Sunday, November 27, 2022

ବାପାଙ୍କ ଝିଅ

              ଯିଏ ,ଦିନସାରା ଖେଳୁଥିଲେ ବି,କ୍ଲାନ୍ତ ହୁଏନା ,ଦୁନିଆଯାକର ସାଙ୍ଗ ମାନଙ୍କୁ ଡାକି ଆଣି ଯିଏ  ଘରେ ପୁରାଏ,ଶ୍ରେଣୀରେ ଶିକ୍ଷକ/ଶିକ୍ଷୟତ୍ରୀ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ଯାହାପାଖରେ ଥାଏ, ଯାହାକୁ ଥରେ ଦେଖିଲେ ନଜର ହଟେଇବାକୁ ଇଚ୍ଛା ହୂଏନାହିଁ ଓ ଯିଏ କଥା କଥାକେ,"ମୁଁ ବାପାଙ୍କ ଝିଅ,କାହାକୁ ଡରେନି" ବୋଲି କହେ,ସେହି ଝିଅର ନାଁ ଥିଲା ପରୀ |ସବୁଠାରୁ ଅଧିକ ଯାହାକୁ ସେ ଭଲ ପାଉଥିଲା ସେ ହେଲେ ତାର ବାପା ,ପୁଣି ସବୁଠାରୁ ଅଧିକ ଯାହାକୁ ସେ ଭୟ କରୁଥିଲା,ସିଏ ବି ତାର ବାପା ଥିଲେ |ତୁ କାହାର ଝିଅ ବୋଲି ପଚାରିଲେ ତାର  ଉତ୍ତର ଥିଲା,ମୁଁ ବାପାଙ୍କ  ଝିଅ |

:"ଆଉ ମାଆଙ୍କର ?"

:"ମାଆଙ୍କର ପୁଅ "|ସେ ତତ୍କ୍ଷଣାତ ଉତ୍ତର ଦେଉଥିଲା |

   ଉତ୍ତର ତାର ସବୁବେଳେ ଏମିତି ଚଟାପଟ ଥିଲା ଯେ,ବେଳେବେଳେ ପ୍ରଶ୍ନକର୍ତ୍ତା ହରଡ଼ଘଣାରେ ପଡି ଯାଉଥିଲେ |

            ବାପା ଅଫିସରୁ ଫେରିଲେ ତାଙ୍କ ଆଗରେ ଦିନଯାକର ଘଟଣା ଅବିକଳ ବର୍ଣ୍ଣନା ନ କରିବାପର୍ଯ୍ୟନ୍ତ ସେ ବାପାଙ୍କ ପିଛା ଛାଡ଼ୁନଥିଲା |ସେଥିରେ ତାର ମାଆ ପଡୋଶୀଙ୍କ ସହିତ କରିଥିବା ଚୁଗୁଲି ମଧ୍ୟ ବାଦ ଯାଉନଥିଲା |

        ବୟସ ବଢିବା ସଙ୍ଗେ ସଙ୍ଗେ ସେ କ୍ରମେ ଅନିନ୍ଦ୍ୟ ସୁନ୍ଦରୀ ହୋଇ ଉଠିଲା ଆଉ ତା ପଛରେ ଲାଇନ ଲଗାଇବା ଟୋକାଙ୍କ ସଂଖ୍ୟା ବଢି ଚାଲିଲା  |କିନ୍ତୁ ତା ଭାଷାରେ ସେ ଥିଲା,ବାପାଙ୍କ ଝିଅ,ତେଣୁ ତାକୁ ଫସେଇବା ପାଇଁ,ଅବାଟରେ ନେବାପାଇଁ କେଉଁ ବାପାଙ୍କ ପୁଅ ଜନ୍ମ ହୋଇ ନାହାନ୍ତି |

        ତାର ଏହି ଔଦ୍ଧତ୍ୟ ଦେଖି ବଗୁଲିଆ ଟୋକା କୁହାକୁହି ହେଉଥିଲେ,ହଉ କୋଉ କନ୍ଦର୍ପ ଶେଠକୁ ବାହାହେବୁ ଆମେ ଦେଖିବୁନି କି !!

