Wednesday, November 30, 2016

ନୂଆ ସକାଳ

                         ପିଲାଦିନୁ ଶୁଭେନ୍ଦୁ ର ନିଜ ଗାଁ ପ୍ରତି ପ୍ରବଳ ଆକର୍ଷଣ ରହିଥିଲା |ଗାଁ ର ଖେଳପଡିଆ ,ନଈ,ଝରଣା,ମନ୍ଦିର,ପୋଖରୀ ଆଦି ସବୁକିଛି ତା ପାଇଁ ଅଭୁଲା ଥିଲା |ଗାଁ ସ୍କୁଲ ରୁ ମାଟ୍ରିକ ପାସ କରି ଉଚ୍ଚଶିକ୍ଷା ପାଇଁ ସେ ସହରକୁ ଗଲା |ସେଠାରେ ହଷ୍ଟେଲ ରେ ରହି ପାଠ ପଢିଲା ସତ ,କିନ୍ତୁ ମନ ତାର ସବୁବେଳେ ନିଜ ବାପା,ବୋଉ ଓ ଗାଁ ପ୍ରତି ରହିଥିଲା |ସେମାନେ ପାଂଚ ଭାଇ ଥିଲେ |ଶୁଭେନ୍ଦୁ ଥିଲା ଚତୁର୍ଥ ସନ୍ତାନ |ତା ପରି ଅନ୍ୟ ଭାଇମାନେ ମଧ୍ୟ ପ୍ରାୟ ବେଳେ ଗାଁ କୁ ଆସୁଥିଲେ |ବାପା,ବୋଉ ଓ ଆତ୍ମୀୟସ୍ବଜନଂକ ସହ ମିଶି ସେତେବେଳେ ସମୟ ଖୁବ ଭଲରେ କଟି ଯାଉଥିଲା |ସମୟ କ୍ରମେ ସବୁ ଭାଇ ଯିଏ ଯାହାର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରୀ କଲେ ଓ ବିବାହ ମଧ୍ୟ କଲେ |ଧୀରେ  ଧୀରେ ବଡଭାଇ ଘର ଜଂଜାଳ କଥା କହି ଆଉ ଗାଁ କୁ ଆସିଲେ ନାହିଁ |ତାଂକ ଦେଖା ଦେଖି ଅନ୍ୟ ଭାଇମାନେ ମଧ୍ୟ ସେଇଆ କଲେ |ସହରରେ କୋଠାବାଡି କରି ସେଠାରେ ସ୍ଥାୟୀ ଭାବରେ ବାସ କଲେ  |କିନ୍ତୁ ଶୁଭେନ୍ଦୁ ଥିଲା ଟିକେ ଭିନ୍ନ ଧରଣର |ସେ ସବୁବେଳେ ଭାବୁଥିଲା,ଲୋକେ ଏତେ ଅର୍ଥ ଶ୍ରାଦ୍ଧ କରି ନିଜର ବାପା ମା ଓ ଆତ୍ମୀୟସ୍ବଜନଂକୁ ହତାଦର କରି ଜମିବାଡି ,କୋଠାଘର ଇତ୍ୟାଦି କରନ୍ତି କିନ୍ତୁ ମୃତ୍ୟୁ ପରେ ସେସବୁ ଭୂତ ପାଇଁ ଛାଡି ଦେଇ ଯାଆନ୍ତି |ତାହାଲେ ଶରୀର କୁ ଦୁଃଖ ଦେଇ ଏତେ କଷ୍ଟ କରି ଏ ସବୁ କରନ୍ତି  କାହିଁକି ?
                        ବାପା ବୋଉଂକ ଦେହାନ୍ତ ପରେ  ଶୁଭେନ୍ଦୁ କୁ ଆଉ ଗାଁ ଭଲ ଲାଗିଲା ନାହିଁ |ସେ ନିଜ ପିଲାମାନଂକୁ ନେଇ ସହରକୁ ନିଜ କର୍ମକ୍ଷେତ୍ର କୁ ଚାଲି ଆସିଲା |ସେଠାରେ ପିଲାମାନେ ପାଠ ପଢିଲେ |ଏପଟେ ରକ୍ଷଣାବେକ୍ଷଣ ଅଭାବ ରୁ କ୍ରମେ ଗାଁ ଘର ଭୁଶୁଡି ପଡିବାକୁ ବସିଲା |ଦିନେ ବଡ ଭାଇ ସବୁ ଭାଇ ମାନଂକୁ ଏକାଠି କରି କହିଲେ,ଆମେ ତ ଗାଁ ରେ ରହୁନୁ |ଆମ ଅନ୍ତେ ପିଲାମାନେ କଣ ଗାଁ କୁ ଯିବେ?ବେଳ ଥାଉ ଥାଉ ସେସବୁ ବିକ୍ରୀ କରିଦେଲେ ଆମପାଇଁ ଭଲ ହେବ |ଶୁଭେନ୍ଦୁ ଛଡା ଅନ୍ୟ ଭାଇମାନେ ବଡଭାଇଂକ ପ୍ରସ୍ତାବ ରେ ରାଜି ହେଲେ |ଶୁଭେନ୍ଦୁ କହିଲା,ମୋ ଭାଗଟି ରଖି ତମେ ସବୁ ବିକ୍ରୀ କରି ଦିଅ |ତାହାହିଁ ହେଲା |ଯେଉଁଦିନ ଜମିବାଡି ବିକ୍ରୀ ହେଲା,ସେଦିନ ଶୁଭେନ୍ଦୁ ଭୋ ଭୋ ହୋଇ କାନ୍ଦୁଥିଲା |କିନ୍ତୁ କିଛି ଉପାୟ ନ ଥିଲା |କାରଣ, ଏତେ ଜମି କିଣିବା ପାଇଁ ତା ପାଖରେ ଟଂକା ନ ଥିଲା |
                                ଗାଁ ରେ ଶୁଭେନ୍ଦୁ ର ବାଲ୍ୟବନ୍ଧୁ ଥିଲା ସତ୍ୟଜିତ |ଗାଁ ମୁଣ୍ଡରେ ତାର କୋଠାଘର |ତାର ଚାରିପୁଅ  |ଘର ପାଖରେ ପନିପରିବା ଓ ଡାଲି ଚାଉଳ ଦୋକାନ କରି ସେ ଭଲ ଦି' ପଇସା କମାଉ ଥାଏ |ଚାଷ ଜମିରୁ ମଧ୍ୟ ଭଲ ଫସଲ ଉତ୍ପନ୍ନ ହେଉଥାଏ |.ପିଲାମାନେ ତାର ଭଲ ପଢୁଥିଲେ |ସେ ସେମାନଂକ ଶିକ୍ଷା ରେ ଅଜସ୍ର ଟଂକା ଖର୍ଚ୍ଚ କରି ସେମାନଂକୁ ଉଚ୍ଚଶିକ୍ଷିତ କରାଇଲା |ସେମାନେ ଭାରତ ଓ ଭାରତ ବାହାରେ  ଚାକିରୀ କରି ଲକ୍ଷ ଲକ୍ଷ ଟଂକା ରୋଜଗାର କରୁଥାନ୍ତି |ପିଲାଂକ ସଫଳତା ର କାହାଣୀ  ସମସ୍ତଂକ ଆଗରେ  ଗପି  ସେ ଅପାର ଆନନ୍ଦ ଲାଭ କରୁଥାଏ |କିପରି ବଡପୁଅ ର ଭୁବନେଶ୍ୱରରେ  ଦୁଇଟା କୋଠାଘର ଅଛି,ମଝିଆ ପୁଅ ଲଣ୍ଡନରେ ବିଳାସବ୍ୟସନ ରେ ରହୁଛି ,ତା ତଳ ପୁଅ ଦିଲ୍ଲୀରେ ଓ ସବା ସାନପୁଅ ବମ୍ବେ ରେ ଗୋଟିଏ ବଡ ଫ୍ଲାଟ୍ କିଣି ରହୁଚି |ତା କଥା ଶୁଣିବା ପାଇଁ କାହାରି ଆଗ୍ରହ ନ ଥିଲେ ମଧ୍ୟ , ବାଧ୍ୟ ହୋଇ ଶୁଣନ୍ତି |କେହି କେହି  ଦୂରରୁ ତାକୁ ଦେଖି,'ବୁଢ଼ା ଆସିଲା,ବୋର କରିବ 'କହି ବାଟ ଭାଂଗି ଚାଲି ଯାଆନ୍ତି |ଧୀରେ ଧୀରେ ତାର ବୟସ ବଢିଲା |ବ୍ୟବସାୟ କଥା ବୁଝିବା ତା ପକ୍ଷରେ କ୍ରମେ ଅସମ୍ଭବ ହୋଇ ପଡିଲା |ପିଲାମାନେ ଦୋଷ ଛଡାଇବା ପାଇଁ ନିୟମିତ ଫୋନ କରୁଥିଲେ ମଧ୍ୟ କେହି ଗାଁ କୁ ଆସିବା ପାଇଁ ଇଚ୍ଛା କରୁ ନଥିଲେ  |
