Wednesday, October 26, 2016

ତଥାପି ଭାଗ୍ୟବାନ !!!

                          ସୁବ୍ରତ ଓ ରୋହିତ ଏକା ଅଫିସ ରେ ଚାକିରୀ କରୁଥିଲେ  |ଦୁଇଜଣ ମଧ୍ୟ ଘନିଷ୍ଠ ପଡୋଶୀ ଥିଲେ |ସରକାରୀ ଭଡାଘରେ ପାଖାପାଖି ଦୁଇଟି କ୍ୱାର୍ଟସରେ ରେ ଦୁହେଁ ନିଜ ପରିବାର ସହ ରହୁଥିଲେ  |ସୁବ୍ରତ ର ସବୁବେଳେ ଏକ ଦୃଢ ଧାରଣା ଥିଲା,ରୋହିତ ଭାଗ୍ୟବାନ ଓ ସବୁଠାରୁ ସୁଖୀ ମଣିଷ |କାରଣ ରୋହିତ ର ସ୍ତ୍ରୀ ଶିକ୍ଷୟତ୍ରୀ,ତାର ଦୁଇଟି ପୁଅ,ଭଲ ପାଠ ପଢନ୍ତି |କିନ୍ତୁ ତାର ନିଜର ସ୍ତ୍ରୀ ଗୃହିଣୀ,ଦୁଇଟି ଝିଅ ଓ ଗୋଟିଏ ପୁଅ |ଏସବୁ ବ୍ୟତୀତ ଆଉ ଏକ ବଡ କାରଣ ଥିଲା |ସୁବ୍ରତ ଓ ରୋହିତ ଦୁହେଁ ଏକ ସାଂଗରେ ନିଯୁକ୍ତି ପତ୍ର ପାଇଥିଲେ |ସେଦିନ ତେର ତାରିଖ ପଡୁଥିବାରୁ,ସୁବ୍ରତ ତା ପରଦିନ ଚାକିରୀରେ ଯୋଗ ଦେଇଥିଲା |କିନ୍ତୁ ରୋହିତ ର ଏସବୁ ଦିନ,ବାରରେ ବିଶ୍ୱାସ  ନ ଥିଲା |ସେ ତେର ତାରିଖ ଦିନ ହିଁ ଚାକିରୀରେ ଯୋଗ ଦେଇଥିଲା |ଯେଉଁଥିପାଇଁ ସେ ସୁବ୍ରତ ଠାରୁ ବରିଷ୍ଠତା ଭିତ୍ତିରେ ଉପରେ ରହିଥିଲା |
                        ସୁବ୍ରତ ରୋହିତ ଠାରୁ ଦୁଇ ବର୍ଷ ବଡ  ଥିଲା |ଯଦି ଦୁହେଁ ଏକା ଦିନରେ ଏକା ସମୟରେ ଚାକିରୀରେ ଯୋଗ ଦେଇ ଥାନ୍ତେ ତାହାଲେ ବୟସରେ ଅଧିକ ଥିବା ଦୃଷ୍ଟିରୁ ସୁବ୍ରତ ରୋହିତ  ଠାରୁ ବରିଷ୍ଠ ହୋଇ ଯାଇ ଥାଆନ୍ତା |କିନ୍ତୁ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ମାରାତ୍ମକ ଭୁଲ କରି ଥିବାରୁ ସବୁଦିନ ପାଇଁ ସେ ରୋହିତ ଠାରୁ ଜୁନିଅର୍ ହୋଇ ରହିଗଲା,ଯାହାକୁ  ସେ କେବେହେଲେ ଭୁଲି ପାରୁ ନ ଥିଲା |
                        ରୋହିତ ବରିଷ୍ଠ  ସହାୟକ ହେବାର ବର୍ଷକ ପରେ ସୁବ୍ରତ ର ପାଳି ପଡିଲା |ପୁଣି ରୋହିତ ଉପବିଭାଗୀୟ ଅଧିକାରୀ ହେବାର ପାଂଚ ବର୍ଷ ପରେ ସୁବ୍ରତ ଉପବିଭାଗୀୟ ପଦକୁ ଉନ୍ନୀତ ହେଲା |ମନେ ମନେ ସେ ସବୁବେଳେ ରୋହିତ କୁ ଗାଳି ଦିଏ,ତାର ଅଶୁଭ ମନାସେ |କିନ୍ତୁ ରୋହିତ ର ସବୁବେଳେ ଭଲ ହିଁ ହେଉଥାଏ |ଘରେ ତାର ସବୁବେଳେ ଆନନ୍ଦ ର ବାତାବରଣ |ରୋହିତ କୁ ମୁଁହ ଶୁଖେଇ ବସିବା ସେ କେବେହେଲେ ଦେଖିନାହିଁ |ତାକୁ ଯେଉଁ କଥାଟି ବେଶି ଖରାପ ଲାଗେ ତା ହେଲା,ତାଂକ ଘରେ ରୋଷେଇ ସରି ନ ଥିବା ବେଳେ,ରୋହିତ,ତା ସ୍ତ୍ରୀ ଓ ପିଲା ଦୁଇ ଜଣ ତାଂକର ସମସ୍ତ କାର୍ଯ୍ୟ ଶେଷ କରି ଯଥାକ୍ରମେ ଅଫିସ ଓ ସ୍କୁଲ ଅଭିମୁଖେ ବାହାରି ଯାଆନ୍ତି |ସୁବ୍ରତ ସବୁବେଳେ ଅଫିସ ରେ ଲେଟ୍ |ଅଥଚ ରୋହିତ ଅଫିସ ସମୟର ଅଧଘଣ୍ଟା  ଆଗରୁ ଅଫିସରେ ପହଂଚି ଯାଏ |ଫେରିବା ବେଳକୁ ନିର୍ଦ୍ଦେଶକ ଯାଇ ସାରିବା ପରେ ହିଁ ସେ ଘରକୁ ଯାଏ |ଅଫିସ ର ସବୁ ଗୁରୁତ୍ତ୍ୱତ୍ପର୍ଣ୍ଣ କାର୍ଯ୍ୟରେ ନିର୍ଦ୍ଦେଶକ ରୋହିତ ସହ ଆଲୋଚନା କରନ୍ତି |ତାକୁ ମଧ୍ୟ ବହୁ ଗୁରୁତ୍ତ୍ୱତ୍ପର୍ଣ୍ଣ ବିଭାଗ ର ଦାୟିତ୍ତ୍ୱ  ଦିଆ ଯାଇଥିଲା  |କିନ୍ତୁ ସୁବ୍ରତ ପାଖରେ ଷ୍ଟୋର,ଭେହିକିଲ ପରି ଝାମେଲାପୂର୍ଣ ବିଭାଗ ଥିଲା  |
                     ନିର୍ଦ୍ଦେଶକଂକ ପ୍ରିୟପାତ୍ର  ହେବାପାଇଁ ସୁବ୍ରତ ତାଂକର ବ୍ୟକ୍ତିଗତ କାର୍ଯ୍ୟ,ଯଥା -ପରିବାପତ୍ର ଆଣିଦେବା,ଲଣ୍ଡ୍ରୀରେ ଲୁଗା ଦେବା ଇତ୍ୟାଦି କାର୍ଯ୍ୟ କରିବା ବ୍ୟତୀତ ନିର୍ଦ୍ଦେଶକ ଯେତେବେଳେ ଯାହା କହୁଥିଲେ,ସବୁ କରୁଥିଲା |କିନ୍ତୁ ତାର ଚରିତ୍ର ପଂଜିକାରେ 'ଆଉଟଷ୍ଚାଣ୍ଡିଂ' ଲେଖିବା ବ୍ୟତୀତ ସେ ନିର୍ଦ୍ଦେଶକଂକର ଅନ୍ୟ କୌଣସି ଅନୁକମ୍ପା ଲାଭ କରି ପାରୁ ନଥିଲା |ଥରେ ନିର୍ଦ୍ଦେଶକଂକ ଗାଡିଚାଳକ କୁ ହାତ କରି ସେ ରୋହିତ ବିରୁଦ୍ଧରେ ନିର୍ଦ୍ଦେଶକଂକ କାନରେ ୟାଡୁ ସାଡୁ ଅନେକ କଥା ପକାଇଲା |ତାର ଉଦ୍ଦେଶ୍ୟ ଥିଲା,ରୋହିତ ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନ ହେଲେ,ତାର ଭବିଷ୍ୟତ ପଦୋନ୍ନତି ର ବାଟ ବନ୍ଦ ହୋଇଯିବ |ସେପରି ସ୍ଥଳେ ତାର ନିଜର ପଦୋନ୍ନତି ର ସୁଯୋଗ ଖୋଲିଯିବ |କିନ୍ତୁ ନିର୍ଦ୍ଦେଶକ ଗାଡିଚାଳକ କଥାରେ ପ୍ରଭାବିତ ହେବା ଦୂରେ ଥାଉ,ତାକୁ ବଦଳାଇ ତା ସ୍ଥାନରେ ଦ୍ଵିତୀୟ ଗାଡିଚାଳକ କୁ ରଖିଲେ |
                         ରୋହିତ ର ବଡପୁଅ ଶ୍ରେଷ୍ଠ ଦଶମ ଶ୍ରେଣୀ ରେ ଅଠାନବେ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ  ହୋଇ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଥିଲା |ତାର ଲକ୍ଷ୍ୟ ଥିଲା ଆଇ.ଆଇ.ଟି.|ସେଥିପାଇଁ ସେ ବିଶେଷ କୋଚିଂ ନେବା ସଂଗେ ସଂଗେ ପରିଶ୍ରମ ମଧ୍ୟ କରୁଥିଲା |ତାର ଏକ ଭଲ ଗୁଣ ଥିଲା |ସେ ତାର ଅବସର ସମୟରେ ନିକଟରେ ଥିବା ବସ୍ତି ଅଂଚଳ ର  ପିଲାମାନଂକୁ ପାଠ ପଢ଼ାଉଥିଲା |ସୁବ୍ରତ ଓ ତାର ସ୍ତ୍ରୀ ଭାରତୀଂକୁ ଏକଥା ଭଲ ଲାଗୁ ନଥିଲା |ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବାପରେ ଦିନେ ଶ୍ରେଷ୍ଠ ଘରେ ଏକୁଟିଆ ଥିଲା |ସୁବ୍ରତ ର ବଡଝିଅ ସୁରେଖା ଯିଏକି ନବମ ଶ୍ରେଣୀରେ ପଢୁଥିଲା,ଗଣିତ ବୁଝିବା ପାଇଁ ତା ପାଖକୁ ଆସିଲା |ଶ୍ରେଷ୍ଠ ତାକୁ ଗଣିତ ବୁଝାଉଥିବା ବେଳେ ଅଚାନକ ସେଠାକୁ ଭାରତୀ ଆସି ନାନା କୁଭାଷା ରେ ଶ୍ରେଷ୍ଠ କୁ ଗାଳି ଦେଇ କହିଲା,ବସ୍ତି ଅଂଚଳରେ କୃଷ୍ଣଲୀଳା କରି ମନ ମାନିଲାନି ଯେ ଶେଷରେ ମୋ ଝିଅ ଉପରେ ଆଖି ପକାଇଲୁ?ଶ୍ରେଷ୍ଠ ନିଜକୁ ନିର୍ଦ୍ଦୋଷ  କହିବା ସତ୍ତ୍ୱେ  ଭାରତୀ କିଛି ଶୁଣିବାକୁ ରାଜି ନଥିଲା |ସେ ସୁରେଖା ଗାଲରେ ଚଟକଣା  ମାରି ତାକୁ ସେଠାରୁ ଭିଡି ଭିଡି ନେଇଗଲା |