         ପରୀ ଉଚ୍ଚ ଶିକ୍ଷା ଲାଭ କରିବାପରେ ଚାକିରୀ ପାଇଁ ମନୋନୀତ ହେଲା |କିନ୍ତୁ ଚାକିରୀରେ ଯୋଗ ଦେବା ପୂର୍ବରୁ ତାର ବାପାଙ୍କ ପସନ୍ଦର ଯୁବକକୁ ବାହାହେଲା |ପିଲାଟି ଉଚ୍ଚଶିକ୍ଷିତ ଥିଲା ଓ ବିଦେଶରେ ଚାକିରୀ କରୁଥିଲା |ଦୁହେଁ ବିବାହ ପରେ ବିଦେଶ ଚାଲିଗଲେ |ସେଠାରେ ପରୀକୁ ତା' ମନ ପସନ୍ଦର ଚାକିରୀ ମିଳିଗଲା |ଏଥର ସମାଲୋଚକମାନଙ୍କ ମୁହଁ ବନ୍ଦ ହୋଇ ଯାଇଥିଲା  |

          କିନ୍ତୁ ସମସ୍ତଙ୍କୁ ଚକିତ କରିଦେଇ,ଦୁଇବର୍ଷ ପରେ ଦୁହେଁ  ନିଜ ଦେଶ ମାଟିକୁ ଫେରିଆସିଲେ |ଭିତରି  କଥା କିଛି ଜଣା ପଡିଲା ନାହିଁ କିନ୍ତୁ ଏକଥା ଜଣା ପଡିଲା ଯେ ପରୀ ତା' ସ୍ୱାମୀଙ୍କ ସହିତ ମିଶି,ଶାଶୁଘର  ଗାଆଁରେ ଥିବା  ବିସ୍ତୃତ ଚାଷ ଜମିରେ ଉନ୍ନତ ପ୍ରଣାଳୀରେ ଚାଷକାର୍ଯ୍ୟ କରିବାର ନିଷ୍ପତ୍ତି ନେଇଛି  |ତାର ଏପରି ନିଷ୍ପତ୍ତିରେ କମ ଲୋକ ଖୁସିହେଲେ,ବେଶି କହିଲେ,ଆଚ୍ଛା ହୋଇଛି,ପାନେ ପାଇଛି |ଦୁଇଦିନରେ ମନ ଘର ଧରିଯିବ ଯେ ,ସେତେବେଳେ ବାପାକୁ ମଉସା ବୋଲି ଡାକିବ |

         କିନ୍ତୁ ସେମିତି କିଛି ହେଲାନାହିଁ | ଏବେ ପରୀ ତାଙ୍କ ଚାଷ ଜମିରେ ଥିବା ଗଛରୁ ସତେଜ ପନି ପରିବା ତୋଳି ଓ ଗାଡ଼ିଆରୁ ଜିଅନ୍ତା ମାଛ ଧରି , ଖାଣ୍ଟି ଓଡ଼ିଆଣୀ ବେଶରେ ନିଜେ  ବିଭିନ୍ନ ପ୍ରକାର  ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରିବାର ଭିଡିଓ ୟୁ ଟ୍ୟୁବ ରେ ପ୍ରସାରିତ ହୋଇ ଦର୍ଶକଙ୍କୁ ବେଶ ମୋହିତ କରିଛି ଓ ଦିନକୁ ଦିନ ତାର ଅନୁଗାମୀଙ୍କୁ ସଂଖ୍ୟା ବଢି ଚାଲିଛି |ଏଇ ସଫଳତା ପଛରେ ତାର ବାପାଙ୍କ ପ୍ରେରଣା ରହିଛି ବୋଲି କହିବାକୁ ପରୀ ଭୁଲିନାହିଁ |ଅନ୍ୟ ଅର୍ଥରେ ବାପା କାଳେ ତାକୁ ନିଜ ଦେଶକୁ ଫେରି, ମାଟି ମାଆ ପାଇଁ କିଛି କରିବାକୁ ଉତ୍ସାହିତ କରିଥିଲେ !!!

           

Friday, November 11, 2022

ଅଭଙ୍ଗା କଣ୍ଢେଇ (ଭାଗ 29)

