Wednesday, September 13, 2017

ଭୁଲି ଯାଇଥିବା ରାସ୍ତା

                     ଫୁଲବାଣୀ ର କେଉଁ ଏକ ଅଖ୍ୟାତ ପଲ୍ଲୀରେ ସୀତାର  ଜନ୍ମ |ପିଲାଦିନୁ ପାଠପଢାରେ ତାର ପ୍ରବଳ ଆଗ୍ରହ ଥିଲା |କିନ୍ତୁ ଆର୍ଥିକ ଦୁରବସ୍ଥା ଯୋଗୁଁ ଅଷ୍ଟମ ଶ୍ରେଣୀ ଯାଏଁ ପଢି ପାଠରେ ଡୋରି ବାନ୍ଧିଥିଲା |ତାର ବାହାଘର ପାଖ ଗାଁ ର ନାରାୟଣ ସହିତ ହୋଇଥିଲା | ନାରାୟଣ  ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲା |ଅଂକ ନଆସିବାରୁ ଦିନେ ସାର୍ ତାକୁ ବେତରେ ପିଟିଥିଲେ |ସେହିଦିନ ଠାରୁ ସେ ଆଉ ସ୍କୁଲକୁ ଯାଇ ନଥିଲା |ଘରେ  ମା'ଛଡା ତାର ବଡବାପା,ବଡବୋଉ ସମେତ ଦଶଜଣ ସଦସ୍ୟ ଥିଲେ |ସେ ବର୍ଷକର ହୋଇଥିବା ବେଳେ ବାପା ଅକାଳମୃତ୍ୟୁବରଣ କରିଥିଲେ |ବାପା ଛେଉଣ୍ଡ ହୋଇଥିବାରୁ ଓ ଘରେ ସମସ୍ତଂକ ଠାରୁ ସାନ ହୋଇଥିବାରୁ ସେ ଅତି ଗେଲବସରରେ ବଢିଥିଲା | ସାଂଗମାନଂକ ସହ ବୁଲି ମଉଜ କରିବା ବ୍ୟତୀତ ତାର ଆଉ କିଛି କାମ ନଥିଲା | ସୀତାକୁ  ବାହାହେବା ପରେ ବି ନାରାୟଣର  ପ୍ରକୃତି ବଦଳି ନଥିଲା |ସେମିତି ଫୁଲାଫାଂକିଆ ଜୀବନ ବିତାଇବାକୁ ତାକୁ ଭଲ ଲାଗୁଥିଲା |ବିଲବାଡି କାମ ତାକୁ ଭଲଲାଗୁ ନଥିଲା |ବର୍ଷକ ପରେ ସୀତା କୋଳକୁ ପୁଅଟିଏ ଆସିଲା |ଦୁହେଁ ତା ନାଁ ରଖିଲେ ଶିବା |ସୀତାର ଶିକ୍ଷା ପ୍ରତି ଅନେକ ଦୁର୍ବଳତା ଥିଲା |ନିଜେ ସିନା ପାଠପଢି ପାରିଲାନି,ତାର ଇଚ୍ଛା ଥିଲା,ପୁଅକୁ ବହୁତ ପାଠ ପଢାଇ ଉଚ୍ଚଶିକ୍ଷିତ କରାଇବ |ନାରାୟଣର  ଗୋଟିଏ ସାଂଗ ଭୁବନେଶ୍ୱର  ର ଏକ ହୋଟେଲ ରେ ଚାକିରୀ କରୁଥିଲା |କିଛିମାସ ପରେ ସେ ଯେତେବେଳେ ଗାଁକୁ ଫେରିଲା,ତା ସାଂଗମାନଂକ ଆଗରେ ଭୁବନେଶ୍ୱର  ବିଷୟରେ  ଅନେକ କଥା କହିଲା |ତା ଭାଷାରେ ଭୁବନେଶ୍ୱର  ଏକ ସ୍ୱପ୍ନର  ରାଜ୍ୟ ଠାରୁ କୌଣସି ଗୁଣରେ କମ ନଥିଲା |ସେ ଯେଉଁ ହୋଟେଲ ରେ କାମ କରୁଥିଲା,ମାସିକ ଦରମାକୁ ଛାଡି,ଦିନକୁ ଚାରିବେଳା ଖାଇବା ଓ ରହିବାପାଇଁ ଘର ମାଗଣା ଥିଲା |ନିଜ ଜନ୍ମଭୂମିର ମୋହ ଛାଡି ଭୁବନେଶ୍ୱର  ଯିବାପାଇଁ ନାରାୟଣର ମନ ଉଚ୍ଚାଟ ହେଲା |ସେ ନିଜର ମନକଥା ସୀତାକୁ କହିଲା |ଗାଁରେ ପାଠପଢାର ବିଶେଷ ସୁବିଧା ନଥିବାରୁ ସୀତା ମଧ୍ୟ ମନେ ମନେ ଏପରି ସୁଯୋଗ ଖୋଜୁଥିଲା |ସେ ଭାବୁଥିଲା,ଥରେ ନାରାୟଣ ସହରକୁ ଗଲେ,ସିଏ ବି ତା ପଛେ ପଛେ ଯିବ,ଯେଉଠି ସେ ତା ପିଲାକୁ ପାଠ ପଢାଇ ପାରିବ |ସେ ନାରାୟଣକୁ କହିଲା,ହଁ ତମେ ଯାଅ ,ହେଲେ ମୁଁ ବି ତମ ସାଂଗରେ ଯିବି |ନାରାୟଣ କହିଲା,ସେଠାକାର ହାଲ କଣ ମୁଁ ପ୍ରଥମେ ଯାଇ ଦେଖିଆସେ,ଯଦି ସୁବିଧା ହେବ ତତେ ନେବି,ନହେଲେ ତୁ ଏଇଠି ମା ପାଖରେ ରହିବୁ |
            ନାରାୟଣ ତାର ଦୁଇଜଣ ସାଂଗଂକୁ ନେଇ ଭୁବନେଶ୍ୱର  ଗଲା |ସେଠିକାର ଚାକଚକ୍ୟ ଦେଖି ସେ ଖୁସି ହେବା ସଂଗେ ସଂଗେ ଦୁଃଖୀ ବି ହେଲା |ଦୁଃଖୀ ଏଇଥିପାଇଁ ଯେ ତା ଭଳି ମଳିମୁଣ୍ଡିଆ ଲୋକ କେମିତି ଖାପଖୁଆଇ ଚଳି ପାରିବ !