                        ସେଦିନ ରୋହିତ ପରିବାର ପାଇଁ ଏକ ହୃଦୟ ବିଦାରକ ଦିନ ଥିଲା |ରୋହିତ ଓ ଝରଣା ଘରେ ପହଂଚିବା ବେଳକୁ ସବୁ ଶେଷ |ଶ୍ରେଷ୍ଠ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା |ମୃତ୍ୟୁ ପୂର୍ବରୁ ଲେଖି ଯାଇଥିଲା,ସେ ନିର୍ଦ୍ଦୋଷ |ମାଉସୀଂକୁ ବୁଝାଇ ଦେବ,ସୁରେଖା ମୋ ସାନଭଉଣୀ |ଏ ଦୁଃଖରେ ପାଗଳିନୀ ପ୍ରାୟ ହୋଇ ଝରଣା ଲମ୍ବା ଛୁଟିରେ ରହିଗଲା |ତାପରେ ଚାକିରୀରୁ ସ୍ୱେଚ୍ଛାକୃତ  ଅବସର ନେଇଗଲା |ସେ ବଂଚିଲା ସାନପୁଅ ଦେବାଂଶ ପାଇଁ |ତାରି ମୁଂହକୁ ଚାହିଁ ଦୁହେଁ ପଥର ପରି ସବୁ ସହିଗଲେ |
                        ଏ ଦୁର୍ଘଟଣା ପରେ ଦେବାଂଶ କିନ୍ତୁ ସମ୍ପୂର୍ଣ୍ଣ  ରୂପେ ବଦଳିଗଲା |ଆଉ ପାଠ ପଢାରେ ମନ ଦେଲାନାହିଁ |ସବୁଦିନ ତା ବିରୁଦ୍ଧରେ କିଛି ନାଁ କିଛି ଅଭିଯୋଗ ରୋହିତ ପାଖକୁ ଆସୁଥିଲା |ଝରଣା ଅନେକ ଚେଷ୍ଟା କରି ଦେବାଂଶକୁ ବାଟକୁ ଆଣିଲା |ସେ ବି.ଏସ.ସି.ପରେ କମ୍ପ୍ୟୁଟର ଟ୍ରେନିଂ ନେଲା |ଯୋଗକୁ ଏକ ସରକାରୀ କାର୍ଯ୍ୟାଳୟରେ କମ୍ପ୍ୟୁଟର ସହାୟକ ପଦବୀରେ ଚାକିରୀ ମିଳିଗଲା |ଏଥର ଝରଣା ଦେବାଂଶ ର ବିବାହ ବିଷୟରେ ଚିନ୍ତା କଲା |ସେତେବେଳକୁ ତାକୁ ମାତ୍ର ପଚିଶ ବର୍ଷ ବୟସ ହୋଇଥାଏ |ଦୁହେଁ ପୁଅର ପସନ୍ଦକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପଢିଥିବା ଏକ ଅତି ଗରୀବ ପରିବାରର ଝିଅକୁ ବୋହୂ କରି ଆଣିଲେ |ସଂସାର ତାଂକର ପୂର୍ଣ୍ଣ  ହୋଇଗଲା |ବୋହୂ ସୁଶ୍ରୀ ଥିଲା ସର୍ବଗୁଣସମ୍ପନ୍ନା |ଝରଣା ସବୁବେଳେ ଭାବୁଥିଲା,ସୁଶ୍ରୀ ସେମାନଂକ ପାଇଁ ଈଶ୍ୱରଙ୍କ  ଉପହାର |
                            ଏଣେ ସୁବ୍ରତ ର ଦୁଇ ଝିଅ ଓ ପୁଅ ଇଂଜିନିୟରିଂ ପଢିଲେ |ଅତି ଧୁମଧାମ୍ ରେ ବଡ ଝିଅର ବାହାଘର କଲା ସୁବ୍ରତ |ଜ୍ୱାଇଁ  ମଧ୍ୟ ଇଂଜିନିୟର |ସାନଝିଅ ପସନ୍ଦ କରିଥିବା ପୁଅ ସୁବ୍ରତ ର ପସନ୍ଦ ନଥିଲା |ତଥାପି ଝିଅର ଖୁସି ପାଇଁ ସେ ସାନ ଝିଅର ବାହାଘର ସେହିଠାରେ କଲା |ପୁଅ ଗୌରବ ମଧ୍ୟ ନିଜ ସହକର୍ମୀକୁ ପସନ୍ଦ କରିଥିବା ଖବର ତାକୁ ଜଣା ଥିଲା  |ଏଥିରେ ଭାରତୀ  ବହୁତ ଖୁସି ଥିଲା ଓ ସମସ୍ତଙ୍କୁ  କହୁଥିଲା,'ମୋ ପୁଅ ଇଂଜିନିୟର କୁ ବୋହୂ ଇଂଜିନିୟର'|ବାହାଘର ଅଳ୍ପଦିନ ଥାଏ,ଗୌରବ ଭୁବନେଶ୍ୱର  ଆସିଥାଏ |ଦିନେ ତା ନଜର ପଡିଗଲା ସୁଶ୍ରୀ ଉପରେ |ସେ ବଗିଚାରେ ଗଛରେ ପାଣି ଦେଉଥିଲା |ସେ ତାକୁ ଏକ ଦୃଷ୍ଟିରେ ଚାହିଁ ରହିଗଲା |ଏତେ ଅପରୂପା !!ସେତେବେଳେ ଦେବାଂଶ ଘରେ ପହଂଚିଲା |ତାର ଦୃଷ୍ଟି ଗୌରବ ଉପରେ ପଡିଲା |ଗୌରବ ମନ୍ତବ୍ୟ ଦେଲା,ମାଂକଡ ବେକରେ ମୁକୁତାହାର |ଦେବାଂଶ ରାଗିଯାଇ ଢୋ'କିନା ଗୋଟେ ଥାପଡ ଗୌରବ ଗାଲରେ କଷିଦେଲା |ଏଥିପାଇଁ ଦୁଇ ପରିବାର ମଧ୍ୟରେ ବହୁତ ଗଣ୍ଡଗୋଳ ହେଲା |କିନ୍ତୁ ଆଗକୁ ବାହାଘର |ଗୌରବ କ୍ଷମା ମାଗି ସମସ୍ୟାର ସମାଧାନ କରିଦେଲା |ଦୁଇଦିନ ପରେ ରବିବାର ପଡିଲା |ଗୌରବ ଦେବାଂଶ କୁ କହିଲା,ଚାଲ ଯିବା ପିକନିକ୍ କରିବା |ଦେବାଂଶ ରୋହିତକୁ ପଚାରିଲା |ରୋହିତ କହିଲା, କୁଆଡେ ଯିବା ଦରକାର ନାହିଁ,ଚୁପଚାପ୍ ଘରେ ବସ |କିନ୍ତୁ ଗୌରବ ଘରକୁ ଆସି ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗି,ରୋହିତ ଓ ଝରଣାଂକୁ ମନାଇ ଦେଲା |ପିକନିକ୍ ଯିବାର ଚାରିଘଣ୍ଟା ପରେ ଖବର ଆସିଲା,.ପାଣିରେ ଦେବାଂଶ ର ଗୋଡ ଖସି ତାର ଜଳ ସମାଧି ହୋଇଛି |
                             ଖବର ଶୁଣି ସେଇଠାରେ ହିଁ ରୋହିତ ଚେତାଶୂନ୍ୟ ହୋଇ ପଡିଗଲା |ସେଦିନ             ଗଛଲତା,ପଶୁପକ୍ଷୀ,କୀଟପତଂଗ,ଆକାଶ,ଧରିତ୍ରୀ ସମସ୍ତେ କାନ୍ଦିଲେ  |ସାରା କଲୋନି,ବସ୍ତି ଅଂଚଳରେ ସେଦିନ ଚୁଲି ଜଳିଲାନି |ଦୁଇ ଦୁଇଟା ଭେଣ୍ଡାପୁଅ ଚାଲିଯିବା କମ୍ ଦୁଃଖ ର କଥା ନୁହେଁ |କିନ୍ତୁ ରୋହିତ ବଂଚିଲା |ସେ ବଂଚିଲା,ସୁଶ୍ରୀ ମୁହଁକୁ ଚାହିଁ |ସେତେ ବେଳେ ସେ ଅନ୍ତସତ୍ତ୍ଵା |ଯେତେବେଳେ ଦେବାଂଶ ର ଶୁଦ୍ଧି କାର୍ଯ୍ୟ ଚାଲିଥାଏ,ସେତେବେଳେ ଧୁମଧାମ୍ ରେ  ଗୌରବର ବାହାଘର ହେଉଥାଏ |ଶୁଦ୍ଧି କାର୍ଯ୍ୟ ଶେଷ ହେବାପରେ ସୁଶ୍ରୀ ତା ବାପଘର କୁ ଗଲା |ରୋହିତ ସମୁଦୀଂକୁ କହିଥିଲା,ସୁଶ୍ରୀ ଏବେ ବହୁତ ଛୋଟ |ଆପଣ ଇଚ୍ଛା କଲେ ତା ଗର୍ଭ ନଷ୍ଟ କରାଇ ଆଉଥରେ ବିବାହ କରାଇ ପାରନ୍ତି |ଆମର ଏଥିରେ ଆପତ୍ତି ନାହିଁ |ହୁଏତ ସମୁଦୀ,ସମୁଦୁଣୀଂକର ଏହି ଇଚ୍ଛା ଥିଲା |ସେତେବେଳେ ପଡୋଶୀ ମାନେ ମଧ୍ୟ ଟୁପୁରୁ ଟାପୁରୁ ହେଲେ,ସୁଶ୍ରୀ ଆଉଥରେ ବାହା ହେବ !!କିନ୍ତୁ ସମସ୍ତଂକୁ ଭୁଲ ପ୍ରମାଣିତ କରିଦେଇ ସୁଶ୍ରୀ ଫେରି ଆସିଲା ତା ଶାଶୁଘରକୁ |କହିଲା,ଏଇ ମୋର ସ୍ୱର୍ଗ ,ଏଇଠି ମୋର ମୋକ୍ଷ |ମୁଁ ଆପଣମାନଂକୁ ଛାଡି କୁଆଡେ ଯିବିନି |ସେଦିନ ରୋହିତ କାନ୍ଦିଥିଲା,ଝରଣା କାନ୍ଦିଥିଲା |ଦୁଃଖରେ ନୁହେଁ,ଆନନ୍ଦରେ |
                              ଦୁହେଁ ମିଶି ସୁଶ୍ରୀ ର ବହୁତ ଯତ୍ନ ନେଲେ |ଯଥା ସମୟରେ ସୁଶ୍ରୀ ଗର୍ଭରୁ ପୁତ୍ର ସନ୍ତାନ ଜନ୍ମ ହେଲା |ରୋହିତ ଶ୍ରଦ୍ଧା ରେ ତାର ନାମ ରଖିଲା,ଶ୍ରେୟାଂଶ |ସେ ସୁଶ୍ରୀ କୁ କହିଲା,ତୋ ଇଚ୍ଛା,ତୁ ତାକୁ ଯେଉଁ ନାମ ଦେଇପାରୁ,କାରଣ ସେ ଆମର ନାତି ହେଲେବି ପ୍ରଥମେ ତୋର ପୁଅ |ତା ଉପରେ ତୋର ପ୍ରଥମ ଅଧିକାର |କିନ୍ତୁ ସୁଶ୍ରୀ ସେହି ଶ୍ରେୟାଂଶ ନାମ ହିଁ ରଖିଲା |ଦିନେ ସୁଶ୍ରୀ କହିଲା,ବାପା,ମୁଁ ପାଠ ପଢିବି |ରୋହିତ ଆଗ୍ରହ ରେ ହଁ ଭରିଲା |ସେ ବି.ଏ.ପାଶ କରି ବି.ଇ.ଡି.କଲା |ତାକୁ ଶିକ୍ଷା ସହାୟକ ଚାକିରୀ ମଧ୍ୟ ମିଳିଲା |ସେଦିନ ରୋହିତ ବହୁତ ଖୁସି ହୋଇଥିଲା |ଯାହାହେଉ,ଆମ ଅନ୍ତେ ଝିଅ ହଇରାଣ ହେବନାହିଁ |ସେ ଚାକିରୀ ରୁ ସ୍ୱେଚ୍ଛାକୃତ  ଅବସର ନେଇଗଲା |ଅବସରକାଳୀନ ପ୍ରାପ୍ୟରେ ମିଳିଥିବା ଟଙ୍କାରେ ଗୋଟିଏ କାର୍ କିଣି ଡ୍ରାଇଭର ରଖିଲା |ସେ ସବୁଦିନ ସୁଶ୍ରୀ କୁ ନେବା ଆଣିବା କଲା |କ୍ରମେ ସୁଶ୍ରୀ ନିଜେ ଗାଡି ଚଲାଇବା ଶିଖିଗଲା |ଏଥର ସେ ନିଜେ ଗାଡି ଚଲାଇଲା |ରୋହିତ ଓ ଝରଣାଂକ ଆଖିର ମଣି ଥିଲା,ଶ୍ରେୟାଂଶ |ତା ସାଂଗରେ ସମୟ ବିତାଇବାରେ ଦୁହେଁ ଅସୀମ ଆନନ୍ଦ ଅନୁଭବ କରୁଥିଲେ |
