ଦିଅ ,ଆମେ ଏଇଠି ବାହାଘର କରିବା |ଶାନ୍ତି ତାଂକ ରାଗକୁ ଚାପି ଦେଇ କହିଲେ,ଘରେ ଗଲେ କଥା ହେବା |ଘରକୁ ଫେରିବା ପରେ ସେ ସୁରେଶଂକୁ ପରସ୍ତେ ଶୋଧି ଦେଇ କହିଲେ,ତମକୁ ସ୍ଥାନ,କାଳ ,ପାତ୍ର ଜଣା ନାହିଁ |ଆମ ହାତରେ ଏବେ ଭଲ ଭଲ ପାଂଚ ଟା ପ୍ରସ୍ତାବ ଅଛି,ଏଇ ଗୋଟିଏ ଦେଖି ଆମେ ହଁ ମାରିଦେବା ?ପୁଣି ତାଂକ ଘରେ କହୁଛ କଣ ନାଁ ତାକୁ ମୁଦି ପିନ୍ଧେଇ ଦିଅ !ସୁରେଶ ଗୁମ୍ ହୋଇ ବସିଗଲେ |କହିଲେ,ଠିକ ଅଛି |ପାଂଚ ଟା ହେଉ କି ଦଶ ଟା ହେଉ ସବୁ ପ୍ରସ୍ତାବ ଦେଖି ତମେ ନିଜେ ଫାଇନାଲ କରିବ,ମତେ ଯିବାକୁ କହିବନି |
                                ଶାନ୍ତି  ତାଂକର ନିକଟ ସମ୍ପର୍କୀୟଙ୍କୁ ସାଂଗରେ  ନେଇ ଅନେକ ଝିଅ ଦେଖିଲେ,ହେଲେ କେହି ଭରସା ପାସଙ୍ଗରେ  ପଡୁ ନ ଥିଲେ |ଈଶ୍ୱରଙ୍କ  ବୋଧହୁଏ ସେଇ ଇଚ୍ଛା ଥିଲା |ସୁରେଶ ଯେତେବେଳେ ଶୁଣିଲେ,ଭରସା ଶାନ୍ତିଂକର ଚୂଡାନ୍ତ ପସନ୍ଦ ହୋଇଛି ,ତାଂକର ଆନନ୍ଦର ସୀମା ରହିଲା ନାହିଁ |ସେ ଖୁସି ମନରେ ଶାନ୍ତିଂକ ସାଂଗରେ ଯାଇ ତାଂକ ପସନ୍ଦ ଅନୁସାରେ ଗହଣା ,ଲୁଗାପଟା ଇତ୍ୟାଦି ସବୁ କିଣିଲେ,ଶାନ୍ତିଂକ କୌଣସି କଥାରେ ସେ ଅରାଜି ହେଲେ ନାହିଁ |
                                ବିଦା ହେବାବେଳେ ଭରସା ର ବାପା ମା ତାକୁ କହିଥିଲେ,ତୋ ଶାଶୁ ଶ୍ୱଶୁରଙ୍କୁ  ନିଜ ବାପା ମା ଭାବି ଚଳିବୁ |ଶାଶୁଘର ତୋର ଦ୍ୱିତୀୟ ସ୍ୱର୍ଗ  |ସେଠାରେ ସମସ୍ତଂକ ମନ ନେଇ ଚଳିଲେ,ତୁ ଖୁସିରେ ରହିବୁ |ସେମାନଂକ କଥା ଭରସା ର ନାପସନ୍ଦ ହେଉଥିଲା |ସେ ଭାବୁଥିଲା,ବାପା ମା ସବୁବେଳେ ବାପା ମା |ଶାଶୁ ଶ୍ୱଶୁର  କେବେ କଣ ବାପା ମାଆଙ୍କ ସ୍ଥାନ ନେଇ  ପାରିବେ ?