                            ସତ୍ୟଜିତ ର ଘର ପାଖରେ ଶୁଭେନ୍ଦୁ ର ଡିହ ଜମି ଥିଲା |ସେ ସେଇଠାରେ ଦୁଇ ବଖରା ଚାଳଘର କରିଥିଲା |ତାର ଗୋଟିଏ  ପୁଅ ଓ ଗୋଟିଏ ଝିଅ ଥିଲେ |ପିଲାମାନେ ଚାକିରୀ କରି ସାରିବା ପରେ ଗାଁ ଘର ର ପୁନଃନିର୍ମାଣ କଥା ଚିନ୍ତା କଲେ |ଦୁଇଜଣ ମିଶି ଛୋଟଘରକୁ ଜୀବନ୍ୟାସ ଦେଲେ |ଦୁଇ ବଖରା ଚାଳଛପର ଘର କ୍ରମେ ଦୁଇମହଲା କୋଠାଘର ରେ ପରିଣତ ହେଲା |ଘର ଚାରିପଟେ ପାଚେରି ବୁଲିଲା ,ସାମନା ପଟେ  ସୁନ୍ଦର ସୁନ୍ଦର ଫୁଲ ଗଛ ଲାଗିଲା ଓ ପଛପଟେ ନାନାପ୍ରକାର ର ପନିପରିବା ଓ ଫଳ ଗଛ ଲାଗିଲା |ଶୁଭେନ୍ଦୁ ଗାଆଁ ରେ ପୁଅଝିଅଂକ ବାହାଘର ଧୁମ ଧାମରେ କଲା  |ଯେତେବେଳେ ଶୁଭେନ୍ଦୁ ର ଘର ଫୁଲ ପରି ଗଢି ଉଠୁଥାଏ ,ସେତେବେଳେ ପାଖରେ ଥିବା ସତ୍ୟଜିତ ର ଘରୁ ଖଣ୍ଡେ ଖଣ୍ଡେ ଇଟା ଖସି ପଡୁଥାଏ |ପିଲାମାନେ କୋଟିପତି ,ଏକାଧିକ କୋଠାଘର ର ମାଲିକ,କିନ୍ତୁ ଗାଁ ଘର ମରାମତି କରିବା ପାଇଁ କାହାରି ଆଗ୍ରହ ନ ଥିଲା  |ବାପା ମାଆଂକୁ ଗଣ୍ଡେ ଖାଇବାକୁ ଦେବା ଦୂରର କଥା ,ସେମାନଂକୁ ଥରେ ଦେଖା କରିବା ପାଇଁ ତାଂକ ପାଖରେ ସମୟ ନଥିଲା  |ସତ୍ୟଜିତ ଯେତେବେଳେ ଶୁଭେନ୍ଦୁ ର ପିଲାମାନଂକୁ ଦେଖେ ,ଦୁଃଖରେ ତା ଛାତି ଫାଟିଯାଏ |ତଥାପି ସେ ମୁହଁଟାଣ ଦେଖାଇ କହେ,ଗାଁ ରେ ଏସବୁ କରି ଲାଭ କଣ ?ସହରରେ ତ ନିଜ ଘର ନାହିଁ,ଭଡାଘରେ ରହୁଛନ୍ତି  |
                         ଶୁଭେନ୍ଦୁ ଚାକିରୀରୁ ଅବସର ନେବା ପରେ ସ୍ତ୍ରୀ ଶ୍ରୀୟା ସହ ଗାଁ କୁ ଚାଲି ଆସିଲା |ସେ ଘର ପଛପଟେ ଦୁଇଟି ପରିବାର ଚଳିବା ପରି ଦୁଇଟି ପୃଥକ ଘର କରିଥିଲା |ଗୋଟିଏ ଘରେ ଘର ର ଯାବତୀୟ କାମ କରିବା ପାଇଁ ଗୋଟିଏ ପରିବାର ଓ ଅନ୍ୟ ଘରଟିରେ ବାଡିବଗିଚା କଥା ବୁଝିବା ପାଇଁ ଆଉ ଗୋଟିଏ ପରିବାର ରହୁଥିଲେ |ଶୁଭେନ୍ଦୁ ଓ ସତ୍ୟଜିତଂକ ଘର ପାଚେରୀ ମଝିରେ ଗୋଟିଏ ଗେଟ ଥିଲା |ସେହିବାଟ ଦେଇ ଉଭୟ ପରିବାର ପରସ୍ପର ଘରକୁ ଯିବା ଆସିବା କରୁଥିଲେ |ଯେତେବେଳେ ସ୍ଥାୟୀ ଭାବରେ ଶୁଭେନ୍ଦୁ ସେଠାରେ ରହିବାକୁ ଆରମ୍ଭ କଲା,ତାର ସୁଖ ସୌଭାଗ୍ୟ କୁ ସତ୍ୟଜିତ ସହି ପାରିଲା ନାହିଁ |ଦିନେ ସେହି ଗେଟ ରେ ଏକ ବିରାଟ ତାଲା ପକାଇ ଦେଲା |ସ୍ତ୍ରୀ ଗୀତା ଏହାକୁ ବିରୋଧ କରି କହିଲା,ଭୁଲ ଆମର,ତାଂକ ଉପରେ ଦାଉ ସାଧୁଛ କାହିଁକି ?ଅନ୍ୟକୁ ଈର୍ଷା କଲେ ନିଜ ଶିରୀ ତୁଟିଯାଏ |ସତ୍ୟଜିତ ରାଗରେ ଗର ଗର ହୋଇ କହିଲା,ସବୁପୁଅ  ସ୍ତ୍ରୀ ମାନଙ୍କ  କଥାରେ ଉଠ ବସ ହେଲେ,ଦିନେ ହେଲେ ଆମ କଥା ଚିନ୍ତା କଲେ ନାହିଁ |କେତେ ସରି ହେବେ ,ବଂଚି ଥିଲେ ଦେଖିବ |ଗୀତା କହିଲା,ପରଝିଅଂକୁ ଦୋଷ ଦେଉଛ କାହିଁକି?ସେମାନେ ଯଦି ନିଜ ବାପା ମାଆଂକ ପାଇଁ ନିଜ ସଂସାର କୁ ତୁଚ୍ଛ କରି ଦେଉଛନ୍ତି,ତାହାଲେ ଆମ ପୁଅମାନେ କଣ ଆମପାଇଁ ସେହିପରି କରି ପାରନ୍ତେ ନାହିଁ?ଏମିତି କରିବାକୁ କିଏ ତାଂକୁ ମନା କରୁଛି ?ସତ୍ୟଜିତ ଆହୁରି ରାଗିଯାଇ କହେ,ତମ ବିତଣ୍ଡା ଯୁକ୍ତି ପାଇଁ ମୋ ପାଖରେ ଉତ୍ତର ନାହିଁ |ମନକଥା ମନରେ ମାରି ସେ ଧୀରେ ଧୀରେ ମାନସିକ ଅବସାଦ ର ଶୀକାର ହୋଇ ଶଯ୍ୟାଶାୟୀ ହୋଇ ପଡିଲା ଓ ଶେଷରେ ମୃତ୍ୟୁପଥ ର ଯାତ୍ରୀ ହେଲା |
                      ପିତାଂକ ମୃତ୍ୟୁ ପରେ ପିଲାମାନେ ଶୁଦ୍ଧିକ୍ରିୟା କରିବାକୁ ଗାଁ କୁ ଆସିଲେ ଓ ବହୁ ଆଡମ୍ବରରେ ଲକ୍ଷ ଲକ୍ଷ ଟଂକା ଖର୍ଚ୍ଚ କରି ସମସ୍ତ ଗ୍ରାମବାସୀଙ୍କୁ ଭୋଜନ ଦେଲେ |ସବୁ କାମ ସରିବା ପରେ ସେମାନେ ମାଆ କୁ ପାଳିକରି ରଖିବାପାଇଁ ପ୍ରସ୍ତାବ ଦେଲେ |କିନ୍ତୁ କୌଣସି ପରିସ୍ଥିତିରେ ଗାଁ ଛାଡି ନ ଯିବା ପାଇଁ ଗୀତା ତାର ନିଷ୍ପତ୍ତି ପିଲାମାନଂକୁ ଶୁଣାଇ ଦେଲା |ପିଲାମାନେ ଚାଲିଗଲେ ଓ ଯିବାବେଳେ କହିଗଲେ,ଭଲ ମନ୍ଦ ହେଲେ ଆମକୁ ଦୋଷ ଦେବ ନାହିଁ |ଗୀତା ମନେ ମନେ କହିଲା,ଆଉ କଣ ଅଧିକ ମନ୍ଦ ହେବାର ଅଛି ଯେ ତମକୁ ଦୋଷ ଦେବି ?ସେମାନେ ଯିବାପରେ ସେ ପ୍ରଥମେ ଦୁଇଘର ମଝିରେ ଥିବା ଗେଟ ର ତାଲା ଖୋଲି ଦେଲା |ଶୁଭେନ୍ଦୁଂକ ପରିବାର ସହ ତାର ପୁରୁଣା ସମ୍ପର୍କ ପୁଣି ଫେରି ଆସିଲା |ତାପରେ ନିଜର ସମସ୍ତ ଅଳଂକାର ଓ ଅଧାରୁ ଅଧିକ  ଜମି ବିକ୍ରୀ କରି ଘର ମରାମତି  କଲା |ଏହା ସହିତ ଆହୁରି ଛୋଟ ଛୋଟ ଦଶ ବଖରା ଘର ,ପାଇଖାନା ଓ ଗାଧୁଆ ଘର ମଧ୍ୟ କଲା |ସମସ୍ତଂକୁ ଚକିତ କରିଦେଇ ଦିନେ ସେ ପିଲାମାନଂକ ଦ୍ୱାରା  ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଜଣେ ଅସହାୟା ବିଧବା ବୃଦ୍ଧାଂକୁ ନିଜ ଘରକୁ ନେଇ ଆସିଲା |ତାପରେ ଧୀରେ ଧୀରେ  ଏମିତି ଅନେକ ଅସହାୟ /ଅସହାୟା ଙ୍କୁ  ନିଜ ଘରେ ଆଶ୍ରୟ ଦେଲା |ସେମାନଂକ ଦେଖାଶୁଣା କରିବା ପାଇଁ ଦିନକୁ ଦୁଇ ମୁଠା ଖାଇବାକୁ ପାଉ ନ ଥିବା ଅତି ଗରୀବ ପରିବାରଙ୍କୁ   ନିଜ ଘରେ ଆଶ୍ରୟ ଦେଲା |ତିନି ଚାରି ବର୍ଷରେ ସେହି ଘର ଟି କ୍ରମେ ଏକ ଜରାନିବାସ ରେ ପରିଣତ ହୋଇଗଲା ଓ ତାର ହଜି ଯାଇଥିବା ଖୁସି ପୁଣି ଫେରି ଆସିଲା |ସେ ସେମାନଂକ ମେଳରେ ଖୁବ ଖୁସିରେ ରହି ସ୍ୱର୍ଗ ସୁଖ ଅନୁଭବ କରୁଥିଲା  |ଏ ଖବର ଗୀତାଂକ ପିଲାମାନଂକ ପାଖରେ ପହଂଚିଲା |ମାଆଂକର ଦାୟିତ୍ତ୍ୱ  କିଏ ନେବ,ସେଥିପାଇଁ ସେମାନଂକ ଭିତରେ ଛକାପଞ୍ଝା ଚାଲିଥିବା ବେଳେ ମାଆଂକର ଏହି ନୂଆକାର୍ଯ୍ୟ ସେମାନଂକୁ ଆଶ୍ଚର୍ଯ୍ୟ ଚକିତ କରିଦେଲା |ବିଶେଷ ଖବର ଜାଣିବା ପାଇଁ ମାଆଂକୁ ଫୋନ୍ କରିବା ବେଳେ ସେପଟୁ ଉତ୍ତର ଆସିଲା',ଆପଣଙ୍କ ଦ୍ୱାରା ଡାଏଲ କରାଯାଇଥିବା ନମ୍ବର ବର୍ତ୍ତମାନ ମହଜୁଦ ନାହିଁ' |ମମତା ମହାନ୍ତି |