                               ଅନେକ ଦିନ ପରେ ଦିନେ ସୁବ୍ରତ ରୋହିତକୁ ଦେଖିଲା |ସେଦିନ ସେମାନେ ସପରିବାରେ କାର୍ ରେ ମାର୍କେଟ୍ ଯାଉଥିଲେ,ଡ୍ରାଇଭିଂ ସିଟ ରେ ସୁଶ୍ରୀ ଥିଲା   |ସେମାନଂକୁ ଦେଖି ଈର୍ଷାରେ ତା ମନ ଜଳିଗଲା |ଘରକୁ ଆସି ସେ ଭାରତୀ ଉପରେ ବୋଝେ ବର୍ଷିଲା |ଶେଷକୁ କହିଲା,ରୋହିତ ପରି ଭାଗ୍ୟବାନ  ଦୁନିଆଁ ରେ ମୁଁ କାହାକୁ ଦେଖିନି |ଭଗବାନ ତାକୁ ସର୍ବସୁଖ ଦେଇଛନ୍ତି |ଭାରତୀ ଆଶ୍ଚର୍ଯ୍ୟ ହୋଇ କହିଲା,କି କଥା କହୁଛ ତମେ !ଦି' ଦିଇଟା ଭେଣ୍ଡା ପୁଅ ତାର ଚାଲିଗଲେ,ଦୁଇଜଣ ଯାକ ଚାକିରୀ ଛାଡି ଘରେ ବସିଲେ |ସେମାନଙ୍କର ନିଜର ଘର ନାହିଁ,ଭଡାଘରେ ରହୁଛନ୍ତି,ତାକୁ ତମେ କହୁଛ  ଭାଗ୍ୟବାନ?ତା'ଭଳି ହତଭାଗା ଏ ଦୁନିଆଁରେ କିଏ ଅଛି?ଆମର ତିନିଟା ପିଲା |ତିନିଜଣ ଯାକ ଇଂଜିନିୟର |ଜ୍ୱାଇଁ ,ବୋହୂ ବି ଇଂଜିନିୟର |ଆମେ ନିଜ ଘରେ ରହିଛୁ  |କଣ ଆମର ଅଭାବ?ସୁବ୍ରତ କହିଲା,ଲାଜ ଲାଗୁନି ଏକଥା କହୁଛ?ବଡଝିଅ କୁ ଏତେ ଟଂକା ଖର୍ଚ୍ଚ କରି ବାହାଘର କଲି,ସ୍ୱାମୀ ,ଶାଶୁ,ଶ୍ଵଶୁରଙ୍କ  ସାଂଗେ କଳି କରି ଆସି ଆମ ଘରେ ବସିଛି |ସାନଝିଅ ନିଜ ଇଛାରେ ବାହା ହେଲା,ଏବେ ଛାଡପତ୍ର ପାଇଁ କୋର୍ଟରେ କେଶ୍ କରିଛି |ଆଉ ପୁଅ କଥା ଛାଡ |ଏମିତି ରଣଚଣ୍ଡୀ ଝିଅ କୁ ବାହା ହେଲା ଯେ ଦିନେହେଲେ ଆମ ଘର ମାଡୁନି ନାଁ ଆମକୁ ଦିନେ ସେଇଠି ରଖେଇ ଦଉନି |କି ସୁଖ ଟା ଆମର ଅଛି?ଲୋକେ ଜାଣିବାକୁ ସମସ୍ତେ ଇଂଜିନିୟର !କୋଠାଘର ରହିଛୁ  !ବୁଝିଲ,ସବୁ ପାପର ଫଳ |ରୋହିତ ର ବଡପୁଅ କୁ ତମେ ମାରିଲ,ସାନକୁ ମାରିଲା ଗୌରବ |ପାଣିକୁ ଡାକି ନେଇ ତା'ଗୋଡ ଟାଣିଦେଲା ବୋଲି ସେଦିନ ତମକୁ କହୁଥିଲା ନାଁ?ହେଲେ ରୋହିତ ର ସବୁ ଯାଇ ବି ସେ ଭାଗ୍ୟବାନ |ଆଜିକାଲି ଯୁଗ ରେ କୋଉ ବୋହୂ ଏତେ ଆଜ୍ଞାଧୀନା ହୋଇ ରହୁଛି ?ନିଜ ସ୍ୱାମୀ  ଥାଉ ଥାଉ, ଆଉ କାହା ପଛରେ ଲଟର ପଟର ହେଉଛନ୍ତି !ୟା' କୁ ଦେଖ  !ଏତେ କମ୍ ବୟସରେ ବିଧବା ହୋଇ ବି ଆସି ଶାଶୁ ଶ୍ଵଶୁରଙ୍କ ପାଖରେ ରହିଲା, ସରକାରୀ ଚାକିରୀ କରୁଛି ,ଆଉ ତାଂକରି ସେବାରେ ତା ଦିନ କଟୁଛି |
                           ଭାରତୀ ଅବାକ୍ ହୋଇ ସୁବ୍ରତ ର କଥା ଶୁଣି ଯାଉଥିଲା |ସେ ମନେ ମନେ କହିଲା,ଠିକ୍ କହୁଛ ତମେ ***|
ମମତା ମହାନ୍ତି |

Monday, October 24, 2016

ଶେଷ ବାର୍ତ୍ତା

                      କାନ ଟା ଛିଣ୍ଡି ଗଲା ପରି ଲାଗୁଛି  |ସୌରଭ ଚଟ୍ କରି ଉଠି ପଡି ଦେଖିଲା,ବାବା ତା କାନ ମୋଡି ତାକୁ ଉଠାଉଛନ୍ତି |ସେ ଉଠିବା ଦେଖି ସୁଶାନ୍ତ ରାଗି କରି କହିଲେ,ନବାବଂକର ଏବେ ନିଦ ଭାଂଗୁଛି |କେତେ ଟା ବାଜିଲାଣି ଘଣ୍ଟା ଦେଖ |ତୋରି ସାଂଗର ପିଲା ଦୁଇ ଘଣ୍ଟା ହେଲାଣି ପାଠ ପଢିବା ଆରମ୍ଭ କଲେଣି |ବାବୁଂକର ନିଦ ଭାଂଗୁନି |
                        ମାଆ ସୁମିତ୍ରା ସୁଶାନ୍ତଂକର ପାଟି ଶୁଣି ସେଠାକୁ ଆସି ଚିହିଁକି ଉଠି କହିଲେ,କାହିଁକି ପାଟି କରୁଛ ଶୁଣେ ?କାଲି ରାତି ଦୁଇଟା ଯାଏଁ ସେ ପାଠ ପଢୁଥିଲା,ଅତି କମ୍ ରେ ତାକୁ ଛଅ ଘଣ୍ଟା ଶୋଇ ବାକୁ ଦିଅ |ତମେ ଗଲ ଏଇଠୁ,ତା କଥା ମୁଁ ବୁଝିବି |ସେ  ସୌରଭ ଉଦ୍ଦେଶ୍ୟରେ କହିଲେ,ପୁଅ ଶୋଇ ପଡ,ମୁଁ ତତେ ଉଠେଇ ଦେବି |ସୌରଭ ପୁଣି  ଶୋଇ ପଡିଲା |ସୁଶାନ୍ତଂକର କଥା ନ ରହିବା ଦେଖି ସେ ଆହୁରି ଜୋରରେ ରାଗିଗଲେ |କହିଲେ,ଖାସ୍ ତମରି ଯୋଗୁଁ ତା ମୁଁହ ବଢି ଯାଇଛି |ପିଲାଦିନେ ଏତେ ଭଲ ପାଠ ପଢୁଥିଲା,ଏବେ ଷ୍ଟାଣ୍ଡାର୍ଡ ଦେଖ,ଜମା ଏଇଟି ପରସେଣ୍ଟ |ଏଇଥିରେ ସେ ହେବ ଇଂଜିନିୟର!ସୁମିତ୍ରା ଦବି ନ ଯାଇ କହିଲେ,ପିଲାଟା ଉପରେ ଏତେ ପ୍ରେସର ଦେଲେ ସେ ଏବେ କରିବ କଣ ?ତାପରେ ଭଗବାନ ପାଂଚଟା ଆଂଗୁଠି ସମାନ କରି ନାହାନ୍ତି |ତାର ଯେତିକି ବୁଦ୍ଧି,ତାର ମାକ୍ସିମମ୍ ସେ ୟୁଟିଲାଇଜ କରୁଚି,ତମେ ତୁଚ୍ଛାରେ ଏତେ ଗରଗର ହେବା ଦରକାର ନାହିଁ |
                      ଇଏ ଦିନକର ଘଟଣା ନୁହେଁ |ସବୁଦିନେ ସୌରଭ ପାଇଁ ଏହିପରି କଳି ଝଗଡା ହୁଏ |ହାର୍ ମାନିବାକୁ କେହି ରାଜି ନୁହନ୍ତି |ସୌରଭ ପାଇଁ ସୁଶାନ୍ତଂକ ମନରେ ଅନେକ ସ୍ବପ୍ନ |ଅଫିସ୍ ରେ ଯେତେବେଳେ ପିଲାଂକ ବିଷୟରେ ଆଲୋଚନା ହୁଏ,ସେ ସମସ୍ତଂକ ଠାରୁ ପଛରେ ପଡି ଯାଆନ୍ତି |କାହାର ପୁଅ ଅନେଶ୍ୱତ  ପ୍ରତିଶତ ଆଣି ଟପ୍ପର ହେଲାଣି ତ କାହାର ଝିଅ ପ୍ରଥମ ସୁଯୋଗରେ ଆର.ଇ.ସି.ପାଇଲାଣି |କିଏ ଡାକ୍ତରୀ ପଢିବା ପାଇଁ ବାଂଗାଲୋର ଗଲାଣି ତ କିଏ ଆଇ.ଆଇ.ଟି.ପାଇଲାଣି |ପୁଣି କିଏ କ୍ୟାଟ୍ ରେ ଯୋଗ୍ୟତା ହାସଲ କରି ଏମ.ବି.ଏ.ପଢିବାକୁ ଗଲାଣି ତ କାହାର ପୁଅ ଆମେରିକାରେ ଚାକିରୀ ପାଇଲାଣି |ଏସବୁ ଶୁଣି ଶୁଣି କାନ ତାଂକର ବଧିରା ହୋଇ ଯାଏ |ନିଜର ତାଂକର ଗର୍ବ କରିବା ଭଳି  କିଛି କହିବାକୁ ନ ଥାଏ |ପିଲାଟାକୁ ଆକଟ କଲେ ଭଲ ପାଠ ପଢ଼ନ୍ତା,କିନ୍ତୁ ମାଆ ସେଥିରେ ଅନ୍ତରାୟ |ପାଣି ଗ୍ଲାସେ ନିଜ  ହାତରେ ଆଣି ପିଇବନି |ଘରକୁ ଆସିବା ମାତ୍ରକେ ମାଆ କୋଳରେ ବସିବ |ଭଲରେ ପାଠ ପଢିବ ବୋଲି ତାପାଇଁ ଅଲଗା ରୁମ୍ କରାଗଲା,କମ୍ପ୍ୟୁଟର ଆଦି ସମସ୍ତ ପାଠ୍ୟ ସରଂଜାମ ଯୋଗାଇ ଦିଆଗଲା |କିନ୍ତୁ ଏକୁଟିଆ ଶୋଇବାକୁ ଡର ଲାଗୁଛି କହି,ରାତି ଅଧରେ ଆସି ମାଆ ଗୋଡ ତଳେ ଜାକିଜୁକି ହୋଇ ଶୋଇଥିବ |ବାରମ୍ବାର ସେ ତାଗିଦ୍ କରନ୍ତି,ତାକୁ ଏତେ ଡିପେଣ୍ଡେଣ୍ଚ କରନା |ପୁଅ ପିଲାଟା,ବାହାରକୁ ଗଲେ ଚଳିବ କେମିତି ?ସୌରଭକୁ ମଧ୍ୟ ସୁମିତ୍ରା ସେକଥା ବୁଝାନ୍ତି |ସୌରଭ କିନ୍ତୁ ଅମାନିଆ |କହେ,ଡାକ୍ତର,ଇଂଜିନିୟର ଛଡା କଣ ଦୁନିଆଁରେ ଆଉ କିଛି ପାଠ ନାହିଁ?ମୁଁ ତମକୁ ଛାଡି କୁଆଡେ ଯିବିନି |ଯଦି ଯିବି ,ତମକୁ ସାଂଗରେ ନେଇ ଯିବି |