ଏକଥା କାନକୁ ସୁନ୍ଦର ଶୁଣାଯାଏ,ହେଲେ ପ୍ରକୃତରେ ଯିଏ ଯାହା ସିଏ ତାହା |କାହା ସ୍ଥାନ କେହି ନେଇ ପାରନ୍ତି  ନାହିଁ |ଭରସା ର ଡାକନାମ ଥିଲା 'ମିଲି' |ଶାଶୁଘରେ ବି ସମସ୍ତେ ତାକୁ ସେଇ ନାମରେ ଡାକୁଥିଲେ  |ତାର ଶାଶୁଘର ଥିଲା ଅତିଥି ଅଭ୍ୟାଗତଂକ ବାସଘର |ସେଠାକୁ ପ୍ରତିଦିନ କେହି ନାଁ କେହି ଅତିଥି ବା ବନ୍ଧୁବାନ୍ଧବ ଆସୁଥିଲେ,ଦୁଇ ତିନିଦିନ ରହି ଯାଉଥିଲେ |ସେତେବେଳେ ରୋଷେଇବାସ ଟିକେ ଅଧିକ ବଢି ଯାଉଥିଲା |ସୁରେଶ ଜାଣୁଥିଲେ, ଭରସା ଉପରେ ଅଧିକ କାମ ଚାପ ପଡୁଛି |ବେଳେବେଳେ ସେ ରୋଷେଇ ଘରକୁ ଯାଇ ଭରସା କୁ କହନ୍ତି,'ମା',ତତେ ମସଲା ଭଲ କଷି ଆସୁନି,ତୁ ଉଠ ,ମୁଁ ମସଲା କଷି ସାରିଲା ପରେ ତୁ ତରକାରୀ  କରିବୁ |କିନ୍ତୁ ସେ ମସଲା କଷି ସାରି ତରକାରୀ କରି ଦିଅନ୍ତି,ଆଉ ଯଦି କିଛି ଭଜା ଆଇଟମ ଥାଏ ,ତାହା ମଧ୍ୟ କରି ଦିଅନ୍ତି |ପୁଣି  କେତେବେଳେ ଭରସା କୁଣିଆ ଚର୍ଚ୍ଚାରେ ବ୍ୟସ୍ତ ଥିବାବେଳେ ସେ ସେମାନଂକ ପାଇଁ ଚା' କରି ଦିଅନ୍ତି ,ଅଟା ଦଳି ଦିଅନ୍ତି ,ରୋଷେଇ ଘର ର ବାସନକୁସନ ସଜାଡି ରଖି ଦିଅନ୍ତି |ଶାନ୍ତି ତାଂକର ଶାଶୁପଣିଆ ଜାହିର କରୁଥିବା ବେଳେ ସୁରେଶ ଭରସା ଉପରେ ଯେମିତି ବେଶି କାମ ଚାପ ନ ପଡୁ ସେ ଦିଗରେ ଧ୍ୟାନ ଦିଅନ୍ତି |ସୁରେଶ ଭାରି ଆମିଷ ପ୍ରିୟ |ତାଂକ ଘରେ ସପ୍ତାହ ର ତିନିଦିନ,ବୁଧବାର,ଶୁକ୍ରବାର ଓ ରବିବାର ଦିନ ପ୍ରାୟ ଆମିଷ ଭୋଜନ ହୁଏ |କିନ୍ତୁ ଭରସା ଶୁକ୍ରବାର ଓ ରବିବାର ଦିନ ଆମିଷ ଖାଏନା |ଧୀରେ ଧୀରେ ତାପାଇଁ ଶୁକ୍ରବାର ଓ ରବିବାରଦିନ ଘରକୁ ଆମିଷ ଆସିବା ବନ୍ଦ ହୋଇଗଲା |ମୁନା କହେ,ସେ ନ ଖାଉ ବାପା,ଆମ ପାଇଁ ଆଣ,ଆମେ ଖାଇବା |ସୁରେଶ କହନ୍ତି,କାହ୍ନା ପାଇଁ ସିନା ଦୋଳଯାତ୍ରା,ସେ ନ ଖାଇଲେ ଆମକୁ କଣ ଖାଇବାକୁ ଭଲ ଲାଗିବ ?
                               ବାହାଘର ବର୍ଷକ ପରେ ଭରସା ଗର୍ଭବତୀ ହେଲା |ସେତେବେଳେ ଡାକ୍ତରଂକ ପରାମର୍ଶ ଅକ୍ଷରେ ଅକ୍ଷରେ ପାଳନ କରି ଯାହା କିଛି କରିବା କଥା ନିଜେ ଗୋଡେ ଗୋଡେ ଜଗି ସୁରେଶ  ସବୁ କରୁଥିଲେ |ଯେତେବେଳେ ପାଖ ପଡୋଶୀ ବୋହୂ କେତେବେଳେ ବାପଘରକୁ ଯିବ ବୋଲି ପଚାରନ୍ତି,ସେ ଶୁଣି ନ ଶୁଣିବା ପରି ରହି ଯାଆନ୍ତି |କିନ୍ତୁ ଯେତେବେଳେ ବାରମ୍ବାର ଏ ପ୍ରଶ୍ନ ତାଂକ କାନରେ ବାଜିଲା,ସେ କ୍ରୋଧ ଜର୍ଜରିତ ହୋଇ କହି ପକାଇଲେ,ସେ ବାହାହୋଇ ଆମ ଘରକୁ ଆସି ଗଧ ଖଟଣୀ ଖଟୁଛି,ଏବେ ଯେତେବେଳେ ତା ପାଇଁ କିଛି ସେବା  କରିବାର ସୁଯୋଗ ଆସିଲା,ସେତେବେଳେ ଆମେ ତାକୁ ବାପଘରକୁ ପଠେଇ ଦବୁ ?ୟେ କି ସ୍ୱାର୍ଥପରତା  ?ହଁ ସେ ଯିବ,କିନ୍ତୁ ଅସୁବିଧାରେ ପଡି ନୁହେଁ |ସେ ଯିବ ଖୁସି ମନରେ ,ମଜା କରିବା ପାଇଁ |ସେଇଦିନ ଠାରୁ ଆଉ ସେ ପ୍ରଶ୍ନ ତାଂକ ଘରେ ଉଠିଲା ନାହିଁ |ଭରସା ର ବାପଘର ଦେଖନ୍ତି,ଝିଅ ଭଲରେ ଅଛି ,ତାଂକ ଘର ଅପେକ୍ଷା ସେଠାରେ ଡାକ୍ତରୀ ସୁବିଧା ଭଲ |ତେଣୁ ସେମାନେ ମଧ୍ୟ ଚାହିଁଲେ ,ଝିଅ ଯେଉଁଠି ଥାଉ,ଭଲରେ ଥାଉ |
                           ଡେଲିଭରି ଦିନ ଯେତେ ନିକଟତର ହୋଇ ଆସିଲା,ସୁରେଶଂକ ଚିନ୍ତା ସେତେ ବଢିବାରେ ଲାଗିଲା,କାଳେ କିଛି ଅସୁବିଧା ହୋଇ ଯିବ କି !ଡାକ୍ତରାଣୀ ଆଶ୍ୱାସନା  ଦେଇ କହନ୍ତି,ଆଜିକାଲି ଚିକିତ୍ସା ବିଜ୍ଞାନ ଏତେ ଉନ୍ନତି କଲାଣି ଯେ ଗର୍ଭବତୀ ନାରୀ ସୁରୁଖୁରୁରେ ସନ୍ତାନ ପ୍ରସବ କରୁଛି ,ତେଣୁ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ |କିନ୍ତୁ ଏତେ ଆଶ୍ୱାସନା ସତ୍ତ୍ୱେ  ଡାକ୍ତରାଣୀ ଶେଷ ମୁହୁର୍ତ୍ତରେ କହିଲେ,କିଛି ମେଜର ପ୍ରୋବଲେମ୍ ଅଛି,ସି ସେକ୍ସନ୍ କରିବାକୁ ପଡିବ |ତାଂକ ଠାରୁ ଏକଥା ଶୁଣି ଅଜଣା ଆଶଂକାରେ ଶିହିରୀ ଉଠିଲେ ସୁରେଶ |ସେ ସମୁଦୀ ସମୁଦୁଣୀଂକୁ ତୁରନ୍ତ ଏ କଥା ଜଣାଇଲେ |ସମୁଦୀ କହିଲେ,ଆଜିକାଲି ଡାକ୍ତର ଆଉ ନର୍ମାଲ ଡେଲିଭରି