Saturday, November 12, 2016

ଦ୍ବିତୀୟ ରାସ୍ତା

                   ମୋ ନାଁ କମଳା |ବୟସ ସତେଇଶ ବର୍ଷ |ରଂଗ ଗୋରା,ଉଚ୍ଚତା ପାଂଚ ଫୁଟ ଚାରି ଇଂଚ |ମୁଁ ପିତାମାତାଂକ ଜେଷ୍ଠା କନ୍ୟା |ମୋ ତଳେ ଆଉ ପାଂଚ ଭଉଣୀ ଅଛନ୍ତି |ଭାଇ ନାହିଁ |ସତର ବର୍ଷ ବୟସରେ, ଯୁକ୍ତ ଦୁଇ ରେ ପଢୁଥିବା ବେଳେ  ମୋର ବିବାହ ହୋଇଥିଲା |ସ୍ବାମୀ ଓଡିଶା ସରକାରଂକ ଅଧୀନରେ ଏକ ଉଚ୍ଚ ପଦସ୍ଥ କର୍ମଚାରୀ ଥିଲେ |ବିବାହର ଆଠ ବର୍ଷ ପରେ ମୋର ପୁଅ ଜନ୍ମ ହେଲା |ଆମେ ବହୁତ ଖୁସିରେ ଥିଲୁ |ମଝିରେ ମଝିରେ ଆମେ ବାପାଂକ ଘରକୁ ଯାଉ |ବାପା ବଡପୁଅ ପରି ମୋ ସ୍ବାମୀଂକ ଉପରେ ନିର୍ଭର କରୁଥିଲେ |
                   ଦିନେ ଖବର ଆସିଲା,ମୋ ସାନଭଉଣୀ ର ବିବାହ  ସ୍ଥିର ହୋଇ ଯାଇଛି |ମୁଁ ଖୁସିରେ ନାଚି ଉଠିଲି |ବାହାଘର ଆଉ ମାତ୍ର ପାଂଚ ଦିନ ଥାଏ,ଆମେ ବାପାଂକ ଘର ସୁଦୂର ବାଲେଶ୍ବର କୁ ଗଲୁ |ସବୁ କାମ ସୁରୁଖୁରୁରେ ଚାଲିଥାଏ |ବାକି ରହିଥିବା କେତେଗୁଡିଏ ବିବାହ ସାମଗ୍ରୀ ଆଣିବା ପାଇଁ ତାଂକୁ କଟକ ଆସିବାକୁ ପଡିଲା |ମୁଁ ମଧ୍ୟ କମ ବ୍ୟସ୍ତ ନ ଥିଲି |ପାଖରେ ବର୍ଷକର ପୁଅ ,ଭାରି ହଇରାଣ କରୁଥାଏ |ତାଂକର ସେଦିନ ରାତିରେ କଟକ ରେ ରହି ତା ପରଦିନ ଗାଁ କୁ ଫେରିବାର କଥା ଥିଲା |ସକାଳେ ହଠାତ୍ କେହିଜଣେ ଆସି ଖବର ଦେଲା,ମତେ ସେହିକ୍ଷଣି ମୋ ଶାଶୁଘର ଗାଁ କୁ ଯିବାକୁ ପଡିବ |ବାପା ବୋଉ କେହି କିଛି କହୁ ନ ଥାଆନ୍ତି ,ସମସ୍ତେ କାନ୍ଦୁ ଥାଆନ୍ତି |ଭାବିଲି ବୋଧେ ଶାଶୁଂକର ଦେହ ଖରାପ ହୋଇଛି |ପୁଅକୁ ନେଇ ଗଲି |ଗାଁ ରେ ପହଂଚି ସେଠାରେ ମୋ ସ୍ବାମୀଂକର ମୃତଦେହ ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି |ମୁଣ୍ଡ ପିଟି ମୁଁ ସଂଜ୍ଞାହୀନ ହୋଇ ପଡିଲି |ସ୍ବାମୀ ମୋର ସେ ପୁରର ଯାତ୍ରୀ ହୋଇ ସାରିଥିଲେ |ବିବାହ ଉପକରଣ ନେଇ ଫେରୁଥିବାବେଳେ ଏକ ଟ୍ରକ ସହ ତାଂକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଘଟଣାସ୍ଥଳରେ ହିଁ ତାଂକର ପ୍ରାଣବାୟୁ ଉଡି ଯାଇଥିଲା |ଛବିଶ ବର୍ଷ ବୟସରେ ମୁଁ ବିଧବା ହୋଇଗଲି |ଆଉ ବଂଚିବାକୁ ମୋର ଇଚ୍ଛା ନ ଥିଲା |ସ୍ବାମୀଂକ ଚିତାରେ ଝାସ ଦେଇ ତାଂକ ସହଯାତ୍ରୀ ହେବାପାଇଁ ମୁଁ ମନସ୍ଥିର କରି ନେଇଥିଲି |ପୁଅକଥା ମନକୁ ଆଣୁ ନ ଥିଲି ,ଯିଏ ଦେଇଛି,ସେ ବୁଝିବ |କିନ୍ତୁ ଶାଶୁ କେଜାଣି କେମିତି ମୋ ମନକଥା ଜାଣି ପାରିଲେ |ସେ ମତେ ବୁଝାଇ କହିଲେ,ପୁଅକୁ ଅନା ,ତତେ ତା ପାଇଁ ବଂଚିବାକୁ ପଡିବ |ଧୈର୍ଯ୍ୟ ବାନ୍ଧ ,ତୋ ପଛରେ ମୁଁ ଅଛି |ତୁ ଭାବ,ତୋ ଶ୍ବଶୁର ଗଲାପରେ ମୁଁ ଯଦି ଆତ୍ମହତ୍ୟା କରିଥାନ୍ତି,ଏ ପିଲାଂକୁ ମଣିଷ କରିଥାନ୍ତା କିଏ ?ତଥାପି ମୁଁ ବୁଝୁ ନ ଥିଲି |ଶେଷରେ ମତେ ଘରେ ବନ୍ଦ କରି ରଖିବା ପର୍ଯ୍ୟନ୍ତ କଥା ଗଲା |ମୁଁ ନିର୍ଜଳା ଉପବାସ ରହିଲି,କିନ୍ତୁ ମୃତ୍ୟୁ ଆସିଲାନି |ଶେଷରେ ଆପାତତଃ ସ୍ଥିର କରିନେଲି,ପୁଅକୁ ମଣିଷ କରିବି |
                  ମୋ ସ୍ବାମୀ ଅତ୍ୟନ୍ତ ଅମାୟିକ ଓ ଅଜାତଶତ୍ରୁ ଥିଲେ |ସେଇ ହିସାବରେ ତାଂକ ସହକର୍ମୀମାନଂକ ସହଯୋଗ ଫଳରେ ଅଲ୍ପଦିନ ଭିତରେ ମୁଁ ମୋ ସ୍ବାମୀଂକର ସମସ୍ତ ଦେୟ ପାଇଗଲି |ରାଜ୍ୟ ସରକାରଂକ ଥଇଥାନଯୋଜନା ଅନୁଯାୟୀ ମୋର ଶିକ୍ଷାଗତ ଯୋଗ୍ୟତା କୁ ଚାହିଁ କିରାଣୀ ଚାକିରୀ ଟିଏ ମିଳିଗଲା |ଶାଶୁଘର ସୁଦୂର ପଲ୍ଲୀ ଅଂଚଳରେ |ତେଣୁ ସ୍ବାମୀଂକ ସହ ଯେଉଁ ଭଡାଘରେ ରହୁଥିଲି,ସେଠାରେ ରହିବା ପାଇଁ ସ୍ଥିର କଲି |ସାନଭଉଣୀ କୁ ପାଖକୁ ନେଇ ଆସିଲି |ପୁଅଟା ସବୁବେଳେ ତା ବାପାଂକୁ ଝୁରୁଥାଏ |ଦେହ ତାର ଆଦୌ ଭଲ ରହୁ ନ ଥାଏ |ଅଫିସ କୁ ଯିବାରୁ ମତେ ଝୁରି ଝୁରି ସେ ଆହୁରି ଶୁଖିଗଲା |ମୁଁ ପ୍ରାୟ ଛୁଟିରେ ରହୁଥାଏ କିମ୍ବା ଅଫିସ ରୁ ବେଳାଵେଳି ଘରକୁ ଚାଲି ଆସୁଥାଏ |ଦିନେ ଦିନେ ପୁଅକୁ ଅଫିସକୁ ନେଇ ଦୁଇ ଘଣ୍ଟା ପରେ ତାକୁ ଘରକୁ ନେଇ ଆସି ଖୁଆଇ,ଶୁଆଇ ଦେଇ ପୁଣି ଅଫିସ ଆସେ |ଏମିତି ପ୍ରାୟ ଛଅମାସ ଚାଲିଗଲା |ଧୀରେ ଧୀରେ ପୁଅ ମୋର ସ୍ବାଭାବିକ ହେବାରେ ଲାଗିଲା |ପୁଅ ମୁହଁକୁ ଚାହିଁ ମୁଁ ମୋର ସମସ୍ତ ଦୁଃଖ ଭୁଲିବାକୁ ଚେଷ୍ଟା କଲି |