                   ସୁମିତ୍ରା ସବୁ ହୃଦୟଂଗମ କରନ୍ତି |ସେ ଅନୁଭବ କରନ୍ତି,ସୌରଭ ର ଛୋଟ ଛୋଟ ଅଳି ପୂର୍ଣ୍ଣ  କରିଦେଲେ,ସେ ଅପେକ୍ଷାକୃତ ଭଲ ପାଠ ପଢୁଛି |ଭଲ ନମ୍ବର ମଧ୍ୟ ଆଣୁଛି |ତା ପାଖରେ ସେ ଯେତେ ସମୟ ବସିଥିବେ,ସେ ଖୁବ୍ ମନଯୋଗ ସହକାରେ ପାଠ ପଢୁଥିବ |ତେଣୁ ସେ ତାକୁ ନିଜ ଷ୍ଟାଇଲ୍ ରେ ପଢିବାକୁ ଛାଡି ଦିଅନ୍ତି |ଚେଷ୍ଟା ତ କରୁଛି,ସେଇଟା ବଡ କଥା |ତେଣୁ ସୁଶାନ୍ତ ଯେତେ ଯାହା କହିଲେ ବି ସେ ତାଂକ କଥା ଏ କାନରେ ପୁରାଇ ସେ କାନରେ କାଢି ଦିଅନ୍ତି |ସୌରଭ ଏକା ସାଂଗରେ ଯୁକ୍ତ ଦୁଇ,ରାଜ୍ୟସ୍ତରୀୟ ତଥା ସର୍ବ ଭାରତୀୟ ସ୍ତରର ଇଂଜିନିୟରିଂ ଏଣ୍ଚ୍ରାନ୍ସ ପରୀକ୍ଷା ଦେଇଥିଲା |ସବୁଥିରେ ସେ ଭଲ ରାଙ୍କ  ରଖି କୃତକାର୍ଯ୍ୟ ହେଲା |ଖୁସିରେ ସୁମିତ୍ରାଂକ ଗୋଡ ତଳେ ଲାଗୁ ନ ଥାଏ |ସୁଶାନ୍ତ କିନ୍ତୁ ଭାବୁଥିଲେ,ଏ ସବୁ ତାଂକ ଆକଟ କରିବାର ଫଳ |ସେ ନିଷ୍ପତ୍ତି ନେଲେ,ପୁଅକୁ ରାଜ୍ୟ ବାହାରେ ପଢାଇବେ |ଏହାଦ୍ୱାରା  ତାର ଆଉଟଲୁକ୍ ବଢିବ ଓ ସେ ଆତ୍ମନିର୍ଭରଶୀଳ ହେବ |କାହାରି କଥା ନ ଶୁଣି ସେ ରାଜ୍ୟ ବାହାର ର ଏକ ଇଂଜିନିୟରିଂ କଲେଜ ରେ ସୌରଭ ର ନାମ ଲେଖାଇ ଦେଲେ |ବର୍ଷକୁ ଲକ୍ଷାଧିକ ଟଂକା ଖର୍ଚ୍ଚ ହେବ |ହଉ ପଛକେ,ପିଲାଟା ମାଆ ପଣତକାନି ଧରିବା ଅଭ୍ୟାସ ଛାଡିଦେବ |
                   ଏତେ ଦୂରକୁ ଯିବାପାଇଁ ସୌରଭ ର ଆଦୌ ଇଚ୍ଛା ନ ଥିଲା |ସୁମିତ୍ରା ମଧ୍ୟ ପ୍ରତିବାଦ କରିଥିଲେ |ସେ ସିଡି ର ପ୍ରଥମ ପାହାଚ ଚଢିବା ଶିଖିନି,ତମେ ତାକୁ ଏକାଥରେ ନେଇ ଉପର ପାହାଚ ରେ ଛିଡା କରାଇ ଦେଲ?ସୁଶାନ୍ତ କହିଲେ,ଓଡିଶା ର ବହୁତ ପିଲା ସେଇଠି ପଢୁଛନ୍ତି,କିଛି ଅସୁବିଧା ହେବ ନାହିଁ |
                        ସେଠାରେ ପହଂଚିବା ପରେ କିଛି ଦିନ କୌଣସି ପ୍ରକାରେ କଟିଗଲା |ପ୍ରାୟ ପ୍ରତ୍ୟେକ ଦିନ ସୌରଭ ସୁଶାନ୍ତ ଓ ସୁମିତ୍ରାଂକୁ ଫୋନ୍ କରେ |ଦିନେ ସେ କହିଲା,ବାବା, ସିନିୟର ପିଲା ବହୁତ ରାଗିଂଗ କରୁଛନ୍ତି |ଯିଏ ତାଂକ କଥା ମାନୁ ନାହାନ୍ତି,ତାଂକୁ ପିଟୁଛନ୍ତି |ସୁଶାନ୍ତ କହିଲେ,ତାଂକ କଥା ମାନିଯା,ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ |ତା ପରଦିନ ସୌରଭ କହିଲା,ରାତିରେ ଶୁଆଇ ଦେଉ ନାହାନ୍ତି|ସୁଶାନ୍ତ କହିଲେ,କିଛିଦିନ ସେମାନେ ସେମିତି ହେବେ,ତୁ ସହିଯା |ତା ପରଦିନ ପୁଣି ସୌରଭ ର ଫୋନ୍ ଆସିଲା,ସେମାନେ ମତେ ଲଣ୍ଡା ହେବାକୁ କହୁଛନ୍ତି |ସୁଶାନ୍ତ କହିଲେ,ଲଣ୍ଡା ହୋଇ ଯା,କିଛିଦିନ ପରେ ପୁଣି ଚୁଟି ଉଠିଯିବ |ଏଥର ସୁମିତ୍ରା ମୁହଁ ଫିଟାଇଲେ |କାହିଁକି ସେ ଲଣ୍ଡା ହେବ?ଘରେ କଣ କିଏ ମରିଗଲା?ତମେ ଯାଅ,କଲେଜ ପ୍ରିନ୍ସିପାଲଂକୁ ଦେଖା କରିବ |ସୁଶାନ୍ତ ରାଗିକରି କହିଲେ,ଏଇଠି କେଉଁଠି ପାଖରେ ହୋଇଛି ଯେ ତମେ କହିଲା ମାତ୍ରକେ ଚାଲିଯିବି?ସୁମିତ୍ରା କହିଲେ,ତାହାଲେ ତାକୁ ଏତେ ଦୂରରେ ପଢ଼ାଉଥିଲ କାହିଁକି?ତମେ ନ ଯାଇ ପାରିଲେ ମତେ ଟ୍ରେନ୍ ରେ ବସାଇ ଦିଅ,ମୁଁ ଚାଲିଯିବି |କିଛି ଉତ୍ତର ନ ଦେଇ ସେଠାରୁ ଚାଲିଗଲେ,ସୁଶାନ୍ତ |କିଛିଦିନ ପରେ ସୌରଭ ପାଖରୁ ଏକ ଏସ.ଏମ.ଏସ ଆସିଲା |ଜାଣିଶୁଣି ତାକୁ ପଢିଲେ ନାହିଁ ସୁଶାନ୍ତ |ତାର ଚାରିଦିନ ପରେ କଲେଜ୍ ରୁ ଫୋନ୍ ଆସିଲା,ଆପଣଂକ ପୁଅ ନିରୁଦ୍ଦିଷ୍ଟ |ସୁମିତ୍ରାଂକ ମୁଣ୍ଡରେ ଚଡକ ପଡିଲା |ସେ କାନ୍ଦି କାନ୍ଦି ମୁଣ୍ଡ ପିଟିଦେଲେ |କିନ୍ତୁ ସୁଶାନ୍ତ ଦୃଢ ନିଶ୍ଚିତ ଥିଲେ,ସୌରଭ ରାଗିଂଗ ଭୟରେ କୁଆଡେ ଚାଲି ଯାଇଛି |
                     କଲେଜରେ ପହଂଚିବା ପରେ ପରିସ୍ଥିତି ଅଲଗା ପ୍ରକାରର ଥିଲା |ସୌରଭ ର ମୃତ ଦେହ ପାଖରେ ଅନେକ ପିଲା ଜମା ହୋଇଥିଲେ |ଟ୍ରେନ୍ ରେ କଟି ତାର ମୃତ୍ୟୁ ହୋଇଥିଲା |କଲେଜ୍ ମ୍ୟାନେଜମେଣ୍ଟ ସଫେଇ ଦେଲେ,ସୁଇସାଇଡ କେଶ୍ |ସୁଶାନ୍ତ ଲକ୍ଷ୍ୟ  କଲେ,ଏତେ ସୁନ୍ଦର ପିଲାଟା,ଶୁଖିକରି କଳା କାଠ ପଡି ଯାଇଛି  |ମୁଣ୍ଡ ତାର ଲଣ୍ଡା ଥିଲା |ସୌରଭ ର ସାଂଗମାନେ ତାଂକୁ ଏକାନ୍ତରେ ଡାକି ନେଇ କହିଲେ,ଅଙ୍କଲ ,ସୌରଭ ଆପଣଂକୁ ଏତେ ଡାକିଲା,ଆପଣ ଥର ଟିଏ ବି ଆସିଲେ ନାହିଁ?ଖାଲି କଣ ନାଁ ସହିଯା |କେତେ ସହିବ ସେ?ଆମକୁ ବି ସେମାନେ ସେମିତି ଟର୍ଚର କରୁଥିଲେ |କିନ୍ତୁ ଆମର ପ୍ୟାରେଣ୍ଟ ଆସିବାରୁ ଆମକୁ ଛାଡି ଦେଲେ |ଆପଣ ଥରଟିଏ ଆସିଥିଲେ,ଏ ଘଟଣା ଘଟି ନ ଥାଆନ୍ତା |ସୌରଭ ସୁଇସାଇଡ କରିନି |ସେମାନେ ତାକୁ "ଗୁଲାମ୍"ଫିଲ୍ମ ଷ୍ଟାଇଲ୍ ରେ ରେଲ୍ ଲାଇନ୍ ରେ ଦୌଡିବାକୁ ବାଧ୍ୟ କରିଥିଲେ |ସେ ଦୌଡୁଥିବା ଅବସ୍ଥାରେ ଟ୍ରେନ୍ ଆସିଗଲା ,ସବୁ ଶେଷ |ଆପଣ ଏଠାକାର ସିକ୍ୟୁରିଟି ଗାର୍ଡ଼ କୁ ପଚାରନ୍ତୁ,ସେ କହିବ |ସୌରଭ ସବୁଠାରୁ ବେଶି ଅପସେଟ୍ ହୋଇଥିଲା,ଯେତେବେଳେ ସେମାନେ ତାକୁ ଲଣ୍ଡା କରିଦେଲେ |
                    ପକେଟ୍ ରେ ଥିବା ମୋବାଇଲ୍ ଟା ପେଁ କରି ବାଜି ଉଠିଲା |ସୁଶାନ୍ତ ମୋବାଇଲ୍ କାଢି ଦେଖିଲେ,ସୌରଭ ର ପୁରୁଣା ମେସେଜ୍,ଯାହାକୁ ସେ ପଢି ନ ଥିଲେ |ସେ ମେସେଜ ଖୋଲି ପଢିଲେ,ସୌରଭ ଲେଖିଥିଲା,ଆଇ ମିସ୍ ୟୁ ମମି,ଭେରି ମଚ୍ |ମମତା ମହାନ୍ତି |

Thursday, October 13, 2016

ଏଇ ତ ଜୀବନ

                           ଶ୍ରୀନିବାସ ନିଜ ଚାକିରୀ କାଳରେ ସହରରେ ଏକ ଜମି କିଣି ସେଠାରେ ଦୁଇ ମହଲା ଘର କରିଥିଲେ |ତଳ ମହଲା ଭଡା ଲାଗିଥିବାବେଳେ ଉପର ମହଲାରେ ସେମାନଙ୍କ ପରିବାର ରହୁଥିଲେ |ତାଙ୍କ ପରିବାରରେ ସ୍ତ୍ରୀ ଲକ୍ଷ୍ମୀ,ଦୁଇଝିଅ ଶ୍ରୀୟା,ଶ୍ରଦ୍ଧା ଓ ଏକମାତ୍ର ପୁତ୍ର ଶ୍ରୀମନ୍ତ ଥିଲେ |ଶ୍ରୀନିବାସ ଯେଉଁ ସମାଜରେ ଜନ୍ମ ଗ୍ରହଣ କରିଥିଲେ,ସେଠାରେ ଯୌତୁକ ପ୍ରଥାର ପ୍ରଚଳନ ଥିଲା | ସେ ତାଙ୍କ ବଡ଼ଝିଅ ଶ୍ରୀୟାର ବାହାଘରରେ ସେ କେବଳ  ଯୌତୁକ ବାବଦରେ ପଚିଶ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ |ଦ୍ୱିତୀୟ ଝିଅ ଶ୍ରୀୟା ପାଇଁ ତିରିଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା |ପୁଅ ଶ୍ରୀମନ୍ତ ଏମ.ବି.ଏ.କରି ହାଇଦ୍ରାବାଦରେ ଚାକିରୀ କରୁଥିଲା |ଲକ୍ଷ୍ମୀଙ୍କର ଭାରି ଇଚ୍ଛା ଥିଲା,ଦୁଇଝିଅଙ୍କର ବାହାଘରରେ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି,ଅନ୍ତତଃ ସେତିକି ପୁଅ ବାହାଘରରେ ଆଦାୟ କରିବେ |ଶ୍ରୀନିବାସ କିନ୍ତୁ ପରିବର୍ତ୍ତିତ ସମାଜର ଚଳଣୀକୁ ଦେଖି ଯୌତୁକ ଲଫଡାରେ ପଶିବାକୁ ଚାହୁଁ ନଥିଲେ |ଲକ୍ଷ୍ମୀ ତାଙ୍କ କଥାରେ ରାଜି ନହୋଇ କହୁଥିଲେ,ମାଗଣାରେ ବୋହୂ ଆଣିଲେ,ମୁଁ ମୋ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ଆଗରେ ମୁଣ୍ଡ ଟେକି ଚାଲି ପାରିବିନି |ସେ ଭାବୁଥିଲେ,ରୂପ ଅଢେଇ ଦିନିଆ |ବାକି ରହିଲା,ଗୁଣ କଥା |ବାପମା ଯେତେବେଳେ ଝିଅକୁ ବାହା ଦେଉଛନ୍ତି,ସେ କଣ ତାକୁ କିଛି ଶିଖେଇ ନଥିବେ ?ନ ଶିଖିଥିଲେ,ବେକରେ ପଡିଲେ,ବେଳେ ବଜେଇ ଶିଖିଵ ନାହିଁ ?ୟା ବୋଲି ମୁଁ କାହିଁକି ମୋ ଦାବି ଛାଡ଼ିବି ??ସେ ତାଙ୍କ ବାପଘର ଲୋକଙ୍କୁ କହି ମଧ୍ୟସ୍ଥିଙ୍କ ଜରିଆରେ ଝିଅ ଖୋଜାଖୋଜି ଆରମ୍ଭ କରିଥିଲେ |ଦୁଇବର୍ଷ ପରେ ତାଙ୍କର ନିରବିଛିନ୍ନ ଉଦ୍ୟମ ସଫଳ ହେଲା |ଝିଅଟି ବି.ଏ. ପାସ କରିଥିବାବେଳେ ତା ଭାଇ ଭଲ ଚାକିରୀ କରୁଥିଲା ଓ ପିତା ଜଣେ ଉଚ୍ଚପଦସ୍ଥ ଅଫିସର ଥିଲେ |ଯୌତୁକ ବାବଦରେ ତାଙ୍କୁ କିଛି କହିବାକୁ ପଡିଲା ନାହିଁ |ସେ ନିଜ ଆଡୁ ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ୟାସ ସହ,ଝିଅ ଚଳିବା ପାଇଁ ସବୁକିଛି ଦେବେ ବୋଲି କହିଲେ |ଏହା ଶୁଣି ଖୁସିରେ କକ୍ଷ୍ମୀଙ୍କର ମନ କୁଣ୍ଢେମୋଟ ହୋଇଗଲା |ସେ ଖୁସିରେ ଶ୍ରୀନିବାସଙ୍କୁ ଏକଥା କହିଲେ |ଶ୍ରୀନିବାସ କହିଲେ,ଆଗେ ଶିରୀ (ଶ୍ରୀମନ୍ତ)କୁ ଝିଅ ଦେଖାଇ ତାର ମତାମତ ନିଅ,ତାପରେ ଯେତେ ଖୁସି ହେଉଛ ହୁଅ |ଏହା ଶୁଣି ଲକ୍ଷ୍ମୀ ରାଗିଯାଇ କହିଲେ,ତମେ ଗୋଟେ ପାଲା ଲଗେଇଛ |ମୁଁ କଣ ଶିରୀର ଶତ୍ରୁ ?ମୋ କଥା ଯଦି ତମର ପସନ୍ଦ ନ ଆସୁଛି,ତାହାଲେ ତମର ଯାହା ଇଚ୍ଛା ତାହା କର,ମୋର କିଛି କହିବାର ନାହିଁ |ଶେଷରେ ପରିସ୍ଥିତି ଏପରି ହେଲା ଯେ,ବାଧ୍ୟ ହୋଇ ଶ୍ରୀନିବାସ ଓ ଶ୍ରୀମନ୍ତଙ୍କୁ ସେହି ପ୍ରସ୍ତାବରେ ରାଜି ହେବାକୁ ପଡିଲା |
             ବାହାଘର ପାଇଁ ଲକ୍ଷ୍ମୀ ନିଜ ଦୁଇଝିଅଙ୍କ ସହ ପୁରା ଦମ ରେ ଲାଗି ପଡ଼ିଥିଲେ |ଝିଅମାନେ ବିୟୁଟି ପାର୍ଲର ଯାଇ ସେମାନଙ୍କ ରୂପ ପରିଚର୍ଯ୍ୟା କରିବାବେଳେ ସେ ନିଜେ ମଧ୍ୟ ସେଥିରୁ ବାଦ ପଡିନଥିଲେ |ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ପସନ୍ଦ ଅନୁଯାୟୀ ସେ ପୋଷାକ କିଣିଥିଲେ |ବୋହୂ ପାଇଁ ଦାମୀ ପାଟ ,ସୁନା ଗହଣା ସହ,ସମୁଦୀ,ସମୁଦୁଣୀ ଓ ବୋହୁର ଭାଇ ପାଇଁ ଦାମିକା ଡ୍ରେସ କିଣିବାକୁ ଭୁଲି ନଥିଲେ |ମୋଟ ଉପରେ ସେ ସମସ୍ତଙ୍କୁ ସନ୍ତୁଷ୍ଟ କରି ନିଜ ବଡ଼ ପଣ ଦେଖାଇବାକୁ ଚେଷ୍ଟା କରିଥିଲେ |ଶୁଭ ମୁହୂର୍ତ୍ତରେ ଖୁବ ଧୁମଧାମରେ ବିଜୟା ସହିତ ଶ୍ରୀମନ୍ତର ବାହାଘର ହୋଇଗଲା |ବିଜୟାର ପିତା ଝିଅକୁ ଟିକରୁ ନିଖ ପର୍ଯ୍ୟନ୍ତ ସବୁ ଦେଇଥିବାବେଳେ ଜବାବ ମୁତାବକ କ୍ୟାଶ ଦେଇ ନଥିଲେ |ସେଥିପାଇଁ ଲକ୍ଷ୍ମୀ ମନେମନେ ଅଶାନ୍ତିରେ କୁହୁଳୁ ଥିଲେ |
            କଳି ଆରମ୍ଭ ହେଲା ନଣନ୍ଦ ପୁଟୁଳିରୁ |ଶ୍ରୀୟା କହିଲା,ଆମେ ଶାଢ଼ୀ ପିନ୍ଧୁନା ବୋଲି ଅଙ୍କଲ ଭଲଭାବେ ଜାଣିଛନ୍ତି ,ତଥାପି ଆମକୁ ସେ କାହିଁକି ଶାଢ଼ୀ ଦେଲେ |ଏମିତି ଭାରି ଭରକମ ପାଟ ଆଜିକାଲି କିଏ ପିନ୍ଧୁଛି ?କୋଉ ଯୁଗର ପୁରୁଣାକାଳିଆ କାନଫୁଲ ଦେଇଛନ୍ତି |ଯଦି ଦେବାକୁ ଇଚ୍ଛା ଥିଲା,ଡାଇମଣ୍ଡ ମୁଦି କିମ୍ବା ସୁନା ଚେନ ଦେଇଥାନ୍ତେ |ଏଗୁଡା ତାଙ୍କୁ ଫେରେଇ ଦିଅ,ନହେଲେ ତାଙ୍କ ଝିଅକୁ ଦେଇଦିଅ ,ସେ ପିନ୍ଧିବ |ଶ୍ରଦ୍ଧା ଆଉ ପାଦେ ଆଗେଇ ଯାଇ ବିଜୟାକୁ କହିଲା,ଅଙ୍କଲ ତତେ ଚାରି ସେଟ ଗହଣା ଦେଇଛନ୍ତି,ତୁ ତୋ ପାଇଁ ଦୁଇ ସେଟ ରଖି ଆମକୁ ଗୋଟେ ଗୋଟେ ସେଟ ଦେଇ ଦେ |ବିଜୟା କହିଲା,ମୋ ଡାଡି ମତେ ଯାହା ଦେଇଛନ୍ତି,ସେଥିରୁ କାହାରିକୁ କିଛି ବି ମୁଁ ଦେବିନି | କଥା ଶ୍ରୀନିବାସଙ୍କ କାନକୁ ଗଲା |ସେ ଦୁଇ ଝିଅଙ୍କୁ କହିଲେ,ମୁଁ ତମ ମାନଙ୍କୁ କଣ ନ ଦେଇଛି,ତମେ ତମର ମାନସମ୍ମାନ ଭୁଲି ତମଠାରୁ ସାତ ସାନ ଭାଉଜକୁ ମାଗୁଛ,ତମକୁ ଲାଜ ଲାଗୁନି ?ତମର କଣ ଦରକାର କୁହ,ଆଜି ତମପାଇଁ କିଣି ଆଣିବି | ଲକ୍ଷ୍ମୀ ଆସି ସେଠାରେ ପହଞ୍ଚି କହିଲେ,କାହିଁକି ସେମାନଙ୍କୁ ସେମିତି କହୁଛ ?ବିଧି ରକ୍ଷା ପାଇଁ ସେମାନେ ସେମିତି କହି ତାକୁ ପରୀକ୍ଷା କରୁଥିଲେ |ସେ ଦେଇଥିଲେ ଏମାନେ କଣ ସତରେ ନେଇଥାନ୍ତେ ?ଠାକୁରଙ୍କ କୃପାରୁ ଏମାନଙ୍କ ପାଖରେ କଣ ନାହିଁ ?ଯାଅ ଦେଖିବ,ବୋହୂକୁ ସେମାନେ କେତେ ମୋଟା ଚେନ ବନ୍ଦେଇଛନ୍ତି |ଶ୍ରୀନିବାସ କହିଲେ,ହଉ,ଏଇକଥା ଏଇଠି ଶେଷ କର ,ଆଉ ସେ ବିଷୟରେ ଅଧିକ ଆଲୋଚନା କର ନାହିଁ |
        କିନ୍ତୁ କଥା ସେତିକିରେ ସରିଲା ନାହିଁ |ତା ପରଦିନ ରାମଚନ୍ଦ୍ର ଦୁଇଝିଅଙ୍କ ପାଇଁ ଦୁଇଟି ଗହଣା ସେଟ ଆଣି ଶ୍ରୀନିବାସଙ୍କୁ ଦେଇ କହିଲେ,ସମୁଦୀ,ବଡ଼ ଭୁଲ ହୋଇଗଲା |ନଣନ୍ଦପୁଟୁଳି ରେ ଗହଣା ରଖିବାକୁ ଭୁଲି ଯାଇଥିଲି |ଦୁଇ ଝିଅଙ୍କୁ ଦେଇଦେବେ |ଶ୍ରୀନିବାସଙ୍କୁ ଏହା ବହୁତ ଖରାପ ଲାଗିଲା |କିନ୍ତୁ ଘରେ କୁଣିଆ ଭର୍ତ୍ତି ହୋଇଥିବାରୁ ସେ ବିଷୟରେ ଆଉ ଆଲୋଚନା ହୋଇ ପାରିଲା ନାହିଁ |ତା ଡାଡିଙ୍କୁ ଖର୍ଚ୍ଚାନ୍ତ କରିଥିବାରୁ ଶାଶୁ ଓ ଦୁଇ ନଣନ୍ଦଙ୍କ ଉପରେ ବିଜୟାର ବହୁତ ରାଗ ଆସୁଥିଲା |ମନକଥା ମନରେ ରଖି ସେ କେବଳ ସୁଯୋଗକୁ ଅପେକ୍ଷା କରିଥିଲା |