କରୁ ନାହାନ୍ତି ,ସେଇଟା ତାଂକୁ ସୁବିଧା ହେଉଛି |ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ,ସବୁ ଠିକ ହେବ |ହେଲେ ସୁରେଶ ନିଜ ମନକୁ ବୁଝାଇ ପାରୁ ନ ଥିଲେ |ସେ ମନେ ମନେ କେତେ ଦିଅଁ,ଦେବତାଂକ ପାଖରେ ଭରସା ର ଶୁଭ ମନାସି ମାନସିକ କରୁଥିଲେ |ଯଥା ସମୟରେ ଅସ୍ତ୍ରୋପଚାର ଦ୍ୱାରା  ହେଉ ପଛକେ ଭଲରେ ଭଲରେ କନ୍ୟା ସନ୍ତାନ ଟିଏ ଜନ୍ମ ହେଲା |ସୁରେଶ ଖୁସିରେ ଫାଟି ପଡୁଥିଲେ ଓ  ଈଶ୍ୱରଙ୍କୁ  ନିଜର ଲକ୍ଷ ଲକ୍ଷ କୃତଜ୍ଞତା  ବାରମ୍ବାର ଜଣାଉ ଥିଲେ |ସେ ଶ୍ରଦ୍ଧାରେ ନାତୁଣୀ ନାଁ ରଖିଲେ,'ଗୁଡି' |
                       ଗୁଡି  ଜନ୍ମ ହେବାପରେ ତାଂକ ଘରେ ଆହୁରି ଗହଳି ବଢିଗଲା |କିନ୍ତୁ ସୁରେଶ ଆଦୌ ବ୍ୟସ୍ତ ହେଉ ନ ଥିଲେ | ଶାନ୍ତି ଗୁଡି କୁ ନେଇ ଯେତେବେଳେ ତେଲ ଲଗାଇବାକୁ ବସନ୍ତି,ସେ ତାର ଲୁଗାପଟା ଆଦି ସାମଗ୍ରୀ ସଜାଡି ରଖି ଦିଅନ୍ତି ,ଗିଜର ଅନ କରି ପାଣି ଗରମ କରନ୍ତି |ଗୁଡି ର ତେଲ ମାଲିସ ଶେଷ ହେବା ବେଳକୁ ଟବ ରେ ଉଷୁମ ପାଣି ଭର୍ତ୍ତି କରି ଦିଅନ୍ତି  |ଶାନ୍ତିଂକ ସାଂଗରେ ମିଶି ସେ ଗୁଡି କୁ ଗାଧୋଇ ଦିଅନ୍ତି,ତା ମୁଣ୍ଡ କୁଣ୍ଡାଇ କଜଳ ଲଗାଇ ଦିଅନ୍ତି |ଝିଅ କ୍ଷୀର ପିଇ ସାରିବା ପରେ ତାକୁ କାନ୍ଧରେ ପକାଇ ନାନା ପ୍ରକାର ନାନାବାୟା ଗୀତ ଗାଇ  ଶୁଆଇ ଦିଅନ୍ତି |ସେ ଝିଅ ସାଂଗେ ଏତେ ନିବିଡ ଭାବେ ମିଶି ଯାଇଥିଲେ ଯେ ତାର ଭାବଭଂଗୀ ଦେଖି ସେ ଜାଣି ପାରୁଥିଲେ,ତାକୁ ଭୋକ ଲାଗୁଛି,କି ନିଦ ଲାଗୁଛି କିମ୍ବା ଅନ୍ୟ କଣ ଅସୁବିଧା ହେଉଛି |ଦିନେ ଦିନେ ଗୁଡି ଆଦୌ ଶୁଏନା |ସେତେବେଳେ ସୁରେଶ ତାକୁ ଘଣ୍ଟା ଘଣ୍ଟା ଧରି କାନ୍ଧରେ ପକାଇ ବୁଲାନ୍ତି |ସେତେବେଳେ ଅଣ୍ଟା,ଆଂଠୁ  କଷ୍ଟ ହେଲେ ବି ସେକଥା କାହାକୁ କହନ୍ତି ନାହିଁ |