                 ଲକି ଡାକ୍ତରଖାନା ଯିବା କଥା ଶୁଣି ବସୁଧା ମଧ୍ୟ ବହୁତ ବ୍ୟସ୍ତ ହେଲା |କହିଲା,ସକାଳେ ଜ୍ୱର ଥିଲା ବୋଲି କହୁଥିଲା,ଖରାରେ ସାଇକେଲ ଚଲାଇ ପେଟ ଗରମ ହୋଇ ବୋଧେ ସେମିତି ହୋଇଛି,ଡାକ୍ତରଖାନା ଯାଇଛି ମାନେ ସେମାନେ ଚିକିତ୍ସା କରି ଭଲ କରିଦେବେ |ଅକ୍ଷର କହିଲା,ପିଙ୍କି ଆଣ୍ଟି ଗୋଟେ ମହିଳା ଗୃପ ର ପ୍ରେସିଡେଣ୍ଟ ହୋଇଛନ୍ତି,ଅଙ୍କଲ ବି ତାଙ୍କ ଅଫିସ ଆସୋସିଏସନର ଜଣେ  ବଡ଼ ନେତା |ଦୁଇଜଣଯାକ ତାଙ୍କ କାମରେ ବ୍ୟସ୍ତ ଥାଇ ଗୋଟିଏ ବୋଲି ପୁଅକୁ ଆଦୌ ଧ୍ୟାନ ଦିଅନ୍ତି ନାହିଁ |କେବେଠାରୁ ଶୁଣୁଛି ତାକୁ ଜ୍ୱର ହେଉଛି,ସେମାନେ ମେଡ଼ିସିନ ଦୋକାନୀକୁ ପଚାରି ଔଷଧ ନେଇ ଆସୁଛନ୍ତି,ଜ୍ୱର ପୂରା ଭଲ ନହୋଇ କିଛିଦିନ ପରେ ପୁଣି ବାହାରୁଛି |

               ବସୁଧା ମନଧ୍ୟାନ ଦେଇ ଅକ୍ଷର କଥା ଶୁଣିଲା,କିଛି ଉତ୍ତର ଦେଲାନାହିଁ |ଅକ୍ଷର ପଚାରିଲା,କଣ ହେଲା ,କିଛି କହିଲନି ଯେ ?ବସୁଧା କହିଲା,ଭାବୁଛି ,ଆମକୁ ସବୁବେଳେ ଖାଲି ଏମିତି ଖରାପ କଥା ଶୁଣିବାକୁ ମିଳୁଛି |ଆଉ କଣ ଆମର ଭଲଦିନ ଆସିବନି ? ଅକ୍ଷର ମୁହଁ ଶୁଖେଇ କହିଲା,ଆମେ ଯେଉଁ କାଣ୍ଡ କଲୁ  ,ସେଥିପାଇଁ ସାରା ଦୁନିଆ ଆମ ବିରୁଦ୍ଧରେ ଛିଡା ହୋଇଛି,ଏଥିରେ ଆମର ଭଲଦିନ ଆସିବ କେମିତି ?ବସୁଧା ଅକ୍ଷରକୁ ଚାହିଁଲା |ସେ ଅତି ଦୁଃଖରେ ଶୂନ୍ୟକୁ ଚାହିଁରହିଥିଲା |ସେ ତାର ଦୁଇହାତ ଅକ୍ଷର ଗଳାରେ ବେଢ଼ାଇ କହିଲା,ଯାହା ଯାଇଛି ଯାଇଛି,ସେଥିପାଇଁ ଚିନ୍ତା କରି କିଛି ଲାଭ ନାହିଁ |ତମର ଅଫିସ ଟିକେ ନର୍ମାଲ କୁ ଆସିଯାଉ,ନୂଆବର୍ଷରେ ବୁଲିବାକୁ ଯିବା |ଅକ୍ଷର କହିଲା,ନୂଆବର୍ଷରେ ଛୁଟି କାହିଁ ଯେ ଯିବା ?ଏଇ ଦଶହରାରେ ଯିବାର କଥା ଥିଲା,କିନ୍ତୁ ଗାଆଁକୁ ନଗଲେ ଅସୁନ୍ଦର ହେବ |ବସୁଧା କହିଲା,କିଛି ନହେଲେ ଆମେ ପୁରୀ ଯାଇ ବୁଲି ଆସିବା |ଅକ୍ଷର ଖୁସି ହୋଇ କହିଲା,ଠିକ କହିଛ,ପୁରୀ ଯିବା କଥା ତମେ ମତେ ମନେ ପକେଇ ଦେଲ,ମୁଁ ଭୁଲି ଯାଇଥିଲି |ଜଗନ୍ନାଥଙ୍କ ପାଖରେ ପୁରୀ ଯିବି ବୋଲି କେତେ ମାନସିକ କରିଥିଲି,ଗଣ୍ଡଗୋଳିଆ ପରିସ୍ଥିତିରେ ସେକଥା ପୂରା ପାସୋରି ଯାଇଥିଲି |ଏଇ ରବିବାର ଭୋରରୁ ପୁରୀ ଯିବା |