        ଶ୍ରୀମନ୍ତର ଛୁଟି ସରିଯିବାପରେ ସେ ତାର କର୍ମସ୍ଥଳୀକୁ ଯିବାକୁ ବାହାରିଲା |ପୂର୍ବ ଯୋଜନା ଅନୁସାରେ ବିଜୟା ତା ସହିତ ଯିବାର କଥା ଥିଲା |ସେହି ଅନୁସାରେ ସାଙ୍ଗରେ ନେବାପାଇଁ ସେ ତାର ବାପଘରୁ ଆଣିଥିବା ସବୁ ଜିନିଷ ଏକାଠି କରିବାକୁ ଲାଗିଲା |ବାସନକୁସନ ,ଲୁଗାପଟା ନେବା ଠିକ ଅଛି,କିନ୍ତୁ ସେ ଯେତେବେଳେ ସାଙ୍ଗରେ ଖଟ ଓ ସୋଫା ନେବାପାଇଁ ଚାହିଁଲା,ଶ୍ରୀମନ୍ତ ପ୍ରତିବାଦ କରି କହିଲା,ଏବେ କେବଳ ତମର ଲୁଗାପଟା ନେଇ ଚାଲ,ଯାହା ଦରକାର ହେବ,ମୁଁ ସେଇଠି  କିଣିଦେଵି | ଲକ୍ଷ୍ମୀ ବିଜୟାକୁ କହିଲେ,ସବୁ ଜିନିଷ ନେଇ ଯିବାକୁ କହୁଛୁ ,ଆଉ ଏଠିକି ଫେରିବାର ଯୋଜନା ନାହିଁ ନା କଣ ?ଏତିକି କଥାରେ ବିଜୟା ଆଖିରୁ ଧାରା ଶ୍ରାବଣ ବୋହି ଚାଲିଲା,ଆଉ ଥମିବାର ନାମ ନେଲାନାହିଁ |ଶେଷରେ ଶ୍ରୀନିବାସଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା |ସେ ଶ୍ରୀମନ୍ତକୁ କହିଲେ,ଯେତିକି ପାରୁଛୁ ନେଇଯା ,ଆଉ ଯାହା ବାକି ରହିବ,ମୁଁ ଦେଇ ଆସିବି |ବିଜୟା ବୁଝିଗଲା |ଶ୍ରୀନିବାସ ଲକ୍ଷ୍ମୀଙ୍କୁ ବୁଝାଇ କହିଲେ,ତାର ଯାହା ଇଚ୍ଛା ହେଉଛି,ସେ ନେଉ ,ତେଣିକି ସେ ତାକୁ ରଖିବ କି ବିକିବ,ସେକଥା ସେ ବୁଝିବ |ଲକ୍ଷ୍ମୀ କହିଲେ,ସେ କିଛି ବୁଝିବେନି,ହଇରାଣ ହେବ ମୋ ପୁଅ |ସବୁ ଭୁଲ ମୋର,ଏବେ କାହାକୁ କହିବି ?ଲକ୍ଷ୍ମୀ ଭାବିଥିଲେ,ପିଲାମାନଙ୍କ ସାଙ୍ଗରେ ଯାଇ,ସେଠାରେ କିଛିଦିନ ରହି,ସେମାନଙ୍କୁ ସେଟ କରିଦେଇ ଆସିବେ |କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କର ଆଉ ଯିବାକୁ ଇଚ୍ଛା ହେଲା ନାହିଁ |ସପ୍ତାହେ ପରେ ସେ ଯେତେବେଳେ ଶୁଣିଲେ,ବିଜୟାର ପିତାମାତା ସେଠାକୁ ଯାଇ ତାଙ୍କର ଅଧୁରା କାମ ପୂରା କରିବାରେ ଲାଗିଛନ୍ତି,ରାଗରେ ତାଙ୍କ ଦେହ ଜଳିଗଲା |ସେ ଶ୍ରୀନିବାସଙ୍କୁ କହିଲେ,ବୋହୂର ବାପାମା ଏବେ ହାଇଦ୍ରାବାଦରେ କେତେ କଣ କିଣାକିଣି କରି ଘର ଭରି ସାରିଲେଣି |ଆମେ ତ ଗଲୁ ନାହିଁ,ତାଙ୍କର ବେଳା ଫିଟିଗଲା |ଶ୍ରୀନିବାସ କହିଲେ,ତମର କାହିଁକି ଏତେ ଗାତ୍ରଦାହ ହେଉଛି ?ଯାହା ହେଲେ ବି ପିଲା ଆମର,ଯାହା ହେଉଛି ଆମ ପିଲାଙ୍କ ପାଇଁ ହେଉଛି,ଆମେ ବରଂ ଏଥିରେ ଖୁସି ହେବା କଥା |ଲକ୍ଷ୍ମୀ ଜାଣିଲେ,ଶ୍ରୀନିବାସଙ୍କୁ କହି କିଛି ଲାଭ ନାହିଁ ,ସେ କେବଳ କଟା ଘା ରେ ଲୁଣ ଛିଟା ଦେବେ |ଯେତେବେଳେ ଶ୍ରୀନିବାସ ଘରେ ନଥାନ୍ତି,ସେ ଝିଅ ମାନଙ୍କ ପାଖକୁ ଫୋନ କରି ବୋହୂ ବିରୁଦ୍ଧରେ ଘଣ୍ଟା ଘଣ୍ଟା ଗପନ୍ତି ,ସେଥିରେ ତାଙ୍କୁ ଅସୀମ ଶାନ୍ତି ମିଳେ |
   ଶ୍ରୀମନ୍ତ ଓ ବୋହୂ ଦଶହରା ଛୁଟିରେ ଘରକୁ ଆସିବାର କଥା ଥିଲା |କିନ୍ତୁ ଦଶହରା ଯାଇ କୁମାରପୂର୍ଣ୍ଣିମା ଚାଲିଗଲା ପଛକେ,ସେମାନେ ଆସିଲେ ନାହିଁ |ବ୍ୟସ୍ତ ହୋଇ ଶ୍ରୀନିବାସ ଶ୍ରୀମନ୍ତକୁ ଫୋନ କଲେ |ସେ କହିଲା,ଆମେ ଆସିବା ପୂର୍ବଦିନ ବିଜୟର ଡାଡି ମମି ପହଞ୍ଚିଲେ ,ସେମାନେ ଏବେ ଆମ ଘରେ ଅଛନ୍ତି,ଆମେ କେମିତି ଯିବୁ ?ଆମେ ଦୀପାବଳିକୁ ଯିବୁ |ଏହା ଶୁଣି ଶ୍ରୀନିବାସଙ୍କ ମନ ଭାରି ଦୁଃଖ ହେଲା |
        ଦୀପାବଳି କିଛିଦିନ  ଆଗରୁ ଶ୍ରୀମନ୍ତ ଏକୁଟିଆ ଆସି ପହଞ୍ଚିଲା |ତାକୁ ଅପ୍ରତ୍ୟାଶିତ ଭାବେ ଦେଖି ଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଆନନ୍ଦର ସୀମା ରହିଲା ନାହିଁ |ବୋହୂ କାହିଁକି ଆସିଲା ନାହିଁ ବୋଲି ଲକ୍ଷ୍ମୀ ପଚାରିବାରୁ ଶ୍ରୀମନ୍ତ କହିଲା,ଏଥର ଆମେ ସମସ୍ତେ ହାଇଦ୍ରାବାଦରେ ଦୀପାବଳି ମନେଇବା |ମୁଁ ଟିକଟ କରି ଦେଇଛି,ଶନିବାର ଦିନ ଯିବା |ଲକ୍ଷ୍ମୀ କହିଲେ,ମୁଁ କଦାପି ଯିବି ନାହିଁ,ତୁ ତୋ ବାପାକୁ ନେଇ ଯାଆ |ଶ୍ରୀମନ୍ତ ଲକ୍ଷ୍ମୀଙ୍କୁ କହିଲା,ତୋ ମନରେ ଦୁଃଖ ନଦେବା ପାଇଁ ମୁଁ ବିଜୟାକୁ ବାହା ହେଲି |ଏବେ କଣ କଲେ ତୁ ଖୁସି ହେବୁ କହିଲେ,ମୁଁ ସେଇଆ କରିବି |ଶ୍ରୀନିବାସ କହିଲେ,ତୁ ବ୍ୟସ୍ତ ହୁଅନା,ମୁଁ ବୋଉକୁ ବୁଝେଇ ଦେବି |ତାଙ୍କ କଥା ଶୁଣି ଶ୍ରୀମନ୍ତ ଖୁସି ହୋଇଗଲା |ସମସ୍ତେ ନିର୍ଦ୍ଦିଷ୍ଟ ଦିନରେ ହାଇଦ୍ରାବାଦ ଅଭିମୂଖେ ଟ୍ରେନରେ ଯାତ୍ରା କଲେ |ସେଠାରେ ପହଞ୍ଚିବା ବେଳକୁ ତା ପରଦିନ ଏଗାରଟା |ସମସ୍ତେ ପେଟ ଭର୍ତ୍ତି ଜଳଖିଆ ଖାଇ ଘରେ ପହଞ୍ଚିଲେ |ଶ୍ରୀମନ୍ତ ଆଗୁଆ ଯାଇ କଲିଂ ବେଲ ଚିପିଲା |ବିଜୟା କବାଟ ଖୋଲି ଶ୍ରୀମନ୍ତକୁ ଦେଖି କର୍କଶ ସ୍ୱରରେ ପଚାରିଲା,ଆସିବା ଆଗରୁ ଫୋନ କରିବାକୁ ମନ ପଡିଲାନି ? ମତେ ହଇରାଣ କରିବାକୁ ତମକୁ ଭାରି ଭଲଲାଗେ ,ନୁହେଁ ?ଶ୍ରୀମନ୍ତ ନିରୁତ୍ତର ରହି ଭିତରକୁ ଯିବାବେଳେ ବିଜୟା କବାଟ ବନ୍ଦ କରିଦେଉଥିଲା |ଶ୍ରୀମନ୍ତ କହିଲା,ଥାଉ,କବାଟ ବନ୍ଦ କରନା ,ବାପା ବୋଉ ଆସିଛନ୍ତି |ତା କଥା ଶୁଣି ବିଜୟାର ମୁହଁ ବିକୃତ ହୋଇଗଲା |ବିଜୟା କହିଲା,ତମେ ନିଜେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦିଅ,ମୁଁ ଏତେ ଜଣଙ୍କ ପାଇଁ ରୋଷେଇ କରି ପାରିବିନି |ତା କଥା ଶେଷ ନ ହେଉଣୁ ଶ୍ରୀନିବାସ ଓ ଲକ୍ଷ୍ମୀ ଆସି ପହଞ୍ଚିଗଲେ |ଶ୍ରୀମନ୍ତ କହିଲା,ଆମେ ଜଳଖିଆ ଖାଇ ଆସିଛୁ |ତମେ ଦୁଇଜଣ ଖାଇଦିଅ,ଆମେ ଡେରିରେ ଭୋକ ହେଲେ ଖାଇବୁ |ସେତେବେଳେ ବିଜୟାର ମମି ବିନୀତା ଟିଭି ଦେଖୁଥିଲେ |ଏମାନଙ୍କୁ ଦେଖି ନମସ୍କାର ଜଣାଇ କହିଲେ,ଭଲହେଲା,ଆପଣମାନେ ଆସିଲେ |ଏବର୍ଷ ଆମେ ଏକାଠି ଦୀପାବଳି ମନେଇବା |ପୁଣି କହିଲେ,ଆମେ କେବେଠାରୁ ଯାଇ ସାରନ୍ତୁଣି ,କିନ୍ତୁ ବିଜୁ ଡାଡିଙ୍କ ଅଚାନକ କାମ ପଡିବାରୁ ସେ ଚାଲିଗଲେ,ମୁଁ ବାଧ୍ୟହୋଇ ଏଇଠି ରହିଗଲି |ଲକ୍ଷ୍ମୀ ଅଖାଡୁଆ କଣ କହି ଆସୁଥିଲେ,ତାଙ୍କୁ କିଛି ନ କହିବାକୁ ଶ୍ରୀନିବାସ ଇଶାରାରେ ମନା କରିବାରୁ ସେ ଚୁପ ହୋଇଗଲେ |ଅଧ ଘଣ୍ଟା ପରେ ଲକ୍ଷ୍ମୀ ଗାଧୋଇବା ପାଇଁ ବାହାରିଲେ |ଶ୍ରୀମନ୍ତ ନେଇଥିବା ଭଡ଼ାଘରେ ଦୁଇଟି ରୁମ ପାଇଁ ଦୁଇଟି ବାଥରୁମ ଥିଲା |ଗୋଟିଏ ଆଟାଚ ଓ ଅନ୍ୟଟି କମନ |ସେ ଦ୍ୱିତୀୟ ବାଥରୁମକୁ ଗାଧୋଇବା ପାଇଁ ଗଲେ |ବାଥରୁମ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଥିଲା |ସେଠାରେ ଭଲ କମ୍ପାନୀର ଶାମ୍ପୁ,ଫେସ ୱାଶ ,ନଡ଼ିଆ ତେଲ ଇତ୍ୟାଦି ସୁନ୍ଦର ଭାବରେ ସଜା ହୋଇଥିଲା |ଲକ୍ଷ୍ମୀ ଯାତ୍ରା ଜନିତ କ୍ଲାନ୍ତି ଦୂର କରିବା ପାଇଁ କେଶରେ ଶାମ୍ପୁ,ଦେହରେ ଲିକ୍ୟୁଡ଼ ସାବୁନ ଓ ମୁହଁରେ ଫେସ ୱାସ ଲଗାଇ ଭଲକରି ଗାଧୋଇଲେ |ତାପରେ ଆସି ଠାକୁରଙ୍କୁ ମୁଣ୍ଡିଆ ମାରିଲେ |ସେତେବେଳେ ବିଜୟା ଓ ବିନୀତା ମିଶି ରୋଷେଇ କରୁଥିଲେ |ସମସ୍ତେ ଖାଇ ସାରିବା ପରେ ଲକ୍ଷ୍ମୀ ବିଛଣାରେ ଗଡ଼ପଡ଼ ହେବାକୁ ବାହାରିଛନ୍ତି,ଶ୍ରୀମନ୍ତ ତାଙ୍କ ପାଖକୁ ଧୀର ଗଳାରେ କହିଲା,ବୋଉ ଟିକେ ବାହାରକୁ ଆସିବ ?