                  ଗୁଡି କୁ ଛଅ ମାସ ହେବାପରେ ଶୁଭଦିନ ଦେଖି ସେ  ତାର  ଅନ୍ନପ୍ରାସନ କଲେ |ସେଥିପାଇଁ ସେ ଏକ ବଡଭୋଜି ର ଆୟୋଜନ କରିଥିଲେ ଓ ତାଂକର ସାଇପଡିଶା,ବନ୍ଧୁବାନ୍ଧବ ସମସ୍ତଂକୁ ସେ ନିମନ୍ତ୍ରଣ କରିଥିଲେ |ସବୁକାମ ଭଲରେ ସରିବା ପରେ ସେ ଭରସା କୁ ପଚାରିଲେ,ବାପା ବୋଉଂକ ସାଂଗରେ ଘରକୁ ଯିବାକୁ ମନ ହେଉଛି କି ମା ?ଭରସା ତତକ୍ଷଣାତ୍ କହି ପକାଇଲା,ହଁ ବାପା |ସୁରେଶ ହସି ଦେଇ କହିଲେ,ହଉ ଯା |ହେଲେ ମନେ ରଖିଥା,ଇଲେକ୍ଟ୍ରୋନିକ୍ସ କିମ୍ବା ଇଲେକ୍ଟ୍ରିକ ଜିନିଷ ହୁସିଆର ରେ ବ୍ୟବହାର କରିବୁ |ସେଇକଥା ସେ ବାରମ୍ବାର ସମୁଦୀ ଓ ସମୁଦୁଣୀଂକୁ କହିଲେ |ସୁରେଶଂକ ମନ ରଖିବା ପାଇଁ ସେମାନେ ହଁ କହିଦେଲେ ସିନା,ମନେ ମନେ ଭାବିଲେ,ସେ କଣ ଏତେ ଛୋଟ ପିଲା ହୋଇଛି ଯେ ତାକୁ ଏତେ ହୁସିଆରରେ ରହିବାକୁ ପଡିବ !ଭରସା ଗୁଡି ସହିତ ଯିବାକୁ ବାହାରିବା ବେଳେ ସୁରେଶଂକ ମନ ବୁଝିଲା ନାହିଁ,ସେ ମଧ୍ୟ ଶାନ୍ତିଂକ ସହ ତାଂକ ସହିତ ଗଲେ |ସମୁଦୀଂକ ଘରେ ଦିନେ ରହି ଫେରିବା ପରେ ପୁଣି ସେଇକଥା ର ପୁନରାବୃତ୍ତି କଲେ,ମା ଇଲେକ୍ଟ୍ରୀ କରେଣ୍ଟ କୁ ଜଗି ରଖି ଚଳିବୁ |ଭରସା କହିଲା,ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବାପା,ମୁଁ କଣ ଛୋଟପିଲା ହୋଇଛି ?ମୁଁ ବରଂ ଗୁଡି କୁ ହୁସିଆରରେ ରଖିବି |ସୁରେଶ ମନ କଥା ମନରେ ରଖି କହିଲେ,ହଉ,ଠାକୁର ଭରସା |ହେଲେ ମା,ଯେତେ କାମ ଥାଉ ପଛକେ ତୁ ସବୁଦିନ ଫୋନ୍ କରିବାକୁ ଭୁଲିବୁନି |ହସି ହସି ହଁ କହିଲା ଭରସା |ପୁଣି କହିଲା,ବାପା,ଆପଣ ପହଂଚିଲା ପରେ ଫୋନ  କରି କହିଦେବେ |ତା କଥା ଶୁଣି ସୁରେଶ ଖୁସିରେ କହିଲେ,ହଁ ଲୋ ମା ,ହଁ |
                   ଭୁବନେଶ୍ୱରରେ  ପହଂଚିବା ପରେ ସେ ଭରସା କୁ ଫୋନ୍ କରି ପହଂଚି ଗଲୁ ବୋଲି କହିଲେ ଓ ସେ ଯେମିତି ତାଂକୁ ସବୁଦିନ ଫୋନ୍ କରିବ,ସେକଥା ତାକୁ ଆଉଥରେ ମନେ ପକାଇ ଦେଲେ |ଭରସା ତାର ସବୁଦିନିଆ ରୁଟିନ ପରି ଦିନ ବାର ଟା ରୁ ଗୋଟାଏ ଭିତରେ ଯେମିତି ହେଉ ଥରେ ଶାନ୍ତିଂକୁ ଫୋନ୍ କରି ନିଜ କଥା କହେ ଓ ସେମାନଂକ ଭଲ ମନ୍ଦ କଥା ମଧ୍ୟ ବୁଝିନିଏ |ଯେଉଁଦିନ ତାର ଫୋନ୍ କରିବାରେ ଡେରି