କିନ୍ତୁ ଦୁଇମାସରେ ସବୁ ଠିକ ହୋଇଗଲା |ଖାଲି ଗୋଟିଏ ଅସୁବିଧା ଥିଲା,ତାର ରହିବା ସ୍ଥଳି |ସେଠାରେ ତାପରି ଦେଢଶହ ଲୋକ ରହୁଥିଲେ |ଭୋରରୁ ଉଠି ନିତ୍ୟକର୍ମ ଶେଷ କରିବା ପାଇଁ ତାକୁ ଭାରି ଅସୁବିଧା ହେଉଥିଲା |କିନ୍ତୁ ସେଠିକାର ଚାରିବେଳା ଖାଦ୍ୟ ଖୁବ ସୁସ୍ୱାଦୁ  ଥିଲା |ଏହା ସହିତ ଗରାଖ ଛାଡି ଯାଉଥିବା ମୂଲ୍ୟବାନ ମଦ କେବେ କେମିତି ମିଳୁଥିଲା |ମାସିକ ଦରମା ଖର୍ଚ୍ଚ କରିବାପାଇଁ ସମୟ ବା ସୁଯୋଗ ନଥିଲା |କିଛିଦିନ ପରେ ସେ ହୋଟେଲ ପାଖାପାଖି ଦେଖି ଏକବଖରା ଘର ଭଡା ନେଲା |ଟିଣଛାତ ହେଲେ ବି ଘରଭଡା ଏକ ହଜାର ଟଂକା ଥିଲା |ଘରମାଲିକ ତା ପିଲାମାନଂକ ସହିତ ସେଇଠାରେ ରହୁଥିଲେ |ତାକୁ ମିଳିଥିବା ରୁମ ଟି ଗେଟ ପାଖରେ ଥିଲା |ସମସ୍ତଂକ ବ୍ୟବହାର ପାଇଁ ଘର ଭିତରେ ଦୁଇଟି ପାଇଖାନା ଓ ଗାଧୁଆଘର ଥିଲା  |ସୀତା ଓ ଶିବା ଆସିଲେ ସେଠାରେ ନିରାପଦରେ ରହିବେ ଭାବି ସେ ନଗଦ ପାଂଚହଜାର ଟଂକା ଅଗ୍ରୀମ  ଦେଇ ସେ ଘର ରଖିଲା |
            ଦିନେ ସୁବିଧା ଦେଖି ସେ ଫୁଲବାଣୀ ଯାଇ ତାର ମା ,ସୀତା ଓ ଶିବା କୁ ଭୁବନେଶ୍ୱର  ନେଇ ଆସିଲା |ମାଆ ତ ଆସିବା ପାଇଁ ଆଦୌ ରାଜି ହେଉ ନଥିଲେ |କିନ୍ତୁ ପୁଅର ଅନୁରୋଧକୁ ଏଡାଇ ନପାରି ବାଧ୍ୟ ହୋଇ ଆସିଲେ |ନୂତନ ପରିବେଶରେ ସୀତା ଖୁସି ହେଲା |କିନ୍ତୁ ମାଆଂକୁ ଭୁବନେଶ୍ୱର   ଭଲ ଲାଗିଲା ନାହିଁ |ପନ୍ଦର ଦିନ ରହି ସେ ଫୁଲବାଣୀ ଫେରିଗଲେ |ସୀତା ଅତ୍ୟନ୍ତ ପରିଶ୍ରମୀ ଥିଲା |ଦିନରାତି କଠିନ ପରିଶ୍ରମ କରି ତା ସମୟ ବିତୁଥିଲା |ଏଠାରେ ଖାଲିଟାରେ ବସି ବସି ତାକୁ  ଭଲ ଲାଗିଲା ନାହିଁ |ଦିନେ ଘରମାଲିକଂକ ସ୍ତ୍ରୀ ତାକୁ କହିଲେ,ସେ ଯଦି ତାଂକ ଘରର ଝାଡୁପୋଛା ,ବାସନମଜା ଇତ୍ୟାଦି  କାମ କରିଦେବ ତାହାଲେ ତାକୁ ଆଉ ଘରଭଡା ଦେବାକୁ ପଡିବ ନାହିଁ |ସୀତା ଖୁସିରେ ରାଜି ହୋଇଗଲା |ରାତିରେ ନାରାୟଣ ଘରକୁ ଫେରି ଯେତେବେଳେ ଏକଥା ଶୁଣିଲା,ସେ ପ୍ରଥମେ ପ୍ରଥମେ ଅରାଜି  ହେଉ ଥିଲେ ବି ପରେ ରାଜି ହୋଇଗଲା |ତାର କାମ ଓ ମାର୍ଜିତ ବ୍ୟବହାର ଦେଖି ଆଖପାଖ କିଛି ପଡୋଶୀ ସେମାନଂକ ଘରେ କାମ କରିବାପାଇଁ ଡାକିଲେ |ଏମିତି କାମ କରୁ କରୁ ତାକୁ  ପାଂଚ/ଛଅ ଘରେ କାମ ମିଳିଗଲା |ଘରକୁ ଦି' ପଇସା ଆସିବାରୁ ସେମାନେ ଭଲରେ ଚଳିଲେ |ନାରାୟଣ ମାସକୁ ମାସ ମାଆ ପାଖକୁ ଟଂକା ପଠାଇଲା |ମଝିରେ ମଝିରେ ମାଆ ସେଠାକୁ ଆସି କିଛିଦିନ ରହି ,ଚାଲି ଯାଉଥିଲେ |ଶିବା ନିକଟସ୍ଥ ଘରୋଇ ସ୍କୁଲରେ ପାଠ ପଢିଲା |ଛୁଟିଦିନ କିମ୍ବା ପର୍ବପର୍ବାଣୀ ଦିନରେ ତିନିଜଣଯାକ ସାଇକେଲରେ ବସି ସହର ବୁଲୁଥିଲେ,ଦିଅଁ ଦେଖୁଥିଲେ,ଚାଟ୍ ଖାଉଥିଲେ | ଏହି ଦିନଗୁଡିକ  ସୀତା ପାଇଁ ସୁବର୍ଣ୍ଣର ଦିନ  ଥିଲା |ସେତେବେଳେ ସେ ନିଜକୁ ଦୁନିଆ ର ସବୁଠାରୁ ସୁଖୀ ମଣିଷ ବୋଲି ଭାବୁଥିଲା |
                କିନ୍ତୁ ସେମାନଂକ ସୁଖର ସଂସାରରେ ସତେ ଯେପରି କାହାର ଖରାପ ନଜର ଲାଗିଗଲା | ମାଗଣା ଦାମିକା ମଦ ପିଇ ପିଇ ନାରାୟଣ କ୍ରମେ ମଦୁଆ ହୋଇଗଲା |ଯେଉଦିନ ତାକୁ ମଦ ମିଳୁନଥିଲା,ସେ କିଣିକରି ପିଉଥିଲା |ସୀତା ଯେତେ ମନା କଲେ ବି ସେ ତା କଥା ଶୁଣୁ ନଥିଲା |ଏହି କାରଣରୁ ଘରେ ଝଗଡା ସୃଷ୍ଟି ହେଲା |ମଦ ପିଇବାକୁ ଟଂକା ନଦେଲେ,ସେ ସୀତାକୁ ପିଟିବା ଆରମ୍ଭ କଲା |ସୀତା ର ଏକମାତ୍ର ଲକ୍ଷ୍ୟ ଥିଲା,ଶିବାକୁ ବହୁତ ପାଠ ପଢାଇ ବଡମଣିଷ କରିବା ପାଇଁ |ସେଥିପାଇଁ ସେ ନାରାୟଣର ଏହି ପରିବର୍ତ୍ତନ କୁ ନଜରଅନ୍ଦାଜ କରି ଦେଉଥିଲା |କିନ୍ତୁ ଧୀରେ ଧୀରେ ନାରାୟଣର ଅତ୍ୟାଚାର ବଢ଼ିବାରେ ଲାଗିଲା |ସୀତା ଟଂକା ନଦେବାରୁ ,ସେ ଦିନେ ତାର  ସାଇକେଲ ଟି ବିକିଦେଲା |ସେଦିନ ସୀତାର ବହୁତ ମନଦୁଃଖ ହୋଇଥିଲା |ତାଂକର ସୁଖଦିନର ମୂକସାକ୍ଷୀ ସେଇ ସାଇକେଲ ହିଁ ଥିଲା |ସେଥିରେ ସେମାନଂକ ଅତୀତର  କେତେ ସ୍ମୃତି ଜଡିତ ଥିଲା |ତାପରେ ଦିନେ ନାରାୟଣ ଅତିଆଦରରେ ସୀତା ପାଇଁ କିଣି ଦେଇଥିବା ଛୋଟ ଟି.ଭି.