ଲକ୍ଷ୍ମୀ କହିଲେ,କଣ କହିବୁ ବାପା,ଏଇଠି କହୁନୁ ?ଶ୍ରୀମନ୍ତ ନେହୁରା ହୋଇ କହିଲା,ଗୋଟିଏ ମିନିଟ ପାଇଁ ପ୍ଲିଜ ଆସ |ଲକ୍ଷ୍ମୀ ବାହାରକୁ ଯିବାରୁ ଶ୍ରୀମନ୍ତ କହିଲା,ତମେ ବାଥରୁମରେ ଥିବା ଶାମ୍ପୁ ଓ ଫେସ ୱାସ ଲଗାଇ ଥିଲ କି ?ଲକ୍ଷ୍ମୀ କହିଲେ,ହଁ,କଣ ହେଲା ?ଶ୍ରୀମନ୍ତ କହିଲା,ସେଇଟା ମମିଙ୍କର ,ତାଙ୍କ ଜିନିଷ ତମେ ଆଉ ବ୍ୟବହାର କରିବନି ,ମୁଁ ତମପାଇଁ ଅଲଗା ଆଣିଦେଵି |ଲକ୍ଷ୍ମୀ ଅବାକ ହୋଇ କହିଲେ,ମୁଁ ଏତେ ଛନ୍ଦ କପଟ ଜାଣିନି ବାପା |ସେଇଠି ଥିଲା,ଲଗେଇ ଦେଲି |ହେଲେ ଏଇଟା ମୋ ପୁଅର ଘର |ଏଇଠି ସବୁ ଜିନିଷରେ ମୋର ପୂର୍ଣ୍ଣ ଅଧିକାର ଅଛି |କିନ୍ତୁ ତୋ କଥା ମତେ ଭାରି ଦୁଃଖ ଦେଲା |କଥା ଶେଷ କରି ସେ ତାଙ୍କ ଆଖିରୁ ଲୁହ ପୋଛିଲେ |ଶ୍ରୀମନ୍ତ ବିଚଳିତ ହୋଇ କହିଲା,ବୋଉ,ମନଦୁଃଖ କରନି |ତମେ ମନଦୁଃଖ କଲେ,ମୋ ମନ ବି ଦୁଃଖ ହେବ |ଲକ୍ଷ୍ମୀ କହିଲେ,ତୋର ଏଥିରେ କିଛି ଦୋଷ ନାହିଁ |ମୁଁ ବୁଝିଗଲି,ଆଉ ସେମିତି କରିବିନି |
         ତା ପରଦିନ ସକାଳେ ଲକ୍ଷ୍ମୀ ଶ୍ରୀନିବାସଙ୍କ ସହ ନିକଟସ୍ଥ ମାର୍କେଟକୁ ଯାଇ ସେହି ନିର୍ଦ୍ଦିଷ୍ଟ କମ୍ପାନୀର ଶାମ୍ପୁ,ଫେସ ୱାସ ଇତ୍ୟାଦିର ବଡ଼ ସାଇଜ ବୋତଲ କିଣି ଆଣି ତାକୁ ବାଥରୁମରେ ସଜାଇ ରଖିଦେଲେ |ସେସବୁ ସେଠାରେ ରଖିବା ପୂର୍ବରୁ ବିନୀତା ତାଙ୍କ ବ୍ୟବହୃତ ସାମଗ୍ରୀ ସେଠାରୁ ଅପସାରଣ କରି ସାରିଥିଲେ |ସେଦିନ ଲକ୍ଷ୍ମୀ ଜିଦ୍ଦି କରିବା ପରି ଆଉଥରେ କେଶରେ ଶାମ୍ପୁ ଲଗାଇ ବିନୀତାଙ୍କ ସାମ୍ନାରେ ଚୁଟି ଝାଡ଼ି ଶୁଖାଇଲେ |ଏଥିରେ ବିନୀତା ଅପମାନିତ ବୋଧ କଲେହେଁ କିଛି କହି ପାରିଲେ ନାହିଁ |
   
                           ପରଦିନ ଭୋରରୁ ଉଠି ନିଜ ନିତ୍ୟକର୍ମ ଶେଷ କରି ଲକ୍ଷ୍ମୀ ସକାଳ ଜଳଖିଆ ପାଇଁ ଉପମା ଓ ସମ୍ବର ତିଆରି କଲେ |ପ୍ରାୟ ଦିନ ବ୍ରେଡ଼ ଖାଇ ଅଫିସ ଯାଉଥିବା ଶ୍ରୀମନ୍ତ ବ୍ରେକଫାଷ୍ଟ ରେ ନିଜ ପ୍ରିୟ ଜଳଖିଆ ଦେଖି ଭାରି ଖୁସି ହୋଇଗଲା |ସେଥିରୁ ପେଟେ ଖାଇ ସେ ଅଫିସ ବାହାରି ଗଲା |ସେ ଯିବାପରେ ଲକ୍ଷ୍ମୀ ଶ୍ରୀନିବାସଂକୁ ଜଳଖିଆ ଦେଇ ନିଜେ ଖାଇଲେ | ବିଜୟାକୁ କହିଲେ,ତୋ ମମି ଆଉ ତୁ ଶୀଘ୍ର ଖାଇଦେବ,ନ ହେଲେ ଥଣ୍ଡା ହୋଇଯିବ |ତାଂକ କଥାର ଉତ୍ତର ନ ଦେଇ ବିଜୟା ତଳକୁ ଚାଲିଗଲା ଓ କିଛି ସମୟ ପରେ ଜଳଖିଆ ଦୋକାନରୁ ବରା,ସିଂଗଡା ଆଣି ଟମାଟୋ ସସ୍ ଲଗାଇ ଖାଇଲା |ବିନୀତା ମଧ୍ୟ ତାକୁ ଖାଇଲେ |ଲକ୍ଷ୍ମୀ କହିଲେ,ମୁଁ ଏତେ ଉପମା କଲି,କଣ ହେବ?ବିଜୟା ସାଂଗେ ସାଂଗେ ଉତ୍ତର ଦେଲା,ମୁଁ ସେଗୁଡା ଖାଏନି,ଯିଏ ରାନ୍ଧିଛି,ସିଏ ଖାଇବ |ଲକ୍ଷ୍ମୀ କହିଲେ,ତାହାଲେ ଭାତ ଅଳ୍ପ ରାନ୍ଧିବୁ,ମୁଁ ଆଜି ଉପମା ଖାଇଦେବି |ଯେତେବେଳେ,ଗୋଟାଏ ବାଜିଲା,ଲକ୍ଷ୍ମୀ ବିଜୟାକୁ କହିଲେ,ବାପାଂକ ପାଇଁ ଭାତ ବାଢି ଦେ,ତାଂକୁ ଭୋକ କଲାଣି |ବିଜୟା କହିଲା,ଆପଣ କହିଲେ,ଉପମା ଖାଇବେ ବୋଲି,ତେଣୁ ମୁଁ ଆପଣ ମାନଂକ ପାଇଁ ରାନ୍ଧିନି |ଲକ୍ଷ୍ମୀ କହିଲେ,ଏ କି କଥା,ଉପମା ମୁଁ ଖାଇବି ବୋଲି କହିଲି,ବାପା ଖାଇବେ ବୋଲି ତ କହିନି |ସେ ତାପରେ ବିନୀତାଂକୁ କହିଲେ,ସମୁଦୁଣୀ ଆପଣ ଏ ସବୁ ଦେଖୁଛନ୍ତି ତ?ବିନୀତା ହସି ଦେଇ କହିଲେ,ସେ ସବୁବେଳେ ସେଇଆ |ସେ କଣ କାହା କଥା ମାନେ?ଲକ୍ଷ୍ମୀ ଆଉ ବାକ୍ୟବ୍ୟୟ ନ କରି ରୋଷେଇ ଘରକୁ ଯାଇ ଭାତ,ଡାଲମା ରାନ୍ଧିଲେ |ତା ସହିତ ଆଚାର ଓ ପାମ୍ପଡ ଦେଇ ଶ୍ରୀନିବାସଂକୁ ଖାଇବାକୁ ଦେଲେ |ଶ୍ରୀନିବାସ ତାକୁ ଆନନ୍ଦରେ ଖାଇ କହିଲେ,ବାଃ,ବିଜୁ ତ ଆମର ଭଲ ରାନ୍ଧିଛି |ଏମିତି ସବୁବେଳେ ରାନ୍ଧିବୁ ମା ,ମତେ ଭାରି ଭଲ ଲାଗେ |ବିଜୟା ରାଗରେ ଦାନ୍ତ କଡ଼ମଡ କରି ସେଠାରୁ ଚାଲିଗଲା |ସନ୍ଧ୍ୟାବେଳେ ଶ୍ରୀମନ୍ତ ଅଫିସ୍ ରୁ ଫେରିବା ପରେ ବିଜୟା ତାକୁ କହିଲା,କାଲି ଦୀପାବଳୀ ରେ ପିନ୍ଧିବା ପାଇଁ ମୋ ପାଇଁ ନୂଆ ଡ୍ରେସ୍ କିଣିଦେବ,ଚାଲ ଏବେ ଯିବା |ଶ୍ରୀମନ୍ତ କହିଲା,ଦଶହରାରେ ନୂଆ ଡ୍ରେସ୍ ପିନ୍ଧିଲ,ପୁଣି କଣ ?ବିଜୟା କହିଲା,ସେଇଟା ମୋ ଡାଡି ,ମମି କିଣି ଛନ୍ତି ,ଏବେ ଦୀପାବଳୀ ପାଇଁ ତମେ କିଣି ଦିଅ |ଶ୍ରୀନିବାସ କହିଲେ,ସେ ଠିକ କହୁଛି ଶିରୀ ,ଏକା ତାପାଇଁ କାହିଁକି,ତୁମ ଦୁଇଜଣଂକ ପାଇଁ ନୂଆ ଡ୍ରେସ୍ ଆଣିବୁ |ଏହା କହି ସେ ତାଂକର ଏ.ଟି.ଏମ.କାର୍ଡ଼ ଶ୍ରୀମନ୍ତ କୁ ଦେଲେ |ବିଜୟା ଉତକ୍ଷିପ୍ତ ହୋଇ କହିଲା,ରଖନ୍ତୁ ଆପଣଂକ ଏ.ଟି.ଏମ.କାର୍ଡ଼,ମୁଁ ଏମିତି ବହୁତ ଦେଖିଛି |ମୋ ଡାଡି ପାଞ୍ଚ ଲକ୍ଷ ଟଂକା ଡାଉରି ଦେଇଥିଲେ,ଆପଣ ସବୁ ଖାଇଗଲେ,ଗୋଟିଏ ପଇସା ଆମକୁ ଦେଲେନି,ଏବେ କହୁଛନ୍ତି କଣ ନାଁ କାର୍ଡ଼ ନିଅ ଡ୍ରେସ୍ କିଣିବ !ଦରକାର ନାହିଁ ଆପଣଂକର କାର୍ଡ଼ |ବିଜୟା ର କଥା ଶୁଣି ସମସ୍ତେ ସ୍ତବ୍ଧ ହୋଇ ରହିଗଲେ |ଶ୍ରୀମନ୍ତ ସଂଗେ ସଂଗେ ସେଠାରୁ ତଳକୁ ଚାଲିଗଲା |ଘରକୁ ଫେରିବା ବେଳକୁ ରାତି ବାର |ଶ୍ରୀନିବାସ ଓ ଲକ୍ଷ୍ମୀ ନ ଖାଇ ସେପର୍ଯ୍ୟନ୍ତ ତାକୁ ଅପେକ୍ଷା କରି ବସିଥିଲେ |ସେମାନେ ତାକୁ ଅପେକ୍ଷା କରି ବସି ଥିବାର ଦେଖି ସେ କହିଲା,ତମେମାନେ ଖାଇ ସାରିଲଣି?ଲକ୍ଷ୍ମୀ କହିଲେ,ନାଁ ବାପା,ତତେ ଚାହିଁ ବସିଛୁ |ଶ୍ରୀମନ୍ତ କହିଲା,ମୁଁ ଖାଇ କରି ଆସିଛି,ତମେ ଖାଇ କରି ଶୋଇପଡ |ଲକ୍ଷ୍ମୀ ଜାଣିଥିଲେ,ପୁଅ ଖାଇନି,ମିଛ କହୁଛି |ସେ ରୋଷେଇ ଘରକୁ ଯାଇ ଖାଇବା ଜିନିଷ ଘୋଡାଇ ଫ୍ରିଜ୍ ରେ ରଖିବା ବେଳକୁ ଶ୍ରୀମନ୍ତ ଆସି ସେଠାରେ ପହଂଚି ଗଲା |କହିଲା,ହଉ  ବାଢ,ଏକାଠି ଖାଇବା |ଏତେ ରାତିରେ ଖାଇବା ପାଇଁ କାହାରି ଇଚ୍ଛା ନ ଥିଲା |ସମସ୍ତେ ଟିକେ ଟିକେ ଖାଇ ଉଠି ଗଲେ |