              ପରଦିନ ଅକ୍ଷର ଅଫିସ ଯିବାପରେ ବସୁଧା ବହି ଖଣ୍ଡେ ଧରି ପଢୁଥିବାବେଳେ ଗାଆଁରୁ ଦୀପାର ଫୋନ ଆସିଲା |ସେ କହିଲା,ତମେମାନେ ବଢିଆ  ଶାଢ଼ୀ ଆଉ ଡ୍ରେସ ପଠେଇଛ |ସମସ୍ତଙ୍କ ମନକୁ ପାଇଛି |ଏଥରକ ଜାଣ ,ପୂରା ଦଶହରା ପରି ଲାଗୁଛି |ତୁମ ଦୁଇଜଣଙ୍କୁ ବହୁତ ବହୁତ ଧନ୍ୟବାଦ |ବସୁଧା ପଚାରିଲା,ବୋଉଙ୍କ ମନକୁ ଶାଢ଼ୀ ପାଇଲା ?ଦୀପା କହିଲା,ଖୁଡିଙ୍କୁ କଣ ଭଲ ଲାଗେ ନଲାଗେ ସେକଥା ସ୍ୱୟଂ ଭଗବାନ ବି ଜାଣିପାରିବେ ନାହିଁ |ତାପରେ ସେ ଚାପା ଗଳାରେ କହିଲା,ତୁ  ଯାହା ରାନ୍ଧିଥିଲୁ,ସମସ୍ତଙ୍କୁ ଭଲ ଲାଗିଲା,କିନ୍ତୁ ଖୁଡୀ କଣ କହିଲେ ଜାଣିଛୁ ? କହିଲେ,ଭୋକ ବେଳେ ଆମ୍ବିଳା ତୋରାଣି ସୁଆଦ |ବସୁଧା ହସି ହସି କହିଲା,ଶାଶୁ ବୋହୂକୁ ବେଶି ପ୍ରଶଂସା କଲେ,ବୋହୂର  ମୁହଁ ବଢିଯାଏ ବୋଲି ସମସ୍ତେ କହନ୍ତି,ତେଣୁ ବୋଉ ଯାହା କହିଲେ,ଠିକ କହିଲେ |ଦୀପା କହିଲା,ଆରେ,ତୁ ତ ଭଲ କଥା କହୁଛୁ  !ଆଚ୍ଛା ,ଦଶହରାରେ ଗାଆଁକୁ ଆସିବ ଟି ?ବସୁଧା କହିଲା,ତମେମାନେ ଚାହିଁଲେ ଯିବି,ନହେଲେ କାହିଁକି ଯିବି ?ଦୀପା କହିଲା,କାହାପାଇଁ ନହେଲା ନାହିଁ,ତମେମାନେ ମୋ ପାଇଁ ଆସ,ଭଲ ଲାଗିବ | ବସୁଧା କହିଲା,ନିଶ୍ଚୟ ଅପା,ମୁଁ ତୁମପାଇଁ ଯିବି |ଏଇଠୁ ଆଉ କଣ ନେବାର ଅଛି କହିଲେ,ମୁଁ ସାଙ୍ଗରେ ନେଇ ଯିବି |ଭଲ ଭଲ ରୋଷେଇ କରି ଖାଇବା ଆଉ ମଜା କରିବା |ଦୀପା କହିଲା,ତୁ ତ ମୋ ମନକଥା କହିଦେଲୁ |ହଉ ଫୋନ ରଖିଲି,ପରେ କଥା ହେବା |