                 କ୍ରମଶଃ ଅନୁଭବ କଲି,କାର୍ଯ୍ୟାଳୟରେ ମୋ ପ୍ରତି ଥିବା ଅନୁକମ୍ପା ଆଉ ପୂର୍ବ ଭଳି ନାହିଁ |ସ୍ବାମୀଂକର ଯେଉଁ ସହକର୍ମୀମାନେ ସ୍ବାମୀଂକ ମୃତ୍ୟୁ ପରେ ମତେ ଅଯାଚିତ ସାହାଯ୍ୟ ସହଯୋଗ କରିଥିଲେ ,ସେମାନଂକ ଦୃଷ୍ଟିକୋଣ କ୍ରମେ ମୋ ପ୍ରତି ବଦଳିବାରେ ଲାଗିଲା |ଏଥରକ ଚାରିଟା ବେଳେ ଘରକୁ ଯିବାକୁ ଚାହିଁଲେ ,ଅନୁମତି ଦିଆଗଲା ନାହିଁ |ଛୁଟିରେ ରହିଲେ,କୈଫିୟତ ତଲବ କରାଗଲା |ମୋର ଦରମା ବନ୍ଦ କରାଗଲା |ଦୋଷ ତ ମୋର,ଛୁଟିରେ ରହିଛି ଯେତେବେଳେ ,ଦଣ୍ଡାଦେଶକୁ ସହିବାକୁ ପଡିବ |ସହିନେଲି |କିଛିଦିନ ପରେ ଆଗପଛ ହୋଇ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଂକର ବଦଳି ହୋଇଗଲା |ସେମାନେ ମୋପାଇଁ ଦେବତା ସଦୃଶ ଥିଲେ |ତାଂକ ସ୍ଥାନରେ ଦୁଇଜଣ ନୂତନ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଆସିଲେ |ସେମାନେ କାର୍ଯ୍ୟରେ ଯୋଗ ଦେବାର ମାସକ ଭିତରେ ହିଁ ମୁଁ ସମସ୍ତଂକ ଦୃଷ୍ଟିରେ ଏକ ଘୃଣ୍ୟବସ୍ତୁ ପାଲଟି ଗଲି |
                    ଦିନକର କଥା |ମୁଁ ମୋ ସିଟରେ ବସି କାମ କରୁଛି,ଶୁଣିଲି,କେହିଜଣେ କହୁଛନ୍ତି,ଏ ବୟସରେ ଏକା ଏକା ରହୁଛି କେମିତି ?ସଂଗେ ସଂଗେ ଆଉ ଜଣେ କହିଲେ,ଏମିତି କେତେ ସତୀ ଆମେ ଦେଖିଛୁ |ସ୍ବାମୀ ଥିବାଯାଏ ସତୀ |ସ୍ବାମୀ ମରିଗଲେ,ଏକରେ ମନ ସନ୍ତୁଷ୍ଟ ହୁଏନାହିଁ,ଦରକାର ହୁଏ ଶହେ ,ମାନେ ଅସଂଖ୍ୟ !!ଘୃଣାରେ ମୋ କାନମୂଳ ଜଳି ଉଠିଲା |ନିର୍ଦ୍ଦେଶକଂକ ନିକଟରେ ମୁଁ ମୌଖିକ ଅଭିଯୋଗ କଲି |ନିର୍ଦ୍ଦେଶକ କହିଲେ,ଆପଣ ଯାଆନ୍ତୁ,ମୁଁ ସେକଥା ବୁଝିବି |ମୁଁ ଚାଲି ଆସିଲି |ନିର୍ଦ୍ଦେଶକ ଉପନିର୍ଦ୍ଦେଶକଂକୁ ଡକାଇଲେ |ସେ ତାଂକୁ କଣ କହିଲେ,ଜାଣିନି ,କିନ୍ତୁ ମୁଁ ଅନୁଭବ କଲି ,କାର୍ଯ୍ୟାଳୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି |ତା ପରଠାରୁ ଆରମ୍ଭ ହେଲା,ମାନସିକ ନିର୍ଯ୍ୟାତନା |ଅନ୍ୟ କର୍ମଚାରୀ ଏଗାରଟାରେ ଆସିଲେ ,ଆଟେଣ୍ଡାନ୍ସ ରେଜିଷ୍ଟର ରେ ଛକି ପଡେନାହିଁ ଅଥଚ ମୁଁ ସାଢ଼େ ଦଶଟାରେ ପହଁଚିଲେ,ମୋର ଛକି ପଡିଯାଏ |ତିନୋଟି ଛୁଟି ରେ  ଗୋଟିଏ କାଜୁଆଲ ଲିଭ କଟି ଯାଏ |ଏଇ ହିସାବରେ ମୋର ଗୁଡାଏ କାଜୁଆଲ ଲିଭ କଟି ଗଲା |ପାଂଚ ଟା ପୂର୍ବରୁ ମୁଁ ଘରକୁ ଯାଇ ପାରିବିନି |ସିଟରୁ ଉଠିଲେ ଉପବିଭାଗୀୟ ଅଧିକାରୀ ହାତଘଣ୍ଟା କୁ ଚାହିଁ ଦେଖିବେ,କେତେଟା ବାଜିଛି |ମୁଁ ଏଥର ଦଶ ଟା ପୂର୍ବରୁ ଅଫିସ ଆସିଲି ଓ ପାଂଚ ଟା ପରେ ଅଫିସ ପରିତ୍ୟାଗ କଲି |ଦରକାର ପଡିଲେ ଅଧାଦିନ ପାଇଁ ଛୁଟି ନେଇଯାଏ, କିନ୍ତୁ କୌଣସି ପରିସ୍ଥିତିରେ ଡେରିରେ ଆସିବା ପାଇଁ କିମ୍ବା ଶୀଘ୍ର ଅଫିସ ପରିତ୍ୟାଗ କରିବା ପାଇଁ ଅନୁମତି ଭିକ୍ଷା କଲି ନାହିଁ |ଏହି ପରୀକ୍ଷାରେ ଉତ୍ତୀର୍ଣ ହେବା ପରେ ମୋ ପାଇଁ ନୂତନ ସମସ୍ୟା ଆସିଲା |ଫାଇଲ ରେ ବିଭିନ୍ନ ଆଳ ଦେଖାଇ କ୍ବୋରି ଆରମ୍ଭ ହେଲା |କାରଣ ନ ଥାଇ ପ୍ଲିଜ୍ ବ୍ରିଂଗ ଅପ ,ପ୍ଲିଜ୍ ଡିସକସ୍ ବା ୟାଡୁ ସାଡୁ ଥୋଡାଏ ଲେଖିଦେବା ଦୈନନ୍ଦିନ ବ୍ୟାପାର ରେ ପରିଣତ ହୋଇଗଲା |ମୁଁ ହାରି ନ ଯାଇ ଦୃଢତା ର ସହ ସବୁ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କଲି |
                   ସେଦିନ ଅଫିସ ରେ ଖୁବ କମ୍ ଷ୍ଟାଫ୍ ଥାଆନ୍ତି |ଅଧିକାଂଶ ଟୁର ରେ ଯାଇଥାଆନ୍ତି ,କେତେକ ଛୁଟି ରେ ଥାଆନ୍ତି |ପିଅନ ଆସି ଖବର ଦେଲା,ନିର୍ଦ୍ଦେଶକ ଡାକୁଛନ୍ତି |ଗଲି |ସେ ବସିବାକୁ କହିଲେନି |ଓଲଟି ପ୍ରବେଶ କରୁ କରୁ ମତେ ଗାଳିଦେବା ଆରମ୍ଭ କଲେ |କହିଲେ,ସବଜେକ୍ଟ ଷ୍ଟଡି କରୁନ,ମନଇଚ୍ଛା ଲେଖୁଚ ........ଇତ୍ୟାଦି ଇତ୍ୟାଦି |ସଂକ୍ଷେପରେ ସରି ସାର୍ ,ଏଥରକ ଭଲଭାବେ ଷ୍ଟଡି କରି ଲେଖିବି କହି ଚାଲି ଆସିବା ବେଳକୁ ସେ କହିଲେ,ରୁହ,ଚାଲିଯାଉଛ କଣ ?ମୁଁ ଅଟକି ଗଲି |ବସିବାକୁ କହିଲେ |ବସିଲି |ସେ ନିଜ ସିଟ ରୁ ଉଠି ବ୍ୟସ୍ତ ଭାବେ ପଦଚାରଣ କରିବାରେ ଲାଗିଲେ |ତାପରେ ହଠାତ୍ ମୋ କାନ୍ଧରେ ହାତ ରଖି ବିକଳ ସ୍ବରରେ କହିଲେ,ଆଇ ଲଭ୍ ୟୁ ,ଆଇ ଓ୍ଵାଣ୍ଟ ୟୁ ଇତ୍ୟାଦି |ଯେ ରକ୍ଷକ ସେ ଯେ ଭକ୍ଷକ ହେବେ ମୁଁ ସ୍ବପ୍ନରେ ସୁଦ୍ଧା କଳ୍ପନା କରିପାରି ନ ଥିଲି |ଝଡ ପରି ଉଠି ସେଠାରୁ ଚାଲି ଆସିଲି |ତାପରେ ବ୍ୟାଗ ଧରି ବିନାନୁମତିରେ ଘରକୁ ଚାଲିଆସିଲି |ମତେ ଅସହାୟ ଲାଗୁଥାଏ |ସ୍ବାମୀଂକ କଥା ସେତେବେଳେ ବହୁତ ମନେ ପଡିଲା |ମତେ ଏକୁଟିଆ ଏମିତି ହନ୍ତସନ୍ତ ହେବାକୁ ଛାଡିଦେଇ ସେ ଚାଲିଗଲେ |ପୁଅ ମୁହଁକୁ ଚାହିଁଲି |ଶୋଇଛି ବିଚରା |ସେ ବଡ ହୋଇ ମଣିଷ ହେବାପାଇଁ ଅନ୍ତତଃ ପକ୍ଷେ ଆହୁରି କୋଡିଏ ବର୍ଷ ଅପେକ୍ଷା କରିବାକୁ ପଡିବ |ହେଲେ ଏତେବର୍ଷ ବଂଚିବି କେମିତି ?