କୁ ମଧ୍ୟ ବିକ୍ରୀ କରିଦେଲା |ଦିନସାରା ଖଟିଖଟି ଆସିବା ପରେ ସୀତା ରାତିରେ କିଛିସମୟ ଟି.ଭି.ଦେଖି ତା ଥକାପଣ ମେଣ୍ଟାଉ ଥିଲା |ଆଉକିଛି ଜିନିଷ  ବିକିବା ପୂର୍ବରୁ ସୀତା ତାକୁ ରୋକଠୋକ୍ ଶୁଣାଇ ଦେଲା, ଏଣିକି ତମର ପୁରା ଦରମା ଟଂକାରେ ମଦ ପିଅ |ମୁଁ ଯେତିକି ଟଂକା ପାଉଛି,ସେଥିରେ ପୁଅକୁ ପାଠ ପଢେଇବି ଆଉ ଘରକୁ ଟଂକା ପଠେଇବି |ତା କଥା ଶୁଣି ନାରାୟଣର ମୁଣ୍ଡକୁ ପିତ୍ତ ଚଢିଗଲା |ସେ ତା ଚୁଟି ଭିଡି କହିଲା,ତୋର ଏଡେ ବହପ,ତୁ ମୋ ମୁହଁ ଉପରେ ଜବାବ ଦଉଛୁ ?କାଲିଠାରୁ ତୋର ଆଉ କାମକୁ ଯିବା ଦରକାର ନାହିଁ |ଘରେ ପାଟିତୁଣ୍ଡ ହେବାରୁ ଘରମାଲିକ ଆସିଲେ ଓ ନାରାୟଣକୁ ସେଠାରୁ ବାହାରି ଯିବାପାଇଁ କହିଲେ |ନିଆଁରେ ପାଣି ପଡିବା ପରି ନାରାୟଣ ହଠାତ୍ ଚୁପ ହୋଇଗଲା ଓ ନୀରବରେ ସେଠାରୁ ଚାଲିଗଲା |ତାପରେ ପୁଣି ଫେରିଆସି କହିଲା,ମୁଁ ବାହାରେ ଜଗି ବସିଛି,ତୁ ଯେତେବେଳେ କାମକୁ ବାହାରିବୁ,ତତେ କଟୁରିରେ ହାଣିଦେବି |ଏକଥା କହି ସେ ଅଣ୍ଟାରେ ଲୁଚାଇ ରଖିଥିବା କଟୁରି କାଢି ସୀତାକୁ ଦେଖାଇଲା |
                   ସୀତା ଭାବିଥିଲା,ନାରାୟଣ ତାକୁ ମିଛରେ ଡରାଉଛି,ରାଗ ଥଣ୍ଡା ହେଲେ ସେ ପୁଣି ସ୍ୱାଭାବିକ  ହୋଇଯିବ,କିନ୍ତୁ ତା ଧାରଣା ଭୁଲ ଥିଲା |ପରଦିନ ସେ ଯେତେଥର କାମକୁ ଯିବାକୁ  ବାହାରିଲା,ପ୍ରତିଥର ଦେଖିଲା,ବାହାରେ କିଛି ଦୂରରେ ନାରାୟଣ କଟୁରି ଧରି ବସିଛି |ତାର ହୋସ ଉଡିଗଲା |କଣ କରିବ ଭାବି ଭାବି ତାର ବୁଦ୍ଧି ହଜିଗଲା |ଚତୁର୍ଥ ଦିନ ଘରମାଲିକ ସୀତାକୁ କହିଲେ,ନାରାୟଣ ରକ୍ତମୁଖା ହୋଇଯାଇଛି,ଯେ କୌଣସି ମୂହୁର୍ତ୍ତରେ ସେ କିଛି ଅଘଟଣ କରିବସିବ |ଆମେ ଆଉ ତତେ ଏଠାରେ ରଖି ପାରିବୁ ନାହିଁ |ତୁ ଏଠାରୁ ଚାଲିଯା |ସୀତା ଶିବା ଆଡକୁ ଚାହିଁଲା |କେତେ ଆଶା କରିଥିଲା,ପୁଅକୁ ତାର ପାଠ ପଢାଇ ବଡମଣିଷ କରିବ ବୋଲି,କିନ୍ତୁ ତାର ସମସ୍ତ ଆଶା,ସ୍ୱପ୍ନ  ଧୂଳିସାତ୍ ହେବାକୁ ବସିଥିଲା |ସେ କେତେ କାନ୍ଦିଲା,ଘରମାଲିକଂକ ପାଖରେ ଅନେକ ନେହୁରା ହେଲା |କିନ୍ତୁ ସେ ଯେପରି ପାଷାଣ ପାଲଟି ଯାଇଥିଲେ |ସୌଭାଗ୍ୟକୁ ଶିବା ଯେଉଁ ସ୍କୁଲରେ ପଢୁଥିଲା,ସେହି ସ୍କୁଲର ମାଲିକାଣୀ ତା ପାଖକୁ ଆସିଲେ ଓ ତାକୁ କହିଲେ,ସୀତା ଯଦି ତାଂକ ଘରେ ରହି ସବୁକାମ କରିବାକୁ ରାଜିହେବ,ସେ ଶିବାକୁ  ତାଂକ ସ୍କୁଲରେ ମାଗଣାରେ ପଢାଇବେ |ସମୟ ବଳିଲେ ସୀତା ଯଦି ଅନ୍ୟଘରେ କାମକରିବ, ସେଥିରେ ତାଂକର କୌଣସି ଆପତ୍ତି ରହିବ ନାହିଁ |ଶିବା ପାଇଁ ସୀତା ସବୁକିଛି କରିବାକୁ ପ୍ରସ୍ତୁତ ଥିଲା |ସ୍କୁଲ ମାଲିକାଣୀଂକ ପ୍ରସ୍ତାବ ତାପାଇଁ ଈଶ୍ୱରଙ୍କ  ଆଶୀର୍ବାଦ ସଦୃଶ ଥିଲା |ସେ ତାଂକ କଥାରେ ସାଂଗେ ସାଂଗେ ରାଜି ହୋଇଗଲା |ମାଲିକାଣୀଂକ ସାଂଗରେ କାରରେ ସେ ଓ ଶିବା ତାଂକ ଘରକୁ ଗଲେ |ନାରାୟଣର ଯୋଜନା ଫସର ଫାଟି ଗଲା |ସେ ମାଲିକାଣୀଂକ ଗେଟ ପାଖରେ ଛିଡା ହୋଇ ଚିତ୍କାର କରି ସୀତାକୁ  କହିଲା,ଆଜିଠାରୁ ତୁ ମୋପାଇଁ ମରି ଯାଇଛୁ |ଆଉ ତୁ ଗାଁ ମାଟି ମାଡିବୁ ନାହିଁ |ଯଦି ତୁ କେବେ ଗାଁକୁ ଆସିବୁ,ତୋ ମୁଣ୍ଡଗଣ୍ଡି ଅଲଗା କରିଦେବି |ସୀତା ମନରେ ବି କମ ରାଗ ନଥିଲା |ସେ ମନଟାଣ କରି ରହିଲା |ଭାବିଲା,ଭୋକଉପାସରେ ମରିବି ପଛକେ,ଆଉ ତା ପାଖକୁ ଫେରିବି ନାହିଁ |