ହୁଏ,ସୁରେଶ ଭାରି ବ୍ୟସ୍ତ ହୁଅନ୍ତି,ଶାନ୍ତିଂକୁ କହନ୍ତି,ମିଲି କାହିଁକି ଏତେ ବେଳ ହେଲାଣି ଫୋନ୍ କରିନି,ତମେ ଟିକେ ଫୋନ୍ କରି ବୁଝିଲ |ଶାନ୍ତି ବୁଝାନ୍ତି ଛୁଆ କାମରେ ବ୍ୟସ୍ତ ଥିବ,ପରେ ଫୋନ୍ କରିବ |କିନ୍ତୁ ସୁରେଶଂକ ମନ ବୁଝେନା |ସେ ଭରସା କୁ ଫୋନ୍ କରି ଶାନ୍ତିଂକୁ ଫୋନ୍ ଧରେଇ ଦେଇ କହନ୍ତି,ମିଲି ସାଂଗେ କଥା ହେଇଯା |ଭରସା ସେପଟୁ କହେ,ଗୁଡି କୁ ଶୁଆଉ ଥିଲି |ଏବେ ଫୋନ୍ କରିଥାନ୍ତି,ଆପଣ ଫୋନ୍ କଲେ |ଶାନ୍ତି ପଚାରନ୍ତି,ସବୁ ଭଲ ତ ମା ?ମିଲି କହେ ହଁ ବୋଉ ,ସବୁ ଭଲ |ଏଇ ପଦକ କଥାରେ ସୁରେଶଂକ ମନ ବୁଝିଯାଏ,ସେ ପୁଣି ନିଜ କାମରେ ଲାଗି ଯାଆନ୍ତି |ଦିନେ ସକାଳୁ ସଂଜ ପର୍ଯ୍ୟନ୍ତ ଭରସା ର ଫୋନ୍ ଆସିଲାନି |ତା ପାଖକୁ ଫୋନ୍ କଲେ,ନୋ ରିପ୍ଳାଏ ଆସିଲା |ସୁରେଶଂକ ମନରେ ନାନା ଆଶଂକା ଉଂକି ମାରିଲା |ସନ୍ଧ୍ୟାରେ ମୁନା ଘରକୁ ଫେରିବା ପରେ ସେ ତାକୁ ଏ କଥା କହିଲେ |ପଚାରିଲେ,ତା ପାଖରେ କିଛି ଖବର ଅଛି କି ନାହିଁ |ମୁନା ନିର୍ଲିପ୍ତ ନିର୍ବିକାର ଭାବେ କହିଲା,ବାପା ,ନୋ ନିଉଜ୍ ମାନେ ଗୁଡ ନିଉଜ୍ |ତମେ ବ୍ୟସ୍ତ ହୁଅନା |ସେ କାହା ଘରକୁ ବୁଲି ଯାଇଥିବ,ସେଇଠି ନେଟ ୱାର୍କ ନ ଥିବ |ଘରକୁ ଫେରିଲେ ଫୋନ୍ କରିବ |କିନ୍ତୁ ସୁରେଶ ବୁଝିବା ଲୋକ ନୁହନ୍ତି |ସେ ବାରମ୍ବାର ସେମିତି ଫୋନ୍ ଲଗେଇ ଚାଲିଥାନ୍ତି |ସତକୁ ସତ ରାତି ଆଠ ଟା ରେ ଭରସା ଫୋନ୍ କଲା |କହିଲା,ସେମାନେ ସମସ୍ତେ ମାଉସୀଂକ ଘରକୁ ବୁଲି ଯାଇଥିଲେ |ସେଠାରେ ନେଟ ୱାର୍କ ନ ଥିଲା,ତେଣୁ ଫୋନ୍ ଲାଗୁ ନ ଥିଲା |ଫୋନ୍ ନ କରି ସୁରେଶଂକ ଚିନ୍ତା ବଢାଇଦେଇ ଥିବାରୁ ସେ ମନେ ମନେ ଲଜ୍ଜିତ ହେଲା ଓ ବହୁତ ଅନୁତାପ କଲା |
                        କିଛିଦିନ ପରେ  ସକାଳୁ ସକାଳୁ ସମୁଦୀଂକ ଫୋନ୍ ଆସିଲା |ଏତେ ସକାଳୁ ସମୁଦୀ କାହିଁକି ଫୋନ୍ କଲେ ଭାବି ସେ ଫୋନ୍ ଉଠାଇଲେ |ସମୁଦୀ କହୁଥିଲେ,ଆଜି ସକାଳୁ ସକାଳୁ ବଡ଼ ଅଘଟଣ ହୋଇ ଯାଇଛି |ମିଲି ଗାଧୋଇ ସାରି ତାରରେ ଲୁଗା ଶୁଖାଉ ଥିଲା,ହଠାତ୍ କରେଣ୍ଟ ଲାଗି .....