ଘରେ ରହୁ ରହୁ ପାଂଚଦିନ ରହିଗଲି |ମୋର ସହକର୍ମୀ ଦୁଇଜଣ ଆମଘର କୁ ଆସିଲେ |ଛୁଟି ଦରଖାସ୍ତ ନ ଦେଇ ଛୁଟିରେ ରହିବା କିପରି ଏକ ଗୁରୁତର ଅପରାଧ,ତା ମଧ୍ୟ ବୁଝାଇଲେ |ମୁଁ ସେମାନଂକୁ ସମସ୍ତ କଥା କହି ସାହାଯ୍ୟ ମାଗିଲି |ସେମାନେ ମୋରି ପରି କିରାଣୀ ଥିଲେ |ସେମାନେ କିପରି ବା ମତେ ସାହାଯ୍ୟ କରି ପାରନ୍ତେ ?ତଥାପି ସେକ୍ରେଟାରୀଂକୁ ଏ ବିଷୟରେ ଅବଗତ କରାଇବା ନିମନ୍ତେ ପରାମର୍ଶ ଦେଲେ |ଦରଖାସ୍ତ ଲେଖିଲି |ସେକ୍ରେଟାରୀଂକୁ ଗ୍ରିଭାଂସ ଡେ ଦିନ ଦେଖାକରି  ମୋର ଦରଖାସ୍ତ ଦେଲି  ଓ ସମସ୍ତ ବିଷୟ ଜଣାଇ ନ୍ୟାୟ ନିମନ୍ତେ ପ୍ରାର୍ଥନା କଲି |ନ୍ୟାୟ ନିଶ୍ଚୟ ମିଳିବ ଓ ସେ ନିଜେ ଏ ବିଷୟରେ ତଦନ୍ତ କରିବାର ଦୃଢ ପ୍ରତିଶ୍ରୁତି ଦେଲେ |ମୁଁ ଖୁସିରେ ଚାଲି ଆସିଲି |ଭାବିଲି,ବଦମାସ  ପାନେ ପାଇବା ଦରକାର |କିନ୍ତୁ ମୋ ଧାରଣା ଭୁଲ ଥିଲା |ଘଟଣାର ତଦନ୍ତ କରିବା ଦୂରେ ଥାଉ,ଓଲଟି  ମୋ ଉପରେ ମିଥ୍ୟା ଦୋଷାରୋପ ହେଲା ଯେ କାମ ନ ଆସିବାରୁ ମୁଁ ଯୌନ ନିର୍ଯ୍ୟାତନା ର ମିଥ୍ୟା ଆରୋପ ଆଣିଛି |ଉଭୟ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଏକାଠି ହୋଇ କେତେଜଣ ମୁଖ୍ୟ ଷ୍ଚାଫଂକୁ ନିଜ ସମର୍ଥନ କୁ ନେଇ ଆସିଲେ |ମୋର ସମସ୍ତ ଫାଇଲ ରେ କ୍ବୋରି ହେଲା |ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଲୁଚାଇ ଦିଆଯାଇ ମୋ ଉପରେ ରେସପନ୍ସିବିଲିଟି ଫିକ୍ସ କରାଗଲା |ରାସ୍ତାରେ ଯିବା ଆସିବା ବେଳେ,ଅଫିସରେ କାମ କରିବା ବେଳେ ,ବାଥରୁମ କୁ ଯିବାବେଳେ ନାନାପ୍ରକାର ଅଶାଳୀନ ମନ୍ତବ୍ୟ ଦିଆଗଲା |ମୁଁ ଅର୍ଦ୍ଧପାଗଳୀ ପ୍ରାୟ ହୋଇଗଲି |ଭାବିଲି ପୂର୍ବ କାଳରେ ଆମର ସମାଜର ବଡପଣ୍ଡା ମାନେ ସତୀଦାହ ପ୍ରଥା ରଖି ବୋଧହୁଏ ଠିକ କରିଥିଲେ |ଏମିତି ତିଳ ତିଳ ହୋଇ ବଂଚିବା ଅପେକ୍ଷା ,ସ୍ବାମୀଂକ ଚିତାରେ ଝାସ ଦେଇ ସତୀ ହେବା ଶତଗୁଣେ ଶ୍ରେୟସ୍କର |ବିଧବାମାନଂକ ଉପରେ କାହାରି କୁଦୃଷ୍ଟି ନ ପଡୁ ବା ନିଜ ଇଚ୍ଛା ବିରୁଦ୍ଧରେ ବିଧବାମାନଂକ ସତୀତ୍ତ୍ବ ନଷ୍ଟ ନ ହେଉ ,ହୁଏତ ଏହି ଉଦ୍ଦେଶ୍ୟରେ ସତୀଦାହ ପ୍ରଥା ପ୍ରଚଳନ କରାଯାଇ ଥିଲା |ଆଜି ସେଇ ସମାଜ ସଂସ୍କାରକ ମାନଂକୁ ମୋର ପ୍ରଶ୍ନ ,ଯେଉଁ ସମାଜରେ ବିଧବା ଯୁବତୀକୁ ଭୟଶୂନ୍ୟ ଭାବରେ ବଂଚିବାର ଅଧିକାର ଦିଆଯାଏ ନାହିଁ,ସେ ସମାଜରୁ ସତୀଦାହ ପ୍ରଥା ଲୋପ କରିବା କି ଦରକାର ଥିଲା ?
                      ଏ ବିଷୟରେ ମୁଁ ଗଭୀର ଭାବରେ ଚିନ୍ତା କଲି |ମୋ ନିକଟରେ ଦୁଇଟା ରାସ୍ତା ଥିଲା |ଗୋଟିଏ ଥିଲା ଆତ୍ମହତ୍ୟା ,ଦ୍ବିତୀୟଟି ଥିଲା,ସମ୍ମାନର ସହ ବଂଚିବା |ଆତ୍ମହତ୍ୟା ନିଷ୍ପତ୍ତି ରୁ ମୁଁ କେବେଠାରୁ ଓହରି ଯାଇଥିଲି |ମୋ ପାଖରେ କେବଳ ଦ୍ବିତୀୟ ରାସ୍ତାଟି ଖୋଲା ଥିଲା |କାର୍ଯ୍ୟାଳୟ ରେ ଜଣେ ବିଧୂର ସହକର୍ମୀ ଥିଲେ |ତାଂକର ମୋ ପ୍ରତି ଅନେକ ଅନୁକମ୍ପା ଥିଲା |ଦିନେ ମୁଁ ତାଂକର ଅନୁରୋଧକୁ ସ୍ବୀକାର କରିନେଲି ଓ ମନ୍ଦିରରେ ବିବାହ କରି ତାଂକର ସହଧର୍ମିଣୀ ପାଲଟି ଗଲି |ମୋର ଅନ୍ୟ ସହକର୍ମୀ ଓ ଦୁନିଆଁ ଆଗରେ ମୁଁ  ଚରିତ୍ରହୀନା ହୋଇଗଲେ ମଧ୍ୟ ସେହିଦିନଠାରୁ ମୋର ସମସ୍ତ ମାନସିକ ନିର୍ଯ୍ୟାତନା ର ଅନ୍ତ ହୋଇଗଲା |

By Mamata Mohanty,ph-9437133391,e mail;mamatamohanty1206@gmail.com

 





Saturday, November 5, 2016

ଅନୁତାପ

                         ଅରୁଣଙ୍କ  ଧାରଣା ଥିଲା,ସେ ଅତି ଗେଲ୍ହାରେ ବଢିଥିବା ହେତୁ  ବେଶି ପାଠ ପଢି ପାରିଲେ ନାହିଁ  |ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସେ ଛୋଟ ଚାକିରୀ ଟିଏ କରିଥିଲେ |ତେଣୁ ସେ ତାଂକର ପିଲାମାନଂକୁ ଅତି କଡା ଶାସନରେ ରଖିଥିଲେ |ବଡଝିଅ ସୁଷମା ଓ ତାପରେ ପୁଅ ସୁଜିତ |ସେତେବେଳେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ତ୍ୱ  ଦିଆଯାଉଥିଲା ଓ କ୍ରୀଡା କେବଳ ସାମୟିକ ବିନୋଦନ ପାଇଁ ଥିଲା |ସୁଜିତ କିନ୍ତୁ ଖେଳିବାକୁ ଭାରି ଭଲପାଉ ଥିଲା |ଦୌଡ଼,ଲଂଗ ଜମ୍ପ,ହାଇ ଜମ୍ପ,ବାଧା ଦୌଡ଼,ସବୁଥିରେ ସେ ପ୍ରଥମ |ସାଧାରଣତଃ ଖେଳକୁଦ କରୁଥିବା ପିଲାମାନେ ପାଠରେ ଟିକେ ହେଳା କରିଥାନ୍ତି |ସୁଜିତ କ୍ଷେତ୍ରରେ ତାହା ହୋଇ ଥିଲା |କିନ୍ତୁ ଅରୁଣଂକର କଡା ନିର୍ଦ୍ଦେଶ ଥିଲା,ତୁ କେବଳ ପାଠ ପଢିବୁ,ଖେଳିବା ନାଁ ଧରିଲେ ତୋର ଦିନେକୁ ମୋର ଦିନେ |କାର୍ଯ୍ୟରେ ବି ସେଇଆ କରି ଦେଖାନ୍ତି |ପାଠ ପଢିବା ବେଳେ ଟିକିଏ ଭୁଲ ହୋଇଗଲେ,ଗୋରୁ ପରି ଛେଚି ଦେଇ ଯାଆନ୍ତି |ବେଳେବେଳେ ପଛପଟୁ ହାତ ବାନ୍ଧି ପଶୁ ଭଳି ନିର୍ମମ ଭାବେ ବେତରେ ପିଟନ୍ତି |ତାଙ୍କର  ଯୁକ୍ତି ଥିଲା ,ବିନା ଅନୁଶାସନରେ ପିଲା ମଣିଷ ହୁଅନ୍ତି ନାହିଁ  |ସୁଜିତ ମାଡ ଖାଇବା