                       ଏହି ଘଟଣାର ମାସକ ପରେ ନାରାୟଣର ମାଆଂକ ଦେହାନ୍ତ ହେଲା |ନାରାୟଣ ଏହି ଖବର ସୀତାକୁ ଜଣାଇଲା ନାହିଁ |ସୀତାର ଭାଇ ତାକୁ ଏକଥା ଜଣାଇଲା |ସୀତାର ମନ ବହୁତ ଦୁଃଖ ହେଲା |ସେ ତା ଶାଶୁଂକୁ ଭାରି ଭଲ ପାଉଥିଲା |ତା ଶାଶୁ ମଧ୍ୟ ତାକୁ ବହୁତ ସ୍ନେହ ଆଦର କରୁଥିଲେ |ସେ ସଂଗେ ସଂଗେ ଶିବାକୁ ନେଇ ଫୁଲବାଣୀ ଗଲା |ଭାବିଥିଲା,ମାଆଂକ ମୃତ୍ୟୁ ପରେ ନାରାୟଣ ସବୁ ରାଗ ଭୁଲି ଯାଇଥିବ |କିନ୍ତୁ ତାର ସମସ୍ତ ଧାରଣା ଭୁଲ ଥିଲା |ସେ ଗାଁକୁ ଆସୁଛି ବୋଲି ଖବର ପାଇ ନାରାୟଣ ଗାଁ ମୁଣ୍ଡରେ ଟାଂଗିଆ ଧରି ବସିଥିଲା |ସେ ସେମାନଂକୁ ଦେଖି ମାରିବ ବୋଲି ଖଣ୍ଡା ଉଂଚାଇ ସେମାନଂକ ପଛେ ପଛେ ଦୌଡିଲା |ଶାଶୁଘର ପାରି ହେଲେ ବାପଘର ପଡେ |ତେଣୁ ସେ ସେଠାକୁ ମଧ୍ୟ ଯାଇ ନପାରି ଫେରି ଆସିଲା |ବାଟଯାକ ସେ କାନ୍ଦି କାନ୍ଦି ଆସିଲା  କିନ୍ତୁ ପୁଅକୁ ଉଚ୍ଚଶିକ୍ଷିତ କରିବାର ନିଷ୍ପତ୍ତିରୁ ଓହରିଲା ନାହିଁ |କିଛିଦିନ ପରେ ସେ ଖବର ପାଇଲା,ନାରାୟଣ ଆଉଥରେ ବାହା ହୋଇଛି ଓ ଭୁବନେଶ୍ୱର  ଛାଡି ଗାଁରେ ରହୁଛି |
                     ଶିବା ଭଲପାଠ ପଢୁଥିଲା |ନିଜେ ମାଲିକାଣୀ ତା ପାଠପଢା ର ଦାୟିତ୍ତ୍ୱ  ନେଇଥିଲେ |ସେହି ସ୍କୁଲରୁ କୃତିତ୍ତ୍ୱ  ର ସହ  ପାଶ କରିବା ପରେ ଭୁବନେଶ୍ୱରର  ଏକ ପ୍ରତିଷ୍ଠିତ ଆଦିବାସୀ ଶିକ୍ଷାନୁଷ୍ଠାନରେ ପାଠ ପଢିବା  ପାଇଁ ଶିବାକୁ ସୁଯୋଗ ମିଳିଲା  |ସେଠାରେ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ପଢିବା ପରେ ତାକୁ ଭଲ ଚାକିରୀ ମିଳିଲା |ସେ ଚାକିରୀରେ ଯୋଗଦେବା ପାଇଁ ଦିଲ୍ଲୀ ଗଲା |ଏସବୁ ସୀତାର ଆଶାତୀତ ଥିଲା |ଅତ୍ୟଧିକ ଆନନ୍ଦରେ ତା ଆଖିରୁ ଅନର୍ଗଳ ଲୁହଧାର ଝରିଯାଉଥାଏ |କିନ୍ତୁ ଏହି ସୁଖ ବାଣ୍ଟିବା ପାଇଁ ତା ପାଖରେ ନାଁ ନାରାୟଣ ଥିଲା,ନାଁ ଥିଲେ କେହି ଆତ୍ମୀୟସ୍ୱଜନ  |ଶାଶୁଘର ଲୋକେ ତାକୁ ବାସନ୍ଦ କରିଥିଲେ,ବାପଘର ଲୋକେ ନାରାୟଣକୁ ସମର୍ଥନ କରି ତା ସହିତ ସମ୍ପର୍କ କାଟିଦେଇଥିଲେ |ମାଲିକ ଓ ମାଲିକାଣୀ ତାପାଇଁ ଦେବତା ଥିଲେ |ଶିବା ଚାକିରୀରେ ଯୋଗଦେଇ ଯେତେବେଳେ ସୀତାକୁ ନେବାକୁ ଆସିଲା,ସେମାନେ କୌଣସି ଆପତ୍ତି କଲେ ନାହିଁ | ସେ ସେମାନଂକୁ ସାଷ୍ଟାଂଗ ପ୍ରଣିପାତ କରି  ଶିବା ସାଂଗେ ଚାଲିଆସିଲା |
                   ଶିବା ତା ମାଆକୁ ଅତ୍ୟନ୍ତ ଭଲପାଉଥିଲା |ମାଆ ର ହାତରନ୍ଧା ଖାଦ୍ୟ ତାର ଅତି ପ୍ରିୟ ଥିଲା |ସକାଳେ କାର୍ଯ୍ୟକ୍ଷେତ୍ର କୁ ବାହାରିବାବେଳେ ମାଆ ରାନ୍ଧି ଦେଇଥିବା ଖାଦ୍ୟ ଲଂଚବାକ୍ସରେ ନେଇଯାଏ |ରାତିରେ ଘରକୁ ଫେରିଲେ,ଦୁହେଁ ସାଂଗହୋଇ ଖାଆନ୍ତି |ସୀତା ଖରାବେଳେ ଶୋଇବାକୁ ଭଲପାଏ ନାହିଁ |ତେଣୁ ଏତେବଡ ମଧ୍ୟାନ୍ନ ତାକୁ ମାଡି ପଡିବା ପରି ଲାଗେ |ଭୁବନେଶ୍ୱରରେ  ଥିଲାବେଳେ   ସ୍କୁଲ ମାଲିକାଣୀଂକ ଘରକୁ ଓଡିଆ ଓ ଇଂରାଜୀ ଖବରକାଗଜ ଆସୁଥିଲା |ସେଠାରେ ପ୍ରତିଦିନ ଓଡିଆ ଖବରକାଗଜ ପଢିବା ତାର ଅଭ୍ୟାସରେ ପରିଣତ ହୋଇଯାଇଥିଲା |ଶିବା ଏକଥା ଜାଣିଥିଲା | ଲାପଟପ୍ ରେ କେମିତି ଖବରକାଗଜ ପଢିହେବ,ତାହା ସେ ସୀତାକୁ ଶିଖାଇ ଦେଲା |ସୀତା ଅତ୍ୟନ୍ତ ବୁଦ୍ଧିମତୀ ଥିଲା |ସେ ଅଭ୍ୟାସ କରି ଅଲ୍ପଦିନରେ ତାହା ଶିଖିଗଲା |ଶିବା ତାର ପୁରୁଣା ଲାପଟପ୍ ଟି ଘରେ ଛାଡିଦେଇ ଗଲା |ଶିବା ଅଫିସକୁ ଯିବାପରେ ସୀତାର ଆଉକିଛି କାମ ନଥାଏ |ସେ ଲାପଟପ୍ ରେ ଗୋଟି ଗୋଟି କରି ସବୁ ଖବରକାଗଜ ପଢ଼େ |ଶିବା ଅଫିସରୁ ଫେରିବା ପରେ ସେ ଅନେକ କଥା,ଶିବାକୁ ପଚାରେ |ଶିବାର ଗଭୀର ଜ୍ଞାନ |ସେ ମାଆ ବୁଝିଲା ଭଳି ଭାଷାରେ ପ୍ରାଂଜଳ ଭାବରେ ବୁଝାଇ ଦିଏ |ଦିନେ ସୀତା ପଚାରିଲା,'ସାରେ ଜହାଁସେ ଆଚ୍ଛା'ତ ଏତେ ସୁନ୍ଦର ଗୀତ,ତାକୁ ଆମର ଜାତୀୟସଂଗୀତ ନକରି 'ଜନ ଗଣ ମନ' କୁ କାହିଁକି କରାଗଲା  ?