    ଫୋନ ରଖୁ ରଖୁ କଲିଂ ବେଲ ବାଜିଲା |ବସୁଧା କବାଟ ଖୋଲି ଯାହାକୁ ଦେଖିଲା,ନିଜକୁ ବିଶ୍ୱାସ କରି ପାରିଲାନାହିଁ |ବାହାରେ ସାନ ଭଉଣୀ ଅମୃତା ଦୋଷୀଙ୍କ ପରି ଛିଡା ହୋଇଥିଲା |ବସୁଧା ଆଶ୍ଚର୍ଯ୍ୟ ହୋଇ କହିଲା,ତୁ ଏକୁଟିଆ ଆସିଛୁ ?ଅମୃତା ଟିକିଏ ଘୁଞ୍ଚିଗଲା |ତା ପଛରେ ସୁଦୀକ୍ଷା ଲୁଚିଥିଲା |ବସୁଧା କୁ ଦେଖି ସେ ଖିଲି ଖିଲି ହୋଇ ହସି ଉଠିଲା |ତା ହାତରେ ବୋଝେ ବହି ଓ ନୋଟ ବୁକ ଥିଲା |ତଳେ ମଧ୍ୟ ଆହୁରି ଦୁଇଟି ଥାକ ରହିଥିଲା |ବସୁଧା କିଛି ପଚାରିବା ପୂର୍ବରୁ ସେ କହିଲା,ତୋର ସବୁ ବହି ଖାତା ଆମେ ନେଇ ଆସିଛୁ ,ତୁ ଭଲରେ ପଢି ପରୀକ୍ଷା ଦେବୁ |ଦୁଇ ଭଉଣୀ  ମିଶି ସବୁ ବହି ଖାତା ଭିତରକୁ ନେଇ ଆସିଲେ |ବସୁଧା କହିଲା,ତମେ ଏଠିକି ଆସିଛ ବୋଲି ବାବା ମାମା  ଜାଣିଛନ୍ତି ?ଅମୃତା କହିଲା,ବାବା କହିବାରୁ ଆମେ ତତେ ତୋର ଅମାନତ ଦେବାକୁ ଆସିଲୁ |ନହେଲେ କେମିତି ଆସିଥାନ୍ତୁ ?ଦୈତାରୀ ଅଟୋରେ ଆସିଛୁ ,ତାରି ଅଟୋରେ ଫେରିଯିବୁ |ଏହା କହି ସେମାନେ ଯିବାକୁ ବାହାରିଲେ | ବସୁଧା ବ୍ୟସ୍ତ ହୋଇ ସେମାନଙ୍କୁ ଘର ଭିତରକୁ ଭିଡି ଆଣି କହିଲା,ସେମିତି କେମିତି ହେବ ?ଟିକେ ବସ,ଉପରବେଳା ଯିବ |ସୁଦୀକ୍ଷା କହିଲା,ବାବାଙ୍କର କଡା  ଆଦେଶ ଅଛି, ବେଶି ସମୟ ଆମେ ରହି ପାରିବୁ ନାହିଁ,ଆମକୁ ସାଙ୍ଗେ ସାଙ୍ଗେ ଯିବାକୁ ପଡିବ  |ବସୁଧା ଆଖିରୁ ଟପ ଟପ ହୋଇ ଅବିରତ ଲୁହଧାର  ଝରି ପଡିଲା |ସେ ଅଭିମାନରେ କହିଲା,ତାହାଲେ କାହିଁକି ଆସୁଥିଲ ?ଏମିତିରେ ମତେ ତ କୋରାପୁଟ ପଠେଇ ସାରିଥିଲ !!ଅମୃତା କହିଲା,ବାବାଙ୍କୁ ନପଚାରି ମାମୁଁ ସେମିତି କରିଥିଲେ  |ଆଉ କିଛି ନକରିବା ପାଇଁ ବାବା ତାଙ୍କୁ ତାଗିଦ କରିଛନ୍ତି |ସେଥିପାଇଁ ମାମୁଁ ରାଗିଯାଇ ଆମ ଘରକୁ ଆସୁନାହାନ୍ତି |ତୁ ଜାଣିଛୁ ?ତୁ ଗଲାଦିନୁଁ ବାବା ଆଉ ଘରକୁ ଆମିଷ ଆଣୁନାହାନ୍ତି |ତାଙ୍କ ମୁହଁରୁ ହସ କୁଆଡେ ଚାଲି ଯାଇଛି !!ତାଙ୍କ ଚେହେରା ଶୁଖି କଳାକାଠ ପଡ଼ିଗଲାଣି |ଏତେଗୁଡାଏ କଥା ବସୁଧା ହଜମ କରି ପାରିଲା ନାହିଁ |ସେ କଇଁ କଇଁ ହୋଇ କାନ୍ଦି କୋହଭରା କଣ୍ଠରେ କହିଲା,ମୁଁ ବଡ଼ ଭୁଲ କରିଦେଇଛି,ବାବା ମାମାଙ୍କୁ କହିବୁ,ମତେ କ୍ଷମା କରିଦେବେ |ଅମୃତା କହିଲା,ଯାହା ନ କରିବା  କଥା କରି ସାରିଲୁଣି, ଏବେ ଆଉ କ୍ଷମା ମାଗିଲେ  କଣ ହେବ ?ସୁଦୀକ୍ଷା କହିଲା,ନା ,ମ ଦେଇ,ତୁ କାହିଁକି ବ୍ୟସ୍ତ ହେଉଛୁ ?ପରୀକ୍ଷା ଦେଇ ଭଲରେ ପାଶ କର,ଆଉ ପରୀକ୍ଷାଫଳ ଦେଖାଇ ବାବା ମାମାଙ୍କୁ କ୍ଷମା ମାଗ ,ସେମାନେ ନିଶ୍ଚୟ କ୍ଷମା କରିଦେବେ | ବସୁଧା କହିଲା,ମତେ ଏତେଦିନ ଅପେକ୍ଷା କରିବାକୁ ପଡିବ ?ଯଦି ମୁଁ ପାଶ ନକରେ ,ତାହାଲେ ?ଅମୃତା କହିଲା,ସେଇଟା ତୋ ଉପରେ ନିର୍ଭର କରେ |ସତକୁ ସତ ସେମାନେ ଆଉ ରହିଲେନି ,ଦୈତାରୀ ଅଟୋରେ ଚାଲିଗଲେ |