ତାଂକ କଥା ଶେଷ ହୋଇନି ସୁରେଶଂକ ହାତରୁ ମୋବାଇଲ୍ ଖସି ପଡିଲା,ସେ ସେଇଠାରେ ବେହୋସ୍ ହୋଇ ପଡିଗଲେ |ଦୁଲ୍ କରି ଏକ ଭାରି ଜିନିଷ ପଡିବାର ଶବ୍ଦ ଶୁଣି ଶାନ୍ତି ଓ ମୁନା ଦୌଡି ଆସିଲେ |ଅନେକ ପାଣି ଛାଟିବା ସତ୍ତ୍ୱେ ସୁରେଶଂକ ଚେତା ଫେରିଲାନି |ତାଂକୁ ନେଇ ଡାକ୍ତରଖାନାରେ ଆଡମିଶନ କରାଗଲା |ଡାକ୍ତର ତାଂକୁ ପରୀକ୍ଷା କଲେ,କିନ୍ତୁ କିଛି କହିଲେ ନାହିଁ |ଘରେ କାନ୍ଦ ବୋବାଳି ପଡିଗଲା |ମୁନା ଖବର ନେଇ ଜାଣିଲା,ଭରସା କୁ କରେଣ୍ଟ ଲାଗିଥିଲା,କିନ୍ତୁ କରେଣ୍ଟ ଆଘାତରେ ସେ ଛାଟି ହୋଇ ଦୂରରେ ପଡିଲା,ତାର କିଛି ହୋଇନି |ସେ ସୁରେଶଂକ ଖବର ଭରସା କୁ ଜଣାଇଲା |କହିଲା,ବାପା ବର୍ତ୍ତମାନ କୋମାରେ |ଯଦି ଶେଷ ଦେଖା କରିବାର ଇଚ୍ଛା ଥାଏ ତାହାଲେ ଆସିବ |ଭରସା ର ମୁଣ୍ଡରେ ଯେମିତି ଚଡକ ପଡିଲା |ସେ ଗୁଡି କୁ ବୋଉଂକ ପାଖରେ ଛାଡିଦେଇ ବାପାଂକ ସହିତ ସିଧା ଡାକ୍ତରଖାନା ଚାଲିଆସିଲା |ସୁରେଶଂକ ପାଖରେ ବସି ତାଂକ ମୁଣ୍ଡକୁ ଧୀରେ ଧୀରେ ଆଉଁସି ଦେଲା |ଆଖିରୁ ତାର ଧାର ଧାର ଲୁହ ଅନର୍ଗଳ ଝରି ଯାଉଥିଲା |ଈଶ୍ୱରଙ୍କୁ  ପ୍ରାର୍ଥନା କରି କହୁଥିଲା,ପ୍ରଭୁ,ମୋ ଜୀବନ ପଛକେ ନେଇଯାଅ ,ବାପାଙ୍କୁ ବଂଚେଇ ଦିଅ |  ଈଶ୍ୱରଙ୍କ  ଇଚ୍ଛା ବୋଧହୁଏ ଅନ୍ୟପ୍ରକାର ଥିଲା |ହଠାତ୍ ସୁରେଶ  ଆଖି ଖୋଲି ଚାହିଁଲେ |ପାଖରେ ଭରସା କୁ ଦେଖି କହିଲେ,ଟିକି ତୁ ଏଇଠି ?ତୋ ଦେହ ଭଲ ଅଛି ନାଁ ମା ?ଡାକ୍ତରଂକ ସମେତ ସମସ୍ତେ ସୁରେଶଂକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ |ସୁରେଶ ଖୁସିରେ କହୁଥିଲେ,ମୋ ଝିଅର କିଛି ହୋଇନି ,ସେ ଭଲ ଅଛି |ଠାକୁର ମୋ ଡାକ ଶୁଣିଛନ୍ତି,ସେ ବଂଚି ଯାଇଛି |ମମତା ମହାନ୍ତି

                                       
                               
                       
                         

No comments:

Post a Comment