ଶିବା ହସିକରି କହିଲା,ମା ତୁ ଅତି କଷ୍ଟିଆ ପ୍ରଶ୍ନ ପଚାରିଲୁ |ତଥାପି ମୁଁ ଯେତିକି ଜାଣିଛି କହିବି |ଆମ ଦେଶ ଯେତେବେଳେ ସ୍ୱାଧୀନତା  ପାଇ ନଥିଲା,ସେତେବେଳେ ତିନିଟି ଗୀତ ବେଶି ଲୋକପ୍ରିୟ ଥିଲା |'ସାରେ ଯହାଁସେ ଆଚ୍ଛା','ବନ୍ଦେ ମାତରଂ' ଓ 'ଜନ ଗଣ ମନ' |ସେଥିରୁ ସବୁଠାରୁ ବେଶି ଲୋକପ୍ରିୟ ଥିଲା,'ସାରେ ଜହାଁସେ ଆଛା' |ୟାକୁ ଲେଖିଥିଲେ,ସାର୍ ମହମ୍ମଦ ଇକବାଲ |ସେ ନିଜେ ଏହାକୁ ଗାଇ ଲୋକଂକ ମନରେ ଉନ୍ମାଦନା ସୃଷ୍ଟି କରିଥିଲେ |ତାଂକ ସଂଗୀତ ରେ ଅନୁପ୍ରାଣିତ ହୋଇ ଲକ୍ଷ ଲକ୍ଷ ଭାରତୀୟ ସ୍ୱାଧୀନତା  ଆନ୍ଦୋଳନରେ ଝାସ ଦେଇଥିଲେ |କିନ୍ତୁ ଦୁଃଖର କଥା,ସେ ପରେ ଜିନ୍ନାଂକ ସାଂଗରେ ମିଶି ପୃଥକ ପାକିସ୍ଥାନ ପାଇଁ ମୁସଲମାନମାନଂକୁ ଏକଜୁଟ କରିଥିଲେ  |ଏମିତିକି ସେ ଗୀତରେ ଥିବା 'ହିନ୍ଦୁ'ଶବ୍ଦକୁ ବଦଳେଇ ତା ସ୍ଥାନରେ 'ମୁସଲିମ' ଶବ୍ଦ ଯୋଡିଦେଇଥିଲେ  |ଏହା କୋଟି କୋଟି ଭାରତୀୟ ମାନଂକୁ ଆଘାତ ଦେଇଥିଲା |'ବନ୍ଦେ ମାତରଂ' ଗୀତ ବଂକିମ ଚନ୍ଦ୍ର ଚଟୋପାଧାୟଂକ ଉପନ୍ୟାସ 'ଆନନ୍ଦମଠ'ରୁ ଆସିଛି |ଏଥିରେ 'ମା ଦୁର୍ଗାଂକୁ ବନ୍ଦନା କରାଯାଇଛି |ତେଣୁ ଏହା ମୁସଲମାନଂକ ଦ୍ୱାରା  ଗ୍ରହଣୀୟ ହେଲା ନାହିଁ |ଶେଷରେ ରହିଲା,ଜନ ଗଣ ମନ |ଏହାକୁ ବିଶ୍ୱବିଖ୍ୟାତ  କବି ରବିନ୍ଦ୍ରନାଥ ଠାକୁର ଲେଖିଥିଲେ |ଏଥିରେ ବି ବିବାଦ ଥିଲା |କେତେକ କହୁଥିଲେ ଏହି କବିତା ବିଟ୍ରିଶ ସମ୍ରାଟ, ପଂଚମ ଜର୍ଜଂକ ଉଦ୍ଦେଶ୍ୟରେ ଲେଖା ଯାଇଥିଲା |କିନ୍ତୁ ରବିନ୍ଦ୍ରନାଥ ଠାକୁର ଏହାକୁ ଅସ୍ୱୀକାର  କରିଥିଲେ |ସେ ଯାହା ହେଉନାଁ କାହିଁକି ପ୍ରଥମ ଦୁଇଟି ସଂଗୀତ ଅପେକ୍ଷା ଏଥିରେ ବିବାଦ କମ ଥିଲା |ତେଣୁ ଏହାକୁ ଆମର ଜାତୀୟସଂଗୀତ ର ମାନ୍ୟତା ଦିଆଗଲା |ସୀତା କହିଲା,ସେତେବେଳେ ବି ଦେଶର ଅବସ୍ଥା ଆଜିଭଳି ଥିଲା ?ମୁଁ ଭାବିଥିଲି ସେତେବେଳେ ଭଲ ଥିଲା,ଏବେ ଖରାପ ହୋଇ ଯାଇଛି !
                     ଶିବା ଅଫିସରୁ ଘରକୁ ଫେରିବାରେ ପ୍ରାୟ ଦିନ ବିଳମ୍ବ ହୁଏ |ଘରେ ଯେଉଁ ଛୋଟ ମୋଟ ଜିନିଷ ସରି ଯାଇଥାଏ,ସୀତା ନିଜେ ନିକଟସ୍ଥ ବଜାର କୁ ଯାଇ ନେଇଆସେ |ସେଥିପାଇଁ ସେ ଆଉ ଶିବାକୁ ଅପେକ୍ଷା କରେନାହିଁ |ତେଣୁ ଶିବା ଅଫିସ ଯିବା ପୂର୍ବରୁ ସୀତାର ପର୍ସ ଦେଖେ |ଯଦି ସେଥିରେ ଟଂକା କମି ଯାଇଥାଏ ତାହାଲେ ସେ ପୁଣି ସେଥିରେ ଟଂକା ଭରିଦିଏ |ସୀତାକୁ କେବେହେଲେ ଟଂକା ସରି ଗଲାଣି ବୋଲି କହିବାକୁ ପଡେନାହିଁ |ଥରେ ତାଂକ ଅଂଚଳକୁ ଜଣେ ବାବା ପ୍ରବଚନ ଦେବାପାଇଁ ଆସିଲେ |ଏମିତି ପ୍ରବଚନ ଶୁଣିବାରେ ଶିବାର ବହୁତ ଆଗ୍ରହ ରହିଥିଲା |ସେ ସୀତାକୁ କହିଲା,ମା' ଚାଲ ଆଜି ବାବାଂକ ପ୍ରବଚନ ଶୁଣିବାକୁ ଯିବା |ତମକୁ ବହୁତ ଭଲ ଲାଗିବ |ସୀତା କହିଲା,କିଛି ଲାଭ ନାହିଁ ବାପା  |ଏଥିରେ ଆମର ଲାଭ ଅପେକ୍ଷା ବେଶି କ୍ଷତି ହେବ |ଶିବା ଆଶ୍ଚର୍ଯ୍ୟ ହୋଇ ପଚାରିଲା,କାହିଁକି ମା' ?ସୀତା କହିଲା,ଶୁଣ ବାପା |ଆମ ଦେଶ ସ୍ୱାଧୀନତା  ପାଇ ଏତେବର୍ଷ ହେଲାଣି,କିନ୍ତୁ ତାର ଅବସ୍ଥା ସୁଧୁରୁନି କାହିଁକି ଜାଣିଛୁ ?