           ସନ୍ଧ୍ୟାରେ ଅକ୍ଷର ଘରକୁ ଫେରିବା ପରେ ତାର ଖୁସି ମୁହଁକୁ ଦେଖି, ସବୁକିଛି ଭଲ  ବୋଲି ବସୁଧା ଅନୁମାନ କଲା |ତଥାପି ଦିନଟି କେମିତି କଟିଲା ବୋଲି ସେ ଅକ୍ଷରକୁ ପଚାରିଲା |ଅକ୍ଷର କିଛି କହିବା ପୂର୍ବରୁ  ଟେବଲ ଉପରେ ଥିବା ବହି ଓ ନୋଟ ବୁକରେ  ତାର ନଜର ପଡିଗଲା |ସେ ସେଗୁଡିକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା,ଏସବୁ  କୁଆଡୁ ଆସିଲା ?ବସୁଧା ତାକୁ ସବୁ କଥା କହିଲା ଓ ଅମୃତା କିପରି ତାକୁ ପରୀକ୍ଷାଫଳ ସହିତ ବାବା ମାମାଙ୍କୁ କ୍ଷମା ମାଗିବାକୁ କହିଛି ,ସେକଥା ମଧ୍ୟ କହିଲା |ଅକ୍ଷର କିଛି ସମୟ ଚିନ୍ତା କରି କହିଲା,ଯଦି କ୍ଷମା ମାଗିବାର ଅଛି,ତାହାଲେ ପରୀକ୍ଷା ଦେବା ପୂର୍ବରୁ କ୍ଷମା ମାଗି ତାଙ୍କ ଆଶୀର୍ବାଦ ନିଅ |ଏମିତିକି ମୁଁ ଚାହୁଁଛି,ତମେ ତାଙ୍କର କ୍ଷମା ଓ ଆଶୀର୍ବାଦ ସହ  ପାଠପଢା ଆରମ୍ଭ କଲେ ଆହୁରି ଭଲ ହେବ |(କ୍ରମଶଃ)   

                 

Saturday, November 5, 2022

ଅଭଙ୍ଗା କଣ୍ଢେଇ (ଭାଗ 28)