ବେଳେ କାନ୍ଦେ,ପରେ ସବୁ ଭୁଲିଯାଏ |ପୁଣି ଖେଳରେ ମାତେ |ବାର୍ଷିକୋତ୍ସବରେ ତା ପାଇଁ ବୋଝେ ପୁରଷ୍କାର ଥୁଆ ହୋଇଥାଏ |ଖୁସିରେ ସେ ତାକୁ ଘରକୁ ଆଣିବା ବେଳେ ତାର ମନେପଡେ ବାପା ମନା କରିଛନ୍ତି ଖେଳିବା ପାଇଁ |ସେ ସବୁ ପୁରଷ୍କାର  ତାର ସାଂଗ ମାନଂକ ଭିତରେ ବାଣ୍ଟିଦିଏ |ଦିନକର କଥା |ଜାଭଲିନ ଥ୍ରୋ ଖେଳ ଚାଲିଥିବା ବେଳେ ସେ ଭୁଲବଶତଃ ସେହିବାଟ ଦେଇ ଚାଲିଗଲା |ଜାଭଲିନ ସିଧା ଆସି ତା ଡାହାଣ ଗୋଡ ପେଣ୍ଡାରେ ବାଜି ମାଂସ ଖଣ୍ଡେ ଉଡାଇ ନେଲା |ତାକୁ ବହୁତ କଷ୍ଟ ହେଉଥିଲା  |କିନ୍ତୁ ବାପାଂକ ଠାରୁ ମାଡ ଖାଇବା ଭୟରେ ଘରେ କାହାକୁ ଏକଥା କହିଲାନି |ସେଦିନ ରାତିରେ ଅଧିକ ଯନ୍ତ୍ରଣା ହୋଇ ତାକୁ ଜ୍ୱର  ଆସିଗଲା ଓ ସେ ପ୍ରଳାପ କରିବାକୁ ଲାଗିଲା |ଅରୁଣ ଉଠି ଦେଖିଲେ,ସୁଜିତକୁ ଭୀଷଣ ଜ୍ୱର  ଓ ତା ଡାହାଣ ଗୋଡ଼ ପେଣ୍ଡାରୁ ମାଂସ ଖଣ୍ଡେ ଉଠି ଯାଇଛି |ଆଘାତ ଏତେ ଶକ୍ତ ଥିଲା ଯେ ସେପର୍ଯ୍ୟନ୍ତ ରକ୍ତ ଶୁଖିନଥିଲା  |ନିଜ ଉପରେ ତାଂକର ଧିକ୍କାର ଆସିଲା |ସକାଳୁ ତାକୁ ଡାକ୍ତରଖାନା ନେଇ ଇଂଜେକସନ୍ ଦେଲେ,କ୍ଷତସ୍ଥାନ ବାଣ୍ଡେଜ ହେଲା |
                    ମାଡ ଭୟରେ ଏମିତି ଅନେକ କଥା ଲୁଚାଇ ରଖୁଥିଲା ସୁଜିତ |ଏପରିକି ବୋଉ କୁ ମଧ୍ୟ କହୁନଥିଲା  |ତାର ଭୟ ଥିଲା,କାଳେ ବୋଉ ବାପାଙ୍କୁ କହିଦେବ |କିନ୍ତୁ ତାର ଅପା ସୁଷମା କୁ ସେ ସବୁକଥା କହୁଥିଲା  |ତାକୁ ସେ ବହୁତ ଭଲ ପାଉଥିଲା  |ଥରେ ସ୍କୁଲରୁ ଫେରୁଥିବା ବେଳେ ତାକୁ କୁକୁର କାମୁଡି ଦେଲା |ଏକଥା ଘରେ କହିଲେ କାଳେ ବାପା ମାରିବେ,ଏଇ ଭୟରେ ସେ କାହାକୁ କିଛି କହିଲାନି |କିନ୍ତୁ ସୁଷମା କୁ ସେ ବାରମ୍ବାର କୁକୁର କାମୁଡା ବିଷୟରେ ପ୍ରଶ୍ନ କରୁଥିଲା  |କୁକୁର କାମୁଡିଲେ କଣ ହୁଏ,ମଣିଷ ବଂଚେ ନାଁ ମରିଯାଏ,ନାଁ ପାଗଳ ହୋଇଯାଏ?ତାର ଏପରି କଥା ଶୁଣି ସୁଷମା ଜାଣିପାରିଲା ନିଶ୍ଚୟ  କିଛି ଗଡ଼ବଡ଼ ହୋଇଛି  |ସେ କହିଲା,ସତ କହ ତତେ କୁକୁର କାମୁଡିଛି ନାଁ?ସୁଜିତ ମାନିଗଲା |'ତାହାଲେ ଘରେ କହିଲୁନି କାହିଁକି?''ବାପା ମାରିବେ ବୋଲି"ସୁଜିତ କହିଲା |ତା କଥା ଶୁଣି ସୁଷମା ମୁଣ୍ଡରେ ହାତ ଦେଲା |ତାପରେ ଇଂଜେକ୍ସନ ନେବାରୁ ସେ ସୁସ୍ଥ ହୋଇଥିଲା |ଏହାସତ୍ତ୍ୱେ  ବି  ସେ ବାପାଂକ କଠୋର ଅନୁଶାସନ ରୁ ବର୍ତ୍ତି ଯାଇ ନ ଥିଲା |କୁହାଯାଏ,ଅତ୍ୟଧିକ ମାଡ ଖାଉଥିବା ପିଲାମାନଂକର ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡେ |ସୁଜିତ କ୍ଷେତ୍ରରେ ତାହାହିଁ ହେଲା |ପିଲାଦିନେ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ସୁଜିତ ଧୀରେ ଧୀରେ ପାଠପଢା ପ୍ରତି ବିମୁଖ ହେଲା |ଅରୁଣଂକ ମାଡ ଗାଳି ଆଉ କାମ କଲାନାହିଁ |
                ବହୁତ କଷ୍ଟରେ ବି.ଏ.ପାଶ କରିବା ପରେ,ଉପରସ୍ତରରେ ଧରାଧରି କରି କୌଣସି ମତେ ସୁଜିତ ପାଇଁ ସରକାରୀ ଚାକିରୀ ଟିଏ ଯୋଗାଡ କରିଦେଲେ ଅରୁଣ |ଭାବିଥିଲେ,ଏଥର ଚିନ୍ତା ଗଲା |କିନ୍ତୁ ପିଲାଦିନୁ ଏତେ କଟକଣା ଭିତରେ ବଢିଥିବା ସତ୍ତ୍ୱେ ,ସୁଜିତ  ଅରୁଣଂକ ଇଚ୍ଛା ବିରୁଦ୍ଧରେ ଯାଇ ଏକ ଭିନ୍ନ ଭାଷାଭାଷୀ ଝିଅକୁ ପ୍ରେମ କରି ତାକୁ କୋର୍ଟରେ ଗୁପ୍ତ ବିବାହ କଲା |କଲେଜ ପଢିବା ବେଳୁ ଏକଥା ଲୁଚାଛପାରେ ଚାଲିଥିଲା ,କେହି ଏହାର ଟେର ପାଇ ପାରି ନ ଥିଲେ |ସମସ୍ତେ ଜାଣିବା ବେଳକୁ ଲେଡି ଗୁଡ କହୁଣୀ କୁ ବୋହି ଗଲାଣି |ସୁଷମା ସେତେବେଳକୁ ବିବାହିତା |ସେ ସୁଜିତକୁ ବୁଝାଇବା ପରିବର୍ତ୍ତେ ଅରୁଣଂକୁ ବୁଝାଇଲା |ଏମିତି ବୁଝାବୁଝି କାମ ବର୍ଷେ କାଳ ଚାଲିଲା |ସେତେବେଳକୁ ଅରୁଣ ମାନସିକ ଦୁଶ୍ଚିନ୍ତାରେ ବିଛଣା ଧରି ସାରିଲେଣି |ଶେଷରେ ନିଷ୍ପତ୍ତି ହେଲା,ସୁଷମା ଓ ତାର ସ୍ୱାମୀ  ବୀରଭଦ୍ର କର୍ତ୍ତା କର୍ତ୍ତୀ ହୋଇ ବାହାଘର କରିବେ |ତାହାହିଁ ହେଲା |
                     ସୁଜିତ ଯାହାକୁ ବାହା ହେଲା,ତା ନାଁ ଶିଳ୍ପା |ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ,ଗୋଟିଏ ଚାଉଳ ରେ ଗଢା |ସୁଜିତ ତାକୁ ନିଜ ଜୀବନ ଠାରୁ ଅଧିକ ଭଲପାଉ ଥିଲା |ତାର ସବୁ ଅଳି ଅଝଟ ପୂର୍ଣ୍ଣ  କରିବାରେ ତାକୁ ଅସୀମ ଆନନ୍ଦ ମିଳୁଥିଲା |ସେମାନଙ୍କ ବିବାହକୁ ଅରୁଣ ଘୋର ବିରୋଧ କରିଥିବାରୁ,ଶିଳ୍ପା ଅରୁଣଙ୍କୁ ମାନସିକ ସ୍ତରରେ କେବେବି କ୍ଷମା କରି ପାରିନଥିଲା |ଶିଳ୍ପା ଚାହୁଁଥିଲା,ତା ଇଛାନୁସାରେ ଘର ପରିଚାଳିତ ହେବ |ସେଥିପାଇଁ ସେ କାହାରି ଇଛା ଅନିଚ୍ଛା କୁ ଗୁରୁତ୍ତ୍ଵ ଦେଉ ନଥିଲା  |ତାର ସୌକ ଥିଲା,ପ୍ରତି ମାସରେ ନୂଆଶାଢୀ କିଣିବା,ନୂଆ ଚଳଚ୍ଚିତ୍ର ଦେଖିବା ଓ ରାଜ୍ୟ ବାହାରକୁ ତା ବାପଘରକୁ ବୁଲିଯିବା |ଏଥିପାଇଁ ବହୁତ ଟଂକା ଆବଶ୍ୟକ ହେଉଥିଲା |ପହିଲା ଦିନ ଦରମା ଆଣି ସୁଜିତ ଶିଳ୍ପା ହାତକୁ ବଢାଇ ଦେଉଥିଲା  |ଶିଳ୍ପା ସେସବୁ ତା ନିଜ ଇଛାନୁସାରେ ଖର୍ଚ୍ଚ କରୁଥିଲା  |ଅନୁପମା ଯେଉଁ ରୋଷେଇ କରୁଥିଲେ ,ତାହା ତା ମନକୁ ଯାଉ ନଥିଲା  |ସେ ନିଜ ପସନ୍ଦ ଅନୁଯାୟୀ ବେଶି ତେଲ,ମସଲା ଓ ରାଗ ପକାଇ ରାନ୍ଧୁଥିଲା |  ତାକୁ  ସୁଜିତ ଓ ସେ ଦୁହେଁ ମିଶି ଖାଉଥିଲେ  |ଅରୁଣ ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ସେ ପାଇଥିବା ସରକାରୀ ଘର ଟି ଚେଷ୍ଟା କରି ସୁଜିତ ନାମରେ କରାଇ ଦେଲେ |ତଥାପି ଶିଳ୍ପା ଖୁସି ନ ଥିଲା |ଦିନେ ସେ ଅରୁଣଂକୁ ମୁହେଁ ମୁହେଁ କହିଦେଲା,ଆପଣ ଏଥର ଅଲଗା ଘର ଦେଖନ୍ତୁ,ଏଠାରେ ଆମେ ଆପଣମାନଂକୁ ରଖି ପାରିବୁନି | ଶିଳ୍ପାର କୌଣସି  କଥାକୁ ତଳେ ପକାଇ ଦେଉ ନଥିବା ସୁଜିତ ତାର ଏଇ କଥାକୁ ମଧ୍ୟ ବିରୋଧ କରି ନଥିଲା  |ଏକଥା ଅରୁଣଂକୁ ବହୁତ ବାଧିଥିଲା |ସେ ବିନା ପ୍ରତିବାଦରେ ସେଠାରୁ ଚାଲିଗଲେ ଓ ଗୋଟିଏ ଏକ ବଖୁରିଆ ଘର ଭଡା ନେଇ ଅନୁପମାଂକ ସହ ରହିଲେ  |
                             ଏହାପର ଠାରୁ ସୁଜିତ ର ବିପର୍ଯ୍ୟୟ ଆରମ୍ଭ ହୋଇଗଲା  |ଇତିମଧ୍ୟରେ ତାର ପୁଅଟିଏ ହୋଇ ସାରିଥିଲା  |ସବୁ ପିତାମାତାଂକ ପରି ତାର ମଧ୍ୟ ଇଚ୍ଛା ଥିଲା  ,ପୁଅକୁ ଭଲ ଖାଦ୍ୟ,ପୋଷାକ ଓ ଶିକ୍ଷା ଦେବାପାଇଁ |ଏପଟେ ଶିଳ୍ପାର ବଦଖର୍ଚ୍ଚ ବଢି ଚାଲିଥିଲା  |ଖର୍ଚ୍ଚଭାର ସମ୍ଭାଳିବା ପାଇଁ ସେ ଅସତ୍ ମାର୍ଗ ବାଛିନେଲା |କାହାକୁ ଚାକିରୀ ଦେବ ବା ଆଉ କଣ କରିବ କହି ଲକ୍ଷ ଲକ୍ଷ ଟଂକା ଠକି ନେଲା |କୁସଂସର୍ଗ ରେ ପଡି  ତାର ମଦ୍ୟପାନ କରିବା  ନିଶା ଆରମ୍ଭ ହୋଇଗଲା   |ଟଂକା ପାଇଁ କେହି ଘରକୁ ଆସିଲେ,ସେ ଘରେ ଥାଇ ଘରେ ନାହାନ୍ତି ବୋଲି କହିଲା |
                              ଦିନେ ଖରାବେଳେ ଖାଇସାରିବା ପରେ ଅରୁଣ ଓ ଅନୁପମା ବିଶ୍ରାମ ନେଉଛନ୍ତି ,ସୁଜିତ ଝଡ ପରି ଆସି ସେଠାରେ ପହଂଚି ଗଲା |କାନ୍ଦି କାନ୍ଦି କହିଲା ,ବାପା,ମତେ କେଉଁଠି ଲୁଚାଇ ଦିଅ,ପୋଲିସ ଖୋଜୁଚି |ଅରୁଣଂକ ମୁଣ୍ଡରେ ଚଡକ ପଡିଲା |କଥା କଣ ବୁଝିବା ବେଳକୁ ଚାକିରୀ ଦେବା ମିଛ ପ୍ରଲୋଭନ ଦେଖାଇ ,ସୁଜିତ କେତେଜଣଂକ ଠାରୁ ଟଂକା ନେଇଥିଲା ,ସେମାନେ ଥାନାରେ ତା ନାଁ ରେ ଏଫ୍.ଆଇ.ଆର.ଦେଇଛନ୍ତି |ଅରୁଣ କଣ କରିବେ ନକରିବେ ଭାବି  କିଛି ବୁଦ୍ଧି ଦିଶୁ ନ ଥିଲା |ସେଠାରେ ସୁଜିତ ତିନିଦିନ ରହିଲା |ଚତୁର୍ଥ ଦିନ ପୋଲିସ ବାସନା ଶୁଂଘି ଶୁଂଘି ଆସି ତାକୁ ସେଠାରୁ ଗିରଫ କରି ନେଇଗଲା |ଅରୁଣ ଅନେକ ଟଂକା ଖର୍ଚ୍ଚ କରି ସୁଜିତକୁ ଜାମିନରେ ଆଣିଲେ |ସେଦିନ ରାତିରେ ବାପାବୋଉଂକ ପାଖରେ ବସି ଅନେକ କାନ୍ଦିଲା ସୁଜିତ |କହିଲା,ବାପା,ତମେ ମତେ ଏତେ ବାଡାଉଥିଲ,ଆଉ ଟିକେ ବାଡେଇଥିଲେ,ମୁଁ ସେ ଝିଅକୁ ବାହା ହୋଇ ନ ଥାଆନ୍ତି |ଅରୁଣ ମଧ୍ୟ ସେଦିନ ଅନେକ କାଂଦିଲେ |କହିଲେ,ପୁଅ ,ଏମିତି କଡା ଶାସନରେ ରଖିବାରୁ  ତୁ ଭୁଲ ଠିକ ର ଫରକ ଜାଣି ପାରିଲୁନି  |ଭୁଲ ମୋର |ମୁଁ ଯେଉଁ ଭୁଲ କରିଛି,ତାର କ୍ଷମା ନାହିଁ |
                         ସେଠାରେ ପନ୍ଦର ଦିନ ରହିବା ପରେ ପୁଣି ସେ ଶିଳ୍ପା ପାଖକୁ ଫେରି ଆସିଲା |ସେଠାରେ ତାର ପ୍ରିୟ ଆକର୍ଷଣ ଥିଲା,ତାର ପୁଅ ରାଜା ,ଯାହାକୁ ସେ ନିଜ ପ୍ରାଣ ଠାରୁ ଅଧିକ ଭଲପାଉଥିଲା |ସେଠାକୁ ଆସିବା ପରେ ପୁଣି ଆରମ୍ଭ ହୋଇଗଲା ସେଇ ପୁରୁଣା ଭୁଲର ପୁନରାବୃତ୍ତି |ସୁଜିତ ଘୋଡା ମଦୁଆ ହୋଇଯାଇଥିଲା  |ମଦ ଖାଇବାପାଇଁ ଅନେକ ଧାର ଉଧାର ମଧ୍ୟ କରି ପକାଉଥିଲା  |କ୍ରମେ ସମସ୍ତେ ତାକୁ ଧାର ଦେବା ବନ୍ଦ କରିଦେଲେ |ସେ ମଦ ପାଇଁ ଘରୁ ଜିନିଷପତ୍ର ନେଇ ତାକୁ ବିକ୍ରୀ କରି ମଦଖିଆ ଖର୍ଚ୍ଚ ତୁଲାଇଲା |ଶିଳ୍ପା ଇତିମଧ୍ୟରେ ତା ମାଆ କୁ ତା ପାଖକୁ ନେଇ ଆସିଲା |ଗୋଟିଏ ରୁମ ରେ ସେମାନେ ସମସ୍ତେ  ଶୋଉଥିବା ବେଳେ ଅନ୍ୟ ଛୋଟ ରୁମ୍ ରେ ସୁଜିତ ଶୋଉଥିଲା |ଯେଉଁଦିନ ଶିଳ୍ପା ରାଗିଯାଇ ତାକୁ ଖାଇବାକୁ ଦେଉ ନ ଥିଲା ସେଦିନ ସେ ବାପା ବୋଉଂକ ପାଖକୁ ଚାଲି ଆସୁଥିଲା |ବୋଉ ହାତ ର ପଖାଳଭାତ,ଆଳୁଭର୍ତ୍ତା,ଶାଗଭଜା,ସୋରିଷ ଦିଆ ମାଛଭଜା ଖାଇ ମନବୋଧ ହେଲାପରେ ସେ ପୁଣି ଫେରି ଯାଉଥିଲା |ଗଲାବେଳେ ସୁଜିତ କୁ କିଛି ଟଂକା ଦେଉଥିଲେ ଅରୁଣ |କିନ୍ତୁ ସେସବୁ ସମୁଦ୍ରକୁ ଶଂଖେ ପଣା ପରି |ତାରି କଥା ଚିନ୍ତା କରି କରି ଅଳ୍ପ ଦିନଭିତରେ ଆଗପଛ ହୋଇ ଅରୁଣ ଓ ଅନୁପମା ଆଖି ବୁଜିଲେ |ସୁଜିତ ତାର ସାଧ୍ୟାନୁସାରେ ବାପାବୋଉଂକର କ୍ରିୟା କର୍ମ କଲା |ତାଂକର ଅସ୍ଥି ଗମଲାରେ ସ୍ଥାପନ କରି ପ୍ରତିଦିନ ସେଥିରେ ପାଣି ଦେଲା |ମାସେ ପରେ ସେ ସୁଷମା ପାଖକୁ ଯାଇଥିଲା |କହୁଥିଲା,ଅପା ,ସବୁଦିନ ଭୋର ଚାରିଟା  ରେ  ବାପା ମତେ ଡାକୁଛନ୍ତି |ମୋ ନିଦ ଭାଂଗି ଯାଉଛି ,ଆଉ ନିଦ ହଉନି |ସୁଷମା ତାଗିଦ କଲା;କହିଲା,ଏସବୁ ତୋ ମନ ର ଭ୍ରମ,ତୁ ସେମାନଙ୍କ କଥା ବେଶୀ ଭାବୁଛୁ ବୋଲି ଏମିତି ଚିନ୍ତା ତୋ ମନକୁ ଆସୁଛି  |ସୁଜିତ କିନ୍ତୁ ସେକଥା ବିଶ୍ୱାସ କରିବାକୁ ନାରାଜ ଥିଲା |ସେ  କହିଲା,ନାଁ ଅପା ମୁଁ ପୁରା ଚେଇଁ କରି ସବୁଦିନ ବାପାଂକ ସ୍ୱର  ଶୁଣୁଛି |କୌଣସି ଗୋଟିଏ ବି ଦିନ ଛାଡ ନାହିଁ  |ଏଣେ ଶିଳ୍ପା ଘରେ ପ୍ରଳୟ କରୁଥିଲା |କହୁଥିଲା,ବୁଢାବୁଢୀ ସେପଟେ ମଲେ,ଶବ ଆମଘରେ ରହିବ କାହିଁକି?ଉଠାଅ ତାକୁ |ବର୍ଷିକିଆ ସରିବା ପରେ ପୁରୀ ନନାଂକ ସହ ପରାମର୍ଶ କରି ଦିନେ ସେ ଏକାକୀ ଆଲ୍ହାବାଦ ଯାଇ ବାପାବୋଉଂକର ଅସ୍ଥି ବିସର୍ଜନ କରିଦେଲା  |
                     ଏହି ଘଟଣା ର କିଛିଦିନ ପରେ ସୁଷମା ଖବର ପାଇଲା,ସୁଜିତ ର ହୃଦଘାତ ରେ ମୃତ୍ୟୁ ଘଟିଛି |ପାଗଳ ପରି ସେ ତା ଘରକୁ ଦୌଡିଗଲା  |ସେଠାକାର ପରିସ୍ଥିତି ଅତି ବିଚିତ୍ର ଥିଲା |ଗୋଟିଏ ରୁମ୍ ରେ ପଟାଖଟ ରେ ସୁଜିତ ଶୋଇଥିଲା |ଚାଦର ନଥିଲା କିମ୍ବା ମୁଣ୍ଡ ତଳେ ତକିଆ ନଥିଲା  |ଶରୀର ତାର କଂକାଳସାର ହୋଇ ଯାଇଥିଲା ,ଘର ସାରା ଅଳନ୍ଧି ଭର୍ତ୍ତି |ସେଘରେ ସୁଜିତ ବ୍ୟବହାର କରୁଥିବା ଗୋଟିଏ ଆଲମୁନିଅମ ଥାଳି,ଗିନା ଓ ପ୍ଲାଷ୍ଟିକ ଗ୍ଲାସ ଥିଲା |ସେ ବୋଧହୁଏ ଅନେକ ଦିନ ଧରି ଧୁଆ ହୋଇ ନ ଥିଲା |ସୁଷମା ସେଠାରେ ମୁଣ୍ଡ ପିଟି ଅନେକ କାନ୍ଦିଲା  |ସୁଖରେ ରହିବ ବୋଲି ଅନେକ ବିରୋଧ ସତ୍ତ୍ୱେ  ସୁଜିତ ଭଲପାଇ ବାହା ହୋଇଥିଲା |କିନ୍ତୁ ଦୁଃଖ ରେ ସଢ଼ି ସଢ଼ି ସେ ମରିଗଲା |ସେ କେତେବେଳେ ମୃତ୍ୟୁବରଣ କଲା,ତାର ସଠିକ ସମୟ ସେମାନେ କହିପାରୁ ନ ଥିଲେ |ଶିଳ୍ପା  ର ମାଆ କହୁଥିଲେ ,ଅଧାରାତିରେ ଆମେ ଗୋଟିଏ ବିକଟ ଚିତ୍କାର ଶୁଣିଲୁ,ଭୟରେ କବାଟ ଖୋଲିଲୁନି |ବୋଧେ ସେତେବେଳେ ସେ ଚାଲିଗଲା |କଥାଟା ସେ ଏତେ ସହଜ ଭାବେ କହିଲେ ଯାହା ଶୁଣିବା ପାଇଁ ସୁଷମା ପକ୍ଷେ କଷ୍ଟକର ଥିଲା |
                     କିଛିଦିନ ପରେ ସୁଷମା ଖବର ପାଇଲା,ସୁଜିତ ସ୍ଥାନରେ ତା ପୁଅ ରାଜା  ଚାକିରୀ ପାଇଛି |ଧାରୁଆ ଲୋକଂକ କବଳରୁ ମୁକ୍ତି ପାଇବା ପାଇଁ ସେମାନେ ଘର ସରେଣ୍ଡର କରି ଅଫିସ ପାଖରେ ଭଡାଘରେ ରହୁଛନ୍ତି |ସୁଷମା ଭାବୁଥିଲା,ସେମାନେ ତାର ସବୁ ପ୍ରାପ୍ୟ ଭୋଗ କଲେ,ପୁଅ ସରକାରୀ ଚାକିରୀ ପାଇଲା |କିନ୍ତୁ ଯାହାପାଇଁ ଏତେ ସୁଖ,ତାକୁ ଭଲରେ ମୁଠାଏ ଖାଇବାକୁ ଦେଲେନାହିଁ !!ଭଲପାଇ ସେ ଏତେ ବଡ ଭୁଲ କରିଥିଲା ଯେ ସାରାଜୀବନ ତାର ପ୍ରାୟଶ୍ଚିତ୍ତରେ କଟିଗଲା !!!
                      କିଛିବର୍ଷ ପରେ ଶିଳ୍ପା ରାଜା  ର ବିବାହ ବିଷୟରେ ଚିନ୍ତା କଲା |ସେ ବହୁତ ଭାବି ଚିନ୍ତି ତା ନିଜ ରାଜ୍ୟ ର ,ନିଜ ଭାଷା ଓ ଜାତି ର ଅତି ସୁନ୍ଦରୀ ଝିଅଟିଏ ରାଜା  ପାଇଁ ଖୋଜିଆଣି ବହୁତ ଆଡମ୍ବରରେ ବାହାଘର କଲା |ଅତିଥିଂକ ମୁହଁରୁ ବୋହୂ ର ସୌନ୍ଦର୍ଯ୍ୟ ର ଭୁରି ଭୁରି ପ୍ରଶଂସା ଶୁଣି ତା ଗୋଡ ତଳେ ଲାଗୁ ନଥିଲା  |ବାହାଘରର ପ୍ରଥମ ତିନି ଚାରି ମାସ ବେଶ ଭଲରେ କଟିଗଲା |ତାପରେ ଧୀରେ ଧୀରେ ବୋହୂ ତାର ଅସଲ ଚେହେରା ପ୍ରକାଶ କରିବାକୁ ଲାଗିଲା |ଦିନେ ରାଜା  ଅଫିସ ଯିବାପରେ ସେ ଯାଇଁ ମହିଳାଥାନାରେ ହାଜର |ଯୌତୁକ ନିର୍ଯାତନା,ଶାରୀରିକ ଓ ମାନସିକ ନିର୍ଯ୍ୟାତନା,ଦୁଇଜଣଂକ ପାରିବାରିକ ଜୀବନରେ ଅଯଥା ହସ୍ତକ୍ଷେପ ଇତ୍ୟାଦି ଅଭିଯୋଗ ସେ ଶାଶୁଙ୍କ ବିରୁଦ୍ଧରେ  ଆଣିଥିଲା |ଅପରାହ୍ନ ସୁଦ୍ଧା ପୋଲିସ ଶିଳ୍ପା ଓ ରାଜାକୁ  ଥାନାକୁ ଡକାଇ ଆଣିଲା |ପୋଲିସ  ଶିଳ୍ପା କୁ କହିଲେ,ଆପଣ ଆପୋଷ ବୁଝାମଣା କରନ୍ତୁ,ନଚେତ୍ ଆମେ ଆଇନ ଅନୁଯାୟୀ ପଦକ୍ଷେପ ନେବୁ |ରାଜା  ର ସରକାରୀ ଚାକିରୀ |ଟିକିଏ ଏପଟ ସେପଟ ହେଲେ,ଅସୁବିଧା ଉପୁଜି ପାରେ |ତେଣୁ ସ୍ଥିର ହେଲା,ବୋହୂ ଓ ରାଜା  ଏକାଠି ଭୁବନେଶ୍ୱରରେ  ରହିବେ |ଶିଳ୍ପା ରାଜ୍ୟ ବାହାରକୁ  ଯାଇ ,ତା ଭଉଣୀ ପାଖରେ ରହିବ |
                       ଛାତିରେ ପଥର ଲଦି ଶିଳ୍ପା ପୁଅ ବୋହୂଙ୍କ  ପାଖରୁ ବିଦାୟ ନେଲା |ଏବେ ଶିଳ୍ପା ର ସୁଜିତ କଥା ବହୁତ ମନେପଡେ |ତାର ସ୍ନେହ,ପ୍ରେମ,ଆଦର କଥା ମନେ ପକାଇ ସେ ବହୁତ କାନ୍ଦେ |ଶାଶୁ ଶ୍ଵଶୁରଙ୍କ  ସ୍ନେହବୋଳା ବ୍ୟବହାରକୁ କେବେବି ସ୍ୱୀକାର କରିନଥିବା  କଥା ମଧ୍ୟ ସେ ବହୁତ ମନେ ପଡି ଅଜାଣତରେ ଆଖିରୁ ତାର ଅଜସ୍ର ଧାର ଲୁହ ଝରିଯାଏ |କିନ୍ତୁ କେବଳ ଅନୁତାପ କରିବା ଛଡା ତା ପାଖରେ ଆଉ କିଛି ନ ଥାଏ |ମମତା ମହାନ୍ତି |