ଏଇ ନେତା,ବାବୁ ଓ ବାବାମାନଂକ ପାଇଁ |ସେମାନେ ଆମରି ପରି ଲୋକଂକୁ ଢାଲ କରି ଦେଶରେ ଯେତେ ପ୍ରକାର ଅରାଜକତା ସୃଷ୍ଟି କରୁଛନ୍ତି |ଆମେ ସେକଥା ନଜାଣି ତାଂକ କଥାରେ ମାତିଯାଇ ନିଜକୁ ନିଜେ ଧ୍ୱଂସ  କରୁଛୁ, କିନ୍ତୁ ସେମାନେ ମାଲାମାଲ ହେଉଛନ୍ତି |ତୋ ଇଚ୍ଛା ହେଉଛି,ତୁ ଯାଆ |ହେଲେ ମତେ ଡାକନାହିଁ |ଶିବା କହିଲା,କିନ୍ତୁ ମା' ଯେତେବେଳେ ସମସ୍ୟା ଆମକୁ ଜାବୁଡି ଧରିଥିବ,ଆମେ ସମାଧାନର ବାଟ ପାଉ ନଥିବା,ସେତେବେଳେ ଆମେ କଣ କରିବା ?ସୀତା କହିଲା,ସେତେବେଳେ ତୁ ଜଣେ ଅତି ଅସହାୟ ଲୋକ ପାଖକୁ ଯିବୁ,ତା ଦୁଃଖରେ ଭାଗୀଦାର ହେବୁ,ଯେତିକି ପାରିବୁ,ତାକୁ ସାହାଯ୍ୟର ହାତ ବଢାଇ ଦବୁ |ଦେଖିବୁ ଆପଣା ଛାଏଁ ତୋ ସମସ୍ୟା କୁଆଡେ ଉଭେଇ ଯିବ | ଏହାର କିଛିଦିନ ପରେ ସୀତା ଲକ୍ଷ୍ୟ କଲା,ଶିବା ଅନ୍ୟମନସ୍କ ରହୁଛି,ଆଗଭଳି ତା ମନରେ ଆଉ ସରସତା ନାହିଁ |ହୁଏତ ଅଫିସ କାମ ର ଚାପ ହୋଇଥିବ ଭାବି ସେ ଚୁପ ରହିଲା |କିନ୍ତୁ ଶିବା ର ହାବଭାବରେ ବହୁତ ପରିବର୍ତ୍ତନ ଆସିଥିଲା |ସୀତା ଦିନେ ଶିବାକୁ ଏ ବିଷୟରେ ପଚାରିବା ପୂର୍ବରୁ ଶିବା ନିଜ ଆଡୁ କହିଲା,ସେ ଗୋଟିଏ ଭିନ୍ନ ଜାତିର ଝିଅକୁ ଭଲପାଉଛି ଓ ତାକୁ ସେ ବାହା ହେବାକୁ ଚାହେଁ |ଏଥର ଶିବାର ଅନ୍ୟମନସ୍କତାର କାରଣ ସେ  ବୁଝି ପାରିଲା |ସେ କହିଲା,ତୋର ଯେଉଁଥିରେ ରାଜି ମୋର ବି ସେଇଥିରେ ରାଜି |ଝିଅଟିର ନାଁ ଥିଲା ଇନ୍ଦୁ |ପଂଜାବରେ ତାର ଘର |ଦୁହେଁ ଏକା ଅଫିସରେ ଚାକିରୀ କରୁଥିଲେ |ଛୁଟିଦିନ ଦେଖି ଇନ୍ଦୁକୁ ଦିନେ ଘରକୁ ଆଣିଲା ଶିବା |ତାକୁ ଦେଖି ସୀତାର ଆଖି ଝଲସି ଗଲା |ଗୋରା ତକତକ ପତଳା ,ଦୀର୍ଘାଂଗୀ ,ଗୋଟିଏ ଚାଉଳରେ ଗଢା ତାର ଚେହେରା  |ମନେ ମନେ ସେ ଶିବାର ପସନ୍ଦକୁ ପ୍ରଶଂସା ନକରି ରହି ପାରିଲା ନାହିଁ |ସେଦିନ ସେ ଅନେକ ପ୍ରକାରର ରୋଷେଇ କରିଥିଲା |ଖାଇବାବେଳେ ରୋଷେଇର ତାରିଫ କରି ଭୁରି ଭୁରି ପ୍ରଶଂସାରେ ସୀତାକୁ ପୋତି ପକାଇଲା ଇନ୍ଦୁ |ଇନ୍ଦୁକୁ ଦେଖି ସୀତାକୁ ବହୁତ ଭଲ ଲାଗିଲା |ଭଗବାନ ରୂପ ସହିତ ତାକୁ ଏତେଗୁଣ ଦେଇଛନ୍ତି |ସେଦିନ ସେ ଈଶ୍ୱରଙ୍କୁ  ଅନେକ କୃତଜ୍ଞତା ଜଣାଇଲା |କହିଲା,ପ୍ରଭୁ ,ମୋ ଶିବା ସୁଖରେ କାହାର ନଜର ନଲାଗୁ |
                   ଇନ୍ଦୁ ତା ପିତାମାତାଂକର ଏକମାତ୍ର ସନ୍ତାନ ଥିଲା |ସେମାନେ ଦିଲ୍ଲୀର ସ୍ଥାୟୀ ବାସିନ୍ଦା ଥିଲେ |ଏକ ନିରାଡମ୍ବର ଉତ୍ସବରେ ଦୁହିଂକ ବାହାଘର ହେଲା |କିନ୍ତୁ ରିସେପସନ୍ ମହାଆଡମ୍ବରରେ ହେଲା |ଭୋଜିକୁ ବହୁ ମାନଗଣ୍ୟ ଅତିଥି ଆସିଥିଲେ |ଗୋଟିଏ କୋଣରେ ବସି ସବୁ ଲକ୍ଷ୍ୟ କରୁଥିଲା ସୀତା |ତା ପୁଅ ଏତେବଡ ଚାକିରୀ ପାଇବ,ଏତେ ସୁନ୍ଦରୀ ଝିଅକୁ ବାହାହେବ,ସେ ସ୍ୱପ୍ନରେ  ସୁଦ୍ଧା କଳ୍ପନା କରି ନଥିଲା |ଇନ୍ଦୁ ତାଂକ ଘରକୁ ବୋହୂ ହୋଇ ଆସିଲା |ଇନ୍ଦୁକୁ ସୀତା ଯେତିକି ଭଲ ପାଉଥିଲା,ଇନ୍ଦୁ ମଧ୍ୟ ତାକୁ ସେତିକି ସମ୍ମାନ ଓ ଭକ୍ତି କରୁଥିଲା |ବାହାଘରର ପ୍ରଥମ ଦୁଇଟି ମାସ କେମିତି ଚାଲିଗଲା,ସୀତା ନିଜେବି ଜାଣି ପାରିଲାନି |ଧୀରେ ଧୀରେ ସୀତାକୁ ଲାଗିଲା,କେଉଁଠି କଣ କେମିତି ଅସୁବିଧା ହୋଇ ଯାଇଛି |ସୀତା ,ଶିବାର ଯେମିତି ଯତ୍ନ ନେଉଥିଲା,ଇନ୍ଦୁକୁ ମଧ୍ୟ ସମାନ  ଆଦର ଯତ୍ନ କରୁଥିଲା |କିନ୍ତୁ କ୍ରମେ ଇନ୍ଦୁ ବିନାକାରଣରେ ସୀତା ଉପରେ ବିରକ୍ତ ହେବାକୁ ଲାଗିଲା |ତା ରୋଷେଇ ଆଉ ତାକୁ ଭଲ ଲାଗିଲା ନାହିଁ |ଏଥର ଘରେ ରୋଷେଇଆ ଓ କାମବାଲି ରହିଲେ |ବଗିଚାରେ ପାଣି ଦେବାପାଇଁ ମାଳୀ ନିଯୁକ୍ତ ହେଲା |ଏସବୁ ପରେ ବି ଇନ୍ଦୁର ଅଶାନ୍ତି କମିଲାନାହିଁ |ଦିନେ ଶିବା ସୀତାକୁ ପଚାରିଲା,ମା'ତୋର କଣ ହୋଇଚି ?ତୁ ସବୁବେଳେ ମନଦୁଃଖରେ କାହିଁକି ରହୁଛୁ ?