                       ପରଦିନ ସକାଳେ ଶ୍ରୀନିବାସ ଶ୍ରୀମନ୍ତକୁ ଜଣାଇ ରାମଚନ୍ଦ୍ରଙ୍କ  ଆକାଉଣ୍ଟ କୁ ପାଞ୍ଚ ଲକ୍ଷ ଟଂକା ଟ୍ରାନ୍ସଫର୍ କରିଦେଲେ |ଦ୍ୱିପହର ବେଳେ  ଲକ୍ଷ୍ମୀଂକ ସହିତ ମାର୍କେଟ ଯାଇ ଦୀପ,ତେଲ ଓ ମହମବତୀ କିଣି ଆଣିଲେ |ସନ୍ଧ୍ୟାବେଳେ ଦୀପ ଜାଳି ପରିବାରର ସୁଖ ମନାସିଲେ |ପରଦିନ ଅଫିସରୁ ଫେରି  ଶ୍ରୀମନ୍ତ ଶ୍ରୀନିବାସଂକୁ ଟିକଟ ଦେଇ କହିଲା,ଆସନ୍ତା ଶୁକ୍ରବାରକୁ ଟିକଟ କରି ଦେଇଛି,ତୁମେ ଦୁଇ ଜଣ ଚାଲିଯିବ |ବିନା ଆପତ୍ତିରେ ତା ହାତରୁ ଟିକଟ ନେଇ ଶ୍ରୀନିବାସ ତାଂକ ପକେଟରେ ରଖିଲେ |ଶୁକ୍ରବାର ପର୍ଯ୍ୟନ୍ତ ଘରେ ସମସ୍ତେ ଚୁପ୍ ଚାପ୍ ଥିଲେ |କେହି କାହାରି ସାଂଗେ କଥା ହେଉ ନ ଥିଲେ |ଏୟାରପୋର୍ଟ ରେ ତାଂକୁ ବିଦାୟ ଦେବାବେଳେ ଶ୍ରୀମନ୍ତ ବହୁତ କାନ୍ଦୁଥିଲା |କହିଲା,ତମେମାନେ ସେଇଠି ତୁମମାନଂକ ଦେହର ଯତ୍ନ ନେବ ,ତେଣିକି ଭଗବାନଂକ ଇଛା |ଲକ୍ଷ୍ମୀ ତାକୁ ବୁଝାଇ କହିଥିଲେ,ଇଏ କଣ ବଜାର ଜିନିଷ ହୋଇଛି ଯେ,ଖରାପ ପଡିଲେ,ବଦଳେଇ ନୂଆ ନେଇ ଆସିବ ?ଇଏ ଜୀବନ ସଉଦା କଥା ବାପା ,ସେମିତି ମାଡି ମକଚି ତତେ ତା ସହିତ ସାରା ଜୀବନ ଚଳିବାକୁ ପଡିବ |
                      ଘରକୁ ଫେରିବା ପରେ ଲକ୍ଷ୍ମୀଙ୍କ ସାଇ ପଡିଶା ଓ ଆତ୍ମୀୟସ୍ୱଜନ ତାଙ୍କୁ ଘେରିଯାଇ ପ୍ରଶ୍ନବାଣରେ ବିବ୍ରତ କରି ପକାଇଲେ |ବିଜୟା ଓ ତାର ପିତାମାତାଙ୍କ ବିରୁଦ୍ଧରେ  ଗୁଡ଼ାଏ ଗପି ମନ ଥଣ୍ଡା ହେବା ପରେ , ଲକ୍ଷ୍ମୀ ଅନୁଭବ କଲେ ,ଅଳ୍ପ ବହୁତ ତାଙ୍କରି  ପରି ଅବସ୍ଥା ପ୍ରାୟ ସମସ୍ତଙ୍କର |କେଉଁଠି ବୋହୂ ତାର ଶାଶୁ ଓ ନଣନ୍ଦଙ୍କ  ଉପରେ ଅଶାନ୍ତି ତ  ଆଉ କେଉଁଠି ଶାଶୁ ତାର ବୋହୂ ଓ ତାର ବାପା ମାଆଙ୍କ ଉପରେ  |ନିଜକୁ ସେମାନଙ୍କ ଠାରୁ ଦୂରେଇ ଲକ୍ଷ୍ମୀ ଚିନ୍ତାକଲେ,ଯଦି ଏ ସମସ୍ୟା ଯୁଗ ଯୁଗର ତାହେଲେ ତାର ସମାଧାନ ନିଶ୍ଚୟ ଥିବ |ସେ ତାଙ୍କ ବୋଉଙ୍କ କଥା ମନେ ପକାଇଲେ |ସେ ସବୁବେଳେ କହୁଥିଲେ,ଗୋଟିଏ ପରିବାରରେ ଯଦି କୌଣସି କାରଣବଶତଃ  ମତଭେଦ ହୁଏ,ତାହେଲେ ସେଥିପାଇଁ ପ୍ରଥମେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଦାୟୀ କରାଯାଏ  |ଶ୍ରୀନିବାସ ନରମପନ୍ଥୀ ହୋଇଥିବାରୁ ସେ ପ୍ରଥମେ ନିଜକୁ ଦୋଷୀ ସ୍ଥାନରେ ରଖି,ନିଜର ଭୁଲ ଖୋଜିବାକୁ ଚେଷ୍ଟା କଲେ |ସେ ଯେତେ ଯେତେ ଏ ବିଷୟରେ ଭାବିଲେ ସେତେ ସେତେ ତାଙ୍କର  ମନେହେଲା,କେଉଁଠି ନାଁ କେଉଁଠି ତାଙ୍କର ଯେମିତି କିଛି କିଛି ଭୁଲ ରହିଛି | ସେ ମନେ ମନେ ଭାବିଲେ,ଏବେ ନିଜକୁ ସୁଧାରିବାର ସମୟ ଆସିଯାଇଛି |
******* ଏହା ଭିତରେ କିଛି ବର୍ଷ ବିତିଯାଇଛି  |ଶ୍ରୀନିବାସଙ୍କ ଡାହାଣ ଆଂଠୁ ସମସ୍ୟା ଯୋଗୁଁ ସର୍ଜରୀ କରାଯାଇଛି |ଲକ୍ଷ୍ମୀ ନିଜେ ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ  ରୋଗରେ ପୀଡିତା |ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇଜଣଙ୍କୁ ନିୟମିତ ଚଲା ବୁଲା ଓ ଖାଦ୍ୟପେୟରେ ସଂଯମତା ରକ୍ଷା ତଥା ନିରାମିଷ ଭୋଜନ କରିବାକୁ ପଡୁଛି |ବିଜୟା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଓ ଅଧିକାଂଶ ଦିନ ବାହାରେ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାରୁ ପୂର୍ବରୁ ପିଲାଙ୍କ ପାଖରେ ରହିବା ସମୟତକ ସେମାନେ ନାହିଁ ନଥିବା ଅଶାନ୍ତିରେ ସମୟ କାଟୁଥିଲେ  | ଏବେ କିନ୍ତୁ ଆଉ ସେ ସମସ୍ୟା ନାହିଁ |ସକାଳେ ମର୍ଣ୍ଣିଙ୍ଗ ୱାକ ସରିବା ପରେ ଦୁହେଁ ବାଛି ବାଛି ନିଜ ମନ ମୁତାବକ ସତେଜ ପରିବା କିଣି ଆଣନ୍ତି | ନିଜର ନିତ୍ୟକର୍ମ ଶେଷକରି  ସକାଳ ଜଳଖିଆରେ  ରୁଟି  ଓ କ୍ଷୀର ଖାଇଦିଅନ୍ତି |ସେଥିପାଇଁ ରାତିରେ ଅଧିକ ଚାରିପଟ ରୁଟି କରି ଦେଇଥାନ୍ତି |ମଧ୍ୟାନ୍ନ ଭୋଜନରେ ଲକ୍ଷ୍ମୀ ଉଭୟଙ୍କ ପାଇଁ ନିଜ ମନ ପସନ୍ଦର ତରକାରୀ ଅଧିକ ପରିମାଣର ବନେଇ ଦିଅନ୍ତି |ସେଥିରୁ ଅଧା ଦିନବେଳା ଓ ଆଉ ଅଧା ରାତିରେ ରୁଟି ସାଙ୍ଗରେ ଖାଆନ୍ତି |ସେଥିରେ ପୁଣି ଦୁଇ ନାତୁଣୀ ଓ ପୁଅର ଭାଗ ଥାଏ |ମା ହାତ ରନ୍ଧା ତରକାରୀ ଖାଇ ଶ୍ରୀମନ୍ତ ଖୁସି ତ ହୋଟେଲ ର ଚିକେନ/ମଟନ  ବିରିୟାନୀ ଖାଇ ବିଜୟା ଖୁସି |ମୋଟ ଉପରେ ଏବେ ସମସ୍ତେ ଖୁସି |ଯେତେବେଳେ ବିଜୟା ପିଲାମାନଙ୍କୁ ଆକଟ କରୁଥାଏ କିମ୍ବା କୌଣସି କାରଣ ପାଇଁ ଶ୍ରୀମନ୍ତ ସହିତ ତାର ଜୋରଦାର ଝଗଡ଼ା ଚାଲିଥାଏ,ସେତେବେଳେ ଲକ୍ଷ୍ମୀ ଓ ଶ୍ରୀନିବାସ  ଜାଣିଶୁଣି ଟିଭି ଭଲ୍ୟୁମ ବଢ଼େଇ ନ୍ୟୁଜ ଶୁଣିବାରେ ମନ ଦିଅନ୍ତି |ମାମଲା ଅଧିକ ଗମ୍ଭୀର ଥିଲେ ଦୁହେଁ କିଛି ସମୟ ଛାତ ଉପରକୁ ଯାଇ ବୁଲି ଆସନ୍ତି |ବେଳେବେଳେ ବିଜୟାର ମୁଡ଼ ଭଲ ଥିଲେ,ସେ ଲକ୍ଷ୍ମୀଙ୍କ ପାଖେ ଗେହ୍ଲେଇ ହୋଇ କହେ,ବୋଉ,ଆପଣ ଆପଣଙ୍କ ପୁଅଙ୍କୁ ଏତେ ଗେହ୍ଲା କରି ବଢ଼େଇଛନ୍ତି,ଛୁଟିଦିନ ହେଲେ ସେ ଦଶଟା ବେଳକୁ ଉଠୁଛନ୍ତି,ପୁଣି କୁଟା ଖଣ୍ଡକୁ ଦିଖଣ୍ଡ କରୁ ନାହାନ୍ତି |ଆପଣ ତାଙ୍କୁ କଡ଼ାକରି ଦି'ପଦ ଗାଳି ଦିଅନ୍ତୁ,ନହେଲେ ସେ ଜମା ସୁଧୁରିବେନି |ତା କଥା ଶୁଣି ଲକ୍ଷ୍ମୀ ଯେପରି କିଛି ଶୁଣି ନାହାନ୍ତି,ଏପରି ଭାବ ଦେଖାଇ ସଂଗେ ସଂଗେ ବିଷୟବସ୍ତୁ ବଦଳେଇ ଦିଅନ୍ତି ଓ  ମନେ ମନେ କହନ୍ତି ,ଆମର ତ ସମୟ ସରିବା ସରିବା ହେଲାଣି ,ବେକାର  ଝମେଲାରେ ପଶି କାହିଁକି  ମୁଣ୍ଡ ଖରାପ କରିବୁ ?  ଆଜି ପର୍ଯ୍ୟନ୍ତ ଚଳେଇ  ଆସିଲୁ,ଆଉ କିଛିଦିନ ଚଳେଇ ଦେଲେ କାମ ଶେଷ |ନିଜେ ଭଲ ଥିଲେ,ଦୁନିଆଁ ଭଲ,ଏଇତ ଜୀବନ !!!ମମତା ମହାନ୍ତି |