                   କାଞ୍ଚନ ଓ ବିପ୍ଳବ ଯିବାପରେ ଅକ୍ଷର ବସୁଧାକୁ କହିଲା,ବହୁତ ରାତି ହେଲାଣି,ଏଥର ଆମର ଖାଇବା ବାଢି ଦିଅ |କାଲି ପୁଣି ଅଫିସ ଯିବାର ଅଛି |ବସୁଧା ସମ୍ମତ୍ତି ଜଣାଇ ରୋଷେଇଘରକୁ ଗଲା |କିନ୍ତୁ ଖାଇବା ଆଣିବାରେ ଡେରି ହେବାର ଦେଖି ଅକ୍ଷର ରୋଷେଇଘରକୁ ଯାଇ ଦେଖିଲା,ବସୁଧା ଅଣ୍ଡା ଆମଲେଟ କରୁଛି |ଅକ୍ଷର କିଛି କହିବା ପୂର୍ବରୁ ବସୁଧା କହିଲା,ଭଜା ସରିଯାଇଛି,ଡାଲମା ଅଳ୍ପ ଅଛି,ସେଥିପାଇଁ ଅଣ୍ଡା ଭାଜିଲି |ଅକ୍ଷର ସ୍ମିତ ହସି କହିଲା,ରୁଟି ଅଛି ନା ସିଏ ବି ସରିଯାଇଛି ?ବସୁଧା କହିଲା,ରୁଟି ଅଳ୍ପ ଅଛି |ସକାଳର ଭାତ,ତରକାରୀ  ଅଛି,ସବୁ ମିଶେଇ ଖାଇଦେବା |ଅକ୍ଷର କହିଲା,ହଉ ଯାହା ଆଣୁଛ ଆଣ ,କିନ୍ତୁ ଶୀଘ୍ର ଆଣ ,ଦିନସାରା କିଛି ଖିଆ ହୋଇନି,ଭୋକରେ ପେଟ ଜଳିଲାଣି  |ବସୁଧା ତା ଷ୍ଟାଇଲରେ ପିଆଜ,କଞ୍ଚାଲଙ୍କା,ଧନିଆପତ୍ର ଓ ଅଣ୍ଡା ମିଶାଇ ସକାଳର ଭାତରେ ଫ୍ରାଏଡ ରାଇସ ତିଆରି କଲା |ତା ସହିତ ବଳିଥିବା ରୁଟି,ଡାଲମା ଓ  ତରକାରିରେ ମସଲା ଛୁଙ୍କ ଦେଇ ନେଇ ଆସିଲା |ଅକ୍ଷର ଖୁସି ହୋଇ କହିଲା,ବାଃ ! ପୁରା ଜମାଣିଆ ହେଲା |ବଦଳି ଆଦେଶ ବାତିଲ ହେବା ଖୁସି ସହିତ  ଉପବାସ ଜନିତ କ୍ଷୁଧା ସେମାନଙ୍କ ରାତ୍ରି ଭୋଜନକୁ ଅଧିକ ସୁସ୍ୱାଦୁ କରି ଦେଇଥିଲା !!

           ଖାଇବା ମଝିରେ ବସୁଧା କହିଲା,ବୋଉ ଆମପାଇଁ ଆଜି ସାକ୍ଷାତ ଦୁର୍ଗା ମାତା ପାଲଟିଗଲେ |ଏତେବଡ଼  ଅସମ୍ଭବ କାମକୁ ସେ କେମିତି ସମ୍ଭବ କରି ପାରିଲେ,ସତରେ ତାଙ୍କୁ ମାନିବାକୁ ପଡିବ  !!ବାହାରକୁ ସେ ଯେତେ କଠୋର ଦିଶୁଥିଲେ ହେଁ,ଅନ୍ତର ତାଙ୍କର ଅତି କୋମଳ !ଦୟା,କ୍ଷମା,କରୁଣାର ଜୀବନ୍ତ ପ୍ରତିମୂର୍ତ୍ତି ସେ | ତାଙ୍କୁ ଯେତେ ପ୍ରଶଂସା କଲେ ବି,କମ ହେବ   |ଅକ୍ଷର କହିଲା,ମାଆର ହୃଦୟ ସବୁବେଳେ ତାର ସନ୍ତାନ ପାଇଁ ବିଗଳିତ ହୁଏ  |ପିଲାର ମଙ୍ଗଳ ପାଇଁ ସେ ସବୁକିଛି କରିପାରେ |ଆଜି ସେ ଯାହା କଲା,ତା ନିଜ ପୁଅ ପାଇଁ କଲା,ତା ସ୍ଥାନରେ ଯେ କେହି ଥିଲେ ବି,ବୋଧେ ସେଇଆ କରିଥାଆନ୍ତା |

         ବସୁଧା କହିଲା,ଏମିତି କହି ତାଙ୍କ ବିରାଟ କାର୍ଯ୍ୟକୁ ଗୌଣ କରି ଦିଅନା |ସେ ମତେ ମାରନ୍ତୁ,ହାଣନ୍ତୁ ,କାଟନ୍ତୁ,ଯାହା କିଛି ବି  କରନ୍ତୁ, ମୋ ପାଇଁ ସେ କିନ୍ତୁ ଜଣେ ମହିୟସୀ ନାରୀ,ମୋ ସ୍ୱାମୀଙ୍କର ମାଆ , ତାଙ୍କର ସ୍ଥାନ ସବୁବେଳେ ମୋ ମଥା ଉପରେ ରହିବ  | ଦେଖିବ,ଆଜି ନହେଲେ କାଲି,ସେ ନିଶ୍ଚୟ ମତେ କୋଳେଇ ନେବେ |

          ଅକ୍ଷର କହିଲା,ତାହାଲେ ତମକୁ  ନିରାଶ ହେବାକୁ ପଡିବ |କାରଣ ବୋଉ ଭାରି ଏକଜିଦ୍ଦିଆ ,ସେ କେବେହେଲେ ତାର ନିଷ୍ପତ୍ତି ବଦଳାଏ ନାହିଁ |ବସୁଧା କହିଲା,ଯଦି ଏମିତି କଥା,ତାହାଲେ ମୁଁ ବି ମୋର ନିଷ୍ପତ୍ତି ବଦଳାଇବି ନାହିଁ |ଅକ୍ଷର ଆଶ୍ଚର୍ଯ୍ୟ ହୋଇ କହିଲା,ମାନେ ?ବସୁଧା ସ୍ମିତ ହସି କହିଲା,ମାନେ ଆଉ କଣ ?ମୁଁ ବି ସେମିତି ତାଙ୍କୁ ଆପଣେଇବାର ଚେଷ୍ଟା ଚାଲୁ ରଖିବି,ଦେଖିବା କାହାର ଜିଦ୍ଦି ରହୁଛି ?ତା କଥା ଶୁଣି ହୋ ହୋ ହୋଇ ଅକ୍ଷର ହସି ଉଠିଲା ଓ ହସୁ ହସୁ ତା ତଣ୍ଟିରେ ଖାଦ୍ୟ ଅଟକି କାଶ ହେଲା |ବସୁଧା ତାକୁ ପାଣି ପିଇବାକୁ ଦେଇ ମୁଣ୍ଡ ଥାପୁଡେ଼ଇଲା |କିଛି ସମୟ ପରେ କାଶ ବନ୍ଦ ହୋଇଗଲା |ବସୁଧା କହିଲା,ଏଥର ଖାଇବା ବେଳେ କଥା ବନ୍ଦ ,ଚୁପ ହୋଇ ଖାଅ | 

            ଶୋଇବାବେଳେ ବସୁଧା କହିଲା,ଏଥର ତମକୁ ଅଫିସରେ ବହୁତ ହୁସିଆରିରେ ଚଳିବାକୁ ପଡିବ |ଅକ୍ଷର ପଚାରିଲା,କାହିଁକି ?ବସୁଧା କହିଲା,ତାଙ୍କ କଥା ରହିଲା ନାହିଁ,ତମେ ଉପରୁ ଚାପ  ପକେଇ ବଦଳି ବାତିଲ କରିଦେଲ,ଏଇଟା ତାଙ୍କପାଇଁ ବହୁତ ବଡ଼ ଅପମାନ ଓ  ତାଙ୍କୁ ନିଶ୍ଚୟ ବାଧିଥିବ |ତେଣୁ ସେମାନେ ଛୋଟ ଛୋଟ କଥାରେ ଦୋଷ କାଢି,ତମକୁ ହଇରାଣ କରିବାପାଇଁ  ଚେଷ୍ଟା କରିବେ |ଅକ୍ଷର ଗମ୍ଭୀର ହୋଇ କହିଲା,ହଁ,ମୁଁ ଜାଣିଛି |ସେମାନଙ୍କୁ ସେ ସୁଯୋଗ ନଦେବା ପାଇଁ ଚେଷ୍ଟା କରିବି |ଅକ୍ଷରର କଥା ଶେଷ ନହେଉଣୁ,ବାହାରେ ଆମ୍ବୁଲାନ୍ସ ଆସିବାର ହର୍ନ ଶୁଭିଲା |ସେ କହିଲା,ଏତେ ରାତିରେ କାହାର ଦେହ ଖରାପ ହେଲା ?କୌତୁହଳ ବଶତଃ  ଘଟଣା କଣ ଜାଣିବା ପାଇଁ ସେ କବାଟ ଖୋଲି ବାହାରକୁ ଗଲା |କିଛି ସମୟ ପରେ ଫେରିଆସି ବ୍ୟସ୍ତ ହୋଇ ବସୁଧାକୁ କହିଲା,ବସୁ ,ଜାଣିଛ ?ଲକିର  ଦେହ ବହୁତ ଖରାପ,ତା ନାକରୁ ରକ୍ତ ବୋହିବା ବନ୍ଦ ହେଉନି,ତେଣୁ ସେମାନେ ତାକୁ ଆମ୍ବୁଲାନ୍ସ ରେ ନେଇ ଡାକ୍ତରଖାନା ଗଲେ |(କ୍ରମଶଃ)