ତା କଥା ଶୁଣି ସୀତା କାନ୍ଦି ପକାଇଲା |କହିଲା,ବାପାରେ,ମୁଁ ଜାଣିପାରୁନି,ମୋର କେଉଁଠି ଭୁଲ ରହୁଛି,ବୋହୂ ମତେ ଆଗଭଳି ଆଉ ଭଲପାଉନି |ଶିବା କହିଲା, ତୁ ଭୁଲ ବୁଝିଛୁ ମା' |ଇନ୍ଦୁ ତତେ ବହୁତ ଭଲ ପାଏ |ତୁ ଯଦି ଏମିତି ହେବୁ ତାହାଲେ ଆମ ସଂସାର ଉଛନ୍ନ ହୋଇଯିବ |ତୁ ସିନା ମୋର ଜନ୍ମଦାତ୍ରୀ ,ହେଲେ ଇନ୍ଦୁ ହେଉଛି ମୋ ଜୀବନ |ତା ବିନା ମୁଁ ମୁହୂର୍ତ୍ତେ ବଂଚି ପାରିବି ନାହିଁ |ଶିବା କଥା ଶୁଣି ସୀତା ତାଜୁବ ହୋଇଗଲା |ସେ କହିଲା କଣ ଆଉ ଶିବା ବୁଝିଲା କଣ |ସେ କହିଲା,ତୁ ବ୍ୟସ୍ତ ହୁଅନା ବାପା,ସବୁ ଠିକ ହୋଇଯିବ |କିନ୍ତୁ କିଛି ବି ଠିକ ହେଲାନାହିଁ |ଅଶାନ୍ତି ର ମୂଳମଂଜି କୁ ଖୋଜିବାକୁ ଅନେକ ଚେଷ୍ଟା କରି ସେ ଖୋଜି  ପାଇଲାନାହିଁ |କିନ୍ତୁ କ୍ରମେ ସେ ନିଜକୁ ନିଜେ ସଜାଡି ଦେଲା |ପୂର୍ବପରି ଅଧିକ କଥା  ନକହି  ଅଳ୍ପ  କଥା କହିଲା ଓ ଯେତିକି ପ୍ରଶ୍ନର ଉତ୍ତର ସେତିକିରେ ଦେଲା |
                ସୀତା ରାତିରେ ଶୀଘ୍ର ଖାଇ ଶୋଇପଡେ |ସେଦିନ କିନ୍ତୁ ତା ଆଖିକୁ ନିଦ ଆସୁନଥିଲା |ହଠାତ୍ ଇନ୍ଦୁ ଓ ଶିବାଂକର ବଡପାଟି ର ଆବାଜ ଶୁଣି ସେ କାନ ପାରିଲା |ଶୁଣିଲା,ଇନ୍ଦୁ କହୁଛି,ଡାଡି ,ମମି ଆସିବେ,ତମେ କିଛିଦିନ ପାଇଁ ମାଆଂକୁ ଅନ୍ୟ କେଉଁଠି ଆଡଜଷ୍ଟ କରିଦିଅ |ଶିବା କହିଲା,ସେମାନେ ଆସନ୍ତୁ,ମା ଥିଲେ,ସେମାନଂକର କଣ ଅସୁବିଧା ହେବ |ମା' ବି ଏବେ କୁଆଡେ ଯିବ  ?ମୋ ଛଡା ଦୁନିଆଁରେ ତାର ଆଉ କେହି ନାହାନ୍ତି |ମୋପାଇଁ ସେ ସମସ୍ତଂକୁ ପର କରି ଦେଇଛି |ଇନ୍ଦୁ କହିଲା,ରଖ ତମର ଫିଲୋସଫି ,ଏତେ ପାଠ ପଢିଚ,ପ୍ରୋବଲେମ କେମିତି ସଲ୍ଭ୍ କରାଯାଏ ଜାଣିନ ?ସୀତାର ମୁଣ୍ଡ ଘୁରାଇ ଗଲା |ସେ ସେମାନଂକ କଥା ଆଉ ଅଧିକ କିଛି ଶୁଣି ପାରିଲା ନାହିଁ |ସେଦିନ ଅଧରାତିରେ ପରିସ୍ରା ଉଠିବାବେଳେ ଦେଖିଲା,ଡ୍ରଇଂରୁମର ଆଲୋକ ଜଳୁଛି |ଆଲୋକ ଲିଭାଇବା ପାଇଁ ଯାଇ ଦେଖିଲା,ସୋଫା ଉପରେ ଶିବା ଶୋଇପଡିଛି,ଛାତି ଉପରେ ବହି ଅଧାଖୋଲା ହୋଇ ରହିଛି |ଶିବାକୁ ଏପରି ଅବସ୍ଥାରେ ଦେଖି ତାର ଛାତି ଫାଟିଯିବା ପରି ଲାଗିଲା |ସେ ଧୀରେ ଧୀରେ ନିଜ ରୁମକୁ ଆସି ଶୋଇପଡିଲା |କିନ୍ତୁ ଆଉ ତା ଆଖିକୁ ନିଦ ଆସିଲା ନାହିଁ |ସେତେବେଳେ ତାର ନାରାୟଣ କଥା ବହୁତ ମନେ ପଡିଲା |ସେଦିନ ନାରାୟଣ ତାକୁ ଜୀବନରେ ମାରି ଦେବାପାଇଁ ଗୋଡାଉ ଥିଲା |କିନ୍ତୁ ସେତେବେଳେ ତା ଆଗରେ ଥିଲା,ଶିବା ର ଭବିଷ୍ୟତ |ଏବେ ଶିବା ନିଜ ଗୋଡରେ ନିଜେ ଛିଡା ହୋଇଛି |ସୀତାର ସାହାଯ୍ୟ ଆଉ ତାର ଦରକାର ନାହିଁ |ବରଂ ଏଠାରେ ଅଧିକ ଦିନ ରହିଲେ,ସେମାନଂକ ଦାମ୍ପତ୍ୟଜୀବନରେ ଫାଟ ସୃଷ୍ଟି ହେବ |ମାଆ ହୋଇ ସେ ଏକଥା କେବେହେଲେ ସହି ପାରିବନାହିଁ |
                      ପରଦିନ ସକାଳେ ଶିବା ନିଜ ନିତ୍ୟକ୍ରମ ଶେଷ କରି କିଛି ନଖାଇ ଅଫିସ ବାହାରିଗଲା |ଘଣ୍ଟାଏ ପରେ ଇନ୍ଦୁ ମଧ୍ୟ ସେହିପରି ନଖାଇ ଅଫିସ ଚାଲିଗଲା |ସୀତା ନୀରବରେ ବସି ଏକଥା ଲକ୍ଷ୍ୟ କରୁଥିଲା |ସେମାନେ ଯିବାପରେ ସେ ଟ୍ରଂକରୁ ଲୁଗା କାଢି ପିନ୍ଧିଲା |ମୁଣ୍ଡରେ ସିନ୍ଦୁର ଟୋପା ଦେବାପାଇଁ ସେ ଦର୍ପଣ ସାମନାରେ ଛିଡା ହେଲା |ଦର୍ପଣରେ ନିଜ ଚେହେରା ଦେଖି ନିଜକୁ ସେ ଚିହ୍ନି ପାରିଲା ନାହିଁ |ସେ ପ୍ରକୃତରେ ବୁଢୀ ହୋଇଯାଇଛି | ହିସାବ କରି ଦେଖିଲା, ଇତିମଧ୍ୟରେ ଦୀର୍ଘ ଚବିଶ  ବର୍ଷ ବିତି ଯାଇଛି |ଜୀବନସଂଗ୍ରାମ କରି କେତେବେଳେ ଯେ ଏହି ଦୀର୍ଘ ସମୟ ବିତିଯାଇଛି,ସେ ନିଜେ ବି ଜାଣିପାରିନାହିଁ |ତାର ପର୍ସ ଖୋଲି ଟଂକା ଗଣିଲା |ସେଥିରେ ଛ'ହଜାର ଆଠଶହ ଟଂକା ଥିଲା |ପୁଅର ଅଭ୍ୟାସ,ସେ କେବେହେଲେ ତା ପର୍ସ ଖାଲି ରଖେନାହିଁ |ସେ ଚିଠି ଲେଖିଲା,ବାବୁରେ,ମୁଁ ଗାଁକୁ ଯାଉଛି |ତୁ ଆଉ ମୋପାଇଁ ବ୍ୟସ୍ତ ହେବୁନାହିଁ |ଦୁଇଜଣ ଖୁସିରେ,ମନ ଆନନ୍ଦରେ ରହିବ |ଘରଚାବି ଡ୍ରଇଂରୁମ ଟେବଲ ଉପରେ ଅଛି |ତୋର ମା |ଚିଠି ଲେଖି ସାରି ଟେବଲ ଉପରେ ରଖିବା ବେଳକୁ ବାହାରେ କଲିଂ ବେଲର ଆୱାଜ ଶୁଣାଗଲା |ଡୋର ଲେନ୍ସରେ ଦେଖିଲା,ବାହାରେ ଶିବା ଛିଡା ହୋଇଛି |ଅଚାନକ ଶିବାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ସେ  କବାଟ ଖୋଲିଦେଲା |ଶିବା ସୀତାକୁ ଚାହିଁ କହିଲା,କୁଆଡେ ଯାଉଛୁ ମା' ?ମତେ ଛାଡି ଚାଲିଯିବୁ ?ଏତେ ଶୀଘ୍ର ମତେ ପର କରିଦେଲୁ ?ସୀତା ଆଖିରୁ ଧାର ଧାର ଲୁହ ଝରି ପଡିଲା |ସେ ତାକୁ ପୋଛି ନିଜ ଗଳା ସଜାଡି କହିଲା,ମୁଁ ଗାଆଁକୁ ଯାଉଛି ବାବୁ |ଯେଉଁ ରାସ୍ତା ମୁଁ ଭୁଲି ଯାଇଥିଲି.ସେକଥା ଏବେ ମୋର ବହୁତ ମନେ ପଡୁଛି,ତୁ ମତେ ଆଉ ମନା କରନା  |ଶିବା ସୀତାର ହାତ ଧରି ନେଇ  ସୋଫାରେ ବସାଇଲା ଓ ନିଜେ ତା ପାଖରେ ବସି କହିଲା,ଗାଁରେ ଆଉ କିଏ ଅଛି ମା' ?ବାପା ତ ନୂଆ ମା ଆଣି ସାରିଛନ୍ତି |ମାମୁଁ ଘର ବି ସମ୍ପର୍କ କାଟି ସାରିଛନ୍ତି |ସେଇଠି ତୋର ଆଉ କିଏ ଅଛି ?ସୀତା କହିଲା,ଯାହାହେଲେ ବି ସେ ମୋ ପାଦ ତଳର ଭୂଇଁ |ମତେ କେଉଁଠି ନାଁ କେଉଁଠି ଆଶ୍ରୟ ମିଳିଯିବ,ଆଉ ମୁଁ ଏଇଠି ରହିଁବିନି  |ଶିବା  କହିଲା,ହେଲେ  ତୋ ବିନା ମୁଁ ବଞ୍ଚି ପାରିବିନି ମା' |ସୀତା କହିଲା,ମୁଁ ରହିଲେ,ତମେମାନେ ଶାନ୍ତିରେ ରହି  ପାରିବନି |ମୁଁ ସବୁ ଶୁଣିଛି,ସବୁ ଜାଣିଛି |ଜୀବନସାରା ତୋ ପାଇଁ ଏତେ କଷ୍ଟ କଲି,ଖାସ ମୋ ପାଇଁ ତୋ ଜୀବନ ନଷ୍ଟ ହେବାକୁ ମୁଁ ଦେବିନି |ତୁମେ ଦୁହେଁ ଖୁସିରେ ରୁହ,ସବୁଦିନ ପାଇଁ ତୁମଠାରୁ ବିଦାୟ ନେବାର ବେଳ ମୋର ଏବେ ଆସି ଯାଇଛି |ମତେ ଖାଲି ଗୋଟିଏ କଥା କହ,ମୁଁ ଯାଉଛି ବୋଲି ତୁ କେମିତି ଜାଣିଲୁ  |ସାମ୍ନାରେ ଥିବା ଗୁପ୍ତ ସିସିଟିଭି କ୍ୟାମେରାକୁ ଇଙ୍ଗିତ କରି ଶିବା କହିଲା,ତୁ ଦିନସାରା ଏକୁଟିଆ ରହୁଛୁ,ତୋ ସେଫଟି ପାଇଁ,ଏ ଘରକୁ ଆସିବା ପୂର୍ବରୁ ମୁଁ ଲଗାଇ ଥିଲି |ତୁ ଯେତେବେଳେ ବାହାରକୁ ଯାଉ,ମୁଁ ଜାଣିପାରେ |ସେଥିପାଇଁ ତୋ ବ୍ୟାଗ କେବେହେଲେ ମୁଁ ଖାଲି ରଖିବାକୁ ଦିଏନା |ମୁଁ ଜାଣିଥିଲି,ଆମ ଭିତରେ ହୋଇଥିବା ଅଶାନ୍ତି କଥା ତୁ ଜାଣି ପାରିଛୁ |କାଳେ ତୁ କଣ କରିଦେବୁ,ସେଥିପାଇଁ ମୁଁ ସତର୍କ ଥିଲି |ଯେତେବେଳେ ଜାଣିଲି ମୋ ସନ୍ଦେହ ସତ ହେବାକୁ ଯାଉଛି,ସାଙ୍ଗେ ସାଙ୍ଗେ ଛୁଟି ନେଇ ଚାଲି ଆସିଲି |ଆଉ ଶୁଣ ମା',ଇନ୍ଦୁକୁ ବାହାହେବା ପାଇଁ ତା ଆଗରେ ମୁଁ ଗୋଟିଏ ବଡ଼ ସର୍ତ୍ତ ରଖିଥିଲି |ତା ହେଲା,କୌଣସି ପରିସ୍ଥିତିରେ ବି ମୁଁ ତତେ ଛାଡି ପାରିବି ନାହିଁ |ମୋର ବିଶ୍ୱାସ ,ଇନ୍ଦୁ ନିଶ୍ଚୟ ତା ଭୁଲ ବୁଝି ପାରିବ |ତୁ ତର ତର ହୋଇ କିଛି ନିଷ୍ପତ୍ତି ନନେଇ ଭୁଲ  ସୁଧାରିବା ପାଇଁ ମତେ କିଛି ସମୟ ଦେ ମା' |ବାହାରେ ଛିଡା ହୋଇ ସବୁକଥା ଶୁଣୁଥିବା ଇନ୍ଦୁ ଏହି ସମୟରେ ଭିତରକୁ ଆସି ସୀତାର  ଗୋଡ଼ ପାଖରେ ବସି କହିଲା,ମୋର ବଡ଼ ଭୁଲ ହୋଇ ଯାଇଛି,ମତେ କ୍ଷମା କରି ଆଉ ଗୋଟିଏ ସୁଯୋଗ ଦିଅନ୍ତୁ ମା',ପ୍ଲିଜ |ମମତା ମହାନ୍ତି |

                 
               


No comments:

Post a Comment